spot_img
Home Blog Page 6332

ଆତ୍ମ ଘୋଷିତ ମାତାଙ୍କ କଥାରେ, ମା’ଙ୍କ ପୂଜା ପାଇଁ ମାନିଲେନି କୋଭିଡ୍‌ କଟକଣା

କୋରାପୁଟ: କୋଭିଡ୍‌ କଟକଣାକୁ ଫୁ । ମା’ଙ୍କ ପୂଜା ପାଇଁ ଲୋକ ମାନିଲେନି ସାମାଜିକ ଦୂରତା ନିୟମ । ମାତାଙ୍କ ହୁକୁମ ନେବା ପାଇଁ ଘଣ୍ଟାଘଣ୍ଟା ଧରି ଭକ୍ତଙ୍କ ଗହଳି ଲାଗିରହୁଛି । ଛୋଟରୁ ବଡ଼ ସମସ୍ତେ ଏକାଠି । ରୋଗକୁ ନାହିଁ ଭୃକ୍ଷେପ । ଏଭଳି ଘଟଣା ପୁଣି ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅଧୀନସ୍ଥ ଶାଆଁଳପୁରରୁ । ଆରଡ଼ି ଭଦ୍ରକ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଜଣେ ଆତ୍ମ ଘୋଷିତ ମାତା, ମା’ଙ୍କ ବିଗ୍ରହ ରଖି ପୂଜା କରୁଛନ୍ତି । ପ୍ରତ୍ୟେକ ମଙ୍ଗଳବାର ଲୋକମାନେ ମା’ଙ୍କ ପୂଜା ପରେ ମାତାଙ୍କ ପାଖରୁ ହୁକୁମ ନେଇଥାନ୍ତି । ଏବେ କରୋନା ମହାମାରୀ ସମୟରେ ମଧ୍ୟ ଏଠାରେ ଭିଡ଼ ଲାଗୁଛି । କୋଭିଡ୍‌ ପାଇଁ ରାଜ୍ୟର ସବୁ ମଠ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ଥିବା ବେଳେ କେବଳ ପୂଜା ଚାଲିଛି । ହେଲେ ଏଠାରେ କୋଭିଡ୍‌ ନିୟମକୁ ଖୋଲାଖୋଲି ଉଲଂଘନ ହେଉଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେହିଭଳି କୋରାପୁଟ ଲମତାପୁଟର କଞ୍ଚନା ଗାଁରେ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଓ ମେଲୋଡି ସୋ’ ଘଟଣାର ତଦନ୍ତ ଆରମ୍ଭ ହୋଇଛି  । ମାଛକୁଣ୍ଡ ଥାନାଧିକାରୀ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗଦେଇଥିଲେ । ଯାହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଏସପି । ଅତିରିକ୍ତ ଏସପି ଓ ଜୟପୁର ଏସଡିପିଓ ଏହାର ତଦନ୍ତ ଦାୟିତ୍ୱ ନେଇଛନ୍ତି । କୋଭିଡ୍‌ କଟକଣାର ଉଲଙ୍ଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କୋରାପୁଟ ଅତିରିକ୍ତ ଏସପି ।

ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା: ମିଳିତ ଭାବେ ୩ଜଣ ବୈଜ୍ଞାନିକଙ୍କୁ ପୁରସ୍କାର

ଷ୍ଟକହୋମ: ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । Roger Penrose, Reinhard Genzel ଏବଂ Andrea Ghezଙ୍କୁ ମିଳିତ ଭାବରେ ଏହି ପୁରସ୍କାର ପ୍ରଦାନ କରାଯିବ । ବ୍ଲାକ ହୋଲ ସମ୍ପର୍କିତ ଅଧିକ ଆବିଷ୍କାର ପାଇଁ ତିନ ବୈଜ୍ଞାନିକଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଉଛି ।

