spot_img
Home Blog Page 627

ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଚାଲିଛି କୋମଳମତି ଶିଶୁଙ୍କ ପାଠପଢା

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକରେ ଦିଗହରା ପାଲଟିଛି ମହିଳା ଓ ଶିଶୁ ବିକାଶ ଯୋଜନା । ଅଧପନ୍ତରିଆ ଅବସ୍ଥାରେ କୁଇବାହାଲ ପଞ୍ଚାୟତର ସମରସିଂ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରର କୋଠା । ଦୀର୍ଘ ବର୍ଷେ ବିତିଥିଲେ ବି କୋଠାଟି ସଂପୂର୍ଣ୍ଣ ହୋଇପାରୁନଥିବାରୁ ଅଙ୍ଗନବାଡି କର୍ମୀଙ୍କ ଘରେ ଚାଲିଛି କୋମଳମତି ଶିଶୁଙ୍କ ପାଠପଢା । ସମସ୍ଯା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ।

ଉପାନ୍ତ ଅଞ୍ଚଳରେ ପ୍ରାକ ଶିକ୍ଷାର ବିକଳ ଚିତ୍ର । ଅଙ୍ଗନବାଡି କର୍ମୀ ଅଛନ୍ତି ଅଥଚ ନାହିଁ ଅଙ୍ଗନବାଡି ଗୃହ । କର୍ମୀଙ୍କ ଘରେ ଚାଲିଛି କୋମଳମତି ଶିଶୁଙ୍କ ପାଠପଢା । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ପଞ୍ଚାୟତର ସମରସିଂ ଗାଁରେ ଦେଖିବାକୁ ମିଳିଛି ଏଭଳି ଅବ୍ଯବସ୍ଥା । ସମରସିଂ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରର ଘର ଅଧପନ୍ତରିଆ ଅବସ୍ଥାରେ ପଡିରହିଥିବାରୁ ସମସ୍ଯାର ସମ୍ମୁଖୀନ ହେଉଛନ୍ତି ପିଲା ।

ଗାଁରେ ବର୍ଷେ ହେଲା ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ନୂତନ ଘର ନିର୍ମାଣ ଚାଲିଛି । ହେଲେ ତାହା ସରିବାର ନାଁ ଧରୁନି । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି । ଏନେଇ ନନ୍ଦିଘୋଷ ଟିଭି ପ୍ରତିନିଧି ତୁରେକେଲା ସିଡିପିଓଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ଯା ସଂପର୍କରେ ପ୍ରଶାସନକୁ ଚିଠି ଲେଖିଛୁ । ଅନୁଦାନ ଆସିଲେ କାମ ହେବ । ଏଭଳି ସମସ୍ଯା ଭିତରେ ଥିବା ଅଙ୍ଗନବାଡି କେନ୍ଦ୍ରର ଭାଗ୍ଯ କେବେ ବଦଳିବ ? ଅଧପନ୍ତରିଆ କୋଠା କାମ କେବେ ନିର୍ମାଣ ସରିବ ? ଏ ଦିଗରେ ଜିଲ୍ଲା ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋର ଧରିଛି ।

