spot_img
Home Blog Page 6423

ଦିଲ୍ଲୀରୁ ପଲ୍ଲୀ ସବୁଠି ଦୀପାବଳିର ଉତ୍ସବ

ନୂଆଦିଲ୍ଲୀ: ଦିଲ୍ଲୀରୁ ପଲ୍ଲୀ ସବୁଠି ଦୀପାବଳିର ଉତ୍ସବ । କାଶ୍ମୀରଠୁ କନ୍ୟାକୁମାରୀ ଜଳିଲା ଦୀପ । ଦୀପରେ ଦୀପରେ ପାଳନ ହେଲା ଆଲୋକର ପର୍ବ । ଦେଶର ବିଭିନ୍ନ ପ୍ରାନ୍ତରେ ଦୀପାବଳିକୁ ଢେର ଉତ୍ସାହର ସହ ପାଳନ କରିଛନ୍ତି ଦେଶବାସୀ । ଦୀପରେ ସଜେଇ ହୋଇଛି ଅମୃତସରର ଗୋଲଡେନ ଟେମ୍ପୁଲ । ଦୀପାବଳିକୁ ବନ୍ଦିଚୋର ଦିବସ ଭାବେ ସେଠାରେ ପାଳନ କରାଯାଏ । ଏହି ଅବସରରେ ଗୋଲଡେନ୍‌ ଟେମ୍ପୁଲର ପୂରା ଅଞ୍ଚଳରେ ଦୀପରେ ସଜାଯାଇଛି । ଆଖି ଝଲସି ଉଠିଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପଞ୍ଜାବର ବିଭିନ୍ନ ଅଞ୍ଚଳରୁ ଲୋକେ ଏଠାକୁ ଆସି ଦୀପ ପ୍ରଜ୍ଜଳନ କରିଛନ୍ତି ।

କେବଳ ପଞ୍ଜାବ ନୁହେଁ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି ଦୀପାବଳିର ଝଲକ । ଲାଇଟ୍ ଓ ଦୀପରେ ସଜେଇ ହୋଇଛି ରାଷ୍ଟ୍ରପତି ଭବନ । ସବୁଦିନଠାରୁ ଦୀପାବଳିରେ ଅଳଗା ଦିଶୁଛି ରାଷ୍ଟ୍ରପତି ମାର୍ଗ । ସେହିଭଳି ଲାଇଟରେ ଝଲସୁଛି ସଂସଦ ଭବନ । ଆଖି ଝଲସିଲା ଭଳି ଦୃଶ୍ୟ ଦେଖିବା ପାଇଁ ଲାଗୁଛି ଦିଲ୍ଲୀବାସୀଙ୍କ ଭିଡ଼ । ସେହିଭଳି କୋଲକାତାର ଭିକ୍ଟୋରିଆ ପ୍ୟାଲେସ୍ ଓ ହାଉଡ଼ା ବ୍ରିଜ ମଧ୍ୟ ସଜେଇ ହୋଇଛି । ହାଉଡ଼ା ବ୍ରିଜ ଉପରେ ଯାଉଥିବା ଯାତ୍ରୀ ଅଟକି ଯାଇ ସେଲଫି ନେବା ସହ ଦୀପାବଳିର ମଜା ନେଇଛନ୍ତି । ସେପଟେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଜାରି ରହିଛି ଦୀପୋତ୍ସବ କାର୍ଯ୍ୟକ୍ରମ । କାଲିଠୁ ଆରମ୍ଭ ହୋଇଥିବା ଦୀପ ଉତ୍ସବ ତିନି ଦିନ ଧରି ଚାଲିବ । ରଙ୍ଗବେରଙ୍ଗର ଆଲୋକମାଳାରେ ଝଲିସି ଉଠୁଛି ଅଯୋଧ୍ୟା ଧାମ ।

ଦିଲ୍ଲୀରେ ସ୍ଥିତି ଗମ୍ଭୀର: ଦିପାବଳୀରେ ବାଣ ଫୁଟାଇବାରୁ ଅନେକ ଅଞ୍ଚଳରେ AQI ୯୯୯ ଛୁଇଁଲା

0

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଏବଂ ଏନଜିଟିର ଆଦେଶ ପରେ ମଧ୍ୟ ଦିପାବଳୀରେ ଦିଲ୍ଲୀ- ଏନସିଆର ଲୋକମାନେ ବାଣ ଫୁଟାଇଥିବାର ଦେଖିବାକୁ ମିଳିଛି । ଏହାର ପରିଣାମରେ ଆହରୁ ଖରାପ ସ୍ଥିତିରେ ଥିବା ଦିଲ୍ଲୀର ବାୟୁର ଆହୁରି ପ୍ରଦୂଷଣ ହୋଇଉଠିଛି ।

ଦିପାବଳୀ ରାତିରେ ଫୁଟାଯାଇଥିବା ବାଣ ଯୋଗୁଁ ଦିଲ୍ଲୀର ଏୟାର କ୍ୱାଲିଟି ଗମ୍ଭୀର ଶ୍ରେଣୀରେ ପହଞ୍ଚିଛି । ଦିଲ୍ଲୀର ଅନେକ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୯୯୯ ପର୍ଯ୍ୟନ୍ତ ପହଞ୍ଚିଛି । ପୁରା ଦିଲ୍ଲୀ ରାତି ସମୟରେ ବାଣର ବିଷାକ୍ତ ଧୂଆଁ ଚାଦରରେ ଆଚ୍ଛାଦିତ ହୋଇଥିଲା ।

