spot_img
Home Blog Page 58

ଶିମିଳିପାଳ ରାସ୍ତା ଧ୍ୱଂସ, ବନ୍ୟାରେ ଭାଙ୍ଗିଲା ପୋଲ; ନିରାଶ ପର୍ଯ୍ୟଟକ!

ନନ୍ଦିଘୋଷ ବ୍ୟୁରୋ:  ବର୍ଷା ଓ ବନ୍ୟା ବିତ୍ପାତରେ ଧ୍ଵସ୍ତ ଶିମିଳିପାଳ ଏଣ୍ଟ୍ରି ରାସ୍ତା । ଭାଙ୍ଗିଯାଇଛି ଲୁଲୁଙ୍ଗ ସମେତ ବିଭିନ୍ନ ପୋଲ । ପର୍ଯ୍ୟଟକ ନିରାଶ  । ସାଧାରଣତଃ ଦୁର୍ଗାପୂଜା କିମ୍ବା ଅକ୍ଟୋବର ମାସ ଆରମ୍ଭରେ ଖୋଲିଥାଏ ଶିମିଳିପାଳ ଜାତୀୟ ଉଦ୍ୟାନ । ହେଲେ ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟାର ପ୍ରକୋପରେ ଧ୍ୱଂସପ୍ରାୟ ହୋଇପଡ଼ିଛି ଶିମିଳିପାଳର ପ୍ରବେଶ ପଥ ଓ ପୋଲ । ଚାନ୍ଦିଖମଣ ପାହାଡ଼ରେ ଭୂସ୍ଖଳନ ହେବା ଦ୍ଵାରା ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଫଳରେ ବରେହିପାଣି ଓ ଯୋରନ୍ଦାର ଜଳପ୍ରପାତ, ଅରଣ୍ୟ ନିବାସ କିମ୍ବା ସନସେଟ ପଏଣ୍ଟର ଅପୂର୍ବ ଦୃଶ୍ୟ ଦେଖିବାକୁ ଆସୁଥିବା ପର୍ଯ୍ୟଟକ ଉଦ୍ୟାନ ଭିତରକୁ ଯାଇ ପାରୁନାହାନ୍ତି ।

ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ କେବଳ ଶିମିଳିପାଳରେ ହିଁ ୭୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଫଳରେ ରାସ୍ତା ନଷ୍ଟ ହୋଇ ଯାଇଛି । ଭିତରକୁ ଯିବା ପାଇଁ ରାସ୍ତା ନାହିଁ । ପରିସ୍ଥିତି ଏପରି ହୋଇଛି, ଶିମିଳିପାଳ କେବେ ସ୍ୱାଭାବିକ ହେବ କହିବା ମୁସ୍କିଲ । ସ୍ଥାନୀୟ ଜନପ୍ରତିନିଧି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ବିକଳ୍ପ ରାସ୍ତା ଓ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି।

ସରକାର ବଦଳିଲା, ଅଧାରେ ଅଟକିଲା କାଠଯୋଡ଼ି ରିଙ୍ଗରୋଡ୍ ସେତୁ କାମ!

କଟକ: ବଦଳିଲା ସରକାର । ଧୀମେଇ ଗଲା କାଠଯୋଡ଼ି ରିଙ୍ଗରୋଡ ସେତୁ କାମ । ଧର୍ମକୁ ଆଖିଠାର ଭଳି ଚାଲିଛି କାମ । କଟକ ସହରର ଟ୍ରାଫିକ ସମସ୍ୟା ତଥା ସହରକୁ ସୁନ୍ଦର କରିବା ପାଇଁ ପୂର୍ବ ସରକାର ଖାନନଗର-ମଲାଚଣ୍ଡିଆ ଛକରୁ ପ୍ରେସ ଛକ ଜାତୀୟ ରାଜପଥ ଯାଏ ନୂତନ କାଠଯୋଡି ରିଙ୍ଗରୋଡ ସେତୁ ପ୍ରକଳ୍ପ ଆରମ୍ଭ କରିଥିଲେ । ୨୨୦ କୋଟି ଟଙ୍କା ଅନୁଦାନରେ କାମ ଜୋରସୋରରେ ଚାଲିଥିଲା । କାମ ଅଧାରୁ ଅଧିକ ସରିବା ପରେ ପୁରା ରାସ୍ତାକୁ ଛଅ ଥାକିଆ କରିବାକୁ କାମ ଆରମ୍ଭ ହୋଇଥିଲା । ସରକାର ପରିବର୍ତ୍ତନ ପରେ କାମ ଏକପ୍ରକାର ଠପ ହୋଇଯାଇଛି । ରେଳ ବ୍ରିଜ ପ୍ରତିବନ୍ଧକ ସାଜୁଛି ବୋଲି କହୁଛନ୍ତି ସରକାର ।

