spot_img
Home Blog Page 6155

ରାଜଧାନୀରେ ଥଣ୍ଡାର ଥାର୍ଡ଼ ଡିଗ୍ରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୀତର ପ୍ରକୋପ ଜାରି ରହିଛି । ଦିଲ୍ଲୀ ଓ ଏହାର ଉପକଣ୍ଠରେ ବିଗତ ୨ ଦିନ ହେବ ବର୍ଷା ଜାରି ରହିଛି ଏବଂ ଆଗାମୀ ୩ ଦିନ ଯାଏଁ ଏହା ଜାରି ରହିବ ବୋଲି ଆକଳନ ହୋଇଛି । କିଛି ଘଣ୍ଟା ଭିତରେ ଦିଲ୍ଲୀର କିଛି ଅଞ୍ଚଳରେ ପୁଣି ବର୍ଷା ହୋଇପାରେ ବୋଲି ସୁଚନା ଦେଇଛି ।

ଭାରତୀୟ ପାଣିପାଗ ବିଭାଗ ଆଇଏମଡି ଅନୁଯାୟୀ, ଆଗାମୀ କିଛି ଘଣ୍ଟା ମଧ୍ୟରେ ହରିୟାଣାର ଦିଲ୍ଲୀର ପାଲୱାଲରେ ପୁଣି ବର୍ଷା ହୋଇପାରେ। ଫଳରେ ଆଗକୁ ଥଣ୍ଡା ଆହୁରି ବଢ଼ିପାରେ। ରାଜଧାନୀରେ ୨ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୬ରୁ ୮ ଡିଗ୍ରୀ ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

 

ଦିଲ୍ଲୀ ବ୍ୟତୀତ ରାଜସ୍ଥାନର ନାଡ଼ବାଇ, ନାଗର, ଲକ୍ଷ୍ମଗଡ଼, ଭାରତପୁର, ମେହେନ୍ଦୀପୁର ବାଲାଜୀରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଉତ୍ତରପ୍ରଦେଶର ବାରସାନା, ନନ୍ଦଗାଓଁ, ଖାତାଲା, ଗାଲାଉଟି ଏବଂ ଚାପ୍ରାଲାରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

 

ଢାବା ଉପରକୁ ବୋମାମାଡ଼ କରି ଫେରାର ହେଲେ ଦୁର୍ବୃତ୍ତ

କେନ୍ଦ୍ରାପଡା: କେନ୍ଦ୍ରାପଡା ମାର୍ଶାଘାଇରେ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ମାର୍ଶାଘାଇ ଥାନା ଜାତୀୟ ରାଜପଥ କଡର ଏକ ଢାବା ଉପରକୁ ବୋମାମାଡ଼ ହୋଇଛି । ବୋମାମାଡ କରି ଦୃଵୃର୍ତ୍ତ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି । ବୋମାମାଡରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । କିଏ ଓ କାହିଁକି ବୋମାମାଡ କରିଛି, ତାର ତଦନ୍ତ ଜାରି ରଖିଛି ପୋଲିସ ।

ଢାବା ବନ୍ଦ ଥିବା ସମୟରେ ବୋମା ମାଡ଼ ହୋଇଥିଲା । ପ୍ରଥମ ବୋମା ନ ଫୁଟିବା ପରେ ଦ୍ୱିତୀୟ ବୋମା ପକାଇଥିଲେ ଦୁର୍ବୃତ୍ତ । ଘଟଣା ସମ୍ପର୍କ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଫୁଟି ନଥିବା ବୋମାଟିକୁ ନିଷ୍କ୍ରିୟ କରିବାକୁ ପ୍ରୟାସ କରିଥିଲେ । ତେବେ ବୋମାଟି ହାତ ତିଆରି ବୋଲି ଜଣାପଡ଼ିଛି । ତେବେ ଉକ୍ତ ଢାବାରେ କେହି ଲୋକ ନିଥିବା ସୂଚନା ମିଳିଛି ।

ସିଡନୀ ଟେଷ୍ଟ: ଭାରତୀୟ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ସିଡ୍‌ନୀ ଟେଷ୍ଟ ପୂର୍ବରୁ ଆସିଛି ଖୁସି ଖବର । ମ୍ୟାଚର ଅବ୍ୟବହିତ ପୂର୍ବରୁ ଭାରତୀୟ କ୍ରିକେଟ ଟିମ‌ର ଖେଳାଳି ଓ ଷ୍ଟାଫଙ୍କ କରୋନା ଟେଷ୍ଟ କରାଯାଇଥିଳା । ଯାହା ପରେ ସବୁ ଖେଳାଳିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି ।

