spot_img
Home Blog Page 6442

ନବରଙ୍ଗପୁର ଜିଲ୍ଲାରୁ ୬ ରାଜ୍ୟରେ କାୟା ବିସ୍ତାର କରିଥିଲେ ଗଞ୍ଜେଇ ମାଫିଆ

ନବରଙ୍ଗପୁର: ପୋଲିସ ଆକ୍ସନରେ ଛାନିଆ ହେଲେଣି ଗଞ୍ଜେଇ ମାଫିଆ । ବେଆଇନ୍ ଗଞ୍ଜେଇ କାରବାରର ମୂଳତ୍ପୋଟନ ଲାଗି ନବରଙ୍ଗପୁର ପୋଲିସ ପଦକ୍ଷେପ ନେଇଛି । ଗଞ୍ଜେଇ କାରବାରରେ ସମ୍ପୃକ୍ତ ଜିଲ୍ଲାର ୩ ଜଣଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଜବତ କରିଛି ପୋଲିସ । ଏହି ସବୁ ସମ୍ପତ୍ତି ବେଆଇନ୍ ଉପାୟରେ ଅର୍ଜିତ ଧନରେ କରାଯାଇଥିଲା । ସମ୍ପତ୍ତିର ମୂଲ୍ୟ ପ୍ରାୟ ୪.୫୯ କୋଟି ଟଙ୍କା ହେବ ବୋଲି ଜିଲ୍ଲା ପୋଲିସ ସୂଚନା ଦେଇଛି ।

Nabarangpur Police Seized 4.59 Crore Assets Of Ganja Mafia

ତିନି ଗଞ୍ଜେଇ ମାଫିଆ ହେଲେ କଷାଗୁମୁଡ଼ା ପନରାଗୁଡା ଗାଁର ପ୍ରଭାକର ମାଳି, ଅନିରୁଦ୍ଧ ମାଳି ଓ ରମେଶ ମାଳି । ଏମାନେ ପରଦା ପଛରେ ରହି ବେଆଇନ୍ ଗଞ୍ଜେଇ କାରବାର କରୁଥିଲେ । ଓଡ଼ିଶା ସମେତ ଛତିଶଗଡ଼, ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଆଦି ୬ ରାଜ୍ୟରେ ଗଞ୍ଜେଇ ସାମ୍ରାଜ୍ୟ ବିସ୍ତାର କରିଥିଲେ । ନବରଙ୍ଗପୁରରୁ ଚଳାଉଥିଲେ ବେଆଇନ୍ ଗଞ୍ଜେଇ ନେଟୱର୍କ । ଏମାନେ ଏକାଧିକ NDPS ଆକ୍ଟ ମାମଲାରେ ସମ୍ପୃକ୍ତ ରହିଛନ୍ତି । ଏମାନଙ୍କ ବିରୋଧରେ କଷାଗୁମୁଡ଼ା ସହ ପାପଡ଼ାହାଣ୍ଡି ଥାନାରେ NDPS ଆକ୍ଟରେ ମାମଲା ରହିଛି ।

Nabarangpur Police Seized 4.59 Crore Assets Of Ganja Mafia

NDPS ଆକ୍ଟ ୧୯୮୫ ଆଧାରରେ ଅସ୍ଥାବର ସମ୍ପତ୍ତି- ୪ଟି ବିଲ୍ଡିଂ, ୪ ଏକର ୮୨ ସେଣ୍ଟ ଜମିକୁ ଜବତ କରାଯାଇଛି । ସେହିଭଳି ସ୍ଥାବର ସମ୍ପତ୍ତି- ଗୋଟିଏ ବୁଲେଟ୍, ଗୋଟିଏ ସ୍କୁଟି, ଗୋଟିଏ କାର, ୨ଟି ଟ୍ରାକ୍ଟର ସହ ଟ୍ରଲି ଏବଂ ନଗଦ ୯ ଲକ୍ଷ ୩୯ ହଜାର ୪୩୩ ଟଙ୍କା ଜବତ କରିଛି ପୋଲିସ । ଏମାନଙ୍କ ଆକାଉଣ୍ଟରେ ୪ କୋଟି ୫୯ ଲକ୍ଷ ୬୮ ହଜାର ୨୮୯ ଟଙ୍କା ଦେଣନେଣ ହୋଇଛି ।

Nabarangpur Police Seized 4.59 Crore Assets Of Ganja Mafia

ଅନ୍ୟ ଦେଣନେଣ ପୋଲିସ NDPS ଆକ୍ଟ ଅନୁଯାୟୀ ଖୋଳତାଡ଼ କରୁଛି । କମ୍ପିଟେଣ୍ଟ ଅଥରିଟି କୋଲକାତାଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ପୋଲିସ ସମ୍ପତ୍ତି ଜବତ କରିଛି । ପ୍ରଭାକର ମାଳି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ନବରଙ୍ଗପୁର ଜେଲରେ ଥିବା ବେଳେ ରମେଶ ମାଳି ଓ ଅନିରୁଦ୍ଧ ମାଳି ଫେରାର ଅଛନ୍ତି ।

କେବଳ ପୃଥିବୀରେ ନୁହେଁ, ଅନ୍ୟ ଗ୍ରହରେ ବି ଝଡ଼ ତୋଫାନ ! ସାମ୍ନାକୁ ଆସିଲା ଫଟୋ…

ନୂଆଦିଲ୍ଲୀ: ପୃଥିବୀ ଆମ ସୌର ମଣ୍ଡଳରେ ଏକମାତ୍ର ଗ୍ରହ ନୁହେଁ ଯେଉଁଠି ବିଜୁଳି ଦେଖିବାକୁ ମିଳିଥାଏ । ଝଡ଼ ତୋଫାନ୍‌ ଆସିଲେ ସାଧାରଣତଃ ମେଘ ଫାଟିଥାଏ ଏବଂ ବିଜୁଳି ଦେଖାଯାଇଥାଏ ।