ନେତାଜୀ ବସ ଟର୍ମିନାଲରୁ ବସ ବାହାରି ଏହି ରାସ୍ତାରେ ଜାତୀୟ ରାଜପଥକୁ ଯାଇଥାନ୍ତା । ହେଲେ ଏବେ କାମ ଏକପ୍ରକାର ଠପ ହୋଇଯାଇଛି । ମେୟର କାମ ବିଳମ୍ବ ହେଉଥିବା କଥା ସ୍ବୀକାର କରିବା ସହ ସରକାରଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି । କାମ ତ୍ବରିତ ହେବ ବୋଲି ସେ ଆଶ୍ଵସନା ଦେଇଛନ୍ତି ।

ଡୁନ୍ ହସ୍ପିଟାଲରେ ଆତଙ୍କ, ଭାଇରାଲ୍ ହେଲା CCTV ଭିଡିଓ

ନନ୍ଦିଘୋଷ ବ୍ୟୁରୋ : ଶୁକ୍ରବାର ସକାଳେ ଡେରାଡୁନର ଡୁନ୍ ହସ୍ପିଟାଲରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ସମୟରେ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ର ଧରି ହସ୍ପିଟାଲର ଜରୁରୀକାଳୀନ କକ୍ଷରେ ପହଞ୍ଚିଥିଲେ। ସେ ଅନ୍ୟ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବା ସହ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ହସ୍ପିଟାଲରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଘଟଣାର ସିସିଟିଭି ଫୁଟେଜ୍ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଶୁକ୍ରବାର ଭୋର ପ୍ରାୟ ୪ଟା ୫୦ ମିନିଟ୍‌ରେ ଏହି ଘଟଣା ଘଟିଥିଲା। ରିପୋର୍ଟ ଅନୁଯାୟୀ, ଏସ୍‌ପି ସିଟି କାର୍ଯ୍ୟାଳୟ ନିକଟରେ ଦୁଇଟି ଗୋଷ୍ଠୀ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଗୋଟିଏ ଗୋଷ୍ଠୀର ଜଣେ ସଦସ୍ୟ ଡୁନ୍ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ପହଞ୍ଚିଥିଲେ। ତାଙ୍କ ପଛେ ପଛେ ଅନ୍ୟ ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ। ଅଭିଯୋଗ ଅନୁଯାୟୀ, ଅନ୍ୟ ଗୋଷ୍ଠୀର କିଛି ସଦସ୍ୟଙ୍କ ହାତରେ କୁରାଢ଼ି ଭଳି ଧାରୁଆ ଅସ୍ତ୍ର ଥିଲା। ଜରୁରୀକାଳୀନ ବିଭାଗରେ ହଠାତ୍‌ ଏଭଳି ଅସ୍ତ୍ରଧାରୀ ବ୍ୟକ୍ତିଙ୍କ ପ୍ରବେଶ ଯୋଗୁଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କିଛି ସମୟ ମଧ୍ୟରେ ହସ୍ପିଟାଲ ପରିସରରେ ଉତ୍ତେଜନା ବଢ଼ିଯାଇଥିଲା। ଘଟଣା ସମୟରେ ଜରୁରୀକାଳୀନ ବିଭାଗରେ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଡ୍ୟୁଟିରେ ଥିଲେ।

ଗାର୍ଡ ଲୋକଙ୍କୁ ବାହାର କରିବାକୁ ଚେଷ୍ଟା କଲା।

ଘଟଣା ସମୟରେ ହସ୍ପିଟାଲରେ ନିୟୋଜିତ ସୁରକ୍ଷାକର୍ମୀମାନେ ଉତ୍ତେଜିତ ଲୋକଙ୍କୁ ହଟାଇବାକୁ ଉଦ୍ୟମ କରିଥିଲେ। ତଥାପି, ଉଭୟ ଗୋଷ୍ଠୀ ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଜାରି ରହିଥିଲା। ଏହି ସମୟରେ କିଛି ଲୋକ ଚପର ଧରିଥିବା ଜଣେ ବ୍ୟକ୍ତିଙ୍କୁ ଧରି ହସ୍ପିଟାଲ ବାହାରକୁ ନେଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଗଣ୍ଡଗୋଳ ସମୟରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବା ସହ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ଧମକ ମଧ୍ୟ ଦେଇଥିଲେ। ଏହି ଘଟଣା ପରେ ରାତି ଡ୍ୟୁଟିରେ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି।

ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଥିଲା

ଏହି ସମ୍ପୂର୍ଣ୍ଣ ଘଟଣା ଡୁନ୍ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ହାତରେ ଚପର ଧରି ଜରୁରୀକାଳୀନ ୱାର୍ଡ ଭିତରକୁ ପ୍ରବେଶ କରୁଥିବା ଏବଂ ଅସ୍ତ୍ର ଧରି ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ନେଇ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ଡୁନ୍ ହସ୍ପିଟାଲ ନିକଟରେ ଏସ୍‌ଏସ୍‌ପି ଏବଂ ଏସ୍‌ପି ସିଟିଙ୍କ କାର୍ଯ୍ୟାଳୟ ଅବସ୍ଥିତ। ଏଭଳି ସ୍ଥାନରେ ଏବଂ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଧାରୁଆ ଅସ୍ତ୍ର ଧରି ଜଣେ ବ୍ୟକ୍ତି ପ୍ରବେଶ କରିବା ଘଟଣା ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି। ହସ୍ପିଟାଲ ଭଳି ସମ୍ବେଦନଶୀଳ ସ୍ଥାନରେ ରୋଗୀ, ସେମାନଙ୍କ ସମ୍ପର୍କୀୟ ଏବଂ ଡାକ୍ତରୀ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି।

ପୋଲିସ ଏହି ମାମଲା ରୁଜୁ କରିଛି

ଡେରାଡୁନ୍‌ର ଏସ୍‌ପି ସିଟି ଶେଖର ସୁୟାଲଙ୍କ ସୂଚନା ଅନୁଯାୟୀ, ରୋଗୀଙ୍କ ପରିଚାରକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା। ଏହି ସମୟରେ ଜଣେ ବ୍ୟକ୍ତି ଚପର ଧରି ହସ୍ପିଟାଲରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ପୋଲିସ ଏକ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଥିବା ବେଳେ, ଏଥିରେ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ରଥଯାତ୍ରାକୁ ନେଇ ଚଳଚଞ୍ଚଳ ବିରଜା କ୍ଷେତ୍ର

ଯାଜପୁର  : ରଥଯାତ୍ରାକୁ ନେଇ ଚଳଚଞ୍ଚଳ ବିରଜା କ୍ଷେତ୍ର । ସିଂହଧ୍ବଜ ରଥରେ ଆସିବେ ମାଆ ବିରଜା । ରଥ ଉପରେ ହେବ ନବଦିନ ଷୋଡ଼ଶ ଉପଚାର । ଶୁଭ ସୁନିଆଁ ଠାରୁ ବିଲ୍ୱବରଣୀ ହୋଇ ରଥଖଳାରେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଦଶହରା ଅବସରରେ ପୀଠରେ ୯ ଦିନ ବ୍ୟାପୀ ଅନୁଷ୍ଠିତ ହେବ ରଥଯାତ୍ରା । ମାଙ୍କୁ ରଥରେ ଦର୍ଶନ କରି ରଥ ଦଉଡି ଛୁଇଁବାକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ତେବେ ମା ଙ୍କ ଏହି ରଥଯାତ୍ରା ଏକ ସ୍ୱତନ୍ତ୍ରତା ରହିଛି ।ଭାରତ  ବର୍ଷରେ ୫୧ ଟି ଶକ୍ତି ପୀଠ ମଧ୍ୟ ରୁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶକ୍ତି ପୀଠ ଅନ୍ୟତମ । କେବଳ ଏହିଠାରେ ହିଁ ମାଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।

ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ୮ରୁ ୧୦ ଜଣ ମହାରଣା କାରିଗର  ପ୍ରସ୍ତୁତିରେ ଲାଗିଛନ୍ତି। ଦେବୀଙ୍କ ଏହି ୧୨ ଚକ ବିଶିଷ୍ଟ ରଥରେ ୮୯୮ ଖଣ୍ଡ କାଠ ବ୍ୟବହାର କରାଯାଉଥିବାବେଳେ ରଥରେ ନବଗ୍ରହ,ଦଶଦିଗପାଳ ରହିଛନ୍ତି । ଯାହାକି ସ୍ୱୟଂ ବ୍ରହ୍ମାଂ ହିଁ ରଥର ସାରଥୀ ସାଜିଥାନ୍ତି । ରଥର ଉଚ୍ଚତା ୫୬ ଫୁଟ ହୋଇଥିବା ବେଳେ ମାଙ୍କ ରଥଯାତ୍ରା ବିଶ୍ୱରେ ବିରଳ ବୋଲି କୁହାଯାଏ । ଶାନ୍ତିପୂର୍ଣ୍ଣ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥାର ଆୟୋଜନ କରାଯାଇଛି ।

ମା’ ବିରଜାଙ୍କ ପ୍ରସିଦ୍ଧ ବିଜୟା ରଥଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା।  ମାଙ୍କୁ ରଥରେ ଦର୍ଶନ କରି ଆଶିଷ ଲଭିବାକୁ ଅପଲକେ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ ।

