ପୁରୀ: ଆଜି ଠାରୁ ପୁରୀରେ ଆରମ୍ଭ ହୋଇଛି ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ l ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ପକ୍ଷରୁ ଆରମ୍ଭ ହୋଇଥିବା ଏହି ସମୂହ ସଫେଈ ଅଭିଯାନରେ ବଡଦାଣ୍ଡକୁ ସ୍ବେଛାସେବୀ, ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ସମସ୍ତ ମିଶି ସଫା କରୁଛନ୍ତି । ପ୍ରତ୍ୟେକ ଶନିବାର ସବୁ ବର୍ଗର ସ୍ବେଛାସେବୀ ଏହି ସେବା ଅଭିଯାନରେ ସାମିଲ ହୋଇ ସଫା କରିବେ । ୩ କିଲୋମିଟର ବଡଦାଣ୍ଡକୁ ୫ଟି ଭାଗରେ ବିଭକ୍ତ କରାଯାଇ ସ୍ବେଛାସେବୀଙ୍କ ଦ୍ୱାରା ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଇଛି l ଚିତ୍ରାଙ୍କନ, ଝୋଟି ଚିତା, ତର୍କ ପ୍ରତିଯୋଗିତା, ରଙ୍ଗୋଲି, ପଥପ୍ରାନ୍ତ ନାଟକ ପ୍ରଭୃତି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି l କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ ମଧ୍ୟ କରାଯିବାର ଅଛି l ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ସୁନ୍ଦର ବାଲୁକା କଳା l ପୁରୀକୁ ସ୍ଵଛ ରଖିବା ପାଈଁ ବଡ ଦାଣ୍ଡ ସେବା କାର୍ଯ୍ୟକ୍ରମ ସଚେତନତା ସୃଷ୍ଟି କରିବା ଲକ୍ଷରେ ଏହି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି l
ପ୍ରସାଦ ସେବନ କରି ୫୦ରୁ ଊର୍ଦ୍ଧ୍ୱ ଗୁରୁତର
ଜଳେଶ୍ୱର: ପ୍ରସାଦ ସେବନ କରି ୫୦ରୁ ଉର୍ଦ୍ଧ୍ବ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ବସ୍ତା ବ୍ଲକ ଗିଲାଜୁଡି ଗାଁରେ । ଅଭିଯୋଗ ଅନୁସାରେ ଗିଲାଜୁଡି ଗାଁରେ ଭଗବତୀଙ୍କର ପୂଜା ହୋଇଥିଲା । ଏଥିରେ ୮୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଗିଲାଜୁଡି ତଥା ଆଖପାଖ ଗାଁର ଲୋକମାନେ ପ୍ରସାଦ ସେବନ କରିଥିଲେ । ତେବେ ସନ୍ଧ୍ୟାରେ ଗିଲାଜୁଡିର କିଛି ଲୋକଙ୍କୁ ଝାଡା ଓ ବାନ୍ତି ହୋଇଥିଲା । ପରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୦ରେ ପହଞ୍ଚିଛି । ଆକ୍ରାନ୍ତମାନଙ୍କୁ ପ୍ରଥମେ ପାଉଁଶକୁଲି ସ୍ବାସ୍ଥ୍ୟ କେନ୍ଦ୍ର ପରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଛୋଟ ପିଲାଙ୍କ ସଂଖ୍ୟା ଅଧିକ ରହିଛି ।