ତେବେ ଏଭଳି ଅନେକ ଗ୍ରହ ରହିଛି ଯେଉଁଠି ଝଡ଼ ତୋଫାନ ସହ ବିଜୁଳି ଦେଖାଯାଇଥାଏ । ବର୍ତ୍ତମାନ ସମୟରେ ଆମ ସୌର ମଣ୍ଡଳର ସବୁଠୁ ବଡ଼ ଗ୍ରହ (ବୃହସ୍ପତି)ରେ ଭୟଙ୍କର ଝଡ଼ ତୋଫାନ୍‌ ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ମେଘ ଫାଟି ଜୋରଦାର୍‌‌ ବିଜୁଳି ମଧ୍ୟ ଚମକୁଛି । ଏଠାରେ ଦୁଇ ପ୍ରକାର ବିଜୁଳି ଦେଖିବାକୁ ମିଳିଛି । ଏହି ବିଜୁଳି ଓ ଝଡ଼ ତୋଫାନର କିଛି ଫଟୋ ଏବେ ସାମ୍ନାକୁ ଆସିଛି ।

Jupiter Photo

ଆମେରିକା ସ୍ପେସ୍ ଏଜେନ୍ସି ନାସାର ଜୁନୋ ସ୍ପେସ୍‌ କ୍ରାଫ୍ଟ ଏହି ଭୟଙ୍କର ଝଡ଼ ତୋଫାନ୍‌, ବଜ୍ରପାତ ଏବଂ ଘୂର୍ଣ୍ଣିବାତ୍ୟାର ଫଟୋ ଉଠାଇଛି । ସାଧାରଣ କ୍ୟାମେରା ବ୍ୟତୀତ ଫଟୋଗୁଡ଼ିକ ଇନଫ୍ରାରେଡ୍, ଅଲଟ୍ରାଭାଇଓଲେଟ୍ କ୍ୟାମେରାରେ ମଧ୍ୟ ଉତ୍ତୋଳନ କରାଯାଇଛି ।

ଏହି ଫଟୋଗୁଡ଼ିକୁ ତର୍ଜମା କରି ଦଖିବା ପରେ ବୈଜ୍ଞାନିକ ମାନେ ଜାଣିବାକୁ ପାଇଥିଲେ, ଏଠାରେ ଦୁଇ ପ୍ରକାର ବିଜୁଳି ଦେଖାଯାଇଥାଏ । ନାସାର ବୈଜ୍ଞାନିକମାନେ ଗୋଟିଏର ନାଁ ସ୍ପ୍ରାଇଟ୍ ଦେଇଥିବା ବେଳେ ଅନ୍ୟଟିର ନାମ ଏଲ୍‌ଭ୍‌ସ ରଖିଛନ୍ତି । ଆଶ୍ଚର୍ଯ୍ୟର କଥା ଯେ, ଏହି ଝଡ଼ ତୋଫାନ ତଥା ବିଜୁଳିର ଗର୍ଜନ ବାୟୁମଣ୍ଡଳ ବାହାରେ ହିଁ ଦେଖିବାକୁ ମିଳିଛି । ଯେଉଁ କାରଣରୁ ଅନ୍ତରୀକ୍ଷରେ ଆଲୋକ ଦେଖାଯାଇଛି ।

ସ୍ପ୍ରାଇଟ୍ ବିଜୁଳିର ଶକ୍ତି ଏତେ ଯେ, ଏହା ଶହ ଶହ କିଲୋମିଟର ଦୂରରୁ ମଧ୍ୟ ବାରି ହୋଇ ପଡ଼ୁଛି । ଏକ ସ୍ପଟ ଲାଇଟ୍‌ ଭଳି ତାହା ଦେଖାଯାଉଛି । ସେହିଭଳି ଏଲ୍‌ଭ୍‌ସ୍ ବାୟୁମଣ୍ଡଳ ଉପରେ ଶହ ଶହ କିଲୋମିଟର ବିସ୍ତାର ହୋଇ ରହିଥିବା ଦେଖାଯାଉଛି । ଏଥିରେ ଛୋଟ ଛୋଟ ସ୍ପାର୍କ ଦେଖାଯାଇଥାଏ । ଏହାର ଅର୍ଥ ଅନେକ ସ୍ଥାନରେ ଏକ ସହିତ ବିଜୁଳି ମାରୁଛି । ମେଘ ତଳେ ଏବଂ ଉପରେ ଉଜ୍ଜ୍ୱଳ ଆଲୋକ ଦେଖାଯାଉଛି ।

Jupiter Photo

ନାସାର ବୈଜ୍ଞାନିକମାନେ ଯେତେବେଳେ ଏନେଇ ଅଧିକ ରିସର୍ଚ୍ଚ କରିଥିଲେ ସେତେବଳେ ଜାଣିବାକୁ ପାଇଥିଲେ ଯେ, ବାୟୁମଣ୍ଡଳରେ ଥିବା ନାଇଟ୍ରୋଜେନ୍ କଣିକା ଅନ୍ୟ ଗ୍ୟାସ୍ ସହିତ ଧକ୍କା ହେବାରୁ ଏଭଳି ବିଜୁଳି ସୃଷ୍ଟି ହେଉଛି । ୨୦୧୬ ରୁ ୨୦୨୦ ମଧ୍ୟରେ, ଜୁନୋ ସ୍ପେସ୍‌ କ୍ରାଫ୍ଟ ବୃହସ୍ପତି ଗ୍ରହରେ ୧୧ଟି ବଡ଼ ବଜ୍ରପାତ ରେକର୍ଡ କରିଛି । ଏହି ବଜ୍ରପାତର କ୍ଷେତ୍ରଫଳ ଅପେକ୍ଷାକୃତ ବୃହତ୍ତର ।

