spot_img
Home Blog Page 5745

ପିପିଲି ଉପନିର୍ବାଚନ ଲାଗି ସାନି ତାରିଖ ଘୋଷଣା, ମେ’ ୧୩ରେ ମତଦାନ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଲାଗି ସାନି ତାରିଖ ଘୋଷଣା ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାନି ତାରିଖ ଘୋଷଣା କରିଛନ୍ତି । ମେ’ ୧୩ରେ ପିପିଲିରେ ଭୋଟ୍ ଗ୍ରହଣ ହେବ । ଏପ୍ରିଲ୍ ୨୬ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବେ । ୨୭ରେ ସ୍କ୍ରୁଟିନିଂ ପରେ ୨୯ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରି ହେବ । ତା’ପରେ ମେ’ ୧୩ରେ ଭୋଟ୍ ଗ୍ରହଣ ହୋଇ ୧୮ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ । ତେବେ, ମେ’ ୧୮ ପୂର୍ବରୁ କେବେ ଭୋଟ୍ ଗଣତି ହେବ ସେନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପରେ ସୂଚନା ଦେବେ ।

ପିପିଲି ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଉପନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ମତଦାନକୁ ମାତ୍ର ୩ ଦିନ ଥିବାବେଳେ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ଫଳରେ ଉପନିର୍ବାଚନକୁ ସ୍ଥଗିତ ରଖିଥିଲେ ରିଟର୍ଣ୍ଣିଂ ଅଫିସର । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ଜଣାଇଥିଲେ ।

ଉପନିର୍ବାଚନ ସ୍ଥଗିତ ରହିଥିବା ବେଳେ ପୂର୍ବ ନିର୍ଦ୍ଧାରିତ ନିର୍ବାଚନ ତାରିଖରେ ନୂଆ ମତଦାନ ଘୋଷଣା କରାଯାଇଛି । ବିଜେଡି ଟିକେଟରୁ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଲଢ଼ୁଥିବା ବେଳେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ମୈଦାନରେ ଅଛନ୍ତି । ଏବେ କଂଗ୍ରେସ ପୁଣିଥରେ ପ୍ରାର୍ଥୀ ଦେବ । ତେବେ କିଏ ହେବ କଂଗ୍ରେସ ପ୍ରାର୍ଥୀ । ସେନେଇ ଦଳ କୌଣସି ନିଷ୍ପତ୍ତି ନେଇ ନଥିବା ବେଳେ ଦିବଙ୍ଗତ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପତ୍ନୀ ବନ୍ଦନକୁ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏଥିସହ ପଢ଼ନ୍ତୁ- ପିପିଲି ପାଇଁ କଂଗ୍ରେସ କାହାକୁ କରିବ ପ୍ରାର୍ଥୀ, ଦିବଙ୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କୁ ନେଇ ଚର୍ଚ୍ଚା

ଟିକାକରଣ ମଧ୍ୟରେ ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ନିୟୁତ ପାର

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢ଼ିବା ସହ ଆଜି ବିଶ୍ବରେ କରୋନାଜନିତ ମୃତ୍ୟୁସଂଖ୍ୟା ୩ ନିୟୁତ ଟପିଛି। ଟିକାକରଣ ସତ୍ତ୍ବେ ଲୋକେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ିଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଲୋକଙ୍କ ମୃତ୍ୟୁସଂଖ୍ୟା ୟୁକ୍ରେନର ଓ କୀବର ଜନସଂଖ୍ୟା ସହିତ ସମାନ। ଏହା ଚିକାଗୋ ଜନସଂଖ୍ୟା (୨.୭ ମିଲିୟନ୍) ଠାରୁ ଅଧିକ ଏବଂ ଫିଲାଡେଲଫିଆ ଏବଂ ଡାଲାସ୍ ସହିତ ସମାନ। ତେବେ ଅନେକ ଦେଶର ସରକାର କରୋନା ତଥ୍ୟ ଲୁଚାଉଥିବାରୁ ପ୍ରକୃତ ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି ବିଶ୍ବାସ କରାଯାଉଛି, କାରଣ ୨୦୧୯ର ଶେଷରେ ଚୀନର ଊହାନରେ ଆରମ୍ଭ ହୋଇଥିବା ଏହି ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ମାମଲାକୁ ଅଣଦେଖା କରାଯାଇଥିଲା।

