spot_img
Home Blog Page 59

ଆଜି ଭାରତ ଓ ୱେଷ୍ଟଇଣ୍ତିଜ୍ ଫାଇଟ୍, ବିଜୟ ଲକ୍ଷ୍ୟରେ ଉଭୟ ଟିମ୍

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ ଓ ୱେଷ୍ଟଇଣ୍ତିଜ୍ ଫାଇଟ୍ । ରାଞ୍ଜିଠାରେ ଖେଳାଯିବ ଟ୍ବେଣ୍ଟି-୨୦ ସିରଜର ଦ୍ବିତୀୟ ମ୍ୟାଚ୍ । ଏହି ମ୍ୟାଚ୍ ଜିତିଲେ ଭାରତ ୨-୦ରେ ଆଗୁଆ ରହିବ । ଅନ୍ୟପଟେ ୱେଷ୍ଟଇଣ୍ତିଜ୍ ପ୍ରଥମ ମ୍ୟାଚ୍ ଜିତି ସିରିଜ ବରାବର କରିବା ନେଇ ଲକ୍ଷ୍ୟ ରଖିଛି ।

ଭାରତ ସିରିଜର ପ୍ରଥମ ମ୍ୟାଚ୍ ୮ ୱିକେଟ୍ ରେ ଜିତିଥିବା ବେଳେ ବିଜୟ ଧାରା ବଜାଇ ରଖିବା ନେଇ ଚେଷ୍ଟା କରିବ। ସେପଟେ ପ୍ରଥମ ମ୍ୟାଚ୍ ରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିବା ୱେଷ୍ଟଇଣ୍ତିଜ୍ ମ୍ୟାଚ୍ ଜିତିବାକୁ ପ୍ରାଣପ୍ରଣେ ଚେଷ୍ଟା କରିବ । ସେପଟେ କିନ୍ତୁ ସଞ୍ଜୁ ସାମସନ୍ ଙ୍କ ଖରାପ ଫର୍ମ ଟିମ୍ ପାଇଁ ଚିନ୍ତା ବଢାଇଛି । ଗତ ୪ଟି ଟ୍ବେଣ୍ଟି-୨୦ରେ ସାମସନ୍ ଯଥାକ୍ରମେ ୯,୭,୨ଓ ୧୧ ରନ୍ କରିଥିଲେ । ତେବେ ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟାବଂଶୀ ଓପନର ଅଭିଷେକ ଶର୍ମାଙ୍କ ସହ ଓପନିଂ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବୈଭବ ଭଲ ଫର୍ମରେ ଅଛନ୍ତି । ଖରାପ ଫର୍ମ ସତ୍ତ୍ବେ ଅଧିନାୟକ ଶ୍ରେୟସ ସଞ୍ଜୁଙ୍କୁ ଅଧିକ ସମର୍ଥନ କରିବା ଦରକାର ବୋଲି କହିଛନ୍ତି । ତେବେ ବ୍ୟାଟିଂ ଅର୍ଡ଼ର ସହ ଭାରତ ବୋଲିଂ ଅର୍ଡ଼ରେ ମଧ୍ୟ କିଛିଟା ପରିବର୍ତ୍ତନ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ୱେଷ୍ଟଇଣ୍ତିଜ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ସାଜିପାରେ ବ୍ୟାଟିଂ । ଟିମ୍ ରେ ସିମ୍ରନ୍ ହେଟମାୟର, ରଷ୍ଟନ୍ ଚେଜ୍ ଓ ରୋଭାମାନ୍ ପାୱେଲଙ୍କ ଭଳି ବହୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରହିଥିଲେ ମଧ୍ୟ ଦଳ ଗତ ମ୍ୟାଚ୍ ରେ ୧୭୧ ରନର୍ ଅଲଆଉଟ୍ ହୋଇଥିଲା । ତେବେ ଟିମ୍ କୁ ଜିତିବା ଲାଗି ବଡ଼ ସ୍କୋର କରିବାକୁ ହେବ ।

ସିଜେପି ପ୍ରତିବାଦ ପାଇଁ ରାଜଧାନୀରେ କର୍ଫ୍ୟୁ ଭଳି ପରିସ୍ଥିତି: ସବୁ ବନ୍ଦ !

ନନ୍ଦିଘୋଷ ବ୍ୟୁରୋ: ୧୦ ଅକ୍ଟୋବର ଅର୍ଥାତ ଆସନ୍ତାକାଲି ଜନ୍ତର ମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ ନେତୃତ୍ବରେ ହେବାକୁ ଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । କେନ୍ଦ୍ରୀୟ ବାହିନୀ ମୁତୟନ ଠାରୁ ଆରମ୍ଭ କରି ବଡ ଧରଣର ବ୍ୟାରିକେଡିଂ, ରେଳ ସୁରକ୍ଷା ଯାଞ୍ଚ ଏବଂ ମଦ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି । ଯେହେତୁ ଟ୍ରେନ୍ ବାତିଲ ଏବଂ ମେଟ୍ରୋ ଷ୍ଟେସନ୍ ବନ୍ଦ ରହିବ, ତେଣୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ କର୍ତ୍ତୃପକ୍ଷ ସହରବ୍ୟାପୀ ବନ୍ଦ କିମ୍ବା କର୍ଫ୍ୟୁ ଘୋଷଣା କରିନଥିଲେ ବି ଲୋକମାନେ ଟ୍ରାଫିକ୍ ଜାମ୍ ଏବଂ ଯାତ୍ରାରେ ବାଧା ପାଇଁ ପ୍ରସ୍ତୁତ ରହିବା ଉଚିତ ।

