ନନ୍ଦିଘୋଷ ବ୍ୟୁରୋ: ସାପ କାମୁଡ଼ାରେ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ। ରାୟଗଡା ଜିଲ୍ଲା ଗୁଡ଼ାରୀ ଥାନା ଅନ୍ତର୍ଗତ ଏଲଏଲପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ସଞ୍ଜୟ କୈବର୍ତ୍ତଙ୍କ ଝିଅ ଭୁଲତା । ଗତକାଲି ସନ୍ଧ୍ୟାରେ ଭୁଲତା ଶୌଚ ପାଇଁ ଯାଇଥିବା ସମୟରେ ସାପ କାମୁଡି ଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ପଦ୍ମପୁର ମେଡିକାଲକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଗୁମୁଡା ଫାଣ୍ଡି ପୋଲିସ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ଜଣାପଡ଼ିଛି।
ରାତି ଅଧରେ ଲିଫ୍ଟ ଭିତରେ ହଙ୍ଗାମା
ନନ୍ଦିଘୋଷ ବ୍ୟୁରୋ: ରାତି ଅଧରେ ଲିଫ୍ଟ ଭିତରେ ହଙ୍ଗାମା । ଇଭେଣ୍ଟ ହୋଷ୍ଟ କରୁଥିବା ଯୁବକଙ୍କୁ ମାରପିଟ୍। ନନ୍ଦିଘୋଷ ଟିଭି ହାତରେ ଲାଗିଲା exclusive ଭିଜୁଆଲ । ବିଧା ଗୋଇଠା ସହ ମରଣାନ୍ତକ ଆକ୍ରମଣ କରିବା ପରେ ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁରରେ ଥିବା ରୟାଲ ଅର୍କିଡ ଲିଫ୍ଟ ଭିତରେ ଘଟିଛି ଏଭଳି ଘଟଣା । ଗତ ୩ ତାରିଖ ରାତି ପ୍ରାୟ ୧୨ଟା ବେଳେ ରୟାଲ ଅର୍କିଡର ଷଷ୍ଠ ମହଲାରେ ଥିବା ଏକ ବାରରେ ଇଭେଣ୍ଟ ସାରି ତଳକୁ ଓହ୍ଲାଇଥିଲେ ଇଭେଣ୍ଟ ହୋଷ୍ଟ କରୁଥିବା ଯଯାତି ପାରେଖ । ଏହି ସମୟରେ ଅନ୍ୟମାନଙ୍କ ସହ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଆସୁଥିଲେ । ଲିଫ୍ଟ ଭିତରେ ଆସୁଥିବା ଲୋକମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଯେଉଁଥିରେ ଉତକ୍ଷିପ୍ତ ହୋଇ ଯଯାତିଙ୍କୁ ଆକ୍ରମଣ କରିଥିଲେ । ଏ ନେଇ ନନ୍ଦନକାନନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ନନ୍ଦନକାନନ ଥାନାଧିକାରୀ କହିଛନ୍ତି ।
ଇଂଲଣ୍ଡ ବିପକ୍ଷ ବିଜୟ ପରେ.. କଣ କରିଥିଲେ ଗମ୍ଭୀର ? ପତ୍ନୀ କହିଲେ..
