spot_img
Home Blog Page 632

ଆଜିଠାରୁ ମଣିପୁରରେ ନାଗା ପରିଷଦର ବାଣିଜ୍ୟିକ ଅବରୋଧ ଆନ୍ଦୋଳନ

ଆଜିଠାରୁ ମଣିପୁରରେ ନାଗା ସଂଗଠନ ସଂଯୁକ୍ତ ନାଗା ପରିଷଦର ବାଣିଜ୍ୟିକ ଅବରୋଧ ଆନ୍ଦୋଳନ। ଅବାଧ ଚଳପ୍ରଚଳ ବ୍ୟବସ୍ଥା ବା ଏଫଏମଆର ଉପରେ ଲଗାଯାଇଥିବା ନିଷେଧାଦେଶ ହଟାଇବା ଏବଂ ଭାରତ-ମିଆଁମାର ସୀମାରେ ତାରବାଡ଼ ଲଗାଇବାକୁ ବିରୋଧ କରି ଏହି ଆନ୍ଦୋଳନ ହେବ। ଏହି ଆନ୍ଦୋଳନ ଯୋଗୁ ନାଗା ଅଧ୍ୟୁଷିତ ସେନାପତି, ଉଖରୁଲ, ଚାନ୍ଦେଲ, ତାମଙ୍ଗଲଙ୍ଗ, କାମଜୋଙ୍ଗ ଓ ମନି ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥଗୁଡିକରେ ଯାନବାହନ ଚଳାଚଳକୁ ଅବରୋଧ କରାଯିବ। ନାଗା ସଂଗଠନର ଆନ୍ଦୋଳନ ଯୋଗୁ ଜାତୀୟ ରାଜପଥ ୨ ଓ ଜାତୀୟ ରାଜପଥ ୩୭ରେ ଯାନବାହନ ଚଳାଚଳ ପ୍ରଭାବିତ ହେବ। ପରବର୍ତ୍ତୀ ଘୋଷଣା ଯାଏ ଏହି ଆନ୍ଦୋଳନ ଚାଲିବ ବୋଲି କହିଛି ସଂଗଠନ। ଏଫଏମଆରକୁ ରଦ୍ଦ କରିବା ଏବଂ ସୀମାରେ ତାରବାଡ଼ ଲଗାଇବା ଯୋଗୁ ନାଗାମାନେ ଉତ୍ତ୍ୟକ୍ତ ହୋଇଛନ୍ତି। ସୀମାରେ ତାରବାଡ଼ ଲାଗି କେନ୍ଦ୍ର ସରକାର ୩୦ ହଜାର କୋଟି ଟଙ୍କା ବ୍ୟୟ କରିଥିବାବେଳେ ମୋଟ ୧ ହଜାର ୬୨୪ କିଲୋମିଟର ତାରବାଡ଼ କରାଯିବ। ପ୍ରତିବାଦରେ ବହୁ ଆନ୍ଦୋଳନ ଓ ଧାରଣା କରିଛନ୍ତି ନାଗା ସଂଗଠନ। ମିଆଁମାର ସହ ମଣିପୁରର ସୀମା ରହିଛି ୩୯୮ କିଲୋମିଟର।

ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ। ଆଜି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆଗତ ହୋଇଥିବା ବହୁ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ। ବିହାରରେ ଏସଆଇଆର ଲାଗି ଗତ ଜୁନ ୨୪ରେ ନିର୍ବାଚନ କମିଶନ ଜାରି କରିଥିବା ବିଜ୍ଞପ୍ତିକୁ ବିରୋଧ କରିଥିଲେ ବହୁ ରାଜନୈତିକ ଦଳ। ଏସଆଇଆର ପ୍ରକ୍ରିୟାରେ ରାଜ୍ୟର ୭ କୋଟି ୨୪ ଲକ୍ଷ ଭୋଟରଙ୍କ ମଧ୍ୟରୁ ଚିଠା ଭୋଟର ତାଲିକାରେ ୯୯.୫ ପ୍ରତିଶତ ଭୋଟର ସେମାନଙ୍କ ବୈଧ ନଥିପତ୍ର ଦାଖଲ କରିଛନ୍ତି ବୋଲି ନିର୍ବାଚନ କମିଶନ ଯେଉଁ ଯୁକ୍ତି ଦର୍ଶାଇଛନ୍ତି ତାହାରି ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଇସିଆଇଙ୍କ ଏହି ଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆରଜେଡି, ଏଆଇଏମଆଇଏମ ଓ ଅନ୍ୟାନ୍ୟ ପକ୍ଷ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଏସଆଇଆରର ଡେଡଲାଇନ ବଢାଇବା ପ୍ରସଙ୍ଗରେ ଗତ ସେପ୍ଟେମ୍ବର ୧ରେ ମାମଲାର ଶୁଣାଣି ବେଳେ ଇସିଆଇ କହିଥିଲେ- ସେପ୍ଟେମ୍ବର ୧ ପରେ ବି ଭୋଟରମାନେ ବିଭିନ୍ନ ଦାବି ଓ ସଂଶୋଧନ କରିପାରିବେ। ତେବେ ଭୋଟର ତାଲିକା ଚୂଡ଼ାନ୍ତ ହେବା ପରେ ଏହାକୁ ବିଚାରକୁ ନିଆଯିବ। ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ପତ୍ରର ଦାଖଲର ଶେଷ ତାରିଖ ଯାଏ ଚିଠା ଭୋଟର ତାଲିକା ପ୍ରସଙ୍ଗରେ ଦାବି ଓ ସଂଶୋଧନ ପ୍ରସ୍ତାବ ଦିଆଯାଇପାରିବ। ଏସଆଇଆର ଯୋଗୁ ବିହାରର ମୋଟ ଭୋଟର ସଂଖ୍ୟା ୭ କୋଟି ୯୦ ଲକ୍ଷରୁ ହ୍ରାସ ପାଇ ୭ କୋଟି ୨୪ ଲକ୍ଷ ହୋଇଥିବା ସୂଚନା ମିଳିଛି।

ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଲେ ନବୀନ

ଭୁବନେଶ୍ବର : ଭାରତ ଚତୁର୍ଥ ଥର ପାଇଁ ପୁରୁଷ ଏସିଆ କପ ହକି ଚାମ୍ପିଅନ ହେବା ପରେ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିହାରର ରାଜଗିର ହକି ଷ୍ଟାଡିଅମରେ ଅନୁଷ୍ଠିତ ମ୍ୟାଚରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ଭାରତ ପରାସ୍ତ କରିବା ପରେ ଟିମକୁ ନବୀନ ଜଣାଇଛନ୍ତି ଶୁଭେଚ୍ଛା। ସେ କହିଛନ୍ତି- ଭାରତ କେବଳ ଚତୁର୍ଥ ଥର ଲାଗି କପ୍ ହାସଲ କରିନାହିଁ ବରଂ ବିଶ୍ବକପ ୨୦୨୬ ଲାଗି ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଟିମର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ନବୀନ।

ଭାରତ ଚତୁର୍ଥ ଥର ପାଇଁ ପୁରୁଷ ଏସିଆ କପ ହକି ଚାମ୍ପିଅନ ହେବା ପରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ଦମଦାର ବିଜୟ ସହ ୨୦୨୬ ବିଶ୍ବକପ୍ ଲାଗି ଭାରତ ଯୋଗ୍ୟତା ଅର୍ଜନ ହାସଲ କରିଥିବାରୁ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ସାଂସଦ ମାନସ ମଙ୍ଗରାଜ। ଅପୂର୍ବ ସାହସ ଓ ଟିମଗତ ପରିଚାଳନା ଯୋଗୁ ଏହି ସଫଳତା ହାସଲ ହୋଇପାରିଛି ବୋଲି ସେ କହିଛନ୍ତି। ସେହିପରି ଏହି ସଫଳତା ଲାଗି ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ବିଜୁ ଜନତା ଦଳ ଉପସଭାପତି ପ୍ରଣବ ପ୍ରକାଶ ଦାସ।