ରାତିରେ ବାୟୁ ପ୍ରଦୂଷଣ ଅଧିକ ମାତ୍ରାରେ ହେବାରରୁ ଦିଲ୍ଲୀ ନଗର ନିଗମ ଅଧ ରାତିରେ ସଦର ବଜାର ଅଞ୍ଚଳରେ ପାଣି ସ୍ପ୍ରେ କରିଥିଲା । ବଢୁଥିବା ପ୍ରଦୂଷଣକୁ କମ କରିବା ପାଇଁ ନର୍ଥ ଦିଲ୍ଲୀର ମେୟର ଜୟପ୍ରକାଶ ହଟ ସ୍ପଟ ଅଞ୍ଚଳରେ ଫଙ୍ଗିଂ କରୁଥିବା ନଜର ଆସିଥିଲେ । ଦିଲ୍ଲୀରେ ସକାଳ ଚାରି ଟାରେ ରେକର୍ଡ କରାଯାଇଥିବା AQI ରେ ଗମ୍ଭୀର ସ୍ଥିତି ଦେଖିବାକୁ ମିଳିଛି ।

ଆନନ୍ଦ ବିହାରରେ ଏୟାର କ୍ୱାଲିଟି ଇଣ୍ଡେକ୍ସରେ ୫୭୨, ମନ୍ଦିର ମାର୍ଗ ଅଞ୍ଚଳରେ ୭୮୫, ପଞ୍ଜାବ ବାଗରେ ୫୪୪, ଦ୍ୱାରକା ସେକ୍ଟରେ ୫୦୦, ସୋନିୟା ବିହାରରେ ୪୬୨, ଆମେରିକା ଦୂତାବାସ ଅଞ୍ଚଳରେ ୬୧୦, ଶହିଦ ମୁଖଦେବ କଲେଜ ଅଫ ବିଜନେସ ଷ୍ଟଡିଜ ଆଖପାଖ ଅଞ୍ଚଳରେ ୯୯୯, ଜଙ୍ଗାଗୀରପୁରୀରେ ୭୭୩, ସତ୍ୟବତୀ କଲେଜରେ ୮୧୮ ଏବଂ ବବାନା ଅଞ୍ଚଳରେ ୬୨୩ ରେକର୍ଡ କରାଯାଇଛି ।

ପୂର୍ବ ସପ୍ତାହରେ କରୋନାପ ସମୀକ୍ଷା ବୈଠକ ପରେ ଦିଲ୍ଲୀ ସରକାର ୩୦ ନଭେମ୍ବର ପର୍ଯ୍ୟନ୍ତ ବାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅକ୍ଷରଧାମ ମନ୍ଦିରରେ ଦିପାବଳୀ ପୂଜା ପୂର୍ବରୁ ବାଣ ନଫୁଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କାରଣ ଏମିତି କରିବା ଦ୍ୱାରା ପ୍ରଦୂଷଣର ସ୍ଥର ଆହୁରି ବଢ଼ିବ ଏବଂ ତାହା କରୋନା ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ।

ଘନଉଛି ସୀମା ବିବାଦ ! ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ଆନ୍ଧ୍ର..

ଭୁବନେଶ୍ୱର: ଆନ୍ଧ୍ର ସରକାରଙ୍କ ପରେ ଆନ୍ଧ୍ର ଲୋକଙ୍କ ଦାଦାଗିରି । କୋରାପୁଟରେ କୋଟିଆ ଅକ୍ତିଆର କରିବାକୁ ଆନ୍ଧ୍ର ସରକାର ପ୍ରୟାସ କରିଥିବା ବେଳେ ଏବେ ପଟ୍ଟାଙ୍ଗୀରେ ଜଙ୍ଗଲ ଜମିକୁ ଆନ୍ଧ୍ରର କିଛି ଲୋକ ମାଡ଼ି ବସିଛନ୍ତି । କୋରାପୁଟ ଜିଲ୍ଲା ପ୍ରଶାସନ ସୀମା ଚିହ୍ନଟ କରିଥିଲା । ହେଲେ ଆନ୍ଧ୍ର ଲୋକ ମାନୁ ନାହାନ୍ତି । ଏପରିକି ଓଡ଼ିଆ ସରପଞ୍ଚଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି ।

 