Jupiter Photo

ଏହି ଝଡ, ବଜ୍ରପାତ ଏବଂ ମେଘ ଉପରେ ଅଧ୍ୟୟନର ରିପୋର୍ଟଗୁଡିକ ଜିଓଫିଜିକାଲ୍ ରିସର୍ଚ୍ଚ: ‘ପ୍ଲାନେଟ୍‌ସ’ରେ ପ୍ରକାଶ ପାଇଛି । ଏହାକୁ ଲେଖିଥିବା ଲେଖକ ତଥା ବୈଜ୍ଞାନିକ ରୋହିଣୀ ଜିଲ୍ସ କହିଛନ୍ତି ଯେ, ତାଙ୍କ ପାଖରେ ଏଭଳି ବଜ୍ରପାତର ଅନେକ ପ୍ରକାର ପ୍ରମାଣ ରହିଛି । ସେଗୁଡ଼ିକ ଅତ୍ୟନ୍ତ ଚମତ୍କାର ଦେଖାଯାଏ । ବୃହସ୍ପତି ଗ୍ରହର ଭୂପୃଷ୍ଠ ଏବଂ ବାୟୁମଣ୍ଡଳଠାରୁ ଏହି ଆଲୋକଗୁଡିକ ଶହ ଶହ କିଲୋମିଟର ଉପରେ ଦୃଶ୍ୟମାନ ହୁଏ ।

Jupiter Photo

ରୋହିଣୀ କହିଛନ୍ତି ଯେ, ଜୁନୋ ମହାକାଶଯାନରୁ ବୃହସ୍ପତି ଗ୍ରହ ଏହି ଫଟୋଗୁଡ଼ିକ ବହୁତ ଦୂରରୁ ଉତ୍ତୋଳନ କରାଯାଇଛି । ଯେତେବେଳେ ଏହା ଆହୁରି ନିକଟରୁ ଉତ୍ତୋଳନ କରାଯିବ ସେତେବେଳେ, ଆହୁରି ଆଶ୍ଚର୍ଯ୍ୟକର ଫଟୋ ସାମ୍ନାକୁ ଆସିବ । ଏହାସହ ତାଙ୍କୁ ଗଭୀର ଅଧ୍ୟୟନ କରିବାକୁ ମଧ୍ୟ ସୁଯୋଗ ମିଳିବ । ଏହାସହ ବୃହସ୍ପତି ଗ୍ରହର ବାୟୁମଣ୍ଡଳ ବିଷୟରେ ଅଧିକ ତଥ୍ୟ ଜାଣିବାରେ ସହାୟକ ହେବ ।

Jupiter Photo

ଶୃଙ୍ଖଳିତ ଢଙ୍ଗରେ ହେବ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ, ସରିଲା ପ୍ରସ୍ତୁତି ବୈଠକ

ପୁରୀ : ଶେଷ ହେଲା ନାଗାର୍ଜୁନ ବେଶ ପ୍ରସ୍ତୁତି ବୈଠକ । ନିଷ୍ପତ୍ତି ଅନୁଯାୟୀ ବେଶ ନିର୍ମାଣ ଶୃଙ୍ଖଳିତ ଭାବରେ ସାରିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା  ବୈଠକ ପରେ ନୀତି ପ୍ରଶାସକ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବେଶ ନିର୍ମାଣର ୪୦ ପ୍ରତିଶତ କାର୍ଯ୍ୟ ସରିଥିବା ସୂଚନା ଦିଆଯାଇଛି  । ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପରେ ଏହି ‘ବେଶସାଜ’କୁ କିଭଳି ରଖାଯିବ ସେନେଇ ରେକର୍ଡ ଅଫ ରାଇଟ ଅନୁଧ୍ୟାନ କରାଯାଇ ନିଷ୍ପତ୍ତି ନିଆଯିବ  । ତେବେ ନାଗାର୍ଜୁନ ବେଶ ନେଇ ଆଗକୁ ଅନ୍ୟ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ପତିତପାବନଙ୍କ ନାଗାର୍ଜୁନ ବେଶ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ କିମ୍ବା ଆଲୋଚନା ହୋଇ ନ ଥିବା ଜଣାପଡିଛି । ଅନ୍ୟପଟେ  ଦୀପାବଳି ନୀତି ଶ୍ରୀମନ୍ଦିର ରେ ଯଥା ରୀତି ପରମ୍ପରା ଅନୁଯାୟୀ ପାଳିତ ହେବ ବୋଲି ଜଣାପଡିଛି । କୋଭିଡ କଟକଣା ମଧ୍ୟରେ ହିଁ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ ।

