spot_img
Home Blog Page 5956

ଟାଟାରେ ଚାକିରି କରାଇବେ କହି ଲକ୍ଷାଧିକ ଟଙ୍କା ଠକେଇ, ଫେରସ୍ତ ମାଗିବାରୁ ଆକ୍ରମଣ କଲା ଅଭିଯୁକ୍ତ

0

ଅନୁଗୁଳ: ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେବା ଆଉ ଟଙ୍କା ଫେରସ୍ତ ମାଗିବା ବେଳେ ଗାଳିଗୁଲଜ କରିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି ତାଳଚେର କୋଲିଆରି ପୋଲିସ ।

ସୂଚନା ଅନୁସାରେ, ଅନୁଗୁଳ ବେଣାଗାଡିଆ ଗାଁର ପ୍ରାଣବନ୍ଧୁ ଜେନା ଅଭିଯୋଗ କରିଥିଲେ ଯେ, ପ୍ରାୟ ୨ ବର୍ଷ ୧୦ ମାସ ପୂର୍ବରୁ ଅନୁଗୁଳ ଶିମିଳିପଡାର ଘନଶ୍ୟାମ ମିଶ୍ର ପ୍ରାଣବନ୍ଧୁଙ୍କ ପୁଅକୁ ଜାମସେଦପୁରର ଟାଟା ଇଣ୍ଡଷ୍ଟ୍ରିରେ ନିୟୋଜିତ କରିବାର ପ୍ରତିଶ୍ରୁତି ଦେଇ ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ । ହେଲେ ଏତେ ଦିନ ବିତି ଗଲା ପରେ ମଧ୍ୟ ଘନଶ୍ୟାମ ମିଶ୍ର ତାଙ୍କ ପୁଅକୁ ଟାଟା ଇଣ୍ଡଷ୍ଟ୍ରି ଚାକିରିରେ ନିୟୋଜିତ କରିବାରେ ବିଫଳ ହୋଇଥିଲେ ।

ଟଙ୍କା ନେବା ସମୟରେ ଉକ୍ତ ଘନଶ୍ୟାମ ମିଶ୍ର ଚାକିରି କରାଇ ନ ପାରିଲେ ବିନା ସୁଧରେ ସଂପୂର୍ଣ୍ଣ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଉ ୨ ବର୍ଷ ପରେ ମଧ୍ୟ ଚାକିରି କରାଇ ନ ପାରିବାରୁ ପ୍ରାଣବନ୍ଧୁ ଯେତେବେଳେ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ, ଘନଶ୍ୟାମ ମିଶ୍ର ବିଭିନ୍ନ କିସ୍ତିରେ ୮୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଫେରାଇଥିଲେ । ତେବେ ବାକି ଟଙ୍କା ଆଉ ଫେରାଉ ନଥିଲେ ।