ସୂଚନା ମୁତାବକ, ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ ନେଇ ସିଜେପି ଏବଂ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ୍ସ ଆସୋସିଏସନ୍ ପକ୍ଷରୁ ପ୍ରତିବାଦ ଡାକରା ଦିଆଯାଇଛି । ବିରୋଧୀ ଦଳଗୁଡିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିବା ବେଳେ ଅନେକ ରାଜନେତା ଏଥିରେ ଅଂଶଗ୍ରହଣ କରିବା ନେଇ ଆଶା କରାଯାଉଛି । ଏହି ପ୍ରତିବାଦ ପାଇଁ ଜାତୀୟ ରାଜଧାନୀରେ ୫୦,୦୦୦ ରୁ ଅଧିକ ଲୋକ ଏକତ୍ରିତ ହୋଇପାରନ୍ତି ବୋଲି ଚିନ୍ତା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ବିଏନ୍ଏସ୍ଏସ୍ ଧାରା ୧୬୩ ଅନୁଯାୟୀ ନିଷେଧ ଆଦେଶକୁ ଉଦ୍ଧୃତ କରି ପ୍ରତିବାଦ ପାଇଁ ଅନୁମତି ଦେଇନାହିଁ । ତଥାପି ଆନ୍ଦୋଳନ ହେବ, ଏହା ଏକ ପ୍ରକାର ଥୟ । ସେଥିପାଇଁ ପୋଲିସ ଟିମ୍ ମାନେ ସୋସିଆଲ ମିଡିଆ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି ଏବଂ ହୋଟେଲ, ଗେଷ୍ଟ ହାଉସ୍ ଏବଂ ପେୟିଙ୍ଗ୍ ଗେଷ୍ଟମାନଙ୍କୁ ଯାଞ୍ଚ କରୁଛନ୍ତି ।  କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବାକୁ ଶୁକ୍ରବାର ଏବଂ ଶନିବାର ମଦ ଦୋକାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଭାରତୀୟ ରେଳବାଇ ୧୦ ଅକ୍ଟୋବର ସକାଳ ୪ ଟାରୁ ଅପରାହ୍ଣ ୨ଟା ମଧ୍ୟରେ ନୂଆଦିଲ୍ଲୀ ଏବଂ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରେ ପହଁଞ୍ଚିବାକୁ ଥିବା ଟ୍ରେନଗୁଡିକୁ ବାତିଲ କରିବାକୁ ଘୋଷଣା କରିଛି । ପ୍ରତିବାଦ ଯୋଗୁଁ ଉଭୟ ରେଳ ଷ୍ଟେସନରେ ପ୍ରବଳ ଭିଡ ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସେହିଭଳି ଦିଲ୍ଲୀର ସାତଟି ପ୍ରମୁଖ ରେଳ ଷ୍ଟେସନରେ ପୋଲିସ ସୁରକ୍ଷା ବୃଦ୍ଧି କରିଛି । ପ୍ରତିବାଦ ସ୍ଥଳ ନିକଟରେ ଥିବା ଶିବାଜୀ ବ୍ରିଜ୍ ଏବଂ ତିଲକ ବ୍ରିଜ୍ ରେ ମଧ୍ୟ ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ କରାଯାଇଛି । ଦିଲ୍ଲୀ ପୋଲିସ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ୫୭ଟି ମେଟ୍ରୋ ଷ୍ଟେସନ୍ ବନ୍ଦ କରିବାକୁ ପରାମର୍ଶ ଦେଇଛି ।

ତେବେ ପ୍ରତିବାଦ ସମୟରେ ଦିଲ୍ଳୀର ସାଧାରଣ ଲୋକଙ୍କୁ ଘର ଭିତରେ ରହିବାକୁ ସେଭଳି କୌଣସି ଆଡଭାଇଜରୀ ଜାରି କରାଯାଇନଥିଲେ ମଧ୍ୟ ଘରୁ ବାହାରକୁ ବାହାରୁଥିଲେ ସାଙ୍ଗରେ ଭାଲିଡ୍ ଫଟୋ ଆଇ-କାର୍ଡ ରଖିବାକୁ କୁହାଯାଇଛି ।

