spot_img
Home Blog Page 5994

ସାମାଜିକ ଗଣମାଧ୍ୟମକୁ ସରକାରଙ୍କ ଚେତାବନୀ: ଭାରତୀୟ ନିୟମ କାନୁନ୍‌ ମାନିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜି ସଂସଦର ପ୍ରଶ୍ନକାଳ ବେଳେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ଯଦି ସାମାଜିକ ଗଣମାଧ୍ୟମଗୁଡ଼ିକର ଅପବ୍ୟବହାରରେ ଭୁଲ୍‌ ଖବର ପ୍ରସାରଣ ଦ୍ୱାରା ହିଂସାକାଣ୍ଡକୁ ଉସୁକାଯାଏ, ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି ।

ବିଶେଷ କରି ଟ୍ୱିଟର, ଫେସ୍‌ବୁକ୍‌ ଓ ହ୍ୱାଟ୍‌ସଆପ୍‌ ପରି ସାମାଜିକ ଗଣମାଧ୍ୟମଗୁଡ଼ିକର ନାମ ଉଲ୍ଲେଖ କରି ସେ କହିଥିଲେ, ‘ଭାରତରେ ତୁମମାନଙ୍କର କୋଟି କୋଟି ଅନୁଗାମୀ ରହିଛନ୍ତି ।

ତୁମେ ବେପାର କରି ଟଙ୍କା ରୋଜଗାର କରିବାକୁ କେହି ମନା କରୁନାହାନ୍ତି। ମାତ୍ର ତୁମମାନଙ୍କୁ ଭାରତୀୟ ସମ୍ବିଧାନର ନୀତି ନିୟମ ମାନିବାକୁ ପଡ଼ିବ।’ ସେହିପରି ‘ଆମେ ସାମାଜିକ ଗଣମାଧ୍ୟମକୁ ଯଥେଷ୍ଟ ସମ୍ମାନ ଦେଉ। ଏହା ସାଧାରଣ ଲୋକଙ୍କୁ ସଶକ୍ତ କରିପାରୁଛି। ଡିଜିଟାଲ୍‌ ଭାରତ କାର୍ଯ୍ୟକ୍ରମରେ ମଧ୍ୟ ଏହି ଗଣମାଧ୍ୟମଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ତାହାର ଅପବ୍ୟବହାର ପାଇଁ ପରିଣତି ଭୋଗିବାକୁ ପଡ଼ିବ’ ବୋଲି ରବିଶଙ୍କର ସତର୍କ କରାଇ ଦେଇଛନ୍ତି ।

ତୃତୀୟ କିସ୍ତି ‘କାଳିଆ’ ଟଙ୍କା: ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର:ତୃତୀୟ କିସ୍ତିରେ ମିଳିବ ‘କାଳିଆ’ ଟଙ୍କା । ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ ଦିଆଯିବ କାଳିଆ ଟଙ୍କା । କ୍ଷୁଦ୍ର ଓ ନାମମାତ୍ର ଚାଷୀ , ଭୂମିହୀନ ଚାଷୀ ପରିବାରକୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯିବ । ଆଜି ଅପରାହ୍ନ ୫ଟାରେ ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜିଲ୍ଲାସ୍ତରରେ ଆବଶ୍ୟକ ପ୍ରକ୍ରିୟା ଶେଷ କରି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୧୮ ଡିସେମ୍ବରରେ ‘କାଳିଆ’ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା । ଦ୍ବିତୀୟ କିସ୍ତିରେ ୩୨ ଲକ୍ଷ ୫୫ ହଜାର ୬୫୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ୫ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା । ଭୂମିହୀନ ଚାଷୀଙ୍କୁ ‘କାଳିଆ ’ ସହାୟତା ବାବଦରେ ମୋଟ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ । ସେଥିପାଇଁ ତୃତୀୟ କିସ୍ତି ବାବଦରେ ଚାଷୀମାନଙ୍କୁ ବାକି ୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ ।

