spot_img
Home Blog Page 6436

କିଏ ମୁଖ୍ୟମନ୍ତ୍ରୀ ହେବେ ? ନୀତିଶ କହିଲେ- ମୁଁ ଦାବି କରି ନାହିଁ, ଏନଡିଏ ନିଷ୍ପତ୍ତି ନେବ !

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏର ବିଜୟ ହାସଲ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେଥିରେ ସେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଯାହା ଶୁଣିଲେ ତାଙ୍କ କର୍ମୀଙ୍କ ହୋସ୍‌ ଉଡ଼ିଯିବ ।

ସିଏମ୍ ହେବାର ନିଷ୍ପତ୍ତି ଉପରେ ନୀତୀଶ କୁମାର କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ହେବି ବୋଲି କୌଣସି ଦାବି କରି ନାହିଁ । କିଏ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ ହେବ ସେନେଇ ଏନଡିଏ ସହ ଜଡ଼ିତ ଦଳମାନେ ନିଷ୍ପତ୍ତି ନେବେ । ସେ କହିଛନ୍ତି, ମୋ ଆଡ଼ୁ ମୁଖ୍ୟମନ୍ତ୍ରୀ ହେବା ନେଇ କୌଣସି ପ୍ରକାର ଚାପ ନାହିଁ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଏନ୍‌ଡିଏର ଏକ ବୈଠକରେ ନିଷ୍ପତ୍ତି ନିଆଯିବ ।

Bihar Elections 2020 If BJP Adopts 1995 Maharashtra Formula Than Nitish will Lost CM Post

ଏହାପୂର୍ବରୁ ସେ କହିଥିଲେ ଯେ, ଜନସାଧାରଣ ଏନଡିଏକୁ ସଂଖ୍ୟାଗରିଷ୍ଠତା ଦେଇଛନ୍ତି ଏବଂ ଆମେ ସରକାର ଗଠନ କରିବୁ । ଶପଥ ଗ୍ରହଣ ସମ୍ପର୍କରେ ସେ କହିଛନ୍ତି ଯେ, ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଛଟ୍ ପର୍ବ ଓ ଦୀପାବଳି ପରେ ଶପଥ ଗ୍ରହଣ ସମାରୋହ ହେବାର ନିଷ୍ପତ୍ତି ନିଆଯିବ । ଏବେ ଆମେ ନିର୍ବାଚନ ଫଳାଫଳର ସମୀକ୍ଷା କରୁଛୁ । ଆମ ସହ ଥିବା ୪ ସହଯୋଗୀ ଦଳ ଶୁକ୍ରବାର ବୈଠକ କରିବେ । ଏଥିରେ ୩ରୁ ୪ ଦିନ ସମୟ ଲାଗିପାରେ ।

ନୀତିଶ ଆହୁରି କହିଛନ୍ତି ଯେ, ଜେଡିୟୁର ଭୋଟ ହ୍ରାସ ହାରକୁ ନେଇ ମଧ୍ୟ ସମୀକ୍ଷା କରାଯାଉଛି । ଚିରାଗଙ୍କ ବିଷୟରେ ସେ କହିଛନ୍ତି ଯେ, ‘ଆମର ସମସ୍ତ ପ୍ରାର୍ଥୀଙ୍କ ବିରୋଧରେ ଏଲଜେପି ପ୍ରାର୍ଥୀ ଛିଡ଼ା କରିଥିଲା ।’

nitish

ତେବେ ଶେଷରେ ନୀତିଶ କହିଛନ୍ତି ଯେ, ବିହାରର କଲ୍ୟାଣ ତଥା ରାଜ୍ୟର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ବିହାରର ବିକାଶ ପାଇଁ ତାଙ୍କ ଦଳ ପ୍ରତିବଦ୍ଧ ।

ସୂଚନାଯୋଗ୍ୟ, ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏକୁ ୧୨୫ଟି ସିଟ୍ ହାସଲ ହୋଇଛି । ସେଥିମଧ୍ୟରୁ ବିଜେପିର ୭୪, ଜେଡିୟୁର ୪୩ ସିଟ୍ ସାମିଲ ଅଛି । ଅନ୍ୟପଟେ ଆରଜେଡି ଖାତାରେ ୭୫ଟି ସିଟ୍ ରହିଥିବା ବେଳେ ବିହାରର ସବୁଠୁ ବଡ଼ ଦଳ ଭାବେ ସେ ଉଭା ହୋଇଛି । ତେବେ ଆର୍‌ଜେଡିର ସହଯୋଗୀ ଦଳ କଂଗ୍ରେସ ପାଇଛି ମାତ୍ର ୧୯ଟି ସିଟ୍‌ ଏବଂ ବାମ ଦଳ ପାଇଛି ୧୬ଟି ସିଟ୍ । ମହାଗଠବନ୍ଧନକୁ ମୋଟ ୧୧୦ଟି ସିଟ୍‌ ମିଳିଛି ।

ପୁଅ ବାହାଘର ପାଇଁ ଛୁଟି ମାଗିଥିଲେ ଥାନାବାବୁ, ଉପରିସ୍ଥ ଅଧିକାରୀ ମନା କଲେ ! ଚାଲିଗଲା ଜୀବନ…

ରାଜସ୍ଥାନ: ଛୁଟି ନମିଳିବାରୁ ଚାଲିଗଲା ଥାନାଧିକାରୀଙ୍କ ଜୀବନ । ପୁଅ ବାହାଘର ପାଇଁ ମାଗିଥିଲେ ଛୁଟି । ହେଲେ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ନମିଳିବାରୁ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ଆଉ ଏଥିରେ ସେ ମୃତ୍ୟୁ ବରଣ କରିଛନ୍ତି । ଏଭଳି ଘଟଣା ଭରପୁର ଜିଲ୍ଲାରେ ଘଟିଥିବା ଜଣାପଡ଼ିଛି । ଉଚ୍ଚେନ‌ ଥାନାଧିକାରୀ ହୋସିଆର ସିଂହ ତାଙ୍କ ପୁଅ ବିବାହର ୧୦ ଦିନ ପୂର୍ବରୁ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହେଲେ ଅନ୍ୟପଟେ ଭାରପ୍ରାପ୍ତ ଏସ୍‌ପି କହିଛନ୍ତି ହୋସିଆର ସିଂହଙ୍କ କରୋନାରେ ମୃତ୍ୟୁ ହୋଇଛି । ହେଲେ ହୋସିଆରଙ୍କ ସାଥି ସହଯାଗୀ କହିଛନ୍ତି ସେ ଶନିବାର ରାତି ପର୍ଯ୍ୟନ୍ତ ଥାନାରେ ଡ୍ୟୁଟିରେ ଥିଲେ ।