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍‌ ସମ୍ବାଇ ପଞ୍ଚାୟତ ଅନ୍ତର୍ଗତ ସୁନାବେଡା ଗାଁ ଅଞ୍ଚଳକୁ ପ୍ରାୟ ଅଢ଼େଇ ଶହ ମିଟର ପଶି ଆସିଛନ୍ତି ଆନ୍ଧ୍ର ପ୍ରଦେଶର ଲୋକ । ବିଶାଖପାଟଣା ଜିଲ୍ଲା ଡୁମୁରୀଗୁଡ଼ା ମଣ୍ଡଳ ଡେକାପାରୁଓ କଲାପୁଟ ଗାଁର କିଛି ଲୋକ ସୁନାବେଡା ଅଞ୍ଚଳର ଜଙ୍ଗଲ ଜମିକୁ କବ୍‌ଜା କରି ଚାଷ କରିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ନେଇ ବିବାଦ ଦେଖା ଦେବାରୁ କୋରାପୁଟ ଉପଜିଲ୍ଲାପାଳ ଓ ପଟାଙ୍ଗୀ ବିଧାୟକଙ୍କ ସମେତ ଏକ ଦଳ ଯାଇ ଓଡ଼ିଶା ଅଞ୍ଚଳରେ ଆନ୍ଧ୍ର ଲୋକ ପୋତିଥିବା ସୀମା ସୂଚନା ଫଳକ ଭାଙ୍ଗି ପୂର୍ବ ନିର୍ଦ୍ଧାରିତ ଅନୁସାରେ ଉଭୟ ରାଜ୍ୟର ସୀମାରେ ଫଳକ ଲଗାଇଥିଲେ । ତେବେ ଏହାକୁ ଭ୍ରୂକ୍ଷେପ ନକରି ପୁଣି ନିଜେ ଚିହ୍ନଟ କରିଥିବା ସ୍ଥାନରେ ପଥର ରଖି ରାସ୍ତା ଅବରୋଧ କରିଛନ୍ତି ଆନ୍ଧ୍ର ବାସିନ୍ଦା । ଏହା ହଟାଇବାକୁ ସମ୍ବାଇ ପଞ୍ଚାୟତ ମହିଳା ସରପଞ୍ଚ ସେଠାରେ ପହଁଚିଥିବା ବେଳେ ତାଙ୍କୁ ଧମକ ଦେଇ ଆନ୍ଧ୍ର ଘଉଡ଼ାଇ ଦେଇଥିଲେ ।

କୋଟିଆକୁ ଅକ୍ତିଆର କରିବା ପାଇଁ ଯେଉଁଭଳି ଭାବେ ସରକାରୀ ଷଡ଼ଯନ୍ତ୍ର ହୋଇଥିଲା ଏହା ସେପରି ନୁହେଁ । କିନ୍ତୁ ଆନ୍ଧ୍ର ଲୋକ ସଂଘବଦ୍ଧ ଭାବେ ସୁନାବେଡ଼ା ଗାଁ ଲୋକଙ୍କୁ ଭୟଭୀତ କରି ଓଡ଼ିଶାର ଜଙ୍ଗଲ ଜମିକୁ କବ୍‌ଜା କରିବାକୁ ଚେଷ୍ଟା କରୁଛନ୍ତି । ଏନେଇ ଗତ ୯ ତାରିଖରେ କୋରାପୁଟ ଉପଜିଲ୍ଲାପାଳ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି । ପଟ୍ଟାଙ୍ଗୀ ବିଧାୟକ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ସରକାରୀ ପ୍ରକ୍ରିୟା ଚାଲିଛି । ଓଡ଼ିଶା ସୀମା ଭିତରକୁ ଇଞ୍ଚେ ବି ଆସିବାକୁ ଦିଆଯିବ ନାହିଁ ବୋଲି ବିଧାୟକ ପ୍ରୀତମ ପାଢ଼ୀ କହିଛନ୍ତି ।

କିଏ ହେବ ବିହାର ମୁଖ୍ୟମନ୍ତ୍ରୀ ? ଆଜି ହେବ ନିଷ୍ପତ୍ତି..

ପାଟନା: କିଏ ହେବ ବିହାର ମୁଖ୍ୟମନ୍ତ୍ରୀ ? ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ବସୁଛି ଏନଡିଏ ବିଧାୟକ ଦଳର ବୈଠକ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜେଡିୟୁ, ବିଜେପି, ହାମ୍ ଓ ଭିଆଇପି ଦଳର ବିଧାୟକମାନେ ଉପସ୍ଥିତ ରହିବେ । ନୀତିଶ କୁମାରଙ୍କ ସହ ଅନ୍ୟ ଦଳର ବରିଷ୍ଠ ନେତାଏ ମଧ୍ୟ ବୈଠକରେ ସାମିଲ ହେବେ ।

ମନ୍ତ୍ରିମଣ୍ଡଳ ଗଠନ ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି । ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବା ନେଇ ଆକଳନ କରାଯାଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ବିଜେପିରେ ଆରମ୍ଭ ହୋଇଛି ମାନସ ମନ୍ଥନ । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଥିବା ସୁଶିଲ ମୋଦି ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରି ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି ନୀତୀଶ କୁମାର ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ସାକ୍ଷାତ କରି ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ଶୁକ୍ରବାର  ନୀତୀଶ କ୍ୟାବିନେଟ୍ ବୈଠକରେ ବିଧାନସଭା ଭଙ୍ଗ କଥା ଘୋଷଣା କରିଛନ୍ତି । ଏହା ସହ ସେ କ୍ୟାବିନେଟର ସବୁ ସଦସ୍ୟଙ୍କୁ ଧନ୍ୟବାଦ କହିଛନ୍ତି । ବିଧାନସଭା ଭଙ୍ଗ ସୁପାରିସ କରିବା ପାଇଁ ସେ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟପାଳଙ୍କୁ କ୍ୟାବିନେଟ୍ ଭଙ୍ଗ ସଂପର୍କିତ ସୂଚନା ମଧ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରି ରାଜ୍ୟପାଳ ଆଗାମୀ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ ଦାୟୀତ୍ୱରେ ରହିବେ ବୋଲି କହିଥିଲେ । ବୈଠକ କାଳରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏହା ପୂର୍ବରୁ ଶୁକ୍ରବାର ସକାଳେ ଏନଡିଏ ନେତାଙ୍କ ବୈଠକ ହୋଇଥିଲା । ଯେଉଁଥିରେ ନଭେମ୍ବର ୧୫ ତାରିଖ ଦିପହର ୧୨.୩୦ରେ ଏନଡିଏ ବିଧାୟକଙ୍କ ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ଔପଚାରିକ ଭାବେ ମେଣ୍ଟ ନେତା ନିର୍ବାଚିତ ହେବେ ।

