ଭୁବନେଶ୍ୱର: ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ୯ଟା ୫ ମିନିଟରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଅତିରିକ୍ତ ଡିଜି ଯଶୱନ୍ତ ଜେଠୱା । କାର୍କେଡ୍ ମକ୍ଡ୍ରିଲ ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଥିବା ଯାଏଁ ସେବାୟତମାନେ ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୪୦ ପ୍ଲାଟୁନ ଫୋର୍ସ ସମେତ ୨୫୦ ପୋଲିସ ଅଧିକାରୀ, ୧୩ ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହେବେ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବଡ଼ଦାଣ୍ଡର ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱର ସମସ୍ତ ଦୋକାନ ଓ ଉଠା ଦୋକାନ ବନ୍ଦ ରହିବ । ସକାଳ ୧୦ଟା ୪୫ ମିନିଟରେ କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ପରେ ୧୧ଟା ୨୦ରୁ ୧୨ଟା ଯାଏଁ ଆଇଓସିଏଲ ଵ୍ୟାଖ୍ୟାନ ପରିଦର୍ଶନ କରିବେ । ୧୨ଟା ୫ ମିନିଟରେ କୋଣାର୍କ ଓଟିଡିସି ଯାତ୍ରୀନିବାସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ବ୍ୟବସ୍ଥା ହୋଇଛି । ଅପରାହ୍ନ ୪ ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଣାର୍କରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।
ପ୍ରଶାସନ ଶୁଣିଲାନି ! ଗାଁ ଲୋକ ଏକାଠି ହେଲେ, କେନାଲ ସଫା କଲେ..
କନ୍ଧମାଳ: ପ୍ରଶାସନକୁ ଗୁହାରି କରି ଥକିବା ପରେ ଶେଷରେ ନିଜ କାମ ନିଜ ହାତକୁ ନେଲେ ଲୋକେ । ଦଳରେ ପୋତି ହୋଇ ପଡିଥିବା ଘାଇକୁ ନିଜ ହାତରେ ସଫା କଲେ ଗାଁର ୮୦ ପରିବାର ସଦସ୍ୟ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତରେ ।
