spot_img
Home Blog Page 5578

ରାଜଧାନୀରେ ଖୋଲିଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ: ହସ୍ପିଟାଲରେ ବେଡ୍ ମିଳିବା ଯାଏଁ ପାଇପାରିବେ ଅକ୍ସିଜେନ୍

ଭୁବନେଶ୍ୱର: ରାଜଧାନୀରେ ଖୋଲିଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ । କୋଭିଡ଼ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି “ଅମୃତ ଧାରା” ନାମରେ ଏହି ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ କରାଯାଇଛି । ପଟିଆ ବିଗବଜାର ସ୍ଥିତ ତ୍ରୀସନା ବ୍ୟାଙ୍କୁଟ ଠାରେ ଆରମ୍ଭ ହୋଇଛି ଏହି ଆଶ୍ରୟସ୍ଥଳୀ । ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ‘ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକା ହେଲ୍‌ଥ ଏଣ୍ଡ ୱଲ୍‌ନେସ୍ ଗ୍ରୁପ୍’ର ମିଳିତ ସହଯୋଗରେ ଏହାର ଶୁଭାରମ୍ଭ ହୋଇଛି । ବିଏମସି ଅନୁମୋଦନରେ ଓଡ଼ିଶାରେ ଏଭଳି ନିଶୁଳ୍କ ଅକ୍ସିଜେନ୍ ସେଲଟର୍ ଆରମ୍ଭ ହୋଇଛି । ଆଶ୍ରୟ ସ୍ଥଳରେ ଅମ୍ଳଜାନ ସହ ଖାଦ୍ୟ, ସାଇକୋଲୋଜିକାଲ୍ ପରାମର୍ଶ ଏବଂ ହସ୍ପିଟାଲ୍ ସ୍ଥାନନ୍ତର ପାଇଁ ଜୀବନ ଜ୍ୟୋତି ଆମ୍ବୁଲାନ୍ସ ସେବା ଯୋଗାଇଦିଆଯିବ । ଆଗାମୀ ଦିନରେ ପୋଷ୍ଟ କୋଭିଡ୍ ସେଣ୍ଟର ଭାବରେ ଏହା ପ୍ରଶଂସନିୟ ହେବ ବୋଲି ଆଶା ପ୍ରକାଶ କରାଯାଉଛି । ଏହି ସେଣ୍ଟର୍ ସହ ଯୋଗାଯୋଗ କରିବାପାଇଁ ଦୁଇଟି ନମ୍ୱର୍ ୭୮୯୪୪୩୩୮୨୯ ଏବଂ ୮୦୯୩୮୨୨୩୨୨ ଜାରି କରାଯାଇଛି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭୁବନେଶ୍ଵର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ,ସ୍ପର୍ଶ ହସ୍ପିଟାଲ୍ ମୁଖ୍ୟ ପରିଚାଳକ ଡ଼ା. ପ୍ରିୟବ୍ରତ ଧିର୍, ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ୧୦୪ ହେଲ୍ପଲାଇନ କର୍ମଚାରୀଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ‘ୟାସ୍‌’ ଯୋଗୁ୍ଁ ୬୧୦ କୋଟି ଟଙ୍କାର କ୍ଷତି: ବାତ୍ୟା ମୁକାବିଲା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପର ଡକ୍ୟୁମେଣ୍ଟେସନ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ‘ୟାସ’ର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ ଡକ୍ୟୁମେଣ୍ଟେସନ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ବିଭିନ୍ନ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଲୋକଙ୍କ ଜୀବନ ସୁରକ୍ଷା କରିଛନ୍ତି । ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତି କମ୍‌ ସମୟ ମଧ୍ୟରେ କରାଯାଇପାରିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସମସ୍ତ କାର୍ଯ୍ୟର ଡକ୍ୟୁମେଣ୍ଟେସନ୍ କରିବାର ଆବଶ୍ୟକତା ସଂପର୍କରେ କହିଥିଲେ । ବାତ୍ୟାର ଲ୍ୟାଣ୍ଡଫଲ୍‌ର ପୂର୍ବବର୍ତ୍ତୀ ସମୟର ପ୍ରସ୍ତୁତି, ସ୍ଥାନାନ୍ତର ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଡକ୍ୟୁମେଣ୍ଟେସନ୍ କରାଗଲେ, ଏହା ଆଗାମୀ ଦିନରେ ଆମକୁ ବାତ୍ୟା ପରିଚାଳନାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାରେ ସମୁଦାୟ ୧୫୦ଟି ଗାଁରେ ଜଳମଗ୍ନ ହୋଇଥିଲା । ସାମୁଦ୍ରିକ ଲୁଣିପାଣି ଯୋଗୁ ଫସଲ ମଧ୍ୟ କ୍ଷତି ହୋଇଛି ବୋଲି ସେ କହିଥିଲେ । ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ପାଇଁ ୧୦୦୦ଟି ଡିଜି ସେଟ୍‌, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ଆଦି ନିୟୋଜିତ କରାଯାଇଥିଲା ।

ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ବାତ୍ୟାର କ୍ଷୟକ୍ଷତି ଓ ପୁନରୁଦ୍ଧାର ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ନେଇ କାମ କରିଥିଲା ଏବଂ ଏଥିରେ ପ୍ରାୟତଃ ସଫଳ ହୋଇଛି । ସେ କହିଥିଲେ ଯେ, ଏଥିରେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟାରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସଂପତ୍ତିର କ୍ଷତି ହୋଇଛି । ସମୁଦାୟ କ୍ଷତିର ପରିମାଣ ୬୧୦ କୋଟି ଟଙ୍କା । ରିଲିଫ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ବୋଲି ସେ କହିଥିଲେ।

କୃଷି ବିଭାଗର କ୍ଷୟକ୍ଷତି ସମ୍ପର୍କରେ ଆଲୋକପାତ କରି ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିଥିଲେ ଯେ, ସମୁଦ୍ରକୂଳ ପ୍ରଭାବିତ ଜିଲ୍ଲା ଗୁଡିକରେ ଲୁଣି ପାଣି ମାଡି ଯିବାରୁ ଆଗାମୀ ଖରିଫ ଫସଲ ପାଇଁ ସମସ୍ୟା ଦେଖାଦେଇଛି । ତେଣୁ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟ ଓ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନଙ୍କୁ ଏହାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରି ପରାମର୍ଶ ପ୍ରଦାନ କରିବା ପାଇଁ କୁହାଯାଇଛି । ଏହି ବୈଜ୍ଞନିକମାନେ ବର୍ତ୍ତମାନ ପ୍ରଭାବିତ ସ୍ଥାନରେ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ଏବଂ ଖୁବଶୀଘ୍ର ରିପୋର୍ଟ ଆସିବ ବୋଲି ସେ କହିଥିଲେ।

ବିଭାଗୀୟ ସଚିବମାନେ ସେମାନଙ୍କ ବିଭାଗର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଏଥିରେ ୩୦ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ ଏବଂ ଏଥିରେ ୯୯.୮ ପ୍ରତିଶତ ଉପଭୋକ୍ତାଙ୍କୁ ବର୍ତ୍ତମାନ ସୁଦ୍ଧା ବିଜୁଳି ପୁନଃସଂଯୋଗ କରାଯାଇଛି ବୋଲି ସେ କହିଥିଲେ । ୨୩୦ଟି ଟ୍ରାନ୍ସଫର୍ମ ଆଜି ସୁଦ୍ଧା ବଦଳାଯାଇ ନୂଆ ଟ୍ରାନ୍ସଫର୍ମର ଲଗାଯିବ ବୋଲି ସୂଚନା ଦିଆଯାଇଥିଲା । ଶକ୍ତି ବିଭାଗର କ୍ଷୟକ୍ଷତିର ପରିମାଣ ୧୫୦ କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବାତ୍ୟା ସମୟରେ ଓ ପରେ ପାନୀୟ ଜଳ ଯୋଗାଣ ଅବିରତ ଭାବେ ଜାରି ରହିଥିଲା । ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୦ଟି ମୋବାଇଲ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ମୂତୟନ କରାଯାଇଥିଲା। ଏହା ସାରା ଭାରତରେ ଏକ ଅନନ୍ୟ ପଦକ୍ଷେପ ବୋଲି ସୂଚନା ଦିଆଯାଇଥିଲା । ମଇ ୩୧ ସୁଦ୍ଧା ସମସ୍ତ ଟ୍ୟୁବୱେଲ ଓ ପାଇପ ୱାଟର ପ୍ରକଳ୍ପର ଜଳ ଉତ୍ସ୍ୟକୁ ବିଶୋଧନ କରାଯାଇଥିଲା। ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ ରୋଡର କ୍ଷୟକ୍ଷତି ପରିମାଣ ୨୭୭ କୋଟି ଟଙ୍କା ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ୮ଟି ସହରାଞ୍ଚଳର ୫୮ଟି ସଡକ ସହିତ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା, ଗୋଟିଏ ସେତୁ ଆଦି କ୍ଷତିର ସମ୍ମୁଖୀନ ହୋଇଛି। ବାସୁଦେବପୁର ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା। ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଓ ରାସ୍ତାରେ ହୋଇଥିବା ଘାଇ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସମୁଦାୟ କ୍ଷତିର ପରିମାଣ ୧୦୮ କୋଟି ଟଙ୍କା । ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ସଡ଼କ ଗୁଡିକୁ ଗଛ କାଟି ତୁରନ୍ତ ଅବରୋଧମୁକ୍ତ କରାଯାଇଥିଲା। ୨୪୬ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି କରାଯାଇଛି । କ୍ଷତିର ପରିମାଣ ୭୫ କୋଟି ଟଙ୍କା। ଗ୍ରାମ୍ୟ ଉନ୍ନୟନ ବିଭାଗ କ୍ଷତିର ପରିମାଣ ୬୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି । ବୈଠକରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଆବଶ୍ୟକତା ସମ୍ପର୍କରେ ଦୃଷ୍ଟି ଆକର୍ଣଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ: ରାଜ୍ୟରେ ୧୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ବର୍ଷା ବଢିବା ସାଙ୍ଗକୁ ଦକ୍ଷିଣ ଆରବ ସାଗର ତଳଭାଗରେ ପଶ୍ଚିମା ପବନ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ସାଟେଲାଇଟରୁ ମିଳିଥିବା ଚିତ୍ର ଅନୁସାରେ ଦକ୍ଷିଣ ପୂର୍ବ ଆରବ ସାଗର ଏବଂ କେରଳ ଉପକୂଳ ଆକାଶରେ ବାଦଲ ଠୁଳ ହେଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଦକ୍ଷିଣ ଛତିଶଗଡ଼ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶାରେ ଜାରି ରହିଛି କାଳବୈଶାଖି ବର୍ଷା। ଘଡଘଡି ବିଜୁଳି ସହ ବର୍ଷାର ପରିମାଣ ବଢୁଥିବାରୁ ଓଡିଶାରେ ପ୍ରାକ୍ ମୌସୁମୀ ସକ୍ରିୟ ହୋଇଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପ୍ରଭାବରେ ଉପକୂଳ ଓଡିଶାରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ ଏବଂ ଯାଜପୁର ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ପବନ ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖି ବର୍ଷା ପାଇଁ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ୪ଟି ଜିଲ୍ଲା ଗଞ୍ଜାମ, ଗଜପତି, ବୌଦ୍ଧ ଏବଂ କନ୍ଧମାଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେବ । ୪ ରୁ ୬ ତାରିଖ ମଧ୍ୟରେ ବର୍ଷା ର ପରିମାଣ କମିବ।

