spot_img
Home Blog Page 6352

ହାଥରସ୍‌ ଗଣଦୁଷ୍କର୍ମ ଘଟଣା: ଡରିବିନି କି ନଇଁବିନି କହିଲେ ରାହୁଲ…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଗଣଦୁଷ୍କର୍ମ ଘଟଣା ନେଇ ବଢୁଛି ରାଜନୈତିକ ପାରା । ଗାନ୍ଧି ଜୟନ୍ତୀ ଅବସରରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ । ସେ କାହାକୁ ଡରିବେନି କି ଅନ୍ୟାୟ ଆଗରେ ନଇଁବେନି ବୋଲି ରାହୁଲ ଟ୍ୱିଟ୍ କରିଛନ୍ତି ।

ଗତକାଲି ହାଥ୍‌ରସ ଘଟଣାକୁ ନେଇ ରାଜନୈତିକ ଘମାସନ ଦେଖିବାକୁ ମିଳିଥିଲା । ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ହାଥରସ ଯାଉଥିଲେ । ତେବେ ପୋଲିସ ଅଟକାଇବାରୁ ଗ୍ରେଟର ନୋଏଡା ଆଗକୁ ବଢିପାରିନଥିଲେ । ଏହାପରେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ କଂଗ୍ରେସର ୨ଶହରୁ ଅଧିକ ନେତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି ।

Video Of Hathras DM And Victim Father Goes Viral

ଗୁରୁବାର କଂଗ୍ରେସର ବିରୋଧ ପ୍ରଦର୍ଶନ ପରେ ହାଥରସରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି । ପୀଡ଼ିତାଙ୍କ ଗାଁକୁ ସମସ୍ତ ରାସ୍ତା ସିଲ୍ କରାଯାଇଛି । ଶହ ଶହ ପୋଲିସ କର୍ମଚାରୀ ମୁତୟନ ଅଛନ୍ତି । ସେପଟେ ଆହ୍ଲାବାଦ ହାଇକୋର୍ଟ ଯୋଗୀ ସରକାର, ହାଥରସ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ୍ ଜାରି କରିଛନ୍ତି ।

ନୋଟିସ୍‌ କରାଯିବା ଘଟଣାକୁ ସ୍ୱାଗତ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପୂରା ଦେଶ ହାଥରସ ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗୁଛି । ଏଭଳି ସ୍ଥିତିରେ ହାଇକୋର୍ଟଙ୍କ ଆଦେଶ ଆଶାର କିରଣ ଆଣିଛି ବୋଲି ପ୍ରିୟଙ୍କା କହିଛନ୍ତି । ତେବେ ପ୍ରଶ୍ନ ଘେରରେ ରହିଛି ହାଥରସ୍‌ ଜିଲ୍ଲାପାଳଙ୍କ ଭୂମିକା । ପୀଡ଼ିତାଙ୍କ ପରିବାରକୁ ସେ ଧମକାଇଥିବା ଅଭିଯୋଗ ହୋଇଛି ।

ଆଜି ସ୍ମାଇଲ୍‌ ଡେ’ ! କେମିତି ଆରମ୍ଭ ହୋଇଥିଲା ଏହି ଦିନ ? ଜାଣନ୍ତୁ…

ହସ, ଇଶ୍ୱରଙ୍କ ଅବଦାନ ବୋଲି କୁହାଯାଏ । ଛୋଟ ପିଲାଟିର କଅଁଳ ଓଠରେ ହସ ଟିକେ ହେଉ କି ବୟସ୍କଙ୍କ ମୁହଁରେ, ଏହା ସମସ୍ତଙ୍କୁ ଆନନ୍ଦ ଆଣିଦିଏ । ଅନେକ ଦୁଃଖକଷ୍ଟ ଜୀବନ ଯନ୍ତ୍ରଣା ଭିତରେ ଏଇ ହସ ଟିକିଏ ପାଇଁ ସମସ୍ତେ ଚାହିଁଥାନ୍ତି । ହସର ମାଧୁର୍ଯ୍ୟ ଅନେକଙ୍କ ପାଇଁ ଖୁସି ଆଣିଦେଇଥିବା ବେଳେ ନିଜ ସ୍ୱାସ୍ଥ୍ୟ ପାଇଁ ଏହା ବହୁ ଉପକାରୀ ଭାବେ ବିବେଚିତ ହୋଇଥାଏ । ଏମିତିକି ସୁସ୍ୱାସ୍ଥ୍ୟ, ସୁସ୍ଥ ମାନସିକତା ପାଇଁ ହସର ଆବଶ୍ୟକତା ଉପରେ ଚିକିତ୍ସକ ତଥା ସାଧୁସନ୍ଥମାନେ ସର୍ବଦା ପରାମର୍ଶ ଦେଇଆସିଛନ୍ତି ।

Smile

୧୯୯୯ ମସିହାରୁ ପ୍ରତିବର୍ଷ ଅକ୍ଟୋବର ପ୍ରଥମ ଶୁକ୍ରବାର ଦିନଟିକୁ “ସ୍ମାଇଲ୍‌ ଡ଼େ” ଭାବେ ପାଳନ କରାଯାଉଛି । ଏହି ଦିବସର ଆରମ୍ଭ କରିଥିଲେ ହାରୱେ ବଲ । ବହୁତ ଖୁସି ହେଲା ପରେ ନିଜର ଖୁସିକୁ ସ୍ମାଇଲ୍‌ ଚିତ୍ର ମାଧ୍ୟମରେ ସାଙ୍ଗସାଥିଙ୍କୁ ପଠେଇ ଖୁସି ବ୍ୟକ୍ତ କରାଯାଇଥାଏ । ବର୍ଷରେ ଗୋଟିଏ ଦିନକୁ ସ୍ମାଇଲ ଦିବସ ଭାବେ ସମର୍ପିତ କରିବା ପାଇଁ ଏହାର ପରିକଳ୍ପନା ହୋଇଥିଲା ।