କାଲି ସିଜେପିର ବିଶାଳ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ:ଡରିଗଲେ କି କେନ୍ଦ୍ର ସରକାର। ଆସନ୍ତାକାଲି ଦିଲ୍ଲୀରେ ବଡ଼ ସମାବେଶ କରିବାକୁ ଯାଉଛି କକ୍ରୋଚ ଜନତା ପାର୍ଟି। ତାକୁ ଭଣ୍ଡୁର କରିବାକୁ ସବୁ ସ୍ତରରେ ଉଦ୍ୟମ କରାଯାଉଥିବାର ଅଭିଯୋଗ। SIR ଜାଲିଆତିକୁ ନେଇ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନ ଡାକରା ଦେଇଛି। ଏହାକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ୫୭ଟି ମେଟ୍ରୋ ଷ୍ଟେସନ ବନ୍ଦ ରଖାଯିବ । କେନ୍ଦ୍ରୀୟ ସଶସ୍ତ୍ର ବଳର ୧୩୦ଟି କମ୍ପାନୀ ମୁତୟନ କରାଯିବ ।  କିନ୍ତୁ ଏହି ଆନ୍ଦୋଳନକୁ ଭଣ୍ଡୁର କରିବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରିଛନ୍ତି। ଦିଲ୍ଲୀକୁ ଆସୁଥିବା ସବୁ ଟ୍ରେନକୁ ବାତିଲ କରିବା ସହିତ ଦିଲ୍ଲୀରେ ଆସନ୍ତାକାଲି ମେଟ୍ରୋ ବନ୍ଦ କରିବାକୁ ମଧ୍ୟ ଯୋଜନା କରାଯାଉଛି। ଏହା ସହିତ ଦିଲ୍ଲୀରେ ଇଣ୍ଟରନେଟ ବନ୍ଦ କରିବାକୁ ମଧ୍ୟ ଷଡ଼ଯନ୍ତ୍ର କରାଯାଇଛି। ଏପରିକି ଲୋକଙ୍କୁ ହୋଟେଲରେ ରହିବାକୁ ଦିଆଯାଉନି। ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯାଇଛନ୍ତି କପିଲ ସିବଲ ଓ ଅଭିଷେକ ମନୁ ସିଂଘଭି। ସେ କହିଛନ୍ତି, ଦେଶରେ ଚାଲିଛି କଣ। କାହିଁକି ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ ଭଣ୍ଡୁର କରିବାକୁ ଏତେ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଦୁଇ ବରିଷ୍ଠ ଓକିଲ। …

ବୀରତ୍ବ ପାଇଁ ସ୍ମିତ୍ ଙ୍କୁ ସମ୍ମାନିତ କରିବ ଇସ୍ରାଏଲ…..

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲରେ ସମ୍ମାନିତ ହେବେ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାର । ସାହାସୀ ପାଇଲଟ୍ ଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ବ ସମ୍ମାନ । ଏନେଇ ଗୁରୁବାର ଇସ୍ରାଇଲ ରାଷ୍ଟ୍ରପତି ଇସାକ ହର୍ଜୋଗ୍ ଘୋଷଣା କରିଛନ୍ତି । ପ୍ରେସିଡ଼େନ୍ସିଆଲ ‘ଆୱର୍ଡ଼ ଫର ସିଭିଲିଆନ୍ ହିରୋଇଜିମ୍’ ରେ ପାଇଲଟ୍ ଙ୍କୁ ସମ୍ମାନିତ କରିବ ଇସ୍ରାଇଲ ।

ସୂଚନା ଅନୁଯାୟୀ, ଗୁରୁବାର ଏନେଇ ରାଷ୍ଟ୍ରପତି ଇସାକ ହର୍ଜୋଗ୍ ସୂଚନା ଦେଇଛନ୍ତି । ଫ୍ଲାଏ ଦୁବାଇ ବିମାନରେ ନିଜ ଜୀବନକୁ ବାଜିରେ ଲଗାଇ ୧୮୦ ଜଣଙ୍କ ଜୀବନ ବଞ୍ଚାଇଥିଲେ ସ୍ମିତ । ଗୁରୁବାର ଜେରୁଜେଲମରେ ରାଷ୍ଟ୍ରପତି ହର୍ଜୋଗ୍ ୬ ଜଣ ଇସ୍ରାଏଲୀ ଯାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସମୟରେ ସ୍ମିତଙ୍କ ନାଁ ଘୋଷଣା କରିଥିଲେ । ହର୍ଜୋଗ୍ କହିଥିଲେ, “ଆଜି ଆମେ ଇସ୍ରାଏଲୀ ବୀରମାନଙ୍କୁ ସମ୍ମାନ ଜଣାଇବା ସହ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ। ତାଙ୍କ ସାହସିକତା ଯୋଗୁଁ ଏତେ ବଡ଼ ବିପଦ ଟଳିଯାଇଛି । ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ମୁଁ ନିଜେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବି” । କିଛି ଦିନ ପୂର୍ବରୁ ସ୍ମିତଙ୍କୁ ଆମେରିକା ମଧ୍ୟ ସମ୍ମାନିତ କରିବ ବୋଲି ଆମେରିକୀୟ ସଂସଦରେ ଏକ ପ୍ରସ୍ତାବ ପାରିତ ହୋଇଛି ।