Bharatpur

୧୬ରେ ପୁଅର ନିର୍ବନ୍ଧ ଥିଲା, କିନ୍ତୁ ଛୁଟି ମିଳିନଥିଲା

ନଭେମ୍ବର ୧୬ରେ ହୋସିଆର ସିଂଙ୍କ ପୁଅର ନିର୍ବନ୍ଧ ଓ ଟିକା ରୀତିନୀତି ହେବାର ଥିଲା । କିନ୍ତୁ ତାଙ୍କ ଉପରିସ୍ଥ କର୍ମଚାରୀମାନେ ତାଙ୍କର ଛୁଟି ମଞ୍ଜୁର କରିନଥିଲେ । ୨୨ ତାରିଖରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବାର ଥିଲା । ହୋସିଆର ଟୋଙ୍କ ଜିଲ୍ଲାର ମୂଳ ବାସିନ୍ଦା । ପାରିବାରିକ କାର୍ଯ୍ୟକ୍ରମ ପାଇଁ ଛୁଟି ନଦିଆଯିବାରୁ ସେ ଗତ କିଛି ଦିନ ହେବ ଡିପ୍ରେସନରେ ଥିଲେ ।

Police

ଥନାରେ ଭୋ-ଭୋ ହୋଇ କାନ୍ଦୁଥିଲେ

ସୂଚନାନୁଯାୟୀ, ବୁଧବାର ରାତିରେ ଥାନାରେ ହୋସିଆର ନିଜ କୋଠରୀରେ ଭୋଭୋ ହୋଇ କାନ୍ଦୁଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ତାଙ୍କୁ ଉଚ୍ଚେନ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ପରୀକ୍ଷା ହେବା ପରେ ଜଣାପଡ଼ିଥିଲା ଯେ ତାଙ୍କର ରକ୍ତ ଚାପ ବଢ଼ିଯାଇଛି । ଏହା ପରେ ତାଙ୍କୁ ଭରତପୁର ମେଡିକାଲରେ ଭର୍ତ୍ତି କରାଗଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ହୋସିଆରଙ୍କ ପୁଅ କହିଛନ୍ତି ଯେ, ଛୁଟି ମିଳିନଥିବା ସମସ୍ୟା କଥା ବାପା ପରିବାର ସହ ଆଲୋଚନା କରିନାହାନ୍ତି । ରାତିରେ କଥା ହେବା ବେଳେ ଲାଗୁଥିଲା ଯେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଅଛି ।

Police

ଭାରପ୍ରାପ୍ତ ଏସ୍‌ପିଙ୍କ ସଫେଇ: କରୋନାରେ ହୋଇଛି ମୃତ୍ୟୁ

ଭାରତପୁର ଭାରପ୍ରାପ୍ତ ଏସ୍‌ପି ମୁଲ ସିଂହ ରାଣା କହିଛନ୍ତି, କରୋନା ଆକ୍ରାନ୍ତ ହେବା କାରଣରୁ ହୋସିଆରଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ପରେ ତାଙ୍କ ମୃତଦେହର ଯାଞ୍ଚ କରାଯାଇଥିଲା, ସେଥିରେ ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା । ଛୁଟି ମିଳିନଥିବା କଥା ସମ୍ପୂର୍ଣ୍ଣ ଭିତ୍ତିହୀନ । ଏହି ଅଞ୍ଚଳରେ ଗୁର୍ଜର ଆନ୍ଦୋଳନ ଚାଲିଥିଲା । ତେଣୁ ସବୁଙ୍କର ଛୁଟି ବାତିଲ କରାଯାଇଥିଲା । କିନ୍ତୁ ଏବେ ସେଭଳି କୌଣସି ପରସ୍ଥିତି ନାହିଁ । ସେ ୧୪  ନଭେମ୍ବରରୁ ୭ ଡିସେମ୍ବର ପର୍ଯ୍ୟନ୍ତ ଛୁଟି ମାଗିଥିଲେ । ଯାହାକି ମଞ୍ଜୁର କରାଯାଇଥିଲା । ୧୦ ତାରିଖରୁ ଛୁଟି ମଞ୍ଜୁର କରାଯିବା ସହ ୧୧ ତାରିଖରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

Police

ଛୁଟି ନାମଞ୍ଜୁର ନେଇ ଚର୍ଚ୍ଚା

ଛୁଟି ମଞ୍ଜୁର ହୋଇଥିବା ନେଇ ଭାରପ୍ରାପ୍ତ ଏସ୍‌ପି ସଫେଇ ଦେଉଥିଲେ ମଧ୍ୟ, ସହକର୍ମୀଙ୍କ ଅନୁଯାୟୀ ହୋସିଆର ଛୁଟିକୁ ନେଇ ଚିନ୍ତିତ ଥିଲେ । ଭରତପୁରରେ ୧୨ ଦିନ ଧରି ଗୁର୍ଜର ଆନ୍ଦୋଳନ ଚାଲିଥିଲା । ଏଭଳି ପରିସ୍ଥିତିରେ ସବୁ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା । ଏହି କଥାକୁ ନେଇ ହୋସିଆର ଟେନ୍‌ସନ୍‌ରେ ଥିଲେ ।