Smile

ଜୀବନ କାଳରେ ପ୍ରତ୍ୟେକ ମଣିଷ ଖୁସିରେ ରହିବାକୁ ଚାହାଁନ୍ତି । କେହିକେହି ସବୁବେଳେ ଖୁସି ରହିବାକୁ ନିଜେ ଅଭ୍ୟାସ ମଧ୍ୟ କରିଥାନ୍ତି । ତେବେ ମାନସିକ ସ୍ତରରେ ଖୁସି ରହିବା ପାଇଁ କେହିକେହି ପୂଜାପାଠ ପୁସ୍ତକ ଅଧ୍ୟୟନ, ପର୍ଯ୍ୟଟନ, ସାଙ୍ଗସାଥିଙ୍କ ସହ ଉତ୍ତମ ସମ୍ପର୍କକୁ ଆଦରି ନେଇଥାନ୍ତି । ମାନସିକ ସ୍ତରରେ ଖୁସି ରହିଲେ ଶାରିରୀକ ସ୍ତରରେ ସୁସ୍ଥ ରହି ହେବ, ଏହା ବିଭିନ୍ନ ସ୍ତରରେ ମତ ପ୍ରକାଶ ପାଇଛି । ନିଜେ ଖୁସି ରହିବା ସହ ଅନ୍ୟମାନଙ୍କୁ ଖୁସି ରଖିବା ଦାୟୀତ୍ୱ ଆମ ସମସ୍ତଙ୍କର ।

Smile

ଗାନ୍ଧିଜୀଙ୍କୁ କେମିତି ମିଳିଥିଲା ବାପୁଜୀ ଆଖ୍ୟା ? କ’ଣ ଥିଲା ତାଙ୍କ ଜୀବନୀ…

ନନ୍ଦିଘୋଷ ବ୍ୟୁରୋ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ମହାତ୍ମ ଗାନ୍ଧୀ ଥିଲେ ଅନେକଙ୍କ ଭିତରେ ଜଣେ । କୋଟି କୋଟି ଭାରତୀୟଙ୍କର ପ୍ରିୟ ନେତା । ସମୃଗ୍ର ବିଶ୍ୱକୁ ଅହିଂସା ଓ ସତ୍ୟର ବାର୍ତ୍ତା ଦେଇଥିବା ବିଶିଷ୍ଟ ସତ୍ୟାଗ୍ରହୀ ହେଉଛନ୍ତି ଶତାବ୍ଦୀର ଶ୍ରେଷ୍ଠ ପୁରୁଷ, ମହାନ୍‌ ଚିନ୍ତାନାୟକ, ଦେଶବାସୀଙ୍କର ପ୍ରିୟ ବାପୁଜୀ-ମହାତ୍ମାଗାନ୍ଧୀ ।

Gandhi Jayanti 2020 How Mahatma Gandhi Celebrate His Birthday

ଏହି ବିଶିଷ୍ଟ ଜନନାୟକ, ଜାତିର ପିତା ମହାତ୍ମାଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୦୨ ତାରିଖରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ମୋହନ ଦାସ କରମଚାନ୍ଦ ଗାନ୍ଧୀ । ପିତାଙ୍କର ନାମ ଥିଲା କରମଚାନ୍ଦ ଗାନ୍ଧୀ । ମାତାଙ୍କ ନାମ ଥିଲା ପୁତୁଲି ବାଇ । ମୋହନ ଦାସ ଥିଲେ ପିତାମାତାଙ୍କର ଷଷ୍ଠ ତଥା ସର୍ବକନିଷ୍ଠ ସନ୍ତାନ ।

Gandhi Jayanti 2020 How Mahatma Gandhi Celebrate His Birthday

ମାଟ୍ରିକ୍‌ ପାସ କଲାପରେ ସେ ୧୮୮୮ ମସିହାରେ ବିଲାତ ଯାତ୍ରା କରିଥିଲେ । ସେ ତିନି ବର୍ଷ ପରେ ବାରିଷ୍ଟରି ପାସ୍ କରି ଆଇନ୍‌ ବ୍ୟବସାୟରେ ମନୋନିବେଶ କରିଥିଲେ । ୧୮୯୩ରେ ଗାନ୍ଧୀ ଦକ୍ଷିଣ ଆଫ୍ରିକା ଯାଇଥିଲେ । ସେଠାରେ ଥିବା ଭାରତୀୟ ଲୋକମାନେ ଗୋରା ଲୋକମାନଙ୍କ ଦ୍ଵାରା ଅତ୍ୟାଚାରର ଶିକାର ହେଉଥିଲେ । ଅନ୍ୟାୟର ପ୍ରତିରୋଧ କରିବା ପାଇଁ ସେ ସେଠାରେ ସ୍ୱର ଉତ୍ତୋଳନ କରିଥିଲେ । ଏହି ଅନ୍ୟାୟର ପ୍ରତିବାଦ କରି ଗାନ୍ଧିଜୀ ସତ୍ୟାଗ୍ରହ ଆନ୍ଦୋଳନ ମଧ୍ୟ କରିଥିଲେ ।

