spot_img
Home Blog Page 635

ଇରାନ ଉପରେ ଆମେରିକା ପକାଇଥିବା ‘ବଙ୍କର ବଷ୍ଟର’ର ଶକ୍ତି କେତେ ?

ନନ୍ଦିଘୋଷ ବ୍ୟୁରୋ: ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି । ଶନିବାର ରାତିରେ ଆମେରିକାର ବୋମାବର୍ଷକ ବିମାନ ଇରାନର ତିନୋଟି ମୁଖ୍ୟ ପରମାଣୁ କେନ୍ଦ୍ର ଉପରେ ଜବରଦସ୍ତ ଆଟାକ କରିଛି । ବଙ୍କର ବଷ୍ଟର ବୋମା ପକାଇ ଆମେରିକା ଇରାନର ଫୋର୍ଡୋ, ନତାଞ୍ଜ ଓ ଇସଫାହାନ ପରମାଣୁ ଘାଟିକୁ ଧ୍ବଂସ କରି ଦେଇଛି ।  ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୁଦ୍ଧକୁ ଆହୁରି ଭୟଙ୍କର ସ୍ଥିତିକୁ ନେଇ ଯାଇଛି । ଆସନ୍ତୁ ଜାଣିବା ପ୍ରାୟ ୪୦୦ ଫୁଟ ତଳେ ଥିବା ଇରାନର ପରମାଣୁ ଘାଟିକୁ ଧ୍ବଂସ କରିବାକୁ ଆମେରିକା ବ୍ୟବହାର କରିଥିବା ବଙ୍କର ବଷ୍ଟର ବୋମାର ଶକ୍ତି କେତେ ?

‘ବଙ୍କର ବଷ୍ଟର’ର ଶକ୍ତି

ଏହି ଆକ୍ରମଣରେ ଆମେରିକା  Massive Ordnance Penetrator (GBU-57) ବ୍ୟବହାର କରିଛି । ଯାହା ବଙ୍କର ବଷ୍ଟର ନାଁରେ ଖ୍ୟାତ । ଭୂପୃଷ୍ଠରୁ ଶତାଧିକ ଫୁଟ ତଳେ ଥିବା ଠିକଣାକୁ ଧ୍ବଂସ କରିବାକୁ ଏହି ବୋମାକୁ ପ୍ରସ୍ତୁତ କରାଯାଇଛି । ଏହାର ଓଜନ ୩୦ ହଜାର ପାଉଣ୍ଡ (୧୩.୬ ଟନ୍) ହୋଇଥିବା ବେଳେ ଏହାର ଲମ୍ବା ୨୦ ଫୁଟ୍ । ଏହାକୁ ନେଇ ପକାଇବାର କ୍ଷମତା କେବଳ B-2 ଷ୍ଟିଲ୍ଥ ବମ୍ବରରେ ରହିଛି । ଏହାର ଶକ୍ତି ଏତେ ଯେ, ଗୋଟିଏ ଜାଗାରେ ଏହାକୁ ବାରମ୍ବାର ପକାଗଲେ ଏହା ପାହାଡ଼ ଓ ଚଟାଣକୁ ଫଟାଇ ଭିତରେ ଥିବା ଟାର୍ଗେଟକୁ ଧ୍ବଂସ କରିବାର କ୍ଷମତା ରଖେ ।

ଟାର୍ଗେଟରେ ଥିଲା ଇରାନର କେଉଁ ସ୍ଥାନ ?

