spot_img
Home Blog Page 5580

ପୁଣି ବାଲ୍ୟ ବିବାହ ଅଭିଯୋଗ, ୧୪ ବର୍ଷୀୟ ପୁଅ ସହ୧୩ ବର୍ଷୀୟା ଝିଅର ବିବାହ

ଯାଜପୁର: ଯାଜପୁର ସୁକିନ୍ଦା ବ୍ଲକ ନଗଡାରେ ପୁଣି ବାଲ୍ୟ ବିବାହ ଅଭିଯୋଗ। ଉକ୍ତ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ । ଗତ ୩୦ ତାରିଖରେ ନଗଡାରେ ଏକ ବାଲ୍ୟ ବିବାହ ହୋଇଥିଲା। ତଳନଗଡାର ୧୪ ବର୍ଷୀୟ ପୁଅ କେନ୍ଦୁଝର ଜିଲ୍ଲାର ୧୩ ବର୍ଷୀୟା ଝିଅଙ୍କୁ ବିବାହ କରିଥିଲେ।

ଏନେଇ ଖବର ପାଇବା ପରେ ଚାଇଲ୍ଡ ଲାଇନ ତରଫରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର ପରେ ପୁଅକୁ ବାଳାଶ୍ରମ ଓ ଝିଅକୁ ୱାନ୍ ଷ୍ଟପ୍ କେନ୍ଦ୍ରରେ ରଖାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚାଇଲ୍ଡ ଲାଇନପକ୍ଷରୁ କୁହାଯାଇଛି । ନଗଡା ଅଞ୍ଚଳରେ ପୂର୍ବରୁ ମଧ୍ୟ ଅନେକ ବାଲ୍ୟ ବିବାହ ଦେଖାଦେଇଛି। ଯେତେ ସଚେତନ କଲେ ମଧ୍ୟ ସଜାଗ ହେଉନାହାନ୍ତି ସ୍ଥାନୀୟ ବାସିନ୍ଦା । ଫଳରେ ବାଲ୍ୟ ବିବାହରେ ରୋକ ଲାଗିପାରୁନାହିଁ।

NHRCର ନୂଆ ଅଧ୍ୟକ୍ଷ ଭାବେ ଆଜି ଶପଥ ନେବେ ଜଷ୍ଟିସ୍ ଅରୁଣ କୁମାର ମିଶ୍ର

ନୂଆଦିଲ୍ଲୀ : ଜାତୀୟ ମାନବାଧିକାର ଆୟୋଗ ବା NHRCର ଅଧ୍ୟକ୍ଷ ଭାବେ ଆଜି ଶପଥ ନେବେ ଜଷ୍ଟିସ୍ ଅରୁଣ କୁମାର ମିଶ୍ର। ଗତ ୬ ମାସ ଧରି NHRCର ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଆଜି ଅରୁଣ କୁମାର ମିଶ୍ର ଏହି ପଦ ପାଇଁ ଶପଥ ନେବେ। ଗତ ସୋମବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ ସମିତି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଥିଲା।

ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ବରିଷ୍ଠ ଆଇନଜୀବୀ ଜଷ୍ଟିସ୍ ଅରୁଣ କୁମାର ମିଶ୍ର ସୁପ୍ରିମକୋର୍ଟରୁ ଅବସର ନେଇଥିଲେ। ଜଷ୍ଟିସ୍ ମିଶ୍ର କୋଲକାତା ଓ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ସେହିଭଳି ମଧ୍ୟପ୍ରଦେଶ ହାଇକୋର୍ଟରେ ମଧ୍ୟ ସେ ବରିଷ୍ଠ ଜଜ୍ ଭାବେ କାମ କରିଛନ୍ତି ଜଷ୍ଟିସ୍ ମିଶ୍ର । ଅରୁଣ କୁମାର ମିଶ୍ରାଙ୍କ ସହ ଜାମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହେଶ ମିତ୍ତଲ କୁମାର ଏବଂ ଇଣ୍ଟେଲିଜେନ୍ସି ବ୍ୟୁରୋ ବା ଆଇବିର ପୂର୍ବ ନିର୍ଦ୍ଦେଶକ ରାଜୀବ ଜୈନଙ୍କୁ NHRCର ସଦସ୍ୟ ଭାବେ ନିଯୁକ୍ତି କରାଯାଇଛି । ଚୟନ ସମିତି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ରାଜ୍ୟସଭା ଉପସଭାପତି ହରିବଂଶ, ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ୍ ଖଡଗେ ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦ୍ରକୁ ବିଧାୟକ ଅରବିନ୍ଦ ଢାଲିଙ୍କ ଚିଠି: ରାଜ୍ୟରେ ଥିବା ଶରଣାର୍ଥୀଙ୍କୁ ମିଳୁ ନାଗରିକତ୍ୱର ପରିଚୟ

