spot_img
Home Blog Page 5481

ବାସୁଳି ପୂଜା ଭୋଗ ଖାଇ ୭୦ ରୁ ଅଧିକ ଗ୍ରାମବାସୀ ଅସୁସ୍ଥ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପିମୋହନପୁର ପଞ୍ଚାୟତ ଅନ୍ତର୍ଗତ ବାସୁଳିଆ ସାହିରେ ଅଘଟଣ। ବାସୁଳି ପୂଜା ଭୋଗ ଖାଇ ୭୦ ରୁ ଅଧିକ ଗ୍ରାମବାସୀ ଅସୁସ୍ଥ। ଗତ ଶନିବାର ଦିନ ଗ୍ରାମରେ ବାଶୁଳି ଠାକୁରାଣୀଙ୍କ ନିକଟରେ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜା ସରିବା ପରେ ଗ୍ରାମବାସୀ ଠାକୁରାଣୀଙ୍କ ଭୋଗ ଖାଇଥିଲେ । ରବିବାର ସକାଳୁ କିଛି ଗ୍ରାମବାସୀଙ୍କ ମୁଣ୍ଡ ବୁଲାଇବା ସହ ପ୍ରବଳ ଝାଡାବାନ୍ତି ହୋଇଥିଲା ।

ଖବରପାଇ ଆଶା କର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଇଥିଲେ । ମାତ୍ର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ସ୍ଥାନୀୟ ଡାକ୍ତରଖାନାକୁ ଖବର ଦେଇଥିଲେ । ଗ୍ରାମରେ ଦୁଇଟି ମେଡ଼ିକାଲ ଟିମ୍ ପହଞ୍ଚି ଚିକିତ୍ସା କରୁଛନ୍ତି । ଅସୁସ୍ଥଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ଜଣାପଡିଛି ।

ଘରେ ପଶି ବନ୍ଧୁକ ମୁନରେ ଲୁଟିନେଲେ ଅଢେଇ ଲକ୍ଷ ଟଙ୍କା ସହ ସୁନା ଗହଣା

ଯାଜପୁର: କରୋନା କାଳରରେ ରାଜ୍ୟରେ ବଢ଼ି ଚାଲିଛି ଅପରାଧ। ଛିନତାଇ ଠାରୁ ଆରମ୍ଭ କରି ମର୍ଡର ଲୁଟ ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୋଲିସ୍‌କୁ ଟାର୍ଗେଟ ଦେଉଛନ୍ତି ଦୁର୍ବୃତ୍ତ। ଘରେ ପଶି ବନ୍ଧୁକ ଭୁଜାଲି ଦେଖାଇ ଅଢେଇ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟିନେଲେ ଡକାୟତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ସେରପୁର ପଞ୍ଚାୟତର କୃଷ୍ଣ ନଗର ଗ୍ରାମରେ।

ଗାଁର କାଞ୍ଚବାଳା ଶୁକ୍ଲଙ୍କ ଘରେ ବିଳମ୍ବିତ ରାତିରେ ଚାରି ରୁ ପାଞ୍ଚ ଜଣ ଡକାୟତ ଘରେ ପଶି ନଗଦ ଅଢେଇ ଲକ୍ଷ ଟଙ୍କା ନେବା ସହ ଘରେ ଥିବା ସୁନା ଗହଣ କୁ ମଧ୍ୟ ନେଇଯାଇଥିବା ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । କେବଳ ସୁନା ଗହଣା ନୁହେଁ ଘର ଦୁଆରେ ଲାଗିଥିବା ସିସିଟିଭିର ହାର୍ଡ ଡିକ୍ସ ମଧ୍ୟ ନେଇଯାଇଛନ୍ତି । ଖବର ପାଇ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି ।

ସୁଧୁରୁ ନାହାନ୍ତି ଅମାନିଆ, ପୁଣି ସିଲ୍‌ ହେଲା ତାରିଣୀ ବସ୍ତ୍ରାଳୟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ଧିରେ ଧିରେ କମିବାରେ ଲାଗିଛି। ଅନେକ କଷ୍ଟ ପରେ ଏବେ ଧିରେ ଧିରେ ସୁଧୁରୁଛି ପରିସ୍ଥିତି। ହେଲେ ଏବେ ବି ବିପଦ ଟଳିନାହିଁ। କରୋନା ବିପଦ କେତେବେ ବି ତାର ରୂପ ବଦଳାଇ ପୁଣି ଅଧିକ ସକ୍ରିୟ ହୋଇପାରେ। ସେଥିପାଇଁ ରାଜ୍ୟ ସରକାର ସବୁ ସମୟରେ ଲୋକଙ୍କୁ ସଚେତନ ରହିବାକୁ କହୁଛନ୍ତି। ହେଲେ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ଅମାନିଆ। କୌଣସି ନା କୌଣସି ଉପାୟରେ ଭାଙ୍ଗିବାକୁ ଲାଗିଛନ୍ତି କଟକଣା।

ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢାଉଛନ୍ତି ଅମାନିଆ। ପୁଣି ଥରେ ସିଲ ହେଲା ତାରିଣୀ ବସ୍ତ୍ରାଳୟ। କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟକୁ ପୁଣିଥରେ ସିଲ କରିଛି ବିଏମସି। ପଛ ଗେଟ ଦେଇ ବିକ୍ରି ହେଉଥିବା ଖବର ପାଇଥିଲା ବିଏମସି। ଯାହାଫଳରେ ଚଢାଉ କରାଯାଇଥିଲା। ଦୋକାନ ଭିତରେ ଅନେକ ଲୋକ ଥିବା ଜଣାପଡିଥିବାବେଳେ ସେମାନଙ୍କ ଠାରୁ ଫାଇନ କାଟିଛି ବିଏମସି। ତେବେ ଏହା ପୂର୍ବରୁ ମଧ୍ୟ ରଜ ସାବିତ୍ରୀ ସମୟରେ ତାରିଣୀ ବସ୍ତ୍ରାଳୟକୁ ସିଲ୍‌ କରାଯାଇଥିଲା।

ବିସିସିଆଇର ଘୋଷଣା; ଭାରତରେ ହେବନି T20 ୱାର୍ଲ୍ଡ କପ୍

ନୂଆଦିଲ୍ଲୀ: T20 ୱାର୍ଲ୍ଡ କପର ଆୟୋଜନ ଭାରତରେ ନୁହେଁ ବରଂ ୟୁଏଇରେ ଆୟୋଜିତ ହେବ ବୋଲି ଘୋଷଣା କରିଛି ବିସିସିଆଇ। କରୋନା ମହାମାରୀ ଯୋଗୁଁ ପୂର୍ବରୁ ଏନେଇ କୗେଣସି ସ୍ପଷ୍ଟ ହୋଇପାରିନଥିଲା ।

ଏ ସମ୍ପର୍କରେ ବସିସିଆଇ ପକ୍ଷରୁ ଆଇସିସିକୁ ଆଧିକାରିକ ଭାବେ ସୂଚନା ଦିଆଯାଇଛି ।  ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର କିମ୍ବା ନଭେମ୍ବର ବେଳକୁ ଆୟୋଜିତ ହୋଇପାରେ ।  ଟି-୨୦ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆଇପିଏଲର ବଳକା ୩୧ଟି  ମ୍ୟାଚ୍ ମଧ୍ୟ ୟୁଏଇରେ ଖେଳାଯିବ ।

ଗଣମାଧ୍ୟମର ସୂଚନା ଅନୁଯାୟୀ ବୋର୍ଡର ସଚିବ ଜୟ ଶାହା କହିଛନ୍ତି, ଟି-୨୦ ୱାର୍ଲ୍ଡ କପ ୟୁଏଇରେ ଆୟୋଜିତ ହେବା ନେଇ ଆଜି ଆମେ ଆଧିକାରିକ ଭାବେ ଆଇସିସିକୁ ଜଣାଇଛୁ । ତେବେ ଟୁର୍ଣ୍ଣାମେଣ୍ଟର ତାରିଖ ନେଇ ଆଇସିସି ନିଷ୍ପତି ନେବ । କରୋନା ମହାମାରୀର ତୃତୀୟ ପ୍ରବାହ ଆଶଙ୍କା ଯୋଗୁଁ ମ୍ୟାଚ୍ ଭାରତରେ ଆୟୋଜିତ ହେବା କଷ୍ଟକର ।

