spot_img
Home Blog Page 5957

କଠୋର ହେଲା ସିଏମସି, କାଲିଠୁ ସହରରେ ଅମାନିଆଙ୍କୁ ସାବାଡ୍ କରିବ ୨ଟି ଟିମ୍

କଟକ: ଦେଶର କେତେକ ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ଦେଖି ରାଜ୍ୟ ସରକାର ସବୁ ଜିଲ୍ଲାକୁ ନିୟମ କଡ଼ାକଡ଼ି ପାଳନ ନେଇ ନିର୍ଦ୍ଦେଶ ଦେଇଛନ୍ତି । ଗାଇଡଲାଇନ୍ ଅନୁସାରେ କଟକ ସହରରେ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି ସିଏମସି । କୋଭିଡ୍ କଟକଣା ଅନୁପାଳନ ହେଉଛି କି ନାହିଁ  ଯାଞ୍ଚ ଲାଗି ସିଏମସି ୨ଟି ଟିମ୍ ଗଠନ କରିଛି । ଜନଗହଳି ପୂର୍ଣ୍ଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଉପରେ ଟିମ୍ ଗୁରୁତ୍ୱ ଦେବ ।

CMC Constituted Two Team To Ensure Implementation Of Covid-19 Norms   

ବଜାର, ଧାର୍ମିକ ଅନୁଷ୍ଠାନ, ବିବାହ ଉତ୍ସବ, ଦୋକାନ, ମଲ୍ ଆଦି ସ୍ଥାନରେ କୋଭିଡ୍ ନିୟମ ପାଳନ ନେଇ ଅନୁଧ୍ୟାନ କରିବ ଟିମ୍ । ଯିଏ କେହି ବି ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି । ସୋମବାରଠାରୁ କଟକ ସହରର ସମସ୍ତ ସ୍ଥାନରେ ଯାଞ୍ଚକୁ କଡ଼ାକଡ଼ି କରାଯିବ । ଏଥିପାଇଁ ୨ଟି ଟିମ୍ ଗଠନ ହୋଇଥିବା ବେଳେ ଏଥିରେ ୭ ଜଣ ସଦ୍ୟସ ରହିଛନ୍ତି ।

ଜନସମାଗମ ଉପରେ କଟକଣା, ୮ ଦିନ ପରେ ଲକଡାଉନ୍ ନେଇ ନିଷ୍ପତ୍ତି

ମୁମ୍ବାଇ: ମହାରାଷ୍ଟ୍ରର ମୁଣ୍ଡବ୍ୟଥା ବଢ଼ାଇଛି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାର ୭ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଉଦ୍ଧବ ସରକାର ରାଜନୀତିକ, ଧାର୍ମିକ ଓ ସାମାଜିକ ସଭା ଉପରେ କଟକଣା ଲଗାଇଛନ୍ତି । ସୋମବାର ଅର୍ଥାତ୍ ଆସନ୍ତାକାଲି ଠାରୁ ରାଜ୍ୟରେ କୌଣସି ସଭା, ସମିତି କି ଶୋଭାଯାତ୍ରା ହୋଇପାରିବ ନାହିଁ । ଯଦି ଲୋକ ନିୟମ ନ ମାନିବେ ତ ପୁଣି ଲକଡାଉନ୍ ଲାଗୁହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଯାହାକୁ ଲକଡାଉନ୍ ଆବଶ୍ୟକ ନାହିଁ ସେମାନେ ମାସ୍କ ପିନ୍ଧନ୍ତୁ, ନିୟମ ମାନନ୍ତୁ । ଯାହାକୁ ଲକଡାଉନ୍ ଆବଶ୍ୟକ ସେମାନେ ମାସ୍କ ପିନ୍ଧନ୍ତୁ ନାହିଁ । ଏଥିସହ କମ୍ପାନୀ ମାନେ ଯଥା ସମ୍ଭବ କର୍ମଚାରୀଙ୍କୁ ୱାର୍କ ଫର୍ମ ହୋମ୍ କରାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଉ ଲକଡାଉନ୍ ଉପରେ ଆଗାମୀ ୮ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

