spot_img
Home Blog Page 6123

ଭାରତ ଓ ଅଷ୍ଟ୍ରେଲିଆ ୩ୟ ଟେଷ୍ଟ, ବାଜି ପଲଟାଇଲା ଅଶ୍ୱିନୀ ଓ ହନୁମାଙ୍କ ପାର୍ଟନରସିପ୍

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ସିଡନୀ ଟେଷ୍ଟ ଡ୍ର ହୋଇଛି। ଭାରତୀୟ ବ୍ୟାଟ୍ସ ମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିଶ୍ଚିତ ପରାଜୟରୁ ବର୍ତ୍ତିଛି ଭାରତ। ପ୍ରଥମେ ପୂଜାରା ଓ ପନ୍ତ ଏବଂ ପରେ ଅଶ୍ୱିନୀ ଓ ହନୁମା ବିହାରୀଙ୍କ ପାର୍ଟନରସିପ୍ ବାଜି ପଲଟାଇ ଦେଇଥିଲା। ଏହି ଖେଳାଳିଙ୍କ ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ ବଳରେ ଭାରତ ସିଡନୀ ଟେଷ୍ଟକୁ ଡ୍ର କରିପାରିଛି ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଇଥିବା ଦ୍ୱିତୀୟ ଇନିଂସରେ ଭାରତ ଆଗରେ ୪୦୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଅଷ୍ଟ୍ରେଲିଆ ଦଳ। ହେଲେ ଆରମ୍ଭରୁ ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସ ମ୍ୟାନ ରୋହିତ ଶର୍ମା ଓ ଶୁବମନ ଗିଲ୍ ଭଲ ଆରମ୍ଭ କରିଥିଲେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିଆରେ ତିଷ୍ଠି ପାରିନଥିଲେ ।

ଏହାପରେ ଅଧିନାୟକ ରାହାଣେ ମାତ୍ର ୪ ରନ କରି ଆଉଟ୍ ହେବାପରେ ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଭାରତ ହାର ମାନିଯିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ପୂଜାରା ଓ ରିଷଭ ପନ୍ତଙ୍କ ଆକର୍ଷଣୀୟ ଇନିଂସ ମ୍ୟାଚର ମୋଡ ବଦଳାଇବାରେ ସଫଳ ହୋଇଥିଲା । ଗୋଟିଏ ସମୟରେ ଲାଗୁଥିଲା ଭାରତ ସହଜରେ ଏହି ମ୍ୟାଚରେ ବିଜୟୀ ହେବ ବୋଲି। କିନ୍ତୁ ରିଷଭ ପନ୍ତ ୯୭ ରନ୍ ଓ  ୭୭ ରନରେ ପୂଜାରା ଆଉଟ୍ ହୋଇଥିଲେ । ଯାହା ପରେ ଏହି ଆଶା ପୁଣି ମଉଳିବାରେ ଲାଗିଥିଲା ।

ଭାରତୀୟ ଦଳର ସ୍ଥିତି ବିଗୁଡୁଥିବା ବେଳେ ପଡ଼ିଆରେ ଜମିକି ରହିଥିଲେ ହନୁମା ବିହାରୀ ଓ ରବି ଚନ୍ଦ୍ରନ ଅଶ୍ୱିନୀ । ହନୁମା ବିହାରୀ ଓ ଅଶ୍ୱିନୀ ଉଭୟ ଆହତ ଅବସ୍ଥାରେ ଖେଳୁଥିବାର ଆଜି ନଜର ଆସିଥିଲେ । ରନ ନେବାକୁ ମଧ୍ୟ ଅସମର୍ଥ ଥିବା ଏହି ଦୁଇ ବ୍ୟାଟ୍ସ ମ୍ୟାନ୍ ଭାରତକୁ ପରାଜୟରୁ ରକ୍ଷା କରିବାକୁ ଲାଗି ପଡିଥିଲେ । ଆଉ ପଡ଼ିଆରେ ଅଷ୍ଟ୍ରେଲିଆ ବୋଲରଙ୍କୁ ସାମ୍ନା କରିଥିଲେ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମ ବ୍ୟାଟିଂ କରି ପ୍ରଥମ ଇଂନିସରେ ୩୩୮ ରନ କରିଥିଲା । ଜବାବରେ ଭାରତ ୨୪୪ ରନରେ ଅଲଆଉଟ୍ ହୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ ଇଂନିସରେ ଅଷ୍ଟ୍ରେଲିଆ ୩୧୨ ରନ କରି ଭାରତ ଆଗରେ ବିଶାଳ ୪୦୭ ରନର ଟାର୍ଗେଟ ଦେଇଥିଲା । ତେବେ ଦ୍ୱିତୀୟ ଇଂନିସରେ ଭାରତ ୫ ୱିକେଟ ହରାଇ ୩୩୪ ରନ କରି ମ୍ୟାଚକୁ ଡ୍ର କରିବାରେ ସକ୍ଷମ ହୋଇଥିଲା ।