ଫଳରେ ପ୍ରାଣବନ୍ଧୁଙ୍କ ପୁଅ ରାଜେଶ କୁମାର ଜେନା ଓ ପତ୍ନୀ ଡଲିରାଣୀ ଜେନା, ଅବଶିଷ୍ଟ ଟଙ୍କା ଫେରସ୍ତ କରିବାକୁ ଶିମିଳିପଡାର ମିଲନଭିଲ୍ଲାରେ ରହୁଥିବା ଘନଶ୍ୟାମ ମିଶ୍ରଙ୍କ ବାସଭବନକୁ ଯାଇଥିଲେ । ତେବେ ଟଙ୍କା ଫେରସ୍ତ କରିବାକୁ କହିବାରୁ ଘନଶ୍ୟାମ ମିଶ୍ର ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସେମାନଙ୍କୁ ଧମକ ଚମକ ଦେଇ ଏକ କାଠ ପଟା ଧରି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ । ମାରିବାକୁ ଗୋଡ଼ାଇବାରୁ ସେମାନେ ଭୟରେ ସେଠାରୁ ପଳାଇ ଆସିଥିଲେ । ପରେ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଠକେଇ ଘଟଣାରେ ବାପା ଘନଶ୍ୟାମ ମିଶ୍ର ଏବଂ ପୁଅ ଶୋଭନ ମିଶ୍ରଙ୍କୁ ଗିରଫ କରିଥିଲା । ଆଉ ତଦନ୍ତ ବେଳେ ବାପ-ପୁଅ ଏଭଳି ଏକ ଠକେଇ ରାକେଟ ଚଳାଇଥିବା ଜାଣିବାକୁ ପାଇଛି ପୋଲିସ । ତେବେ ପୋଲିସର କହିବା ଅନୁଯାୟୀ ଅନୁସନ୍ଧାନ ବେଳେ ଏହି ବାପ-ପୁଅ ୨୦୧୮ ମସିହାରୁ ଆଜି ଯାଏଁ ପ୍ରାୟ ୧୦୦୦ ଛାତ୍ରଙ୍କୁ ଏଭଳି ଠକେଇ କରିଛନ୍ତି । ଅଭିଯୁକ୍ତମାନେ ପ୍ରତ୍ୟେକ ଛାତ୍ରଙ୍କଠାରୁ ୨ ରୁ ୩ ଲକ୍ଷ ଟଙ୍କା ଠକେଇ କରିଛନ୍ତି । ବିହାର, ଝାଡ଼ଖଣ୍ଡ, ଏମ୍ପି‌, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଛାତ୍ରଛାତ୍ରୀଙ୍କୁ ଚାକିରିର ପ୍ରଲୋଭନ ଦେଇ ସେମାନେ କୋଟି କୋଟି ଟଙ୍କା ଠକେଇ କରିଥିବା ଜଣାପଡିଛି ।

ଛତିଶଗଡ଼ରେ କରୋନା, ଓଡ଼ିଶା ଛାନିଆ; ଗଞ୍ଜାମରେ କରୋନା ଚିହ୍ନଟ କଥା ଗୁଜବ

ଗଞ୍ଜାମ: ଛତିଶଗଡ଼ରେ କରୋନା ସଂକ୍ରମଣ ଓଡ଼ିଶାକୁ ଛାନିଆ କରିଛି । ଏନେଇ ରାଜ୍ୟରେ ଆଗୁଆ ପଦକ୍ଷେପ ନିଆଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଉଠିଛି ଲକଡାଉନ୍‌ ଗୁଜବ । କରୋନା ସଂକ୍ରମଣ ବଢୁଥିବା ଶୁଣି ଗଞ୍ଜାମରେ ଲକଡାଉନ୍‌ ହୋଇଥିବା କିଛି ଲୋକ ଗୁଜବ କରୁଛନ୍ତି । ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆମକୁ ସତର୍କ ରହିବାକୁ ପଡିବ ଏବଂ ସାମାଜିକ ଦୂରତା ନୀତି ଅବଲମ୍ବନ କରିବାକୁ ପଡିବ । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଣାନ୍ତୁ । ଲକ୍ଷଣ ଅନୁଯାୟୀ ପରୀକ୍ଷା କରାଯିବ । ଭୟଭୀତ ହେବାର ଆବଶ୍ୟକତା ନାହିଁ, କିନ୍ତୁ ସଚେତନ ରୁହନ୍ତୁ ବୋଲି ଟ୍ୱିଟ୍‌ ଯୋଗେ ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଟୋଲ୍‌ଗେଟ୍‌ରେ ଫାସ୍‌ ଟ୍ୟାଗକୁ ନେଇ ଗଣ୍ଡଗୋଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋରାପଲ୍ଲୀ ଟୋଲଗେଟରେ ଫାସ ଟ୍ୟାଗକୁ ନେଇ ଗଣ୍ଡଗୋଳ । ଗାଡ଼ିରେ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ନଥିବାରୁ ଦୁଇ ଗୁଣ ଟୋଲ୍ ଫି’ ମାଗିବାରୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍‌ ଟୋଲଗେଟ୍ ନିକଟରେ ଗଣ୍ଡଗୋଳ ହୋଇଛି । ହାତାହାତି ହୋଇଛନ୍ତି ଟୋଲଗେଟ୍ କର୍ମଚାରୀ ଓ ଗାଡ଼ିରେ ବସିଥିବା ଲୋକ ।

