spot_img
Home Blog Page 5869

ରିଲିଜ ହେଲା ସସପେନ୍ସ-ଥ୍ରୀଲର ଫିଲ୍ମ ‘ଚେହରେ’ର ଟ୍ରେଲର, ଦେଖିବାକୁ ମିଳିଲା ରିୟା ଚକ୍ରବର୍ତ୍ତୀଙ୍କ ଝଲକ

ନୂଆଦିଲ୍ଲୀ: ନିର୍ଦ୍ଦେଶକ ରୁମୀ ଜାଫରୀଙ୍କ ଫିଲ୍ମ ‘ଚେହରେ’କୁ ନେଇ ଦୀର୍ଘ ସମୟ ଧରି ସସପେନ୍ସ ଲାଗି ରହିଥିଲା କାରଣ ବିବାଦ ଭିତରକୁ ଆସିବା ପରେ ଏହି ଫିଲ୍ମରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ରୋଲକୁ ପୂରାପୂରୀ କାଟିଦିଆଯାଇଥିଲା । କିନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜୁଥିବା ଦର୍ଶକଙ୍କୁ ଫିଲ୍ମର ଟ୍ରେଲର ରିଲିଜ ହେବାପରେ ଏହାର ଉତ୍ତର ମିଳିଛି । ଅମିତାଭ ବଚ୍ଚନ ଏବଂ ଇମରାନ ହାଶମୀ ଅଭିନିତ ଏହି ସସପେନ୍ସ ଥ୍ରିଲର ଫିଲ୍ମର ଟ୍ରେଲର କିଛି ସମୟ ପୂର୍ବରୁ ରିଲିଜ କରାଯାଇଛି । ତେବେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି ।

‘ଚେହରେ’ ଟ୍ରେଲରରେ, ଅମିତାଭ ବଚ୍ଚନ ଫିଲ୍ମରେ ଜଣେ କ୍ରିମିନାଲ ଲୟର ଚରିତ୍ରରେ ନଜର ଆସୁଛନ୍ତି । ଅନ୍ୟପଟେ ଇମରାନ ହାଶମୀ ଏକ ଆଡ୍ ଏଜେନ୍ସିର ମାଲିକ ରୂପରେ ନଜର ଆସୁଛନ୍ତି । ଶୁନଶାନ ସ୍ଥାନରେ ନିର୍ମିତ ଏକ କଟେଜରେ ସମସ୍ତେ ଏକାଠି ଅଛନ୍ତି ଏବଂ ଏକ ମୋକ୍ ଟ୍ରାୟଲ କେସର ଖେଳ ଖେଳନ୍ତି ।

https://www.youtube.com/watch?v=NGlcDRVDUs8

ଫିଲ୍ମ ‘ଚେହରେ’କୁ ନେଇ ବିଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ଏହି ଫିଲ୍ମର ଟିଜର, ପୋଷ୍ଟରରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୂରାପୂରୀ ହଟେଇଦିଆଯାଇଛି । କିନ୍ତୁ ରିୟାଙ୍କ ଏକ ଝଲକ ଟ୍ରେଲରରେ ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ ଫିଲ୍ମଟି ଅପ୍ରେଲ ୯ ତାରିଖରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୁମୀ ଜାଫରୀ ଏବଂ ଆନନ୍ଦ ପଣ୍ଡିତ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ଏହି ଫିଲ୍ମରେ ସିଦ୍ଧାନ୍ତ କପୁର, କ୍ରିସଟଲ ଡିସୁଜା, ରଘୁବୀର ଯାଦବ ଏବଂ ଅନୁ କପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି ।

କ୍ରିତ୍ୟାଙ୍କ ଔପନ୍ୟାସିକ ବହି ଉନ୍ମୋଚନ କଲେ ରାଜ୍ୟପାଳ

ମାତ୍ର ୧୨ ବର୍ଷ ବୟସରେ ବହି ଲେଖିଲେ କ୍ରିତ୍ୟା । ୩ଟି ଗଳ୍ପ ସମ୍ବଳିତ ଏକ ଇଂରାଜୀ ଔପନ୍ୟାସିକ ବହି ଲେଖି ସେ ଆଜି ଚର୍ଚ୍ଚାରେ । ଆଉ ତାଙ୍କର ଏହି ପୁସ୍ତକକୁ ଖୋଦ୍‌ ରାଜ୍ୟପାଳ ଗଣେଷୀ ଲାଲ ଉନ୍‌ମୋଚନ କରିଛନ୍ତି । କ୍ରିତ୍ୟାଙ୍କ ଏଭଳି ପ୍ରୟାସକୁ ରାଜ୍ୟପାଳ ଭୂୟସୀ ପ୍ରଶଂସା କରିଛନ୍ତି । କ୍ରିତ୍ୟାଙ୍କ ଏହି ବହି ୨୦୦ ପୃଷ୍ଠା ସମ୍ବଳିତ । ତାଙ୍କ ପୁସ୍ତକର ନାଁ ରଖିଛନ୍ତି ‘ଏ ଜର୍ଣ୍ଣି’ । ଏତେ କମ୍‌ ବଯସରୁ ଏତେ ସୁନ୍ଦର ଭାବରେ ଏକ ଉପନ୍ୟାସ ରଚନା କରିବା ପାଇଁ କ୍ରିତ୍ୟାଙ୍କୁ ମାନ୍ୟବର ରାଜ୍ୟପାଳ ଅତ୍ୟନ୍ତ ପ୍ରଶଂସା କରିଚନ୍ତି । କୋଭିଡ ମହାମାରୀରେ ବିଦ୍ୟାଳୟ ଛୁଟି ଥିବା ସମୟଗୁଡିକୁ ସଦୁପୋଯୋଗ କରି ତିନୋଟି ଗଳ୍ପ ସମ୍ବଳିତ ଏହି ଉପନ୍ୟାସକୁ ରଚନା କରିଛନ୍ତି ।