ପ୍ରକାଶଥାଉ କି, ଗତ ମାସ ୩୦ ତାରିଖରେ ଫ୍ଲାଏ ଦୁବାଇ ବିମାନ FZ1073 ୧୮୦ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିଲା । ସେଥିରେ ଅଧିକାଂଶ ଇସ୍ରାଇଲୀ ନାଗରିକ ରହିଥିଲେ । ମଝି ଆକାଶରେ ହଠାତ୍ କୋ-ପାଇଲଟ୍ ହମାମ୍ ଅଲ୍ ହାମ୍ମାନି କକପିଟ୍ ଭିତରେ ପାଇଲଟ୍ ସ୍ମିତ୍ ଙ୍କୁ ଆକ୍ରମଣ କରିଥିଲେ । ବିମାନକୁ ନିଜ କଣ୍ଟ୍ରୋଲକୁ ନେଇ ତେଲ୍ ଅଭିବ ନିକଟ ଏକ କୋଠାରେ ପିଟି କ୍ରାସ୍ କରିବାକୁ ପ୍ଲାନ୍ କରିଥିଲେ। ହାମ୍ମାନିଙ୍କ ଉଦ୍ଦେଶ୍ୟ ଜାଣିବାପରେ ସ୍ମିତ ତାଙ୍କୁ ଏଥିରେ ବାଧା ଦେଇଥିଲେ । ହାମ୍ମାନି ଆକ୍ରମଣ ସ୍ବତ୍ତେ ସାହାସିକତାର ସହ ସଂଘର୍ଷ କରି ସେ ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ । ଶେଷରେ ସାଉଦି ଆରବରେ ଜରୁରୀକାଳୀନ ଅବତରଣ କରିଥିଲା ଏହି ବିମାନ । ଏହି ମହାନ କାର୍ଯ୍ୟ ପାଇଁ ସମଗ୍ର ବିଶ୍ୱର ନେତାମାନେ ସ୍ମିତଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରିଥିଲେ । ଏବେ ଡାକ୍ତରଖାନାରେ ସୁସ୍ଥ ହେଉଛନ୍ତି ପାଇଲଟ୍ ସ୍ମିତ।

ଭୟଙ୍କର ଦୁର୍ଘଟଣା: ୭ ଶ୍ରମିକ ମୃତ !

ନନ୍ଦିଘୋଷ ବ୍ୟୁରୋ: ରାତିର ଅନ୍ଧାରରେ ଘଟିଲା ଛାତିଥରା ଦୁର୍ଘଟଣା । ଏକାସାଙ୍ଗରେ ଚାଲିଗଲା ୭ ଜଣଙ୍କ ଜୀବନ । ଗୁଜୁରାଟର କଚ୍ଛରୁ ସାମ୍ନାକୁ ଆସିଛି ଏଭଳି ଭୟଙ୍କର ଦୁର୍ଘଟଣାର ଖବର । ଏକ କାର ଏବଂ ବୋଲେରୋ ମଧ୍ୟରେ ଧକ୍କା ହେବା ଯୋଗୁଁ ସାତ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ।  ସୂଚନା ଅନୁସାରେ, ଖଓ୍ବଡା ଆରୀ ପାର୍କରେ ଘଟିଛି ଏହି ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ କଚ୍ଛର ଖଓ୍ବାଡା ନିକଟରେ ଆରୀ ପାର୍କକୁ ଯାଉଥିବା ସମୟରେ ଏହି ଗୁରୁତର ଦୁର୍ଘଟଣା ଘଟିଥିଲା । ଏକ କଳା ରଙ୍ଗର କାର ଶ୍ରମିକଙ୍କୁ ନେଇ ଯାଉଥିବା ବୋଲେରୋକୁ ଧକ୍କା ଦେବା ଫଳରେ ବୋଲେରୋଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର  ହୋଇଥିଲା ।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାରେ ସାତ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ବୋଲେରୋରେ ୧୫ରୁ ଅଧିକ ଶ୍ରମିକ ଥିବା ଅନୁମାନ କରାଯାଉଛି । ତେଣୁ ଦୁର୍ଘଟଣାର ଭୟାବହତାକୁ ଦେଖି ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ବଢିଛି ।  ଶ୍ରମିକଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି । ଯାହାପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ତେବେ ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣା ଯୋଗୁଁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ଖଓ୍ବାଡାରୁ ଭୁଜକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଆରଇ ପାର୍କ ଅଞ୍ଚଳରେ ଏହି ପ୍ରକାରର ଏହା ପ୍ରଥମ ବଡ ଦୁର୍ଘଟଣା । ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

 