ଇରାନ ଉପରେ ଆମେରିକାର ଆକ୍ରମଣ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଆମେ ଇରାନର ଫୋର୍ଡୋ, ନତାଞ୍ଜ ଓ ଇସଫାହାନ ପରମାଣୁ ଘାଟିକୁ ଟାର୍ଗେଟ କରିଥିଲୁ । ସୂଚନାଯୋଗ୍ୟ, ଫୋର୍ଡୋ ଇରାନର ଅତି ଗୋପନୀୟ ପରମାଣୁ ଘାଟି । ଯାହା ପାହାଡ଼ ତଳେ ରହିଛି । ସେହିପରି ନତାଞ୍ଜ ଇରାନର ସବୁଠାରୁ ବଡ଼ ପରମାଣୁ ସମୃଦ୍ଧି ପ୍ଲାଣ୍ଟ । ଇସଫାହାନ ହେଉଛି ସାହି ସ୍ଥାନ, ଯେଉଁଥି ଇରାନ ସମୃଦ୍ଧ ହୋଇ ସାରିଥିବା ୟୁରାନିୟମ ରଖିଥିବା କୁହାଯାଏ । ଟ୍ରମ୍ପ କହିଛନ୍ତି ଫୋର୍ଡୋ ଉପରେ ଫୁଲ୍ ପେଲୋଡ ପକାଯାଇଛି । ଆମାର ସମସ୍ତ ବିମାନ ଇରାନ ବାୟୁସେନାରୁ ସୁରକ୍ଷିତ ବାହାରି ନିଜ ବେସକୁ ଫେରୁଛନ୍ତି ।

ନ୍ୟୁକ୍ଲିୟର ରେଡିଏସନ ଆଶଙ୍କା

ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ ପୂରା ଅଞ୍ଚଳରେ ରେଡିଏସନ ଆଶଙ୍କାକୁ ବଢ଼ାଇ ଦେଇଛି । ଆରମ ଦେଶ ପୂର୍ବରୁ ଚେତାବନୀ ଦେଇ ସାରିଛନ୍ତି, ଏମିତି ଆକ୍ରମଣ ଦ୍ବାରା ସେମାନଙ୍କ ଦେଶକୁ ବି ବିପଦ ରହିଛି । ଏବେ ଦେଖିବାକୁ ବାକି ରହିଲା, ଯୁଦ୍ଧ ଆଗକୁ କେଉଁ ସ୍ତରକୁ ଯାଉଛି ଓ ଏହାର ତୃତୀୟ ବିଶ୍ବଯୁଦ୍ଧର ଆୟାରମ୍ଭ ନୁହେଁ ତ ?

ଇରାନ ଉପରେ ଆମେରିକାର ଆକ୍ରମଣ ପରେ ଖୁସି ହେଲେ ନେତାନ୍ୟାହୁ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ଇରାନ ଉପରେ ଆକ୍ରମଣ କରିଛି। ଗୋଟିଏ ପଟେ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ, ଆମେରିକା ମଧ୍ୟ ଇରାନର ପରମାଣୁ ଶକ୍ତିକୁ ନଷ୍ଟ କରିବା ପାଇଁ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ନେତାନ୍ୟାହୁ ଏହି ଆକ୍ରମଣ ପାଇଁ ଆମେରିକା ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନେତାନ୍ୟାହୁ କହିଛନ୍ତି, ଟ୍ରମ୍ପ ଇତିହାସ ବଦଳାଇ ଦେବେ। ଆମେରିକା ଇରାନର ୩ଟି ପରମାଣୁ ସ୍ଥଳ ଉପରେ ବୋମା ପକାଇଛି। ଏହା ସହିତ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଆମେରିକାର ଏହି ଆକ୍ରମଣରେ ଇରାନର ସମସ୍ତ ତିନୋଟି ପରମାଣୁ ସ୍ଥଳ ଧ୍ୱଂସ ପାଇଛି। ଆମେରିକାର ଏହି ଆକ୍ରମଣ ପରେ, ଇସ୍ରାଏଲୀ ରାଷ୍ଟ୍ରପତି ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ବୟାନ ଆସିଛି। ନେତାନ୍ୟାହୁ ଏହି ଆକ୍ରମଣ ପାଇଁ ଆମେରିକା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି। ନେତାନ୍ୟାହୁ କହିଛନ୍ତି ଯେ ଆମେରିକୀୟ ସେନା ଦ୍ୱାରା ଇରାନ ଉପରେ ଆକ୍ରମଣ ସଫଳ ଆକ୍ରମଣ ଥିଲା।