ଦେଢ କୋଟି ଟଙ୍କାରେ ବିକ୍ରି ହୋଇଗଲା ଡାକ୍ତର ବାଞ୍ଜେରୀ ଗାଁ

ନନ୍ଦିଘୋଷ ବ୍ୟୁରୋ: ବିକ୍ରି ହେଇଗଲା ସଂପୂର୍ଣ୍ଣ ଗାଁ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବାଞ୍ଜେରୀ ଗାଁ ଏବେ ମାଟିରେ ମିଶିବାକୁ ଯାଉଛି । ବାଞ୍ଜେରୀ ଗାଁରେ ଥିବା ସରକାରୀ କୋଠା ମଧ୍ଯ ପ୍ରଶାସନ ଆଖିକୁ ଦେଖାଗଲା ନାହିଁ । ବିକ୍ରି ପାଇଁ ଅନୁମୋଦନ କରି ମ୍ୟାପ ପ୍ରଦାନ କରିଦେଲେ। ସାଧାରଣ ପଦର ଜମି ଭଳି ଯୋଜନାବଦ୍ଧ ଭାବେ ଜିଲ୍ଲା ନିବନ୍ଧକଙ୍କ କାର୍ଯ୍ୟାଳୟରେ ସାରିଦେଲେ ବିକ୍ରି ପ୍ରକିୟା । ଏବେ ଶହେ ଆଦିବାସୀ ପରିବାର କୁଆଡେ ଯିବେ ? ତାକୁ ନେଇ ଯୁଦ୍ଧଂ ଦେହୀ ଡାକରା ଦେଲାଣି ଆଦିବାସୀ ମହାସଂଘ ।

ଦେଢ କୋଟି ଟଙ୍କାରେ ବିକ୍ରି ହୋଇଗଲା ଡାକ୍ତର ବାଞ୍ଜେରୀ ଗାଁ । ଜିଲ୍ଲା ନିବନ୍ଧକଙ୍କ କାର୍ଯ୍ଯାଳୟରେ ସରିଗଲା ବିକ୍ରି ପ୍ରକ୍ରିୟା । ସଂପୂର୍ଣ୍ଣ ଗାଁକୁ ବିକିଦେଲେ ଜମିର ମାଲିକ ଏମ. ଚନ୍ଦ୍ରଶେଖର ରାଓ । ଗାଁ ସମେତ ଆଖପାଖ ୪୨ ଏକର ଚାଷ ଜମିକୁ ୧ କୋଟି ୪୪ ଲକ୍ଷ ଟଙ୍କାରେ ବିକି ଦେଲେ । ଯାହାର ଷ୍ଟାମ୍ପ ଖର୍ଚ୍ଚ ବାବଦକୁ ୭ ଲକ୍ଷ ଏବଂ ଅନ୍ଯ ଏକ ୫ ଏକର ଜମିକୁ ୮ ଲକ୍ଷ ୫୦ ହଜାର ଟଙ୍କାରେ ବ୍ରହ୍ମପୁରର ଜଣେ ମହିଳାଙ୍କୁ ବିକ୍ରି କରିଦିଆଗଲା । ଯାହାକୁ ନେଇ ଗୋଷାଣୀ ବ୍ଲକ ଅନ୍ତର୍ଗତ ଡାକ୍ତର ବାଞ୍ଜେରୀ ଗାଁର ୫ ଶହରୁ ଉର୍ଦ୍ଧ୍ଵ ଅଧିବାସୀଙ୍କ ଭବିଷ୍ଯତ ଏବେ ଅନ୍ଧାରରେ । ବାଞ୍ଜେରୀ ଗାଁରେ ବହୁ ମୂଲ୍ଯର କୋଠାବାଡି ସହ ସରକାରଙ୍କ ଅନେକ ଯୋଜନା ଥିବା ସତ୍ତ୍ଵେ ଷଡ଼ଯନ୍ତ୍ର କରି ସାଧାରଣ ପଦର ଜମି ଦେଖାଇ ଜମିର ମ୍ୟାପ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡକଥା ହେଲା ଗ୍ରାମବାସୀଙ୍କୁ ନଜଣାଇ ଜାଗା ବିକ୍ରି କରାଯାଇଛି ।

