spot_img
Home Blog Page 6288

ଆବଶ୍ୟକତା ପୂରଣ ପାଇଁ ସର୍ଭେ କରିବ ଆପ୍

ସୁନ୍ଦରଗଡ଼: ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ପ୍ରଶାସନ ମାଇକ୍ରୋ ପ୍ରୋଜେକ୍ଟ ପ୍ଲାନ ବା ଅଣୁ ପ୍ରକଳ୍ପ ଯୋଜନା ଆରମ୍ଭ କରିବାକୁ ଯାଉଛି। ତୃଣମୂଳ ସ୍ତରରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୋବାଇଲ ଆପ୍‌ ଜରିଆରେ ଏକ ସର୍ଭେ ହେବ। ଏହି ‘ବେସଲାଇନ୍‌ ସର୍ଭେ’ ଆପକୁ ସୋମବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି।

ଅଣୁ ପ୍ରକଳ୍ପ ଯୋଜନା ଏବଂ ଏହି ସର୍ଭେ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇଏସଡି ବୈଷୟିକ ସହାୟତା ଯୋଗାଇ ଦେଉଛି। ଓ୍ୱାଇଏସଡି ସହିତ ଆଉ ଦୁଇଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାରଦା ଏବଂ ନିୟତି ଫାଉଣ୍ଡେସନକୁ ସର୍ଭେ ଦାୟିତ୍ୱ ଦିଆଯାଇଛି।

ପ୍ରଭାବିତ ହେମଗିରି, କୋଇଡ଼ା, କୁତ୍ରା, ଲହୁଣିପଡ଼ା, କୁଆରମୁଣ୍ଡା ଏବଂ ରାଜଗାଙ୍ଗପୁର ବ୍ଲକରେ ଏହି ସର୍ଭେ କରାଯିବ। ୨୯ଟି ଗ୍ରାମ ପଞ୍ଚାୟତର ୧୮୫ଟି ଗ୍ରାମରେ ସର୍ଭେ ହେବ। ୪୦ ହଜାର ଲୋକଙ୍କୁ ଏଥିରେ ଯୋଡ଼ାଯିବ। ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି ମୋବାଇଲ ଆପ ଜରିଆରେ ଲୋକଙ୍କ ମତାମତ ସଂଗ୍ରହ କରିବେ। ୩ରୁ ୪ ମାସ ଧରି ଏହି ସର୍ଭେ ଚାଲିବ। ଲୋକଙ୍କ ମତାମତକୁ ଆଧାର କରି ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଅଣୁ ପ୍ରକଳ୍ପ ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଲାଗୁ କରିବାର ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଛି।

କୃଷକଙ୍କ ଭାରତ ବନ୍ଦ ଡାକରା: ସୁରକ୍ଷା ବ୍ୟବସ୍ଥା ନେଇ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ । ନୂଆ କୃଷି ଆଇନ ବିରୋଧରେ ଏହି ବନ୍ଦ ଡାକରା ଦେଇଛନ୍ତି ଆନ୍ଦୋଳନରତ କୃଷକ । ତେବେ ଏହି ସମୟରେ ସତର୍କତା ଅବଲମ୍ୱନ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସରକାରଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଭାରତ ବନ୍ଦ ସମୟରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରିବା ନେଇ ପରାମର୍ଶ ଦେବା ସହିତ କୋଭିଡ କଟକଣାର ଯେଭଳି ସଠିକ୍ ଭାବେ ପାଳନ ହୋଇପାରିବ ସେ ନେଇ ତତ୍ପର ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହିବ ଆବଶ୍ୟକ ପ୍ରତିଶେଷଧକମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ମଧ୍ୟ ଜାରି ଆଡଭାଇଜରୀରେ କୁହାଯାଇଛି ।

