spot_img
Home Blog Page 5959

ମହାରାଷ୍ଟ୍ରରେ ପୁଣି ଲାଗୁ ହେବ କି ଲକଡାଉନ୍ ? ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପୂର୍ବରୁ ଅନେକ ଅନୁମାନ କରାଯାଉଛି । ମୁମ୍ବାଇ ସହିତ ମହାରାଷ୍ଟ୍ରର କେତେକ ସହରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ବୋଧନ ଗୁରୁତ୍ୱ ରଖୁଛି ।

ମହାରାଷ୍ଟ୍ର ମନ୍ତ୍ରୀ ବିଜୟ ବଡ୍ଡେଟିବାରଙ୍କ ଅନୁସାରେ, ନାଗପୁର, ଅମରାବତୀ, ୟବତମାଳ ଭଳି ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର ।

Night Curfew Imposed In Pune, Maharastra CM To Address People In Evening

ଅନ୍ୟପଟେ ଅକୋଲା, ୟବତମାଳ, ସତାରା ଓ ଅମରାବତୀ ଆଦି ସ୍ଥାନରେ ସଂକ୍ରମଣ ବୃଦ୍ଧି ଅଧିକାରୀଙ୍କ ପାଇଁ ଚିନ୍ତା ପାଲଟିଛି । ଫେବ୍ରୁଆରୀ ୨୦ ତାରିଖରେ ମହାରାଷ୍ଟ୍ରରେ କରୋନାର ୬ ହଜାର ୨୮୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇ, ଠାଣେ, ଅମରାବତୀ, ପୁନେ ଓ ନାଗପୁରରେ ଲକଡାଉନ୍ ହେବା ନେଇ ଆକଳନ କରାଯାଉଛି ।

ଅନ୍ୟପଟେ ପୁନେରେ ଫେବ୍ରୁଆରୀ ୨୮ ତାରିଖ ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏ ସାଧାରଣ ଲୋକଙ୍କ ଚଳାଚଳକୁ ନିଷିଦ୍ଧ କରାଯାଇଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ଫେବ୍ରୁଆରୀ ୨୮ ତାରିଖ ଯାଏ ସ୍କୁଲ୍ ଓ କଲେଜ ବନ୍ଦ ରଖିବାକୁ ପୁନେ ଡିଭିଜନାଲ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମା ଆସନ୍ତାକାଲି ଠାରୁ ଲାଗୁ ହେବ ।

ମାଲକାନଗିରିରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ କର୍ତ୍ତନପାଲ୍ଲି ପଞ୍ଚାୟତ ଗୁଗାପଦରରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ଆହତ ସୂଚନା । ବିଏସ୍‌ଏଫ ଓ ପୋଲିସ ଦ୍ୱାରା ତୁଳସୀ ଜଙ୍ଗଲରେ ମିଳିତ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ବିସ୍ଫୋରଣରେ ଆଉ କେହି ଆହତ ହୋଇଥିବା କିମ୍ବା ଅନ୍ୟ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ  ।

ଆହତ ଯବାନ ହେଲେ ବିଏସଏଫ ୧୬୦ ବାଟାଲିଅନର ଧର୍ମେନ୍ଦ୍ର ସାହୁ । ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ନିକଟସ୍ଥ ସାଲିମି ବିଏସଏଫ୍ କ୍ୟାମ୍ପକୁ ଅଣାଯାଇଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର କରାଯିବ । ଘଟଣାସ୍ଥଳରେ ବିଏସଏଫ ଓ ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ।