ଗତ ୨୪ଘଣ୍ଟାରେ କେବଳ ଭାରତରେ ୨,୩୪,୬୯୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧,୩୪୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୪୫,୨୬,୬୦୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୧,୩୪୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୫,୬୪୯ରେ ପହଞ୍ଚିଛି। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୬,୭୯,୭୪୦।

ଟ୍ରେନ୍ ଏବଂ ଷ୍ଟେସନ୍ ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର: ଟ୍ରେନ୍ ଏବଂ ଷ୍ଟେସନ୍ ଗୁଡିକରେ ମାସ୍କ ପିନ୍ଧିନଥିବା ବ୍ୟକ୍ତି ମାନଙ୍କ ଠାରୁ ଜୋରିମନା ଆଦାୟ କରାଯିବ । କୋଭିଡ୍ – ୧୯ ମହାମାରୀ ସମୟରେ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ ସାଧାରଣ ଜନତା ବିଶେଷକରି ଟ୍ରେନ୍ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀମାନେ ଷ୍ଟେସନ୍ ପରିସରରେ ଏବଂ ଟ୍ରେନ୍ ଯାତ୍ରା ସମୟରେ ବାଧ୍ୟତାମୂଳକ ଭାବରେ ଫେସ୍ ମାସ୍କ ପିନ୍ଧି କୋଭିଡ ନିୟମାବଳୀ ଅନୁସରଣ କରିବାକୁ ରେଳବାଇ ପକ୍ଷରୁ ନିବେଦନ କରାଯାଇଅଛି |

ରେଳ ପରିସର ପ୍ରବେଶ କରିବା ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ଯଦି କୌଣସି ବ୍ୟକ୍ତି କିମ୍ବା ରେଳ ବ୍ୟବହାରକାରୀ କିମ୍ବା ରେଳ ଯାତ୍ରୀ ମାସ୍କ ନପିନ୍ଧନ୍ତି କିମ୍ବା ସଠିକ ଭାବେ ମାସ୍କ ବ୍ୟବହାର କରୁନଥାନ୍ତି ତାହେଲେ ସେମାନେ ଛେପ ପକାଇବା ଏବଂ ସମାନ ପ୍ରକୃତିର କାର୍ଯ୍ୟ ଯାହାକି ଅପରିଷ୍କାର କରିବା କିମ୍ବା ଅପରିଷ୍କାର ପରିସ୍ଥିତି ସୃଷ୍ଟି କରି ସାଧାରଣ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ନିୟମ ଆଧାରରେ ପରିଗଣିତ ହେବେ | କୋଭିଡ ମହାମାରୀଙ୍କୁ ନିୟନ୍ତ୍ରଣ କରିବାକୁ ଷ୍ଟେସନ ପରିସରରେ ଏବଂ ଟ୍ରେନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ଜରୁରୀ ଅଟେ ଏବଂ ରେଳବାଇ ପକ୍ଷରୁ ଏହାକୁ ବାଧ୍ୟତାମୂଳକ କରାଯାଇଅଛି |

ତେଣୁ ରେଳ ପରିସର ଏବଂ ଟ୍ରେନରେ ସମସ୍ତ ବ୍ୟକ୍ତି ବିଶେଷ ଭାବେ ରେଳବ୍ୟବହାରକାରୀ ଏବଂ ଯାତ୍ରୀ ମାନେ ମାସ୍କ ପିନ୍ଧିବା ନିଶ୍ଚିତ କରିବାକୁ ରେଳବାଇ ପକ୍ଷରୁ ରେଳ ପରିସର ଏବଂ ଟ୍ରେନରେ ମାସ୍କ ନ ପିନ୍ଧିଥିବା ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି |

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ବିଭାଗ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ରେଳବାଇ ମଧ୍ୟ ଷ୍ଟେସନ ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ଏହି ନିର୍ଦ୍ଦେଶାବଳୀକୁ ଅନୁସରଣ କରିବା ପାଇଁ ପଦକ୍ଷେପ ନେଇଛି |

