spot_img
Home Blog Page 6296

ପ୍ରଭୁ ରାମଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ସୈଫ, କହିଲେ ରାମ ଆମ ପାଇଁ ହିରୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଆଜିକାଲି ତାଙ୍କ ନୂଆ ଚଳଚ୍ଚିତ୍ରକୁ ନେଇ ବିବାଦରେ ରହୁଛନ୍ତି । ସୈଫଙ୍କ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷକୁ ନେଇ ଉଠିଛି ବିବାଦ । ଏହି ଚଳଚିତ୍ରରେ ରାବଣର ଚରିତ୍ରକୁ ଭଲ ରୂପରେ ପରିବେଷଣ କରାଯାଇ ରାମଙ୍କ ଭାବମୂର୍ତ୍ତିକୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି ବୋଲି ବିରୋଧି କହଛନ୍ତି । ଏଭଳି ବିବାଦ ଦେଖାଦେବା ପରେ  ଅଭିନେତା ସୈଫ ଅଲି ଖାନଙ୍କ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।

ସୈଫ ଅଲ୍ଲୀ ଖାନ ଏକ ବିବୃତ୍ତିରେ ନିଜର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ ସାକ୍ଷାତକାରରେ ମୋର ମନ୍ତବ୍ୟ ପାଇଁ ଲୋକମାନେ ଅଧିକ ଆଘାତ ପାଇଛନ୍ତି । ମୁଁ ଏହା କରିବାକୁ ଇଚ୍ଛା କରି ନାହିଁ କିମ୍ବା କୌଣସି ପ୍ରକାରେ ଏହା ଚାହେଁ ନାହିଁ । ମୁଁ ମୋର ବିବୃତ୍ତି ପ୍ରତ୍ୟାହାର କରିବା ସହ ମୋ ଦ୍ୱାରା ଆଘାତ ପାଇଥିବା ଲୋକଙ୍କୁ ମୁଁ କ୍ଷମା ମାଗୁଛି ବୋଲି ସୈଫ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିଯେ ତାଙ୍କ ପାଇଁ ପ୍ରଭୁ ରାମ ସର୍ବଦା ଜଣେ ହିରୋଙ୍କ ପ୍ରତିଛବି ରହିଆସିଛନ୍ତି । ଆଦିପୁରୁଷ ହେଉଛି ମନ୍ଦ ଉପରେ ଭଲର ବିଜୟର ଉତ୍ସବ । ଏହି ମହାନ କାହାଣୀକୁ ପରଦାରେ ରଖିବା ପାଇଁ ଆମର ପୁରା ଟିମ୍ କାର୍ଯ୍ୟ କରୁଛି  ।

ଆଦିପୁରୁଷ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ବାହୁବଲୀ ଖ୍ୟାତି ସାଉଥ ସୁପରଷ୍ଟାର ପ୍ରଭାସଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ସୈଫ ଲଙ୍କେଶ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ପ୍ରଭାସଙ୍କୁ ରାମ ଭୂମିକାରେ ଦେଖିବାକୁ ମିଳିବ । ଆଦିପୁରୁଷ ଅଗଷ୍ଟ ୧୧, ୨୦୨୨ରେ ମୁକ୍ତିଲାଭ କରିବ ।

ଅନ୍ଧବିଶ୍ୱାସରେ ବିତୁଛି ଜୀବନ; ପକ୍କା ଘର ଅଛି, ହେଲେ ରହିବାକୁ ଡର !

0

ବଲାଙ୍ଗିର: ଛାତ ଘରେ ରହିଲେ ମୃତ୍ୟୁ ସୁନିଶ୍ଚିତ ! ଆଜିର ଯୁଗରେ ଆଧୁନିକତା ବହୁ ଆଗକୁ ଚାଲିଯାଇଛି । ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଶିକ୍ଷିତଙ୍କ ସଂଖ୍ୟା ବଢିଛି । ସଚେତନତା ମଧ୍ୟ ବେଶ ଆଗକୁ ଯାଇଛି । ହେଲେ ଏବେବି ଅନ୍ଧବିଶ୍ୱାସର ଅନ୍ଧଗଳିରେ ବଞ୍ଚୁଛନ୍ତି ବଲାଙ୍ଗିର ଜିଲ୍ଲା କାଲସାଏପାଲିବାସୀ । ଆଖିରେ ଅନ୍ଧପୁଟୁଳି ବାନ୍ଧି ଅନ୍ଧବିଶ୍ୱାସର ଜୀବନ ବିତାଉଛନ୍ତି । ପିଢି ପରେ ପଢି ଚାଲିଗଲାଣି । ହେଲେ ଏବେ ବି ମନରେ ଅନେକ ଅନ୍ଧ ବିଶ୍ୱାସ ।

superstition; There is a permanent home, but fear of staying!