ଏ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

କ୍ରିକେଟର ମାନେ ନିଉ ଇୟରରେ ଏକ ରେଷ୍ଟୁରାଣ୍ଟରେ ଡିନର କରୁଥିବା ଦେଖାଯାଇଥିଲା । ଏହାପରେ ରୋହିତ ଶର୍ମାଙ୍କ ସମେତ ଶୁଭମନ ଗୀଲ୍‌, ରୀଷଭ୍ ପନ୍ତ, ନବଦୀପ ସୋନୀ ଓ ପୃଥ୍ୱୀ ଶଙ୍କୁ ଆଇସୋଲେଶନରେ ରଖାଯାଇଥିଲା । ତେବେ ରେଷ୍ଟୁରାଣ୍ଟରେ ଭାରତୀୟ ଟିମ୍‌ର ଖେଳାଳି କୌଣସି ପ୍ରୋଟୋକୋଲ ଭାଙ୍ଗି ନ ଥିବା କହିଥିଲା ବିସିସିଆଇ ।

ସେପଟେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ଏବେ ସ୍କୋର ୧-୧ରେ ବରାବର ରହିଥିବା ବେଳେ ତୃତୀୟ ମ୍ୟାଚ୍ ଜାନୁୟାରୀ ୭ ତାରିଖରେ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ ବୋଲି ସୂଚନା ମିଳିଛି । ଯେଉଁଥିପାଇଁ ଟିମ୍ ଇଣ୍ଡିଆ ସୋମବାର ଦିନ ଚାଟାର୍ଡ ଫ୍ଲାଇଟ୍ ରେ ମେଲବର୍ଣ୍ଣରୁ ସିଡନୀ ଅଭିମୁଖେ ବାହାରିବେ । ସେଠାରେ ପହଞ୍ଚିବା ପରେ ଦୁଇ ଦିନ ଅଭ୍ୟାସ୍ କରିବ ଟିମ୍ । ଏହା ପୂର୍ବରୁ ଟିମ୍ ପକ୍ଷରୁ ମେଲବର୍ଣ୍ଣରେ ଅଭ୍ୟାସ୍ କରାଯାଇ ଥିଲା ।

ଉତ୍ତରପ୍ରଦେଶ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି, ୩ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁରାଦନଗରରେ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା୨୫କୁ ବଢିଛି। ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି ।

ମୁରାଦନଗର ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାରିକା ଚୌହାନ, କନିଷ୍ଠଯନ୍ତ୍ରୀ ଚନ୍ଦ୍ରପାଲ, ସୁପରଭାଇଜର ଆଶିଷ, ଠିକାଦାର ଅଜୟ ତ୍ୟାଗୀଙ୍କ ନାଁରେ ମୁରାଦନଗର ଥାନାରେ ମାମଲା ରୁଜୁ ହୋଇଥିଲା। ଗତକାଲି ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରିବାକୁ ଯାଇଥିବା ବେଳେ ଛାତ ଭୁଶୁଡ଼ିଥିଲା। ଅଘଟଣ ନେଇ ତଦନ୍ତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ଗାଜିଆବାଦ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୬୪ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଗତ କିଛି ମାସ ତଳେ ଶବଦାହ ଗୃହର ଉନ୍ନତୀକାରଣ କାର୍ଯ୍ୟ କରାଯାଇଥିଲା। ଏପର୍ଯ୍ୟନ୍ତ ସମ୍ପୃକ୍ତ ଠିକାଦାରଙ୍କୁ ୪୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ତେବେ ନିର୍ମାଣ କାର୍ଯ୍ୟର ତଦାରଖ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କରାଯାଇ ନଥିବା ମାନିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ । ସେପଟେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାକୁ ୟୁପି ସରକାର ଘୋଷଣା କରିଛନ୍ତି ।

ଉତ୍ତରପ୍ରଦେଶରେ ଘଟିଥିବା ଏହି ଦୁର୍ଘଟଣାରେ ଗତକାଲି ମୃତାହତଙ୍କ ପାଇଁ ଶୋକବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକବାର୍ତ୍ତା ଜଣାଇଥିଲେ।

ସୂଚନାଯୋଗ୍ୟ, ଗାଜିଆବାଦର ମୁରାଦନଗରର ବମ୍ବା ରୋଡ୍‌ରେ ଥିବା ଶ୍ମଶାନରେ କିଛି ଲୋକେ ଏକ ଶବ ଦାହ କରିବାକୁ ଯାଇଥିଲେ । ସେହି ସମୟରେ ବର୍ଷା ହେବାରୁ ପ୍ରାୟ ୪୦ଜଣ ଶ୍ମଶାନରେ ଥିବା ଏକ ପୁରୁଣା କୋଠାଘରେ ଆଶ୍ରୟ ନେଇଥିଲେ । ବର୍ଷା କାରଣରୁ କୋଠାର ଛାତ ହଠାତ୍ ଭୁଶୁଡି ପଡ଼ିଥିଲା । ଫଳରେ କୋଠା ତଳେ ସମସ୍ତେ ଚାପି ହୋଇଯାଇଥିଲେ । ସ୍ଥିତି ଏଭଳି ହୋଇଥିଲା, କୋଠା ତଳୁ କେହି ବି ବାହାରି ପାରିନଥିଲେ ।

