spot_img
Home Blog Page 5927

ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁଙ୍କ ଘର ଉପରେ ଆୟକର ବିଭାଗର ଚଢଉ

ନୂଆଦିଲ୍ଲୀ: ଆୟକର ବିଭାଗ ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ତଥା ଅଫିସ ଉପରେ ଚଢ଼ଉ କରିଛି । ସୂଚନା ଅନୁସାରେ ଅନୁରାଗଙ୍କ ଘର ଓ ଅଫିସ ଉପରେ ହେଉଥିବା ଚଢ଼ଉ ଫ୍ୟାଣ୍ଟମ୍ ଫିଲ୍ମସ ସମ୍ବନ୍ଧିତ । ଫ୍ୟାଣ୍ଟମ ଫିଲ୍ମସର ପାର୍ଟନର ଥିବା ବିକାଶ ବହଲ,ମଧୁ ମୋନଟେନା,ବିକାଶ ମୋଟୱାନିଙ୍କ ଘର ଉପରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଛି ।

ଫ୍ୟାଣ୍ଟମ ଫିଲ୍ମସ ଆୟକର ଚୋରି କରିଥିବା ଅଭିଯୋଗରେ ଏହି ଚଢ଼ଉ ହେଉଛି । ସୂଚନାଯୋଗ୍ୟେ ଯେ, ୨୦୧୦ରେ ଫ୍ୟାଣ୍ଟମ ଫିଲ୍ମସର ସ୍ଥାପନା ହୋଇଥିଲା । ତେବେ ୨୦୧୮ରେ ଏହାକୁ ବନ୍ଦ କରି ଦିଆଯାଇଥିଲା । ମୁମ୍ବାଇର ପ୍ରାୟ ୨୨ଟି ସ୍ଥାନରେ ଆୟକର ବିଭାଗ ତରଫରୁ ଏକକାଳୀନ ଚଢଉ ହେଉଥିବା କୁହାଯାଉଛି । ଅନୁରାଗ କଶ୍ୟପ ମୋଦି ସରକାରଙ୍କ ନୀତିକୁ ଅନେକ ସମୟରେ ସମାଲୋଚନା କରିଥାନ୍ତି । ସେହିଭଳି ତାପସୀ ପନ୍ନୁ ମଧ୍ୟ ନିକଟରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥିଲେ ।

ସ୍କୁଲ କ୍ୟାମ୍ପସରେ ମଜା ମସ୍ତିରୁ ଛୁରା ମାଡ଼, ଜଣେ ଛାତ୍ର ଗୁରୁତର ଆଉ ଜଣେ ଅଟକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ବଡ଼ ବୋରସିଂ ହାଇସ୍କୁଲରେ ଅଭାବନୀୟ ଘଟଣା। ଥଟା ମଜାରୁ ସ୍କୁଲ ହତାରେ ୨ଜଣ ଛାତ୍ର ହେଲେ ହାତାହାତି। ଦୁଇ ଦଶମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ ମଜା ମଜାରୁ ହୋଇଛି ଛୁରାମାଡ଼। ଛୁରା ମାଡ଼ରେ ଜଣେ ଗୁରୁତର ଛାତ୍ରକୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଛୁରା ମାଡ଼ କରିଥିବା ଛାତ୍ରକୁ ସ୍କୁଲରେ ଅଟକ ରଖାଯାଇଛି। ଗୁରୁତର ଛାତ୍ର ଜଣକ ବଡ଼ ବୋରସିଂ ଗାଁର। ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ପଠାଯାଇଛି। ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ପ୍ରଥମେ ଦୁଇଜଣଙ୍କ ମଧ୍ୟରେ କୌଣସି କାରଣରୁ ଥଟାମଜା ହୋଇଥିଲା। ପରେ ଏହି ଥଟାମଜା କଳହରେ ପରିଣତ ହେବା ପରେ ଉଗ୍ରରୂପ ନେଇଥିଲା। ଯାହାଫଳରେ ଦୁଇଜରଙ୍କ ମଧ୍ୟରେ ଜଣେ ଛାତ୍ର ତା ବ୍ୟାଗରୁ ଛୁରି କାଡ଼ି ଆକ୍ରମଣ କରିଥିଲେ।