ଏଥିସହିତ ପଢ଼ନ୍ତୁ: ଟିକା କିଣା ନେଇ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ମମତାଙ୍କ ସମର୍ଥନ

 

ବିଜୟଶ୍ରୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ଶୋକ: ‘ଜନପ୍ରିୟ ନେତା ଓ ଅମାୟିକ ବ୍ୟକ୍ତିତ୍ୱ ଥିଲେ’

ଭୁବନେଶ୍ୱର:  ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ନେଇ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟଶ୍ରୀଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି, ଜନପ୍ରତିନିଧି ଭାବେ ତାଙ୍କ ଲୋକଭିମୁଖୀ କାର୍ଯ୍ୟ ପାଇଁ ସେ ଚିର ସ୍ମରଣୀୟ ରହିବେ ବୋଲି ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ ସ୍ବର୍ଗତ ରାଉତରାୟଙ୍କ ପୁଅ ତଥା ବିଧାୟକ ବିଷ୍ଣୁ ବ୍ରତ ରାଉତରାୟଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି ।

ସେହିଭଳି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସବର୍ମା ବିଜୟଶ୍ରୀଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି । ସ୍ବର୍ଗତ ରାଉତରାୟ ଜଣେ ଲୋକପ୍ରିୟ ରାଜନେତା ତଥା ଅମାୟିକ ବ୍ୟକ୍ତିତ୍ବ ଥିଲେ ।  ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କ ପ୍ରିୟଭାଜନ ଥିଲେ ।ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଭାବରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦକ୍ଷତାର ସହ ନିର୍ବାହ କରିଥିଲେ ।ତାଙ୍କର ବିୟୋଗରେ ଆମ ସମସ୍ତଙ୍କ ପାଇଁ ଏକ ବିରାଟ କ୍ଷତି ବୋଲି ଦଳୀୟ ନେତା ମତ ପ୍ରକାଶ କରିଛନ୍ତି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜୟଶ୍ରୀଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ସେ ତାଙ୍କର ଜଣେ ବଡ଼ ଭାଇଙ୍କୁ ହରାଇଛନ୍ତି ବୋଲି କହିଛନ୍ତି ।

 

ଏଥିସହିତ ପଢ଼ନ୍ତୁ: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, କିଛି ଦିନ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ

ଦ୍ୱିତୀୟ ପ୍ରବାହ ଭଳି ଭୟଙ୍କର ହେବ କରୋନାର ତୃତୀୟ ପ୍ରବାହ,SBI ରିପୋର୍ଟ କଲା ସତର୍କ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହ ଦ୍ୱାରା ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁସୁଡି ପଡିଥିବା ବେଳେ ତୃତୀୟ ପ୍ରବାହର ବିପଦ ଆଗକୁ ଆସୁଛି । ଏସବିଆଇ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁସାରେ କରୋନାର ସମ୍ଭାବିତ ତୃତୀୟ ପ୍ରବାହ ଦ୍ୱିତୀୟ ପ୍ରବାହଠାରୁ ଅଧିକ ବିପଜ୍ଜନକ ହେବ । ରିପୋର୍ଟରେ ତୃତୀୟ ପ୍ରବାହ ୯୮ ଦିନ ଧରି ଲାଗି ରହିବ ବୋଲି ଅନୁମାନ କରାଯାଇଛି ।
ଅନ୍ତର୍ଜାତୀୟ ସ୍ତରରେ ଆସିଥିବା ତୃତୀୟ ପ୍ରବାହ ଧାରାରୁ ଏହି ଅନୁମାନ କରିଛି ଏସବିଆଇ । ରିପୋର୍ଟରେ କୁହାଯାଇଛି ଯେ, ତୃତୀୟ ପ୍ରବାହ ଦ୍ୱିତୀୟ ପ୍ରବାହଠାରୁ ଅଧିକ ଅଲଗା ହେବନାହିଁ । ତେବେ ପୂର୍ବ ପ୍ରସ୍ତୁତି ଯଦି ଠିକ୍ ରୁହେ ତାହେଲେ ମୃତ୍ୟୁ ସଂଖ୍ୟା କମ ହେବ । ରିପୋର୍ଟରେ କୁହାଯାଇଛି ଯେ,ବିଶ୍ୱର ପ୍ରମ୍ମୁଖ ରାଷ୍ଟ୍ରରେ ଆସିଥିବା କରୋନାର ତୃତୀୟ ପ୍ରବାହ ୯୮ ରହିଥିଲା । ଅନ୍ୟପକ୍ଷରେ ଦ୍ୱିତୀୟ ପ୍ରବାହ ୧୦୮ ଦିନ ଧରି ଲାଗି ରହିଥିଲା । ଦ୍ୱିତୀୟ ପ୍ରବାହରୁ ଶିକ୍ଷା ଲାଭ କରିଥିବା ରାଜ୍ୟ ଓ କେନ୍ଦ୍ର ସରକାର ତୃତୀୟ ପ୍ରବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏମିତିରେ ଏହି ଅନୁମାନ ମହତ୍ୱ ରଖେ ।

