spot_img
Home Blog Page 6092

ଆଜି ରାଜ୍ୟକୁ ଆସିବ ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲ୍ଡ ଡୋଜ୍

ଭୁବନେଶ୍ୱର: ସଞ୍ଜୀବନି ନେଉଛି ଓଡ଼ିଶା। କରୋନାକୁ ମାତ୍ ଦେବା ପାଇଁ ଚାଲିଛି ଟିକାକରଣ। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ରାଜ୍ୟକୁ ଆସିବ ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲ୍ଡ ଡୋଜ୍। ପ୍ରଥମ ପର୍ଯ୍ୟାୟରେ ୨୫ ତାରିଖ ସୁଦ୍ଧା ଟିକାକରଣ ପାଇଁ ମୋଟ ୩ ଲକ୍ଷ ୩୮ହଜାର ସ୍ୱାସ୍ଥ୍ୟକର୍ମୀ ପଞ୍ଜିକୃତ କରିଛନ୍ତି। ପ୍ରଥମ ଦିନ ୧୩ ହଜାର ୯୮୦ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ଗତକାଲି ୩୮୦ଟି କେନ୍ଦ୍ରରେ ୩୦ ହଜାର ୧୬୧ ଜଣ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ଏହା ୯୫ ପ୍ରତିଶତ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଟିକା ନେବାର ୨୮ଦିନ ପରେ ପୁଣି ଦ୍ୱିତୀୟ ଡୋଜ୍ ଦିଆଯିବ।

ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ ଥିବା ବେଳେ ଏଥିପାଇଁ ପଞ୍ଜିକୃତ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମେସେଜ୍ ଜରିଆରେ ସୂଚନା ଦିଆଯାଉଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ କହିଛନ୍ତି। ସରକାରୀ ଡାକ୍ତରଖାନା ସମେତ ରାଜ୍ୟବ୍ୟାପୀ ବିଭିନ୍ନ ଘରୋଇ ହସ୍ପିଟାଲରେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ କରାଯାଉଛି। କଟକ ଏସସିବି ମେଡିକାଲରେ ୫ଟି କେନ୍ଦ୍ରରେ ୧ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରିବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଟିକାଗ୍ରହଣ ପରେ କାଳେ କିଛି ପାର୍ଶ୍ୱ ପ୍ରତିକ୍ରିୟା ବାହାରିବ ସେଥିପାଇଁ ମଧ୍ୟ ୧୦ଟି ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଆଇସିୟୁ ସହ ଡାକ୍ତରୀ ଦଳ ଗଠନ କରାଯାଇଥିବା ନୋଡାଲ ଅଧିକାରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସୁଯୋଗ ମିଳିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ, ରାଜସ୍ୱ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କ ପଞ୍ଜୀକରଣ ଜାରି ରହିଛି।

ସମ୍ପତି ଲୋଭ ନେଲା ୭ ବର୍ଷ ଝିଅର ଜୀବନ,ଦାଦା ସାଜିଲା ହତ୍ୟାକାରୀ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ହରିଓଁ ବିହାର ଅଗ୍ନିକାଣ୍ଡ ଘଟଣା। ଚିକିତ୍ସାଧିନ ଅବସ୍ଥାରେ ୭ ବର୍ଷର ଇସ୍ମିତ କୌରଙ୍କ ମୃତ୍ୟୁ ହୋଇଥିବା ବ୍ରଜରାଜନଗର ଏସଡ଼ିପିଓ ଦିଲ୍ଲିପ ଦାଶ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଘଟଣାର ପର୍ଦାଫାଶ କରି ୩ଜଣକୁ ଗିରଫ କରି କୋଟ ଚାଲାଣ କରିଥିଲା  ଝାରସୁଗୁଡା ପୋଲିସ। ପରେ ଏହା ଏକ ସୁଚିନ୍ତିତ ହତ୍ୟା କାଣ୍ଡ ବୋଲି ଘଟଣାଟି ପଦାକୁ ଆସିଥିଲା।

