spot_img
Home Blog Page 5478

୧୦୩ଦିନ ପରେ ଦେଶରେ ୪୦ହଜାର ତଳେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ୧୦୩ଦିନ ପରେ ଦେଶରେ ୪୦ହଜାର ତଳେ ସଂକ୍ରମିତ ଚିହ୍ନଟ । ପଜିଟିଭ ସହ ମୃତ୍ୟୁସଂଖ୍ୟା ମଧ୍ୟ କମିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦିନକରେ ୩୭ହଜାର ୫୬୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୦୭ଜଣଙ୍କ ଜୀବନ ନେଇଛି ଭାଇରସ୍  । ୨୪ ଘଣ୍ଟାରେ ୫୬ହଜାର ୯୯୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୧୬ ହଜାର ୮୯୭ । ମୋଟ୍ ସୁସ୍ଥ ହେଲେଣି ୨ କୋଟି ୯୩ ଲକ୍ଷ ୬୬ ହଜାର ୬୦୧ । ଆକ୍ଟିଭ କେସ୍ ୫ଲକ୍ଷ ୫୨ହଜାର ୬୫୯ ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୯୭ହଜାର ୭୩୬ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ କରୋନାର ୬,୭୨୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୧, ଏବଂ ସୁସ୍ଥତା ହାର ୧୦,୮୧୨ ରହିଛି । ଉତ୍ତରାଖଣ୍ଡରେ କରୋନା ସଂକ୍ରମଣର ୧୨୦ଟି ନୂଆ ମାମଲା ରେକର୍ଡ କରାଯାଇଛି ଏହାସହ ଆଉ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଛତିଶଗଡର ୪୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଝାଡଖଣ୍ଡରେ କୋଭିଡ -19ର ୮୧ଟି ନୂଆ ମାମଲା, ଆଉ ଗୋଟିଏ ମୃତ୍ୟୁ ରୋକର୍ଡ କରାଯାଇଛି । ତାମିଲନାଡୁରେ ୫ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଭାରତର ଭୁଲ୍ ମ୍ୟାପ ପାଇଁ ଟ୍ୱିଟରର ଏମଡି ମାହେଶ୍ୱରୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ସାତ ମାସରେ ଦ୍ୱିତୀୟ ଥର । ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କଲା ଟ୍ୱିଟର । ଏହା ପରେ ଟ୍ୱିଟରକୁ ଭାରତରେ ବ୍ୟାନ ପାଇଁ ଚାରି ଆଡ଼ୁ ଦାବି ହୋଇଛି । ପ୍ରବଳ ବିରୋଧ ପରେ ୱେବସାଇଟ୍ ବିବାଦୀୟ ନକ୍ସାକୁ ହଟାଇ ଦେଇଛି ଟ୍ୱିଟର । ଏହାରି ଭିତରେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଟ୍ୱିଟରର ଏମଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Case Filed Against Twitter MD Manish Maheshwari For Showing Wrong Map Of India