ଭାରତ ଚତୁର୍ଥ ଥର ପାଇଁ ପୁରୁଷ ଏସିଆ କପ୍ ହକି ଚାମ୍ପିଅନ୍

ନନ୍ଦିଘୋଷ ବ୍ୟୁରୋ : ଭାରତ ଚତୁର୍ଥ ଥର ପାଇଁ ପୁରୁଷ ଏସିଆ କପ ହକି ଚାମ୍ପିଅନ। ଗତ ଥରର ବିଜେତା ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କଲା ଭାରତ । ହରମନପ୍ରୀତ ସିଂହଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦୀର୍ଘ ୮ ବର୍ଷ ଅପେକ୍ଷା ପରେ ପୁରୁଷ ହକି ଏସିଆ କପ୍ ଟାଇଟଲ ଜିତିଛି। ରାଜଗିରରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲରେ, ଭାରତୀୟ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଦକ୍ଷିଣ କୋରିଆକୁ ଏକତରଫା ଭାବରେ ୪-୧ ଗୋଲରେ ପରାସ୍ତ କରିଥିଲା ​​ ।ଏହା ସହିତ ଚତୁର୍ଥ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ ଜିତିଥିଲା। ଏହି ବିଜୟ ସହିତ, ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡ ଏବଂ ବେଲଜିୟମରେ ଖେଳାଯିବାକୁ ଥିବା FIH ପୁରୁଷ ବିଶ୍ୱକପ୍ ୨୦୨୬ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି।

ବିହାରର ରାଜଗିରରେ ପ୍ରଥମ ଥର ପାଇଁ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ, ଟିମ୍ ଇଣ୍ଡିଆକୁ ଆରମ୍ଭରୁ ଟାଇଟଲ୍ ପାଇଁ ଦାବିଦାର ବିବେଚନା କରାଯାଉଥିଲା। ପ୍ରଶିକ୍ଷକ କ୍ରେଗ୍ ଫୁଲଟନଙ୍କ ଦଳ ଏହି ଆଶାକୁ ସଠିକ୍ ପ୍ରମାଣିତ କରିଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ନ ହାରି ଟାଇଟଲ୍ ଜିତିଥିଲେ। ଟିମ୍ ଇଣ୍ଡିଆ ପୁଲ୍ ପର୍ଯ୍ୟାୟରେ ଏହାର ତିନୋଟି ମ୍ୟାଚ୍ ଜିତିଥିଲା। ତା’ପରେ ସୁପର-୪ରେ, ଏହା ୩ଟି ମ୍ୟାଚ୍ ମଧ୍ୟରୁ ୨ଟି ଜିତିଥିଲା। ଭାରତକୁ କେବଳ ଗୋଟିଏ ମ୍ୟାଚ୍ ଡ୍ରରେ ସନ୍ତୁଷ୍ଟ ହେବାକୁ ପଡିଥିଲା ​​ଏବଂ ଏହି ମ୍ୟାଚ୍ କୋରିଆ ବିପକ୍ଷରେ ଥିଲା, ଯାହା ୨-୨ରେ ଶେଷ ହୋଇଥିଲା।

ରବିବାର, ସେପ୍ଟେମ୍ବର ୭ତାରିଖରେ ଅନୁଷ୍ଠିତ ଏହି ଫାଇନାଲରେ, ଟିମ୍ ଇଣ୍ଡିଆ ଏକ ମହାନ ଆରମ୍ଭ କରିଥିଲା ଓ  ପ୍ରଥମ ମିନିଟ୍‌ରେ ହିଁ ଏକ ଗୋଲ ସ୍କୋର କରି ୧-୦ରେ ଆଗୁଆ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଥିବା ସୁଖଜିତ୍ ଟିମ୍ ଇଣ୍ଡିଆ ପାଇଁ ଖାତା ଖୋଲିଥିଲେ। ତଥାପି, ଦ୍ୱିତୀୟ ଗୋଲ ପାଇଁ ଦଳକୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା ​​ଏବଂ ପ୍ରଥମାର୍ଦ୍ଧ ଶେଷ ହେବାର ୨ ମିନିଟ୍ ପୂର୍ବରୁ, ଦିଲପ୍ରୀତ ସିଂହ ସ୍କୋରକୁ ୨-୦କରି ଦଳକୁ ଆଶ୍ୱସ୍ତି ଦେଇଥିଲେ।