ଘରର ସାନପୁଅ ସମ୍ପତି ଲୋଭ ଏବଂ ନିଜେ ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ଘର ଲୋକେ ସ୍ୱୀକୃତି ଦେଇନଥିବାରୁ ପେଟ୍ରୋଲ ଢ଼ାଳି ଏଭଳି ଘଟଣା ଭିଆଇଥିଲା । ଗତ ୧୧ତାରିଖରେ ଏକ ଘରେ ନିଆଁ ଲାଗି ୪ ଜଣ ଆହତ ହୋଇ ରାଉରକେଲା ସ୍ଥିତ IGHରେ ଚିକିତ୍ସିତ ହୋଉଥିଲେ। ଆଜି ନାତୁଣୀ ଇସ୍ମିତ କୌରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଗୁରୁତର ମାନେ ହେଲେ ପୁଅ ରାଜେନ୍ଦର ସିଂ, ଝିଅ ମଂଜୀତ କୌର, ମା ବଳଜୀତ କୌର।

ଆମେରିକାରେ ଆରମ୍ଭ ହେବ ବିଡେନ୍ ଯୁଗ, ଆସନ୍ତାକାଲି ଶପଥ ନେବେ ଜୋ’

ଆମେରିକା: ଆସନ୍ତାକାଲି ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବିଡେନ୍। ଶପଥଗ୍ରହଣ ଉତ୍ସବକୁ ଗୋଟିଏ ଦିନ ବାକିଥିବା ବେଳେ, ଓ୍ୱାସିଂଟନ ଡିସି ଓ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପାଇଁ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଛାଡ଼ି ପାରନ୍ତି ବୋଲି କୁହାଯାଉଛି। ପୂର୍ବରୁ ଟ୍ରମ୍ପ ମିଲିଟାରୀ ଷ୍ଟାଇଲରେ ବିଦାୟୀ ସମାରୋହ ପାଇଁ ଦାବି କରିଥିଲେ। ହେଲେ ପେଣ୍ଟାଗନ୍ ଏ ନେଇ ମନା କରିଦେଇଥିଲା।

ସେପଟେ ବିଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ହିଂସା ଆଶଙ୍କା ଥିବାରୁ ଓ୍ୱାସିଂଟନ ଡିସିର କ୍ୟାପିଟୋଲ ବିଲ୍ଡିଂକୁ ବନ୍ଦ କରି ଦିଆଯାଇଛି। ଏଥର ବିଡେନଙ୍କ ସରକାରରେ ୨୦ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ସ୍ଥାନ ମିଳିଛି। ସେମାନଙ୍କ ମଧ୍ୟରେ ୧୩ ଜଣ ମହିଳା ଥିବା ବେଳେ, ମୋଟ୍‌ ୧୭ ଜଣ ହ୍ୱାଇଟ୍ ହାଉସର ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇଛନ୍ତି। ଆମେରିକାର ପୂରା ଜନସଂଖ୍ୟାରେ ମାତ୍ର ୧ ପ୍ରତିଶତ ଭାରତୀୟ ବଂଶୋଦ୍ଭବ ଥିବା ବେଳେ ହାଇଟ୍‌ ହାଉସ୍‌ରେ ସେମାନଙ୍କ ଦବ୍‌ଦବା ବଢୁଛି।

ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଲା ହାରିଶ ନିର୍ବାଚନ ଜିତିଥିବା ବେଳେ ଏହା ପୁଣି ଥରେ ଭାରତୀୟଙ୍କ ବଂଶୋଦ୍ଭବଙ୍କ ପାଇଁ ଆଣିଛି ଖୁସି ଖବର। ଏଥିସହ ଜୋ ବିଡେନଙ୍କ ପତ୍ନୀ ଜିଲ୍‌ ବିଡେନଙ୍କ ନୀତି ନିର୍ଦ୍ଦେଶକ ଭାବେ ଜଣେ ଭାରତୀୟ- ଆମେରିକୀୟଙ୍କୁ ନିଯୁକ୍ତି ମିଳିଛି।

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରାତି ଅଧିଆ ଜେରା, ଦୋଷ ମାନି କାନ୍ଦିଲେ

ଭୁବନେଶ୍ୱର: ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲା। ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଜେରା କରିଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍‌ସ ସେଲ୍‌ର ଏକ ଟିମ୍ ଜେଲରେ ଜେରା କରିଛି। ଗତକାଲି ବିଳମ୍ବିତ ରାତିରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଜେରା କରିଛି।

