spot_img
Home Blog Page 6443

ସାରୁଅ ଷ୍ଟୁଡିଓ କର୍ମଚାରୀଙ୍କ ଆନ୍ଦୋଳନ ପ୍ରସଙ୍ଗ: ସମୟ ମାଗିଲେ ଓଟିଭି କର୍ତ୍ତୃପକ୍ଷ

ଭୁବନେଶ୍ୱର: ସାରୁଅ ଷ୍ଟୁଡିଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ ମାମଲାରେ ଶୁଣାଣି ନୋହିଲା । ଶ୍ରମ ବିଭାଗ ନିକଟରେ ଓଟିଭି କର୍ତ୍ତୃପକ୍ଷଙ୍କ ଟାଇମ ପିଟିସନ ଦାଖଲ କରିବା ସହ ୧୦ ଦିନ ସମୟ ମାଗିଛନ୍ତି । ଆଜି ଡିଭିଜନାଲ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ମିଳିତ ଆଲୋଚନା ପାଇଁ ଉଭୟ ପକ୍ଷଙ୍କୁ ନୋଟିସ କରାଯାଇଥିଲା । ହେଲେ ନିଜ ପ୍ରତିନିଧିଙ୍କ ଜରିଆରେ ଓଟିଭି କର୍ତ୍ତୃପକ୍ଷ ଟାଇମ ପିଟିସନ ଦାଖଲ କରିଛନ୍ତି । ନିର୍ଦ୍ଧାରିତ ସମୟରେ ଶ୍ରମ କାର୍ଯ୍ୟାଳୟରେ ପହଁଚିଲେ ସାରୁଅ ଷ୍ଟୁଡ଼ିଓର ୮ ଜଣ ଠିକା କର୍ମଚାରୀ ପହଞ୍ଚିଥିବା ଜଣାପଡିଛି । ତେଣୁ ଏହି ମାମଲାର ଆଲୋଚନା ପାଇଁ ପରବର୍ତ୍ତୀ ପଦକ୍ଷେପ କ’ଣ କରାଯିବ । ସେ ନିଷ୍ପତ୍ତି ଶ୍ରମ ଆୟୁକ୍ତ ନେବେ ବୋଲି ଜଣାପଡିଛି  ।

Illegal Boundary Constructed By OTV In Sarua Demolished By Khordha Dist Administration

ଆଜି ଦିନ ତିନିଟାରେ ହାଜର ହେବାକୁ ଉଭୟ ପକ୍ଷଙ୍କୁ ନୋଟିସ କରିଥିଲେ ଶ୍ରମ ବିଭାଗ । ଠିକା ଶ୍ରମିକଙ୍କ ନିଯୁକ୍ତି ସର୍ତ୍ତାବଳୀ ଓ ମଜୁରୀ ସଂପର୍କୀତ ଦାବି ଉପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରିବାକୁ ବିଭାଗ ନୋଟିସ୍ କରାଯାଇଥଇଲା । ପୂର୍ବରୁ ଶ୍ରମିକଙ୍କ ଦାବିକୁ ଆଧାର କରି ଓଟିଭି କର୍ତ୍ତୃପକ୍ଷଙ୍କୁ ଶ୍ରମ ବିଭାଗ ନୋଟିସ କରିଥିଲା । ନୋଟିସର ଜବାବ ଓଟିଭି କର୍ତ୍ତୃପକ୍ଷ ରଖିଥିଲେ ମଧ୍ୟ ତାହା ଆଦୌ ସନ୍ତୋଷଜନକ ନଥିଲା ବୋଲି କହିଛନ୍ତି ଡିଭିଜିନାଲ ଲେବର କମିଶନର ।

 

ଅର୍ଣ୍ଣବଙ୍କ ଜାମିନ‌ ଶୁଣାଣି: ମହାରାଷ୍ଟ୍ର ସରକାରଙ୍କୁ ପାଲଟା ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ..

ନୂଆଦିଲ୍ଲୀ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି ବେଳେ ମହାରାଷ୍ଟ୍ର ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଜଣେ ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଇବା ନ୍ୟାୟକୁ ଉପହାସ କରିବ ସହ ସମାନ ।

୨୦୧୮ରେ ଆତ୍ମହତ୍ୟା ପାଇଁ ଉସ୍‌କାଇଥିବା ଏକ ମାମଲାରେ ଗିରଫ ଅର୍ଣ୍ଣବଙ୍କ ଜାମିନ୍‌ ଆବେଦନର ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ବେଳେ ଜଷ୍ଟିସ୍ ଧନଞ୍ଜୟ ଓ୍ୱାଇ. ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଏକ ଖଣ୍ଡପୀଠ ମହାରାଷ୍ଟ୍ର ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଏଭଳି ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରିବାର କ’ଣ ନିହାତି ଆବଶ୍ୟକତା ରହିଛି କି ? କାରଣ ଏହା ବ୍ୟକ୍ତିଗତ ଜୀବନ ସହ ଜଡିତ ଏକ ମାମଲା । ଖଣ୍ଡପୀଠ କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ରରେ ଅସାଧାରଣ ସହନଶକ୍ତି ରହିଛି ତେଣୁ ମହାରାଷ୍ଟ୍ର ସରକାର ଏସବୁକୁ ଅଣଦେଖା କରିବା ଉଚିତ୍‌ ।

ଜଷ୍ଟିସ୍ ଚନ୍ଦ୍ରଚୁଡ଼ କହିଛନ୍ତି, ‘ସେମାନଙ୍କର ଆଦର୍ଶ ଯାହା ବି ହେଉ, ଅନ୍ତତଃ ପକ୍ଷେ ମୁଁ ସେହି ଚ୍ୟାନେଲ୍ ଦେଖେ ନାହିଁ । କିନ୍ତୁ ଯଦି କୋର୍ଟ ଆଜି ଏହି ପ୍ରସଙ୍ଗରେ ହସ୍ତକ୍ଷେପ ନକରନ୍ତି ତେବେ ଅଜାଣତରେ ଆଗାମୀ ଦିନରେ ଆମେ ଧ୍ୱଂସ ଆଡ଼କୁ ଗତି କରିବା ।’ ଖଣ୍ଡପୀଠ କହିଛନ୍ତି ଯେ, ଟିଭିରେ ଏଭଳି ଆରୋପ ଯୋଗୁଁ କ’ଣ ମହାରାଷ୍ଟ୍ର ସରକାର ଜଣେ ବ୍ୟକ୍ତିଙ୍କୁ ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରିବା ଉଚିତ୍‌ କି ?

