spot_img
Home Blog Page 624

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ନନ୍ଦିଘୋଷ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ୧୫ ଦିନ ପରେ ଭକ୍ତ ଦେଖିବେ କଳା ଶ୍ରୀମୁଖ । ସକାଳ ୮ଟାରୁ ୯ଟା ପାରିମାଣିକ ଟିକେଟ୍‌ ଦର୍ଶନ ଓ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଛି । ଦକ୍ଷିଣ ଦ୍ଵାର ଦେଇ ଟିକେଟଧାରୀ ଭକ୍ତ ପ୍ରବେଶ କରିବେ। ପରିମାଣିକ ଦର୍ଶନ ପାଇଁ ୩ହଜାର ଟିକେଟ୍‌ ବନ୍ଦୋବସ୍ତ କରାଯାଇଛି । ଦିନ ୧୨ଟାରେ ନେତ୍ରୋତ୍ସବ। ଅପରାହ୍ନ ୪ଟା ୧୦ରେ ରଥରେ ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାରକୁ ଆସିବ ତିନି ରଥ ।ରଥଯାତ୍ରା ପାଇଁ ସବୁ ବିଭାଗର ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜିଠାରୁ ଲାଗୁ ହେବ ଟ୍ରାଫିକ ନିୟମାବଳୀ । ବ୍ରହ୍ମଗିରି, କୋଣାର୍କ ଓ ଭୁବନେଶ୍ବର ଆଡୁ ଆସୁଥିବା ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ଚିହ୍ନିତ ପାର୍କିଂ ସ୍ଥାନରେ ପାର୍କିଂ କରାଯାଇପାରିବ । ଚାଟବୋଟ ଆପ୍‌ ଦ୍ୱାରା ସୂଚନା ପାଇବେ ଶ୍ରଦ୍ଧାଳୁ।

ସେପଟେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରି ଲୀଳାଖେଳା କରିବେ ମହାପ୍ରଭୁ | ବଡଦାଣ୍ଡରେ ମାନବୀୟଲୀଳାରେ ସାମିଲ ହେବେ ଅଗଣିତ ଭକ୍ତ | ଚଳିତ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ କରି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ରଥ ଟଣାକୁ ଶୃଙ୍ଖଳିତ କରିବା ନେଇ ପ୍ରଶାସନ ପକ୍ଷରୁ ରିଜର୍ଭ ପୋଲିସ ଲାଇନ ପଡିଆରେ ସମ୍ପୁର୍ଣ୍ଣ ରଥଟଣାର ମକଡ୍ରିଲ ଓ ଅଭ୍ୟାସ କରାଯାଇଛି | ଚଳିତ ବର୍ଷ ରଥଯାତ୍ରାରେ ସର୍ବାଧିକ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ | ବମ ସ୍କ୍ୱାଡ଼, ଡ଼ଗ ସ୍କ୍ୱାଡ଼ ସହ ସିସିଟିଭି ସର୍ଭେଲାନ୍ସର ବ୍ୟବସ୍ଥା କରାଯାଇଛି। ସମୁଦ୍ର ପଥ ସୁରକ୍ଷାକୁ ନେଇ ସବୁ ବ୍ୟବସ୍ଥା କରାଯାଇଥିବାବେଳେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ କରାଯାଇଛି। ଭୁବନେଶ୍ଵର ପୁରୀ, ପୁରୀ କୋଣାର୍କ ରାସ୍ତା ସହିତ ପୁରୀ ସହର ରେ ୨୭୫ଟି ଏଆଇ କ୍ୟାମେରା ଲଗାଯାଇଛି।

 

