ନନ୍ଦିଘୋଷ ବ୍ୟୁରୋ ; ପାଟନାର ବ୍ୟବସାୟୀ ଗୋପାଳ ଖେମକା ହତ୍ୟା ଘଟଣା। ଅଭିଯୁକ୍ତ ବିକାଶକୁ ଏନକାଉଣ୍ଟର କଲା ପାଟନା ପୋଲିସ। ପୋଲିସ ସହ ମୁହାଁମୁହିଁ ହୋଇ ନିହତ ହେଲା ଅଭିଯୁକ୍ତ ବିକାଶ। ପୂର୍ବରୁ ଏହି ମାମଲାରେ ସାର୍ପସୁଟର ଉମେଶକୁ ଗିରଫ କରିଛି ପୋଲିସ। ଗତ ଶୁକ୍ରବାର ଦିନ ଘର ବାହାରେ ବ୍ୟବସାୟୀ ଖେମକାଙ୍କୁ କରାଯାଇଥିଲା ହତ୍ୟା। ୭ ବର୍ଷ ପୂର୍ବରୁ ତାଙ୍କ ପୁଅଙ୍କୁ ମଧ୍ୟ ହତ୍ୟା କରିଥିଲେ ଦୁର୍ବୃତ୍ତ। ଉମେଶଙ୍କ ସହ ମିଶି ଅଭିଯୁକ୍ତ ବିକାଶ ଗୋପାଳ ଖେମକାଙ୍କୁ ତାଙ୍କ ପାଟନା ବାସଭବନର ଗେଟ୍ ବାହାରେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପାଟନାର ମାଲସାଲାମି ଅଞ୍ଚଳରେ ବିକାଶକୁ ଏନକାଉଣ୍ଟର କରିଛି ପୋଲିସ। ଖେମକା ମଗଧ ହସ୍ପିଟାଲ ଏବଂ ଅନେକ ପେଟ୍ରୋଲ ପମ୍ପର ମାଲିକ ଥିଲେ। ସାତ ବର୍ଷ ପୂର୍ବେ ହାଜିପୁରରେ ଏକ ଜମି ବିବାଦକୁ ନେଇ ତାଙ୍କ ପୁଅକୁ ହତ୍ୟା କରାଯାଇଥିଲା। ବ୍ୟବସାୟୀଙ୍କ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ଉମେଶଙ୍କ ବ୍ୟତୀତ, ପୋଲିସ ଏହି ହତ୍ୟା ଲାଗି ସୁପାରୀ ଦେଇଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ସ୍ପେଶାଲ୍ ଟାସ୍କ ଫୋର୍ସ ଏବଂ ପାଟନା ପୋଲିସର ମିଳିତ ଦଳ ଦ୍ୱାରା ଉଭୟ ଅଭିଯୁକ୍ତଙ୍କୁ ପାଟନାରେ ଅଟକ ରଖାଯାଇଛି। ମାମଲାର ତଦନ୍ତ ଜାରି ରହିଛି। ଏହି ହାଇ-ପ୍ରୋଫାଇଲ୍ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଅଡୁଆରେ ପଡିଛି ବିରୋଧୀ ଦଳ, ଆରଜେଡି ଏବଂ କଂଗ୍ରେସ ବିହାରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।
ଟ୍ରମ୍ପଙ୍କୁ ନୋବେଲ ଦେବାକୁ ପ୍ରସ୍ତାବ ଦେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ ; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ପ୍ରସ୍ତାବ ଦେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ସାଥିରେ ବୈଠକ ସମୟରେ ଏହି ମନୋନୟନ ପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଇସ୍ରାଏଲ ପ୍ରସ୍ତାବ ଦେଇଥିବା କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ। ଟ୍ରମ୍ପ ଅନେକ ଦିନ ଧରି ନିଜକୁ ଜଣେ ମହାନ ଶାନ୍ତି ପ୍ରତିଷ୍ଠାକାରୀ ବୋଲି କହିଆସୁଛନ୍ତି।ଏଥିଲାଗି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବ ନାହିଁ ବୋଲି ମଧ୍ୟ କହିଥିଲେ ଟ୍ରମ୍ପ।ଏହି ବିବୃତ୍ତି ପରେ ରାଷ୍ଟ୍ରପତି ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ନେଇ ସୁବବେଳେ ଚର୍ଚ୍ଚାରେ ଅଛନ୍ତି।ସେପଟେ ଆଲୋଚନା ନେଇ ବୈଠକରେ ପ୍ରତିକ୍ରିୟା ରଖି ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ଆମେରିକା ସହିତ ମିଶି ପାଲେଷ୍ଟାଇନବାସୀଙ୍କୁ ଏକ ଭଲ ଭବିଷ୍ୟତ ଦେବାକୁ ଲକ୍ଷ୍ୟ ରଖିଛି। ଗାଜାରେ ବନ୍ଦୀ ଥିବା ପଣବନ୍ଦୀଙ୍କ ମୁକ୍ତି ପାଇଁ ଯେକୌଣସି ଯୁଦ୍ଧବିରତି ଚୁକ୍ତିନାମା ଉପରେ ଜୋର ଦେଉଛି ଆମେରିକା।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ରାତ୍ରୀଭୋଜନ କାର୍ଯ୍ୟକ୍ରମ ମଧ୍ୟ ରହିଛି।ଦୁଇ ନେତା ଏହି ବର୍ଷ ତୃତୀୟ ଥର ପାଇଁ ସାକ୍ଷାତ କରୁଥିବାରୁ ଗାଜାରେ ହମାସ ବିରୁଦ୍ଧରେ ଲାଗି ରହିଥିବା ଯୁଦ୍ଧ ନେଇ ହୋଇପାରେ ସିଜଫାୟର ଘୋଷଣା। ପୂର୍ବରୁ ପାକିସ୍ତାନ ଫିଲ୍ଡ ମାର୍ଶଲ ଅମୀମ ମୁନୀର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ପ୍ରସ୍ତାବ ଦେଇଥିଲେ ।
ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ: ପ୍ଲେଇଂ-୧୧ରେ କେଉଁମାନଙ୍କୁ ସ୍ଥାନ ଦେବେ ଅଧିନାୟକ ଗିଲ୍?