ଭାରତୀୟ ବଂଶୋଦ୍ଭବ ନବନେଥେମ୍ “ନାଭି” ପିଲ୍ଲେଙ୍କୁ ନୋବେଲ ଶାନ୍ତି ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଭାରତୀୟ ବଂଶୋଦ୍ଭବ ନବନେଥେମ୍ “ନାଭି” ପିଲ୍ଲେଙ୍କ ନାମ ଘୋଷଣା କରାଯାଇଛି । ଶାନ୍ତି ଓ ଅନ୍ତର୍ଜାତୀୟ ଆଇନ ପ୍ରସାର ଦିଗରେ କାର୍ଯ୍ୟ ପାଇଁ ପିଲ୍ଲେଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏନେଇ ଶୁକ୍ରବାର ନରେୱେ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି। ତେବେ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ପିଲ୍ଲେଙ୍କ ନାମ ଘୋଷଣା ହେବା ପରେ ପୁଣି ଥରେ ନିରାଶ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ । ଅନେକ ଯୁଦ୍ଧ ବନ୍ଦ କରିଥିବାର ଦ୍ବାହି ଦେଇ ଗତ ୨ ବର୍ଷ ହେବ ନିଜ ପାଇଁ ନୋବେଲ ଶାନ୍ତି ପୁରସ୍କାର ଦାବି କରିଆସୁଛନ୍ତି ଟ୍ରମ୍ପ୍ ।

ଡ଼ର୍ବାନରେ ଭାରତୀୟ ତାମିଲ ବଂଶୋଦ୍ଭବ ପରିବାରରେ ଜନ୍ମଗ୍ରହଣ କରିଥିଲେ ପିଲ୍ଲେ । ସେ ସମୟରେ ଡ଼ର୍ବାନରେ ଜାତିଗତ ଭେଦଭାବ ମୁଣ୍ତ ଟେକିଥିଲା । ପିଲ୍ଲେ ଜଣେ ଆଇନଜୀବୀ ଥିଲେ । ସେ ନିଜ ଜୀବନରେ ଅନେକ ଭେଦଭାବ ଓ ସାମାଜିକ ବହିଷ୍କାରର ସମ୍ମୁଖୀନ ହୋଇଥିଲେ । ପରେ ସେ ମାନବାଧିକାରର ରକ୍ଷା ଓ ଅନ୍ୟାୟକୁ ଚ୍ୟାଲେଞ୍ଜ କରି କ୍ୟାରିୟର ଗଢିଥିଲେ । ସେ ବର୍ଣ୍ଣବୈଷମ୍ୟ ବିରୋଧୀ କର୍ମୀଙ୍କ ପ୍ରତିନିଧିତ୍ୱ କରିଥିଲେ । ୧୯୬୭ ମସିହାରେ ନିଜର ଲ’ ଫାର୍ମ ପ୍ରତିଷ୍ଠା କରିଥିଲେ । ଏହାପରେ ସେ ହାର୍ଭାର୍ଡ଼ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୮୮ ମସିହାରେ ଡକ୍ଟର ଅଫ୍ ଜୁରିଡିକାଲ୍ ସାଇନ୍ସ ଡିଗ୍ରୀ ହାସଲ କରିଥିଲେ। ୧୯୯୫ ମସିହାରେ, ତାଙ୍କୁ ଦକ୍ଷିଣ ଆଫ୍ରିକାର ହାଇକୋର୍ଟରେ ନିଯୁକ୍ତ କରାଯାଇଥିଲା । ପରେ ୧୯୯୯ ମସିହାରେ ପିଲ୍ଲେଙ୍କୁ ରୁୱାଣ୍ତା ପାଇଁ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲର ବିଚାରପତି ଓ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ଅନ୍ତର୍ଜାତୀୟ ଅପରାଧ ଅଦାଲତ(ଆଇସିସି)ରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ସେ ଜାତିସଂଘ ମାନବାଧିକାର ପାଇଁ ଉଚ୍ଚାୟୁକ୍ତ ଥିଲେ । ତାଙ୍କର କାର୍ଯ୍ୟ ଅନ୍ତର୍ଜାତୀୟ ନ୍ୟାୟିକ ଓ ମାନବଧିକାର ପ୍ରତିଷ୍ଠାନ ଗୁଡ଼ିକରେ ଜାରି ରହିଥିଲା । ସେ ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ ଅଧିକୃତ ପାଲେଷ୍ଟାଇନୀ ଅଞ୍ଚଳ ଉପରେ ଜାତିସଂଘର ସ୍ୱାଧୀନ ଅନ୍ତର୍ଜାତୀୟ ତଦନ୍ତ କମିସନର ଅଧ୍ୟକ୍ଷତା କରିଥିଲେ। ୨୦୧୯ ମସିହାରେ, ତାଙ୍କୁ ମିଆଁମାର ବିରୋଧରେ ଗଣହତ୍ୟା ଅଭିଯୋଗର ବିଚାର ପାଇଁ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ରେ ଜଣେ ଆଡହକ୍ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା।