arnab goswami

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ହାଇକୋର୍ଟ ଲୋକମାନଙ୍କୁ ଜାମିନ ପ୍ରଦାନ କରୁନାହାଁନ୍ତି ଏବଂ ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା ରକ୍ଷା କରିବାରେ ବିଫଳ ହେଉଛନ୍ତି । ଏଭଳି ଅନେକ ମାମଲା ଏବେ ସାମ୍ନାକୁ ଆସୁଛି । ଅନ୍ୟପଟେ ସୁପ୍ରିମକୋର୍ଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଓକିଲ ହରିଶ୍‌ ସାଲ୍‌ଭେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

ନୀତିଶଙ୍କ ପାଇଁ ବିହାର ଛୋଟ, ହେଲେ ଦେଶ ବିରାଟ: କାହିଁକି ଏପରି କହିଲେ ଦିଗବିଜୟ!

ନୂଆଦିଲ୍ଲୀ: ‘ନୀତିଶ ବାବୁ । ଆପଣଙ୍କ ପାଇଁ ବିହାର ଛୋଟ ହୋଇ ଯାଉଛି । ଆପଣ ଜାତୀୟ ରାଜନୀତିକୁ ଆସନ୍ତୁ । ସମାଜବାଦୀ ଏବଂ ଧର୍ମନିରପକ୍ଷ ବିଚାର ରଖୁଥିବା ଲୋକମାନଙ୍କୁ ଏକାଠି କରନ୍ତୁ । ଭାଜପା ଏବଂ ସଂଘ(ଆରଏସଏସ) କବଳରୁ ନିଜକୁ ମୁକ୍ତ କରନ୍ତୁ । ବିଜେପି ଏକ ନିର୍ମୂଳି ଲତା, ଯାହା ସହ ରହିଛି । ସେହି ଦଳକୁ ସର୍ବନାଶ କରି ଦେଇଛି । ଆପଣଙ୍କ ପାଖରେ ବହୁତ ସମୟ ରହିଛି । ଆପଣ ଏହି କଥା ଉପରେ ଟିକେ ବିଚାର କରନ୍ତୁ ।‘ ଏହିପରି କେତେକ ଭାବ ଗମ୍ଭୀର କଥା ଟୁଇଟ୍ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ।

ସେହିପରି ନୀତିଶ କୁମାରଙ୍କୁ ସେ ତେଜସ୍ୱୀ ଯାଦବଙ୍କୁ ଆର୍ଶୀବାଦ କରିବା ପାଇଁ ଅନୁରୋଧ କରିଛନ୍ତି । ନିର୍ବାଚନ ଫଳାଫଳର ଗୋଟିଏ ଦିନ ପରେ ଦିଗବିଜୟଙ୍କ ଏପରି ଟୁଇଟ୍ ରାଜନୈତିକ ଭିନ୍ନ ଦିଗକୁ ପ୍ରଦର୍ଶିତ କରୁଛି । କାରଣ ଅଧିକ ଆସନ ସହ ବଡ଼ ଭାଇ ପଣିଆ ଜାହିର କରିଆସୁଥିବା ଜେଡିୟୁ ଆଜି ଜନିୟର ପାର୍ଟନର । ବିଜେପି ଆଖି ଦେଖାଇବା ପାଇଁ ଆସନର ଦମ୍ଭ ନାହିଁ । ଏହି ପରିସ୍ଥିତିରେ ଅନେକ ନିଷ୍ପତ୍ତିରେ ତାଙ୍କୁ ବିଜେପି ଉପରେ ନିର୍ଭର କରିବାକୁ ପଡିବ । ଏମିତି ବି ଜେଡିୟୁ କାର୍ଯ୍ୟକର୍ତ୍ତାଙ୍କୁ ତୃଣମୂଳରେ ଭାଜପା କାର୍ଯ୍ୟକର୍ତ୍ତା ସମାଲୋଚନା କରିବା ଆରମ୍ଭ କଲେଣି ।

Lalu Prasad & Nitish Kumar (10)

ଏହି ନିର୍ବାଚନ ଏନଡିଏ ସପକ୍ଷରେ ଯାଇଥିଲେ ବି ନୀତିଶଙ୍କ ବିପକ୍ଷରେ ରହିଥିଲା । ତାହା ପ୍ରମାଣିତ ହୋଇଯାଇଛି । ତେଣୁ ନିଜର ରାଜନୈତିକ ପ୍ରତିଷ୍ଠାକୁ ବଜାୟ ରଖିବା ପାଇଁ ନୀତିଶ ନିଜର ଅନ୍ତରାତ୍ମା କଥା ଶୁଣନ୍ତୁ ବୋଲି ଦିଗବିଜୟ କହିଛନ୍ତି ।

ସେହିପରି ଜେପି, ମଣ୍ଡଳ ଆନ୍ଦୋଳନ ସମୟରେ ଲାଲୁ ଯାଦବଙ୍କ ସହ କଟିଥିବା ତାଙ୍କ ଅତୀତର ମଧ୍ୟ ସ୍ମୃତିଚାରଣ କରାଇଛନ୍ତି ଦିଗବିଜୟ । ହେଲେ ଦିଗବିଜୟଙ୍କ ଏପରି ମନ୍ତବ୍ୟ ପରେ ଭାଜପା ନେତା ରବିଶଙ୍କର ପ୍ରସାଦ ଏହାକୁ ପରାଜୟର ପୀଡା ବୋଲି ଅଭିହିତ କରିଛନ୍ତି ।

 