Gatherings to be banned in Maharashtra from Monday, says CM Uddhav Thackerray

ଏଥିସହ ଅମରାବତୀରେ ଦିନକରେ ପାଖାପାଖି ୧ ହଜାର ସଂକ୍ରମଣ ମାମଲା ଆସିଛି । ଯାହାକି ଚିନ୍ତାର ବିଷୟ ବୋଲି ଉଦ୍ଧବ କହିଛନ୍ତି । କରୋନା ନିୟନ୍ତ୍ରଣ ଲାଗି ସରକାର ପ୍ରସ୍ତୁତ ଅଛନ୍ତି । ଲୋକଙ୍କୁ ନିୟମ ମାନିବାକୁ ପଡ଼ିବ । ସଂଖ୍ୟାଧିକ ଆଗଧାଡ଼ିର ଯୋଦ୍ଧା ପରିବାରକୁ ଛାଡ଼ି ଆମ ସେବାରେ ଅଛନ୍ତି । ସେମାନଙ୍କ ତ୍ୟାଗ ବୃଥା ଯିବାକୁ ଦିଅନ୍ତୁ ନାହିଁ ବୋଲି ମହାରାଷ୍ଟ୍ରବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱରରେ ପହଞ୍ଚିଲା ଲଦାଖରେ ସହିଦ ଓଡ଼ିଆ ପୁଅର ମର ଶରୀର

ଭୁବନେଶ୍ୱର: ଲଦାଖରେ ସହିଦ ଓଡ଼ିଆ ପୁଅର ମର ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ସହିଦ ଶଶାଙ୍କଙ୍କୁ ବିମାନ ବନ୍ଦରରେ ଗାର୍ଡ଼ ଅଫ୍‌ ଅନର ଦିଆଯାଇଛି । ଯବାନଙ୍କ ମର ଶରୀରରେ ଯାଜପୁର ସାଂସଦ ଶର୍ମୀଷ୍ଠା ସେଠି ଓ ବରୀ ବିଧାୟିକା ସୁନନ୍ଦା ଦାସ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହାପରେ ସହିଦଙ୍କୁ ନିଜ ଗାଁ ଯାଜପୁର ଧର୍ମଶାଳା ବ୍ଲକର କ୍ଷେତ୍ରପାଳକୁ ନିଆଯାଇଛି । କ୍ଷେତ୍ରପାଳ ଗ୍ରାମର ଲାୟନ୍ସ ନାୟକ, ଶଶାଙ୍କ ଶେଖର ସାମଲ ଲଦାଖ ସୀମାରେ ଗୁରୁବାର ରାତିରେ ସହିଦ ହୋଇଥିଲେ । କାର୍ଯ୍ୟରତ ଥିବା ସମୟରେ ଏକ ଦୁର୍ଘଟଣାରେ ସେମାନଙ୍କର ପରଲୋକ ହୋଇଥିଲା ।

ଶଶାଙ୍କଙ୍କୁ ହରାଇ ଶୋକରେ ମୂକ ପାଲଟି ଯାଇଛି ପୁରା କ୍ଷେତ୍ରପାଳ ଗାଁ । ବାପାଙ୍କ ପରେ ସାନ ଭାଇକୁ ହରାଇ ବଡ଼ ଭାଇ ବି ପାଗଳ ପ୍ରାୟ । ଭାରତୀୟ ସେନାର ୬୧୩ ଇନଏସି ବାଟାଲିୟନରେ କାର୍ଯ୍ୟରତ ଥିଲେ ଯାଜପୁରର ପୁଅ ଲାନ୍ସ ନାଏକ ଶଶାଙ୍କ ଶେଖର ସାମଲ । ଗୁରୁବାର ରାତିରେ ସେ ଦେଶ ପାଇଁ ସହିଦ ହୋଇଥିବା ଜଣାପଡ଼ିଛି । ଶଶାଙ୍କ ଦେଶ ପାଇଁ ସହିଦ ହୋଇଥିବା ସେନା ପକ୍ଷରୁ ଫୋନ୍ ଯୋଗେ ଖବର ଦିଆଯାଇଥିଲା ।