‘ପିଏମ୍ କିଷାନ’ ଯୋଜନାରେ ସବୁ ବର୍ଗର ଚାଷୀ ସାମିଲ ହୋଇନଥିବା ବେଳେ ‘କାଳିଆ’ ଯୋଜନାରେ ସବୁ ବର୍ଗର ଚାଷୀଙ୍କୁ ସାମିଲ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆନନ୍ଦବଜାରରେ ମହାପ୍ରସାଦ ସେବନର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ: ଲାଗୁ ହେଲା ଏସ୍ଓପି

ପରୀ ହତ୍ୟାକାଣ୍ଡ ମାମଲା: ଏଲଭିଏ ଟେଷ୍ଟ ଉପରେ ଆଜି ଶୁଣାଣି

ନୟାଗଡ଼: ବହୁଚର୍ଚ୍ଚିତ ‘ପରୀ’ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ନାବାଳକର Layered Voice Analysis( LVA) ଟେଷ୍ଟ ପାଇଁ ଆବେଦନର ଆଜି ଶୁଣାଣି ହେବ । LVA ଟେଷ୍ଟ ପାଇଁ ଆବେଦନ କରିଥିଲା SIT ।  ଗତ ଡ଼ିସେମ୍ବର ୨୦ ତାରିଖରେ ଏସ ଆଇ ଟି ସମ୍ପୃକ୍ତ ନାବାଳକକୁ ଗିରଫ କରିଥିବା ବେଳେ ୨୧ ତାରିଖରେ ନୟାଗଡ଼ ପୋକ୍ସ କୋର୍ଟରେ ହାଜର କରାଇ ୩ ଦିନିଆ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ସରିବା ପରେ ନାବାଳକକୁ ପୋକ୍ସ କୋର୍ଟରେ ହଜାର କରିବା ବେଳେ ବୟସ ପ୍ରଣାମ ପତ୍ର ଦର୍ଶାଇ ମାମଲା ଜୁଭେନାଇଲ୍ ଜଷ୍ଟିସ ବୋର୍ଡ଼କୁ ସ୍ଥାନାନ୍ତର କରାଇଥିଲ । ତେବେ ସେଠାରେ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସ ଆଇ ଟି କରିଥିବା ଆବେଦନକୁ ଅନୁମତି ଦେଇ ନଥିଲା ଜୁଭେନାଇଲ ବୋର୍ଡ । ସମ୍ପୃକ୍ତ ନାବାଳକ ରାଜି ନହେବାରୁ ବୋର୍ଡ ଅନୁମତି ଦେଇନ ଥିଲା  । ପରେ ପରେ ଏସ ଆଇଟି ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲେ ବେଳେ ଅଭିଯୁକ୍ତ ଏହାକୁ ମଧ୍ୟ ଗ୍ରହଣ କରି କରିନଥିଲା  ।  ତେବେ LVA ଟେଷ୍ଟ ପାଇଁ ବୋର୍ଡ ଅନୁମତି ଦେଉଛନ୍ତି କି ନାହିଁ ତାହା ଆଜି ସ୍ପଷ୍ଟ ହୋଇଯିବ । ଜାନୁଆରୀ 20 ରେ ପ୍ରିଲିମିନାରୀ ଆସେସମେଣ୍ଟ ଓ ସୋସିଆଲ ବ୍ୟାକଗ୍ରାଉଣ୍ଟ ଆଧାରରେ ମାମଲା ସ୍ଥାନାନ୍ତର କରାଯାଇଛି ।  ଜୁଭେନିଲେ  ଜଷ୍ଟିସ ବୋର୍ଡ଼ ଆକ୍ଟ ସେକ୍ସନ 15(3) ଅନୁସାରେ ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ସାରା ବିଶ୍ୱକୁ କବଳିତ କରିପାରେ କରୋନାର ୧.୧.୭ ଷ୍ଟ୍ରେନ୍: ୭୦ ପ୍ରତିଶତ ଅଧିକ ସଂକ୍ରମିତ ହୁଏ