ଏକାଠି ହେଲେ ସବୁ ସମ୍ଭବ । ମିଳିମିଶି କାମ କଲେ ମିଳିବ ସଫଳତା । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଗାମେରିକିଆ ବାସିନ୍ଦା । ଏହି ଗାଁରେ ରୁହନ୍ତି ପ୍ରାୟ ୮୦ ପରିବାର । ଗାଁର ଅଧିକାଂଶ ପ୍ରାୟ ଚାଷ ଉପରେ ନିର୍ଭର କରନ୍ତି । ଚାଷୀଙ୍କ ସୁବିଧା ପାଇଁ ୫୦ ବର୍ଷ ତଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏକ କେନାଲ ନିର୍ମାଣ କରାଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଦଳରେ ପୋତି ହେବାକୁ ବସିଥିଲା । ଲୋକେ ବିଭାଗକୁ ବାରମ୍ବାର ଅବଗତ କଲେ ମଧ୍ୟ କେହି ନ ଶୁଣିବାରୁ ଶେଷରେ ନିଜ କାମ ନିଜ ହାତକୁ ନେଇଥିଲେ ଲୋକେ ।
ଗାଁରେ ଏକ ବୈଠକ ଡାକି କେନାଲକୁ ସଫା କରିବାକୁ ସମସ୍ତଙ୍କ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଗ୍ରାମର ସବୁ ଲୋକ ହାତରେ କୋଡ଼ି, ଶୁଖିଲା ବାଉଁଶ ଓ ମଶାରି ଧରି ଦଳ ସଫାରେ ଲାଗି ପଡିଥିଲେ । ଘର ପିଛା ଚାଉଳ, ଡାଲି ଓ କିଛି ପଇସା ଚାନ୍ଦା କରି ରୋଷେଇ କରି ଖାଇବା ବ୍ୟବସ୍ଥା ମଧ୍ୟ କରିଛନ୍ତି । ସଫା କରିବାକୁ ୧୦ ରୁ ୧୫ ଦିନ ଲାଗିଯିବ ବୋଲି ଲୋକେ କହିଛନ୍ତି । ଏହି କେନାଲ ଉପରେ ୪ଟି ସାହିର ୮୦ ପରିବାର ନିର୍ଭର କରନ୍ତି । ଏବେ ଖରା ଦିନ ଆସିବାରୁ ବାଧ୍ୟ ହୋଇ ପିଲାଠୁ ବୁଢା ସଭିଏଁ ମିଶି ଏହାକୁ ସଫା କରିଛନ୍ତି ।
ଫିଲ୍ମ ଫେୟାର ଆଓ୍ୱାର୍ଡ: ବେଷ୍ଟ ସର୍ଟ ଫିଲ୍ମ ତାଲିକାରେ ଅନ୍ତର୍ବାସନା ଓ ସୀତା
ଭୁବନେଶ୍ୱର: ଏବେ ସୋସିଆଲ ମିଡିଆର ଯୁଗ । ଆଉ ଯୁବପିଢ଼ିଙ୍କୁ ବିମୋହିତ କରୁଛି ଓ୍ୱେବ୍ ସିରିଜ୍ । ଏହାରି ଭିତରେ ବିଭିନ୍ନ ସର୍ଟ ଫିଲ୍ମର ଚାହିଦା ମଧ୍ୟ ବେଶ ରହିଛି । ସୋସିଆଲ ମିଡିଆରେ ସର୍ଟ ଫିଲ୍ମର ଭ୍ୟୁୟର୍ସ ସଂଖ୍ୟା ସବୁବେଳେ ଅଧିକ ଦେଖିବାକୁ ମିଳୁଛି । କାରଣ ସର୍ଟ୍ ଫିଲ୍ମ ଗୁଡ଼ିକରେ ରହୁଛି ଅନେକ ସାମାଜିକ ବାର୍ତ୍ତା । ଯାହାକି ଲୋକଙ୍କ ହୃଦୟକୁ ଚୁଟ୍କିରେ ଛୁଇଁ ଯାଉଛି । ତେଣୁ ଏବେ ସୋସିଆଲ ମିଡିଆରେ ସର୍ଟ ଫିଲ୍ମର ମାତ୍ରା ମଧ୍ୟ ଢ଼େର୍ ଦେଖିବାକୁ ମିଳୁଛି ।