ଆଜି ଏହି ରାଶି ଲୋକମାନଙ୍କର ପରିବାରରେ ଦେଖାଦେବ ଅଶାନ୍ତି …

ଆଜିର ପଞ୍ଚାଙ୍ଗ:

୧୫ ନଭେମ୍ବର,୨୦୨୦ ,ରବିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

କାର୍ତ୍ତିକ ମାସ, କୃଷ୍ଣପକ୍ଷ, ଦିନ ୧୦ ଟା ୪୦ ପର୍ଯ୍ୟନ୍ତ ଅମାବାସ୍ୟା ତିଥି

ଏହା ପରେ ପ୍ରତିପଦା ତିଥି

ବିଶାଖା ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର ଅବସ୍ଥାନ ରହିବେ

ଦିନ ୧୨ ଟା ପରେ ଚନ୍ଦ୍ର ବିଛା ରାଶିକୁ ଚଳନ କରିବେ

 

ଘାତଚନ୍ଦ୍ର- କୌଣସି ରାଶି ପାଇଁ ନାହିଁ

ଘାତ ବାର- ମେଷ ରାଶିର

ଯୋଗିନୀ ପୂର୍ବ- ଐଶାନ୍ୟ କୋଣରେ ରହିବେ

ଆଜି ପୂର୍ବ- ଐଶାନ୍ୟ କୋଣକୁ ଯାତ୍ରା ନିଷେଧ

 

– ଶୁଭ ସମୟ –

ଦିନ ୧୧ ଟା ୫୪ ମିନିଟ୍ ଠାରୁ ଦିନ ୨ ଟା ୦୫ ମିନିଟ୍

ଦିନ ୩ ଟା ୩୫ମିନିଟ୍ ଠାରୁ ଦିନ ୪ ଟା ୨୫ ମିନିଟ୍

– ଅଶୁଭ ସମୟ –

ଦିନ ୪ ଟା ୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

ଆଜି ଆମିଷ ଖାଇବା ନିଷେଧ ଅଟେ

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- ଅଟକିଥିବା କାମ ସହଜରେ ହୋଇଯିବ

ଦ୍ୱିଜା ନକ୍ଷତ୍ର- କର୍ମ ଓ ବ୍ୟବସାୟରେ ପରିବର୍ତ୍ତନ ଆସିବ,ସାହାସ ଓ ଧୈର୍ଯ୍ୟ ବଢିବ

କୃତ୍ତିକା ନକ୍ଷତ୍ର – ପାରିବାରିକ ଜୀବନ ହସଖୁସିରେ କଟିବ

ଗାୟତ୍ରୀ ମନ୍ତ୍ର ୧୦୮ ଥର ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ବଢିବ, ଆତ୍ମବିଶ୍ୱାସ ରଖି ଆଗକୁ ବଢନ୍ତୁ

ରୋହିଣି ନକ୍ଷତ୍ର – ଗୁରୁଜନଙ୍କର ପରାମର୍ଶ ମିଳିବ, ଅନ୍ୟକୁ ସାହାଯ୍ୟ କରି ପ୍ରଶଂସିତ ହେବେ

ମୃଗଶିରା ନକ୍ଷତ୍ର – ଅନ୍ୟ କଥାକୁ ବିଶ୍ୱାସ କରି ଜୀବନସାଥୀକୁ ଭୁଲ୍ ବୁଝିପାରନ୍ତି

ଗୋମାତାଙ୍କୁ ଶାଗ ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିବ,କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଦିନଟି କଟିବ

ଆର୍ଦ୍ରା ନକ୍ଷତ୍ର – ଦିନଟି ଶୁଭପ୍ରଦ ରହିଛି, ଆଶା ସଫଳ ହେବ

ପୂନର୍ବସୁ ନକ୍ଷତ୍ର – ଆତ୍ମବିଶ୍ୱାସ ରଖି ଆଗକୁ ବଢନ୍ତୁ,ଆଳସ୍ୟ ଦୂର କରି କର୍ମଠ ହେବାକୁ ଚେଷ୍ଟା କରନ୍ତୁ

ଅସହାୟ  ଗରିବ ବ୍ୟକ୍ତିକୁ ଭୋଜନ ଦାନ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ଛୋଟ କଥାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେବ

ପୁଷ୍ୟା ନକ୍ଷତ୍ର – ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟା ଦୁର ହେବ, ସୁସ୍ଥ ଅନୁଭବ କରିବେ

ଅଶ୍ଲେଷା ନକ୍ଷତ୍ର – ମା’ଙ୍କର ଆସିର୍ବାଦ ମିଳିବ, ରୋମାଣ୍ଚିକ ପରିବେଶରେ  ସମୟ କଟିବ

ମା’ମଙ୍ଗଳାଙ୍କୁ ଲାଲ ମନ୍ଦାର ଫୁଲ ୨୧ଟି ଅର୍ପଣ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ଖର୍ଚ୍ଚ ବଢିବ କିନ୍ତୁ ଆୟ ବଢିବ ନାହିଁ