ଜେରା ସମୟରେ ଦୋଷ ସ୍ୱୀକାର କରିବା ସହ କାନ୍ଦି ପକାଇଥିଲେ ପ୍ରଦୀପ। କଲା କର୍ମ ପାଇଁ ଫଳ ପାଇଥିବା ଭିଜିଲାନ୍ସ ନିକଟରେ ସ୍ୱୀକାର କରିଥିବା ଜଣାପଡିଛି। ଆଜି ଦ୍ୱିତୀୟ ଦିନ ପାଇଁ ପ୍ରଦୀପଙ୍କୁ ପୁଣି ଭିଜିଲାନ୍ସ ଜେରା କରିବ। ବ୍ରହ୍ମପୁର କୋର୍ଟପେଟା ICICI ବ୍ୟାଙ୍କ ଟ୍ରାଞ୍ଜାକସନ ନେଇ ଖୋଳତାଡ଼ କରିଛି ଭିଜିଲାନ୍‌ସ । ଆଜି ମଧ୍ୟ ପ୍ରଦୀପଙ୍କୁ ଆଉଥରେ ଜେରା କରାଯିବ। ବିଧାୟକ ପ୍ରଦୀପ ପ୍ରଥମରୁ ଜାଣିଥିଲେ ତାଙ୍କ ଭାବି ଜ୍ୱାଇଁ ଟାଟାର ଏମ୍‌ଡି କହି ସମସ୍ତଙ୍କ ଠାରୁ ଟଙ୍କା ଲୁଟୁଥିଲେ ବୋଲି। ଏହା ଜାଣିବା ପରେ ମଧ୍ୟ ବିଧାୟକ ତାଙ୍କର ଶକ୍ତିର ଫାଇଦା ଉଠାଇଥିଲେ।

ଘରୋଇ କଳହକୁ ନେଇ ବାପାକୁ ମାରିଲା ପୁଅ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପାଲିଗାଁରେ ହତ୍ୟାକାଣ୍ଡ। ବାପାକୁ ମାରିଲା କୁଳାଙ୍ଗାର ପୁଅ। ପୁଅର ଆକ୍ରମଣରେ ବାପର ମୃତ୍ୟୁ ହୋଇଛି। ମୃତ ବାପାର ଶବ ପୋତି ପୁଅ ଫେରାର୍ ହେବାକୁ ଚେଷ୍ଟା କରିଥିବା ବେଳେ ପୁଅକୁ ଗିରଫ କରାଯାଇଛି। ବୀରମହାରାଜପୁର ପୁଲିସ୍ ଘଟଣାସ୍ଥଳରେ ତଦନ୍ତ ଚଳାଇଛି।

ସୂଚନା ଅନୁସାରେ ଗାଁର ମୁରଲି ତସା ଓ ତାର ପୁଅ ଇଟା ପକାଇବାକୁ ଯାଇଥିଲେ। ସେଠାରେ ଘରୋଇ କଳହକୁ ନେଇ ବାପ ପୁଅ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ପୁଅ ରାଗିଯାଇ ଏକ ଶାବଳରେ ବାପକୁ ଅକ୍ରମଣ କରିଥିଲା। ଶାବଳ ମାଡ଼ରେ ଘଟଣାସ୍ଥଳରେ ହିଁ ମୁରଲିଙ୍କ ଜୀବନ ଚାଲିଯାଇଛି। ଏହାପରେ ଗାଁର କିଛି ଲୋକଙ୍କ ସହାୟତାରେ ବାପାର ଶବକୁ ପୁଅ ପୋତି ଦେଇଥିଲା। ଖବର ପାଇ ବୀରମହାରାଜପୁର ପୁଲିସ୍ ପାଲିଗାଁରେ ପହଞ୍ଚି ଆଭିଯୁକ୍ତକୁ ଗିରଫ କରିଛି।

ଘନ କୁହୁଡ଼ି ଯୋଗୁଁ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ଦୁଇଦିନ ପରେ ରାଜ୍ୟକୁ ପୁଣି ଫେରିବ ଶୀତ। ୨୧ ତାରିଖ ବେଳକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହିବା ସହ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ କମିବ। ବର୍ତ୍ତମାନ ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପାଇଁ ସ୍ଥଳଭାଗର ଅଳ୍ପ ଉଚ୍ଚରେ ଜଳୀୟବାଷ୍ପ ପରିମାଣ ବଢିବା କାରଣରୁ ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରା ବଢିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ତାପମାତ୍ରା ବଢିବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ।