କ୍ରିତ୍ୟାଙ୍କର ଏହି ଭଳି ଅନେକ ସୃଜନଶୀଳ ଲେଖାଗୁଡିକ ଜାତୀୟ ସ୍ତରରେ ପ୍ରସଂଶିତ ହୋଇଛି। ‘ବୁକ ବଜ୍‌’ ‘ବମ୍ବେ ଡକ୍‌’ ଭଳି ଜାତୀୟ ସ୍ତରର ଅନୁଷ୍ଠାନ ଗୁଡିକ ଏହି ପ୍ରତିଭାଶାଳି ଲେଖିକାଙ୍କର ଲେଖାଗୁଡିକୁ ସେମାନଙ୍କର ପୁସ୍ତକରେ ସ୍ଥାନ ଦେଇଛନ୍ତି । ଏପରିକି ଆନ୍ତର୍ଜାତୀୟ ସ୍ତରରେ ଖ୍ଯାତି ଲାଭ କରିଥିବା ପ୍ରସିଦ୍ଧ ଲେଖିକା ତଥା ଶିକ୍ଷାବିତ ଅନୁପମା ଡାଲମିୟା ଓ ଶିବାନୀ ସଲିଲ ଏହି ଲେଖିକାଙ୍କର ଲେଖା ଗୁଡିକୁ ଉଚ୍ଚ ପ୍ରସଂଶା କରିଛନ୍ତି । କ୍ରିତ୍ୟା ମିଶ୍ର ସ୍ଥାନୀୟ ସେଣ୍ଟ ଜୋସେଫ୍‌ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢନ୍ତି ।

ହେଲମେଟ୍‌ ନପିନ୍ଧିବା ଅଭିଯୋଗରେ ଟ୍ରକ୍‌ ଡ୍ରାଇଭର ନାଁରେ ୧୦୦୦ ଟଙ୍କାର ଚାଲାଣ

ଗଞ୍ଜାମ: ପୁଣି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଟ୍ରାଫିକ୍‌ ପୋଲିସର ପାରିବା ପଣିଆ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତବର୍ଷ କରୋନା ମହାମରୀ ପୂର୍ବରୁ ରାଜ୍ୟରେ ତଥା ଦେଶରେ ନୂଆ ଟ୍ରାଫିକ୍‌ ନିୟମକୁ କଡ଼ା କଡ଼ି କରାଯାଇଥିଲା । ରାସ୍ତାଘାଟ ଗଳିକନ୍ଦି ଯୋଉଠି ଦେଖ ପୋଲିସ ଭାଇ ମାନେ ଚେକିଂ କରୁଥିବା ଦେଖାଯାଉଥିଲେ । ହେଲେ ପରେ କରୋନା କାରଣରୁ ସବୁ ବନ୍ଦ ଥିଲା । କିନ୍ତୁ ଏବେ କରୋନା ତଥା ଲକ୍‌ଡାଉନ୍‌ ହଟିବା ପରେ ଏବେ ରାଜ୍ୟରେ ପୁଣି ଗାଡ଼ି ଚେକିଂକୁ ଜୋରଦାର କରାଯାଇଛି ।

ହେଲେ ଯଥା ପୂର୍ବଂ ତଥା ପରଂ । ପୋଲିସ ଗତ ବର୍ଷ ଯେମିତି ମନମାନି କରୁଥିଲା ଏବଂ ଗାଡ଼ି ଚାଳକଙ୍କୁ ମନ ଇଚ୍ଛା ଚାଳାଣ କାଟୁଥିଲା ଠିକ୍‌ ସେମିତି ଚଳିତ ବର୍ଷ ମଧ୍ୟ କରୁଛି । ଆଇନକୁ ସୁରକ୍ଷା ଦେବା ପାଇଁ ପୋଲିସ ରହିଛି ସତ ହେଲେ, ପୋଲିସ ନିଜେ ଆଇନ କ’ଣ ଜାଣି ନାହିଁ । ଏଭଳି ଏକ ଉଦାହରଣ ପୁଣି ସାମ୍ନାକୁ ଆସିଛି ଗଞ୍ଜାମରୁ ।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ଟ୍ରକ ଡ୍ରାଇଭରଙ୍କ ବିରୋଧରେ କଟାଯାଇଛି ୧୦୦୦ ଟଙ୍କାର ଚାଲାଣ । ଆଉ ତାହା ପୁଣି ବିନା ହେଲମେଟ୍‌ ଯୋଗୁଁ । ତେବେ ଏଠି ପ୍ରଶ୍ନ ଉଠୁଛି ଟ୍ରକ୍‌ ଡ୍ରାଇଭର କାହିଁକି ବା ହେଲ୍‌ମେଟ୍‌ ପିନ୍ଧିବେ । ଟ୍ରକ୍‌ ଚଲାଉଥିବା ବେଳେ ଜଣେ ଟ୍ରକ୍ ଡ୍ରାଇଭର ହେଲ୍‌ମେଟ୍‌ ପିନ୍ଧିବାକୁ ବାଧ୍ୟ ବୋଲି କୌଣସି ନିୟମ ରହିଛି କି ? ଯଦି ଏଭଳି କୌଣସି ନିୟମ ନାହିଁ ତେବେ ଟ୍ରକ୍‌ ଡ୍ରାଇଭରଙ୍କୁ କାହିଁକି ୧୦୦୦ ଟଙ୍କାର ଚାଲାଣ କଟାଗଲା ? କେଉଁ ପରିସ୍ଥିତିରେ ଏହି ଚାଲାଣ କଟଗଲା ସେନେଇ ଏବେ ପ୍ରଶ୍ନ ଉଠିଛି ।