ମଧ୍ୟପ୍ରଦେଶ ପୋଲିସ ମୁଖ୍ୟାଳୟରେ ଶୋଭାପାଇବ କୁଖ୍ୟାତ ଡାକୁମାନଙ୍କ ଫଟୋଚିତ୍ର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭିନ୍ଦ୍‌ସ୍ଥିତ ପୁଲିସ ମୁଖ୍ୟାଳୟରେ କୁଖ୍ୟାତ ଡାକୁମାନଙ୍କୁ ଆଧାର କରି ଏକ ଅଭିନବ ଯାଦୁଘର ବା ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଫୁଲନ୍‌ ଦେବୀ, ନିର୍ଭୟ ଗୁଜ୍ଜର୍‌ଙ୍କ ଭଳି ଡାକୁମାନଙ୍କ ବ୍ୟବହୃତ କେତେକ ନିଆରା ସାମଗ୍ରୀ ସହ ବଲିଉଡ୍‌ ସିନେମା ‘ଚମ୍ବଲ୍‌ କେ ଡାକୁ’ ଚଳଚ୍ଚିତ୍ର ନିର୍ମାଣ ସମୟର ସ୍ଥିରଚିତ୍ର ଶୋଭା ପାଇବ।

ସୂଚନା ଅନୁସାରେ, ରାଜ୍ୟର ଚମ୍ବଲ୍‌ ବେଲ୍‌ଟ୍‌ରେ ଅବସ୍ଥିତ ଏହି ପୁଲିସ ଯାଦୁଘର ବା ସଂଗ୍ରହାଳୟରେ ଡାକୁମାନଙ୍କ ସମ୍ବନ୍ଧୀୟ ଅନ୍ୟ କେତେକ ସାମଗ୍ରୀ ମଧ୍ୟ ରହିବ। ସୂଚନାଯୋଗ୍ୟ, ଚମ୍ବଲ୍‌ରେ ଦେଶର ଅଧିକାଂଶ କୁଖ୍ୟାତ ଡକାୟତ ରହୁଥିଲେ।

ଭିନ୍ଦ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମନୋଜ କୁମାର କହିଛନ୍ତି ଯେ, ଡାକୁମାନଙ୍କୁ ପ୍ରଶଂସା କରିବା କିମ୍ବା ସମ୍ମାନ ପ୍ରଦର୍ଶନ କରିବା ଏହି ଯୋଜନାର ଉଦ୍ଦେଶ୍ୟ ନୁହେଁ। ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କର ଅପରାଧକୁ ସୁସ୍ପଷ୍ଟ କରି ପ୍ରଦର୍ଶନ କରାଇବା ଏବଂ ସେମାନଙ୍କୁ ପ୍ରତିହତ କରିବାକୁ ପୁଲିସର ଆତ୍ମବଳି ଗୁରୁତ୍ୱ ଦେବା।

ଏହି ଯାଦୁଘରେ ଗତ ପାଞ୍ଚ ଦଶନ୍ଧି ଧରି ସଙ୍କଳିତ ହୋଇଥିବା ଅନ୍ୟୂନ ୨୦୦୦ ଡିଜିଟାଇଜ୍‌ଡ୍‌ ପୁଲିସ ରେକର୍ଡ ରହିବ। ଏଥିରେ ଡାକୁମାନେ କରିଥିବା ନରହତ୍ୟା, ଲୁଟ୍‌ ଏବଂ ଅପହରଣ ଆଦିର ରେକର୍ଡ ରହିଛି । ସେମାନଙ୍କର ଏହି ଅପକର୍ମ ଯୋଗୁଁ ଚମ୍ବଲ ଅଞ୍ଚଳ ଦେଶରେ ବଦନାମ ହୋଇଥିଲା ବୋଲି ସେ କହିଛନ୍ତି ।

ଭିନ୍ଦ୍‌ ଥାନା ମୁଖ୍ୟାଳୟର ୪ଟି କୋଠରିରେ ଏହି ଯାଦୁଘର ସ୍ଥାପନ ହେବ। ଡକାୟତମାନଙ୍କ ସହ ଲଢ଼ି ପ୍ରାଣ ହରାଇଥିବା ୨୮ଜଣ ପୁଲିସ କର୍ମଚାରୀଙ୍କ ସହ ସାହସିକ ପୁରସ୍କାର ପ୍ରାପ୍ତ ଅନ୍ୟ ୩୦ଜଣ ପୁଲିସ ଓ ସାହସିକତା ପ୍ରଦର୍ଶନ କରି ପଦୋନ୍ନତି ପାଇଥିବା ଅନ୍ୟ ପୁଲିସ କର୍ମଚାରୀମାନଙ୍କ ଫଟୋ ଏଠାରେ ରହିବ। ଏହି ଯାଦୁଘର ନିମନ୍ତେ ୨୬ଟି ଥାନାରୁ ସମୁଦାୟ ୩ ଲକ୍ଷରୁ ଅଧିକ ଅର୍ଥ ଆଦାୟ ହୋଇଛି ।