ଲଣ୍ଡନ: ତେନ୍ଦୁଲକର-ଆଣ୍ଡରସନ ସିରିଜ ଏବେ ୧-୧ରେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ’କ୍ରିକେଟର ମକ୍କା’ ଭାବେ ପରିଚିତ ଲର୍ଡସ ଗ୍ରାଉଣ୍ଡରେ ଆସନ୍ତା ୧୦ରେ ଏହି ସିରିଜର ତୃତୀୟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଉଭୟ ଟିମର ପ୍ଲେଇଂ-୧୧ରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏଜବେଷ୍ଟନରେ ଇଂଲଣ୍ଡକୁ ଭାରତ ୩୩୬ ରନରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆର ନଜର ପରବର୍ତ୍ତୀ ଟେଷ୍ଟ ଉପରେ । ଯଦିଓ ଟିମ୍ ଇଣ୍ଡିଆ ଦ୍ବିତୀୟ ଟେଷ୍ଟକୁ ଏକ ବୃହତ ବ୍ୟବଧାନରେ ଜିତିଛି, ତଥାପି ଇଂଲଣ୍ଡକୁ ହେୟଜ୍ଞାନ କରିବା ଗିଲ ବାହିନୀକୁ ମହଙ୍ଗା ପଡ଼ିପାରେ ।
ଲର୍ଡସ ଟେଷ୍ଟରେ ପେସ ବୋଲର ଯଶପ୍ରୀତ ବୁମ୍ରା ଫେରିବାର ସମ୍ଭାବନା ରହିଛି । ଏଜବେଷ୍ଟନ ଟେଷ୍ଟରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ଲର୍ଡସରେ ବୁମ୍ରା ଖେଳିବା ନେଇ ମ୍ୟାଚ ପରେ ଅଧିନାୟକ ଶୁଭମନ ଗିଲ ସୂଚନା ଦେଇଥିଲେ । ବୁମ୍ରା ଯଦି ଫେରନ୍ତି, ତେବେ ପ୍ରସିଦ୍ଧ କ୍ରିଷ୍ଣା ବାହାର ହୋଇପାରନ୍ତି । ୨ ଟେଷ୍ଟରେ ପ୍ରସିଦ୍ଧ ୪ ଓ୍ବିକେଟ ନେଇଛନ୍ତି । ବୁମ୍ରାଙ୍କ ଅନୁପସ୍ଥିତିରେ ଡେବ୍ୟୁ କରିଥିବା ଆକାଶ ଦୀପ ୧୦ ଓ୍ବିକେଟ ନେଇ ସଭିଙ୍କୁ ଚକିତ କରିଦେଇଛନ୍ତି । ତେଣୁ ତାଙ୍କୁ ପୁଣି ସୁଯୋଗ ମିଳିପାରେ ।
ସମ୍ଭାବ୍ୟ ପ୍ଲେଇଂ-୧୧: ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, କରୁଣ ନାୟର, ଶୁଭମନ ଗିଲ (ଅଧିନାୟକ), ଋଷଭ ପନ୍ତ (ଉପଅଧିନାୟକ), ରବିନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, କୁଲଦୀପ ଯାଦବ / ନୀତିଶ ରେଡ୍ଡୀ, ଆକାଶ ଦୀପ, ମୋହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା ।
୨୯ ଛକା, ୩୫୫ ରନ, ସବୁଠାରୁ ଦ୍ରୁତ ଶତକ…. ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଧମାକା
ଭାରତୀୟ କ୍ରିକେଟର ଉଜ୍ଜ୍ବଳ ସୀତାରା ବୈଭବ ସୂର୍ଯ୍ୟବଂଶୀ ପୁଣି ଏକ ନୂଆ ଧମାକା କରିଛନ୍ତି । ଭାରତୀୟ ଅଣ୍ଡର-୧୯ ଟିମ ପକ୍ଷରୁ ଇଂଲଣ୍ଡ ବିପକ୍ଷ ୟୁଥ୍ ଦିନିକିଆ ସିରିଜରେ ବୈଭବ ରେକର୍ଡ ବର୍ଷା କରିଛନ୍ତି । ୫ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ବୈଭବ ୩୫୫ ରନ୍ ସଂଗ୍ରହ କରିବା ସହ ୨୯ଟି ଛକା ମାରିଛନ୍ତି । ଏହି ସିରିଜରେ ସେ ଟପ୍ ସ୍କୋରର ହୋଇଛନ୍ତି । ୫୦ ଓଭରିଆ ଫର୍ମାଟରେ ତାଙ୍କର ଷ୍ଟ୍ରାଇକ ରେଟ ୧୭୪.୦୨ ରହଛି, ଯାହାକି ତାଙ୍କର କମ୍ ବୟସର ପ୍ରତିଭାକୁ ପ୍ରମାଣିତ କରୁଛି । ଏହି ସିରିଜରେ ସେ ୩୦ଟି ଚୌକା ଓ ୨୯ଟି ଛକା ମାରିଥିଲେ ।
