spot_img
Home Blog Page 5919

ଟିଏମସିର ପ୍ରାର୍ଥୀ ତାଲିକା ଘୋଷଣା, ନନ୍ଦିଗ୍ରାମରୁ ଲଢିବେ ମମତା ବାନାର୍ଜୀ

କୋଲକାତା: ଆଜି ତୃଣମୂଳ କଂଗ୍ରେସ ତାର ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ଶୁକ୍ରବାର ଦିନ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୨୯୪ଟି ଆସନ ମଧ୍ୟରୁ ୨୯୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି ।

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଶୁଭେନ୍ଦଙ୍କ ଗଡ ନନ୍ଦିଗ୍ରାମରୁ ଏଥର ପ୍ରାର୍ଥୀ ହୋଇଛନ୍ତି ମମତା ବାନାର୍ଜୀ। ଯଦି ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ଟିକେଟ୍ ଦିଏ ତେବେ ଏଥର ମୁକାବିଲା କାଣ୍ଟେ କି ଟକ୍କର ହେବା ନିଶ୍ଚିତ ହୋଇଛି । ୫୧ଟି ଆସନରେ ମହିଳାଙ୍କୁ ଟିକେଟ୍ ଦେଇଛନ୍ତି ମମତା । ୪୨ଟି ଆସନରେ ଟିଏମସି ଟିକେଟରୁ ମୁସଲିମ୍ ପ୍ରାର୍ଥୀ ଲଢିବେ ନିର୍ବାଚନ । ବିଧାୟକ ଥିବା ୨୮ ଜଣକଙ୍କର ଟିକେଟ୍ କାଟିଛନ୍ତି ଦିଦି । ସହଯୋଗୀ ଦଳକୁ ମିଳିଛି ତିନୋଟି ଆସନ।

ଅପରପକ୍ଷେ ସବୁଥର ଭଳି ଏଥର ମଧ୍ୟ ସୁପରଷ୍ଟାରଙ୍କ ଉପରେ ଭରସା କରିଛନ୍ତି ମମତା । କ୍ରିକେଟର ମନୋଜ ତିୱାରିଙ୍କୁ ଶିବୁପୁରରୁ ମିଳିଛି ଟିକେଟ୍ । ସେହିଭଳି ଫିଲ୍ମଷ୍ଟାର ସାୟାନତିକାଙ୍କୁ ବାଙ୍କୁରା, କଞ୍ଚନ ମଲ୍ଲିକଙ୍କୁ ଉତ୍ତରପଡା, ଗାୟିକା ଆଦିତି ମୁନସିଙ୍କୁ ରାଜରହାଟ ଓ ଚନ୍ଦ୍ରମା ଭଟ୍ଟଚାର୍ଯ୍ୟଙ୍କୁ ଉତ୍ତର ଦମଦମରୁ ମିଳିଛି ଟିକେଟ୍ । ୮୦ ବର୍ଷରୁ ଉର୍ଦ୍ଧ ବୟସଙ୍କୁ ଟିକେଟ୍ ଦେଇଛି ଟିଏମସି । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ନିର୍ବାଚନ ବିଜୟୀ ହେବା ନେଇ ଦମ୍ଭ ଦେଖାଇଥିଲେ ମମତା ବାନାର୍ଜୀ । ଟିଏମସି ସବୁବେଳେ ସବୁ ବର୍ଗର ଲୋକଙ୍କ ସହ ରହିଛି ବୋଲି କହିଛନ୍ତି ସେ।

ଆୟେଶା ଆତ୍ମହତ୍ୟା ମାମଲା, ପୋଲିସ ହାତରେ ୭୦ମିନିଟର କଲ୍ ରେକର୍ଡ

ଅହମ୍ମଦାବାଦ: ଆୟେଶା ଆତ୍ମହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ହାତରେ ଲାଗିଛି ସେହି ୭୦ମିନିଟର ରେକର୍ଡିଂ, ଯେଉଁଥିରେ ଆତ୍ମହତ୍ୟା ପୂର୍ବରୁ ଆୟେଶା ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଛନ୍ତି । ଆଉ ଏହି ରେକର୍ଡିଂରୁ ଅନେକ ରହସ୍ୟ ସାମ୍ନାକୁ ଆସିପାରେ । କାହିଁକି ଆତ୍ମହତ୍ୟାର ସାହାର ନେଇ ଥିଲେ ଆୟେଶା ? ଏହି ଅଡ଼ିଓରେ ଏମିତି କଣ ଅଛି ଯାହାକୁ ପୋଲିସ ବଡ଼ ସଫଳତା ବୋଲି କହୁଛି ?