ଦୀର୍ଘ ୧୨ ବର୍ଷ ହେଲା ଶଶାଙ୍କ ସେନାରେ କାର୍ଯ୍ୟରତ ଥିଲେ । ବୀର ବାପାର ବୀର ପୁଅ ଥିଲେ ଶଶାଙ୍କ । ଦେଶ ପାଇଁ ଶଶାଙ୍କ ସହିଦ ହେବା ଖବର ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ସ୍ତବ୍ଦ ହୋଇଯାଇଛି ପରିବାର । ଶଶାଙ୍କଙ୍କ ବାପା ସ୍ୱର୍ଗତଃ ଯଦୁନାଥ ନାୟକ ମଧ୍ୟ ସେନାରେ କାର୍ଯ୍ୟରତ ଥିବା ବେଳେ ସହିଦ ହୋଇଥିଲେ ।

ବହୁମତ ପରୀକ୍ଷା ପୂର୍ବରୁ ଖସୁଛି ସଂଖ୍ୟା, ହାତ ଛାଡ଼ିଲେ ଆଉ ୨ ବିଧାୟକ

ପୁଡୁଚେରୀ: ଫ୍ଲୋର ଟେଷ୍ଟ ପୂର୍ବରୁ ଫେଲ୍ ! ପୁଡୁଚେରୀର ଭି. ନାରାୟାଣସାମୀ ସରକାର ଲାଗି ସଂଙ୍କଟ ବଢ଼ିବାରେ ଲାଗିଛି । ୨ ବିଧାୟକ ଇସ୍ତଫା ଦେଇଛନ୍ତି । କଂଗ୍ରେସ ବିଧାୟକ କେ. ଲକ୍ଷ୍ମୀନାରାୟଣ ଓ ଡିଏମକେ ବିଧାୟକ ଭେଙ୍କଟେସନଙ୍କ ଇସ୍ତଫା ପରେ ଶାସକ ଦଳର ସଦସ୍ୟଙ୍କ ସଂଖ୍ୟା ୧୧କୁ ଖସି ଆସିଛି । ବିରୋଧୀଙ୍କ ପାଖରେ ୧୪ ଜଣ ବିଧାୟକ ରହିଛନ୍ତି । ଗୃହର ମୋଟ ସଦସ୍ୟ ସଂଖ୍ୟା ୩୩ ଥିବାବେଳେ ୭ଟି ଆସନ ଖାଲି ରହିଛି ।

ଲକ୍ଷ୍ମୀନାରାୟଣ ଓ ଭେଙ୍କଟେସନ ଅଲଗା ଅଲଗା ଭାବେ ବାଚସ୍ପତି ଭି.ପି. ସିବାକୋଲୁନ୍ଧୁଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ପରେ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଲକ୍ଷ୍ମୀନାରାୟଣ । ବିଧାୟକ ପଦ ସହ କଂଗ୍ରେସ ଦଳରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଅନ୍ୟପକ୍ଷେ ଭେଙ୍କଟେସନ କେବଳ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି, ଡିଏମକେ ସହ ଅଛନ୍ତି ବୋଲି କହିଛନ୍ତି ।

Two more MLAs quit in Puducherry; govt's strength drops to 11

ପୂର୍ବତନ ମନ୍ତ୍ରୀ ଏ. ନମାସିଭ୍ୟାମଙ୍କ ସହ ମଲ୍ଲାଡି କ୍ରିଷ୍ଣା ଆଦି ୪ ଜଣ କଂଗ୍ରେସ ଛାଡ଼ିଥିଲେ । ଅନ୍ୟ ଜଣେ ବିଧାୟକ ଅଯୋଗ୍ୟ ଘୋଷିତ ହୋଇଥିଲେ । ନାରାୟଣସାମୀଙ୍କ ବିଶ୍ୱସ୍ତ ଏ. ଜହ୍ନ କୁମାର ଇସ୍ତଫା ଦେଇଥିଲେ ।