କୋଭିଡ ଗାଇଡଲାଇନ ନମାନି ୩୪ ଅମାନିଆ ଗଣିଲେ ତଣ୍ଡ

କାଲିମେଳା: କୋଭିଡ ଗାଇଡଲାଇନ ନମାନି ୩୪ ଅମାନିଆ ଗଣିଲେ ତଣ୍ଡ। ଗେଟେପଟେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଭଳି ନିୟମକୁ ଆଜିଠୁ କଡା କଡିହେବା ନେଇ ଡ଼ାକବାଜି ଯନ୍ତ୍ର ଦ୍ବାରା ଜନସାଧାରଣଙ୍କୁ ସଚେତନ କାରଯାଇଥିଲା। ଆଜି ଯାଞ୍ଚ ବେଳେ ୩୪ ଜଣ ଅମାନିଆଙ୍କ ନିକଟରୁ ୨୩ ହଜାର ୨ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।

କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ଅତିରିକ୍ତ ତହସିଲଦାର ଓ କାଲିମେଳା ଥାନାର କର୍ମଚାରୀମାନେ ଉପସ୍ଥିତ ରହି ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ କରିଛନ୍ତି। ୩ଜଣ ଯୁବକ ମାସ୍କ ପିନ୍ଧି ନଥିବା କାରଣରୁ ତାଙ୍କୁ ଅଟକା ଯାଇଥିଲେ ମଧ୍ୟ ସେମାନେ ଖସିଯିବାକୁ ଉଦ୍ୟମ କରିବାରୁ ସେମାନଙ୍କ ଠାରୁ ଅତିରିକ୍ତ ଜରିମାନା ଆଦାୟ କରାଯାଇଥିବା ଜଣା ପଡ଼ିଛି। ଏଥି ସହିତ କୋଭିଡ୍ ନିୟମ ପାଳନ କରିବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅସାବଧାନତା କାରଣରୁ ଟ୍ରେନ୍‌ରେ‌ ପିଟିହୋଇ ଚାଲିଗଲା ଜୀବନ, ଭିଡିଓ ହେଲା ଭାଇରାଲ

ସମ୍ବଲପୁର: ଟ୍ରେନ୍ରେ ପିଟିହେବାର ଲାଇଭ ଚିତ୍ର। ଦୁର୍ଘଟଣା ବେଳର ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ। ଅସାବଧାନତା କାରଣରୁ କେଉଁଭଳି ଜୀବନ ଚାଲିଯାଏ ତାର ଏକ ଜ୍ୱଳନ୍ତ ଉଦାହରଣ ସିସିଟିଭିରେ ହେଲା କଏଦ। ୨ ସେକେଣ୍ଡରେ ବଦଳିଗଲା ଜୀବନ ମୃତ୍ୟୁର ଖେଳ। ସମ୍ବଲପୁର ଫାଟକ ରେଳ ଷ୍ଟେସନ ନିକଟରେ ରେଳ ଲାଇନ୍ ପାର୍ ବେଳେ ଦୁର୍ଘଟଣା ଘଟିଛି।

ଜଣେ ଯୁବକ ଅସୁରକ୍ଷିତ ଭାବେ ରେଳଲାଇନ୍ ପାର ବେଳେ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ଯୁବକଙ୍କ ମୃତ୍ୟୁ ହୋଇଛି । ସେହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହି ସିସିଟିଭି ଫୁଟେଜ୍ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ପ୍ରତିଦିନ ରାଜ୍ୟରେ ଘଟୁଛି ଏଭଳି ଅନେକ ଘଟଣା। ଅସୁରକ୍ଷିତ ଓ ବେଖାତିର ଭାବେ ରାସ୍ତା ପାର ହେଉଥିବା ବେଳେ ମୃତ୍ୟୁ ମୁଖରେ ପଡୁଛନ୍ତି ଏକାଧିକ ଲୋକେ  ।

ଘରୋଇ ସ୍କୁଲର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା, ଫି ନଦେଲେ ହେଉଛନ୍ତି ଅନ୍‌ଲାଇନ୍‌ କ୍ଲାସରୁ ବଞ୍ଚିତ