୨୪ ଡିସେମ୍ବର ୨୦୨୦ରେ ଏହି ଚାଲାଣ କଟାଯାଇଥିଲା । କିନ୍ତୁ ଏନେଇ ଟ୍ରକ୍‌ଡ୍ରାଇଭର ଅଜ୍ଞ ଥିଲେ । କିନ୍ତୁ କିଛି ଦିନ ପୂର୍ବରୁ ,ସେ ନିଜ ଟ୍ରକ୍‌ର ପରମିଟ୍‌ ଆଣିବା ପାଇଁ ଆର୍‌ଟିଓ ଅଫିସ୍‌କୁ ଯାଇଥିଲେ । ସେଠାରେ ତାଙ୍କ ବିରୋଧରେ ଏଭଳି ଚାଲାଣ କଟାଯାଇଥିବା ସେ ଜାଣିବାକୁ ପାଇ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ଏନେଇ ସୂଚନା ଦେଇଛନ୍ତି ଖୋଦ ଟ୍ରକ୍‌ ଡ୍ରାଇଭର ପ୍ରମୋଦ କୁମାର ସ୍ୱାଇଁ ।

ପରିଣିତି ସେୟାର କଲେ ‘ସାଇନା’ ଫିଲ୍ମର ଏକ ଲୁକ୍, ଫ୍ୟାନ୍ସ କହିଲେ ‘ଅବିକଳ ସାଇନା ନେହୱାଲ’

ନୂଆଦିଲ୍ଲୀ: ବାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କ ବାୟୋପିକ୍ ‘ନେହୱାଲ’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଫିଲ୍ମଟିର ଟ୍ରେଲର ରିଲିଜ ହୋଇସାରିଛି ଏବଂ ଏହା ସହିତ ମାର୍ଚ୍ଚ ୨୬ରେ ଫିଲ୍ମଟି ରିଲିଜ ହେବାକୁ ଯାଉଥିବା ମେକର୍ସ ମାନେ ଘୋଷଣା କରିଛନ୍ତି । ଫିଲ୍ମରେ ଅଭିନେତ୍ରୀ ପରିଣିତି ଚୋପ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ । ପରିଣିତି ଚୋପ୍ରା ଫିଲ୍ମ ସହ ଜଡ଼ିତ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଅବିକଳ ସାଇନାଙ୍କ ଭଳି ଦେଖାଯାଉଛନ୍ତି ।

ପରିଣିତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ କୋଲାଜ ଫଟୋକୁ ସେୟାର କରିଛନ୍ତି, ଯେଉଁଥିରେ ସେ ଅବିକଳ ସାଇନାଙ୍କ ପରି ଦେଖାଯାଉଛନ୍ତି । ପରିଣିତିଙ୍କ ଏହି ଫଟୋକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରୁଛନ୍ତି ।

 

View this post on Instagram

 

A post shared by Parineeti Chopra (@parineetichopra)

ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ଫିଲ୍ମରେ ଶ୍ରଦ୍ଧା କପୁରଙ୍କୁ ରିପ୍ଲେସ କରି ପରିଣିତି ପ୍ରଥମ ଥର ନିଜ ପ୍ରତିକ୍ରିୟା ଦେଇଥିଲେ । ନିଜ ଫିଲ୍ମ ବିଷୟରେ ପରିଣିତି କହିଥିଲେ ଯେ, ତାଙ୍କୁ ଏହି ଫିଲ୍ମ ପାଇଁ ଯେତେବେଳେ ଆପ୍ରୋଚ୍ କରାଗଲା ସେତେବେଳେ ସେ କୌଣସି ପ୍ରକାରର ଚାପ ନେଇନଥିଲେ । ଶ୍ରଦ୍ଧା କପୁରଙ୍କ ଏହି ଫିଲ୍ମ ଛାଡ଼ିବା ପରିଣିତିଙ୍କୁ କୌଣସି ପ୍ରକାର ପ୍ରଭାବ ପକାଇନଥିଲା । ସେ ଏହି ଫିଲ୍ମରେ ଅମୋଲ ଗୁପ୍ତାଙ୍କ ସହ କାମ କରିବାକୁ ଖୁବ ଉତ୍ସାହିତ ଥିଲେ ।

 

View this post on Instagram

 

A post shared by Parineeti Chopra (@parineetichopra)

ଫିଲ୍ମରେ ସାଇନାଙ୍କ କୋଚ୍ ପୁଲେଲା ଗୋପିଚନ୍ଦଙ୍କ ଚରିତ୍ରରେ ଅଭିନେତା ମାନବ କୌଲଙ୍କୁ ଦେଖିବାକୁ ମିଳିବ । ଏହା ବ୍ୟତୀତ ପରେଶ ରାୱଲ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହା ଫିଲ୍ମ ନିର୍ମାତା ଭୂଷକ କୁମାରଙ୍କର ଦ୍ୱିତୀୟ ଫିଲ୍ମ ହେବାକୁ ଯାଉଛି ।

ଅମୋଲ ଗୁପ୍ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ‘ସାଇନା’ ମାର୍ଚ୍ଚ ୨୬ରେ ରିଲିଜ ହେବାକୁ ଯାଉଛି । ସାଇନାକୁ ଡିଜିଟାଲ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ କରିବା ପାଇଁ ଯୋଜନା ଚାଲିଛି । ଏହାପରେ ଫିଲ୍ମଟିକୁ ଥିଏଟରରେ ରିଲିଜ କରାଯିବା ନିଷ୍ପତ୍ତି ନେଇଛନ୍ତି ମେକର୍ସ ।