ସମୟ ବଦଳିଛି, ମଣିଷ ମଧ୍ୟ ବଦଳୁଛନ୍ତି । ହେଲେ ଲୋକଙ୍କ ମାନସିକତା ବଦଳୁନାହିଁ । ଗାଁରେ ଘର ତିଆରି ହୋଇଛି, ହେଲେ କାହିରି ଘରେ ଛାତ ନାହିଁ । ପକ୍କା ଘର ନିର୍ମାଣ କରି ମଧ୍ୟ ଛପର ପକାଇ ରହୁଛନ୍ତି । କାରଣ ଘରେ ଛାତ ପଡିଥିଲେ ପରିବାରରେ ଜଣକର ମୃତ୍ୟୁ ହେବ ବୋଲି ଲୋକଙ୍କକ ବିଶ୍ୱାସ ରହିଛି ।

ବଲାଙ୍ଗିର ସହର ଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଛି ଏହି ଗାଁ । ବିଭିନ୍ନ ସରକାରୀ ଯୋଜନାରେ ଲୋକଙ୍କୁ ପକ୍କାଘର ମିଳୁଛି । ଲୋକେ ପକ୍କାଘର ନିର୍ମାଣ କରୁଛନ୍ତି, କିନ୍ତୁ ଘର ଗୁଡିକରେ ଛାତ ପକାଇବାକୁ ସାହାସ କରୁନାହାଁନ୍ତି । କାରଣ କିଛି ଅଘଟଣ ଘଟିବାର ଭୟ ଲୋକଙ୍କୁ ଆନ୍ଦୋଳିତ କରୁଛି । ଏନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ପ୍ରଶାସନିକ ଟିମ୍ ଯାଇ ଲୋକଙ୍କୁ ସଚେତନ କରିବ ବୋଲି କହିଛନ୍ତି ।

ବାଲ୍ୟ ବିବାହ ବିରୋଧରେ ଲଢ଼େଇ, ଯଶୋଦାଙ୍କୁ ମିଳିଲା V-Awards

ନୂଆପଡ଼ା: ଆଦିବାସୀ ଅଞ୍ଚଳ, ରହିଛି ଅନେକ ସମସ୍ୟା । ପ୍ରାୟତଃ ଏହି ଅଞ୍ଚଳରେ ଝିଅମାନେ ଅଧାରୁ ପାଠ ଛାଡ଼ି ଦେଇଥାନ୍ତି । ଅଧାରୁ ପାଠପଢ଼ା ଛାଡ଼ିବା ପରେ ବାଲ୍ୟ ବିବାହ କରି ଦିଆଯାଇଥାଏ । ଏହା ବିରୋଧରେ ଲଢ଼େଇ ଆରମ୍ଭ କରିଥିବା ଯଶୋଦାଙ୍କୁ ମିଳିଛି ସଫଳତା । ଯଶୋଦାଙ୍କ ଉଦ୍ୟମରେ ପ୍ରାୟ ୧୫ଟି ବାଲ୍ୟ ବିବାହ ରୋକାଯାଇ ପାରିଛି । ଏବେ ଯଶୋଦାଙ୍କ ଏହି ଉଦ୍ୟମକୁ ମିଳିଛି ଅନ୍ତର୍ଜାତୀୟ ସମ୍ମାନ । ଜାତିସଂଘ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରାଳୟ ଯଶୋଦାଙ୍କୁ ସମ୍ମାନିତ କରିଛି ।

Yashoda Pandey from Nuapada on winning the prestigious V-Award 2020

ନୂଆପଡ଼ା ଜିଲ୍ଲା ଦୁମେରପାଣି ପଞ୍ଚାୟତ ହଳଦୀ ଗାଁର ଯଶୋଦା ପାଣ୍ଡେଙ୍କୁ ମିଳିଛି ସମ୍ମାନଜନକ ଭି-ଆୱାର୍ଡ । ଯଶୋଦା ଓ ତାଙ୍କ ସାଥୀଙ୍କ ଉଦ୍ୟମରେ ଦୁମେରପାଣି ପଞ୍ଚାୟତ ଏବେ ବାଲ୍ୟ ବିବାହ ମୁକ୍ତ ହୋଇ ପାରିଛି । ଯଶୋଦାଙ୍କୁ ଭି-ଆୱାର୍ଡ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଆନ୍ତର୍ଜାତିକ ସମ୍ମାନ ପାଇଥିବା ଯଶୋଦା ଉତ୍ସାହିତ ଥିବା ବେଳେ ଆଗକୁ ମଧ୍ୟ ଏଭଳି ସାମାଜିକ କୁ-ପ୍ରଥା ବିରୋଧରେ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।