ଭୁବନେଶ୍ୱର: ଘରୋଇ ସ୍କୁଲରେ ଫି ନିର୍ଧାରଣକୁ ନେଇ ହାଇକୋର୍ଟଙ୍କ ନିର୍ଦେଶ ପରେ ବି ଘରୋଇ ସ୍କୁଲର ଅବମାନନା। ଏନେଇ ଅଭିଯୋଗ କରିଛନ୍ତି ଓଡ଼ିଶା ଅଭିଭାବକ ମହାସଙ୍ଘ। ସ୍କୁଲରେ ପିଲାଙ୍କୁ ମାନସିକ ନିର୍ଯ୍ୟାତନା ଅର୍ଥାତ ସ୍କୁଲ ଫି ନଦେବା ନେଇ ଅନଲାଇନ କ୍ଳାସରୁ ବାରଣ କରିବା ସହ ପରୀକ୍ଷାରୁ ବଞ୍ଚିତ କରିଛନ୍ତି। ଡି.ଏ.ଭି ସ୍କୁଲ, ଲୟଲା ସ୍କୁଲ, ନାରାୟଣ ସ୍କୁଲ ଓ ସେଣ୍ଟ ଜୋସେଫ ସ୍କୁଲ ନାଁ ରେ ଏଭଳି ଅଭିଯୋଗ ଆସିଥିବାବେଳେ ଅଭିଭାବକ ସଙ୍ଘ ସ୍କୁଲ ଏବଂ ପ୍ରଧାନ ଶିକ୍ଷକଙ୍କ ନାମରେ ଥାନାରେ ମାମଲା ରୁଜୁ କରିବେ ବୋଲି ଅଭିଭାବକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜୁଭେନାଇଲ ଆକ୍ଟର ଧାରା ୭୫ ଅନୁଯାୟୀ କୌଣସି ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଲେ ୩ବର୍ଷ ଜେଲ ଦଣ୍ଡ ସହ ୧ଲକ୍ଷ ଟଙ୍କାର ଜୋରିମାନା ଭରିବାକୁ ହେବ। ଏଣୁ ବିଦ୍ୟାଳୟ ଗୁଡିକ ସୁଧୁରି ଜାଆନ୍ତୁ ନଚେତ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ। ଏନେଇ ପୋଲିସ କମିଶନରଙ୍କ ସହ କଥା ହେବା ସହ ଗଣଶିକ୍ଷା ବିଭାଗକୁ ଜଣାଇଛୁ।

ଏବେସୁଦ୍ଧା ୪ଲକ୍ଷ ୩୪ ହଜାର ବୟସ୍କଙ୍କୁ ସରିଲାଣି ଟିକାକରଣ

ତ୍ବରାନ୍ବିତ ହେବ କରୋନା ଟିକାକରଣ ପ୍ରକ୍ରିୟା। ଟିକାକରଣରେ ଆଉ ଅଧିକ ବେସରକାରୀ ହସ୍ପିଟାଲକୁ ସାମିଲ କରାଯିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର। ଆୟୁଷ୍ମାନ ଯୋଜନା ବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ ହୋଇ ନଥିବା ମେଡିକାଲଗୁଡ଼ିକୁ ବି ଟିକାକରଣରେ ସାମିଲ କରାଯିବ। କେନ୍ଦ୍ରର ଏହି ନିଷ୍ପତ୍ତି ପରେ ଦେଶର ବହୁ ଛୋଟ ଛୋଟ ଘରୋଇ ହସ୍ପିଟାଲରେ କରୋନା ଟିକା ଦିଆଯିବ।

କୋ-ଓ୍ବିନ୍‌ ଆପ୍‌ରେ ଆଗ୍ରହୀ ବ୍ୟକ୍ତିଙ୍କ ନାମ ପଞ୍ଜୀକୃତ କରାଇବା ସହ ଏହି ଘରୋଇ ହସ୍ପିଟାଲଗୁଡ଼ିକ ଟିକା ଦେଇପାରିବେ। ଆଜି ତୃତୀୟ ଦିନରେ ଟିକା ନେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂର୍ବରୁ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନେକ ମନ୍ତ୍ରୀ ଟିକା ନେଇସାରିଛନ୍ତି। ମାର୍ଚ୍ଚ ୧ରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ବୟସ୍କ ଓ ୪୫ ବର୍ଷରୁ ଊର୍ଦ୍ଧ୍ବ ଦୂରାରୋଗ୍ୟରେ ପୀଡ଼ିତଙ୍କୁ ଟିକା ଦିଆଯାଉଛି।