ଡାକ୍ତର ବାଞ୍ଜେରୀ ଗାଁକୁ ବିକ୍ରି ପାଇଁ ଜିଲ୍ଲା ନିବନ୍ଧକଙ୍କ କାର୍ଯ୍ଯାଳୟରେ କାଗଜପତ୍ର ଚାଲିଥିବା ନେଇ ପୂର୍ବରୁ ଖବର ପାଇ ପ୍ରଶାସନ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ । କିନ୍ତୁ ଆଦିବାସୀଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କଲେନାହିଁ । ଯାହାକୁ ନେଇ ବର୍ଷିଛନ୍ତି ଆଦିବାସୀ ନେତା । ସରକାର ସବୁବେଳେ ଆଦିବାସୀଙ୍କ ନାଁରେ ବାହାବା ନେଇ ଭୋଟ ବ୍ଯାଙ୍କ ତିଆରି କରୁଛନ୍ତି । କିନ୍ତୁ ଆଦିବାସୀଙ୍କ ସ୍ବାର୍ଥ ସାଧନ ବଦଳରେ ଜମି ମାଫିଆଙ୍କୁ ସହଯୋଗ କରୁଛନ୍ତି । ଆଦିବାସୀଙ୍କ ବିରୋଧରେ ଷଡଯନ୍ତ୍ରକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଆଦିବାସୀ ମହାସଂଘ ଯୁଦ୍ଧଂ ଦେହୀ ଡାକରା ଦେଇ ଗ୍ରାମବାସୀଙ୍କ ସହ ବୈଠକ କରି ରଣନୀତି ପ୍ରସ୍ତୁତ କରୁଛି ।

ବିକ୍ରି ହେଲା ଗାଁ, ବେଘର ହେବେ ଶତାଧିକ ଆଦିବାସୀ ପରିବାର। ଗାଁର ୫ ଶହରୁ ଉର୍ଦ୍ଧ୍ଵ ଲୋକ ଏବେ ଯିବେ କୁଆଡେ ? ଏତେ ବର୍ଷ ଧରି ଜମି ମାଲିକ କେଉଁଠି ଥିଲେ ? ପୂର୍ବରୁ ନିଜ ଜମି ନିଜ ଅକ୍ତିଆରରେ ରଖି ନଥିଲେ କିପରି ? ଏପଟେ ପ୍ରଶାସନ ଏତେ ସଂଖ୍ୟକ ଆଦିବାସୀଙ୍କ ସ୍ବାର୍ଥକୁ ଏଡ଼ାଇ ଜମି ମାଫିଆଙ୍କୁ ସହଯୋଗ କଲା କିପରି ? ଏପରି ଅନେର ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ତେବେ ଜମି ହସ୍ତାନ୍ତର ପରେ ସରକାରୀ ଅନୁଷ୍ଠାନ ସମେତ ଶତାଧିକ ଘର ଉଚ୍ଛେଦ ବେଳେ ଏକ ବଡ ଧରଣର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି ।

ତୃତୀୟ ଟେଷ୍ଟ ସମୟରେ ନଜର ଆସିପାରନ୍ତି ବିରାଟ

ନନ୍ଦିଘୋଷ ବ୍ୟୁରୋ: ଭାରତ-ଇଂଲଣ୍ଡ ଟେଷ୍ଟ ୧-୧ରେ ରହିଛି । ତୃତୀୟ ମ୍ୟାଚରେ କିଏ ଜିତିବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ଦଳ ଦମଦାର ଫର୍ମରେ ରହିଥିବାବେଳେ ତୃତୀୟ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଏହି ମ୍ୟାଚଟି ଖେଳାଯିବାକୁ ଥିବାବେଳେ କୁହାଯାଉଛି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଏହି ମ୍ୟାଚ ସମୟରେ ମଇଦାନରେ ଉପସ୍ଥିତ ରହିପାରନ୍ତି । କାରଣ ଏବେ ଲଣ୍ଡନରେ ନିଜ ପରିବାର ସହ ରହିଛନ୍ତି ବିରାଟ । ସେ ନିକଟରେ ଟେନିସ ମ୍ୟାଚବେଳେ ନଜର ଆସିଥିଲେ । ଏଣୁ ଭାରତୀୟ ଦଳର ମନୋବଳ ବଢ଼ାଇବା ପାଇଁ ମଇଦାନରେ ଉପସ୍ଥିତ ରହିପାରନ୍ତି । ସେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ସୁଦ୍ଧା ଖେଳାଳିଙ୍କ ସହ ମିଶି ଅଧିକ ମନୋବଳ ବଢ଼ାଇ ପାରନ୍ତି ବୋଲି କୁହାଯାଉଛି ।