ରୋଗର ପେନରୋଜ କହିଥିଲେ ଯେ, Black Hole Formation ମାଧ୍ୟମରେ General Theory Of Relativityକୁ ପ୍ରେଡିକ୍ଟ କରାଯାଇପାରିବ । ରେନହାର୍ଡ ଗେଞ୍ଜେଲ, ଆନ୍ଦ୍ରେ ଘେଜ୍ ଗାଲାକ୍ସୀର କେନ୍ଦ୍ରରେ ଥିବା ବିଶାଳ Compact object ଆବିଷ୍କାର କରିଥିଲେ । ରୋୟାଲ ସ୍ୱୀଡିସ୍ ଏକାଡେମୀ ଅଫ୍ ଆଇନସର ସେକ୍ରେଟାରୀ ଜେନେରାଲ ହୋରାନ ଏହି ପୁରସ୍କାର ଘୋଷଣା କରିଥିଲେ । ଏହି ପୁରସ୍କାରରେ ଗୋଲ୍ଡ ମେଡାଲ ସହିତ ୧୧ ଲକ୍ଷ ଡଲାରରୁ ଅଧିକ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ । ସ୍ୱିଡିସ ଇନଭେଣ୍ଟର ଅଲଫ୍ରେଡ ନୋବେଲଙ୍କ ନାଆରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ଟ୍ରମ୍ପ ମଧ୍ୟ ଅଛନ୍ତି ରେସରେ

ନୋବେଲ ପୁରସ୍କାର ଦେଉଥିବା ସଂସ୍ଥା ମୁତାବକ, ଏହି ସପ୍ତାହରେ କେମେଷ୍ଟ୍ରି, ସାହିତ୍ୟ ଏବଂ ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯିବ । ଆସନ୍ତା ସୋମବାର ଅର୍ଥଶାସ୍ତ୍ର କ୍ଷେତ୍ରରେ ନବେଲ ପୁରସ୍କାର ଙୋଷମା କରାଯିବ । ସୂଚନା ଅନୁଯାୟୀ ଚଳିତ ବର୍ଷ ଶାନ୍ତିରେ ନୋବେସ ପୁରସ୍କାର ରେସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଦ୍ୟ ସାମିଲ ଅଛନ୍ତି । ସେ ଇଜରାଏଲ ଏବଂ ୟୁଏଇ ମଧ୍ୟରେ ଶାନ୍ତି ଡିଲ କରାଇଥିବା ଯୋଗୁଁ ତାଙ୍କ ନାମିତ କରାଯାଇଛି ।

ବିଜେପି ଶାସିତ ୟୁପି , ବିହାରରେ ଚାଲିଛି ମାଫିଆ ରାଜ, କାହିଁକି ଏପରି କହିଲେ ଭାଜପା ନେତା…ଜାଣନ୍ତୁ….

କୋଲକାତା: କଥାରେ ଅଛି ବହିଗଲା ପାଣି, ଧନୁରୁ ବାହାରି ଯାଇଥିବା ତୀର ଏବଂ  ପାଟିରୁ ବାହାରି ଯାଇଥିବା କଥା ଫେରେ ନାହିଁ । ତେଣୁ ଏହି କଥା କହିବା ସମୟରେ ସତର୍କତା ନିହାତି ଜରୁରୀ । ଆଉ ଯଦି ଆପଣ ରାଜନୀତିରେ ଅଛନ୍ତି, ତେବେ ଆପଣଙ୍କୁ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ । ନ ହେଲେ ସେହି କଥା ବୁମେରାଂ ହେବ । ଏକଥା ଏଠି କହିବାର ତାପର୍ଯ୍ୟ ହେଉଛି-ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ  ଏପରି ଏକ କଥା କହି ଅକଳରେ ପଡ଼ିଯାଇଛନ୍ତି ।

ଦିଲ୍ଲୀପ କହିଥିଲେ ଯେ, ପଶ୍ଚିମବଙ୍ଗ,  ୟୁପି ଏବଂ ବିହାର ପରି ମାଫିଆ ରାଜୁତି ଆଡ଼କୁ ଯାଉଛି । ବାସ ଏତିକି କଥା, କେବଳ ତାଙ୍କୁ ନୁହେଁ, ଦଳର ଅନ୍ୟ ନେତାଙ୍କୁ ମଧ୍ୟ ଅକଳରେ ପଡ଼ିଛି । କାରଣ ୟୁପିରେ ବର୍ତ୍ତମାନ ବିଜେପିର ଯୋଗୀ ଆଦିତ୍ୟନାଥ କ୍ଷମତାସୀନ ରହିଛନ୍ତି । ସେହିପରି ବିହାରରେ ମଧ୍ୟ ଭାଗୁଆଳୀ ଶାସନରେ ରହି ଆସିଛି । ତେଣୁ ମମତା ବାନାର୍ଜୀଙ୍କ ଶାସନ ପଦ୍ଧତିକୁ ସମାଲୋଚନା କରିବାକୁ ଯାଇ ଏପରି କହିଥିଲେ । ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗର ଟିଟାଗଡ଼ ପୌରପରିଷଦ କାଉନସିଲର ବାଇକରେ ଆସି ୨ ଜଣ ଦୁବୁର୍ତ୍ତ ଗୁଳି ମାରିଥିଲେ । ଏଥିରେ କାଉନସିଲର ମନୀଷ ଶୁକ୍ଲାଙ୍କ ମୃତ୍ୟୁ ହୋଇଛି । ମନୀଷଙ୍କ ମୃତ୍ୟୁକୁ ନେଇ ତୃଣମୂଳ କଂଗ୍ରେସକୁ ସମାଲୋଚନା କରିବାକୁ ଯାଇ ଦିଲ୍ଲୀପ ପରୋକ୍ଷରେ ୟୁପି, ବିହାର ନାଁ ନେଇଥିଲେ ।

