ଢ଼େଙ୍କାନାଳ: ଟଙ୍କା ହଡ଼ପ କରି ଗିରଫ ହେଲେ ଢେଙ୍କାନାଳ HDFC ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ମନୋଜ ପଟ୍ଟନାୟକ । କ୍ରେଡିଟ କାର୍ଡ ବନ୍ଦ କରିବା ପାଇଁ ଉପଭୋକ୍ତାଙ୍କ ନିକଟରୁ ନେଇଥିଲେ କାଗଜ ପତ୍ର । ମନୋଜଙ୍କୁ କ୍ରେଡିଟ କାର୍ଡ ଫେରାଇବା ପରେ ବିଭିନ୍ନ ଆଳ ଦେଖାଇ ସେ ୬୯ହଜାର ଟଙ୍କା ଉଠା ନେଇଥିଲେ । ଟଙ୍କା ଜମା କରିବା ପାଇଁ ଉପଭୋକ୍ତାଙ୍କ ନିକଟକୁ ବାରମ୍ବାର ଆସୁଥିଲା ଫୋନ । ପରେ ତାଙ୍କ କାର୍ଡର ଅପବ୍ୟବହାର ହୋଇପାରିଥିବା ଜାଣି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଗ୍ରାହକ । କେବଳ ଏତିକି ନୁହେଁ ପୂର୍ବରୁ ଏହି ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ଆସିଥିଲା ଠକେଇ ଅଭିଯୋଗ । କ୍ରେଡିଟ କାର୍ଡ ଅପବ୍ୟବହାର କରି ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ ନେଇ ଏକ ମାମଲା ମଧ୍ୟ ରହିଛି । ତେବେ ବ୍ୟାଙ୍କ କର୍ମଚାରୀଙ୍କ ବିଷୟରେ ଜାଣିବି କାହିଁକି କାର୍ଯ୍ୟାନୁଷ୍ଠାନ ନେଉନଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ପୋଲିସ କାର୍ଯ୍ୟାନ୍ତଷ୍ଠାନ ପରେ ଦୋଷ ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।
ମହାନଦୀ ଭିତରେ ନିର୍ମାଣ ହେବ ପ୍ରାୟ ୨୫ଟି ଇନ୍-ଷ୍ଟ୍ରିମ ଷ୍ଟୋରେଜ୍
ଭୁବନେଶ୍ୱର: ନଦୀ ଭିତରେ ଜଳ ସଂରକ୍ଷଣ। ଖରାଦିନେ ନଦୀପାଣି ଶୁଖିଗଲେ ଏହି ଜଳ କାମରେ ଲାଗିବ। ପାନୀୟଜଳ, ଅତିରିକ୍ତ ଜଳସେଚନ ଓ ବିଜୁଳି ଉତ୍ପାଦନରେ ଲାଗିବ ନଦୀ ଭିତରେ ସଂରକ୍ଷିତ ଜଳ। ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ଋଷିକୁଲ୍ୟା ଆଦି ନଦୀରେ ଇନ୍-ଷ୍ଟ୍ରିମ ଷ୍ଟୋରେଜ୍ ନିର୍ମାଣ ପାଇଁ ୧୧ହଜାର ୭୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ପରିଚାଳନା ଦାୟିତ୍ୱ ନେଇଛି ଜଳସମ୍ପଦ ବିଭାଗ। ପ୍ରଥମ ପର୍ଯ୍ୟାୟରେ ସାଢେ ୩ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ତେଲ୍ ଓ ରେତ ନଦୀରେ ଇନ୍-ଷ୍ଟ୍ରିମ ଷ୍ଟୋରେଜ୍ ପାଇଁ ଟେଣ୍ଡର ସରିଥିବା ବେଳେ ପାରାଦୀପରୁ ହୀରାକୁଦ ପର୍ଯ୍ୟନ୍ତ ମହାନଦୀରେ ଇନ୍-ଷ୍ଟ୍ରିମ ସ୍ଥାନ ଚିହ୍ନଟ ପାଇଁ ଚାଲିଛି ସର୍ଭେ।