ଏସବୁ ଜାଣିବା ଆଗରୁ ଆସନ୍ତୁ ନଜର ପକାଇଦେବା ଆୟେଶାଙ୍କ ଆତ୍ମହତ୍ୟାର ପୂରା ଘଟଣା
ଅହମ୍ମଦାବାଦର ସାବରମତି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ଆୟେଶା । ଆଉ ମୃତ୍ୟୁ ପୂର୍ବରୁ ସେ ଯେଉଁ ଭିଡ଼ିଓ କରିଥିଲେ ତାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ପୋଲିସ ନିଜଆଡ଼ୁ ଏକ ମାମଲା ରୁଜୁ କରି ରାଜସ୍ଥାନରୁ ଆୟେଶାଙ୍କ ସ୍ୱାମୀ ଆରିଫଙ୍କୁ ଗିରଫ କରିଛି । ଆରିଫ ଗିରଫ ହେବା ପରେ ପୋଲିସ ତନାଘନା ଜାରି ରଖିଛି । ଏପର୍ଯ୍ୟନ୍ତ ଆୟେଶାଙ୍କ ଆତ୍ମହତ୍ୟାକୁ ନେଇ ପୋଲିସ ହାତରେ ଅନେକ ପ୍ରମାଣ ଲାଗିଛି।

ଆୟେଶାଙ୍କ ସ୍ୱାମୀ ଆରିଫଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି ପୋଲିସ । ଏହାସହ ଆୟେଶାଙ୍କ ପରିବାର କହିଥିଲେ ଯେ, ଆୟେଶା ଆତ୍ମହତ୍ୟା କରିବା ପୂର୍ବରୁ ଫୋନରେ ଆରିଫଙ୍କ ସହ ପ୍ରାୟ ୭୦ ମିନିଟ୍ କଥା ହୋଇଥିଲେ । ଆଉ ଏବେ ଏହାର ଅଡିଓ ରେକର୍ଡିଂ ପୋଲିସକୁ ମିଳିଛି । ଏଥିରେ ଯାହା ଆରିଫ୍ କହିଛନ୍ତି ତାହା ଶୁଣିଲେ ଆପଣ ତାଜୁବ୍ ହୋଇଯିବେ । ଫୋନରେ ଆରିଫ ଆୟେଶାଙ୍କୁ କହୁଛନ୍ତି ଯେ, ତୁ ମରି ଯା କିନ୍ତୁ ତା ପୂର୍ବରୁ ମୋତେ ଭିଡିଓ ପଠେଇ ଦବୁ । ଆଉ ଠିକ୍ ଏମତି ହିଁ କରିଛନ୍ତି ଆୟେଶା । ଆରିଫଙ୍କୁ ଭିଡ଼ିଓ ପଠାଇ ସାବରମତି ନଦୀରେ ସମାଧି ନେଇଯାଇଛନ୍ତି ସେ ।

ଏହାସହ ଆୟେଶାଙ୍କ ପରିବାର ଲୋକ ଆଉ ଏକ ଅଭିଯୋଗ ଆଣିଛନ୍ତି । ପରିବାର ଲୋକ କହିଛନ୍ତି ଯେ, ଆରିଫ ଅନ୍ୟ ଝିଅ ସହ ପ୍ରେମ ସମ୍ପର୍କ ରଖିଥିଲେ, ତେଣୁ ସେ ଆୟେଶାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ । ଅଭିଯୋଗ ପରେ ବର୍ତ୍ତମାନ ପୋଲିସ ମୋବାଇଲ୍ ତଥ୍ୟ ମାଧ୍ୟମରେ ଅଧିକ ଯାଞ୍ଚ କରିବାକୁ ଚେଷ୍ଟା କରୁଛି । ଆରିଫ ପ୍ରକୃତରେ ଅନ୍ୟ ଝିଅ ସହ ସମ୍ପର୍କରେ ଥିଲା ନା ନାହିଁ ଏବଂ ଯଦି ସେ ଆଉ କାହା ସହ ସମ୍ପର୍କରେ ଥିଲା, ତାହାଲେ ସେ ଝିଅ କିଏ ? ଆଉ ସେହି ଝିଅ ପାଇଁ ସେ, ଆୟେଶାଙ୍କୁ ନିର୍ଯାତନା ଦେଉ ନଥିଲା ତ ? ଏସବୁ ଦିଗ ପ୍ରତି ଖୋଳତାଡ଼ କରୁଛି ପୋଲିସ ।