ଘଟଣାକୁ ନେଇ କମ୍ବିଂ ଅପରେସନ ଜୋରସୋର ହୋଇଛି । ରାସ୍ତାରେ ଆଇଇଡି ବିସ୍ଫୋରଣ କେମିତି ହେଲା କାହିଁକି ଏହାକୁ ଚେକ୍ କରାଯାଇନଥିଲା ସମସ୍ତ ନେଇ ଏବେ ତଦନ୍ତ ଚାଲିଛି । ଦୁଇ ରାଜ୍ୟର କମ୍ୱିଂ ଅପରେସନ ଚାଲୁଥିବା ବେଳେ ଏଭଳି ଅଘଟଣ ଚିନ୍ତା ବଢାଇଛି । ସୂଚନା ଅନୁସାରେ ଅପରେସନ ଚାଲୁଥିବା ବେଳେ ଯେଉଁ ଏସଓପିକୁ ପାଳିବା କଥା ତାହାକୁ ଠିକରେ ପାଳନ କରାଯାଇ ନଥିବା କୁହାଯାଉଛି । ଫଳରେ ଯେଉଁଠାରେ ଆଇଇଡ଼ି ଥିଲା ତାହା ଉପରେ କିଛି କାଠ ରଖାଯାଇଥିଲା ଏବଂ ସେଥିରେ ଯବାନ ଜଣଙ୍କ ଗୋଡ଼ ପଡ଼ି ଯାଇଥିବାକୁ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ସେକ୍‌ସ ରାକେଟ୍‌ ଅଭିଯୋଗରେ ଶାରୀରିକ ଭିନ୍ନକ୍ଷମ ତାଲିମ୍ କେନ୍ଦ୍ର ହେବ ସିଜ୍

ଭୁବନେଶ୍ୱର: ସିଜ୍‌ ହେବ ଭୁବନେଶ୍ୱର ପଳାଶପଲ୍ଲୀସ୍ଥିତ ଭିନ୍ନକ୍ଷମ ତାଲିମ କେନ୍ଦ୍ର । ସେକ୍‌ସ ରାକେଟ୍‌ ଅଭିଯୋଗ ନେଇ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ ମହାସଂଘରେ ହେବ ଅଧିକ ଖୋଳତାଡ । କାଗଜପତ୍ର ଯାଞ୍ଚ କରିବ ଜିଲ୍ଲା ପ୍ରଶାସନ । ଏନେଇ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମାଜିଷ୍ଟ୍ରେଟ୍‌ ଓ ପୋଲିସ  ଉପସ୍ଥିତିରେ ଯାଞ୍ଚ କରାଯିବ । ଆଲମିରା ଭାଙ୍ଗି କାଗଜପତ୍ର ଜବତ କରିବ ପ୍ରଶାସନ ।

ଭୁବନେଶ୍ୱର ପଲାଶପଲ୍ଲୀସ୍ଥିତ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ନିଯୁକ୍ତି ଆଳରେ ଦେହ ବ୍ୟବସାୟ ଚାଲିଥିବା ଖବର ଦେଖାଇଥିଲା ନନ୍ଦିଘୋଷ ଟିଭି । ସେକ୍ସ ରାକେଟ ସହ ଝିଅ ଚାଲାଣ ମାମଲାରେ ଏବେ ସୁଦ୍ଧା ୭ଜଣ ଗିରଫ ହୋଇଛନ୍ତି ।  ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ ମହାସଂଘର ସଂପାଦକ ସେକ୍ସ ରାକେଟ ଚଲାଇଥିବା ବେଳେ ସରକାରୀ ବାବୁ ଗ୍ରାହକ ହୋଇ ଆସୁଥିବା ପୋଲିସ ହାତରେ ପ୍ରମାଣ ରହିଛି ।  ଅନୁଷ୍ଠାନର ସମ୍ପାଦକ ସୁରେଶ ବେହରା ସରକାରୀ ବାବୁଙ୍କୁ ଝିଅ ଉପହାର ଦେଉଥିବା ଅଭିଯୋଗ ହୋଇଥିଲା । ତେବେ କେଉଁ ଫାଇଲ ହେରଫେର କରିବା ପାଇଁ ଷଡଯନ୍ତ୍ର ଚାଲିଥିଲା ତା’ର ଖୋଳତାଡ଼ କରିବ ଜିଲ୍ଲା ପ୍ରଶାସନ ।  ତାଲିମ କେନ୍ଦ୍ର ନାଁରେ କେତେ ଟଙ୍କା ଆତ୍ମସାତ ହୋଇଛି, ପ୍ରଶାସନ ତା’ର ତଦନ୍ତ କରିବ ।