ଚାକିରି ନାଁରେ ଠକେଇ ମାମଲା: ଦିନିକିଆ ରିମାଣ୍ଡରେ ଗଲେ ପାଠକ ବାପା-ପୁଅ

ବ୍ରହ୍ମପୁର: ଦିନିକିଆ ରିମାଣ୍ଡରେ ଗଲେ ଅଭୟ ପାଠକ ଓ ପୁତ୍ର ଆକାଶ ପାଠକ । ନିଯୁକ୍ତି ନେଇ ଠକେଇ ମାମଲାରେ ଉଭୟ ବାପା-ପୁ୍ଅଙ୍କୁ ରିମାଣ୍ଡ ଅନୁମତି ଦେଇଛନ୍ତି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ । ଗୋପାଳପୁର ବନ୍ଦରରେ ନିଯୁକ୍ତି ନେଇ ଠକେଇ ମାମଲା । ଗୋଳନ୍ଥରା ଥାନା ପୋଲିସ ରିମାଣ୍ଡରେ ନେଇଛି  ।

ସୂଚନା ଯୋଗ୍ୟ,  ଟାଟାର ଜାଲ୍ ଆଇଡି କାର୍ଡ, ଭିଜିଟିଂ କାର୍ଡ, ଇମେଲ୍ ଆଇଡି କରି ଲୋକଙ୍କୁ ଭୁଆଁ ବୁଲାଉଥିଲେ ଆକାଶ ପାଠକ । ଚାକିରି ନାଁରେ ଭାବି ଶ୍ୱଶୁର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗରେ ଆଦାୟ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏପରିକି ଜାଲ୍ ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଅନ୍‌ଲାଇନ୍‌ରେ ଟ୍ରେନିଂ ବି ଦିଆଯାଇଥିଲା । ଭାବି ଜ୍ୱାଇଁଙ୍କ ମିଛ ଉପରେ ସତର ଖୋଳପା ମଡ଼ାଉଥିଲେ ପ୍ରଦୀପ ପାଣିଗ୍ରାହୀ । ଆକାଶଙ୍କ ପିଏସ୍‌ ପିଟରଙ୍କୁ ଜେରା ବେଳେ ଏନେଇ ଖୁଲାସା ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ସ୍କାଏକିଙ୍ଗ୍ ଠକେଇ ମାମଲା, SDJM କୋର୍ଟରେ ହାଜର ହେଲେ ଅଭୟକାନ୍ତ

ଶ୍ୱାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ

ଅନୁଗୁଳ: ତାଳଚେର ସାନଜୋରଡ଼ା ଗାଁରେ ଅଭାବନୀୟ ଘଟଣା । ଶ୍ବାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କ  ମୃତ୍ୟୁ । ମୃତକ ହେଲେ ଦୁଃଖବନ୍ଧୁ ସାହୁ ଓ ପାଞ୍ଚାଳି ସାହୁ । ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ଫ୍ୟାନରେ ସଟସର୍କିଟରୁ ଲାଗିଥିଲା ନିଆଁ । ନିଆଁ ଲାଗି ଘର ସାରା ଧୂଆଁ ମୟ ହୋଇଯାଇଥିଲା । ଫଳରେ ଘରଭିତରେ ଶୋଇଥିବା ବୃଦ୍ଧ ଦମ୍ପତି ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିିଳିଛି ।