ଓମାନରେ ହୋଇପାରେ ପ୍ରାରମ୍ଭ ମ୍ୟାଚ୍-

ଅକ୍ଟୋବର ୧୭ରୁ ବିଶ୍ୱକପ୍ ମ୍ୟାଚ୍ ଆରମ୍ଭ ହୋଇପାରେ । ଏହି ୧୬ଟି ଟୁର୍ନାମେଣ୍ଟର ଟାଇଟଲ୍ ମ୍ୟାଚ୍ ନଭେମ୍ବର ୧୪ରେ ଖେଳାଯିବ । ୟୁଏଇ ବ୍ୟତୀତ ଟୁର୍ନାମେଣ୍ଟ ମ୍ୟାଚ୍ ଗୁଡିକ ଓମାନରେ ମଧ୍ୟ ଆୟୋଜିତ ହୋଇପାରେ । ଆଇପିଏଲର ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୟୁଏଇରେ ଯେପରି ଅଧିକ ଚାପ ନ ପଡିବ ସେଥିପାଇଁ ଓମାନରେ ପ୍ରାରମ୍ଭିକ ରାଉଣ୍ଡ ଅନୁଷ୍ଠିତ ହୋଇପାରେ । ଦୁବାଇ, ଶାରଜା ଏବଂ ଆବୁଧାବିରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହାପୂର୍ବରୁ ୨୦୧୬ର ଟି-୨୦ ୱାର୍ଲ୍ଡ କପ୍ ଭାରତରେ ଆୟୋଜିତ ହୋଇଥିଲା । ସେ ସମୟରେ ୱେଷ୍ଟ ୱିଣ୍ଡିଜ୍ ଦଳ ଚାମ୍ପିଅନ୍ ହୋଇଥିଲା ।

ୱାର୍ଲ୍ଡ କପରେ ମୋଟ ୪୫ଟି ମ୍ୟାଚ୍ ଖେଳାଯିବ-

ଟି-୨୦ ବିଶ୍ୱକପ୍‌ରେ ୧୬ଟି ଦଳକୁ ସୁଯୋଗ ଦିଆଯାଇଥିବା ବେଳେ ମୋଟ୍ ୪୫ଟି ମ୍ୟାଚ୍ ହେବ । ପ୍ରଥମ ରାଉଣ୍ଡ ୮ଟି ଦଳ ମଧ୍ୟରେ ହେବ ଏବଂ ଦୁଇଟି ଦଳରେ ୪-୪ ଟିମ୍ ରହିବେ । ମୋଟ ୧୨ଟି ମ୍ୟାଚ୍ ହେବ ଏବଂ ଉଭୟ ଦଳର ଟପ୍ ଟିମ୍ ସୁପର-୧୨ ପାଇଁ କ୍ବାଲିଫାଏ୍ କରିବେ । ଏହାପରେ ୧୨ଟି ଦଳକୁ ଦୁଇଟି ଟିମରେ ଭାଗ କରାଯାଇଛି । ମୋଟ ୩୦ଟି ମ୍ୟାଚ୍ ହେବ । ଯାହା ପରେ ଦୁଇଟି ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ହେବ ।

ସୂଚନା ଅନୁଯାୟୀ, ଆଇପିଏଲର ବଳକା ମ୍ୟାଚ୍ ଗୁଡିକ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ମଧ୍ୟରେ ଅନୁଷ୍ଠିତ ହୋଇପାରେ । ଏହା ମଧ୍ୟ ୟୁଏଇରେ ଅନୁଷ୍ଠିତ ହେବ । କରୋନା ମାମଲା ଚିହ୍ନଟ ହେବା ପରେ ଟି-୨୦ ଲିଗକୁ ମ୍ୟାଚ୍ ୨୯ ତାରିଖ ପରେ ସ୍ଥଗିତ କରାଯାଇଥିଲା ।