ଖବରପାଇ ପୋଲିସ, ଦମକଳ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ୧୯ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ, ଉଦ୍ଧାର ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ମୃତ୍ୟୁ ତାଲିକା ବଢିଥିବା ଜଣାପଡିଛି ।

୧୦ ମାସ ପରେ ଖୋଲିଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର 

ରାୟଗଡ଼ା/ପୁରୀ: ଦୀର୍ଘ ୧୦ ମାସ ପରେ ଆଜି ଖୋଲିଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର  । କୋଭିଡ ନିୟମ ଅନୁଯାୟୀ ମନ୍ଦିର ଭିତରକୁ ଭକ୍ତ ପ୍ରବେଶ କରୁଛନ୍ତି । ତେବେ ମକର ସଂକ୍ରାନ୍ତିରେ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା ୧୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶ ତଥା ଛତିଶଗଡ଼ରୁ ହଜାର ହଜାର ଭକ୍ତ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିଥାନ୍ତି ।

ଅନ୍ୟପଟେ ଦ୍ୱିତୀୟ ଦିନରେ ଚାଲିଛି ଜଗା ଦର୍ଶନ । ଧାଡ଼ି ବାନ୍ଧି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ୧୦ ମାସ ପରେ କାଳିଆ ଦର୍ଶନ କରି ବିମୋହିତ ହୋଇଛନ୍ତି ଭକ୍ତ । କୋଭିଡ ଗାଇଡଲାଇନ ମାନି ଜଗା ଦର୍ଶନ ଜାରି ରହିଛି । ପରିଚୟପତ୍ର ଓ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ । ବ୍ୟାରିକେଡ୍‌ ଦେଇ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସାମୂହିକ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ୧୮ ପ୍ଲାଟୁନ ପୋଲିସ ସହ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।

କୋରୋନା କଟକଣା ଭିତରେ ଖୋଲିଲା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ ପୀଠ । ୯ ମାସ ଧରି ବନ୍ଦ ରହିଥିବା ଶ୍ରୀଚନ୍ଦ୍ରଶେଖର ଜିୟୁଙ୍କ ପୀଠ ଖୋଲିଥିବାରୁ ଶ୍ରଦ୍ଧାଳୁ ବେଶ ଉତ୍ସାହିତ ଅଛନ୍ତି । ଗତକାଲି ସେବାୟତଙ୍କ ପରିବାର ଦର୍ଶନ କରିଥିଲେ । ଆଜି ଠାରୁ ଜିଲ୍ଲାବାସୀଙ୍କୁ ମିଳିଛି ବାବାଙ୍କୁ ଦର୍ଶନ ଅନୁମତି । ୧୪ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି କେବଳ ଜିଲ୍ଲା ଭିତରର ଭକ୍ତ ମନ୍ଦିର ପ୍ରବେଶ କରି ମହାଦେବଙ୍କୁ ଦର୍ଶନ କରିବେ । କୋଭିଡ ନିୟମ ଅନୁପାଳନ କରି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମନ୍ଦିରଠୁ ପ୍ରବେଶ ପଥ ଯାଏଁ ସ୍ୱତନ୍ତ୍ର ବ୍ୟାରିକେଡ୍‌ ତିଆରି କରାଯାଇଛି । ମନ୍ଦିର ପ୍ରବେଶ ପରେ ଭକ୍ତ କିଭଳି ସାମାଜିକ ଦୂରତା ରକ୍ଷା କରି ଦର୍ଶନ କରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡକ୍ଟର ଏସ ମୁରଲୀଧର

ଭୁବନେଶ୍ୱର: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡକ୍ଟର ଏସ ମୁରଲୀଧର । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଷ୍ଟିସ ମୁରଲୀଧରଙ୍କୁ ଶପଥ ପାଠ କରାଇଲେ । ଶପଥ ପାଠ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ , ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ଅଭୟ, ଗୃହ ବିଭାଗ ସଚିବ, ହାଇକୋର୍ଟର ବରିଷ୍ଠ ବିଚାରପତି ମାନେ ଉପସ୍ଥିତ ଥିଲେ ।

ତେବେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ନବ ନିଯୁକ୍ତ ମୁଖ୍ୟ ବିଚାରପତି । ଭୁବନେଶ୍ୱର ପହଞ୍ଚିବା ପରେ ରାଜ୍ୟ ଅତିଥି ଭବନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ସୁପ୍ରିମକୋର୍ଟ କଲିଜିୟମ୍‌ ଡିସେମ୍ବର ୧୪ ତାରିଖରେ ଜଷ୍ଟିସ ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ସୁପାରିସ କରିଥିଲେ । ୧୬ ତାରିଖରେ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ତେବେ କୋଭିଡ଼ କଟକଣା ମଧ୍ୟରେ ନିରାଡମ୍ବର ଭାବେ ଏହି ସମାରୋହ କରାଯାଇଛି । କୋଭିଡ଼ କଟକଣା କାରଣରୁ ସୀମିତ ସଂଖ୍ୟକ ଅତିଥି ଏହି ସମାରୋହରେ ସାମିଲ ହୋଇଥିଲେ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମଧ୍ୟ ଭର୍ଚୁଆଲ ଭାବେ ଉପସ୍ଥିତ ରହିଥିଲେ । ତେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲୀଧର ଶପଥ ନେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟ୍ କରି ଜଷ୍ଟିସ ମୁରଲୀଧରଙ୍କୁ ଓଡ଼ିଶାକୁ ସ୍ବାଗତ କରିବା ସହ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି ନବୀନ ।