ମହଙ୍ଗା ପଡ଼ିଲା କ୍ଷୀରରେ ଗାଧୋଇବା, ଭାଇରାଲ ପରେ ଗିରଫ ହେଲେ

ନୂଆଦିଲ୍ଲୀ: ଆପଣଙ୍କ ନିକଟରେ ପହଞ୍ଚୁଥିବା ଦୁଗ୍ଧ ଜାତୀୟ ପ୍ରଡକ୍ଟ କେତେ ସୁରକ୍ଷିତ? ଆପଣ ଖାଉଥିବା ଖାଦ୍ୟରେ କେତେ ଶୁଦ୍ଧତା ଅଛି? କମ୍ପାନୀ ଆପଣଙ୍କ ସହିତ ବିଶ୍ୱାସଘାତକତା କରୁନାହିଁ ତ? କ’ଣ କେବେ ଏଭଳି ପ୍ରଶ୍ନ ଆପଣଙ୍କ ମନକୁ ଆସିଛି? ଆଉ ଯଦି ସେହିଭଳି କିଛି ଘଟଣା ଆପଣଙ୍କ ସହିତ ଘଟୁଛି ଆପଣ କେଉଁଭଳି ପ୍ରତିକ୍ରିୟା ଦେଖାଇବେ ? ନିକଟରେ ଏହା ସହିତ ଜଡ଼ିତ ସେହିଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବାମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାଇରାଲ ଭିଡ଼ିଓରେ ଏକ ଡେୟରୀ କମ୍ପାନୀର କର୍ମଚାରୀ ପ୍ଲାଣ୍ଟ ମଧ୍ୟରେ କ୍ଷୀରରେ ଗାଧୋଉ ଥିବାର ନଜର ଆସିଛି ।

ଏହି ଭାଇରାଲ ଘଟଣା ତୁର୍କୀର ଏକ ଡେୟରୀ କମ୍ପାନୀର । କ୍ଷୀରରେ ସ୍ନାନ କରୁଛନ୍ତି ପ୍ଲାଣ୍ଟର ଜଣେ କର୍ମଚାରୀ । ଆଉ ଏହି ଭିଡ଼ିଓକୁ କ୍ୟାମେରାରେ କେହି ଜଣେ କଏଦ କରିଛି । ଯାହାପରେ ଭିଡ଼ିଓ ପ୍ରଥମେ ଟିକଟକରେ ଭାଇରାଲ ହୋଇଥିଲା ଏବଂ ପରେ ପରେ ଅନ୍ୟ ସୋସିଅଲ ମିଡିଆ ପ୍ଲାଟଫର୍ମରେ । କିନ୍ତୁ ଫୁଟେଜକୁ ନେଇ ନିଜର ରାୟ ଦେଇଛନ୍ତି ଡେୟରୀ ପ୍ଲାଣ୍ଟ ସହିତ ଜଡ଼ିତ ପ୍ରଶାସନ । ତାଙ୍କ କହିବା ଅନୁସାରେ ତାହା କ୍ଷୀର ନୁହେଁ ବରଂ ସଫା କରିବାର ଏକ ଲିକ୍ୱିଡ ଥିଲା । ଅବଶ୍ୟ କମ୍ପାନୀ ଏହାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଉକ୍ତ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିଦେଇଛି ।

 

ରିପୋର୍ଟ ଅନୁସାରେ ଏହି ଫୁଟେଜ କୋନ୍ୟାର ସେଣ୍ଟ୍ରାଲ ଏନାଲୋଟିୟନର ଏକ ଡାୟରୀ ପ୍ଲାଣ୍ଟର । କ୍ଷୀରକୁଣ୍ଡ ମଧ୍ୟରେ ନଜର ଆସିଥିବା ବ୍ୟକ୍ତିଙ୍କ ନାମ ଏମରେ ସାୟର । ଭିଡ଼ିଓକୁ ଅପଲୋଡ କରିଥିବା ବ୍ୟକ୍ତିଙ୍କ ନାମ ୟୁଗୁର ତୁରଗୁଟ । ଉଭୟଙ୍କୁ ଗିରଫ କରାଯାଇଛି ।

ସାରୁଅ ଜମି ଜାଲିଆତି ମାମଲା : ମନୋରଞ୍ଜନ ଷଡଙ୍ଗୀଙ୍କୁ ଜାମିନ୍

ଭୁବନେଶ୍ୱର : ସାରୁଅ ଜମି ଜାଲିଆତିରେ ଗିରଫ ଓଡ଼ିଶା ଇନଫ୍ରାଟେକର ପୂର୍ବତନ ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀଙ୍କୁ ଖୋର୍ଦ୍ଧା ସେସନ୍ସ କୋର୍ଟରୁ ଜାମିନ ପ୍ରଦାନ କରାଯାଇଛି । ତେବେ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟତମ ଏଜେଣ୍ଟ ଶିବପ୍ରସାଦଙ୍କ ଜାମିନ ଖାରଜ କରାଯାଇଛି । ଏହି ମାମଲାକୁ ନେଇ ହୋଇଥିବା ଶୁଣାଣିର ଦ୍ୱିତୀୟ ଦିନରେ ଗତକାଲି କ୍ରାଇମବ୍ରାଞ୍ଚର ଓକିଲ ପକ୍ଷ ରଖିଥିଲେ । ଏହା ସହିତ ଜମି ହରାଇଥିବା ଆଉ ୭ ଜଣ ମଧ୍ୟ ନିଜ ନିଜର ପକ୍ଷ ରଖିଥିଲେ । ଏମାନଙ୍କୁ ମିଶାଇ ଜମି ହରାଇଥିବା ମୋଟ ୨୨ ଜଣଙ୍କ ମଧ୍ୟରୁ ୨୧ ଜଣ ପକ୍ଷ ରଖିଥିଲେ । ଅନୁସୂଚିତ ଜାତି(ଏସସି) ବ୍ୟକ୍ତିବିଶେଷଙ୍କର ଜମି ହଡ଼ପ କରାଯାଇଥିବାରୁ ଉଭୟ ମନୋରଞ୍ଜନ ଓ ଶିବପ୍ରସାଦଙ୍କ ଜାମିନକୁ ଆବେଦନକାରୀଙ୍କ ଓକିଲ ବିରୋଧ କରିଥିଲେ । ଜଣେ ଜାମିନଦାର ଓ ୫୦ ହଜାର ଟଙ୍କା ବେଲ ବଣ୍ଡରେ ମନୋରଞ୍ଜନ ଙ୍କୁ ଜାମିନ ମିଳିଥିବା ଜଣାପଡିଛି । ଜାମିନରେ ରହିଥିବା ସମୟରେ ମନୋରଞ୍ଜନ ଯେପରି ରାଜ୍ୟ ବାହାରକୁ ନ ଯାଆନ୍ତି । ସାକ୍ଷୀମାନଙ୍କୁ ପ୍ରଭାବିତ ମଧ୍ୟ କରିବେନି । ଏଥିସହିତ କ୍ରାଇମବ୍ରାଞ୍ଚ ଯେଉଁ ସମୟରେ ଚାହିଁବ, ତାଙ୍କୁ ଜେରା କରିପାରିବ ବୋଲି କୁହାଯାଇଛି ।

