spot_img
Home Blog Page 570

ପୋଲିସର ରବର ବୁଲେଟ ମାଡକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ଛାତ୍ରୀ ନିର୍ଯାତନା ପ୍ରସଙ୍ଗ। ଲୋକସେବା ଭବନ ଘେରାଉ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। କହିଛନ୍ତି…
ବିରୋଧୀଙ୍କ ମୁହଁ ବନ୍ଦ କରିପାରିବେନି। ପୋଲିସର ରବର ବୁଲେଟ ମାଡକୁ ସାଂସଦ ନିନ୍ଦା କରିଛନ୍ତି। ଗୁଣ୍ଡାଗିରିକୁ ନିନ୍ଦା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ନ୍ୟାୟ ପାଇଁ ଲଢୁଥିବା ନେତାଙ୍କ ଉପରେ ଆକ୍ରମଣକୁ ସମାଲୋଚନା କରିଛନ୍ତି। ରବର ବୁଲେଟ ଗୁରୁତର ଆଘାତ ଦେଇପାରେ। ଏକଥା ପୋଲିସ ଭଲଭାବେ ଜାଣିଛି। ନିର୍ଦ୍ଧିଷ୍ଟ ନିୟମାବଳୀରେ ଏହାର ବ୍ୟବହାର ହେବା କଥା। ଅତି ଗୁରୁତର ସ୍ଥିତିରେ ଏହାର ବ୍ୟବହାର ହେବା କଥା। ରବର ବୁଲେଟ ବ୍ୟବହାରର ଦୁରୁପଯୋଗ ଦଣ୍ଡନୀୟ। ଘୃଣ୍ୟ ରାଜନୀତିରେ ବିରୋଧୀଙ୍କ ମୁହଁ ବନ୍ଦ କରିପାରିବେ

କଳାହାଣ୍ଡି ଏବଂ ରାୟଗଡ଼ାର ୨୧ଟି ଗ୍ରାମକୁ ଆଲୋକିତ କରିଛି ବେଦାନ୍ତ ଆଲୁମିନିୟମ

ନନ୍ଦିଘୋଷ ବ୍ୟୁରୋ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର୨୧ଟି ଗ୍ରାମରେ୯୬ଟି ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରିଛି । ଏହି ଷ୍ଟ୍ରିଟ୍ ଲାଇଟ୍ ପୂର୍ବରୁ ଆଲୋକିତ ନଥିବା ଅଞ୍ଚଳରେ ଆଲୋକୀକରଣର ଏକମାତ୍ର ଉତ୍ସ ଭାବରେ କାର୍ଯ୍ୟକରେ ।ଏହି ସବୁଜ ପଦକ୍ଷେପ ବାର୍ଷିକ ପ୍ରାୟ ୨୨ଟନ୍ CO₂ ସମକକ୍ଷ ନିର୍ଗମନ ହ୍ରାସ କରିବାରେ ଯୋଗଦାନ ଦେବା ସହିତ ୫,୦୦୦ରୁ ଅଧିକ ବାସିନ୍ଦାଙ୍କୁ ନିର୍ଭରଯୋଗ୍ୟ, ଶକ୍ତି-ଦକ୍ଷ ଆଲୋକ ପ୍ରଦାନକରିବ । ଏହା ବଜାର, ଗ୍ରାମ ପ୍ରବେଶପଥ, ବସଷ୍ଟାଣ୍ଡ, ସମ୍ପ୍ରଦାୟ କେନ୍ଦ୍ର, ସ୍କୁଲ ଏବଂ ମୁଖ୍ୟ ରାସ୍ତାଭଳି ପ୍ରମୁଖ ସ୍ଥାନ ଗୁଡ଼ିକୁ ଲକ୍ଷ୍ୟ କରି ଅଞ୍ଚଳରେ୧୫୦ଟି ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍  ସ୍ଥାପନ କରିବା ପାଇଁ ପ୍ରତିଶୃତିବଦ୍ଧ । ଗ୍ରାମୀଣ ଭିତ୍ତିଭୂମିକୁ ବୃଦ୍ଧିକରିବା ଏବଂ ଏହାର କାର୍ଯ୍ୟକ୍ଷମ କ୍ଷେତ୍ରରେ ସମ୍ପ୍ରଦାୟଗୁଡ଼ିକୁ ଉନ୍ନତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ବ୍ୟାପକ ମିଶନ ସହିତ ସମନ୍ୱୟ ରଖିବା ସହିତ, ଏହା ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ, ବିଶେଷକରି SDG ୭, SDG ୧୧, ଏବଂ SDG ୧୩ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ମଧ୍ୟ ସୁଦୃଢ଼ କରିଥାଏ । ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ, ଆମର ସମ୍ପ୍ରଦାୟ ବିକାଶ କାର୍ଯ୍ୟକ୍ରମଗୁଡ଼ିକ ଆମେ ସେବା କରୁଥିବା ଅଞ୍ଚଳଗୁଡ଼ିକର ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯାଇଛି । କଳାହାଣ୍ଡି ଏବଂ ରାୟଗଡ଼ାରେ ସୌରଆଲୋକ ପ୍ରକଳ୍ପ ସ୍ଥାୟୀତ୍ୱ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଆମର ପ୍ରତିବଦ୍ଧତାର ପ୍ରମାଣ। ସୁରକ୍ଷାବୃଦ୍ଧି, ଗତିଶୀଳତାରେ ଉନ୍ନତି ଏବଂ ସମ୍ପ୍ରଦାୟ କଲ୍ୟାଣକୁ ସୁଦୃଢ଼ କରିବା ପାଇଁ ଏହି ସଂସ୍ଥାଗୁଡ଼ିକ ପୂର୍ବରୁ ଯେଉଁ ସକାରାତ୍ମକ ପ୍ରଭାବ ପକାଇ ଆସୁଛନ୍ତି ତାହା ଦେଖିବା ଉତ୍ସାହଜନକ । ଗ୍ରାମାଞ୍ଚଳରେ ସବୁଜ ଭିତ୍ତିଭୂମିକୁ ସମନ୍ୱିତ କରି, ଆମେ ଏକ ଉଜ୍ଜ୍ୱଳ, ସୁରକ୍ଷିତ ଏବଂ ଅଧିକ ସ୍ଥାୟୀ ଭବିଷ୍ୟତ ନିର୍ମାଣ କରିବାକୁ ପ୍ରୟାସ କରୁ।”