ଏହି ନୋବେଲ ଶାନ୍ତି ପୁରସ୍କାରର ମୂଲ୍ୟ ୧୨ ନିୟୁତ ସ୍ୱିଡିସ୍ କ୍ରାଉନ୍ କିମ୍ବା ପ୍ରାୟ ୧.୨ ନିୟୁତ ଡଲାର ବୋଲି କୁହାଯାଉଛି । ତେବେ ଆସନ୍ତା ଡିସେମ୍ବର ୧୦ ଓସ୍‌ଲୋ‌ଠାରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

 

 

ଅସ୍ତରଙ୍ଗ ବ୍ଲକରେ ବିପର୍ଯ୍ୟସ୍ତ ଡାକ ସେବା

ଅସ୍ତରଙ୍ଗ  : ଆଜି ପାଳିତ ହେଉଛି ବିଶ୍ୱ ଡାକ ଦିବସ । ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ବିପର୍ଯ୍ୟସ୍ତ ଡାକ ସେବା। ଅସ୍ତରଙ୍ଗ ଉପ-ଡାକଘରର ମୁଖ୍ୟ କାର୍ଯ୍ୟାଳୟ ଭଡ଼ା ଘରେ ଚାଲୁଥିବା ବେଳେ ଏହାର ୯ଟି ଶାଖା ଡାକଘର ମଧ୍ୟ ଦୟନୀୟ ସ୍ଥିତିରେ ରହିଛି। ଅସ୍ତରଙ୍ଗ ଉପ-ଡାକଘର ଉପରେ ୧୫ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ନିଜସ୍ବ ଗୃହ ନଥିବାରୁ ଭଡ଼ା ଘରେ ଅନେକ ସମସ୍ୟା ମଧ୍ୟରେ ଚାଲିଛି ଉପ ଡାକଘର। ବିଦ୍ୟୁତ କଟିଲେ ଡାକ ସେବା ଯୋଗାଇବା ବାଧାପ୍ରାପ୍ତ ହେଉଛି । ଉପ-ଡାକଘରର ମୁଖ୍ୟ କାର୍ଯ୍ୟାଳୟ ପାଇଁ ନିଜସ୍ବ ଜମି କି ବିଲଡିଂ ନାହିଁ। ସେପଟେ ଶାଖା ଡାକଘର ଗୁଡ଼ିକର ଅବସ୍ଥା ଆହୁରି ଶୋଚନୀୟ। ଅଧିକାଂଶ ଶାଖା ଡାକ ଘର ଭଡ଼ା ଘରେ ଚାଲୁଥିବା ବେଳେ ସେଠାକୁ ନେଟଓ୍ବର୍କ ଆସୁନି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କଟୁଥିବାରୁ କାମ ଠପ ହୋଇପଡ଼ୁଛି। ଚାକିରୀ ସମ୍ବନ୍ଧୀୟ କିମ୍ବା କୌଣସି କାର୍ଯ୍ୟରେ ସ୍ପିଡ଼ ପୋଷ୍ଟ, ରେଜିଷ୍ଟ୍ରି କରିବାକୁ ଆସୁଥିବା ଲୋକେ ବହୁ ସମସ୍ୟାରେ ପଡ଼ୁଛନ୍ତି। ଡାକଘର ଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି…।

କାରଖାନାର ବର୍ଯ୍ୟ ଜଳ ମାଡ଼ି ଟସର ଚାଷ ନଷ୍ଟ

ଯାଜପୁର  : କାରଖାନାର ବର୍ଯ୍ୟ ଜଳ ମାଡ଼ି ଟସର ଚାଷ ନଷ୍ଟ। ଶହଶହ ଚାଷୀ କ୍ଷତିଗ୍ରସ୍ତ l କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ମଙ୍ଗଳପୁରରେ ରହିଛି ଏସିଆ ମହାଦେଶର ସର୍ବବୃହତ ଟସର ଫାର୍ମ l ଏହି ଫାର୍ମରେ ଆଖପାଖ ଅଞ୍ଚଳର ଶହ ଶହ ଚାଷୀ ଟସର ଚାଷ କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି l ଏହି ଫାର୍ମକୁ ଲାଗି ରହିଛି ଓଡ଼ିଶା ୱେଷ୍ଟ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ ପ୍ଲାଣ୍ଟ। ତେବେ ପ୍ଲାଣ୍ଟରୁ ଛଡ଼ାଯାଇଥିବା ବିଷାକ୍ତ ବର୍ଜ୍ୟଜଳ ଟସର ଫାର୍ମରେ ମାଡ଼ିବାରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଅସନ ଓ ଅର୍ଜୁନ ଗଛ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