ହିମାଚଳ ପ୍ରଦେଶ କୁଲୁରେ ବାଦଲ ଫଟା ବର୍ଷା

ନନ୍ଦିଘୋଷ ବ୍ୟୁରୋ: ହିମାଚଳ ପ୍ରଦେଶ କୁଲୁରେ ପ୍ରବଳ ବର୍ଷା ଜାରି। ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି। ଫଳରେ ଭୂସ୍ଖଳନ ହେବା ସହ ବହୁ ରାସ୍ତା ଭାସିଯାଇଛି। ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବିଳାସପୁର, ସାମ୍ବା, ହମିରପୁର, କାଙ୍ଗ୍ରା, ସିର୍ମଉର, ସୋଲାନ, ଉନାରେ ତାଣ୍ଡବ ବର୍ଷା ରଚିଛି। ଏହି ସବୁ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ କୁଲ୍ଲୁ, ମଣ୍ଡି, ସିମଳାରେ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆସନ୍ତା ଜୁଲାଇ ୧ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଇଏମଡି କହିଛି। ସିମଳାରେ ଦୃଶ୍ୟମାନ ଦୂରତା ୨୫ ମିଟରକୁ ହ୍ରାସ ପାଇଛି। ପାର୍ବତ୍ୟାଞ୍ଚଳରେ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଛି। ମଣ୍ଡି ନିକଟସ୍ଥ ବିୟସ ନଦୀରେ ଜଣେ ପ୍ରାଣ ହରାଇଛନ୍ତି। ମୌସୁମୀଜନିତ ବର୍ଷା ଯୋଗୁ ରାଜ୍ୟରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଧର୍ମଶାଳା, ମଣ୍ଡି, ସାମ୍ବା ଆଦି ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି।
ସେପଟେ ଗୁଜରାଟରେ ବି ଜାରି ରହିଛି ବର୍ଷା ବିତ୍ପାତ। ସୁରଟରେ ଜନଜୀବନ ପ୍ରଭାବିତ ହୋଇଛି ।

ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ବିକ୍ରମ ମାଜିଥିଆ ଗିରଫ

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ବିକ୍ରମ ମାଜିଥିଆ ଗିରଫ। ପଞ୍ଜାବ ଭିଜିଲାନ୍ସ ପକ୍ଷରୁ ତାଙ୍କର ଅମୃତସରସ୍ଥିତ ବାସଭବନ ରେଡ ପରେ ବିକ୍ରମ ହୋଇଛନ୍ତି ଗିରଫ। ବିକ୍ରମଙ୍କ ବିରୋଧରେ ୨୦୨୧ର ଏକ ଡ୍ରଗ୍ସ ମାମଲାରେ ଜାରି ରହିଥିଲା ଏସଆଇଟି ତଦନ୍ତ। ଏହି ଘଟଣାରେ ଅମୃତସରର ୯ଟି ସ୍ଥାନ ସହ ପଞ୍ଜାବର ୨୫ଟି ସ୍ଥାନରେ ଏସଆଇଟି କରିଥିଲା ରେଡ।

ବିକ୍ରମ ହେଉଛନ୍ତି, ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଶାଳକ। ବିକ୍ରମଙ୍କ ଜରିଆରେ ବିପୁଳ ପରିମାଣର ଅର୍ଥ କାରବାର ହୋଇଛି ବୋଲି ପଞ୍ଜାବ ରାଜ୍ୟ ଅପରାଧ ଓ ଭିଜିଲାନ୍ସ ବ୍ୟୁରୋ ପକ୍ଷରୁ କୁହାଯାଇଛି। ତଦନ୍ତରୁ ଜଣାଯାଇଛି, ପ୍ରାୟ ୧୬୧ କୋଟି ବେନାମୀ ଅର୍ଥ ସମେତ ପ୍ରାୟ ୫୪୦ କୋଟି ଟଙ୍କାର ଡ୍ରଗ୍ସ ସମ୍ପର୍କିତ ଅର୍ଥ ବିକ୍ରମଙ୍କ ଦ୍ବାରା ନିୟନ୍ତ୍ରିତ ବିଭିନ୍ନ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। ୧୪୧ କୋଟି ଟଙ୍କା ବିଭିନ୍ନ ବିଦେଶୀ କମ୍ପାନୀ ଜରିଆରେ ଡିପୋଜିଟ ହୋଇଥିବାବେଳେ ୨୩୬ କୋଟି ଟଙ୍କା ବିନା କୌଣସି ସ୍ପଷ୍ଟ ଉତ୍ସ ଦର୍ଶାଇ ଜମା କରାଯାଇଛି। ସେପଟେ ଭିଜିଲାନ୍ସ ଟିମ ଅମୃତସରସ୍ଥିତ ଗ୍ରୀନ ଆଭେନ୍ୟୁରେ ଜବରଦସ୍ତ ପ୍ରବେଶ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିକ୍ରମ ଓ ତାଙ୍କ ପତ୍ନୀ।

