spot_img
Home Blog Page 608

ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ : ଆହୁରି ୩ ଦିନ ରାଜ୍ୟରେ ବର୍ଷା । କାରଣ ପଶ୍ଚିମବଙ୍ଗ ପାଖାପାଖି ଥିବା ଲଘୁଚାପ କ୍ଷେତ୍ର କାଲି ସୁଦ୍ଧା ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡକୁ ଗତି କରିବ । ତେଣୁ ଆଗାମୀ ୨୪ ଘଣ୍ଟାରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୧୭ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। ସେହିପରି ୪ ତାରିଖ ଯାଏଁ ଅତିରୁ ଅତି ପ୍ରବଳ ବର୍ଷା ହେବ। ତେଣୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ କୁହାଯାଇଛି। ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ୧୦ ଟି ସ୍ଥାନରେ ହୋଇଛି ପ୍ରବଳ ବର୍ଷା।

ଆଜିଠୁ ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ । ବର୍ମିଂହାମରେ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ମ୍ଯାଚ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚ ୱିକେଟରେ ହାରିଥିବାରୁ ଚାପରେ ଶୁବମନ ଗିଲଙ୍କ ଯୁବ ବାହିନୀ । ବର୍ମିଂହାମରେ ଭାରତ ଇଂଲଣ୍ଡ ବିରୋଧରେ କେବେ ବିଜୟୀ ହୋଇ ଥିବାବେଳେ ଦଳପାଇଁ ଏବେ ବୋଲିଂ ମୁଖ୍ୟ ସମସ୍ୟା ପାଲଟିଛି । ଭାରତର ପ୍ରମୁଖ ପେସ୍ ବୋଲର ଯଶପ୍ରିତ ବୁମରା ନ ଖେଳିବା ଚର୍ଚ୍ଚା ହେଉଛି । ଲିଡସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଯଶପ୍ରିତଙ୍କ ବୋଲିଂ କାରଣରୁ ପ୍ରଥମ ପାଳିରେ ୬ ରନରେ ଆଗୁଆ ଥିଲା ଭାରତ । କିନ୍ତୁ ଦ୍ବିତୀୟ ପାଳିରେ ବୋଲର ପ୍ରଭାଭଶୂନ୍ଯ ରହିବା କାରଣରୁ ସୁଯୋଗ ହାତଛଡ଼ା କରିଥିଲା ଟିମ୍ ଇଣ୍ଡିଆ । ବର୍ମିଂହାମରେ ବୁମରାଙ୍କ ସ୍ଥାନ ନେଇପାରନ୍ତି ବାମହାତୀ ଅର୍ଶଦୀପ ସିଂ । ବର୍ମିଂହାମରେ ୧୯୬୭ରୁ ଆରମ୍ଭ କରି ୮ଟି ଟେଷ୍ଟ ଖେଳିଛି ଭାରତ । ୭ଟିରେ ପରାସ୍ତ ହୋଇଥିବାବେଳେ ଗୋଟିଏ ଡ୍ର ରହିଛି । ତେଣୁ ଏଠାରେ ଗିଲ ବାହିନୀ ବିଜୟୀ ହୋଇ ଭାରତର ୫୮ ବର୍ଷର ପରାଜୟ ଧାରା ଭାଙ୍ଗିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।

ଆଜି ଅନୁଷ୍ଠିତ ହେବ ତିନି ରଥର ଦକ୍ଷିଣମୋଡ

ନନ୍ଦିଘୋଷ ବ୍ୟୁରୋ : ଅନୁଷ୍ଠିତ ହୋଇଛି ହେରା ପଞ୍ଚମୀ ନୀତି। କେବଳ ଭାଇ ଭଉଣୀଙ୍କୁ ନେଇ ଶ୍ରୀଜଗନ୍ନାଥ ଜନ୍ମବେଦୀକୁ ଆସିଥିବାରୁ ମହାଲକ୍ଷ୍ମୀ ଅଭିମାନ କରିଥିଲେ। ସେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଫେରିବା ବେଳେ ରାଗରେ ନନ୍ଦିଘୋଷ ରଥର ନାକଚଣା ବି ଭାଙ୍ଗି ଦେଇଛନ୍ତି। ଏହା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବାର ମନସ୍ଥ କରିଛନ୍ତି। ସେଥିପାଇଁ ଆଜି ଅନୁଷ୍ଠିତ ହେବ ତିନି ରଥର ଦକ୍ଷିଣମୋଡ । ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ସରିବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥ ନିକଟକୁ ବିଜେ କରିବ । ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରୁ ନାକଚଣା ଦ୍ଵାରକୁ ଅଣାଯିବ।ଏଥିସହ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି । ଗତକାଲି ହୋଇଥିଲା ହେରା ପଞ୍ଚମୀ ନୀତି। ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ମହାଲକ୍ଷ୍ମୀ ଅଭିମାନରେ ଫେରିଥିବାରୁ ପ୍ରଭୁଙ୍କ ନିର୍ଦେଶରେ ବାହୁଡା ଯାତ୍ରା ପାଇଁ ତିନି ରଥର ଦକ୍ଷିଣମୋଡ କରାଯାଇଥାଏ । ରଥର ମୁଖ୍ୟ ମହାରଣା,ଭୋଇ ସେବକଙ୍କ ଉପସ୍ଥିତିରେ ରଥ ତଦାରଖ କମିଟି,ଶ୍ରୀମନ୍ଦିର ପ୍ରଶାସନର ଯନ୍ତ୍ରୀ,ପୂର୍ତ୍ତବିଭାଗର ଯନ୍ତ୍ରୀ ମିଳିତ ଭାବେ ତିନ ରଥର ଯାଞ୍ଚ କରିଥିଲେ । ଆବଶ୍ୟକ ଛୋଟ ମୋଟ ମରାମତି ମଧ୍ୟ କରାଯାଇଛି ।