ଅନ୍ୟରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ପରେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ସଜାଗ

ଭୁବନେଶ୍ୱର: ପଡୋଶୀ ରାଜ୍ୟ ଛତିଶଗଡ଼ରେ କରୋନାର ଦ୍ୱିତୀୟ ଲହର ପରେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ସଜାଗ । ସବୁ ସ୍କୁଲରେ କଡ଼ାକଡ଼ି ଭାବେ ଏସ୍‌ଓପି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବିଭାଗୀୟ ଅଧିକାରୀଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଅନ୍ୟରାଜ୍ୟରେ ଲକଡାଉନ ଫେରିବାରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଓଡ଼ିଶାରେ ସେମିତି ସ୍ଥିତି ଆସିନି । ଅବସ୍ଥା ଦେଖି ବ୍ୟବସ୍ଥା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଭୁବନେଶ୍ୱରରେ ନିୟମ କଡାକଡି ଭାବେ ପାଳନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନାକୁ ଆମେ ସଫଳତାର ସହ ମୁକାବିଲା କରିଛେ। ଆଗକୁ ବି କରିବା । ଲୋକ ସଚେତନ ଓ ସତର୍କ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

୧୬ଘଣ୍ଟା ଧରି ଚାଲିଥିବା କମାଣ୍ଡର ସ୍ତରୀୟ ବୈଠକ ଶେଷ

ନୂଆଦିଲ୍ଲୀ: ଭାରତ ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଶେଷ ହୋଇଛି । ୧୬ଘଣ୍ଟା ଧରି ଚାଲିଥିଲା କମାଣ୍ଡର ସ୍ତରୀୟ ବୈଠକ । ମୋଲ୍ଡୋରେ ହୋଇଥିବା ବୈଠକ ରାତି ୨ଟାରେ ଶେଷ ହୋଇଛି । ବିବାଦୀୟ କ୍ଷେତ୍ର ଗୋଗୋରା ହାଇଟ୍ସ, ହଟ ସ୍ପ୍ରିଙ୍ଗ, ଡେସପାଙ୍ଗ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଭାରତ ପକ୍ଷରୁ ନେତୃତ୍ୱ ନେଇଥିଲେ ପିଜିକେ ମେନନ । ଲେପ୍ଟନାଣ୍ଟ ଜେନେରାଲ ମେନନ ଲେହରେ କମାଣ୍ଡର ଭାବେ ଅବସ୍ଥାପିତ ଅଛନ୍ତି ।

ସେପଟେ ଚୀନ ପକ୍ଷରୁ ନେତୃତ୍ୱ ନେଇଥିଲେ ମେଜର ଜେନେରାଲ ଲିଉ ଲିନ୍ । ଲିଉ ଦକ୍ଷିଣ ଶିନଜିଆଙ୍ଗ ସୈନ୍ୟ ଜିଲ୍ଲା କମାଣ୍ଡର ରହିଛିନ୍ତି  । ଭାରତ ଓ ଚୀନ ମଧ୍ୟରେ ଦଶମ କମାଣ୍ଡରସ୍ତରୀୟ ଆଲୋଚନାରେ ପୂର୍ବ ଲଦ୍ଦାଖର ହଟ୍ ସ୍ପ୍ରିଙ୍ଗସ, ଗୋଗରା ଓ ଦୀପସାଙ୍ଗ କ୍ଷେତ୍ରରୁ ମଧ୍ୟ ସୈନ୍ୟ ଅପସାରଣ ନେଇ ଆଲୋଚନା ହୋଇଛି । ଏଲଏସିରେ ବସିଥିବା ଏହି ବୈଠକ ଦୁଇ ଦେଶର ସମ୍ବନ୍ଧକୁ ନେଇ ଅତି ମହତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।  ପେଙ୍ଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କ୍ଷେତ୍ରରୁ ଦୁଇଦେଶର ସେନା, ଅସ୍ତ୍ରଶସ୍ତ୍ର, ବଙ୍କର ଓ ଅସ୍ଥାୟୀ ନିର୍ମାଣ ହଟାଇବା କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ ହେଇସାରିଛି ।