ଜଙ୍ଗଲ ପଦା ହେବା ପରେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଭାଲୁ

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିରରେ ଭାଲୁ । ଗତକାଲି ରାତି ପ୍ରାୟ ୯ ଟାରେ ତେନ୍ତୁଳିଖୁଣ୍ଟି ସ୍ଥିତ ତାରିଣୀ ମନ୍ଦିର ପରିସରରେ ଏକ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଭାଲୁଟି ଗାଁର ମାଳି ସାହିରେ ଥୁବା ତାରିଣୀ ମନ୍ଦିର ପାଚେରୀ ଡେଇଁ ମନ୍ଦିର ବେଡା ମଧ୍ୟରେ ବୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏହାପରେ ଭାଲୁଟି ଭତରା ସାହି ମଧ୍ୟରେ ପଶି ପୁଣି ଧାନ ଜମି ଦେଇ କେଉଁଆଡେ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା ।  ଭାଲୁଟି କାହାକୁ ଆକ୍ରମଣ କରିନଥିବା ସୂଚନା ମିଳିଛି ।

କିନ୍ତୁ ଭାଲୁକୁ ଦେଖିବାକୁ ସାହି ଲୋକ ଜମା ହୋଇଯାଇଥିଲେ । ତେବେ ଭାଲୁଟି ମନ୍ଦିର ପାଚେରୀ ଡେଇଁ ଆସି ମନ୍ଦିର ଭିତରେ ପଶିବାକୁ ଚେଷ୍ଟା କରୁଥିଲା । ତେବେ ମନ୍ଦିର ଗ୍ରିଲ ବନ୍ଦ ଥିବାରୁ ଭିତରକୁ ପଶି ପାରିନଥିଲା । ପରେ ଦୁଇ ଗୋଡ଼ରେ ଛିଡା ହୋଇ କିଛି ଖାଦ୍ୟ ଖୋଜୁଥିବା ଦେଖିବାକୁ ମିଳିଛି । ଭାଲୁଟି ଖାଦ୍ୟ ଅନ୍ୱେଷଣରେ ମନ୍ଦିର ଭିତରେ ଆସିଥିବା କୁହାଯାଉଛି ।

ଦିନକୁ ଦିନ ଜଙ୍ଗଲ ପଦା ହେବା ସହ ବନ୍ୟ ଜନ୍ତୁଙ୍କ ଖାଦ୍ୟାଭାବ ଦେଖା ଦେବା କାରଣରୁ ଭାଲୁ ମାନେ ଗାଁ ମୁହାଁ ହେବାରେ ଲାଗିଛି । କିଛିମାସ ହେବ ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ଗ୍ରାମରେ ମାଳ ମାଳ ଭାଲୁ ପଶି ଆସୁଥିବା ଦେଖିବାକୁ ମିଳିଛି । ଭାଲୁମାନେ କାହାର କିଛି କରୁନଥିଲେ ହେଁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଦେଖିବାକୁ ମିଳିଛି ।

ପୁଣି ମାତିଲା ଅଜଣା ଜନ୍ତୁ, ଗାଈ ଓ ଛେଳିକୁ ଝୁଣି ଖାଇଲା

ରାଉରକେଲା: ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ । ଛେଳି ଓ ଗାଈକୁ ଝୁଣି ଖାଉଛି ଏହି ଅଜଣା ଜନ୍ତୁ । ନିଆଳି ପରେ ଦେବଗଡ଼ରେ ମାତିଛି ଅଜଣା ଯନ୍ତୁ । ଜିଲ୍ଲାର ବାରକୋଟ ଵ୍ଲକ ବରତଇଲା ସଂରକ୍ଷିତ ଜଙ୍ଗଲରେ ଅଜଣା ଯନ୍ତୁ ଆତଙ୍କ ଖେଳାଇଛି । ଅଜଣା ଯନ୍ତୁ ଆକ୍ରମଣରେ ଚକଡିହି ଗାଁର ଗୋଟିଏ ଗାଈ ଓ ୧୨ଟି ଛେଳିଙ୍କ ମୃତ୍ୟୁ ହୋଇଛି ।