ସାରା ରାଜ୍ୟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଦୁଇ ଦିନ ପାଇଁ ଘନ କୁହୁଡି ସାରା ରାଜ୍ୟକୁ ଅସ୍ତବ୍ୟସ୍ତ କରିବ। ଆଜି ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଏବଂ ନୟାଗଡ ଜିଲ୍ଲାରେ ଘନ କୁହୁଡି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା କାଲି ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୨ଶହ ମିଟରରୁ କମ୍ ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପିକପ୍‌ ଭ୍ୟାନ୍‌ରୁ ଜବତ ହେଲା ୯ ଶହ କେଜି ଗଞ୍ଜେଇ, ଆନୁମାନିକ ମୂଲ୍ୟ ହେବ ୯୦ ଲକ୍ଷ

ଚିତ୍ରକୋଣ୍ଡା: ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ। ରାଜ୍ୟରେ ବଢ଼ିବାରେ ଲାଗିଛି ଗଞ୍ଜେଇ ଚାଲାଣ। ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହେବାରେ ଲାଗିଛି ଗଞ୍ଜେଇ। ତେବେ ଚିତ୍ରକୋଣ୍ଡାରୁ ୯ଶହ କେଜି ଗଞ୍ଜେଇ ଜବତ ହୋଇଛି। ଚିତ୍ରକୋଣ୍ଡା ପୋଲିସ ଗଞ୍ଜେଇ ଜବତ କରିବା ସହ ଜଣେ ଚାଲାଣକାରୀକୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଟିମ ଚିତ୍ରକୋଣ୍ଡା/ ଜାନବାଇ ରାସ୍ତାରେ  ପେଟ୍ରୋଲିଂ କରୁଥିଲା। ଜାନବାଇ ପଟୁ ଆସୁଥିବା ଏକ ପିକପ ଭ୍ୟାନକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ ୩୦ଟି ପେକେଟରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା।

ଏଥିସହ ପୋଲିସ ଗାଡ଼ି ଚଲାଉ ଥିବା ଲୋକକୁ ଗିରଫ କରିବା ସହ ଗାଡିକୁ  ମଧ୍ୟ ଜବତ କରି ଥାନାକୁ ଆଣିଛି। ୩୦ ପକେଟ  ଗଞ୍ଜେଇକୁ ଓଜନ କରାଯିବା ପରେ ୯୦୦ କେଜି ଥିବା ଜଣାପଡ଼ିଥିଲା। ଅଭିଯୁକ୍ତ ର କହିବା ଅନୁଯାୟୀ ସବୁ ଗଂଜେଇ ପଡୋଶୀ ଆନ୍ଧ୍ରପ୍ରଦେଶ କୁ ଚୋରା ଚାଲାଣ କରାଯାଉଥିଲା । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକମୂଲ୍ୟ ୯୦ ଲକ୍ଷ ହୋଇଥିବା ଜଣାପଡ଼ିଛି।

ଭୁବନେଶ୍ୱରରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ ଓଭର ବ୍ରିଜ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ ଓଭର ବ୍ରିଜ। ୧୬ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ହେବ ଏହି ଫୁଟ ଓଭର ବ୍ରିଜ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦେଶକଙ୍କ ନିକଟକୁ ଏନେଇ ଆସିଛି ଚିଠି। ୧ କିଲୋମିଟର ୩୦୦ମିଟର ଲମ୍ବା ହେବ ଫୁଟ ଓଭର ବ୍ରିଜ।

ପ୍ରଥମ ପର୍ଯ୍ୟାୟରେ ୧କୋଟି ୨୫ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ସୂଚନା ମିଳିଛି। ଏହି ପ୍ରକଳ୍ପ ପାଇଁ ଖୁବଶୀଘ୍ର ଡ୍ରଇଂ ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଛି। ଦୀର୍ଘ ଦିନରୁ ଉଭୟ ସହିଦନଗର ଓ ଭିଏସଏସ ନଗର ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଆସୁଥିଲା। ଏହାଦ୍ୱାରା ଦୀର୍ଘଦିନର ଯାତାୟାତ ସମ୍ପର୍କିତ ସମସ୍ୟାର ସମାଧାନ ହେବା ନେଇ ଆଶା। ପ୍ରକଳ୍ପକୁ ନେଇ ସବୁ ମହଲରେ ଖୁସିର ଲହରୀ।

ଝାରପଡ଼ା ଜେଲରେ ବନ୍ଦୀଙ୍କ ପାଇଁ ଲାଗିଲା ୫ ଆକ୍ୱାଗାର୍ଡ, ଅନ୍ତେବାସୀଙ୍କୁ ମିଳିବ ସ୍ଵଛ ଓ ଥଣ୍ଡା ପାଣି