ଦେଶରେ ୨୪ ଘଣ୍ଟାରେ ୧୪ହଜାର ୨୬୪ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍  । ୨୭ଦିନ ପରେ କରୋନା ପୁଣି ତା’ର କାୟା ବିସ୍ତା କରିବା ଆରମ୍ଭ କରିଛି । ୨୪ ଘଣ୍ଟାରେ ଦେଶରେ ୧୪ହଜାର ୨୬୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ୯ଲକ୍ଷ ୯୧ ହଜାର ୬୫୧ରେ ପହଞ୍ଚିଛି ।

ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୫୬ହଜାର ୩୦୨ ଥିବା ବେଳେ କୋଟିଏ ୬ଲକ୍ଷ ୮୯ହଜାର ୭୧୫ଜଣ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ଆକ୍ଟିଭ କେସ୍ ଲକ୍ଷେ ୪୫ହଜାର ୬୩୪ ରହିଛି । ୨୭ଦିନ ପରେ ଦେଶରେ ଗତକାଲି ୧୩ହଜାର ୯୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜାନୁଆରୀ ୨୩ ପରଠାରୁ ୧୩ ହଜାର ଉପରକୁ ଉଠିନଥିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଶର ୫ଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ, କେରଳ ଓ ଛତିଶଗଡରେ ସଂକ୍ରମଣ ବଢୁଛି ।

କରୋନା କଟକଣା ନିୟମ ଉଲ୍ଲଂଘନ ପାରେ ପ୍ରଶାସନ ବନ୍ଦ କଲା ବେଗୁନିଆ ଯାତ୍ରା

ଖୋର୍ଦ୍ଧା: କରୋନା ସ୍ଥିତି ବଢିବା ନେଇ ଆଶଙ୍କାରେ ରାଜ୍ୟବାସୀ । ଏଭଳି ସ୍ଥିତିରେ ସତର୍କତା ହେଉଛି ଏକମାତ୍ର ବିକଳ୍ପ । ଏବଳି ସ୍ଥିତିରେ କୋଭିଡ ନିୟମ ଉଲ୍ଲଂନ ଏକ ଚିନ୍ତାର ବିଷୟ ହୋଇପାରେ । ତେଣୁ ପରିସ୍ଥିତିକୁ ଆଖରେ ରଖି ସମସ୍ତଙ୍କୁ କୋଭିଡ଼ ନିୟମ ମାନିବାର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ କୋଭିଡ ନିୟମ ଉଲ୍ଲଂନ ହେଉଥିବାରୁ ପ୍ରଶାସନ ପହଞ୍ଚି ବେଗୁନିଆ ଯାତ୍ରା ବନ୍ଦ କରିଛି ।

ଛତିଶଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟଣା ଓଡିଶାକୁ ଛାନିଆ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବଜାରରେ ବିନା ମାକ୍ସ ଓ ସାମାଜିକ ଦୂରତାରେ ଚାଲିଥିଲା ଯାତ୍ରା । ଏକାଠି ହୋଇଥିଲେ ଶତାଧିକ ଲୋକ । କୋଭିଡ ନିୟମ ଉଲ୍ଲଂଘନ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପହଞ୍ଚି ଯାତ୍ରା ବନ୍ଦ କରିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସର୍ତକ ସୂଚନା ଦିଆଯାଇଥିଲା । ବେଗୁନିଆ ବଜାରରେ ଚାଲିଥିବା ଯାତ୍ରାରେ କରୋନା କଟକଣା ନିୟମ ଉଲ୍ଲଂଘନ ଖବର ପାଇ  ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ସହ ବେଗୁନିଆ  ତହସିଲଦାର ପହଞ୍ଚି ଯାତ୍ରା ବନ୍ଦ କରିଛନ୍ତି ।