ଏଥିସହିତ ପଢ଼ନ୍ତୁ: କରୋନା ଟୀକାକରଣ ପରେ ମଦ୍ୟପାନ କେତେ ସୁରକ୍ଷିତ? ଜାଣନ୍ତୁ
ଆଗାମୀ ୫ ଦିନ ମଧ୍ୟରେ ବଢ଼ିବ ତାପମାତ୍ରା: ୩୯ଂରୁ୪୦ଂ ଯାଏଁ ବଢ଼ିପାରେ ପାରା
ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଧିରେ ଧିରେ ବଢିବ ତାପମାତ୍ରା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ସର୍ବାଧିକ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାୟୁମଣ୍ଡଳରେ ଧିରେ ଧିରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ହେଉଥିବାରୁ ତାତି ସେତେ ବଢିବ ନାହିଁ । କିନ୍ତୁ ରାଜ୍ୟର କିଛି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ କୁହୁଡି ଦେଖାଦେବ । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଏବଂ ଅନୁଗୁଳରେ ଘନ କୁହୁଡି ଦେଖିବାକୁ ମିଳିଛି ।
ଏଥିସହିତ ପଢ଼ନ୍ତୁ: ତାପସୀଙ୍କ ଲାଗି କିରଣ ରିଜ୍ଜୁଙ୍କୁ ସାହାଯ୍ୟ ମାଗିଲେ ବଏଫ୍ରେଣ୍ଡ
ମୋହନା ବିଡିଓଙ୍କୁ ମହଙ୍ଗା ପଡ଼ିଲା କ୍ଷମତାର ଦୁରୂପଯୋଗ, ଚାକିରିରୁ ହେଲେ ନିଲମ୍ବିତ
ମୋହନା: କ୍ଷମତାର ଦୁରୂପଯୋଗ ଅଭିଯୋଗରେ ମୋହନା ବିଡିଓ ବଂଶୀଧର ଖୋସଲା ନିଲମ୍ବିତ । ଗଞ୍ଜେଇ ସହ ଜବତ ହୋଇଥିବା କାଜୁକୁ ଚଞ୍ଚକତା କରି କମ୍ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗରେ ନିଲମ୍ବନ କରିଛି ପଞ୍ଚାୟତିରାଜ ବିଭାଗ । ଘଟଣାରେ ୬ ଜଣଙ୍କ ନାମରେ ଅଡ଼ବା ଥାନାରେ ମାମଲା ରୁଜୁ ହୋଇଛି । ଘଟଣାରେ ଜଣେ ଏସଆଇ ଆଲୋକ ଜଗଦଲାଙ୍କୁ ପୂର୍ବରୁ ଗଜପତି ଏସପି ତପନ ପଟ୍ଟନାୟକ ନିଲମ୍ବନ କରିଛନ୍ତି ।

ଗଜପତି ଜିଲ୍ଲା ଅଡ଼ବା ଥାନା ମାଣ୍ଡିମେରା ନିକଟରେ ଗତ ଅଗଷ୍ଟ ୨୪ ତାରିଖରେ ଏକ କାଜୁ ବୋଝେଇ ଟ୍ରକ୍ ସହ ୨ କ୍ୱିଣ୍ଟାଲ ୪୪ କେଜି ଗଞ୍ଜେଇ ଜବତ ହୋଇଥିଲା । ୧୭ ଟନ୍ ୮୧୪ କେଜି କାଜୁ ମଧ୍ୟ ଜବତ ହୋଇଥିଲା । ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣକୁ ଗିରଫ କରାଯାଇଥିଲା । ତେବେ ଏଥିରେ ଚୋପା ଛଡ଼ା କାଜୁ ଜବତ ହୋଇଥିବା ବେଳେ ଚୋପା ଥିବା ଗୋଟା କାଜୁ ବୋଲି ଉଲ୍ଲେଖ କରି ମାତ୍ର ୧୪ ଲକ୍ଷ ଟଙ୍କାରେ ବିଡ଼ିଓ ବଂଶୀଧର ଖୋସଲା ବିକ୍ରି କରି ଦେଇଥିଲେ ।