ରାଜନୈତିକ ଗୁରୁ ଗୋପାଳକୃଷ୍ଣ ଗୋଖଲେଙ୍କ ପରାମର୍ଶକ୍ରମେ ଗାନ୍ଧିଜୀ ୧୯୧୫ରେ ଭାରତକୁ ଫେରିଆସି ସ୍ୱାଧିନତା ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ୧୯୧୭ ମସିହାରେ ସାବରମତୀ ନଦୀ କୂଳରେ ଆଶ୍ରମ ସ୍ଥାପନ କଲେ । ଏହିଠାରୁ ଗାନ୍ଧିଜୀ ସ୍ୱାଧିନତା ପାଇଁ ଅହିଂସା ମାର୍ଗରେ ଅସହଯୋଗ ଆନ୍ଦୋଳନ ଓ ପଦଯାତ୍ରା ଆରମ୍ଭ କରିଥିଲେ । ସାବରମତୀ ଆଶ୍ରମରେ ନିଜେ ସୂତା କାଟିଲେ ଓ ସଂଘ ଗଠନ କରି ସୂତା କାଟି ପିନ୍ଧିବା ଓ କୁଟି ଖାଇବା ପାଇଁ ବୁଲିବୁଲି ଲୋକଙ୍କୁ ବୁଝେଇଲେ । ରବୀନ୍ଦ୍ର ନାଥ ଠାକୁର ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱରେ ମୁଗ୍‌ଧ ହୋଇ ତାଙ୍କୁ ମହାତ୍ମା ଭାବରେ ସମ୍ବୋଧନ କରିଥିଲେ ।

Gandhi Jayanti 2020 How Mahatma Gandhi Celebrate His Birthday

୧୯୨୦-୨୧ରେ ଅସହଯୋଗ ଆନ୍ଦୋଳନର ନେତୃତ୍ୱ ନେଇ ଗାନ୍ଧିଜୀ କାରାବରଣ କରିଥିଲେ । ଏହାପରେ ଆଇନ୍‌ ଅମାନ୍ୟ ଆନ୍ଦୋଳନ ଓ ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦେଇ ଇଂରେଜ ସରକାର ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର କରିଥିଲେ । ମହାତ୍ମାଙ୍କ ଡାକରାରେ ସାରା ଦେଶ ହୋଇଥିଲା ଏକାଠି । ପରିଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱଧିନତା ଲାଭ କଲା । ସତ୍ୟ ଓ ଅହିଂସା ବଳରେ ଦୀର୍ଘ ୩୦୦ ବର୍ଷରୁ ଅଧିକ ଦିନ ପରାଧିନ ରଖିଥିବା ଗୋରା ସରକାରଙ୍କୁ ବିତାଡ଼ିତ କରିବାରେ ଗାନ୍ଧିଜୀ ସକ୍ଷମ ହୋଇଥିଲେ । ୧୯୪୮ ଜାନୁଆରୀ ୩୦ରେ ଏହି ମହାନ ଜନନାୟକଙ୍କ ମୃତ୍ୟୁ ହୋଇଥିଲା ।

Gandhi Jayanti 2020 How Mahatma Gandhi Celebrate His Birthday

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି କରୋନା ସଂକ୍ରମିତ

ଓ୍ୱାସିଂଟନ: ଯୁକ୍ତ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ଚିହ୍ନଟ । ତାଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଏ ନେଇ  ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଟ୍ରମ୍ପ । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେ ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ଏବଂ ସୁସ୍ଥ ହେବ ନେଇ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଟ୍ରମ୍ପ । ପୂର୍ବରୁ ଟ୍ରମ୍ପଙ୍କ ନିକଟତମ ଉପଦେଷ୍ଟା ହୋପ୍ ହକ୍ସ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଟ୍ରମ୍ପଙ୍କ ସହ ଏୟାର ଫୋର୍ସର ବିମାନରେ ଯାତ୍ରା କରିଥିଲେ । ଏଥିସହିତ ହ୍ୱାଇଟ୍ ହାଉସର କିଛି ଶୀର୍ଷ ଅଫିସର ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେମାନଙ୍କ ଠାରୁ ଟ୍ରମ୍ପ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।  ତେବେ ଟ୍ରମ୍ପଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ କହିବା ହେଲା ଯେ, ଟ୍ରମ୍ପ ଏବେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି, ଏବଂ ସାମାଜିକ ଦୂରତ୍ୱ ରକ୍ଷା ସହ ବିନା କୌଣସି ବାଧାରେ ସେ ନିଜ କାର୍ଯ୍ୟ କରିପାରିବେ । ଅପରପକ୍ଷରେ ଆମେରିକୀୟ ରୋଗ ନିରାକରଣ ଓ ନିୟନ୍ତ୍ରଣ କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ୧୪ ଦିନ ଯାଏଁ ପୃଥକବାସରେ ରହିବାକୁ ପଡ଼ିଥାଏ । ଅର୍ଥାତ ଆସନ୍ତା ୧୫ ତାରିଖ ଯାଏଁ କ୍ୱାରେଣ୍ଟାଇନ୍‌ରେ ରହିବେ ଟ୍ରମ୍ପ । ଆଉ ଏହାର ଠିକ୍ ପର ଦିନ ରାଷ୍ଟ୍ରପତି ନିର୍ବାଚନ ନେଇ ଦ୍ୱିତୀୟ ବିତର୍କରେ ଭାଗ ନେବେ ।

 

ସବ୍ କଣ୍ଟ୍ରାକ୍ଟରଙ୍କୁ ଠକୁଛି IOCL ! ବର୍ଷେ ହେଲା ଦେଉ ନାହିଁ ଟଙ୍କା

ପାରାଦୀପ: ଆଇଓସିଏଲରୁ ବର୍ଷେ ହେଲା ଟଙ୍କା ପାଉ ନାହାନ୍ତି ସବ୍ କଣ୍ଟ୍ରାକ୍ଟର । ୩୨ କଣ୍ଟ୍ରାକ୍ଟରଙ୍କର ୧୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବାକି ପଡିଛି ଆଇଓସିଏଲ ଉପରେ । କରୋନା ବା କୋଭିଡ୍‌-୧୯ର ପ୍ରଭାବ ସମସ୍ତ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିବା ବେଳେ ଆଇଓସିଏଲ କର୍ତୃପକ୍ଷଙ୍କ ମନମୁଖୀ ଓ ଦାୟିତ୍ୱହୀନତା ଯୋଗୁଁ ଦୁର୍ଦିନରେ ସବ କଣ୍ଟ୍ରାକ୍ଟର ।