ତେବେ ଫିଲ୍ମ ଫେୟାର ପକ୍ଷରୁ ବେଷ୍ଟ ସର୍ଟ ଫିଲ୍ମ ପାଇଁ ପୁରସ୍କାର ମଧ୍ୟ ଦିଆଯାଉଛି । ଏବେ ଫିଲ୍ମ ଫେୟାର ପକ୍ଷରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବେଷ୍ଟ ସର୍ଟ ଫିଲ୍ମ ତାଲିକାରେ ୩୦ଟି ସର୍ଟ ଫିଲ୍ମ ରହିଛି । ଫିଲ୍ମଫେୟାର ଓ୍ୱେବ୍ସାଇଟ୍କୁ ଯାଇ ଯେ କେହି ଏହି ୩୦ଟି ସର୍ଟ ଫିଲ୍ମ ଦେଖିପାରିବେ ଓ ଭୋଟ୍ ମଧ୍ୟ ଦେଇପାରିବେ ।
ତେବେ ସବୁଠାରୁ ବଡ଼ କଥା ହେଲା, ଏହି ରେସ୍ରେ ଓଡ଼ିଆ କଳାକାରଙ୍କର ଦୁଇଟି ସର୍ଟ ଫିଲ୍ମ ରହିଛି । ଗୋଟିଏ ହେଲା ANTARVASNA ଓ ଅନ୍ୟ ଟି ହେଉଛି SITA । ଏହି ସର୍ଟ୍ ଫିଲ୍ମ ପ୍ରସ୍ତୁତ କରିବାରେ କିଛି ଓଡ଼ିଆଙ୍କ ପ୍ରମୁଖ ଭୂମିକା ରହିଛି । ଏହି ଦୁଇଟି ସର୍ଟ୍ ଫିଲ୍ମକୁ ଦେଖନ୍ତୁ ଏବେ ଭଲ ଲାଗିଲେ ଏହାକୁ ଭୋଟ ଦିଅନ୍ତୁ ।
ତେବେ ଏହି ଦୁଇଟି ସର୍ଟ ହିନ୍ଦି ଫିଲ୍ମରେ ଓଡ଼ିଶାର ଜଣାଶୁଣା ଆଡମ୍ୟାନ୍ ତଥା ଚଳଚ୍ଚିତ୍ର ନିର୍ମାତା ଦୟାନିଧି ଦହିମା ନିର୍ଦ୍ଦେଶନା ଦେଇଛନ୍ତି । ଦୟାନିଧି ଦହିମା ଓ ଶିବାଶିଷ ନାୟକ ଏହାର ପ୍ରଯୋଜିନା ଦାୟିତ୍ୱ ନେଇଥିବା ବେଳେ ଏହା ଦୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହୋଇଛି । ‘ଅନ୍ତର୍ବାସନା’ରେ ଜଣାଶୁଣା ଅଭିନେତ୍ରୀ ଶିବାନୀ ତାଙ୍କସାଲେ ମୁଖ୍ୟ ଭୂମିକାରେ ଅଛନ୍ତି । ଏଥିରେ ଜଣେ ମଧ୍ୟବୟସ୍କା ମହିଳା, ସ୍ୱାମୀଙ୍କ ଦ୍ୱାରା ଉପେକ୍ଷିତା ହେଲେ, ତାଙ୍କ ଭିତରେ କିପରି ‘ଅନ୍ତର୍ବାସନା’ ଜାଗିଥାଏ, ତାହା ପ୍ରଦର୍ଶିତ ହୋଇଛି । ଅପରପକ୍ଷରେ ‘ସୀତା’ରେ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀୟା ପିଲଗାଓଁକର୍ ଓ ଲିଲିପୁଟ୍ ମୁଖ୍ୟ ଭୂମିକାରେ ଅଛନ୍ତି । ଏହାର କଥାବସ୍ତୁରେ ଆଜିକାର ଓ ରାମାୟଣ ଯୁଗର ପ୍ରସଙ୍ଗ ରହିଛି ।
କଳା ଓ ସଂସ୍କୃତିକୁ ମନେରଖିବା ପାଇଁ ଧରଣୀ ମହୋତ୍ସବ, ଏକାଠି ହେଲେ ଝୁମିଲେ..