କୋଭିଡ୍ ପ୍ରଭାବିତ ସେକ୍ଟର ପାଇଁ ୧.୧ ଲକ୍ଷ କୋଟିର ସ୍କିମ୍ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ କୋଭିଡ୍ ପ୍ରଭାବିତ ସେକ୍ଟର ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ସହାୟତା ସ୍କିମ୍ ଘୋଷଣା କରିଛନ୍ତି। କୋଭିଡ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ସେକ୍ଟର ପାଇଁ କେନ୍ଦ୍ର ସରକାର ୮ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ରିଲିଫ୍ ପ୍ୟାକେଜ୍ ଘୋଷଣଆ କରି ସେ ଏହି ସେକ୍ଟରକୁ ୫୦ ହଜାର କୋଟି ଟଙ୍କା ଦିଆଯିବ ବୋଲି କହିଛନ୍ତି। ସେହିଭଳି ଅନ୍ୟକ୍ଷେତ୍ରଙ୍କୁ ୬୦ ହଜାର କୋଟି ଟଙ୍କାର ବୁଷ୍ଟର ପ୍ୟାକେଜ୍ ଦିଆଯିବ। ଦୁଇ କ୍ଷେତ୍ରକୁ ସର୍ବମୋଟ ୧.୧ ଲକ୍ଷ କୋଟିର ସହାୟତା ଦିଆଯିବ। ଏଥିପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ବାର୍ଷିକ ୭.୯୫ ପ୍ରତିଶତ ସୁଧ ଦେବାକୁ ପଡିବ। ଲୋନ୍ ଗ୍ୟାରେଣ୍ଟି ସ୍କିମ ଅନ୍ତର୍ଗତରେ ହେଲ୍ଥ ସେକ୍ଟରୁରେ କାମ କରୁଥିବା ସଂସ୍ଥାଙ୍କୁ ସର୍ବାଧିକ ୧ଶହ କୋଟିର ଲୋନ୍ ମିଳି ପାରିବ। ସେହିଭଳି ଅନ୍ୟକ୍ଷେତ୍ରଙ୍କୁ ବାର୍ଷିକ ୮.୨୫ ପ୍ରତିଶତ ସୁଧ ଦେବାକୁ ପଡିବ।

ପର୍ଯ୍ୟଟନ ଶିଳ୍ପର ଗୁରୁତ୍ୱକୁ ସ୍ୱୀକାର କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହା ରୋଜଗାର ଓ ସ୍ୱରୋଜଗାର ସୃଷ୍ଟି କରିଥାଏ। ଟୁରିଷ୍ଟ ଗାଇଡ୍ ଓ ଅନ୍ୟ ଷ୍ଟେକ୍ ହୋଲ୍ଡରଙ୍କ ପାଇଁ ମଧ୍ୟ ସେ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହା ଅନ୍ତର୍ଗତରେ ସେମାନଙ୍କୁ ବ୍ୟବସାୟିକ ଓ ବ୍ୟକ୍ତିଗତଋଣ ମିଳିବ। ଋଣ ପାଇଁ ସରକାର ଶତ ପ୍ରତିଶତ ଗ୍ୟାରେଣ୍ଟି ଦେବ। ପ୍ରତି ଟୁରିଷ୍ଟ ଏଜେନ୍ସିଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ। ଅନ୍ୟପକ୍ଷରେ ପଂଜିକୃତ ଟୁରିଷ୍ଟ୍ ଗାଇଡଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଏଥିପାଇଁ ସେମାନଙ୍କୁ କୌଣସି ପ୍ରୋସେସିଂ ଚାର୍ଜ୍ କିମ୍ବା କ୍ଲୋଜର ଚାର୍ଜ୍ ଦେବାକୁ ପଡିବ ନାହିଁ।

କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍

କ୍ଷୁଦ୍ର ବ୍ୟବସାୟୀ ଏନବିଏଫସି,ମାଇକ୍ରୋ ଫାଇନାନ୍ସ କମ୍ପାନୀଙ୍କଠାରୁ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇ ପାରିବେ

ଏହା ଉପରେ ବ୍ୟାଙ୍କର MCLR ଉପରେ ସର୍ବାଧିକ ୨ ପ୍ରତିଶତ ମିଶାଇ ସୂଧ ନିଆ ଯିବ

ଏହି ଲୋନର ଅବଧି ୩ ବର୍ଷ ରହିବ ଓ କେନ୍ଦ୍ର ସରକାର ଏଥିପାଇଁ ଗ୍ୟାରେଣ୍ଟିଅର ରହିବେ

ଏହାର ମୁଖ୍ୟ ଉଦ୍ଦେଷ୍ୟ ନୂଆ ଲୋନ୍ ବିତରଣ କରିବା

୮୯ ଦିନର ଡିଫଲ୍ଟର ସମେତ ସବୁ ପ୍ରକାରର ଋଣଗ୍ରହିତା ଏହାର ସୁଯୋଗ ନେଇ ପାରିବେ

ଏହାର ଲାଭ ପ୍ରାୟ ୨୫ ଲକ୍ଷ ବ୍ୟକ୍ତି ନେଇ ପାରିବେ

ଏଥିପାଇଁ ସରକାର ୭ ହଜାର ୫ଶହ କୋଟିର ବ୍ୟବସ୍ଥା କରିଛନ୍ତି,୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଏହାର ଲାଭ ମିଳିବ ।