ଟିମ୍ ଇଣ୍ଡିଆ ମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାର କରିଚାଲିଥିଲା ​​କିନ୍ତୁ କୋରିଆନ୍‌ର ପ୍ରତିରକ୍ଷାକୁ ଭାଙ୍ଗିବା ଏତେ ସହଜ ନଥିଲା। ଏହି କାରଣରୁ ତୃତୀୟ ଗୋଲ ପାଇଁ ସମୟ ଲାଗିଥିଲା ​​କିନ୍ତୁ ଯେତେବେଳେ ୪୫ତମ ମିନିଟରେ ସଫଳତା ଆସିଲା, ସେତେବେଳେ ଦିଲପ୍ରୀତ ସିଂହ ପୁଣି ଥରେ ଗୋଲ ଦେଇଥିଲେ। ଏହା ଦିଲପ୍ରୀତଙ୍କ ମ୍ୟାଚ୍‌ରେ ଦ୍ୱିତୀୟ ଗୋଲ ଥିଲା। ତା’ପରେ ଦକ୍ଷିଣ ଆଫ୍ରିକାର ପ୍ରତ୍ୟାବର୍ତ୍ତନ ପ୍ରାୟ ଅସମ୍ଭବ ହୋଇଗଲା  । ଅମିତ ରୋହିଦାସଙ୍କ ଗୋଲ ବଳକା ଆଶାକୁ ଶେଷ କରିଦେଲା। ଦକ୍ଷିଣ କୋରିଆ ୫୭ତମ ମିନିଟରେ ଏକ ଗୋଲ କରିଥିଲା ​​କିନ୍ତୁ ଏହା ସ୍କୋରଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣିବା ପାଇଁ ଯଥେଷ୍ଟ ପ୍ରମାଣିତ ହେଲା।

୯ମ ଫାଇନାଲ୍ ଖେଳି ଭାରତୀୟ ଦଳ ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି। ଟିମ୍ ଇଣ୍ଡିଆର ଶେଷ ଟାଇଟଲ୍ ୮ ବର୍ଷ ପୂର୍ବେ ୨୦୧୭ରେ ଆସିଥିଲା। ଏବେ କେବଳ ଦକ୍ଷିଣ କୋରିଆ ପାଖରେ ଏହାଠାରୁ ଅଧିକ ଟାଇଟଲ୍ ଅଛି। ଫାଇନାଲରେ, ଭାରତ ଦକ୍ଷିଣ କୋରିଆ ବିପକ୍ଷରେ ଏହାର ସ୍କୋର ୨-୨ରେ ସମାନ କରିଥିଲା। ପୂର୍ବରୁ, ଦୁଇ ଦେଶ ମଧ୍ୟରେ ୩ଟି ଫାଇନାଲ୍ ଖେଳାଯାଇଥିଲା, ଯେଉଁଥିରେ ୨ଟି ଦକ୍ଷିଣ କୋରିଆ ଏବଂ ଗୋଟିଏ ଭାରତ ଜିତିଥିଲା। କେବଳ ଏତିକି ନୁହେଁ, ଏହି ଟାଇଟଲ୍ ବିଜୟ ସହିତ, ଟିମ୍ ଇଣ୍ଡିଆ ବେଲଜିୟମ ଏବଂ ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି।

‘ବିହାରରେ ମହିଳାଙ୍କ ଲାଗି କିଛି କରିନାହାନ୍ତି ଜେଡିୟୁ ସରକାର’

ନନ୍ଦିଘୋଷ ବ୍ୟୁରୋ : ବିହାରରେ ମହିଳାଙ୍କ ଲାଗି କିଛି କରିନାହାନ୍ତି ଜେଡିୟୁ ସରକାର। ଜେଡିୟୁ ଓ ବିଜେପିର ମେଣ୍ଟ ସରକାର ରାଜ୍ୟରେ ଥିବାବେଳେ ମହିଳାମାନେ ଉପେକ୍ଷିତ ହୋଇଛନ୍ତି। ସେପଟେ ଆରଜେଡି ସାଂସଦ ସଞ୍ଜୟ ଯାଦବ କହିଛନ୍ତି- ୧୦ ମାସ ତଳେ ଆରଜେଡି ନେତା ତେଜସ୍ବୀ ଯାଦବ କରିଥିଲେ ଏକ ବଡ଼ ଘୋଷଣା। ସେ କହିଥିଲେ ଯଦି ବିହାରରେ ମହାଗଠବନ୍ଧନ ସରକାର କରେ ତେବେ ପ୍ରତିମାସରେ ମହିଳାଙ୍କୁ ମାସିକ ୨ ହଜାର ୫୦୦ ଟଙ୍କା ଦିଆଯିବ। ଏଥିଲାଗି ଆରଜେଡି କର୍ମୀମାନେ ଫର୍ମ ସଂଗ୍ରହ କରୁଛନ୍ତି। ରାଜ୍ୟବାସୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ଲାଗି ଆରଜେଡି ପ୍ରତିଶ୍ରୁତିବଦ୍ଧ। ପ୍ରତିଦିନ ଲକ୍ଷ ଲକ୍ଷ ବିହାରବାସୀ ମହାଗଠବନ୍ଧନରେ ସାମିଲ ହେଉଛନ୍ତି ବୋଲି ସେ କହିଛନ୍ତି। ସେପଟେ କିଷନଗଞ୍ଜରେ ଆୟୋଜିତ ଏକ ମୁସଲିମ ସମ୍ମିଳନୀରେ ସ୍ବଚ୍ଛ ଶାସନର ପ୍ରତିଶ୍ରୁତି ଦେଇଛନ୍ତି ଜନସୂରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର। ସେ କହିଛନ୍ତି- ଜନ ସୂରାଜ ପାର୍ଟି କ୍ଷମତାକୁ ଆସିଲେ ସମସ୍ତଙ୍କୁ ନ୍ୟାୟ ମିଳିବ। ରାଜ୍ୟର ବିକାଶ ଘଟିବ