ରବିବାର ବିଳମ୍ବିତ ରାତ୍ରରେ ବାଲୁଗାଁରୁ ବ୍ରଗହ୍ମପୁରକୁ ୬ଟି ଗାଡ଼ିରେ ବରଯାତ୍ରୀ ଯାଉଥିଲା । ଗାଡ଼ିରେ ଫାସ୍‌ଟ୍ୟାଗ୍‌ ନଥିବାରୁ ଖଲ୍ଲିକୋଟ ଗୁରାପଲ୍ଲୀ ଟୋଲଗେଟ୍ କର୍ମଚାରୀ ଜଣକ ଦୁଇ ଗୁଣ ଟୋଲ୍ ଫି’ ମାଗିଥିଲେ । ଏହା ପରେ ବସ୍‌ରେ ବସିଥିବା ଲୋକ ହଠାତ ଆସି କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିବା ସହ ମାରପିଟ୍‌ କରିଥିଲେ । ମାରପିଟର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏପରିକି ଟୋଲଗେଟର କିଛି କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ପରେ ଘଟଣାସ୍ଥଳକୁ ପୋଲିସ ପହଂଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ଶଶାଙ୍କଙ୍କ ଶେଷକୃତ୍ୟ, ସମବେଦନା ଜଣାଇଲେ ପ୍ରଣବ ପ୍ରକାଶ ଦାସ

ଯାଜପୁର: ଜନ୍ମମାଟିରେ ସଂପର୍ଣ୍ଣ ହେଲା ସହିଦ ଶଶାଙ୍କ ଶେଖରଙ୍କ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯାଜପୁର କ୍ଷେତ୍ରପାଳ ଶ୍ମଶାନରେ ଶଶାକଙ୍କ ଶେଷକୃତ୍ୟ କରାଯାଇଛି । ପରିବାର ଲୋକ, ସ୍ଥାନୀୟ ରାଜନେତା, ପ୍ରଶାସନିକ ଅଧିକାରୀ ଓ ହଜାର ହଜାର ଲୋକ ଶଶାଙ୍କଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି ।

ଲଦାଖ ସୀମାରେ ମୁତୟନ ଥିବା ଶଶାଙ୍କ ଗତ ୧୯ ତାରିଖ ଦିନ ମୃତ୍ୟୁ ହୋଇଥିଲା । ସର୍ଚ୍ଚ ଅପେରସନ ବେଳେ ଗାଡ଼ିରେ ଯାଉଥିବା ସମୟରେ ଗାଡ଼ିକୁ ଶତ୍ରୁପକ୍ଷ ଆକ୍ରମଣ କରିଥିଲେ । ଫଳରେ ଗାଡ଼ି ଟାୟାର ଫାଟି ପାହାଡ଼ ତଳକୁ ଖସି ପଡ଼ିଥିଲା । ସେଥିରେ କିଛି ଯବାନ ମୃତ୍ୟୁ ଓ ଆହତ ହୋଇଥିବା ବେଳେ ଓଡ଼ିଆ ଯବାନ ଶଶାଙ୍କଙ୍କ ମୃତ୍ୟୁ ହୋଇଥିଲା ।

ରବିବାର ଶଶାଙ୍କଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଶୋଭାଯାତ୍ରାରେ କ୍ଷେତ୍ରପାଳ ଗାଁକୁ ଅଣାଯାଇ ଶେଷକୃତ୍ୟ କରାଯାଇଥିଲା । ସେପଟେ ଟ୍ୱିଟ୍‌ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍‌ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