୨୦୨୫ ସୁଦ୍ଧା ରାଜ୍ୟର ବିଭିନ୍ନ ନଦୀରେ ପ୍ରାୟ ୪୦ଟି ଇନ୍-ଷ୍ଟ୍ରିମ ଷ୍ଟୋରେଜ୍ ନିର୍ମାଣ ଯୋଜନା ରହିଛି। ଜଳ ସଂରକ୍ଷଣ ପାଇଁ ବଡ଼ବଡ଼ ଡ୍ୟାମ ନିର୍ମାଣ କରିବାକୁ ଜମି ଅଧିଗ୍ରହଣ,ଜଙ୍ଗଲ ଓ ପରିବେଶ ଅନୁମତି ଆଦି ସମସ୍ୟା ଥିବା ବେଳେ ନଦୀ ଭିତରେ ଇନ୍-ଷ୍ଟ୍ରିମ ଷ୍ଟୋରେଜ ପାଇଁ ଏସବୁ ନାହିଁ। ବନ୍ୟା ନିୟନ୍ତ୍ରଣରେ ଏହା ଏତେଟା ସହାୟକ ନହେଲେ ବି ନଦୀରେ ପାଣି କମିଗଲେ ଚାଷ, ବିଜୁଳି ଓ ପାନୀୟଜଳ ପ୍ରକଳ୍ପ ପାଇଁ ଇନ୍-ଷ୍ଟ୍ରିମ ଷ୍ଟୋରେଜ୍ ବହୁମୁଖୀ ସହାୟକ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
ରାଜ୍ୟରେ ଜଳ ସଂରକ୍ଷଣ ପାଇଁ ୧୯ଟି ବୃହତ୍ ଏବଂ ୧୮୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହା ସହିତ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ପ୍ରାୟ ୧୫ ହଜାର ଚେକ୍ ଡ୍ୟାମ ନିର୍ମାଣ ହୋଇଛି।
ଲସକର-ଇ-ତଏବାର କମାଣ୍ଡର ନଦୀମ ଅବରାର ଗିରଫ
ଶ୍ରୀନଗର: ଲସକର-ଇ-ତଏବାର ତୁଙ୍ଗ କମାଣ୍ଡର ନଦୀମ ଅବରାର କାଶ୍ମୀରରୁ ଗିରଫ ହୋଇଛି। ଜାମ୍ମୁ ଏୟାରବେସରେ ହମଲା ପରେ ଏହି ଗିରଫଦାରୀ ବେଶ୍ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଭାରତର ବିଭିନ୍ନ ନିରାପତ୍ତା ପ୍ରତିଷ୍ଠାନ ଉପରେ ଆକ୍ରମଣ ସହ ବିଭିନ୍ନ ହମଲାରେ ସାମିଲ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କାଶ୍ମୀର ଜୋନ ଆଇଜିପି ବିଜୟ କୁମାର।

ଜାମ୍ମୁ ବିସ୍ଫୋରଣ ପଛରେ କାହାର ହାତ ସେନେଇ ତନାଘନା ଚାଲିଥିବା ବେଳେ ପରିମପୋରସ୍ଥିତ ଏକ ଚେକପଏଣ୍ଟରେ ନଦୀମ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ଏକ ପିସ୍ତଲ ଓ ଗ୍ରେନେଡ ଜବତ ହୋଇଛି। କିଛି ମାସ ତଳେ କାଶ୍ମୀର ଲୟପୋରାରେର ସିଆରପିଏଫର ୩ ଯବାନଙ୍କ ମୃତ୍ୟୁ ଘଟଣାରେ ନଦୀମ ସାମିଲ ଥିଲା ବୋଲି ପୋଲିସ କହିଛି ।