ପଶ୍ଚିମବଙ୍ଗରେ ଏକ ବସ୍ ରୁ ୪ କୋଟି ଟଙ୍କାର ନିଶା ସାମଗ୍ରୀ ଜବତ

କୋଲକାତା : ପଶ୍ଚିମବଙ୍ଗରେ ଏକ ବସ୍ ରୁ ୪ କୋଟି ଟଙ୍କାର ନିଶା ସାମଗ୍ରୀ ଜବତ।  କୋଲକାତାରୁ ସିଲିଗୁଡ଼ି ଯାଉଥିବା ଏକ ବସ୍ ରୁ ଏହି କ୍ୟାପସୁଲ୍ ଜବତ ହୋଇଛି। ତଲାସି କରିବା ସମୟରେ କୃଷ୍ଣନଗର କଷ୍ଟମ୍ସ ପ୍ରିଭେଣ୍ଟିଭ୍ ୟୁନିଟ୍ ଏହି ବିପୁଳ ପରିମାଣର ଡ୍ରଗ୍ସ କ୍ୟାପସୁଲ୍ ଜବତ କରିଛି। ଉଦ୍ଧାର ହୋଇଥିବା ଡ୍ରଗ୍ସର ଆନ୍ତର୍ଜାତୀୟ ବଜାର ମୂଲ୍ୟ ୪ କୋଟି ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଉଛି। ଗୁପ୍ତ ସୂଚନା ପାଇବା ପରେ ରେଡ୍ କରାଯାଇଥିଲା।

ବସ୍ ତଳୁ କୁକୁଡ଼ା ଖାଦ୍ୟ ବ୍ୟାଗ ପଛରେ ଲୁଚାଯାଇଥିବା ତିନୋଟି ସନ୍ଦିଗ୍ଧ ବ୍ୟାଗ ଉଦ୍ଧାର କରାଯାଇଥିଲା। ବ୍ୟାଗ ସବୁକୁ ଖୋଲିବା ପରେ ଜଣାପଡିଲା ଯେ ଭିତରେ ପ୍ରାୟ ୯୬ ହଜାର କ୍ୟାପସୁଲ୍ ଛି। ଏହା ସାଧାରଣତଃ ଯନ୍ତ୍ରଣା ନିବାରକ କିମ୍ବା ଯନ୍ତ୍ରଣା ନିବାରକ ଭାବରେ ବ୍ୟବହୃତ ହୁଏ। ନିଶା ସାମଗ୍ରୀକୁ NDPS କୋର୍ଟରେ ଉପସ୍ଥାପନ କରାଯିବ। ଏହା ପଛରେ ଥିବା ରାକେଟକୁ ଧରିବାକୁ ତନାଘନା ଜା ଏବଂ କଷ୍ଟମ୍ସ ଏହି ରିଙ୍ଗ୍ ପଛରେ କିଏ ଅଛି ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିସାରିଛି। ସେହି ସମୟରେ, କଷ୍ଟମ୍ସ ଅଧିକାରୀମାନେ କୋଲକାତାରୁ ଏହି ଡ୍ରଗ୍ସ ଭର୍ତ୍ତି ବ୍ୟାଗକୁ କିଏ ବୁକ୍ କରିଥିଲା ​​ତାହାର ସମସ୍ତ ବିବରଣୀ ଜାଣିବାକୁ ଚେଷ୍ଟା କରୁଛନ୍ତି।

 

ବିଜେଡିର ଜନସଂପର୍କ ପଦଯାତ୍ରାରେ

ଭୁବନେଶ୍ବର : ବିଜେଡିର ଜନସଂପର୍କ ପଦଯାତ୍ରାରେ ଗର୍ଜିଲେ ନବୀନ ପଟ୍ଟନାୟକ। ସେ  କହିଛନ୍ତି, ବିକାଶ ଓ ସେବାରେ ବିଜେଡି ବିଶ୍ୱାସ କରେ। ବିଜେଡି ସମୟରେ ବିକାଶ ପାଇଁ ଓଡ଼ିଶା ସାରା ବିଶ୍ୱରେ ମଡେଲ ରାଜ୍ୟ ହୋଇଥିଲା। ହେଲେ ଡବଲ ଇଂଜିନ ସରକାର ଓଡ଼ିଶାର ଛବି ମଳିନ କରି ଦେଇଛି। ବିଜେପି ସରକାରର ବିଫଳତା ସବୁ ଘରେ ଜଣାଇବାକୁ ବିଜେଡି କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ନବୀନ ପଟ୍ଟନାୟକ। । ଆଜି ବିଜେଡି ଜନ ସଂପର୍କ ପଦଯାତ୍ରାରେ ଯୋଗ ଦେଇଛନ୍ତି ଦଳର ମୁଖ୍ୟ ନବୀନ ପଟ୍ଟନାୟକ। ଆଜିର ସମାବେଶ ହୋଇଛି ଭୁବନେଶ୍ଵର ଡମଣା କ୍ଲବ ଟାଉନ ପଡି଼ଆରେ। ଏଥିରେ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇଛନ୍ତି। ବିଜେଡିର ଜନ ସଂପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା ଗାନ୍ଧି ଜୟନ୍ତୀ ଅକ୍ଟୋବର ୨ ତାରିଖରୁ। ଏହା ନଭେମ୍ଵର ୨ ତାରିଖ ଯାଏ ଚାଲିବ। ଏହି ପଦଯାତ୍ରା ଜରିଆରେ ପୂର୍ବ ବିଜେଡି ସରକାରର ସଫଳତା ଓ ବର୍ତ୍ତମାନର ବିଜେପି ସରକାରର ବିଫଳତା ସଂପର୍କରେ ରାଜ୍ୟବାସୀଙ୍କୁ ସଚେତନ କରାଯାଉଛି। ଏହା ସହିତ MMDR ପରି ରାଜ୍ୟସ୍ଵାର୍ଥ ବିରୋଧୀ ଆଇନ ସଂପର୍କରେ ଲୋକଙ୍କୁ ସଜାଗ କରାଯାଉଛି। …

 

ନାନା ପାଟେକରଙ୍କ ମୃତ୍ୟୁ ଅପ୍ରାକୃତିକ !