ନନ୍ଦିଘୋଷ ବ୍ୟୁରୋ: ଓଭାଲରେ ବୋବାଲ କରିଛି ଟିମ ଇଣ୍ଡିଆ । ଇଂଲଣ୍ଡକୁ ୬ ରନରେ ହରାଇ ଟେଷ୍ଟ ସିରିଜକୁ ଡ୍ର କରିଛି । ବିଜୟରେ ସବୁଠି ଖୁସିର ମାହୋଲ । ତେବେ ସିରାଜ ଶେଷ ଓ୍ବିକେଟ ଅକ୍ତିଆର କରି ଯେତେବେଳେ ଟିମକୁ ଜିତାଇଥିଲେ ସେତେବେଳେ ଖୁସିରେ ଫାଟି ପଡ଼ିଥିଲେ ଗୌତମ ଗମ୍ଭୀର । ମୁଖ୍ୟ ପ୍ରଶିକ୍ଷକଙ୍କ ଖୁସିର ମୁହୂର୍ତ୍ତ ସମ୍ପର୍କରେ ଗମ୍ଭୀର ପତ୍ନୀ କହିଛନ୍ତି । ଯେତେବେଳେ ଟିମର ବିଜୟ ହୋଇଥିଲା ସେତେବେଳେ ଗମ୍ଭୀର ସମସ୍ତଙ୍କୁ ଆଲିଙ୍ଗନ କରିଥିଲେ । ଏହାସହ ବୋଲିଂ କୋଚ ମଣି ମର୍କେଲଙ୍କ ଉପରେ କାଖ ହୋଇଯାଇଥିଲେ । ଗମ୍ଭୀରଙ୍କ ଖୁସି ମନାଉଥିବାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହେବାରା ଲାଗିଛି । ଓଭାଲରେ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଟିମ ଇଣ୍ଡିଆର ବିଜୟ ବେଶ ଗୁରୁତ୍ବ ବହନ କରେ । କାରଣ ତାଙ୍କ କୋଚିଂରେ ଟିମ ଇଣ୍ଡିଆର ତୃତୀୟ ବିଜୟ । ଏହାସହ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଡ୍ର ହୋଇଛି ।
ଅମୀର ଖାନ ଏବଂ ରଜନୀକାନ୍ତଙ୍କ ମଧ୍ୟରୁ କିଏ ଅଧିକ ଧନୀ ?
ନନ୍ଦିଘୋଷ ବ୍ୟୁରୋ: ଆସୁଛି ଫିଲ୍ମ ’କୁଲି’ । ବଲିଉଡର ମିଷ୍ଟର ପରଫେକ୍ଟ ଅମୀର ଖାନ ଏବଂ ସାଉଥ ସୁପରଷ୍ଟାର ରଜନକାନ୍ତ ଏହି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ନିକଟରେ ଏକ ଟ୍ରେଲର ରିଲିଜ ହୋଇଥିବାବେଳେ ଉଭୟ ନଜର ଆସିଥିବା ଦେଖିବାକୁ ମିଳିଛି । ତେବେ ଉଭୟ ବଡ଼ ଷ୍ଟାର ଗୋଟିଏ ଫିଲ୍ମରେ ନଜର ଆସୁଥିବାବେଳେ ଫିଲ୍ମ ଭଲ ରୋଜଗାର କରିବ ବୋଲି ଆଶା ରଖିଛନ୍ତି ସିନେପ୍ରେମୀ । ତେବେ ଉଭୟଙ୍କୁ ମଧ୍ୟରୁ କାହା ପାଖରେ ରହିଛି ଅଧିକ ଟଙ୍କା । କିଏ କେତେ ଟଙ୍କାର ମାଲିକ ଅଟନ୍ତି ? ଆସନ୍ତୁ ଆମର ଏହି ଲେଖା ଜରିଆରେ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ।
ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ ତାହେଲେ ଅମୀର ଖାନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧୮୬୨ କୋଟି ଟଙ୍କା । ଗୋଟିଏ ଫିଲ୍ମ କରିବା ପାଇଁ ଅମୀର ଖାନ ୧୦୦ରୁ ୨୦୦ କୋଟି ଟଙ୍କା ନେଇଥାନ୍ତି । ଏହାସହ ତାଙ୍କର ଏକ ନିଜସ୍ବ ପ୍ରଡକ୍ସନ ହାଉସ୍ ମଧ୍ୟ ରହିଛି । ଯେଉଁ ପ୍ରଡକ୍ସନରେ ଲଗାନ୍, ତାରେ ଜମିନ୍ ପର୍ ଭଳି ହିଟ୍ ଫିଲ୍ମମାନ ନିର୍ମାଣ କରାଯାଇଛି । ଏହାସହ ଅମିରଙ୍କ ମୁମ୍ବାଇର ପାଲି ହିଲ୍ସରେ ଏକ ଘର ରହିଛି । ମାତ୍ର ୧୧ ବର୍ଷ ବୟସରେ ସେ ଏଠାକୁ ଆସି ରହିଥିଲେ । ସେପଟେ ବାନ୍ଦ୍ରାରେ ୧୦ କୋଟି ମୂଲ୍ୟର ମଧ୍ୟ ଏକ ଘର ରହିଛି । ଏହାସହ ତାଙ୍କର ଫାର୍ମ ହାଉସ ସହ ବହୁ ଫ୍ଲାଟ ମଧ୍ୟ ରହିଛି । ଲସ ଆଞ୍ଜେଲସରେ ମଧ୍ୟ ତାଙ୍କର ଘର ରହିଛି ।
ସେପଟେ ରଜନୀକାନ୍ତଙ୍କ କଥା ଯଦି କହିବା ତାହେଲେ ସେ ୪୩୦ କୋଟି ଟଙ୍କାର ମାଲିକ ଅଟନ୍ତି । ଯଦିଓ ସେ ଅମୀର ଖାନଙ୍କଠାରୁ ସମ୍ପତ୍ତିରେ କମ ଅଟନ୍ତି ତଥାପି ଗୋଟିଏ ଫିଲ୍ମ ପାଇଁ ରଜନୀକାନ୍ତ ୧୨୫ କୋଟିରୁ ୨୫୦ କୋଟି ଟଙ୍କା ଚାର୍ଜ କରିଥାନ୍ତି । ସେ ବିଳାଶପୂର୍ଣ୍ଣ ବଙ୍ଗଳାରେ ରହୁଥିବାବେଳେ ଏହାର ମୂଲ୍ୟ ୩୫ କୋଟି ଟଙ୍କାରୁ ଅଧିକ । ରଜନୀକାନ୍ତଙ୍କ ପାଖରେ ବହୁ ଦାମୀ କାର ରହିଛି ।
ଆଜି ହେବ ଗୁରୁଜୀ ଶିବୁ ସୋରେନଙ୍କ ଶେଷକୃତ୍ୟ
ନନ୍ଦିଘୋଷ ବ୍ୟୁରୋ: ଆଜି ଆଦିବାସୀଙ୍କ ପ୍ରିୟ ନେତା, ଆଦିବାସୀଙ୍କ ଅଧିକାର ପାଇଁ ଦିନରାତି ଲଢ଼େଇ କରୁଥିବା ଗୁରୁଜୀ ଶିବୁ ସୋରେନଙ୍କ ହେବ ଶେଷକୃତ୍ୟ। ଝାରଖଣ୍ଡ ରାମଗଡ଼ ଜିଲ୍ଲାର ତାଙ୍କ ଜନ୍ମଭୂମି ନେମରାରେ ହେବ ଅନ୍ତିମ ସଂସ୍କାର। ଏନେଇ ନେମରାରେ ସବୁ ପ୍ରକାର ପ୍ରସ୍ତୁତି ସରିଛି । ବହୁ ରାଜନେତା ଓ କର୍ମୀଙ୍କ ଗହଳି ଚହଳି ଲାଗିରହିଛି । ଗତକାଲି ୮୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦିଲ୍ଲୀର ଏକ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଶିବୁ ସୋରେନଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଜୁନ ୧୯ରେ ଶିବୁ ସୋରେନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନେଫ୍ରୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତାଙ୍କ ତତ୍ତ୍ଵାବଧାନରେ ସେ ଚିକିତ୍ସିତ ହେଉଥିଲେ । ସେ ଗତକାଲି ଆରପାରିକୁ ଚାଲି ଯାଇଛନ୍ତି। ଝାଡ଼ଖଣ୍ଡ ଆନ୍ଦୋଳନର ପ୍ରମୁଖ ନେତା, ଜେଏମଏମ ର ପ୍ରତିଷ୍ଠାତା ଶିବୁ ସୋରେନ। ତାଙ୍କରି ଦୀର୍ଘ ୪ ଦଶନ୍ଧିର ଆନ୍ଦୋଳନ ଯୋଗୁଁ ଝାଡ଼ଖଣ୍ଡ ରାଜ୍ୟ ଗଠନ ହୋଇପାରିଥିଲା। ସବୁବେଳେ ଆଦିବାସୀଙ୍କ ଅଧିକାର ପାଇଁ ଲଢୁଥିବା ଶିବୁ ସୋରେନଙ୍କୁ ଦିଶୁମ ଗୁରୁ ବୋଲି କୁହାଯାଏ। ବଳିଷ୍ଠ ନେତୃତ୍ଵ ପାଇଁ ତାଙ୍କ ଅନୁଗାମୀମାନେ ତାଙ୍କୁ ଗୁରୁଜୀ ବୋଲି ଡାକନ୍ତି। ଅବିଭକ୍ତ ବିହାରର ଆଦିବାସୀ ଅଞ୍ଚଳରେ ଶିବୁ ସୋରେନଙ୍କ ଅଖଣ୍ଡ ପ୍ରଭାବ ଥିଲା। ତାଙ୍କୁ ଆଦିବାସୀମାନେ ତ୍ରାଣକର୍ତ୍ତା ଭାବେ ଦେଖୁଥିଲେ।