ଯଶୋଦାଙ୍କୁ ମିଳିଥିବା ସମ୍ମାନ କେବେଳ ତାଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ଲାଗି ବୋଲି କହିଛନ୍ତି । ଯଶୋଦା ଗର୍ଲ୍ସ ଫେଡରେସନ୍ ନାମକ ଏକ ଗ୍ରୁପ୍ ଗଠନ କରି ଝିଅମାନଙ୍କୁ ସାମିଲ୍ କରିଛନ୍ତି । ଯଶୋଦାଙ୍କ ଟିମ୍ ଗାଁ ଗାଁ ବୁଲି ଘରେ ଘରେ ବାଲ୍ୟ ବିବାହ କଲେ କଣ ଅସୁବିଧା ହୁଏ ତାକୁ ବୁଝାଉଛନ୍ତି । ବାଲ୍ୟ ବିବାହ ବିରୋଧରେ ଯଶୋଦା ପାଣ୍ଡେଙ୍କ ଲଢ଼େଇ ଦୀର୍ଘ ୪ ବର୍ଷ ହେଲା ଜାରି ରହିଥିବା ବେଳେ ପ୍ରଶଂସା କରୁଛନ୍ତି ସ୍ଥାନୀୟ ଲୋକ ।

ନନ୍ଦିଘୋଷ ଟିଭି ପ୍ରଭାବ: କପିଳାସ ରେଞ୍ଜରେ ଚଢ଼ାଉ,ବନ କର୍ମଚାରୀ-ଶିକାରୀ ମୁହାଁମୁହିଁ

ଢେଙ୍କାନାଳ: ନନ୍ଦିଘୋଷ ଟିଭିର ମହାପ୍ରଭାଵ। କପିଳାସ ରେଞ୍ଜର ବିଭିନ୍ନ ଜଙ୍ଗଲରେ ଚଢ଼ାଉ କଲା ବନ ବିଭାଗ । ଚଢ଼ାଉ ବେଳେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ । ଚଢ଼ାଉ ବେଳେ ଗୁଳି ଚଳାଇଲେ ମାଫିଆ । ଏଯାବତ୍ ଚଢ଼ାଉ ମଧ୍ୟରେ ୫ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଏଥିସହିତ ୪ ଦେଶୀ ବନ୍ଧୁକ ୨ଟି ହରିଣ ଛାଲ ୯ଟି ବଜ୍ରକାପ୍ତା କାତି ୧୦୦ ଟି ଫାସ, ୩ ଟି ମାଂସ କଟା ଛୁରୀକୁ ଜବତ କରିଛି ।ବିଭାଗ।

ସୂଚନା ଯୋଗ୍ୟ, ବଜ୍ରକାପ୍ତା ଚୋରା ଚାଲାଣ ନେଇ ନନ୍ଦିଘୋଷ ଟିଭିରେ ମାରଥନା ଖବର ପ୍ରସାରଣ ହୋଇଥିଲା । ଏହା ପରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବନ ବିଭାଗ ଚେଉଁ ଉଠିଛି । ନିଜର ଭୁଲକୁ ସ୍ୱୀକାର କରିବା ସହିତ ବନ ବିଭାଗର ସ୍ୱତନ୍ତ୍ର ଗୁଇନ୍ଦା ବିଭାଗ ସମ୍ପୂର୍ଣ ଫେଲ ମାରିଥିବା କଥା ମାନିଛନ୍ତି ଡିଏଫ୍‌। ଅନ୍ୟପଟେ ବିଳମ୍ୱରେ ହେଲେ ସୁଦ୍ଧା ବନ ବିଭାଗର ଆକ୍ସନ ଏବେ ଶିକାରୀ ଓ ଚୋରା ଚାଲାଣ କାରୀଙ୍କ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ଦୀର୍ଘ ଦିନ ଧରି ଜଙ୍ଗଲ ଭିତରେ ଥିବା ରାକେଟ ଏବେ ଜଙ୍ଗଲ ଭିତରୁ ମାରିଚି ଛୁ । ଆଉ ଏହାରି  ଭିତରେ ଖାଲି ବଜ୍ରକାପ୍ତା କାହିଁକି ବହୁ ହରିଣ ଛାଲ ବନ୍ଧୁକ ଗୁଳି ହରିଣ ସିଙ୍ଘ ବଜ୍ରକାପ୍ତା କାତି ଧନୁତୀର ସହ ବହୁ ମାରଣାସ୍ତ୍ର କୁ ଜବତ କରିଛି ବନ ବିଭାଗ। ସୋରିସିଆପଦା ଜଙ୍ଗଲ ଦେଇ ଯାଇଥିବା ରାସ୍ତା କୁ ସିଲ କରି ରାତି ତମାମ ଗାଡି ଯାଞ୍ଚ କରୁଛି ବନ ବିଭାଗ ର ସ୍ୱତନ୍ତ୍ର ଟିମ। ବଜ୍ରକାପ୍ତା ଶିକାରୀ ସହ ପ୍ରାୟ ୧୫ ଜଣ ଶିକାରୀଙ୍କୁ ଧରି କୋର୍ଟ ଚାଲାଣ କରିଛି ବନ ବିଭଗର ସ୍ୱତନ୍ତ୍ର ଟିମ । ତେବେ କପିଳାଶ କଙ୍କଡାହାଡ଼ ଓ ହିନ୍ଦୋଳ ଜଙ୍ଗଲଗୁଡିକ ଶିକାରୀଙ୍କ ଟାର୍ଗେଟ ରେ ଥିବା ବନ ବିଭାଗ ସୂଚନା ଦେଇଛି। ଆଉ ଏ ସବୁ ଏରିଆ ଗୁଡିକରୁ କିପରି ଜନ୍ତୁ ଚାଲାଣ ସହିତ ଶିକାରକୁ ରୋକା ଯାଇପାରିବ ସେ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ତେବେ ବଜ୍ରକାପ୍ତା ଖବର ନନ୍ଦିଘୋଷ ଟିଭିରେ ପ୍ରସାରଣ ପରେ ଏହା ଅନ୍ତର୍ଜାତୀୟ ରାକେଟ ସମ୍ପୃକ୍ତ ଥିବା ନେଇ ବନ ବିଭାଗ କ୍ରାଇମବ୍ରାଞ୍ଚର ଏସଟିଏଫ୍‌କୁ ଏହାର ତଦନ୍ତ ଭାର ପ୍ରଦାନ କରିଛି ।

