spot_img
Home Blog Page 5581

ଆମେରିକାର ନ୍ୟୁୟର୍କ ସିଟି ଅପେକ୍ଷା ମାୟାନଗରୀରେ ପେଟ୍ରୋଲ ଦର ଦୁଇଗୁଣା

ଭୁବନେଶ୍ୱର: ମାୟାନଗରୀରେ ମହଙ୍ଗା ପେଟ୍ରୋଲ । ମୁମ୍ବାଇ ତୁଳନାରେ ଆମେରିକାର ନ୍ୟୁୟର୍କ ସିଟିରେ ଶସ୍ତା ରହିଛି ପେଟ୍ରୋଲ ଦାମ୍। ନ୍ୟୁୟର୍କରେ ପେଟ୍ରୋଲ ଲିଟର ପିଛା ୦.୭୯ ଡଲାର ଅର୍ଥାତ୍ ୫୭ଟଙ୍କା ୫୮ ପଇସା ରହିଥିବା ବେଳେ ମୁମ୍ବାଇରେ ଶହେ ଉପରେ ରହିଛି ଦର । କରୋନା ମହାମାରୀ ସାଙ୍ଗକୁ ତୈଳ ଦରର ମହଙ୍ଗା ମାଡ଼ରେ ଆଣ୍ଠେଇ ପଡ଼ିଛି ଦେଶର ଅର୍ଥନୈତିକ ରାଜଧାନୀ । ଦେଶର ଅନ୍ୟ ସହର ତୁଳନାରେ ମୁମ୍ବାଇରେ ପେଟ୍ରୋଲ ଦର ସବୁଠୁ ଅଧିକ । ମେ ୪ ତାରିଖରୁ ଲଗାତାର ପେଟ୍ରୋଲ, ଡିଜେଲ ଦର ବଢୁଥିବା ବେଳେ ମୁମ୍ବାଇରେ ମେ ୨୯ ତାରିଖରୁ ଶହେ ଟଙ୍କା ଟପିଛି ପେଟ୍ରୋଲ ଦାମ୍ । ଆଜି ୨୫ ପଇସା ବୃଦ୍ଧି ଘଟି ପେଟ୍ରୋଲ ଦାମ୍ ୧୦୦ଟଙ୍କା ୭୨ ପଇସା ରହିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମୁମ୍ବାଇ ତୁଳନାରେ ଆମେରିକାରେ ପେଟ୍ରୋଲ ଦାମ୍ଶସ୍ତା ବୋଲି ରିପୋର୍ଟ ଦେଇଛି ବ୍ଲୁମବର୍ଗ  ।

ମୁମ୍ବାଇରେ ଚଳିତବର୍ଷ ପେଟ୍ରୋଲ ଦାମ୍ ପାଖାପାଖି ୧୧ ପ୍ରତିଶତ ବଢ଼ିଛି । କେନ୍ଦ୍ର ସରକାର ବିକ୍ରି କର ଲଗାତାର ବୃଦ୍ଧି କରୁଥିବାରୁ ଏହାର ସିଧା ପ୍ରଭାବ ପଡୁଛି ଗ୍ରାହକଙ୍କ ପକେଟରେ । ୨୦୧୩ ପରେ କେନ୍ଦ୍ର ସରକାର ତୈଳ ଦରରେ ୬ଗୁଣା ଟିକସ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଉପରେ ପାଖାପାଖି ୬୦ ପ୍ରତିଶତ ଟିକସ ଆଦାୟ କରୁଛନ୍ତି । ଯାହାଫଳରେ ଲଗାତାର ପେଟ୍ରୋଲ, ଡିଜେଲ ଦର ବଢ଼ିବାରେ ଲାଗିଛି।

ବିଏମସି ଡେଥ୍ ସାର୍ଟିଫିକେଟ ଅଫିସରେ ଦଲାଲଙ୍କ ରାଜୁତି

ଭୁବନେଶ୍ୱର: ବିଏମସି ଡେଥ୍ ସାର୍ଟିଫିକେଟ ଅଫିସରେ ଦଲାଲଙ୍କ ରାଜୁତି । ଜଣେ ସୁଇପରଙ୍କ ନାମରେ ଆସିଛି ଗୁରୁତର ଅଭିଯୋଗ । କୋଭିଡରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଡେଥ୍ ସାର୍ଟିଫିକେଟ ପାଇବା ପାଇଁ ଦଲାଲମାନେ ତାଙ୍କ ଆତ୍ମୀୟଙ୍କ ଠାରୁ ପଇସା ହଡପ କରି ସାର୍ଟିଫିକେଟ କରିଦେବେ କହି ଠକୁଥିବାର ଅଭିଯୋଗ ହୋଇଛି ।