RSPରେ ଶ୍ରମିକ ଅସନ୍ତୋଷ, ବିଭିନ୍ନ ସଂଘ ପକ୍ଷରୁ ଆନ୍ଦୋଳନ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ସ୍ଵିକୃତି ପ୍ରାପ୍ତ ଶ୍ରମିକ ସଂଗଠନ ନିର୍ବାଚନ ତୁରନ୍ତ କରିବା ସହ ଇସ୍ପାତ କାରଖାନାର କର୍ମଚାରୀଙ୍କ ନୁତନ ମଜୁରୀ ଚୁକ୍ତିନାମା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି କରି ଆନ୍ଦୋଳନ ଆରମ୍ଭ ହୋଇଛି । ଇସ୍ପାତ କର୍ମଚାରୀଙ୍କ ଦୁଇ ପ୍ରମୁଖ ଦାବି ପୁରଣରେ ବିଳମ୍ବ ହେଉଥିବା ପ୍ରତିବାଦରେ ସୋମବାରଠାରୁ ରାଉରକେଲା କେନ୍ଦ୍ରୀୟ ଆଞ୍ଚଳିକ ଶ୍ରମ କମିଶନରଙ୍କ ଅଫିସ ସମ୍ମୁଖରେ ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଉରକେଲା ଶ୍ରମିକ ସଂଘ ଓ ଗାଙ୍ଗପୁର ମଜଦୁର ମଞ୍ଚ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି ।

ଗତ ୨୦୧୭ ମସିହା ଜାନୁଆରୀ ଏକ ତାରିଖ ଠାରୁ ଇସ୍ପାତ କାରଖାନା କର୍ମଚାରୀଙ୍କ ନୁତନ ମଜୁରୀ ଚୁକ୍ତିନାମା କାର୍ଯ୍ୟକାରୀ କରିବା ପାଇଁ ସମୟ ଧାର୍ଯ୍ୟ ରହିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଥିବାରୁ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଏହାସହ ରାଉରକେଲା ଇସ୍ପାତ କାରଖାନାର ସ୍ଵିକୃତି ପ୍ରାପ୍ତ ଶ୍ରମିକ ସଂଗଠନ ନିର୍ବାଚନ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଓ ବିଳମ୍ବ କରୁଥିବାରୁ ତୁରନ୍ତ ନିର୍ବାଚନ କରିବା ପାଇଁ ଦୁଇ ସଂଘ ପକ୍ଷରୁ ଦାବି କରାଯାଇ ଆନ୍ଦୋଳନ ଆରମ୍ଭ ହୋଇଛି ।

ହାତୀ ମୃତ୍ୟୁ ଘଟଣା: କାର୍ଯ୍ୟରେ ଅବହେଳା ନେଇ କାର୍ଲପାଟ ପ୍ରାଣୀଧନ ନିରୀକ୍ଷକ ନିଲମ୍ବିତ

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ନେଇ ନିଲମ୍ବିତ ହେଲେ କାର୍ଲପାଟ ପ୍ରାଣୀଧନ ନିରୀକ୍ଷକ । ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରିଙ୍କୁ ନିଲମ୍ବିତ କରିଛି ପ୍ରାଣୀ ସମ୍ପଦ ବିଭାଗ । ଅଭୟାରଣ୍ୟରେ ୭ ହାତୀଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଗ୍ରାଉଣ୍ଡ ଜିରୋରେ ହାତୀମୃତ୍ୟୁର କାରଣ ଖୋଜି ପେରିଛି କେନ୍ଦ୍ରୀୟ ଟିମ୍ ।