କାଶୀପୁର ବ୍ଲକର ସୁଙ୍ଗେର ଗ୍ରାମପଞ୍ଚାୟତର ସରପଞ୍ଚ ଜଗନ୍ନାଥ ନାଏକ ନାୟବ କହିଛନ୍ତି, “ବେଦାନ୍ତର ସୌର-ଆଲୋକୀକରଣ ପଦକ୍ଷେପ କେବଳ ଆମ ଗାଁକୁ ଆଲୋକିତ କରିନାହିଁ ବରଂ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିଛି । ଆମେ ବର୍ତ୍ତମାନ ବିଦ୍ୟୁତଯୋଗାଣର ଏକ ନିର୍ଭର ଯୋଗ୍ୟ ଉତ୍ସ ପାଇଛୁ।ଆମ ସମ୍ପ୍ରଦାୟର ଆବଶ୍ୟକତା ପୂରଣ କରିବାରେ କମ୍ପାନୀର ପ୍ରୟାସକୁ ଗ୍ରାମବାସୀ ପ୍ରକୃତରେ ପ୍ରଶଂସା କରନ୍ତି।” ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ କ୍ରୀଡାଏବଂ ସଂସ୍କୃତିକୁ ନେଇ ରଣନୈତିକ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ପରିବର୍ତ୍ତନ ଆଣିବା ପାଇଁ ବେଦାନ୍ତ ଆଲୁମିନିୟମ ପ୍ରତିବଦ୍ଧ । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ସାମାଜିକ -ଆର୍ଥିକ ପ୍ରଗତି ଆଡ଼କୁ ନେଇଯିବ ।

ବିଜେଡି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ : ଉଦବେଗ ପ୍ରକାଶ କଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ପୀଡ଼ିତା ମୃତ୍ୟୁ ଘଟଣାରେ ବିଜେଡ଼ିର ଶାନ୍ତିପୂର୍ଣ ପ୍ରତିବାଦ ଉପରେ ପୋଲିସର ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ନବୀନ ପଟନାୟକଙ୍କ ଦୃଢ଼ ନିନ୍ଦା। ଆହତ ବିଜେଡ଼ି ନେତାଙ୍କ ସହ କଥା ହେଲେ ନବୀନ ପଟନାୟକ।ପୀଡ଼ିତା ଛାତ୍ରୀଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା। ଏଥିରେ ବିଜେଡ଼ି ର ହଜାର ହଜାର କର୍ମୀ ଶାନ୍ତିପୂର୍ଣ ଭାବରେ ଲୋୟର ପିଏମଜି ଠାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିଲେ। ସେମାନଙ୍କ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ କଡା ଭାଷାରେ ନିନ୍ଦା କରିଛନ୍ତି। ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଏଭଳି ଅତ୍ୟାଚାର କୁ ବର୍ବରୋଚିତ ବୋଲି ବର୍ଣ୍ଣନା କରିଛନ୍ତି ବିରୋଧୀ ଦଳ ନେତା ନବୀନ। ଏହି ଘଟଣାରେ ବିଜେଡ଼ିର ଅନେକ କର୍ମୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି। ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ପୋଲିସ ଆକ୍ରମଣରେ ଆହତ ସାଂସଦ ସୁଲତା ଦେଓ ,ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ନବୀନ ଫୋନ୍ ଯୋଗେ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ନ୍ୟାୟ ନମିଳିବା ଯାଏଁ ଚାଲିବ ଆନ୍ଦୋଳନ,ଆଜି ଲୋକସେବା ଭବନ ଘେରାଉ କରିବ ବିଜେଡି