ଭୁବନେଶ୍ୱର: ରାଜ୍ୟରେ ଥିବା ଶରଣାର୍ଥୀଙ୍କୁ କେନ୍ଦ୍ର ସରକାର ନାଗରିକତ୍ୱର ପରିଚୟ ଦେବାକୁ ଦାବି କରି ବିଜେଡି ବିଧାୟକ ଅରବିନ୍ଦ ଢାଲି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ବିଧାୟକଙ୍କ କହିବା କଥା ଯେ ଏମାନଙ୍କୁ ନାଗିରକତ୍ୱ ଦିଆଗଲେ ଶରଣାର୍ଥୀ ମାନେ ଜମି ପଟ୍ଟା, ପାସପୋର୍ଟ ଓ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇପାରିବେ।

ଭାରତ ସରକାର ୫ଟି ରାଜ୍ୟର ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରୁଥିବା ବେଳେ, ଓଡିଶାର ୧୦ଟି ଜିଲ୍ଲାରେ ଥିବା ୧୦ ଲକ୍ଷ ଶରଣାର୍ଥୀଙ୍କୁ କାହିଁକି ନାଗରିକତ୍ୱ ଦିଆଯିବନି ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ତୁରନ୍ତ ଏହାର ବିଚାର କରି ନାଗରିକତ୍ୱ ପ୍ରଦାନ କରନ୍ତୁ ବୋଲି ସେ ସେ ଦାବି କରିଛନ୍ତି।

ବିଶେଷ କରି ମାଲକାନିଗିର, ନବରଙ୍ଗପୁର, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର, ବଲାଙ୍ଗୀର, ଭଦ୍ରକ, କେନ୍ଦ୍ରାପଡା ପରି ଜିଲ୍ଲାରେ ଶରଣାର୍ଥୀ ଥିବାରୁ ସେମାନଙ୍କୁ ନାଗରିକତ୍ୱ ଦେବାକୁ ଦାବି କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ଏ ନେଇ କେନ୍ଦ୍ରକୁ ଅବଗତ କରିଛନ୍ତି।

ଭିଜିଲାନ୍ସ ଜାଲରେ ରାଉରକେଲା TDCCର ଜିଲ୍ଲା ପରିଚାଳକ

ରାଉରକେଲା: ଭିଜିଲାନ୍ସ ଜାଲରେ ରାଉରକେଲା TDCCର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ।୧୯ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ। ଭୁବନେଶ୍ୱର ବାସଭବନକୁ ଯାଉଥିବା ବେଳେ ଭିଜିଲାନ୍ସ ଚଢାଉ।

ଜୟପ୍ରକାଶ  ନିଜ ସରକାରୀ ଗାଡିରେ ୧୯ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ମସନିକାନୀ ଚେକଗେଟ ନିକଟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ୧୯ ଲକ୍ଷ ଟଙ୍କା ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସୁନ୍ଦରଗଡ ଜିଲ୍ଲା TDCC ଅଫିସ ଓ ଭୁବନେଶ୍ବର ବାସଭବନରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିଏସପି ବୀରେନ୍ଦ୍ର କୁମାର ନାୟକ।