ପୂର୍ବତଟ ରେଳପଥ ଏହାର ସମସ୍ତ ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କୁ ଷ୍ଟେସନ ପରିସର ଏବଂ ଟ୍ରେନରେ ଫେସ୍ ମାସ୍କ କିମ୍ବା ଫେସ୍ କଭର ପିନ୍ଧିବା ପାଇଁ ତଥା କରୋନା ଭୁତାଣୁକୁ ସଂକ୍ରମଣ ନକରାଇବା ପାଇଁ / ଅପରିଷ୍କାର ପରିସ୍ଥିତି ସୃଷ୍ଟି ନକରିବାକୁ ନିବେଦନ କରୁଛି ଯାହା ଦ୍ୱାରା ଜୀବନ / ଜନସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଥିବା ମହାମାରୀଙ୍କୁ ଏଡାଇଦିଆଯାଇହେବ |

ପିପିଲି ପାଇଁ କଂଗ୍ରେସ କାହାକୁ କରିବ ପ୍ରାର୍ଥୀ, ଦିବଙ୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର/ପିପିଲି: ଆଜି ପିପିଲି ଉପନିର୍ବାଚନ ପାଇଁ ଭୋଟିଂ ହୋଇଥାନ୍ତା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରହିଛି । ଏହା ଭିତରେ ନୂଆ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି କଂଗ୍ରେସ । ଅଧିକାଂଶ ମତ ଅଜିତଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କ ସପକ୍ଷରେ ଥିବା ସୁରେଶ ରାଉତରାୟ କହିଛନ୍ତି । ସେପଟେ ପ୍ରଚାର ବନ୍ଦ ସତ୍ତ୍ୱେ ଲୋକଙ୍କ ପାଖରେ ପହଞ୍ଚୁଥିବା ବିଜେପି ଓ ବିଜେଡି କହିଛନ୍ତି, ଭୋଟ୍‌ ବିଳମ୍ବ ହେଲେ ବି ଜନମତ ପ୍ରଭାବିତ ହେବନାହିଁ ।

ପିପିଲି ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ଦିବଙ୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା । ତାଙ୍କୁ ପ୍ରାର୍ଥୀ କରିବା ନେଇ କଂଗ୍ରେସ କସରତ ଆରମ୍ଭ କରିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଦଳ ଭିତରେ ବନ୍ଦନାଙ୍କ ପାଇଁ ସମର୍ଥନ ବଢୁଛି । ବନ୍ଦନା ପ୍ରାର୍ଥୀ ହେଲେ କଂଗ୍ରେସ କର୍ମୀ ନିଜ ହାତରୁ ଉପନିର୍ବାଚନ ପାଇଁ ଖର୍ଚ୍ଚ କରିବେ । ରାହୁଲ ଗାନ୍ଧୀ ବି ଏନେଇ ବନ୍ଦନାଙ୍କ ସହ କଥା ହୋଇଥିବା ସୂଚନା ମିଳିଛି । ସ୍ବାମୀ ଅଜିତଙ୍କୁ ହରାଇବା ସହ ଶାଶୂଙ୍କୁ ବି ହରାଇଛନ୍ତି ବନ୍ଦନା । ବନ୍ଦନାଙ୍କ ସଂଗଠନ ଭଲ ଓ ଲୋକଙ୍କ ସହାନୁଭୂତି ମିଳିବ ବୋଲି କଂଗ୍ରେସ କହୁଛି । ସେପଟେ ଭୋଟ୍ ଗ୍ରହଣ ବିଳମ୍ବ ହେଲେ ବି ଜନମତ ପ୍ରଭାବିତ ହେବନାହିଁ ବୋଲି ଅନ୍ୟ ପ୍ରାର୍ଥୀ କହିଛନ୍ତି ।

 

ପ୍ରଚାର ବନ୍ଦ ଅଛି ହେଲେ ଗାଁ, ୱାର୍ଡ ଓ ପଞ୍ଚାୟତର ଦଳୀୟ ଶିବିରରେ ନେତା ଓ କର୍ମୀ ବସାଉଠା କରୁଛନ୍ତି । ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝୁଛନ୍ତି । ଏହା ବିଜୟ ପଥକୁ ସୁଗମ କରିବ ବୋଲି ବିଜେଡି ଦାବି କରିଛି । ସେପଟେ ପ୍ରତି ଗାଁରେ ଦଳର କର୍ମୀ ଥିବା ବିଜେପି କହିଛି । ଯାହା ପରିବର୍ତ୍ତନ ଆଣିବ ବୋଲି ଦଳୀୟ ନେତା ଆକଳନ କରିଛନ୍ତି । ତେବେ ଚୂଡ଼ାନ୍ତ ମତ ପିପିଲି ଜନସାଧାରଣ ଦେବେ ।