ତେବେ ଚଢ଼ାଉ ବେଳେ ମୁହାଁମୁହିଁ ହୋଇଛନ୍ତି ମାଫିଆ ଓ ବନକର୍ମଚାରୀ । ୨ ରାଉଣ୍ଡ ଗୁଳି ଫୁଟାଇବା ସହ ଆତଙ୍କ ଖେଳାଇଛନ୍ତି ମାଫିଆ ।

ନାବାଳକ ମଙ୍ଗଳସୁତ୍ର ଏବଂ ସିନ୍ଦୁର ପିନ୍ଧାଇ କ୍ଲାସ୍‌ ରୁମରେ ନାବାଳିକାକୁ କଲା ବିବାହ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: କଲେଜରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । କେତେବେଳେ ଛାତ୍ରଛାତ୍ରୀ ସିଗାରେଟ ଟାଣୁଥିବାର ତ ପୁଣି କେତେବେଳେ ଛାତ୍ରଛାତ୍ରୀ ମଦ ପିଉଥିବାର ଭିଡିଓ ଫୋନରୁ ଫୋନକୁ ବୁଲୁଥିବା ଆପଣମାନେ ଦେଖିଥିବେ । କିନ୍ତୁ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁଠାରେ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଏ । ସେହିଠାରେ ହୋଇଛି ବାଲ୍ୟ ବିବାହ ।

ହଁ ଆଜ୍ଞା ନାବାଳକ ଏବଂ ନାବାଳିକା ଶ୍ରେଣୀଗୃହରେ ବିବାହ କରିବାର ଘଟଣା ଏବେ ସାମ୍ନାକୁ ଆସିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ରେଣୀଗୃହରେ ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ରାଜାମହେନ୍ଦ୍ରବରମର ଜୁନିଅର କଲେଜରେ ଦେଖିବାକୁ ମିଳିଛି ।

ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଜଣେ ୧୭ ବର୍ଷର ବାଳକ ଶ୍ରେଣୀଗୃହରେ ନାବାଳିକାକୁ ମଙ୍ଗଳାସୁତ୍ର ପିନ୍ଧାଇବା ସହ ସିନ୍ଦୁର ଲଗାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ବାଲ୍ୟ ବିବାହ ଆଇନ ୨୦୦୬ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି । ତେବେ ଏହି  ବିବାହ କରାଇଥିବା ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ । ଅଧିକାରୀମାନେ ମଧ୍ୟ ଏଭଳି ଘଟଣାକୁ ବହୁତ ନିନ୍ଦା କରିଛନ୍ତି  ।