            ଆକ୍ସନ ମୋଡରେ କେନ୍ଦ୍ର ସରକାର

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଦେଶବ୍ୟାପୀ ପରାମର୍ଶରେ କୁହାଯାଇଛି ଯେ, ରାଜ୍ୟ ସରକାର ତଥା କେନ୍ଦ୍ର ଶାସିତ ପ୍ରଦେଶର ପ୍ରଶାସକ ସୁନିଶ୍ଚିତ କରିବା ଆବଶ୍ୟକ ଯେ କୋଭିଡ -୧୯ ଗାଇଡଲାଇନର ଯେଭଳି ସଠିକ୍ ଭାବେ ହୋଇପାରିବ  । ଏବଂ ସାମାଜିକ ଦୂରତ୍ୱ ବଜାୟ ରହିବ । ଏଥିସହିତ ଦେଶରେ ଯେଭଳି ଶାନ୍ତି ଶୃଙ୍ଖଳା ବଜାୟ ରହିବ ଏଥିଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଯାହା ଦ୍ୱାରା କୌଣସି ଅଘଟଣା ଘଟିବ ନାହିଁ ।

କୃଷକ ଆନ୍ଦୋଳନ, ଭାରତ ବନ୍ଦକୁ କଂଗ୍ରେସ ସହ ୧୮ ଦଳର ସମର୍ଥନ

‘ଭାରତ ବନ୍ଦ ବେଳେ ରାଜ୍ୟରେ ସବୁ ସରକାରୀ ଅଫିସ୍‌ ଓ କାର୍ଯ୍ୟାଳୟ ବନ୍ଦ’

ଭୁବନେଶ୍ୱର: ମଙ୍ଗଳବାର ସବୁ ସରକାରୀ ଅଫିସ୍‌ ଓ କାର୍ଯ୍ୟାଳୟ ବନ୍ଦ । ଚାଷୀଙ୍କ ଭାରତ ବନ୍ଦ ଡାକରା ଯୋଗୁଁ ସାଧାରଣ ପରିବହନ ପ୍ରଭାବିତ ହେବାର ଆଶଙ୍କା ରହିଛି । କରୋନା ସମୟରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟ ଆସିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ କେବଳ ଭାରତ ବନ୍ଦ ଯୋଗୁଁ ନୁହେଁ କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ପ୍ରଶମିତ ହୋଇନଥିବା ଏବଂ ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ସ୍ୱାଭାବିକ ହୋଇନଥିବା ଯୋଗୁଁ ସରକାର ଏହି ନିଷ୍ପତି ନେଇଥିବା କୁହାଯାଇଛି । ଏହା କରୋନା ସଂକ୍ରମଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛି ।

କୃଷକଙ୍କ ଆନ୍ଦୋଳନକୁ ସମର୍ଥନ: ପୁରସ୍କାର ଫେରାଇବକୁ ବାହାରିଲେ ୩୦ ଖେଳାଳି, ଅଟକାଇଲା ପୋଲିସ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ତୀବ୍ରତର ହେଉଛି ଆନ୍ଦୋଳନ । ଦେଶର ରାଜଧାନୀ ନିକଟରେ ରଣହୁଙ୍କାର ଦେଇଛନ୍ତି କୃଷକ ସଂଗଠନ । ଆଉ ଏହାକୁ ବିଭିନ୍ନ ରାଜନୈତିକ ଦଳ ଓ ରାଜନେତା, କ୍ରୀଡ଼ାବିତ, ବୁଦ୍ଧିଜୀବୀଙ୍କ ସମେତ ଅନେକ ବର୍ଗର ଲୋକଙ୍କ ସମର୍ଥନ ମିଳିଛି । ଏଥିସହିତ ଆସନ୍ତାକାଲି ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦର ମଧ୍ୟ ଡାକରା ଦିଆଯାଇଛି ।

ତେବେ ଏହାରି ମଧ୍ୟରେ କୃଷି ଆଇନ ବିରୋଧରେ ୩୦ଜଣ ଖେଳାଳି ରାସ୍ତାକୁ ଓହ୍ଲାଇଛନ୍ତି। କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସହ କୃଷି ବିଲକୁ ଫେରାଇ ନେବା ଦାବି କରି ୩୦ଜଣ ଖେଳାଳି ପୁରସ୍କାର ଫେରାଇବାକୁ ରାଷ୍ଟ୍ରପତି ଭବନ ଯାଉଥିଲେ। ଏହି ସମୟରେ ଦିଲ୍ଲୀ ପୁଲିସ ସମ୍ପୃକ୍ତ ଖେଳାଳିମାନଙ୍କୁ ଅଟକାଇ ଥିବା ଜଣାପଡ଼ିଛି । ଘଟଣାକୁ ନେଇ ରେସଲର କରତାର ସିଂ କହିଛନ୍ତି ଯେ ଆମେ ୩୦ଜଣ ଖେଳାଳି ପଞ୍ଜାବରୁ ପୁରସ୍କାର ଫେରାଇବାକୁ ଚାହୁଁଛୁ।