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁର କାରଣ ଅନୁଧ୍ୟାନ କରିଛନ୍ତି ୩ ଜଣିଆ ଟିମ୍ । ବିଭିନ୍ନ ପରୀକ୍ଷା ପରେ ଆସନ୍ତା ୧୦ ଦିନ ମଧ୍ୟରେ ରିପୋର୍ଟ ଦେବ ଟିମ୍ । ଗତକାଲି ୩ ଜଣିଆ ଟିମ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳି ପଦର, ଜାଖମ, ଘୁଷୁରୀ ଭଳି ବିଭିନ୍ନ ଗାଁକୁ ଯାଇ ତଦନ୍ତ କରିଛନ୍ତି । ଆସନ୍ତା ମାସେ ଯାଏଁ ସ୍ଥିତି ଉପରେ ନଜର ରଖିବ ଟିମ୍ । ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଛି ।

ତେବେ ଏହା କିପରି ଅଭୟାରଣ୍ୟର ହାତୀଙ୍କୁ ସଂକ୍ରମିତ କାଲା ତାକୁ ନେଇ ଅନୁଧ୍ୟାନ ଜାରି ରହିଛି । ଦେଶର ଅନ୍ୟ ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପ ଆବଶ୍ୟକ, ସେନେଇ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ଓ୍ୱାଇଲଡ୍‌ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଓ କେନ୍ଦ୍ର ପ୍ରୋଜେକ୍ଟ ଏଲିଫ୍ୟାଣ୍ଟକୁ ରିପୋର୍ଟ ପ୍ରଦାନ କରିବ । କେନ୍ଦ୍ରୀୟ ଟିମର ପରାମର୍ଶ ଅନୁଯାୟୀ ସରକାର ପଦକ୍ଷେପ ନେବେ । ଏଣୁ କେନ୍ଦ୍ରୀୟ ଟିମର ରିପୋର୍ଟ ବେଶ ଗୁରୁତ୍ଵ ରଖୁଛି ।

କଟକରେ କଡ଼ାକଡ଼ି କୋଭିଡ୍ ନିୟମ, ଦୁଇଟି ସ୍ୱତନ୍ତ୍ର ଟିମ୍‌ ରଖିଛନ୍ତି ନଜର

କଟକ: କଟକରେ କଡ଼ାକଡ଼ି ହେବ କୋଭିଡ୍ ନିୟମ । କରୋନା କଟକଣା ପାଳନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ନିୟମ ପାଳନ ଉପରେ ନଜର ରଖିବା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ଏଥିପାଇଁ ୨ଟି ଟିମ୍ ଗଠନ କରିଛନ୍ତି ସିଏମସି କମିଶନର । ଟିମ୍-ଏ’ରେ ଓ ଟିମ୍-ବି’ରେ ୪ ଜଣ ଲେଖାଏଁ ସଦସ୍ୟ ସାମିଲ୍ ହୋଇଛନ୍ତି । ଉଭୟ ଟିମର ନେତୃତ୍ୱ ୨ଜଣ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି ।

ସୋମବାରଠୁ କଡ଼ାକଡ଼ି ଭାବେ କୋଭିଡ୍ ନିୟମ ପାଳନ ନେଇ ଏହି ଟିମ୍ ତଦାରଖ କରିବ । ବଜାର, ଧାର୍ମିକସ୍ଥଳୀ, ବିବାହ ଉତ୍ସବରେ ଭିଡ଼ ନକରିବାକୁ ପଦକ୍ଷେପ ନିଆଯାଉଛି । ଦୋକାନ, ବ୍ୟାବସାୟିକ ପ୍ରତିଷ୍ଠାନରେ ଗହଳି ରୋକିବା ଦିଗରେ କାର୍ଯ୍ୟ କରାଯାଉଛି । ଜନସାଧାରଣ ଯେପରି ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବେ ସେନେଇ ଗୁରୁତ୍ୱ ଦିଆଯିବ । ମାଇକ୍ ଲଗାଇ ଲୋକଙ୍କୁ ସଚେତନ କରୁଛି ଜିଲ୍ଲା ପ୍ରଶାସନ । ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ କୋଭିଡ୍‌ ନିୟମ ଉଲଙ୍ଘନକାରୀଙ୍କ ଉପରେ ସ୍ୱତନ୍ତ୍ର ଟିମ୍ ନଜର ରଖିବ ।

ରବିବାର କରୋନା ଗାଇଡଲାଇନ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି SRC ପ୍ରଦୀପ ଜେନା । ଢାବା, ରେଷ୍ଟୁରାଣ୍ଟ, ହୋଟେଲଗୁଡିକ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ବିଭିନ୍ନ ସ୍ଥାନକୁ ଯାଇ ତଦାରଖ କରିବେ ବୋଲି କୁହାଯାଇଛି । ସାଧାରଣ ସ୍ଥାନରେ ଗହଳି କରି ଖାଇବା ନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଂଘନ କଲେ ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍ କରାଯିବ । ଶିକ୍ଷାନୁଷ୍ଠାନ ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ବଜାର, ହାଟରେ ଏନେଇ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯିବ । ଧାର୍ମିକ, କ୍ରୀଡ଼ା ଓ ମନୋରଞ୍ଜନସ୍ଥଳିରେ ଭିଡ଼ ଏଡ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରରେ ପରିଷ୍କାର, ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯାଇଛି । ଶିକ୍ଷକ ଓ ସଂପୃକ୍ତ କର୍ତ୍ତୃପକ୍ଷ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବେ । ଶିକ୍ଷାନୁଷ୍ଠାନରେ ପାଠପଢ଼ା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟକ୍ରମ ହେବନାହିଁ । ଗାଇଡଲାଇନ୍ ପାଳନ ସମ୍ପର୍କିତ ସାପ୍ତାହିକ ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନର ଓ ଏସପିଙ୍କୁ ଚିଠି ଲେଖାଯାଇଛି । ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ବଢିବା ପରେ କରୋନା କଟକଣାକୁ କଡାକଡି ପାଳନ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ସ୍ୱାଭାବିକଠାରୁ ୨-୪ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବଢ଼ିବ ତାପମାତ୍ରା । ସ୍ୱାଭାବିକଠାରୁ ୨-୪ ଡିଗ୍ରୀ ତାପମାତ୍ରା ବଢିବ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ତାପମାତ୍ରା କମିଥିବା ବେଳେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ତେବେ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା କମିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ମେଘମୁକ୍ତ ଆକାଶ ଯୋଗୁ ତାପମାତ୍ର ଧିରେଧିରେ ବଢ଼ିବ । ସୋମବାର ଓ ମଙ୍ଗଳବାର ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଏବଂ ମାଲକାନଗିରି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର ବିଶ୍ୱାସ ସୂଚନା ଦେଇଛନ୍ତି ।

ବିଧାନସଭାରେ ନିରଞ୍ଜନ ପୂଜାରୀ ଖୋଲିବେ ବଜେଟ୍‌ ପେଡ଼ି, କୃଷି ଉପରେ ଗୁରୁତ୍ୱ ଆଶା

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପନ ହେବ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବଜେଟ୍‌ ପେଡ଼ି ଉପରେ ରହିଛି ସମସ୍ତଙ୍କର ନଜର । ଏଥର ଆସିପାରେ ୧ ଲକ୍ଷ ୭୦ ହଜାର କୋଟିରୁ ଅଧିକ ଟଙ୍କାର ବଜେଟ । ଗତବର୍ଷ ଠାରୁ ଏହା ୧୩ ପ୍ରତିଶତ ଅଧିକ ।