ଏହି ରିପୋର୍ଟ ଅନୁସାରେ ତୃତୀୟ ପ୍ରବାହରେ ଗମ୍ଭୀର ମାମଲାକୁ ୫ ପ୍ରତିଶତକୁ ଆଣି ମୋଟ ମୃତ୍ୟୁ ସଂଖ୍ୟାକୁ ୪୦ ହଜାର ମଧ୍ୟରେ ସୀମିତ ରଖା ଯାଇପାରେ ।ଯେତେବେଳେ କି ଦ୍ୱିତୀୟ ପ୍ରବାହରେ ଗମ୍ଭୀର ମାମଲା ୨୦ ପ୍ରତିଶତ ଥିଲା । ଯେଉଁଥିରେ ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୭୦ ହଜାର ପ୍ରାଣ ହରାଇଲେଣି । ସୂଚନାଯୋଗ୍ୟ ଯେ, ଭାରତରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଦ୍ୱିତୀୟ ପ୍ରବାହରେ ଦୈନିକ ସଂକ୍ରମଣ ମାମଲା ୪ ଲକ୍ଷ ୧୪ ହଜାରରେ ପହଂଚିଥିଲା । କେବଳ ମେ ’ ମାସରେ କରୋନାର ୯୦ ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହା ମଧ୍ୟ ବିଶ୍ୱରେ ସର୍ବାଧିକ ଥିଲା । ବିଶ୍ୱର କୌଣସି ଦେଶରେ ଆଜି ପର୍ଯ୍ୟନ୍ତ ଗୋଟିଏ ମାସରେ ଏତେ ସଂଖ୍ୟକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନଥିଲା ।ଦ୍ୱିତୀୟ ପ୍ରବାହର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ ଦୈନିକ ଏକ କୋଟି ଟିକା କରଣର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଜାନୁଆରୀରୁ ଟିକାକରଣ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ଜନସଂଖ୍ୟାର ୧୨ ପ୍ରତିଶତଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ଦିଆ ସରିଥିବା ବେଳେ ୩.୨୭ ପ୍ରତିଶତଙ୍କୁ ଦୁଇ ଡୋଜ୍ ଟିକା ମିଳି ସାରିଛି ।

ଏଥିସହିତ ପଢ଼ନ୍ତୁ: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, କିଛି ଦିନ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ

ବାବା ଆଖଣ୍ଡଳମଣି ପୀଠରେ ଦେବ ଦମ୍ପତି ବିବାହ ପାଇଁ ଉଠିଲା ଲଗ୍ନଥାଳି

ଆରଡ଼ି:  ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ଚନ୍ଦନ ପୂର୍ଣ୍ଣିମା ଦିନ ବରପିତା ଓ କନ୍ଯାପିତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଚଳିତବର୍ଷ ବରପିତା ଭାବେ ସେବାୟତ ବାଙ୍କବିହାରୀ ପାଢୀଙ୍କ ପୁତ୍ର ସୌଭାଗ୍ଯ ଲାଭ କରିଥିବା ବେଳେ କନ୍ଯାପିତା ଭାବେ ସେବାୟତ ଚନ୍ଦ୍ରମଣି ପାଢୀଙ୍କ ଜଜମାନ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ଯ ପ୍ରାପ୍ତ ହୋଇଛନ୍ତି। ଆଜି ବୁଧବାର ବିଧିବିଧାନ ଅନୁଯାୟୀ ଲଗ୍ନଥାଳ ଉଠା କାର୍ଯ୍ଯ ସମ୍ପନ୍ନ ହୋଇଛି। ଏଥିପାଇଁ ଆଜି ଦିନତମାମ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ମଧ୍ଯାହ୍ନରେ ବରପିତାଙ୍କ ଘରୁ ଏକ ସୁସଜ୍ଜିତ ଲଗ୍ନଥାଳି କନ୍ଯାଘର ଅଭିମୁଖେ ବାହାରିଥିଲା। କନ୍ଯାଘର ପକ୍ଷରୁ ମନ୍ଦିର କାର୍ଯ୍ଯାଳୟ ପରିସରରେ ସୁସଜ୍ଜିତ ବେଦିରେ ବ୍ରାହ୍ମଣମାନଙ୍କ ଦ୍ବାରା ଲୋକାଚାରରେ ଲଗ୍ନକାର୍ଯ୍ଯ ଅନୁଷ୍ଠିତ ହୋଇଥିଲା। ଜ୍ଯୋତିଷ୍ଯଙ୍କ ଦ୍ବାରା ତାଳପତ୍ର ଓ ଲେଖନୀ ଦ୍ବାରା ଲଗ୍ନ ଚିଟାଉ ଲେଖାଯିବା ପରେ ଉଭୟ ବରକର୍ତ୍ତା ଓ କନ୍ଯାକର୍ତ୍ତାଙ୍କ ଉପସ୍ଥିତିରେ ପଠନ କରାଯାଇଥିଲା , ପରେ କନ୍ଯାପିତା ଚନ୍ଦ୍ରମଣି ପାଢୀ ଲଗ୍ନଥାଳକୁ ବରପିତାଙ୍କ ହସ୍ତକୁ ସମର୍ପିତ କରିଥିଲେ। ଏପରିକି ବିଧିବିଧାନ ଅନୁଯାୟୀ କନ୍ଯାପିତା ବରପକ୍ଷଙ୍କୁ ଯୌତୁକ ମୁତାବକ ୧୦୦୧ଟଙ୍କା ସହ ୪ହଳ ନାଗନାଗୁଣୀ, ୨ହଳ ଷଣ୍ଢ ଦେବା ପାଇଁ ସର୍ବସମତି କ୍ରମେ କହିଥିଲେ। ଚଳିତବର୍ଷ ମହାମାରୀ କରୋନାର ସଂକ୍ରମଣକୁ ଦୃଷ୍ଟିରେ କୋଭିଡ ନିୟମ ଅନୁଯାୟୀ ସମସ୍ତ ମାଙ୍ଗଳିକ ନୀତି ସମ୍ପନ୍ନ ନିମନ୍ତେ ଜିଲାପାଳ ପରାମର୍ଶ ଦେଇଛନ୍ତି। ତାହାସହ ମନ୍ଦିରର ବରିଷ୍ଠ ସେବାୟତ, ମନ୍ଦିର ପରିଚାଳନା କମିଟର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ, ମ୍ଯାନେଜରଙ୍କ ସହ ଭର୍ଚୁଆଲ ମାଧ୍ଯମରେ ଜିଲାପାଳ ଜ୍ଞାନ ଦାସ ଆଲୋଚନା କରିବା ସହ ସମସ୍ତ କାର୍ଯ୍ଯର ସମୀକ୍ଷା କରିଥିଲେ।

ଏଥିସହିତ ପଢ଼ନ୍ତୁ: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, କିଛି ଦିନ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, କିଛି ଦିନ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ବାସୁଦେବପୁର ପୂର୍ବତନ ବିଧାୟକ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି । ସେ ମେ’ ୪ ତାରିଖରେ କରୋନା ସଂକ୍ରମିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ କରୋନା ସଂକ୍ରମଣରୁ ମୁକ୍ତ ହୋଇସାରିଥିଲେ । କିନ୍ତୁ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ବିଶେଷକରି ଫୁସ୍‌ଫୁସ୍ ଓ ରକ୍ତଚାପ ଜନିତ ସମସ୍ୟା ଯୋଗୁଁ ଚିକିତ୍ସାଧୀନ ଥିଲେ । ଆଜି ସକାଳୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିଥିବା ବେଳେ ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁତ୍ର ହେଉଛନ୍ତି ବିଜୟଶ୍ରୀ ରାଉତରାୟ।  ବିଜୟଶ୍ରୀ ୨ ଥର ଜନତା ଦଳ ଟିକେଟରେ ଓ ୪ଥର ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୬ ଥର ବାସୁଦେବପୁର ନିର୍ବାଚନ ମଣ୍ଡଳିର ପ୍ରତିନିଧିତ୍ୱ କରିଥିଲେ । ୧୯୫୩ ମସିହାରେ ଜନ୍ମିତ ବିଜୟଶ୍ରୀ ଭୂଗୋଳରେ ଏମଏ କରିଥିଲେ । ୧୯୮୦ ମସିହାରେ ସେ ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ । ରେଭେନ୍ସା କଲେଜରେ ଅଧ୍ୟାପକ ଥିବା ବିଜୟଶ୍ରୀ ୧୯୮୦ରେ ଚାକିରିରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । ପ୍ରଥମ ଥର ପାଇଁ ୧୯୯୦ରେ ସେ ଭଦ୍ରକର ବାସୁଦେବପୁରରୁ ନିର୍ବାଚନ ମଣ୍ଡଳିରୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ । ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେଡିର ନେତ୍ରୀ ଶ୍ରୀମୟୀ ମିଶ୍ର ଶୋକବ୍ୟକ୍ତ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିଜୟଶ୍ରୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ଶୋକ: ‘ଜନପ୍ରିୟ ନେତା ଓ ଅମାୟିକ ବ୍ୟକ୍ତିତ୍ୱ ଥିଲେ’