ପୌର ନିର୍ବାଚନ ପାଇଁ ଫିଟିବ ବାଟ, ଶୀତ ଅଧିବେଶନରେ ଆସିପାରେ ସଂଶୋଧିତ ବିଧେୟକ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ବାଟ ଫିଟିବାର ସମ୍ଭାବନା ରହିଛି । ଏ ନେଇ ଆସନ୍ତା ବିଧାନସଭା ଶୀତ ଅଧିବେଶନରେ ବିଧେୟକ ଆସିପାରେ । ଏହା ପାରିତ ହେବା ପରେ ନିର୍ବାଚନ ପ୍ରକ୍ରିୟାକୁ ଓହ୍ଲାଇବେ ରାଜ୍ୟ ନିର୍ବାଚନ କମିଶନ । ହାଇକୋର୍ଟରେ ସଂରକ୍ଷଣକୁ ନେଇ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଯାହା ରାଜ୍ୟ ସରକାରଙ୍କ ବିପକ୍ଷରେ ଯିବାରୁ ସଂଶୋଧନ ପାଇଁ ବିଧାନସଭାରେ ପାରିତ ହେବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ କରିବାର ୪ ମାସ ମଧ୍ୟରେ ହେବ ନିର୍ବାଚନ ।

Odisha Municipal Election Amendment Bill To Come In Winter Session Of Assembly

ଦୁଇ ବର୍ଷରୁ ଅଧ୍ୟକ୍ଷ ଅପେକ୍ଷାରେ ରାଜ୍ୟର ବିଭିନ୍ନ ପୌର ପରିଷଦ । ଦେଢ ବର୍ଷ ହେଲା ଖାଲି ପଡ଼ିଛି ଭୁବନେଶ୍ୱର ଓ କଟକ ମହାନଗର ନିଗମରେ ନିର୍ବାଚିତ ପ୍ରତିନିଧିଙ୍କ ସ୍ଥାନ । ପ୍ରଶାସକଙ୍କୁ ନେଇ ଚାଲିଛି କାମ । ହେଲେ ଏହି ଅଚଳାବସ୍ଥା ଦୂର ହେବାର ଏବେ ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତା ଶୀତକାଳୀନ ବିଧାନସଭା ଅଧିବେଶନରେ ପୌର ନିୟମ ସଂଶୋଧନ ବିଧେୟକ ଆସିପାରେ । ଯାହା ପାରିତ ହେବା ମାତ୍ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ । ଓଡ଼ିଶାରେ ୧୧୪ଟି ପୌର ସଂସ୍ଥା ରହିଛି । ନୂଆପଡ଼ା ଏନଏସି ନିର୍ବାଚନର ମାମଲା ବିଚାରାଧୀନ ଥିବାବେଳେ ହିନ୍ଦୋଳ ଓ ଅତାବିରା ଏନଏସିର କାର୍ଯ୍ୟକାଳ ୨୦୧୩ରେ ସରିବ । ତେବେ ଚାରୋଟି ମହାନଗର ନିଗମ ନିର୍ବାଚନ ବି ବାକି ଅଛି । ଏଥିସହ ୨୦୧୮ରେ ନୂତନ କରି ଗଠନ ହୋଇଥିବା ବିଜେପୁର ଏନଏସି ପାଇଁ ବି ନିର୍ବାଚନ ହେବ । ତେବେ ରାଜ୍ୟ ସରକାର ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣର ଚୂଡ଼ାନ୍ତ ରୂପରେଖା ସମାପନ କରିବାର ୪ ମାସ ଭିତରେ ରାଜ୍ୟ ନିର୍ବାଚନ କମିସନ ପୌର ନିର୍ବାଚନ ଘୋଷଣା କରିବେ ।

Odisha Municipal Election Amendment Bill To Come In Winter Session Of Assembly

୨୦୧୨ ପଞ୍ଚାୟତ ନିର୍ବାଚନ, ୨୦୧୩ ପୌର ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ହାର ଅଧିକ ଥିଲା । ମହିଳା, ଓବିସି, ଏସସି ଓ ଏସଟିଙ୍କୁ ମିଶାଇ ୬୪ ପ୍ରତିଶତ ଥିଲା ସଂରକ୍ଷଣ । ଯାହାକୁ ବିରୋଧ କରି ୫୦ ପ୍ରତିଶତରେ ସଂରକ୍ଷଣ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ରାଜ୍ୟ ସରକାର ସୁପ୍ରିମକୋର୍ଟ ବି ଗଲେ । ହେଲେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଲେ ସୁପ୍ରିମକୋର୍ଟ । ଯେଉଁଥିପାଇଁ ସଂଶୋଧନ କରି ସଂରକ୍ଷଣ ବ୍ୟବସ୍ଥାକୁ ୫୦ ପ୍ରତିଶତ ରଖିବା ପାଇଁ ବିଲ୍ ପାରିତ କରିବେ ରାଜ୍ୟ ସରକାର ।

Odisha Municipal Election Amendment Bill To Come In Winter Session Of Assembly

ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ କରି ରାଜ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରିବେ ରାଜ୍ୟ ସରକାର । ଏହାର ଅଢେଇ ମାସ ଭିତରେ ଭୋଟର ତାଲିକା ପ୍ରସ୍ତୁତ ହେବ । ଯେଉଁଥିରେ ନୂତନ ଭୋଟରଙ୍କ ସାମିଲ ଓ ମୃତ ଭୋଟରଙ୍କ ନାମ କଟାଯିବ । ବାକି ୪୫ ଦିନ ଭିତରେ ସରିବ ନିର୍ବାଚନ ।

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚିଲା ଭାରତୀୟ ଦଳ, ୨୭ରେ ପ୍ରଥମ ଦିନିକିଆ

ନୂଆଦିଲ୍ଲୀ: ଆଇପିଏଲ ଶେଷ କରି ଭାରତୀୟ କ୍ରିକେଟ୍ ଟିମ୍ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚିଛି । ଭାରତୀୟ ଦଳ ଆଇପିଏଲ ଖେଳିବା ପାଇଁ ଦୁବାଇରେ ଥିଲା । ଏହାପରେ ଭାରତ ନଫେରି ସିଧା ସିଡନୀରେ ପହଞ୍ଚିଛି । ଭାରତୀୟ ଦଳର ପ୍ଲେୟାରମାନେ ଅଷ୍ଟ୍ରେଲିଆରେ ପହଞ୍ଚିଥିବା ନେଇ ବିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସହ ୩ଟି ଏକଦବସୀୟ, ୩ଟି ଟି-୨୦ ଓ ୪ଟି ଟେଷ୍ଟ ଖେଳିବାର କାର୍ଯ୍ୟସୂଚୀ ରହିଛି ।