ଆତ୍ମନିର୍ଭର ଭାରତ ଯୋଜନା

ଏହାର ଅବଧିକୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବଢିଲା

୨୧.୪୨ ଲାଭର୍ଥିଙ୍କ ପାଇଁ ୯୦୨ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି

ଏହି ଯୋଜନା କ୍ରମରେ ସରକାର ୧୫ ହଜାର ଟଙ୍କାରୁ କମ ଦରମା ପାଉଥିବା କର୍ମଚାରୀ ଓ କମ୍ପାନୀଙ୍କ ପିଏଫ୍ ଦେଉଛନ୍ତି

ସରକାର ଏହି ସ୍କିମରେ ୨୨ ହଜାର ୮୧୦ କୋଟି ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ରଖିଛନ୍ତି । ଯେଉଁଥିରେ ପ୍ରାୟ ୫୮.୫୦ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ ।

କୃଷି କ୍ଷେତ୍ର

ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ରବି ଋତୁ ୨୦୨୦-୨୧ରେ ସରକାର ୩୮୯.୯୨ ଲକ୍ଷ ମେଟ୍ରିକ୍ ଟନ୍ ଗହମ କିଣିଥିଲେ । ଅନ୍ୟପକ୍ଷରେ ୨୦୨୧-୨୨ରେ ୪୩୨.୪୮ ଲକ୍ଷ ଟନ୍ ଗହମ କିଣିଛନ୍ତି । ଏଥିପାଇଁ ୮୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଦିଆଯାଇଛି ।

ହାତ ଛାଡ଼ିଲା ସ୍ୱାମୀ ପରକରିଦେଲା ପରିବାର, ଶେଷରେ ଲେମ୍ବୁ ସରବତ ବିକି ହେଲେ ସବ୍‌-ଇନିସପେକ୍ଟର

ନୂଆଦିଲ୍ଲୀ: କପାଳ ଲିଖନ କେ କରିବ ଆନ। ଯାହା ଭାଗ୍ୟରେ ଅଛି ତା’ ହେବ ହିଁ ହେବ। ପରିସ୍ଥିତି ଆଗରେ ମଥାପାତି ଦୁଃଖ କଷ୍ଟ ଭୋଗିବାକୁ ପଡ଼ିବ ଆଉ ଯନ୍ତ୍ରଣା ସହିବାକୁ ପଡ଼ିବ। ହେଲେ ଜଣେ ସିଙ୍ଗଲ ମଦରଙ୍କର ଅତୁଟ ସାହସ, ବିଶ୍ୱାସ, ନିଷ୍ଠା ଓ ପରିସ୍ଥିତିକୁ ବଦଳାଇ ଦେବାର ଜିଦ୍ ଆଗରେ ସବୁ ହାର ମାନିଛି। ଯେଉଁଠି ଦିନେ ସେ ଲେମ୍ବୁ ସରବତ ବିକି ଭଙ୍ଗା କୁଡ଼ିଆରେ ରହୁଥିଲେ ଆଜି ସେ ପୋଲିସ ସବ୍ ଇନ୍ସପେକ୍ଟର। ଅକ୍ଳାନ୍ତ ପରିଶ୍ରମ କରି ଅତୀତରେ ସେ ଯନ୍ତ୍ରଣାଦାୟକ ଦିନଠାରୁ ନେଇଛନ୍ତି ମଧୁର ପ୍ରତିଶୋଧ।