ମିଳିଥିବା ସୂଚନା ଅନୁସାରେ, ବୁଲନ୍ଦସହରରେ ବଜରଙ୍ଗ ଦଳ ପକ୍ଷରୁ ଏହି ମାମଲା ହୋଇଛି । ଟ୍ୱିଟରର ଏମଡି ମାହେଶ୍ୱରୀଙ୍କ ବିରୋଧରେ ଆଇପିସି ଧାରା ୫୦୫ (୨) ଓ ଆଇଟି (ସଂଶୋଧିତ) ଆଇନ୍ ୨୦୦୮ର ଧାରା ୭୪ ଅନୁସାରେ ମାମଲା ରୁଜୁ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଟ୍ୱିଟରର ନକ୍ସାରେ ଭାରତର ନୁହେଁ ଜମ୍ମୁ-କାଶ୍ମୀର, ଅଲଗା ଦେଶ; ସରକାର ନେଇପାରନ୍ତି ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆ ଆଇଟି ନିୟମ ଅନୁପାଳନ ନେଇ ଟ୍ୱିଟର ସହ ଭାରତ ସରକାରଙ୍କ ସହ ତିକ୍ତତା ଲାଗି ରହିଛି । ଏହାରି ଭିତରେ ଟ୍ୱିଟର ଭାରତର ଭୁଲ୍ ମାନଚିତ୍ର ଦେଖାଇ ପୁଣି ବିବାଦ ଘେରକୁ ଆସିଛି । ଯେଉଁଥିରେ ଟ୍ୱିଟର ଜମ୍ମୁ-କାଶ୍ମୀରକୁ ଅଲଗା ଦେଶ ଦର୍ଶାଇଥିବା ବେଳେ ଲଦାଖକୁ ଅଲଗା ଦେଶ ଭାବେ ଚିତ୍ରଣ କରିଛି । ଟ୍ୱିଟର ୱେବସାଇଟର କ୍ୟାରିଅର ସେକ୍ସନରେ ଟ୍ୱିପ୍ ଲାଇଫରେ ବିକୃତ ମାନଚିତ୍ର ଦିଆଯାଇଥିଲା । ଏହା ପୂର୍ବରୁ ଲେହକୁ ଚୀନର ଅଂଶ ବୋଲି ଦର୍ଶାଇଥିଲା ଟ୍ୱିଟର ।

ନଗଡ଼ାରେ ଜୁଆଙ୍ଗ ଆଦିବାସୀଙ୍କୁ ଦିଆଗଲା କୋଭିଡ୍ ଟିକା

ଯାଜପୁର: ରାଜ୍ୟରେ ଦୈନିକ ପାଖାପାଖି ୩ ଲକ୍ଷ ଟିକାକରଣ ହେଉଛି । ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀଙ୍କୁ ଟିକାକରଣ ପାଇଁ ନଗଡ଼ାରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବଣ ପାହାଡ଼ ଘେରା ଅନୁନ୍ନତ ଇଲାକା ନଗଡ଼ାର ଆଦିବାସୀଙ୍କୁ ଟିକାକରଣ କରାଯାଇଛି । ଉଭୟ ତଳ ଓ ଉପର ନଗଡ଼ାର ୬୫ ଜଣ ଜୁଆଙ୍ଗ ଆଦିବାସୀଙ୍କ ସମେତ ଗୁହିଆଶାଳରୁ ୫୬ ଓ ତୁମୁଣିର ୩୮ ଜଣ ଜୁଆଙ୍ଗ ଆଦିବାସୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯାଇଛି ।