କଟକରେ ITAT କମ୍ପ୍ଲେକ୍ସ ଉଦଘାଟିତ୍, ଉପକୃତ ହେବ ଉତ୍ତର-ପୂର୍ବ ଭାରତ

କଟକ: କଟକରେ ଉଦଘାଟିତ ହୋଇଛି ଆୟକର ଅପିଲେଟ୍ ପ୍ରାଧିକରଣ (ITAT) । ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଏହି ଅବସରରେ ଭିଡିଓ କନଫରେନ୍ସିଂରେ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହା ଆୟକର ବିବାଦ ସମ୍ପର୍କରେ ଓଡ଼ିଶାର ସର୍ବୋଚ୍ଚ ପ୍ରାଧିକରଣ ଭାବେ କାମ କରିବ । ଏହା ଦ୍ୱାରା ସହଜରେ ଆୟକର ନେଇ ରାଜ୍ୟ ଭିତରେ ଉପୁଜୁ ଥିବା ବିବାଦର ଶୀଘ୍ର ସମାଧାନ ହୋଇପାରିବ ।

 PM Modi Inaugurates Office Cum Residential Complex Of Income Tax Appellate Tribunal In Cuttack

ITATର ଉଦଘାଟନୀ ଅବସରରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାର ତ୍ୱରିତ୍ୱ ଗତିରେ ଜମି ପ୍ରଦାନ କରିଥିଲେ । ୨୦୧୭ରେ ଭବନର ଶିଳାନ୍ୟାସ କଟକରେ ହୋଇଥିବା ବେଳେ ଆଜି ଉଦଘାଟିତ୍ ହୋଇଛି । ଏତେ ଶୀଘ୍ର କାମ ସାରିବା ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ।

PM Modi Inaugurates Office Cum Residential Complex Of Income Tax Appellate Tribunal In Cuttack

କଟକରେ ଭାରତର ତୃତୀୟ ଓ ପୂର୍ବ ଭାରତରେ ITATର ପ୍ରଥମ ବିଲ୍ଡିଂ ଉଦଘାଟନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ଏଠାରେ କେବଳ ଓଡ଼ିଶା ନୁହଁ ରାଞ୍ଚି, ପାଟଣା ଓ ଗୌହାଟି ବେଞ୍ଚର କେସ୍ ସମାଧାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କଟକରେ ୧୯୭୦ ମସିହାରେ ବିଜୁ ବାବୁଙ୍କ ଉଦ୍ୟମରେ ITAT ପ୍ରତିଷ୍ଠା ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 PM Modi Inaugurates Office Cum Residential Complex Of Income Tax Appellate Tribunal In Cuttack

ଉଦଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି- ଜଗନ୍ନାଥଙ୍କ ଆଶୀର୍ବାଦରୁ ITAT କଟକ ବେଞ୍ଚ ଉଦଘାଟିତ୍ ହୋଇଛି । କଟକର ଏହି ବେଞ୍ଚ କେବଳ ଓଡ଼ିଶା ନୁହେଁ ବରଂ ଉତ୍ତର-ପୂର୍ବ ଭାରତର କରଦାତାଙ୍କୁ ସୁବିଧା ଦେବ । ଏହାଦ୍ୱାରା କୋଲକାତା ଜୋନର କରଦାତା ଉପକୃତ ହେବେ ବୋଲି ପିଏମ୍ କହିଛନ୍ତି । ଓଡ଼ିଶା ପାଇଁ, ଓଡ଼ିଶା ଲୋକଙ୍କ ସେବା ପାଇଁ ସମର୍ପିତ ଥିବା ବିଜୁ ବାବୁଙ୍କୁ ଉଦ୍ୟମରେ ITAT ପ୍ରତିଷ୍ଠା ହୋଇଥିଲା । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କଥା ରଖିଲେ ମୁଖ୍ୟମନ୍ତ୍ରୀ, କୋଭିଡ୍‌ରେ ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ୧୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ପ୍ରତିଶ୍ରୁତି ପାଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକଙ୍କୁ ମିଳିଲା ସହାୟତା । କରୋନା ଆକ୍ରାନ୍ତ ହେବା ପରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ମିଳିଲା ସହାୟତା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କରୋନାରେ ସମ୍ବାଦିକଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଯୋଗାଇ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୯ରେ କନ୍ଧମାଳ ଜିଲ୍ଲାରେ ‘ପ୍ରମେୟ’ ଖବର କାଗଜର ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢ଼ିଙ୍କ ମୃତ୍ୟୁ ହୋଇଥିଲା । ସେ ପ୍ରଥମେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ତାଙ୍କ ପତ୍ନୀ ସବିିତା ପାଢ଼ିଙ୍କୁ ୧୫ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି ।