ଏକତା କପୁରଙ୍କୁ ନେଇ ଏମିତି କହିଲେ କରଣ ଜୋହର

ନନ୍ଦିଘୋଷ ବ୍ୟୁରୋ: ନିଜର ଫିଲ୍ମ କିମ୍ବା ପ୍ରତିକ୍ରିୟା, ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଜଣାଶୁଣା ନିର୍ଦ୍ଦେଶକ କରଣ ଜୋହର । ତେବେ କରଣ ଜହର ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକତା କପୁରଙ୍କ ବେଶ ପ୍ରଂଶସା କରିଥିବା ଦେଖିବାକୁ ମିଳିଛି । ୨୫ ବର୍ଷ ପରେ ପୁଣିଥରେ ଟିଭି ପରଦାରେ ପ୍ରଦର୍ଶିତ ହେବାକୁ ଯାଉଛି ସାସ ନେ କଭି ବୋହୂ ଥି । ଏହାର ଦ୍ବିତୀୟ ଭାଗ ସିରିଏଲ ପୁଣିଥରେ ଆସିବାକୁ ଯାଉଛି । ପ୍ରଥମ ଭାଗଟି ୨୦୦୦ ମସିହାରୁ ଆରମ୍ଭ ହୋଇ ୨୦୦୮ରେ ଶେଷ ହୋଇଥିଲା । ଏହା ଘରେ ଘରେ ଦର୍ଶକେ ବେଶ ପସନ୍ଦ କରିଥିଲେ । ଏଣୁ ୨୫ ବର୍ଷ ପରେ ପୁଣିଥରେ ଏହି ସିରିଏଲ ପୁଣିଥରେ ନିଜର ଦ୍ବିତୀୟ ଭାଗ ଆରମ୍ଭ କରିବାକୁ ଯାଉଛି । ଭାରତୀୟ ଟେଲିଭିଜନ ଜଗତରେ ଏକ ବଡ଼ ପରିବର୍ତ୍ତନ ଆଣିବାରେ ଏହି ସିରିଏଲର ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ବୋଲି କୁହାଯାଉଥିବାବେଳେ ଏହାର ସମସ୍ତ ଶ୍ରେୟ କରଣ ଜୋହର ଏକତାଙ୍କୁ ଦେଇଛନ୍ତି ।

ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଲାଂଦେଶୀ ଚିହ୍ନଟ

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଙ୍ଗାଲାଦେଶୀ ମାନଙ୍କୁ ଚିହ୍ନଟ କରାଯାଇଛି। ଝାରସୁଗୁଡ଼ା ପୋଲିସ ସବ ଡିଭିଜନ ଅଂଚଳରର ୧୮୩ ଏବଂ ବ୍ରଜରାଜନଗର ସବ ଡିଭିଜନ ଅଂଚଳରୁ ୨୬୧ ଜଣଙ୍କୁ ଅଟକ ରଖାଯାଇଛି। ଝାରସୁଗୁଡ଼ାର ବ୍ଲାକ ଡାଇମଣ୍ଡ ଠାରେ ୧୮୩ ଜଣ ବ୍ୟକ୍ତି ଥିବା ବେଳେ ବ୍ରଜରାଜନଗର ସୁରଭି  କ୍ଲବ ଠାରେ ୨୬୧ ଜଣଙ୍କୁ ଅଟକ ରଖାଯାଇଛି। ଏମାନେ ଝାରସୁଗୁଡ଼ା ଜିଲ୍ଲାରେ ଅବୈଧ ଭାବେ ରହୁଥିବା ନେଇ ତଦନ୍ତ ପରେ ଡକ୍ୟୁମେଣ୍ଟ ଭେରିଫାଏ କରାଯିବ ବୋଲି ଆଇଜି ସୂଚନା ଦେଇଛନ୍ତି। ଏକ ଟାସ୍କଫୋର୍ସ ଗଠନ କରାଯାଇଛି ଏହି ସନ୍ଦିଗ୍ଧ ମାନଙ୍କୁ ଠାବ କରାଯାଇଛି। ସମସ୍ତଙ୍କ ନାଗରିକ ପତ୍ର ଯାଞ୍ଚ କରାଯିବ ଏବଂ ଯଦି କୌଣସି ସମସ୍ୟା ଉପୁଜେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ଆଇଜି ହିମାଂଶୁ ଲାଲ ଏବଂ ଏସପି ସ୍ମିତ ପି ପରମାର ।