ଏଥିସହିତ ପଢ଼ନ୍ତୁ: ବସ୍ ଚାପାରେ ଯୁବକଙ୍କ ମୃତ୍ୟୁ: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଏହି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା RBI, ୬ ମାସ ପର୍ଯ୍ୟନ୍ତ ଗ୍ରାହ ଉଠାଇପାରିବେନି ଟଙ୍କା

0

ନୂଆଦିଲ୍ଲୀ:  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଉ ଏକ ସମବାୟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ନାଶିକର ଇଣ୍ଡିପେଣ୍ଡେନ୍ସ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ଉପରେ ଆରବିଆଇ ପ୍ରତିବନ୍ଧକ ଲଗାଇଛି। ପିଟିଆଇ ଅନୁଯାୟୀ ବ୍ୟାଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ଆରବିଆଇ ଏହା ଉପରେ ସତର୍କତା ଅବଲମ୍ବନ କରି ପ୍ରତିବନ୍ଧକ ଲଗାଇଛି। ଏହି ପ୍ରତିବନ୍ଧକ ଲାଗିବାପରେ ବ୍ୟାଙ୍କ ଆକାଉଣ୍ଟଧାରୀମାନଙ୍କୁ ଆଉ ଟଙ୍କା ଉଠାଇବାକୁ ଅନୁମତି ଦିଆଯିବ ନାହିଁ। ଅର୍ଥାତ ଗ୍ରାହକ ଆଉ ଟଙ୍କା ଉଠାଇପାରିବେ ନାହିଁ।

ଏଥି ସହିତ, ଇଣ୍ଡିପେଣ୍ଡେନ୍ସ କୋ-ଅପରେଟିଭ୍ ବ୍ୟାଙ୍କର ପ୍ରାୟ ୯୯.୮୮ ପ୍ରତିଶତ ଆକାଉଣ୍ଟଧାରୀ ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି ନିଗମର ବୀମା କଭର ପାଇଁ ଯୋଗ୍ୟ ଅଟନ୍ତି। ଏହି ବୀମା କଭର ଯୋଜନାରେ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଜମା ଉପରେ ବୀମା କଭର ପ୍ରଦାନ କରିଥାଏ। କିନ୍ତୁ ଆରବିଆଇ ଦ୍ୱାରା ୬ ମାସ ପାଇଁ ପ୍ରତିବନ୍ଧକ ଲଗାଯାଇଛି। ଏହି ଆଦେଶ ଫେବୃଆରୀ ୧୦ ଠାରୁ ଲାଗୁ ହୋଇଛି ।

ଏହି ନିଷେଧାଦେଶ ପରେ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ସମ୍ପର୍କରେ ଆରବିଆଇ କିଛି ନିର୍ଦ୍ଦେଶ ଜାରି କରିଛି। ଯେଉଁଥିରେ ବ୍ୟାଙ୍କର ଆକାଉଣ୍ଟଧାରୀମାନଙ୍କୁ ବ୍ୟାଙ୍କର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ସଞ୍ଚୟ କିମ୍ବା ଚାଲୁଥିବା ଆକାଉଣ୍ଟରେ ଟଙ୍କା ଜମା ଏବଂ ଉଠାଇବାକୁ ଦିଆଯିବ ନାହିଁ। ଏହା ସହିତ ଆରବିଆଇ ଏହାର ଆଦେଶରେ କହିଛି ଯେ ଆକାଉଣ୍ଟଧାରୀମାନେ କିଛି ନିୟମ ଏବଂ ସର୍ତ୍ତ ଅନୁଯାୟୀ ଋଣ ପରିଶୋଧ କରିପାରିବେ। କେବଳ ଏତିକି ନୁହେଁ,  ନୂତନ ପୁଞ୍ଜି ବିନିଯୋଗ, ବିପୁଳ ପରିମାଣର ଦେୟ ଏବଂ ଋଣ ଦେବା ପାଇଁ ବି ବ୍ୟାଙ୍କ ଅଧିକାରୀଙ୍କ ଅଧିକାର ରହିବ ନାହିଁ। ଆରବିଆଇ ସ୍ପଷ୍ଟ ଭାବେ କହିଛି ଯେ ଯେପର୍ଯ୍ୟନ୍ତ ବ୍ୟାଙ୍କର ଆର୍ଥିକ ସ୍ଥିତି ସୁଧୁରିବ ନାହିଁ ସେ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି ରହିବ।