ଯୋଗାଣ ଅଧିକାରୀ ଶଙ୍କର ବେହେରା ଓ ଥାନା ଅଧିକାରୀ ତପନ କୁମାର ପତିଙ୍କ ଉପସ୍ଥିତିରେ ଏହା ବିକ୍ରି କରାଯାଇଛି ବୋଲି କୋର୍ଟକୁ ଜଣାଇଥିଲେ ତଦନ୍ତକାରୀ ଅଧିକାରୀ । ତେବେ ତଥ୍ୟକୁ ଉପରେ ପୁନଃ ତଦନ୍ତ ପାଇଁ ଗଜପତି ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତଦନ୍ତ ଆଧାରରେ ଆଜି କାର୍ଯ୍ୟାନୁଷ୍ଠାନ ନେଇଛି ପଞ୍ଚାୟତିରାଜ ବିଭାଗ ।
କିଟରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ଉଦଘାଟିତ
ଭୁବନେଶ୍ୱର: କିଟ୍ର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍ (ପୁରୁଷ ଓ ମହିଳା) ଚାମ୍ପିଅନସିପ୍ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ଭାରତୀୟ ଭଲିବଲ୍ ସଂଘ (ଭିଏଫଆଇ) ତତ୍ତ୍ୱାବଧାନରେ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚାମ୍ପିଅନସିପର ଉଦଘାଟନୀ ଉତ୍ସବରେ ଓଡ଼ିଶା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭିଏଫଆଇର ଆଞ୍ଚଳିକ କାର୍ଯ୍ୟକାରୀ ଉପସଭାପତି ଓ ବୋର୍ଡ ଅଫ୍ ଆଡମିନିଷ୍ଟ୍ରେସନ୍ ସଦସ୍ୟ ତଥା ଭିଏଫଆଇର ମୁଖ୍ୟ ପରିଚାଳନା ଅଧିକାରୀ ରାମାବତାର ସିଂହ ଝାକର, ଭିଏଫ୍ଆଇର ମହାସଚିବ ଅନୀଲ ଚୌଧୁରୀ, ଭିଏଫଆଇର ବରିଷ୍ଠ ଉପସଭାପତି ତଥା ନିୟନ୍ତ୍ରଣ କମିଟି ଅଧ୍ୟକ୍ଷ ରଥିନ ରାୟ ଚୌଧୁରୀ, କିଟ୍ ଓ କିସ୍ ପ୍ରତିଷ୍ଠାତା, କନ୍ଧମାଳ ସାଂସଦ ତଥା ଭିଏଫ୍ଆଇର ସଭାପତି ଅଚ୍ୟୁତ ସାମନ୍ତ, ଆୟୋଜନ କମିଟି ଅଧ୍ୟକ୍ଷା ତଥା କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଆୟୋଜନ କମିଟି ସମ୍ପାଦକ ତଥା ଭିଏଫ୍ଆଇ ସହଯୋଗୀ ଯୁଗ୍ମ ସମ୍ପାଦକ, ଓଡ଼ିଶା ଭଲିବଲ୍ ଆସୋସିଏସନର ସାଧାରଣ ସମ୍ପାଦକ ତଥା କିଟ୍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ବିଜୁ ପଟ୍ଟନାୟକ ଜୟନ୍ତୀ ପରିପ୍ରେକ୍ଷୀରେ ଆୟୋଜିତ ଏହି ଚାମ୍ପିଅନ୍ସିପରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୨ଶହରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ବର୍ଗର ଖେଳାଳି ଓ ଅଫିସିଆଲ୍ଙ୍କ ଉପସ୍ଥିତିରେ ଅତିଥିମାନେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଭାରତୀୟ ଭଲିବଲ୍ ଇତିହାସରେ ଓଡ଼ିଶା ରାଜ୍ୟ ଭାବେ ପ୍ରଥମ ଥର ଲାଗି ଲଗାତାର ଦୁଇଥର ଏହି ଚାମ୍ପିଅନ୍ସିପ୍ ଆୟୋଜନ କରୁଛି। ଏହା ପୂର୍ବରୁ ୬୮ତମ ଜାତୀୟ ଭଲିବଲ୍ (ମହିଳା ଓ ପୁରୁଷ) ଚାମ୍ପିଅନସିପ ମଧ୍ୟ ଗତବର୍ଷ କିଟ୍ରେ ଆୟୋଜନ କରାଯାଇଥିଲା। ଏହା ସହିତ ପ୍ରଥମ ଥର ଲାଗି ଚାମ୍ପିଅନସିପର ସମସ୍ତ ମ୍ୟାଚ୍ କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ୍ କୋର୍ଟରେ ଅନୁଷ୍ଠିତ ହେବ। ଏଥିରେ ବହୁ ଅର୍ଜୁନ ପୁରସ୍କାର ବିଜେତା ତଥା ଜାତୀୟ ଓ ଆନ୍ତର୍ଜାତିକ ଖେଳାଳି ବିଭିନ୍ନ ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳର ଭଲିବଲ୍ ଆସୋସିଏସନ୍ ସଭାପତି ଓ ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ।

ଏହି ଚାମ୍ପିଅନସିପ ଜରିଆରେ ନିକଟରେ ହେବାକୁ ଥିବା ଏସିଆନ୍ ଚାମ୍ପିଅନସିପ ଓ ଅନ୍ୟ ଆନ୍ତର୍ଜାତିକ ମିଟରେ ଯୋଗଦେବା ପାଇଁ ଖେଳାଳି ଚୟନ କରାଯିବ। ସଂପୂର୍ଣ୍ଣ ଚାମ୍ପିଅନସିପ ଓଡ଼ିଶା ସରକାରଙ୍କ କୋଭିଡ୍ ନିର୍ଦ୍ଦେଶାବଳୀକୁ ଅନୁସରଣ କରାଯାଇ ଆୟୋଜନ କରାଯାଉଛି। ଆଜି ପୁରୁଷ ବର୍ଗରେ ଓଡ଼ିଶା ଓ ମଧ୍ୟପ୍ରଦେଶ ଏବଂ ମହିଳା ବର୍ଗରେ ଓଡ଼ିଶା ଓ ରାଜସ୍ଥାନ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।
୬୦ ଗ୍ରାମ୍ ସୁନା ସହ ଲାପଟପ୍ ବ୍ୟାଗ୍ ଫେରାଇଲେ ଆଖୁ ବ୍ୟବସାୟୀ
କେନ୍ଦ୍ରାପଡ଼ା: ଆଖୁ ରସ ବ୍ୟବସାୟୀଙ୍କ ମହାନତା । ଗୁରୁବାର କାର ଯୋଗେ ଭୁବନେଶ୍ୱର ଆସୁଥିଲେ ଶାରଦା ବାବୁ ଓ ତାଙ୍କ ପତ୍ନୀ । ପତିପତ୍ନୀ କେନ୍ଦ୍ରାପଡ଼ା ସାଇଁଲୋ ଗାଁରୁ ଭୁବନେଶ୍ୱର ଆସୁଥିବା ବେଳେ କାର ଡିକି ଠିକରେ ପଡ଼ି ନଥିବାରୁ ବ୍ୟାଗ୍ ଖସି ପଡ଼ିଥିଲା । କାର୍ ପଛରେ ଆସୁଥିବା ଆଖୁ ବ୍ୟବସାୟୀ ସୁବାସ ସେଠୀ ବ୍ୟାଗଟି ପାଇଥିଲେ । ବ୍ୟାଗରେ ପ୍ରାୟ ୬୦ ଗ୍ରାମ ସୁନା ଅଳଙ୍କାର ସହ ଲାପଟପ୍ ରହିଥିଲା । ହେଲେ ଟିକିଏ ବି ଲୋଭ କରିନଥିଲେ ସୁବାସ ।