ବିରୋଧୀଙ୍କୁ ଘର ଭିତରକୁ ଡାକିଲେ, ସ୍ୱାଗତ କଲେ

ଭୁବନେଶ୍ୱର: ୬ ଦିନ ହେଲା ବିଧାନସଭା ଅଚଳ ଅଛି । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗୃହ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିଧାନସଭା ଚାଲି ପାରୁନି । ବିଧାନସଭାରେ ଜାରି ଥିବା ଅଚଳାବସ୍ଥାକୁ ଦୁର କରିବା ପାଇଁ ଆଜି ବିଜେଡି ବିଧାୟକ ଲୋକସେବା ଭବନରୁ ଭିସି ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଏହାପରେ ବିଜେପି ପାଲଟା ରାଜନୈତିକ ଗୋଟି ଚାଳନା କରିଥିଲା । ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସକୁ ପଦଯାତ୍ରାରେ ବାହାରିଥିଲେ ।

ଏହି ସମୟରେ ବିଜେଡି ବିଧାୟକ ମଧ୍ୟ ବିଜେପି ନେତାଙ୍କ ସହିତ ନବୀନ ନିବାସକୁ ଯାଇଥିଲେ । ବିଜେପି ବିଧାୟକଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ନବୀନ ନିବସ ପାଖରେ ପହଞ୍ଚୁ ପହଞ୍ଚୁ ବିଜେପିର ରଣନୀତି ବଦଳି ଯାଇଥିଲା । ବିଜେପି ନେତା ନବୀନ ନିବାସ ଭିତରକୁ ନଯାଇ ହଠାତ ଗେଟ୍ ଆଗରେ ଧାରଣାରେ ବସି ପଡିଥିଲେ । ଯାହାକୁ ନେଇ ଅଚାନକ ପରିସ୍ଥିତି ବଦଳିଯାଇଥିଲା ।

ବିଜେପି ନେତା ଗେଟ୍ ଆଗରେ ବସି ରାଜନୈତିକ ସନ୍ଦେଶ ଦେବାକୁ ଚାହୁଁଥିଲେ । ଲାଗୁଥିଲା ବିଧାନସଭା ଅଚଳାବସ୍ଥା ଦୁର କରିବା ବିଜେପିର ଯେତିକି ଉଦ୍ଦେଷ୍ୟ ନୁହେଁ ତାହାଠାରୁ ଅଧିକ ଥିଲା ରାଜନୈତିକ ରୁଟି ସେକା । କିନ୍ତୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରୁ ଉପରକୁ ଉଠି ଏଭଳି କିଛି କରିଥିଲେ ଯାହା ବିଜେପିକୁ କ୍ୟାଚ୍ ୨୨ ପରିସ୍ଥିତିରେ ପକାଇଥିଲା । ନିର୍ଧୁମ ଖରା ଭିତରେ ବି ମୁଖ୍ୟମନ୍ତ୍ରୀ ଘରୁ ବାହାରକୁ ଆସି ବିଜେପି ନେତାଙ୍କ ସହିତ କଥା ହୋଇଥିଲେ । ସେମାନଙ୍କୁ ଖରାରେ ନବସି ଘର ଭିତରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ । ଆଲୋଚନା ମାଧ୍ୟମରେ ଅଚଳାବସ୍ଥା ଦୁର କରିବାକୁ ନିବେଦନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଦ୍ୟମ ପରେ ବିଜେପି ନେତାଙ୍କ ପାଖରେ ଧାରଣାରୁ ଉଠିବା ଛଡା ଅନ୍ୟବାଟ ନଥିଲା । ଧାରଣା ରାଜନୀତି ବୁମେରାଂ ହେବାକୁ ଯାଉଛି ଦେଖି ବିଜେପି ନେତା ନବୀନ ନିବାସ ମଧ୍ୟକୁ ଯାଇଥିଲେ ।

ପୁରୁଣା ଗାଡ଼ି ରିନ୍ୟୁଆଲ ହେବ ମହଙ୍ଗା, ଜାଣନ୍ତୁ କେତେ ପଡ଼ିବ?

 ନୂଆଦିଲ୍ଲୀ:  ଅକ୍ଟୋବରରୁ ବଦଳିବ ନିୟମ । ୧୫ ବର୍ଷରୁ ଅଧିକ ପୁରୁଣା ଯାନବାହାନ ପାଇଁ ଦେବାକୁ ପଡ଼ିବ ମୋଟା ରକମ । ନିକଟରେ ସଡ଼କ ଏବଂ ପରିବହନ ମନ୍ତ୍ରଣାଳୟ ଏହା ସମ୍ବଦ୍ଧରେ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଛି । ତେବେ କେଉଁ ଯାନ ପାଇଁ କେତେ ଟଙ୍କା ଧାର୍ଯ୍ୟ ହୋଇଛି ?