ଅଜଣା ଯନ୍ତୁ ଏମାନଙ୍କ ତଣ୍ଟିକୁ କଣା କରି ମରୁଥିବାର ଜଣାପଡ଼ିଛି । ତେବେ ଅଜଣା ଯନ୍ତୁଙ୍କୁ ଠାବ କରିବା ପାଇଁ ଦେବଗଡ଼ ବନ ବିଭାଗର ଉଦ୍ୟମ ଜାରି ରହିଛି । ଜଙ୍ଗଲରେ ବନ ବିଭାଗ ପକ୍ଷରୁ ସିସିଟିଭି ଲଗାଯାଇଛି । ଵନ ବିଭାଗର ସ୍ୱତନ୍ତ୍ର ଟିମ ଘଟଣାର ତଦନ୍ତ କରୁଥିବା ବେଳେ ଦେବଗଡ ଡିଏଫ ଓ କ୍ଷମା ଷଡ଼ଙ୍ଗୀ ଏ ସମ୍ପର୍କରେ ତନାଘନା ଚଳାଇଛନ୍ତି ।

ସୂଚନା ଅନୁସାରେ, ଦେବଗଡ଼ ଡିଏଫଓଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଘଟଣାର ତନାଘନା କରୁଛି । ସେ ଅଜଣା ଜନ୍ତୁ କିଏ ତାକୁ ଚିହ୍ନଟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଜଣା ଜନ୍ତୁକୁ ଚିହ୍ନଟ କରାଯିବା ପାଇଁ ଚକଡିହି ଗାଁରେ ସିସିଟିଭି ଲଗାଯାଇଥିବା ସୂଚନା ଦେଇଛନ୍ତି ଡିଏଫଓ । ଯଦିଓ ଅଜଣା ଜନ୍ତୁ ସମ୍ପର୍କରେ ଏଯାଏଁ କୌଣସି ସୂଚନା ମିଳି ନାହିଁ ତେବେ ଏହି ଜନ୍ତୁ ଜଙ୍ଗଲି କୁକୁର କିମ୍ବା ହେଟା ହୋଇପାରେ ବୋଲି ସନ୍ଦେହ କରାଯାଉଛି ।

ଏହିରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ବାଧା ପ୍ରତିବନ୍ଧକ ଆସିପାରେ, ଆପଣନ୍ତୁ ଏହି ବିଶେଷ ଉପାୟ

ଆଜିର ପଞ୍ଚାଙ୍ଗ

୪ ଜାନୁଆରୀ, ୨୦୨୧, ସୋମବାର

୧୪୨୮ ସାଲ, ୧୯୪୨ଶକାବ୍ଦ, ୨୦୭୭ ସମ୍ବତ୍,

ଧନୁ ୨୧ ଦିନ,ପୌଷ ମାସ,କୃଷ୍ଣପକ୍ଷ, ଷଷ୍ଠୀ ତିଥି

ସିଂହ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ପୂର୍ବାଫାଲଗୁନୀ ନକ୍ଷତ୍ର

ଯୋଗିନୀ ଦକ୍ଷିଣ ଦିଗରେ ଅବସ୍ଥାନ କରିଛନ୍ତି, ଦକ୍ଷିଣ ଦିଗକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- କର୍କଟ,ମକର ରାଶିର ପୁରୁଷଙ୍କ ପାଇଁ ଘାତଚନ୍ଦ୍ର

ଘାତ ବାର- ମିଥୁନ ରାଶିର

ଶୁଭ ସମୟ – ଦିନ ୯ଟା ରୁ ଦିନ ୧୦ଟା ୫୫ ମିନିଟ୍

ଦିନ ୧୨ଟା ୫୭ ମିନିଟ୍ ଠାରୁ ଦିନ ୩ଟା ୧୫ ମିନିଟ୍

ଅଶୁଭ ସମୟ – ସକାଳ ୭ଟା ୩୦ ରୁ ସକାଳ ୯ଟା ପର୍ଯ୍ୟନ୍ତ

ମେଷ

ଅଶ୍ୱିନୀ ନକ୍ଷତ୍ର -ମାଙ୍ଗଳିକ କାର୍ଯ୍ୟରେ ପୂର୍ବ ପ୍ରସ୍ତୁତିରେ ସମୟ କଟିବ ।

ଦ୍ୱିଜା ନକ୍ଷତ୍ର -କର୍ମ ସମ୍ଭନ୍ଧୀୟ ଶୁଭ ଖବର ପାଇବେ, ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

କୃତ୍ତିକା ନକ୍ଷତ୍ର – ବ୍ୟସ୍ତତା ମଧ୍ୟରେ ସମୟ କଟିବ, ଜଗି ରଖି କଥା କୁହନ୍ତୁ ।

ଉପାୟ: ଗାୟତ୍ରୀ ମନ୍ତ୍ର ୨୧ ଥର ଜପ କରନ୍ତୁ , ଦିନଟି ମଙ୍ଗଳମୟ ରହିବ ।

ବୃଷ

କୃତ୍ତିକା ନକ୍ଷତ୍ର – କାର୍ଯ୍ୟରେ ବାଧା ପ୍ରତିବନ୍ଧକ ଆସିବ, ପାରିବାରିକ କଳହକୁ ନେଇ ମନ ଖରାପ ରହିବ ।