ନନ୍ଦିଘୋଷ ବ୍ୟୁରୋ: ନାନା ପାଟେକରଙ୍କ ମୃତ୍ୟୁରେ ନୂଆ ଟ୍ବିଷ୍ଟ୍ । ସ୍ବାଭାବିକ ନଥିଲା ନାନାଙ୍କ ମୃତ୍ୟୁ । ମାମଲା ରୁଜୁ କଲା ପୋଲିସ ।  ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ଗୋଆରେ ଦେହାନ୍ତ ହୋଇଛି । ଗୁରୁବାର ପୁଣେର ଡୋଞ୍ଜେ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବେ ବେଳେ ଏହାକୁ କିନ୍ତୁ ସହଜରେ ଗ୍ରହଣ କରାଯାଇପାରୁ ନାହିଁ । ଏନେଇ ଗୋଆର ପାଣାଜୀ ପୋଲିସ  ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୯୪ ଆଧାରରେ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଛି । ପୋଲିସର ରେକର୍ଡ ମୁତାବକ, ଅଭିନେତା ନାନା ପାଟେକରଙ୍କୁ ଡୋନା ପାଉଲାର ଓସନ ପାର୍କ ସ୍ଥିତ ତାଙ୍କ ଘରୁ ବାମ୍ବୋଲିମର ମଣିପାଲ ହସ୍ପିଟାଲକୁ ମୃତ ଅବସ୍ଥାରେ ଅଣାଯାଇଥିଲା । ତେଣୁ ସନ୍ଦେହ ଉପୁଜିବାରୁ ଏହାକୁ ନେଇ ମାମଲା ରୁଜୁ ହୋଇଥିଲା । ଯାହାପରେ ଏବେ ପିଏସଆଇ ନିତୀନ ନାୟକଙ୍କ ତତ୍ତ୍ବାବଧାନରେ ତଦନ୍ତ ଆରମ୍ଭ ହୋଇଛି । ପାଣାଜୀ ପୋଲିସ ଏହି ମାମଲାରେ ଅଧିକ ସତର୍କତାର ସହିତ କାର୍ଯ୍ୟ କରୁଛି । ପୋଲିସ ବର୍ତ୍ତମାନ ମୃତ୍ୟୁର ପରିସ୍ଥିତି ଏବଂ କାରଣ ଯାଞ୍ଚ କରୁଛି । ଯଦି ମୃତ୍ୟୁ ସ୍ବାଭାବିକ ବୋଲି ଜଣାପଡେ,ତେବେ ସେହି ଆଧାରରେ ମାମଲାକୁ ବନ୍ଦ କରାଯାଇପାରେ । କିନ୍ତୁ ଯଦି କୌଣସି ସନ୍ଦେହଜନକ ପରିସ୍ଥିତି ଦେଖାଦିଏ, ତାହାହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯଦି ଦେଖିବା ନାନା ପାଟେକରଙ୍କ ପ୍ରାରମ୍ଭିକ ଡାକ୍ତରୀ ରିପୋର୍ଟ ଏବଂ ପାଣାଜୀର ମଣିପାଲ ହସ୍ପିଟାଲର ଡାକ୍ତରଙ୍କ ଅନୁସାରେ, କାର୍ଡିଆକ୍ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ଏହାସତ୍ତ୍ବେ ବି ପୋଲିସ ଏକ ମାମଲା ରୁଜୁ କରିଛି । ଯାହାକୁ ଏକ ବାଧ୍ୟତାମୂଳକ ଆଇନଗତ ପ୍ରକ୍ରିୟା ଭାବରେ ବର୍ଣ୍ଣନା କରାଯାଉଛି । ଏହା ଏଥିପାଇଁ କାରଣ ନାନା ପାଟେକରଙ୍କୁ ଯେତେବେଳେ ହସ୍ପିଟାଲ ଅଣାଯାଇଥିଲା, ସେତେବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା । ନିୟମ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲକୁ ଅଣାଯାଏ, ସେତେବେଳେ ହସ୍ପିଟାଲ୍ ପ୍ରଶାସନକୁ ପୋଲସକୁ ଜଣାଇବାକୁ ପଡିଥାଏ ଏବଂ ଆଇନଗତ ପ୍ରକ୍ରିୟା ଅନୁଯାୟୀ ମାମଲାକୁ ‘ମେଡିକୋ-ଲିଗାଲ କେସ୍’ ଏବଂ ଅପ୍ରାକୃତିକ ମୃତ୍ୟୁ ଭାବରେ ମାମଲା ରୁଜୁ କରାଯାଇ ପୋଷ୍ଟମର୍ଟମ କରାଯାଇଥାଏ । କହିରଖୁଛୁ ଯେ, ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୯୪ ଆଧାରରେ ମାମଲା ସେତେବେଳେ ରୁଜୁ ହୋଇଥାଏ, ଯେତେବେଳେ ଜଣେ ବ୍ୟକ୍ତି ହଠାତ୍ ମୃତ୍ୟୁବରଣ କରନ୍ତି ଏବଂ କୌଣସି ଦୀର୍ଘକାଳୀନ ରୋଗରେ ପିଡୀତ ନଥାନ୍ତି ଓ ହସ୍ପିଟାଲ ବାହାରେ ଥାଆନ୍ତି । ଏହି ଆଧରରେ ନାନାଙ୍କ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ ହୋଇଛି ।