ଚାଷୀ ଆନ୍ଦୋଳନ ପ୍ରସଙ୍ଗ: ନୂଆ ଆଇନ ଉପରେ ତୁରନ୍ତ ରୋକ୍ ପାଇଁ ପ୍ରଧାନ ବିଚାରପତିଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଉଭୟ କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ବାରମ୍ବାର ବୈଠକ ହେଉଥିଲେ ବି କୌଣସି ସମାଧାନ ବାହାରି ପାରୁନି । ଏଭଳି ସମୟରେ ମୋଦି ସରକାରଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା। ପ୍ରଧାନ ବିଚାରପତି ଆଇନ ଲାଗୁ ଉପରେ ତୁରନ୍ତ ରହିତାଦେଶ ପାଇଁ ପ୍ରସ୍ତାବ ଦେଇଛନ୍ତି ।

କୃଷି ଆଇନ ଅଚଳାବସ୍ଥା ନେଇ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ଭର୍ତ୍ସନା । ଯେଉଁଭଳି ଭାବେ ସରକାର ପୂରା ମାମଲାକୁ ପରିଚାଳନା କରୁଛନ୍ତି, ତାହା ନିରାଶ ଜନକ ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି । ବିଲ୍‌ କେମିତି ପାସ କରାଗଲା, ସେନେଇ ସୁପ୍ରିମକୋର୍ଟ କିଛି ଜାଣିନାହାନ୍ତି । ଏନେଇ ଗତ ଶୁଣାଣିରେ ଉତ୍ତର ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆ ଯାଇଥିଲା ।

ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ହେଲେ ସମାଧାନର ବାଟ ବାହାରିବ ବୋଲି କୋର୍ଟ କହିଥିଲେ। ଆସନ୍ତା ୧୫ରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ସିଂଘୁ ସୀମାରେ ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନକୁ ନେଇ ସୋମବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଯାଉଛି। ଏଥିସହିତ କୃଷି ଆଇନ ପ୍ରତ୍ୟାହାର ଆବେଦନ ଉପରେ ମଧ୍ୟ ଆଜି ଶୁଣାଣି ।

ଜାନୁଆରୀ ୮ ତାରିଖରେ ଅଷ୍ଟମ ଥର ପାଇଁ ହୋଇଥିବା ବୈଠକ ବିଫଳ ରହିଥିଲା।  ସରକାର ଏବଂ ଚାଷୀଙ୍କ ମଧ୍ୟରେ ବିଜ୍ଞାନ ଭବନରେ ଜାରି ରହିଥିବା ଆଲୋଚନା ପୁନର୍ବାର ଫେଲ ମାରିଥିଲା ଏହି ବୈଠକ। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ଅଟଳ ରହିଥିବା ବେଳେ, ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଥିଲେ କେନ୍ଦ୍ର ସରକାର ।