ରୋହିଣୀ ନକ୍ଷତ୍ର – ଆକସ୍ମିକ ଭାବରେ କୌଣସି ଖବର ପାଇ ମନ ବିଚଳିତ ହେବେ ।

ମୃଗଶିରା ନକ୍ଷତ୍ର – ଦିନଟି ମଙ୍ଗଳମୟ ରହିବ, ଚିନ୍ତା ଦୂର ହେବ ।

ଉପାୟ: ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ ।

ମିଥୁନ

ମୃଗଶିରା ନକ୍ଷତ୍ର – ଯୋଜନା ସଫଳ ହେବ, କାର୍ଯ୍ୟଶୈଳୀରେ ସୁଧାର ଆସିବ ।

ଆର୍ଦ୍ରା ନକ୍ଷତ୍ର – ଦିନଟି ବହୁତ ଭଲରେ କଟିବ ।

ପୁନର୍ବସୁ – ଆଧ୍ୟାତ୍ମିକ ଦିଗ ପ୍ରତି ଆଗ୍ରହ ବଢିବ ।

ଉପାୟ: କିଛି ହଳଦୀ ନିଜ ପାଖରେ ରଖନ୍ତୁ, ହଳଦିଆ ବସ୍ତ୍ର ପରିଧାନ କରନ୍ତୁ ।

କର୍କଟ

ପୁନର୍ବସୁ ନକ୍ଷତ୍ର -କୌଣସି କ୍ଷେତ୍ରରେ ଅର୍ଥ ବିନିଯୋଗ କରନ୍ତୁ, ଲାଭରେ ରହିବେ ।

ପୁଷ୍ୟା ନକ୍ଷତ୍ର – କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ଅନ୍ୟବ୍ୟକ୍ତିର କଥାରେ ମଧ୍ୟସ୍ଥି କରନ୍ତୁ ନାହିଁ ।

ଅଶ୍ଳେଷା ନକ୍ଷତ୍ର – ଅନାବଶ୍ୟକ ଖର୍ଚ୍ଚ ବଢିବ , କାର୍ଯ୍ୟପ୍ରତି ଆଗ୍ରହ ରହିବ ନାହିଁ ।

ଉପାୟ: ପଶୁପକ୍ଷୀଙ୍କୁ ଦାନ କରନ୍ତୁ ।

ସିଂହ

ମଘା ନକ୍ଷତ୍ର – ମନରେ ଉତ୍ସାହ ରହିବ, ପରିବାର ସହ ସମୟ କାଟିବେ ।

ପୂର୍ବା ଫାଲଗୁନୀ- କୌଣସି କାର୍ଯ୍ୟ ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କର ପରାମର୍ଶ ନିଅନ୍ତୁ ।

