spot_img
Home Blog Page 6235

ଚାର୍ଜସିଟ ଦାଖଲରେ ବିଳମ୍ବ, ଖସିଯାଉଛନ୍ତି ଅଭିଯୁକ୍ତ…

ଭୁବନେଶ୍ୱର: ଚାର୍ଜସିଟ ଦାଖଲରେ ବିଳମ୍ବ ଯୋଗୁଁ ଖସିଯାଉଛନ୍ତି ଅଭିଯୁକ୍ତ । ଜଣେ କିମ୍ବା ଦୁଇ ଜଣ ନୁହେଁ ଏଭଳି ଦାୟିତ୍ୱହୀନତା ପାଇଁ କମିଶନରେଟ ପୋଲିସରେ ବର୍ଷକୁ ୩୦ ରୁ ୪୦ ଜଣ ଅଭିଯୁକ୍ତ ଖସିଯାଉଥିବା ଅଭିଯୋଗ ହୋଇଛି । ତେବେ ଏସବୁ ପଛରେ ପୋଲିସର ନିଷ୍କ୍ରିୟତା ମୁଖ୍ୟ କାରଣ ବୋଲି କୁହାଯାଉଛି ।

ପଦାରେ ପଡିଲା ପୋଲିସର ନିଷ୍କ୍ରିୟତା । ୨୦୧୯ ନଭେମ୍ବର ୨୦ ତାରିଖ । ବାଙ୍କୁଆଳ ନଦୀ ବନ୍ଧରେ ୫ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା ସହିଦନଗର ସ୍ପେସାଲ ସ୍କ୍ୱାଡ୍ । ବଡ ଡକାୟତି ଯୋଜନାକୁ ପଣ୍ଡ କରିବା ସହ ବନ୍ଧୁକ, ଗୁଳି, କଟୁରି ଓ ବାଇକ୍ ଜବତ ହେଲା । ସହିଦନଗର ଥାନାରେ ମାମଲା ବି ହେଲା । ତଦନ୍ତକାରୀ ଅଧିକାରୀ ଥିଲେ ସବଇନ୍ସପେକ୍ଟର ସଞ୍ଜୟ କୁମାର ଜେନା । ହେଲେ କୋର୍ଟଚାଲାଣର ୬୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରିନଥିବାରୁ ଜାମିନ ପାଇଗଲେ ଅଭିଯୁକ୍ତ ।

ପୋଲିସ ସର୍କୁଲାର ନମ୍ବର-୨୪୮/୮୨ ଅନୁସାରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାର କଡ଼ା ନିର୍ଦେଶ ରହିଛି । ଏହାକୁ ଉପରିସ୍ଥ ଅଧିକାରୀ ତଦାରଖ କରିବାର ନିୟମ ମଧ୍ୟ ରହିଛି । ଧାର୍ଯ୍ୟ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ ନ କଲେ ତୁରନ୍ତ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯିବାର ସର୍କୁଲାରରେ ଉଲ୍ଲେଖ ରହିଛି । ହେଲେ ସାମାନ୍ୟ ଦାୟିତ୍ଵ ହୀନତା ପାଇଁ ଖସିଯାଉଛନ୍ତି ଅଭିଯୁକ୍ତ ।

କେବଳ ଗୋଟିଏ ଉଦାହରଣ ନୁହେଁ । ୨୦୧୯ ନଭେମ୍ବର ୨୭ରେ ଜଣେ ନାବାଳିକାକୁ ଦୁଷ୍କର୍ମ ନେଇ ମାମଲା ରୁଜୁ ସହ ଅଭିଯୁକ୍ତ ସୌମ୍ୟରଞ୍ଜନ ଜେନାକୁ ପୋଲିସ ଗିରଫ କରିଥିଲା । ଏହି ସମ୍ବେଦନଶୀଳ ମାମଲାରେ ମଧ୍ୟ ପୋଲିସ ଚାର୍ଜସିଟ୍ ଦାଖଲ କରି ନ ଥିବାରୁ ଅଭିଯୁକ୍ତ ଜାମିନ ପାଇ ଯାଇଥିଲା । ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ସୁବାସ ଚନ୍ଦ୍ର ଭଟ୍ଟ । ଏହା ଭିତରେ ମାଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ମାନବସମ୍ବଳ ଅଭାବ ଓ ଆଇନଶୃଙ୍ଖଳା, ଭିଭିଆଇପି ସିକ୍ୟୁରିଟି ପ୍ରଭୃତିରେ କମିଶନରେଟ ପୋଲିସ ବ୍ୟସ୍ତ ରହୁଥିବାରୁ ଚାର୍ଜସିଟ ଦାଖଲରେ ବିଳମ୍ବ ହେଉଥିବା କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ।