ବିଦ୍ୟୁତ କର୍ମଚାରୀଙ୍କୁ ନିସ୍ତୁକ ମାଡ଼, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନନ୍ଦିଘୋଷ ବ୍ୟୁରୋ: ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ବାଉଁଶ ମୂଳରେ ପିଟିଲେ ଲୋକେ। ପିପିଲି ସବଡିଭିଜନ ଅଧୀନ ସେକ୍ସନ ୱାନ ବିଲ ଆଦାୟକାରି ଟିମ କର୍ମଚାରୀଙ୍କୁ ଭୁବନେଶ୍ଵର ଉପକଣ୍ଠ  ବାଲିପାଟଣା ଥାନା ମୁକୁନ୍ଦଦାସପୁରର ଜଣେ ଉପଭୋକ୍ତା ନିସ୍ତୁକ ମାଡ଼ ମାରିଛନ୍ତି। ପିପିଲି ବିଦ୍ୟୁତ ବିଭାଗ ଟିମର ଡିସି ମୁଖ୍ୟ ଅଵସରପ୍ରାପ୍ତ ସେନା କର୍ମଚାରୀ ପଦ୍ମଚରଣ ପ୍ରଧାନଙ୍କ ନେତୃତ୍ୱରେ ମୁକୁନ୍ଦଦାସପୁରକୁ ବକେୟା ବିଲ ଆଦାୟ କରିବାକୁ ଯାଇଥିଲେ ଲୋକେ।  ଗାଁ ପ୍ରବେଶ ଦ୍ଵାରରେ ସ୍ଥାନୀୟ ୱାର୍ଡ ସଭ୍ୟ ମହମ୍ମଦ ସାମସୁଦିନ୍ ହୁକ ପକାଇ ଘରକୁ ଚୋରାରେ ଲାଇନ ନେଇଥିଲେ। ବିଲ ଆଦାୟ ଟିମର ସୁପରଭାଇଜର ରାଜେଶ ସାହୁ ବକେୟା ବିଦ୍ୟୁତ ବିଲ ମାଗିବା ସହ ଲାଇନ କାଟିବାକୁ କହିଥିଲେ। ଏଥିରେ ସାମସୁଦ୍ଦିନ  ଉତକ୍ଷିପ୍ତ ହୋଇ ରାଜେଶଙ୍କୁ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାଉଁଶ ବାଡ଼ିରେ ନିର୍ଧୁମ ମାଡ଼ ମାରିଥିଲେ। ଏନେଇ ବାଲିପାଟଣା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିବା ସହ ଜଣଙ୍କୁ ଅଟକ ରଖିଛି ।

ୟଶ ଦୟାଲଙ୍କୁ ହୋଇପାରେ ୧୦ ବର୍ଷ ଜେଲ: ପୀଡ଼ିତା ଦାଖଲ କଲେ ବଡ଼ ପ୍ରମାଣ

ଭାରତୀୟ କ୍ରିକେଟର ୟଶ ଦୟାଲଙ୍କ ପାଇଁ ସମସ୍ୟା ବଢ଼ିପାରେ । ୟଶଙ୍କ ଉପରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୯ ଅଧୀନରେ ଏଫଆଇଆର ଦାଖଲ କରାଯାଇଛି । ଆଇପିସିର ଏହି ଧାରା ଜାମିନବିହୀନ ଅଟେ । ଏହା ଅଧୀନରେ ୟଶଙ୍କୁ ୧୦ ବର୍ଷ ଜେଲଦଣ୍ଡ ହୋଇପାରେ । ପୋଲିସ ସୂତ୍ରରୁ ପ୍ରକାଶ ଯେ, ପୀଡ଼ିତା ଯୁବତୀ ୟଶଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଦାୟର କରିଛନ୍ତି । ସେଥିମଧ୍ୟରେ ବିବାହର ବାହାନା ଦେଇ ଆର୍ଥିକ, ମାନସିକ ଓ ଶାରୀରିକ ଶୋଷଣ କରିବା ଆଦି ଅଭିଯୋଗ ସାମିଲ ରହିଛି ।