ମନଗଢ଼ା ବିବୃତି ଦେଇ କର୍ମୀଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛି ବିଜେପି: ବିଜେଡି
ଭୁବନେଶ୍ୱର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ହତାଶ ହୋଇଯାଇଛି ବିଜେପି। କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ସାଂଗଠନିକ ସମସ୍ୟା ମଧ୍ୟ ବିଜେପିକୁ ବିଚଳିତ କରିଛି। ତେଣୁ ଏଭଳି ଅବସ୍ଥାରେ ରାଜ୍ୟ ବିଜେପି ନିଜ କର୍ମୀମାନଙ୍କୁ ମନଗଢ଼ା ବିବୃତି ଦେଇ ଉତ୍ସାହିତ କରିବାକୁ ଚେଷ୍ଟା କରୁଛି ବୋଲି ବିଜେଡି ମୁଖପାତ୍ର ଏଲିନା ଦାସ କହିଛନ୍ତି। ଓଡ଼ିଶାରେ ଅତି ହତାଶ ଅବସ୍ଥାରେ ଥିବା ବିଜେପି, ନିଜର କାର୍ଯ୍ୟକାରିଣୀ ବୈଠକରେ ମିଥ୍ୟା ବିବୃତି ଉପସ୍ଥାପନ କରିଥିଲା । ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ ମୁକାବିଲା ସଫଳ ହୋଇଛି । ସ୍ଥିତି ଅନେକ ସୁଧୁରିଲାଣି । କେନ୍ଦ୍ର ମଧ୍ୟ ଅନେକ ଯୋଜନାରେ ସଫଳତା ପାଇଁ ପୁରୁସ୍କୃତ କରିଛି । ଏସବୁ ରାଜ୍ୟ ବିଜେପି ନେତା ଅବଗତ ନାହାନ୍ତି ବୋଲି ବିଜେଡି ମୁଖପାତ୍ର ଏଲିନା ଦାସ କହିଛନ୍ତି
୨ଡିଜି ଔଷଧର କର୍ମସିଆଲ୍ ଲଞ୍ଚ ପାଇଁ Dr. Reddysର ଘୋଷଣା
ନୂଆଦିଲ୍ଲୀ: ଡକ୍ଟର ରେଡିସ ଲାବରେଟୋରୀ ପକ୍ଷରୁ ପ୍ରସ୍ତୁତ କୋଭିଡ-୧୯ ଔଷଧ ୨-ଡିଜିର ବ୍ୟବସାୟିକ ଶୁଭାରମ୍ଭ ଘୋଷଣା କରାଯାଇଛି। କୋଭିଡର ଚିକିତ୍ସା ଲାଗି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓ ସହାୟତା କରୁଥିବା ବେଳେ ଏହାର ଉତ୍ପାଦନ ଡକ୍ଟର ରେଡ୍ଡୀଙ୍କ ଦ୍ୱାରା କରାଯାଉଛି | କମ୍ପାନୀ ଏହାର ଟ୍ୱିଟରରେ ୨-ଡିଜିର ବ୍ୟବସାୟିକ ଲଞ୍ଚ ଘୋଷଣା କରିଛି।
ରେଡିସ ଲାବରେଟୋରୀ ଅନୁଯାୟୀ, ଜୁଲାଇ ପ୍ରାରମ୍ଭରେ କମ୍ପାନୀ ଏହି ଔଷଧକୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନା ଯୋଗାଇବ। ଏହାକୁ ବଜାରରେ 2-DGTM ଭାବରେ ବିକ୍ରି କରାଯିବ ବୋଲି ଜଣାପଡିଛି।
Dr. Reddy's announces the commercial launch of 2DG™. Know more: https://t.co/mrrKxbKxQ8#COVID19 #2DG #DrReddys pic.twitter.com/K8RozCVtNj