କଟକ-ପୁରୀ ପାଇଁ ବିଜେଡିର ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର: କଟକ ଓ ପୁରୀ ପାଇଁ ବିଜେଡିର ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ । କଟକ ପାଇଁ ୧୫ ଉପସଭାପତି ଓ ୧୬ ସାଧାରଣ ସମ୍ପାଦକଙ୍କ ନାମ ଘୋଷଣା କରିଛି ଦଳ । ସେହିଭଳି ଜଣେ କୋଷାଧ୍ୟକ୍ଷ, ୨୪ ସମ୍ପାଦକଙ୍କ ନାମ ମଧ୍ୟ ବିଜେଡି ପକ୍ଷରୁ ଘୋଷଣା ହୋଇଛି । ପୁରୀ ପାଇଁ ମଧ୍ୟ ନୂତନ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି । ୯ ଉପସଭାପତି, ୫ ସାଧାରଣ ସମ୍ପାଦକ, ୧୭ ସମ୍ପାଦକ ନାମ ଘୋଷଣା କରିଛି ଦଳ । ପିପିଲି, ନିମାପଡା, କୋଣାର୍କ NAC ପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଅନ୍ୟପଟେ ପୁରୀର ୧୧ଟି ବ୍ଲକ ପାଇଁ ମଧ୍ୟ ୧୧ ସଭାପତିଙ୍କ ନାଁ ବିଜେଡି ଘୋଷଣା କରିଛି ।


 

କରୋନା ଟିକା ନେଇ ଭଲ ଖବର: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହେଉଛି କୋଭାକ୍ସିନ୍

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଆସିଛି ଭଲ ଖବର । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତ ବୟୋଟେକ୍‌ର କୋଭାକ୍ସିନ୍ ପ୍ରଥମ ପର୍ଯ୍ୟାୟ ଟ୍ରାଏଲରେ ଭଲ ରେଜଲ୍ଟ ମିଳିଛି ।  ଏହା ଲୋକଙ୍କ ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଥିବା ଜଣାପଡ଼ିଛି । ଏଥିସହିତ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିନାହିଁ । ତେବେ ଦେଶରେ ଜରୁରୀକାଳୀନ ଅନୁମତି ନେଇ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଥିବା ଟିକା ମଧ୍ୟରୁ ଗୋଟିଏ ହେଉଛି କୋଭାକ୍ସିନ୍ । ଆବେଦନ କରାଯାଇଥିବା ଟିକା ଗୁଡ଼ିକ ମଧ୍ୟରେ କୋଭାକ୍ସିନ୍, ଆଷ୍ଟ୍ରାଜେନିକା, କୋଭିସିଲ୍ଡ ରହିଛି । ତେବେ କୋଭାକ୍ସିନର ଭଲ ପ୍ରଦର୍ଶନ ପରେ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ନେଇ ସମ୍ଭାବନା ବଢ଼ିଯାଇଛି ।

ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ଅନ୍ତରୀଣ ରିପୋର୍ଟ ଅନୁଯାୟୀ, ଟିକା ନେବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହେଉଛି। ସବୁ ବର୍ଗର ଲୋକଙ୍କ ଶରୀରେ ଟିକାର ଡୋଜ୍‌ କୌଣସି ପ୍ରକାରର କ୍ଷତିକାରକ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି କରୁନାହିଁ। ଜୁଲାଇ ୩୦ରେ ଜଣେ ବ୍ୟକ୍ତିଙ୍କ ଟିକାର ଡୋଜ ନେଇଥିଲେ। । ଏହାର ୫ ଦିନ ପରେ ତାଙ୍କ ଶରୀରରେ ଜ୍ୱର ଓ ମୁଣ୍ଡବ୍ୟଥା ସମସ୍ୟା ସୃଷ୍ଟି ହୋଇଥିଲା। ତେବେ କିଛି ଦିନ ପରେ ଏହି ସମସ୍ୟା ଦୂର ହୋଇଥିଲା। ତାଙ୍କୁ କୌଣସି ମେଡିସିନ କିମ୍ବା ହସ୍ପିଟାଲ ଯିବାକୁ ପଡ଼ି ନଥିଲା। ସେହିପରି ଟିକା ନେଇଥିବା ସ୍ଥାନରେ ସାମାନ୍ୟ କଷ୍ଟ ଅନୁଭବ ହୋଇଥିଲା। କିନ୍ତୁ ସମୟକ୍ରମେ ଏହା ମଧ୍ୟ ଦୂର ହୋଇଯାଇଥିଲା। ଅନ୍ୟପକ୍ଷରେ କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପୂର୍ବରୁ ଭାରତ ସରକାର ୩ଟି ଯାକ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳକୁ ସମୀକ୍ଷା କରିବେ।