ବର୍ଷ ବର୍ଷ ଧରି ଟସର ଚାଷ କରି ପରିବାର ଚଳାଉଥିଲେ ଚାଷୀ । ଟସର କୋଷାଗୁଡ଼ିକୁ ସମିତିକୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିଲେ। ହେଲେ ପ୍ଲାଣ୍ଟର ବିଷାକ୍ତ କେମିକାଲ ପାଣି ମାଡ଼ି ଟସର ଚାଷ ନଷ୍ଟ ହେବା ସହ ଜମିର ମାଟି ମଧ୍ୟ ବିଷାକ୍ତ ହୋଇପଡ଼ିଥିବା ଆଶଙ୍କା କରିଛନ୍ତି ଚାଷୀ। ସେହିପରି କେମିକାଲ ପାଣି ସଂସ୍ପର୍ଶରେ ଆସି ଅନେକ ଲୋକ ରୋଗାକ୍ରାନ୍ତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। କ୍ଷତିପୂରଣ ସହ ଅଲଗା ସ୍ଥାନରେ ଟସର ଫାର୍ମ ଯୋଗାଇଦେବା ଦାବିରେ ପ୍ଲାଣ୍ଟ ସମ୍ମୁଖରେ ଧାରଣାରେ ବସିଛନ୍ତି ଶହ ଶହ ଚାଷୀ। ଅନ୍ୟପଟେ ୧୦ ହଜାରରୁ ଉର୍ଦ୍ଧ୍ବ ଗଛ ନଷ୍ଟ ହୋଇଥିବା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅବଗତ କରାଇଛନ୍ତି ଟସର ଫାର୍ମ କତ୍ତୃପକ୍ଷ। ଅଭିଯୋଗ ପରେ ଫାର୍ମକୁ ଯାଇ ଘଟଣାର ତଦନ୍ତ କରିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ।

କାରଖାନାର ବର୍ଜ୍ୟଜଳ ନିଷ୍କାସନ ଯୋଗୁଁ ଏବେ ସଙ୍କଟରେ ଶହ ଶହ ଚାଷୀଙ୍କ ଜୀବନ-ଜୀବିକା । ପ୍ରକୃତ ଦୋଷୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି? କେବେ ଚାଷୀଙ୍କୁ ମିଳୁଛି ଉଚିତ୍ କ୍ଷତିପୂରଣ? ତାହା ଦେଖିବାକୁ ବାକି ରହିଲା।

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଦାରିଙ୍ଗିବାଡ଼ି  : ଦାଉ ସାଧିଲା ଲଗାଣ ବର୍ଷା। ଭାଙ୍ଗିଲା ଘର । ବାସହରା ହୋଇଗଲା ପୂରା ପରିବାର। ଏବେ ବାର ଦୁଆର ହେଉଛନ୍ତି ଦିବ୍ୟାଙ୍ଗ ବୃଦ୍ଧ ଦମ୍ପତି ଓ ତାଙ୍କ ଝିଅ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଦୀର୍ଘ ବର୍ଷ ଧରି ବୃଦ୍ଧ ଦମ୍ପତି ମାହାସା ମଲ୍ଲିକ ଏବଂ ଟେକାଆଲୁ ମଲ୍ଲିକ ନିଜ ଝିଅ ସହିତ ଏହିଠାରେ ରହୁଥିଲେ। କୁଲି ମଜୁରୀ କରି ବୃଦ୍ଧ ଦିବ୍ୟାଙ୍ଗ ବାପା ମାଙ୍କ ଦେଖାଶୁଣା କରିଛନ୍ତି ଝିଅ ସୁକାନ୍ତି ମଲ୍ଲିକ । ଉଭୟଙ୍କ ଦେହ ଅସୁସ୍ଥ ହେବାରୁ ଝିଅ କଟକ SCB ମେଡିକାଲକୁ ନେଇଥିଲେ । ବାପା ମାଆଙ୍କୁ ଚିକିତ୍ସା କରାଇ ଘରକୁ ଫେରିଲା ବେଳକୁ ଆଉ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ।  ଲଗାଣ ବର୍ଷାରେ ଭାଙ୍ଗିଯାଇଥିଲା ଘର। ଏବେ ଆଶ୍ରୟ ନ ପାଇ ହନ୍ତସନ୍ତ ହେଉଛନ୍ତି ୩ ପ୍ରାଣୀ କୁଟୁମ୍ବ।