ଭୁବନେଶ୍ୱର: ଜେଲ୍ ଅନ୍ତେବାସୀଙ୍କ ସୁବିଧାକୁ ଗୁରୁତ୍ୱ। ଝାରପଡ଼ା ଜେଲରେ ବନ୍ଦୀଙ୍କ ପାଇଁ ପିଇବା ପାଣିର ସୁବିଧା ହୋଇଛି। ଲାଗିଲା ୫ଟି ଆକ୍ୱାଗାର୍ଡ। ଅନ୍ତେବାସୀଙ୍କୁ ସ୍ଵଛ ଓ ଥଣ୍ଡା ପାଣି ଯୋଗାଈ ଦେବାକୁ ବ୍ୟବସ୍ଥା ହୋଇଛି। ଜେଲରେ ରହୁଥିବା ୧୫୬୬ ଅନ୍ତେବାସୀଙ୍କ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଆକ୍ୱାଗାର୍ଡ ଲଗାଯାଇଛି। ଜେଲ ସଂସ୍କାର କାର୍ଯ୍ୟକ୍ରମ ଭିତରେ କ୍ୟାଣ୍ଟିନ ମଧ୍ୟ ଖୋଲାଯାଇଛି।

୩ ବର୍ଷ ମଧ୍ୟରେ ଏଥିରୁ ୩୪ ଲକ୍ଷ ୫୭୫ ଟଙ୍କା ଲାଭ ହୋଇଛି। ପ୍ରିଜନର୍ସ ୱେଲଫେୟାର ଦିଗରେ ଏହାକୁ ବିନିଯୋଗ କରାଯିବ ବୋଲି ଜେଲ ସୁପରିଟେଣ୍ଡେଣ୍ଟ ଡି.ଏନ. ବାରିକ ସୂଚନା ଦେଇଛନ୍ତି। ସେହିପରି ଝାରପଡ଼ା ଜେଲକୁ ଖାଦ୍ୟ ସୁରକ୍ଷା ପ୍ରମାଣ ପତ୍ର ମିଳିଛି। ପୂର୍ବରୁ କଏଦୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ତାଲିମ ଦିଆଯାଇଥିଲା। ମାଛ ଚାଷ, ସୋରିଷ ତେଲ , ହଳଦୀ, ଅଟା ,ବେସନ ତିଆରି ଦିଗରେ ଏହା ସହାୟତା କରିଥିଲା।

ଫୁଟପାଥ୍‌ରେ ସୋଇଥିବା ବେଳେ ୧୮ ଜଣଙ୍କ ଉପରେ ଚଢ଼ିଗଲା ଡମ୍ଫର, ୧୩ ଜଣ ମୃତ ୫ ଗୁରୁତର

ଅହମଦାବାଦ: ସକାଳୁ ସକାଳୁ ଘଟିଛି ହୃଦୟ ବିଦାରକ ଘଟଣା। ପୁରା ରାସ୍ତା ରକ୍ତ ରଞ୍ଜିତ ହୋଇଛି। ଅକାଳରେ ଚାଲିଯାଇଛି ଜୀବନ। କୁହୁଡ଼ିର ଅନ୍ଧାରରେ ଏକ ଯନ୍ତ୍ରଣାଦାୟକ ଘଟଣା ଘଟିଛି। ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଚଢ଼ିଗଲା ଡମ୍ଫର। ଡମ୍ଫର ଚଢ଼ିଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁତର ୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଜରାଟର ସୁରଟରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ୧୮ ଜଣଙ୍କ ଉପରେ ଡମ୍ଫର ଚଢ଼ିଯାଇଥିଲା। ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୫ ଗୁରୁତର ଅଛନ୍ତି। ମୃତକ ଓ ଗୁରୁତରମାନେ ଦିନ ମଜୁରିଆ ବୋଲି ପୋଲିସ କହିଛି। ସମସ୍ତଙ୍କ ଘର ରାଜସ୍ଥାନରେ ବୋଲି ସୂଚନା ମିଳିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି। ରାତି ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତେ ହେଉଛି ଖାଇବା ପରେ ରାସ୍ତା କଡ଼ରେ ସୋଇଥିଲା। ତେବ ପୁରା ନିଦରେ ସୋଇଥିବା ବେଳେ ସମସ୍ତଙ୍କ ଉପରେ ଚଢ଼ିଯାଇଥିଲା ଡମ୍ଫର।