ପ୍ରତିରକ୍ଷା ବ୍ୟାପାର ସଂସଦୀୟ ସମିତି ବୈଠକରୁ ଉଠି ଚାଲିଗଲେ ରାହୁଲ,କହିଲେ ଟାଇମ୍ ବର୍ବାଦ କଲି

୨୯୦ କୋଟିର ପ୍ୟାକେଜ ଘୋଷଣା, ରାଜ୍ୟ ସରକାରଙ୍କ ଫୋକସରେ ଗ୍ରାମୀଣ ରୋଜଗାର

ଭୁବନେଶ୍ୱର: ମହାମାରୀ ପରେ ରାଜ୍ୟ ସରକାରଙ୍କ ଫୋକସରେ ଗ୍ରାମୀଣ ରୋଜଗାର । ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନା ତ୍ୱରାନିତ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ । ଗରିବ ଲୋକଙ୍କୁ ରୋଜଗାର ଦେବା ନେଇ ମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା ବେଳେ ଜୋର ଧରିଛି ରାଜନୀତି ।

ଆଉ ରୋଜଗାର ଅଭାବରୁ ଲୋକେ କଷ୍ଟ ପାଇବେ ନାହିଁ , କି ବାହାର ରାଜ୍ୟକୁ ରୋଜଗାର ଖୋଜିବାକୁ ଯିବାକୁ ପଡିବନି । ଖାସ୍‌ ସେଥିପାଇଁ ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନା କାର୍ଯ୍ୟକାରୀତା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ 290 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି । ଏଥିସହ ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନ ପାଏ, ସେଥିପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି ।

ଦୁଇଟି ରୋଜଗାର ଯୋଜନା ଜରିଆରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଏମଏସଏମଇ କ୍ଷେତ୍ର ପାଇଁ ସରକାରଙ୍କ 290କୋଟି ପ୍ୟାକେଜ ବିଶେଷ କରି ମହିଳା ଓ ଆର୍ଥିକ ଦୁର୍ବଳ ବର୍ଗର ଉଦ୍ୟୋଗିଙ୍କୁ ବେଶ ସହାୟକ ହେବ । ଯେଉଁ ଜିଲ୍ଲାର ଲୋକ ରାଜ୍ୟ ବାହାରକୁ ଯାଉଛନ୍ତି ସେଠାରେ ଅଧିକ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେଠାରେ ପରିବାର ପିଛା ଅଧିକ 100ଦିନ କାମ ଓ ଅତିରିକ୍ତ ମଜୁରୀ ଦେବାକୁ ସରକାର ବ୍ୟବସ୍ଥା କରାଯାଇଛି । ଏଥିସହ କାମ କରୁଥିବା ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ଯେମିତି ମଜୁରୀ ମିଳିବ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ରାଜ୍ୟରେ ୨୦ କୋଟି ମାନବ ଦିବସ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପ୍ରଶାସନ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛି । ଆଗକୁ ଗ୍ରାମାଞ୍ଚଳରେ ୫୦ ଲକ୍ଷ ନାମମାତ୍ର ଚାଷୀ ଓ ଭୂମିହୀନ କୃଷକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ନେଇ ଜଣାପଡିଛି ।