ବୈଭବ ଏହି ସିରିଜରେ ୟୁଥ ଓ୍ବାନଡେ’ରେ ସବୁଠାରୁ ଦ୍ରୁତ ଶତକ ନିଜ ନାମରେ କରିଛନ୍ତି । ଏହି କ୍ରମରେ ସେ ପାକିସ୍ତାନର କାସିମ ଅକରମଙ୍କ ଦ୍ବାରା ଥିବା ୬୨ ବଲରେ ଶତକ ରେକର୍ଡକୁ ଭଙ୍ଗ କରିଛନ୍ତି । ସିରିଜର ପ୍ରଥମ ମ୍ୟାଚରେ ବୈଭବ ୪୮, ଦ୍ବିତୀୟ ମ୍ୟାଚରେ ୪୫, ତୃତୀୟ ମ୍ୟାଚରେ ୮୬ ଓ ଚତୁର୍ଥ ମ୍ୟାଚରେ ୧୪୩ ରନ୍ ସଂଗ୍ରହ କରିଥିଲେ । ଅନ୍ତିମ ମ୍ୟାଚରେ ମାତ୍ର ୪୩ ରନ୍ କରି ଆଉଟ୍ ହୋଇଯାଇଥିଲେ । ଭାରତ ଏହି ସିରିଜକୁ ୩-୨ରେ କବଜା କରିନେଇଛି । ଆଗକୁ ଆସୁଥିବା ଦୁଇଟି ୟୁଥ୍ ଟେଷ୍ଟ ଉପରେ ଏବେ ବୈଭବଙ୍କ ନଜର ରହିଛି ।
ଆମ୍ବ ପାଇଁ ସ୍ବାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ ; ବିହାର ସିବାନ ଜିଲ୍ଲାରଚ ଏକ ଅତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ଭଗବାନପୁର ହାଟ ଥାନା ଅଞ୍ଚଳଦିଗର ଗାଁର ଜଣେ ମହିଳା ଜୀବନ ହାରିଛନ୍ତି । ସ୍ବାମୀଙ୍କ ସହ ଝଗଡା ପରେ ମହିଳା ଜଣଙ୍କ ଏହି ପଦକ୍ଷେପ ନେଇଛନ୍ତି । ରବିବାର ରାତିରେ ଆମ୍ବ ଖାଇବାକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ କୋଠରି ଭିତରେ ରଶି ଲଗାଇ ଜୀବନ ହାରିଲେ ମହିଳା । ମୃତକ ଜଣଙ୍କ ହେବେଳେ ଚନ୍ଦା ଦେବୀ । ଘଟଣା ଘଟିବା ପରେ ପରିବାର ଲୋକ ଘର ଛାଡି ଚାଲିଯାଇଥିଲେ । ଖବର ପାଇଁ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ସଦର ହସ୍ପିଟାଲକୁ ପଠାଇଛି । ମୃତ ମହିଳାଙ୍କ ସ୍ବାମୀ ଚଣ୍ଡିଗଡରେ ଏକ କମ୍ପାନୀରେ କାମ କରନ୍ତି । ସେ ରବିବାର ଦିନ ଘରକୁ ଆସିଥିଲେ ।
ସ୍ବାମୀ ରାତିରେ ଖାଇବା ସମୟରେ ସ୍ତ୍ରୀକୁ ଆମ୍ବ ମାଗିଥିଲେ । ସ୍ତ୍ରୀ ଆମ୍ବ ଆଣି ଖାଇବାକୁ ଦେଲେ । ସ୍ବାମୀ ଆମ୍ବ ଧୋଇ ଆଣିବା ପାଇଁ କହିଥିଲେ । ଏଥିରେ ସ୍ତ୍ରୀ ରାଗିଯାଇ ଆମ୍ବ ଧୋଇବା ପାଇଁ ମନା କରିଦେଇଥିଲେ । ଆଉ ସ୍ବାମୀଙ୍କୁ କହିଲେ ତୁମେ ମତେ ଏପରି ହଇରାଣ କରୁଛ । ଯଦି ତମେ ମତେ ଏପରି ହଇରାଣ କର ତାହା ହେଲେ ମୁଁ ମରିଯିବି । ଏହା ପରେ ସ୍ବାମୀ ତାଙ୍କୁ ମରିଯିବାକୁ କହିଲେ । ସ୍ତ୍ରୀ କଠୋରୀ ଭିତରକୁ ଯାଇ ରଶି ଲଗାଇ ଜୀବନ ହାରିଦେଲେ । ମୃତ ମହିଳାଙ୍କ ୧୦ ବର୍ଷର ପୁଅ ବାପା ମାଆଙ୍କ ଝଗଡା ବିଷୟରେ କହିଲା ।