ବୟସ ମାତ୍ର ୧୮ବର୍ଷ। ଯୁକ୍ତ ୩ ପ୍ରଥମ ବର୍ଷ ପାଠ ପଢ଼ା ଚାଲିଥାଏ। ପରିବାର ଲୋକଙ୍କ ଜିଦ୍ ଆଗରେ ହାର୍ ମାନି ବାହା ହୋଇ ଶାଶୂ ଘରକୁ ଗଲେ କେରଳର ଆନି ସିବା। ହେଲେ ପୁଅ ଜନ୍ମ ହେବାର ୬ ମାସ ପରେ ପର କରିଦେଲା ସ୍ୱାମୀ। ବାପଘର ଲୋକ ବି ଆଡ଼ ଆଖିରେ ଦେଖିଲେନି। କିଛିଦିନ ଜେଜେମା’ଙ୍କ ଘରେ ରହିବା ପରେ ପେଟ ପୋଷିବା ପାଇଁ ଭରକଲାଠାରେ ଏକ ଭଙ୍ଗା କୁଡିଆରେ ପୁଅ ସହ ରହିବାକୁ ଲାଗିଲେ। ଭରକଲାର ଶିବଗିରି ଆଶ୍ରମରେ ଲେମ୍ବୁ ପାଣି, ଆଇସକ୍ରିମ୍ ଆଉ ହାତତିଆରି ସାମଗ୍ରୀ ବିକ୍ରି କରି ଦିପଇସା ରୋଜଗାର କରିବାକୁ ଚେଷ୍ଟା କରିଥିଲେ। ହେଲେ ହାର ମାନିନଥିଲେ। ଜଣେ ସହୃଦୟ ବ୍ୟକ୍ତିଙ୍କ ପରାମର୍ଶ ଓ ସହଯୋଗରେ ପୁଣି ଥରେ ପଢ଼ିବା ଆରମ୍ଭ କରିଥିଲେ ଆନି। ଛୋଟ ପୁଅକୁ ଧରି ପାଠ ପଢ଼ିବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିଥିଲା। ହେଲେ କଠିନ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ବଳରେ ଦୂର ହୋଇଛି କଷ୍ଟ। ଆନି ଶିବା ଆଜି ସବ୍‌-ଇନିସପେକ୍ଟର। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ସହରରେ ଦିନେ ଆନି ବାର ଦୁଆର ସୁଣ୍ଢି ପିଣ୍ଡା ହେବାକୁ ପଡ଼ିଥିଲା, ଆଜି ସେହି ସହରରେ ମିଳିଛି SI ନିଯୁକ୍ତି।

ଆନି ତାଙ୍କର ଏହି ପ୍ରେରଣା ଭରା କାହାଣୀକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ପାଲଟି ଯାଇଛନ୍ତି ଇଣ୍ଟରନେଟ୍ ସେନସେସନ। ସବୁଆଡେ ଆନିଙ୍କ ନିଷ୍ଠା ଓ କଠିନ ପରିଶ୍ରମକୁ ନେଇ ପ୍ରଶଂସା। ସିଙ୍ଗଲ ମଦର ଭାବେ ତାଙ୍କ ସାହସକୁ ସଲାମ୍ କରୁଛନ୍ତି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି। ଫେସବୁକରେ ଏକ ପୋଷ୍ଟରେ ଆନି ଲେଖିଛନ୍ତି, ୧୦ବର୍ଷ ପୂର୍ବେ ମୁଁ ବରକଲା ଶିବଗିରି ଆସୁଥିବା ଲୋକଙ୍କୁ ଲେମ୍ବୁପାଣି, ଆଇସକ୍ରିମ୍ ବିକୁଥିଲି। ଏବେ ସେହି ସହରକୁ ମୁଁ ପୋଲିସ ସବ୍ ଇନ୍ସପେକ୍ଟର ଭାବେ ଫେରିଛି।

ଟିକା ନାଁରେ ଦେଲେ ବିଷ ଇଞ୍ଜେକ୍ସନ, ପରିବାରର ୩ ମୃତ

ଚେନ୍ନାଇ: କୋଭିଡ୍ ଟିକା ନାଁରେ ଦିଆଗଲା ବିଷ । ବିଷ କ୍ରିୟାରେ ପ୍ରାଣ ହରାଇଛନ୍ତି ଗୋଟିଏ ପରିବାରର ୩ ଜଣ ସଦସ୍ୟ । ଘଟଣା ଘଟିଛି ତାମିଲନାଡୁର ଇରୋଡରେ । ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ତଦନ୍ତରୁ ଜଣାପଡ଼ିଛି ଇରୋଡର କୀଜଭାନି ଗାଁର ଜଣେ ବ୍ୟକ୍ତି ତଥା ମୁଖ୍ୟ ଅଭିଯୁକ୍ତ ଆର.କଲ୍ୟାଣସୁନ୍ଦରମ ସ୍ଥାନୀୟ କାରୁନ୍‌ ଗୋନ୍ଦଭଲାସୁ ଗାଁର କାରୁପାନକୋରୁନ୍ଦରଙ୍କଠାରୁ ୧୫ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥିଲା । ପରେ ସେ ଟଙ୍କା ଦେବାକୁ ଅସମର୍ଥ ହେବା ସହ ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଶେଷରେ କଲ୍ୟାଣସୁନ୍ଦରମ ଏକ ମନ୍ଦ ଉପାୟ ପାଞ୍ଚି ଉକ୍ତ ପରିବାରକୁ ସମୂଳ ନାଶ କରିଦେବା ଲାଗି ନିଷ୍ପତ୍ତି ନେଇଥିଲା ଓ ଏହି କାର୍ଯ୍ୟରେ ସାବରି ନାମକ ଜଣେ ଯୁବକଙ୍କ ସହାୟତା ନେଇଥିଲା । ସାବରି ଜଣେ ସ୍ୱାସ୍ଥ୍ୟକର୍ମୀ ଭାବେ ଯାଇ ସେମାନଙ୍କୁ କୋଭିଡ ଟିକା ନାଁରେ ବିଷ ମିଶ୍ରିତ ଇଞ୍ଜେକ୍ସନ୍ ଦେଇଥିଲା । ବିଶ୍ୱାସରେ ବିଷ ମିଶାଇଥିବା ଏହି ସ୍ୱାସ୍ଥ୍ୟକର୍ମୀଙ୍କ ଫନ୍ଦି ବୁଝି ନପାରି ପରିବାରର ୪ ସଦସ୍ୟ ଏହି ଔଷଧ ଖାଇଦେଇଥିଲେ ।