ଏହି ଘଟଣା ସେତେବେଳେ ସମସ୍ତଙ୍କର ସାମ୍ନାକୁ ଆସିଥିଲା ଯେତେବେଳେ ଭିଡିଓଟି ଭାଇରାଲ ହୋଇଥିଲା । ବିବାହ କରିଥିବା ନାବାଳକର ସାଙ୍ଗ ଭିଡିଓ ରେକର୍ଡ କରିଥିଲେ ବୋଲି ସୂଚନା ମିଳିଛି । ଘଟଣାରେ ଜଡ଼ିତ ଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କଲେଜ ପକ୍ଷରୁ ନୋଟିସ କରାଯାଇଛି ।

ଆନ୍ଧ୍ରପ୍ରଦେଶ ମହିଳା ଆୟୋଗର ଅଧ୍ୟକ୍ଷ କହିଛନ୍ତି ଝିଅର ମାଆ ବାପା ତାଙ୍କୁ ଘରକୁ ଫେରିବାକୁ ଦେଇନାହାଁନ୍ତି । ସେଥିପାଇଁ ନାବାଳିକାକୁ କାଉନସେଲିଂ ପାଇଁ ଗୋଟିଏ ଷ୍ଟପ୍ ସେଣ୍ଟରକୁ ନିଆଯାଇଥିଲା ।

ପାଣ୍ଡ୍ୟାଙ୍କ ପ୍ରହାରରେ ଧରାଶୟୀ ଅଷ୍ଟ୍ରେଲିଆ: ଟି-୨୦ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ

ସିଡନୀ: ଦ୍ୱିତୀୟ ଥର ପାଇଁ ଟି-୨୦ କ୍ରିକେଟରେ ଅଷ୍ଟ୍ରେଲିଆକୁ ପାରାଜୟର ସ୍ୱାଦ ଚଖାଇଲା ଭାରତ । ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂରେ ଭାରତ ମ୍ୟାଚକୁ ହାତେଇ ନେଇଛି । ସିଡନୀରେ ଖେଳାଯାଇଥିବା ଟି -୨୦ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୯୪ ରନ୍ ସଂଗ୍ରହ କରି ୫ ୱିକେଟ୍ ହରାଇଥିଲା । ଏହାର ଜବାବରେ ଭାରତୀୟ ଦଳ ୧୯୫ ରନ୍‌ର ଲକ୍ଷ୍ୟକୁ ପଛରେ ପକାଇ ୧୯.୦୪ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଥିଲା ।

ଟିମ୍ ଇଣ୍ଡିଆ ପାଇଁ ଶିଖର ଧାୱନ ୫୨ ରନ୍ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ଅଧିନାୟକ ବିରାଟ କୋହଲି ୨୪ ବଲରେ ୪୦ ରନ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୨ ବଲରେ ୪୨ ରନ୍ ସଂଗ୍ରହ କରିଥିଲେ । କେଏଲ ରାହୁଲ ଏବଂ ଶିଖର ଧାୱନଙ୍କ ଯୋଡି ଟିମ୍ ଇଣ୍ଡିଆକୁ ବହୁତ ଭଲ ଆରମ୍ଭ ଦେଇଥିଲା । ଧାୱନ ଏବଂ ରାହୁଲ ୫୬ ରନ୍ ଭାଗିଦାରୀ ବାଣ୍ଟିଥିଲେ । ତେବେ ଟିମ ଇଣ୍ଡିଆ ଶେଷ ୧୦ ଓଭରରେ ୧୦୯ ରନ୍ ସଂଗ୍ରହ କରିଥିଲା ।

ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ଦେହାନ୍ତ

ରାଉରକେଲା: ଖବର ଦେଉଥିବା ବ୍ୟକ୍ତି ଯେବେ ନିଜେ ଖବର ପାଲଟିଯାଏ, ତାହାକୁ ବର୍ଣ୍ଣନା କରିବାକୁ ଭାଷାର ମଧ୍ୟ ଅଭାବ ପଡେ । ସମ୍ବାଦ ଏବଂ ସେବା ପାଇଁ ସାମ୍ବାଦିକତା କରୁଥିବା ବ୍ୟକ୍ତି ଯେବେ ଶୋଇଯାଏ, ସେବେ ସବୁଠି ସୃଷ୍ଟି ହୁଏ ଚର୍ଚ୍ଚା । ରାଉରକେଲାର ପ୍ରତିଷ୍ଠିତ  ସାମ୍ବାଦିକ ରାଜେନ୍ଦ୍ର ମିଶ୍ର ଆଜି ସମସ୍ତଙ୍କ ପାଇଁ ସେହି ସମାନ ପରିସ୍ଥିତି ସୃଷ୍ଟି କରିଛନ୍ତି । ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ରାଜେନ୍ଦ୍ର ଶେଷରେ ରବିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ପୂର୍ବରୁ କୋଭିଡ-୧୯ରେ ପୀଡିତ  ଅନେକ ସାମ୍ବାଦିକ ବିଗତ ଦିନରେ ଆଖି ବୁଜିଥିବା ବେଳେ ରାଜେନ୍ଦ୍ର ନାଥ ମିଶ୍ରଙ୍କ ରବିବାର ମଧୁମେହ ଏବଂ ବୃକକ ଜନିତ ସମସ୍ୟା ଯୋଗୁଁ ମୃତ୍ୟୁ ଘଟିଛି । ରାଉରକେଲା ଆଇଜିଏଚରେ ଚିକିତ୍ସିତ ହେଉଥିବାବେଳେ ରବିବାର ଅତ୍ୟନ୍ତ ବିଗିଡିଯାଇଥିଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା । ଶେଷରେ ଡାକ୍ତରଙ୍କ ସମସ୍ତ ପରିଶ୍ରମ ସ୍ୱତେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ରାଜେନ୍ଦ୍ର ।