ଏବେସୁଦ୍ଧା ୪ଲକ୍ଷ ୩୪ ହଜାର ବୟସ୍କଙ୍କୁ ଟିକା ଦିଆଯାଇଥିବା ବେଳେ ଦୁରାରୋଗ୍ୟରେ ପୀଡ଼ିତ ୬୦ହଜାର ୨୦ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି। ଦେଶରେ ଏବେ ସୁଦ୍ଧା ୬୭ ଲକ୍ଷ ୩୨ ହଜାର ସ୍ବାସ୍ଥ୍ୟକର୍ମୀ ଓ ୫୫ଲକ୍ଷ ୪୭ ହଜାରରୁ ଅଧିକ ଆଗଧାଡ଼ିର କର୍ମୀଙ୍କୁ ଟିକା ଦିଆଯାଇଛି। ସେପଟେ ରାଜ୍ୟର ମୋଟ୍ ୧୫୩ଟି କେନ୍ଦ୍ରରେ ଟିକା ଦିଆଯାଉଛି। ୧୩୨ଟି ସରକାରୀ ଓ ୨୧ଟି ବେସରକାରୀ ହସ୍ପିଟାଲରେ ଟିକାକରଣ ହେଉଛି।

ସରକାରୀ ହସ୍ପିଟାଲରେ ମାଗଣା ଟିକା ଦିଆଯାଉଥିବା ବେଳେ ବେସରକାରୀ ହସ୍ପିଟାଲରେ ଟିକା ପାଇଁ ୨୫୦ ଟଙ୍କା ନିଆଯାଉଛି। ଭୁବନେଶ୍ବରରେ ୧୨ଟି ସରକାରୀ ଓ ୧୦ଟି ବେସରକାରୀ ହସ୍ପିଟାଲ ସହ ମୋଟ୍ ୨୨ଟି କେନ୍ଦ୍ରରେ ଟିକାକରଣ ହେଉଛି। ସେଲ୍ଫ ରେଜିଷ୍ଟ୍ରେସନ ଓ ଅନ ଦି ସ୍ପଟ୍ ରେଜିଷ୍ଟ୍ରେସନ କରି ଲୋକ ଟିକା ନେଉଛନ୍ତି ।

ଶିମିଳିପାଳ ଜଙ୍ଗଲରେ କେମିତି ଲାଗିଲା ନିଆଁ, ଅନୁଧ୍ୟାନ ପାଇଁ ଗଲେ ୱାଇଲ୍ଡ ଲାଇଫ PCCF

ଶିମିଳିପାଳ ଜଙ୍ଗଲରେ କେମିତି ଲାଗିଲା ନିଆଁ ? ଅନୁଧ୍ୟାନ ପାଇଁ ଶିମିଳିପାଳ ଯାଉଛନ୍ତି ୱାଇଲ୍ଡ ଲାଇଫ ପିସିସିଏଫ୍। ନିଆଁ କେମିତି ଲାଗିଛି, କାହିଁକି ଲାଗିଲା, ୱାଇଲ୍‌ଡ ଲାଇଫ୍‌ ପିସିସିଏଫ ତାହା ଅନୁଧ୍ୟାନ କରିବେ। ଏନେଇ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଆସନ୍ତକାଲି ଜଙ୍ଗଲ ଓ ପରିବେଶ ବିଭାଗକୁ ପିସିସିଏଫ୍‌ ରିପୋର୍ଟ ଦେବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଥରୀ ଆରୁଖ କହିଛନ୍ତି । ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲେ ଲାଗିଛି ନିଆଁ। କରଞ୍ଜିଆ, ଯଶୀପୁର, ଠାକୁରମୁଣ୍ଡା, ଶରତ, ପୋଡ଼ାଡ଼ିହା, ଉଦଳା, କପ୍ତିପଦା ଆଦି ଜଙ୍ଗଲ ଜଳୁଛି । ଜଙ୍ଗଲରେ ଥିବା ପଶୁପକ୍ଷୀ ତଥା ମୂଲ୍ୟବାନ ବୃକ୍ଷ ପ୍ରତି ବିପଦ ସୃଷ୍ଟି ହୋଇଛି। ତେବେ ନିଆଁ ବର୍ତ୍ତମାନ ନିୟନ୍ତ୍ରଣାଧୀନ ଅଛି । ଗ୍ରୀଷ୍ମପ୍ରବାହ ତଥା ସ୍ଥାନୀୟ ଲୋକଙ୍କର ଅସାବଧାନତା ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଇଛି । ଶିମିଳିପାଳରେ ତଦନ୍ତ ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେବ।

ପାକିସ୍ତାନୀ ଡ୍ରଗ୍ସ ମାଫିଆଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ଗିରଫ ହେଲେ BSF ଯବାନ