ଏହି ଠିକାଦାର ମାନେ ଆଇଓସିଏଲ୍‌ରେ ଟେଣ୍ଡର ପାଇଥିବା ପୁଞ୍ଜିଲୋଏଡ ଠିକାସସ୍ଥା ଅଧିନରେ ଠିକାଦାରୀ କରୁଥିଲେ । ଏହି ଟଙ୍କା ଦେବାକୁ ଠିକା ସଂସ୍ଥା ବିଳମ୍ବ କରିବାରୁ ଆଇଓସିଏଲ୍‌ କର୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ଏହି ୩୨ ଠିକାଦାରଙ୍କୁ ଆଇଓସିଏଲ ପେମେଣ୍ଟ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ କର୍ତୃପକ୍ଷ । ଏପରିକି ଦୁଇବର୍ଷ ପର୍ଯ୍ୟନ୍ତ ଆଇଓସିଏଲ୍‌ ଏମାନଙ୍କୁ ପେମେଣ୍ଟ କରିଆସୁଥିଲା ।

ମାତ୍ର ଗତ ବର୍ଷେ ହେଲା ଆଇଓସିଏଲ ଟଙ୍କା ଦେଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରି ନାହିଁ । ତେଣୁ ବାଧ୍ୟ ହୋଇ ୫ ତାରିଖ ମଧ୍ୟରେ ଟଙ୍କା ନ ମିଳିଲେ ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେବାକୁ ସେମାନେ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଏସ୍‌ପିଙ୍କୁ ଅବଗତ କରାଯାଇଥିବା ଠିକାଦାର ମାନଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଘାଟରେ ଜାତିର ପିତାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ଗାନ୍ଧୀ ଜୟନ୍ତୀ । ୧୮୬୯ ଅକ୍ଟୋବର ୨ ତାରିଖରେ ଗୁଜରାଟର ପୋରବନ୍ଦରରେ ଜନ୍ମ ନେଇଥିଲେ ଜାତୀର ଜନକ ମହାତ୍ମା ଗାନ୍ଧୀ । ଆଜି ସାରା ଦେଶ ତାଙ୍କର ୧୫୧ ତମ ଜୟନ୍ତୀ ପାଳୁଛି । ରାଜଘାଟ ଯାଇ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାନ୍ଧୀଙ୍କ ଜୀବନରୁ ଅନେକ କିଛି ଶିଖିବାର ଅଛି । ବାପୁଙ୍କ ଆଦର୍ଶ ଆମକୁ ସମୃଦ୍ଧ କରିବା ସହ ବିକଶିତ ଭାରତ ନିର୍ମାଣ ପାଇଁ ମାର୍ଗଦର୍ଶନ କରିବ ବୋଲି ମୋଦି ଟ୍ୱିଟ୍ କରିଛନ୍ତି ।

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କର ବି ଆଜି ଜନ୍ମଦିନ । ବିଜୟଘାଟରେ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ମୋଦି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଗାନ୍ଧୀ ଜୟନ୍ତୀରେ ବାପୁଙ୍କୁ ନମନ କରିଛନ୍ତି । ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ପ୍ରେମ ସମାଜରେ ସୌହାର୍ଦ୍ଦ୍ୟ ସଞ୍ଚାର କରୁଛି । ଗାନ୍ଧିଜୀଙ୍କ ନୀତି ଆଦର୍ଶ ବିଶ୍ୱ କଲ୍ୟାଣର ମାର୍ଗକୁ ପ୍ରଶସ୍ତ କରୁଛି ବୋଲି ରାଷ୍ଟ୍ରପତି ଟ୍ୱିଟ୍ କରିଛନ୍ତି । ସେହିଭଳି ଗାନ୍ଧୀ ଜୟନ୍ତ୍ରୀ ଅବସରରେ ସାରା ରାଜ୍ୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବିଶିଷ୍ଟ ନେତା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ରାଜଘାଟ ପହଞ୍ଚି ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ସ୍ତ୍ରୀର କାନଫୁଲ ବିକି ଲଢ଼ିଥିଲେ ନିର୍ବାଚନ, ତିନିଥର ସାଂସଦ ହେବା ପରେ ହତ୍ୟା କରିଥିଲେ ଦୁର୍ବୃତ୍ତ…

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ବିହାରର ରାଜନେତା ମାନେ ବିବାଦ ଭିତରେ ରହିଥାନ୍ତି । ନେତାଙ୍କ କଳାକାରନାମା ଯୋଗୁଁ ବିହାର ରାଜନୀତି ସବୁ ବେଳେ ଚର୍ଚ୍ଚାରେ ଥାଏ । ବିହାରର ନେତାମାନେ କେତେବେଳେ ବାହୁ ବଳ ଦେଖାଇ ତ କେତେବେଳେ ବିଭିନ୍ନ ସ୍କାମ୍ ଓ ଦୁର୍ନୀତିକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ପଦପଦବୀ ଓ ରୁବାବ୍‌ ଦେଖାଇବା ପାଇଁ ନେତାମନେ କିଛି ବ କରିବାକୁ ପଛାନ୍ତି ନାହିଁ । ଏବେ ପୁଣି ପାଖେଇ ଆସୁଛି ବିହାର ନିର୍ବାଚନ । ତେବେ ଏଭଳି ସମୟରେ ଆମେ ମନେ ପକେଇବା ବିହାରର ସେହି ଦିବଙ୍ଗତ ନେତା ଇଶ୍ୱର ଚୌଧରୀଙ୍କ କଥା ।