ମାହାସା ମଲ୍ଲିକ ଏବଂ ଟେକାଆଲୁ ମଲ୍ଲିକ ୬୦% ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଖଣ୍ଡେ ମିଳି ପାରୁନାହିଁ। ଫଳରେ ଭଙ୍ଗା ଦଦରା ଘରେ ବିତାଉଥିଲେ ଜୀବନ। ହେଲେ ଲଗାଣ ବର୍ଷାରେ ସାହାରା ସାଜିଥିବା ଭଙ୍ଗା ଦଦରା ଘର ମଧ୍ୟ ଭାଙ୍ଗିଗଲା । ଏବେ ବୃଦ୍ଧ ବାପାମାଆଙ୍କୁ ଧରି କେଉଁଠି ମୁଣ୍ଡ ଗୁଞ୍ଜିବେ ସେ ନେଇ ଚିନ୍ତାରେ ଝିଅ। ସରକାର ଦୃଷ୍ଟି ଦେଇ ଘର ଖଣ୍ଡେ ଯୋଗାଇଦେବାକୁ ଆକୁଳ ନିବେଦନ କରିଛନ୍ତି କ୍ଷତିଗ୍ରସ୍ତ ପରିବାର।

ସରକାର ଦୃଷ୍ଟି ଦେଲେ ଏହି ଅସହାୟ ପରିବାର ଉପକୃତ ହୋଇପାରନ୍ତେ।

ହଜିଗଲା ମଣିଷ ପଣିଆ

ଚିଲିକା  : ମରିଗଲା ମାନବିକତା । ହଜିଗଲା ମଣିଷ ପଣିଆ। ଯକ୍ଷ୍ମା ରୋଗ ବାହାରିଲା ବୋଲି ନିରାଶ୍ରୟ ବିଧବା ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ବାରଣ୍ଡାରେ  ଶୁଆଇ ଦେଇ ଚାଲିଗଲେ ସ୍ୱାସ୍ଥ୍ୟକର୍ମୀ।  ଏଭଳି ଚିତ୍ର ଆପଣଙ୍କ ଛାତିକୁ କେବଳ ବିଦାରି ଦେବ ତାହା ନୁହେଁ, ସ୍ୱାସ୍ଥ୍ୟ ବିଭାଗର ସେବା ପ୍ରତି ଆଙ୍ଗୁଳି ନିର୍ଦେଶ କରିବ ନିଶ୍ଚିତ।  ଅନ୍ଧାର ରାତିରେ ବିଧବା ମାର କୋହଭରା କ୍ରନ୍ଦନ। ଖୋର୍ଦ୍ଧା ଜିଲ୍ଲା  ଚିଲିକା ନିର୍ବାଚନ  ମଣ୍ଡଳୀର ଜରିପଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଦେଖିବାକୁ ମିଳିଛି ଏଭଳି ହୃଦୟବିଦାରକ ଦୃଶ୍ୟ  । ଚିଲିକା ବ୍ଲକ ଜରିପଡା ଗ୍ରାମ ପଂଚାୟତର ଲୋଭ ବେହେରା । ସ୍ବାମୀ ମୃତ୍ୟୁ ପରେ ବେସାହାରା ହୋଇପଡିଥିବାବେଳେ ସମ୍ପର୍କୀୟ ଖାଇବା ପିଇବା କଥା ବୁଜୁଥିଲେ। ତେବେ ଲୋଭାଙ୍କର  ହଠାତ ଦେହ ଖରାପ ହେବାରୁ  ସମ୍ପର୍କୀୟ ତାଙ୍କୁ ମେଡିକାଲର ନେଇ ଚିକିତ୍ସା କରିଥିଲେ,, ହେଲେ ଫଳ କିଛି ମିଳିନଥିଲା। ପରେ ରକ୍ତ ନମୁନାରୁ ତାଙ୍କୁ  ଯକ୍ଷ୍ମା ହୋଇଥିବା  ଜଣା ପଡ଼ିଥିଲା। ଲୋଭାଙ୍କୁ ଯକ୍ଷ୍ମା ରୋଗ ଚିହ୍ନଟ ପରେ ଚାନ୍ଦପୁର ମେଡିକାଲ ପକ୍ଷରୁ ତାଙ୍କୁ ଡିସ୍ଚାର୍ଜ କରି ଦିଆଗଲା। ପରେ ପୁନର୍ବାର   ଜରିପଡା  ପ୍ରାଥମିକ ଚିକିତ୍ସାଳୟର  ଦ୍ୱାରସ୍ଥ ହେବାରୁ ତାଙ୍କୁ ମେଡିକାଲ କର୍ମଚାରୀ ଚିକିତ୍ସା କରିବା ତ ଦୂରର କଥା ଅନ୍ଧାରରେ ମେଡିକାଲ ବାରଣ୍ଡା ରେ ଶୁଆଇ ଚାଲିଗଲେ। ଯାହା ସ୍ବାସ୍ଥ୍ୟ ସେବାର ଅବହେଳାକୁ ପଦାରେ ପକାଇଛି…।