ନେତାନ୍ୟାହୁ ଆହୁରି କହିଛନ୍ତି, ଅପରେସନ୍ ରାଇଜିଂ ଲାଇନ୍‌ରେ ଇସ୍ରାଏଲ୍ ଆଶ୍ଚର୍ଯ୍ୟଜନକ କାମ କରିଛି, କିନ୍ତୁ ଆଜି ରାତିର ଇରାନର ପରମାଣୁ ପ୍ରତିଷ୍ଠାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନରେ, ଆମେରିକା ଅତୁଳନୀୟ ହୋଇଛି। ଏହା ଏପରି କରିଛି ଯାହା ପୃଥିବୀର ଅନ୍ୟ କୌଣସି ଦେଶ କରିପାରିନଥିଲା। ଇତିହାସରେ ଏହା ଲିପିବଦ୍ଧ ହୋଇଛି ଯେ ରାଷ୍ଟ୍ରପତି ଟ୍ରମ୍ପ୍ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଶାସନ – ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ରକୁ ପ୍ରତ୍ୟାଖ୍ୟାନ କରିବାର କାମ କରିଛନ୍ତି।

ଶୁକ୍ରବାର ବିଳମ୍ବିତ ରାତିରେ ଆମେରିକା ଇରାନର ତିନୋଟି ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିଥିଲା। ଆମେରିକା ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ଉପରେ ବୋମା ପକାଇଥିଲା। ଇରାନକୁ ପରମାଣୁ ଶକ୍ତିଶାଳୀ କରିବାରେ ଏହି ତିନୋଟି ସ୍ଥାନ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା। ଏଗୁଡ଼ିକ ମାଧ୍ୟମରେ ଇରାନ ଶୀଘ୍ର ପରମାଣୁ ଶକ୍ତିଶାଳୀ ହେବାର ସ୍ୱପ୍ନ ଦେଖୁଥିଲା, କିନ୍ତୁ ଏବେ ଆମେରିକାର ଆକ୍ରମଣ ପରେ ଇରାନର ପରମାଣୁ ଯୋଜନା କ୍ଷତିଗ୍ରସ୍ତ ହୋଇଛି।

ସୋନମଙ୍କ ପ୍ରେମିକ ବିଷୟରେ ଆଉ ଏକ ଖୁଲାସା, ସିସିଟିଭିରେ ଆସିଲେ ନଜର..

ନନ୍ଦିଘୋଷ ବ୍ୟୁରୋ : ରାଜା ରଘୁବଂଶୀ ହତ୍ୟା ମାମଲାର ସମସ୍ତ ପାଞ୍ଚ ଅଭିଯୁକ୍ତ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ସୋନମ ଏବଂ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କୁ ପୂର୍ବରୁ ଦୁଇଥର ପୋଲିସ ରିମାଣ୍ଡରେ ପଠାଯାଇଥିଲା। ଏବେ ସେମାନଙ୍କୁ ମଧ୍ୟ ୧୩ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଯେତେବେଳେ, ବାକି ୩ ଅଭିଯୁକ୍ତ ପୂର୍ବରୁ ନ୍ୟାୟିକ ହେପାଜତରେ ଅଛନ୍ତି। ମାମଲାର ତଦନ୍ତ ପାଇଁ ଶିଲଂ ପୋଲିସର ଏକ ଟିମ୍ ମଧ୍ୟ ଇନ୍ଦୋରରେ ରହିଛି। ଏବେ ପୁଣି ଥରେ ପୋଲିସ ତଦନ୍ତରେ ଏକ ବଡ଼ ଖୁଲାସା ହୋଇଛି, ଯାହା ଆଶ୍ଚର୍ଯ୍ୟଜନକ। ମାମଲା ସହିତ ଜଡିତ ଅଧିକାରୀଙ୍କ ଅନୁସାରେ, ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପରେ, ସୋନମ ତାଙ୍କ ପରିବାରର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ। ରାଜ କୁଶୱାହା ତାଙ୍କୁ ମିନିଟରୁ ମିନିଟ ସୂଚନା ଦେଉଥିଲେ। ରାଜାଙ୍କ ମୃତଦେହ ଘରକୁ ଆସିବା ପରେ ମଧ୍ୟ ସେ ତାଙ୍କ ପିତାମାତାଙ୍କ ଦୁଃଖକୁ ମୋବାଇଲରେ ସୋନମଙ୍କୁ ଶୁଣାଇଥିଲେ। ଗୋଟିଏ ପଟେ ସେ ରାଜାଙ୍କ ପରିବାରକୁ ସାନ୍ତ୍ୱନା ଦେଉଥିଲେ, ଅନ୍ୟପଟେ ସେ ସୋନମଙ୍କୁ ମୋବାଇଲରେ ଫୋନ୍ କରି ସେମାନଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ବିଷୟରେ ସୂଚନା ଦେଉଥିଲେ। ଶେଷକୃତ୍ୟ ସମୟରେ ତାଙ୍କର ଏକ ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି।