Image

ପୁଡୁଚେରି ରାଜ୍ୟପାଳ ତାମିଲସାଇ ସୁନ୍ଦରାଜନ ଫେବ୍ରୁଆରୀ ୨୨ ସନ୍ଧ୍ୟା ୫ଟା ସୁଦ୍ଧା ଗୃହରେ ବହୁମତ ସାବ୍ୟସ୍ତ ପାଇଁ ନାରାୟଣସାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳ ବୈଠକ କରୁଥିବା ବେଳେ ୨ ବିଧାୟକଙ୍କ ଇସ୍ତଫା ନାରାୟଣସାମୀ ସରକାରକୁ ଆହୁରି ସଙ୍କଟ ମଧ୍ୟକୁ ଟାଣି ନେଇଛି ।

ସହରାଞ୍ଚଳ ଭଳି ଗାଁରେ ବି ହେବ ପାର୍କ; ପିଲାଙ୍କ ପାଇଁ ଲାଗିବ ଦୋଳି, ରହିବ ସ୍ୱିମିଂ ପୁଲ ବ୍ୟବସ୍ଥା

ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ଲୋକଙ୍କୁ ମିଳିବ ଆମୋଦ ପ୍ରମୋଦର ସୁବିଧା । ରାଜ୍ୟ ସରକାରଙ୍କ ପ୍ରୟାସରେ ଗାଁରେ ପାର୍କ ସାଙ୍ଗକୁ ପିଲାଙ୍କ ପାଇଁ ମିଳିବ କ୍ରୀଡା ଉପକରଣ । ଭଳି କି ଭଳି ବନ୍ୟଜନ୍ତୁଙ୍କ ଷ୍ଟାଚ୍ୟୁ ସହିତ ପ୍ରମୋଦ ଉଦ୍ୟାନ । ସ୍ୱିମିଂ ପୁଲ୍‌ର ମଧ୍ୟ ରହଛି ସୁବିଧା । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଏଭଳି ସୁବିଧା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ ଲୋକେ ।

ବରିଷ୍ଠ ନାଗରିକ ଓ ପିଲାଙ୍କ ପାଇଁ ପ୍ରମୋଦ ଉଦ୍ୟନ । ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ପାର୍କ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ଅବସର ବିନୋଦନ ପାଇଁ ପ୍ରମୋଦ ଉଦ୍ୟାନ । ସହାରଞ୍ଚଳ ଭଳି ଗ୍ରାମାଞ୍ଚଳରେ ଏଣିକି ମିଳିବ ମନୋରଞ୍ଜନର ସୁବିଧା । ପିଲାଙ୍କ ପାଇଁ ଦୋଳି, ଖସଡା, ଖେଳନା ଆଦି ସୁବିଧା ରହିଖିବା ବେଳେ ଯୁବପୀଢିଙ୍କ ପାଇଁ ସ୍ୱିମିଂ ପୁଲ, ବୋଟିଂ ଏବଂ ବୟସ୍କଙ୍କ ପାଇଁ ପାଦଚଲା ରାସ୍ତା ସହ ସାଂଧ୍ୟ ଓ ପ୍ରାତ ଭ୍ରମଣ ପାଇଁ ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାରଙ୍କ ପ୍ରୟାସରେ ଗାଁରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି ।

ପ୍ରଥମ କରି ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି । ପୁରୁଷୋତ୍ତମପୁର ବ୍ଲକ୍ ବଡଖରିଡା ପଂଚାୟତରେ ଏହି ପ୍ରମୋଦ ଉଦ୍ୟାନ କରାଯାଉଛି । ଏହାର ପ୍ରେବଶ ଶୁକ୍ଲ ମାତ୍ର ୫ ଟଙ୍କା ରଖାଯାଇଥିବା ବେଳେ ଖୁବ୍ ଶୀଘ୍ର ଏହି ଉଦ୍ୟାନ ଲୋକମାନଙ୍କ ପାଇଁ ଉଦଘାଟନ ହେବ । ପ୍ରଥମ ଥର ପାଇଁ ଗ୍ରାମାଂଚଳ ପ୍ରମୋଦ ଉଦ୍ୟାନକୁ ନେଇ ଅଂଚଳବାସୀଙ୍କ ଖୁସିରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଆପତକାଳୀନ ପରିସ୍ଥିତି, ମୁକାବିଲା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ

ଧର୍ମଶାଳା: ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଆପତକାଳୀନ ପରିସ୍ଥିତି । ନିଜକୁ କିଭଳି ସୁରକ୍ଷିତ ରଖିହେବ ଏବଂ ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନାନ୍ତର କିରିହେବ, ତାକୁ ନେଇ ଚଣ୍ଡିଖୋଲ ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ପ୍ରଶିକ୍ଷଣ । ମକ୍‌ଡ୍ରିଲ୍ ମାଧ୍ୟମରେ ଧର୍ମଶାଳା ମହାବିଦ୍ୟାଳୟରେ ପିଲାମାନଙ୍କୁ ଶିକ୍ଷା ଦେଇଛନ୍ତି ଅଗ୍ନିଶମ କର୍ମଚାରୀ ।

ଏହି ଶିକ୍ଷା ଆଗକୁ ପିଲାଙ୍କ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି । ଘରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିବା ହେଉ କି ସଟସର୍କଟରୁ ନିଆଁ ଲାଗିବା । ଏଭଳି ଆପତକାଳୀନ ପରିସ୍ଥିତିକୁ କିଭଳି ମୁକାବିଲା କରିହେବ, ତାକୁ ନେଇ ଛାତ୍ରଛାତ୍ରୀଙ୍କୁ ମିଳିଛି ପ୍ରଶିକ୍ଷଣ । ନିଜକୁ ସୁରକ୍ଷିତ ରଖିବା ସହିତ ନିଆଁ କିପରି ଆୟତ୍ତ କରିହେବ, ତାକୁ ନେଇ ପ୍ରକ୍ଟିକାଲ କରିଛନ୍ତି ଛାତ୍ରଛାତ୍ରୀ ।

ଆପତକାଳୀନ ମୁକାବିଲା ପାଇଁ ପ୍ରଥମେ ଥିଓରୀ ପରେ ପ୍ରାକ୍ଟିକାଲ କରିଛନ୍ତି ଛାତ୍ରଛାତ୍ରୀ । ବିପର୍ଯ୍ୟୟ ସମୟରେ ଗ୍ୟାସ ଫାୟାର, ଜେନେରାଲ ଫାୟାର, ଅଏଲ ଫାୟାର, ହାଇଡ୍ରୋଲିକ୍‌ ରେସ୍‌କ୍ୟୁ ଟୁଲସ, ଟାୱାର ଲାଇଟ, ପୱାର ସ’ ର ବ୍ୟବହାର ମଧ୍ୟ ଶିକ୍ଷିଛନ୍ତି । ଏହି ପ୍ରଶିକ୍ଷଣ ଶିବିରରେ ୪ଟି କଲେଜ ଛାତ୍ରଛାତ୍ରୀ ଓ ଅବିଭାବକ ଭାଗ ନେଇଥିଲେ । ତେବେ ଅପତକାଳୀନ ସ୍ଥିତିରେ ପିଲାମାନଙ୍କୁ ଏହି ଶିକ୍ଷା ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।