କାର RC ରିନ୍ୟୁଆଲ ପାଇଁ ଆପଣଙ୍କୁ ଦେବାକୁ ପଡ଼ିବ ୫ ହଜାର ଟଙ୍କା । ବାଇକ ପାଇଁ ୩୦୦ ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ଦେବାକୁ ପଡ଼ିବ । ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ବସ୍‌ ଏବଂ ଟ୍ରକ୍‌ ଉପରେ । ୧୫ ବର୍ଷ ପୁରୁଣା ବସ୍‌ଟ୍ରକ୍‌ପାଇଁ ଫିଟନେସ ରିନ୍ୟୁଆଲ ଚାର୍ଜ ୧୨ ହଜାର ୫ ଶହ ଟଙ୍କା ଦେବାକୁ ପଡ଼ିବ । ଏହି ପରିବର୍ତ୍ତନ ବିକଲ ସ୍କ୍ରାପିଂ ପଲିସିର ଅନ୍ତର୍ଭୁକ୍ତ । ଏହି ପ୍ରସ୍ତାବ ଅନୁସାରେ ଗାଡ଼ିର ରେଜିଷ୍ଟ୍ରେସନର ରିନ୍ୟୁଆଲରେ ବିଳମ୍ବ କଲେ ମାସିକ ତିନିଶହରୁ ପାଞ୍ଚଶହ ଟଙ୍କା ଜରିମନା ଦେବାକୁ ପଡ଼ିବ । ଅନ୍ୟପଟେ କମର୍ସିଆଲ ଗାଡ଼ିର ଫିଟନେସ ସାର୍ଟିଫିକେଟ୍‌ରେ ବିଳମ୍ବ ହେଲେ ଦୈନିକ ୫୦ ଟଙ୍କା ଜରିମନା ଦେବାକୁ ପଡ଼ିବ ।

ମୋଟରସାଇକଲ ପାଇଁ ରେଜିଷ୍ଟ୍ରସନ ଫିସ୍‌ ୩୦୦ ଟଙ୍କା ଏବଂ ରିନ୍ୟୁଆଲ ଫିସ୍‌୧୦୦୦ ଟଙ୍କା ଧାର୍ଯ୍ୟ ହୋଇଛି । ସେହିଭଳି ତିନିଚକିଆ ଯାନ ପିଛା ରେଜିଷ୍ଟ୍ରେସନ ଫିସ୍‌୬୦୦ ଏବଂ ରିନ୍ୟୁଆଲ ଫିସ୍‌୨ ହଜାର ୫ ଶହ ଟଙ୍କା ଦେବାକୁ ପଡ଼ିବ । କାର ରେଜିଷ୍ଟ୍ରେସନ ଫିସ୍‌୬୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ରିନ୍ୟୁଆଲ ଫିସ୍‌ରହିଛି ୫ ହଜାର ଟଙ୍କା । ଅନ୍ୟପଟେ ଇମ୍ପୋର୍ଟେଡ୍‌ଯାନବାହନ ପାଇଁ ରେଜିଷ୍ଟ୍ରେସନ ଫିସ୍‌୫ ହଜାର ଟଙ୍କା ଏବଂ ରିନ୍ୟୁଆଲ ଫିସ୍‌ରହିଛି ୪୦ ହଜାର ଟଙ୍କା ।

 

କମର୍ସିଆଲ ମୋଟର ସାଇକିଲର ନୂଆ ଫିଟନେସ ସାର୍ଟିଫିକେଟ୍‌ପାଇଁ ୫୦୦ ଟଙ୍କା ଏବଂ ସାର୍ଟିଫିକେଟର ରିନ୍ୟୁଆଲ ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତିନିଚକିଆ ଯାନର ନୂଆ ଫିଟନେସ ସାର୍ଟିଫିକେଟ୍‌ପାଇଁ ୧୦୦୦ ଟଙ୍କା ଏବଂ ରିନ୍ୟୁଆଲ ପାଇଁ ୩ ହଜାର ୫ ଶହ ଟଙ୍କା ଖର୍ଚ୍ଚ ହେବ ।

 

ଟ୍ୟାକ୍ସି କିମ୍ବା କ୍ୟାବ୍‌ମାମଲାରେ ନୂଆ ଫିଟନେସ ସାର୍ଟିଫିକେଟ୍‌ପାଇଁ ୧ ହଜାର ଟଙ୍କା ଏବଂ ସାର୍ଟିଫିକେଟ୍‌ରିନ୍ୟୁଆଲ ପାଇଁ ୭ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ମିଡିୟମ ଗୁଡ୍‌ସ୍‌ ବା ପାସେଞ୍ଜର ବିକଲ ପାଇଁ ନୂଆ ଫିଟନେସ ସାର୍ଟିଫିକେଟ ପିଛା ତେରଶହ ଏବଂ ସାର୍ଟିଫିକେଟର ରିନ୍ୟୁଆଲ ପାଇଁ ୧୦ ହଜାର ଦେୟ ଦେବାକୁ ପଡ଼ିବ । ସେହିଭଳି ବସ୍‌କିମ୍ବା ଟ୍ରକ୍‌ର ନୂଆ ଫିଟନେସ ସାର୍ଟିଫିକେଟ୍‌ପିଛା ୧୫ ଶହ ଏବଂ ରିନ୍ୟୁଆଲ ପାଇଁ ୧୨ ହଜାର ୫ ଶହ ଟଙ୍କା ଖର୍ଚ୍ଚ ହେବ ।

ବିଜେଡି ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଛି ବିଜେପି, ଶଙ୍ଖ ଫୁଙ୍କି ସ୍ୱାଗତ କଲେ ମହିଳା ବିଜେଡି ଗୋଷ୍ଠି

ଭୁବନେଶ୍ୱର: ବିଜେପି ବି ଭେଟିବ ମୁଖ୍ୟମନ୍ତ୍ରୀଙ୍କୁ । ବିଜେଡି ସହ ମିଶି ବିଜେପି ଯିବ ମୁଖ୍ୟମନ୍ତ୍ରୀଙ୍କ ପାଖକୁ । ଗୁରୁବାର ବିଧାନସଭା ଆରମ୍ଭରୁ ମୁଲତବୀ ରହିଥିବା ବେଳେ ତିନି ଦଳ ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ଧାନ କିଣା ପ୍ରସଙ୍ଗକୁ ନେଇ ବିଜେପି ନାରା ବାଜି କରିଥିବା ବେଳେ ବିଜେଡି ପକ୍ଷରୁ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ହୋ-ହଲ୍ଲା କରାଯାଇଛି । ସେପଟେ କଂଗ୍ରେସ ବିଧାନସଭା ଅଚଳକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛି ।