ଉତ୍ତରା ଫାଲଗୁନୀ- ଦିନଟି ଆପଣଙ୍କ ସପକ୍ଷରେ ରହିବ, ନୂଆ ପଦକ୍ଷେପ ନେଇପାରନ୍ତି ।

ଉପାୟ: ମିଠା ଖାଇ ଜଳପାନ କରି ଦିନଟି ଆରମ୍ଭ କରନ୍ତୁ ।

କନ୍ୟା

ଉତ୍ତରା ଫାଲଗୁନୀ -ପରିବାର ଠାରୁ ସହଯୋଗ ପାଇବେ, ଚେଷ୍ଟା କରନ୍ତୁ ସଫଳ ରହିବେ ।

ହସ୍ତା ନକ୍ଷତ୍ର – କୌଣସି କଥାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ ।

ଚିତ୍ରା ନକ୍ଷତ୍ର – ଶରୀର ସୁସ୍ଥ ରହିବ, ହସଖୁସିରେ ସମୟ କାଟିବେ ।

ଉପାୟ: ୫ଟି ଲବଙ୍ଗ ନିଜ ପାଖରେ ରଖନ୍ତୁ ।

ତୁଳା

ଚିତ୍ରା ନକ୍ଷତ୍ର –  ନିଜ କାମକୁ ନେଇ ଖୁସି ରହିବେ ।

ସ୍ୱାତୀ- କାର୍ଯ୍ୟକ୍ଷେତ୍ରରେ ଆଶାଜନକ ସଫଳତା ମିଳିବ ।

ବିଶାଖା ନକ୍ଷତ୍ର – ଭବିଷ୍ୟତ ପାଇଁ କିଛି ଯୋଜନା କରିପାରନ୍ତି ।

ଉପାୟ: ଓଁ ନମଃ ଶିବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

ବିଛା

ବିଶାଖା ନକ୍ଷତ୍ର– ବନ୍ଧୁଙ୍କର ସହଯୋଗ ଦ୍ବାରା କାର୍ଯ୍ୟ ସଫଳ ରହିବ ।

ଅନୁରାଧା ନକ୍ଷତ୍ର – ଶୁଭ କାର୍ଯ୍ୟରେ ଯୋଗଦାନ କରିପାରନ୍ତି ।

ଜ୍ୟେଷ୍ଠା ନକ୍ଷତ୍ର – ମନର ଇଛା ସବୁ ପୂରଣ ହୋଇଯିବ ।

ଉପାୟ: ଗରିବ ମହିଳାଙ୍କୁ ଫଳ ଦାନ କରନ୍ତୁ ।

ଧନୁ

ମୂଳା ନକ୍ଷତ୍ର – କାର୍ଯ୍ୟରେ ସଫଳତା ସହ ଅର୍ଥ ଲାଭ ହୋଇପାରେ ।

ପୂର୍ବାଷାଢା ନକ୍ଷତ୍ର – ବିବାଦୀୟ କାର୍ଯ୍ୟ ଠାରୁ  ଦୁରେଇ ରୁହନ୍ତୁ ।

ଉତ୍ତରାଷାଢା ନକ୍ଷତ୍ର – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟରେ ସଫଳତା ମିଳିବ ।

ଉପାୟ: ହନୁମାନଙ୍କ ସିନ୍ଦୁର ମଥାରେ ଲଗାଇ କାର୍ଯ୍ୟ ଆରମ୍ଭ କରନ୍ତୁ ।

ମକର

ଉତ୍ତରାଷାଢା ନକ୍ଷତ୍ର – ଦିନଟି ଶୁଭ ରହିବ,ସ୍ୱାସ୍ଥ୍ୟାବସ୍ଥା ଭଲ ରହିବ ।

ଶ୍ରବଣା ନକ୍ଷତ୍ର – ଦିନଟି ସାମାନ୍ୟ ରହିବ, ଧୈର୍ଯ୍ୟର ସହ କାମ କରନ୍ତୁ ।

ଧନିଷ୍ଠା ନକ୍ଷତ୍ର – ପରିବାର ସହ ଆନନ୍ଦରେ ଦିନଟି କଟିବ ।

ଉପାୟ: ଗରିବ ବ୍ୟକ୍ତିକୁ କିଛି ଅର୍ଥ ସାହାଯ୍ୟ କରନ୍ତୁ ।

କୁମ୍ଭ

ଧନିଷ୍ଠା ନକ୍ଷତ୍ର – ନିଜ ବୁଦ୍ଧି ଅନୁସାରେ କାର୍ଯ୍ୟ କରନ୍ତୁ ।

ଶତଭିଷା ନକ୍ଷତ୍ର – ଦିନଟି ଭଲ ରହିଛି, ନିଜ ଯୋଗ୍ୟତା ଅନୁସାରେ ସଫଳତା ପାଇବେ ।

ପୂର୍ବଭାଦ୍ର ନକ୍ଷତ୍ର –ମିଠା କଥା କହି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ ।