୨୯ ବର୍ଷୀୟ ରାଜା ରଘୁବଂଶୀ ମେ ୧୧ ତାରିଖରେ ଇନ୍ଦୋରରେ ସୋନମଙ୍କୁ ବିବାହ କରିଥିଲେ। ୨୦ ତାରିଖରେ ଏହି ଦମ୍ପତି ସେମାନଙ୍କ ହନିମୁନ ପାଇଁ ବାହାରିଥିଲେ, କିନ୍ତୁ ୨୩ ତାରିଖରେ ଉଭୟ ନିଖୋଜ ହୋଇଯାଇଥିଲେ। ଜୁନ୍ ୨ ତାରିଖରେ ରାଜାଙ୍କ ମୃତଦେହ ପୁଣି ଏକ ଗଭୀର ଖାତରୁ ମିଳିଥିଲା। ଜୁନ୍ ୯ ତାରିଖରେ ଶିଲଂ ପୋଲିସ ପ୍ରକାଶ କରିଥିଲା ​​ଯେ ସୋନମ ରଘୁବଂଶୀ ଓ ତାଙ୍କ ପ୍ରେମିକ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିଲେ। ସୋନମ ଓ ରାଜ ସମେତ ହତ୍ୟା ମାମଲାର ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ସେମାନଙ୍କର ଅପରାଧ ସ୍ୱୀକାର ମଧ୍ୟ କରିଛନ୍ତି। କିନ୍ତୁ ହତ୍ୟାର ପ୍ରକୃତ ଉଦ୍ଦେଶ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି ।

ରାଜା ରଘୁବଂଶୀଙ୍କ ପିତା ଅଶୋକ ରଘୁବଂଶୀ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ରାଜ ଶେଷକୃତ୍ୟ ପାଇଁ କଫନ ଆଣିଥିଲେ। ସେ କୁହନ୍ତି ଯେ ମୁଁ ତାଙ୍କୁ ହାତରେ କଫନ ଧରିଥିବାର ଦେଖିଲି। ସେ ହାତରେ କଫନ ଧରି ମୋ ପଛରେ ଠିଆ ହୋଇଥିଲେ। ମୁଁ ସେତେବେଳେ ଜାଣି ନଥିଲି ଯେ ସେ ମୋ ପୁଅର ହତ୍ୟାକାରୀ। ଅଶୋକ ରଘୁବଂଶୀଙ୍କ ଅନୁସାରେ, ଶେଷକୃତ୍ୟ ସମୟରେ ମଧ୍ୟ ରାଜ ସୋନମଙ୍କୁ ମୋବାଇଲରେ ଫୋନ୍ କରିଥିଲେ। ସେ ତାଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ସୂଚନା ଦେଉଥିଲେ। ରାଜା ରଘୁବଂଶୀଙ୍କ ମାଆ ଉମା ରଘୁବଂଶୀ ମଧ୍ୟ ସେହି ଦିନ ରାଜ କୁଶୱାହାଙ୍କ କାର୍ଯ୍ୟକଳାପ ବିଷୟରେ କହିଥିଲେ। ସେ କହିଛନ୍ତି ଯେ କଫନର ଧଳା କପଡା ତାଙ୍କ ହାତରେ ଥିଲା। ପରେ ଯେତେବେଳେ ମୁଁ ଭିଡିଓ ଦେଖିଲି, ମୁଁ ତାଙ୍କୁ ଚିହ୍ନିପାରିଲି।