ନନ୍ଦିଘୋଷ ବ୍ୟୁରୋ : ନ୍ୟାୟ ନମିଳିବା ଯାଏଁ ଚାଲିବ ଆନ୍ଦୋଳନ । ଆଜି ଲୋକସେବା ଭବନ ଘେରାଉ କରିବ ବିଜେଡି ।  ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଗର୍ଜିବ ବିଜେଡି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖ ଓ କ୍ଷୋଭର କଥା । ସାରା ଦେଶକୁ ଏହା ଆନ୍ଦୋଳିତ କରିଛି । ସେ ୬ ମାସ ହେବ ଗୁହାରୀ କରି ବିଫଳ ହେବା ପରେ ଆତ୍ମାହୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ, ବିଧାୟକ, ସାଂସଦ, ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କୁ ଟ୍ୱିଟ କରି ଦୁଃଖ ଜଣାଇଥିଲେ । ସବୁ ସ୍ତରରୁ ନିରାଶ ହେବା ପରେ ସେ ଜୀବନ ହାରିଲେ । ଏଠି ପ୍ରଶ୍ନ ଉଠୁଛି, କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ବିରୋଧୀ ସେଲ କେବଳ ସର୍କୁଲାରରେ ସୀମିତ ରହିଛି । ଫକୀର ମୋହନ କଲେଜରେ କେତେ ଥର ଏହି କମିଟି ବସିଛି ? ଏବେ ସରକାର କହୁଛନ୍ତି ଦଣ୍ଡ ଦେବୁ । ଯେଉଁମାନଙ୍କୁ ସୌମ୍ୟାଶ୍ରୀ ଟ୍ୟାଗ କରି ଜଣାଇଥିଲେ, ସମସ୍ତେ ତଦନ୍ତ ପରିସରଭୁକ୍ତ ହେବା ଦରକାର । ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି ।  ଦେଶର ଇତିହାସରେ ଗତ ରାତି ଏକ କଳାରାତି ଥିଲା । ଗଣତନ୍ତ୍ରକୁ କଣ୍ଠରୋଧ କରାଯାଇଥିଲା । ସେଦିନ ସେହି ସମୟରେ କଣ ଅଘଟଣ ହେଲା ଯେ, ସେ ନିଜ ଦେହରେ ପେଟ୍ରୋଲ ଢ଼ାଳିଲେ ? ସେ ପେଟ୍ରୋଲ ତାଙ୍କୁ ଦେଲା କିଏ ? ଆତ୍ମାହୁତି ସମୟର ଭିଡିଓ କିଏ ଉତ୍ତୋଳନ କରୁଥିଲେ ? ପ୍ରିନସିପାଲଙ୍କ ରୁମରେ କିଏ ଉପସ୍ଥିତ ଥିଲେ ? ସମସ୍ତେ ତଦନ୍ତ ପରିସରକୁ ଆସିବା ଦରକାର ବୋଲି ଦାବି କରିଛି ବିଜେଡି  । ରାଜ୍ୟରେ ବର୍ତ୍ତମାନ ସ୍ଥିତି ଏପରି ଯେ  ଆମେରିକା ରାଷ୍ଟ୍ରପତି ଓଡି଼ଶାକୁ ଅସୁରକ୍ଷିତ କହିଛନ୍ତି । ତେଣୁ ସୌମ୍ୟାଶ୍ରୀ ନ୍ୟାୟ ନ ପାଇଲେ ଆଉ ଝିଅ କଲେଜ ଆସିବେ ନାହିଁ ବୋଲି ବିଜେଡି ଆଶଂକା କରିଛି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଛୋଟ କଥା ନୁହେଁ । ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଦରକାର ବୋଲି କହିଛି ବିଜେଡି ।

ଆଜି ବିଜେଡିର ବାଲେଶ୍ବର ବନ୍ଦ ଡାକରା , ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ରହିବ ବନ୍ଦ

ବାଲେଶ୍ବର : ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସାରା ରାଜ୍ୟରେ ଅସନ୍ତୋଷ। ନ୍ୟାୟ ମାଗି ମାଗି ବିଫଳ ହେବା ପରେ ଆତ୍ମାହୁତି ପରି ଚରମ ପଦକ୍ଷେପ ନେଇଥିଲେ ସୌମ୍ୟାଶ୍ରୀ। ଶୁଣିଲେନି ପୋଲିସଠାରୁ ଆରମ୍ଭ କରି ସାଂସଦ। ଚୁପ୍ ବସିଯାଇଥିଲେ ଉଚ୍ଚଶିକ୍ଷାମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ। ପ୍ରତିବାଦରେ ଆଜି ବିଜେଡିର ବାଲେଶ୍ବର ବନ୍ଦ ଡାକରା ।ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ରହିବ ବନ୍ଦ ।  ବନ୍ଦ ଯୋଗୁ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଯାନବାହନ ଚଳାଚଳ ବି ବନ୍ଦ ରହିଛି। ବନ୍ଦକୁ ବିଭିନ୍ନ ମହଲରୁ ମିଳିଛି ବ୍ୟାପକ ସମର୍ଥନ। ଏହି ବନ୍ଦକୁ ବାଲେଶ୍ବରବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଥିବା ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସାଂସଦ ପ୍ରତାପ ଷଡ଼ଙ୍ଗୀ ଇସ୍ତଫା ଦେବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି। ସୌମ୍ୟାଶ୍ରୀ ମୃତ୍ୟୁ ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ବନ୍ଦ କରିବ ଦଳ । ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଲୁଚାଇ ଛପାଇ ରାତି ଅଧରେ ଶବ ବ୍ୟବଚ୍ଛେଦ ନିଷ୍ପତ୍ତିକୁ ବିରୋଧ, ବିଜେଡି ଓ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ । ତିନି ଦିନ ପରେ ଏମ୍ସରେ ପ୍ରାଣ ହରାଇଲେ ପୀଡ଼ିତା । ତେବେ ନାଟକୀୟ ଢଙ୍ଗରେ ମୃତ୍ୟୁ ଘୋଷଣା ପରେ ଆରମ୍ଭ ହୋଇଥିଲା ପ୍ରତିବାଦ । ହସ୍ପିଟାଲ ପରିସରରେ ପହଞ୍ଚି ପ୍ରବଳ ହଙ୍ଗାମା କରିଥିଲେ ବିଜେଡି ଓ କଂଗ୍ରେସ ।

ଶେଷରେ ଆଖି ବୁଜି ଦେଲେ ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଆତ୍ମାହୁତି ଉଦ୍ୟମ କରି ଜଳି ଯାଇଥିବା ଛାତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜଳି ଯାଇଥିଲା ଶରୀରର ପ୍ରାୟ ୯୫ ପ୍ରତିଶତ । ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରି ଚାଲିଥିଲେ ୮ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ । ମାତ୍ର ବଞ୍ଚାଇ ପାରିଲେ ନାହିଁ । ସୋମବାର ରାତି ୧୧ଟା ୪୬ରେ ଆଖି ବୁଜି ଦେଲେ ସୌମ୍ୟାଶ୍ରୀ । ନ୍ୟାୟ ଭିକ୍ଷା କରି ହାରି ଯାଇଛନ୍ତି ସେଇ ହତଭାଗିନୀ ଝିଅ ।