Juang Tribe Of Nagada Taking Covid Vaccine

ଏଥି ସହିତ ନାଲିଆଡାବର ୨ ଜଣଙ୍କ ସମେତ ସେଠାରେ ରହି ଉନ୍ନୟନ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ୧୬ ଜଣ କର୍ମଚାରୀଙ୍କୁ ଟିକାକରଣ କରାଯାଇଛି । ନଗଡ଼ା ଅଞ୍ଚଳରେ ମୋଟ ୧୭୭ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଟିକାକରଣର ସପ୍ତାହକ ପୂର୍ବରୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅଙ୍ଗନୱାଡି ଓ ଆଶାକର୍ମୀ ମାନେ ଘର ଘର ବୁଲି ସଚେତନ କରାଇଥିଲେ । ତଳ ନଗଡ଼ାରେ ଥିବା ବିଦ୍ୟାଳୟ ପରିସରରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟରେ ୩ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ବାଲେଶ୍ୱରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆଉ ୨୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୫୧୭ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୨୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମଣ ମାମଲା ୯ ଲକ୍ଷ ୬ ହଜାର ୪୨୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଓ କଟକକୁ କାଟି ବାଲେଶ୍ୱରରେ ସର୍ବାଧିକ ୩୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୧, ଭଦ୍ରକରୁ ୧୨୮,ବଲାଙ୍ଗିରରୁ ୧୧, ବୌଦ୍ଧରୁ ୧୯, କଟକରୁ ୨୬୬, ଦେବଗଡ଼ରୁ ୪, ଢ଼େଙ୍କାନାଳରୁ ୬୭, ଗଜପତିରୁ ୧୮, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୩୨,ଯାଜପୁରରୁ ୧୬୨, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୦, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦୁଝରରୁ ୭୦, ଖୋର୍ଦ୍ଧାରୁ ୩୬୫, କୋରାପୁଟରୁ ୬୧, ମାଲକାନଗିରିରୁ ୬୪, ମୟୂରଭଞ୍ଜରୁ ୧୫୫, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୯୨, ନୂଆପଡ଼ାରୁ ୮, ପୁରୀରୁ ୧୭୮, ରାୟଗଡ଼ାରୁ ୪୯, ସମ୍ବଲପରୁରରୁ ୨୩, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୨୮ ଏବଂ ଷ୍ଟେଟପୁଲରୁ ୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୪୨୯କୁ ବୃଦ୍ଧି ପାଇଛି । ଏବେ ୩୧ ହଜାର ୬୧୯ ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୭୦ ହଜାର ୭୮୭ ଜଣ । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୩ ହଜାର ୯୭୦କୁ ବୃଦ୍ଧି ପାଇଛି ।

ମହାମାରୀ କରୋନା ନେଲା ଆଉ ୪୦ ଜୀବନ, ମୋଟ ମୃତ୍ୟୁ ୩୯୭୦କୁ ବୃଦ୍ଧି

ଭୁବନେଶ୍ୱର: ଜୀବନ ନେଉଛି କିଲର ଭାଇରସ୍ । ରାଜ୍ୟରେ କରୋନା ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩ ହଜାର ୯୭୦ରେ ପହଞ୍ଚିଛି ।

ଅନୁଗୁଳରୁ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ବରଗଡ଼ରୁ ୫ ଜଣ, ଭଦ୍ରକରୁ ଜଣେ, ଭୁବନେଶ୍ୱରରୁ ୫ ଜଣ, କଟକରୁ ୫ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୩ ଜଣ, ଯାଜପୁରରୁ ଜଣେ, କଳାହାଣ୍ଡିରୁ ୨ ଜଣ, ଖୋର୍ଦ୍ଧାରୁ ୨ ଜଣ, କୋରାପୁଟରୁ ଜଣେ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୫ ଜଣ, ପୁରୀରୁ ୪ ଜଣ, ସମ୍ବଲପୁରରୁ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ବଲାଙ୍ଗିରରେ ବାଘ ଶିକାର, ଘରୁ ଜବତ ହେଲା କଲରାପତରିଆ ବାଘ ଛାଲ

ବଲାଙ୍ଗିର: ବଲାଙ୍ଗିର ବନ ବିଭାଗକୁ ବଡ଼ ସଫଳତା ମିଳିଛି । ସଇଁତଳା ଫରେଷ୍ଟ ରେଞ୍ଜ କଅଁସର ଗାଁରୁ କଲରାପତରିଆ ବାଘ ଛାଲ ଜବତ କରିଛି ବନ ବିଭାଗ । ସୋମବାର ବିଳମ୍ବିତ ରାତିରେ ବନ ବିଭାଗ ବାଘ ଛାଲକୁ କଅଁସର ଗାଁର ବିଶ୍ଵାମିତ୍ର ରଣାଙ୍କ ଘରୁ ଜବତ କରିଛି । ବିଶ୍ଵାମିତ୍ରକୁ ଅଟକ ରଖି ପଚରାଉଚରା କରୁଛି ବନ ବିଭାଗ ।