ପୂର୍ବାଫାଲଗୁନି ନକ୍ଷତ୍ର – ଆପଣଙ୍କର ବ୍ୟବହାର ଅନ୍ୟକୁ ଅନୁପ୍ରାଣିତ କରିବ

ଉତ୍ତରାଫାଲଗୁନୀ ନକ୍ଷତ୍ର – ସକରାତ୍ମକ ଭାବନା ନେଇ ଚଳନ୍ତୁ

କିଛି ମିଠା ଦାନ କରନ୍ତୁ, କର୍ମସମ୍ବନ୍ଧୀୟ ଚିନ୍ତା ଦୁର ହେବ

କନ୍ୟା ରାଶି  

ଉତ୍ତରାଫାଲଗୁନୀ ନକ୍ଷତ୍ର- ଦିନଚର୍ଯ୍ୟାକୁ ପରିବର୍ତ୍ତନ କରନ୍ତୁ, ସମସ୍ତ କ୍ଷେତ୍ରରେ ସଫଳ ହେବେ

ହସ୍ତା ନକ୍ଷତ୍ର – ନୂଆ ଦାୟିତ୍ୱ ମିଳିବ, ଆର୍ଥିକସ୍ଥିତି ମଜବୁତ୍‌ ହେବ

ଚିତ୍ରା ନକ୍ଷତ୍ର – ପରିବାର ସଦସ୍ୟଙ୍କୁ ନେଇ ଚିନ୍ତା ବଢିବ

ନିଜ ସକ୍ଷମ ଅନୁସାରେ ଗ୍ରହବିପ୍ରଙ୍କୁ କିଛି ଉପହାର ଦିଅନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ରୁହନ୍ତୁ

ସ୍ୱାତୀ ନକ୍ଷତ୍ର – ନିଜର ସଫଳତାକୁ ନେଇ ଆତ୍ମସନ୍ତୋଷ ମିଳିବ

ବିଶାଖା ନକ୍ଷତ୍ର – ଦାମ୍ପତ୍ୟ ଜୀବନକୁ ନେଇ ଖୁସି ଅନୁଭବ କରିବେ

ଜୀବନ ସାଥିକୁ ଗୋଟିଏ ଗୋଲାପ ଉପହାର ଦିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ନିଷ୍ଠାପର ଭାବରେ କାମ କରନ୍ତୁ, ଖୁସି ଖବର ପାଇବେ

ଅନୁରାଧା ନକ୍ଷତ୍ର – ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ, ଆର୍ଥିକ ସ୍ଥିତିରେ ସୁଧାର ଆସିବ

ଜ୍ୟେଷ୍ଠା ନକ୍ଷତ୍ର – ପୂର୍ବରୁ ଥିବା ସମସ୍ୟା ଦୂର ହୋଇଯିବ, ଆଶା ସଫଳ ହେବ

କଳା ରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ ନାହିଁ

ଧନୁ ରାଶି

ମୂଳା ନକ୍ଷତ୍ର – କୌଣସି କଥାକୁ ନେଇ ଜୀବନ ସାଥଙ୍କ ସହ ମତାନ୍ତର ହୋଇପାରେ

ପୂର୍ବାଷାଢା ନକ୍ଷତ୍ର – ପାରିବାରିକ ଜୀବନ ସୁଖ,ଶାନ୍ତିରେ କଟିବ

ଉତ୍ତରାଷାଢା ନକ୍ଷତ୍ର – ପିତାଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିବ

ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଅଧାଅଧୁରା କାମକୁ ପୁରା କରିବାର ସୁଯୋଗ ପାଇବେ

ଶ୍ରବଣା ନକ୍ଷତ୍ର – ଦେହ,ମନ ଭଲ ରହିବ, ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ସଫଳ ହେବେ

ଧନିଷ୍ଠା ନକ୍ଷତ୍ର – ଅନ୍ୟକୁ ଦୋଷାରୋପ କରି ସମାଲୋଚିତ ହେବେ

ବୁଲା କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଅନ୍ୟ ଉପରେ ବିଶ୍ୱାସ କରି କୌଣସି କାର୍ଯ୍ୟ କରନ୍ତୁ ନାହିଁ

ଶତଭିଷା ନକ୍ଷତ୍ର – କାର୍ଯ୍ୟ ସଫଳତାକୁ ନେଇ ମାନସିକ ସୁସ୍ଥତା ଅନୁଭବ କରିବେ

ପୂର୍ବଭାଦ୍ର ନକ୍ଷତ୍ର – ଆକସ୍ମିକ ସମସ୍ୟା ଆପଣଙ୍କୁ ବିଚଳିତ କରିବ

୧୧ କେରା ଦୁର୍ବା ଶ୍ରୀଗଣେଶଙ୍କୁ ଅର୍ପଣ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର- କୌଣସି କ୍ଷେତ୍ରରେ ଅର୍ଥ ଲଗାନ୍ତୁ ନାହିଁ

ଉତ୍ତରଭାଦ୍ର ନକ୍ଷତ୍ର – ପ୍ରତୀକ୍ଷାର ଅନ୍ତ ହେବ, ଶୁଭ ସମ୍ବାଦ ପାଇବେ

ରେବତୀ ନକ୍ଷତ୍ର – ଅଟକିଥିବା କାମ ତ୍ୱରାନ୍ୱିତ ହେବ

ବିଷ୍ଣୁ ସହସ୍ରନାମ ଶ୍ରବଣ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- ୯୯୩୮୫୭୧୯୩୫

ଶିଶୁଙ୍କୁ କାହିଁକି ହେଉନି କରୋନା ? କାରଣ କ’ଣ..?