ଗୃହରେ ଅଚଳାବସ୍ଥା ଜାରି ରହିଥିବାରୁ ପ୍ରଥମେ ବିଜେଡି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲା । ବିଜେଡି ଦାବି କରିଥିଲା ଯେ, ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା ଉଦ୍ୟମ କରି ଭୁଲ କରିଛନ୍ତି । ଗୃହର ଗାରିମା କ୍ଷୂର୍ଣ୍ଣ ହୋଇଛି । ତେଣୁ ସେ କ୍ଷମା ପ୍ରାର୍ଥନା ନ କରିବା ପାର୍ଯ୍ୟନ୍ତ ଗୃହ ଚଳାଇଦେବୁ ନାହୁଁ ।

ସେପଟେ ଚାଷୀଙ୍କ ପାଇଁ ଚିତ୍କାର କରି ଏବଂ ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ହୋ-ହଲ୍ଲା କରିଛି । ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହିଁଛି । ବିଜେପି ସାଧା ସଳଖ ଏକ ରାଲି କରି ନବୀନ ନିବାସ ଅଭିମୁଖେ ଯାଇଛି । ସେଠାରେ ମହିଳା ବିଜେଡି ଗୋଷ୍ଠି ପକ୍ଷରୁ ବିଜେପିକୁ ଶଙ୍ଖ ଫୁଙ୍କି ସ୍ୱାଗତ କରାଯାଇଛି ।

ତେବେ ବିଜେଡି ଲୋକସେବା ଭବନ ଅଭିମୁଖେ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ଆଲୋଚନା କରିବ ବୋଲି ସୂଚାନ ମିଳିଛି । ଅନ୍ୟପଟେ ବିଜେପି ନବୀନ ନିବାସ ଅଭିମୁଖେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରିଛନ୍ତି । ସେପଟେ କଂଗ୍ରେସ ବିଧାୟକମାନେ ଗାନ୍ଧି ପ୍ରତିମୂର୍ତ୍ତି ପାଖରେ ଧାରଣା ଦେଇଛନ୍ତି । ସେମାନେ ସର୍ବଦଳୀୟ ବୈଠକ ଦାବି କରିଛନ୍ତି । ଅନ୍ୟପଟେ ସମସ୍ତ ମନ୍ତ୍ରୀ ଓ ବିଜେଡି ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଲୋକସେବା ଭବନ ଅଭିମୁଖେ ଯାଇଛନ୍ତି । ସେଠାରେ ସେମାନେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଗୃହ ଚାଲି ପାରୁ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଧାନସଭା ସମସ୍ତଙ୍କର । ‘ଦୀର୍ଘଦିନ ଧରି ଗୃହ ଅଚଳ ଯୋଗୁଁ କାହାର ଲାଭ ହେଉନି । ଗୃହ ଚାଲିବା ନେଇ ସହମତି ବାହାରିବା ଦରକାର  ପବିତ୍ର ଗୃହର ମର୍ଯ୍ୟାଦା ରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ’ । ଗୃହରେ ଜଣେ ବିଧାୟକ ଆତ୍ମହତ୍ୟା କରିବା ଭୁଲ ନୁହେଁ ତ ଆଉ କ’ଣ ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି ।

ଏ ସମ୍ପର୍କରେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ କହିଛନ୍ତି ‘ବିଜେପି ଦୋମୁହାଁ ନୀତି ଧରିଛି । ମିଛରେ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି । ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛି ବିଜେପି । ବିଜେପିର ଏଭଳି ଆଚରଣର ଉପଯୁକ୍ତ ଜବାବ ଦେବେ ଓଡ଼ିଶାବାସୀ ।’

ପୁରୀରେ NSG ଟିମ୍‌‌, ଡ୍ରୋନ୍‌ ଉଡ଼ାଇ କଲା ଶ୍ରୀମନ୍ଦିରର ସୁରକ୍ଷା ଯାଞ୍ଚ

ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛି ଏନ୍‌ଏସ୍‌ଜି ଟିମ୍ । ଆଗକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶ୍ରୀମନ୍ଦିର ଗସ୍ତ ରହିଥିବା ବେଳେ NSG ଟିମ୍‌ ସୁରକ୍ଷା ଯାଞ୍ଚ କରିଛି । ଡ୍ରୋନ ଉଡ଼ାଇ ଆକାଶ ମାର୍ଗରୁ ସୁରକ୍ଷାର ଯାଞ୍ଚ କରିବା ସହ ଶ୍ରୀମନ୍ଦିର ଚାରିପଟ ବୁଲି ସ୍ଥିତି ଅନୁଧ୍ୟାନ କରିଛି ଏହି ଟିମ୍ ।

ବୁଧବାର ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ NSGର ୩ ଜଣିଆ ଟିମ ଶ୍ରୀମନ୍ଦିର ଚତୁପାର୍ଶ୍ଵ ଏବଂ ଚେକିଂ ପଏଣ୍ଟ ବୁଲି ଦେଖିଥିଲେ । ଏହା ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ କିପରି ଆହୁରି ସୁଧାର ଅଣାଯାଇପାରିବ ସେ ନେଇ ସମୀକ୍ଷା କରିଥିଲେ । ଚାରି ଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ଅନ୍ୟତମ ଧାମ ହୋଇଥିବାରୁ ସଦା ସର୍ବଦା ଆତଙ୍କବାଦୀଙ୍କ ନଜରରେ ରହି ଆସିଛି ।