ଘର ବାହାରେ ଶୋଇଥିବା ବେଳେ ଜଣଙ୍କୁ ଗଳା କାଟି ହତ୍ୟା

କଣ୍ଟାବାଞ୍ଜି : ଘର ବାହାରେ ଶୋଇଥିବା ବେଳେ ଜଣଙ୍କୁ ଗଳା କାଟି ହତ୍ୟା। ବଲାଙ୍ଗିର ଜିଲ୍ଲା ତୁରେକେଲା ଖୁଜେନ ଗାଁରେ ହତ୍ୟାକାଣ୍ଡ । ଜମିବାଡ଼ି ବିବାଦକୁ ନେଇ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଖୁଜେନ ଗାଁର ତୁଲାରାମ ଜାନି । ସେ ରାତିରେ ଘର ବାହାରେ ଶୋଇଥିବେଳେ ଗଳାକାଟିଥିଲେ ଦୁର୍ବୃତ୍ତ। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ  ପରିବାର ଲୋକେ ତୁରେକେଲା ମେଡିକାଲକୁ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଜମିବାଡ଼ି ବିବାଦକୁ ନେଇ ହତ୍ୟା କରିଥିବା ମୃତକଙ୍କ ଝିଅ କହିଛନ୍ତି। ହତ୍ୟା ଘଟଣାରେ ୪ ଜଣଙ୍କ ଅଟକ ରଖି ତଦନ୍ତ କରୁଛି ତୁରେକେଲା ପୋଲିସ ।

ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ : ପୁରୀ ଅଠରନଳା ସ୍ଥିତ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ରାସ୍ତାରୋକ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଚିକିତ୍ସା  ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ମୃତକ ହେଲେ ଚାରିନଳାର ୩୧ବର୍ଷୀୟା ପୂଜାରାଣୀ ଦଳେଇ। ସେ ଚିକିତ୍ସା ପାଇଁ ଅଠରନଳା ସ୍ଥିତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷ ଉପଯୁକ୍ତ ଚିକିତ୍ସା ଦେଇନଥିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ବାହାରିନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ନନ୍ଦିଘୋଷ ବ୍ୟୁରୋ : ବାହାରିନ୍ ଭାରତୀୟ ଦୁତାବାସ ଦ୍ୱାରା ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଏହି ଯୋଗ ଦିବସରେ ଓଡ଼ିଆ ସମାଜର ମହିଳା ସଦସ୍ୟ ଏବଂ ପିଲାମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଭାରତୀୟ ରାଜଦୂତ ଶ୍ରୀଯୁକ୍ତ ବିନୋଦ କେ ଜାକବ ଯୋଗ ଦେଇ ଯୋଗର ଉପକାରିତା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କ ସହ ମିଶି ଯୋଗ କରିଥିଲେ। ଯୋଗ ହେଉଛି ଏକ ପ୍ରାଚୀନ ଭାରତୀୟ ବ୍ୟାୟାମ, ଯାହା ଦ୍ୱାରା କୌଣସି ମଣିଷ ନିଜ ଜୀବନକୁ ଏକ ସକାରାତ୍ମକ ଢଙ୍ଗରେ ପରିବର୍ତ୍ତନ କରିପାରିବ ବୋଲି ବାହାରିନ ଓଡ଼ିଆ ସମାଜର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଦୃଢୋକ୍ତି ପ୍ରକାଶ କରିଥିଲେ । ଯୋଗ ଏକ ଅତ୍ୟନ୍ତ ସୂକ୍ଷ୍ମ ବିଜ୍ଞାନ ଯାହା  ସର୍ବଭାରତୀୟ ଚେତନା ମଧ୍ୟରେ ସମନ୍ୱୟ ଆଣିପାରେ ବୋଲି ସମାଜର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶାନ୍ତନୁ ସେନାପତି କହିଥିଲେ ।