Iswar Choudhry

ବିହାରରେ ମଧ୍ୟ ଏଭଳି କିଛି ନେତା ଅଛନ୍ତି ଯାହା କଥା ଶୁଣିଲେ ଆଖିରୁ ଲୁହ ଆସିଯିବ ।‌ ଯେ କେହି ବି ସେହି ନେତାଙ୍କ କାହାଣୀ ଶୁଣିବେ ସେମାନେ ସ୍ତବ୍ଧ ହୋଇଯିବେ । ଆମେ କହୁଛୁ ୧୯୭୧ ମସିହାର କଥା । ସେହି ସମୟର ଜଣେ ରାଜନେତା ଥିଲେ ଇଶ୍ୱର ଚୌଧୁରୀ । ଯାହାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ନିଜେ ଚାନ୍ଦା କରି ନିର୍ବାଚନ ଲଢ଼ିବାକୁ ପ୍ରୋତ୍ସାହିତ କରିଥିଲେ । ଆଉ ତାଙ୍କୁ ଜିତାଇଥିଲେ ମଧ୍ୟ । ସେହି ସମୟରେ ନେତାମାନେ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ଓ ଜନସେବା ଗୁଣ ବଳରେ ନିର୍ବାଚନୀ ମଇଦାନକୁ ଓହ୍ଲାଉଥିଲେ ।

Iswar Choudhry

ଇଶ୍ୱର ଚୌଧୁରୀ ଯେତେବେଳେ ଜନସଂଘ ଟିକଟରୁ ନିର୍ବାଚନ ମଇଦାନକୁ ଓହ୍ଲାଇଲେ, ସେତେବେଳେ ବିପକ୍ଷରେ ବିହାର ରାଜନୀତିର ପାଓ୍ୱାରଫୁଲ୍‌ ଲିଡର ବୋଲାଉଥିବା ଜଗ୍‌ଜୀବନ ରାମ୍‌ଙ୍କ ପୁଅ ସୁରେଶ ରାମ୍ କଂଗ୍ରେସ ଟିକଟରେ‌ ମଇଦାନକୁ ଓହ୍ଲାଇଥିଲେ । ସୁରେଶ ରାମ୍‌ଙ୍କୁ ହରାଇ ଇଶ୍ୱର ଚୌଧୁରୀ ବିଜୟ ହୋଇଥିଲେ ।

ସେହି ସମୟରେ ସୁରେଶ ରାମ୍‌ଙ୍କ ଆଧିପତି ଓ ପାଓ୍ୱାର ଆଗରେ ଇଶ୍ୱର ଚୌଧୁରୀ ନିମିତମାତ୍ର ବୋଲି କହିଲେ ଚଳେ । ସୁରେଶଙ୍କ ପାଖରେ ନିର୍ବାଚନ ପ୍ରଚାର ପାଇଁ ଗାଡ଼ି ଘୋଡ଼ାର ଲମ୍ବା ଲାଇନ୍‌ ଲାଗୁଥିବା ବେଳେ ଇଶ୍ୱରଙ୍କ ପାଖରେ ଗାଡ଼ି ତ ଦୂରର କଥା ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଟଙ୍କା ମଧ୍ୟ ନଥିଲା ।

Iswar Choudhry

କାର୍ଯ୍ୟକର୍ତ୍ତାଙ୍କ ଜିଦ୍‌ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ

ଇଶ୍ୱରଙ୍କ ପାଖରେ ନାମାଙ୍କନ ଦାଖଲ କରିବା ପାଇଁ ଟଙ୍କା ନଥିବା ବେଳେ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରବର୍ତ୍ତାଇଥିଲେ । ଯେଉଁଥିପାଇଁ ସେ ତାଙ୍କ ପତ୍ନୀ ନାଗିଆ ଦେବୀଙ୍କ କାନଫୁଲ ବିକ୍ରି କରି ଟଙ୍କା ଯୋଗାଡ଼ କରିଥିଲେ । ପରେ କାର୍ଯ୍ୟକର୍ତ୍ତାମାନେ ଚାନ୍ଦା କରି ୨୭ ହଜାର ଟଙ୍କା ସଂଗ୍ରହ କରିଥିଲେ । ସେହିମାନଙ୍କ ଭରସାରେ ହିଁ ଇଶ୍ୱର ନିର୍ବାଚନ ବୈତରଣୀକୁ ଓହ୍ଲାଇଥିଲେ ।

ଜନ ସଂଘର ଜଣେ ନେତା କହିଛନ୍ତି ଯେ, ସେହି ସମୟରେ ଜନ ସଂଘ ପାଇଁ ହାଓ୍ୱା ଚାଲିଥିଲା । ଯେଉଁଥିପାଇଁ କିଛି ଲୋକ ସୁରେଶ ରାମଙ୍କ କାର ପଛରେ ପତାକା ଧରି ବାହାରୁଥିଲେ ସତ ହେଲେ କିଛି ବାଟ ଗଲା ପରେ ସେମାନେ ଇଶ୍ୱରଙ୍କ ପାଇଁ ଭୋଟ ଭିକ୍ଷା କରୁଥିଲେ । ଲୋକଙ୍କ ଏହି ସମର୍ଥନ ଯୋଗୁଁ ଇଶ୍ୱର ଚୌଧୁରୀ ଏକ ବଡ଼ ବିଜୟ ହାସଲ କରିଥିଲେ ଏବଂ ସଂସଦରେ ପହଞ୍ଚିଥିଲେ ।