“ମୁଁ ଓ ମୋର ପୁରା ପରିବାର ଆସୁଛି, ଆପଣ ବି ଆସନ୍ତୁ”: ଅରବିନ୍ଦ କେଜ୍ରିୱାଲ

ନନ୍ଦିଘୋଷ ବ୍ୟୁରୋ: ପୁଣି କମ୍ପିବ ଜନ୍ତରମନ୍ତର । ଦିଲ୍ଲୀ ଜନ୍ତରମନ୍ତରଠାରେ ସିଜେପିର ଆନ୍ଦୋଳନ ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ସାମ୍ନାକୁ ଆସିଛି । ଅରବିନ୍ଦ ଓ ତାଙ୍କ ପରିବାର ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ସେ କହିଛନ୍ତି । ଏନେଇ କେଜ୍ରିୱାଲ କହିଛନ୍ତି , “ସରକାର ଦେଶର ଗଣତନ୍ତ୍ର ସହ ଖେଳୁଛନ୍ତି । ଯେଉଁମାନେ ବିଜେପିକୁ ଭୋଟ ଦେଉନାହାନ୍ତି ସେମାନଙ୍କ ଭୋଟ୍ କାଟି ଦିଆଯାଉଥିବା ବେଳେ ନକଲି ଭୋଟ ଯୋଡ଼ା ଯାଉଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଦ୍ବାରା ଏହି କାର୍ଯ୍ୟ ଖୋଲାଖୋଲି ଭାବେ ଚାଲିଥିବା ସେ ଅଭିଯୋଗ କରିଛନ୍ତି । ଦେଶବାସୀ ବହୁ ସଂଖ୍ୟାରେ ଜନ୍ତରମନ୍ତରରେ ପହଞ୍ଚି ଆନ୍ଦୋଳନରେ ସାମିଲ ହେବାକୁ ସେ ଆହ୍ବନ ଦେଇଛନ୍ତି । ସେ ଆଉ ମଧ୍ୟ କହିଛନ୍ତି, ଏହା କୌଣସି ଜଣେ ବ୍ୟକ୍ତି କିମ୍ବା ଗୋଟିଏ ରାଜନୈତିକ ଦଳର ପ୍ରସଙ୍ଗ ନୁହେଁ ବରଂ ସମଗ୍ର ଦେଶର ପ୍ରସଙ୍ଗ ଅଟେ” ।

ସିଜେପିର ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଭିନ୍ନ ରାଜ୍ୟରୁ ହଜାର ହଜାର ସୁରକ୍ଷାକର୍ମୀଙ୍କୁ ଡ଼କାଯାଉଥିବା ବେଳେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ଯବାନମାନଙ୍କୁ ମଧ୍ୟ ମୁତୟନ କରାଯାଇଛି । ଏହାସହ ମେଟ୍ରୋ ସେବା ଓ ଟ୍ରେନ୍ ଚଳାଚଳ ଉପରେ କଟକଣା ଲଗାଯାଇଥିବା ଖବରରେ ସାମ୍ନାକୁ ଆସିଛି । ଅନ୍ୟପଟେ, ସିଜେପିକୁ ଏହି ଆନ୍ଦୋଳନ ପାଇଁ ଅନୁମତି ମିଳିନାହିଁ ବୋଲି ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି। ଆନ୍ଦୋଳନରେ ସାମିଲ ହେଉଥିବା ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ। ତେବେ ଜନ୍ତରମନ୍ତରରେ ହେବାକୁ ଥିବା ଆନ୍ଦୋଳନ ଉପରେ ସାରା ଦେଶର ନଜର ରହିଛି ।

ପ୍ରକାଶଥାଉ କି, ଆନ୍ଦୋଳନ ପୂର୍ବରୁ ଗୁରୁବାର ବେଙ୍ଗାଲୁରୁର ଫ୍ରଡ଼ମ୍ ପାର୍କଠାରେ କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ଜଣାଶୁଣା ୟୁଟ୍ୟୁବର୍ ଧ୍ରୁବ ରାଠୀ ଓ ବରିଷ୍ଠ ଅଭିନେତା ପ୍ରକାଶ ରାଜ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଏକ ‘”ପିପୁଲ୍ସ ଟ୍ରିବ୍ୟୁନାଲ୍” ଓ ଦିଲ୍ଲୀ ପୋଲିସ ଦ୍ୱାରା ନିର୍ଯାତିତ ମହିଳା ସାମ୍ବାଦିକାଙ୍କ ସମର୍ଥନରେ ଏକ ”ଚପଲ ବିକ୍ଷୋଭ” ମଧ୍ୟ ଅନୁଷ୍ଠିତ ହୋଇଥିଲା।