ତେବେ ପ୍ରଥମ ଏକଦବସୀୟ ମ୍ୟାଚ ଖେଳାଯିବ । ପ୍ରଥମ ଏକ ଦବସୀୟ ମ୍ୟାଚ ନଭେମ୍ୱର ୨୭ରୁ ଆରମ୍ଭ ହେବ । ସେହିଭଳି ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଜାନୁଆରୀ ୧୯ରେ ଶେଷ ହେବ । ନଭେମ୍ୱର ୨୭ ପୂର୍ବରୁ ଭାରତୀୟ କ୍ରିକେଟରମାନେ ସଙ୍ଗରୋଧରେ ରହିବେ । କୋଭିଡ୍ ସଂକ୍ରମଣ ହୋଇ ନଥିବା ଖେଳାଳିଙ୍କୁ ହିଁ ମ୍ୟାଚରେ ଅଂଶଗ୍ରହଣ କରିବାର ଅନୁମତି ମିଳିବ । ତେବେ ସୂଚନାଯୋଗ୍ୟ ଯେ ରୋହିତ ଶର୍ମା ଏକଦବସୀୟ ଓ ଟି-୨୦ ଦଳରେ ଖେଳିବା ନେଇ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ଆସିନଥିବା ବେଳେ କେବଳ ଟେଷ୍ଟରେ ଖେଳିବା ନେଇ ବିସିସିଆଇ ସ୍ପଷ୍ଟ କରିଛି ।

ସେହିଭଳି ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ଚୟନ ହୋଇଥିବା ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଟିମରୁ ବାଦ ପଡ଼ିଛନ୍ତି । ବିସିସିଆଇ ତାଙ୍କୁ କେବଳ ଟି-୨୦ ଟିମରେ ସାମିଲ କରିଥିଲା । ମାତ୍ର ଆହତ କାରଣରୁ ତାଙ୍କ ବଦଳରେ ନଟରାଜନଙ୍କୁ ସୁଯୋଗ ମିଳିଛି ।

୧୮ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର; ଶ୍ରୀସେତୁ ଓ ଶ୍ରୀମନ୍ଦିର ଉନ୍ନୟନକୁ ଗୁରୁତ୍ୱ…

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକରେ ୧୮ ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା  ଏହି ବୈଠକ ବସିଥିଲା  । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍‌ସିଂ ଯୋଗେ ବୈଠକରେ ସାମିଲ ହୋଇଥିଲେ । ମନ୍ତ୍ରୀମାନେ ସଚିବାଳୟ ଓ ଜିଲ୍ଲା ହେଡକ୍ୱାର୍ଟରରୁ ଭିସି ଯୋଗେ ଯୋଡି ହୋଇଛନ୍ତି  । ସେପଟେ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ବର୍ଷ ପାଇଁ ଅତିରିକ୍ତ ବଜେଟକୁ ମଂଜୁରୀ ମିଳିଛି  । ଅତିରିକ୍ତ ବଜେଟ୍ ପାଇଁ ୧୧ହଜାର ୨ଶହ କୋଟି ଟଙ୍କା ମଞ୍ଜୁରୀ କରାଯାଇଛି  । ଆସନ୍ତା ୨୦ ତାରିଖରେ ବିଧାନସଭାରେ ଆଗତ ହେବ ବଜେଟ୍  । ରାଜ୍ୟ ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ  ବଜେଟ୍ ଆଗତ କରିବେ  ।

ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୨୦-୨୧ ବର୍ଷରେ ୪୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରାଯିବ ।ଖରିଫ ଋତୁରେ ୫୪ ଲକ୍ଷ ଓ ରବି ଋତୁରେ ୧୭ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ। ଏହାଠୁ ଅଧିକ ଧାନ ଯଦି ପଞ୍ଜିକୃତ ଚାଷୀଙ୍କ ଦ୍ୱାରା ମଣ୍ଡିକୁ ଆସିବ ତାକୁ ମଧ୍ୟ ସରକାର କ୍ରୟ କରିବେ । ଚାଷୀଙ୍କୁ ଧାନ ବିକ୍ରି ବାବଦ ପ୍ରାପ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୪ରୁ ୪୮ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ । ଚଳିତବର୍ଷ ନଭେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ଖରିଫ ଧାନ ଓ ମେ’ରୁ ଜୁନ୍ ମାସ ମଧ୍ୟରେ ରବି ଧାନ ସଂଗ୍ରହ କରାଯିବ । ସରକାରଙ୍କୁ ଧାନ ବିକ୍ରି ପାଇଁ ‘ଆଧାର’ ଏକମାତ୍ର ପରିଚୟ ପତ୍ର ହେବ । ଧାନ ବିକ୍ରୟ ସମୟରେ ଆଧାର ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ ଚିହ୍ନଟକରଣ ପ୍ରକ୍ରିୟା ଅବଲମ୍ବନ କରାଯିବ । ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ପ୍ରକୃତ ଚାଷୀ ଏହି ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ୧୮୬୮ ଓ ୧୮୮୮ ଟଙ୍କା ହାରରେ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବ। ରାଜ୍ୟରେ ଏବେ ୩୧୦ଟି ଧାନ ସଂଗ୍ରହକାରୀ ବ୍ଲକରେ ପି-ପାସ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଅଭାବୀ ଧାନ ବିକ୍ରିକୁ ପ୍ରତିହତ କରିବା ନିମନ୍ତେ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ୮.୩୭ ଏକର ଜମି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହେବ । ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଲଭ ମାର୍କେଟ କମ୍ପଲେକ୍ସ ନିର୍ମାଣ ପାଇଁ ଏହି ଜମି ବ୍ୟବହାର କରାଯିବ । ଏଥିପାଇଁ ୪୬୧ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଓଡ଼ିଶା ଡ଼ାକ୍ତରୀ ସେବା ନିୟମାବଳୀ-୨୦୧୭ରେ ପରିବର୍ତ୍ତନ କରାଯିବ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଶୋଧନ ନିୟମ ୨୦୨୦ ପ୍ରଚଳିଚ ହେବା ପାଇଁ ଯୋଜନା କରାଯାଇଛି । ଯେଉଁ ସ୍କିମର ପଦବୀ ଗୁଡିକ ଭାରତ ସରକାର ବା ଓଡ଼ିଶା ସରକାରଙ୍କ ଦ୍ବାରା ଅନୁମୋଦନ ହୋଇଥିବ । ସେହିସବୁ ପଦବୀରେ ଫାର୍ମାସିଷ୍ଟମାନଙ୍କୁ ସ୍ବଚ୍ଛ ପଦ୍ଧତି ଅନୁସରଣ କରି ନିଯୁକ୍ତି ଦିଆଯାଇଥିବ ଏବଂ ସରକାରଙ୍କ ବିଭିନ୍ନ ଚିକିତ୍ସାଳୟରେ ଗୁରୁତର ଚିକିତ୍ସାରେ ନିୟୋଜିତ ଥିବେ କେବଳ ସେହି ଠିକା ଫାର୍ମାସିଷ୍ଟଙ୍କୁ ରାଜ୍ୟ ସରକାର ନିୟମିତ କରିବେ । ପୂର୍ବରୁ ବରିଷ୍ଠ ଫାର୍ମାସିଷ୍ଟ ପଦକୁ ପଦୋନ୍ନତି ପାଇବା ପାଇଁ ଠିକା ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟକାଳକୁ ଗ୍ରହଣ କରାଯିବା ନେଇ ଯେଉଂ ଦ୍ବନ୍ଦ୍ବ ଥିଲା ତାହା ଦୂର କରାଯାଇଛି । ପଦୋନ୍ନତି ପାଇଁ ୧୦ ବର୍ଶର ସମୟ ସୀମା ନିୟମିତ ହେବା ଦିନଠାରୁ ବିଚାରକୁ ନିଆଯିବ । ସ୍କିମ ଓ ସୋସାଇଟି ଅଧୀନରେ କାମ କରୁଥିବା ଫାର୍ମାସିଷ୍ଟ ଯେଉଁ ମାନହ୍କ ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ଠିକ ଅଛି, ସେମାନଙ୍କ ଆବେଦନର ସର୍ବାଧିକ ବୟସ ସୀମା ଯାହାକି ପୂର୍ବରୁ ୫୦ ବର୍ଷ ଥିଲା ତାହା ୪୫ ବର୍ଷକୁ ହ୍ରାସ କରାଯାଇଛି । ସେହିପରି ରେଡିଓଗ୍ରାଫର ସେବା ସଂଶୋଧନ ନିୟମ ୨୦୨୦ ପ୍ରଚଳନ ପାଇଁ ଯୋଜନା କରାଯାଇଛି । ଯେଉଁଥିରେ ଫାର୍ମାସିଷ୍ଟଙ୍କ ପରି ନିୟମ କାର୍ଯ୍ୟକାରୀ କରାଯିବ । ତେବେ ସଂଶୋଧନରେ ମୂଳ ଶିକ୍ଷାଗତ ଯୋଗ୍ୟତା ଥାଇ ଉଚ୍ଚତର ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ମଧ୍ୟ ରେଡିଓଗ୍ରାଫର ପଦବୀ ପାଇଁ ଆବେଦନ କରିବାକୁ ଅନୁମୋଦନ ମିଳିଛି । ସେହିପରି ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା ଚୟନ ପ୍ରବିଧି ଓ ସେବାସର୍ତ୍ତ ନିୟମରେ ସଂଶୋଧନ କରାଯାଇଛି । ଏହାଦ୍ବାରା ଯଦି ଜଣେ ପ୍ରାର୍ଥୀ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାରେ ଓଡ଼ିଆ ବିଷୟ ନେଇ ଉତ୍ତୀର୍ଣ୍ଣ ହୋଇନଥିବେ ସେମାନେ ଚାକିରିର ଯୋଗ ଦେବାର ୪ ବର୍ଷ ମଧ୍ୟରେ ଏହି କାମ ସମାପନ କରିବାକୁ ହେବ । ସେହିପରି ଜଣେ ପ୍ରାର୍ଥୀ ଯଦି ରାଜ୍ୟ ବାହାରର ତେବେ ତାଙ୍କୁ ଚାକିରିରେ ଯୋଗଦେବା ପୂର୍ବରୁ ଓଡ଼ିଶା ଡାକ୍ତରୀ ପଞ୍ଜୀକୃତ ପରିଷଦରେ ପଞ୍ଜୀକରଣ କରିବାକୁ ହେବ । ସେହିପରି ଓଡ଼ିଶା ନର୍ସିଂ ସେବା ସଂଶୋଧନ ନିୟମ ୨୦୨୦ ପ୍ରଚଳନ କରାଯିବାକୁ ନିଷ୍ପତ୍ତି ହୋଇଛି । ଓଡିଶା ବେସାମରିକ ସେବା ନିୟମାବଳୀ-୧୯୯୨ରେ ସଂଶୋଧନ କରାଯିବ । ଆଗାମୀ ବିଧାନସଭା ଶୀତ ଅଧିବେଶନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଚଳିତ ଆର୍ଥିକ ବର୍ଷରେ ଗ୍ରିଡକୋ ସପକ୍ଷରେ ୨୬ ଶହ କୋଟି ଟଙ୍କାର ଋଣ ପାଇଁ ଗ୍ୟାରେଣ୍ଟି ପ୍ରଦାନ ପାଇଁ ମଞ୍ଜୁରୀ ମିଳିଛି । ଓଡିଶାର ସରକାରୀ ଯାନ୍ତ୍ରିକ ବିଦ୍ୟାଳୟର ନିଯୁକ୍ତି ଲାବୋରଟୋରୀ ସହାୟକଙ୍କର ନିଯୁକ୍ତ ପ୍ରଣାଳୀ ଓ ଚାକିରି ସର୍ତ୍ତାବଳୀକୁ ଆହୁରି ସୁବ୍ୟବସ୍ଥିତ କରାଯିବ । ଏହା ପାଇଁ ପଲିଟେକ୍ନିକର ଲାବୋରଟୋରୀ ସହାୟକ ନିୟମ,୨୦୨୦ର ପ୍ରଣୟନ କରାଯିବ । ଏହା ଦ୍ୱାରା ଏମାନଙ୍କୁ କ୍ୟାଡରରେ ପଦୋନ୍ନତିର ସୁଯୋଗ ସୃଷ୍ଟି ହେବ ।