ଦିଲ୍ଲୀପଙ୍କ ଏପରି ମନ୍ତବ୍ୟ ପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ ମଧ୍ୟ କରାଯାଇଛି । କେତେକ ତୃଣମୂଳ କଂଗ୍ରେସ ନେତା କହିଛନ୍ତି ଯେ, ସେ ଯାହା ବି ହେଉ, ବିଜେପି ଶାସିତ ରାଜ୍ୟଗୁଡିକ ଅପରାଧିକରଣ କଥା ସ୍ୱୀକାର କରିଥିବାରୁ ଧନ୍ୟବାଦ । କେବଳ ଏହି ପ୍ରସଙ୍ଗ ନୁହେଁ, କିଛି ସପ୍ତାହ ପୂର୍ବେ ଆଉ ଏକ ପ୍ରସଙ୍ଗରେ ମଧ୍ୟ ଦିଲ୍ଲୀପ ସମାଲୋଚନାକ ଶୀକାର ହୋଇଥିଲେ । ସେ କହିଥିଲେ ଯେ, ପଶ୍ଚିମବଙ୍ଗରେ କରୋନା ଫରୋନା କିଛି ନାହିଁ । ବିଜେପି ନେତାଙ୍କ ରାଲି ଉପରେ ରୋକ ଲଗାଇବା ପାଇଁ ମମତା ଦିଦି ଖାଲି ନିୟମ କରୁଛନ୍ତି । ଏହାର ଉତ୍ତର ଦେଇ ତୃଣମୃଳ ନେତା କହିଥିଲେ ଯେ, ଯାହା ହେଉ ମମତା ବାନାର୍ଜୀ ରାଜ୍ୟରେ କରୋନା ସ୍ଥିତିକୁ ନିୟନ୍ତ୍ରଣ ଆଣିଥିବା ବିଜେପି ନେତା ପରୋକ୍ଷରେ କହିଛନ୍ତି । ଏହାଠାରୁ ବଡ଼ ସାର୍ଟିଫିକେଟ୍ କ’ଣ ଅଛି ।

 

ମାଲକାନଗିରିରେ ସେରୋ ସର୍ଭେଲାନ୍ସ, ପ୍ରଥମେ ସଦର ମହକୁମା ପରେ ଗ୍ରାମାଞ୍ଚଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅରମ୍ଭ ହେଲା ସେରୋ ସର୍ଭେଲାନ୍ସ । ଜିଲ୍ଲାରେ କେତେ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବଢିଛି, ଅର୍ଥାତ କେତେ ଲୋକଙ୍କର ଆଣ୍ଟିବଡି ଡେଭ୍‌ଲପ୍‌ ହୋଇଛି, ତାହା ଚେକ୍ କରାଯାଉଛି । ଆଜିଠାରୁ ୩ ଦିନ ଧରି ଏହି ସର୍ଭେ କରାଯିବ । ଏଥିପାଇଁ ଲୋକଙ୍କ ତାଲିକା ପ୍ରସ୍ତୁତ ହୋଇଛି ।

ଏହି ସର୍ଭେ ବର୍ତ୍ତମାନ କେବଳ ମାଲକାନଗିରି ଜିଲ୍ଲା ସଦର ମହକୁମାରେ କରାଯିବ । ପରେ ଗ୍ରାମାଞ୍ଚଳରେ ସର୍ଭେ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୫ ଶହ ଲୋକଙ୍କର ଟେଷ୍ଟ କରାଯିବ । ଏଥିପାଇଁ ୫ଟି ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଦିନ ୫୦୦ ରକ୍ତ ନମୁନା ସଂଗ୍ରହ କରାଯିବ । ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।