ପଥର ଭାଙ୍ଗି ଚଳୁଥିଲେ ଦୃଷ୍ଟିହୀନ ପରିବାର, ପ୍ରଶାସନ ବନ୍ଦ କରିଦେଲା ପଥର ଭଙ୍ଗା

ମାଲକାନଗିରି: ଖରା, ବର୍ଷା, ଶୀତ, ବର୍ଷ ତମାମ୍ ପଥର ଭାଙ୍ଗି ପରିବାର ଚଳାନ୍ତି ଦୃଷ୍ଟିହୀନ । ଆଖିକୁ ଦିଶୁନଥିଲେ ମଧ୍ୟ ହାତ ବୋଲ ମାନୁନଥିଲା । ସକ୍ଷମ ଅନୁସାରେ ପଥର ବାଡେଇ ପରିବାର ପ୍ରତିପୋଷଣ କରୁଥିଲେ ମାଲକାନଗିରି ଜିଲ୍ଲା କାଲିମେଳାର ପରିମଳ ସାନା । ହେଲେ ବନ ବିଭାଗ ପଥର ଭାଙ୍ଗିବା ଉପରେ ରୋକ୍ ଲଗାଇବା ପରେ ହାତ ଯୋଡି ବସିଛନ୍ତି ଏହି ଦୃଷ୍ଟିହୀନ । ସରକାରୀ ସହାୟତା ପାଇଁ ପ୍ରଶାସନକୁ କରିଛନ୍ତି ଗୁହାରୀ ।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭୁବନପାଲି ପଞ୍ଚାୟତ MV-୧୧୫ ଗାଁର ଏହି ପରିମଳ ସାନା । ବୟସ ପାଖାପାଖି ୬୦ ଛୁଇଁଲାଣି । ଆଖିକୁ ଦିଶୁନାହିଁ । ପଥର ପିଟିଲେ ପୂରୁଥିଲା ପେଟ । ଚଳୁଥିଲା ପୂରା ପରିବାର । ହେଲେ ବେଆଇନ ପଥର ଭଙ୍ଗା ଉପରେ MV-୭୯ ବନ ବିଭାଗର ରୋକ୍ ଲଗାଇବା ପରେ ଅସହାୟ ହୋଇପଡିଛନ୍ତି ଏହି ଦୃଷ୍ଟିହୀନ । ଆଉ ବର୍ଷେ ହେଲା କୌଣସି କମଧନ୍ଦା ନପାଇ ହାତବାନ୍ଧି ବସି ରହିଛନ୍ତି ।

ସପ୍ତମ ଶ୍ରେଣୀରୁ ପରିମଳଙ୍କର ଦୁଇ ଆଖି ନଷ୍ଟ ହୋଇଯାଇଛି । ମାତ୍ର କାହା ଉପରେ ନିର୍ଭର ନକରି ୨୫ ବର୍ଷ ହେଲା ନିକଟ ପାହାଡ଼ରେ ପଥର ବାଡେଇ ପରିବାର ପୋଷୁଥିଲେ ପରିମଳ । ମାତ୍ର ଏବେ ପଥର ବାଡେଇବା ବନ୍ଦ ହେବା ପରେ ପରିମଳଙ୍କ ପକ୍ଷେ ପରିବାର ଚଳାଇବା ମୁସକିଲ ହୋଇଯାଇଛି । ଆଉ ସରକାରୀ ସହାୟତା ପାଇଁ ପ୍ରଶାସନକୁ ଗୁହାରୀ କରିଛନ୍ତି । ଦୃଷ୍ଟିହୀନ ପରିମଳ କିପରି ପରିବାର ଚଳାଇବେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ତୀରନ୍ଦାଜୀ ଉପରେ ହେବ ଫୋକସ୍‌, ପ୍ରତ୍ୟେକ ଜିଲ୍ଲାରେ ଜଣେ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଦିଆଯିବ ତାଲିମ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଛି ରାଜ୍ୟ ତୀରନ୍ଦାଜ ଚମ୍ପିଅନସିପ୍‌ । ଏଥିରେ ୧୭ ଜିଲ୍ଲା ଓ ୫ ଅନୁଷ୍ଠାନର ୨୫୦ ଖେଳାଳୀ ଭାଗ ନେଇଛନ୍ତି । କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ଖେଳ ପ୍ରତି ଆଗ୍ରହ ସୃଷ୍ଟି କରାଯାଇ ପାରିନାହିଁ । ଏହାକୁ ବିଚାର କରି ଆସନ୍ତା ଏପ୍ରିଲ ମାସରୁ ରାଜ୍ୟ ତୀରନ୍ଦାଜ ସଂଘ ପ୍ରତି ଜିଲ୍ଲାର ଜଣେ ପୁରୁଷ ଓ ଜଣେ ମହିଳା ସ୍କୁଲ କ୍ରୀଡା ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାକୁ ଯୋଜନା କରିଛି ।