ୟଶ ବିବାହର ବାହାନା ଦେଖାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିବା ପୀଡ଼ିତା ପୋଲିସକୁ କହିଛନ୍ତି । ପୀଡ଼ିତା ନିଜର ଅଭିଯୋଗର ସନ୍ଦର୍ଭରେ ହ୍ବାଟସଆପ ଚାଟର ସ୍କ୍ରିନଶଟ, ଭିଡିଓ କଲ ଓ ଫଟୋ ଆଦି ପ୍ରମାଣ ଦାଖଲ କରିଛନ୍ତି । ଏହାକୁ ନେଇ ପୋଲିସ ଏକବେ ଛାନବିନ ଆରମ୍ଭ କରିଛି । ପୀଡ଼ିତାଙ୍କ ମେଡିକାଲ ଟେଷ୍ଟ ଓ ମାଜିଷ୍ଟ୍ରେଟଙ୍କ ଆଗରେ ଆଇନଗତ ଭାବେ ବୟାନ ରେକର୍ଡ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ । ଯଦି ୟଶଙ୍କ ଉପରେ ଲାଗିଥିବା ଅଭିଯୋଗ ପ୍ରମାଣିତ ହୁଏ, ତେବେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ ।

’ଅପରେସନ ସିନ୍ଦୂର’ ସମୟରେ ପାକସ୍ତାନକୁ ସହଯୋଗ କରିଥିଲା କି ଚୀନ ?

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ଆତଙ୍କବାଦୀଙ୍କ ବିରୋଧରେ ବଡ଼ ପଦକ୍ଷେପ ନେଇଥିଲା । ଭାରତ ଅପରେସନ ସିନ୍ଦୂର ଜରିଆରେ କଡ଼ା ଜବାବ ଦେଇଥିଲା । ଏପରିକି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ତେବେ ଏହି ଯୁଦ୍ଧ ସମୟରେ ସାମରିକ ସ୍ତରରେ ପାକିସ୍ତାନକୁ ସହଯୋଗ କରିଥିଲା କି ଚୀନ ? ଏମିତି ସମସ୍ତେ ଦାବି କରିଛନ୍ତି । କିନ୍ତୁ ଏନେଇ ଚୀପ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ସେପଟେ ଏନେଇ ସୋମବାର ଚୀନର ବୈଦେଶିକ ମନ୍ତ୍ରୀଙ୍କୁ ଏନେଇ ପଚରା ଯାଇଥିବାବେଳେ ସେ ଏହାକୁ ଗୁରୁତ୍ବ ଦେଇନଥିଲେ । ସେ ଏହାକୁ ଏଡ଼ାଇବାକୁ ଯାଇ କହିଥିଲେ କି, ପାକିସ୍ତାନ ହେଉଛି ଆମର ପଡ଼ୋଶୀ ଦେଶ । ଆମର ସେମାନଙ୍କ ସହ ଭଲ ସମ୍ପର୍କ ରହିଛି । ଚୀନ କେବେ ମଧ୍ୟ ପାକିସ୍ତାନକୁ ସାମରିକ ସହଯୋଗ କରିନାହିଁ । ପ୍ରତିରକ୍ଷା ଏବଂ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସାଧାରଣ ସହଯୋଗର ଏକ ଅଂଶ ।