ଏଭଳି ଅଭିଯୋଗ କରିଛନ୍ତି ଶିବ ସୁନ୍ଦର ସାହୁ ନାମକ ଜଣେ ସମାଜସେବୀ । ଅଫିସ ବାହାରେ କିଛି ଦଲାଲ ଷ୍ଟାଫ କହି ସାର୍ଟିଫିକେଟ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ତେବେ ସେମାନେ ଷ୍ଟାଫ୍ ନୁହନ୍ତି ବୋଲି ସେ ଜାଣିବାକୁ ପାଇଥିଲେ । ହେଲେ ସେମାନେ ଲୋକଙ୍କ ନିକଟରୁ ଟଙ୍କା ନେଉଥିବା ଦେଖିବାକୁ ମିଳିଥିଲା । ଟଙ୍କା ନେଉଥିବା ଲୋକ ଜଣକ ବିଏମସିରେ ସୁଇପର ଥିବା ସେ କହିଛନ୍ତି । ତେବେ ଏନେଇ ସଫେଇ ଦେଇଛନ୍ତି ବିଏମସିର କାର୍ଯ୍ୟରତ ସୁଇପର । ସେ ଜଣେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆସିଥିଲେ । କିନ୍ତୁ ଟଙ୍କା ନେଇ ନଥିବା ସଫେଇ ଦେଇଛନ୍ତି । ଏହି ଅଭିଯୋଗ ପରେ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି ଲୋକେ ।

ବାପାମାଆଙ୍କ ନିଶ୍ୱାର୍ଥ ପ୍ରେମ: ପୁଅର ଔଷଧ ପାଇଁ ୩୦୦ କିଲୋମିଟର…

ବାଙ୍ଗାଲୋର: ଗତବର୍ଷର ଲକଡାଉନ ସମୟର ସେହି କରୋନା ଚିତ୍ର ସତରେ ଭୁଲିବା ଅସମ୍ଭବ । ଲକଡାଉନ ସମୟରେ ପ୍ରବାସୀଙ୍କ ଦୁଃଖର କାହାଣୀ ସମସ୍ତଙ୍କୁ ମର୍ମାହତ କରିଥିଲା । ଘରକୁ ଫେରୁଥିବା ସେହି ପ୍ରବାସୀଙ୍କ କାହାଣୀ ଲୋକଙ୍କ ଆଖି ଓଦା କରିଦେଇଥିଲା ।  ଯଦିଓ ଚଳିତ ବର୍ଷ ଲକଡାଉନ ପାଇଁ ଏତେଟା କିଛି ପ୍ରଭାବ ପଡ଼ିନାହିଁ ।  ତଥାପି ଚଳିତ ବର୍ଷ ଲକଡାଉନରେ ଏମିତି ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି । ଯେଉଁଠି ଲକଡାଉନ ସମୟରେ ଜଣେ ବାପା ତାର ରୋଗାଗ୍ରସ୍ତ ପୁଅର ଔଷଧ ପାଇଁ ୩୦୦ କିଲୋମିଟର ସାଇକେଲରେ ଯାଇଛନ୍ତି ।

ଘଟଣାଟି ହେଉଛି କର୍ଣ୍ଣାଟକର ଏକ ଗାଁର । ଗାଁର ୪୫ ବର୍ଷିୟ ଆନନ୍ଦ ବୃତ୍ତିରେ ଜଣେ ଶ୍ରମିକ। ତାଙ୍କ ପୁଅ ଅସୁସ୍ଥ ହୋଇଥିବା ବେଳେ ତାର ଚିକିତ୍ସା ବାଙ୍ଗାଲୋରର ନିମହନ୍ସ ହସ୍ପିଟାଲରେ ଚାଲିଛି । ସେଠାରେ ପିଲାଟିର ଚିକିତ୍ସା କରୁଥିବା ଡାକ୍ତମାନେ କହିଛନ୍ତି ଯେ, ତାଙ୍କ ପୁଅକୁ ୧୮ ବର୍ଷ ପର୍ଯ୍ୟନ୍ତ ଏକ ଔଷଧ ଖାଇବାକୁ ପଡ଼ିବ । ଏହା ପରେ ସେ ସୁସ୍ଥ ହେବାର ସମ୍ଭାବନା ରହିଛି । ତେଣୁ ପିଲାଟିର ବାପାଙ୍କ ପାଖରେ ଗାଡ଼ି ଭଡ଼ା କରିବାକୁ ଟଙ୍କା ନଥିବାରୁ ସେ ଔଷଧ ଆଣିବାକୁ ସାଇକେଲ ଯୋଗେ ବାଙ୍ଗାଲୋର ଯାଇଥିଲେ । ସତରେ ତାଙ୍କ ପାଇଁ ଏହି ଯାତ୍ରା ସହଜ ନଥିଲା । ଜଣେ ଦିନ ମଜୁରୀଆ ଖଟିଲେ ସେ ଦୁଇ ଓଳି ଦୁଇମୁଠା ଖାଇବ ଏଭଳି ପରିସ୍ଥିତିରେ ଗାଡ଼ି ଭଡ଼ା କରି ଯିବା ତା ପାଇଁ ବହୁ କଷ୍ଟସାଧ୍ୟ ଥିଲା ।