ଟ୍ରାନ୍ସଫର୍ମର ସମ୍ପୂର୍ଣ୍ଣ ପୋଡିଯାଇଥିବାରୁ ୬ଟି ସ୍ଥାନରେ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବନ୍ଦ

ଢେଙ୍କାନାଳ: ଢେଙ୍କାନାଳ କଣ୍ଟାବଣିଆ ଓପିଟିସିଏଲ ଗ୍ରୀଡ଼ରେ ଭୀଷଣ ଅଗ୍ନିକାଣ୍ଡ । ୧୦ ଟି ଅଗ୍ନିଶମ ଗାଡି ନିଆଁ ଲିଭା କାମରେ ନିୟୋଜିତ ହୋଇଛନ୍ତି । କେଉଁ କାରଣରୁ ନିଆଁ ଲାଗିଲା ଜଣାପଡିନାହିଁ । ଗ୍ରୀଡ଼ ପରିସରରୁ ସମସ୍ତ କର୍ମଚାରୀଙ୍କୁ ପଦାକୁ ବାହାର କରିଦିଆଯାଇଛି । ସୂଚନା ଅନୁସାରେ ଆଜି ସକାଳ ୭ଟାରେ ଗ୍ରୀଡ଼ ରେ ଥିବା ୩୧୫ ଏମବିଏ ମେଗା ୱାଟ୍ ଟ୍ରାନ୍ସଫର୍ମମରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା ।

ଟ୍ରାନ୍ସଫର୍ମରରୁ ଡିଜେଲ ଲିକ୍ ହୋଇ ସଟର୍ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।  ଅଗ୍ନିକାଣ୍ଡରେ ପ୍ରାୟ ୧୪କୋଟି ଟଙ୍କାର ଟ୍ରାନ୍ସଫର୍ମରଟି ସମ୍ପୂର୍ଣ୍ଣ ପୋଡିଯାଇଛି । ଟ୍ରାନ୍ସଫର୍ମମରରେ ପାଖାପାଖି ୧୨ ହଜାର ଲିଟର ଡିଜେଲ ଥିଲା  । ଯେଉଁଥିପାଇଁ ନିଆଁ କୁ ଆୟତ୍ତ କରିବା ଅସମ୍ଭାଳ ହୋଇପଡିଥିଲେ ।

ପାଖାପାଖି ୧୦ଟି ଦମକଳ ଗାଡି ସହ ୫୦ ଜଣ ଅଗ୍ନିଶମ କର୍ମଚାରୀ ଏହି ନିଆଁ କୁ ଆୟତ୍ତ ପାଇଁ ଲାଗିରହିଛନ୍ତି । କୌଣସି ଅଘଟଣକୁ ଏଡାଇବାପାଇଁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି । ଘଟଣା ପରେ ବଂରପାଳ, ତାଳଚେର, ହିନ୍ଦୋଳ, ମେରମୁଣ୍ଡଳୀ, ଗୁଣ୍ଡିଚାପଡା, ଢେଙ୍କାନାଳ ସବୁଠି ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ତେବେ କେବେ ବିଦ୍ୟୁତ୍ ଆସିବ ତାହା ଜଣାପଡିନି ।