ସ୍ୱାମୀ ଓ ଶାଶୂଙ୍କୁ ହରାଇଛନ୍ତି ବନ୍ଦନା । ବାପାଙ୍କୁ ହରାଇଛନ୍ତି ରୁଦ୍ର । ବନ୍ଦନା ପ୍ରାର୍ଥୀ ହେଲେ ପିପିଲି ଓ ଡେଲାଙ୍ଗର ଅନୁକମ୍ପା ଭୋଟ୍‌ କାହା ଆଡ଼କୁ ଯିବ, ତାହା ଚର୍ଚ୍ଚାର ବିଷୟ ହୋଇଛି ।

ଭୋପାଳ: ହସ୍ପିଟାଲରୁ ୮୦୦ରୁ ଅଧିକ ରେମଡେସିଭିର ଇଞ୍ଜେକ୍ସନ ଚୋରି

ଭୋପାଳ: ଦେଶରେ କରୋନା ମାମଲା ଲଗାତାର ବଢୁଥିବା ନଜର ଆସୁଛି । କରୋନାରୁ ବଞ୍ଚିବା ପାଇଁ ଲୋକ ଭ୍ୟାକ୍ସିନ ଉପରେ ନିର୍ଭରଶୀଳ ହୋଇ ପଡ଼ିଛନ୍ତି । ଯେଉଁଥିରେ ରେମଡେସିଭିରର ଚାହିଦା ଯଥେଷ୍ଟ ବଢି ଯାଇଛି । କେତେକ ସ୍ଥାନରେ ଟିକା ଚୋରି ହେଉଥିବା ଘଟଣା ସାମ୍ନାକୁ ଆସୁଛି । ନୂଆ ମାମଲା ଏବେ ଭୋପାଳର । ଯେଉଁଠାରେ ହମିଦିୟା ଅସ୍ପିଟାଲରୁ ରେମଡେସିଭିର ଚୋରି ହୋଇଛି  ।

ରାଜଧାନୀ ଭୋପାଳର ହମିଦିୟା ହସ୍ପିଟାଲରୁ ଚୋରି ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୮୧୬ ରେମଡିସଭିର ଇଞ୍ଜେକ୍ସନ ଚୋରି ହୋଇଥିବା ଆଶଙ୍କା କରାଯାଉଛି । ରିପୋର୍ଟ କହୁଛି କିଛି ଦିନ ପୂର୍ବରୁ ଭୋପାଳରେ ରେମଡେସିଭିରର ନୂଆ ଷ୍ଟକ୍‌ଆସିଥିଲା । ଯାହାକୁ ନେଇ ତଦନ୍ତ କରୁଛି କୋହେଫିଜା ପୋଲିସ୍‌। ଚୋରି ଘଟଣା ସାମ୍ନାକୁ ଆସିବା ପରେ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଏବଂ ଡିଆଇଜି ଇରଶାଦ ବଲି ମଧ୍ୟ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ ମଧ୍ୟପ୍ରଦେଶରେ ରେମଡେସିଭିର ଇଞ୍ଜେକ୍ସନ ଚୋରିର ଏହା ପ୍ରଥମ ମାମଲା । ଏହା ଗମ୍ଭୀର ମାମଲା ବୋଲି କହିଛନ୍ତି ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ।

ଦେଶସାରା ରେମଡେସିଭିର ଇଞ୍ଜେକ୍ସନର ଚାହିଦା ବଢି ଯାଇଛି । ଅବଶ୍ୟ କେତେକ ସ୍ଥାନରେ ଏହାର କଳାବଜାରୀ ହେଉଥିବା ମଧ୍ୟ କୁହାଯାଉଛି । କିନ୍ତୁ ପ୍ରଶାସନ ଏହାକୁ ନେଇ ଆଲର୍ଟ ହୋଇ ଯାଇଛି ଏବଂ ଦୋଷୀ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ନିକଟ ଅତୀତରେ ଉତ୍ତର ପ୍ରଦେଶର ସ୍ପେଶାଲ ଟାସ୍କ ଫୋର୍ସ କାନପୁରର କିଦବଇ ନଗରରୁ ତିନି ଜଣଙ୍କୁ ଗିରଫ କରିଛି । ଏମାନେ ରେମଡେସିଭିର ଚୋରା ଚାଲଣ କରୁଥିଲେ । ଏମାନଙ୍କ ଠାରୁ ୨୫୦ ଇଞ୍ଜେକ୍ସନ ଜବତ କରାଯାଇଛି ।