ଏକ ବର୍ଷ ପୂରଣ ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ହିସାବ ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ଏକ ବର୍ଷ ପୂରଣ ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ହିସାବ ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ । ଏକ ବର୍ଷ ଭିତରେ ହୋଇଥିବା ସଫଳତାର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବିମାନ ସଂଯୋଗ ବିସ୍ତାର ପାଇଁ ଶ୍ରୀଜଗନ୍ନାଥ ଅନ୍ତର୍ଜାତିକ ବିମାନ ବନ୍ଦର ପାଇଁ ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଲିଜ ସୂତ୍ରରେ ୫୯୧.୬୪ ଏକର ଜମି ଯୋଗାଇ ଦିଆଯାଇଛି । ବସୁନ୍ଧରା ଯୋଜନାରେ ଘର ଡିହ ଶୂନ୍ୟ ପରିବାରକୁ ଚି଼ହ୍ନଟ କରି ୧୬ ହଜାର ୭୨୭ ଜଣଙ୍କୁ ଜମି ହସ୍ତାନ୍ତର ସହ ପଟ୍ଟା ପ୍ରଦାନ କରାଯାଇଛି । ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ଏକ ବର୍ଷରେ ୨୦ ହଜାର ୩୮୫ଟି ଜମି ପଟ୍ଟା ପ୍ରଦାନ କରାଯାଇଛି । ୧୯୯୨ରୁ ୨୦୨୪ ଭିତରେ ୧ ହଜାର ୬୭ଟି ରାଜସ୍ବ ଗ୍ରାମ ଘୋଷଣା ହୋଇଥିବା ବେଳେ ଏକ ବର୍ଷ ଭିତରେ ନୂତନ ରାଜସ୍ବ ଗ୍ରାମ ଘୋଷଣା ହୋଇଛି ।

ଭୂ-ସଂସ୍କାର ଆଇନ ଦ୍ୱାରା ୪ ଲକ୍ଷ ୬୧ ହଜାର ୬୦୨ ଖାତାକୁ ସର୍ଭେକ୍ଷଣ କରାଯାଇ ୧ ଲକ୍ଷ ୧୬ ହଜାର ୪୮୬ ଜଣ ମୃତ ବ୍ୟକ୍ତିଙ୍କ ରେକର୍ଡ ୩୭୫ଉତ୍ତରାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଅଦିନିଆ ବର୍ଷାକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ଭାବେ ଘୋଷଣା ହେବା ସହ ବ୍ଲକ ସ୍ତରରେ ୪୩୪ଟି ସ୍ୱୟଂ ଚାଳିତ ପାଣିପାଗ କେନ୍ଦ୍ର କାର୍ଯ୍ୟକ୍ଷମ । ଏହାସହ ୬ ହଜାର ୬୨୪ ପଞ୍ଚାୟତରେ ସ୍ୱୟଂ ଚାଳିତ ବର୍ଷା ମାପକ ଯନ୍ତ୍ର ସ୍ଥାପନ କରାଯାଇଛି । ସର୍ବାଧିକ ସାପ କାମୁଡା ପ୍ରବଣ ୧୦ ଜିଲ୍ଲାର ଚିହ୍ନଟ ହୋଇଛି । ବିପର୍ଯ୍ୟୟ ମୁକାବିଲା ପାଇଁ ୪ ହଜାର ୮ଶହ ଆପଦ ମିତ୍ର ସ୍ବେଛାସେବକଙ୍କୁ ତାଲିମ ସହ ସୁନାମି ପ୍ରସ୍ତୁତ ଗ୍ରାମ ଭାବରେ ୨୬ଟି ଉପକୂଳବର୍ତ୍ତୀ ଗ୍ରାମକୁ ମାନ୍ୟତା ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି ।