ଆଜି ସରୁଛି କଣ୍ଟ, ଦୃଢ ପଦକ୍ଷେପ ନେଇପାରନ୍ତି ରାଜ୍ୟ ଓଏଏସ୍ ସଂଘ

ନନ୍ଦିଘୋଷ ବ୍ୟୁରୋ : ଆଜି ସରୁଛି କଣ୍ଟ । ଦୃଢ ପଦକ୍ଷେପ ନେଇପାରନ୍ତି ରାଜ୍ୟ ଓଏଏସ୍ ସଂଘ । ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡକୁ ଗିରଫ କରିବାକୁ ଦାବି କରିଛି ସଂଘ । ଗତକାଲିଠୁ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ସମୁହ ଛୁଟିରେ ଓଏଏସ୍ ଅଧିକାରୀ । ସେପଟେ ଓଏଏସ ଅଧିକାରୀଙ୍କ ଅନୁପସ୍ଥିତିରେ ରଥଯାତ୍ରା ଓ ପ୍ରଶାସନ କାର୍ଯ୍ୟ ଚାଲିବାରେ ବାଧାସୃଷ୍ଟି ହେବା ନେଇ ଆଶଙ୍କା ଉପୁଜିଛି । ଏପରିକି ଜିଲ୍ଲା ସ୍ରତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ଟ୍ରେଜେରି କାର୍ଯ୍ୟ, ସରକାରଙ୍କ ରାଜସ୍ବ ସଂଗ୍ରହ ନେଇ ଅଚଳାବସ୍ତା ସୃଷ୍ଟି ହୋଇପାରେ । ଗତକାଲି ସୁଦ୍ଧା ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି । ହେଲେ ମୁଖ୍ୟ ଷଡଯନ୍ତ୍ରକାରୀ ଯେଉଁ ପର୍ଯ୍ୟନ୍ତ ଗିରଫ ନହୋଇଛନ୍ତି, ସେ ପର୍ଯ୍ୟନ୍ତ ଦାବିରୁ ଓହରିବେ ନାହିଁ ବୋଲି ସଂଘ ସ୍ପଷ୍ଟ କରିଛି ।

 

ସାପ ଧରି ହସ୍ପିଟାଲରେ ପହଞ୍ଚିଲେ ସ୍ତ୍ରୀ । କହିଲେ, ଏହି ସାପ ହିଁ ସ୍ବାମୀଙ୍କୁ କାମୁଡିଛି

ଲକ୍ଷ୍ନୌ :  ଉତ୍ତର ପ୍ରଦେଶର ମହୋବାରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ସାପ କାମୁଡ଼ିବା ପରେ ଚିକିତ୍ସା ପାଇଁ ନେଇଥିଲେ। ହସ୍ପିଟାଲରେ ସେ ତାଙ୍କ ସ୍ୱାମୀଙ୍କୁ ଚିକିତ୍ସା କରିବାକୁ ଡାକ୍ତରଙ୍କୁ କହିଥିଲେ। ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ କାମୁଡ଼ିଥିବା ସାପକୁ ମଧ୍ୟ ହସ୍ପିଟାଲକୁ ନେଇ ଯାଇଥିଲେ। ମହିଳା ଜଣକ ବିଶ୍ୱାସ କରିଥିଲେ ଯେ ଯଦି ଡାକ୍ତର ଜାଣିପାରନ୍ତି ଯେ ତାଙ୍କୁ କେଉଁ ସାପ କାମୁଡ଼ିଛି, ତେବେ ତାଙ୍କ ସ୍ୱାମୀଙ୍କ ଭଲ ଚିକିତ୍ସା ହୋଇପାରିବ।

ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ମହୋବାର ପାନୱାଡି ଭିକାଖଣ୍ଡରେ ଘଟିଛି । ଯେଉଁଠାରେ ଘଟେଭରା ନାମକ ଏକ ଗାଁରେ ୫୨ ବର୍ଷୀୟ ହରଗୋବିନ୍ଦଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ହରଗୋବିନ୍ଦ ଯେତେବେଳେ ଗୋରୁ ଗୁହାଳରେ କାମ କରୁଥିଲେ, ସେତେବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ଯେତେବେଳେ ସାପ ତାଙ୍କୁ କାମୁଡ଼ିଲା, ହରଗୋବିନ୍ଦ ଚିତ୍କାର କରି ପାଖରେ ପଡ଼ିଥିବା ଏକ ବାଡ଼ି ସାହାଯ୍ୟରେ ସାପକୁ ମାରିଦେଲେ। ସାପ କାମୁଡ଼ିବା ପରେ, ହରଗୋବିନ୍ଦଙ୍କ ସ୍ତ୍ରୀ ରାମଧାକେଲି ଚିତ୍କାର ଶୁଣି ତାଙ୍କ ସ୍ୱାମୀଙ୍କ ପାଖକୁ ଦୌଡ଼ି ଯାଇଥିଲେ।

ସ୍ତ୍ରୀ ତୁରନ୍ତ ପଡ଼ୋଶୀମାନଙ୍କୁ ଡାକିଲେ, ଗାଁର ଜଣେ ସାପଧରାଳୀଙ୍କୁ ମଧ୍ୟ ଡକାଗଲା ଯିଏ ବିଷ ବାହାର କରିବାକୁ ଚେଷ୍ଟା କଲେ। ଯେତେବେଳେ ତାଙ୍କ ସ୍ୱାମୀଙ୍କୁ କୌଣସି ଉପଶମ ମିଳିଲା ନାହିଁ, ତାଙ୍କ ସ୍ତ୍ରୀ ପଡ଼ୋଶୀଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନା ନେଇଗଲେ। ଯେତେବେଳେ ଡାକ୍ତର ତାଙ୍କୁ ପରୀକ୍ଷା କରିବାକୁ ଡାକ୍ତରଖାନା ଆସିଲେ ।ସେ ତୁରନ୍ତ ହରଗୋବିନ୍ଦଙ୍କୁ ଆଇସିୟୁରେ ଭର୍ତ୍ତି କଲେ ଓ ତାଙ୍କର ଚିକିତ୍ସା ଆରମ୍ଭ କଲେ। ଏହି ସମୟରେ, ରାମଧାକେଲି ଡାକ୍ତରଙ୍କୁ ଡାକିଲେ। ଯେତେବେଳେ ଡାକ୍ତର ରାମଧାକେଲିଙ୍କୁ ଦେଖିଲେ, ସେ ତାଙ୍କ ହାତରେ ସେହି ସାପଟିକୁ ଧରିଥିଲେ ଯାହା ତାଙ୍କ ସ୍ୱାମୀଙ୍କୁ କାମୁଡ଼ିଥିଲା।

ଯେତେବେଳେ ରାମଧାକେଲିଙ୍କୁ ସାପ ଆଣିବାର କାରଣ ପଚରାଗଲା । ସେ କହିଲେ, କେଉଁ ସାପ ସ୍ବାମୀଙ୍କୁ କାମୁଡିଛି ତାହା ଡାକ୍ତର ଜାଣିବା ପାଇଁ ସେ ନେଇଆସିଛନ୍ତି । ଯାହା ଫଲରେ ସ୍ବାମୀଙ୍କ ଜିକିତ୍ସା ଆହୁରି ଭଲ ହେବ  । ସେଥିପାଇଁ ରାମଧାକେଲି ମୃତ ସାପଟିକୁ ଏକ ବ୍ୟାଗରେ ନିଜ ସହିତ ନେଇଗଲେ। ରାମଧାକେଲିଙ୍କ ହାତରେ ସାପକୁ ଦେଖି ସମଗ୍ର ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା। ତଥାପି, ଏହି ସମୟରେ କିଛି ଲୋକ ତାଙ୍କ ସ୍ୱାମୀଙ୍କ ପ୍ରତି ତାଙ୍କର ପ୍ରେମ ଦେଖି ତାଙ୍କୁ ପ୍ରଶଂସା କରୁଥିଲେ ।