ନୂଆଦିଲ୍ଲୀ: ଶିଶୁଙ୍କୁ କାହିଁକି ହେଉନି କରୋନା ? ଯୁବ ଓ ପ୍ରାପ୍ତ ବୟସ୍କ ଅଧିକ କରୋନା ସଂକ୍ରମିତ ହେଉଥିବା ବେଳେ ବହୁତ କମ୍ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି । ଏହା ପଛର କାରଣ ଖୋଜି ବାହାର କରିଛନ୍ତି ଆମେରିକାର ବୈଜ୍ଞାନିକ । ଏହି ଗବେଷଣାରେ ସେମାନଙ୍କୁ ସାହାଯ୍ୟ କରିଛନ୍ତି ଆମେରିକାର ଭନ୍ଦେରବିଲ୍ଟ ୟୁନିଭରସିଟି ମେଡିକାଲ ସେଣ୍ଟର ।

ବୈଜ୍ଞାନିକଙ୍କ କହିବା କଥା ଶିଶୁଙ୍କ ପାଖରେ ରିସେପ୍ଟର ପ୍ରୋଟିନ ବହୁତ କମ୍ ରହିଛି । ଫଳରେ ସେମାନେ ଏତେ ସହଜରେ କରୋନା ସଂକ୍ରମିତ ହେଉନାହାନ୍ତି । ଏହି ରିସେପ୍ଟର ପ୍ରୋଟିନ ସାହାଯ୍ୟରେ କରୋନା ମଣିଷର ଫୁସଫୁସକୁ ସଂକ୍ରମଣ କରିଥାଏ । ଶିଶୁଙ୍କ ଶରୀରରେ ଏହି ପ୍ରୋଟିନ କମ୍ ଥିବାରୁ ସେମାନେ ଏତେ ସହଜରେ କରୋନା ସଂକ୍ରମିତ ହୁଅନ୍ତି ନାହିଁ ।

ଏଥିସହ ବିଶେଷଜ୍ଞ ମାନେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କର ଏହି ପ୍ରୋଟିନକୁ ବନ୍ଦ କରି ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁ ଶିଶୁମାନେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ସେମାନେ ଅନ୍ୟ କୌଣସି ରୋଗରେ ପୀଡିତ ଥାଆନ୍ତି ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଖାଲି ସେତିକି ନୁହେଁ ଯେଉଁ ଶିଶୁମାନେ କରୋନା ସଂକ୍ରମିତ ହେଉଛନ୍ତି ସେମାନଙ୍କ ଫୁସଫୁସର କାର୍ଯ୍ୟ କ୍ଷମତାକୁ ନେଇ ମଧ୍ୟ ଗବେଷଣା କରାଯାଉଛି । ଆଗକୁ ଏହା ବୟସ୍କ ବ୍ୟକ୍ତିଙ୍କ ଫୁସଫୁସ ସହ ତୁଳନା କରାଯାଇ ଚିକିତ୍ସା ପଦ୍ଧତି ବାହାର କରାଯିବ ବୋଲି ଜଣାପଡିଛି ।

ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ରାମ ସେତୁ’ର ପୋଷ୍ଟର ସିଲିଜ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଶନିବାର ଦିନ ତାଙ୍କ ପ୍ରଶଂସକଙ୍କୁ ଦୀପାବଳି ଉପହାର ଦେଇଛନ୍ତି। ଏହି ଅବସରରେ ଅକ୍ଷୟ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ରାମସେତୁ’ ବାବଦରେ ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଅଭିଷେକ ଶର୍ମା ଦେବେ ।

ଅକ୍ଷୟ ଆଜି ସୋସିଆଲ ମିଡିଆରେ ଏହି ଫିଲ୍ମ ବାବଦରେ ଘୋଷଣା କରିଥିବାବେଳେ ଯେଉଁଥିରେ ପ୍ରଭୁ ରାମଙ୍କ ଚିତ୍ର ଉପରେ ଥିବାବେଳେ ଏବଂ ଅକ୍ଷୟ କୁମାରଙ୍କ ଫଟୋ ତଳେ ଅଛି। ଫଟୋରେ ଅକ୍ଷୟ ରାମସେତୁ ଉପରେ ଚାଲୁଥିବାର ନଜର ଆସିଛନ୍ତି।

ଫଟୋରେ ଲେଖାଯାଇଛି ଯେ ସତ୍ୟ ବା କଳ୍ପନା | ଏହି ଫିଲ୍ମକୁ ଅଭିଷେକ ଶର୍ମା ନିର୍ଦ୍ଦେଶନା ଦେବାକୁଥିବାବେଳେ ଅରୁଣ ଭାଟ୍ଟିଆ ଓ ବିକ୍ରମ ମାଲହୋତ୍ରା ପ୍ରଯୋଜନା କରିବେ | ତେବେ ଫିଲ୍ମର ଆଜି ଫାଷ୍ଟ ଲୁକ ରିଲିଜ ହୋଇଥିବାବେଳେ କେବେ ପରଦାକୁ ଆସିବ ସେ ବାବଦରେ କୌଣସି ସୂଚନା ଦିଆଯାଇନାହିଁ ।