ଟିକା ନେଇ କାରୁପାନକୋରୁନ୍ଦର, ତାଙ୍କ ପତ୍ନୀ ମଲ୍ଲିକା, କନ୍ୟା ଦୀପା ଓ ସହାୟିକା କୁପାଲ ଗୁରୁତର ହୋଇ ପଡ଼ିଥିଲେ । ବିଷକ୍ରିୟାରେ ମଲ୍ଲିକା, ଦୀପା ଓ କୁପଲଙ୍କ ମୃତ୍ୟୁ ଘଟିଥିବା ବେଳେ କାରୁପାନକୋରୁନ୍ଦର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପୋଲିସ କଲ୍ୟାଣସୁନ୍ଦରମ ଓ ସାବରିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ସେମାନଙ୍କ ଜାମିନ ଖାରଜ ହେବା ପରେ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଟ୍ୱିଟରର ନକ୍ସାରେ ଭାରତର ନୁହେଁ ଜମ୍ମୁ-କାଶ୍ମୀର, ଅଲଗା ଦେଶ; ସରକାର ନେଇପାରନ୍ତି ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଭାରତର ମାନଚିତ୍ରକୁ ପୁଣି ବିକୃତ କରିଛି ମାଇକ୍ରୋ ବ୍ଲଗିଂଗ ସାଇଟ୍ ଟ୍ୱିଟର । ଟ୍ୱିଟର ତା’ର ୱେବସାଇଟରେ ଜାମ୍ମୁ-କାଶ୍ମୀର ଓ ଲଦାଖକୁ ଭାରତର ଅଂଶ ନୁହେଁ ବୋଲି ଦର୍ଶାଇଛି । ଟ୍ୱିଟରର କ୍ୟାରିଅର ସେକ୍ସନରେ ଏଭଳି ମ୍ୟାପ ଦେଇଛି ଟ୍ୱିଟର । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

 Twitter again shows distorted map of India on its website

ଟ୍ୱିଟରର ୱେବସାଇଟ୍ ଟ୍ୱିପ୍ ଲାଇଫରେ ଏଭଳି ବିକୃତ ମାନଚିତ୍ର ପ୍ରଦର୍ଶିତ କରାଯାଇଛି । ଜାମ୍ମୁ-କାଶ୍ମୀରକୁ ଅଲଗା ଦେଶ ଭାବେ ଚିତ୍ରଣ କରାଯାଇଥିବା ବେଳେ ଲେହକୁ ଚୀନର ଅଂଶ ବୋଲି ଦର୍ଶାଇଛି ଟ୍ୱିଟର । ତେବେ, ଟ୍ୱିଟର ଏଭଳି ଭୂଲ୍ ପ୍ରଥମଥର କରି ନାହିଁ । ଏହା ପୂର୍ବରୁ ୨୦୨୦ ଅକ୍ଟୋବରରେ ଟ୍ୱିଟର ଲେହକୁ ଚୀନର ବୋଲି ଦର୍ଶାଇଥିଲା ।