ଲୁଟେରା ସାବଧାନ୍ ! ଛକ ଛକରେ ଗାଡ଼ିକୁ ଟ୍ରାକ୍ କରିବ ଏନପିଆର୍

ଭୁବନେଶ୍ୱର: ରାଜଧାନୀରେ ବଢ଼ି ଚାଲିଛି ଛିନତାଇ ଅପରାଧ । ନାକେଦମ୍ ହେଲାଣି କମିଶନରେଟ ପୋଲିସ । ମୋବାଇଲ ହେଉକି ସୁନା ଚେନ୍, ଝାମ୍ପି ନେଉଛନ୍ତି ଲୁଟେରା । ଦୀପାବଳି ଓ ଧନତରେସରେ ଛିନତାଇ ରୋକିବାକୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ । ଛିନତାଇ ଗ୍ୟାଙ୍ଗକୁ ସାବାଡ୍ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଭୁବନେଶ୍ୱର ଡିସିପି । ଲୁଟେରାଙ୍କୁ ପ୍ରମୁଖ ଛକରେ ଚେକ୍ ଦେବ ପାଇଁ ଅପରାଧୀଙ୍କ ଉପରେ ତୀକ୍ଷଣ ନଜର ରଖିବ ପୋଲିସ । ଗତ ୫ ବର୍ଷର ହୋଇଥିବା ଛିନତାଇ ଅପରାଧୀଙ୍କ ତାଲିକ ପ୍ରସ୍ତୁତ କରି ପୋଲିସ ଆରମ୍ଭ କରିଛି ଅପରେସନ୍ ।

Anti Number Plate Reader To Be Installed In Major Traffic Posts Of Bhubaneswar

ଭୁବନେଶ୍ୱରରେ ବଢୁଛି ଛିନତାଇ ଗ୍ରାଫ୍ । ଛିନତାଇ ଲୁଟେରା ଗ୍ୟାଙ୍କକୁ ଚେକ୍ ଦେବ ପୋଲିସ୍ । ପ୍ରମୁଖ ଛକରେ ଲାଗିବ ଏନପିଆର ବା ଆଣ୍ଟି ନମ୍ବର ପ୍ଳେଟ ରିଡର । ଛକ ଛକରେ ଲୁଟେରାଙ୍କୁ ଗାଡ଼ିକୁ ଟ୍ରାକ୍ କରିବ ଏନପିଆର । ବାଇକର ନମ୍ବରକୁ ରିଡ କରିବ ସହ ଗାଡିଟି କେଉଁ ରୁଟ୍ ଦେଇ ଚଳପ୍ରଚଳ କଲା କଣ୍ଟ୍ରୋଲରୁମ୍ ପାଖରେ ରହିବ ଡାଟା ବେସ୍ । ଗତ ୫ ବର୍ଷରେ ହୋଇଥିବା ଛିନାତଇର ଅପରାଧ ପୃଷ୍ଠାକୁ ଓଲଟାଇବା ସହ ୩୫୦ ଜଣ ଲୁଟେରାଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । ଏହି ଲୁଟେରା ମାନଙ୍କର ଷ୍ଟାଟସ ରିପୋର୍ଟ ଦେବାକୁ ପ୍ରତି ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି । ସିସିଟିଭି କ୍ୟାମେରା ଉପରେ ସ୍ମାର୍ଟସିଟି ସହ ଆଲୋଚନା କରିଛି କମିଶନରେଟ ପୋଲିସ । କେବଳ ସେତିକି ନୁହେଁ ପେଶାଦାର ଅପରାଧୀଙ୍କୁ ଏନଏସଏରେ ବୁକ୍ କରିବାକୁ ଯୋଜନା କରାଯାଉଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

Anti Number Plate Reader To Be Installed In Major Traffic Posts Of Bhubaneswar

ଦୀପାବଳି ଓ ଧନତରେସରେ ଛିନତାଇ ରୋକିବାକୁ ପୋଲିସ କରିବ ସ୍ପେଶାଲ ଡ୍ରାଇଭ୍ । ଗହଣା ଦୋକାନୀ ଓ ପୋଲିସ ମଧ୍ୟରେ ହୋଇଛି ବୈଠକ । କୋଭିଡ୍ କଟକଣା ଅନୁସାରେ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛି ପୋଲିସ । ନିୟମ ଉଲ୍ଲଂଘନ କଲେ ଦୋକାନ ସିଲ୍ କରିବାକୁ ପୋଲିସ କହିଛି । ସୁନା ଦୋକାନ ଆଗରେ ପୋଲିସ ଫୋର୍ସ ମୁତୟନ ରହିବା ସହ ପାଟ୍ରୋଲିଂ କରିବ ପିସିଆର । ଦ୍ରୁତ ଗତିରେ ବାଇକ ଚଲାଇବା ଓ ଅପରାଧ ଘଟିଲେ ପୋଲିସ କଣ୍ଟ୍ରୋଲ ରୁମ ଜଣାଇବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି ।