— Dr. Reddy’s Laboratories Ltd (@drreddys) June 28, 2021
ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ମେଟ୍ରୋର ହସ୍ପିଟାଲ ଓ ଟାୟର ୱାନ ସିଟିରେ ଏହା ଉପଲବଧ ହେବ। ପରେ ଦେଶର ଅନ୍ୟାନ୍ୟ ଭାଗକୁ ଏହି ଔଷଧ ପଠାଯିବ । ଏହି ଔଷଧ କୋଭିଡର ମୁକାବିଲା ଲାଗି ସକ୍ଷମ ଏବଂ ଅକ୍ସିଜେନ ସମସ୍ୟା ଦୂର କରିବାରେ ବ୍ୟାପକ ସହାୟକ ହେବ। ଡକ୍ଟର ରେଡିସ ପକ୍ଷରୁ ଏହି ଔଷଧ ଦେଶର ପ୍ରମୁଖ ସରକାରୀ ତଥା ବେସକାରୀ ହସ୍ପିଟାଲକୁ ଯୋଗାଇବ।

ଅପରପକ୍ଷେ ସାଚେଟର ଦାମ ସର୍ବାଧିକ ୯୯୦ ଟଙ୍କା ରହିବ। ପ୍ରେସକ୍ରିପସନ ଅନୁସାରେ ଏହି ଔଷଧକୁ ଖିଆଯାଇପାରିବ। ଏହି ଔଷଧର ଜରୁରୀକାଳୀନ ବ୍ୟବହାର ଲାଗି ଗତ ମେ ୧ ତାରିଖରେ ଅନୁମତି ପ୍ରଦାନ କରାଯାଇଛି। ଅତି କମରୁ ଅଧିକ ସଂକ୍ରମିତ ରୋଗୀଙ୍କ ଲାଗି ୨଼଼ଡିଜି ଔଷଧ ମହୌଷଧି ପାଲଟିପାରେ।
କରୋନା ଟିକା ନେବା ପରେ ଦୃଷ୍ଟିହୀନ ଫେରି ପାଇଲେ ଦୃଷ୍ଟି ଶକ୍ତି
ମାଲକାନାଗିରି: କରୋନା ଟିକା ନେଇ ଅନେକ ଗୁଜବ ଆପଣ ମାନେ ଶୁଣିବାକୁ ପାଇଥିବେ। କରୋନା ଟିକା ନେଲେ ମୃତ୍ୟୁ ହେଉଛି, ଲୋକେ ଦୃଷ୍ଟିହୀନ ହୋଇଯାଉଛନ୍ତି ଏମିତି ଅନେକ କିଛି। ଯେଉଁଥିପାଇଁ ଲୋକେ ଟିକା ନେବାକୁ ଭୟ ମଧ୍ୟ କରୁଛନ୍ତି। ଦେଶରେ ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠି କେବଳ ଗୁଜବର ପ୍ରଚାର ପାଇଁ ଲୋକେ ଟିକା ନେବାକୁ ଭୟ କରୁଛନ୍ତି ଏବଂ ଟିକାକୁ ବାରଣ ମଧ୍ୟ କରିଛନ୍ତି। କିନ୍ତୁ ଆମେ ଆଜି ଆପଣକୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଆପଣଙ୍କୁ ଚକିତ କରିଦେବ। ଆପଣ ବିଶ୍ୱାସ କରିବାକୁ ଚାହୁଁ ନଥିଲେ ମଧ୍ୟ ବିଶ୍ୱାସ କରିବାକୁ ବାଧ୍ୟ ହେବେ।