 

ଆଜି ବିଶ୍ବ ଡ଼ାକ ଦିବସ, ଇଣ୍ଟରନେଟ୍ ଯୁଗରେ କମିନି ଡ଼ାକ ସେବାର ଗୁରୁତ୍ବ

ନନ୍ଦିଘୋଷ ବ୍ୟୁରୋ : ଆଜି ବିଶ୍ବ ଡ଼ାକ ଦିବସ । ବିଶ୍ବ ସାରା ପ୍ରତିବର୍ଷ ଅକ୍ଟୋବର ୯ ତାରିଖକୁ ବିଶ୍ବ ଡ଼ାକ ଦିବସ ଭାବେ ପାଳନ କରାଯାଇଥାଏ । ବର୍ତ୍ତମାନର ଇଣ୍ଟରନେଟ୍ ଯୁଗରେ ଡ଼ାକ ସେବାର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଦିନ ଥିଲା ନା ଥିଲା ସ୍ମାର୍ଟ ଫୋନ୍ ନା ଥିଲା ଇଣ୍ଟରନେଟ୍ ସେବା । ସେ ସମୟରେ ଯୋଗଯୋଗର ବଡ଼ ମାଧ୍ୟମ ସାଜିଥିଲା ଡ଼ାକ ସେବା । ଡ଼ାକବାଲା ଡ଼ାକଘରୁ ଚିଠି ସଂଗ୍ରହ କରି ଠିକଣ ଜାଗାରେ ପହଁଞ୍ଚାଉଥିଲେ । ଡ଼ାକ ସେବାର ଇତିହାସକୁ ମନେ ପକାଇବା ଲାଗି ଏହି ଦିବସ ପାଳନ କରାଯାଉଛି ।

୧୮୭୪ ମସିହାରେ ସ୍ବିଜରଲ୍ୟାଣ୍ତରେ ୟୁନିଭର୍ସାଲ ପୋଷ୍ଟାଲ୍ ୟୁନିୟନ୍ ସ୍ଥାପିତ ହୋଇଥିଲା । ଏହା ମାଧ୍ୟମରେ ଯୋଗାଯୋଗ କ୍ଷେତ୍ରରେ ବିଶ୍ବସ୍ତରୀୟ ବିପ୍ଲବ ଆରମ୍ଭ ହୋଇଥିଲା । ଆନ୍ତର୍ଜାତିକ ଡ଼ାକସଂଘ ସଂସଦ ଦ୍ବାରା ୧୯୬୯ ମସିହାରେ ଜାପାନର ଟୋକିଓଠାରେ ଅନୁଷ୍ଠିତ ସମ୍ମିଳନୀରେ ୟୁନିୟନ୍ ର ଜନ୍ମବାର୍ଷିକୀରେ ଡ଼ାକ ଦିବସ ପାଳନ ନେଇ ଘୋଷଣା କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ ଆଜିର ଦିନ ବିଶ୍ବ ଡ଼ାକ ଦିବସ ଭାବେ ପାଳନ ହୋଇଆସୁଛି ।

ବର୍ତ୍ତମାନ ଯୁଗରେ ଯୋଗାଯୋଗର ମୁଖ୍ୟ ମାଧ୍ୟମ ସାଜିଛି ମୋବାଇଲ୍ ଫୋନ୍, ଇଣ୍ଟରନେଟ୍ ଓ ସୋସିଆଲ୍ ମିଡ଼ିଆ । ତଥାପି ଡାକ ସେବାର ଆବଶ୍ୟକତା ରହିଛି । ଚିଠି, ଶିକ୍ଷା ସମ୍ପର୍କିତ କାଗଜପତ୍ର, ସରକାରୀ ଦସ୍ତାବିଜ, ଔଷଧ ଓ ବିଭିନ୍ନ ପାର୍ସଲ୍ ପହଞ୍ଚାଇବାରେ ଡାକ ବ୍ୟବସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ବିଶେଷକରି, ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଲୋକଙ୍କ ପାଖରେ ଅନେକ ଜରୁରୀ ସେବା ପହଞ୍ଚାଇବାରେ ଡାକସେବା ସହାୟକ ହୋଇଥାଏ । ଡାକଘର ମାଧ୍ୟମରେ ଲୋକେ ସଞ୍ଚୟ ଯୋଜନା ସମେତ ବିଭିନ୍ନ ଆର୍ଥିକ ସେବାର ଲାଭ ମଧ୍ୟ ଉଠାଇପାରୁଛନ୍ତି ।