ଏହାର ସୁରକ୍ଷାକୁ କଡାକଡି କରିବା ଲାଗି NSG ପକ୍ଷରୁ ଶ୍ରୀମନ୍ଦିରର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ତନଖି କରାଯାଇଛି । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଶ୍ରୀମନ୍ଦିରରେ କରାଯିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ପୁରୀ ଏସପି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ବେଳେ ବ୍ଲୁ-ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ବୁଧବାର ଏନ୍‌ଏସଜି ଟିମ୍‌ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିରର ମଧ୍ୟ ସୁରକ୍ଷା ଯାଞ୍ଚ କରିଥିଲେ ।

ବର୍ଷେ ଭିତରେ ହାଇୱେରୁ ହଟିବ ସବୁ ଟୋଲ୍ ପ୍ଲାଜା, ଜାତୀୟ ରାଜପଥରେ ଲାଗିବ ଜିପିଏସ ଟ୍ରାକର

ନୂଆଦିଲ୍ଲୀ: ଆସନ୍ତା ଏକ ବର୍ଷ ମଧ୍ୟରେ ଜାତୀୟ ରାଜପଥରୁ ସବୁ ଟୋଲ୍ ପ୍ଲାଜାକୁ ହଟାଇ ଦିଆଯିବ । ଟୋଲ ପ୍ଲାଜା ସ୍ଥାନରେ ଜିପିଏସ ଟ୍ରାକର ଦ୍ୱାରା ଗାଡିକୁ ଟ୍ରାକ୍ କରାଯିବ। ଯେତିକି ସମୟ ପାଇଁ ଓ ଯେତିକି ବାଟ ହାଇୱେରେ ଯିବେ ସେତିକି ପାଇଁ ଟୋଲ୍ ଦେବେ । ସଂସଦରେ ଏଭଳି ଘୋଷଣା କରିଛନ୍ତି ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ।

ଲୋକସଭାରେ ଗୁରୁବାର ଦିନ ବିଏସପି ସାଂସଦ କୁଅଁଲ ଦାନିସ ଅଲ୍ଲୀ ଗଡମୁକ୍ତେଶ୍ୱର ପାଖରେ ଥିବା ସଡକରେ ମ୍ୟୁନିସିପାଲିଟି ସୀମା ଭିତରେ ଟୋଲ୍ ପ୍ଲାଜା ଥିବା କଥା ସଂସଦରେ ଉଠାଇଥିଲେ । ମ୍ୟୁନିସିପାଲିଟି ସୀମାକ୍ଷେତ୍ରରେ କେମିତି ଟୋଲ୍ ପ୍ଲାଜା ବସିଲା ଓ କେମିତି ଲୋକଙ୍କଠାରୁ ଟୋଲ ଆଦାୟ କରାଯାଉଛି ବୋଲି ସାଂସଦ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ଗଡକରୀ କହିଥିଲେ ଯେ, ଗତ ସରକାର ଅମଳରେ ଠିକା କମ୍ପାନୀଙ୍କୁ ଅଧିକ ଲାଭ ପହଂଚାଇବା ଲକ୍ଷ୍ୟରେ ମନଇଛା ଟୋଲ୍ ପ୍ଲାଜା ବସାଇବାକୁ ଦିଆଯାଇଥିଲା । ସହର ସୀମାରେ ଏଭଳି ଟୋଲ୍ ପ୍ଲାଜା ବସାଇବା ବେଆଇନ୍ ଓ ଭୁଲ।
ଗଡକରୀ କହିଥିଲେ ଯେ, ଏବେ ଯଦି ଟୋଲ୍ ପ୍ଲାଜାକୁ ହଟାଯାଏ ତେବେ କଂପାନୀ ଆଇନର ଆଶ୍ରା ନେଇ କ୍ଷତିପୁରଣ ଦାବି କରିବେ । ତେବେ ସରକାର ଆସନ୍ତା ଏକ ବର୍ଷ ମଧ୍ୟରେ ରାଜପଥରୁ ସବୁ ଟୋଲ୍ ପ୍ଲାଜା ହଟାଇବାକୁ ଯୋଜନା କରୁଛନ୍ତି । ଟେକ୍ନୋଲୋଜି ସାହାଯ୍ୟ ନେଇ ସବୁ ଟୋଲ୍ ପ୍ଲାଜାକୁ ହଟାଇ ଦିଆଯିବ । ସରକାରଙ୍କ ଯୋଜନା ହେଉଛି ଜାତୀୟ ରାଜପଥରେ ଜିପିଏସ୍ ଟ୍ରାକର ଲଗାଇବା । ଯାହାଦ୍ୱାର ଜିପିଏସ ରାଜପଥରେ ଚାଲୁଥିବା ଗାଡିର ଫଟୋ ନେଇପାରିବ । ଗୋଟିଏ ଗାଡି ଯେଉଁଠାରୁ ରାଜପଥ ଉପରକୁ ଆସିବ ସେଠାରେ ତା’ର ଫଟୋ ଉଠାଯିବ । ପରେ ଯେତେବେଳେ ଗାଡି ରାଜପଥରୁ ବାହାରିବ ସେତେବେଳେ ମଧ୍ୟ ଫଟୋ ଉଠିବ । ଏହାଫଳରେ ଗାଡି ରାଜପଥରେ ଯେତିକି ବାଟ ଗଡିଥିବ ସେତିକି ପାଇଁ ଟୋଲ୍ ଦେବ ।