ତେବେ ଏହା ପୂର୍ବରୁ ଭୁବନେଶ୍ୱର, ପୁରୀ, ରାଉରକେଲା, ଗଜପତି ଗଞ୍ଜାମରେ ସେରୋ ସର୍ଭେଲାନ୍ସ ଟେଷ୍ଟ ହୋଇସାରିଛି । ଗଞ୍ଜାମ ଓ ଭୁବନେଶ୍ୱରରେ ଅଧିକାଂଶ ଲୋକଙ୍କର ଆଣ୍ଟିବଡି ସୃଷ୍ଟି ହୋଇସାରିଥିବା ସର୍ଭେରୁ ଜଣାପଡ଼ିଛି ।

ୟୁପି ସରକାରଙ୍କୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ: ହାଥ୍‌ରସ୍‌ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀଙ୍କୁ ମିଳୁ ସୁରକ୍ଷା

ହାଥରସ: ହାଥରସ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀଙ୍କୁ ସୁରକ୍ଷା ପାଇଁ କେଉଁ ପଦକ୍ଷେପ ନେଇଛନ୍ତି ଉତ୍ତରପ୍ରଦେଶ ସରକାର । ସତ୍ୟପାଠ ମାଧ୍ୟମରେ ସମସ୍ତ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖୁବ୍ ଶୀଘ୍ର ସତ୍ୟପାଠ ଦାଖଲ କରାଯିବ ବୋଲି ୟୁପି ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହଟ୍ଟା କୋର୍ଟଙ୍କୁ ଜଣାଇଛନ୍ତି ।

ହାଥରସ ଗଣଦୁଷ୍କର୍ମ ଏକ ସ୍ତବ୍ଧ କଲା ଭଳି ଘଟଣା ବୋଲି କହିଛନ୍ତି ପ୍ରଧାନ ବିଚାରପତି ଏସଏ ବୋବଡେ । ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ସତ୍ୟପାଠ ମାଧ୍ୟମରେ ଆବେଦନ କରିଛନ୍ତି ୟୁପି ସରକାର । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଘଟଣାରେ ଫାଇଦା ଉଠାଇବାକୁ ଉଦ୍ୟମ କରୁଥିବାରୁ ୟୁପି ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଯୁକ୍ତି ଦର୍ଶାଇଛନ୍ତି ।

ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମାମଲାରେ ବିଚାରପତିଙ୍କ ତତ୍ୱାବଧାନରେ ସିବିଆଇ କିମ୍ବା ଏସଆଇଟି ତଦନ୍ତ କରିବା ନେଇ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏଥିରେ ନିରପକ୍ଷ ତଦନ୍ତ ପାଇଁ ଉତ୍ତରପ୍ରଦେଶରୁ ଦିଲ୍ଲୀକୁ ମାମଲାକୁ ସ୍ଥାନାନ୍ତର କରିବା ପାଇଁ ଆବେଦନ ହୋଇଥିଲା । ସେପଟେ ଘଟଣାର ଏସଆଇଟି ଯାଞ୍ଚ ଚାଲିଛି । ସିଜେଏମ୍‌ଙ୍କ ସହ ପୂରା ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚି ତଦନ୍ତ କରିଛନ୍ତି । ଏଥିସହ ପୀଡ଼ିତାଙ୍କ ମୃତଦେହ ପୋଡା ଯାଇଥିବା ସ୍ଥାନ ବୁଲି ଦେଖିଛନ୍ତି ।

ଚିରାଗ ପାସୱାନଙ୍କୁ BJPର କଡ଼ା ସନ୍ଦେଶ, ବିହାର ନିର୍ବାଚନରେ ମୋଦି ଓ ଶାହାଙ୍କ ନାଆରେ ମାଗି ପାରିବେନି ଭୋଟ