କରୋନା ଟିକା ଯାହା କରୋନାରୁ ବଞ୍ଚାଇବା ପାଇଁ ଏକମାତ୍ର ସଞ୍ଜୀବନୀ। ଟିକା ନେବା ପରେ ପାର୍ଶ୍ଵ ପ୍ରତିକ୍ରିୟା କଥା ଆପଣମାନେ ଶୁଣିଥିବେ। କିନ୍ତୁ ଟିକା ନେବା ପରେ ଦୃଷ୍ଟିଶକ୍ତି ଫେରି ଆସିବା କଥା ଶୁଣି ନଥିବେ। ଏପରିକି ଅପରେସନ ଆଉ ଆବଶ୍ୟକ ପଡ଼ିଲା ନାହିଁ। ଆପଣ ଥରେ ଭାବନ୍ତୁତ ଯଦି ଏହି ଟିକା, କରୋନାରୁ ବଞ୍ଚାଇବା ସହ ଗୋଟିଏ ଅନ୍ଧକୁ ମଧ୍ୟ ଭଲ କରିଦିଏ ତେବେ କଣ ହେବ। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏମିତି କଣା କାହିଁକି କହୁଛୁ। ହଁ ଦର୍ଶକ ବନ୍ଧୁ, ଏମିତି କହିବାର ଏକ ବିରାଟ କାରଣର ରହିଛି। ଯାହା ଶୁଣିବା ପରେ ଆପଣ ଚମକି ପଡ଼ିବେ। ଘଟଣାଟି ହେଉଛି କରୋନା ଟିକା ନେବା ପରେ ଜଣେ ବ୍ୟକ୍ତି ତାଙ୍କର ଦୃଷ୍ଟି ଶକ୍ତି ଫେରି ପାଇଛନ୍ତି। ୧୮ ବର୍ଷର ଦୃଷ୍ଟିହୀନ ରୋଗ କରୋନା ଟିକା ନେବା ପରେ ଭଲ ହୋଇଯାଇଛି। ଦର୍ଶକବନ୍ଧୁ ଏହା ଆପଣଙ୍କୁ ମିଛ ଲାଗୁଥାଇପାରେ। ଆମେ ଆପରଣଙ୍କୁ କହିଦେବାକୁ ଚାହୁଁଯେ ଏହା କୌଣସି ବାହାସ୍ପୋଟ ନୁହେଁ। ଏହା ଦୃଷ୍ଟିଶକ୍ତି ଫେରି ପାଇଥିବା ବ୍ୟକ୍ତିଙ୍କର ଗଭିର ବିଶ୍ୱାସ।
ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରେ। ଜଣେ ଦୃଷ୍ଟିହୀନ ଫେରି ପାଇଛନ୍ତି ଦୃଷ୍ଟିଶକ୍ତି। ହୃଷୀକେଶ ସେଠୀ ନାମକ ଜଣେ ବ୍ୟକ୍ତି ୧୮ ବର୍ଷ ହେଲା ଦେଖି ପାରୁନଥିଲେ। ହାଇଦ୍ରାବାଦର ଘରୋଇ ଡକ୍ତରଖାନାରେ ଦେଖାଇବା ପରେ ଡାକ୍ତର ତାଙ୍କୁ ଅପରେସନ ପାଇଁ ପରାମର୍ଶ ଦେଇଥିଲେ। ନଚେତ ଆଖି ଭଲ ହେବନି ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ହୃଷୀକେଶଙ୍କ ପାଖରେ ଯାହା କିଛି ଥିଲା ବିକାବିକି କରି କେବଳ ବାମ ଆଖିର କିଛି ଚିକିତ୍ସା କରିଥିଲେ। ଡାହାଣ ଆଖି ପାଇଁ ଟଙ୍କା ଯୋଗାଡ଼ କରି ପାରିନଥିଲେ। ଯେଉଁଥିପାଇଁ ଦୀର୍ଘ ଦିନ ହେଲା ଆଖିରେ ଦେଖି ପାରୁନଥିଲେ। କେବଳ ଭାଗ୍ୟକୁ ଆଦରି ଓ ସରକାରଙ୍କୁ ଗୁହାରି କରି ଆସୁଥିଲେ ହୃଷୀକେଶ। କିନ୍ତୁ ଏବେ କରୋନାର ପ୍ରଥମ ଡୋଜ ଗତ ମଇ ୮ ତାରିଖରେ ନେବା ପରଠୁ ଧୀରେ ଧୀରେ ଆଖିରେ ଦେଖିବା ସମ୍ଭବ ହୋଇପାରିଛି। ଏଭଳି ଘଟଣା ବିରଳ। ସ୍ଥାନୀୟ ବାସିନ୍ଦା ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ ଘଟଣାରେ କୌଣସି ବୈଜ୍ଞାନିକ କାରଣ ଜଣାପଡ଼ିନାହିଁ। କୌଣସି ଡାକ୍ତରଙ୍କର ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ହୃଷୀକେଶଙ୍କର ଦାବି ଯେ, କରୋନା ଟିକା ନେବା ପରେ ତାଙ୍କର ଦୃଷ୍ଟି ଶକ୍ତି ଫେରିଆସିଛି।