ପାଣିରେ ବୁଡିଲା ୩ଶହରୁ ଅଧିକ କାର୍

ନନ୍ଦିଘୋଷ ବ୍ୟୁରୋ ; ହରିଆଣାରେ ବର୍ଷା ତାଣ୍ଡବ। ଅଧିକାଂଶ ଅଞ୍ଚଳ ଜଳବନ୍ଦୀ। ସେପଟେ ଝାଜର ଜିଲ୍ଲା ଅନ୍ତର୍ଗତ ବାହାଦୂରଗଡ଼ରେ ଭରି ରହିଛି ପାଣି। ବାହାଦୂରଗଡ଼ରେ ପାଣି ଜମି ରହିଥିବାବେଳେ ଶିଳ୍ପାଞ୍ଚଳ ସ୍ଥିତି ସଂଗୀନ ହୋଇଛି। ଏଠାରେ ଥିବା ମାରୁତି ଗୋଦାମରେ ପାଣି ପଶିଯିବାରୁ ୩ଶହରୁ ଅଧିକ କାର୍ ବୁଡ଼ିଯାଇଛି। ସେଠାରେ ଜଳ ପରିମାଣ ବଢ଼ିବା ପରିଲକ୍ଷିତ ହୋଇଥିବା ସତ୍ତ୍ବେ ଏତେ ସଂଖ୍ୟକ କାରକୁ ପଦାକୁ ଅଣାଯାଇପାରି ନଥିଲେ। କାରଗୁଡିକ ମଧ୍ୟରେ ରହିଛି ଅଲଟୋ, ୱାଗନର, ଭିତାରା, ବ୍ରିଜା, ଇନଭିକ୍ଟୋ ଆଦି କାର। ଘାଗର ନଦୀର ଜଳପତ୍ତନ ବୃଦ୍ଧି ପାଉଥିବାରୁ ନଦୀ ପ୍ରବାହିତ ଅଞ୍ଚଳ ଜଳମଗ୍ନ ହୋଇଛି। ଲଗାତାର ପ୍ରବଳ ବର୍ଷା ଯୋଗୁ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ହାଥନିକୁଣ୍ଡ ବ୍ୟାରେଜରୁ ଜଳ ନିଷ୍କାସନ କରାଯାଉଥିବାରୁ ଏହାର ପ୍ରଭାବ ଗୁରୁଗ୍ରାମରେ ପଡିଛି। ବିଭିନ୍ନ ତଳିଆ ଅଞ୍ଚଳ ଲାଗି ଆଲର୍ଟ ଜାରି କରାଯାଇଛି। ଲୋହାପୁଲ ଅଞ୍ଚଳରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇବା ହେତୁ ଗୁରୁଗ୍ରାମର ଅନେକ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇଛି।

 ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ବର : ଦିଲ୍ଲୀ ଗସ୍ତରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଜି ସକାଳେ ସେ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସୂଚନା ଅନୁସାରେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଦଳୀୟ ସାଂସଦଙ୍କ ସହିତ ସେ କରିବେ ଆଲୋଚନା । ଗତକାଲି ପିଏସି ବୈଠକରେ ଦଳର ବରିଷ୍ଠ ନେତାଙ୍କ ମତାମତ ମାଗିଥିଲେ। ନେତାମାନେ ନିଜ ନିଜର ମତ ପ୍ରକାଶ କରିଥିଲେ। ତେବେ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇନଥିଲା। ଦଳୀୟ ସାଂସଦଙ୍କ ଆଲୋଚନା କରିବାକୁ ଆଜି ଦିଲ୍ଲୀ ଯାଇଛନ୍ତି ନବୀନ ପଟ୍ଟନାୟକ। ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ। ମହାରାଷ୍ଟ୍ରର ରାଜ୍ୟପାଳ ଥିବା ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ପ୍ରାର୍ଥୀ କରିଥିବା ବେଳେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡିଙ୍କୁ ପ୍ରାର୍ଥୀ କରିଛି ଇଣ୍ଡିଆ ମେଣ୍ଟ। ବିଜେଡି ଏଯାଏ ନିଜ କାର୍ଡ ଖୋଲି ନାହିଁ, କାହାକୁ ସମର୍ଥନ କରିବ।