ରାତ୍ରୀକାଳୀନ କର୍ଫ୍ୟୁ ପରେ ବଦଳିଲା ‘ମୋ ବସ୍’ ସମୟ

ଭୁବନେଶ୍ୱର: ନାଇଟ୍ କର୍ଫ୍ୟୁ ଲାଗୁ ପରେ କ୍ରୁଟ୍ କର୍ତ୍ତୃପକ୍ଷ ‘ମୋ ବସ୍’ ସମୟ ସୀମାରେ ପରିବର୍ତ୍ତନ କରିଛନ୍ତି । ଏଣିକି ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ ୨୩ ନମ୍ବର ରୁଟରେ ମାଷ୍ଟରକ୍ୟାଣ୍ଟିନରୁ ପ୍ରଥମ ବସ୍ ୭ଟା ୧୦ରେ ଛାଡ଼ିବ ଶେଷ ବସ୍ ସନ୍ଧ୍ୟା ୭ଟାରେ ୩୦ ସମ୍ ହସ୍ପିଟାଲ ଯିବ । ସେହିଭଳି ସମ୍ ହସ୍ପିଟାଲ୍ ପଟୁ ପ୍ରଥମ ବସ୍ ସକାଳ ୬ଟା ୨୦ରେ ଥିବା ବେଳେ ଶେଷ ବସ୍ ସନ୍ଧ୍ୟା ୬ଟା ୩୫ରେ ମିଳିବ ।

ରୁଟ୍ ନମ୍ବର ୨୪ (କଳିଙ୍ଗ ବିହାରରୁ ସାଇ ମନ୍ଦିର)

କଳିଙ୍ଗ ବିହାରରୁ ପ୍ରଥମ ବସ୍ ସକାଳ ୫ଟା ୪୫, ଶେଷ ବସ୍ ସନ୍ଧ୍ୟା ୫ଟାରେ ଛାଡ଼ିବ ।

ସେହିଭଳି ସାଇ ମନ୍ଦିର ପଟୁ ପ୍ରଥମ ବସ୍ ୭ଟା ୪୦ରେ, ଶେଷ ବସ୍ ୬ଟା ୫୦ରେ ଛାଡ଼ିବ ।

ରୁଟ୍ ନମ୍ବର ୨୫ (ଡୁମଡୁମା-ମଞ୍ଚେଶ୍ୱର)

ଡୁମଡୁମାରୁ ପ୍ରଥମ ବସ୍ ସକାଳ ୭ଟା ୧୦, ଶେଷ ବସ୍ ସନ୍ଧ୍ୟା ୫ଟା ୫୦

ମଞ୍ଚେଶ୍ୱରରୁ ପ୍ରଥମ ବସ୍ ସକାଳ ୭ଟା ୨୦, ଶେଷ ବସ୍ ଖଣ୍ଡଗିରି ଯାଏ ରାତି ୭ଟା ୧୫

ରୁଟ୍ ନମ୍ବର-୨୬ଇ (ଡୁମଡୁମା-ଯଦୁପୁର-ଚକେଇସିଆଣି)

ଚକେଇସିଆଣିରୁ ପ୍ରଥମ ବସ୍ ସକାଳ ୭ଟା, ଶେଷ ବସ୍ ସନ୍ଧ୍ୟା ୫ଟା ୫୫

ଡୁମଡୁମା(ଯଦୁପୁର)ରୁ ପ୍ରଥମ ବସ୍ ସକାଳ ୭ଟା ୨୦, ଶେଷ ବସ୍ ସନ୍ଧ୍ୟା ୬ଟା ୫

ରୁଟ୍ ନମ୍ବର- ୨୭ (ମାଷ୍ଟର କ୍ୟାଣ୍ଟିନରୁ ଏମ୍ସ)