ବିବାହର ୧୮ ଘଣ୍ଟା ପରେ ଖୋଲିଲା ରହସ୍ୟ, କନ୍ୟାକୁ ରଖିବାକୁ ମନା କଲା ବର

ଭୋପାଳ : ମଧ୍ୟପ୍ରଦେଶର ଶିବପୁରୀରେ ଏକ ବିବାହ ମାତ୍ର ୧୮ ଘଣ୍ଟା ଯେଏଁ ସମ୍ପର୍କ ରହିଲା  ।  ବିବାହର ୧୮ ଘଣ୍ଟା ପରେ, ବର ନିଜେ କନ୍ୟାକୁ ନିଜ ପାଖରେ ରଖିବାକୁ ମନା କରିଦେଲେ। ଏହି ବିବାହ ଭାଙ୍ଗିବା ପଛରେ କାରଣ ହେଉଛି କନ୍ୟା ତାଙ୍କ ଜାତି ବିଷୟରେ ଭୁଲ ସୂଚନା ଦେଇ ବିବାହ କରିଥିଲେ। ବିବାହ ପୂର୍ବରୁ କନ୍ୟା ନିଜକୁ ରାଜପୁତ ବୋଲି କହିଥିଲେ, କିନ୍ତୁ ବିବାହର ୧୮ ଘଣ୍ଟା ପରେ ବର ଯେତେବେଳେ ତାଙ୍କର ପ୍ରକୃତ ଜାତି ବିଷୟରେ ଜାଣିଲେ, ସେ କନ୍ୟାକୁ ନିଜ ସହିତ ରହିବାକୁ ମନା କରିଦେଲେ । କହିଲେ ଯେ ସେ ଏହି ବିବାହକୁ ଗ୍ରହଣ କରନ୍ତି ନାହିଁ।

ଶିବପୁରୀ ଜିଲ୍ଲାର କରୈରା ଥାନା ଅଞ୍ଚଳର ଜଣେ ଝିଅ ଝାନ୍ସୀ ଜିଲ୍ଲାର ରାକ୍ସା ଥାନା ଅଞ୍ଚଳର ବାସଇ ଗାଁର ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହର ମାତ୍ର ୧୮ ଘଣ୍ଟା ବିତିବା ପରେ ବର ଜାଣିପାରିଲେ ଯେ ଝିଅର ପ୍ରକୃତ ଜାତି ରାଜପୁତ ନୁହେଁ ବରଂ ଯାଦବ। ବର କନ୍ୟାକୁ ନିଜ ସହିତ ରହିବାକୁ ସିଧାସଳଖ ମନା କରିଦେଇଥିଲେ। ଉଭୟ ହିନ୍ଦୁ ରୀତିନୀତି ଅନୁଯାୟୀ ଏକ ମନ୍ଦିରରେ ବିବାହ କରିଥିଲେ। କିନ୍ତୁ, ଏହି ସମ୍ପର୍କ ଜାତିଭେଦର ଶିକାର ହୋଇଥିଲା। ପରେ ଉଭୟ ପରିବାର ଥାନାରେ ପହଞ୍ଚି ପାରସ୍ପରିକ ସମ୍ମତିରେ ସମ୍ପର୍କ ଶେଷ କରିଥିଲେ।

ପାରସ୍ପରିକ ସମ୍ମତିରେ ମାମଲା ସମାଧାନ ହୋଇଥିଲା। ରକ୍ସା ଥାନାର ଇନଚାର୍ଜ ରାହୁଲ ରାଠୋର କହିଛନ୍ତି ଯେ ଉଭୟ ପକ୍ଷ ବିବାହ ଭାଙ୍ଗିବା ବିଷୟରେ କଥାବାର୍ତ୍ତା କରିବାକୁ ଥାନାକୁ ଆସିଥିଲେ। କିନ୍ତୁ ସେମାନଙ୍କୁ କୋର୍ଟ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା। କୌଣସି ପକ୍ଷ ଲିଖିତ ଅଭିଯୋଗ ଦେଇନାହାଁନ୍ତି।

ବଢ଼ିଲା ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥା, ବନ୍ୟା ଘେରରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲା

ଭୁବନେଶ୍ବର : ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଯାଜପୁର, ଭଦ୍ରକ । ୧୫ ଦିନ ତଳେ ଏହି ପାଞ୍ଚ ଜିଲ୍ଲାରେ ଜୀବନ ନେଇଛି ହଇଜା। ଏବେ ବି ଅନେକ ରୋଗୀଙ୍କର ହସ୍ପିଟାଲରେ ଚାଲିଛି ଚିକିତ୍ସା। ସଂକ୍ରମଣର ହଟସ୍ପଟ ପାଲଟିଥିଲା ଯାଜପୁର ଜିଲ୍ଲା। ପାନୀୟ ଜଳ ବିଶୋଧନ ପାଇଁ ଯେଉଁ ସମୟସୀମା ଦିଆଯାଇଥିଲା, ତା ଭିତରେ ଲଘୁଚାପ ବର୍ଷା ଯୋଗୁଁ ବନ୍ୟା ଆସିଗଲା । ଯେଉଁଥି ପାଇଁ ବିଶୋଧନ ହୋଇପାରିଲାନି ଜଳ। ପାଣି କମିଲେ ଯାଇ ବିଶୋଧନ କାର୍ଯ୍ୟ ଆରମ୍ଭ ହେବ। ବନ୍ୟା ଓ ହଇଜାର ଡବଲ ଟେନସନ ଭିତରେ ଗତି କରୁଛନ୍ତି ରାଜ୍ୟ ସରକାର । ଏହି ଜିଲ୍ଲାରେ ଜଣ୍ଡିସ, ଡାଇରିଆ, କଲେରା ଓ ଡେଙ୍ଗୁ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ବିଭାଗ ସମୀକ୍ଷା କରିଥିବା ବେଳେ, ହଇଜା ଓ ବନ୍ୟା ସ୍ଥିତିକୁ ବୈଠକ ଡକାଇଥିଲା ରାଜସ୍ବ ବିଭାଗ। ଆସନ୍ତା ୨୪ ଘଣ୍ଟା ଗୁରୁତ୍ବପୂର୍ଣ୍ଣ । ଯଦି ଏହି ସମୟ ଭିତରେ ବର୍ଷା ନ ହୁଏ, ତେବେ ଟଳି ଯିବ ବନ୍ୟା। ହେଲେ ଆଉ ଏକ ଲଘୁଚାପ ନେଇ ବି ଆକଳନ କରିଛି ପାଣିପାଗ କେନ୍ଦ୍ର। ଏପରି ହେଲେ ବନ୍ୟା ତ ହେବ, ଜଳ ବିଶୋଧନ ବି ହୋଇ ପାରିବ ନାହିଁ । ଯେଉଁଥି ପାଇଁ ହଇଜା ବ୍ୟାପିବାର ସମ୍ଭାବନା ଆହୁରି ବଢିବ । ସେହିପରି ପାଣି ଛାଡ଼ିବା ପରେ ସାପ କାମୁଡ଼ା ଭୟ ବି ରହିଛି। ତେଣୁ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକାରେ କମୁଛି ଜଳସ୍ତର। ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମରୁ ୯ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ମହାନଦୀ ଓ ବ୍ରାହ୍ମଣୀ ବେସିନରେ ବର୍ଷା ହୋଇପାରେ । ଏପରି ହେଲେ ଯାଜପୁର ଓ ଭଦ୍ରକ ପ୍ରତି ବିପଦ ଥିବା ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ପ୍ରୋକ୍ୟୋମେଣ୍ଟ ସର୍ବୋଚ୍ଚ ଯନ୍ତ୍ରୀ। ବର୍ଷା ଦିନେ ବଢ଼ିଥାଏ ଝାଡ଼ାବାନ୍ତି ରୋଗ। କାରଣ ପାଣି ବିଶୋଧନ ହୋଇ ନଥାଏ । ହେଲେ ଚଳିତ ବର୍ଷ ବର୍ଷା ଆରମ୍ଭ ପୂର୍ବରୁ ମୁଣ୍ଡ ଟେକିଲାଣି ହଇଜା। ଏଭଳି ସ୍ଥିତିରେ କିଭଳି ମୁକାବିଲା କରାଯିବ ତାକୁ ନେଇ ଚିନ୍ତାରେ ପଡିଛନ୍ତି ସରକାର।

‘ସରକାର କରିଥିବା ପାପର ପ୍ରାୟଶ୍ଚିତ କରୁଛନ୍ତି ଜଗନ୍ନାଥ ପ୍ରେମୀ’

ଭୁବନେଶ୍ୱର : ଗର୍ବ ଗଞ୍ଜନ ନରହରି, ଗର୍ବ ନ ସହନ୍ତି କାହାରି । ସରକାର କରିଥିବା ପାପର ପ୍ରାୟଶ୍ଚିତ କରୁଛନ୍ତି ଜଗନ୍ନାଥ ପ୍ରେମୀ । ଚାଲିଛି ପୂଜା ପାଠ, ଜଗନ୍ନାଥ ସହସ୍ରନାମ, ଜଗନ୍ନାଥ ଅଷ୍ଟକମ ଓ ଅନ୍ୟ ପୂଜାପାଠ। ମନ୍ତ୍ରଉଚ୍ଚାରଣ ଓ ଆଳତୀ ପାଇଁ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ସରକାରଙ୍କ ରଥ ପରିଚାଳନା ତୃଟି ପାଇଁ ତିନୋଟି ଅମୂଲ୍ୟ ଜୀବନ ଚାଲିଯାଇଛି । ଶ୍ରୀଜିଉଙ୍କ ଆରାଧନାରେ କିଛି ତୃଟି ବିଚ୍ୟୁତି ଯୋଗୁ ଏଭଳି ଅଘଟଣ ଘଟିଛି । କରାଯାଇଥିବା ଭୁଲର କ୍ଷମା ପ୍ରାର୍ଥନା ସହ ମୃତକଙ୍କ ପରିବାରକୁ ଶକ୍ତି ସାମର୍ଥ୍ୟ ଦିଅନ୍ତୁ ବୋଲି ଜଗନ୍ନାଥଙ୍କ ପାଖରେ ସମୂହ ପ୍ରାର୍ଥନା କରାଯାଇଛି। ଏକ ମିନିଟ ନିରବ ପ୍ରାର୍ଥନା କରାଯିବା ସହ ଜଗତର କଲ୍ୟାଣ ପାଇଁ ବିଭିନ୍ନ ପୂଜାପାଠ କରାଯାଇଛି। କ୍ଷମତାରେ କି ଶାସକ ଦଳରେ ରହିଲେ ବି ପ୍ରଭୁଙ୍କ ପ୍ରତି ସମର୍ପିତ ହେବା ଆବଶ୍ୟକ। ତେଣୁ ଗର୍ବ ଅହଂକାର ପରିତ୍ୟାଗ କରନ୍ତୁ ବୋଲି ଟ୍ରଷ୍ଟ ପକ୍ଷରୁ ଆହ୍ୱାନ ଦିଆଯାଇଛି। ମନ୍ଦିର ପରିଚାଳନା କମିଟି ଗଠନ ନ ହେବାକୁ ନେଇ ପ୍ରଶ୍ନ ଉଠିଛି । ଆଗରୁ ବି ରଥଯାତ୍ରା ବେଳେ ପୁରୀରେ ଲକ୍ଷାଧିକ ଭକ୍ତ ଆସନ୍ତି । କିନ୍ତୁ ଏଭଳି ଲଗାତର ଅବ୍ୟବସ୍ଥା ଓ ବିଶୃଙ୍ଖଳା କେବେ ଦେଖାଯାଇ ନଥିବା କହିଛନ୍ତି ଜଗନ୍ନାଥ ସଂସ୍କୃତି ପ୍ରଚାରକ।