କରୋନା ପ୍ରଭାବିତ ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବା ପାଇଁ ବୃହତ୍‌ ବଜେଟ ଆବଶ୍ୟକ । ଏଥର ବଜେଟ୍‌ ଲୋକାଭିମୁଖୀ ହେବାର ଆଶା ଅଛି । କୃଷିକୁ ଗୁରୁତ୍ୱ ଦିଆଗଲେ ଚାଷୀ ଲାଭ ପାଇବେ । କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଲାଗି ଅଧିକ ଅର୍ଥ ବରାଦ ହୋଇପାରେ । ଶିକ୍ଷା, ଶିଳ୍ପ, ନିଯୁକ୍ତି ଓ ଭିତ୍ତିଭୂମି ବିକାଶକୁ ଫୋକସ୍‌ କରାଯିବାର ସମ୍ଭାବନା ଅଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପେଡ଼ିରେ ଐତିହ୍ୟ କରିଡରକୁ ଗୁରୁତ୍ୱ ଦିଆଯିବା ପ୍ରାୟ ନିଶ୍ଚିତ ।

କରୋନା ପାଇଁ ଓଡ଼ିଶା ଫେରିଥିବା ଲକ୍ଷାଧିକ ପ୍ରବାସୀଙ୍କ ମଧ୍ୟରୁ ବହୁ ଲୋକ ଘରେ ବସିଛନ୍ତି । ସେମାନଙ୍କୁ ରାଜ୍ୟରେ ରୋଜଗାର ଦେବାକୁ ବଜେଟ୍‌ରେ ସରକାର ବ୍ୟବସ୍ଥା କରିପାରନ୍ତି । ଗ୍ରାମୀଣ ପର୍ଯ୍ୟଟନର ବିକାଶ ଏ ଦିଗରେ ସହାୟକ ହେବ । ସେହିପରି ଖଣି କାରବାର ଆରମ୍ଭ ହେଲାଣି । ପ୍ରାଥମିକତା ଭିତ୍ତିରେ ସ୍ଥାନୀୟ ଲୋକଙ୍କୁ ସେଠାରେ ନିଯୁକ୍ତି ମିଳିଲେ, କେହି ବାହାରକୁ ଯିବେନି । ଶିଳ୍ପାୟନ ପାଇଁ ସିଙ୍ଗିଲ ଓ୍ୱିଣ୍ଡୋ କ୍ଲିୟରାନସ୍ ବ୍ୟବସ୍ଥା ବଜେଟର ଏକ ବଡ଼ଦିଗ ହୋଇପାରେ ।

ଚାଉଳ ବୋଘେଇ ଟ୍ରକ୍‌ ଓଲଟି ୨ମୃତ

0

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା-ଦୂରାଗାଁ ରାସ୍ତା ଡଙ୍ଗାପଖନା ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ନବରଙ୍ଗପୁର ବ୍ଲକ ଟିର୍ଲିଆମ୍ବଗୁଡା ଗ୍ରାମର ନବ ହରିଜନ ଓ ସରାଦୁ ଭତରା । ଏକ ଆଇଚର ଟ୍ରକରେ ୧୮୦ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଯାଉଥିଲା କୋଡିଙ୍ଗା-ଦୂରାଗାଁ ରାସ୍ତା ଡଙ୍ଗାପଖନା ନିକଟରେ ଟ୍ରକଟି ଭାରସାମ୍ୟ ହୋରାଇ ଓଲଟି ପଡିଥିଲା । କୋଡିଙ୍ଗା ପୋଲିସ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ସେପେଟେ ଗଜପତି ଜିଲ୍ଲା ଗୁମ୍ମା ଆଦର୍ଶ ବିଦ୍ୟାଳୟ ନିକଟରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଗୁମା ଏଙ୍ଗେରଡା ଗ୍ରାମର ୨୯ ବର୍ଷୀୟ କୈଳାସ ଗମାଙ୍ଗ । ପାରଳାଖେମୁଣ୍ଡି ଠାରୁ ଗାଁକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ପଡି ଘଟଣାସ୍ଥଳରେ କୈଳାସଙ୍କ ମୃତ୍ୟୁ ହୋଇଛି । ସାଥିରେ ଯାଉଥିବା ଡେଭିଡ ଗମାଙ୍ଗ ଆହତ ହୋଇଛନ୍ତି ।