ତିନି ପର୍ଯ୍ୟାୟରେ ପ୍ରଶିକ୍ଷଣ ନେବା ପରେ ପିଇଟିମାନେ ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ଖେଳର ପ୍ରସାର କରିବେ । କେବଳ କଟକ, ପୁରୀରେ ତୀରନ୍ଦାଜ କୋଚ ଥିଲେ ସୁଦ୍ଧା ମାତ୍ର ତିନି ଚାରି ଜଣ ତୀରନ୍ଦାଜ ଅଛନ୍ତି । ତେଣୁ ସରକାରୀ ସ୍ତରରେ ଏହାକୁ ଅଧିକ ପ୍ରୋତ୍ସାହନ ଦେବାକୁ ଅନୁରୋଧ କରିଛନ୍ତି ଅଭିଭାବକ ।

ତୈଳଦର ବୃଦ୍ଧି ନେଇ ଧର୍ମେନ୍ଦ୍ର ପ୍ରତିକ୍ରିୟା, ‘ଅର୍ଥମନ୍ତ୍ରୀ ବାହାର କରିବେ ବାଟ’

ଭୁବନେଶ୍ୱର(ସୁଶାନ୍ତ କୁମାର ସାହୁ): ଦେଶର ଅନେକ ସହରରେ ଶତକ ମାରିଛି ପେଟ୍ରୋଲ । ଡିଜେଲ ଦର ବି ହୁହୁ ହୋଇ ବଢ଼ି ଚାଲିଛି । ଲଗାତାର ୧୨ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଆଜି ସ୍ଥିର ରହିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ଉପରେ ରହିଥିବା ବେଳେ ମାଲକାନଗିରିରେ ସର୍ବାଧିକ ୯୫ ଟଙ୍କା ୯୬ ପଇସା ରହିଛି । ତୈଳଦରରେ ଅହେତୁକ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତୈଳଦର ବୃଦ୍ଧି ୨ଟି କାରଣ ଯୋଗୁଁ ହେଉଥିବା ଧର୍ମେନ୍ଦ୍ର କହିଛନ୍ତି । ଅନ୍ତର୍ଜାତୀୟ ବଜାରରେ ତୈଳର ଉତ୍ପାଦନ କମିବା ଓ ଉତ୍ପାଦନକାରୀ ଦେଶ ଅଧିକ ଲାଭ ପାଇଁ କମ୍ ତୈଳ ଉତ୍ପାଦନ କରୁଛନ୍ତି । ଫଳରେ ତୈଳ ଆମଦାନୀକାରୀ ଦେଶ ଅଧିକ ଦାମ ଦେବାକୁ ବାଧ୍ୟ ହେଉଛନ୍ତି । ଆମେ ଏନେଇ ଓପିଇସି ଓ ଓପିଇସି ପ୍ଲସ୍ ଦେଶକୁ ଅନୁରୋଧ କରିଛୁ । ଆଶା ରଖିଛୁ ନିକଟରେ କିଛି ପରିବର୍ତ୍ତନ ଆସିବ ।

Dharmendra On Fuel Price Hike, Finance Minister can find a way

ତୈଳଦର ବୃଦ୍ଧିର ଆଉ କାରଣ ମହାମାରୀ କୋଭିଡ୍ ବୋଲି ଧର୍ମେନ୍ଦ୍ର କହିଛନ୍ତି । ସରକାର ଅନେକ ଗୁଡ଼ିଏ ଉନ୍ନୟନମଳକ କାର୍ଯ୍ୟ କରୁଛନ୍ତି । ଯେଉଁଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଆଦାୟ କରୁଛନ୍ତି । ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ ଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବ । ସରକାର ନିବେଶ ବଢ଼ାଇଥିବା ବେଳେ ଚଳିତ ବଜେଟରେ ୩୪ ପ୍ରତିଶତ ଅଧିକ ବ୍ୟୟ କରାଯିବ ବୋଲି କହିଛନ୍ତି ।