ନିଜ ଦେହରେ ପେଟ୍ରୋଲ ଢାଳି ନିଆଁରେ ପୋଡ଼ି ହୋଇଥିବା ଛାତ୍ରୀଙ୍କୁ ୧୨ ତାରିଖରେ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ଓ ପରେ ଏମ୍ସ ହସ୍ପିଟାଲ୍ ଅଣାଯାଇଥିଲା । ସେତେ ବେଳକୁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା । ଆଇସିୟୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରିଥିଲେ ଡାକ୍ତର। ମାତ୍ର ଅବସ୍ଥାରେ ଆସି ନ ଥିଲା ସୁଧାର । ଶରୀରର ଉପର ଭାଗ ୯୫ ପ୍ରତିଶତ ପୋଡ଼ିଥିଲା ବେଳେ, ଭିତରେ ୭୦ ଭାଗ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । କିଡନୀ, ଲଙ୍ଗସ୍, ଶ୍ୱାସନଳୀ ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଅବସ୍ଥା ଏଭଳି ଥିଲା ଯେ ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରିବା ସମ୍ଭବପର ନ ଥିଲା ।

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଯୋଜନାବଦ୍ଧ ଭାବେ ଘୋଷଣା କରାଯାଇଛି । ସୋମବାର ରାତି ୧୧ଟା ୪୬ରେ ହୋଇଛି ବୋଲି ଏମ୍ସ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏହାକୁ ସାର୍ବଜନୀନ କରାଯାଇ ନଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାତି ଗୋଟାଏ ୧ ମିନିଟରେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପ୍ରଥମେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଦେଇଥିଲେ । ଗୋଟେ ମିନିଟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ସେତେବେଳକୁ ମୃତ ଶରୀରର ବ୍ୟବଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ରାତି ଅଧରେ ଶବ ବ୍ୟବଚ୍ଛେଦ ପାଇଁ ନିଷ୍ପତ୍ତି ନିଆ ସରିଥିଲା । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ମୃତଦେହକୁ ପଛ ଗେଟ୍ ଦେଇ ବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା ।

ରାତି ଅଧରେ ପୋଷ୍ଟମର୍ଟମକୁ ନେଇ ହସ୍ପିଟାଲ୍ ପରିସରରେ ଦେଖାଦେଇଥିଲା ପ୍ରବଳ ହଙ୍ଗାମା । ଲୁଚାଇ ଛପାଇ ରାତି ଅଧରେ ଶବ ବ୍ୟବଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ବିଜେଡି, କଂଗ୍ରେସର ଛାତ୍ର ଓ ଯୁବ କଂଗ୍ରେସ କର୍ମୀ କରିଥିଲେ ଆନ୍ଦୋଳନ । ଶବ ବ୍ୟବଚ୍ଛେଦ ଗୃହ ଆଗରେ ବିକ୍ଷୋଭ କରିବା ସହ ଧାରଣାରେ ବସି ରହିଥିଲେ । ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ ଏମସକୁ ପୋଲିସ ଛାଉଣି କରାଯାଇଥିଲା । ନିଜେ ଡିସିପି ଜଗମୋହନ ମୀନା ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ ।

ସୋମବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମ୍ସ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ସହ ତାଙ୍କ ପରିବାରକୁ ଭେଟିଥିଲେ । ତେବେ ରାତି ୧୧ଟା ପରେ ଦେଖିବାକୁ ମିଳିଥିଲା ନାଟକୀୟ ଘଟଣାକ୍ରମ । ସମଗ୍ର କ୍ୟାମ୍ପସ ପୋଲିସ ଛାଉଣି ହୋଇଯାଇଥିଲା । ମୃତକଙ୍କ ପରିବାରକୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ରଖାଯାଇଥିଲା । କିଛି ବିଜେପି ନେତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ ପ୍ରମୁଖ ପହଞ୍ଚି ଏମ୍ସ କର୍ତ୍ତୃପକ୍ଷଙ୍କ ସହ କରିଥିଲେ ଆଲୋଚନା । ଏହାପରେ ଆରମ୍ଭ ହୋଇଥିଲା ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ।

ଅଧା ରହିଗଲା ସ୍ବପ୍ନ, ଅବ୍ୟବସ୍ଥାର ବଳି ଚଢିଲେ ନିରୀହ ସୌମ୍ୟାଶ୍ରୀ

ନନ୍ଦିଘୋଷ ବ୍ୟୁରୋ: ଶିକ୍ଷୟିତ୍ରୀ ହୋଇଥାନ୍ତେ । ସ୍ବପ୍ନରେ ରହିଗଲା ଗୁରୁ ହେବାର ସ୍ବପ୍ନ । ହେଲେ ଆଜି ସେ ବ୍ଯବସ୍ଥାର ଚକ୍ରବ୍ୟୂହରେ ବଳିଦାନ ଦେଇ ଦୁନିଆକୁ ଦେଇଗଲେ ଶିକ୍ଷା । ସୌମ୍ୟାଶ୍ରୀଙ୍କୁ ଝୁରୁଛି ଓଡିଶା । ଝୁରୁଛି ଗାଁ ମାଟି ବାଲେଶ୍ବରର ପଳାସିଆ । ଅଫେରା ରାଇଜରେ ଥାଇ ତାଙ୍କ ଆତ୍ମା ପୁଣି ଥରେ ପଚାରୁଛି ତାଙ୍କ ଭଳି ଏଭଳି ଅନୀତି ଓ ଅନ୍ୟାୟର ଶିକାର ନହୁଅନ୍ତୁ ଆଉ କେହି ସୌମ୍ୟାଶ୍ରୀ । ଗତକାଲି ଏମସରେ ଆଖିବୁଜିବା ପରେ ଏକ ଶୋକାକୁଳ ପରିବେଶରେ ସେ ପଞ୍ଚଭୂତରେ ଲୀନ ହୋଇଛନ୍ତି ।