ଜଗନ୍ନାଥ ସଂସ୍କୃତି ଗବେଷକଙ୍କ କହିବା କଥା ଯେଉଁମାନେ ଦାୟିତ୍ୱରେ ଅଛନ୍ତି ରଥଯାତ୍ରାର ମହତ୍ୱ ବୁଝୁ ନାହାନ୍ତି। ଖାଲି ପଦପଦବୀରେ ରହି ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଠିକ ନୁହେଁ। ରଥଯାତ୍ରା ପୂର୍ବରୁ ଖାଲି ବାରମ୍ବାର ବୈଠକ ବସିବାର ଅର୍ଥ କଣ ବୋଲି ପ୍ରଶ୍ନ କରିଛନ୍ତି ଗବେଷକ। ରଥଯାତ୍ରା ଦିନ ରଥରେ ଶ୍ରୀଜୀଉ ବିଜେ କରିସାରିବା ପରେ ଛେରାପହଁରା ପରେ କର୍ଡନ ଠିକ ଥିଲା। କିନ୍ତୁ ତା ପରେ କର୍ଡନ ଭାଙ୍ଗିଗଲା। ଏହାକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ଭିଭିଆଇପି ମାନେ ରଥ ଛୁଇଁବାକୁ ଚାହିଁବାରୁ ପ୍ରଥମ ଦିନ ରଥ ଟଣାଯାଇ ପାରିଲା ନାହିଁ। ସାଂସ୍କୃତିକ ମହୋତ୍ସବ ଭଳି ମଜା କରୁଛନ୍ତି । ଯାହା ଫଳରେ ଅନର୍ଥ ଘଟିଲା ବୋଲି କହିଛନ୍ତି ଗବେଷକ ।  ସେପଟେ ବଳଭଦ୍ର ପଡିବା ଘଟଣାର ତଦନ୍ତ ହୋଇ ଦଣ୍ଡବିଧାନ ହୋଇଥିଲେ ଚଳିତ ରଥଯାତ୍ରାରେ ଏଭଳି ହୋଇ ନଥାନ୍ତା। ଅଭିଜ୍ଞତାର ଅଭାବ ଓ ଖାଲି ଅଯଥା ବୈଠକ କରି ସମୟ ନଷ୍ଟ କଲେ ବୋଲି କୁହାଯାଇଛି। ଏଥର ରଥଯାତ୍ରାରେ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟାପକ ହୋଇଛି। ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଦୁଃଖ। ଭିଆପି ସଂସ୍କୃତି ଓ ବହୁ ଅଧିକ ପାସ ବ୍ୟବସ୍ଥା ଏହାର କାରଣ ବୋଲି କୁହାଯାଉଛି।

‘ରଥଯାତ୍ରା ମହାବିଭ୍ରାଟ,ସରକାରଙ୍କ ଅପାରଗତାରୁ ଦଳାଚକଟା’