ତିନିଥର ସାଂସଦ

୧୯୭୧ ନିର୍ବାଚନ ​​ଜିତିବା ପରେ ଇଶ୍ୱର ଚୌଧୁରୀ ନିଜର ସରଳ ଏବଂ ନମ୍ର ଭାବମୂର୍ତ୍ତି ଯୋଗୁଁ ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଯାହା ଫଳରେ ଜନସଂଘ ୧୯୭୭ରେ ଜନତା ପାର୍ଟିରେ ବିଲୟ ହୋଇଥିଲେ ମଧ୍ୟ ସେହି ଜନତା ପାର୍ଟିରୁ ଲଢ଼ି  ଇଶ୍ୱର ବିଜୟ ହୋଇଥିଲେ । ସେହି ନିର୍ବାଚନରେ ଇଶ୍ୱର କଂଗ୍ରେସ ଦଳର ମିଶ୍ରୀ ସଦାଙ୍କୁ ପରାଜିତ କରିଥିଲେ । ଏହାପରେ ଦୁଇ ଦୁଇ ଥର ଇଶ୍ୱରଙ୍କୁ ନିର୍ବାଚନୀ ମଇଦାନରେ ପରାଜୟ ବରଣ କରିବାକୁ ପଡ଼ିଥିଲା । ହେଲେ ୧୯୮୯ରେ ସେ ପୁଣି ଭାଜପା ଟିକଟରୁ ଲଢ଼ି କଂଗ୍ରେସର ରାମସ୍ୱରୂପ ରାମଙ୍କୁ ପରାଜିତ କରିଥିଲେ । କିନ୍ତୁ ସରକାର ଭାଙ୍ଗିଗଲା ଓ ୧୯୯୧ରେ ଅନ୍ତରୀଣ ନିର୍ବାଚନ ହେଲା ।

ଇଶ୍ୱରଙ୍କୁ ହତ୍ୟା କରିଦିଆଗଲା 

ଇଶ୍ୱର ଚୌଧୁରୀ ଅନ୍ତରୀଣ ନିର୍ବାଚନର ପ୍ରଚାର କରୁଥିଲେ । ୧୫ ମେ’ ୧୯୯୧ରେ ସେ କୋଞ୍ଚରେ ପ୍ରଚାର କରିବାକୁ ଯାଇଥିଲେ । କୋଞ୍ଚର କଠୌତିୟାର ଏକ ଯାଗାରେ ସେ ନିଜ ଗାଡ଼ିକୁ ଅଟକାଇ ଶୌଚ କରିବାକୁ ବାହାରିଥିଲେ, ସେହି ସମୟରେ ତାଙ୍କ ଉପରକୁ ଗୁଳି ବର୍ଷା କରାଯାଇଥିଲା । ଯେଉଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗାନ୍ଧି ଜୟନ୍ତୀରୁ ବିଜେଡିର ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଆଜି ଗାନ୍ଧି ଜୟନ୍ତୀ । ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜରାଟର ପୋରବନ୍ଦରରେ ଜନ୍ମ ନେଇଥିଲେ ଜାତୀର ଜନକ ମହାତ୍ମା ଗାନ୍ଧି । ଆଜି ସାରା ଦେଶ ତାଙ୍କର ୧୫୧ ତମ ଜୟନ୍ତୀ ପାଳୁନ କରୁଛି । ଏଥିପାଇଁ ଭୁବନେଶ୍ୱର କଟକ ସମେତ ସାରା ରାଜ୍ୟରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କଟକର ସ୍ୱରାଜ୍‌ ଆଶ୍ରମରେ ଗାନ୍ଧିଙ୍କ ଜନ୍ମ ତିଥି ପାଳନ ପାଇଁ ବିଶେଷ ଆୟୋଜନ ହୋଇଛି । ତେବେ କୋଭିଡ କଟକଣା ଭିତରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ରାଜ୍ୟବାସୀ ।

ଅନ୍ୟପଟେ ଗାନ୍ଧୀ ଜୟନ୍ତୀ ଅବସରରେ ଆଜିଠୁ ବିଜେଡିର ରାଜ୍ୟବ୍ୟାପୀ ଜନ ସଚେତନତା ଅଭିଯାନ ଆରମ୍ଭ ହେଉଛି । ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ । ଏନେଇ ସମସ୍ତ ସାଂସଦ, ବିଧାୟକ ଓ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।  ମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ଲେଖିଛନ୍ତି ଯେ, ୨୦ ବର୍ଷ ଧରି ବିଜେଡି ରାଜ୍ୟବାସୀଙ୍କ ସୁଖଦୁଃଖର ସାଥି ହୋଇରହିଛି ।

କରୋନା ମହାମାରୀର ମାସ୍କ ହିଁ ସୁରକ୍ଷା କବଚ । ଏଣୁ ପ୍ରତି ପଞ୍ଚାୟତରେ ଗ୍ରାମବାସୀଙ୍କୁ ମାସ୍କ ବାଣ୍ଟିବେ ବିଜେଡି କର୍ମକର୍ତ୍ତା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଚେତନ କରାଯିବ । ଟେଷ୍ଟିଂରେ ସହଯୋଗ କରି ଚିକିତ୍ସା କରାଇବାକୁ ସଚେତନ କରାଇବା ସହ କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରାଯିବ । ପ୍ଲାଜ୍‌ମା ଦାନର ମହାନତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ନିଜ ନିର୍ବାଚନ ମଣ୍ଡଳୀରେ ‘ଓଡ଼ିଶା ମୋ ପରିବାର’ ସହ ସାମିଲ ହୁଅନ୍ତୁ । ଓଡ଼ିଶାବାସୀଙ୍କ ପାଇଁ ଉତ୍ତର ଦାୟିତ୍ୱ ନିର୍ବାହ କରିବ ବିଜେଡି । କରୋନା ବିରୋଧରେ ସଂଗ୍ରାମ ଜାରି ରହିବ, ଓଡ଼ିଶା ଜିତିବ । ଏହି ମନ୍ତ୍ର ନେଇ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗାନ୍ଧି ଜୟନ୍ତୀ: ଜାଣନ୍ତୁ ନିଜ ଜନ୍ମଦିନ ୨ ଅକ୍ଟୋବରକୁ କଣ କରୁଥିଲେ ବାପୁ…