ଏପଟେ ଆଜି କନ୍ନୌଜକୁ କୃଷି ଆନ୍ଦୋଳନରେ ଯୋଗ ଦେବା ପାଇଁ ଯାଉଥିବା ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଅଟକ ରଖିଛି ପୁଲିସ। ପ୍ରଶାସନ ପକ୍ଷରୁ ପୂର୍ବରୁ ଲକ୍ଷ୍ନୌରେ ଥିବା ତାଙ୍କ ଘର ବାହାରେ ବ୍ୟାରିକେଡ କରାଯାଇଥିଲା। ତଥାପି କୃଷି ଆନ୍ଦୋଳନରେ ଯୋଗ ଦେବା ପାଇଁ ବାହାରିବା ପରେ ତାଙ୍କୁ ପୁଲିସ ଅଟକାଇବାରୁ ସେ ନିଜ ସମର୍ଥକଙ୍କ ସହ ନିଜ ଘର ବାହାରେ ଧାରଣାରେ ବସିଯାଇଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୁଲିସ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସେଠାରୁ ଉଠାଇ ନେବା ସହ ତାଙ୍କ ଗାଡିକୁ ଜବତ କରିଛି।

ଚପଲ ଫେରାଇବା ପାଇଁ ସରକାରଙ୍କୁ ଚେତାବନୀ ଦେଲେ ମହିଳା ମାେର୍ଚ୍ଚା ଅଧ୍ୟକ୍ଷା

ନୂଆଦିଲ୍ଲୀ:  ଗୋଟିଏ ପକ୍ଷେ କୃଷକ ଆନ୍ଦୋଳନ ଜାରି ରହିଛି ଏବଂ ସାରା ଦେଶରେ ଏହାର ପ୍ରଭାବ ନଜର ଆସୁଛି । ନୂଆ କୃଷି ଆଇନକୁ ବିରୋଧ କରି କୃଷି ଆନ୍ଦୋଳନ ଚାଲିଥିବା ବେଳେ ନିକଟରେ ଭାଇରାଲ ହେଉଛି ଏଭଳି ଏକ ଭିଡ଼ିଓ, ଯାହାକୁ ଦେଖିବା ମାତ୍ରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ସୋସିଅଲ ମିଡିଆରେ ଉକ୍ତ ଭାଇରାଲ ଭିଡ଼ିଓକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ଆରମ୍ଭ ହୋଇଯାଇଛି ।

 

ଭାଇରାଲ ଭିଡ଼ିଓରେ ଜଣେ ମହିଳା ସରକାରଙ୍କୁ ବିରୋଧ କରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି ତାହା ହେଉଛି ସରକାରଙ୍କୁ ନେଇ ମହିଳାଙ୍କ ଅଭିଭାଷଣ । ମହିଳା ଜଣକ ନିଜକୁ କିଷାନ ଏକତା ସଂଘର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ବୋଲି କହୁଛନ୍ତି । ଏହା ସହିତ ପୋଲିସ ପ୍ରଶାସନ ଏବଂ ସରକାର ଷଡ଼ଯନ୍ତ୍ର କରି ତାଙ୍କ ଚପଲ ନେଇ ଯାଇଥିବା ମଧ୍ୟ ସେ ଚିତ୍କାର କରି କହୁଛନ୍ତି । ସେ କହିଛନ୍ତିଯେ, ‘ ମୁଁ ଆଗକୁ କୃଷକ ମାନଙ୍କ ପାଇଁ ଲଢିପାରିବି ନାହିଁ ବୋଲି ମୋ ଠାରୁ ମୋ ଚପଲ ଛଡ଼ାଇ ନେଇଛନ୍ତି । କିନ୍ତୁ ମୁଁ ଖାଲିପାଦରେ ଲଢିବା ପାଇଁ ପ୍ରସ୍ତୁତ । କେବଳ ସେତିକି ନୁହେଁ ଏତଲା ମଧ୍ୟ ଦେବି । ଅର୍ଥ ଅଭାବରୁ ଯେଉଁଭଳି ମଧ୍ୟ ହେଉ ଚପଲ କିଣିଥିଲି, ତାକୁ ମଧ୍ୟ ମୋ ଠାରୁ ଛଡ଼ାଇ ନେଲେ, ଏବେ ମୋତେ ଚପଲ କିଏ ଦେବ?’ । ତେଣୁ ସରକାର ତାଙ୍କ ଚପଲ ଫେରାଇ ଦିଅନ୍ତୁ ବୋଲି ସେ ଭିଡ଼ିଓରେ ଦାବି କରିଥିବା ନଜର ଆସିଛି ।