ଓଡ଼ିଶା ପୋଲିସର ପ୍ରଶଂସନୀୟ ଉଦ୍ୟମ; ପ୍ଲାଜମା ଦାନ କଲେଣି ୭୦୨ ପୋଲିସ କର୍ମଚାରୀ

ଭୁବନେଶ୍ୱର: କୋଭିଡ୍ ମୁକାବିଲାରେ ରାଜ୍ୟର କୋଭିଡ୍ ଯୋଦ୍ଧାମାନେ ଦିନତମାମ୍ ପ୍ରଚେଷ୍ଟା କରୁଛନ୍ତି । ଏଯାବତ୍ ଓଡ଼ିଶା ପୋଲିସର ୭୦୨ ଜଣ କରୋନା ସଂକ୍ରମିତ ପ୍ଲାଜମା ଦାନ କରି ସାରିଲେଣି । ଏପର୍ଯ୍ୟନ୍ତ ଟିକା ବାହାରି ନଥିବା ହେତୁ ପ୍ଲାଜମା ଥେରାପୀକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ପ୍ଲାଜମା ଦାନ ପାଇଁ ସାଧାରଣରେ ଅପିଲ୍ ମଧ୍ୟ କରିଛନ୍ତି । ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଦେଇ ପୋଲିସ କର୍ମଚାରୀମାନେ ସଂକ୍ରମଣକୁ ହରାଇବାରେ ପ୍ଲାଜମା ଦାନ କରି ନିଜ ନିଜ ଦାୟିତ୍ୱବୋଧକୁ ପ୍ରମାଣ କରିଛନ୍ତି ।

ଏହି କୋଭିଡ୍ ଯୋଦ୍ଧାମାନେ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ, ଆଇଜିଏଚ୍, ଭିମସାର, ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ୍ ଓ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ଦାନ କରିଛନ୍ତି । ସେହିଭଳି ଏମାନଙ୍କ ଅବଦାନକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରଶଂସନୀୟ ବୋଲି କୁହାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ପୋଲିସ କର୍ମଚାରୀମାନଙ୍କୁ ପ୍ଲାଜମା ଦାନ ପାଇଁ ପ୍ରୋତ୍ସାହିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ତେବେ ରାଜ୍ୟରେ ବିଭିନ୍ନ ଜିଲ୍ଲାର ପୋଲିସ କର୍ମଚାରୀମାନେ କୋଭିଡରୁ ସୁସ୍ଥ ହେବା ପରେ ସ୍ୱତପ୍ରୋତ ଭାବେ ପ୍ଲାଜମା ଦାନ କରିଛନ୍ତି । ପ୍ଲାଜମା ଦାନ କରିଥିବା କର୍ମଚାରୀଙ୍କର ପୋଲିସ ଜିଲ୍ଲା ଓ ପ୍ରତିଷ୍ଠାନର ନାମ ପୋଲିସ ପ୍ରଶାସନ ତରଫରୁ ଉଲ୍ଲେଖ କରାଯାଇଛି । ସେହିଭଳି ଆଗାମୀ ଦିନରେ ପ୍ଲାଜମା ଦାନ କରିଥିବା ପୋଲିସ କର୍ମଚାରୀଙ୍କ ସଂଖ୍ୟା ୮ ଶହରେ ପହଞ୍ଚିବ ବୋଲି ପ୍ରଶାସନ ଆଶାବାଦୀ ଅଛି ।

ଭଗବତ ଗୀତାର ୧୩ଟି ଶ୍ଲୋକକୁ ଏକ ମିନିଟରେ ଆବୃତି, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ବିଠଲ

ବ୍ରହ୍ମପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇଛନ୍ତି ବ୍ରହ୍ମପୁର ଡିଏଭି ସ୍କୁଲ ଛାତ୍ର ବିଠଲ ଭରଦ୍ୱାଜ । ଗୋଟିଏ ମିନିଟରେ ଭଗବତ ଗୀତାର ପନ୍ଦର ଅଧ୍ୟାୟର ୧୩ଟି ଶ୍ଲୋକକୁ ଆବୃତି କରି ରେକର୍ଡ କରିଛନ୍ତି । ଯାହାକୁ ନେଇ ପରିବାର ଓ ସମ୍ପର୍କୀୟ ବେଶ୍ ଖୁସି ଅଛନ୍ତି । ଆଗକୁ ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିବାର ଲକ୍ଷ୍ୟ ରଖିଛନ୍ତି ।

11th Class DAV Student Vithal Chanting 13 Slokas In One Minute, Entered In India Book Of Record

କଥାରେ ଅଛି ବୁଝୁ ନବୁଝୁ ପଢ଼ ଗୀତା । ମୁହଁରେ ଅନର୍ଗଳ ସଂସ୍କୃତ ଶ୍ଲୋକ । ଏକାନିଶ୍ୱାସେ ସ୍ପଷ୍ଟ ଭାବେ ଉଚ୍ଚାରଣ କରୁଛନ୍ତି ସଂସ୍କୃତ ଶ୍ଲୋକ । ବ୍ରହ୍ମପୁରର ବିଠଲ ଭରଦ୍ୱାଜ ଗୀତାର ଶ୍ଲୋକ ଆବୃତି କରି ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇଛନ୍ତି । ମାତ୍ର ୧ ମିନିଟରେ ଗାଇଥିଲେ ଭଗବତ ଗୀତାର ୧୩ଟି ଶ୍ଲୋକ । ଆଗକୁ ସେ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସହରର ଡି.ଏ.ଭି ପବ୍ଲିକ ସ୍କୁଲରେ ଏକାଦଶ ଶ୍ରେଣୀର ପାଠ ପଢ଼ନ୍ତି ବିଠଲ ଭରଦ୍ୱାଜ ।

11th Class DAV Student Vithal Chanting 13 Slokas In One Minute, Entered In India Book Of Record