Dhanteras 2020: ଧନତେରାସରେ ଏହି ସବୁ ଜିନିଷ କିଣିବା ଅତ୍ୟନ୍ତ ଶୁଭ

ନୂଆଦିଲ୍ଲୀ: ବର୍ଷ ସାରା ଭିତରେ ଧନତେରାସ ଦିନକୁ କୁଣାକିଣି ପାଇଁ ଶୁଭ ମନେ କରାଯାଏ । ଧନତେରାସକୁ ଧନତ୍ରୟୋଦଶୀ ବୋଲି ମଧ୍ୟ କୁହାଯାଏ । ଏହି ଦିନରେ ପ୍ରତ୍ୟେକ ବ୍ୟକ୍ତି ନିଜ ଆର୍ଥିକ ସ୍ଥିତି ଅନୁଯାୟୀ କିଛି ନା କିଛି ଜିନିଷ କିଣିଥାଏ । ଅଧିକାଂଶ ଲୋକ ଏହି ଦିନରେ ବାସନକୁସନ କିଣିଥାନ୍ତି ଆଉ କିଛି ଲୋକ ନୂଆ ପୋଷାକ କିଣିଥାନ୍ତି । ଧନତେରାସର  ଦିନ ଜିନିଷ କିଣାକିଣିରେ ବାସ୍ତୁର ଭୂମିକା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ ।

ଘରର ବାସ୍ତୁ ଏହା ସ୍ଥିର କରିଥାଏ ଯେ, ଧନତେରାସ ଦିନ କେଉଁ ଜିନିଷ କିଣିବା ଉଚିତ ଏବଂ କେଉଁ ଜିନିଷ କିଣିବା ଅନୁଚିତ । ଏହି ଦିନ ବାସ୍ତୁ ଅନୁସାରେ ଜିନିଷ କିଣିଲେ ଆସନ୍ତା ଦିପାବଳୀ ପର୍ଯ୍ୟନ୍ତ ସମୟ ସର୍ବୋତ୍ତମ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଧନତେରାସ ଦିନ ବାସ୍ତୁ ଅନୁଯାୟୀ କେଉଁ ଜିନିଷ ସବୁ କିଣିବା ଉଚିତ ।

 

ଆପଣଙ୍କ ଘର ଏବଂ ଏହାର ମୁଖ୍ୟ ଦ୍ୱାର ଯେଉଁ ଦିଗରେ ଅବସ୍ଥିତ ସେହି ଅନୁଯାୟୀ କିଣାକିଣି କରିବାକୁ ଚେଷ୍ଟା କରନ୍ତୁ । ଅର୍ଥାତ ଯଦି ଆପଣଙ୍କ ଘର ଆଗ୍ନେୟ କୋଣରେ ଅବସ୍ଥିତ ତେବେ ଆପଣଙ୍କୁ ଧନତେରାସ ଦିନ ରୂପାର ଜିନିଷ କିଣିବା ଉଚିତ । ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗରେ ରହିଛି ତେବେ ଆପଣଙ୍କୁ ସୁନା କୁମ୍ବା ତମ୍ବାର ଜିନିଷ କିଣିବା ଉଚିତ । ସେହିଭଳି ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ନୈରୁତ୍ୱ କୋଣରେ ତଥା ଦକ୍ଷିଣ- ପଶ୍ଚିମ ଦିଗକୁ ରହିଛି ତେବେ ଆପଣଙ୍କୁ ରୁପା ବା ତମ୍ବାରେ ତିଆରି ଜିନିଷ କିଣିବା ଉଚିତ ।

ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ପଶ୍ଚିମ ଦିଗରେ ରହିଛି ତେବେ ଆପଣଙ୍କୁ ରୁପାର ଜିନିଷ କିଣିବା ଉଚିତ, ଏହା ଆପଣଙ୍କ ପାଇଁ ଖୁବ ଲାଭବାନ ହେବ । ଯଦି ଆପଙ୍କ ଧର ଭାୟଭ୍ୟ କୋଣରେ ତଥା ଉତ୍ତର- ଦକ୍ଷିଣ ଦିଗରେ ଅବସ୍ଥିତ ତେବେ ଧନତେରାସ ଦିନ ଆପଣଙ୍କ ମୋତି ବା ରୁପା କିଣିଲେ ତାହା ଆପଣଙ୍କ ପାଇଁ ଶୁଭ ରହିବ ।

ସେହିଭଳି ଯେଉଁ ବ୍ୟକ୍ତିମାନଙ୍କ ଘରର ମୁଖ୍ୟ ଦ୍ୱାର ଉତ୍ତର ଦିଗକୁ ମୁହଁ କରି ରହିଛି ସେହିମାନେ ଧନତେରାସରେ କଂସା, ପିତ୍ତଳର ଜିନିଷ କିଣିବା ଶୁଭ ରହିବ । ଯଦି ଆପଣଙ୍କ ଧରର ମୁଖ୍ୟ ଦ୍ୱାର ଇଶାନ କୋଣରେ ରହିଛି ତେବେ ଆପଣ ଧନତେରାସରେ ସୁନା ବା ପିତ୍ତଳ କିଣିବା ଉଚିତ । ସୁନା କିଣଇବା ଅଧିକ ଲାଭଦାୟକ ରହିବ ।

ଏହା ବ୍ୟତୀତ ଧନତେରାସ ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ନୂଆ ଝାଡ଼ୁ କିଣି ତାକୁ ପୂଜା ନିଶ୍ଚୟ କରିବା ଉଚିତ । ଧନତେରାସ ଦିନ ସୁନା, ରଜତ, ପିତ୍ତଳ, କଂସା ଏବଂ ତମ୍ବା ବ୍ୟତୀତ ଆଫ କୌଣସି ଧାତୁ କିଣିବା ଉଚିତ ନୁହେଁ ।

ପାକ୍ ମନ୍ତ୍ରୀଙ୍କ ବୟାନ, ଭାରତକୁ ଗାଳି ନକଲେ ଖାଇବାକୁ ମିଳିବ ନାହିଁ..