କର୍ତ୍ତବ୍ୟ ପରାୟଣ ଏବଂ ସମାଜରେ ସେବା କରିବାର ଲକ୍ଷ୍ୟ ନେଇ ସାମ୍ବାଦିକତା ଜାରି ରଖିଥିବା ରାଜେନ୍ଦ୍ର ଜଣେ ପରୋଉପକାରୀ ବ୍ୟକ୍ତି ଭାବେ ପରିଚିତ । ହିନ୍ଦୀ ଖବର କାଗଜରୁ ଭବିଷ୍ୟତ ଆରମ୍ଭ କରିଥିବା ରାଜେନ୍ଦ୍ର ଓଡିଆ ନିୟୁଜ ଚ୍ୟାନେଲ ଏବଂ ପୋର୍ଟାଲରେ  କାର୍ଯ୍ୟ ଜାରି ରଖିଥିଲେ । ରାଜେନ୍ଦ୍ରଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳବାସୀ ମର୍ମାହତ ହୋଇପଡିଥିବା ବେଳେ ଓଡିଶା ସାମ୍ବାଦିକ ଜଗତରେ ସୃଷ୍ଟି କରିଛି ଦୁଃଖଦ ସ୍ଥିତି ।

୧୧ ଦିନରେ ଆନ୍ଦୋଳନ, ପ୍ରତିରୋଧ ପାଇଁ ପୋଲିସର ମକଡ୍ରିଲ

ନୂଆଦିଲ୍ଲୀ: ରାଜପଥରେ ଜାରି ରହିଛି ଅହରାତ୍ର ଆନ୍ଦୋଳନ । ୧ ଦିନର ପ୍ରତିବାଦ ପହଁଚିଲାଣି ୧୧ ଦିନରେ । ନୂତନ କୃଷି ଆଇନରେ ପରିବର୍ତ୍ତନ ସହ ଏମଏସମିକୁ ସ୍ଥାୟିତ୍ୱ କରିବା ଦାବିରେ ନିଜ ଜିଦରେ ଅଟଳ ଚାଷୀ । ସରକାର-ଚାଷୀଙ୍କ ମଧ୍ୟରେ ପାଞ୍ଚ-ପାଞ୍ଚ ଥରର ବୈଠକ ପରେ ମଧ୍ୟ ବାହାରିପାରି ନାହିଁ ନିଷ୍କର୍ସ । ଦିଲ୍ଲୀ-ହରିଆଣା ସ୍ଥିତ ସିନ୍ଧୁ ସୀମାରେ ବସିରହିଛନ୍ତି ହଜାର ହଜାର ଚାଷୀ । ସେପଟେ ଗାଜୀପୁର ବର୍ଡର, ଟିକିରି ବର୍ଡର ଏବଂ ବୁରାଡି ଗ୍ରାଉଣ୍ଡରେ ବି କୃଷକ ସଂଗଠନର ଜାରି ରହିଛି ଆନ୍ଦୋଳନ ।

ଆସନ୍ତା ୯ ତାରିଖରେ ଚାଷୀ ପ୍ରତିନିଧି ମଣ୍ଡଳୀ ଏବଂ ସରକାରର ଷଷ୍ଠ ପର୍ଯ୍ୟାୟ ବୈଠକ ବାକିଥିବାବେଳେ ଏହା ପୂର୍ବରୁ ଭାରତ ବନ୍ଦର ଘୋଷଣା କରିଛି ସଂଗଠନ । ଅନ୍ୟପଟେ ସିନ୍ଧୁ ସୀମାରେ ଶହସ୍ରାଧିକ ଚାଷୀଙ୍କ ପ୍ରତିବାଦକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ବଢାଇଛି ପ୍ରଶାସନ । ଯଦି ଆନ୍ଦୋଳନରତ କୃଷକ ଆଗାମୀ ଦିନରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ତେବେ କର୍ଡନ କରି ଏହାକୁ ରୋକିବାକୁ ପ୍ରୟାସ କରିବ ପୋଲିସ ।