ଖାଇବାକୁ ପାଖରେ ଟଙ୍କା ନଥାଉ ପଛେ କିନ୍ତୁ ପୁଅର ଚିକିତ୍ସାରେ ସେ କୌଣସି ଅବହେଳା କରନ୍ତି ନାହିଁ । ଏ ହେଉଛି ବାପାମାଆଙ୍କ ସେହି ନିଶ୍ୱାର୍ଥ ପ୍ରେମ । ଯାହାକୁ ଆଜିକା ପିଢି ଭୁଲି ବସିଛି । ତେବେ ପୁଅ କୁ ନେଇ ଆନନ୍ଦ କୁହନ୍ତି ଯେ, ତାଙ୍କ ପୁଅ ୬ବର୍ଷ ବୟସରୁ ଏହି ରୋଗ ସହ ସଂଘର୍ଷ କରିଆସୁଛି । ଆମେ ତାକୁ ଔଷଧ ଦେବାରେ କେବେ ହେଲେ ଅବହେଳା କରିନାହୁଁ । ତେବେ ବାଙ୍ଗାଲୋରର ନିମହନ୍ସ ହସ୍ପିଟାଲରୁ ଏହି ଔଷଧ ମାଗଣାରେ ଉପଲବ୍ଧ ହୋଇଥାଏ । ତେଣୁ ପ୍ରତି ଦୁଇ ମାସରେ ସେ ପୁଅର ଔଷଧ ପାଇଁ ବାଙ୍ଗାଲୋର ଯାଇଥାନ୍ତି । କିନ୍ତୁ ଏଥର ଅଚାନକ ଲକଡାଉନ ହୋଇଥିବାରୁ ବାଙ୍ଗାଲୋରୁ ଔଷଧ ଆଣିବା ସମ୍ଭବ ନଥିଲା ।

ପୁଅର ଔଷଧ ସରିଯାଇଥିବାରୁ ସେ ରବିବାର ଦିନ ସକାଳୁ ଆନନ୍ଦ ଔଷଧ ଆଣିବାକୁ ବାହାରିଥିଲେ । ଏବଂ ରାତିରେ ସେଠାରେ ପହଞ୍ଚିଥିଲେ । ରାତିରେ ଏକ ମନ୍ଦିର ନିକଟରେ ସେ ରାତି ବିତାଇବା ଥିଲେ । ଏବଂ ସେ ପର ଦିନ ଔଷଧ ଆଣି ମଙ୍ଗଳବାର ଦିନ ଘରକୁ ଫେରିଥିଲେ। ତେବେ କେବଳ ଜଣେ ପିତା ନିଜ ପିଲାମାନଙ୍କ ପାଇଁ ଏପରି କଠିନ କାର୍ଯ୍ୟ କରିପାରିବ ।

କରୋନା କାଳରେ ୧୦ ବର୍ଷ ତଳକୁ ଗଲା ଅର୍ଥନୀତି: ୧୧ ଲକ୍ଷ ଚାକିରି ଗୋଲ୍‌, ୨୩ କୋଟି ଲୋକ ପୁଣି ହେଲେ ଗରିବ