ସବୁଠାରୁ ଖାସ କଥା ହେଉଛି, ଏହି ଭାଇରାଲ ଭିଡ଼ିଓରେ ଭିନ୍ନ ଭିନ୍ନ କମେଣ୍ଟ ନଜର ଆସିଛି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତିଯେ, ଭାଇ ସୋନୁ ସୁଦ ଆପଣ ଏହି ଗରୀବ ମହିଳାଙ୍କୁ ଚପଲ ଦିଅନ୍ତୁ । ଆଉ ଜଣେ ଲେଖିଛନ୍ତି, ପ୍ରଥମେ ସେଲୋଟେପ ତା’ ପରେ ଚପଲ । ଅନ୍ୟ ଜଣେ ୟୁଜର ଲେଖିଛନ୍ତିଯେ, ମୋଦି ଇସ୍ତଫା ଦିଅନ୍ତୁ । ଏହିଭଳି ଏକାଧିକ କମେଣ୍ଟ ଭିଡ଼ିଓରେ ଦେଖିବାକୁ ମିଳିଛି । ଭିଡ଼ିଓକୁ ଏପର୍ଯ୍ୟନ୍ତ ୧୯ଶହ ଲାଇକ କରାଯାଇଥିବା ବେଳେ ୩୪ ହଜାର ୨ ଶହ ଲୋକ ଦେଖି ସାରିଲେଣି ।

ପ୍ରଦୀପଙ୍କ ଜାମିନ ଆବେଦନ ଖାରଜ, ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ସୁପାରିଶ

ଭୁବନେଶ୍ୱର: ଦ୍ୱିତୀୟ ଥର ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ । ଜାମିନ ଖାରଜ କଲେ ଏଡିଜେ କୋର୍ଟ-୩ । ତିନି ଘଣ୍ଟାର ଜବାବସୁଆଲ ପରେ କୋର୍ଟ ରାୟ ସଂରକ୍ଷିତ ରଖି ଶେଷରେ ଜାମିନ ଆବେଦନ ଖାରଜ କରିଛନ୍ତି । ଏବେ ଜେଲର ଚାରିକାନ୍ଥ ଭିତରେ କଟିବ ପ୍ରଦୀପଙ୍କ ରାତି । ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ପ୍ରଦୀପ । ତାଙ୍କ ନାଁରେ ଆଇପିସି ଧାରା ୪୧୯, ୪୨୦, ୪୬୭, ୪୬୯, ୪୭୧ ଓ ଧାରା ୧୨୦-ବି ଲାଗିଛି ପ୍ରଦୀପଙ୍କ ବିରୋଧରେ ।

ଟାଟା ମୋଟର୍ସ ନାଁରେ ଜାଲ ନିଯୁକ୍ତି ଓ ଅର୍ଥ ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ମଧ୍ୟ ଥରେ ଜାମିନ ପାଇଁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲେ ପ୍ରଦୀପ ।