ମାଷ୍ଟର କ୍ୟାଣ୍ଟିନରୁ ପ୍ରଥମ ବସ୍ ସକାଳ ୭ଟା, ଶେଷ ବସ୍ ସନ୍ଧ୍ୟା ୮ଟା ୪୦

ଏମ୍ସରୁ ପ୍ରଥମ ବସ୍ ସକାଳ ୭ଟା ୧୦, ଶେଷ ବସ୍ ସନ୍ଧ୍ୟା ୬ଟା ୩୦ରେ ଛାଡ଼ିବ ।

କୁମ୍ଭରେ ବେକାବୁ କରୋନା! ନିରଞ୍ଜନୀ ଆଖଡାର ୨୨ ସାଧୁ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ପବିତ୍ର କୁମ୍ଭ ମେଳାରେ ବେକାବୁ ହେବାରେ ଲାଗିଛି ମହାମାରୀ । ଆଖଡାରେ ସଂକ୍ରମଣ ବ୍ୟାପିବା ଯୋଗୁଁ ଗୋଟିଏ ଦିନରେ ପ୍ରାୟ ୭୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ନିରଞ୍ଜନୀ ଆଖଡାରେ ହଜାର ସାଧୁଙ୍କ ମଧ୍ୟରୁ କିଛି କରୋନା ଟେଷ୍ଟ କରାଇଥିଲା ବେଳେ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି ।

ଆଖଡାର ସଚିବ ରବିନ୍ଦ୍ର ପୁରୀ ମହାରାଜ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି । ଯାହା ପରେ ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର କୈଳାଶନନ୍ଦ ଗିରି ମହାରାଜ ନିଜକୁ ଆଇସୋଲେଟ୍ କରିଛନ୍ତି । ପରିଷଦର ପ୍ରମୁଖ ନରେନ୍ଦ୍ର ଗିରି ମହାରାଜ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ।

ଏହାବ୍ୟତୀତ ଆଉ କେତେକ ଆଖଡାରେ ମଧ୍ୟ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଏସକେ ଝା କହିଛନ୍ତି ଯେ ୨୪ ଘଣ୍ଟାରେ ସାରା ଜନପଦରେ ୫୯୨ ସନ୍ଥ କରୋନା ସଂକ୍ରମିତ ହୋଇଛନ୍ତି । ଯେଉଁଥିପାଇଁ ସାମ୍ପଲିଂ ଆହୁରି ବଢାଇ ଦିଆଯିବ । ଏଥିପାଇଁ ଅତିରିକ୍ତ ଟିମ୍ ବଢାଯାଉଛି ।

ଅପରପକ୍ଷେ କୁମ୍ଭ ମେଳାକୁ ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଏର କରାଯାଇଥିଲା । ଯାଚିକା ଅନୁଯାୟୀ, ହରିଦ୍ୱାର କୁମ୍ଭରେ ଏକତ୍ରିତ ଲୋକଙ୍କ ଭିଡ଼କୁ ହଟାଇବା ସହ କୁମ୍ଭରୁ ଘରକୁ ଫେରୁଥିବା ଲୋକଙ୍କ ସୁରକ୍ଷା ପ୍ରୋଟୋକଲ୍ ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ର, ଉତ୍ତରାଖଣ୍ଡ ସରକାର ଓ ନ୍ୟାସନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିକୁ ନିର୍ଦ୍ଦଶ ଦିଆଯାଉ ।

ସେହିପରି ଗତ ଶୁକ୍ରବାର ଦିିନ ମଧ୍ୟପ୍ରଦେଶର ଜବଲପୁରରେ ନରସିଂହ ମନ୍ଦିରର ପ୍ରମୁଖ ମହାମଣ୍ଡଳେଶ୍ୱର ଜଗତଗୁରୁ ଡା. ସ୍ୱାମୀ ଶ୍ୟାମ୍ ଦେବାଚାର୍ଯ୍ୟ ମହାରାଜଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା । ସେ କୁମ୍ଭ ମେଳାର ଶାହି ସ୍ନାନରେ ସାମିଲ ହେବା ପାଇଁ ହରିଦ୍ୱାର ଯାଇଥିଲେ । ସେଠାରେ ସେ କରୋନା ପଜିଟିଭ ହୋଇଥିବା ବେଳେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା ।