ନୂଆଦିଲ୍ଲୀ: କରୋନା କାଳରେ ବଢ଼ିଲା ଦାରିଦ୍ର୍ୟ । ମାଇନସ୍‌ ୭.୬ ପ୍ରତିଶତକୁ ଅଭିବୃଦ୍ଧି ହାର ହ୍ରାସ । କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଅର୍ଥନୀତିକୁ ଦାୟୀ କଲା କଂଗ୍ରେସ । ବେକାରୀ ବଢ଼ିବା ଆଶଙ୍କା କଲା ବିଜେଡି । କରୋନା କାଳରେ ୧୦ ବର୍ଷ ତଳକୁ ଖସିଛି ଅର୍ଥନୀତି । ତେବେ କରୋନାକୁ ବାହାନା କରିବା କଥାକୁ କଟାକ୍ଷ କରିଛି କଂଗ୍ରେସ। ଦଳ କହିଛି, ବିମୁଦ୍ରୀକରଣ ଯୋଗୁ ୪ ବର୍ଷ ତଳୁ ଅର୍ଥନୀତି ନିମ୍ନଗାମୀ ହୋଇଚାଲିଛି । ୨୦୧୯-୨୦୨୦ରେ ମହାମାରୀ ନଥିଲା। ସେ ସମୟରେ ଅଭିବୃଦ୍ଧି ହାର ଥିଲା ୪ ପ୍ରତିଶତ । ୨୦୧୪ରେ ଆର୍ଥିକ ସ୍ଥିତି ଖରାପ ହେବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଚେଷ୍ଟା ଯୋଗୁ ୨୦୧୪-୧୫ରେ ଅଭିବୃଦ୍ଧି ହାର ୪ଦଶମିକ ୧ ପ୍ରତିଶତ ଥିଲା। ଯଦି କରୋନା ପାଇଁ ଆର୍ଥିକ ସ୍ଥିତି ବିଗିଡ଼ିଥାନ୍ତା, ତେବେ ୧ଲକ୍ଷ ୩୧ ହଜାର କୋଟି ଟଙ୍କା ଜିଏସ୍‌ଟି କେମିତି ଏପ୍ରିଲରେ ସଂଗ୍ରହ ହେଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ୧୧ ଲକ୍ଷ ଲୋକ ଚାକିରି ହରାଇଲେଣି। ୨୩ କୋଟି ଲୋକ ପୁଣି ଗରିବୀ ସୀମାରେଖା ତଳକୁ ଗଲେଣି। ଏଭଳି ସ୍ଥିତିରେ ଗରିବ ଆହୁରି ଗରିବ ହେବେ ବୋଲି ଆକଳନ କରିଛି ବିଜେଡି । ଅନ୍ୟପଟେ କରୋନା ଯୋଗୁ ଉତ୍ପାଦନ ଓ ବ୍ୟବହାର କମିଥିବାରୁ ଅଭିବୃଦ୍ଧି ହାର କମିଥିବା ଅନୁମାନ କରିଛି ବିଜେପି । ଭାରତୀୟ ଅର୍ଥନୀତି ପ୍ରଗତିଶୀଳ ହୋଇଥିବାରୁ ଧୀରେ ଧୀରେ ଅଭିବୃଦ୍ଧି ହାର ବଢ଼ିବ ବୋଲି ବିଜେପି ହିସାବ କରିଛି ।

ତେବେ ଜୁନ ଶେଷ ଯାଏ ମାଗଣା ରାସନ ବଣ୍ଟନ, ମନରେଗାରେ ଦିନ ଓ ବଜେଟ ବୃଦ୍ଧି ସହ କେନ୍ଦ୍ର ସରକାର ରୋଜଗାର ନିୟମ ଲାଗୁ କରିବାକୁ ବିଶେଷଜ୍ଞ ମତ ଦେଇଛନ୍ତି । ନୂଆ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକ ପାଇଁ ରିଜର୍ଭ ବ୍ୟାଙ୍କ ମଧ୍ୟ ନୂଆ ଗାଇଡ୍‌ଲାଇନ୍‌ ଆଣିବା ଆବଶ୍ୟକ। ଗତବର୍ଷ ପରି ରାଜ୍ୟ ସରକାର ମହାମାରୀ ପ୍ୟାକେଜ ଆଣିଲେ ରାଜ୍ୟ ଅର୍ଥନୀତି ସୁଧୁରିବ ବୋଲି ବିଶେଷଜ୍ଞ କହିଛନ୍ତି।

ଅର୍ଥନୀତିର ବିକାଶ ଉପରେ ଆଗାମୀ ପିଢ଼ିର ଜୀବନଜୀବିକା ନିର୍ଭର କରୁଛି। କରୋନା ଯୋଗୁ ଶିକ୍ଷା ପ୍ରଭାବିତ ହୋଇଥିବାରୁ ଦକ୍ଷତାଭିତ୍ତିକ ଜୀବିକା ନିର୍ବାହ କରିବାକୁ ପଡ଼ିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ଗୁରୁତ୍ୱ ବହନ କରୁଛି।

ଜୁନ୍ ୩ରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରଜ ପରେ ଓଡ଼ିଶାରେ ୧୦୬ ପ୍ରତିଶତରୁ ଅଧିକ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ସ୍ବାଭାବିକ କିମ୍ବା ଅଧିକ ବର୍ଷା ହେବ । କେନ୍ଦ୍ରୀୟ ଭାରତ ତଥା ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୩ ତାରିଖରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ହେଲେ ରଜ ପରେ ଓଡ଼ିଶାରେ ପ୍ରବେଶ କରିବ । ସେପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଜୁନ ୧ରୁ ସେପ୍ଟେମ୍ବର ୩୦ ଭିତରେ ୧୦୧ ପ୍ରତିଶତ ବର୍ଷିବ । ଓଡ଼ିଶାରେ ୧୦୬ ପ୍ରତିଶତରୁ ଅଧିକ ବର୍ଷା ସମ୍ଭାବନା । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଓଡିଶାରେ ବର୍ଷିବ ୧୧୫୦ ମିଲିମିଟର । ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଏପଟେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । କାଲି ସକାଳ ସାଢ଼େ ୮ଟା ମଧ୍ୟରେ କାଳବୈଶାଖୀ ବର୍ଷା ପାଇଁ ୨୦ଟି ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ ।