ନୂଆଦିଲ୍ଲୀ: ଆଜି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୦୨ ତମ ଜୟନ୍ତୀ । ଏହି ଅବସରରେ ସରକାର ଓ ଗାନ୍ଧିବାଦୀ ସଂସ୍ଥା ପକ୍ଷରୁ କେତକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସଫେଇରୁ ନେଇ ଅହିଂସା ଯାଏଁ ଲୋକ ଅଲଗା ଅଲଗା ପ୍ରକାରେ ବାପୁଙ୍କୁ ମନେ ପକାଉଛନ୍ତି । କଣ ଆପଣ ଜାଣନ୍ତି ନିଜ ଜନ୍ମଦିନରେ ଗାନ୍ଧି କଣ କରୁଥିଲେ, କିପରି ଜନ୍ମଦିନ ପାଳୁଥିଲେ ଗାନ୍ଧିଜୀ ।

Gandhi Jayanti 2020 How Mahatma Gandhi Celebrate His Birthday

ଗାନ୍ଧିବାଦୀ ରାମଚନ୍ଦ୍ରଙ୍କ ଅନୁସାରେ, ଗାନ୍ଧିଜୀ ଜନ୍ମଦିନ ପାଳୁ ନଥିଲେ । କିନ୍ତୁ ଲୋକ ତାଙ୍କ ଜନ୍ମଦିନ ପାଳନ କରୁଥିଲେ । ସେ ଗାନ୍ଧିଜୀଙ୍କ ୧୦୦ ବର୍ଷ ପୁରୁଣା କଥାକୁ ମନେ ପକାଇ କୁହନ୍ତି- ଆଜିଠୁ ୧୦୨ ବର୍ଷ ତଳେ ୧୯୧୮ ମସିହାରେ ଗାନ୍ଧିଜୀଙ୍କ ଜନ୍ମଦିନ ପାଳନ କରୁଥିବା ଲୋକଙ୍କୁ ବାପୁ କହିଥିଲେ ‘ମୋ ମୃତ୍ୟୁ ପରେ ଜଣାପଡ଼ିବ ମୋ ଜନ୍ମଦିନ ପାଳନ ଯୋଗ୍ୟ କି ନୁହେଁ ।’

Gandhi Jayanti 2020 How Mahatma Gandhi Celebrate His Birthday

ଜନ୍ମଦିନରେ କଣ କରୁଥିଲେ ବାପୁ ?

ଦେଶରେ ଥିବା ଗାନ୍ଧିବାଦୀ ସଂସ୍ଥା ମାତୃ ସଂସ୍ଥା, ଗାନ୍ଧି ସ୍ମାରକ ନିଧିର ଅଧ୍ୟକ୍ଷ ରାମଚନ୍ଦ୍ର ରାହି କୁହନ୍ତି- ଜନ୍ମଦିନ ବାପୁଙ୍କ ପାଇଁ ଗମ୍ଭୀର ଦିନ । ସେଦିନ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ । ଚରଖା ଚଳାଇବାରେ ଅଧିକାଂଶ ସମୟ କାଟୁଥିଲେ । କେବଳ ଜନ୍ମଦିନ କାହିଁକି କୌଣସି ବି ଗୁରୁତ୍ୱପୂର୍ଣ୍ଣ ଦିନକୁ ବାପୁଜୀ ଏହିଭଳି ଭାବେ ପାଳନ କରୁଥିଲେ ।

Gandhi Jayanti 2020 How Mahatma Gandhi Celebrate His Birthday

କିନ୍ତୁ ସରକାର ଆଜି ଗାନ୍ଧି ଜୟନ୍ତୀ ଅବସରରେ ବିଭିନ୍ନ ପ୍ରକାରର ସମାରୋହ କରୁଛନ୍ତି । ଚାରିଆଡ଼େ କୋଳାହଳ ସୃଷ୍ଟି ହେଉଛି, ବର୍ଷେ କାର୍ଯ୍ୟକ୍ରମ କରାଯାଉଛି । ସରକାର ତ ନିଜ ଇଚ୍ଛାରେ କିଛି ବି କରନ୍ତି । ଗାନ୍ଧିଙ୍କ ବିଚାରଧାରା ସହ ଏହାର କିଛି ସମ୍ପର୍କ ହିଁ ନାହିଁ । ସରକାର ନିଜର ମହତ୍ୱାକାଂକ୍ଷୀ ଇଚ୍ଛା ପୂରଣ ପାଇଁ ଏଭଳି ଆୟୋଜନ କରି ଗାନ୍ଧିଙ୍କ ନାଁର ବ୍ୟବହାର କରନ୍ତି ।