କମୁଛି କରୋନାର ପ୍ରକୋପ, ୧୨.୫୯ ପ୍ରତିଶତକୁ ଖସିଛି କେରାନା ପଜିଟିଭିଟି ହାର

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ହାରରେ କମୁଛି କରୋନା ସଂକ୍ରମଣ। ଆଜି ୧୨.୫୯ପ୍ରତିଶତକୁ ଖସିଛି କେରାନା ପଜିଟିଭିଟି । ୬୬ହଜାର ୬୮୩ ଟେଷ୍ଟିଂ ହୋଇଥିବା ବେଳେ ରାଜ୍ୟରେ ଆଉ ୮ହଜାର ୩୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଗୋଟିଏ ଦିନରେ ୪୦ ସଂକ୍ରମିତଙ୍କ ଜୀବନ ନେଇଛି କିଲର ଭାଇରସ୍। ଅନ୍ୟପଟେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୧ହଜାର ୯୫ ଜଣ ସଂକ୍ରମିତ।

ଅନୁଗୁଳ, କଟକ, କଳାହାଣ୍ଡି, ଖୋର୍ଦ୍ଧାରୁ ୫ଜଣ ଲେଖାଏଁ ମୃତ୍ୟୁ ହୋଇଥିବା ବେଳେ ଝାରସୁଗୁଡାରୁ ୪, ରାୟଗଡା ଓ ବୌଦ୍ଧରୁ ୩ଜଣ ଲେଖାଏଁ ମୃତ। ସେହିପରି ନବରଙ୍ଗପୁର, ସମ୍ବଲପୁର, ଦେବଗଡ଼ରୁ ୨ଜଣ ଲେଖାଏଁ ମୃତ। ଯାଜପୁର ବାଲେଶ୍ୱର, ଢେଙ୍କାନାଳ, ମାଲକାନଗିରିରୁ ଜଣେ ଲେଖାଏଁଙ୍କ ଜୀବନ ନେଇଛି କିଲର କରୋନା ।

ଚିହ୍ନଟ ହୋଇଥିବା ୮ହଜାର ୩୯୯ ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୪ହଜାର ୭୪୧, ଲୋକାଲ କେସ୍ ୩ହଜାର ୬୫୮ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୬, ଯାଜପୁରରୁ ୫୧୪ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୪୮୫, ଅନୁଗୁଳରୁ ୪୬୮, ସୁନ୍ଦରଗଡ଼ରୁ ୪୭୭, ପୁରୀରୁ ୪୭୫, ଢେଙ୍କାନାଳରୁ ୪୫୧, ରାୟଗଡ଼ାରୁ ୨୯୨, ଜଗତସିଂହପୁରରୁ ୨୬୯, ନୟାଗଡ଼ରୁ ୨୨୩, ବାଲେଶ୍ୱରରୁ ୨୪୦, କେନ୍ଦ୍ରାପଡାରୁ ୨୧୦, ନବରଙ୍ଗପୁରରୁ ୨୦୦ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ ୧୯୧, କଳାହାଣ୍ଡିରୁ ୧୯୦, ବରଗଡ଼ରୁ ୧୮୯, କେନ୍ଦୁଝରରୁ ୧୮୬, ଷ୍ଟେଟପୁଲରୁ ୧୮୫,କୋରାପୁଟରୁ ୧୭୮, ବୌଦ୍ଧରୁ ୧୬୬, ଭଦ୍ରକରୁ ୧୪୭, ସୋନପୁରରୁ ୧୪୩, ମାଲକାନଗିରିରୁ ୧୨୮, ବଲାଙ୍ଗୀରରୁ ୧୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୯୫, ଦେଓଗଡ଼ରୁ ୮୧,ଗଜପତିରୁ ୮୦, ଗଞ୍ଜାମରୁ ୬୫, ଝାରସୁଗୁଡାରୁ ୫୩, ନୂଆପଡାରୁ ୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୭ଲକ୍ଷ ୮୨ହଜାର ୧୩୧ ଥିବା ବେଳେ ସୁସ୍ଥ ହେଲେଣି ୬ଲକ୍ଷ ୯୨ହଜାର ୨୭।