୩ ଧାନ କମ୍ପାନୀ ମାଲିକଙ୍କ କେଳେଙ୍କାରୀ, କୋଟି କୋଟି ଟଙ୍କାର ଚାଉଳ ହଡ଼ପ ଅଭିଯୋଗ
ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପରେ ଏବେ ସରକାରଙ୍କୁ ଚୂନ ଲଗାଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ୩ ମିଲର। ସରକାରଙ୍କୁ ଚାଉଳ ନଦେଇ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ଯୋଗାଣ ନିଗମ ଅଧିକାରୀଙ୍କ ଅବହେଳା ଯୋଗୁ ମିଲରଙ୍କ ଉପରେ ଧାର୍ଯ୍ୟ ପ୍ରାୟ ୫ କୋଟି ଟଙ୍କା ଆଦାୟ ହୋଇପାରିନି। ନନ୍ଦିଘୋଷ ଟିଭିର ଅନୁସନ୍ଧାନରୁ ଜଣାପଡ଼ିଛି ସରକାରଙ୍କୁ ଅର୍ଥ ପ୍ରଦାନ କରିବାକୁ ଥିବା କେତେକ ମିଲର ଫେରାର ହୋଇଯାଇଛନ୍ତି। ସେମାନଙ୍କର ଟେର୍ ପାଉନାହାନ୍ତି ଜିଲ୍ଲା ଯୋଗାଣ ଅଧିକାରୀ। ନନ୍ଦିଘୋଷ ଟିଭିର ଏକ୍ସକ୍ଲୁସିଭ ରିପୋର୍ଟ।

ବାବୁଙ୍କ ପରେ ମିଲର। ସରକାରଙ୍କୁ ଚୂନ ଲଗାଇ ଛୁ। ଖୋର୍ଦ୍ଧା ଜିଲ୍ଲା ସାରୁଅର ମେସର୍ସ୍ କଳିଙ୍ଗ ଏଗ୍ରିକଲଚରାଲ୍ ପ୍ରାଇଭେଟ୍ ଲିମିଟେଡ୍। ୨୦୧୨-୧୩ ଖରିଫ ବର୍ଷରେ ଯୋଗାଣ ନିଗମକୁ ଚାଉଳ ହେରଫେର କରିବା ଘଟଣାରେ ୩ କୋଟି ୩ ଲକ୍ଷ ୨୧ ହଜାର ୨୮୨ ଟଙ୍କା ସରକାରଙ୍କୁ ଫେରସ୍ତ କରିବାକୁ ଧାର୍ଯ୍ୟ କରାଯାଇଥିଲା। ଖୋର୍ଦ୍ଧା ଜଙ୍କିଆର ମେସର୍ସ ବଜରଙ୍ଗୀ ଫୁଡ୍ ଇଣ୍ଡଷ୍ଟ୍ରିଜ୍ ଉପରେ ସେହିବର୍ଷ ପାଇଁ ୬୮ ଲକ୍ଷ ୭ ହଜାର ୬୨୬ ଟଙ୍କା ଫେରସ୍ତ ପାଇଁ ହୋଇଥିଲା ନିର୍ଦ୍ଦେଶ। ୨୦୧୩-୧୪ ଖରିଫ ବର୍ଷ ପାଇଁ ବେଗୁନିଆର ମେସର୍ସ ମା’ ମଙ୍ଗଳା ରାଇସ୍ ଆଣ୍ଡ୍ ଡାଲ ମିଲ ଠାରୁ କ୍ଷତିପୂରଣ ବାବଦରେ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ୧ କୋଟି ୧୫ ଲକ୍ଷ ୨୦ ହଜାର ୭୫୨ ଟଙ୍କା ଧାର୍ଯ୍ୟ କରିଥିଲେ।