ପ୍ରତିରକ୍ଷା ବ୍ୟାପାର ସଂସଦୀୟ ସମିତି ବୈଠକରୁ ଉଠି ଚାଲିଗଲେ ରାହୁଲ,କହିଲେ ଟାଇମ୍ ବର୍ବାଦ କଲି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ସଦସ୍ୟ ପ୍ରତିରକ୍ଷା ମାମଲାରେ ସଂସଦୀୟ ସମିତି ବୈଠକରୁ ଓ୍ୱାକ୍ ଆଉଟ୍ କରିଛନ୍ତି । ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ସଂସଦୀୟ ସମିତି ସଶସ୍ତ୍ର ସେନାଙ୍କ ୟୁନିଫର୍ମ ନେଇ ଆଲୋଚନା କରି ସମୟ ବର୍ବାଦ କରିଛି । ସେ କହିଛନ୍ତି ଯେ,  ସେନାବାହିନୀକୁ ଅଧିକ ଭଲ ଢଙ୍ଗରେ କିଭଳି ପ୍ରସ୍ତୁତ କରିହେବ ସେନେଇ ଆଲୋଚନା ହେବା ଦରକାର ।

ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ କମିଟିକୁ ପ୍ରତିରକ୍ଷା ୟୁନିଫର୍ମ ସମ୍ପର୍କରେ ସୂଚନା ଦେଉଥିଲେ । ସେହି ସମୟରେ ରାହୁଲ ଗାନ୍ଧୀ ହସ୍ତକ୍ଷେପ କରି କହିଥିଲେ, ଦେଶର ପ୍ରସ୍ତୁତି ଲଦାଖରେ କ’ଣ ରହିଛି? ଚୀନ ବିପକ୍ଷରେ ଆମ ରଣନୀତି କ’ଣ ରହିଛି ? ସେ ନେଇ ଆଲୋଚନା ହେବ ଆବଶ୍ୟକ । ରାହୁଲ କହିଛନ୍ତି ଯେ, ଦେଶର ଶାସନକର୍ତ୍ତାଙ୍କୁ ସେନାର ୟୁନିଫର୍ମ ଉପରେ ଚର୍ଚ୍ଚା କରିବା ପରିବର୍ତ୍ତେ ରାଷ୍ଟ୍ରୀୟ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକ ସମ୍ପର୍କରେ ଚର୍ଚ୍ଚା ହେବ ଆବଶ୍ୟକ । ତେବେ ଏହାରି ମଧ୍ୟରେ କମିଟି ଅଧ୍ୟକ୍ଷ ଥିବା ବିଜେପି ସାଂସଦ ଜୁଏଲ ଓରାମ୍ ରାହୁଲ ଗାନ୍ଧୀଙ୍କ ମଝିରେ କହିବାକୁ ନେଇ ଆପତ୍ତି ଉଠାଇଥିଲେ ।  ଏହାପରେ ରାହୁଲ ଗାନ୍ଧୀ ବୈଠକରୁ ଓ୍ୱାର୍କ ଆଉଟ୍ କରିଥିଲେ । ଏହା ପୂର୍ବରୁ ରାହୁଲ ଗାନ୍ଧୀ ନିଜ ଟ୍ୱିଟରେ ଇସାରା ଇସାରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ । ରାହୁଲ ଗାନ୍ଧୀ ଲଗାତାର ଚୀନ ଯୋଗୁଁ ଲଦାଖ୍ ସୀମାରେ ଜାରି ବିବାଦ କଥା ଉଠାଇଆସୁଥିଲେ । ଏବଂ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣାତ୍ମକ ଅନ୍ଦାଜରେ ଟାର୍ଗେଟ କରିଆସୁଛନ୍ତି ।

                ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଦାବି କରାଯାଇଛି ଯେ, ଚୀନ ଭାରତ ସୀମାରେ ପ୍ରବେଶ କରିସାରିଛି । ଏବଂ ଆମ ଦେଶର ଜମି ଉପରେ କବ୍‌ଜା କରିଛି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଚୀନକୁ ଭୟ କରନ୍ତି । ଏଣୁ କିଛି କରିପାରୁନାହାନ୍ତି । ଅପ୍ରେଲରେ ଲଦାଖ୍ ସୀମା ଉପରେ ଆରମ୍ଭ ହୋଇଥିବା ବିବାଦ ପ୍ରସଂଗରେ ରାହୁଲ ଗାନ୍ଧୀ ବହୁ ଥର ସୋସିଆଲ୍ ମିଡିଆରେ ଏବଂ ସାମ୍ୱାଦିକ ସମ୍ମିଳନୀ କରି ମୋଦି ସରକାରଙ୍କୁ ଘେରିଥିଲେ । ଏହା ବ୍ୟତୀତ ନେପାଳ ବାଂଲାଦେଶ ସହିତ ସମ୍ପର୍କକୁ ନେଇ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି ।