ସୃଜନ ମାଧ୍ୟମରେ କଂଗ୍ରେସର ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟାରେ ଲଢେଇ ଜୋରଦାର

ଭୁବନେଶ୍ୱର : କଂଗ୍ରେସ ଜିଲ୍ଲା ସଭାପତି ପଦ ପାଇଁ ଜିଲ୍ଲା ସ୍ତରରେ ହେଉଛି ଲଢେଇ ଜୋରଦାର। ସୃଜନ କାର୍ଯ୍ୟକ୍ରମରେ ବି ଚାଲିଛି ଜୋରଦାର ଲବି। ଏପରିକି ବିଭିନ୍ନ ଜିଲ୍ଲାରେ ଏହାକୁ ନେଇ ମୁହାଁମୁହିଁ ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। କିନ୍ତୁ ଏସବୁ ଭିତରେ ପିସିସି ସଭାପତି ଭକ୍ତ ଦାସ କଡା ବାଣୀ ଶୁଣାଇଛନ୍ତି। ସୃଜନ ଦ୍ୱାରା ଜିଲ୍ଲା ସଭାପତି ଚୟନ ହେବାର ୩ ମାସ  ଜୋରଦାର କାମ ହେବ। ସେଥିରେ ଯେଉଁମାନେ ପାସ ନ ହେବେ ସେମାନେ ପଦରୁ ବିଦା ହେବେ। ଦଳ ପକ୍ଷରୁ ଯେଉଁ କାମ ଦିଆଯିବ ତାହା ସଠିକ ଭାବେ କରି ଦେଖାଇଲେ ପଦରେ ରହିବେ ନ ହେଲେ ବିଦା ହେବେ। ତେଣୁ ଯେଉଁ ବାଟରେ ସଭାପତି ପଦରେ ବସିଲେ ବି କାମ କରି ଦେଖାଇବାକୁ ପଡିବ।

ସେପଟେ ସଂଗଠନ ସୃଜନ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ଆଶାୟୀଙ୍କ ମଧ୍ୟରେ ଗଣ୍ଡଗୋଳ ଖବର ଆସୁଛି। ସୃଜନ କାର୍ଯ୍ୟକ୍ରମରେ ସମସ୍ତ ବର୍ଗଙ୍କ ମତ ରଖିବାର ବ୍ୟବସ୍ଥା ରହିଛି। ଏଥିରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଓପନ କରାଯାଇଛି। କିନ୍ତୁ ଏଆଇସିସି କି ପିସିସି ତରଫରୁ ଏଥିରେ କିଛି ହସ୍ତକ୍ଷେପ ନାହିଁ ବୋଲି ପିସିସି ସଭାପତି କହିଛନ୍ତି। ଜିଲ୍ଲାର ସବୁଠୁ ଦୃଢ଼ ଲୋକ ସଭାପତି ହୋଇ ଆସନ୍ତୁ। ପ୍ରତିବାଦ ହେବା ସୁସ୍ଥ ପରମ୍ପରା। ଏହା ଦ୍ୱାରା ଭଲ ବ୍ୟକ୍ତି ହିଁ ନିର୍ବାଚିତ ହେବେ। ପଦ ପାଇଁ ଲବି କଲେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ପିସିସି ସଭାପତି। ଏଆଇସିସି ନିର୍ଦେଶରେ ରାଜ୍ୟରେ ଭିନ୍ନ ଢାଞ୍ଚାରେ ସଂଗଠନ ସଜଡ଼ା କାର୍ଯ୍ୟ ହେଉଛି। ଜିଲ୍ଲା ସଭାପତି ଚୟନ ପାଇଁ ହେଉଥିବା ସୃଜନ ଵ୍ୟଵସ୍ଥାରେ ରାଜ୍ୟବ୍ୟାପୀ କଂଗ୍ରେସ ଶିବିର ହୋଇଛି ଚଳଚଞ୍ଚଳ।