ଏପରିକି ଏମଏସପି ବଳବତ୍ତର ଏବଂ ନୂତନ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବି ରଖିଥିଲେ ଆନ୍ଦୋଳନରତ ଚାଷୀ ସଂଗଠନ । କିନ୍ତୁ ପୂର୍ବ ବୈଠକରେ ଏମଏସପି ଉପରେ ସରକାର ଆଲୋଚନା କରିଥିଲାବେଳେ, ସେହି ବୈଠକରେ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରି ଦେଇଥିଲେ ସରକାର।

WHO ମ୍ୟାପରେ ଭାରତଠୁ ଅଲଗା ଜମ୍ମୁ-କାଶ୍ମୀର ଓ ଲଦାଖ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ୱେବସାଇଟରେ ଭାରତର ମାନଚିତ୍ରକୁ ଭିନ୍ନ କରି ପ୍ରଦର୍ଶିତ କରାଯାଇଛି । ଏହି ମ୍ୟାପରେ ଜମ୍ମୁ-କାଶ୍ମୀର ଏବଂ ଲଦାଖ ଅଞ୍ଚଳକୁ ଭାରତ ଠାରୁ ଭିନ୍ନ କରି ପ୍ରଦର୍ଶନ କରାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବସାଇଟରେ କରୋନା ଭାଇରସ୍ ସମ୍ପର୍କିତ ଜାରି ଡାସବୋର୍ଡରେ ବିଶ୍ୱର ଏକ ମାନଚିତ୍ର ପ୍ରଦର୍ଶିତ କରାଯାଇଛି । ଯେଉଁଥିରେ ଭାରତର ମାନଚିତ୍ରକୁ ଦେଖିଲେ ଜମ୍ମୁ-କାଶ୍ମୀର ଏବଂ ଲଦାଖ ଏହାର ଏକ ଅଂଶ ବୋଲି ଲାଗିବ ନାହିଁ । ଅର୍ଥାତ୍ ଏହି ଦୁଇ ଅଂଶକୁ ମାନଚିତ୍ରରେ ଭାରତ ଠାରୁ ସମ୍ପୂର୍ଣ୍ଣ ଅଲଗା କରି ପ୍ରଦର୍ଶିତ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ WHO ର କାର୍ଯ୍ୟନିର୍ବାହୀ ବୋର୍ଡର ଚେୟାରମ୍ୟାନ୍ ରହିଥିବା ବେଳେ ଏଭଳି ସ୍ଥିତିରେ ଭାରତ ପକ୍ଷରୁ ଏକ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଆଲୋଚନା ହେଉଛି।

କେବଳ ଏତିକି ନୁହେଁ ଏହା ପୂର୍ବରୁ ସାଉଦି ଆରବ ଯେତେବେଳେ ଜି-୨୦ ସମ୍ମିଳନୀ ଆୟୋଜନ କରୁଥିଲା । ସେ ସମୟରେ ମୁଦ୍ରିତ ହୋଇଥିବା ଏକ ନୋଟରେ ଜମ୍ମୁ କାଶ୍ମୀରକୁ ଭାରତଠାରୁ ଭିନ୍ନ ଭାବେ ପ୍ରଦର୍ଶିତ କରାଯାଇଥିଲା । ତା’ ପରେ ଭାରତର ଦୃଢ ପ୍ରତିବାଦ ପରେ ଏହାକୁ ସଂଶୋଧନ କରାଯାଇଥିଲା।

କରୋନା ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏବେ ୧୬ତାରିଖକୁ ଅପେକ୍ଷା

ଭୁବନେଶ୍ୱର: କରୋନା ଟିକାକରଣ ପାଇଁ ସରିଛି ପ୍ରସ୍ତୁତି, ଅପେକ୍ଷା ଏବେ ୧୬ ତାରିଖକୁ । କରୋନା ଟିକାକରଣର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ ଟିକା ଆସିପାରେ । ଓଡ଼ିଶାର ୧୬୦ଟି ସ୍ଥାନରେ ଟିକାକରଣ ହେବ । ଦୁଇଟି ଜାଗାରେ ଟୁୱେ କମ୍ୟୁନିକେସନ ରହିବ । ଡିଏଚଏଚ ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ରହିବ । ଏଠାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକାକରଣ ସମ୍ପର୍କରେ ସିଧାସଳଖ ଫିଡ୍‌ବ୍ୟାକ୍‌ ନେଇପାରିବ । ଟିକାକରଣ‌ ପରିଚାଳନା ପାଇଁ ରାଜ୍ୟସ୍ତରରେ ଷ୍ଟେଟ୍‌ ମନିଟରିଂ ଟିମ୍‌ ଗଠନ ହୋଇଛି । ଟିମ୍ ଜିଲ୍ଲାସ୍ତରକୁ ଯାଇ ମନିଟରିଂ କରିବେ । କରୋନା ଟିକାକରଣ‌ ପାଇଁ ୧୭, ୧୮ ଓ ୧୯ ତାରିଖରେ ହେବାକୁ ଥିବା ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ।

ଏହାସହ ରାଜ୍ୟର ୨ଟି ଜାଗାରେ ଟୁ-ୱେ କମ୍ୟୁନିକେସନ୍ ରହିବ ବୋଲି ଜଣାପଡ଼ିଛି । DHH ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲରେ ରହିବ ଏହି ବ୍ୟବସ୍ଥା । ଏନଆଇସି କି ଜୁମ୍‌ ମିଟିଂ ଜରିଆରେ ପ୍ରଧାନମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା ସ୍ଵାସ୍ଥ୍ୟ କର୍ମୀଙ୍କଠାରୁ ଫିଡ୍‌ଵ୍ୟାକ ନେବେ । ମୁଖ୍ୟତଃ କ୍ୟାପିଟାଲ ହସ୍ପିଟାଲ ଓ DHH ସୁନ୍ଦରଗଡରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ପଚରାଯିବ । ଏହାଦ୍ୱାରା ସେମାନଙ୍କ ଟିକା ନେବା ପରେ ଅନୁଭୂତି ଜାଣି ହେବ । ପାର୍ଶ୍ୱ ପ୍ରତିକ୍ରିୟା ସଂପର୍କରେ ଜଣାପଡ଼ିବ ବୋଲି କ୍ୟାପିଟାଲ୍‌ ହସପିଟାଲ ନିର୍ଦ୍ଦେଶକ କହିଛନ୍ତି ।

ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ସ୍କୁଲ ଫି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ତର୍ଜମା କରାଯିବ। ଉଚ୍ଚନ୍ୟାୟାଳ କି ନିର୍ଦ୍ଦେଶ କିମ୍ବା ପରାମର୍ଶ ଦେଇଛନ୍ତି ତାକୁ ଦେଖିବା ପରେ ବିଭାଗ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଛନ୍ତି  ଗଣଶିକ୍ଷା ମନ୍ତ୍ରୀ ।

ତେବେ ଗଜପତି ଜିଲ୍ଲାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କରୋନା ସଂକ୍ରମଣ ପ୍ରସଙ୍ଗରେ ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ସ୍କୁଲ ଯିବା ପୂର୍ବରୁ ଶିକ୍ଷକମାନଙ୍କର କୋଭିଡ ଟେଷ୍ଟ ହୋଇଥିଲା । ଯେଉଁମାନେ ପଜିଟିଭ ହୋଇଛନ୍ତି ସେମାନେ ଆଇସଲେସନରେ ଅଛନ୍ତି । ଯେଉଁଠି ଶିକ୍ଷକ ଅଭାବ ରହିଛନ୍ତି ଅନ୍ୟସ୍ଥାନରୁ ଶିକ୍ଷକ ଆଣି ପାଠ ପଢାଯାଉଛି । ସଂକ୍ରମଣ ପାଇଁ ବିଭାଗ ସଜାଗ ରହିଛି । ବିଭିନ୍ନ ଟିମ ସ୍କୁଲକୁ ଗ୍ରସ୍ତ କରି ଅନୁଧ୍ୟାନ କରୁଛନ୍ତି । ସବୁ ସ୍ଥାନରେ ଆନୁଷ୍ଠାନିକ ବ୍ୟବସ୍ଥା ମଧ୍ୟ କରାଯାଇଛି।