ସ୍ତ୍ରୀ ଶବ ନେଇ ଫେରିବାବେଳେ ଆମ୍ବୁଲାନ୍ସ ଦୁର୍ଘଟଣାରେ ସ୍ୱାମୀ ମୃତ

ବଲାଙ୍ଗୀର: ବୁର୍ଲାରୁ ଶବ ନେଇ ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣା। ଦୁର୍ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ପାଟଣାଗଡ-ପଦ୍ମପୁର ରାସ୍ତାର ଝୁଲେନବର ଓ ପାଢେଲ ଗ୍ରାମ ନିକଟରେ ବୁର୍ଲାରୁ ଜଣେ ମହିଳାଙ୍କ ମୃତଦେହ ଧରି ଫେରୁଥିବା ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ଗ୍ରସ୍ତ ଆମ୍ବୁଲାନ୍ସରୁ ୨ଟି ମୃତ ଦେହ ଉଦ୍ଧାର ହୋଇଛି।

ତେବେ ଆଜି ସକାଳୁ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତକ ୨ ଜଣ ହେଲେ ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଗ୍ରାମର ବିପିନ ସେଠ ଏବଂ ତାଙ୍କ ପତ୍ନୀ ସାଏବାନୀ ସେଠ।  ସାଏବାନୀ ପାରାଲିସିସ ରୋଗରେ ପୀଡିତ ଥିଲେ ଏବଂ ଗତ କିଛି ଦିନ ହେବ ବୁର୍ଲା ଡାକ୍ତରଖାନାରେ ଚିକିତ୍ସତ ହେଉଥିଲେ। ଗତକାଲି ଚିକିତ୍ସତ ଅବସ୍ଥାରେ ବୁର୍ଲା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ତ୍ରୀ ସାଏବାନୀଙ୍କ ମୃତଦେହକୁ ନେଇ ତାଙ୍କ ସ୍ୱାମୀ ବିପିନ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁକୁ ଫେରୁୁଥିବା ସମୟରେ ଆମ୍ବୁଲାନ୍ସ ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଆଗ ପଟେ ବସିଥିବା ବିପିନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ପାଟଣାଗଡ ପୋଲିସ ଏବଂ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ ହୋଇଛି।

କବର ଦେବାକୁ ମିଳୁନି ଜାଗା, ଶବ ଉପରେ ପୋତା ଯାଉଛି ଶବ

ଭୁବନେଶ୍ୱର: କବର ଦେବାକୁ କବର ସ୍ଥାନରେ ଆଉ ଜାଗା ନାହିଁ। ଶବ ଉପରେ ପୋତା ହେଉଛି ଶବ। କବର ଦେବାକୁ ମାଟି ଖୋଳିଲେ ବାହାରୁଛି କଙ୍କାଳ। ଏହି ସମସ୍ୟା ଏବେ ଭୁବନେଶ୍ୱର ସତ୍ୟନଗର କବର ସ୍ଥାନରେ ଦେଖିବାକୁ ମିଳିଛି।

ଏ ନେଇ ଆଜି ସତ୍ୟନଗର ମସଜିଦ କମିଟି ଆଉ ଏକ ସ୍ଥାନ ଦେବାପାଇଁ ବିଏମସି କମିଶନର ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱର ବିଏମସି ଅଧୀନରେ ଯେ କୌଣସି ଜାଗାରେ ୫ ଏକର ଜାଗା ଦେବାକୁ ସରକାରଙ୍କୁ ଅନୁରୋଧ କରିଛି ମସଜିଦ କମିଟି। ପ୍ରତିଦିନ ୭ ରୁ ୮ ଜଣଙ୍କ ମୃତଦେହ କବର ଦିଆଯାଉଛି। ତେଣୁ ୫୦ ବର୍ଷ ରୁ ଉର୍ଦ୍ଧ୍ୱ ଏହି କବର ସ୍ଥାନ ପାଇଁ ଏବେ କବର ଦେବାକୁ ବହୁ ସମସ୍ୟା ସୃଷ୍ଟି ହୋଇଛି।