ଟିକା କିଣା ନେଇ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ମମତାଙ୍କ ସମର୍ଥନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନ ।  ବିଶ୍ୱବଜାରରୁ ଟିକା କିଣିବା ନେଇ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ନବୀନ କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି ମମତା । ଏଥିସହିିତ ଟିକାକରଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ କ୍ଷମତାର ବିକେନ୍ଦ୍ରୀକରଣ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ମଧ୍ୟ ସମର୍ଥନ କରିଛନ୍ତି ମମତା । ଏ ସମ୍ପର୍କରେ ନବୀନ ତାଙ୍କ ସହ ଫୋନ୍ ଯାେଗେ କଥା ହୋଇଛନ୍ତି ଏବଂ ଏହି ପ୍ରସ୍ତାବକୁ ସେ ସମର୍ଥନ କରିଛନ୍ତି ବୋଲି କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ବିଶ୍ୱବଜାରରୁ ଟିକା କିଣିବା ନେଇ ଉପୁଜୁଥିବା ସମସ୍ୟାର ସମାଧାନ ଲାଗି ସବୁ ରାଜ୍ୟ ମିଳିତ ଭାବେ ଉଦ୍ୟମ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସବୁ ରାଜ୍ୟକୁ ଆହ୍ବାନ ଦେଇଛନ୍ତି । କେନ୍ଦ୍ର ସରକାର ଭ୍ୟାକ୍ସିନ କିଣିବାକୁ ଚାହୁଁଥିବା ରାଜ୍ୟମାନଙ୍କ ପାଇଁ ବିଶ୍ବ ବଜାରରୁ ଟିକା କିଣି ରାଜ୍ୟଗୁଡିକ ମଧ୍ୟରେ ଯଥାଶୀଘ୍ର ବିତରଣ କରନ୍ତୁ । ଏ ପ୍ରସ୍ତାବ ଉପରେ ରାଜ୍ୟମାନେ ସହମତ ହେଲେ ତୃତୀୟ ଲହର ଆସିବା ପୂର୍ବରୁ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରେ ନବୀନ ଦୁଇଟି କଥା ଉପରେ ଗୁରୁତ୍ୱ ଦେଇଛନ୍ତି । ଗୋଟିଏ ହେଲା କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କ  ଯୋଗାଇ ଦିଅନ୍ତୁ। ଦ୍ୱିତୀୟଟି ହେଲା ଟିକାକାରଣ ଯୋଜନାର ବିକେନ୍ଦ୍ରିକରଣ ସାଙ୍ଗକୁ ଟିକାଦାନ ପଦ୍ଧତ୍ତିକୁ ସରଳିକାରଣ କରି ରାଜ୍ୟକୁ ନିଷ୍ପତ୍ତି ନେବା ପାଇଁ ସୁଯୋଗ ଦେବା । ଉଦାହରଣ ସ୍ୱରୂପ ଆଭ୍ୟନ୍ତରୀଣ ଓ ପାର୍ବତ୍ୟ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ଯଥେଷ୍ଟ ଇଣ୍ଟରନେଟ ସୁବିଧା ନଥିବାରୁ ଟିକା ନେବାପାଇଁ ଅନଲାଇନ ପଞ୍ଜୀକରଣ କରିପାରୁନାହାନ୍ତି । ତେଣୁ ସେମାନଙ୍କୁ ଟିକା ପ୍ରଦାନ ପାଇଁ ରାଜ୍ୟ ସରକାର ନିଜସ୍ୱ ନୀତି ଗ୍ରହଣ କରିବାକୁ ଅନୁମତି ପ୍ରଦାନ କରିବା ଆବଶ୍ୟକ । ଏହି ଦୁଇଟି ପ୍ରସ୍ତାବକୁ ଗୁରୁତ୍ୱ ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ ବ୍ୟକ୍ତିଗତ ଭାବେ ଟେଲିଫୋନରେ କଥା ହୋଇଛନ୍ତି । ଏହି ୬ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ ମଧ୍ୟ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ‘ଟିକାକରଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟକୁ ଦିଆଯାଉ କ୍ଷମତା’

ରାଜଧାନୀରୁ ୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ପୁଣି ରାଜଧାନୀରୁ ଜବତ ହେଲା ଧଳାଜହର । ବ୍ରାଉନସୁଗାର କାରବାର ହବ୍ କୁହାଯାଉଥିବା ରାଜଧାନୀର ହଳଦିପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ କରିଛି ପୋଲିସ  । ୫୧ ଗ୍ରାମ ବ୍ରାଉନସୁଗାର ଜବତ ଯାହାର ଆନୁମାନିକ ମୂଲ୍ୟ ରହିଛି ୫ ଲକ୍ଷ ଟଙ୍କା । ୨ ଜଣକୁ ଗିରଫ କଲା ଲଷ୍ମୀସାଗର ଥାନା ପୋଲିସ । ଫୋନ୍ ଯୋଗେ  ଡିଲ ପରେ ବିକ୍ରି କରିବାକୁ ଜଗିଥିଲା ୨ ବେପାରୀ । ଆଉ ଠିକ୍ ସେହି ସମୟରେ ଖବର ପାଇଁ ଚଢ଼ାଉ କରିଥିଲା ପୋଲିସ । ଘଟଣାସ୍ଥଳରୁ ଗୋଟିଏ ମୋଟର ସାଇକେଲ ଓ ୨ ଟି ମୋବାଇଲ ଫୋନ୍ ଜବତ । ଦୁଇ ଅଭିଯୁକ୍ତ ଡମ୍ୱରୁ ଧଳ ବିଶ୍ୱାଳ ଓ ଶେଖ ୟାସୀନ୍‌ଙ୍କୁ କାବୁ କରିଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ଗୋଟିଏ ନୁହେଁ ଦୁଇଟି ପ୍ରାଇଭେଟ୍ ଜେଟ୍ ଓହ୍ଲାଇଥିଲା ଡୋମିନିକାରେ,ମେହୁଲଙ୍କ ଭାଇଙ୍କ ଉପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ

‘ଟିକାକରଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟକୁ ଦିଆଯାଉ କ୍ଷମତା’

ଭୁବନେଶ୍ୱର:ବିଶ୍ୱବଜାରରୁ ଟିକା କିଣିବା ନେଇ ଉପୁଜୁଥିବା ସମସ୍ୟାର ସମାଧାନ ଲାଗି ସବୁ ରାଜ୍ୟ ମିଳିତ ଭାବେ ଉଦ୍ୟମ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସବୁ ରାଜ୍ୟକୁ ଆହ୍ବାନ ଦେଇଛନ୍ତି । କେନ୍ଦ୍ର ସରକାର ଭ୍ୟାକ୍ସିନ କିଣିବାକୁ ଚାହୁଁଥିବା ରାଜ୍ୟମାନଙ୍କ ପାଇଁ ବିଶ୍ବ ବଜାରରୁ ଟିକା କିଣି ରାଜ୍ୟଗୁଡିକ ମଧ୍ୟରେ ଯଥାଶୀଘ୍ର ବିତରଣ କରନ୍ତୁ । ଏ ପ୍ରସ୍ତାବ ଉପରେ ରାଜ୍ୟମାନେ ସହମତ ହେଲେ ତୃତୀୟ ଲହର ଆସିବା ପୂର୍ବରୁ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରେ ନବୀନ ଦୁଇଟି କଥା ଉପରେ ଗୁରୁତ୍ୱ ଦେଇଛନ୍ତି । ଗୋଟିଏ ହେଲା କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କ  ଯୋଗାଇ ଦିଅନ୍ତୁ। ଦ୍ୱିତୀୟଟି ହେଲା ଟିକାକାରଣ ଯୋଜନାର ବିକେନ୍ଦ୍ରିକରଣ ସାଙ୍ଗକୁ ଟିକାଦାନ ପଦ୍ଧତ୍ତିକୁ ସରଳିକାରଣ କରି ରାଜ୍ୟକୁ ନିଷ୍ପତ୍ତି ନେବା ପାଇଁ ସୁଯୋଗ ଦେବା । ଉଦାହରଣ ସ୍ୱରୂପ ଆଭ୍ୟନ୍ତରୀଣ ଓ ପାର୍ବତ୍ୟ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ଯଥେଷ୍ଟ ଇଣ୍ଟରନେଟ ସୁବିଧା ନଥିବାରୁ ଟିକା ନେବାପାଇଁ ଅନଲାଇନ ପଞ୍ଜୀକରଣ କରିପାରୁନାହାନ୍ତି । ତେଣୁ ସେମାନଙ୍କୁ ଟିକା ପ୍ରଦାନ ପାଇଁ ରାଜ୍ୟ ସରକାର ନିଜସ୍ୱ ନୀତି ଗ୍ରହଣ କରିବାକୁ ଅନୁମତି ପ୍ରଦାନ କରିବା ଆବଶ୍ୟକ । ଏହି ଦୁଇଟି ପ୍ରସ୍ତାବକୁ ଗୁରୁତ୍ୱ ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ ବ୍ୟକ୍ତିଗତ ଭାବେ ଟେଲିଫୋନରେ କଥା ହୋଇଛନ୍ତି । ଏହି ୬ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ ମଧ୍ୟ ଅଛନ୍ତି । ସ୍ବାଧୀନତା ଆନ୍ଦୋଳନ ପରେ ସମ୍ଭବତଃ କରୋନା ବିରୁଦ୍ଧରେ ଲଢେଇ ଦେଶବାସୀଙ୍କ ପାଇଁ ଦ୍ଵିତୀୟ ସର୍ବବୃହତ ସଂଘର୍ଷ ଭାବେ ଉଭା ହୋଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜନୈତିକ ଓ ବ୍ୟକ୍ତିଗତ ଦ୍ୱେଷ ବିଦ୍ୱେଷରୁ ଉର୍ଦ୍ଧ୍ୱକୁ ଉଠି ସମବାୟ ସଂଘୀୟ ବ୍ୟବସ୍ଥା ଆଧାରରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଆଗେଇଆସିବା ଉଚିତ । ସୂଚନାଯୋଗ୍ୟ ଯେ, ଟୀକାକରଣ ବାବଦରେ କେନ୍ଦ୍ର ସରକାରଙ୍କ ତୃତୀୟ ନୀତି ଅର୍ଥାତ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟୀକାକରଣ କରିବା ଘୋଷଣା ପରେ ଟିକାର ଆବଶ୍ୟକତା ବଢିଛି । ଫଳରେ ଟିକାର ଚାହିଦା ମେଣ୍ଟାଇବା ପାଇଁ ବିଭିନ୍ନ ରାଜ୍ୟ ସରକାର