ଭାରତର ମାନଚିତ୍ରକୁ ବିକୃତ କରିବା ପାଇଁ ଟ୍ୱିଟରକୁ କେନ୍ଦ୍ର ସରକାର ଚେତାବନୀ ଦେଇଥିଲେ ।

ଭିସୁଟର ନୂଆ କୁଳପତି ଭାବେ ପ୍ରଫେସର ବଂଶୀଧର ମାଝୀଙ୍କୁ ନିଯୁକ୍ତି

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ନୂତନ କୁଳପତି ଭାବେ ପ୍ରଫେସର ବଂଶୀଧର ମାଝୀଙ୍କୁ ନିଯୁକ୍ତି ମିଳିଛି । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଏହି ନିଯୁକ୍ତି ଦେଇଛନ୍ତି । ଭିସୁଟ୍ ବୁର୍ଲାର କୁଳପତି ଭାବେ ଶ୍ରୀଯୁକ୍ତ ମାଝି କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ୩ ବର୍ଷ ଅଥବା ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ କାର୍ଯ୍ୟ କରିବେ ।

ପ୍ରଫେସର ମାଝୀ ଏବେ IIITDM କାଞ୍ଚିପୁରମ, ଚେନ୍ନାଇର ନିର୍ଦ୍ଦେଶକ ଅଛନ୍ତି । ଏହି ପଦରେ ସେ ୨୦୧୭ ଜୁଲାଇରୁ ଅଛନ୍ତି । ଶିକ୍ଷାଦାନ କ୍ଷେତ୍ରରେ ତାଙ୍କ ୨୬ ବର୍ଷର ଅଭିଜ୍ଞତା ରହିଛି । ୧୮ ଜଣ ପିଏଚଡି ସ୍କଲାର ଏବଂ ୭୦ ଜଣ ଏମ.ଟେକ୍ ଛାତ୍ରଛାତ୍ରୀଙ୍କୁ ସେ ଗାଇଡ୍ କରିଛନ୍ତି । ୨୦୧୬ ମସିହାରେ ସେ ରାଜ୍ୟ ସରକାରଙ୍କ ଠାରୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ପାଇଥିଲେ ।

ଇରାକ୍ ଓ ସିରିଆ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍

ୱାଶିଂଟନ୍: ରବିବାର ଇରାକ୍ ଓ ସିରିଆର ଆତଙ୍କବାଦୀ ଗୋଷ୍ଠୀ ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି । ପେଣ୍ଟାଗନର ଗଣମାଧ୍ୟମ ସଚିବ ଜନ କିରବି ଏନେଇ ସୂଚନା ଦେଇଛନ୍ତି । ଜୁନ୍ ଆରମ୍ଭରେ ଇରାକ ଉପରେ ଏକ ରକେଟ୍ ଆକ୍ରମଣ ହୋଇଥିଲା । ଏଥିରେ ଆମେରିକା ସୈନ୍ୟ ସହ ଅନ୍ୟ ସହବନ୍ଧିତ ସେନା ଆହତ ହୋଇଥିଲେ । କୁହାଯାଇଛି ଏହାର ଜବାବରେ ଆମେରିକା ଏଭଳି ଏୟାର ଷ୍ଟ୍ରାଇକ୍ କରିଛି ।

ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁସାରେ, ଅଧିକାରୀ କହିଛନ୍ତି ଇରାକରେ ହୋଇଥିବା ରକେଟ୍ ଆକ୍ରମଣର ଜବାବରେ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଛି । ସିରିଆରେ ଇରାନ୍ ସମର୍ଥିତ ଏହି ଗୋଷ୍ଠୀ ଇସ୍ରାଏଲ୍ ପାଇଁ ବଡ଼ ବିପଦ ବୋଲି କୁହାଯାଉଛି । ଏଥିଯୋଗୁଁ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ବେଶ୍ ଗୁରୁତ୍ୱବହନ କରୁଛି ।

ସିରିଆର ୨ଟି ସ୍ଥାନ ଓ ଇରାକର ଗୋଟିଏ ସ୍ଥାନ ଉପରେ ଆମେରିକା ଏହି ଆକ୍ରମଣ କରିଛି । ଟାର୍ଗେଟ କରାଯାଇଥିବା ସ୍ଥାନରେ ଇରାନ୍ ସମର୍ଥିତ ମିଲିସିଆ ଗୋଷ୍ଠୀ ରହୁଥିବା କହିଛି ପେଣ୍ଟାଗନ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ଏହି ଏୟାର୍ ଷ୍ଟ୍ରାଇକ୍ ହୋଇଛି ।