ଏ ନେଇ ସତ୍ୟନଗର କବରସ୍ଥାନ ଦାୟିତ୍ଵରେ ଥିବା ମୁଖ୍ୟ ଫଜାଲ ଇଲାହି, ୟୁନିଟ ୩ ସ୍ଥିତ ମସଜିଦର ମୁଖ୍ୟ ପରାମର୍ଶ ଦାତା ମୁଷରଫ ଖାଁ, ବରିଷ୍ଠ ଆଇନଜୀବୀ ହାସମ୍ ଖାଁ, ସତ୍ୟନଗର ମସଜିଦର ସଭାପତି ମିର୍ଜା ଜିଆ ଉଲ ବେଗ, ସାମାଜିକ କର୍ମୀ ମହମ୍ମଦ ଅଲ୍ଲୀ ନୂଆ କବର ସ୍ଥାନ ଜାଗା ଦେବାକୁ ଅନୁରୋଧ କରିଛନ୍ତି ।

ଲକଡାଉନ ଖୋଲିଲେ ବି ଚାଲି ପାରିବନି ଘରୋଇ ବସ୍‌

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ବସ ଚାଳାଚଳ ବନ୍ଦ ରହିଛି। ତେବେ ଲକଡାଉନ ଖୋଲିବା ପରେ ମଧ୍ୟ ଘରୋଇ ବସ୍‌ ଚାଲିପାରିବ ନାହିଁ। କାରଣ ଡିସେମ୍ବର ଶେଷ ଯାଏଁ ୧୦ ହଜାରରୁ ଅଧିକ ବସ୍ ଅଫ୍‌ରୋଡ ହୋଇଛି। ତେବେ ବସ୍‌ ଚାଲିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ବସ୍‌ ମାଲିକ ସଂଘ ଲୋଡ଼ିଛନ୍ତି। ୩ ଦଫା ଦାବି ସହ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲାଛି ସଂଘ।

ଅଫ୍‌ରୋଡ ହୋଇଥିବା ବସ୍‌ ଗୁଡିକୁ ଚଳାଚଳ ପାଇଁ ସରକାର ଅନୁମତି ପ୍ରଦାନ କରିବା ସହ ବସ୍‌ କର୍ମଚାରୀ ଓ ମାଲିକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସଂଘ ଦାବି କରିଛି। ଏପ୍ରେଲ ଓ ମେ ମାସ ପାଇଁ ସରକାର ଟିକସ ଛାଡ଼ କରିଥିଲେ ମଧ୍ୟ, ଲକ୍‌ଡାଉନ ଲାଗୁ ଥିବା ଯାଏଁ ଟିକସ ଛାଡିବାକୁ ସଂଘ ଦାବି କରିଛି। ଏହାସହ ଦୀର୍ଘଦିନ ଧରି ବସ୍‌ ଗୁଡିକ ପଡ଼ି ରହିବା ଫଳରେ ଟାୟାର, ବ୍ୟାଟେରି ପ୍ରଭୁତି ଆନୁସଙ୍ଗିକ ସାମଗ୍ରୀ ନଷ୍ଟ ହୋଇଥିବାରୁ ଗାଡ଼ି ଚାଲିବା ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ସଂଘ ଦାବି କରିଛି।