ଜନବିରୋଧୀ ବିଜେପି ସରକାରର ଅପାରଗତାକୁ ପଦାରେ ପକାଇବାକୁ ବିଜେଡିର ବଡ଼ ଷ୍ଟ୍ରାଟେଜି

ଭୁବନେଶ୍ଵର : ରାଜ୍ୟର ଜନବିରୋଧୀ ବିଜେପି ସରକାର ବିରୋଧରେ ଲଢେଇକୁ ଜୋରଦାର କରିବ ବିଜେଡି। ବିଧାନସଭା ଭିତରେ ଓ ବାହାରେ ସଂଗ୍ରାମ ହେବ। ଦାୟିତ୍ଵବାନ ବିରୋଧୀ ଦଳ ଭାବେ ଲୋକଙ୍କ ସ୍ଵର ହୋଇ ସମସ୍ତ ପ୍ରସଙ୍ଗ ଉତଥାପନ କରିବ। ଏଥିପାଇଁ ବିଜେଡିର ପିଏସି ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ। ଗତକାଲି ନବୀନ ନିବାସରେ ହୋଇଥିଲା ପିଏସି ବୈଠକ। ଦେଢ଼ ବର୍ଷରେ ବିଜେପି ସରକାର ବିରୋଧରେ ଆସିଛି ମାଳ ମାଳ ଅଭିଯୋଗ। ରଥଯାତ୍ରାରେ ଦଳାଚକଟା ହୋଇ ଭକ୍ତଙ୍କ ଜୀବନ ଗଲା। ଗତ ବର୍ଷ ବଳଭଦ୍ର ମୁହଁ ମାଡ଼ି ପଡ଼ିଥିଲେ। ପ୍ରତିଦିନ ନାରୀ ନିର୍ଯାତନା, ଛାତ୍ରୀ ଆତ୍ମାହୁତି, ବିପର୍ଯ୍ୟସ୍ତ ଆଇନ ଶୃଂଖଳାର ଖବର। ନିର୍ବାଚନ ପୂର୍ବରୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ବିଜେପି, ତାହା ପୂରଣ କରି ନାହିଁ। ଲୋକଙ୍କୁ ଦେଇଛି କେବଳ ପ୍ରତାରଣା। ଚାଷୀ ସମସ୍ୟା, ଆଦିବାସୀ ନିର୍ଯାତନା, ଉପମୁଖ୍ୟମନ୍ତ୍ରୀଙ୍କ  ଅଞ୍ଚଳ ବଳଙ୍ଗାରେ ନାବାଳିକା ପୋଡ଼ିକୁ ଚପାଇ ଦିଆଯିବା ପରି ଘଟଣାକୁ ବିଧାନସଭାରେ ଉଠାଇବ ବିଜେଡି। ସେପଟେ ଗୃହ ବାହାରେ ସରକାରଙ୍କ ତୃଟି ବିରୋଧରେ ଆନ୍ଦୋଳନ କରିବେ ବିଜେଡିର ଛାମୁଆ ସଂଗଠନ। ଯୁବ, ଛାତ୍ର ଓ ମହିଳା ସଂଗଠନକୁ ତୃଣମୂଳରୁ ସୁଦୃଢ କରି ସରକାରଙ୍କ ବିରୋଧରେ ସ୍ଵର ଉଠାଇବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ମହିଳା ସୁରକ୍ଷାର ସ୍ଥିତି ରାଜ୍ୟରେ ଉଦବେଗଜନକ। ବିଜେପି ସରକାର ଆସିବା ଦିନରୁ ହତ୍ୟା, ଗଣଦୁଷ୍କର୍ମ ବଢିଥିବା ଅଭିଯୋଗ ଆଣିଛି କଂଗ୍ରେସ। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଦଳ ବିଜେପି ସରକାରକୁ ଦାୟୀ କରିଛି। ଶିକ୍ଷକ ଓ ଡାକ୍ତର ଅଭାବ ପ୍ରସଙ୍ଗକୁ ମଧ୍ୟ ବିଧାନସଭାରେ ଉଠାଇବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଗତ ବିଧାନସଭା ଅଧିବେଶରେ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଗୃହରୁ ନିଲମ୍ଵିତ କରାଯାଇଥିଲା।