ବଲାଙ୍ଗିର: ଧିରେଧିରେ ଲୋପ ହେବାକୁ ବସିଲାଣି ଆଦିବାସୀ କନ୍ଧ ସମାଜର ସଂସ୍କୃତି ଓ ପରମ୍ପରା । ଆଧୁନିକତାର ସ୍ପର୍ଷରେ ଯୁବପୀଢି ସେମାନଙ୍କ ସଂସ୍କୃତିକୁ ପଛରେ ପକାଇ ଦେଇଛନ୍ତି । ତେଣୁ କନ୍ଧ ସମାଜର କଳା ସଂସ୍କୃତିକୁ ଯୁବପୀଢିକୁ ଅବଗତ କରାଇବା ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲା ମୁରବାହାଲଠାରେ ଆୟୋଜିତ ହୋଇଛି ଧରଣୀ ମହୋତ୍ସବ ।
ଏହି ମହୋତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଯୁବକଠୁ ଆରମ୍ଭ କରି ମହିଳା, ପୁରୁଷ ଶହ ଶହ ସଂଖ୍ୟାରେ ସାମିଲ ହୋଇଥିଲେ । ପାରମ୍ପାରିକ ଅସ୍ତ୍ରଶସ୍ତ୍ର, ଓ ବାଜା ର ତାଳେତାଳେ ଆଦିବାସୀ ମାନେ ନୃତ୍ୟ କରିବା ସହ ଧରଣୀ ମାଆଙ୍କ ପୂଜା କରିଥିଲେ । ପୂଜା ପରେ ନଗର ପରିକ୍ରମା କରାଯାଇ ସଭା ସ୍ଥଳକୁ ପହଂଚିଥିଲେ ସଭିଏଁ ।
ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲେ ନିୟମ ଗିରି ସୁରକ୍ଷା ସମିତିର ସଭାପତି ଲଦ ସିକ୍କା, ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍ ଏବଂ ନିୟମ ଗିରିରୁ ଆସିଥିବା କନ୍ଧ ସମାଜର ମହିଲା ପୁରୁଷ ପ୍ରମୁଖ । କନ୍ଧମାନେ ଆଦି ଜନ୍ମରୁ ଧରଣୀ ପିଠ ଅର୍ଥାତ୍ ମା’ ମାଟିକୁ ପୂଜା କରି ଆସୁଥିଲେ । କନ୍ଧ ସମାଜର ସ୍ୱତନ୍ତ୍ର ଧର୍ମ ଅଛି । କନ୍ଧ ମାନେ ଆଦର୍ଶ ଦେଶ ପ୍ରେମୀ, ସମାଜ ପ୍ରେମୀ ବୋଲି କହିଥିଲେ ଅତିଥି ।
ନିଆଁ ଲିଭାଇବାକୁ ଯାଇଥିଲେ, ନିଜେ ପୋଡ଼ି ହୋଇଗଲେ ବନ ବିଭାଗ କର୍ମଚାରୀ
ମୟୁରଭଞ୍ଜ: ଜଙ୍ଗଲ ନିଆଁରେ ପୋଡ଼ି ହୋଇଗଲେ ବନ ବିଭାଗ କର୍ମଚାରୀ । ଏଭଳି ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି ନିକଟ ଜଡ଼ବିଲ ଗାଁ ଜଙ୍ଗଲରେ । ଏବେ ଚାରିଆଡ଼େ ପ୍ରତ୍ୟେକ ଦିନ ଜଙ୍ଗଲରେ ନିଆଁ ଲାଗୁଥିବା ଖବର ସାମ୍ନାକୁ ଆସୁଛି । ସେହି ମଧ୍ୟରୁ କେନ୍ଦୁଜୁଆଣି ନିକଟ ଜଡ଼ବିଲ ଗାଁ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଥିଲା । ଆଉ ଏହି ନିଆଁ ଲିଭାଇବାକୁ ବାହାରିଥିଲେ ଦାୟିତ୍ୱରେ ଥିବା ବନ ବିଭାଗ କର୍ମଚାରୀ ।
ମିଳିଥିବା ସୂଚନା ଅନୁଯାୟୀ ଜଙ୍ଗଲ ନିକଟରେ ନୂତନ ଚାରା ଗଛ ଲାଗିଥିବା ବେଳେ ସେଠାରେ ସୁରକ୍ଷା ଦାଇତ୍ୱରେ ଜଡ଼ବିଲ ଗ୍ରାମର ଯଦୁମଣି ମହାନ୍ତ ନାମକ ବ୍ୟକ୍ତି ଥିଲେ । ତେବେ ଦିନ ଗୋଟାଏ ବେଳେ ହଠାତ୍ ଜଙ୍ଗଲରେ ନିଆଁ ଲାଗିବା ଖବର ଆସିଥିଲା । ଆଉ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ଯଦୁମଣି । ଏହି ସମୟରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଖବର ପାଇ ଅନ୍ୟ କର୍ମଚାର ତଥା କିଛି ସ୍ଥାନୀୟ ଲୋକ ପହଞ୍ଚିଥିଲେ, ଆଉ ନିଆରୁ ଉଦ୍ଧାର କରି ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରିକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ ।
ଗୃହମନ୍ତ୍ରୀ ପଦରୁ ହଟିବେନି ଅନୀଲ ଦେଶମୁଖ, ପାୱାରଙ୍କ ଘରେ ବସିଥିବା ବୈଠକରେ ନିଷ୍ପତ୍ତି
ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିକ ହଟଚମଟ ଲାଗି ରହିଥିବା ବେଳେ ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ମହ ଅଘାଡ଼ି ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ କଂଗ୍ରେସ ପକ୍ଷରୁ କମଲନାଥ ସାମିଲ୍ ହୋଇଥିଲେ । ଏହା ପୂର୍ବରୁ ଶରଦ ପାୱାରଙ୍କ ସହ ସଞ୍ଜୟ ରାଉତ କଥା ହୋଇଥିଲେ । ଶରଦ ପାୱାରଙ୍କ ଘରେ ବୈଠକ ପରେ ଜୟନ୍ତ ପାଟିଲ କହିଛନ୍ତି ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଇସ୍ତଫା ଦେବା ଆବଶ୍ୟକ ନାହିଁ । ବରଂ ଯିଏ ଦୋଷୀ ସାବ୍ୟସ୍ତ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଟିଏସ୍ ଓ ଏନଆଇଏ ତଦନ୍ତ କରୁଛି ।

ଜୟନ୍ତ ପାଟିଲ୍ କହିଛନ୍ତି- ରାଜ୍ୟ ସରକାର ଠିକ୍ ଭାବେ ଅଭିଯୋଗର ଯାଞ୍ଚ କରୁଛନ୍ତି । କୌଣସି ଅଧିକାରୀ କେତେ ବଡ଼ ହୋଇଥାନ୍ତୁ ନା କାହିଁକି ? ସରକାର ନିଶ୍ଚିତ ଅଛନ୍ତି, ଚିଠି ମାଧ୍ୟମରେ ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟ କରାଯାଉଛି । ଏବେ ଅନୀଲ ଦେଶମୁଖ ଇସ୍ତଫା ଦେବାର ଆବଶ୍ୟକତା ନାହିଁ ।
ଶରଦ ପାୱାରଙ୍କ ଘରେ ଏନସିପି ସାଂସଦ ସୁପ୍ରିୟା ସୁଲେ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଉପସ୍ଥିତ ଥିଲେ । ଏହା ବାଦ୍ ପ୍ରଫୁଲ୍ଲ ପଟେଲ ଓ ଜୟନ୍ତ ପାଟିଲଙ୍କ ଭଳି ବରିଷ୍ଠ ନେତା ବୈଠକରେ ଉପସ୍ଥିତ ଥିଲେ । ପାୱାରଙ୍କ ଘରେ ଏହି ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ବୈଠକରେ ପରେ ଜୟନ୍ତ ପାଟିଲ୍ କହିଛନ୍ତି ଅନୀଲ ଦେଶମୁଖ ଇସ୍ତଫା ଦେବା ଆବଶ୍ୟକ ନାହିଁ । ସୂଚନାଯୋଗ୍ୟ ଯେ, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ମାସିକ ୧୦୦ କୋଟି ଚାନ୍ଦା ମାଗୁଥିବା ନେଇ ଅଭିଯୋଗ ଆଣିଥିଲେ ।
ନିଶା କବଳରେ ଢେଙ୍କାନାଳ, ବ୍ୟାପୁଛି ଧଳା ଜହର କାରବାର ! କିଙ୍ଗ୍ପିନ୍ ସଜିଛନ୍ତି ମହିଳା..