ବିଶ୍ବ ବଜାରରୁ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲେ । ତେବେ ଟିକା ପ୍ରସ୍ତୁତ କରୁଥିବା ଆନ୍ତର୍ଜାତିକ ସଂସ୍ଥାମାନେ ରାଜ୍ୟ ସରକାରଙ୍କ ସହିତ ଟିକା କାରବାର ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଓ ପ୍ରତିଶ୍ରୁତି ବା ଗ୍ୟାରେଣ୍ଟି ଆବଶ୍ୟକ କରୁଛନ୍ତି। ଆନ୍ତର୍ଜାତିକ ସଂସ୍ଥାମାନେ ସିଧାସଳଖ ରାଜ୍ୟ ସରକାରମାନଙ୍କ ସହ ଟିକା କାରବାର କରିବାକୁ ଚାହିଁ ନାହାନ୍ତି । ଅପରପକ୍ଷରେ ଦେଶ ଭିତରେ ଥିବା ଟିକା ପ୍ରସ୍ତୁତକରି ସଂସ୍ଥାମାନେ ଆବଶ୍ୟକ ପରିମାଣର ଟିକା ଯୋଗାଇବା ପାଇଁ ଅସମର୍ଥ ହେଉଛନ୍ତି । ତେଣୁ ଏଭଳି ଦୁଇଟି ରାସ୍ତାରେ ଟିକା ସମସ୍ୟାର ସମାଧାନ କରାଯାଇପାରିବ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, କରୋନାରୁ ରକ୍ଷା ପାଇବାର ଏକ ମାତ୍ର ରାସ୍ତା ହେଉଛି ଟିକାକରଣ । ଯେଉଁ ଦେଶଗୁଡିକ ଟିକାକରଣଙ୍କୁ ଗୁରୁତ୍ୱ ଦେଉଛନ୍ତି ସେହି ଦେଶରେ କରୋନା ସ୍ଥିତିରେ ସୁଧାର ଆସିଛି । ତେଣୁ ରାଜ୍ୟ ସରକାରମାନେ ଟୀକାକରଣକୁ ନେଇ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିବା ଅପେକ୍ଷା ଯଥାଶୀଘ୍ର କିଭଳି ସମସ୍ତଙ୍କୁ ଟିକା ମିଳିବ ସେ ଦିଗରେ ଉଦ୍ୟମ କରିବା ଆବଶ୍ୟକ ରହିଛି । ସେଥିପାଇଁ ଓଡିଶା ମଧ୍ୟ ବିଶ୍ଵାବଜାରରୁ ଟିକା କିଣିବା ଲାଗି ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲା । ସେଥିରେ ବିଶେଷ ସଫଳତା ନମିଳିବାରୁ ରାଜ୍ୟ ପାଇଁ। କେନ୍ଦ୍ର ବିଶ୍ଵବଜାରୁ ଟିକା ରାଜ୍ୟକୁ ଯୋଗାଇଦେବା ପାଇଁ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଧନଙ୍କୁ ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀ ଆଜି ଏସଂକ୍ରାନ୍ତରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କଲାବେଳେ ସମସ୍ତେ ସମାନ ଭାବରେ ଟିକା ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କରିଥିବା ଜଣାପଡ଼ିଛି । ନବୀନଙ୍କ ଚିଠି ସହିତ ଅନ୍ୟ ରାଜ୍ୟମାନେ ସହମତ ହେଲେ କେନ୍ଦ୍ର ସରକାରଙ୍କ ଉପରେ ଏକ ବଡ ଚାପି ସ୍ତୁଷ୍ଟି ହେବ ଏବଂ କେନ୍ଦ୍ର ସରକାର ଟିକା ବାବଦରେ ନବୀନଙ୍କ ପ୍ରସ୍ତାବକୁ ଗ୍ରହଣ କରିପାରନ୍ତି। ବୋଲି ଆଶା କରାଯାଉଛି । ସମଗ୍ର ଦେଶ ପାଇଁ ଟିକା ବ୍ୟବସ୍ଥା କ୍ଷେତ୍ରରେ ନବୀନଙ୍କ ଏହି ପଦକ୍ଷେପ ପୁଣି ନବୀନଙ୍କୁ ରାଷ୍ଟ୍ରନାୟକତ୍ୱକୁ ପ୍ରମାଣିତ କରିଛି ।

ଏଥିସହିତ ପଢ଼ନ୍ତୁ: ଟିକା ଅଭାବ ଦୂର କରିବାକୁ ଓଡ଼ିଶାର ପ୍ରସ୍ତାବ: ବିଦେଶରୁ ଟିକା କିଣିଦେଲେ ରାଜ୍ୟ ସରକାର ଦେବେ ଟଙ୍କା