ତେବେ ଦିନକ ପରେ କେରଳ ଛୁଇଁବ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଛୁଇଁବାରେ ଦିନେ ଦୁଇଦିନ ବିଳମ୍ବ ହୋଇଥିବାରୁ ଓଡିଶାରେ ମଧ୍ୟ ସେହି ଅନୁସାରେ ବିଳମ୍ବରେ ପହଞ୍ଚିବ ।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବାତିଲ୍ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ବାତିଲ୍ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ନିଆଗଲା ନିଷ୍ପତ୍ତି । ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ସିବିଏସଇର ଅଧ୍ୟକ୍ଷଙ୍କ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ପ୍ରକାଶ ଜାବଡେକର ପ୍ରମୁଖ ଉପସ୍ଥିତ ଥିଲେ । ସେପଟେ ଅନେକ ରାଜ୍ୟ ପରୀକ୍ଷା ବାତିଲ୍ କରିବା ସପକ୍ଷରେ ଥିବାବେଳେ ଅନେକ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଟିକା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହି ସମୀକ୍ଷା ବୈଠକରେ ମୋଦୀ କହିଛନ୍ତି ଯେ ଦେଶ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟର ନିରାପତ୍ତାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ଓ ଏହାକୁ ନେଇ କୌଣସି ସାଲିସ କରାଯ଼ିବ ନାହିଁ । ପିଲାମାନଙ୍କ ସ୍ବାର୍ଥରେ ହିଁ ଏହି ନିଷ୍ପତ୍ତି ନିଆଯ଼ାଇଛି । କରୋନା ମହାମାରୀ ପରି ଏକ ଚାପଯ଼ୁକ୍ତ ପରିବେଶରେ ପରୀକ୍ଷା ଦେବାକୁ ପିଲାମାନଙ୍କୁ ବାଧ୍ୟ କରାଯ଼ିବା ଉଚିତ ନୁହେଁ ।

ଆଜିର ସମୀକ୍ଷା ବୈଠକରେ ଗୃହ, ପ୍ରତିରକ୍ଷା, ଅର୍ଥ, ସୂଚନା ଓ ପ୍ରସାରଣ, ପେଟ୍ରୋଲିୟମ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯ଼ୋଗ ଦେଇଥିଲେ । ସେହିପରି କ୍ୟାବିନେଟ ସଚିବ, ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗର ସଚିବମାନେ ମଧ୍ୟ ଯ଼ୋଗ ଦେଇଥିଲେ ।

‘ମହିଳା ଓ ଶିଶୁ ବିକାଶ’ ବିଭାଗ ଭାବେ ନାମିତ ହେଲା ‘ମିଶନ ଶକ୍ତି’ ବିଭାଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ଓ ଶିଶୁ ବିକାଶ ବିଭାଗରୁ ପୃଥକ ହୋଇ ଆଜିଠାରୁ ଏକ ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରିବ ‘ମିଶନ ଶକ୍ତି’ ବିଭାଗ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏ ସଂପର୍କିତ ବିଜ୍ଞପ୍ତି ଆଜି ପ୍ରକାଶିତ ହୋଇଛି ଏବଂ
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗକୁ ‘ମହିଳା ଓ ଶିଶୁ ବିକାଶ’ ବିଭାଗ ଭାବେ ନାମିତ କରାଯାଇଛି । ନୂତନ ଭାବେ ଗଠନ କରାଯାଇଥିବା ମିଶନ ଶକ୍ତି ବିଭାଗ ଲୋକସେବା ଭବନରେ କାର୍ଯ୍ୟ କରିବ ଏବଂ ଏହାର ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟାଳୟଗୁଡ଼ିକ ପୂର୍ବପରି ମିଶନ ଶକ୍ତି ଭବନ, ପୋଖରୀପୁଟ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ପରିସରରେ ଓଡ଼ିଶା ଜୀବିକା ମିଶନ କୋଠାରେ କାର୍ଯ୍ୟ କରିବ ।

ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ମିଶନ ଶକ୍ତି ଭବନର ପ୍ରଶାସନିକ ନିୟନ୍ତ୍ରଣ ଓ ପରିଚାଳନା ଦାୟିତ୍ୱ ମିଶନ ଶକ୍ତି ବିଭାଗରେ ନ୍ୟସ୍ତ ରହିବ । ବିଜ୍ଞପ୍ତି ପ୍ରକାଶ ପାଇବାଠାରୁ ମିଶନ ଶକ୍ତି ନିର୍ଦ୍ଦେଶାଳୟ, ଓଡ଼ିଶା ଜୀବିକା ମିଶନ ଓ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅନ୍ତର୍ଭୁକ୍ତ ରାଜ୍ୟ, ଜିଲ୍ଲା, ବ୍ଲକ୍‌, ଗ୍ରାମପଞ୍ଚାୟତ ଏବଂ ଗାଁ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ସମସ୍ତ କାର୍ଯ୍ୟକ୍ରମ ଓ ଭିତ୍ତିଭୂମି, ଆସବାବପତ୍ର ଇତ୍ୟାଦି ନୂତନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଓ ପରିଚାଳନାରେ ରହିବ ।