ଅନ୍ୟପଟେ ପ୍ରଦୀପଙ୍କ ବିରୋଧରେ ଥିବା ସାଂଘାତିକ ଅଭିଯୋଗର ତଦନ୍ତ କରିବେ ଲୋକାୟୁକ୍ତ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଲୋକାୟୁକ୍ତଙ୍କୁ ସୁପାରିଶ କରାଯାଇଛି । ଲୋକାୟୁକ୍ତ ଗଠନ ହେବା ପରେ ପ୍ରଥମ ଦୁର୍ନୀତି ମାମଲା ଭାବେ ରାଜ୍ୟ ସରକାର ଏହି ସୁପାରିଶ କରିଛନ୍ତି ।

ମାମୁଁ ମାଧବଙ୍କ ମନ୍ଦିରରୁ ମହାପ୍ରଭୁଙ୍କ ପାଇଁ ଗଲା ପୋଢୁଆଁ ଭାର

ନିଆଳି: ଆସନ୍ତାକାଲି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ଶ୍ରୀଜୀଉ । ଶ୍ରୀଜୀଉଙ୍କ ମାମୁଁ ଘର ନିଆଳି ମାଧବ ମନ୍ଦିରରୁ ମହାପ୍ରଭୁଙ୍କ ପାଇଁ ଯାଉଛି ପ୍ରଥମାଷ୍ଟମୀ ଭାର । ପରମ୍ପରା ଅନୁସାରେ ଶ୍ରୀଜୀଉ ମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର , ଅରୁଆ ଚାଉଳ , ବିରି , ନଡିଆ , ଗୁଡ , ପାଚିଲା କଦଳୀ ଯାଉଛି ମାମୁଁଘରୁ ।

କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥଙ୍କ ମାମୁଁଘର । କେଉଁ ଆବାହାମାନ କାଳରୁ ମାଧବ ମନ୍ଦିର ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପୋଢୁଆଁ ପରମ୍ପରା ଥିବା ବେଳେ ଗତ କିଛି ବର୍ଷ ହେବ ଏହି ପରମ୍ପରା ବନ୍ଦ ଥିଲା। ଗତ ବର୍ଷ ଠାରୁ ଏହି ପରମ୍ପରାର ପୁନଃ ପ୍ରଚଳନ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଶ୍ରୀକ୍ଷେତ୍ର ଅଭିମୁଖେ ଯାଉଛି ଏହି ଭାର।

ସଂକୀର୍ତନ ମଣ୍ଡଳୀର ସଂକୀର୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ବାହାରିଛି ଶ୍ରୀକ୍ଷେତ୍ର । ଗତ କିଛି ବର୍ଷ ହେବ ବନ୍ଦ ରହିଥିଲା ଏହି ପ୍ରଥା । ପରମ୍ପରାକୁ ପୁନଃ ପ୍ରଚଳନ କରିବା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଛି ।

ଭାରତ ବନ୍ଦ, ଘୁଞ୍ଚିଲା ଓସିଏସ୍‌ ପରୀକ୍ଷା

ଭୁବନେଶ୍ୱର: ଭାରତ ବନ୍ଦ ଯୋଗୁଁ ଘୁଞ୍ଚିଲା ଓସିଏସ୍‌ ପରୀକ୍ଷା । ମଙ୍ଗଳବାର ସାରା ଦେଶରେ ଚାଷୀ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓସିଏସ୍‌ ପରୀକ୍ଷାକୁ ଆସନ୍ତାକାଲି ବାତିଲ କରାଯାଇଛି । ଏହି ପରୀକ୍ଷାକୁ ଆଗାମୀ ଜାନୁଆରୀ ଦୁଇ ତାରିଖରେ କରାଯିବ ବୋଲି ନିଷ୍ପତି ହୋଇଛି । ଏନେଇ ଓଡ଼ିଶା ପବ୍ଲିକ୍‌ ସରଭିସ୍‌ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