Leopard Skin Seized By Forest Department In Bolangir

ବିଶ୍ୱାମିତ୍ରଙ୍କ ଘରେ ବାଘ ଛାଲ ଥିବା ନେଇ ବନ ବିଭାଗ ଖବର ପାଇ ବିଳମ୍ବିତ ରାତିରେ ରେଡ୍ କରିଥିଲା । ସେତେବେଳେ କିଛି ପାଇ ନଥିଲା ବନ ବିଭାଗ । ପରେ ବନ ବିଭାଗର କିଛି ଅଧିକାରୀ ଚତୁରତାର ସହ ସାଧା ପୋଷାକରେ ମୂଲଚାଲ କରିବା ସହ ବାଘଛାଲକୁ ଜବତ କରିବାରେ ସଫଳ ହୋଇଥିଲେ ।

Leopard Skin Seized By Forest Department In Bolangir

ତେବେ ବିଶ୍ୱାମିତ୍ରଙ୍କ ପାଖକୁ ବାଘ ଛାଲ କେଉଁଠୁ ଆସିଲା ? ସେ ନିଜେ ବାଘ ଶିକାର କରିଛନ୍ତି କି ? ଯଦି ଶିକାର କରିଛନ୍ତି କେଉଁ ଜଙ୍ଗଲରେ ? ବାଘ ଛାଲ ରାକେଟରେ ଆଉ କିଏ କିଏ ସମ୍ପୃକ୍ତ । ଏବେ ଏସବୁର ତଦନ୍ତ କରୁଛି ବନ ବିଭାଗ ।

ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଲାଗି ହେବ ଫୁଲୁରୀ ତେଲ

ପୁରୀ: ସୁସ୍ଥ ହେବେ ଶ୍ରୀଜିଉ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଜ୍ୱରପୀଡ଼ା ଲାଘବ ପାଇଁ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ତେଲ ଲାଗୁ କରାଯାଏ । ବଡ଼ ଓଡ଼ିଆ ମଠ ପକ୍ଷରୁ ଶ୍ରୀମନ୍ଦିରକୁ ଫୁଲୁରୀ ତେଲ ବିଜେ ହେବ । ବର୍ଷକ ତଳୁ କର୍ପୂର, ଚୁଆ, ପରଖ, ପିଙ୍ଗଳ ଓ ସୁବାସିତ ପୁଷ୍ପ ସହିତ ଘଣାପେଡ଼ା ରାଶିତେଲକୁ ମାଟି ତଳେ ପୋତି ଏହା ପ୍ରସ୍ତୁତ କରାଯାଏ ।

Puri Sri Jew Fuluri Oil Snana Yatra

ଆଜି ଏହାକୁ ମାଟି ତଳୁ କଢ଼ାଯାଇ ଶ୍ରୀମନ୍ଦିରକୁ ପଠାଯିବ । ଦଇତାପତିମାନେ ଏହାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମର୍ଦ୍ଦନ କରିବେ । ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁ । ୧୫ ଦିନ ଧରି ଚାଲିଥିବା ଅଣବସର ନୀତିରେ ସେବାୟତ ମାନେ ଗୁପ୍ତ ସେବା କରୁଛନ୍ତି ।

Puri Sri Jew Fuluri Oil Snana Yatra

ଅନ୍ୟପଟେ ରଥ ଖଳାରେ ଜୋରସୋରରେ ଆଗେଇ ଚାଲିଛି ନିର୍ମାଣ କାମ । ରଥ ନିର୍ମାଣରେ ନିୟୋଜିତ ୨୦୦ରୁ ଅଧିକ ସେବାୟତ ସମର୍ପିତ ମନୋଭାବ ନେଇ ରଥ ନିର୍ମାଣ କରୁଛନ୍ତି । ରଥର ପୋଟଳ, ପାରାଭାଡ଼ି, ଖପୁରି ଖଞ୍ଜା ଯାଇଥିବା ବେଳେ ଭୋଇ ସେବାୟତମାନେ ୯ଟି ହରିବୋଲ ମଧ୍ୟରୁ ୬ ନମ୍ବର ହରିବୋଲ ପକାଇଛନ୍ତି ।