ବ୍ରହ୍ମପୁରରେ ଅସୁରକ୍ଷିତ ମହିଳା

ବ୍ରହ୍ମପୁର: ବ୍ରହ୍ମପୁର ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟରେ ଚହଳ ପକାଇଥିଲା । ତା ପରେ ପରେ ପୁଣି ବ୍ରହ୍ମପୁରରେ ଜଣେ ନାବଳିକାଙ୍କୁ ନିଶା ଦେଇ ଦୁଷ୍କର୍ମ ଘଟଣା ଆଲୋଡନ ସୃଷ୍ଟି କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ନକଲି ଡାକ୍ତର ଭବାନୀ ଶଙ୍କର ଦାସ ଏବଂ ତାର ଦୁଇ ଜଣ ମହିଳା ସହଯୋଗୀଙ୍କୁ ଗିରଫ କରି ଗତକାଲି ପୋଲିସ କୋର୍ଟ ଚାଲାଣ କରିଛି । ଏଥିସହ ସମ୍ପୃକ୍ତ କ୍ଲିନିକକୁ ସିଲ୍ କରିଛି । କିନ୍ତୁ ଏହି ଘଟଣା ପରେ ମହିଳାମାନେ ଅସୁରକ୍ଷିତ ମଣୁଛନ୍ତି ।
ବ୍ରହ୍ମପୁର ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ସାଧାରଣ ସଂପାଦକ ସ୍ନେହାଙ୍ଗିନୀ ଛୁରିଆ। ଯେଉଁ ଅସ୍ମିତାର ଦ୍ଵାହି ଦେଇ ବିଜେପି କ୍ଷମତାକୁ ଆସିଛି, ଆଜି ତାହା ଭୂଲୁଣ୍ଠିତ। ଗୋଟିଏ ବର୍ଷର ଉପଲବଧି କ୍ରାଇମରେ ଭର୍ତ୍ତି । ନାରୀ ଆଜି କାହିଁକି ଅସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ସ୍ନେହାଙ୍ଗନୀ। ସବୁଠୁ ବଳି ଯାଇଛି ଆମେରିକାର ଆଡଭାଇଜରି । ଦୁଷ୍କର୍ମ, ଅପରାଧ ଯୋଗୁଁ ଓଡି଼ଶା ଆଜି ବିଶ୍ବରେ ନିନ୍ଦିତ ହୋଇଛି । ବର୍ଷେ ତଳେ ନବୀନ ସରକାରଙ୍କ ସମୟରେ ବିଭିନ୍ନ କ୍ଷେତ୍ରରେ ଓଡି଼ଶା ସାରା ବିଶ୍ଵରେ ପ୍ରଶଂସିତ ହେଉଥିଲା ବୋଲି କହିଛନ୍ତି ସ୍ନେହାଙ୍ଗନୀ।

ଶୁଭାରମ୍ଭ ହେଲା ଇ-ରେଜିଷ୍ଟେସନ ଆପ୍

ନନ୍ଦିଘୋଷ ବ୍ୟୁରୋ : ଜମି କିଣାବିକା ପାଇଁ ସବ ରେଜିଷ୍ଟ୍ରାର ଅଫିସ ଯିବାକୁ ପଡ଼ିବ ନାହିଁ। ଶୁଭାରମ୍ଭ ହେଲା ଇ-ରେଜିଷ୍ଟେସନ ଆପ୍। ପେପର ଲେସ୍ ଓ କ୍ୟାସଲେସ୍ ହେବ ରେଜିଷ୍ଟ୍ରେସନ ସେବା। ଏଣିକି ଗୋଟିଏ ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା । ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା । ଲୋକସେବା ଭବନରେ ଆପକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆପ୍ ଦ୍ଵାରା କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ବିଭିନ୍ନ ସମସ୍ୟାର ସମାଧାନ କରିହେବ। ଛୋଟ ଛୋଟ କାମ ପାଇଁ ରାଜସ୍ୱ ବିଭାଗ କିମ୍ବା କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି ।