ଏସବୁ ମିଲରମାନଙ୍କଠାରୁ ଧାର୍ଯ୍ୟ ହୋଇଥିବା ଟଙ୍କା ଆଦାୟ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ୨୦୧୯ ଅଗଷ୍ଟ ୧୬ ତାରିଖରେ ଯୋଗାଣ ନିଗମ ମହାପ୍ରବନ୍ଧକଙ୍କୁ ଚିଠି ଲେଖିଲେ। ମିଲରଙ୍କ ଭିତରୁ ମା ମଙ୍ଗଳା ରାଇସ୍ ଆଣ୍ଡ୍ ଡାଲ ମିଲ ସରକାରଙ୍କୁ କ୍ଷତିଭରଣା ବାବଦରେ ଓ୍ୱାନ୍ ଟାଇମ୍ ସେଟଲମେଣ୍ଟ୍ କରିବାକୁ ଗତବର୍ଷ ଜୁଲାଇ ୩୦ ତାରିଖରେ ନିବେଦନ କଲେ। ଯାହାର ମଞ୍ଜୁରୀ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ନିଗମକୁ ପଠାଇଲେ। କିନ୍ତୁ ନନ୍ଦିଘୋଷ ଟିଭିର ଅନୁସନ୍ଧାନରୁ ଜଣାପଡ଼ିଛି ମା ମଙ୍ଗଳା ମିଲ କେବେଠାରୁ ବନ୍ଦ ହୋଇଯାଇଛି। କଳିଙ୍ଗ ଏଗ୍ରିକଲଚରାଲ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟ ଅର୍ଦ୍ଧଭଗ୍ନ ଅବସ୍ଥାରେ ପଡି ରହିଛି। ସେହିପରି ଜଙ୍କିଆ ବଜରଙ୍ଗି ମିଲର ଅସ୍ତିତ୍ୱ ମିଳୁନାହିଁ।
ମିଲରମାନେ ସରକାରଙ୍କ କୋଟି କୋଟି ଟଙ୍କା ହଡ଼ପ କଲେ। ସେମାନଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ଜିଲ୍ଲା ଯୋଗାଣ ଅଧୀକାରୀଙ୍କୁ ପଚାରିବାରୁ କୋର୍ଟରେ ମକଦ୍ଦମା କରାଯାଇଥିବା କହି ଦୋଷ ଖସାଇଦେଇଛନ୍ତି। ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଏ ନେଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।
ଫୋନ୍ ଚୋରି ହେବା ମାତ୍ରେ କରନ୍ତୁ ଏହି କାମ; ନଚେତ୍ ବ୍ୟାଙ୍କ ହୋଇପାରେ ଖାଲି
ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସବୁ ପର୍ସନାଲ୍ ଇନଫର୍ମେସନ୍ ସ୍ମାର୍ଟଫୋନରେ ରହିଛି । ଏଥିରେ ଅନଲାଇନ୍ ବ୍ୟାଙ୍କିଂ ଡିଟେଲସ୍ ଆଉ ମୋବାଇଲ୍ ୱାଲେଟ୍ ବି ସାମିଲ ରହିଛି। ଏଭଳି ସ୍ଥଳେ ଯଦି ଆପଣଙ୍କ ଫୋନ୍ ଚୋରି ହୋଇଯାଉଛି ତାହେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଆସେସ୍ କରିବାକୁ ଲାଗିଥାଏ ଚୋର । ଯାହା ଫଳରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବାର ଆଶଙ୍କା ରହିଛି ।
ହେଲେ କିଛି ଏଭଳି ଟିପ୍ସ ଅଛି, ଯାହାକୁ ଆପଣାଇ ଆପଣ ନିଜ ଆକାଉଣ୍ଟରେ ଥିବା ସଞ୍ଚିତ ଅର୍ଥକୁ ବଞ୍ଚାଇ ପାରିବେ। ଜାଣନ୍ତୁ…