ପିଲାଟି ଦିନରୁ ବିଠଲ ବାପା ସ୍ୱର୍ଗତ ରଷିକେଶ ସାହୁଙ୍କ ଠାରୁ ଗୀତା ଶ୍ଲୋକ ଶିଖିଥିଲେ । ପରେ ଏହାକୁ ନିଜର ଅଭ୍ୟାସ ବଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୀତା ଆବୃତି କରି ଅନେକ ପୁରସ୍କାର ପାଇଛନ୍ତି । ବିଠଲର ଏଭଳି କୃତିତ୍ୱକୁ ବେଶ୍ ପ୍ରଶଂସା କରାଯାଉଛି ।

ଉପନିର୍ବାଚନ ବିଜୟ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ, ସମସ୍ତଙ୍କୁ ଦେଲେ ଶ୍ରେୟ

ଭୁବନେଶ୍ୱର : ତିର୍ତ୍ତୋଲ ଉପନିର୍ବାଚନରେ ବିପୁଳ ଭୋଟ୍ ବ୍ୟବଧାନରେ ବିଜେଡିକୁ ବିଜୟୀ କରିଥିବାରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଜୟ ପରେ ଦଳୀୟ କର୍ମକତ୍ତାଙ୍କୁ ସମ୍ବୋଧିତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରି ନବୀନ କହିଥିଲେ ଯେ, କୋଭିଡ଼ ସମୟରେ ନିୟମ ମାନି ନିର୍ବାଚନ ପରିଚାଳନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । କଥା ନୁହେଁ, କାମରେ ବିଶ୍ୱାସ କରିଥାଏ ବିଜେଡି । ବହୁ ସଂଖ୍ୟାରେ ବୁଥ୍ କୁ ଆସି ବିଜେଡି ବିଜୟରେ ପ୍ରମୁଖ ଯୋଗଦାନ ଦେଇଥିବାରୁ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ନିର୍ବାଚନ ପୂର୍ବରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରୟାସ କରାଯିବ । ଏହି ବିଜୟ ପାଇଁ ଦଳର କାର୍ଯ୍ୟକର୍ତ୍ତାମାନେ ତୃଣମୂଳସ୍ତରରେ ଭୋଟରଙ୍କୁ ଧନ୍ୟବାଦ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

CM Naveen Patnaik Virtual Campaign In Balasore Sadar Assembly Constituency

ସେହିପରି ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡି ପାଇଥିବା ବିଜୟ ବ୍ୟବଧାନଠାରୁ ଚଳିତଥର ବ୍ୟବଧାନ ଅଧିକ ରହିଛି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ନବନିର୍ବାଚିତ ବିଧାୟକ ବିଜୟଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଆଗାମୀ ଦିନରେ ତିର୍ତ୍ତୋଲର ଉନ୍ନତି ପାଇଁ ସ୍ୱର୍ଗତ ବିଷ୍ଣୁ ଚରଣ ଦାସ ଦେଖିଥିବା ସ୍ୱପ୍ନ ପୂରଣ କରାଯିବ ବୋଲି ବିଜୟ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଭିଡିଓ କନଫରେନ୍ସିଂ ସମୟରେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଏବଂ ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନୁରୂପ ଭାବେ ବାଲେଶ୍ୱର ସଦର ବିଜେଡି କର୍ମକର୍ତ୍ତା, ଭୋଟର ଏବଂ ଉପନିର୍ବାଚନ ପରିଚାଳନାରେ ଜଡିତ ଥିବା ନେତାମାନଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

ଏହି ଭିଡିଓ କନଫରେନ୍ସିଂ ସଭାରେ ଦେବୀ ମିଶ୍ର, ପ୍ରତାପ ଦେବ ପ୍ରମୁଖ ସ୍ୱାଗତ ଭାଷଣ ରଖିଥିଲେ । ଏହା ପରେ ନବନିର୍ବାଚିତ ବିଜୟୀ ପ୍ରାର୍ଥୀ ସ୍ୱରୂପ ଦାସ ମଧ୍ୟ ବିଜେଡି ନେତୃବୃନ୍ଦ, କର୍ମକର୍ତ୍ତା ଓ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ, ବାଲେଶ୍ୱରବାସୀଙ୍କୁ ଅଭିନନ୍ଦନ । ସେମାନଙ୍କ ଭଲପାଇବା ହିଁ ଦଳକୁ ବିଜୟୀ କରିଛି । କୋଭିଡ଼ ସମୟରେ ନିର୍ବାଚନ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିପରି ମା ମାନେ ବିପୁଳ ପରିମାଣରେ ଭୋଟ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ । ଯେଉଁମାନେ ଯେଉଁ ଅଞ୍ଚଳରେ ରହି ସଙ୍ଗଠନ କରିଥିଲେ, ସେମାନେ ସେହି ସ୍ଥାନକୁ ଯାଇ ଭୋଟରଙ୍କୁ ଧନ୍ୟବାଦ ଜଣାନ୍ତୁ । କଥା ନୁହେଁ, କାମରେ ବିଶ୍ୱାସ କରୁଥିବା ଦଳ ହେଉଛି ବିଜେଡି । ନିର୍ବାଚନ ପୂର୍ବରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଅଣ୍ଡା, ମାଣ୍ଡିଆ ପରେ ଅଙ୍ଗନୱାଡ଼ିରେ ଚୂନାମାଛ ଖାଇବେ ଛୁଆ

ବାରିପଦା: ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଥିବା ୩ରୁ ୬ ବର୍ଷର ଶିଶୁଙ୍କୁ ମିଳିବ ଚୂନାମାଛ । ସରକାରଙ୍କ ନିଷ୍ପତ୍ତି ପରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ହେବ ସରକାରଙ୍କ ପାଇଲଟ୍ ପ୍ରକଳ୍ପ । ଜିଲ୍ଲାର ମାଆ, ଶିଶୁ ଓ ଅଙ୍ଗନୱାଡ଼ି କର୍ମୀମାନେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରାଯାଇଛି ।

Chuna Machha Will Give To Anganwadi Child In Mayurbhanj District As Pilot Project