Dharmendra On Fuel Price Hike, Finance Minister can find a way

ଏଥିସହ ଖର୍ଚ୍ଚ ନେଇ ରାଜ୍ୟକୁ ତୀର ମାରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାର ମଧ୍ୟ ଖର୍ଚ୍ଚ ବୃଦ୍ଧି କରିଛନ୍ତି । ସେଥିପାଇଁ ଆମକୁ ଟିକସ ଆବଶ୍ୟକତା ହେଉଛି । ଆଦାୟ ଟିକସ ଓ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ଆବଶ୍ୟକ । ମୁଁ ଆଶା କରୁଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ନେଇ କୌଣସି ଏକ ବାଟ ବାହାର କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏଥିସହ ପଢ଼ନ୍ତୁ- ୧୧ ବର୍ଷ ମଧ୍ୟରେ ୨୦୦ ପ୍ରତିଶତ ବଢ଼ିଛି ପେଟ୍ରୋଲ ଦର

୭ ଦିନ ପାଇଁ ୪ ଜିଲ୍ଲାରେ ଲକଡାଉନ୍, କାଲିଠାରୁ ହେବ ଲାଗୁ

ମୁମ୍ବାଇ: ମହାରାଷ୍ଟ୍ରରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ପୁଣି ଲକଡାଉନ୍ ଲାଗୁ ହୋଇଛି । ସପ୍ତାହକ ଲାଗି ମହାରାଷ୍ଟ୍ରର ଅମରାବତୀରେ ଲକଡାଉନ୍ ଲାଗୁ କରାଯାଇଛି । ଫେବ୍ରୁଆରୀ ୨୮ ତାରିଖ ରାତି ୮ଟା ଯାଏ ଲକଡାଉନ୍ କଟକଣା ବଳବତ୍ତର ରହିବ । ଅମରାବତୀ ଉପଖଣ୍ଡର ୪ ଜିଲ୍ଲାରେ ଲକଡାଉନ୍ ନେଇ ମହାରାଷ୍ଟ୍ର ମନ୍ତ୍ରୀ ୟଶୋମତି ଠାକୁର ସୂଚନା ଦେଇଛନ୍ତି ।

One-week lockdown declared in Maharashtra's Amaravati from Monday

ଅମରାବତୀ ଉପଖଣ୍ଡରେ ୪ ଜିଲ୍ଲା ରହିଛି । ଗତ ସେପ୍ଟେମ୍ବର ମଧ୍ୟ ଭାଗରେ ଲାଗିଥିବା କଟକଣା ଭଳି ଲକଡାଉନ୍ ସମୟରେ ୪ ଜିଲ୍ଲାରେ ପ୍ରତବିନ୍ଧକ ଲାଗିବ । ସଂକ୍ରମଣକୁ ରୋକିବା ପାଇଁ ଫେବ୍ରୁଆରୀ ୨୨ ଆସନ୍ତାକାଲି ସୋମବାର ଠାରୁ ଲକଡାଉନ୍ ଲାଗୁ ହେବ । ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ମିଳିବ ।

One-week lockdown declared in Maharashtra's Amaravati from Monday

ଅନ୍ୟପଟେ ପୁନେରେ ଫେବ୍ରୁଆରୀ ୨୮ ତାରିଖ ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏ ସାଧାରଣ ଲୋକଙ୍କ ଚଳାଚଳକୁ ନିଷିଦ୍ଧ କରାଯାଇଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ଫେବ୍ରୁଆରୀ ୨୮ ତାରିଖ ଯାଏ ସ୍କୁଲ୍ ଓ କଲେଜ ବନ୍ଦ ରଖିବାକୁ ପୁନେ ଡିଭିଜନାଲ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମା ଆସନ୍ତାକାଲି ଠାରୁ ଲାଗୁ ହେବ ।