କେତେ ଭିଡ଼, କେତେ କୋଳାହଳ । କେତେ ବିରୋଧ, କେତେ ଚିତ୍କାର । ସବୁକୁ ପଛରେ ଛାଡ଼ି ସୌମ୍ୟାଶ୍ରୀଙ୍କ ପୋଡ଼ିଯାଇଥିବା ନିର୍ଜିବ ଶବକୁ ନେଇ ପାହାନ୍ତିଆର ମିଞ୍ଜି ମିଞ୍ଜି ଅନ୍ଧାରରେ ମହାପ୍ରାୟାଣ ଗାଡ଼ି ଛାଡ଼ିଲା ଭୁବନେଶ୍ବର ଏମ୍‌ସ ପରିସର । ଗାଁ ମାଟି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ପଳାସିଆ ଅଭିମୁଖେ ଗାଡି ସିନା ଯାଉଥିଲା ହେଲେ ସାରା ରାଜ୍ୟର ନିଦ ମଳମଳ ଆଖିରୁ ଯେମିତି ଲୁହ ଝରୁଥିଲା । ଠିକ୍‌ ସେମିତି ବାଟସାରା ରହି ରହି ଲୁହ ଢାଳୁଥିଲା ଆକାଶ । କେବେ ସୋର, କେବେ ବାହାନଗା, କେବେ ବାଲେଶ୍ବର ଦେଇ ଗଲାବେଳେ ରାସ୍ତାସାରା ଆକାଶର ଲୁହରେ ପରିଷ୍କାର ଭାବେ ଧୋଇ ହୋଇ ରହିଥିଲା ରାସ୍ତା । ସତେ ଯେମିତି ପାଛୋଟି ନେବାକୁ ନିଜକୁ ପ୍ରସ୍ତୁତ କରିଥିଲା କଳା ମଚମଚ ରାଜପଥ । କିଏ କେଉଁଠି ମହାପ୍ରୟାଣ ଗାଡ଼ିକୁ ଅଟକାଇ ଫୁଲ ଦେଉଥିଲା ତ କିଏ ଗାଡ଼ିକୁ ସଜେଇ ଦେଉଥିଲା । ଭୋଗରାଇ ମାଟିର ଗେହ୍ଲା ଝିଅ । ସର୍ବଗୁଣ ସମ୍ପର୍ଣ୍ଣା ସୌମ୍ୟାଶ୍ରୀ ପରା ଫେରୁଛି । ଅବଶ୍ୟ ଶବ ହୋଇ । ଆଗରେ ପଛରେ କେତେ ଗାଡ଼ି । ନେତା, ସାମ୍ବାଦିକ, ଅଫିସର । ନିର୍ଜିବ ହୋଇଥିଲେ ବି ସୌମ୍ୟାଶ୍ରୀର ଶବ ବୋଧେ ବୁଝିପାରୁଥିଲା ସବୁ ଫନ୍ଦି । ହଉ ଜୀବନ ଥିଲା ବେଳେ ନ ହେଲା ନାହିଁ, ମରିଗଲା ପରେ ତ ମିଳୁଛି ସମ୍ମାନ । ବୋଧେ ସେଇ ହକ ଟିକକ ପାଇଁ ନିଜକୁ ଜଳି ପୋଡ଼ି ଦେଇଥିଲା ସେ ।

ଏବେ ଶବ ବାହକ ଗାଡ଼ି ପହଞ୍ଚିଲା ଗାଁ ମୁଣ୍ଡରେ । ଏଇ ମାଟିରେ ପହଞ୍ଚିଗଲେ କେତେ ତୃପ୍ତି ମିଳେ ସତରେ । ସବୁଥର ବାଲେଶ୍ବର ଗାଁକୁ ଫେରିଲେ ସେ ହୋଇଯାଉଥିଲା ଅକୁତୋଭୟ । ଆଜି ବି ସେମିତି । ସତୃଷ୍ଣ ନୟନ ସବୁ ଚାହିଁ ବସିଛି ତା’ର ଝଲକଟିଏ ଦେଖିବାକୁ । କିଏ ବାଉଁଶବାନ୍ଧି କୋକେଇ ସଜାଡ଼ୁଛି ଥିଲା ତ କିଏ କଦଳୀ ଗଛ କାଟି ପ୍ରସ୍ତୁତ କରୁଛି ଶବ ପାଇଁ ଶୋଭାଯାତ୍ରା । ନିଜ ଗାଁ ମଶାଣି, ଘରଠୁ ଅଳ୍ପବାଟରେ । ମହାପ୍ରୟାଣ ଗାଡ଼ିରୁ ତା’ ଶବକୁ ବାହାର କରି କୋକେଇରେ ଶୁଆଇ ଦିଆଗଲା । ଶବଧାର ଉପରେ ଫୁଲର ପସରା । ହଜାର ହଜାର ଲୋକଙ୍କ ଗହଳି ଭିତରେ କାନ୍ଧକୁ ଉଠିଲା କୋକେଇ । ହରିରାମ ସତ୍ୟ ହେ, ରାମନାମ ସତ୍ୟ ହେ… ମଶାଣିରେ ଆଗରୁ ସଜଡ଼ା ହୋଇ ରହିଥିଲା ଜୁଇ । ଶୁଆଇ ଦେଲେ ତା’ ଉପରେ । ଆଉ ତା’ପରେ ଅତି ସ୍ନେହର ଭାଇ ଛଳ ଛଳ ଆଖି ଟଳମଳ ପାଦରେ ଦେଲା ମୁଖାଗ୍ନି ।