ମିଶନ ଶକ୍ତି କାର୍ଯ୍ୟକ୍ରମ, ଦୀନଦୟାଲ ଅନ୍ତୋଦୟ ଯୋଜନା ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟକ୍ରମ ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଜାତୀୟ ଗ୍ରାମୀଣ ଅର୍ଥନୈତିକ ପରିବର୍ତ୍ତନ ପ୍ରକଳ୍ପ ଏବଂ ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ କାର୍ଯ୍ୟକାରୀ ହେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ
କାର୍ଯ୍ୟକ୍ରମ ଏହି ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପରିବର୍ତ୍ତେ ମିଶନ ଶକ୍ତି ବିଭାଗ ଦ୍ୱାରା ଉପରୋକ୍ତ କାର୍ଯ୍ୟକ୍ରମଗୁଡ଼ିକ ସଂପାଦିତ ହେବ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏହି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବେ ଏବଂ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଶନର ତଥା ନିର୍ଦ୍ଦେଶକ, ମିଶନ ଶକ୍ତି ଶ୍ରୀମତୀ ସୁଜାତା ଆର୍‌. କାର୍ତ୍ତିକେୟନ୍‌ ଏହି ନୂତନ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅବସ୍ଥାପିତ ହେବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ବିଭାଗ ପାଇଁ ଆବଶ୍ୟକ କର୍ମଚାରୀଙ୍କ ନିମନ୍ତେ ସରକାରଙ୍କ ତରଫରୁ ବିହିତ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ ସଂପର୍କିତ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା
କର୍ମଚାରୀମାନେ ନୂତନ ବିଭାଗରେ ଅବସ୍ଥାପିତ ହୋଇ କାର୍ଯ୍ୟ କରିବେ । ୨୦୨୨-୨୩ ବର୍ଷରୁ ଏହି ବିଭାଗ ପାଇଁ ରାଜ୍ୟ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟୟବରାଦ କରାଯିବ, ଏବଂ ଚଳିତ ବର୍ଷ ପାଇଁ ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ମିଶନ ଶକ୍ତି ପାଇଁ ଅନୁମୋଦନ ହୋଇଥିବା ବଜେଟ୍‌ରୁ ଯୋଜନା ତଥା କର୍ମଚାରୀମାନଙ୍କ ଦରମା ଆଦି ପାଇଁ ଖର୍ଚ୍ଚ କରାଯିବ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଏ ସଂପର୍କିତ ବିଜ୍ଞପ୍ତି ଜାରି କରାଯାଇଛି ଏବଂ ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଁ ଅନୁରୋଧ କରାଯାଇଛି ।

ପ୍ରକାଶ ଥାଉ କି, ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ପ୍ରକ୍ରିୟାକୁ ବ୍ୟାପକ କରିବା ନିମନ୍ତେ ରାଜ୍ୟରେ ଥିବା ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଗୋଟିଏ ବିଭାଗ ଅଧୀନକୁ ଆଣି ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ଷମ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ
କରିଥିଲେ ଏବଂ ତଦନୁଯାୟୀ କ୍ୟାବିନେଟ୍‌ ଅନୁମୋଦନ କରାଯାଇଥିଲା । ରାଜ୍ୟ ସରକାରଙ୍କ ୫-‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ଓ ତକ୍ସଊରତା ହେତୁ ଆଜି ଏହି ସ୍ୱପ୍ନ ସାକାର ରୂପ ନେଇଛି ଏବଂ ଏହା ଦ୍ୱାରା ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଆଭିମୁଖ୍ୟ ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଏ ।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ: କୋଭିଡରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଓ ପିଲାଙ୍କୁ ମଧୁବାବୁ ପେନସନ ଯୋଜନାରେ ସହାୟତା

ଭୁବନେଶ୍ୱର: କରୋନା ସଂକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ନିର୍ଦ୍ଦେଶ । କୋଭିଡରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଓ ପିଲାଙ୍କୁ ୧୫ ଦିନ ମଧ୍ୟରେ ଚିହ୍ନଟ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧୁବାବୁ ପେନସନ ଯୋଜନାରେ ସହାୟତା, ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତୃତୀୟ ଲହର ପୂର୍ବରୁ ଶିଶୁଙ୍କ ସୁରକ୍ଷାକୁ ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ବ୍ଲାକ ଫଙ୍ଗସ୍ ପାଇଁ ଆଗୁଆ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛି ମୁଖ୍ୟମନ୍ତ୍ରୀ । କୋଭିଡ ସ୍ଥିତିର ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତୃତୀୟ ଲହରରେ ଶିଶୁଙ୍କୁ ଫୋକସ୍ କରିବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ସପ୍ତାହ ସୁଦ୍ଧା କୋଭିଡ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁତ୍ବପୂର୍ଣ୍ଣ କଥା ହେଲା ମେଡିକାଲରେ ଅକ୍ସିଜେନ ବ୍ୟବହାର ମଧ୍ୟ ହ୍ରାସ ପାଉଛି ।