ପଟନା: ବିହାର ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି LJP କଡ଼ା ସନ୍ଦେଶ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମ ନେଇ ବିହାର ନିର୍ବାଚନରେ ​​ସେମାନେ ଭୋଟ୍ ମାଗି ପାରିବେ ନାହିଁ ବୋଲି ଚିରାଗ ପାସୱାନ ଏବଂ ଏଲଜେପିଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛି ବିଜେପି । ବିଜେପି ସୂତ୍ରରୁ ପ୍ରକାଶ ଯେ, ଏଲଜେପିକୁ ସଫା ସଫା କୁହାଯାଇଛି ଯେ, ସେ ବିହାର ନିର୍ବାଚନରେ ​​ କୌଣସି ମତେ ବିଜେପିର ନାମ ନେବେ ନାହିଁ । କାରଣ ବିହାରରେ ଉଭୟ ଦଳ ଭିନ୍ନ ଭିନ୍ନ ଦମ ଦେଖାଉଛନ୍ତି ।

ପାର୍ଟିର କୌଣସି ବ୍ୟାନର, ପୋଷ୍ଟର ବା ଭାଷଣରେ ପ୍ରାଧାନମନ୍ତ୍ରୀ ମୋଦି ଏବଂ ବିଜେପିର ନାଆ ନନେବାପାଇଁ ଏଲଜେପିକୁ କୁହାଯାଇଛି । ଯେତେବେଳେ ପାର୍ଟି ଏନଡିଏରୁ ଅଲଗା ହୋଇଯାଇଛି ତେବେ ତାଙ୍କୁ କୌଣସି ପ୍ରକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଆକୁ ବ୍ୟବହାର କରିବାର ଅନୁମତି ଦିଆଯିବ ନାହିଁ ।

ନିକଟରେ ଏଲଜେପି ପ୍ରମୁଖ ଚିରାଗ ପାସୱାନ କହିଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିଜର ଆଦର୍ଶ ନେତା ଭାବନ୍ତି । ସେଥିପାଇଁ ସେ ତାଙ୍କ ନାଆରେ ବୋଟ ମାଗିବେ । ଏହି ଘୋଷଣା ପରେ ଚିରାଗ ପାସୱାନ ଟ୍ୱିଟ କରି ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଠିଆ ହୋଇଥିଲେ ।

ଚିରାଗଙ୍କର ଏହି ବୟାନ ପରେ ଜେଡିୟୁ ବିଜେପିକୁ ନିଜ ସ୍ଥିତି ସ୍ପଷ୍ଟ କରିବା ପାଇଁ କହିଥିଲା । ଏହା ପରେ ବିଜେପି ସ୍ପଷ୍ଟ କରିଛି ଯେ, ଏଲଜେପି ସହ ବିହାରରେ ସେ କୌଣସି ପ୍ରକାରର ମେଣ୍ଟ କରିବ ନାହିଁ ।

ଏନଡିଏ ଠାରୁ ଅଲଗା ହେଲା ଏଲଜେପି କିନ୍ତୁ କେନ୍ଦ୍ରରେ ବିଜେପି ସହ ବନ୍ଧୁତା

ବିହାର ନିର୍ବାଚନରେ ନିତିଶ କୁମାରଙ୍କ ନେତୃତ୍ୱରେ ଏଲଜେପି ନିର୍ବାଚନ ଲଢ଼ିବନି ବୋଲି ସ୍ପଷ୍ଟ କରିଛି । ଏହା ପରେ ଏଲଜେପି ସ୍ୱତନ୍ତ୍ର ଭାବେ ବିହାର ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବ । ଏଲଜେପି କେନ୍ଦ୍ର ସରକାରରେ ବିଜେପି ସହଯୋଗୀ ରହିବ କିନ୍ତୁ ବିହାରରେ ସେ ଏହା ବିପକ୍ଷରେ ନିର୍ବାଚନା ମଉଦାନକୁ ଓହ୍ଲାଇବ । ଏଲଜେପି ଘୋଷଣା କରିଛି ଯେ, ନିର୍ବାଚନ ପରେ ସେ ବିଜେପିର ସରକାର ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।

ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦

ଭୁବନେଶ୍ୱର : କଥା କଟାକଟି ଓ ହଟ୍ଟଗୋଳ ଭିତରେ ଆଜି ବିଧାନସଭାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ବିଲ୍ ପାସ୍ ହୋଇଛି । ବିଜେପି ଓ କଂଗ୍ରେସ ବିଧାୟକଙ୍କ ବିରୋଧ ଭିତରେ ଏହି ବିଲ୍ ପାସ୍ ହୋଇଛି । ବିଲ୍ ଆଇନରେ ପରିଣତ ହେଲେ ବିଶ୍ୱବିଦ୍ୟାଳୟର ସ୍ୱାଧିନତା ହାନି ହେବ ଓ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଇବ ବୋଲି କଂଗ୍ରେସ ଓ ବିଜେପିର ଅଭିଯୋଗ ଥିଲା । କିନ୍ତୁ ବିଲ୍ ଧ୍ୱନିମତରେ ପାସ୍ ହୋଇଥିଲା ।