ତେବେ ଆଜି ଖୋର୍ଦ୍ଧା, ନୟାଗଡ଼ ଏବଂ ବୌଦ୍ଧ ଜିଲ୍ଲାର କିଛି ସ୍କୁଲ ପରିଦର୍ଶନ କରିବେ ମନ୍ତ୍ରୀ ସମୀର ଦାସ । ଆସନ୍ତା ୧୪ ରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଯିବେ । ହଜାର କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଶୁଭାରମ୍ଭ କରିବେ। ଏଥିରେ କଳାହାଣ୍ଡି ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ। ଏଥିରୁ ପ୍ରମାଣିତ ହେଉଛି ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି ।

ଶୋଏବ ମଲିକଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ

ନୂଆଦିଲ୍ଲୀ: ପାକିସ୍ତାନର ଷ୍ଟାର୍ କ୍ରିକେଟର ତଥା ଅଲରାଉଣ୍ଡର ଶୋଏବ ମଲିକଙ୍କ କାର୍ ରବିବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବଙ୍କ କାର ଲାହୋର ନିକଟ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଶୋଏବଙ୍କ କାର୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।  ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ ମଲିକ ପାକିସ୍ତାନ ସୁପର ଲିଗ୍ ପ୍ଲେୟାର ଡ୍ରାଫ୍ଟ କାର୍ଯ୍ୟକ୍ରମମରୁ ଘରକୁ ଫେରୁଥିବା ବେଳେ ଲାହୋର ସ୍ଥିତ ନ୍ୟାସନାଲ୍ ହାଇ ପରଫାର୍ମସ୍ ସେଣ୍ଟର ନିକଟରେ ଏକ ଟ୍ରକ୍ ସହ ତାଙ୍କ କାର ଧକ୍କା ହୋଇଥିଲା।

ଖବର ଅନୁଯାୟୀ, ଶୋଏବଙ୍କ ସ୍ପୋର୍ଟସ କାର ଦ୍ରୁତ ବେଗରେ ଥିଲା । କୗେଣସି କାରଣବଶତଃ ସେ ଭାରସାମ୍ୟ ହରାଇବାରୁ କାରଟି ରାସ୍ତା କଡ଼ରେ ଅଟକି ରହିଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ତାଙ୍କର ସ୍ପୋର୍ଟ୍ସ କାରଟି  ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

ତେବେ ଏନେଇ ଶୋଏବଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ ପ୍ରସ୍ତାବ

ଓ୍ୱାଶିଂଟନ୍: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ ପ୍ରସ୍ତାବ | ଆମେରିକାର କ୍ୟାପିଟାଲ ବିଲ୍ଡିଂରେ ଘଟିଥିବା ହିଂସା ପାଇ ହ୍ୱାଇଟ୍‌ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ୩ ସଦସ୍ୟ ଟ୍ରମ୍ପଙ୍କ ବିରୋଧରେ ସୋମବାର ଦିନ ମହାଭିଯୋଗ ଆର୍ଟିକିଲ ଆଗତ କରିପାରନ୍ତି |

କଂଗ୍ରେସର ମିଳିତ ଅଧିବେଶନରେ ଇଲେକ୍ଟୋରାଲ କଲେଜ ଭୋଟ ଗଣତି ଚାଲିଥିବା ବେଳେ ଟ୍ରମ୍ପ ସମର୍ଥକମାନେ ହିଂସା ଘଟାଇଥିଲେ | ଟ୍ରମ୍ପ ଜାଣିଶୁଣି ଆମେରିକାର ସରକାରଙ୍କ ବିରୋଧରେ ହିଂସାକୁ ଉସକାଇଥିଲେ ବୋଲି ଅଭିଯୋଗ ହୋଇଛି | ଏଥିଯୋଗୁ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଡେମୋକ୍ରାଟ୍‌ ସାଂସଦ ଟେଡ୍‌ ଲିଉ ସୂଚନା ଦେଇଛନ୍ତି |