ବାସଚ୍ୟୁତ ବ୍ୟକ୍ତିଙ୍କ ଇନ୍ଦ୍ରାବତୀ ବନ୍ଦ ପାଳନ

0

ନବରଙ୍ଗପୁର: ପ୍ରତିଶ୍ରୁତି ପୂରଣରେ ସରକାର ବିଫଳ ହେଲା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବାସହରା ଲୋକେ । ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ବାସଚ୍ୟୁତ ୬,୧୩୩ ପରିବାରଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିନାହାଁନ୍ତି । ପ୍ରତିବାଦରେ ଇନ୍ଦ୍ରାବତୀ ବନ୍ଦ ପାଳନ କରାଯାଉଛି । ବୁଡ଼ି ଅଞ୍ଚଳୀୟ ଗଣପରିଷଦ ନେତୃତ୍ୱରେ ବାସଚ୍ୟୁତ ପରିବାର ସଦସ୍ୟମାନେ ନଗର ପରିକ୍ରମା କରି ପ୍ରକଳ୍ପ ପ୍ରଶାସକ ତଥା ମୁଖ୍ୟ ନିର୍ମାଣଙ୍କୁ ୧୪ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ବୁଡ଼ି ଅଞ୍ଚଳୀୟ ଗଣ ପରିଷଦର ଦାବିକୁ ସମର୍ଥନ କରି ତେନ୍ତୁଳି ଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ଦପ୍ତର ଖାତିଗୁଡା ବଜାର ବନ୍ଦ କରାଯାଇଛି । ଓଡିଶା ଜଳ ବିଦ୍ୟୁତ ନିଗମ ଇନ୍ଦ୍ରାବତୀ ପ୍ରକଳ୍ପରୁ ବାର୍ଷିକ ଏକ ହଜାର କୋଟିରୁ ଉର୍ଦ୍ଧ ରାଜସ୍ୱ ପାଉଥିଲେ ହେଁ ବାସଚ୍ୟୁତ ପରିବାର ବର୍ଗଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ଦିଗରେ ଟାଳଟୁଳ ନିତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି । ଏଥିପାଇଁ ବୁଡ଼ି ଅଞ୍ଚଳୀୟ ପରିବାର ବର୍ଗଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ପାରିପାର୍ଶ୍ଵିକ ବିକାଶ ତଥା ବାସଚ୍ୟୁତ ପରିବାରକୁ ଧାର୍ଯ୍ୟ ଅନୁଦାନ ପ୍ରତି ଜଳ ବିଦ୍ୟୁତ ନିଗମ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିବା ଅଭିଯୋଗ କରି ଇନ୍ଦ୍ରାବତୀ ବଜାର ସମ୍ପୂର୍ଣ ବନ୍ଦ ରହିଛି । ଦାବି ଗୁଡିକର ତର୍ଜମା କରାଯାଇ ଯଥାଶୀଘ୍ର ତାହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପ୍ରକଳ୍ପ ପ୍ରଶାସକ ।

ହିଂଜିଲିକାଟୁ ନୂଆଗଡ଼ରେ ନୂତନ ଜେଏମଏଫ୍‌ସି କୋର୍ଟ

ଗଞ୍ଜାମ: ଗଞ୍ଜାମ ହିଂଜିଲିକାଟୁ ନୂଆଗଡ଼ ଠାରେ ନୂତନ ଜେଏମଏଫ୍‌ସି କୋର୍ଟ ଉଦ୍‌ଘାଟିତ । ନୂତନ କୋଠାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସଚିବାଳୟରୁ ସିଧାସଳଖ ଭାବେ ଏହି ନୂତନ କୋଠା ଉଦ୍‌ଘାଟନ କରିଛନ୍ତି ନବୀନ ।