ଟେଲିକମ୍ ଅପରେଟରକୁ କଲ କରି ସିମ୍ ବ୍ଲକ୍ କରନ୍ତୁ-
ପ୍ରଥମେ ଟେଲିକମ୍ ଅପରେଟରଙ୍କୁ କଲ କରି ନିଜର ସିମ୍ କାର୍ଡକୁ ବ୍ଲକ୍ କରନ୍ତୁ । ଫଳରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ଲିକ୍ ହେବ ନାହିଁ । ଏହା ପରେ ଆପଣ ସମାନ ମୋବାଇଲ୍ ନମ୍ବରରେ ଆଉ ଏକ ନୂଆ ସିମ୍ ନେଇପାରିବେ ।
ଇଣ୍ଟରନେଟ୍ ଏବଂ ମୋବାଇଲ୍ ବ୍ୟାଙ୍କିଂ ଆସେସ୍ ବ୍ଲକ୍ କରନ୍ତୁ
ମୋବାଇଲ୍ ଫୋନ୍ ଚୋରି ହେବା ମାତ୍ରେ ତୁରନ୍ତ ବ୍ୟାଙ୍କକୁ କଲ୍ କରି ଅନଲାଇନ୍ ବ୍ୟାଙ୍କିଂ ସେବା ବନ୍ଦ କରନ୍ତୁ । ଏହା ପରେ କେହି ଆସେସ୍ କରିପାରିବେ ନାହିଁ । କାରଣ OTP ସାହାଯ୍ୟରେ ସେମାନେ ଏହାକୁ ଆସେସ୍ କରିଥାନ୍ତେ ।
ବ୍ୟାଙ୍କ ଯାଇ ମୋବାଇଲ୍ ନମ୍ବର ବଦଳାନ୍ତୁ-
ଯଦି ଫୋନ୍ ନମ୍ବରକୁ ବ୍ଲକ୍ କରିବା ପରେ ମଧ୍ୟ ଆପଣ ଭାବୁଛନ୍ତି କିଛି ବିପଦ ଅଛି ବୋଲି ତାହେଲେ ଆପଣ ତୁରନ୍ତ ବ୍ୟାଙ୍କକୁ ଯାଇ ନିଜ ଫୋନ୍ ନମ୍ବର ବଦଳାଇ ପାରିବେ । ଏହା ପରେ ଆପଣ ନିଜର ସମସ୍ତ ପାସୱାର୍ଡକୁ ରିସେଟ୍ କରିପାରିବେ ।
ଆଧାର ସେଣ୍ଟର ଯାଇ ମୋବାଇଲ୍ ନମ୍ବର ବଦଳାନ୍ତୁ-
ନିକଟସ୍ଥ ଆଧାର କେନ୍ଦ୍ରକୁ ଯାଇ ତୁରନ୍ତ ମୋବାଇଲ୍ ନମ୍ବର ବଦଳାଇ ଦିଅନ୍ତୁ ।
ସବୁ ଅନଲାଇନ୍ ପେମେଣ୍ଟ ଆପକୁ ବନ୍ଦ କରନ୍ତୁ-
ପ୍ରଥମେ ହେଲ୍ପ ଡେସ୍କକୁ କଲ୍ କରି ଫୋନ୍ ପେ, ଗୁଗୁଲ୍ ପେ ଏବଂ ପେଟିଏମର ମୋବାଇଲ୍ ୱାଲେଟ୍ ବନ୍ଦ କରି ଦିଅନ୍ତୁ । ଯଦି ଆପଣ ଏହାକୁ ୱେବସାଇଟ୍ କିମ୍ବା ଅନ୍ୟ ଫୋନରୁ କରିବାକୁ ଚେଷ୍ଟା କରନ୍ତୁ ତାହେଲେ ଆପଣଙ୍କୁ OTP ଦେବାକୁ ପଡିବ । ସେଥିପାଇଁ ସବୁବେଳେ ହେଲ୍ପ ଡେସ୍କର ସାହାଯ୍ୟ ନିଅନ୍ତୁ ।
ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରନ୍ତୁ-
ଯଦି କେହି ସୋସିଆଲ ମିଡିଆ ଆକାଉଣ୍ଟର ଆସେସ୍ ପାଇଯାଏ ତାହେଲେ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଯଦି ଆପଣ ସୋସିଆଲ ମିଡିଆ ଆକାଉଣ୍ଟଗୁଡିକର ପାସୱାର୍ଡ ଜାଣିଛନ୍ତି ତେବେ ଏହାକୁ ତୁରନ୍ତ ବନ୍ଦ କରିଦିଅନ୍ତୁ । ଫଳରେ କେହି ଆଉ ଅପବ୍ୟବହାର କରିପାରିବେ ନାହିଁ ।