୧୯୮୭ରୁ ଜେଏମଏମର ନେତୃତ୍ଵ ନେଇ ୨୦୨୫ ଏପ୍ରିଲ ଯାଏ ଏହାର ସଭାପତି ଥିଲେ ଶିବୁ ସୋରେନ। ସେ ତିନି ଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଭାବେ ମଧ୍ୟ କାମ କରିଛନ୍ତି।
ମାର୍ଚ୍ଚ ୨୦୦୫, ଅଗଷ୍ଟ ୨୦୦୮ରୁ ଜାନୁଆରୀ ୨୦୦୯ ଯାଏ ଓ ଡିସେମ୍ବର ୨୦୦୯ରୁ ମେ ୨୦୧୦ ଯାଏ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଶିବୁ ସୋରେନ। ସେ ୨୦୦୪ ରୁ ୨୦୦୬ ମଧ୍ୟରେ ୩ଟି ପୃଥକ ପୃଥକ କାର୍ଯ୍ୟକାଳରେ କେନ୍ଦ୍ର କୋଇଲା କ୍ୟାବିନେଟ୍ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଛଅ ଥର ଲୋକସଭା ସାଂସଦ ଥିଲେ ଶିବୁ। ୧୯୮୦ ରୁ ୨୦୦୫ ଯାଏ ଗୃହର ପ୍ରତିନିଧିତ୍ୱ କରିଥିଲେ। ସେ ତିନି ଥର ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ସୋରେନ ଜାନୁଆରୀ ୧୧, ୧୯୪୪ରେ ବର୍ତ୍ତମାନର ଝାଡ଼ଖଣ୍ଡର ନେମରା ଗାଁରେ ଏକ ସାନ୍ତାଳ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ନିଜର ନେତୃତ୍ଵ ଗୁଣ ପାଇଁ ଖୁବ ଶୀଘ୍ର ସେ ରାଜନୀତିରେ ନିଜ ନାଁ କରିପାରିଥିଲେ। କିନ୍ତୁ ବିବାଦ ତାଙ୍କ ପିଛା ଛାଡ଼ିନଥିଲା।
୧୯୭୫ ଚିରୁଡିହ ଗଣହତ୍ୟା, ୧୯୯୪ ମସିହାରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ହତ୍ୟାରେ ତାଙ୍କର ସମ୍ପୃକ୍ତି ଥିବାର ଅଭିଯୋଗ ହୋଇଥିଲା। ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ତାଙ୍କ ନାଁରେ ଭିଜିଲାନସ ମାମଲା ବି ଚାଲିଥିଲା। ନରସିଂହ ରାଓ ସରକାରରେ ଜେଏମଏମ୍ ସାଂସଦ ଲାଞ୍ଚ ନେବା ଶିବୁ ସୋରେନଙ୍କ ପାଇଁ ବେଶ୍ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିଲା। ବିଭିନ୍ନ ଅପରାଧ ମାମଲା ଓ ରାଜନୈତିକ ଗଣ୍ଡଗୋଳ ସତ୍ତ୍ଵେ ଆଦିବାସୀଙ୍କ ପାଇଁ ଏକପ୍ରକାର ତ୍ରାଣକର୍ତ୍ତା ଥିଲେ ଶିବୁ ସୋରେନ।
ବାଲେଶ୍ୱର ୭ ନଂ ୱାର୍ଡ ପୂର୍ବତନ କାଉସିଲରଙ୍କୁ ଆକ୍ରମଣ
ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ୱର ୭ ନମ୍ବର ୱାର୍ଡର ପୂର୍ବତନ କାଉସିଲରଙ୍କୁ ଆକ୍ରମଣ।ଘଟଣାକୁ ନେଇ ବାଲେଶ୍ୱର ମେଡିକାଲରେ ଉତ୍ତେଜନା। ଟାଉନ ଥାନାରେ ଆପୋଷ ବୁଝାମୁଣା କରି ଫେରୁଥିବା ବେଳେ ପୂର୍ବତନ ବିଜେଡି କାଉନସିଲର ସାକୀର ଖାନଙ୍କୁ ଅଜଣା ଯୁବକଙ୍କ ଆକ୍ରମଣ ପରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି। କାହିଁକି ଓ କିଏ ଆକ୍ରମଣ କଲେ ତାହା ଅସ୍ପଷ୍ଟ ରହିଛି। ଗୁରୁତର କାଉନସିଲରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାର ପୋଲିସ ଛାନବିନ ଆରମ୍ଭ କରିଛି।
ହାଇକୋର୍ଟରେ ଭୁବନେଶ୍ଵର ଗାଡ଼କଣ ଡମ୍ପିଂୟାର୍ଡ ମାମଲା
ନନ୍ଦିଘୋଷ ବ୍ୟୁରୋ: ହାଇକୋର୍ଟରେ ଭୁବନେଶ୍ଵର ଗାଡ଼କଣ ଡମ୍ପିଂୟାର୍ଡ ମାମଲା । ଜନସ୍ବାର୍ଥ ମାମଲାର ଶୁଣାଣୀ କରି ୭ ଦିନ ଭିତରେ ସତ୍ୟପାଠ ଦାଖଲ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଳିଆ ପକାଇ ପରିବେଶକୁ ନଷ୍ଟ କରାଯାଉଥିବା ଦର୍ଶାଇ ଦାୟର ହୋଇଥିଲା ମାମଲା । ପରିବେଶ ମଞ୍ଜୁରୀ, ଆବର୍ଜନା ନିରାପତ୍ତା ନିୟମ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିନା ଅନୁମୋଦନରେ ଦୀର୍ଘ ୧୮ ବର୍ଷରୁ ଅଧିକ ସମୟ ଧରି ବେଆଇନ ଭାବେ ଅଳିଆ ଗଦା ଯାଉଥିବା ଆବେଦନରେ ଦର୍ଶାଯାଇଥିଲା । ଆଡଭୋକେଟ ବିରଜା ମହାପାତ୍ର, ବିପ୍ଳବ ବାହାଲି ଓ ସୂର୍ଯ୍ୟ ମିଶ୍ରଙ୍କ ଦ୍ୱାରା ଆଗତ ଏହି ମାମଲାରେ ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ବିଏମସି ଓ ରାଜ୍ୟ ସରକାର ଏହାକୁ ଅଣଦେଖା କରି ଚାଲିଥିବା ଦର୍ଶା ଯାଇଥିଲା । ଆଜି ମାମଲାର ଶୁଣାଣୀ କରି ୭ ଦିନ ଭିତରେ ସତ୍ୟପାଠ ଦାଖଲ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।
ପୁଣି ଥରେ ଜୋର ଧରିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି
ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ ଜୋର ଧରିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଏ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବକୁ ଟାର୍ଗେଟ କରିଛନ୍ତି ବିରୋଧୀ । କାରଣ ମହାରାଷ୍ଟ୍ରକୁ ଆଉ ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ମଞ୍ଜୁରୀ ମିଳିଛି । ହେଲେ ନା ଦକ୍ଷିଣ ଓଡ଼ିଶା ନା ପଶ୍ଚିମ ଓଡ଼ିଶାକୁ, କାହାକୁ ଏଯାଏଁ ମିଳିଲାନି ହାଇକୋର୍ଟ ବେଞ୍ଚ । ଦିନେ ବିରୋଧୀ ଦଳରେ ଥିବା ବିଜେପି ହାଇକୋର୍ଟ ବେଞ୍ଚ ପାଇଁ ସ୍ବର ଉଠାଉଥିଲା । ହେଲେ ଶାସନକୁ ଆସିବା ପରେ ଏ କ୍ଷେତ୍ରକୁ ଅଣଦେଖା କରି ଓକିଲଙ୍କ ଉପରେ ନିଷ୍ପତ୍ତି ଛାଡ଼ି ପ୍ରସଙ୍ଗକୁ ଏଡ଼ାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି ।