ଚାଷୀ ଆନ୍ଦୋଳନର ଗତିରୋଧ କରିବାକୁ ପୋଲିସ ପକ୍ଷରୁ ଆରଏଏଫ ଟିମ ମୋର୍ଚ୍ଚାର ଆଗରେ ରହିବାକୁ ହୋଇଛି ନିଷ୍ପତି । ସେହିପରି ଆରଏଏଫ ଟିମ ପରେ ବିଏସଏଫ ଟିମ ଦ୍ୱିତୀୟ ପର୍ଯ୍ୟାୟରେ ରହିବ । ଯଦି ପ୍ରତିବାଦ କରୁଥିବା ଚାଷୀ ଆରଏଏଫ ଟିମଙ୍କ ଆକ୍ସନରେ ନଅଟକିଲେ ତେବେ ବିଏସଏଫ ଆକ୍ସନ ନେବାକୁ ହୋଇଛି ଚୂଡ଼ାନ୍ତ ନିଷ୍ପତି । ଏନେଇ ଆଜି ପୋଲିସ ପକ୍ଷରୁ ମର୍କଡିଲ ମଧ୍ୟ କରାଯାଇଛି ।

ସୋମନାଥ ହାଟରେ ଭୟାବହ ଅଗ୍ନିକାଣ୍ଡ: ୫୦ରୁ ଊର୍ଦ୍ଧ୍ୱ ପିଣ୍ଡି ଜଳି ଭସ୍ମୀଭୂତ

0

ଜଗତସିଂହପୁର: ସୋମନାଥ ହାଟରେ ଭୟାବହ ଅଗ୍ନିକାଣ୍ଡ । ହାଟର ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ପିଣ୍ଡି ଜଳି ଭସ୍ମୀଭୂତ । ଅଗ୍ନିକାଣ୍ଡ କାରଣ ସ୍ପଷ୍ଟ ହୋଇନଥିବା ବେଳେ କିଛି ଅସାମାଜିକ ଯୁବକମାନେ ସିଗାରେଟ, ବିଡ଼ି କିମ୍ବା ଗଞ୍ଜେଇ ସେବନ କରୁଥିବା ବେଳେ ଏହାର ନିଆଁରେ ଏଭଳି ଭୟାବାହ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ । ସୋମନାଥ ହାଟ ପ୍ରତେକ ସପ୍ତାହର ମଙ୍ଗଳବାର ଓ ଶନିବାର ହୋଇଥାଏ। ଗତ କାଲି ମଧ୍ୟ ହାଟ ହୋଇଥିଲା। ଏହି ହାଟ ନିକଟରେ ଏକ ଫାଣ୍ଡି ରହିଥିଲେ ମଧ୍ୟ ସେ ସେଠାରେ କୌଣସି କର୍ମଚାରୀ ରହିନଥିବା ଅଭିଯୋଗ ହୋଇଛି । ସୋମନାଥ ହାଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଦମକଳ ବାହିନୀ । କିନ୍ତୁ ସେତେବେଳକୁ ଭସ୍ମୀଭୂତ ହୋଇସାରିଥିଲା ପାଖାପାଖି ୫୦ ପିଣ୍ଡି  । ଅନଲକ୍ ହେବ ପରଠୁ ବ୍ୟବସାୟୀ ନିଜ ଆର୍ଥିକ ଅବସ୍ଥାକୁ ସୁଧାରିବାରେ ଲାଗିଥିବା ବେଳେ ଏହଳି ଅଘଟଣ ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଏବେ ବ୍ୟବସାୟ କରିବାକୁ ନା ରହିଛି ସ୍ଥାନ ନା ସାମଗ୍ରୀ । ଏଣୁ ଏଭଳି ସମୟରେ କେବଳ ସରକାରୀ ସହାୟତାକୁ ଭରସା ।