ଭୁବନେଶ୍ବର : ବିଶୃଙ୍ଖଳିତ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ସରକାରଙ୍କ  ଅପାରଗତା ଯୋଗୁଁ  ଗୁଣ୍ଡିଚା ମନ୍ଦିର ପାଖରେ ଘଟିଲା ଅଘଟଣ। ଭକ୍ତଙ୍କ ଗଲା ଜୀବନ ।  ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରି ସରକାର ନିଜର ଦାୟିତ୍ବ ଭୁଲିଗଲେ । ରଥଯାତ୍ରା ପୂର୍ବରୁ ଶୀତତାପ କୋଠରୀରେ କରାଯାଇଥିବା ନିଷ୍ପତ୍ତି ପ୍ରତିଫଳିତ ହେଲାନି ରଥଯାତ୍ରାରେ। ରଥଯାତ୍ରା ମହାବିଭ୍ରାଟ ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଲା। ସରକାର କିନ୍ତୁ ହାଲୁକା ଭାବେ ଘଟଣାକୁ ନେଇଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ବିଭ୍ରାଟ ପାଇଁ ଯିଏ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି । ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ରଥଯାତ୍ରା ମହାବିଭ୍ରାଟ ପାଇଁ ଜଣେ କାର୍ଯ୍ୟରତ ବିଚାରପ୍ରତିଙ୍କ ଦ୍ଵାରା ତଦନ୍ତ କରିବାକୁ ଦଳ ଦାବି କରିଛି । କଂଗ୍ରେସ ଅଭିଯୋଗ କରିଛି ରଥଯାତ୍ରାକୁ ନେଇ ବିଜେପି ସରକାର ଦୁଇଟି କଥା ଓଡିଶାବାସୀଙ୍କୁ ଲୁଚାଇଥିଲା । ବିଜେପିର ୧୫ଶହ କର୍ମକର୍ତ୍ତା ରଥଯାତ୍ରାରେ ସାମିଲ ହେବେ ସେ କଥା କାହିଁକି ସରକାର କହିଲେ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।  ଓଡିଆ ଅସ୍ମିତା ଓ ଓଡ଼ିଆ ପ୍ରାଣ ଦେଵତା  କଣ ନ୍ୟାୟ ପାଇବେ ବୋଲି ଦଳ ପ୍ରଶ୍ନ କରିଛି ।

ଅନ୍ୟପଟେ ବିଜେପି ବିଧାୟକ ମନୋରଂଜନ ଦ୍ୟାନ ସାମନ୍ତରାୟ କହିଛନ୍ତି- ରଥଯାତ୍ରାରେ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ। ସରକାର ତ୍ବରିତ ପଦକ୍ଷେପ ନେଇଛନ୍ତି। ୧ ମାସ ଭିତରେ ତଦନ୍ତ ରିପୋର୍ଟ୍ ଆସିବ।  ବିଭ୍ରାଟ ପାଇଁ ସରକାର ଜିଲ୍ଲାପାଳ, ଓ ଏସପିକୁ  ବଦଳି କରିଛିନ୍ତି। ଆଗକୁ ଯେମିତି ଏପରି ଅଘଟଣ ନଘଟିବ ତାହା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ବିଜେପି ସରକାରର ପ୍ରଥମ ରଥଯାତ୍ରାରେ ବଡ ଠାକୁରଙ୍କ ଚାରମାଳରୁ ପଡିଯିବା ତଦନ୍ତ ରିପୋର୍ଟ ଏଯାଏ ସରକାର ପ୍ରକାଶ କରିନାହାଁନ୍ତି । ଚଳିତ ବର୍ଷ  ରଥଯାତ୍ରା ଅଘଟଣ ତଦନ୍ତ ରିପୋର୍ଟ ବିଳମ୍ବ ନ କରିବାକୁ ଚେତାଇ ଦେଇଛି ବିଜେଡି।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବର୍ଷିଲା ବିଜେଡି : ବିଏମସି ଘଟଣାର ଷଡଯନ୍ତ୍ରକାରୀକୁ ବାନ୍ଧ