ଜନ୍ମମାଟିରେ ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର, ସାନ ଭାଇ ଦେଲା ମୁଖାଗ୍ନି

ନନ୍ଦିଘୋଷ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଏମସରେ ଆଖି ବୁଜିଲେ ସୌମ୍ୟାଶ୍ରୀ । ରାତି ୧୧ଟା ୪୬ରେ ବିୟୋଗ ହୋଇଥିବା ଏମ୍ସ ପକ୍ଷରୁ ଘୋଷଣା କରାଯାଇଛି । ସେଠାରେ ରାତାରାତି ଶବ ବ୍ୟବଚ୍ଛେଦ ପରେ ତାଙ୍କ ମରଶରୀରକୁ କଡ଼ା ସୁରକ୍ଷାରେ ଗାଁକୁ ନିଆଯାଥିଲା । ଭୋଗରାଇ ପଳାସିଆରେ ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର ହୋଇଛି । ସାନ ଭାଇ ସୌମ୍ୟାଶ୍ରୀଙ୍କୁ ମୁଖାଗ୍ନି ଦେଇଥିଲେ ।

ନ୍ୟାୟ ଦାବି କରି ବିଫଳ ହେବା ପରେ ଗତ ୧୨ ତାରିଖ ଶନିବାର କଲେଜ ପରିସରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ସୌମ୍ଯାଶ୍ରୀ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଥିଲା । ଆତ୍ମାହୁତିରେ ତାଙ୍କ ଶରୀରର ୯୫ ପ୍ରତିଶତ ଜଳି ଯାଇଥିଲା । ୮ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମର ଚେଷ୍ଟା ସତ୍ତ୍ବେ ୧୪ ତାରିଖ ରାତି ୧୧ଟା ୪୬ରେ ତାଙ୍କର ମୃତ୍ୟୁ ଘଟିଥିଲା ।

ରାତି ଅଧିଆ ବ୍ୟବଚ୍ଛେଦକୁ ବିରୋଧ

ତେବେ ରାତି ଅଧରେ ପୋଷ୍ଟମର୍ଟମକୁ ନେଇ ହସ୍ପିଟାଲ ପରିସରରେ ପ୍ରବଳ ହଙ୍ଗାମା ହୋଇଥିଲା । ଲୁଚାଇ ଛପାଇ ରାତି ଅଧରେ ଶବ ବ୍ୟବଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ବିଜେଡି ଏବଂ କଂଗ୍ରେସର ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଥିଲେ । ଶବ ବ୍ୟବଚ୍ଛେଦ ଗୃହ ଆଗରେ ସେମାନେ ବିକ୍ଷୋଭ କରିବା ସହ ଧାରଣାରେ ବସି ରହିଥିଲେ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏମସକୁ ପୋଲିସ ଛାଉଣି କରାଯାଇଥିଲା । ନିଜେ ଡିସିପି ଜଗମୋହନ ମୀନା ସେଠାରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ ।

କେହି ଶୁଣିଲେନି ଆକୁଳ ନିବେଦନ

ଇଣ୍ଟିଗ୍ରେଟଡ ବିଏଡ କରୁଥିବା ସୌମ୍ୟାଶ୍ରୀଙ୍କୁ ତାଙ୍କ ଏଚଓଡି ସମୀର ସାହୁ ତାଙ୍କୁ ଫେଭର ମାଗୁଥିବା ବେଳେ ସେ କିନ୍ତୁ ଏହାକୁ ଏଡାଇ ଆସୁଥିଲେ । ସ୍ଥିତି ଏପରି ହେଲା ଯେ, ଶେଷରେ ସେ ବାଧ୍ୟ ହୋଇ ନ୍ୟାୟ ପାଇବା ଲାଗି ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସ୍ଥାନୀୟ ସାଂସଦଙ୍କ ନିକଟରେ ଅନୁରୋଧ କରିଥିଲେ । ହେଲେ କେହି ପୀଡ଼ିତାଙ୍କ ଆକୁଳ ନିବେଦନ ଶୁଣି ନଥିଲେ । ଶେଷରେ ସେ ଚରମ ନିଷ୍ପତ୍ତି ନେଇ ନିଜକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

ପୃଥିବୀକୁ ଫେରିଲେ ମହାକାଶଚାରୀ ଶୁଭାଂଶୁ: ଜାଣନ୍ତୁ, ସାଙ୍ଗରେ କ’ଣ ଆଣିଛନ୍ତି ଓ କେମିତି ଥିଲା ଲ୍ୟାଣ୍ଡିଂ

ନନ୍ଦିଘୋଷ ବ୍ୟୁରୋ: ୧୮ ଦିନ ମହାକାଶରେ ରହିବା ପରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ପୃଥିବୀକୁ ଫେରିଛନ୍ତି । ଜୁଲାଇ ୧୫ ଅପରାହ୍ନ ୩ଟାରେ ଅନ୍ତରାଷ୍ଟ୍ରୀୟ ଅନ୍ତରିକ୍ଷ ଷ୍ଟେସନ (ଆଇସିସି)ରୁ ଫେରି ପୃଥିବୀରେ ପାଦ ରଖି ଇତିହାସ ରଚିଛନ୍ତି ଭାରତୀୟ ମହାକାଶଚାରୀ ଗ୍ରରପ୍ କ୍ୟାପଟେନ ଶୁଭାଂଶୁ । ଏହା ତାଙ୍କର ପ୍ରଥମ ଅନ୍ତରି’ ଯାତ୍ରା ଥିଲା ଯାହା ଏକ୍ସିଓମ ମିଶନ-୪ (Ax-4)ର ଏକ ଅଂଶ ଥିଲା । ଶୁଭାଂଶୁ ସ୍ପେସଏକ୍ସର ଗ୍ରେସ୍ ଯାନରେ ପୃଥିବୀକୁ ଫେରିଛନ୍ତି । ଯାହା କାଲିଫର୍ଣ୍ଣିଆ ନିକଟରେ ପ୍ରଶାନ୍ତ ମହାସାଗରରେ ଲ୍ୟାଣ୍ଡ କରିଥିଲା । ଶୁଭାଂଶୁଙ୍କ ସମେତ ୪ ଜଣ ମହାକାଶଚାରୀ ପୃଥିବୀକୁ ଫେରିଛନ୍ତି । ଏବେ ଆସନ୍ତୁ ଜାଣିବା ଏମାନେ ଫେରିବା ବେଳର ସମୟ କେମିତି ଥିଲା । ମହାକାଶରୁ ଏମାନେ ସାଙ୍ଗରେ କ’ଣ ଆଣିଛନ୍ତି ।