ଜବାବ ରଖିବେ ଫେସବୁକ୍ ଓ ଗୁଗୁଲ

ନୂଆଦିଲ୍ଲୀ: ଟ୍ୱିଟର ବିବାଦ ପରେ ଏବେ ଫେସବୁକ ଏବଂ ଗୁଗୁଲର ପାଳି । ଆଜି ଆଇଟି ମନ୍ତ୍ରାଳୟର ଷ୍ଟାଣ୍ଡିଂ କମିଟି ଆଗରେ ହାଜର ହେବେ ଫେସବୁକ୍‌ ଓ ଗୁଗୁଲର ଅଧିକାରୀ । ଏହି ଦୁଇ ଆମେରିକୀୟ କମ୍ପାନୀର ଭାରତୀୟ ପ୍ରତିନିଧିଙ୍କୁ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ନେତୃତ୍ୱାଧୀନ କମିଟି ଆଗରେ ହାଜର ହେବାକୁ କହିଛନ୍ତି କେନ୍ଦ୍ର ସରକାର । ସୋସିଆଲ ମିଡିଆ ୟୁଜରଙ୍କ ଅଧିକାର ଏବଂ ଅପବ୍ୟବହାର ବାବଦରେ ଷ୍ଟାଣ୍ଡିଂ କମିଟି ଆଗରେ ଜବାବ ରଖିବେ ୨ କମ୍ପାନୀର ଭାରତୀୟ ଅଧିକାରୀ ।

Parliamentary panel summons Google, Facebook officials over misuse of platforms

କେନ୍ଦ୍ର ସରକାର ବୈଠକ ବାବଦରେ ଏହି ଦୁଇ କମ୍ପାନୀର ଭାରତୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଯେଉଁଥିରେ ସୋଶାଲ ମିଡିଆର ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ କିଭଳି ଗୋପନୀୟ ରହିବ ଏବଂ ବିଭିନ୍ନ ପ୍ରକାର ଗୁଜବ ନ୍ୟୁଜକୁ ରୋକି ହେବ ସେ ନେଇ କମିଟି ପଚାରିବ । ଏଥିସହ ସମସ୍ତ ଆବଶ୍ୟକ ପ୍ରମାଣ ଦାଖଲ କରିବେ ଫେସବୁକ୍‌ ଓ ଗୁଗୁଲ ।

ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର କରିବ ବୋର୍ଡ; କାଲି ଦିନ ୧୧ଟାରେ ପ୍ରେସମିଟ୍‌

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗରେ ଆସନ୍ତାକାଲି ଦିନ ୧୧ଟାରେ ପ୍ରେସମିଟ୍‌ କରି ପ୍ରତିକ୍ରିୟା ରଖିବେ ବୋର୍ଡ କର୍ତ୍ତୃପକ୍ଷ। ଏପରିକି ମାଟ୍ରିକ ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ମଧ୍ୟ ଦୂର କରିବେ । ମାଟ୍ରିକ୍ ପରୀକ୍ଷା ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ ହେବା ପରେ ପ୍ରତିକ୍ରିୟା ରଖିଥିଲେ ବୋର୍ଡ ସଭାପତି । ମାଟ୍ରିକ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ । ଚାରି ବର୍ଷର ସ୍କୁଲ ମାର୍କକୁ ନେଇ ରେଜଲ୍‌ଟ ପ୍ରକାଶ କରାଯାଇଛି।

All Higher Educational Institutions of State Remain Closed Tomorrow For Congress Odisha Bandh

ଯେଉଁ ଛାତ୍ରଛାତ୍ରୀ ରେଜଲ୍‌ଟକୁ ନେଇ ଅସନ୍ତୁଷ୍ଟ, ସେମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ଯାହା ହୋଇଛି ନିୟମ ଅନୁସାରେ ହୋଇଛି। ତେବେ ମାର୍କ ସଂଶୋଧନର କୌଣସି ଆବଶ୍ୟକତା ନାହିଁ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି। ମାଟ୍ରିକ ରେଜଲ୍‌ଟରେ ତ୍ରୁଟି ଅଭିଯୋଗ କରି ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ପ୍ରତିବାଦ କରିଥିଲେ।