ଅର୍ଣ୍ଣବଙ୍କୁ ମିଳିଲା ଜାମିନ, ଆତ୍ମହତ୍ୟା ପାଇଁ ଉସ୍‌କାଇଥିବା ମାମଲାରେ ଯାଇଥିଲେ ଜେଲ୍‌

ନୂଆଦିଲ୍ଲୀ: ଅର୍ଣ୍ଣବଙ୍କୁ ମିଳିଲା ଜାମିନ୍‌ । ସୁପ୍ରିମ୍‌କୋର୍ଟ ବୁଧବାର ଅର୍ଣ୍ଣବଙ୍କ ଜାମିନ ଆବେଦନର ଶୁଣାଣି କରି ଅନ୍ତରୀଜ ଜାମିନ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ଧନଞ୍ଜୟ ଓ୍ୱାଇ. ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଏକ ଖଣ୍ଡପୀଠ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କାର ବେଲ୍‌ ବଣ୍ଡରେ ତାଙ୍କୁ ଜାମିନ ଦିଆଯାଇଛି ଏବଂ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ରହିଛି । ୨୦୧୮ରେ ଆତ୍ମହତ୍ୟା ପାଇଁ ଉସ୍‌କାଇଥିବା ଏକ ମାମଲାରେ ଅର୍ଣ୍ଣବଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା ।

ତେବେ ଏହି ଜାମିନ ଆବେଦନର ଶୁଣାଣି ବେଳେ ମାହାରାଷ୍ଟ୍ର ସରକାରଙ୍କୁ ପାଲଟା ପ୍ରଶ୍ନ କରିଥିଲେ ସୁପ୍ରିମ୍‌କୋର୍ଟ । ସେ କହିଥିଲେ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଇବା ନ୍ୟାୟକୁ ଉପହାସ କରିବ ସହ ସମାନ । ଏଭଳି ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରିବାର କ’ଣ ନିହାତି ଆବଶ୍ୟକତା ରହିଛି ? କାରଣ ଏହା ବ୍ୟକ୍ତିଗତ ଜୀବନ ସହ ଜଡିତ ଏକ ମାମଲା । ଖଣ୍ଡପୀଠ ଆହୁରି କହିଥିଲେ ଯେ, ଭାରତୀୟ ଗଣତନ୍ତ୍ରରେ ଅସାଧାରଣ ସହନଶକ୍ତି ରହିଛି ତେଣୁ ମହାରାଷ୍ଟ୍ର ସରକାର ଏସବୁକୁ ଅଣଦେଖା କରିବା ଉଚିତ୍‌ ।

ଜଷ୍ଟିସ୍ ଚନ୍ଦ୍ରଚୁଡ଼ କହିଥିଲେ, ‘ସେମାନଙ୍କର ଆଦର୍ଶ ଯାହା ବି ହେଉ, ଅନ୍ତତଃ ପକ୍ଷେ ମୁଁ ସେହି ଚ୍ୟାନେଲ୍ ଦେଖେ ନାହିଁ । କିନ୍ତୁ ଯଦି କୋର୍ଟ ଆଜି ଏହି ପ୍ରସଙ୍ଗରେ ହସ୍ତକ୍ଷେପ ନକରନ୍ତି ତେବେ ଅଜାଣତରେ ଆଗାମୀ ଦିନରେ ଆମେ ଧ୍ୱଂସ ଆଡ଼କୁ ଗତି କରିବା ।’ ଖଣ୍ଡପୀଠ କହିଥିଲେ ଯେ, ଟିଭିରେ ଏଭଳି ଆରୋପ ଯୋଗୁଁ କ’ଣ ମହାରାଷ୍ଟ୍ର ସରକାର ଜଣେ ବ୍ୟକ୍ତିଙ୍କୁ ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରିବା ଉଚିତ୍‌ କି ?

ସୁପ୍ରିମକୋର୍ଟ ଏହା ମଧ୍ୟ କହିଥିଲେ ଯେ, ହାଇକୋର୍ଟ ଲୋକମାନଙ୍କୁ ଜାମିନ ପ୍ରଦାନ କରୁନାହାଁନ୍ତି ଏବଂ ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା ରକ୍ଷା କରିବାରେ ବିଫଳ ହେଉଛନ୍ତି । ଏଭଳି ଅନେକ ମାମଲା ଏବେ ସାମ୍ନାକୁ ଆସୁଛି । ଅନ୍ୟପଟେ ସୁପ୍ରିମକୋର୍ଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଓକିଲ ହରିଶ୍‌ ସାଲ୍‌ଭେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

ବାପା ମୁଣ୍ଡରୁ ଛାତ ଛଡ଼ାଇନେଲା ପୁଅ, ୮୭ ବର୍ଷ ବୟସରେ ନ୍ୟାୟ ମାଗୁଛନ୍ତି ଶିକ୍ଷକ

ପାରଳାଖେମୁଣ୍ଡି: ଶିକ୍ଷକଟିଏ ସବୁବେଳେ ପିଲାଙ୍କୁ ଭଲ ଶିକ୍ଷା ଦିଏ, ବଡ଼ ସହ ଭଲ ମଣିଷ ହେବାର ବାଟ ଦେଖାଏ । ସେ ବି ଦେଖାଇଥିଲେ ଭଲ ମଣିଷ ହେବାର ବାଟ ଅନେକ ପିଲାଙ୍କୁ । ହେଲେ, କିଏ ଜାଣିଥିଲା ପରିଣତ ବୟସରେ ପୁଅ ତାଙ୍କୁ ଏମିତି ହଇରାଣ କରିବ । ଅନେକ ପିଲାଙ୍କୁ ହାତରେ ଭଲ ମଣିଷ କରି ଗଢ଼ିଥିବା ରାମ ସାରଙ୍କ ପୁଅ ଯେ ଖରାପ ହୋଇ ତାଙ୍କୁ ହଇରାଣ ସେ ସ୍ୱପ୍ନରେ ବି ଭାବିନଥିଲେ ।