୭ ଲକ୍ଷ ଟଙ୍କାର ବ୍ରାଉନ ସୁଗରଜବତ କଲା STF ଟିମ୍, ହୋଟେଲ ମାଲିକ ସହ କର୍ମଚାରୀ ଗିରଫ

କଟକ: ଖୋର୍ଦ୍ଧାରୁ ଆଠଗଡ଼ ଭାୟା କଟକ । ଆଠଗଡ଼ ଅଞ୍ଚଳରୁ ବ୍ରାଉନ୍‌ସୁଗାର ଜବତ ଘଟଣା । ଖୋର୍ଦ୍ଧାରୁ ଆସୁଥିଲା ଧଳାଜହର । ଅନେକ ଦିନ ଧରି ପୋଲିସର ନାକ ତଳେ ଚାଲିଥିଲା ବୋପାର । ୧୭୫ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ବ୍ରାଉନସୁଗାର ବେପାରୀ ପ୍ରଶାନ୍ତ ସାହୁ ଓ ବିକାଶ ସ୍ବାଇଁ ଉପରେ ଥିଲା ଏସ୍‌ଟିଏଫ୍‌ର ନଜର ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ । ଏହାସହ ୫ହଜାରରୁ ଅଧିକ ଟଙ୍କା ସହ ୨ଟି ମୋବାଇଲ ଜବତ ହୋଇଛି । ପୁରୁଣା କଟକ- ସମ୍ବଲପୁର ରାସ୍ତା ଆଁକୁଲାସ୍ଥିତ ପାରିଜାତ ହୋଟେଲରୁ ବ୍ରାଉନସୁଗାର ଜବତ କରାଯାଇଛି । ଗିରଫ ୨ଜଣ ହେଲେ ହୋଟେଲ ମାଲିକ ଓ କର୍ମଚାରୀ ।

ତେବେ ଏଠି ପ୍ରଶ୍ନ ଉଠୁଛି ଦୀର୍ଘ ଦିନ ହେବ ଆଠଗଡ ଅଞ୍ଚଳରେ ଏହି ଧଳା ଜହର କାରବାର ଖୁଲମଖୁଲ୍ଲା ଚାଲିଥିବା ବେଳେ କେମିତି ଟେର୍‌ ପାଉନଥିଲା ଆଠଗଡ ପୋଲିସ । ପୋଲିସ ସବୁ ଜାଣି ଏହି ବେପାରୀଙ୍କୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆଠଗଡ଼ ପୋଲିସ ଓ ଏସ୍‌ଟିଏଫ୍‌ ଅଧିକାରୀ ଅଧିକ ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ସାମ୍ନା ସାମ୍ନି ଜେରା କରୁଥିବା ଜଣାପଡ଼ିଛି ।

ସିସିଟିଭିରେ କଏଦ ହେଲା ନରହନ୍ତା ଦନ୍ତାର ବୁଲୁଥିବାର ଦୃଶ୍ୟ

ଢେଙ୍କାନାଳ: ଢେଙ୍କାନାଳ ସହର ମୁହାଁ ନରହନ୍ତା ହାତୀ । ଗତକାଲି ରାତିରେ ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପଛପାଖରେ ଦନ୍ତା ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି  । ପୂର୍ବରୁ ୩ ଲୋକଙ୍କୁ ଦଳି ଦେଇଥିବା ସୂଚନା ମିଳିଛି । ଏବେ ସହର ମୁହାଁ ହୋଇଥିବାରୁ ଲୋକେ ଆତଙ୍କିତ । ହାତୀ ଘଉଡ଼ାଇବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ସୂଚନା ଅନୁସାରେ, କିଛିଦିନ ହେବ ଗୋବିନ୍ଦପୁର ଅଞ୍ଚଳ ଓ ବେଳଟିଗିରି  ଅଞ୍ଚଳ ଗୁଡିକରେ ୩ ଲୋକଙ୍କୁ ମାରି ଆତଙ୍କ ସୃଷ୍ଟି କରିଥିଲା ଦନ୍ତା । ଏବେ ଏହି ନରହନ୍ତା ଦନ୍ତା ସହର ମୁହାଁ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକପ୍ରକାର ଭୟ ଦେଖାଦେଇଛି । ଗତକାଲି ରାତିରେ ସହରରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପଛପାଖରେ ଦନ୍ତା ବୁଲୁଥିବାର ଦୁର୍ଶ୍ୟ ସିସିଟିଭିରେ କଏଦ ହୋଇଛି । ଦୃଶ୍ୟ ସାମ୍ନାକୁ ଆସିବା ପରେ ରାତିରେ ସ୍ଥାନୀୟ ଲୋକେ ଚିନ୍ତାରେ । ତେବେ ଦନ୍ତାକୁ ଘଉଡ଼ାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।