ବିଶ୍ୱବିଦ୍ୟାଳୟ ଆଇନକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି ବୋଲି ବିରୋଧଙ୍କ ଅଭିଯୋଗ ଉପରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଆଇନକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କୌଣସି ବିରୋଧାଭାଷ ନାହିଁ । କୁଳପତି ଚୟନରେ କୌଣସି ପ୍ରକାର ହସ୍ତକ୍ଷେପ ହେଉନି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ବିଲରେ ସିନେଟ୍ ବ୍ୟବସ୍ଥାକୁ ଉଛେଦ କରାଯାଇଛି । ଏଥିରେ ସିଣ୍ଡିକେଟ୍ ବ୍ୟବସ୍ଥାକୁ ମଜବୁତ କରାଯାଇଛି ।

ମୁକେଶଙ୍କୁ ସୋ’କୁ ନିମନ୍ତ୍ରଣ କରାଯାଇନଥିଲା, ତେଣୁ କପିଲ ଶର୍ମା ସୋ’ ବିରୋଧରେ କହୁଛନ୍ତି : ଗଜେନ୍ଦ୍ର

ନୂଆଦିଲ୍ଲୀ: ଦ କପିଲ ଶର୍ମା ସୋ’ରେ ଯେତେବେଳେ ମହାଭାରତର କାଷ୍ଟ ଅତିଥି ହୋଇଆସିଥିଲେ ସେଥିରେ ମହାଭାରତରେ ଭୀଷ୍ମ ଚରିତ୍ରରେ ନଜର ଆସିଥିବା ମୁକେଶ ଖନ୍ନା ଉପସ୍ଥିତ ନଥିଲେ । ଏହା ଉପରେ ମୁକେଶ ଖନ୍ନା ସଫେଇ ଦେଇଛନ୍ତି ଯେ, ସେ ସୋ’ର ନିମନ୍ତ୍ରଣକୁ ସ୍ୱୀକାର କରିନଥିଲେ । କିନ୍ତୁ ଏହା ପଛରେ ସତ୍ୟତା ଆଉ କିଛି ଥିବା ଜଣାପଡ଼ୁଛି ।

ମୁକେଶ ଖନ୍ନା ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଏହି ପ୍ରଶ୍ନ ଭାଇରାଲ ହେବାରେ ଲାଗିଛି ଯେ, କପିଲ ଶର୍ମା ସୋ’ରେ ହୋଇଥିବା ମହାଭାରତ ଏପିସୋଡରେ ଭୀଷ୍ମ ପିତାମହ କାହିଁକି ଉପସ୍ଥିତ ହୋଇନଥିଲେ । କିଏ କହୁଛନ୍ତି ତାଙ୍କୁ ନିମନ୍ତ୍ରଣ ଦିଆଯାଇନଥିଲା ତ ଆଉ କିଏ କହୁଛନ୍ତି ସେ ନିଜେ ସୋ’ କୁ ଆସିବେନି ବୋଲି ମନା କରିଛନ୍ତି । ଏହା ସତ ଯେ, ଭୀଷ୍ମ ପିତାମହଙ୍କ ବିନା ମହାଭାରତ ଅଧା ଅଧୁରା ଏବଂ ସୋ’ ରେ ଭୀଷ୍ମଙ୍କୁ ନିମନ୍ତ୍ରଣ ଦିଆଯାଇନଥିବ ଏଭଳି ହେବା ବି ସମ୍ଭବ ନୁହେଁ । ଅନ୍ୟପଟେ ଏହାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ ଯେ ଅଭିନେତା ଜଣଙ୍କ କହିଛନ୍ତି ଯେ ସେ ନିମନ୍ତ୍ରଣକୁ ସ୍ୱୀକାର କରିନାହାନ୍ତି ।