ଇରାନ ଉପରେ ଆମେରିକାର ବଡ଼ ଧରଣର ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ :  ଇରାନ ଉପରେ ଆମେରିକାର ବଡ଼ ଧରଣର ଆକ୍ରମଣ। ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କରିଛି ଆମେରିକା। ବୋମାମାଡ଼ରେ ଫୋର୍ଡୋ, ନତାଞ୍ଜ ଓ ଇସଫାହାନ ପରମାଣୁ ଘାଟି ଧ୍ବଂସ ହୋଇଛି। ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନରେ ଇରାନ ଉପରେ ଆକ୍ରମଣ କରିଛି ଆମେରିକା। ଇରାନର ପରମାଣୁ କ୍ଷମତାକୁ ନଷ୍ଟ କରିବା ଲକ୍ଷ୍ୟରେ ରହିଛି ଆମେରିକା। ଇରାନ ଉପରେ ଆକ୍ରମଣ ନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। B-22 ବମ୍ବର ସହ F-22 ରାଫ୍ଟର ଯୋଗେ ଆକ୍ରମଣ ହୋଇଛି। ଆକ୍ରମଣରେ ୬ଟି ବଙ୍କର ବଷ୍ଟର ବ୍ୟବହାର କରାଯାଇଛି। ଟ୍ରମ୍ପ କହିଛନ୍ତି, ଏବେ ଶାନ୍ତିର ସମୟ ଆସିଛି। ଯଦି ଇରାନ ଯୁଦ୍ଧ ବନ୍ଦ ନକରେ, ତେବେ ଆଗକୁ ଆହୁରି ଜୋରଦାର ହେବ ଆକ୍ରମଣ। ଇରାନ ଉପରେ ଆକ୍ରମଣ ପରେ ଟ୍ରମ୍ପ ଓ ନେତାନ୍ୟାହୁଙ୍କ ମଧ୍ୟରେ ହୋଇଛି ଆଲୋଚନା। ନେତାନ୍ୟାହୁ କହିଛନ୍ତି, ଇରାନ ଉପରେ ଆକ୍ରମଣ କରି ସାହସିକତା ଦେଖାଇଛନ୍ତି ଟ୍ରମ୍ପ। ଶକ୍ତି ମାଧ୍ୟମରେ ଶାନ୍ତି ବୋଲି କହିଛନ୍ତି ନେତାନ୍ୟାହୁ।

ଆଜି ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦେବେ ସେବାୟତ

ପୁରୀ : ରାଜବୈଦ୍ୟଙ୍କ ଦଶମୂଳ ଔଷଧ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଆଜି ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦେବେ ସେବାୟତ । ଆଜି ରାଜପ୍ରାସାଦ ବିଜେ ନୀତି । ଦ୍ଵାଦଶୀ ତିଥି ଅବସରରେ ଏହି ନୀତି ସମାପନ କରିବେ ଦଇତାପତି ସେବାୟତ । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ଵାର ବନ୍ଦ କରାଯାଇ ବେହରଣ ଦ୍ଵାର ଫିଟାଇବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବାବେଳେ ଶ୍ରୀଜୀଉଙ୍କୁ ଶ୍ରୀବୈଦ୍ୟଙ୍କ ଦ୍ୱାରା ଦଶମୂଳକ ଔଷଧ ଲାଗି କରାଯାଇଥିଲା l ଔଷଦ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି  । ଏହି ଖବର ଗଜପତି ମହାରାଜଙ୍କୁ ସୂଚିତ କରିବା ସହିତ ଶ୍ରୀଜିଉଙ୍କ ଅନବସର ପ୍ରସାଦ ରୂପେ କରାଳ, ଚନ୍ଦନ ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀ ନଅରକୁ ବିଜେ କରାଯିବ । ପରେ ପହୁଡ଼ ଆଳତି ନୀତି ହେବା ପରେ ଦଇତାପତି ମାନେ ଘଣା ଲାଗି ନୀତି କରାଇବେ l