କଟକ-ପାରାଦୀପ ରାସ୍ତାର ଜୟପୁର ନିକଟରୁ ସୁବାସ ବ୍ୟାଗ ପାଇ ଶାରଦା ବାବୁଙ୍କ କାରକୁ ପିଛା କରିଥିଲେ । ପ୍ରାୟ ଅଧ ଘଣ୍ଟା କାଳ କାର୍ ପଛେ ପଛେ ୩୦ କିଲୋମିଟର ଆସିବା ପରେ କନ୍ଦରପୁର ନିକଟରେ ଶାରଦାଙ୍କୁ ଭେଟିଥିଲେ । କାର୍ ଡିକିରୁ ବ୍ୟାଗ୍ ଖସି ପଡ଼ିଥିବା ନେଇ ଶାରଦାଙ୍କୁ କହିବା ସହ ବ୍ୟାଗଟିକୁ ଫେରାଇ ଥିଲେ ।
ଏନେଇ ଶାରଦା ବାବୁ ଫେସବୁକରେ ଫଟୋ ପୋଷ୍ଟ କରିବା ସହ ସୁବାସଙ୍କୁ ପ୍ରଶଂସା କରିଛନ୍ତି । ସୁବାସଙ୍କ ଭଳି ସଚ୍ଚୋଟଙ୍କ ପାଇଁ ସେ କାରରୁ ଖସି ପଡ଼ିଥିବା ବ୍ୟାଗ୍ ପାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଟେକ୍ ଅଫର ଠିକ୍ ପୂର୍ବରୁ ଯାତ୍ରୀ କହିଲେ- ମୁଁ କରୋନା ପଜିଟିଭ, ଆଉ ତା’ପରେ…
ନୂଆଦିଲ୍ଲୀ: ଦିଲ୍ଲୀରୁ ପୁଣେ ଯାଉଥିବା ଏକ ବିମାନଟି ଟେକଅଫ୍ ପୂର୍ବରୁ ଯାତ୍ରୀ ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ଜଣାପଡିଥିଲା । ଯାହା ପରେ ସମସ୍ତ ଯାତ୍ରୀଙ୍କ ଗହଣରେ ଆତଙ୍କ ଖେଳି ଯାଇଥିଲା । ଏମିତିକି ପୂରା ବିମାନକୁ ଖାଲି କରିବାକୁ ପଡିଥିଲା ।
ସୂଚନା ଅନୁଯାୟୀ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ପୁଣେ ଅଭିମୁଖେ ଯିବାକୁ ଥିବା ଇଣ୍ଡିଗୋ ଫ୍ଲାଇଟ୍ 6E 286 ଆଉ କିଛି ସମୟ ପରେ ଟେକଅଫ କରିବାକୁ ଯାଇଥାନ୍ତା । ହେଲେ ଏହା ପୂର୍ବରୁ ଜଣେ ଯାତ୍ରୀ କରୋନା ପଜିଟିଭ ଥିବା ଜଣାପଡିଥିଲା । ଘଟଣାଟି ଗୁରୁବାର ସନ୍ଧ୍ୟା ସମୟର । ଉଡାଣ ପୂର୍ବରୁ ଯାତ୍ରୀ ଜଣକ ବିମାନର କ୍ରୁ ମେମ୍ବରଙ୍କୁ କହିଥିଲେ ଯେ ସେ ନିଜର କରୋନା ଟେଷ୍ଟ କରାଇଥିଲେ ଆଉ ଏବେ ରିପୋର୍ଟ ପଜିଟିଭ ବାହାରିଛି ।

ଏହି ଯାତ୍ରୀ ଜଣକ ମହାରାଷ୍ଟ୍ର ଯିବାକୁ ଥିବା ବେଳେ ବୋର୍ଡିଂ କରିବା ପୂର୍ବରୁ ଆରଟି-ପିଆରସି ଟେଷ୍ଟିଂ କରାଇଥିଲେ । ହେଲେ ବିମାନ ଟେକଅଫ୍ କରିବା ପୂର୍ବରୁ ତାଙ୍କ ରିପୋର୍ଟ ମିଳିଥିଲା । ଯାହା ପଜିଟିଭ ବାହାରିଥିଲା ।
ଏହି ଖବର ଜଣାପଡିବା ପରେ ବିମାନକୁ ପାର୍କିଂ ୱେକୁ ନିଆଯାଇଥିଲା ଏବଂ ସମସ୍ତ ଯାତ୍ରୀକୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏହାମଧ୍ୟରେ ସମ୍ପୃକ୍ତ ଯାତ୍ରୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲକୁ ପଠାଯାଇଥିଲା ।
ତାପସୀଙ୍କ ଲାଗି କିରଣ ରିଜ୍ଜୁଙ୍କୁ ସାହାଯ୍ୟ ମାଗିଲେ ବଏଫ୍ରେଣ୍ଡ