ଟ୍ରମ୍ପଙ୍କୁ ବହିଷ୍କାର କରାଯିବା ସହ ପୂନର୍ବାର ସେହି ପଦ ପାଇ ଅଯୋଗ୍ୟ ଘୋଷଣା କରାଯିବାକୁ ଉକ୍ତ ଆର୍ଟିକିଲରେ ଉଲ୍ଲେଖ ରହିଛି | ଆମେରିକର ଇତିହାସରେ ଟ୍ରମ୍ପ ୩ୟ ରାଷ୍ଟ୍ରପତି ଭାବେ ମହାଭିଯୋଗ ପ୍ରସ୍ତାବର ସାମ୍ନା କରିବେ | ପୂର୍ବରୁ ବିଲ୍‌ କ୍ଲିଣ୍ଟନ ଓ ଆଣ୍ଡ୍ରିୟୁ ଜନଶନ ଏହାର ସମ୍ମୁଖୀନ ହୋଇଥିଲେ । ସାମ୍ବିଧାନ ଭଙ୍ଗ ନେଇ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଦିଆଯିବ ବୋଲି ଗୃହ ବାଚସ୍ପତି ନାନସୀ ପେଲୋସି କହିଛନ୍ତି |

ସୂଚନାଯୋଗ୍ୟ, ନିକଟରେ କଂଗ୍ରେସର ଇଲୋକ୍ଟ୍ରାଲ କଲେଜ ବୈଠକ ପୂର୍ବରୁ ସଂସଦ ପରିସରରେ ଟ୍ରମ୍ପ ସମର୍ଥକ ହଙ୍ଗାମା କରିଥିଲେ। ଯେଉଁଥିରେ ଅନେକ ଆହତ ହୋଇଥିବା ବେଳେ ଗୁଳିମାଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ହେଲେ ପରର୍ବତ୍ତୀ ସମୟରେ ଏହି ସଂଖ୍ୟା ବଢିଥିଲା । ଏପରିକି ସ୍ଥିତି ଅଣାୟତ ହେବାରୁ ଓ୍ୱାଶିଂଟନ ଡିସିରେ କର୍ଫ୍ୟୁ ଜାରି କରାଯାଇଥିଲା ।

ଆମେରିକା ସଂସଦରେ ଟ୍ରମ୍ପ ସମର୍ଥକଙ୍କ ହିଂସା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଥିଲା ଟ୍ୱିଟର । ଜାତୀୟ ସଂହତି ଏବଂ ସାମାଜିକ ଶାନ୍ତିରେ ବ୍ୟାଘାତ ସୃଷ୍ଟି କରିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କରିବା ପାଇଁ ଆମେରିକାର ୨କୋଟିରୁ ଅଧିକ ଲୋକ ଅନଲାଇନ୍‌ ଦସ୍ତଖତ ଅଭିଯାନ କରିଥିଲେ । ଟ୍ୱିଟର ସିଇଓ ଜ୍ୟାକ‌ଙ୍କୁ ଟ୍ରମ୍ପଙ୍କ ଆକାଉଣ୍ଟ ଅଚଳ କରିବା ପାଇଁ ସାରା ବିଶ୍ୱରୁ ଟ୍ୱିଟ୍ ହୋଇଥିଲା । ୨୦୧୯ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସଂପର୍କିତ ଅନେକ ବିଭ୍ରାନ୍ତିକର ତଥ୍ୟ ଟ୍ରମ୍ପଙ୍କ ଆକାଉଣ୍ଟରୁ ଟ୍ୱିଟ୍ ହୋଇଥିଲା  ବୋଲି ସେ ପ୍ରକାଶ କରିଛନ୍ତି।

ଜାଣନ୍ତୁ, କ’ଣ ଏହି ମହାଭିଯୋଗ ପ୍ରସ୍ତାବ ?