ସୂଚନା ଥାଉ କି କିଛି ଦିନ ତଳେ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍‌ରେ ରିଲିଜ୍ ହୋଇଥିବା ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ଲକ୍ଷ୍ମୀ’ ବର୍ତ୍ତମାନ ରେକର୍ଡ କରୁଛି। ଭିଓରସିପ୍ ମାମଲାରେ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଦିଲ୍ ବେଚାରାର ରେକର୍ଡ କାଟିବା ପରେ ବର୍ତ୍ତମାନ କରୋନା ସମୟରେ ବିଦେଶରେ ସର୍ବାଧିକ ଆୟକାରୀ ଫିଲ୍ମ ଭାବେ ପରିଗଣିତ ହେଉଛି। ଗତ ୯ ତାରିଖରେ ଭାରତରେ ଓଟିଟି ପ୍ଲାଟ୍‌ଫର୍ମରେ ଫିଲ୍ମ ରିଲିଜ୍ ହେବା ସହ ଅଷ୍ଟ୍ରେଲିଆ, ଫିଜି ଓ ନ୍ୟୁଜିଲାଣ୍ଡର ସିନେମା ହଲ୍‌ରେ ପ୍ରଦର୍ଶିତ ହୋଇଥିଲା। ତେବେ ଏହି ୪ଦିନରେ ଲକ୍ଷ୍ମୀ ଅଷ୍ଟ୍ରେଲିଆରେ ୪୧ଲକ୍ଷ ୯ ହଜାର ଟଙ୍କା ଆୟ କରିଥିବା ବେଳେ ନ୍ୟୁଜିଲାଣ୍ଡରେ ୨୮ଲକ୍ଷ ୩୮ହଜାର ଓ ଫିଜିରେ ୧୦ଲକ୍ଷ ୩୪ହଜାର ଟଙ୍କା ଆୟ କରିଛି। କରୋନା ସମୟରେ ବିଦେଶରେ ଏହା ସର୍ବାଧିକ ଆୟକାରୀ ଫିଲ୍ମର ମାନ୍ୟତା ପାଇଛି।

ଏଣିକି ରୋଷ୍ଟର ଡ୍ୟୁଟି କରିବେନି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କର୍ମଚାରୀ

ଭୁବନେଶ୍ୱର: ଏଣିକି ରୋଷ୍ଟର ଡ୍ୟୁଟି କରିବେନି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାମ କରୁଥିବା ଅଫିସର ଓ କର୍ମଚାରୀ । ପ୍ରତି କାର୍ଯ୍ୟ ଦିବସରେ ସେମାନେ ଅଫିସ ଆସିବେ । କେବଳ କୋଭିଡ୍‌ ଲକ୍ଷଣ ଥିବା କର୍ମଚାରୀ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅନୁମତି ନେଇ ଗୃହ ସଂଘରୋଧରେ ରହିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ନଭେମ୍ବର ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ରୋଷ୍ଟର ବ୍ୟବସ୍ଥା ଚିଠି ନଂ ୧୫୫୩୯ରେ ପ୍ରତ୍ୟାହାର କରାଯାଇଛି ।

Roaster

କେନାଲରେ ବାଇକ୍‌ ସହ ଭାସୁଛି ମୃତଦେହ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ନିସ୍ତିପୁର ଗ୍ରାମ ନିକଟ କେନାଲରେ ଜଣେ ଯୁବକଙ୍କ ମୃତଦେହ ସହ ଏକ ବାଇକ୍‌ ଭାସୁଥିବା ଦେଖାଯାଇଛି । ଖବର ପାଇ ପାଟପୁର ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବାହନୀ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିଛନ୍ତି ।

ପ୍ରଥମେ ସ୍ଥାନୀୟ ଲୋକଙ୍କ ନଜରରେ ଏହା ପଡ଼ିଥିଲା । ପରେ ସେମାନେ ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ବାଇକ ସହ ଭାସୁଥିବା ଯୁବକଙ୍କ ପରିଚୟ ମିଳିନାହିଁ ।