ଆପରେ ବିଭିନ୍ନ ପ୍ରକାର ସେବା ପାଇଁ ଆବେଦନ ହୋଇପାରିବ। ଆୟ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣ ପତ୍ର ଭଳି ଗୁରୁତ୍ୱପୂର୍ଣ୍ଣ ସେବା ମୋବାଇଲ ଆପରେ ମିଳିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଆପ୍ ଦ୍ବାରା ଜମି ରେଜିଷ୍ଟ୍ରେସନ କରିହେବ। ଏହା ଏବେ ଆଣ୍ଡ୍ରଏଡ଼୍ ମୋବାଇଲରେ ଉପଲବ୍ଧ ରହିଛି । କିଣାବିକା ହେବାକୁ ଥିବା ଯେ କୌଣସି ଜାଗାର ପ୍ଲଟ ଓ ଖାତା ନମ୍ବର ଦେଲେ, ସଂପୃକ୍ତ ସବ-ରେଜିଷ୍ଟ୍ରାରଙ୍କ ପାଖକୁ ତାହା ଯିବ । ଜଣେ ବ୍ୟକ୍ତି ଏହି ଆପ୍ ମାଧ୍ୟମରେ ଇସି, ଜମିର ମୂଲ୍ୟ ବାବଦରେ ଜାଣିବା ସହ ରେଜିଷ୍ଟ୍ରାର ଅଫିସରେ ସ୍ଲଟ ବୁକ୍ କରିପାରିବ । ସମସ୍ତ କାଗଜପତ୍ର ମଧ୍ୟ ଆପ୍ ଜରିଆରେ ଡାଉନଲୋଡ ହୋଇପାରିବ।

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଅଜବ ନିଷ୍ପତ୍ତି; ତିନି ଘରୋଇ ବ୍ୟାଙ୍କ ସହ କାରବାର ନେଇ ଅର୍ଥ ବିଭାଗର ୟୁ-ଟର୍ଣ୍ଣ

ନନ୍ଦିଘୋଷ ବ୍ୟୁରୋ : ତିନି ଘରୋଇ ବ୍ୟାଙ୍କ ସହ କାରବାର ନେଇ ଅର୍ଥ ବିଭାଗର ୟୁ-ଟର୍ଣ୍ଣ। ପରିଣାମକୁ ଆକଳନ ନ କରି ଲୋକ ଦେଖାଣିଆ ଭାବେ ନିର୍ଦ୍ଦେଶନାମା ଜାରି କରିଥିଲା ଅର୍ଥ ବିଭାଗ। ଏବେ ନେଡି ଗୁଡ କହୁଣୀକୁ ବୋହିଗଲା ପରେ ଅର୍ଥ ବିଭାଗର ଚେତା ପଶିଛି । ବାହାବା ନେବାକୁ ଉଦ୍ୟମ କରି ଫସିଯାଇଛି ଅର୍ଥ ବିଭାଗ। ଅର୍ଥ ବିଭାଗର ଏପରି ବେପରୁଆ ମନୋଭାବକୁ ସମାଲୋଚନା କରିଛନ୍ତି ବିଶେଷଜ୍ଞ। ନଜର ପକାନ୍ତୁ ଅର୍ଥ ବିଭାଗର ଏହି ନିର୍ଦ୍ଦେଶନାମା ଉପରେ। ୨୧ ଜୁନରେ ଚିଠି ନମ୍ବର ୧୮ ହଜାର ୫୬୦ରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ସବୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବ ମାନଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଥିଲା। ଆଇସିଆଇସିଆଇ, ଏଚଡିଏଫସି ଓ ଆକ୍ସିସ ବ୍ୟାଙ୍କ ସହ କୌଣସି ଆର୍ଥିକ କାରବାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାରୀ ଏମ୍ ପ୍ୟାନେଲ ତାଲିକାରୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏହାର ତିନି ଦିନ ପରେ ଅର୍ଥାତ ୨୪ ଜୁନରେ ଅର୍ଥ ବିଭାଗର ପ୍ରମୁଖ ସଚିବ ୟୁ ଟର୍ଣ୍ଣ ମାରିଛନ୍ତି। ୨୧ ତାରିଖର କଟକଣାକୁ ୨୪ ତାରିଖରେ ପ୍ରତ୍ୟାହାର କରିଛନ୍ତି। ଏହା ଅର୍ଥ ବିଭାଗର ଦୂରଦୃଷ୍ଟିର ଅଭାବ ଓ ଅପରିଣାମଦର୍ଶୀ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି ବିଶେଷଜ୍ଞ।