ଆଜି ହେବ ଚଳିତବର୍ଷ ରଥଯାତ୍ରାର ଶେଷ ରଥ ସମନ୍ବୟ ବୈଠକ

ପୁରୀ : ଆଜି ଅନୁଷ୍ଠିତ ହେବ ଚଳିତବର୍ଷ ରଥଯାତ୍ରାର ତୃତୀୟ ବା ଶେଷ ରଥ ସମନ୍ବୟ ବୈଠକ । ଦିନ ୧୧ଟାରେ ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେବ ବୈଠକ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଦ୍ୱିତୀୟ ରଥ ସମନ୍ୱୟ ବୈଠକ ଶେଷ ହୋଇଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଉପସ୍ଥାପନ କରିଥିଲେ । ଅନ୍ୟପଟେ ରଥନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ହୋଇପାରିବ, ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ତମାମ୍ ବ୍ୟବସ୍ଥାବଳୀ ଉପରେ ଆଜି ବୈଠକରେ ବିସ୍ତୃତ ଆଲୋଚନା ହେବ । ସେପଟେ ଦ୍ୱିତୀୟ ରଥ ସମନ୍ୱୟ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ନେଇ ହୋହଲ୍ଲା ହୋଇଥିବା ବେଳେ ସହରରେ ଘନଘନ ବିଦ୍ୟୁତକାଟ ସମସ୍ୟାକୁ ନେଇ ସରଗରମ ଆଲୋଚନା ହୋଇଥିଲା । ତେଣୁ ଏସବୁ ଭିତରେ ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ତେଣୁ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକ କେତେ ସକ୍ରିୟ ଅଛନ୍ତି ତାହାର ଆକ୍ସନ ପ୍ଲାନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦାଖଲ କରାଯିବ ।  ବୈଠକରେ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ଉପମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବେ ।

ଆଜି ହେବ ନବୀନ ପଟ୍ଟନାୟକଙ୍କ ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା

ଭୁବନେଶ୍ବର : ଆଜି ହେବ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା। ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ହେବ ଚିକିତ୍ସା। ନବୀନଙ୍କ ପାଇଁ ସାରା ରାଜ୍ଯରୁ ଆଶୁ ଆରୋଗ୍ଯ କାମନାର ସୁଅ ଛୁଟୁଛି। ବ୍ୟକ୍ତିଗତ ଚିକିତ୍ସକ ଡ.ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଚିକିତ୍ସା କରାଯିବ। ଦୀର୍ଘ ବର୍ଷର ଶାସନ ସମୟରେ ହେଉ କିମ୍ବା ବିରୋଧୀ ଦଳ ନେତା ଭାବେ ସବୁଠି ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରି ଆସୁଛନ୍ତି । ଆଧୁନିକ ଓଡି଼ଶାର ବିକାଶ ପୁରୁଷର ମାନ୍ୟତା ପାଇଛନ୍ତି । ତେଣୁ ନିଜର ପ୍ରିୟ ନେତାଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି ପ୍ରଶଂସକ। ଗତ ୨୦ ତାରିଖରେ ନବୀନ ଭୁବନେଶ୍ବର ଛାଡିବା ସମୟରେ ବହୁ ସଂଖ୍ଯାରେ ମହିଳା ଓ ବିଜେଡି ନେତା କର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସାରା ରାଜ୍ଯରେ ନବୀନଙ୍କ ଆରୋଗ୍ଯ କାମନା କରି ଦୀପଦାନ କରାଯାଉଛି। ବାଲେଶ୍ବରରୁ ଭୁବନେଶ୍ବର କଟକରୁ ବ୍ରହ୍ମପୁର ସବୁଠି ଚାଲିଛି ପ୍ରାର୍ଥନା ଓ ଆଶୁ ଆରୋଗ୍ୟ କାମନା ।  ଆଜି ଗଞ୍ଜାମ ହିଞ୍ଜିଳି ଶୈବପୀଠରେ ୧୦ ହଜାର ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା କାର୍ଯ୍ୟକ୍ରମ ରହିଛି । ୨୩ ତାରିଖରେ ଗଞ୍ଜାମ ଜିଲ୍ଲାର ସମସ୍ତ ପୂର୍ବତନ ସାଂସଦ ଓ ବିଧାୟକ ଜନ ପ୍ରତିନିଧି ଓ ବରିଷ୍ଠ ନେତା ମାନେ ଉପସ୍ଥିତ ରହି  ସମୂହ ପ୍ରାର୍ଥନା କରିବେ।  ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ବିଜୁ ଜନତା ଦଳ ପକ୍ଷରୁ ଦୀପଦାନ କରାଯାଇଥିଲା। ସେହିପରି କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ପୀଠରେ ୧୦୮ ଦୀପ ଦାନ କରାଯାଇଥିଲା।