5T ସଚିବ ଭି-କାର୍ତ୍ତିକେୟନ ପାଣ୍ଡିଆନ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌, ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ୍‌ ବିଶ୍ଵଜିତ୍‌ ମହାନ୍ତି, ଓଡ଼ିଶାର ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ଗଞ୍ଜାମ ଜିଲ୍ଲା ଜଜ୍‌ ରାମ ଶଙ୍କର ହୋତା, ଗଂଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ, ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସ୍ଥାନୀୟ ପ୍ରଶାସନ ପ୍ରମୁଖ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୋର୍ଟ ଉଦ୍‌ଘାଟନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କୃତଜ୍ଞତା ଜଣାଇଛନ୍ତି ହିଂଜିଲି ଓକିଲ ସଂଘ ।

ପେଟ୍ରୋଲ-ଡିଜେଲ-ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର: ପେଟ୍ରୋଲ ଡିଜେଲ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ । ରାଜ୍ୟ ରାଜଧାନୀରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ନେତାମାନେ ଧାରଣାରେ ବସିବା ସହ କେନ୍ଦ୍ର ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି ।

ଲଗାତାର ପେଟ୍ରୋଲ ଡିଜେଲ ଦର ବଢ଼ି ଚାଲିଥିବାବେଳେ ରନ୍ଧନ ଗ୍ୟାସ ଦର ଦୁଇ ସପ୍ତାହରେ ୧୦୦ ଟଙ୍କା ବଢ଼ିଥିବା ଅଭିଯୋଗ କରି କଂଗ୍ରେସ ନେତାମାନେ କେନ୍ଦ୍ରସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ବରିଷ୍ଠ ନେତା ଓ କର୍ମୀମାନେ ରାଜ୍ୟ କଂଗ୍ରେସ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଯିବା ସହ ସେଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଏପରିକି କିଛି ସମୟ ପାଇଁ ମାଷ୍ଟରକ୍ୟାଣ୍ଟିନରେ ଧାରଣା ଦେଇଥିଲେ । ଆଗାମୀ ଦିନରେ ଏ ପ୍ରସଙ୍ଗକୁ ନେଇ ପଂଚାୟତ ସ୍ତରରେ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

କଂଗ୍ରେସ ଆହୁରି ଅଭିଯୋଗ କରିଛି ଯେ, ତୈଲ ଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢ଼ୁଛି । ଫଳରେ ସାଧାରଣ ଲୋକେ ହଇରାଣ ହେଉଥିବା ଅଭିଯୋଗ କରିଛି କଂଗ୍ରେସ । ସେପଟେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ଯୋଗୁ ସବୁଠି ତୈଳ ଦର ବୃଦ୍ଧି ଘଟୁଛି ବୋଲି କହିଛି ବିଜେପି ।

ନନ୍ଦିଘୋଷ ଟିଭି ପ୍ରଭାବ, ଯୋଗ ଶିକ୍ଷକ ନିଯୁକ୍ତିରେ ଅନିୟମିତା ନେଇ ତଦନ୍ତ ନିର୍ଦ୍ଦେଶ

ବାଲେଶ୍ୱର: ନନ୍ଦିଘୋଷ ଟିଭିର ପ୍ରଭାବ । ଖବର ପ୍ରସାରଣ ପରେ ଜିଲ୍ଲାରେ ବିଭିନ୍ନ ମେଡ଼ିକାଲ ଓ ସ୍କୁଲମାନଙ୍କରେ ନିଯୁକ୍ତି ପାଇବାକୁ ଥିବା ଯୋଗଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଏଥିସହିତ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ଯାଞ୍ଚ ପାଇଁ ପଠାଯାଇଛି । ଉଭୟ ଅନୁଷ୍ଠାନରୁ ସ୍ପଷ୍ଟିକରଣ ମିଳିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଦ୍ୟାଳୟମାନଙ୍କରେ ଯୋଗ ଶିକ୍ଷକ ନିଯୁକ୍ତି ପାଇଁ ପ୍ରଶାସନିକ ସ୍ଥରରେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏଥିରେ ଆବେଦନକାରୀ ଛାତ୍ରଛାତ୍ରୀମାନେ ଯୋଗ ସମ୍ପର୍କିତ ଜାଲ୍‌ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିଲା । ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଯୋଗାଇଥିବା ‘ହେଲଦି ଲାଇଫ୍‌ ଯୋଗ’ ଶିକ୍ଷାନୁଷ୍ଠାନର ପରିଚାଳକ ଏହି ଅନିୟମିତତାକୁ ସ୍ୱୀକାର କରିଥିଲେ । ସେହିପରି ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆଦାୟ କରାଯାଇଥିବା ଟଙ୍କା ମଧ୍ୟ ସେମାନଙ୍କୁ ଫେରାଇ ଦେବାକୁ କହିଥିଲେ । ଏହି ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରାଯିବା ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି ।

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷଣ ହେଲା ‘ପୃଥ୍ୱୀ-2’

0

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚ ପ୍ୟାଡ଼ରୁ ପରୀକ୍ଷା ହେଲା ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଦୁଇଟି ସ୍ୱଳ୍ପ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ‘ପୃଥ୍ୱୀ-2’ । ସଂନ୍ଧ୍ୟା ୭ଟା ୪୫ ମିନିଟରେ ଏହି ମିସାଇଲ ୫ମ ଥର ପାଇଁ ରାତ୍ରି କାଳୀନ ବ୍ୟବହାରିକ ପରୀକ୍ଷା କରାଯାଇଛି । ପୃଥ୍ବୀ-୨ ପ୍ରଥମେ ଉତ୍‌କ୍ଷେପଣ ହୋଇଥିବା କ୍ଷେପଣାସ୍ତ୍ର ଟ୍ରାଜେଟୋରିରେ ଗତି କରୁଥିବାବେଳେ, ଦ୍ୱିତୀୟ କ୍ଷେପଣାସ୍ତ୍ର ଗତିପଥ ବାହାରକୁ ଚାଲି ଯାଇଥିଲା । ଫଳରେ ଲକ୍ଷଚ୍ୟୁତ ହୋଇଥିବା ଦ୍ବିତୀୟ ମିସାଇଲକୁ ସେହି ସ୍ଥାନରେ ଧ୍ବଂସ କରି ଦିଆଯାଇଛି ।

ହେଲେ ଏନେଇ ପ୍ରତିରକ୍ଷା ବିଭାଗ କିମ୍ବା ଆଇଟିଆର ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ । ନଷ୍ଟ ହୋଇଯାଇଥିବା ପୃଥ୍ବୀ-2 କ୍ଷେପଣସ୍ତ୍ର ଧ୍ବଂସାବଶେଷ ସମୁଦ୍ରକୂଳରେ ପଡ଼ିଥିବା କୁହାଯାଉଛି । ତେବେ କ୍ଷେପଣାସ୍ତ୍ର ପରୀକ୍ଷାରୁ ତଥ୍ୟ ସଂଗ୍ରହ ପାଇଁ ଖଞ୍ଜା ଯାଇଥିବା ରାଡ଼ାରରୁ ମିଳିଥିବା ତଥ୍ୟକୁ ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା 350 କିଲୋମିଟର ରହିଛି । କ୍ଷେପଣାସ୍ତ୍ରରେ 5ଶହ କିଲୋଗ୍ରାମ ଓଜନର ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

ପୃଥ୍ବୀ-2 ମିସାଇଲର ଲମ୍ବ 8.56 ମିଟର, ଓଜନ 4600 କିଲୋଗ୍ରାମ, ମୋଟେଇ 110 ସେଣ୍ଟିମିଟର ଓ ଏଥିରେ ସିଙ୍ଗଲ ଷ୍ଟେଜ୍‌ ରକେଟ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଇଛି । ପୃଥ୍ବୀ-2 କ୍ଷେପଣାସ୍ତ୍ରକୁ 1996 ମସିହା ଜାନୁଆରୀ 27ରେ ପ୍ରଥମ ଥର ପାଇଁ ପରୀକ୍ଷା କରାଯାଇଥିଲା । ତେବେ ଫୃଥ୍ବୀ-2 ମିସାଇଲକୁ ପ୍ରଥମ ଥର ପାଇଁ 2019 ମସିହା ନଭେମ୍ବର ମାସ 21ରେ ରାତିରେ ପରୀକ୍ଷା କରାଯାଇଥିଲା । ପରବର୍ତ୍ତୀ ସମୟରେ ମୋଟ ଚତୁର୍ଥ ଥର ପରୀକ୍ଷା କରାଯାଇଛି ।