୨୧ ତାରିଖରେ ୩ ଘରୋଇ ବ୍ୟାଙ୍କ ସହ ବ୍ୟବସାୟିକ ସମ୍ପର୍କ ଓ ସରକାରୀ ଜମା ହେବନି ବୋଲି ଜାରି ହୋଇଥିଲା ନିର୍ଦ୍ଦେଶ। ସଞ୍ଚୟ ଜମା, କରେଣ୍ଟ ଜମା ତତ୍କାଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା। ଫିକ୍ସଡ ଟର୍ମ ଡିପୋଜିଟ ବର୍ତ୍ତମାନ ପାଇଁ ରହିବ, ଅବଧି ପରେ ଟଙ୍କା ଅନ୍ୟତ୍ର ନେବାକୁ ସବୁ ବିଭାଗ, ସୋସାଇଟି, ସରକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହାର ପରିଣାମ ବାବଦରେ ଚିନ୍ତା କରିନଥିଲେ। ଯେଉଁ ଭୂଲ୍ ପାଇଁ ଅପଦସ୍ତ ହେଲା ଅର୍ଥ ବିଭାଗ। ପରିବର୍ତ୍ତିତ ନିଷ୍ପତ୍ତିରେ ୩ ଘରୋଇ ବ୍ୟାଙ୍କରେ କେବଳ ନୂଆ ଆକାଉଣ୍ଟ ଖୋଲିବା ଉପରେ କଟକଣା ବଳବତ୍ତର ରହିଛି। ଏବଂ ପୂର୍ବ ଭଳି କାରବାର କରିବାକୁ ନିର୍ଦ୍ଦେଶ ଦେଇଛି ଅର୍ଥ ବିଭାଗ। ଏହା ଅର୍ଥ ବିଭାଗର ଖାମଖିଆଲି ଓ ମିଛ ବାହାବା ନେବାକୁ ଉଦ୍ୟମ ବୋଲି ସମାଲୋଚନା କରିଛି ବିଜେଡି।

କାହା ଚାପରେ ଚାପି ହୋଇଥିଲା ଅର୍ଥ ବିଭାଗ ? କଟକଣା ଜାରି କରିବା ପୂର୍ବରୁ ଏହାର ପରିଣାମ ଉପରେ କାହିଁକି କରାଗଲାନି ତର୍ଜମା ? ସରକାରଙ୍କୁ ଲୋକହସା କରିବାକୁ ହୋଇଥିଲା କି ଚକ୍ରାନ୍ତ ? ପରିବର୍ତ୍ତିତ ନିଷ୍ପତ୍ତି ପଛରେ ରହିଛି କି କିକବ୍ୟାକ୍ ? ଅର୍ଥ ବିଭାଗର ୟୁ ଟର୍ଣ୍ଣ ପରେ ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ବୁଲ୍‌ଡୋଜର୍ ଜଷ୍ଟିସକୁ ହାଇକୋର୍ଟଙ୍କ ଭତ୍ସନା

କଟକ: ବୁଲ୍‌ଡୋଜର୍ ଜଷ୍ଟିସକୁ ହାଇକୋର୍ଟଙ୍କ ଭତ୍ସନା। ଅଦାଲତି ଅଙ୍କୁଶ ସତ୍ତ୍ବେ ଭାଙ୍ଗିଦେଲେ ଗୋଷ୍ଠୀ ଗୃହ। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଜାରି କରାଯାଇଛି । କୁମାରପୁର ଶାସନ ଯୁବଗୋଷ୍ଠୀ କେନ୍ଦ୍ର ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ବିଚାର କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନାରୁ ୨ ଲକ୍ଷ ତତ୍କାଳୀନ ଆଠଗଡ଼ ତହସିଲଦାରଙ୍କ ଠାରୁ ଆଦାୟ କରାଯିବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ନିର୍ଦ୍ଦିଷ୍ଟ କିସ୍ତି ଆକାରରେ ସଂପୃକ୍ତ ତହସିଲଦାରଙ୍କ ଦରମାରୁ ଏହି ଜରିମାନା ଆଦାୟ କରାଯିବ ।