ଆମେରିକା ସମ୍ବିଧାନ ମୁତାବକ ରାଷ୍ଟ୍ରପତିଙ୍କ ବିରୋଧରେ ଦେଶଦ୍ରୋହ, ଲାଞ୍ଚ ନେବା ଏବଂ ଅନ୍ୟ ଗମ୍ଭୀର ଅପରାଧ ପାଇଁ ମହାଭିଯୋଗ ଅଣାଯାଇଥାଏ । ମହାଭିଯୋଗ ଅଧିନରେ ତଦନ୍ତ ପରେ ଅପରାଧର ପ୍ରମାଣ ପାଇବା ପରେ ସଂସଦର ନ୍ୟାୟ କମିଟି ନିକଟକୁ ପଠାଯାଇଥାଏ । ଏହି ସମିତି ତଦନ୍ତ, ଶୁଣାଣୀ, ଡ୍ରାଫ୍ଟ କରିବା ପରେ ସମସ୍ତ ତଥ୍ୟ ସିନେଟର ସଦସ୍ୟ ମାନଙ୍କୁ ହସ୍ତାନ୍ତର କରିଥାଏ । ଏହାପରେ ନିଷ୍ପତ୍ତି ନିଆଯାଇଥାଏ ଯେ ଦଣ୍ଡ ଦିଆଯିବ ନା ନାହିଁ । ଏହି ପ୍ରକ୍ରିୟାରେ ପ୍ରାୟ ୩ ମାସ ସମୟ ଲାଗିଥାଏ । ବର୍ତ୍ତମାନ ଯେହେତୁ କ୍ୟାପିଟାଲ ହିଲ ଉପରେ ଆକ୍ରମଣ ହୋଇଛି, ତେଣୁ ଡେମୋକ୍ରେଟିକର ସଦସ୍ୟ ମାନେ ତଦନ୍ତର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ବସ୍, ବସରେ ଥିଲେ ୩୦ ଯାତ୍ରୀ

କନ୍ଧମାଳ: ଚଳନ୍ତା ବସରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ଜଳିଗଲା ରୁଦ୍ରକାଳୀ ନାମକ ଯାତ୍ରୀବାହୀ ଘରୋଇ ବସ୍  ଜଳି ଯାଇଥିବା ଜଣାପଡ଼ିଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ଥିବା ପାଖାପାଖି ୩୦ ଯାତ୍ରୀ ।

ସୂଚନା ଅନୁସାରେ, ବସଟି ସକାଳୁ କଳାହାଣ୍ଡି ଜିଲ୍ଲାର ଏମ ରାମପୁରରୁ ଭଞ୍ଜନଗର ଅଭିମୁଖେ ବାହାରିଥିଲା । ବାଲିଗୁଡ଼ାରୁ ପ୍ରାୟ ୧୦ କିଲୋମିଟର  ଧୁଙ୍ଗିଆଦିଆ ଘାଟି ଉଠୁଥିବା ସମୟରେ ହଠାତ୍ ସର୍ଟ ସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିବାରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

ଏବଂ ଗାଡ଼ିରେ ଥିବା ପାଖାପାଖି ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ ଗାଡ଼ି ସହ ଜିନିଷପତ୍ର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି । ତେବେ ଗାଡ଼ିରେ ହଠାତ ନିଆଁ ଲାଗିବାରୁ ପ୍ରାଣ ବଞ୍ଚାଇବାକୁ ଲୋକେ ବସରୁ ଓହ୍ଲାଇ ଯାଇଥିଲେ ବି ବସରେ ଥିବା ସେମାନଙ୍କ ଜିନିଷ ପତ୍ର ଆଣିବାର ସୁଯୋଗ ପାଇ ନଥିଲେ । ତେବେ ଏଥିରେ ଥିବା ଜଣେ ଯୁବତୀଙ୍କ ସାର୍ଟିଫିକେଟ, ଟଙ୍କା ଓ ମୋବାଇଲ୍ ମଧ୍ୟ ଗାଡ଼ି ଭିତରେ ଜଳି ପାଉଁଶ ହୋଇଯାଇଥିବା କହିଛନ୍ତି ଯୁବତୀ ଜଣକ ।