87 Year Old Retired Hindi Teacher Of Gajapati Fights Against Son For Home

ବୟସ ୮୭ । ନାମ ରାମ ମୋହନ ପଟ୍ଟନାୟକ । ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ । ସେ ଦିବ୍ୟାଙ୍ଗ ଅଟନ୍ତି । ବୃଦ୍ଧ ବୟସରେ ସେ ଏବେ ସଂଘର୍ଷ କରୁଛନ୍ତି ଛାତ ଖଣ୍ଡିଏ ପାଇଁ ପୁଣି ପୁଅ ସହ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଗୁଜରାଟ ପେଟା ସାହିରେ ରାମ ସାରଙ୍କ ଘର । ସ୍ତ୍ରୀ ଓ ତିନି ଛୁଆଙ୍କୁ ନେଇ ଭଲଭାବେ ସଂସାର ଚାଲିଥିଲା । ପ୍ରାୟ ୨୧ ବର୍ଷ ତଳେ ୧୯୯୯ରେ ଧର୍ମପତ୍ନୀଙ୍କ ବିୟୋଗ ପରେ ରାମ ସାର୍ ବଡ଼ ପୁଅ ପାଖରେ ବାକି ଜୀବନ କାଟିଦେଲେ ବୋଲି ଭାବିଥିଲେ । ହେଲେ ପୁଅ ବାପାଙ୍କୁ ପର କରିଦେଇଛି, ଛଡ଼ାଇ ନେଇଛି ଘର । ଏମିତିକି ସାନ ଭାଇକୁ ବି ଘରେ ରହିବାକୁ ଦେଉନାହିଁ ।

87 Year Old Retired Hindi Teacher Of Gajapati Fights Against Son For Home

ବଡ଼ ପୁଅ ଘର ଛଡ଼ାଇ ନେବା ପରେ ଏବେ ରାମ ସାର୍ ରାସ୍ତାରେ । ପୁଅଠାରୁ ଘର ଖଣ୍ଡିକ ପାଇବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ୧୯୯୮ ମସିହାର ଡିସେମ୍ବର ୧୪ରୁ ରାମ ସାରଙ୍କ ସଂଘର୍ଷ ଜାରି ରହିଛି । ପୂର୍ବରୁ ରାମ ସାର୍ ପ୍ରଶାସନ ନିକଟରେ ଏନେଇ ଅଭିଯୋଗ କରିଥିଲେ ବି ସୁଫଳ ମିଳିନି । ଘର ଖଣ୍ଡିକ ପାଇବା ଆଶାରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗତ ଅକ୍ଟୋବର ୧୪ ତାରିଖରେ ଆମରଣ ଅନଶନରେ ବସିଥିଲେ । ଡେପୁଟି କଲେକ୍ଟର ଓ ଆଇଆଇସି ଭରସା ଦେଇଥିଲେ ଘର ଖାଲି କରିବାକୁ ।

87 Year Old Retired Hindi Teacher Of Gajapati Fights Against Son For Home

ପ୍ରଶାସନର ପ୍ରତିଶ୍ରୁତି ପାଇ ରାମ ସାର୍ ଆମରଣ ଅନଶନରୁ ଉଠିଥିଲେ ସିନା ଖାଦ୍ୟ ଗ୍ରହଣ କରିନଥିଲେ । ନଭେମ୍ବର ୧୦ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନନେଲେ ସେ ଆତ୍ମହତ୍ୟା କରିବେ କିମ୍ବା ପ୍ୟାଲେସ ଆଗରେ ଆମରଣ ଅନଶନରେ ବସିବେ ବୋଲି କହିଥିଲେ । ତେବେ, ରାଜସ୍ୱ ବିଭାଗରେ ପିଅନ୍ ଭାବେ କାର୍ଯ୍ୟ କରୁଥିବା ପୁଅ ରାମ ଗୋପାଳ ପଟ୍ଟନାୟକ ଏଯାବତ୍ ଘର ଛାଡ଼ିନାହାଁନ୍ତି । ଫଳରେ ରାମ୍ ସାର୍ ପାରଳା ପ୍ୟାଲେସ ଆଗରେ ଆମରଣ ଅନଶନରେ ବସିଛନ୍ତି ।

87 Year Old Retired Hindi Teacher Of Gajapati Fights Against Son For Home

ହକ୍ ପାଇଁ ଜାରି ରହିଛି ରାମ୍ ସାରଙ୍କ ଲଢ଼େଇ । ବରିଷ୍ଠ ନାଗରିକଙ୍କ ଲାଗି ପ୍ରଶାସନ ସମ୍ବେଦନଶୀଳ ରହିଛି । ଏମିତିକି ସୁରକ୍ଷା ଲାଗି ସ୍ୱତନ୍ତ୍ର ଆଇନ୍ ରହିଛି । ହେଲେ ନ୍ୟାୟ ପାଇଁ ୨୨ ବର୍ଷ ବିତିଗଲାଣି । ଜଣେ ଶିକ୍ଷକଙ୍କୁ ନ୍ୟାୟ ମିଳୁନାହିଁ । ପରିଣତ ବୟସରେ ପୁଅ ସହ ଲଢ଼େଇରେ ରାମ ସାରଙ୍କୁ ପ୍ରଶାସନ କେବେ ନ୍ୟାୟ ଦେଉଛି ତା’କୁ ସମସ୍ତଙ୍କ ଅପେକ୍ଷା ।