ବାତ୍ୟା ବିପନ୍ନଙ୍କୁ ଭେଟିଲେ ମନ୍ତ୍ରୀ ଅରୁଣ ସାହୁ

ଭଦ୍ରକ: ବାଲେଶ୍ୱର ଜିଲ୍ଲା ବାତ୍ୟା ପ୍ରଭାବିତଙ୍କୁ ଭେଟିଛନ୍ତି କୃଷି, ମତ୍ସ୍ୟ ଓ ପଶୁ ପାଳନ ବିଭାଗ ମନ୍ତ୍ରୀ ଅରୁଣ ସାହୁ। ଜିଲ୍ଲାର ହଳଦୀପଦା, ପରିଖି, ସାର୍ଥା ଅଞ୍ଚଳ ଗସ୍ତକରି ଚାଷଜମି ଓ ମାଛଚାଷ ପୋଖରୀ ବୁଲି ଦେଖିଛନ୍ତି । ଏହାସହ ସମୁଦ୍ରରୁ ମାଛ ମାରୁଥିବା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ଭାଙ୍ଗି ଯାଇଥିବାରୁ ତାର ସଠିକ ଆକଳନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ଜିଲ୍ଲାରେ ମୋଟ ୫୫୪ ହେକ୍ଟର ଚିଙ୍ଗୁଡ଼ି ପୋଖରୀ ବୁଡ଼ି ଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ବାତ୍ୟାଞ୍ଚଳରୁ ଫେରି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ।

ଏଥିସହ ଭଦ୍ରକ ଜିଲ୍ଲାରେ ମଧ୍ୟ ବିଭିନ୍ନ ବାତ୍ୟା ଅଞ୍ଚଳ ବୁଲି ଦେଖିଛନ୍ତି ମନ୍ତ୍ରୀ ଅରୁଣ ସାହୁ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ଧାମରା ଓ ଚାନ୍ଦବାଲି ଓ ବାସୁଦେବପୁର ପ୍ରଭାବିତ ଅଞ୍ଚଳରେ ବିପନ୍ନଙ୍କ ସହ ଆଲୋଚନା କରିବା ସହିତ କ୍ଷୟକ୍ଷତି ଆକଳନ କରିଛନ୍ତି।

ସେପଟେ ଜିଲ୍ଲାର ବାତ୍ୟା ପିପନ୍ନ ଦୁଇ ମନ୍ତ୍ରୀଙ୍କୁ ବିଭିନ୍ନ ସମସ୍ୟା କଥା କହିଛନ୍ତି । ଧାମରାରେ କୃଷି ମନ୍ତ୍ରୀଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଥିଲା । ଏହାପରେ ବାସୁଦେବପୁରରେ ସମୀକ୍ଷା ବୈଠକ କରି ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ବୈଠକରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ସହିତ କୃଷି ବୈଜ୍ଞାନିକ, ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।

 

ବାତିଲ୍ ହେଇପାରେ CHSE ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର: CBSE ଦ୍ୱାଦଶ ପରୀକ୍ଷା ବାତିଲ ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ହେବ କି ନାହିଁ, ସେ ନେଇ ବୈଠକରେ ଆଲୋଚନା ହେବ।

ଏହି ବୈଠକରେ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ହୋଇପାରେ। ଯୁକ୍ତ ଦୁଇ ପରୀକ୍ଷା ନେଇ ଆଜିର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ପୂର୍ବରୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରିଛନ୍ତି ସରକାର।

ଗତକାଲି ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପପତ୍ତି ନିଆହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ସିବିଏସଇର ଅଧ୍ୟକ୍ଷଙ୍କ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ପ୍ରକାଶ ଜାବଡେକର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମୀକ୍ଷା ବୈଠକରେ ମୋଦୀ କହିଛନ୍ତି ଯେ ଦେଶ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟର ନିରାପତ୍ତାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ଓ ଏହାକୁ ନେଇ କୌଣସି ସାଲିସ କରାଯ଼ିବ ନାହିଁ। ପିଲାମାନଙ୍କ ସ୍ୱାର୍ଥରେ ହିଁ ଏହି ନିଷ୍ପତ୍ତି ନିଆଯ଼ାଇଛି । କରୋନା ମହାମାରୀ ପରି ଏକ ଚାପଯ଼ୁକ୍ତ ପରିବେଶରେ ପରୀକ୍ଷା ଦେବାକୁ ପିଲାମାନଙ୍କୁ ବାଧ୍ୟ କରାଯ଼ିବା ଉଚିତ ନୁହେଁ ।