OCS Exam

ଚାଷୀ ଆନ୍ଦୋଳନ ସମୟରେ ଗାଡ଼ି ମଟର ବନ୍ଦ ରହିବ । ଗଳିକନ୍ଦିରେ ଆନ୍ଦୋଳନକାରୀ ପିକେଟିଂ କରିବେ । ତେଣୁ ଗମନାଗମନ ବା ଯାତାୟତରେ ଅନେକ ବାଧା ସୃଷ୍ଟି ହୋଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷାକୁ ଘୁଞ୍ଚାଯାଇଛି । ଜାନୁଆରୀ ୨ରେ ପରୀକ୍ଷା ହେବା ନେଇ ନିଷ୍ପତି ହୋଇଛି । ତେବେ ପରୀକ୍ଷା କେନ୍ଦ୍ରରେ କିମ୍ବା ପରୀକ୍ଷା ସମୟରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହା କୌଣସି ନୂଆ ଆବେଦନ ମଧ୍ୟ ଗ୍ରହଣ କରାଯିବ ନାହିଁ ବୋଲି ଓଡ଼ିଶା ପବ୍ଲିକ୍‌ ସରଭିସ୍‌ କମିଶନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

ଓଡ଼ିଶାରେ ‘ଭାରତ ବନ୍ଦ’କୁ କଂଗ୍ରେସ-ବାମ ଦଳର ସମର୍ଥନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ୍‌କୁ ବିରୋଧ କରି ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । ଦିଲ୍ଲୀ ଦରବାରରେ ଚାଷୀମାନେ ଅହରହ ଖରା ଶୀତ କାକର ଖାଇ ଆନ୍ଦୋଳନ କରୁଥିବା ବେଳେ ସାରା ଦେଶରୁ ଏବେ ତାଙ୍କୁ ସମର୍ଥନ ମିଳିବା ଆରମ୍ଭ ହୋଇଛି । ଏହି ବନ୍ଦ ଡାକରାକୁ ସମର୍ଥନ କରିବା ପାଇଁ ଓଡ଼ିଶାରେ ମଧ୍ୟ ଅନେକ ରାଜନୈତିକ ଦଳ ଚାଷୀଙ୍କୁ ସମର୍ଥନ ଜଣାଇଛନ୍ତି ।

ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ପାଳନକୁ ସମର୍ଥନ ଦିଆଯାଇଥିବା ବେଳେ ଏବେ କଂଗ୍ରେସ ଓ ବାମ ଦଳ ମଧ୍ୟ ଚାଷୀଙ୍କ ସହ ହାତ ମେଳାଇଛନ୍ତି । କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ଚାଷୀଙ୍କ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ କରୁଥିବା ନେଇ ଘୋଷଣା କରିଛନ୍ତି । ସେ ଆହୁରି କହିଛନ୍ତି ସାରା ରାଜ୍ୟରେ କଂଗ୍ରେସର କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ଚାଷୀଙ୍କ ବନ୍ଦ ଡାକରାକୁ ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିବେ ।

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ଦୁଗ୍ଧ ଗାଡି, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା, ଡାକ୍ତରଖାନା, ପରୀକ୍ଷାର୍ଥୀଙ୍କୁ କୌଣସି ବାଧା ନଦେବାକୁ ଦଳ ତରଫରୁ ନିଷ୍ପତି ନିଆଯାଇଛି ବୋଲି ନିରଞ୍ଜନ କହିଛନ୍ତି । ଏମିତିକି କୌଣସି ପ୍ରକାର ଗଣ୍ଡଗୋଳ, ହିଂସା ଆଚରଣ ନଘଟାଇ ଶାନ୍ତି ଶୃଙ୍ଖଳାର ସହ ଭାରତ ବନ୍ଦକୁ ପୂର୍ଣ୍ଣ ସଫଳ କରିବାକୁ ସମସ୍ତ ନେତୃମଣ୍ଡଳୀ, ବିଶେଷକରି ଉପଭୋକ୍ତା ବନ୍ଧୁ ଓ ଓଡିଶାର ଭାଇଭଉଣୀମାନଙ୍କୁ ସେ ବିନମ୍ର ଅନୁରୋଧ କରିଛନ୍ତି ।

Farm Laws 18 Opposition Parties In Support Of Bharat Bandh Including Congress

ଅନ୍ୟପଟେ କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ପ୍ରଣୀତ ୩ ଗୋଟି ନୂଆ କୃଷି ଆଇନ୍‌କୁ ସେ  କଳା କୃଷି ଆଇନ୍ ବୋଲି ସମ୍ବୋଧନ କରିଛନ୍ତି । କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ । କୃଷକ ଭାଇଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଂଗତ ବୋଲି ମଧ୍ୟ ସେ କହିଛନ୍ତି ।