ବମ୍ବେ ହାଇକୋର୍ଟକୁ ମିଳିଲା ଚତୁର୍ଥ ହାଇକୋର୍ଟ ବେଞ୍ଚ । ଗୋଆ, ଔରଙ୍ଗାବାଦ ଓ ନାଗପୁର ପରେ କୋହ୍ଲାପୁରରେ ହାଇକୋର୍ଟ ବେଞ୍ଚ ଅଗଷ୍ଟ ୧୮ରୁ କାର୍ଯ୍ୟକ୍ଷମ ହେବ । ହେଲେ ଦକ୍ଷିଣ ଓଡ଼ିଶା ନା ପଶ୍ଚିମ ଓଡ଼ିଶା, କାହାକୁ ଏଯାଏଁ ମିଳିଲାନି ହାଇକୋର୍ଟ ବେଞ୍ଚ । ଲୋକଙ୍କୁ କଟକ ଦୂର ପଡ଼ୁଥିବାରୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ଏହାକୁ ସମ୍ମାନ ଜଣାଇ ଦୁଇ ଦୁଇ ଥର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ଭିତ୍ତିଭୂମି ଯୋଗାଇବାକୁ ବି ନବୀନ ସ୍ପଷ୍ଟ କରିଥିଲେ । ହେଲେ ଏଯାଏଁ ଏହା ହୋଇ ପାରିଲା ନାହିଁ ।
ଏହା ଭିତରେ ସରକାର ବଦଳି ବିଜେପି କ୍ଷମତାକୁ ଆସିଛି । ବିରୋଧୀରେ ଥିବା ସମୟରେ ବିଜେପି ବାରମ୍ବାର ହାଇକୋର୍ଟ ବେଞ୍ଚ ପାଇଁ ଦାବି କରୁଥିଲା । ହେଲେ ଶାସନକୁ ଆସିବା ପରେ ଏ ଦିଗରେ ପଦକ୍ଷେପ ଇଞ୍ଚେ ବି ଆଗେଇଲା ନାହିଁ । ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେବନି ବୋଲି ଗତ ବର୍ଷ ସେପ୍ଟେମ୍ବର ୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଲିଖିତ ଉତ୍ତର ରଖିଥିଲେ । ହେଲେ ବିରୋଧ ଯୋଗୁଁ ୨୪ ଘଣ୍ଟାରେ ସ୍ବର ବଦଳାଇ ମାମଲା ବିଚାରାଧୀନ ଥିବା ନେଇ ଗୃହରେ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ । ସେବେଠାରୁ ହାଇକୋର୍ଟ ବେଞ୍ଚ ନେଇ ବିଜେପି ସରକାରଙ୍କ ଆଭିମୁଖ୍ୟକୁ ନେଇ ସନ୍ଦେହ ଉପୁଜିଛି ।
ସେପଟେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଓକିଲ ସଙ୍ଘର କୋର୍ଟକୁ ବଲ ପକାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଯଶବନ୍ତ ସିଂହ କମିଶନ ହାଇକୋର୍ଟ ବେଞ୍ଚ ନେଇ ମାପଦଣ୍ଡ ସ୍ଥିର କରିଛନ୍ତି । ଓକିଲ ସଙ୍ଘ ନିଜ ଭିତରେ ଆଲୋଚନା କରି ସ୍ଥିର କରିବା କଥା । ସରକାରଙ୍କ ଏପରି ଯୁକ୍ତିକୁ ବିରୋଧ କରିଛି କଂଗ୍ରେସ । ବିଜେପି ଏବେ କାହିଁକି ଚୁପ ? ହାଇକୋର୍ଟ ବେଞ୍ଚ ପାଇଁ ସ୍ଥାନ ନିରୂପଣ କରିବା ସରକାରଙ୍କ ଦାୟିତ୍ବ । ହେଲେ ସରକାର ଓକିଲଙ୍କ ସହ ଓକିଲ ଓ ଜିଲ୍ଲା ସହ ଜିଲ୍ଲାକୁ ଲଢେଇ କରିବା ପାଇଁ ଚେଷ୍ଟା କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛି ।