ସମସ୍ତେ ଆଲୋକ ପର୍ବ ଦୀପାବଳିରେ ବ୍ୟସ୍ତ ଥିବା ବେଳେ କେଉଁ ପରିସ୍ଥିତିରେ ଯୁବକର ବାଇକ୍‌ ସହ ଶବ ଭାସିଲା ତାହା ଏବେ ସନ୍ଦେହ ଘେରରେ । ଏହା ଯୋଜନା ବଦ୍ଧ ହତ୍ୟାକାଣ୍ଡ ନା ଆଉ କିଛି ? ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଯୁବକର ପରିଚୟ ମିଳିବା ପରେ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ । ଅନ୍ୟପଟେ କେନାଲରେ ବିଶେଷ ପାଣି ନବାରୁ ବୁଡ଼ିକି ଜଣେ ବ୍ୟକ୍ତି ମରିବା ଅସମ୍ଭବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଓଡ଼ିଶାର କ୍ଷୁଦ୍ର ନିର୍ବାକ ଚଳଚ୍ଚିତ୍ରକୁ ଏକାଧିକ ଆନ୍ତର୍ଜାତିକ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର କ୍ଷୁଦ୍ର ନିର୍ବାକ ଚଳଚ୍ଚିତ୍ରକୁ ଏକାଧିକ ଆନ୍ତର୍ଜାତିକ ପୁରସ୍କାର । ସାଂପ୍ରତିକ ପରିସ୍ଥିତିକୁ ନେଇ ନିର୍ମିତ ଚଳଚ୍ଚିତ୍ରଟି ଆମେରିକା, ଭୁଟାନ ଓ ସିଙ୍ଗାପୁରରେ ପୁରସ୍କୃତ ହୋଇଛି । ଓଡ଼ିଆ ଲେଖକ ତଥା ନିର୍ଦ୍ଦେଶକ ଗଜେନ୍ଦ୍ର କୁମାର ପାଢ଼ୀଙ୍କ ନିର୍ବାକ ଚଳଚ୍ଚିତ୍ର ‘ଓ୍ବାରିଅରସ୍ ଓ୍ବାର ଓ୍ବିଦିନ’ ଚୟନକାରୀଙ୍କୁ ବେଶ୍‌ ପ୍ରଭାବିତ କରିଛି । କରୋନା ସମୟରେ ଜଣେ ନର୍ସ କିଭଳି ପ୍ରତିକୂଳ ପରିସ୍ଥିତିର ସମ୍ନା କରୁଛନ୍ତି, ଏହି କାହାଣୀ ଉପରେ ଚଳଚ୍ଚିତ୍ରଟି ଆଧାରିତ ।

କାହାଣୀରେ କର୍ତ୍ତବ୍ୟ ଆଗରେ ବଳି ପଡୁଛି ମା’ର ମମତା । କାଚ ସେପଟେ ଅମାନିଆ ଶିଶୁ । କାଚ ଏପଟେ ମା’ ମୁହଁର ବିକଳ ଚିତ୍ର । ଏଭଳି ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି କ୍ଷୁଦ୍ର ନିର୍ବାକ ଚଳଚ୍ଚତ୍ର ‘ଓ୍ବାରିଅରସ୍ ଓ୍ବାର ଓ୍ବିଦିନ’। କରୋନା ସମୟରେ ହସ୍ପିଟାଲରେ ଡ୍ୟୁଟି କରୁଥିବା ଜଣେ ନର୍ସ ଓ ତାଙ୍କ ପରିବାରକୁ ନେଇ ଗତିଶୀଳ ହୋଇଛି ଫିଲ୍ମ । ପୂରା ଫିଲ୍ମରେ ଡାଇଲଗ୍ ନାହିଁ, କିନ୍ତୁ ମୁହଁର ଏକ୍ସପ୍ରେସନ୍ ବଖାଣୁଛି ଭୂତାଣୁ ଭୟରେ କେମିତି ଜଣେ ମା’ ତାର ପିଲାକୁ କ୍ଷୀର ପିଆଇବା ପାଇଁ ବିକଳ ହେଉଛି । ଶେଷରେ କର୍ତ୍ତବ୍ୟ ସହ ମା’ ମମତାର ବିଜୟ ହେଉଛି ।

ଚଳଚ୍ଚିତ୍ରର ଅବଧି ମାତ୍ର ୧୨ ମିନିଟ୍ ୨୨ ସେକେଣ୍ଡ । ହେଲେ ବିଦେଶରେ ଚୟନକର୍ତ୍ତାଙ୍କୁ ବେଶ୍‌ ପ୍ରଭାବିତ କରିଛି । କୋଭିଡ୍‌ ଯୋଦ୍ଧାମାନଙ୍କୁ ଚଳଚ୍ଚିତ୍ରଟି ଦେଇଛି ବେଶ୍‌ ଉତ୍ସାହ । ଲସ୍‌ ଏଞ୍ଜେଲ୍‌ସ ଚଳଚ୍ଚିତ୍ର ମହୋତ୍ସବ, ଭୁଟାନ ଓ ସିଙ୍ଗାପୁରରେ ପୁରସ୍କୃତ ହୋଇଛି । ନିୟୁର୍କରେ ଏହା ଫାଇନାଲରେ ପହଞ୍ଚିଥିବା ବେଳେ ତୁର୍କୀର ଗୋଲ୍‌ଡେନ୍ ବ୍ରିଜ୍, ଇସ୍ତାନବୁଲ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଓ ଆନାଟୋଲିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି । ଗୋଟିଏ କ୍ଷୁଦ୍ର ନିର୍ବାକ ଚଳଚିତ୍ରକୁ ଏତେ ପୁରସ୍କାର ମିଳିବା ଓଡ଼ିଶା ପାଇଁ ଏକ ବିରଳ ଘଟଣା ଓ ଗୌରବର ବୋଲି ନିର୍ଦ୍ଦେଶକ କହିଛନ୍ତି । ଚଳଚ୍ଚିତ୍ରଟିରେ କୌଣସି ଭାଷା ବ୍ୟବହାର କରାଯାଇନଥିବା ବେଳେ କେବଳ ମ୍ୟୁଜିକ୍ ଲୋକଙ୍କୁ ଭାବାନ୍ତର କରୁଛି ।