ନୂଆଦିଲ୍ଲୀ: ସୀମା ପାର ଚୋରା ଚାଲାଣ ହେଉଛି ଡ୍ରଗ୍ସ। ସୀମା ସୁରକ୍ଷାର ଦାୟୀତ୍ୱରେ ଥିବା ଯବାନ କରୁଛନ୍ତି ଶତ୍ରୁଙ୍କ ସହ ଡିଲ। ଟଙ୍କା ପାଇଁ ବିକି ଦେଉଛନ୍ତି ଦେଶର ସୁରକ୍ଷା। ଜାତୀୟ ଅନୁସନ୍ଧାନ ଏଜେନ୍ସି NIA ଏକ ବଡ଼ ତଦନ୍ତ କରିଛି। ଚୋରା ଚାଲାଣକାରୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ NIA ସୀମା ସୁରକ୍ଷା ବାହିନୀ BSFର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟରଙ୍କୁ ଗିରଫ କରିଛି। ଏହି କାର୍ଯ୍ୟ ଜାମ୍ମୁ କାଶ୍ମୀରର ହନ୍ଦୱାଡ଼ାଠାରେ ହୋଇଛି। କୁହାଯାଉଛି ଯେ ଏହି ଚୋରା ଚାଲାଣକାରୀଙ୍କ ଚେର ଲଶ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ସହିତ ଯୋଡ଼ି ହୋଇଛି। ତେବେ ଏହାପୂର୍ବରୁ ମଧ୍ୟ ଅନେକ ଥର ସୁରକ୍ଷା ବ୍ୟବସ୍ଥା ସହ ଜଡିତ ବ୍ୟକ୍ତିଙ୍କୁ ଚୋରା ଚାଲାଣକାରୀଙ୍କୁ ସାହାଯ୍ୟ କରି ଗିରଫ କରାଯାଇଛି।

ଜାମ୍ମୁ କାଶ୍ମୀରର ହନ୍ଦୱାଡ଼ା ବିଏସ୍ଏଫ୍ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ରୋମେଶ କୁମାରଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କ ଉପରେ NIA କଟକଣା ଜାରି କରିଛି। ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ଜାନୁଆରୀ ୨୦୨୦ ପରେ ଏହା ହେଉଛି ଦ୍ୱିତୀୟ ଗିରଫ। ଅଧିକ ପ୍ରମାଣ ପାଇବା ପାଇଁ  ରୋମେଶଙ୍କ ଘରେ NIA ଦ୍ୱାରା ରେଡ ହୋଇଛି। ଏଥି ସହିତ NIA ପୂର୍ବରୁ ଡେପୁଟି ପୋଲିସ ଅଧୀକ୍ଷକ ଦେବେନ୍ଦ୍ର ସିଂଙ୍କୁ ମଧ୍ୟ ଗିରଫ କରିଛି। ସେ ହିଜବୁଲ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା।

ଏକ ରିପୋର୍ଟ ଅନୁଯାୟୀ, ରୋମେଶଙ୍କୁ ବାରାମୁଲ୍ଲା ଏବଂ ହନ୍ଦୱାଡ଼ା ଅଞ୍ଚଳରେ ଚୋରା ଚାଲାଣକାରୀଙ୍କ ଯାଞ୍ଚ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଡେପୁଟେସନ ନିୟୋଜିତ କରାଯାଇଥିଲା। ଅଭିଯୋଗ ହୋଇଛି ଯେ ଏହି ସମୟ ମଧ୍ୟରେ ସେ ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ ଡ୍ରଗ୍ ଚୋରା ଚାଲାଣକାରୀଙ୍କ ସହିତ ସମ୍ପର୍କ ଯୋଡ଼ିବା ଆରମ୍ଭ କରିଥିଲେ।

ତେବେ ସୋମବାର ଦୀର୍ଘ ସମୟନ ଧରି ପଚରାଉଚରା ପରେ ରୋମେଶଙ୍କୁ ଗିରଫ କରାଯାଇଥିଲା। ମଙ୍ଗଳବାର ତାଙ୍କୁ ଜାମ୍ମୁର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। କୁମାରଙ୍କୁ ଏଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ଗୋପନୀୟତାର ସହିତ ଜଣେ ଅଧିକାରୀ କହିଛନ୍ତି ଯେ ଚାରିଜଣ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କୁ ପଚରାଉଚରା ବେଳେ ରୋମେଶଙ୍କ ନାଁ ସାମ୍ନାକୁ ଆସିଥିଲା। ସେପଟେ ଦିଲ୍ଲୀର ବିଏସଏଫ ମୁଖପାତ୍ର କହିଛନ୍ତି ଯେ ଏହି ଗିରଫଦାରୀ ସମ୍ପର୍କରେ ସେମାନେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ ଅପରାଧିକ ମାମଲାରେ ଗିରଫ ହୋଇଥିବା ଯବାନଙ୍କୁ ନିଲମ୍ବିତ କରାଯିବ।