ନୂଆଦିଲ୍ଲୀ: ବଲିଉଡର ଦୁଇ ଲୋକପ୍ରିୟ ବ୍ୟକ୍ତିତ୍ୱ ତାପସୀ ପନ୍ନୁ ଏବଂ ଅନୁରାଗ କଶ୍ୟପଙ୍କ ଘରେ ଆୟକର ବିଭାଗ ଚଢଉ କରିଛି । ବିଭାଗ ପକ୍ଷରୁ ସେମାନଙ୍କ ନାମରେ ଟିକସ ଫାଙ୍କିବା ଅଭିଯୋଗ କରାଯାଇଥିଲା । ଏହି ପପୁଲାର ବ୍ୟକ୍ତିଙ୍କ ଘରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ପରେ ରାଜନୀତି ବି ସରଗରମ ହେବାରେ ଲାଗିଛି ।
ଏପରିକି କେହିକେହି ଆୟକର ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇବାକୁ ପଛାଉ ନାହାଁନ୍ତି । ଖାସକରି ବିଭାଗର ଜେରାକୁ ନେଇ ତାପସୀ ଏବଂ ତାଙ୍କ ପରିବାର ବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି |
Law of the land is supreme and we must abide by that. The subject matter is beyond yours and my domain. We must stick to our professional duties in the best interest of Indian Sports. https://t.co/nIIf5C8TXL
— Kiren Rijiju (@KirenRijiju) March 5, 2021
ଏବେ ତାପସୀଙ୍କ ସପୋର୍ଟରେ ବାହାରିଛନ୍ତି ତାଙ୍କ ପ୍ରେମିକ ତଥା ଭାରତୀୟ ବ୍ୟାଡମିଣ୍ଟନ କୋଚ ମାଥିଇସ ବୋଏ । ଏଥିସହିତ ସେ କ୍ରୀଡ଼ା ମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ଏକ ଟୁଇଟ୍ କରି ଅପିଲ୍ କରିଛନ୍ତି ଯେ ‘‘ଆଇଟି ରେଡ୍ ଯୋଗୁଁ ତାପସୀ ଏବଂ ତାଙ୍କ ପରିବାର ଖୁବ୍ ଚିନ୍ତାରେ ଅଛନ୍ତି। ‘ମୁଁ ଟିକେ ବିବ୍ରତ। ମୁଁ ପ୍ରଥମ ଥର ପାଇଁ ଜଣେ ପ୍ରଶିକ୍ଷକ ଭାବେ ଭାରତରୁ ପ୍ରତିନିଧିତ୍ୱ କରୁଛି । ହେଲେ ଅନ୍ୟପଟେ ତାପସୀଙ୍କ ଘରେ ରେଡ୍ ଯୋଗୁଁ ତାଙ୍କ ପରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିରଣ ଜୀ ଆପଣ କିଛି କରନ୍ତୁ’’।
ଏହି ଟ୍ୱିଟର ଉତ୍ତର ଦେଇଛନ୍ତି କିରଣ ରିଜ୍ଜୁ । ସେ ଲେଖିଛନ୍ତି ଯେ ‘ଆଇନ ସବୁଠୁ ଶୀର୍ଷରେ ଏବଂ ଆମେ ସମସ୍ତେ ଏହାକୁ ସମ୍ମାନ ଦେବା ଉଚିତ୍। ଏହି ଘଟଣାଟି ତୁମର କି ମୋ ହାତରେ ନାହିଁ । ଏହା ଆମ ଅଧିନ ବାହାରେ । ଆମେ ବୃତ୍ତିଗତ କର୍ତ୍ତବ୍ୟ ଉପରେ ଧ୍ୟାନ ଦେବା ଉଚିତ୍, ଯାହା ଭାରତୀୟ ଖେଳ ପାଇଁ ଲାଭଦାୟକ ହେବ । ତେବେ ମନ୍ତ୍ରୀଙ୍କ ଏହି ଟ୍ୱିଟ୍ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ କମେଣ୍ଟ ଦେବାରେ ଲାଗିଛନ୍ତି ।