ପାଣ୍ଡ୍ୟାଙ୍କ ବ୍ୟାଟିଂରେ ଫିଦା ମାଇକେଲ

ନୂଆଦିଲ୍ଲୀ: ପାଣ୍ଡ୍ୟାଙ୍କ ପ୍ରଚଣ୍ଡ ପ୍ରହାରରେ ଧରାଶାୟୀ ହୋଇପଡିଥିଲା କଙ୍ଗାରୁ । ଟି-୨୦ରେ ଟିମ ଇଣ୍ଡିଆ ନେଇଥିଲା ଦିନିକିଆର ବଦଲା । ସର୍ଟ ପରେ ସର୍ଟ । ୨୨ ବଲରେ ୪୪ ରନ । ଆଖି ଲାଖିଗଲା ପରି ଥିଲା ବ୍ୟାଟିଂର ଯାଦୁଗରୀ । ଟିମ୍ ଇଣ୍ଡିଆର ଏହି ଯୁବ କ୍ରିକେଟରଙ୍କ କ୍ରେଜ ଏବେ କାହିଁରେ କଣ । ଆଉ ଠିକ ଏହି ଟାଇମରେ ପାଣ୍ଡ୍ୟାଙ୍କ ପାୱାରକୁ ଟିକେ ଟେକିଦେଇଛନ୍ତି ଇଂଲଣ୍ଡର ପୂର୍ବତନ କ୍ୟାପଟେନ । ଭାରତୀୟ ଦଳର ଏହି କ୍ରିକେଟରଙ୍କ ବ୍ୟାଟିଂ ଧୋନୀ, କୋହଲିଙ୍କ ପରେ ନିଶ୍ଚେ ବିଶ୍ୱ ବିଦିତ ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ମାଇକେଲ ଭନ ।

ରବିବାର ଅର୍ଥାତ ଡିସେମ୍ବର ୬ ତାରିଖରେ ଭାରତ-ଅଷ୍ଚ୍ରେଲିଆ ମଧ୍ୟରେ ଥିଲା ଟି-୨୦ ମ୍ୟାଚ । ୨୦ ଓଭର ବିଶିଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ କରିଥିଲା ୧୯୫ ରନ୍ । ସେପଟେ ବିପକ୍ଷ ଭାରତୀୟ ଟିମ 19 ଓଭରରେ ଅକ୍ତିଆର କରିଥିଲା ମ୍ୟାଚ । ମ୍ୟାଚରେ ସବୁଠୁ ଆକର୍ଷଣୀୟ ରହିଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ । ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ ଏହି ଯୁବ କ୍ରିକେଟର । ମାତ୍ର ୨୨ ବଲରେ ୪୪ ରନ ସଂଗ୍ରହ କରି ସମସ୍ତ ଦର୍ଶକଙ୍କ ପାଇଁ ସାଜିଥିଲେ ଷ୍ଟାର ।

ବିଦେଶ ମାଟିରେ ଦିନିକିଆ ସିରିଜରେ ଧୂଳି ଚାଟିଥିବା ଭାରତ କିନ୍ତୁ ଟି-୨୦ ମ୍ୟାଟରେ ସ୍ବଦେଶୀ ଟିମକୁ କରିଥିଲା ଧରାଶାୟୀ । ଲଗାତର ୨ଟି ମ୍ୟାଚକୁ ନିଜ ପଟକୁ ଆଣିବା ସହ ସିରିଜକୁ ନିଜ ପଟକୁ ଆଣିବାରେ ସକ୍ଷମ ହୋଇଛି ଟିମ ଇଣ୍ଡିଆ । ସେପଟେ ଦ୍ୱିତୀୟ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ କ୍ରିକେଟ ପ୍ରେମୀଙ୍କୁ ଫିଦା କରିଥିବା ବେଳେ, ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲଙ୍କୁ ମଧ୍ୟ କରିଛି ପ୍ରଭାବିତ ।