ଇସଲାମାବାଦ: ପାକିସ୍ତାନ ରାଜନୀତିରେ କେବଳ ଭାରତ ବିରୋଧୀ ବୟାନ୍ ହିଁ‌ ଅଧିକ ଗୁରୁତ୍ୱ ବହନ କରେ । ଯେଉଁ ନେତା ଯେତେ ଅଧିକ ଭାରତ ବିରୋଧରେ କହିବେ ସେହି ନେତା ସେତେ ଚର୍ଚ୍ଚାରେ ରହିବେ । ଏମିତିକି ରାଜନେତା ମାନେ ଭାରତ ବିରୋଧରେ ନକହିଲେ ତାଙ୍କୁ ସାବାସି ମିଳେ ନାହିଁ । ଭାରତ ବିରୋଧୀ ମନ୍ତବ୍ୟ ଦେଲେ ହିଁ ପାକିସ୍ତାନ ନେତାଙ୍କ ପେଟ ପୋଷି ହୋଇଥାଏ । ଏକଥା ଖୋଦ୍‌ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଛନ୍ତି ।

ଇମ୍ରାନ ଖାନଙ୍କ ଜଣେ ଘନିଷ୍ଠ ସହଯୋଗୀ ଫିରଦୋସ ଆଶିକ୍‌ ଆୱାନ ଏହାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ପାକିସ୍ତାନରେ ଭାରତ ବିରୋଧୀ ବୟାନ ସବୁଠୁ ଅଧିକ ବିକ୍ରି ହୋଇଥାଏ । ଭାରତକୁ ବିରୋଧ କରିବା ହିଁ ଆମର ଜୀବିକା । ସେଥିପାଇଁ ସମସ୍ତ ରାଜନେତା ଏହି ପ୍ରସଙ୍ଗକୁ ଅଧିକ ଗରୁତ୍ୱ ଦେଇଥାନ୍ତି ।

Pakistan To Remain On The Grey List Of Terror Financing Watchdog Fatf

ପାକିସ୍ତାନୀ ପଞ୍ଜାବର ସୂଚନା ଓ ସଂସ୍କୃତି ବ୍ୟାପାରର ବିଶେଷ ସହାୟକ ଫିରଦୋସ୍ ଆଶିକ୍ ଆୱାନ୍, ଗଣମାଧ୍ୟମ ସଂସ୍ଥା ARY ନ୍ୟୁଜ୍‌କୁ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି । ପାକିସ୍ତାନରେ ଭାରତ ଏବଂ ମୋଦି ବିରୋଧୀ ନାରା ସତେ ଯେମିତି ସାଧାରଣ କଥା, ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବା ପରେ ଆଓ୍ୱାନା କହିଥିଲେ ଏଠାରେ ଜନସାଧାରଣଙ୍କ ଚିନ୍ତାଧାରା ଭାରତ ବିରୋଧୀ । ତେଣୁ ସେମାନଙ୍କୁ ଭାରତ ବିରୋଧୀ ନାରା ଅଧିକ ସୁହାଇ ଥାଏ । ଯାହାଫଳରେ ନେତାମାନେ ଭାରତ ବିରୋଧୀ ବୟାନ ବାରମ୍ବାର ଦେଉଛନ୍ତି । ଆଉ ବଜାରରେ ସେହି ବୟାନ ହିଁ ଅଧିକ ବିକ୍ରି ହେଉଛି । ବଜାରରେ ଯାହା ଅଧିକ ବିକ୍ରି ହୋଇଥାଏ ଲୋକ ତାକୁ ହିଁ ଅଧିକ ବିକ୍ରି କରିଥାନ୍ତି । ଏହା କେବଳ ସରକାରୀ ଦଳ ନୁହେଁ ବିରୋଧୀ ତ ଏଭଳି ମନ୍ତବ୍ୟ ବିକ୍ରି କରିଛନ୍ତି ଯାହା ମୋଦିଙ୍କ ପାଇଁ ଅତ୍ୟନ୍ତ ମଜାଳିଆ ଏବଂ ଆଶ୍ଚର୍ଯ୍ୟକର ।

firdous_akhbar

ପାକିସ୍ତାନରେ ପିଟିଆଇ ସରକାର ଆସିବା ପୂର୍ବରୁ ଇମ୍ରାନ ଖାନଙ୍କ ‘ମୁଭମେଣ୍ଟ ଫର ଚେଞ୍ଜ’ ଅଭିଯାନରେ ଅଓ୍ୱାନା ଅଂଶଗ୍ରହଣ କରିଥିଲେ । ଏହି ସମୟରେ ଇମ୍ରାନ ଖାନ୍‌ ପ୍ରାୟ ଏକ ମାସ ଧରି ଇସ୍‌ଲାମାବାଦ୍‌କୁ ଘେରାଉ କରି ରଖିଥିଲେ । ସେ ପାକିସ୍ତାନର ପିପୁଲ୍ସ ପାର୍ଟି ସରକାରରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ଏପ୍ରିଲ୍ ୨୦୧୯ ରେ, ଇମ୍ରାନ ଖାନ ତାଙ୍କ ସରକାରରେ ଅଓ୍ୱାନା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ସ୍ୱତନ୍ତ୍ର ସହାୟକ ପଦବୀରେ ବସାଇଥିଲେ ।

ସେହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ଏବଂ ଭାରତୀୟ ସେନା ବିରୋଧରେ ଅନେକ ମିଥ୍ୟା ଅଭିଯୋଗ ମଧ୍ୟ ଆଣିଥିଲେ । ସେହି ସମୟରେ UNGAର ସମ୍ମିଳନୀ ହଲରେ ଉପସ୍ଥିତ ଥିବା ଭାରତୀୟ କୂଟନୀତିଜ୍ଞ ଇମ୍ରାନଙ୍କ ବିରୁଦ୍ଧରେ ବାହାରିଥିଲେ ।

କାଶ୍ମୀରକୁ ନେଇ ଇମ୍ରାନଙ୍କ ବୟାନ

ଇମ୍ରାନ ତାଙ୍କ ଅଭିଭାଷଣରେ କାଶ୍ମୀରକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ, ଭାରତ କାଶ୍ମୀରକୁ ବେଆଇନ ଭାବେ ଦଖଲ କରି ରଖିଛି ଏବଂ ସେଠାକାର ଲୋକଙ୍କ ମାନବିକ ଅଧିକାରର କ୍ଷୂର୍ଣ୍ଣ କରୁଛି । ମିଳିତ ଜାତିସଂଘ ତାର ସମ୍ବିଧାନ ଅନୁଯାୟୀ ଏହାର ସମାଧାନ କରିବା ଆବଶ୍ୟକ । ଧାରା ୩୭୦ ରଦ୍ଦ ସମ୍ପର୍କରେ ଇମ୍ରାନ କହିଥିଲେ ଯେ, ଏହା ଦ୍ୱାରା କାଶ୍ମୀରବାସୀଙ୍କ ଅଧିକାର କ୍ଷୂର୍ଣ୍ଣ ହୋଇଛି ।