କପିଲ ଶର୍ମା ସୋକୁ କହିଲେ ଅଶ୍ଲୀଳ

ମୁକେଶ କପିଲ ଶର୍ମା ସୋ’ କୁ ବାଜେ ବୋଲି କହିଛନ୍ତି ।  ସେ କହିଛନ୍ତି ଯେ, ସୋ’ ସଂପୂର୍ଣ୍ଣ ଭାବେ ଅଶ୍ଳୀଳତାରେ ଭର୍ତ୍ତି ହୋଇରହିଛି । ଡବଲ ମିନିଂ ଜୋକ୍ସ ସହ ଅଶ୍ଳୀଳତାରେ ଭର୍ତ୍ତି ଏହି ସୋ’ ରେ ପୁରୁଷକୁ ନାରୀ ଭାବରେ ସଜାଇ ବାଜେ କାର୍ଯ୍ୟକଳାପ କରାଯାଉଛି ଆଉ ତାକୁ ଦେଖି ଦର୍ଶକ ପେଟ ଫଟାଇ ହସୁଛନ୍ତି ।

ଭୀଷ୍ମ ପିତାମହଙ୍କ ଦାବି ଗୁଡିକ ବିଷୟରେ କହିଲେ ଧର୍ମରାଜ ଯୁଧିଷ୍ଠିର 

ମହାଭାରତରେ ଧର୍ମରାଜ ଯୁଧିଷ୍ଠିରଙ୍କ ଚରିତ୍ର ଅଭିନୟ କରିଥିବା ଅଭିନେତା ଗଜେନ୍ଦ୍ର ଚୌହାନ କପିଲ ଶର୍ମା ସୋ’ ସପକ୍ଷରେ ମତ ଦେଇଛନ୍ତି । ଗଜେନ୍ଦ୍ର ଶର୍ମା ଦର୍ଶକ ମାନଙ୍କୁ ଏହି ଘଟଣାର ସତ୍ୟାସତ୍ୟ ଦର୍ଶାଇ କହିଛନ୍ତି ଯେ, ମୁକେଶ ଶର୍ମାଙ୍କୁ ସୋ’ରେ ନିମନ୍ତ୍ରଣ ଦିଆଯାଇନଥିଲା । ଆଉ ସେଥିପାଇଁ ସେ କ୍ରୋଧ ପ୍ରକାଶ କରି କପିଲ ଶର୍ମା ସୋ’ କୁ ଇନଷଲ୍ଟ କରୁଛନ୍ତି ।

ଗଜେନ୍ଦ୍ର କଲେ ଏହି ଦାବି

ଗଜେନ୍ଦ୍ର ଚୌହାନଙ୍କ ମୁତାବକ ସୋନି ଟିଭି ଏକ ସର୍ଭେ କରିଥିଲା, ଯାହା ହିସାବରେ ମହାଭାରତରେ ସବୁଠୁ ଚର୍ଚ୍ଚିତ ୫ଟି ଚରିତ୍ରକୁ ହିଁ କପିଲ ଶର୍ମା ସୋ’କୁ ନିମନ୍ତ୍ରଣ ଦିଆଯାଇଥିଲା ।

ଜଣାଇ ରଖୁଛୁ ଯେ, ପୁନିତ ଇସ୍ସର, ଗୁଫି ପଟେଲ, ଗଜେନ୍ଦ୍ର ଚୌହାନ, ଫିରୋଜ ଖାନ ଏବଂ ନିତିଶ ଭାରଦ୍ୱାଜ ସୋ’ ରେ ଅତିଥି ହୋଇ ଆସିଥିଲେ । ଗଜେନ୍ଦ୍ରଙ୍କ ଏହି ଦାବି ପରେ ମୁକେଶ ଖନ୍ନା କ୍ରୋଧ ପ୍ରକାଶ କରିଛନ୍ତି । ସେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଗଜେନ୍ଦ୍ରଙ୍କୁ ଅଜ୍ଞାନୀ ବୋଲି କହିଛନ୍ତି ।

କେନ୍ଦ୍ର-ରାଜ୍ୟ ଜିଏସ୍‌ଟି ବିବାଦ: ତୁରନ୍ତ ବକେୟା GST ଟଙ୍କା ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଆଗରେ ଓଡ଼ିଶାର ଦାବି