ନିଶାସକ୍ତ ପୁଅର ଅମାନବିୟ କାଣ୍ଡ, ପିଟିପିଟି ବାପାକୁ ମାରିଲା ମାଆ ଗୁରୁତର

ବାଲେଶ୍ବର: ନିଶାସକ୍ତ ପୁଅର ଅମାନବିୟ କାଣ୍ଡ। ପୁଅ ଆକ୍ରମଣରେ ବାପାର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସଦର ଥାନା ବାଲିଆ ଗାଁରେ ଘଟିଛି। ଘଟଣାରେ ଅଭିଯୁକ୍ତ ପୁଅ ଦେବଜ୍ୟୋତି ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ପୁଅ ଦେବଜ୍ୟୋତି ଦାସ ଘରକୁ ଆସି ନିଶାସକ୍ତ ଅବସ୍ଥାରେ ମାଆ ଅନୀତାଙ୍କୁ ମାଡ଼ ମାରିଥିଲା। ମାଆ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇଥିବାବେଳେ, ପରେ ବାପା ଭରତ ଦାସଙ୍କୁ ମଧ୍ୟ ଆକ୍ରମଣ କରିଥିଲା ପୁଅ। ଆକ୍ରମଣରେ ବାପା ଭରତଙ୍କର ମୃତ୍ୟୁ ହୋଇଛି। ମା’ ଅନିତା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ଯୁବକଙ୍କୁ ଅପହରଣ ପରେ ହତ୍ୟା ଧମକ, ଭିଡିଓ ହେଲା ଭାଇରାଲ

ସୋର: ପ୍ରଥମେ ଅପହରଣ ଏବଂ ପରେ ମୁଣ୍ଡରେ ବନ୍ଧୁକ ଲଗାଇ ମାରିଦେବାକୁ ଧମକ୍‌। ୪ ଲକ୍ଷ ଟଙ୍କା ପାଇଁ ଯୁବକ ହୋଇଛନ୍ତି ପଣବନ୍ଦି। ଟଙ୍କା ନଦେଲେ ହାତ ଗୋଡ ବାନ୍ଧି ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ ହୋଇଛି। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ କୁମାର ମହାନ୍ତି ୮ ବର୍ଷ ଧରି ବାଙ୍ଗଲୋରର ଏକ କ୍ୟାଣ୍ଟିନରେ କାମ କରୁଥିଲେ। ୧୦ ଦିନ ତଳେ ଘରକୁ ଫେରିଥିଲେ।

ଘରେ ଥିବା ବେଳେ ଗତ ୨୮ ତାରିଖ ଦିନ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା କଲିକତା ଯିବାକୁ। ସେହିଦିନ ତାପସ ତୁରନ୍ତ କଲିକତା ଚାଲିଯାଇଥିଲେ। ତାପରେ ତାପସଙ୍କୁ ଅପହରଣ କରାଯାଇଥିବା ତାଙ୍କ ପତ୍ନୀଙ୍କୁ ଆସିଥିଲା ଫୋନ୍। ଅପହରଣକାରୀ ଅଜଣା ଫୋନରୁ କଲ କରି ୪ ଲକ୍ଷ ଟଙ୍କା ଦେଲେ ସ୍ବାମୀଙ୍କୁ ଛାଡିବୁ ନଚେତ୍ ମାରିଦେବୁ ବୋଲି ଧମକ୍ ଦେଇଥିଲେ। ମାର୍ଚ ୨ ତାରିଖ ରେ ସେହି ନମ୍ବରରୁ ତାପସର ହାତ ଗୋଡ ବନ୍ଧା ଯାଇଥିବା ଏବଂ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦିଆଯାଉଥିବାର ଭିଡିଓ ପଠାଇଥିଲେ ଅପହରଣକାରୀ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପରିବାର ଲୋକ ଅପହରକାରୀଙ୍କୁ ୫୦ହଜାର ଦେଇଛନ୍ତି। ବାକି ୩ଲକ୍ଷ ୫୦ହଜାର ଦେବା ପାଇଁ ବ୍ୟାଙ୍କରେ ଲାଇନରେ ଠିଆ ହୋଇଛନ୍ତି ପରିବାର। ତାପସଙ୍କ ସ୍ତ୍ରୀ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।