ଢ଼େଙ୍କାନାଳ: ନିଶା କବଳରେ ଢେଙ୍କାନାଳ । ବ୍ୟାପୁଛି ଧଳା ଜହର କାରବାର । ନିଶା ବେପାରୀଙ୍କ ଟାର୍ଗେଟରେ ଏବେ କଲେଜ ପଢୁଆ ଛାତ୍ରଛାତ୍ରୀ । ପୋଲିସ ଓ ଅବକାରୀ ବିଭାଗର ଗୁଇନ୍ଦା ବିଫଳତା କାରଣରୁ ନିଶା କାରବାର ଏବେ ହୁହୁ ହୋଇ ବଢ଼ିଚାଲିଛି । ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଭିଭାବକ ଓ ବରିଷ୍ଠ ନାଗରିକ । ଏହି ଭୟଙ୍କର ନିଶାକାରବାରର ଲଗାମ୍ ରହିଛି ଜଣେ ମହିଳାଙ୍କ ହାତରେ । ନନ୍ଦିଘୋଷ ଟିଭିକୁ ମିଳିଛି ଯାହାର ଠୋସ୍ ପ୍ରମାଣ । ଏକ ଅଡିଓ ଟେପ୍ ବୟାନ କରୁଛି ଏହାର ସତ୍ୟତା ।
ବ୍ରାଉନସୁଗାର କାରବାର ପାଇଁ ଏବେ ଢେଙ୍କାନାଳ ପାଲଟିଛି ସେଫ୍ ଜୋନ୍ । ସହରର ପରିତ୍ୟକ୍ତ କୋଠା ଓ ନିର୍ମାଣଧିନ କୋଠାରେ ଚାଲୁଛି ମୃତ୍ୟୁର ଭୟଙ୍କର ଖେଳ । ଆଉ ଏହି ଖେଳର ରେଫରୀ ସାଜିଛନ୍ତି ଜଣେ “ମହିଳା” । ଯୁବପୀଢିଙ୍କୁ ଟାର୍ଗଟେ କରୁଛି ଏହି ନିଶା ରାକ୍ଷାସ । ସହରତଳି ଅଞ୍ଚଳରେ ଯୋଜନା ବଦ୍ଧ ଭାବେ ବଢୁଛି ଡ୍ରଗ୍ସ ଡିଲ୍ର ନେଟ୍ଓ୍ୱାର୍କ । ପୋଲିସ ସ୍କାନରରେ ନ ଥିବା ବ୍ୟକ୍ତିଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଉଛି । ପ୍ରଥମେ ମାଗଣାରେ ଓ ଅଭ୍ୟାସ ପଡ଼ିଗଲେ ଦୁଇଗୁଣ ଆଦାୟ ହେଉଛି ଅର୍ଥ । ଏଥିରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି ୧୬ରୁ ୨୦ବର୍ଷ ବୟସର ପିଲାମାନେ । ଯାହାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପୁଡ଼ିଆ କରି ବିକ୍ରି ପାଇଁ ବେକାରୀ ଯୁବକ ଓ ଛୋଟ ଛୋଟ ପିଲାଙ୍କୁ ନିୟୋଜିତ କରାଯାଉଛି । କିଛିଦିନ ପୂର୍ବରୁ ନନ୍ଦିଘୋଷ ଟିଭିରେ ଧଳାଜହର କାରବାରର ଗୋଲକ ଧନ୍ଦା ଖବର ପ୍ରସାରଣ ପରେ ପୋଲିସର କାର୍ଯାନୁଷ୍ଠାନ ହୋଇଥିଲା । ଯେଉଁଥିରେ ବିପୁଳ ପରିମାଣର ଧଳାଜହର ସମେତ ମାଷ୍ଟର ମାଇଣ୍ଡ ଧରାପଡ଼ିଥିଲା । ହେଲେ କାର୍ଯ୍ୟାନୁଷ୍ଠାନ କୋହଳ ହେବା ପରେ ପୁଣି ସକ୍ରିୟ ହୋଇଛନ୍ତି ମାଫିଆ । ସେପଟେ ପୋଲିସର କହିବା କଥା, ପାଟ୍ରୋଲିଂ କଡ଼ାକଡ଼ି ସହ ସାଧା ପୋଷାକରେ ପୋଲିସ ନିୟୋଜିତ ଅଛନ୍ତି ।