ଆୟେଶା ୨୦୨୦ ମସିହାରେ ଅହମ୍ମଦାବାଦର ବଟବା ପୋଲିସ ଷ୍ଟେସନରେ ଆରିଫ ଏବଂ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ। ଯେଉଁଥିପାଇଁ ଆରିଫ ଏବଂ ତାଙ୍କ ପରିବାରକୁ ପୋଲିସ ଗିରଫ ମଧ୍ୟ କରିଥିଲା। କିନ୍ତୁ ପରେ ଆରିଫଙ୍କ ପରିବାର ଜାମିନରେ ଆସିଥିଲେ । ତେବେ ପୋଲିସ ପାଇଥିବା ୭୦ ମିନିଟର ଅଡିଓ ରେକର୍ଡିଂରେ ଆୟେଶା ଏବଂ ଆରିଫଙ୍କ ମଧ୍ୟରେ ଏହି ଯୌତୁକ ସମ୍ପର୍କରେ ବାର୍ତ୍ତାଳାପ ମଧ୍ୟ ହୋଇଛି । ଆରିଫ ଅନେକ ଥର ଆୟେଶାଙ୍କୁ ଏହି ଅଭିଯୋଗକୁ କୋର୍ଟରୁ ଉଠାଇବାକୁ ଚାପ ପକାଉଥିବା ମଧ୍ୟ ଜଣାପଡ଼ିଛି ।

ବର୍ତ୍ତମାନ ପୋଲିସ ଆୟେଶାଙ୍କ ମୋବାଇଲ ଅଡିଓ ଏବଂ ଆରିଫ ମୋବାଇଲର ଭିଡିଓ ଓ ଅଡିଓ ଜରିଆରେ ଏହି ମାମଲାରେ ଅନେକ ପ୍ରମାଣ ସଂଗ୍ରହ କରୁଛି । ତେବେ ମୋବାଇଲ୍ ଫୋନର ଅଡିଓ ଯାଞ୍ଚ ପାଇଁ ପଠାଯିବ। କାରଣ ଏହିଭଳି ମାମଲା ଯେତେବେଳେ କୋର୍ଟକୁ ଯାଏ, ଅଡ଼ିଓରେ ଥିବା ଭଏସ୍ ଆଇଡେଣ୍ଟିଫିକେସନ୍ ମାଧ୍ୟମରେ ହିଁ ଉପସ୍ଥାପିତ ହେବ ।

ଟାଇମ୍ ମାଗାଜିନର କଭର ପେଜରେ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ: ଆମେରିକାର ପ୍ରତିଷ୍ଠିତ ପତ୍ରିକା ଟାଇମ୍ ମାଗାଜିନର କଭର ପେଜରେ ସ୍ଥାନ ପାଇଛି କୃଷକ ଆନ୍ଦୋଳନ । ଏହି ମାଗାଜିନ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା କିଛି ଆନ୍ଦୋଳନରତ ମହିଳାଙ୍କ ଫଟୋକୁ କଭର ପେଜରେ ଛାପିଛି । ଆଉ ଫଟୋ ତଳେ ଲେଖାହୋଇଛି- ଭାରତର କୃଷକ ଆନ୍ଦୋଳନରେ ମହିଳା ମୋର୍ଚ୍ଚା ।

ଏହି ମାଗାଜିନ ଦିଲ୍ଲୀର ଟିକରି ସୀମାରେ କୃଷି ଆନ୍ଦୋଳନରେ ସାମିଲ ହେବା ପାଇଁ ପହଞ୍ଚିଥିବା ୨୦ ଜଣ ମହିଳାଙ୍କ ଫଟୋକୁ କଭରରେ ସ୍ଥାନ ଦେଇଛି । ଆଉ ଆର୍ଟିକିଲର ଶୀର୍ଷକ ରହିଛି- Cannot Be Intimidated. I Cannot Be Bought.’ । ଯାହାର ଅର୍ଥ ହେଉଛି ଆମକୁ କେହି ଧମକାଇ ପାରିବେ ନାହିଁ କି ଆମକୁ କେହି କିଣି ପାରିବେ ନାହିଁ ।

Two Face Of Bjp On Farmer Issue

ବିଗତ ୪ ମାସ ହେବ ନୂଆ କୃଷି ଆଇନକୁ ବିରୋଧ କରି ଦେଶରେ କୃଷକ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି । ଖାସକରି ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ଗ୍ରାମୀଣ ଅଞ୍ଚଳରୁ ମହିଳା ମାନେ ଆନ୍ଦୋଳନରେ ସାମିଲ ହେବା ପାଇଁ ଆସିଥିଲେ ।

ହେଲେ ପରବର୍ତ୍ତୀ ସମୟରେ ମହିଳା ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ସେମାନେ ଆନ୍ଦୋଳନ କରିବାକୁ ଆସିଛନ୍ତି ନା ବିକ୍ଷୋଭ ପ୍ରଦର୍ଶନ ସ୍ଥଳୀ ସଫେଇ ଓ ରୋଷେଇ ପାଇଁ ।

ହରିୟାଣା ମେଣ୍ଟ ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବ କଂଗ୍ରେସ: କ୍ରସ ଭୋଟିଂ ଭରସା