ଏହି ଘଟଣାକୁ ନେଇ ବର୍ତ୍ତମାନ କିଛି କହିହେବନି ବୋଲି ପୋଲିସ କହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ସତ ଜଣାପଡିବ ।
ବାଗେଶ୍ବର ଧାମ ନିକଟରେ କାନ୍ଥ ଭୁଶୁଡିବା ଘଟଣା : ଜଣେ ମୃତ, ୧୧ ଆହତ
ନନ୍ଦିଘୋଷ ବ୍ୟୁରୋ : ଆଜି ଭୋର ସମୟରେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ବାଗେଶ୍ବର ଧାନ ନିକଟରେ ଥିବା ଏକ ଢାବାର କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ ମଧ୍ୟପ୍ରଦେଶ ବିର୍ଜାପୁରର ଅନୀତା ଦେବୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତେ ବାଗେଶ୍ବର ଧାମ ମହାରାଜଙ୍କୁ ଦର୍ଶନ ପାଇଁ ଆସି ଢାବାରେ ରହିଥିଲେ ।
ପ୍ରାୟ ରାତି ୩ଟଣ୍ଟ ୩୦ ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିଲା । ହତାଠ କାନ୍ଥ ଭୁଶୁଡିଯିବାରୁ ସମସ୍ତେ ଚାପି ହୋଇଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକାମାନେ ଆସି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ମା’ଙ୍କ ସହ ବାଗେଶ୍ୱର ଧାମକୁ ଆସିଥିବା ଦୁଇ ଝିଅ ଜିଲ୍ଲା ଡାକ୍ତରଖାନାରେ ଅସହ୍ୟ କାନ୍ଦୁଥିଲେ। ସେମାନେ କହିଥିଲେ ଯେ ସେମାନଙ୍କ ମା’ ନିଖୋଜ ଅଛନ୍ତି ଓ ଏହି ହଠାତ୍ ଦୁର୍ଘଟଣାରେ ସେମାନେ କାନ୍ଥ ତଳେ ପୋତି ହୋଇଯାଇଛନ୍ତି।
ହସ୍ପିଟାଲ ପରିଚାଳନାକୁ ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି ସେଠାରେ ଚିକିତ୍ସିତ ହେଉଥିବା ଆହତମାନେ । ସେମାନେ କହିଛନ୍ତି କି, ଓଦାରେ ରହିଥିଲେ । ସେମାନଙ୍କୁ କମ୍ବଳ ଦିଆଯାଇନଥିଲା । କିଛି ଲୋରକଙ୍କ ଉପଯୁକ୍ତ ଜିକିତ୍ସା ହୋଇନଥିବା ମଧ୍ୟ ଅଭିଯୋଗ ହୋଇଛି ।
ଆହତମାନଙ୍କ ଅବସ୍ଥା ପଚାରିବା ପାଇଁ CMHO ତୃତୀୟ ମହଲାରେ ପହଞ୍ଚିବା ପରେ ପରିସ୍ଥିତିରେ ଉନ୍ନତି ଆସିଥିଲା। ଏହା ପରେ ହିଁ ଆହତମାନଙ୍କୁ କମ୍ବଳ ମିଳିଥିଲା ଓ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆସିଥିଲା। ସୂଚନା ପାଇବା ମାତ୍ରେ ସିଟି କୋତୱାଲି ଥାନା ଇନଚାର୍ଜ ଅରବିନ୍ଦ ସିଂହ ଡାଙ୍ଗି ମଧ୍ୟ ଜିଲ୍ଲା ହସ୍ପିଟାଲରେ ପହଞ୍ଚି ଆହତମାନଙ୍କ ଚିକିତ୍ସାଓ ୱାର୍ଡରେ ଭର୍ତ୍ତି କରିବାରେ ସାହାଯ୍ୟ କରିଥିଲେ।
ସୂର୍ଯ୍ୟର ରହସ୍ୟମୟ ଦୁନିଆ: ବୈଜ୍ଞାନିକମାନେ ପାଇଲେ ଆଶ୍ଚର୍ଯ୍ୟଜନକ ସଙ୍କେତ