ଦୁଇ ଦଶନ୍ଧି ପରେ ଦୁର୍ଗ ଏବେ ବି ଅଭେଦ୍ୟ,ବିରୋଧୀଙ୍କ ପାଖରେ ନାହିଁ ବିକଳ୍ପ ହେବାର ଗ୍ରହଣୀୟତା

ଭୁବନେଶ୍ୱର: ୧୯୯୯ ଲୋକ ସଭା ନିର୍ବାଚନ, ୨୦୦୦ ବିଧାନସଭା ନିର୍ବାଚନ ଏବଂ ଏହା ପରେ ୪ଥର ଏକକାଳୀନ ରାଜ୍ୟରେ ହୋଇଥିବା ବିଧାନସଭା ଓ ଲୋକ ସଭା ନିର୍ବାଚନରେ ଗୋଟିଏ ସାମଞ୍ଜସ୍ୟ ଦେଖିବାକୁ ମିଳିଛି । ତାହା ହେଲା ବିଜେଡିର ସ୍ଥାୟୀ ସଫଳତା । ଆଉ ବିରୋଧୀ ଦଳର ଲଗାତର ଖରାପ ପ୍ରଦର୍ଶନ । ୧୯ ବର୍ଷ ଧରି ବିରୋଧୀ ଦଳରେ ଥିବା କଂଗ୍ରେସ ତୃତୀୟ ସ୍ଥାନକୁ ଚାଲି ଯାଇଛି । ଏକଦା ତୃତୀୟ ସ୍ଥାନରେ ଥିବା ଭାଜପା ଦ୍ୱିତୀୟ ସ୍ଥାନକୁ ଯାଇଛି । ହେଲେ କଂଗ୍ରେସ ପରି ସେହି ସ୍ଥାନରେ ହିଁ ସ୍ଥିର ରହିଛି ।

କେତେକ ସମୀକ୍ଷକ କହିବେ ଯେ, ଉପନିର୍ବାଚନ ସାଧାରଣତଃ ଶାସକ ଦଳ ସପକ୍ଷକୁ ଯାଇଥାଏ । ନ ହେଲେ ପୂର୍ବ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ପରିବାର ସଦସ୍ୟଙ୍କ ନିକଟକୁ । ହେଲେ ଓଡ଼ିଶାରେ ସମାନ ସମୟରେ ୨ଟି ବିପରୀତ କଥା ଦେଖିବାକୁ ମିଳିଛି । ଶାସକ ବିଜେଡି ପକ୍ଷରୁ କରାଯାଇଥିବା ପ୍ରାର୍ଥୀ ତିର୍ତ୍ତୋଲରେ ବିଜୟୀ ହୋଇଛନ୍ତି । ସେଠାରେ ଶାସକ ଦଳକୁ ଅନୁକମ୍ପା ମିଳିଛି । ହେଲେ ବାଲେଶ୍ୱରରେ ସମ୍ପୂର୍ଣ୍ଣ ବିପରୀତ ଫଳ ମିଳିଛି । ସେଠାରେ ପୂର୍ବରୁ ବିଜୟୀ ହୋଇଥିବା ଦିବଂଗତ ନେତାଙ୍କ ପୁତ୍ରକୁ ବିଜେପି ପ୍ରାର୍ଥୀ କରିଥିଲା । ମାତ୍ର ସେଠାରେ ବିଜେଡି ପ୍ରାର୍ଥୀ ହିଁ ବିଜୟୀ ହେଲେ । ତେଣୁ ରାଜନୀତିରେ ସବୁ ସମୟରେ ଅନୁକମ୍ପା କାମ କରି ନ ଥାଏ ବୋଲି ପ୍ରମାଣିତ ହୋଇଛି ।

ଏହା କେବଳ ତିର୍ତ୍ତୋଲ, ବାଲେଶ୍ୱର ନୁହେଁ । ପୂର୍ବରୁ ପାଟକୁରା, ବିଜେପୁର, କନ୍ଧମାଳ ଲୋକ ସଭା ଆସନରେ ପ୍ରମାଣିତ ହୋଇ ସାରିଛି । ଜାତୀୟ ରାଜନୀତିରେ ଅନ୍ୟ ରାଜ୍ୟରେ ଭାଜପା ଉପନିର୍ବାଚନରେ ପ୍ରଭାବୀ ପ୍ରଦର୍ଶନ କରିଥିବା ବେଳେ ଓଡ଼ିଶାରେ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ପଡୋଶୀ ତେଲେଙ୍ଗାନାରେ ଭାଜପା ପ୍ରାର୍ଥୀ ଉପନିର୍ବାଚନରେ ବିଜୟୀ ହୋଇ ପାରିଛନ୍ତି । ସେଠାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ପରେ କଂଗ୍ରେସ ନୁହେଁ । ଭାଜପା ବିରୋଧୀ ଦଳ ଭାବେ ଉଭା ହୋଇଛି । ଅନ୍ୟ ରାଜ୍ୟରେ ତ ଭାଜପା ଏକ ପ୍ରକାର ମୂଳପୋଛ କରିଛି । ହେଲେ ଓଡ଼ିଶାରେ ନବୀନ ପଟ୍ଟନାୟକ ଏବଂ ବିଜେଡିର ଯେଉଁ ରାଜନୈତିକ ଦୁର୍ଗ ରହିଛି । ତାହା ଅଭେଦ୍ୟ ରହିଛି । କଂଗ୍ରେସକୁ ହଟାଇ ବିରୋଧୀ ଦଳ ଆସନରେ ବସିବାକୁ ସକ୍ଷମ ହୋଇଛି । ହେଲେ ବିକଳ୍ପ ହେବାର ଗ୍ରହଣୀୟତା ହାସଲ କରିପାରିନାହିଁ । ତେଣୁ କ୍ଷମତା ତଥା ଗ୍ରହଣୀୟତା ରାଜନୀତିରେ ନବୀନ ଅଦ୍ୱିତୀୟ ରହିଆସିଛନ୍ତି ।