ଭୁବନେଶ୍ବର : ବିଏମସି ଘଟଣାର ଷଡଯନ୍ତ୍ରକାରୀକୁ ବାନ୍ଧ । ସମସ୍ତଙ୍କୁ ଗିରଫ କର । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବର୍ଷିଲା ବିଜେଡି । କଂଗ୍ରେସର ଅଭିଯୋଗ ବିଜେପି କରୁଛି ଗୁଣ୍ଡାଗର୍ଦ୍ଦି । ଓଡିଶାରେ ଚାଲିଛି ଜଙ୍ଗଲରାଜ। ଅସୁରକ୍ଷିତ ସରକାରୀ ଅଧିକାରୀ । ଲୋକଙ୍କ ସରକାରରେ ସରକାରୀ କାର୍ଯ୍ୟାଳୟରେ ସରକାର ଅଧିକାରୀ ଅସୁରକ୍ଷିତ । ବିଜେପିର ବର୍ଷେ ଶାସନର ଭିତରେ ଭୁଶୁଡିଛି ଆଇନ ଶୃଙ୍ଖଳା ଓ  ସବୁଠି ଦେଖାଦେଇଛି ଘୋର ଅରାଜକତା । ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ ଘଟଣାରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଉପରେ ଖୁବ ବର୍ଷିଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି । ସମସ୍ତ ଦୋଷୀଙ୍କୁ ଗିରଫ କରାଯାଉ । ଯିଏ ମୁଖ୍ୟ ଷଡ଼ଯନ୍ତ୍ରକାରୀ,  ଯିଏ ଟିଭିରେ ବାହାରି ପରୋକ୍ଷରେ ସ୍ୱୀକାର କରିଛନ୍ତି ଯେ ଦୁର୍ବୃତ୍ତମାନେ ତାଙ୍କ ପିଲା ବୋଲି, ତାଙ୍କୁ ତୁରନ୍ତ ଗିରଫ କରାଯାଉ। ସରକାରଙ୍କ ଅହଙ୍କାର ଚରମ ସୀମାରେ ପହଞ୍ଚିଛି ବୋଲି ଭୁବନେଶ୍ଵର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା ଅଭିଯୋଗ କରିଛନ୍ତି । ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘ ଯେଉଁ ସ୍ମାରକ ପତ୍ର ଦେଇଛନ୍ତି ସେଥିରେ ଉଲ୍ଲେଖ ଅଛି ଯେ,  ବର୍ଷେ ହେଲା ଅଫିସର ମାନଙ୍କୁ ଭୟଭୀତ କରାଯାଉଛି । ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ଯେ ଗତକାଲି ଘଟଣା ଅଭାବନୀୟ।  ଆମେ ସମସ୍ତେ ଅସୁରକ୍ଷିତ ହୋଇପଡିଛୁ । ଚକ୍ରାନ୍ତକାରୀ ବିଜେପି ନେତାଙ୍କୁ ଗିରଫ କରାଯାଉ। ମୁଖ୍ୟମନ୍ତ୍ରୀ ନିଜେ ଘଟଣାରେ ତଦନ୍ତ କରନ୍ତୁ ବୋଲି ମେୟର ଦାବି କରିଛନ୍ତି । ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଅଭିଯୋଗ କରିଛନ୍ତି ଭୁବନେଶ୍ଵରରେ ଆଇନକାନୁନ ନାହିଁ। ଜାତୀୟ ଗଣମାଧ୍ୟମରେ ବି ଘଟଣାକୁ ନେଇ ଚର୍ଚ୍ଚା । ପଶୁ କି ଶବକୁ ଏପରି ଘୋଷାଡ଼ିକି ନେଲେ କେହି ବି ସହିବେନି। ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ବିଏମସି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ବିଏମସିର ଜନଶୁଣାଣି ଚାଲିଥିବା ବେଳେ ବିଜେପିର ଜଣେ କାଉନସିଲର ଓ ୧୦ଜଣ କର୍ମୀ ଅତିରିକ୍ତ କମିଶନରଙ୍କୁ ମାଡ ମାରିଲେ । ସରକାରୀ ଅଧିକାରୀମାନେ ବିଜେପିର ଗୁଲାମୀ କରିବାକୁ ବିଜେପି ନେତାମାନେ ଜୋରଜବରଦସ୍ତି କରୁଛନ୍ତି l କାରଣ ମୁଖ୍ୟମନ୍ତ୍ରୀ ନିଜେ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଓ କର୍ମୀମାନଙ୍କୁ ବସାଉଛନ୍ତି । ପୂରା ଓଡ଼ିଶାରେ ଆଜି ଏପରି ପରିସ୍ଥିତି ହେଇଛି । ସରକାରୀ  ଅଧିକାରୀଙ୍କୁ ବିଜେପିକରଣ କରିବାକୁ ଶାସକ ଦଳ ଚାହୁଁଛି । ବିଏମସି ଘଟଣା ପୂରା ଓଡ଼ିଶାର ସରକାରୀ ଅଧିକାରୀମାନଙ୍କ ପାଇଁ  ଅପମାନ। ଓଡିଶାରୁ ସରକାରୀ ଅଧିକାରୀ ମାନଙ୍କୁ କ୍ଷମା ମାଗନ୍ତୁ ସରକାର l ବିଜେପିର ପରାଜିତ ପ୍ରାର୍ଥୀଙ୍କୁ ଗିରଫ କରାଯିବ ସହ  କିଏ କେଉଁଠିକୁ ଯିବ ସେମାନଙ୍କ ପାଇଁ ଆଡଭାଇଜରି ଜାରୀ କରିବାକୁ ପିସିସି ସଭାପତି ଦାବି କରିଛନ୍ତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଓଡିଶାରେ ଜଙ୍ଗଲରାଜ ଚାଲିଛି । ବର୍ଷେ ଭିତରେ ଓଡିଶାର ଶାସନ ବ୍ୟବସ୍ଥା ନାହିଁ ବୋଲି ଜଣାପଡୁଛି । ବିଜେପି ବିଧାୟକ ମନୋରଂଜନ ଦ୍ୟାନସାମନ୍ତରାୟ କହିଛନ୍ତି ଯେ ଦୋଷୀ ଯିଏ ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ବିଏମସି ଘଟଣା ଓଡିଶା ଶାସନ ବ୍ୟବସ୍ଥାକୁ ଜାତୀୟସ୍ତରରେ ପୁଣି ଥରେ ବଦନାମ କରିଛି । ଯାହାକୁ ନେଇ ସବୁଠି ବିଜେପି ସରକାର ବିରୋଧରେ ଉଠିଛି ଅସନ୍ତୋଷର ସ୍ବର ।