ପୁଷ୍ଟିକର ହେଉଛି ଅଙ୍ଗନୱାଡ଼ି ଶିଶୁଙ୍କ ମେନ୍ୟୁ । ଅଣ୍ଡା, ମାଣ୍ଡିଆ ପରେ ଶିଶୁଙ୍କୁ ଦିଆଯିବ ଚୂନାମାଛ । ମୟୂରଭଞ୍ଜରୁ କାର୍ଯ୍ୟକାରୀ ହେବ ପାଇଲଟ ପ୍ରକଳ୍ପ । ଜିଲ୍ଲାର ୫୦ କେନ୍ଦ୍ରରେ ଆରମ୍ଭ ହେବ ଯୋଜନା । ସରକାରଙ୍କ ନିଷ୍ପତ୍ତିକୁ ସବୁଠି ସ୍ୱାଗତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହା ସଫଳ ହେଲେ ପରେ ଅନ୍ୟ ଜିଲ୍ଲାମାନଙ୍କରେ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗତ ମଙ୍ଗଳବାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ।

Chuna Machha Will Provide To Anganwadi Child In Mayurbhanj District As Pilot Project

ପୁଷ୍ଟିସାଧନ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ଗବେଷଣା ପ୍ରତିଷ୍ଠାନର ସକାରାତ୍ମକ ରିପୋର୍ଟ ମିଳିଛି । ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ଏହି ପାଇଲଟ ପ୍ରୋଜେକ୍ଟ ସରକାରଙ୍କ ଏକ ଯ଼ୁଗାନ୍ତକାରୀ ପଦକ୍ଷେପ ବୋଲି ସ୍ୱାସ୍ଥ୍ୟକର୍ମୀ କହିଛନ୍ତି ।

ବିଏମସିକୁ ବଡ଼ ସଫଳତା, ମଳ ପରିଚାଳନା ଓ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ମିଳିଲା ISO ସାର୍ଟିଫିକେଟ୍

ଭୁବନେଶ୍ୱର: ମଳ ପରିଚାଳନା କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମକୁ ମିଳିଛି ବଡ଼ ସଫଳତା । ଆଇଏସ୍ଓ ସାର୍ଟିଫିକେଟ୍ ସହ ସମଗ୍ର ଦେଶରେ ପ୍ରଥମ ସହରାଞ୍ଚଳର ମାନ୍ୟତା ମିଳିଛି । ବିଶ୍ୱସ୍ତରରେ ବାଂଲାଦେଶର ଜେହ୍ନେଇଦା ପୌରସଂସ୍ଥା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭୁବନେଶ୍ୱର ମହାନଗର ନିଗମ ।

BMC Received IOS Certificate For Faecal Sludge & Septage Management In Country As First Muncipal 

ବିଶ୍ୱସ୍ତରରେ ଭୁବନେଶ୍ୱର ମହାନଗର ନିଗମ ସୃଷ୍ଟି କରିପାରିଛି ସ୍ୱତନ୍ତ୍ର ପରିଚୟ । ପରିମଳ ଓ ପରିବେଶ ଉପରେ ଗୁରୁତ୍ୱ ଦେଉଥିବା ବିଏମସିକୁ ମିଳିଛି ବଡ଼ ସଫଳତା । ମଳ ପରିଚାଳନା ଓ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ବିଏମସିକୁ ମିଳିଛି ଆାଇଏସ୍ଓ ସାର୍ଟିଫିକେଟ୍ । ଏକ୍ଷେତ୍ରରେ ବିଏମସି ଦେଶର ପ୍ରଥମ ତଥା ଏକମାତ୍ର ପୌରସଂସ୍ଥା ଭାବେ ଏହି ମାନ୍ୟତା ପାଇଥିବା ବେଳେ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ବିଏମସି । ପ୍ରଥମ ସ୍ଥାନ ଅଧିକାର କରିଛି ବାଂଲାଦେଶର ଜେହ୍ନେଇଦା ପୌରସଂସ୍ଥା । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏଭଳି ସଫଳତାକୁ ରାଜଧାନୀବାସୀଙ୍କୁ ଉତ୍ସର୍ଗ କରିଛି ବିଏମସି ।

BMC Received IOS Certificate For Faecal Sludge & Septage Management In Country As First Muncipal 

ଭୁବନେଶ୍ୱର ସହରର ମଳ ପରିଚାଳନା ଥିଲା ବଡ଼ ସମସ୍ୟା । ଲୋକେ ସିଧାସଳଖ ନାଳ ଓ କେନାଲକୁ ସଂଯୋଗ କରି ଦେଉଥିଲେ ପାଇଖାନା ସହ । ଏହି ସମସ୍ୟାର ସମାଧାନ ପାଇଁ ଅମୃତ ଯୋଜନାରେ ପ୍ରାୟ ୪ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିଲା ମଳ ଉପଚାର ସୁବିଧା କେନ୍ଦ୍ର । ଜନବସତି ଠାରୁ ଦୂରରେ ବାସୁଆଘାଇ ଠାରେ ସ୍ଥାପନ ହୋଇଥିଲା ଏହି କେନ୍ଦ୍ର । ବିଏମସି ଓ ଘରୋଇ ସଂସ୍ଥାର ମିଳିତ ସହଯୋଗରେ ଲୋକଙ୍କୁ ଦିଆଗଲା ସେବା ।

BMC Received IOS Certificate For Faecal Sludge & Septage Management In Country As First Muncipal 

ଉଭୟ ଅନଲାଇନ୍ ଓ ଅଫଲାଇନରେ ବୁକିଂ କରି ସେସପୁଲ ଜରିଆରେ ଘର ପାଇଖାନାରୁ ମଳ ନିଷ୍କାସନ କରି ଏହି କେନ୍ଦ୍ରରେ ତାହାର ପ୍ରକ୍ରୀୟାକରଣ କରାଯାଉଛି । ମଳ ଉପଚାର ସୁବିଧା କେନ୍ଦ୍ରରେ ପ୍ରସ୍ତୁତ ହେଉଛି ସାର । ଯାହାକୁ କୃଷି କ୍ଷେତ୍ରରେ ବିନିଯୋଗ କରାଯାଇପାରିବ । ଏହାକୁ ବିକ୍ରୀ କରି ମଧ୍ୟ ବିଏମ୍ସି ବେଶ୍ ଅର୍ଥ ଆଦାୟ କରିବାର ଲକ୍ଷ୍ୟ ରଖିଛି ।

BMC Received IOS Certificate For Faecal Sludge & Septage Management In Country As First Muncipal