ଝାରପଡ଼ା ସ୍ୱତନ୍ତ୍ର ଜେଲକୁ ବର୍ଷେ ପାଇଁ ISO ସାର୍ଟିଫିକେଟ୍

ଭୁବନେଶ୍ୱର: ଝାରପଡ଼ା ଜେଲକୁ ସଫଳତା । ରାଜ୍ୟର ପଥମ ଜେଲ୍ ଭାବେ ବିକ୍ୟୁସି ଆସେସମେଣ୍ଟ ପକ୍ଷରୁ ଝାରପଡ଼ା ସ୍ୱତନ୍ତ୍ର ଜେଲକୁ ଆଇଏସଓ ସାର୍ଟିଫିକେଟ୍ ମିଳିଛି । କ୍ୱାଲିଟି ମ୍ୟାନେଜମେଣ୍ଟ ପାଇଁ ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର ଜେଲକୁ ISO 9001:2005 ସାର୍ଟିଫିକେଟ୍ ମିଳିଥିବା ଜେଲ୍ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।

Bhubaneswar Jharpada Jail Get ISO Certificate For First Time In Odisha

ଜେଲରେ ଦକ୍ଷତା ବିକାଶ, କଏଦୀଙ୍କ ମାନସିକ ଚାପ ଦୂର ପାଇଁ ପଦକ୍ଷେପ, କଏଦୀମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି, ଜେଲରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ସ୍ୱଚ୍ଛତା ଓ ପରିଚ୍ଛନତା ଲାଗି ଝାରପଡ଼ା ଜେଲକୁ ଆଇଏସଓ ମାନ୍ୟତା ଏକ ବର୍ଷ ଲାଗି ମିଳିଛି । ୨୦୨୧ ଏପ୍ରିଲ୍ ୧୭ରୁ ୨୦୨୨ ମାର୍ଚ୍ଚ ମାର୍ଚ୍ଚ ୧୬ ଯାଏ ବୈଧ ରହିବ । ମାର୍ଚ୍ଚ ୧୭ ସୁଦ୍ଧା ସର୍ଭେଲାନ୍ସ  ଅଡିଟ୍ କରାଯିବ ।

ମନକୁ ମନ ୟୁଜରଙ୍କୁ ବ୍ୟାନ୍ କରୁଛି ହ୍ୱାଟ୍ସଆପ, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ କିମ୍ବା ମେସେଜ୍ ପଢୁଥିବା ବେଳେ ଅନେକ ସମୟରେ ଏହା ଲଗ୍ ଆଉଟ୍ ହୋଇଯାଉଥିବା ନେଇ ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ଅଭିଯୋଗ କରିଛନ୍ତି । ଏହାଛଡା କିଛି ଉପଭୋକ୍ତା ଆପ ବ୍ୟାନ୍ ହେବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି।

ଏକ୍ସପର୍ଟଙ୍କ କହିବାନୁଯାୟୀ ହୁଏତ ୟୁଜର୍ସ ମାନେ ହ୍ୱାଟ୍ସଆପର କିଛି ନୀତି ଭଙ୍ଗ କରିଛନ୍ତି| ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସମସ୍ୟା ସମ୍ପର୍କରେ କମ୍ପାନୀକୁ ମେଲ୍ କରିପାରିବେ ।

Whatspp Facebook-Server Down Or Not Working

ଜଣାଶୁଣା ଫୋରମ୍ ୱେବସାଇଟ୍ Redditରେ ଜଣେ ୟୁଜର୍ସ ନିଜର ସମସ୍ୟା ସମ୍ପର୍କରେ ଲେଖିଛନ୍ତି, ତାଙ୍କୁ ହଠାତ୍ ତାଙ୍କ ଆକାଉଣ୍ଟରୁ ବ୍ୟାନ୍ କରାଯାଇଥିଲା।  ସେ ଫେସବୁକ୍ ଓଣ୍ଡ ଆପକୁ ଅନେକ ମେଲ୍ କରିଥିଲେ ମଧ୍ୟ କମ୍ପାନୀ ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିଲା| ସେ ଏହା ମଧ୍ୟ କହିଛନ୍ତି ଯେ ହ୍ୱାଟ୍ସଆପ ନୀତି ବିରୋଧରେ କେବେ ବି କିଛି କରିନାହାଁନ୍ତି। ପରେ ସେ କହିଥିଲେ ଯେ ତାଙ୍କର କଣ୍ଟାକ୍ଟରେ ଜଣେ ବ୍ୟକ୍ତି ହ୍ୟାକିଂ କାର୍ଯ୍ୟକଳାପରେ ଜଡିତ ଥିଲେ, ଯେଉଁଥିପାଇଁ ତାଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଥିଲା।