ବିହାରରେ ଗୁଣିଗାରେଡ଼ିକୁ ନେଇ ଜଘନ୍ୟକାଣ୍ଡ, ୫ ଜଣଙ୍କୁ ମାରି ଜାଳି ଦେଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ ; ଗୁଣିଗାରେଡ଼ିକୁ ନେଇ ଜଘନ୍ୟକାଣ୍ଡ। ଗୋଟିଏ ପରିବାରର ୫ ଜଣଙ୍କୁ ମାରି ଜାଳି ଦେଲେ ଦୁର୍ବୃତ୍ତ। ଏହି ଭୟଙ୍କର କାଣ୍ଡ ଘଟିଛି ବିହାରର ପୁର୍ନିଆ ଜିଲ୍ଲାରେ। ରବିବାର ରାତିରେ ଘଟିଥିଲା ଏହି ଘଟଣା। ସାଇଣ୍ଟିଫିକ ଟିମ୍‌, ଡଗ୍ ସ୍କ୍ଵାର୍ଡକୁ ନେଇ ତଦନ୍ତ କରାଯାଉଛି। ପୋଲିସ କହିବା ଅନୁସାରେ ରାତିରେ ତେଟଗାମାର  ଶତାଧିକ ଲୋକ ଗାଁର ସୀତା ଦେବୀଙ୍କ ଘରେ ପଶି ସେ ଗୁଣି କରୁଥିବାର ଅଭିଯୋଗ କରିଥିଲେ ଏବଂ ପରିବାରର ସମସ୍ତଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। କେବଳ ଜଣେ ଖସି ଯାଇ ପଡ଼ୋଶୀ ଘରେ ଆଶ୍ରୟ ନେଇଥିବାରୁ ବଞ୍ଚି ଯାଇଛନ୍ତି।  ତାଙ୍କ ବାପା, ମାଆ, ଭାଇ ଏବଂ ଭାଉଜଙ୍କ ସମେତ ପାଞ୍ଚ ଜଣଙ୍କୁ ପିଟି   ପିଟି ମାରିଦେଇଥିଲେ ଗାଁ ଲୋକେ । ତା ପରେ ଜାଳି ଦେଇ ପାଣିକୁ ଫିଙ୍ଗି ଦେଇଥିଲେ। କିଛି ଦିନ ତଳେ ଗାଁର ଜଣେ ନାବାଳକର ମୃତ୍ୟୁ ହୋଇଛି। ଅନ୍ଯ ଜଣେ ଗୁରୁତର ଅସୁସ୍ଥ ଅଛି। ମୃତକଙ୍କ ପରିବାରର ଗୁଣି ଯୋଗୁଁ ଏପରି ହୋଇଥିବା ଗାଁ ଲୋକେ ସନ୍ଦେହ କରି ଏହି କାଣ୍ଡ ଘଟାଇଛନ୍ତି।  ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ବାକି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପିତା ଦାଉଲାଲ ବୈଷ୍ଣବଙ୍କ ପରଲୋକ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପିତା ଦାଉଲାଲ ବୈଷ୍ଣବଙ୍କ ପରଲୋକ ଘଟିଛି । ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଗତ କିଛିଦିନ ହେଲା ଦାଉଲାଲ ଚିକିତ୍ସିତ ହେଉଥିଲେ । ଏମ୍ସ ଜୋଧପୁରରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ହସ୍ପିଟାଲ ପ୍ରଶାସନ ତରଫରୁ ଅଫିସିଆଲ ଭାବେ ଏକ ବୟାନ ଜାରି କରି ଦୁଃଖ ପ୍ରକାଶ କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଆଜି ପୂର୍ବାହ୍ନ ୧୧.୫୨ ସମୟରେ ତାଙ୍କର ବିୟୋଗ ଘଟିଥିଲା । ଚିକିତ୍ସା ଟିମ୍ ଦାଉଲାଲଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ, ମାତ୍ର ବଞ୍ଚାଇ ପାରିନଥିଲେ । ଅନ୍ତିମ ସଂସ୍କାର ନେଇ ପରିବାର ପକ୍ଷରୁ କିଛି କୁହାଯାଇ ନାହିଁ । ପିତାଙ୍କୁ ଦେଖିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଜୋଧପୁର ଏମ୍ସ ଯାଇଥିଲେ ।