ଆଧୁନିକ ମେଟାଲିକ୍ସ ରେଳ ଲାଇନ୍ ଖୋଳିଦେବା ଘଟଣା, ବିଜେପି ନେତାଙ୍କ ପୋକଲିନ୍ ମେସିନ୍ ଜବତ

ରାଉରକେଲା: କେନ୍ଦ୍ରରେ ଶିଳ୍ପାୟନର ନାରା ଦେଉଛନ୍ତି ମୋଦି ସରକାର । ହେଲେ, ରାଜ୍ୟରେ ଶିଳ୍ପାୟନକୁ ରୋକୁଛନ୍ତି ବିଜେପି ନେତା । ଡରାଇ, ଧମକାଇ କମ୍ପାନୀଙ୍କୁ ଭୟଭୀତ କରୁଛନ୍ତି । କମ୍ପାନୀକୁ କ୍ଷତି ପହଞ୍ଚାଇବାକୁ ଯାଇ ନଷ୍ଟ କରୁଛନ୍ତି ସର୍ବସାଧାରଣ ସମ୍ପତ୍ତି । ମାଲ ପରିବହନ ରୋକିବାକୁ ଖୋଳି ଦେଉଛନ୍ତି ରେଳ ଲାଇନ୍ । ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । କୁଆଁରମୁଣ୍ଡା ବ୍ଲକର କାଲୋସିରିଆରେ ରହିଛି ଆଧୁନିକ ମେଟାଲିକ୍ସ କାରଖାନା । ଆଉ ଏହି ଶିଳ୍ପସଂସ୍ଥାକୁ ସଂଯୋଗ କରୁଥିବା ରେଳ ଧାରଣାର ୧୦୦ ମିଟରରୁ ଅଧିକ ଟ୍ରାକ୍ କାଟି ସ୍ଥାନୀୟ ବିଜେପି ନେତା କମ୍ପାନୀକୁ ହଇରାଣ କରୁଥିବା ଅଭିଯୋଗ ହୋଇଛି ।

Police Seized Poclain Vehicle Of BJP Leader In Allegations Of Railway Track Pulled Out

ପ୍ରଧାନମନ୍ତ୍ରୀ ଲୋକାଲ ଫର୍ ଭୋକାଲ ନାରା ଦେଇ ଭାରତୀୟ ଶିଳ୍ପଦ୍ୟୋଗକୁ ପ୍ରୋତ୍ସାହିତ କରୁଛନ୍ତି । କିନ୍ତୁ ସ୍ଥାନୀୟ ଅଞ୍ଚଳର କିଛି ବିଜେପି ନେତାଙ୍କ ଲାଗି ଅସୁବିଧା ଭୋଗୁଛନ୍ତି ଶିଳ୍ପ ସଂସ୍ଥା । ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଆଧୁନିକ ମେଟାଲିକ୍ସକୁ ସଂଯୋଗ କରୁଥିବା ଟ୍ରେନ୍ ଟ୍ରାକକୁ ଗତ ନଭେମ୍ବର ୨୯ ତାରିଖରେ ଖୋଳି ଦିଆଯାଇଛି । ସେବେଠାରୁ କାରଖାନାକୁ ବନ୍ଦ ରହିଛି ମାଲ ପରିବହନ । ଶହେ ମିଟରରୁ ଅଧିକ ଟ୍ରେନ୍ ଟ୍ରାକକୁ ସ୍ଥାନୀୟ ବିଜେପି ନେତା ଲାଲୁ ସିଂଦେଓ ଓରଫ୍ ସଞ୍ଜୀବ ପ୍ରତାପ ସିଂଦେଓ ଖୋଳି ଦେଇଥିବା ଅଭିଯୋଗ ହୋଇଛି । ଏନେଇ କୁଆଁରମୁଣ୍ଡା ପୋଲିସ ଫାଣ୍ଡିରେ କମ୍ପାନୀର ସୁରକ୍ଷା କର୍ମୀ ଏତଲା ଦେଇଥିଲେ ।

Police Seized Poclain Vehicle Of BJP Leader In Allegations Of Railway Track Pulled Out

ଅଭିଯୋଗର ତଦନ୍ତ କରି କୁଆଁରମୁଣ୍ଡା ଫାଣ୍ଡି ପୋଲିସ ସ୍ଥାନୀୟ ବିଜେପି ନେତାଙ୍କ ପୋକଲିନ୍ ମେସିନ୍ ଜବତ କରିଛି । ବିଜେପି ନେତା ଲାଲୁ ସିଂଦେଓଙ୍କ ସହ ତାଙ୍କ ସମର୍ଥକଙ୍କୁ ନୋଟିସ୍ ଜାରି କରିଛି ପୋଲିସ । ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଲାଗି ସିଟୁ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି । ବ୍ୟକ୍ତିଗତ ଫାଇଦା ଲାଗି ଟ୍ରେନ୍ ଟ୍ରାକ୍ ଭଳି ସର୍ବସାଧାରଣ ସମ୍ପତ୍ତିକୁ ବିଜେପି ନେତା ନଷ୍ଟ କରୁଥିବା ଅଭିଯୋଗ ହୋଇଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସାଧାରଣରେ ଦାବି ହେଉଛି ।