କରୋନା ସାଙ୍ଗକୁ ଖାଉଟିଙ୍କୁ ତେଲ ଚଡ଼କ, ୨ ଶହ ଟପିଲା ସୋରିଷ ତେଲର ବଜାର ମୂଲ୍ୟ

ଭୁବନେଶ୍ୱର: ରୋଷେଇ ଘରେ ମହଙ୍ଗା ମାଡ଼ । ଗ୍ୟାସ ଦରବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକୁଥିବା ମଧ୍ୟବିତ୍ତ ପରିବାର ଉପରେ ଖାଇବା ତେଲ ଦର ବିଶେଷ ପ୍ରଭାବ ପକାଇଛି । କେନ୍ଦ୍ର ସରକାରଙ୍କ ଅତ୍ୟଧିକ ଟିକସ ଯୋଗୁଁ ଦର ଏବେ ୨ ଶହ ଟପିଛି । ରୋଷେଇ ଘରେ ମହଙ୍ଗା ମାଡ଼ । ଗ୍ୟାସ ଦରବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକୁଥିବା ମଧ୍ୟବିତ୍ତ ପରିବାର ଉପରେ ଖାଇବା ତେଲ ଦର ବିଶେଷ ପ୍ରଭାବ ପକାଇଛି । କେନ୍ଦ୍ର ସରକାରଙ୍କ ଅତ୍ୟଧିକ ଟିକସ ଯୋଗୁଁ ଦର ଏବେ ୨ ଶହ ଟପିଛି ।

ପୂର୍ବବର୍ଷ ମାନଙ୍କ ଅପେକ୍ଷା ସୋରିଷର ଉତ୍ପାଦନ ଆମ ଦେଶରେ ବଢିଛି । ଅନ୍ୟପଟେ କରୋନା ମୁକାବିଲା ପାଇଁ ବର୍ଦ୍ଧିତ ଟଙ୍କାକୁ ବ୍ୟବହାର କରାଯାଉଥିବା କହିଛି କେନ୍ଦ୍ର । କିନ୍ତୁ ଏହାକୁ ସହଜରେ ହଜମ କରି ପାରିନାହାନ୍ତି ପୂର୍ବତନ ଅର୍ଥମନ୍ତ୍ରୀ । ସାଧାରଣ ଲୋକଙ୍କ ଝାଳବୁହା ଟଙ୍କାକୁ ଲୁଟି କର୍ପୋରେଟଙ୍କୁ ବଞ୍ଚାଇବା ଲାଗି କେନ୍ଦ୍ର ସରକାରଙ୍କ ଏହା ଗୋଟିଏ ଚାଲ ବୋଲି କହିବା ସହ ପେଟ୍ରୋଲ ଡିଜେଲ ଦରବୃଦ୍ଧି କାରଣରୁ ତେଲ ଓ ଗ୍ରୋସରି ଦର ବଢୁଥିବା କହିଛନ୍ତି ପଞ୍ଚାନନ । କରୋନା କାଳରେ ଦେଶର ଅର୍ଥନୀତି ଭୁଶୁଡି ପଡିଥିବା ବେଳେ ତେଲ ଦର ବୃଦ୍ଧି ବେଡି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି ।

କାର୍ ଲୁଟି ମାଲିକାଣିଙ୍କୁ ଠିକଣା ମାଗିଲା ଲୁଟେରା, କହିଲା ‘ଆଜି ନେଉଛି ଆସନ୍ତାକାଲି ଫେରାଇଦେବି’

ଜଳନ୍ଧର: ପଞ୍ଜାବର ଜଲନ୍ଧରରେ କାର ଡକାୟତିର ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଜଳନ୍ଧରର ଏକ ମଡେଲ ଟାଉନ ଅଞ୍ଚଳରେ ଗୋଟିଏ ଲୁଟେରା କାର ଲୁଟି ନେଇଛି । ଆଉ ଲୁଟେରା ଜଣଙ୍କ କାର ଲୁଟିବା ସମୟରେ କାରରେ ଜଣେ ୭୭ ବର୍ଷ ବୟସ୍କା ମହିଳା ବସିଥିଲେ । କିନ୍ତୁ ଲୁଟେରା ଜଣଙ୍କ କାର ଲୁଟିବାପରେ  ଯେତବେଲେ ବୃଦ୍ଧାଙ୍କୁ ଦେଖିଲେ ସେତେବେଳେ ଲୁଟେରା ଜଣଙ୍କ କହିଥିଲେ ଯେ, ସେ ଏହି କାରଟିକୁ ଆସନ୍ତାକାଲି ତାଙ୍କ ଘରେ ଦେଇଦେବେ । ଏବଂ ଏହାର କହି କିଛି ଦୂରରେ ବୃଦ୍ଧାଙ୍କୁ ସେ କାରରୁ ଓହ୍ଲାଇ ଦେଇଥିଲା । ଆଉ ଘଟଣାଟି ଗତକାଲି ଅର୍ଥାତ୍ ସୋମବାର ଦିନର ।  ଏନେଇ ବୃଦ୍ଧା ଜଣଙ୍କ ପୋଲିସକୁ ସୂଚନା ଦେଇଥିଲେ ।