ସୂଚନା ଅନୁଯାୟୀ, କଟକ କଲେଜ ଛକ ଓ ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ଏବଂ ଅଭିଭାବକ ବୋର୍ଡ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ରାସ୍ତା ଅବରୋଧ କରିଥିଲେ। ଟାବୁଲେସନରେ ତ୍ରୁଟି ପାଇଁ ପିଲା ଆଶା ଅନୁରୂପ ମାର୍କ ପାଇନଥିବା ଅଭିଯୋଗ ହୋଇଛି। ବିନା ପରୀକ୍ଷାରେ ଗତ ୨୫ ତାରିଖରେ ମାଟ୍ରିକ ରେଜଲ୍‌ଟ ପ୍ରକାଶ ପାଇଛି। ଏଥର ୯୭ ଦଶମିକ ୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ଅଧିକ ପଢନ୍ତୁ- ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ, ବୋର୍ଡ ଅଫିସ୍ ଆଗରେ ରାସ୍ତାରୋକ

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ୍ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହୋଇଥିଲା ରେଜଲ୍ଟ ।

ଇସ୍ତଫା ଦେଲେ ସୁଇଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲଫଭେନ

ନୂଆଦିଲ୍ଲୀ: ସୁଇଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲଫଭେନ ଇସ୍ତଫା ପ୍ରଦାନ କରିଛନ୍ତି। ସେ ନିଜର ଇସ୍ତଫା ପତ୍ର ବାଚସ୍ପତିଙ୍କୁ ଦେଇଛନ୍ତି। ଗତ ସପ୍ତାହରେ ସୋସାଲ ଡେମୋକ୍ରାଟ ନେତା ଲଫଭେନଙ୍କ ଇସ୍ତଫା ନେଇ ସ୍ପଷ୍ଟ ସୂଚନା ମିଳିଥିଲା। ସେ ଇସ୍ତଫା ଦିଅନ୍ତୁ କିମ୍ବା ସାନି ନିର୍ବାଚନ ଘୋଷଣା କରିବା ଲାଗି ତାଙ୍କୁ କୁହାଯାଇଥିଲା ।

ସୂଚନା ଅନୁଯାୟୀ, ତାଙ୍କ ଉପରୁ ବାମ ଦଳ ସମର୍ଥନ ପ୍ରତ୍ୟାହାର କରିବା ପରେ ଗତ ଜୁନ ୨୧ ତାରିଖରେ ହୋଇଥିବା ଆସ୍ଥା ଭୋଟରେ ସେ ପରାସ୍ତ ହୋଇଥିଲେ । ଆସ୍ଥା ଭୋଟରେ ହାରିବା ପରେ ସେ ବିଭିନ୍ନ ସମ୍ଭାବ୍ୟ ରାଜନୈତିକ ସମୀକରଣ କରିବାକୁ ଚାହିଁଥଲେ । ମାତ୍ର ବିଫଳ ହେବା ପରେ ସେ ଶେଷରେ ଇସ୍ତଫା ଦେଇଥିଲେ।

ତେବେ ଆସନ୍ତା ବର୍ଷ ସେପ୍ଟେମ୍ବରରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହି ରାଜନୈତିକ ପଟପରିବର୍ତ୍ତନ ଅନେକ ନୂଆ ସମ୍ଭାବନା ସୃଷ୍ଟି କରୁଛି । ନୂଆ ପ୍ରଧାନମନ୍ତ୍ରୀ ଲାଗି ବାଚସ୍ପତି ଏବେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିର୍ବାଚନ ଏଡାଇବା ଲାଗି ବାଚସ୍ପତି ସମସ୍ତ ପଦକ୍ଷେପ ନେଇଥିବା ଜଣାପଡିଛି।