ଦିନରେ ପାଠ ପଢୁଥିଲେ, ସନ୍ଧ୍ୟାରେ ବାସନ ମାଜୁଥିଲେ… ଜଣେ ରିକ୍ସା ଚାଳକ ଝିଅ ସାଜିଲେ ମିସ୍ ଇଣ୍ଡିଆ ରନର୍ସ ଅପ୍

Femina Miss India 2020: ଭାରତକୁ ମିଳିଲା ନୂଆ ମିସ ଇଣ୍ଡିଆ । ୨୩ ବର୍ଷୀୟା ମାନସା ବାରଣାସୀ ହାସଲ କରିଛନ୍ତି ଫେମିନା ମିସ ଇଣ୍ଡିଆ ୨୦୨୦ର ଟାଇଟଲ । ଖୁବ କମ ବୟସରେ ଏହି ବଡ଼ ସଫଳତା ହାସଲ କରିଛନ୍ତି ମାନସା । ଫେମିନା ମିସ୍ ଇଣ୍ଡିଆର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଟପ୍ ୩ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ମାନସା ବାରଣାସୀ ମିସ ଇଣ୍ଡିଆର ତାଜ ପିନ୍ଧିଥିବାବେଳେ, ମାନ୍ୟା ସିଂହ ଫାଷ୍ଟ ରନର୍ସଅଫ୍ ଏବଂ ମାଣିକା ଶିଓକାନ୍ଦ ଥାର୍ଡ ରନର୍ସଅଫ୍ ର ସ୍ଥାନ ପାଇଛନ୍ତି ।

ମିସ ଇଣ୍ଡିଆ ୨୦୨୦ ଟାଇଟଲ ହାସଲ କରିଥିବା ମାନସା ବାରଣାସୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କିନ୍ତୁ ଏହି ପ୍ରତିଯୋଗିତାରରେ ଫାଷ୍ଟ ରନର୍ସଅଫ ହୋଇଥିବା ମାନ୍ୟା ସିଂହଙ୍କ କାହାଣୀ ପ୍ରତ୍ୟେକଙ୍କୁ ପ୍ରେରଣା ପ୍ରଦାନ କରୁଛି ।

ସ୍ୱପ୍ନକୁ ଶାକାର କରିବାର ଏକମାତ୍ର ଉପାୟ ହେଉଛି ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ କଠିନ ପରିଶ୍ରମ । ନିଷ୍ଠା ଓ ବିଶ୍ୱାସ ସହିତ ସଂଘର୍ଷ ହିଁ ଆପଣଙ୍କୁ ସଫଳତାର ଶିଖରକୁ ପହଞ୍ଚାଇଥାଏ । ଏହି ଉକ୍ତିକୁ ପ୍ରମାଣ କରିଛନ୍ତି ଉତ୍ତର ପ୍ରଦେଶର ମାନ୍ୟା ସିଂହ । ଜଣେ ରିକ୍ସା ଡ୍ରାଇଭରର ଝିଅ ମାନ୍ୟା ନିଜ ଅଦମ୍ୟ ଚେଷ୍ଟାରେ ହାସଲ କରିଛନ୍ତି ଫେମିନା ମିସ ଇଣ୍ଡିଆ ୨୦୨୦ର ଫାଷ୍ଟ ରନର୍ସ ଅପ୍ ଟାଇଟଲ ।

ମିସ୍ ଇଣ୍ଡିଆରେ ମାନ୍ୟା ସିଂହଙ୍କ ଯାତ୍ରା ଏତେଟା ସହଜ ନଥିଲା । ଖୋଦ ମାନ୍ୟା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଜଣେ ରିକ୍ସା ଚାଳକ ଝିଅର ମିସ ଇଣ୍ଡିଆ ଷ୍ଟେଜ୍ ପର୍ଯ୍ୟନ୍ତ ଥିବା ସଂଘର୍ଷର କାହଣୀ ।