ସୂଚନାଯୋଗ୍ୟ, ଶୁଭାଂଶୁ ଜୁନ ୨୫ରେ ଫାଲକନ-୯ ରକେଟରେ ଯାଇ ତା’ ପରଦିନ ଆଇସିସିରେ ପହଞ୍ଚି ଥିଲେ । ଏହି ସମୟରେ ସେ ୬୦ରୁ ଅଧିକ ବୈଜ୍ଞାନିକ ପ୍ରୟୋଗ କରିଥିଲେ । ଯେଉଁଥିରେ ମାଂସପେଶୀ ହାନୀ, ମାନସିକ ସ୍ବାସ୍ଥ୍ୟ ଓ ଅନ୍ତରି’ରେ ଚାଷ ପରି ବୈଜ୍ଞାନିକ ପ୍ରୟୋଗ କରିଥିଲେ ।

ଜୁଲାଇ ୧୪ରେ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪ଟା ୪୫ରେ ଗ୍ରେସ ଯାନରେ ଆଇସିସିରୁ ଅଲଗା ହୋଇ ପୃଥିବୀ ଆଡକୁ ଅଗ୍ରସର ହୋଇଥିଲେ । ଲ୍ୟାଣ୍ଡିଂ ସମୟରେ ଗ୍ରେସ ଯାନ ଏକାଧିକ ପର୍ଯ୍ୟାୟ ଦେଇ ଗତି କରିଥିଲା ।

ଲ୍ୟାଣ୍ଠିଂର ରୋମାଞ୍ଚ

ଗ୍ରେସ ଯାନ ଲ୍ୟାଣ୍ଡିଂ ପୂର୍ବରୁ ଏକ ଜୋରଦାର ସୋନିକ ବୁମ୍ ଶୁଣିବାକୁ ମିଳିଥିଲା । ଯାହା ଏହାର କ୍ଷୀପ୍ର ଗତିର ସଙ୍କେତ ଥିଲା । ଲ୍ୟାଣ୍ଡିଂ ସମୟରେ ଯୋଗାଯୋଗ କିଛଇ ସମୟ ପାଇଁ ବନ୍ଦ ହୋଇଯାଇଥିଲା । କାରଣ ପ୍ଲାଜମା ସ୍ତର ସିଗନାଲକୁ ବ୍ଲକ କରୁଥିଲା । ହେଲେ ଉଦ୍ଧାରକାରୀ ଟିମଙ୍କ ଡଙ୍ଗା ଓ ହେଲିକପ୍ଟର ତୁରନ୍ତ ଆକ୍ଟିଭ ହୋଇଯାଇଥିଲା । ଏହାପରେ ଶୁଭାଂଶୁଙ୍କ ସମେତ ୪ ଜଣ କ୍ରୁ ମେମ୍ବର ସୁରକ୍ଷିତ ବାହାରକୁ ଆସିଥିଲେ ।

ସାଙ୍ଗରେ କ’ଣ ଆଣିଛନ୍ତି ଶୁଭାଂଶୁ

ଶୁଭାଂଶୁଙ୍କୁ ନେଇ ଫେରିଥିବା ଗ୍ରେସ ଯାନ ସାଙ୍ଗରେ ୫୮୦ ପାଉଣ୍ଡ (ପ୍ରାୟ ୨୬୩ କେଜି) ଓଜନର ସାମଗ୍ରୀ ଆଣିଛନ୍ତି । ଏଥିରେ ନାଶର ହାର୍ଡଓ୍ବେର, ପ୍ରୟୋଗ ଡାଟା, ଓ ଆଇସିସିରୁ କିଛି ଅଳିଆ ରହିଛି । ତେବେ ଶୁଭାଂଶୁ ସାଙ୍ଗରେ ଆଣିଥିବା ଅନ୍ତରିକ୍ଷ ଡାଟା ମାନବ ଜୀବନ ଓ ବିଜ୍ଞାନକୁ ବୁଝିବାକୁ ସହାୟକ ହେବ । ଏହି ଗସ୍ତ ସମୟରେ ଶୁଭାଂଶୁ ତ୍ରିରଙ୍ଗା ଓ ତାଙ୍କ ପୁଅର ଖେଳନା ହଂସକୁ ସାଙ୍ଗରେ ନେଇଥିଲେ ।