ଆମୀର ଖାନଙ୍କ ଝିଅ ଇରାଙ୍କ ଚାକିରି ଅଫର୍, ଏତିକି ଦେବେ ଦରମା…
ମୁମ୍ବାଇ: ବଲିଉଡ୍ ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନ୍ ଦେବେ ନିଯୁକ୍ତି । ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଇବା ଲାଗି ଇରା ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ନିଯୁକ୍ତି ମଧ୍ୟ ଦେଉଛନ୍ତି । ଯାହାର ପୂରା ତଥ୍ୟ ସେ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ମାନସିକ ସ୍ୱାସ୍ଥ୍ୟ ସହ ଲଢ଼ୁଥିବା ଲୋକଙ୍କୁ ସହାୟତା ଲାଗି ଅଭିଯାନ ଆରମ୍ଭ କରିଛନ୍ତି ଇରା ।

ଇରାଙ୍କୁ ୨୫ ଜଣ ଇଣ୍ଟର୍ଣ୍ଣଙ୍କ ଆବଶ୍ୟକତା ରହିଛି । ଏହା ଗୋଟିଏ ମାସର ଇଣ୍ଟର୍ଣ୍ଣସିପ୍ ଅଟେ । ଯେଉଁଥିପାଇଁ ଇରା ୫ ହଜାର ଟଙ୍କା ଦରମା ଦେବେ । ଏଥିପାଇଁ ଦେଶର ଅଲଗା ଅଲଗା ରାଜ୍ୟରୁ ଇଣ୍ଟର୍ସ ଆବଶ୍ୟକ । ଇରା ସମସ୍ତ ଭାଷାଭାଷୀ ଲୋକଙ୍କୁ ସହାୟତା କରିବା ଲାଗି ପ୍ରତି ରାଜ୍ୟ ଜଣେ ଇଣ୍ଟର୍ଣ୍ଣଙ୍କୁ ନେବେ । ସେମାନେ ଆବଶ୍ୟକତା ଥିବା ଲୋକଙ୍କୁ ଫୋନ୍ କିମ୍ବା ଇମେଲ୍ ମାଧ୍ୟମରେ ସହାୟତା କରିବେ । ପ୍ରତିଦିନ ୮ ଘଣ୍ଟା କାମ କରିବାକୁ ହେବ । ୨୨ ମାର୍ଚ୍ଚରୁ କାମ କରିବାକୁ ପଡ଼ିବ ।

ଇରା ତାଙ୍କ ପୋଷ୍ଟରେ ଏକ ଇମେଲ୍ ଆଇଡି ଦେଇଛନ୍ତି । ଯେଉଁଥିରେ ଆଗ୍ରହୀ ପ୍ରାର୍ଥୀ ଆବେଦନ କରିପାରିବେ । ଏଥିସହ ମୁକ୍ତ ଭାବେ ଦୈନିକ ୧ରୁ ୨ ଘଣ୍ଟା ଦେଇପାରୁଥିବା ଲୋକଙ୍କୁ ଆବଶ୍ୟକ କରିଛନ୍ତି ଇରା । ଲକଡାଉନ୍ ପରେ ଦେଶର ଲୋକଙ୍କ ମଧ୍ୟରେ ମାନସିକ ଅଶାନ୍ତି ବୃଦ୍ଧି ପାଇଥିବା ବେଳେ ଇରାଙ୍କ ଅଭିଯାନ ଛୋଟ ହୋଇଥିଲେ ମଧ୍ୟ ବେଶ୍ ଲାଭଦାୟକ ।