ନନ୍ଦିଘୋଷ ବ୍ୟୁରୋ : ଏବେ ଗରମ ବଢିଯାଇଛି । ସୂର୍ଯ୍ୟଙ୍କ ଉତ୍ତାପ ବଢିବାରେ ଲାଗିଛି । ସୂର୍ଯ୍ୟଙ୍କ ଜଗତ ବହୁତ ଆକର୍ଷଣୀୟ ଓ ଏହା ଉପରେ ଅନେକ ପ୍ରକାରର ଗବେଷଣା ଚାଲିଛି। ଏହା ପ୍ରକାଶ ପାଇଛି ଯେ ସୌର କରୋନାରେ ଛୋଟ ଛୋଟ ଲୁପ୍ ଲୁଚି ରହିଛି। ଏହି ଛୋଟ ଲୁପ୍ କ’ଣ ତାହା ବୁଝିବା ପୂର୍ବରୁ, ସୌର କରୋନା କ’ଣ ତାହା ବୁଝିବା ଗୁରୁତ୍ୱପୂର୍ଣ୍ଣ। ସୌର କରୋନା ହେଉଛି ସୂର୍ଯ୍ୟର ଉପରତମ ସ୍ତର, ଯାହା ସୂର୍ଯ୍ୟ ପୃଷ୍ଠ ବାହାରକୁ ବିସ୍ତାରିତ। ଏହି ସ୍ତର ବହୁତ ପତଳା, କିନ୍ତୁ ଅତ୍ୟନ୍ତ ଗରମ। ଏହାର ତାପମାତ୍ରା 10 ଲକ୍ଷ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ।
ଏକ ନୂତନ ଆବିଷ୍କାରରୁ ଜଣାପଡିଛି ଯେ ସୂର୍ଯ୍ୟର ବାୟୁମଣ୍ଡଳର ତଳ ସ୍ତରଗୁଡ଼ିକରେ କ୍ଷୁଦ୍ର ପ୍ଲାଜ୍ମା ଲୁପ୍ଗୁଡ଼ିକର ଏକ ଚମତ୍କାର ଦୁନିଆ ରହିଛି। ଏଗୁଡ଼ିକ ଏତେ ଛୋଟ ଯେ ଏପର୍ଯ୍ୟନ୍ତ ଲୁଚି ରହିଛି। ତଥାପି, ଏଗୁଡ଼ିକ ସୂର୍ଯ୍ୟର ଗଭୀରତମ ରହସ୍ୟ ମଧ୍ୟରୁ ଗୋଟିଏର ସୁରାକ ରଖିଛନ୍ତି – ସୂର୍ଯ୍ୟ କିପରି ଚୁମ୍ବକୀୟ ଶକ୍ତିକୁ ସଂରକ୍ଷଣ ଓ ମୁକ୍ତ କରନ୍ତି। ଯଦିଓ ସୂର୍ଯ୍ୟ ଆମ ଆଖିକୁ ସ୍ଥିର ଦେଖାଯାଏ, ସୂର୍ଯ୍ୟର ଉଜ୍ଜ୍ୱଳ ପୃଷ୍ଠ ପଛରେ ପ୍ଲାଜମାରେ ଗଠିତ ଏକ କମ୍ ଘନ କିନ୍ତୁ ଅତ୍ୟନ୍ତ ଗତିଶୀଳ ବାୟୁମଣ୍ଡଳ ଅଛି।
ସୂର୍ଯ୍ୟର ବାହ୍ୟ ସ୍ତରର ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କରୋନାଲ୍ ଲୁପ୍ସ, ଗରମ ପ୍ଲାଜମାର ଚାପ ଭଳି ଗଠନ ଯାହା ୧ ନିୟୁତ ଡିଗ୍ରୀରୁ ଅଧିକ ତାପମାତ୍ରାରେ ଝଲସେ। ସୌର କରୋନା କିମ୍ବା ବାହ୍ୟ ବାୟୁମଣ୍ଡଳରେ ଏହି ବଡ଼ ଲୁପ୍ସଗୁଡ଼ିକ ଉପରେ ବହୁ ଦିନ ଧରି ଗବେଷଣା କରାଯାଇଥିବାବେଳେ, ବୈଜ୍ଞାନିକମାନେ ଏବେ ଏହି ଲୁପ୍ସର ଛୋଟ ଅଂଶ ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି।
ଏହି ମିନି ଲୁପ୍ଗୁଡ଼ିକ ପ୍ରାୟ ୩୦୦୦-୪୦୦୦ କିଲୋମିଟର ଲମ୍ବା ଯାହା କାଶ୍ମୀରରୁ କନ୍ୟାକୁମାରୀର ଦୂରତା ସହିତ ପ୍ରାୟ ସମାନ। ତଥାପି, ସେମାନଙ୍କର ପ୍ରସ୍ଥ ୧୦୦ କିଲୋମିଟରରୁ କମ୍। ଏହା ସେମାନଙ୍କ ଉପରେ ଗବେଷଣାକୁ ଆହୁରି ଚ୍ୟାଲେଞ୍ଜିଂ କରିଥାଏ। ସେମାନେ ସୂର୍ଯ୍ୟର ବାୟୁମଣ୍ଡଳର ନିମ୍ନସ୍ତର ମଧ୍ୟରେ ଲୁଚି ରହିଛନ୍ତି, ଯାହା ଫଳରେ ସେମାନଙ୍କ ଉପରେ ଗବେଷଣା କରିବା କଷ୍ଟକର ହୋଇପଡ଼େ।