ସୂଚନାନୁସାରେ, ୭୭ ବର୍ଷୀୟ ବୁଦ୍ଧା ବଲବୀର ତାଙ୍କ ପରିବାର ସହିତ ଆମେରିକାରେ ରୁହନ୍ତି। ସୋମବାର ଅପରାହ୍ନରେ ସେ ଘରର କିଛି ଜିନିଷ କିଣିବାକୁ ବଜାରକୁ ଯାଇଥିଲେ। ଯେହେତୁ ସେ ତାଙ୍କ ମୋବାଇଲ୍ ଫୋନ୍ ବିକ୍ରି କରିବାକୁ ମଧ୍ୟ ଚାହୁଁଥିଲେ। ତେଣୁ ତାଙ୍କ ଡ୍ରାଇଭର ତାଙ୍କୁ ମୋବାଇଲ୍ ଦୋକାନକୁ ନେଇ ଯାଇଥିଲେ। ଗାଡ଼ିରେ ଏସି ଚାଲୁଥିବାରୁ ଡ୍ରାଇଭର ଜଣଙ୍କ ଗାଡ଼ିରେ ହିଁ ଚାବି ଲଗାଇ ଚାଲିଯାଇଥିଲେ । ଏହି ସମୟରେ, ଜଣେ ୨୫-୨୬ ବର୍ଷର ଯୁବକ ଆସି କାର ନେଇ ଯିବାକୁ ଲାଗିଲା ।

ଡ୍ରାଇଭିଂ ସିଟରେ ବସିଥିବା ଅଜ୍ଞାତ ବ୍ୟକ୍ତିଙ୍କୁ ଦେଖି ମହିଳା ଜଣକ ପାଟି କରିବା ଆରମ୍ଭ କରିଥିଲେ କିନ୍ତୁ ତାଙ୍କୁ କେହି ସାହାଯ୍ୟ କରିପାରି ନଥିଲେ । ଲୁଟେରା ଜଣଙ୍କ ଉକ୍ତ ବୃଦ୍ଧାଙ୍କୁ ଏକ ନଳା ପାଖରେ ଛାଡ଼ି ପଳାଇଥିଲେ । ଏବଂ ଯିବା ସମୟରେ ଲୁଟେରା ଜଣଙ୍କ କହିଥିଲା ଯେ, ମାଉସି ମୁଁ ଆପଣଙ୍କ କିଛି କ୍ଷତି କରିବାକୁ ଚାହୁଁନି । ଆପଣ ଆପଣଙ୍କ ମୋବାଇଲ ନମ୍ବର ଏବଂ ଘରର ଠିକଣା ଦିଅନ୍ତୁ ମୁଁ ଆସନ୍ତାକାଲି ଆପଣଙ୍କ ଗାଡ଼ି ଘରେ ଦେଇ ଆସିବି । ଏହାପରେ ସେ ବୃଦ୍ଧାଙ୍କୁ ସେଠାରେ ହିଁ ଛାଡ଼ି ଦେଇଥିଲେ ।

ଏହାପରେ ବୃଦ୍ଧା ଜଣଙ୍କ ସାହାଯ୍ୟ ମାଗି ପ୍ରଥମେ ଡ୍ରାଇଭରକୁ ଫୋନ କରିଥିଲେ ଏବଂ ଘରେ ପହଞ୍ଚିଥିଲେ । ପୋଲିସ ମହିଳାଙ୍କ ଅଭିଯୋଗ ଶୁଣି ଲୁଟେରା ବିରୋଧରେ କାର ଲୁଟ ସହ ଅପହରଣର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପଞ୍ଜାବର ଏଭଳି ଘଟଣା ଦ୍ୱିତୀୟ । ଏହାପୂର୍ବରୁ ପଞ୍ଜାବର ଲାଲଡୁ ଅଞ୍ଚଳରେ ଏକ ଷ୍ଟାର୍ଟ ଥିବା କାର ଲୁଟ ହୋଇଥିଲା। ସେଥିରେ ମଧ୍ୟ ଜଣେ ମହିଳା କାରରେ ବସିଥିବାର ଜଣାପଡ଼ିଥିଲା ।