ଅବତରଣ ପରେ ଶୁଭାଂଶୁ ଓ ତାଙ୍କ ସହଯୋଗୀଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଛି । ଏମାନେ ପ୍ରାୟ ୧୦ ଦିନ କ୍ବାରେଣ୍ଟାଇନରେ ରହିବେ । ଏହି ସମୟରେ ତାଙ୍କ ଉପରୁ ଅନ୍ତରିକ୍ଷ ପ୍ରଭାବ କମିବ । ଏହି ସମୟରେ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯିବ । ଏହା ଭାରତ ପାଇଁ ଏକ ମାଇଲ ଖୁଣ୍ଟ ପରି । ଯାହା ଗଗନଯାନ ଏବଂ ଭବିଷ୍ୟତର ଅନ୍ତରିକ୍ଷ ଅଭିଯାନ ପାଇଁ ପ୍ରେରଣା ଦେବ । ଏହି ଅବସରରେ ଶୁଭାଂଶୁ କହିଛନ୍ତି, ଅନ୍ତରିକ୍ଷରେ ଭାରତର ପତାକା ଉଠାଇବା ଗର୍ବର ବିଷୟ । ଏହା ନୂଆ ଆରମ୍ଭର ପ୍ରସ୍ତୁତି ।

ସୌମ୍ୟାଶ୍ରୀ ଆତ୍ମହତ୍ୟା ମାମଲା: ମୁହଁ ଖୋଲିଲା ଆଭ୍ୟନ୍ତରୀଣ ଅଭିଯୋଗ କମିଟି

ନନ୍ଦିଘୋଷ ବ୍ୟୁରୋ: ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଛି କଲେଜରେ ତଦନ୍ତ କରୁଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ଏଚଓଡି ସମୀର ସାହୁ ମାନସିକ ନିର୍ଯାତନା ସହ ଫେଭର ମାଗୁଥିବା ଅଭିଯୋଗର ତଦନ୍ତ କରୁଥିଲା ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ସୌମ୍ୟାଶ୍ରୀ ଏବଂ ଅନେକ ଛାତ୍ରୀଙ୍କ ଅଭିଯୋଗ ଆଧାରରେ  ଏଚଓଡି ସମୀର ସାହୁଙ୍କୁ ପଦରୁ ହଟେଇବାକୁ କମିଟି ସୁପାରିସ କରିଥିଲା। ହେଲେ  ଅଧ୍ୟକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ସୌମ୍ୟାଶ୍ରୀ ମାନସିକ ଭାବେ ଆଘାତପ୍ରାପ୍ତ ହୋଇ ଆତ୍ମାହୂତି ଦେଇଥାଇ ପାରନ୍ତି ବୋଲି କମିଟି କହିଛି ।

ଗତ ୩୦ ତାରିଖରେ ସୌମ୍ୟାଶ୍ରୀଙ୍କୁ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲେ ଅଭିଯୁକ୍ତ ବିଭାଗୀୟ ମୁଖ୍ୟ ସମୀର ସାହୁ । ଏନେଇ ସୌମ୍ୟାଶ୍ରୀ ସମୀରଙ୍କ ବିରୋଧରେ ମାନସିକ ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହାର ତଦନ୍ତ ପାଇଁ ଜୁଲାଇ ୧ ତାରିଖରେ ଅଧ୍ୟକ୍ଷ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିଥିଲେ । ୩ ତାରିଖରୁ କମିଟି ତଦନ୍ତ ଆରମ୍ଭ କରି ୯ ତାରିଖ ରାତି ପ୍ରାୟ ୯ଟା ବେଳେ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେଇଥିଲା । ସୌମ୍ୟାଶ୍ରୀ ଆଣିଥିବା ମାନସିକ ନିର୍ଯାତନା ଅଭିଯୋଗ ନେଇ କମିଟି ତାଙ୍କ ଶ୍ରେଣୀର ଅନ୍ୟ ଛାତ୍ରୀଙ୍କୁ ମଧ୍ୟ ଜେରା କରିଥିଲା । ଅନ୍ୟ ଛାତ୍ରୀମାନେ ମଧ୍ୟ ବିଭାଗୀୟ ମୁଖ୍ୟଙ୍କ କଠୋର ଅଭିମୁଖ୍ୟ ଉପରେ ଆପତ୍ତି ଉଠାଇଥିଲେ । କ୍ଲାସକୁ ସାମାନ୍ୟ ବିଳମ୍ବ ହେଲେ ୪୫ ମିନିଟ ଧରି ଶ୍ରେଣୀଗୃହ ବାହାରେ ଛିଡା କରାଇ ଦେଉଥିଲେ ବିଭାଗୀୟ ମୁଖ୍ୟ । ସେହିଭଳି ସୌମ୍ୟାଶ୍ରୀ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗର କୌଣସି ପ୍ରତ୍ୟକ୍ଷ ପ୍ରମାଣ ନଥିଲା । କିନ୍ତୁ ଏଚଓଡିଙ୍କ କଠୋର ଆଭିମୁଖ୍ୟକୁ ନେଇ ପ୍ରାୟ ଅଧିକାଂଶ ଛାତ୍ରୀ ଆପତ୍ତି କରିଥିବାରୁ ତାଙ୍କୁ ତୁରନ୍ତ ଏଚଓଡି ପଦରୁ ହଟେଇବାକୁ କମିଟି ସୁପାରିଶ କରିଥିଲା । ଏଥିସହିତ ଅଧ୍ୟାପକ ସମୀର ସାହୁଙ୍କ ମଧ୍ୟ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣି ଛାତ୍ରୀଙ୍କ ମାନସିକତା ଅନୁଯାୟୀ ପାଠ ପଢାଇବାକୁ କମିଟି ପରାମର୍ଶ ଦେଇଥିଲା । କିନ୍ତୁ ଅଧ୍ୟକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଯାହାକୁ ନେଇ ସୌମ୍ୟାଶ୍ରୀ ମାନସିକ ଭାବେ ଆଘାତପ୍ରାପ୍ତ ହୋଇଥାଇପାରନ୍ତି ବୋଲି କମିଟି ସଦସ୍ୟ କହିଛନ୍ତି ।