ଏହି ଆକର୍ଷଣୀୟ ବିଶ୍ୱର ଅଧ୍ୟୟନ ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ ବା IIAର ଜ୍ୟୋତିର୍ବିଜ୍ଞାନୀମାନେ ଓ ସେମାନଙ୍କ ସହକର୍ମୀମାନେ ଉଚ୍ଚ-ରିଜୋଲ୍ୟୁସନ୍ ଇମେଜିଂ ଓ ସ୍ପେକ୍ଟ୍ରୋସ୍କୋପି ବ୍ୟବହାର କରିଥିଲେ। ଏହି ଛୋଟ ଲୁପ୍ଗୁଡ଼ିକ ବହୁତ ଶୀଘ୍ର ମରିଯାଆନ୍ତି, କେବଳ କିଛି ମିନିଟ୍ ପାଇଁ ବଞ୍ଚି ରହନ୍ତି, IIAର ପିଏଚଡି ଛାତ୍ର ଅନୁ ବୋରା କହିଛନ୍ତି। ଯଦିଓ ଏଗୁଡ଼ିକ ଛୋଟ, ସୂର୍ଯ୍ୟଙ୍କୁ ବୁଝିବା ସମୟରେ ଏହି ଲୁପ୍ଗୁଡ଼ିକ ସେମାନଙ୍କର ଓଜନଠାରୁ ଅଧିକ ପାଆନ୍ତି।
ଏହି ଛୋଟ କରୋନାଲ୍ ଲୁପ୍ଗୁଡ଼ିକର ଅନୁସନ୍ଧାନ କରିବା ପାଇଁ ଦଳଟି ଅତ୍ୟାଧୁନିକ ଟେଲିସ୍କୋପ୍ ବ୍ୟବହାର କରିଥିଲା। ସେମାନେ BBSOର ଗୁଡ୍ ସୋଲାର ଟେଲିସ୍କୋପ୍, NASAର ଇଣ୍ଟରଫେସ୍ ରିଜିଅନ୍ ଇମେଜିଂ ସ୍ପେକ୍ଟ୍ରୋଗ୍ରାଫ୍ (IRIS) ଓ ସୋଲାର ଡାଇନାମିକ୍ସ ଅବଜରଭେଟୋରୀ (SDO) ରୁ ତଥ୍ୟକୁ ଏକତ୍ର କରି ଏହି ଲୁପ୍ଗୁଡ଼ିକୁ ଚିହ୍ନଟ କରିଥିଲେ। ସୂର୍ଯ୍ୟର ଦୃଶ୍ୟମାନ ପୃଷ୍ଠର ଠିକ୍ ଉପରେ ଥିବା ସୌର କ୍ରୋମୋସ୍ଫିୟରର ଅନୁସନ୍ଧାନ ପାଇଁ ହାଇଡ୍ରୋଜେନ ପରମାଣୁରୁ H-ଆଲଫା ବର୍ଣ୍ଣାଳୀ ରେଖା ଏକ ପ୍ରମୁଖ ରେଖା। ଦଳଟି ଜାଣିପାରିଲା ଯେ ରେଖାର ଲାଲ କିମ୍ବା ଲମ୍ବା ତରଙ୍ଗଦୈର୍ଘ୍ୟରେ, ଏହି ଲୁପ୍ଗୁଡ଼ିକ କରୋନାଲ୍ ଲୁପ୍ସ ପରି ଉଜ୍ଜ୍ୱଳ, ସୂକ୍ଷ୍ମ ଆର୍କ ଭାବରେ ଦେଖାଯାଏ।
ଏହି ଲୁପ୍ଗୁଡ଼ିକ ଭିତରେ ଥିବା ପ୍ଲାଜମାର ତାପମାତ୍ରାକୁ ବୁଝିବାକୁ ଚେଷ୍ଟା କରାଯାଇଥିଲା। ଫଳାଫଳରୁ ଜଣାପଡ଼ିଥିଲା ଯେ ପ୍ଲାଜମାର ତାପମାତ୍ରା କିଛି ନିୟୁତ ଡିଗ୍ରୀ ଉପରେ ବୃଦ୍ଧି ପାଉଥିଲା। ଯାହା SDOର ବାୟୁମଣ୍ଡଳୀୟ ଇମେଜିଂ ଆସେମ୍ବଲିରେ ଦେଖାଯାଇପାରିବ।
ଏଲନ ମସ୍କଙ୍କ ପରି କେହି ବି ଏକ ନୂଆ ରାଜନୈତିକ ଦଳ ଗଠନ କରିପାରିବେ କି? ଏଥିପାଇଁ ଆମେରିକାରେ କ’ଣ ରହିଛି ନିୟମ?
ଆମେରିକାରେ ଏଲନ ମସ୍କ ନୂଆ ରାଜନୈତିକ ଦଳ ଗଠନ କରିସାରିଛନ୍ତି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ସେଠାରେ ଜଣେ କୌଣସି ନୂଆ ପାର୍ଟି ଗଠନ କରିପାରିବ କି? ଆସନ୍ତୁ ଜାଣିବା ଏଥିପାଇଁ ଆମେରିକାରେ କ’ଣ ନିୟମ ରହିଛି । ଏକଦା ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ନିକଟତମ ବ୍ୟକ୍ତି ଭାବେ ପରିଚିତ ଥିବା ଏଲନ ମସ୍କ ଏବେ ବିରୋଧୀ ପାଲଟି ଯାଇଛନ୍ତି । ଏଲନ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳର ଘୋଷଣା କରିଛନ୍ତି । ଏହି ପାର୍ଟି ଆମେରିକାର ଦ୍ବି-ଦଳୀୟ ବ୍ୟବସ୍ଥା ବିପକ୍ଷରେ ଏକ ନୂଆ ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମସ୍କ କହିଛନ୍ତି । ସାଧାରଣ ଜନତାଙ୍କୁ ସେମାନଙ୍କର ସ୍ବାଧିନତା ଫେରାଇଦେବା ପାଇଁ ଏହି ପାର୍ଟି ଗଠନ କରାଯାଇଛି । ଆଗାମୀ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ତାଙ୍କର ଦଳ ସକ୍ରିୟ ଭାବେ ଅଂଶଗ୍ରହଣ କରିବ ବୋଲି ମସ୍କ କହିଛନ୍ତି । ୨୦୨୪ରେ ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ଜିତାଇବାରେ ମସ୍କଙ୍କ ଏକ ବଡ଼ ଭୂମିକା ରହିଥିଲା । ମାତ୍ର ଏବେ ଦୁହିଁଙ୍କର ସମ୍ପର୍କରେ ଭଟା ପଡ଼ିଛି ।
ଆମେରିକାରେ ପାର୍ଟି ଗଠନ କରିବା କଥା ଶୁଣିବାକୁ ଯେତିକି ସହଜ ଲାଗୁଛି, ସେତିକି ସହଜ ହୋଇନଥାଏ । ଏହି ପ୍ରକ୍ରିୟା ବହୁତ ଜଟିଳ ଓ ଲମ୍ବା ହୋଇଥାଏ । ମସ୍କ ନୂଆ ପାର୍ଟି ଗଠନ କରିବା ପରେ ଏବେ ପ୍ରଶ୍ନ ଉଠୁଛି, ସେଠାରେ କ’ଣ ଯେ କୌଣସି ବ୍ୟକ୍ତି ପାର୍ଟି ଗଠନ କରିପାରିବ? ଆମେରିକାରେ ଜଣଙ୍କୁ ନୂଆ ପାର୍ଟି ଗଠନ କରିବା ପୂର୍ବରୁ ଏକ ଔପଚାରିକ ନାମ ସ୍ଥିର ହୋଇଥାଏ । ପାର୍ଟିର ଅଧ୍ୟକ୍ଷ କିଏ ହେବ, କୋଷାଧ୍ୟକ୍ଷ କିଏ ହେବ ଓ ଅନ୍ୟ ପଦାଧିକାରୀ କିଏ ହେବ, ସେନେଇ ଏକ ଘୋଷଣାପତ୍ର ଓ ସଂଗଠନାତ୍ମ ଢାଞ୍ଚାର ଆବଶ୍ୟକତା ହୋଇଥାଏ । ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ କାମ କରିବା ପାଇଁ ଏହି ଢାଞ୍ଚା ପ୍ରସ୍ତୁତ କରାଯାଇଥାଏ ।
ଭାରତରେ ନିର୍ବାଚନ ଆୟୋଗଙ୍କ ପରି ଆମେରିକାରେ ମଧ୍ୟ ଫେଡେରାଲ ଇଲେକ୍ସନ କମିସନ ଅଛନ୍ତି । ଭାରତ ପରି ସେଠାରେ ମଧ୍ୟ ନୂଆ ପାର୍ଟିର ପଞ୍ଜିକରଣ ଫେଡେରାଲ ଇଲେକ୍ସନ କମିସନରେ କରାଯାଇଥାଏ । ଭାରତରେ ଯେପରି କୌଣସି ପାର୍ଟିର ସ୍ଥିତି ଅନୁସାରେ ତାହାକୁ ରାଷ୍ଟ୍ରୀୟ କି କ୍ଷେତ୍ରୀୟ ମାନ୍ୟତା ଦିଆଯାଇଥାଏ, ସେହିପରି ଆମେରିକାରେ ମଧ୍ୟ ହୋଇଥାଏ ।
ଆହୁରି ବଢ଼ିବ ନୌସେନାର ଶକ୍ତି, ଶତ୍ରୁ ହେବେ ଥରହର
ନନ୍ଦିଘୋଷ ବ୍ୟୁରୋ : ବଢିବ ଭାରତୀୟ ନୌସେନାର ଶକ୍ତି । ସାମିଲ ହେବ ୧୭ଟି ଯୁଦ୍ଧଜାହାଜ ସହ ୯ଟି ବୁଡାଜାହାଜ । ସୂତ୍ର ଅନୁସାରେ କିଛି ଭିନ୍ନ ଅନୁମୋଦନ ପ୍ରକ୍ରିୟା ମାଧ୍ୟମରେ ସାମିଲ କରାଯିବ । ଭିନ୍ନ ଭିନ୍ନ ପର୍ଯ୍ୟାୟରେ ୬୧ଟି ଯୁଦ୍ଧଜାହାଜ ଓ ବୁଡାଜାହାଜ ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲିଛି । ଦେଶରେ ହିଁ ନୂଆ ଜାହାଜ ନିର୍ମାଣ କରାଯିବ ।
ପ୍ରାଜେକ୍ଟ ୧୭ ବି ଅଧୀନରେ ୭୦ ହଜାର କୋଟି ଟଙ୍କା ବିନିମୟରେ ୭ଟି ପରବର୍ତ୍ତୀ ପିଢିର ପୋଜେକ୍ଟ ଓ ବହୁମୁଖୀ ଜାହାଜ ନିର୍ମାଣ ପାଇଁ ପ୍ରସ୍ତାବ ଖୁବଶିଘ୍ର ଆସିବ । ସେହିପରି ପ୍ରୋଜେକ୍ଟ ୭୫ ଇଣ୍ଡିଆ ଆଇ ଅଧୀନରେ ୭୦ ଜହାର କୋଟି ଟଙ୍କା ବିନିମୟରେ ୬ଟି ଅତ୍ୟାଧୁନିକ ବୁଡାଜାହାଜ ଓ ପ୍ରୋଜେକ୍ଟ ୭୫ ଏନ୍ ଆଇ ଅଧୀନରେ ପ୍ରାୟ ୩୬ ହଜାର କୋଟି ଟଙ୍କା ମୂଲ୍ୟରେ ୩ଟି ସ୍କୋରପିନ୍ ଶ୍ରେଣୀର ବୁଡ଼ାଜାହାଜ ମଧ୍ୟ ନିର୍ମାଣ କରାଯିବ।