ମମତାଙ୍କ ହ୍ୟାଟ୍ରିକ ରାସ୍ତାରେ କଣ୍ଟା ହୋଇ ପାରନ୍ତି ପଶ୍ଚିମବଙ୍ଗର ଏହି ବ୍ୟକ୍ତି
କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ଓ ଟିଏମସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । ସୂଚନା ଅନୁଯାୟୀ ଦିନେ ମମତା ବାନାର୍ଜୀଙ୍କ ସବୁଠୁ ଖାସ୍ ଲୋକ ବୋଲାଉଥିବା ସୁଭେନ୍ଦୁ ଅଧିକାରୀ ଏବେ ମମତାଙ୍କ ବିରୋଧରେ ଛିଡ଼ା ହୋଇଛନ୍ତି । ଏମିତିକି ସେ ମମତାଙ୍କ ବିରୋଧରେ ନନ୍ଦୀଗ୍ରାମରୁ ଲଢ଼ିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି । ଏବଂ ମୋଦିଙ୍କ ନାଁରେ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଚଳାଇଛି ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ରୀୟ ବିଜେପି ଟିମର ଏକ ଗରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ମୂଳ ମୁଦ୍ଦା ଥିଲା ପଶ୍ଚିମବଙ୍ଗ ନିର୍ବାଚନ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଉପସ୍ଥିତିରେ ସୁଭେନ୍ଦୁ ଅଧିକାରୀ ମମତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

ଭିତିରି ସୂଚନା ଅନୁଯାୟୀ ସୁଭେନ୍ଦୁ ଅଧିକାରୀ ଖୋଦ୍ ମୋଦି ଓ ଶାହଙ୍କ ଆଗରେ ଦାବି କରିଛନ୍ତି ଯେ, ସେ ନନ୍ଦିଗ୍ରାମରେ ମମତାଙ୍କୁ ଅତି କମରେ ୫୦ ହଜାର ଭୋଟରେ ପରାଜିତ କରିବେ । ଗତ ୧୫ ବର୍ଷରେ ତୃଣମୂଳ କଂଗ୍ରେସକୁ ନନ୍ଦିଗ୍ରାମରେ ସୁଦୃଢ଼ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଛନ୍ତି ସୁଭେନ୍ଦୁ । ରାଜ୍ୟର ନନ୍ଦିଗ୍ରାମ ଓ ଭବାନୀପୁର ସମେତ ୧୫ଟି ଏଭଳି ଗୁରୁତ୍ୱପୂର୍ଣ୍ଣ ଆସନ ରହିଛି ଯେଉଁଥିପାଇଁ ଦଳର ତିନି ମୁଖିଆ ବସି ଆଲୋଚନା କରି ପ୍ରାର୍ଥୀ ଚୟନ କରିବେ ।
ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଆଉ ବିଜେପି ଦୁଇଟି ଯାକ ଆସନରେ ତାଙ୍କୁ କଡ଼ା ଟକ୍କର ଦେବ ବୋଲି ଯୋଜନା କରୁଛି । ଗୋଟିଏ ପଟେ ନନ୍ଦିଗ୍ରାମରୁ ସୁଭେନ୍ଦୁ ଅଧିକାରୀ ଲଢ଼ିବେ ବୋଲି ଦାବି କରୁଥିବା ବେଳେ ଭବାନୀପୁରରେ ଦଳ.. ସାଂସଦ ବାବୁଲ ସୁପ୍ରିୟୋଙ୍କୁ ପ୍ରାର୍ଥୀ କରିବ ବୋଲି ସ୍ଥିର କରିଥିବା ସୂଚନା ରହିଛି । ଏହା ମଧ୍ୟ କୁହାଯାଉଛି ଯେ, ବାବୁଲ ସୁପ୍ରିୟୋ ଖୋଦ୍ ମମତାଙ୍କ ବିରୋଧରେ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ନନ୍ଦିଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାୟ ୨ ଲକ୍ଷ ୧୨ ହଜାର ହିନ୍ଦୁ ଏବଂ ୭୦ ହଜାର ମୁସଲମାନ ଭୋଟର ଅଛନ୍ତି । ୨୦୦୬ ମସିହାରେ, ଏଠାରେ ବାମ ଦଳର ଖୁବ୍ ଦବଦବା ରହିଥିଲା । ବାମ ଦଳକୁ ସବୁଠୁ ଅଧିକ ଭୋଟ୍ ଯାଉଥିଲା । ଦଳର ଭୋଟ୍ ପ୍ରତିଶତ ୪୮.୭ ଥିଲା । ଏହା ପରେ ୨୦୧୧ରେ ଟିଏମସି ଏହାକୁ କବଜା କରିଦେଲା । ଦଳ ପକ୍ଷରୁ ଫେରେଜା ବିବି ନିର୍ବାଚନ ଜିତିଥିଲେ । ଚଳିତ ବର୍ଷ ଦଳର ଭୋଟ୍ ପ୍ରତିଶତ ୪୫ ରୁ ୫୦କୁ ବଢ଼ିଯାଇଛି । ୨୦୧୬ ରେ ଦଳର ଭୋଟ ପ୍ରତିଶତ ୬୭ ପ୍ରତିଶତ ରହିଥିଲା । ସେହି ସମୟରେ ସୁଭେନ୍ଦୁ ଅଧିକାରୀ ଏହି ସିଟରୁ ପ୍ରତିନିଧିତ୍ୱ କରୁଥିଲେ ।

ମମତା ବାନାର୍ଜୀ କିଛି ଦିନ ପୂର୍ବରୁ ଏକ ରାଜନୈତିକ ରାଲିରେ ଯୋଗ ଦେଇ ମଞ୍ଚ ଉପରେ ଅଭିଭାଷଣ ଦେବାବେଳେ ଚଳିତଥର ସେ ନନ୍ଦିଗ୍ରାମରୁ ଲଢ଼ିବେ ବୋଲି ଘୋଷଣା କରିଥିଲେ । ସେ ଆହୁରି କହିଥିଲେ ନନ୍ଦିଗ୍ରାମ ତାଙ୍କ ପାଇଁ ଅତ୍ୟନ୍ତ ଶୁଭ । ସେ ଭବାନୀପୁର ବାସୀଙ୍କୁ ଏହି କଥାକୁ ଭଲ ଭାବେ ବୁଝିବା ପାଇଁ ମଧ୍ୟ କହିଥିଲେ । ଏହାପରେ ସେ ଉଭୟ ସ୍ଥାନରୁ ନିର୍ବାଚନ ଲଢ଼ିବେ ବୋଲି ସଙ୍କେତ ଦେଇଥିଲେ । ରାଜ୍ୟରେ ୨୭ ମାର୍ଚ୍ଚଠାରୁ ୨୯ ଏପ୍ରିଲ୍ ଯାଏଁ ୮ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବା ସହ ୨ ମେ’ରେ ଗଣତି ହେବ ।
ନନ୍ଦିଗ୍ରାମ ହେଉଛି ସେହି ଆସନ ଯେଉଠାରୁ ମମତାଙ୍କୁ ପଶ୍ଚିମବଙ୍ଗରେ ସତ୍ତାକୁ ଆସିବା ପାଇଁ ଏଣ୍ଟ୍ରି ମିଳିଥିଲା । କୃଷକ ଆନ୍ଦୋଳନର ଗଡ଼ କୁହାଯାଉଥିବା ନନ୍ଦିଗ୍ରାମରୁ ହିଁ ମମତାଙ୍କ ରାଜନୈତିକ କ୍ୟାରୀୟର ମଜଭୁତ ହୋଇଥିଲା । ଏହି ଆସନରେ ଟିଏମ୍ସି ପାଇଁ ସୁଭେନ୍ଦୁ ଅଧିକାରୀ ଅନେକ ପରିଶ୍ରମ କରିଛନ୍ତି । ଆଉ ଦଳକୁ ଏକ ସୁଦୃଢ଼ କରିଛନ୍ତି । ଖାଲି ସେତିକି ନୁହେଁ ଏହା ଦ୍ୱାରା ସୁଭେନ୍ଦୁ ଅଧିକାରୀ ଦଳରେ ମଧ୍ୟ ନିଜର ସ୍ଥିତି ସୁଦୃଢ଼ କରିପାରିଥିଲେ । ମମତାଙ୍କର ମଧ୍ୟ ଅତି ନିକଟତର ହୋଇଥିଲେ ।