ମାତ୍ର ୧୪ ବର୍ଷ ବୟସରେ ଘରଛାଡ଼ି ଚାଲିଯାଇଥିଲେ ମାନ୍ୟା । ଯେନତେନ ପ୍ରକାରେ ନିଜ ଶିକ୍ଷା ସମାପ୍ତ କରିଥିଲେ । ପାଖରେ ଟଙ୍କା ନଥିବାରୁ ମାନ୍ୟା ସକାଳେ ପାଠ ପଢ଼ି ସନ୍ଧ୍ୟାରେ ବାସନ ମାଜିବା କାମ କରୁଥିଲେ ଏବଂ ରାତିରେ ଏକ କଲ୍ ସେଣ୍ଟରରେ କାମ କରୁଥିଲେ । ବସ, ଅଟୋ ଭଡ଼ା ଟଙ୍କା ବଞ୍ଚାଇବା ପାଇଁ ମାଇଲ ମାଇଲ ରାସ୍ତା ଚାଲି ଯିବା ଆସିବା କରୁଥିଲେ । ଏମିତିକି ଅନେକ ରାତି ସେ ନଖାଇ ନପିଇ ରାତିରେ ଶୋଇଥିବା ସେ କହିଛନ୍ତି ।

ଡିଗ୍ରୀ ହାସଲ କରିବା ପାଇଁ ମାନ୍ୟାଙ୍କ ପାଖରେ ଆବଶ୍ୟକ ଟଙ୍କା ନଥିଲା । ତେଣୁ ଗହଣା ବନ୍ଧା ପକାଇ ବାପାମାଆ ତାଙ୍କ ଡିଗ୍ରୀ ପରୀକ୍ଷା ପାଇଁ ଫିସ୍ ଦେଇଥିବା ମାନ୍ୟା କହିଛନ୍ତି । ମାନ୍ୟାଙ୍କ ସଂଘର୍ଷମୟ ଜୀବନରେ ମାଆଙ୍କ ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଟଙ୍କା ନଥିବାରୁ ନିଜ ଡ୍ରେସ ନିଜେ ସିଲେଇ କରିଥିଲେ ମାନ୍ୟା ।

ମିସ ଇଣ୍ଡିଆର ମଞ୍ଚ ଉପରେ ଠିଆ ହୋଇ ନିଜ ପରିବାରବର୍ଗଙ୍କୁ ଧନ୍ୟବାଦ ଦେଇଛନ୍ତି ମାନ୍ୟା । ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆପଣ ଯଦି ପ୍ରତିଜ୍ଞାବଦ୍ଧ ତେବେ କୌଣସି ବାଧାବିଘ୍ନ ଆପଣଙ୍କୁ ଅଟକାଇପାରିବ ନାହିଁ ବୋଲି ସେ କହିଛନ୍ତି ।

ଆନନ୍ଦବଜାରରେ ମହାପ୍ରସାଦ ସେବନର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ: ଲାଗୁ ହେଲା ଏସ୍ଓପି

0

ପୁରୀ: ଆଜିଠୁ ଆନନ୍ଦବଜାରରେ ମହାପ୍ରାସଦ ସେବନ କରିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ  । ଏନେଇ ଲାଗୁ ହୋଇଛି ନୂଆ ଏସଓପି  । ସେହିପରି ପାନ ଗୁଟଖା ଆଇନ କଡ଼ାକଡ଼ି ଲାଗୁ  କରାଯାଇଛି  । ପାନଗୁଟଖା ଖାଇ ଧରାପଡିଲେ ଏକ ହଜାର ଟଙ୍କା ତଣ୍ଡ ଗଣିବେ  । ସ୍ବତନ୍ତ୍ର ସ୍କ୍ବାଡ ଏହାର ଯାଞ୍ଚ କରିବ  । ଏଣିକି ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର କଲେ ୧୦୦ ଟଙ୍କା ଜରିମାନା ଦେବାକୁ ପଡିବ  । ସିଂହଦ୍ଵାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି  । ସେହିପରି ଦୀପଦାନ ପାଇଁ ଡେଜିଂନେଟେଡ ପ୍ଲେସର ବ୍ୟବସ୍ଥା କରାଯାଇଛି  । ଦର୍ଶନ ବ୍ୟବସ୍ଥାରେ ପୁରୀବାସୀଙ୍କ ପାଇଁ ଆଉ ରହିବନି ସ୍ୱତନ୍ତ୍ର ବ୍ୟବସ୍ଥା। ଅନ୍ୟପଟେ ସାନିଟାଇଜେସନ ପାଇଁ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର | ଆସନ୍ତା ରବିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ପଦ୍ମବେଶ ଦର୍ଶନ ଅନୁଷ୍ଠିତ ହେବ  । ସପ୍ତାହକୁ ୩ଦିନ ଦର୍ଶନ ପରେ ଶ୍ରୀମନ୍ଦିରର ସାନିଟାଇଜ କରାଯିବ  ।   । ଗତ ୧୦ତାରିଖ ରେ ଏସ୍ଓପି କୋହଳ ନେଇ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି  ।