ଉପାୟ: ଓଁ ଧବଳେଶ୍ୱରାୟ ନମଃ ୧୦୮ ଥର ଜପ କରନ୍ତୁ ।

ମୀନ

ପୂର୍ବଭାଦ୍ର ନକ୍ଷତ୍ର – ପାରିବାରିକ ସ୍ଥିତି ସନ୍ତୋଷଜନକ ରହିବ ।

ଉତ୍ତରଭାଦ୍ର ନକ୍ଷତ୍ର – ଦିନଟି ସାମାନ୍ୟ ରହିବ, କଥା କମ୍‌ କୁହନ୍ତୁ ।

ରେବତୀ ନକ୍ଷତ୍ର – ପରିଶ୍ରମ ସାର୍ଥକ ହେବ, ମନରେ ଉତ୍ସାହ ବଢିବ ।

ଉପାୟ- ହନୁମାନ ଚାଳିଶା ୩ ଥର ପାଠ କରନ୍ତୁ ।

ମହାଉପାୟ

ମେଥି ଦୁର କରିବ ଆପଣଙ୍କର ସମସ୍ତ ସଙ୍କଟ ଓ ସମସ୍ୟା । ମିଳିବ ପ୍ରତି କ୍ଷେତ୍ରରେ ସଫଳତା । ବ୍ୟବସାୟରେ ଲାଭ ସହ ଆର୍ଥିକ ସ୍ଥିତିରେ ହେବ ଉନ୍ନତି । କୌଣସି ରବିବାର ଦିନ ଠାରୁ ୯ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ଏହି ପ୍ରତିକାର । ସୂର୍ଯ୍ୟୋଦୟ ଠାରୁ ସକାଳ ୮ଟା ମଧ୍ୟରେ କରନ୍ତୁ ଏହି ପ୍ରତିକାର । ଏକ କାଚ ପାତ୍ରରେ ୧୦୦ ଗ୍ରାମ୍‌ ମେଥି ରଖନ୍ତୁ ନିଜର ଶୋଇବା ଘରେ ଅଥବା ଦୋକାନରେ ରଖନ୍ତୁ । ପରବର୍ତ୍ତୀ ରବିବାର ପର୍ଯ୍ୟନ୍ତ ପୂର୍ବରୁ ରଖିଥିବା ମେଥିକୁ ପ୍ରବାହିତ ଜଳରେ ପ୍ରବାହିତ କରି ନୂଆ ମେଥି ପୁଣି ଥରେ ନିଜ ଶୋଇବା ଘରେ ରଖନ୍ତୁ । ୨୦ ଗ୍ରାମ୍‌ ମେଥିକୁ ରାତି ସମୟରେ କାଚ ପାତ୍ରରେକିଛି ପାଣିରେ ଭିଜାଇ ରଖି ଦିଅନ୍ତୁ । ଏବଂ ସେହି ପାଣିକୁ ସକାଳେ ଖାଲି ପେଟରେ ପିଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ, ରୋଗ ପ୍ରତିରୋଧକ ଶକ୍ତି ବଢିବ ।

କୃଷକ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହେବ ବୈଠକ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେବ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଚାଷୀ ସଙ୍ଗଠନ । ଆଜି  ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି।

ଯାହାକୁ ଦୃଷ୍ଟିରେ ରଖି ଆଜି ଚାଷୀ ଆନ୍ଦୋଳନ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଆସିବ ବୋଲି ଚର୍ଚ୍ଚା ହେଉଛି । ଗତ ବୈଠକରେ ଦୁଇଟି ପ୍ରସଙ୍ଗରେ ହୋଇଥିଲା ସହମତି। ସରକାର ଦାବି ମାନିନେବା ନେଇ ଆଶାବାଦୀ ଅଛନ୍ତି ଚାଷୀ।

ପୂର୍ବ ବୈଠକରେ ଦୁଇଟି ପ୍ରସ୍ତାବ ଉପରେ ସହମତି ହୋଇଥିବା ବେଳେ ଆଜି କୃଷି ଆଇନ୍ ପ୍ରତ୍ୟାହାର ଓ ଏମଏସପି ଉପରେ ଆଲୋଚନା ହେବ। ତେବେ ବୈଠକରେ ସମାଧାନର ବାଟ ବାହାରୁଛି କି ନାହିଁ ତାହା ଉପରେ ରହିଛି ନଜର । ହକ୍ ପାଇଁ ଥଣ୍ଡା, ବର୍ଷାରେ ଦୀର୍ଘ ୩୯ ଦିନ ଧରି ଆନ୍ଦୋଳନରେ ବସି ରହିଛନ୍ତି ଚାଷୀ । ଏହା ମଧ୍ୟରେ ୩୦ରୁ ଅଧିକ ଚାଷୀଙ୍କ ଜୀବନ ଗଲାଣି।

ତେବେ ଦିନକୁ ଦିନ ଦିଲ୍ଲୀରେ ଥଣ୍ଡା ବଢୁଥିବା ବେଳେ ଚାଷୀଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଏଭଳିସ୍ଥଳେ ସରକାର ଦାବି ମାନି ନେବା ପାଇଁ ଦାବି କରିଛନ୍ତି ବିରୋଧୀ । ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ସିଂଘୁ ବର୍ଡରରେ ପହଞ୍ଚିଛନ୍ତି ବୌଦ୍ଧ ଭିକ୍ଷୁ, ଆନ୍ଦୋଳନସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ସ୍ୱର ମିଳାଇବା ସହ ନୂଆ କୃଷି ଆଇନ ପ୍ରତ୍ୟାହାର କରିବାକୁ ବୌଦ୍ଧ ଭିକ୍ଷୁମାନେ ଦାବି କରିଛନ୍ତି । ଏହାଛଡ଼ା ଚାଷୀଙ୍କ ସମସ୍ୟା ସମାଧାନ ନ ହେବା ଯାଏ ସେମାନେ ଆନ୍ଦୋଳନରୁ ହଟିବେନି ବୋଲି କହିଛନ୍ତି । ଚାଷୀ କହିଛନ୍ତି, ଆମ ଦାବି ପୂର୍ବଭଳି ଅପରିବର୍ତ୍ତିତ ରହିଛି । ନୂଆ ଆଇନ ରଦ୍ଦ ଓ MSPରେ ଗ୍ୟାରେଣ୍ଟି ନ ମିଳିବା ଯାଏ ଆନ୍ଦୋଳନ ହଟିବନି ବୋଲି କିଷାନ ମଜଦୁର୍‌ ସଂଘ ପକ୍ଷରୁ କୁହାଯାଇଛି । ନ ହେଲେ ଆସନ୍ତା ୨୬ ଜାନୁଆରୀ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ମାର୍ଚ୍ଚ କରାଯିବ ବୋଲି ଚାଷୀ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।