ଜିପିଏସ୍ ଟ୍ରାକର କେମିତି କାମ କରିବ ବୁଝନ୍ତୁ :
ଉଦାହରଣ ସ୍ୱରୁପ ଆପଣ ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବେ । ଆପଣ ଫାୟାର ଷ୍ଟେଶନ ରାସ୍ତାରୁ ଜାତୀୟ ରାଜପଥ ଉପରକୁ ଉଠୁଛନ୍ତି ,ତେବେ ଫାୟାର ଷ୍ଟେଶନରେ ଆପଣଙ୍କ ଗାଡିର ଫଟୋ ଜିପିଏସ ଟ୍ରାକର ଉଠାଇବ । ଯେତେବେଳେ ଆପଣ ଖୋର୍ଦ୍ଧା ନିକଟରେ ଜାତୀୟ ରାଜପଥ ଛାଡି ମୁନିସିପାଲିଟି ରାସ୍ତାକୁ ଉଠିବେ ସେତେବେଳ ମଧ୍ୟ ଗୋଟିଏ ଫଟୋ ଉଠିବ । ପ୍ରଥମ ଫଟୋ ଓ ଦ୍ୱିତୀୟ ଫଟୋ ଉଠିଥିବା ରାସ୍ତା ପାଇଁ ଆପଣଙ୍କୁ ଟୋ୍ଲ ଦେବାକୁ ପଡିବ । ଅର୍ଥାତ ରାଜପଥରେ ଯେତିକି ବାଟ ଯିବେ ସେତିକି ପାଇଁ ଟୋଲ ପୈଠ କରିବାକୁ ପଡିବ

ସମାଧାନ ହେଲା କୋରାପୁଟ ସମ୍ବାଇରେ ଆନ୍ଧ୍ର-ଓଡିଶା ଜମି ବିବାଦ ପ୍ରସଙ୍ଗ

କୋରାପୁଟ: ସମାଧାନ ହେଲା କୋରାପୁଟ ସମ୍ବାଇରେ ଆନ୍ଧ୍ର ଓଡିଶା ଜମି ବିବାଦ ପ୍ରସଙ୍ଗ । ଉଭୟ ଗାଁର ଲୋକମାନେ ଆଲୋଚନା କରି ଏହାର ସାମାଧାନର ବାଟ ବାହାର କରିଛନ୍ତି । କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ସାମ୍ବାଇ ପଞ୍ଚାୟତର ଜାମୁଗୁଡା ସୀମାନ୍ତରେ ରହିଥିବା ଜମି ବିବାଦ ଉଭୟ ସୀମାନ୍ତ ଗ୍ରାମବାସୀଙ୍କ ବୁଝାମଣାରେ ବୁଧବାର ସୀମା ଫଳକ ପୋତିଲେ ।

ଓଡିଶାର ଜାମୁଗୁଡା ଗ୍ରାମ ସହ ଆନ୍ଧ୍ରପ୍ରଦେଶର ମିଟାମ ଗ୍ରାମ ମଧ୍ୟରେ ସୀମା ବିବାଦ ରହିଥିଲା । ଦୀର୍ଘଦିନ ଧରି ଏହି ଜମି ବିବାଦ ଲାଗି ରହିଥିବା ବେଳେ ଏବେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଆପସ ବୁଝାମଣା ଯୋଗୁଁ ତାହା ସମାଧାନ ହୋଇଛି । ବୁଧବାର ସୀମା ନିର୍ଦ୍ଧାରଣ କରାଯିବା ସହ ଏକ ଫଳକ ଲଗାଇଛନ୍ତି ଉଭୟ ଗ୍ରାମବାସୀ । ଫଳକର ଗୋଟିଏ ପାଖରେ ଓଡ଼ିଶା (ଓ) ଲେଖାଯାଇଥିବା ବେଳେ ଅନ୍ୟପଟେ ବିଦାୟ ଆନ୍ଧ୍ରପ୍ରଦେଶ ବା ‘ଏ’ ବୋଲି ଲେଖାଯାଇଛି । ପ୍ରଶାସନିକ ଅଧିକାରୀ ଯେଉଁସବୁ ସ୍ଥାନ ଚିହ୍ନଟ କରିଥିଲେ ସେହି ସବୁ ସ୍ଥାନରେ ଏହିଭଳି ୬ଟି ପୋଲ ପୋତାଯାଇଛି । ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗାଁର ଲୋକଙ୍କ ଉପସ୍ଥିତିରେ ଏହି ସମାଧାନ ହୋଇଛି ।

ସୂଚନା ଅନୁଯାୟୀ ଉଭୟ ଗ୍ରାମ ମଧ୍ୟରେ ଦୀର୍ଘ ଦିନ ଧରି ଜମି ବିବାଦ ରହିଥିଲା । ତେଣୁ ଏହାର ସମାଧାନ ପାଇଁ ଦୁଇ ଗାଁର କିଛି ଭଦ୍ରଲୋକଙ୍କୁ ଡକାଯାଇଥିଲା । ଭଦ୍ରଲୋକ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏବଂ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା କରାଯାଇ ସୀମା ବିବାଦର ସମାଧାନ କରାଯଇଛି । ଆନ୍ଧ୍ରପ୍ରଦେଶ ମିଟାମ ଗ୍ରାମର କିଛି ଲୋକ ମାଡିବସିଥିବା ଜମିଗୁଡିକୁ ଛାଡିବା ପାଇଁ ସହମତି ପ୍ରକାଶ କରିଥିଲେ । ତେବେ ଏଠାରେ ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲେ ମଧ୍ୟ, ସୀମାନ୍ତ ସୁନାବେଡ଼ା ଏବଂ ବଡ଼ଲାମ ଗ୍ରାମ ମଧ୍ୟରେ ସମାଧାନ ହୋଇପାରିନାହିଁ ।