ଚଣା ଶାଗ ଖାଇ ଜଣେ ମୃତ , ୩ ଗୁରୁତର

ନୟାଗଡ଼: ଚଣା ଶାଗ ଖାଇ ୩ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଶିଶୁର ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ସରଣକୂଳ ଥାନା ବରସାହି ଗାଁରେ । ଗତକାଲି ସକାଳେ ସେ ଗାଁର ବାସନ୍ତୀ ମୁଦୁଲି ତାଙ୍କ ବିଲରୁ ଚଣା ଶାଗ ତୋଳି ଆଣିଥିଲେ । ତାଙ୍କ ବୋହୁ ସୁରେଖା ମୁଦୁଲି ଶାଗ ଭାଜି ପରିବାର ସଦସ୍ୟଙ୍କୁ ଖାଇବାକୁ ଦେଇଥିଲେ ।

ଖାଇବାର କିଛି ସମୟ ପରେ ଅପରାହ୍ନ ପ୍ରାୟ ୫ଟା ସମୟରେ ନାତୁଣୀ ଟୁଇଁକିଲିର ପ୍ରଥମେ ଝାଡା ବାନ୍ତି ହୋଇଥିଲା । ପରେ ଶାଶୁ ବାସନ୍ତୀ ପରେ ବୋହୁ ସୁରେଖା ଓ ସମୁଦୁଣୀ ଝୁନୁଙ୍କ ଝାଡା ବାନ୍ତି ହୋଇଥିଲା । ସାଙ୍ଗେ ସାଙ୍ଗେ ତାଙ୍କୁ ସରଣକୂଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେମାନେ ଗୁରୁତର ହେବାରୁ ଡାକ୍ତର ସାଙ୍ଗେ ସାଙ୍ଗେ ନୟାଗଡ ମେଡ଼ିକାଲ ପଠାଇଥିଲେ  । ଏବଂ ସେଠାରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ନସୁଧୁରାବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା ।

ଭୁବନେଶ୍ୱର ଯିବା ବାଟରେ ହିଁ ନାତୁଣୀ ଟୁଇଁକିଲର ମୃତ୍ୟୁ ହୋଯାଇଥିଲା । ଗୁରୁତର ଥିବା ପରିବାରର ଅନ୍ୟ ୩ଜଣ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ତା ଭଲ ଥିବା ଡାକ୍ତର କହିଛନ୍ତି । ତେବେ ଶାଗ ଖାଇ ଏମିତି ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଡାକ୍ତର ଫୁଡ ପଏଜନ ହୋଇଯାଇଥିବା କହିଛନ୍ତି ।

ନିର୍ମାଣାଧୀନ ସେତୁ ଭୁଶୁଡ଼ିବା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ତାଲାପଦରରେ ନିର୍ମାଣାଧୀନ ସେତୁ ଭୁଶୁଡ଼ିବା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ତଥା ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନା । ଠିକାଦାର ଆଶିଷ ବିଶ୍ୱାଳ, ବିଭାଗୀୟ ଜେଇ ଏବଂ ଏସଡିଓଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଘଟଣାସ୍ଥଳରେ ସୁନାବେଡ଼ା SE ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥି ସହ EIC ମଧ୍ୟ ତାଲାପଦର ଆସି ଘଟଣାର ଅନୁଧ୍ୟାନ କରିବେ । ଗତକାଲି ରାତି ତିନିଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଗତକାଲି ସେତୁ ଭୁଶୁଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ।

ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜାନିଗୁଡା- ତାଲାପଦର ରାସ୍ତାରେ ସେତୁ ନିର୍ମାଣ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିଲା । ୧୪ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳ ଗତକାଲି ଛାତଟି ଭୁଶୁଡି ପଡ଼ିଥିଲା । ଛାତ ଭୁଶୁଡିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ନବରଙ୍ଗପୁର ଜିଲ୍ଲାପାଳ କହିଛନ୍ତି ।