ହରିୟାଣା: ବିଧାନସଭାରେ ଅଗ୍ନିପରୀକ୍ଷା ଦେବେ ଖଟ୍ଟର ସରକାର  । ବିଧାନସଭାରେ କୌଣସି ସମୟରେ ଖଟ୍ଟର ସରକାରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିପାରେ କଂଗ୍ରେସ  । ଆଜିଠୁ ଆରମ୍ଭ ହୋଇଛି ହରିୟାଣା ବିଧାନସଭାର ବଜେଟ୍ ଅଧିବେଶନ  । BJP-JJP ସରକାର ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବା ପାଇଁ ଘୋଷଣା କରିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଭୁପେନ୍ଦ୍ର ସିଂ ହୁଡ୍ଡା । ମନହର ଲାଲ ଖଟ୍ଟର ସରକାର ବିରୋଧରେ କିଛି ବିଧାୟକଙ୍କ ଅସନ୍ତୋଷ ରହିଛି  । ବିଶେଷକରି କୃଷି ଆଇନକୁ ବିରୋଧ କରି  JJP ଓ BJPର ୮ ଜଣ ବିଧାୟକ  ସରକାର ବିରୋଧରେ ରହିଛନ୍ତି  । ଏଣୁ ଏହି ବିଧାୟକମାନେ କ୍ରସ୍ ଭୋଟ କରିବେ ବୋଲି ଆଶା ରଖିଛନ୍ତି କଂଗ୍ରେସ  । ବିଧାନସଭାରେ ୯୦ଟି ଆସନ ମଧ୍ୟରୁ ବିଜେପି ପାଖରେ ୪୦ଜଣ ବିଧାୟକଙ୍କ ସମର୍ଥନ ରହିଛି  । JJPର ୧୦ ବିଧାୟକ ଓ କିଛି ସ୍ବାଧୀନ ବିଧାୟକଙ୍କ ସମର୍ଥନ ଥିବାରୁ ଏହି ସଂଖ୍ୟା ୫୫ ରହିଛି  । ତେବେ ଫ୍ଲୋର ଟେଷ୍ଟରେ ଜିତିବାକୁ ହେଲେ ୪୫ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି  । ୮ ବିଧାୟକଙ୍କୁ ବାଦ ଦେବା ପରେ ବି ସରକାର ପାଖରେ ୪୭ ଜଣ ବିଧାୟକଙ୍କ ସମର୍ଥନ ରହିଛି  । ଏଭଳିସ୍ଥଳରେ ବିଜେପି ସରକାର ବଞ୍ଚାଇବାରେ ସଫଳ ହେବ ବୋଲି ନେତାଏ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ସୁଶାନ୍ତ ଡ୍ରଗ୍ସ ମାମଲାରେ ଏନସିବିର ୫୨,୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ; ୩୩ ଜଣଙ୍କ ନାଁ ସାମିଲ

ରାଜ୍ୟରେ ୩୦୦୦ ମୋ ସେବା କେନ୍ଦ୍ର ଓ ଓଡ଼ିଶାଓ୍ୱାନ୍ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର: ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଜି ୧୦୫ତମ ଜୟନ୍ତୀ । ଆଜିର ଦିନକୁ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବରେ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ମୋ ସେବାକେନ୍ଦ୍ର ଓ ଓଡ଼ିଶାଓ୍ୱାନ୍ ପୋର୍ଟାଲ ଲୋକାର୍ପିତ କରିଛନ୍ତି ।

5T ଉପକ୍ରମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆରମ୍ବ କରାଯାଇଛି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୂଳମନ୍ତ୍ର। ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ। ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

CM Rolls Out Internal Networking System for Rural Development Department

ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ ଗୋଟିଏ ମୋ ସେବାକେନ୍ଦ୍ର ଖୋଲାଯିବ। ଏହାଦ୍ୱାରା ୮୦୦୦ ଯୁବକ ଯୁବତୀ ଆତ୍ମ ନିଯୁକ୍ତିର ସୁଯୋଗ ପାଇବେ । ସେହିପରି ସହରବାସୀ ତଥା କମ୍ପୁଟର ଜାଣିଥିବା ଲୋକମାନଙ୍କ ପାଇଁ ଓଡ଼ିଶାଓ୍ୱାନ୍ ପୋର୍ଟାଲ ସେବା ଯୋଗାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଦୁଇ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ତଥା ସେବାର ଗୁଣାତ୍ମକ ମାନ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତୀଙ୍କ ସଚିବ (5T) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲା ବେଳେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ର କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ସାଂସଦ ଓ ବିଧାୟକମାନଙ୍କ ସମେତ ବିଭାଗୀୟ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।