GST କ୍ଷତି ଭରଣା ବାବଦରେ କେନ୍ଦ୍ର ଗତ ଏପ୍ରିଲ ଓ ମେ ମାସ ପାଇଁ କେନ୍ଦ୍ର ସେସ ଫଣ୍ଡରୁ ୪୯୬ କୋଟି ଟଙ୍କା ଗତକାଲି ଓଡିଶାକୁ ଦେଇଛନ୍ତି । ତେବେ ଜୁନ, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ବକେୟା ଟଙ୍କା କିନ୍ତୁ ମିଳିନି । ଗତକାଲି GST କମିଶନ ବୈଠକରେ ତୁରନ୍ତ ବକେୟା ଟଙ୍କା ଦେବା ନେଇ ଓଡିଶା ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଆଗରେ ଦାବି ରଖାଯାଇଛି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ତେବେ ରାଜ୍ୟମାନଙ୍କ ପାଉଣା ନେଇ ବିଚାର ବିମର୍ଶ ଚାଲିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଥିବା ଅମର କହିଛନ୍ତି ।

ଅନ୍ୟ ପକ୍ଷରେ GST କ୍ଷତି ଭରଣା ଓ କ୍ଷତି ପୂରଣ ପାଇଁ ଓଡିଶା ସହ ୨୧ଟି ରାଜ୍ୟ କେନ୍ଦ୍ର ସରକାରଙ୍କ ଅପ୍ସନ ୧ ଆଧାରରେ GST ବକେୟା ପାଉଣା ନେବାକୁ ରାଜି ହୋଇଛନ୍ତି । ଅପ୍ସନ ୧ ରେ ରାଜ୍ୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରୁ ଋଣ ଆଧାରରେ ୯୭ ହଜାର କୋଟି ଟଙ୍କା ଫଣ୍ଡରୁ ଋଣ ନେବେ ଯାହାର ମୂଳଧନ ଓ ସୁଧ ସେସ ଫଣ୍ଡରୁ ଶୁଝାଯିବ । ହେଲେ ଅନ୍ୟ କିଛି ରାଜ୍ୟ ଏହାଉପରେ ଵିତର୍କ ଚାହିଁଛନ୍ତି ।

ରାଉରକେଲାରେ ଉଦଘାଟନ ହେଲା ତୃତୀୟ ଆଇସିୟୁ କୋଭିଡ ହସ୍ପିଟାଲ

ରାଉରକେଲା: ରାଉରକେଲାରେ ଉଦଘାଟନ ହେଲା ତୃତୀୟ କୋଭିଡ଼ ହସ୍ପିଟାଲ । ଉଦିତନଗର ଠାରେ ସହରର ତୃତୀୟ କୋଭିଡ ହସ୍ପିଟାଲ କାର୍ଯ୍ୟକାରୀ ହୋଇଛି । ରାଉରକେଲା ସହରରେ ହାଇଟେକ୍ କୋଭିଡ ହସ୍ପିଟାଲ ଓ ଜେପି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ଥିବାବେଳେ ଉଦିତନଗର କୋଭିଡ ହସ୍ପିଟାଲ ଆଜି ଉଦଘାଟିତ ହୋଇଛି ଆଉ ଏକ ଆଇସିୟୁ ହସ୍ପିଟାଲ । ଏହି କୋଭିଡ ହସ୍ପିଟାଲରେ ୩୦ ବେଡର ଆଇସିୟୁ ବ୍ୟବସ୍ଥା କରାଯାଇଛି । ସୁନ୍ଦରଗଡ଼ ଜିଲାପାଳ ନିଖିଳ ପବନ କଲ୍ୟାଣ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଉଦଘାଟନ କରିଥିଲେ ।

କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହାଇଟେକ୍ ହସ୍ପିଟାଲରେ ୨୫ ଆଇସିୟୁ ବେଡ, ଜେପି ହସ୍ପିଟାଲରେ ୬୦ ଆଇସିୟୁ ବେଡ ଓ ଉଦିତନଗର  କୋଭିଡ ହସ୍ପିଟାଲରେ ୩୦ ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି । ରାଉରକେଲା ପ୍ଲାଜମା ବ୍ୟାଙ୍କ ପ୍ଲାଜମା ସଂଗ୍ରହ ରେ ରାଜ୍ୟରେ ଆଗୁଆ ରହିଥିବା ବେଳେ ଅଧିକ ପ୍ଲାଜମା କିପରି ସଂଗ୍ରହ ହେବ ସେନେଇ ଉଦ୍ୟମ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।