ଆଉ ରହିଲା କଂଗ୍ରେସ କଥା । ରାଜ୍ୟରେ କଂଗ୍ରେସ ୨୦୦୦ ମସିହାରୁ କଂଗ୍ରେସ ଭୋଟ ପ୍ରତିଶତ ଖସି ଆସିଛି ।୨୦୦୪ରେ ଏଥିରେ ସାମାନ୍ୟ ଉନ୍ନତି ଦେଖା ଦେଇଥିଲା । ହେଲେ ୨୦୦୯,୨୦୧୪ ଏବଂ ୨୦୧୯ରେ କଂଗ୍ରେସ ତଳକୁ ହିଁ ଖସିଛି । ସେହିପରି କେନ୍ଦ୍ରରେ ଏବେ ଭାଜପା ସରକାର ରହିଛି । ତେଣୁ ଭାଜପାର ପ୍ରଦର୍ଶନ ଉନ୍ନତ ରହିଛି । କେନ୍ଦ୍ରରେ ଯଦି ଭାଜପାର ପ୍ରଦର୍ଶନ ଖରାପ ହୁଏ, ତେବେ ତାହାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡିବ ବୋଲି ସମୀକ୍ଷକମାନେ କହିଛନ୍ତି ।

Naveen Patnaik

ଇଏ ତ ଗଲା ବିରୋଧୀଙ୍କ କଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି, ବିକାଶମୂଳକ ପଦକ୍ଷେପ, ତୃଣମୂଳରେ ଥିବା ସବୁ ଲୋକଙ୍କ ପାଇଁ ଯୋଜନା ହିଁ ତାଙ୍କୁ ଲୋକପ୍ରିୟ କରି ରଖିଛି । ତାଙ୍କ ବିକଳ୍ପ ଦୂରର କଥା । ତାଙ୍କ ସମାସସ୍କନ୍ଦ ନେତାଙ୍କ ଆବିର୍ଭାବ ହୋଇ ପାରିନାହିଁ । ଯେଉଁମାନଙ୍କୁ ତାଙ୍କୁ ନିଜର ବିକଳ୍ପ ବୋଲି ଓଡ଼ିଶାବାସୀଙ୍କ ଆଗରେ ଦେଖାଇଛନ୍ତି । ସେ ସମସ୍ତ ବ୍ୟକ୍ତି ସମୟ ସୂଅରେ ଆଜି ଏକାକୀ । ସାଧାରଣ ଲୋକଙ୍କଠାରୁ ବହୁ ଦୂରରେ । ରାଜନୀତିରେ ଅଦରକାରୀ ଭାବେ ପ୍ରତୀୟମାନ ବ୍ୟକ୍ତି । ସେହିପରି ବିଜେଡି ଦଳ ଦକ୍ଷିଣପନ୍ଥୀ କିମ୍ବା ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ନୁହେଁ । ହେଲେ ଯେତେବେଳେ ନିର୍ବାଚନ ପରିଚାଳନା କଥା ଆସେ, ତେବେ ବିଜେଡିର ମାଇକ୍ରୋ ମ୍ୟାନେଜମେଣ୍ଟରେ ସମସ୍ତଙ୍କୁ ମାତ୍ ଦେଇ ଦିଏ । ପଞ୍ଚାୟତସ୍ତରୀୟ ନିର୍ବାଚନ ହେଉ କି ଉପନିର୍ବାଚନ ସବୁଠି ସଫଳତା ପାଇଥାଏ ବିଜେଡି । ଅନ୍ୟ ସମସ୍ତ ଦଳ ପ୍ରଚାର ସମୟରେ ନିଜ ସର୍ବୋଚ୍ଚ ନେତାଙ୍କ ଲମ୍ବା ଭାଷଣକୁ ପ୍ରଚାରର ଅସ୍ତ୍ର କରିଥାଆନ୍ତି । ହେଲେ ନବୀନ କେଇ ପଦ କଥାରେ ହିଁ ରାଜନୈତିକ ସଭା ସାରି ଦିଅନ୍ତି । କାହାକୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରନ୍ତି ନାହିଁ । ଯାହା ତାଙ୍କୁ ଭୋଟରଙ୍କ ମନରେ ସ୍ଥାୟୀ ରାଜନୈତିକ ଅଭେଦ୍ୟ ବ୍ୟକ୍ତି କରି ରଖିଛି ।

 

 

ବାଲେଶ୍ୱର ଉପ-ନିର୍ବାଚନ: ବାଜି ମାରିନେଲା ବିଜେଡି, କାମ ଦେଲାନି ଅନୁକମ୍ପା ଓ ମହିଳା କାର୍ଡ

ବାଲେଶ୍ୱର: ସରିଲା ବଲେଶ୍ୱର ବାଜି, ବାଜିକୁ ହାତେଇ ନେଇଛି ବିଜୁ ଜନତା ଦଳ ।  ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ପଛରେ ପକାଇ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସ ବିଜୟୀ ଘୋଷିତ ହୋଇଛନ୍ତି । ବିଜେପି ହାତେଇଥିବା ଆସନକୁ ଦଖଲକରି ବିଜେଡ଼ି ବିକାଶ ସହିତ ବାଲେଶ୍ୱରବାସୀ ରହିଥିବା ପ୍ରମାଣିତ କରିଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ଏହି ଆସନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୧୩ ହଜାର ୪୦୬ ଖଣ୍ଡ ଭୋଟରେ ବିଜେଡ଼ି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କୁ ହରାଇ ବିଧାୟକ ହୋଇଥିଲେ । ତାଙ୍କର ଦେହାନ୍ତ ପରେ ଏହି ଉପ-ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସ ବିଜେପି ପ୍ରାର୍ଥୀ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ୧୩ ହଜାର ୨୩୦ ଭୋଟରେ ହରାଇଛନ୍ତି । ତେବେ ଏଠି ବଡ଼ ପ୍ରଶ ଉଠୁଛି ମାତ୍ର ଦେଢ ବର୍ଷ ମଧ୍ୟରେ ଏମିତି କଣ ମ୍ୟାଜିକ୍‌ କଲା ବିଜେଡ଼ି ? କେମିତି ବିଜେଡି ହାତେଇଲା ଏହି ଆସନ ? ସମାନ ବ୍ୟବଧାନ ରହିଲା କେମିତି ? କାମ କଲାନି କି ଅନୁକମ୍ପା ଷ୍ଟ୍ରାଟେଜି ? ପଢନ୍ତୁ ଏହି ରିପୋର୍ଟ । ଆପଣଙ୍କ ମନରେ ଥିବା ସବୁ ସନ୍ଦେହ ଦୂର ହୋଇଯିବ ।