Gandhi Jayanti 2020 How Mahatma Gandhi Celebrate His Birthday

ତାଙ୍କ କହିବା ଅନୁସାରେ ସରକାର ପ୍ରକୃତରେ ଗାନ୍ଧିଜୀଙ୍କ ଜନ୍ମଦିନ ପାଳନ କରିବାକୁ ଚାହୁଁଥିଲେ ବାପୁଙ୍କ ବିଚାରକୁ ନେଇ ସମାଜକୁ ଆଗକୁ ନେବାକୁ ଚେଷ୍ଟା କରିଥାନ୍ତେ । କିନ୍ତୁ, ଏସବୁର ଲକ୍ଷଣ ଦେଖା ଯାଉନାହିଁ । ଏବେର ସରକାର ଗାନ୍ଧି ଓ ଗାନ୍ଧିଜୀଙ୍କ ଜନ୍ମଦିନକୁ ସଫେଇ ସହିତ ଯୋଡ଼ିଛନ୍ତି ।

Gandhi Jayanti 2020 How Mahatma Gandhi Celebrate His Birthday

ଗାନ୍ଧି ଜୟନ୍ତୀ ଅବସରରେ ସରକାରଙ୍କ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କରାଯାଉଛି । ଏହା ଉପରେ ରାହି କୁହନ୍ତି ‘ଯଦି ସଫେଇ କଥା ଚିନ୍ତା କରାଯାଉଛି ତ ପ୍ରଥମେ ଦେଶରେ ସଫେଇ କାର୍ଯ୍ୟ କରୁଥିବା ଲୋକଙ୍କୁ ଏମିତି ସୁବିଧା ଦେବା ଦରକାର ଯେଭଳି ସେମାନେ ନାଳରେ ପଶି ସଫା କରିବେ ନାହିଁ ।’

ପଞ୍ଜାବକୁ ୪୮ ରନ୍‌ରେ ହରାଇ ତାଲିକାର ଶୀର୍ଷରେ ପହଞ୍ଚିଲା ମୁମ୍ବାଇ

ଆବୁଧାବି:‌ ପଞ୍ଜାବକୁ ୪୮ ରନରେ ହରାଇ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ । ୧୯୨ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ପଞ୍ଜାବ ୧୪୩ ରନ୍‌ରେ ଧରାଶାୟୀ ହୋଇଛି । ଗୁରୁବାର ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଉଥିଲା । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କିଙ୍ଗସ୍‌ ଇଲେଭେନ ପଞ୍ଜାବ ।

mi vS kxip

ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନସ୍‌, ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲେ ମଧ୍ୟ ପରେ ଭଲ ପ୍ରଦର୍ଶନ କରିଥିଲେ । ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୪୫ ବଲରେ ୭୦ ରନ୍‌ କରିଥିଲେ । ଅନ୍ୟପଟେ କିରନ୍ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୧ ବଲ ଖେଳି ୩୦ ରନ୍‌ କରିଥିବା ବେଳେ କିରନ୍ ପୋଲାର୍ଡ ୨୦ ବଲ ଖେଳି ୪ ଛକା ୩ ଚୌକା ସହାୟତାରେ ୪୭ ରନ୍‌ କରିଥିଲେ । ଏହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୯୧ ରନ୍‌ କରିଥିଲା । କିଙ୍ଗସ୍‌ ଇଲେଭେନ ପଞ୍ଜାବ ପକ୍ଷରୁ କୋଟ୍ରେଲ୍, ମହମ୍ମଦ ଶାମି ଓ କୃଷ୍ଣପ୍ପା ଗୌତମ ଗୋଟେ ଲେଖାଏଁ ୱିକେଟ୍‌ ନେଇଥିଲେ ।

mi vS kxip

ସେହିଭଳି ୧୯୨ ରନ୍‌ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ପଞ୍ଜାବ ଆରମ୍ଭରୁ ଧୁଆଁଧାର ବ୍ୟାଟିଂ କରିଥିଲେ । ହେଲେ କିଛି ସମୟରେ ପଞ୍ଜାବର ଓ୍ୱିକେଟ୍‌ ପଡ଼ିବା ଆରମ୍ଭ ହୋଇଥିଲା । ମାତ୍ର ୪.୫ ଓଭରରେ ଦଳର ସ୍କୋର ୩୮ ହୋଇଥିବା ବେଳେ ଓପନର ମୟଙ୍କ ଅଗ୍ରୱାଲ ଆଉଟ୍‌ ହୋଇ ଯାଇଥିଲେ । ଏହା ପରେ ପଞ୍ଜାବର  ଗୋଟିଏ  ପରେ ଗୋଟେ  ୱିକେଟ ପଡ଼ିବା ଆରମ୍ଭ  ହୋଇଥିଲା । ଦଳ ପକ୍ଷରୁ ମୟଙ୍କ ଅଗ୍ରୱାଲ ୧୮ ବଲରେ ୨୫ ରନ୍‌ ଓ ଲୋକେଶ ରାହୁଲ ୧୯ ବଲରେ ୧୭ ରନ୍‌ କରିଥିବା ବେଳେ ନିକୋଲାସ୍ ପୁରନ୍ ସର୍ବାଧିକ ୪୪ ରନ୍‌ କରିଥିଲେ । ମୁମ୍ବାଇ ପକ୍ଷରୁ ଜେମ୍ସ ପାଟିନସନ୍‌, ଯଶପ୍ରୀତ୍ ବୁମରା ଓ ରାହୁଲ ଚହର ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, କ୍ରୁନାଲ ପାଣ୍ଡ୍ୟା ୧-୧ ୱିକେଟ ନେଇଛନ୍ତି । ମୁମ୍ବାଇର ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଦଳ । ଅନ୍ୟପଟେ ପଞ୍ଜାବ ପଏଣ୍ଟ ଟେବୁଲର ୬ ନମ୍ବର ସ୍ଥାନରେ ରହିଛି ।