 

ରିୟାଦକୁ ଉଡ଼ିବନି ଏୟାର ଇଣ୍ତିଆ ଓ ଇଣ୍ତିଗୋ ଫ୍ଲାଇଟ୍

ନନ୍ଦିଘୋଷ ବ୍ୟୁରୋ: ରିୟାଦକୁ ଉଡ଼ିବନି କୌଣସି ଭାରତୀୟ ବିମାନ । ସାଉଦି ଆରବରେ ସୁରକ୍ଷା ପରିସ୍ଥିତି ଜଟିଳ ହେବା ପରେ ରିୟାଦରୁ ଉଡ଼ାଣ ଭରୁଥିବା ଓ ରିୟାଦରୁ ଆସୁଥିବା ସମସ୍ତ ଫ୍ଲାଇଟ୍ କୁ ବାତିଲ କରାଯାଇଛି ।

ସୂଚନାଥାଉ କି, ଗୁରୁବାର ଏୟାର ଇଣ୍ତିଆ, ଇଣ୍ତିଗୋ ଓ ଏୟାର ଇଣ୍ତିଆ ଏକ୍ସପ୍ରେସ୍ ପକ୍ଷରୁ ରିୟାଦକୁ ଉଡ଼ାଣ ଭରୁଥିବା ଓ  ରିୟାଦରୁ ଆସୁଥିବା ସମସ୍ତ ଫ୍ଲାଇଟ୍ କୁ ବାତିଲ କରାଯାଇଛି। ଅକ୍ଟୋବର ୧୦ ପର୍ଯ୍ୟନ୍ତ ରିୟାଦକୁ ଉଡ଼ାଣ ବନ୍ଦ ରହିବ ବୋଲି ଏୟାରଲାଇନ ଗୁଡ଼ିକ ପକ୍ଷରୁ ସୂଚନା ମିଳିଛି । ତେବେ ବିମାନ ଯ।ତ୍ରା ଲାଗି ଟିକେଟ୍ ବୁକ୍ କରିଥିବା ସମସ୍ତ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ ବୋଲି କୁହାଯାଇଛି । ଏନେଇ ଏୟାର ଇଣ୍ତିଆ ଏକ୍ସପ୍ରେସର ମୁଖପାତ୍ର କହିଛନ୍ତି ଯେ, ସେଠାର ପରିସ୍ଥିତି ବାରମ୍ବାର ବଦଳୁଥିବାରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ରିୟାଦକୁ ଓ ରିୟାଦରୁ ଆସୁଥିବା ସମସ୍ତ ଫ୍ଲାଇଟ୍ କୁ ବାତିଲ କରାଯାଇଛି । ଟିକେଟ୍ ବୁକ୍ କରିଥିବା ସମସ୍ତ ଯାତ୍ରୀଙ୍କୁ ବିନା ଅତିରିକ୍ତ ଖର୍ଚ୍ଚରେ ଅନ୍ୟ ତାରିଖରେ ଯାତ୍ରା କରିବା ନେଇ ସୁଯୋଗ ଦିଆଯିବ । ତେବେ ଟିକେଟ୍ କ୍ୟାନସଲ୍ କରିବାକୁ ଚାହୁଁଥିବା ଯାତ୍ରୀଙ୍କୁ ସମସ୍ତ ଟଙ୍କା ଫେରସ୍ତ କରାଯିବ।

ଇରାନ୍ ସମର୍ଥିତ ହୁତି ବିଦ୍ରୋହୀମାନେ ଗତ କିଛି ଦିନ ହେବ ସାଉଦି ଆରବର ସାମରିକ ଘାଟି, ବିମାନ ବନ୍ଦର ଓ ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିବା ଦାବି କରିଆସୁଛନ୍ତି । ଏହା ସହ ସାଉଦି ଆରବର ଆକାଶସୀମାକୁ ସେମାନେ ସାମରିକ ଅଭିଯାନର କ୍ଷେତ୍ର କହିବା ସହ ସେଠାରେ ବିମାନ ଚଳାଚଳ କରୁଥିବା କମ୍ପାନୀ ଗୁଡ଼ିକୁ ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଚେତାବନୀ ଦେଇଥିଲେ । ସାଉଦ ରାଜଧାନୀ ରିୟାଦ ଉପରେ ବାରମ୍ବାର ବିସ୍ଫୋରଣ ଶଦ୍ଦ ଶୁଣାଯିବାର କିଛି ସମୟ ପରେ ଏୟାରଲାଇନ୍ ପକ୍ଷରୁ ଏହି ଘୋ।ଷଣା କରାଯାଇଥିଲା । ସମସ୍ତ ଏୟାରପୋର୍ଟ ଗୁଡ଼ିକୁ ସୁରକ୍ଷା ବଳୟରେ ରଖାଯାଇଥିବା ବେଳେ ଆକ୍ରମଣକୁ ପଣ୍ତ କରିବା ଲାଗି ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ହାଇଆଲର୍ଟରେ ରଖାଯାଇଛି ବୋଲି ସାଉଦି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।