ଏଥିସହିତ ପଢ଼ନ୍ତୁ: ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପ୍ରତିବାଦ ଚେତାବନୀ: NMAକୁ ଚିଠି ଲେଖିଲେ ଖାେର୍ଦ୍ଧା ଜିଲ୍ଲାପାଳ

ବସ୍ ଚାପାରେ ଯୁବକଙ୍କ ମୃତ୍ୟୁ: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

0

ଜଗତସିଂହପୁର: ଯୋଗଧାରୀଠାରେ ଯୁବକଙ୍କୁ ଚାପି ଦେଲା ବସ୍  ।  ଘଟଣାସ୍ଥଳରେ ଯୁବକଙ୍କ ମୃତ  । ବସଟି ଅସ୍ତରଙ୍ଗରୁ ପାରାଦ୍ବୀପ ଯାଉଥିଲା ବେଳେ ଦୁର୍ଘଟଣା  । ଯୁବକଙ୍କ ମୃତ୍ୟୁକୁ ନେଇ ଯୋଗଧାରି ଠାରେ ଉତେଜନା ଦେଖାଦେଇଛି  । ଉତ୍ତ୍ୟକ୍ତ ଲୋକେ ଜଗତସିଂହପୁର- ବାଲିକୁଦା ରାସ୍ତାକୁ ଅବରୋଧ କରିଛନ୍ତି  । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ବସକୁ ଅଟକ ରଖି ତଦନ୍ତ ଜାରି ରଖିଛି  । ଅପରପକ୍ଷରେ ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି  । ମିଳିଥିବା ସୂଚନା ମୁତାବକ ବସ୍‌ଟିକୁ ସ୍ଥାନୀୟ ଲୋକେ ଅଟକ ରଖିବା ସହ କ୍ଷତିପୂରଣ ଦାବି କରିଛନ୍ତି ମୃତକଙ୍କ ପରିବାର ।

ଅପରପକ୍ଷରେ ଲମତାପୁଟ ମାଛକୁଣ୍ଡ କାଡ଼ାମ୍ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ପିକଅପ୍ ଭ୍ୟାନ୍ ଓଲଟି ୪ ଗୁରୁତର । ସମସ୍ତ ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ମାଛକୁଣ୍ଡ ପୋଲିସ ଷ୍ଟେସନ କାଡାମ ନିକଟରେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା ପିକଅପ୍ ଭ୍ୟାନ୍ । କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡିଥିଲା ପିକଅପ୍ । ଗାଡିରେ ମୋଟ ୯ଜଣ ଥିବାବେଳେ ସମସ୍ତେ ବିଶାଖାପାଟଣା ଅଞ୍ଚଳର । ସମସ୍ତେ ଝାରସୁଗୁଡା କୋଲମାଇନରେ କାମ କରିବାକୁ ଯାଉଥିବାବେଳେ ଦୁର୍ଘଟଣା ହୋଇଛି ।

ଏଥିସହିତ ପଢ଼ନ୍ତୁ: ସାରା ବିଶ୍ୱକୁ କବଳିତ କରିପାରେ କରୋନାର ୧.୧.୭ ଷ୍ଟ୍ରେନ୍: ୭୦ ପ୍ରତିଶତ ଅଧିକ ସଂକ୍ରମିତ ହୁଏ