ସେହିପରି ବାକି ୮ ଲକ୍ଷ ଟଙ୍କା ଜିଲ୍ଲା ପ୍ରଶାସନ ୮ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ପ୍ରଦାନ କରିବେ। ହାଇକୋର୍ଟଙ୍କ କଟକଣା ସତ୍ତ୍ୱେ ଉଚ୍ଛେଦ କରିଥିବା ସଂପୃକ୍ତ ତହସିଲଦାରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଉଚ୍ଛେଦ କିପରି କରା‌ଯିବ ସେନେଇ ଏକ ଗାଇଡ୍‌ଲାଇନ୍ ଜାରି କରିବାକୁ ହାଇକୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବାଂଲାଦେଶୀ, ପାକିସ୍ଥାନୀ ପରେ ଏବେ ଆଫଗାନି ଚିନ୍ତା

ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶୀ, ପାକିସ୍ଥାନୀ ପରେ ଏବେ ଆଫଗାନି ଚିନ୍ତା । କୁଆଡେ ଆସୁଛନ୍ତି, କେଉଁଠି ରହୁଛନ୍ତି, ମିଳୁନି ପତ୍ତା । ଓଡ଼ିଶା ପାଲଟିଛି ଅନୁପ୍ରବେଶକାରୀଙ୍କ ପାଇଁ ସେଫ ପ୍ଲେସ।ଭୁବନେଶ୍ବର ବିମାନବନ୍ଦରରୁ ୟାହା ଖାନ୍ ଗିରଫ ହେବା ପରେ, ଭୟ ବଢିଛି । ଯେଉଁ ଘରେ ୟାହା ଖାନ୍ ରହୁଥିଲା ସେହି ଘର ଭିତରେ ଏବେ ବି ରହୁଛନ୍ତି ଆହୁରି ତିନି ଆଫଗାନି । ସେମାନେ ବର୍ଷବର୍ଷ ଧରି ଏଠାରେ ରହି ଆସୁଛନ୍ତି। କେବେଠାରୁ ଏବଂ କେଉଁ ଉଦ୍ଦେଶ୍ୟରେ ଏମାନେ ଓଡ଼ିଶାରେ ଡେରା ପକାଇଛନ୍ତି ? ତାର ଉତ୍ତର କାହା ପାଖରେ ନାହିଁ। ଘର ଆଫଗାନିସ୍ତାନ ହୋଇଥିଲେ ବି ସେମାନେ ବେଧଡ଼କ କଟକରେ ରହି ନିଜର ଜାଲି ପାସପୋର୍ଟ ଓ ଆଧାରକାର୍ଡ ତିଆରି କରିଛନ୍ତି। ବିଦେଶ ଯାତ୍ରା କରିନଥିଲେ, ୟାହା ଖାନ ଧରା ପଡ଼ିନଥାନ୍ତା । ଏଭଳି ଖବର ମିଳିବା ପରେ ଗୁଇନ୍ଦା ବିଭାଗ ଓ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଚାଲିଛି ଛାନଭିନ ।
ଚୋର ଗଲା ପରେ, ବୁଦ୍ଧି ପସିଲା ଭଳି କମିସନରେଟ ପୋଲିସର ଅବସ୍ଥା । ଆଫଗାନିସ୍ତାନୀ ଯୁବକ ବନ୍ଧା ହେବା ପରେ, ବିଭିନ୍ନ ସ୍ଥାନକୁ ଯାଇ ପ୍ରମାଣପତ୍ର ଯାଞ୍ଚ କରୁଛି ପୁଲିସ। କିଛି ଲୋକଙ୍କୁ ଥାନାକୁ ଡାକି ବିଳମ୍ବିତ ରାତିଯାଏଁ ଜେରା କରାଯାଉଛି । ଦୀର୍ଘଦିନ ଧରି ଆଡ୍ଡା ଜମାଇଥିବା ବିଦେଶୀମାନଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ ? କାହିଁକି ଓଡ଼ିଶାକୁ ଏମାନେ ସେଫ୍ଜୋନ୍ ହିସାବରେ ନେଉଛନ୍ତି ? ଗୁଇନ୍ଦା ବିଭାଗ ଏବାବଦରେ କେମିତି ଜାଣି ପାରୁନି ? ଆଇବି ଟିମ୍ ଏ ଦିଗରେ ଅନ୍ୟ ସହଯୋଗୀଙ୍କୁ ପଚରା ଉଚରା କରିଛି । କିନ୍ତୁ ସ୍ଥାନୀୟ ପୁଲିସ କିମ୍ବା ପ୍ରଶାସନ କେମିତି ଜାଣି ପାରିଲେନି ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୁଲିସ ଅଧିକାରୀ।
ସବୁଠାରୁ ଶକ୍ତିଶାଳି ପୁଲିସ କୁହାଯାଉଥିବା କମିସନରେଟ ପୁଲିସ ଅଧିନରେ ଯଦି ମାଳ ମାଳ ଆଫଗାନିସ୍ଥାନୀ, ବାଂଲାଦେଶୀ ମାନେ ଆଡ୍ଡା ଜମାଇଛନ୍ତି, ତାହାହେଲେ ଅନ୍ୟ ଉପାନ୍ତ ଅଞ୍ଚଳ ମାନଙ୍କର ଅବସ୍ଥା କଣ ଥିବ? ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଚି ।