ହ୍ୱାଟ୍ସଆପ୍ ନୀତି ଅନୁଯାୟୀ ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ୍ କରାଯାଇପାରିବ। ଏହି କାର୍ଯ୍ୟକଳାପରେ ବଲ୍କରେ ମେସେଜ୍ ପଠାଇବା କିମ୍ବା ଅଟୋମେଟେଡ୍ ମେସେଜ୍ ସେଟ୍ କରି ମେସେଜ୍ ପଠାଇଲେ ଆପଣଙ୍କ ଆକାଉଣ୍ଟକୁ ହ୍ୱାଟ୍ସଆପ୍ ବ୍ୟାନ୍ କରିଥାଏ । କାରଣ ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଏକ ଲିମିଟ୍  ସ୍ଥିର କରିଛି।

ତେବେ ହ୍ୱାଟ୍ସଆପ୍ ପକ୍ଷରୁ ୟୁଜର୍ସଙ୍କୁ ନଜଣାଇ ଆକାଉଣ୍ଟ ବନ୍ଦ କରାଯାଇନଥାଏ। ଯଦି ଆପଣଙ୍କ ଆକାଉଣ୍ଟ ଭୁଲବଶତଃ ବନ୍ଦ ହେଇଯାଉଛି ତାହେଲେ ଆପଣ ହ୍ୱାଟ୍ସଆପ୍ ସ୍ପୋର୍ଟକୁ ମେଲ୍ ପଠାଇ ଅସୁବିଧା ସମ୍ପର୍କରେ ଜଣାଇପାରିବେ ।

କୋଭିଡ୍ କଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ

ଭୁବନେଶ୍ୱର: ନାଇଟ୍ କର୍ଫ୍ୟୁ ବେଳେ ଛାଡ଼ ପାଇବେନି ଅମାନିଆ । ଭୁବନେଶ୍ୱର ଓ କଟକରେ ଆଜି ରାତି ୯ରୁ ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ ହେବ । କମିଶନରେଟ୍ ପୋଲିସ ପକ୍ଷରୁ ଏନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କଟକଣାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ଆମର ଦାୟିତ୍ୱ । ଜନସାଧାରଣ ନାଇଟ୍ କର୍ଫ୍ୟୁକୁ ମାନନ୍ତୁ, କୋଭିଡ୍ ନିୟମ ମାନନ୍ତୁ ।

Commissionerate Police To Take Action Against Covid Norms Violators

ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ । ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ନିୟମକୁ କଡ଼ାକଡ଼ି ପାଳନ କରାଯିବ । ଏଥିପାଇଁ ଭୁବନେଶ୍ୱରରେ ୨୫ଟି କୋଭିଡ୍ କଟକଣା ପଏଣ୍ଟ କରିଛି ପୋଲିସ । ଦାୟିତ୍ୱରେ ୬୦ରୁ ଅଧିକ ବରିଷ୍ଠ ଅଫିସର ରହିବେ ଏବଂ ୧୦ ପ୍ଲାଟୁନ ଫୋର୍ସ ରହିବେ । ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ବ୍ୟକ୍ତି ଅନୁଷ୍ଠାନ, ସଂସ୍ଥାର ପରିଚୟ ପତ୍ର ଦେଖାଇ ଯିବେ । କୌଣସି ପାସର ବ୍ୟବସ୍ଥା ହୋଇନାହିଁ ।

Commissionerate Police To Take Action Against Covid Norms Violators

ଏନେଇ ସମସ୍ତ ଅଧିକାରୀଙ୍କୁ ସୂଚାଇ ଦିଆଯାଇଥିବା କହିଛନ୍ତି ପୋଲିସ କମିଶନର । କମିଶନରେଟ ପୋଲିସ ପକ୍ଷରୁ ଟ୍ୱିନ୍ ସିଟିରେ ୧୪୪ ଧାରା ଜାରି ହୋଇଛି । କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ । ୩୫ ପିସିଆର ଭ୍ୟାନ୍ ସହ ସୁପରଭାଇଜିଂ ଗାଡ଼ି ବି ବୁଲିବ ।