ଏହା ବ୍ୟତୀତ, ୮ଟି ପରବର୍ତ୍ତୀ ପିଡିର କର୍ଭେଟ୍ ନିର୍ମାଣ କରିବାର ଯୋଜନା ମଧ୍ୟ ଅଛି । ଯେଉଁଥିପାଇଁ ୩୬ କୋଟି ଟଙ୍କା ଖର୍ଚ୍ଚ ହେବ । ସମସ୍ତ ପ୍ରକଳ୍ପର ମୂଲ୍ୟ ୨.୪୦ କୋଟଇ ଟଙ୍କାରୁ ଅଧିକ ହେବ । ନୂଆ ଯୁଦ୍ଧଜହାଜ ଓ ବୁଡାଜାହାଜ ପୁରୁଣା ପ୍ଲର୍ଟଫର୍ମର ସ୍ଥାନ ନେବ। ଏଗୁଡିକର ଶକ୍ତି ବୃଦ୍ଧି କରିବ ।
ଚୀନର ପିଲଏଲ ନୌସେନା ସବୁଠାରୁ ବୃହତ ନୌସେନା । ଯାହାର ୩୫୫ଟି ଯୁଦ୍ଧଜାହାଜ ଓ ବୁଡାଜାହାଜ ରହିଛି । ଅନ୍ୟପଟେ ଭାରତୀୟ ନୌସେନା ପାଖରେ ୧୩୦ରୁ ଅଧିକ ଯୁଦ୍ଧଜାହାଜ ଓ ବୁଡାଜାହାଜ ରହିଛି । ପରୁଣା ପ୍ଲାର୍ଟଫର୍ମରେ ପୁରୁଣା ହୋଇଯାଇଥିବାରୁ ନୂଆ ଜାହାଜର ଆବଶ୍ୟକ ରହିଛି । ଯାହା ଶକ୍ତି ବୃଦ୍ଧି କରିବ ।
ଭାରତୀୟ ନୌସେନା ପାଖରେ ଏବେ ବହୁତ ପୁରୁଣା ଜାହାଜ ରହିଛି । ୬ଟି ସ୍ବଦେଶୀ ସ୍କର୍ପିନ୍ ସାମିଲ ହେବା ସତ୍ତ୍ବେ, ୧୨ଟି ପୁରୁଣା ବୁଡାଜାହାଜ ରହିଛି । ଏହି ପରିସ୍ଥିତିରେ ଆହୁରି ଶକ୍ତିଶାଳୀ ଯୁଦ୍ଧ ଜାହାଜ ଓ ବୁଡା ଜାହାଜ ସାମିଲ ହେବାର ଆବଶ୍ୟକତା ରହିଛି ।
ବିଧ୍ୱଂସକ ହେଉଛି ବହୁମୁଖୀ ଜାହାଜ ଯାହା ସମୁଦ୍ର, ପାଣି ତଳେ ଏବଂ ଆକାଶରେ ଏକକାଳୀନ କାର୍ଯ୍ୟ କରିପାରିବ। ଭାରତୀୟ ନୌସେନା ୨୦୩୫ ସୁଦ୍ଧା ୧୭୫ଟି ନୂତନ ଜାହାଜର ଏକ ଫ୍ଲିଟ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।
ସେନାରେ ସାମିଲ ହେବ ଅତ୍ୟାଧୁନିକ ଗନ୍ ATAGS ଓ MG
ନନ୍ଦିଘୋଷ ବ୍ୟୁରୋ : ସେନାରେ ସାମିଲ ହେବ ଅତ୍ୟାଧୁନିକ ଗନ୍ ATAGS ଓ MG । ଏହି ଦୁଇଟି ଗନ୍ ର ପ୍ରଦର୍ଶନ କରାଯାଇଛି। ପୁଣେ ମହାରାଷ୍ଟ୍ରରେ ଆଡଭାନ୍ସ ଟାୱଡ୍ ଆର୍ଟିଲେରି ଗନ୍ ସିଷ୍ଟମ ATAGS ଓ ଅହମଦନଗରରେ ମାଉଣ୍ଟେଡ୍ ଗନ୍ ସିଷ୍ଟମ MGS ର ପ୍ରଦର୍ଶନ କରାଯାଇଛି। ଏହି ଦୁଇଟି ଅତ୍ୟାଧୁନିକ ଗନ୍ ଡିଆରଡିଓ ଦ୍ଵାରା ବିକାଶିତ କରାଯାଇଛି। ଖୁବ ଶୀଘ୍ର ଏହା ସ୍ଥଳସେନାରେ ସାମିଲ ହେବ। MSG ମରୁଭୂମି ଓ ଉଚ୍ଚ ପାର୍ବ୍ଯତ୍ୟଞ୍ଚଳରେ ବେଶ୍ ଦକ୍ଷତା ସହିତ କାମ କରିପାରିବ। ଏହାକୁ ମାତ୍ର ୮୫ ସେକେଣ୍ଡରେ ଖଞ୍ଜା ଯାଇପାରିବ ମାତ୍ର ୮୫ ସେକେଣ୍ଡରେ ଅଲଗା ମଧ୍ୟ କରାଯାଇପାରିବ। ସେହିପରି ATAGS ର ରେଞ୍ଜ ହେଉଛି ୪୮ କିଲୋମିଟର। ଏହାର କ୍ଷମତା ହେଉଛି ୨୫ ବ୍ୟାରେଲ। ଜୋନ୍ ୭ ରେ ଏହା ଫାୟାର କରିପାରିବ।