ରାଜସ୍ଥାନ ଉଦୟପୁରରେ ବିଦେଶିନୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ ଉଦୟପୁରରେ ବିଦେଶିନୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଜଣେ ଫ୍ରେଞ୍ଚ ମହିଳାଙ୍କୁ ଜଣେ ଯୁବକ ଏକ ଆପାର୍ଟମେଣ୍ଟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ଏକ ରେଷ୍ଟୁରାଣ୍ଟରେ ଆୟୋଜିତ ଏକ ପାର୍ଟିରୁ ନେଇ ଯୁବକ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଯୁବକ ଜଣକ ଫେରାର ହୋଇଯାଇଛି। ଉଦୟପୁରର ବାଦଗାଁ ପୋଲିସ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।

ପୋଲିସ ସୂଚନା ମୁତାବକ ଗତ ଜୁନ ୨୨ରେ ଯୁବତୀଜଣକ ଉଦୟପୁରକୁ ଆସିଥିଲେ। ଅମ୍ବାମାତା ଇଲାକାରେ ଥିବା ଏକ ହୋଟେଲରେ ମହିଳାଜଣକ ରହୁଥିଲେ। ପୀଡ଼ିତାଙ୍କ ମେଡିକାଲ ପରୀକ୍ଷା କରାଯାଇଛି ବୋଲି କହିଛନ୍ତି ଉଦୟପୁର ଏସପି ଯୋଗେଶ ଗୋୟଲ। ଫ୍ରାନ୍ସରୁ ଆସିଥିବା ଏହି ମହିଳା ଟାଇଗର ହିଲ ଅନ୍ତର୍ଗତ ଦି ଗ୍ରୀକ ଫାର୍ମ କାଫେ ଆଣ୍ଡ ରେଷ୍ଟ୍ରୋରେ ରହିଥିଲେ। ସେଠାରେ ଅଭିଯୁକ୍ତ ସିଦ୍ଧାର୍ଥଙ୍କ ସହ ତାଙ୍କର ସାକ୍ଷାତ ହୋଇଥିବା ପୋଲିସ ସୂଚନା ଦେଇଛି ।

ଅନ୍ୟପଟେ ଗତ ସପ୍ତାହରେ ଭାରତର ବିଭିନ୍ନ ରାଜ୍ୟରେ ମହିଳା ଅସୁରକ୍ଷିତ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସତର୍କ କରାଇଥିଲେ।