ରିପୋର୍ଟ କଣ କହୁଛି

ପ୍ରଥମେ ଗତ ୨୦୧୯ ସାଧାରଣ ନିର୍ବାଚନ ସ୍ଥିତିକୁ ଦେଖିବା । ଏହି ନିର୍ବାଚନରେ ମୋଟ ୧ଲକ୍ଷ ୫୮ହଜାର ୩୧୩ ଜଣ ଭୋଟର ମତଦାନ ସାବ୍ୟସ୍ଥ କରିଥିଲେ । ସେଥିମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ୧୯ହଜାର ୭୦୪  ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେଡ଼ି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ୬୧ ହଜାର ୪୦୯ ଖଣ୍ଡ  ଭୋଟ ପାଇଥିଲେ । ହେଲେ ବିଜେପି ପ୍ରାର୍ଥୀ ସ୍ୱର୍ଗତ ମଦନ ମୋହନ ଦତ୍ତ ଏହି ଆସନରୁ ୭୪ହଜାର ୮୧୫ ଖଣ୍ଡ ଅର୍ଥାତ୍‌ ଭୋଟ ପାଇ ବିଜୟୀ ହୋଇଥିଲେ । ସେହି ସାଧାରଣ ନିର୍ବାଚନରେ ଗ୍ରାମାଞ୍ଚଳରେ ଥିବା ୨୬ଟି ପଞ୍ଚାୟତରୁ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ବିଜେଡ଼ି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କ ଠାରୁ ୩ହଜାର ଅଧିକ ଭୋଟ ପାଇଥିଲେ । ସେହିପରି ବାଲେଶ୍ୱର ମ୍ୟୁନିସିପାଲିଟିର ୩୧ଟି ଓ୍ୱାର୍ଡ଼ରୁ ମଦନ ମୋହନ ଦତ୍ତ ବିଜେଡି ଠାରୁ ୧୦ ହଜାର ଭୋଟ ଅଧିକ ହାତେଇ ନେଇଥିଲେ । ଫଳରେ ବିଜେପି ଏହି ଆସନରେ ୧୩ ହଜାର ୪୦୬ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲା ।

 

କେମିତି ହୋଇଥିଲା ରଣକୌଶଳର ପ୍ରସ୍ତୁତି

ଏହି ନିର୍ବାଚନର ଫଳାଫଳକୁ ସମୀକ୍ଷାକରି ଉପ-ନିର୍ବାଚନର ରଣକୌଶଳ ପ୍ରସ୍ତୁତ କରିଥିଲା ବିଜେଡି । ପ୍ରସ୍ତୁତି ଅନୁସାରେ ୫ଥରର ବିଧାୟକ ଅରୁଣ ଦେଙ୍କୁ ବିଜେଡ଼ିରେ ସାମିଲକରି ସହରାଞ୍ଚଳରେ ପ୍ରଭାବ ବିସ୍ତାର ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ସେହିଭଳି ୨୦୧୯ ନିର୍ବାଚନରେ ମାନସ ଦାସପଟ୍ଟନାୟକ କଂଗ୍ରେସରୁ ପ୍ରାର୍ଥୀ ହୋଇ ୧୯ହଜାର ୭୦୪ ଖଣ୍ଡ ଭୋଟ ପାଇଥିବାରୁ ଗ୍ରାମାଞ୍ଚଳ ଭୋଟକୁ ବିଜେଡ଼ି ଶିବିରକୁ ଟାଣିବା ପାଇଁ ମଧ୍ୟ ମାନସଙ୍କୁ ଦଳରେ ମିଶା  ଯାଇଥିଲା । ଏବେ ବିଜେପି ହାତରେ ଥିଲା ଖାଲି ଅନୁକମ୍ପାର କାର୍ଡ଼ । ନୂତନ ଭାବେ ରାଜନିତୀକୁ ଆସିଥିବା ମମତା କୁଣ୍ଡୁଙ୍କୁ ଟିକେଟ୍‌ ଦେଇ କଂଗ୍ରେସ୍‌ ଦଳର ଭୋଟକୁ ସ୍ଥିର ରଖିବାକୁ ମହିଳା କାର୍ଡ଼ ଖେଳିଥିଲା । ଆଉ ବିଜେଡ଼ି ନବୀନଙ୍କ ସ୍ୱଚ୍ଛ ଶାସନ, ଉନ୍ନୟନ ମୂଳକ କାର୍ଯ୍ୟ, କର୍ମଠ କର୍ମୀଙ୍କୁ ଟିକେଟ୍‌ ଦେଇ  ବାଜି ପଲଟାଇ ଦେଇଥିଲା । ମାନସ ଦାସପଟ୍ଟନାୟକଙ୍କ ସମର୍ଥନରେ ଥିବା ୧୯ ହଜାର ୭୦୪ ଖଣ୍ଡ ଭୋଟରୁ ପ୍ରାୟ ୯୦ ପ୍ରତିଶତ ଭୋଟ ବିଜେଡ଼ି ପେଡ଼ିରେ ପଡ଼ିଥିଲା । ଆଉ ଅରୁଣ ଦେଙ୍କ ସହରାଞ୍ଚଳ ଭୋଟ ମଧ୍ୟ ବିଜେଡ଼ି ସପକ୍ଷ୍ୟରେ ଯାଇଥିଲା ।