ସବୁ ରାଜ୍ୟର ଭୌଗଳିକ ଚିତ୍ର ଭିନ୍ନ । ମହାରାଷ୍ଟ୍ର ତୁଳନାରେ ଓଡ଼ିଶା ଛୋଟ ରାଜ୍ୟ ହୋଇଥିଲେ ବି କଟକରୁ ଅନେକ ଦୂର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳ । ସମ୍ବଲପୁରରୁ କଟକ ୨୬୭ କିଲୋମିଟର ଦୂର ହୋଇଥିବାବେଳେ ବଲାଙ୍ଗୀର ୩୧୩ କିଲୋମିଟର ଦୂର । ସେହିପରି କେରାପୁଟରୁ କଟକ ୫୩୦ କିଲୋମିଟର ଓ କଟକରୁ ମାଲକାନଗିରି ୬୬୨ କିଲୋମିଟର ଦୂର । ଏପରି ସ୍ଥିତିରେ ଦକ୍ଷିଣ ଓ ପଶ୍ଚିମରୁ କଟକ ଆସି ଖର୍ଚ୍ଚାନ୍ତ ହେଉଛନ୍ତି ଲୋକ । ଯଦି ତାରିଖ ପରେ ତାରିଖ ପଡ଼େ, ଅର୍ଥ ଓ ସମୟ ନଷ୍ଟ ହୋଇଥାଏ । ଏପରି ସ୍ଥିତିରେ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମହାରାଷ୍ଟ ପରି ଓଡ଼ିଶାକୁ ହାଇକୋର୍ଟ ବେଞ୍ଚ ମିଳିବା ନେଇ ଚୁପ ବସିବା ବଦଳରେ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାଇବାକୁ ଦାବି ଜୋର ଧରିଛି ।
ଖରିଫ ପଞ୍ଜିକରଣରେ ଜଟିଳ ପ୍ରକ୍ରିୟାକୁ ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ
ନନ୍ଦିଘୋଷ ବ୍ୟୁରୋ; ଖରିଫରେ ଜାରି ରହିଛି କଟନି ଛଟନି। କୁଇଣ୍ଟାଲ ପିଛା କଟାଯାଉଛି ୮ରୁ ୧୦ କେଜି ଧାନ। ଏନେଇ ଖୋଦ ଅଭିଯୋଗ କରିଛନ୍ତି ଶାସକ ଦଳର ବରିଷ୍ଠ ବିଧାୟକ ତଥା ବିଧାନସଭା ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା। ଧାନ ପଞ୍ଜିକରଣ ଜଟିଳରେ ବ୍ୟବସ୍ଥା ଓ ଖରିଫରେ ଧାନ କଟାଯିବାକୁ ନେଇ ବିଧାନସଭା କମିଟି ବୈଠକରେ ପ୍ରକାଶ ପାଇଛି ଉଦବେଗ। ତୁରନ୍ତୁ ପଞ୍ଜିକରଣ ସରଳ କରିବା ସହ କଟନି ଛଟନି ବନ୍ଦ କରିବାକୁ ଦାବି ହୋଇଛି। ସେହିପରି ବିଜେଡି ଓ କଂଗ୍ରେସ ବିଧାୟକ ମଧ୍ୟ ଧାନର କଟନି ଛଟନି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଖରିଫ ପଞ୍ଜିକରଣରେ ଜଟିଳ ପ୍ରକ୍ରିୟାକୁ ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ । ସରକାରଙ୍କ ଜଟିଳ ନିୟମ ଯୋଗୁଁ ବାଧା ହେଉଛି ପଞ୍ଜିକରଣ । ଧାନ ପଞ୍ଜିକରଣକୁ ସରଳୀକରଣ କରିବାକୁ ବିଧାନସଭା ଗୃହ କମିଟିରେ ପ୍ରକାଶ ପାଇଛି ଉଦବେଗ। ପବ୍ଲିକ ଅଣ୍ଡରଟେକିଂ କମିଟି ବୈଠକରେ ସରକାରୀ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଶାସକ ଓ ବିରୋଧୀ ବିଧାୟକ। କମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନର ପଞ୍ଜିକରଣ ବ୍ୟବସ୍ଥାରେ ଚାଷୀ ହଇରାଶ ହେଉଛନ୍ତି। ତେଣୁ ଗୋଟିଏ ଲେଖାରେ ଚାଷୀ ଯେମିତି ପଞ୍ଜିକରଣ କରିପାରିବ, ସେ ବ୍ୟବସ୍ଥା କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକ ପରେ ଶାସକ ଦଳର ବିଧାୟକଙ୍କ କହିବା କଥା, ଖରିଫ ଧାନ କିଣାରେ ୮ରୁ ୧୦ କେଜି କଟନି ଛଟନି ହେଉଛି। ଯାହାର ଫାଇଦା ନେଉଛନ୍ତି ମିଲର। ତେଣୁ କମିଟି ଉଦବେଗ ପ୍ରକାଶ କରିବା ସହ, କଟନି ଛଟନିକୁ ବନ୍ଦ କରିବାକୁ ତାଗିଦ କରିଛନ୍ତି।
ନିର୍ବାଚନ ପୂର୍ବରୁ ବିଜେପି ଧାନର କଟନି ଛଟନି ସଂପୂର୍ଣ୍ଣ ବନ୍ଦ କରିବ କହି ସରକାରକୁ ଆସିଲା। ରବି ପରି ଖରିଫରେ ମଧ୍ୟ ୮ରୁ ୧୦ କେଜି ଧାନ କଟା ଯାଉଛି ବୋଲି ବିରୋଧୀଙ୍କ ପରେ ଖୋଦ ଅଭିଯୋଗ କଲେଣି ଶାସକ ଦଳ ବିଧାୟକ। କଂଗ୍ରେସ ଅଭିଯୋଗ କରିଛି, ଲୁଟର ଶିକାର ହେଉଛନ୍ତି ଚାଷୀ। ସେହିପରି ଧାନ ପଞ୍ଜିକରଣକୁ ସରଳ କରିବା ସହ କଟନି ଛଟନି ବନ୍ଦ କରିବାକୁ ଦାବି କରିଛି ବିଜେଡି। ବିଜେପି କିନ୍ତୁ ଏହାକୁ ମାନିବାକୁ ନାରାଜ। ଚାଷୀ କେବଳ ଗୋଟିଏ ସେଲ୍ଫ ଡିକ୍ଲାରେସନ୍ ଫର୍ମରେ ଦସ୍ତଖତ କରାଇ ପଞ୍ଜିକରଣ କରି ପାରିବେ ବୋଲି କହୁଛନ୍ତି ଯୋଗାଣ ମନ୍ତ୍ରୀ। ହେଲେ ଗ୍ରାଉଣ୍ଡରେ ଏହା ହେଉନି କାର୍ଯ୍ୟକାରୀ। ବିଧାନସଭା କମିଟିରେ ଖୋଦ ଶାସକ ଦଳର ବିଧାୟକ ଉଦବେଗ ପ୍ରକାଶ କରିବା ପରେ ପଦାକୁ ଆସିଛି ସତ।
୪ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି
ନନ୍ଦିଘୋଷ ବ୍ୟୁରୋ: ବିଜେଡିର ୪ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି । ଗଂଜାମ ଜିଲ୍ଲା ବିଜେଡି ସଭାପତି ଭାବେ ବିକ୍ରମ ପଣ୍ଡାଙ୍କ ନାଁ ଘୋଷଣା କରାଯାଇଛି । ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଭାବେ ଶିବ ପ୍ରସାଦ ଭୋଳଙ୍କ ନାଁ ଘୋଷଣା କରାଯାଇଛି । କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ପ୍ରଦୀପ ଦିଶାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । କଟକ ଜିଲ୍ଲା ସଭାପତି ଭାବେ ପ୍ରଫୁଲ୍ଲ ସିଂଙ୍କ ନାଁ ଘୋଷଣା ହୋଇଛି । ସିମସ୍ତଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବରୁ ୨୪ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ସରିଥିଲା ।