ଏଥର ଭିନ୍ନ ଢଙ୍ଗରେ ସବୁ ପ୍ରସଙ୍ଗ ଉପସ୍ଥାପନ କରିବାକୁ କଂଗ୍ରେସ ସଜବାଜ ହେଉଛି। ବିଜେପି କହିଛି, ବିରୋଧୀଙ୍କ ମୁକାବିଲା ପାଇଁ ଆମେ ପ୍ରସ୍ତୁତ। ତେବେ ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛି ବିଜେପି। ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ୱର ହେବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସମସ୍ତ କର୍ମୀ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାମ୍ପ୍ରତିକ ସ୍ଥିତି ଓ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ପ୍ରତିବାଦରେ ରାଜ୍ୟବାସୀଙ୍କ ସ୍ୱର ହୋଇ ଲୋକଙ୍କ ପାଇଁ ସରକାର ବିରୋଧରେ ତୀବ୍ର ଲଢେଇ କରିବାକୁ ବିଜେଡି ସଜବାଜ ହେଲାଣି।

ବିନା ଆଲୋଚନାରେ ନିଷ୍ପତ୍ତିକୁ ଶିକ୍ଷାବିତ ଓ ଶିକ୍ଷକ ସଂଗଠନର ବିରୋଧ

ଭୁବନେଶ୍ୱର : ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବା ପରେ ଶିକ୍ଷାରେ ନୂଆ ନୂଆ ବ୍ୟବସ୍ଥା ଲାଗୁ କରି ଚାଲିଛନ୍ତି ସରକାର। ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟୀକା ଠୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟରେ ବହୁ ନୂଆ ବ୍ୟବସ୍ଥା ପ୍ରଚଳନ ହେଉଛି। ବିନା ଆଲୋଚନାରେ ଏସବୁ କରାଯାଉ ଥିବାରୁ ଏହାକୁ ଶିକ୍ଷାବିତ ଓ ଶିକ୍ଷକ ସଂଗଠନ ବିରୋଧ କରୁଛନ୍ତି। କିନ୍ତୁ ସେସବୁ ଭିତରେ ଆଉ ଏକ ବଡ଼ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ସରକାର। ଖୁବ ଶୀଘ୍ର ରାଜ୍ୟର ଦଶମ ବୋର୍ଡ ପରୀକ୍ଷା କରୁଥିବା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା କରୁଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଗୋଟିଏ କରିବାକୁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ଅନ୍ୟ ରାଜ୍ୟରେ ଯେଭଳି ଗୋଟିଏ ବୋର୍ଡ ଦ୍ୱାରା ଦଶମ ଓ ଦ୍ଵାଦଶ ପରୀକ୍ଷା ପରିଚାଳନା ହେଉଛି ସେଭଳି ଓଡ଼ିଶାରେ କରାଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି କୁହାଯାଇଛି।

ସେହିଭଳି ଧନ୍ଦାମୂଳକ ଶିକ୍ଷାକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଉଥିବାରୁ ରାଜ୍ୟରେ ଡିଜିଟାଲ ଏଜୁକେଶନକୁ ଗୁରୁତ୍ଵ ଦିଆଯାଇଛି। ଏହି ଶିକ୍ଷାକୁ ହାସଲ କରି ପିଲାମାନେ ନିଜ ଗୋଡ଼ରେ ନିଜେ ଛିଡା ହେବେ। ନୂତନ ଜାତୀୟ ଶିକ୍ଷା ନୀତି ଅଧୀନରେ ଚଳିତ ବର୍ଷ ପରିବେଶ ସନ୍ତୁଳନ, ସୁରକ୍ଷା ବିଷୟକୁ ବାଧ୍ୟତାମୂଳକ କରାଯାଇଛି। ଏହାଛଡା ୭ ଟି ଧନ୍ଦାମୂଳକ ବିଷୟକୁ ପାଠ୍ୟକ୍ରମରେ ରଖାଯାଇଛି ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ। ସେପଟେ ଦୁଇଟି ବୋର୍ଡର ମିଶ୍ରଣ ହେଲେ ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି କହିଛନ୍ତି ବିଏସଇ ସଭାପତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦୁଇଟି ବୋର୍ଡକୁ ଗୋଟିଏ କରିବାକୁ ନିଷ୍ପତି ହେବା ଏହାର ସୁଫଳ ସବୁ ଛାତ୍ରଛାତ୍ରୀ ପାଇବେ ବୋଲି ମତ ରଖିଛନ୍ତି।