କେଉଁ ଅଞ୍ଚଳରୁ କାହାକୁ ମିଳିଲା କେତେ ସମର୍ଥନ

ରିପୋର୍ଟ ଅନୁସାରେ ଉପ-ନିର୍ବାଚନରେ ୧ ଲକ୍ଷ ୬୨ ହଜାର ୩୩୯ ଜଣ ମତଦାତା ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ଥ କରିଥିଲେ । ସେଥିମଧ୍ୟରୁ ୨୬ଟି ପଞ୍ଚାୟତରୁ ୧ଲକ୍ଷ ୪ହଜାର ୮୬୧ ଜଣ ଭୋଟ ଦେଇଛନ୍ତି । ବିଜେଡ଼ି ଗତ ନିର୍ବାଚନରେ ପଞ୍ଚାୟତରୁ ୩ହଜାରରୁ କମ୍‌ ଭୋଟକୁ ଭରଣାକରି ଅଧିକ ୭ରୁ ୮ ହଜାର ଭୋଟ ହାତେଇବାରେ ସମର୍ଥ ହୋଇଛି । ସେହିପରି ମ୍ୟୁନିସିପାଲିଟିର ୩୧ଟି ଓ୍ୱାର୍ଡ଼ରୁ ୫୭ ହଜାର ୯୩୭ ଜଣ ଭୋଟର ମତଦାନ କରିଥିଲେ । ସେଥିମଧ୍ୟରୁ ବିଜେଡ଼ି ଗତ ନିର୍ବାଚନରେ ହରାଇଥିବା ୧୦ ହଜାର ଭୋଟକୁ ଭରଣାକରି ଅଧିକ ୫ରୁ ୬ହଜାର ଭୋଟ ହାତେଇ ପାରିଛି । ଏହାର ମୂଳ ପ୍ରମାଣ ହେଉଛି କଂଗ୍ରେସ୍‌ ୨୦୧୯ ନିର୍ବାଚନରେ ପାଇଥିବା ୧୯ହଜାର ୭୦୪ ଖଣ୍ଡ ଭୋଟ ହରାଇ ଚଳିତ ନିର୍ବାଚନରେ ପାଇଛି ମାତ୍ର ୪ ହଜାର ୮୮୩ ଖଣ୍ଡ ଭୋଟ । କଂଗ୍ରେସ୍‌ ଶିବିରରୁ ଖସିଥିବା ପ୍ରାୟ ୧୪ ହଜାର ଭୋଟ ସିଧାସଳଖ ବିଜେଡ଼ି ମୁଣିକୁ ଯାଇଛି । ସେହିପରି ଗତ ନିର୍ବାଚନରେ ବିଜେପି ୭୪ ହଜାର ୮୧୫ ଖଣ୍ଡ ଭୋଟ ପାଇଥିଲା । ହେଲେ ଚଳିତ ନିର୍ବାଚନରେ ଏହା ଖସି ୭୦ ହଜାର ୨୦୭ ଖଣ୍ଡରେ ପହଞ୍ଚିଛି । ଫରକ ଥିବା ପ୍ରାୟ ୪ ହଜାରରୁ ଅଧିକ ସଂଖ୍ୟାଲଘୁ ଭୋଟରଙ୍କୁ ମଧ୍ୟ ବିଜେଡ଼ି ନିଜ ସପକ୍ଷ୍ୟରେ ନେବାକୁ ସମର୍ଥ ହୋଇଛି । ଫଳରେ କଂଗ୍ରେସର ୧୪ ହଜାର ଭୋଟ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ପାଇଥିବା ଅଧିକ ୬ ହଜାର ଭୋଟ ଏବଂ ବିଜେପିର ପ୍ରାୟ ୪ ହଜାର ସଂଖ୍ୟାଲଘୁ ଭୋଟକୁ ମିଶାଇ ବିଜେଡ଼ି ଖାତାରେ ମୋଟ ୨୬ ହଜାର ଭୋଟ ଯୋଡ଼ି ହୋଇଥିଲା । ଗତ ୨୦୧୯ ନିର୍ବାଚନରେ କମ୍‌ ଥିବା ୧୩ ହଜାର ଭୋଟକୁ ଭରଣାକରି ଦଳ ଚଳିତ ନିର୍ବାଚନରେ ଅଧିକ ୧୩ ଜହାର ୨୩୦ ଭୋଟ ପାଇ ବିଧାୟକ ଆସନ ଦଖଲ କରିପାରିଛି । ବିଜେପିର ଅନୁକମ୍ପା ଓ କଂଗ୍ରେସ୍‌ର ମହିଳା କାର୍ଡ଼ ଆଗରେ ବିଜେଡ଼ିର ରଣନୀତି ସମସ୍ତଙ୍କୁ ମାତ୍‌ ଦେଇଥିବା ଚର୍ଚ୍ଚା ହେଉଛି ।

ଜୟଦେବ ବାଟିକାରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଜୟଦେବ ବାଟିକା ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଦାର ହେଲା ଯୁବତୀଙ୍କର ମୃତ ଦେହ । ବାଟିକା ଭିତରେ ଥିବା ଏକ ସେପେଟା ଗଛରେ ନିଜ ଓଢ଼ଣୀକୁ ବେକରେ ଲଗଇ କରିଛନ୍ତି ଆତ୍ମହତ୍ୟା । କେମିତି ଓ କାହିଁକି ମୃତ୍ୟୁ ହୋଇଛି ତାହା ଏବେ ଅସ୍ପଷ୍ଟ ରହିଛି ।

ସୂଚନା ପାଇ ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ତାର ପ୍ରାଥମିତ ତଦନ୍ତ ଆରମ୍ବ କରିଛି । ଫରେନସିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଛି । ଯୁତୀଙ୍କ ଘର କେଉଁଠି ଏବଂ ତାଙ୍କର ନାମ କଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ଆଜି ସକାଳୁ ବାଟିକାର ସିକ୍ୟୁରିଟି ଗାର୍ଡ ରାଉଣ୍ଡ ଅପ କଲା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ ।

କିଏ କାହିଁକି ଆମକୁ ହରାଇବ, ଆମରି ଦୋଷ ଯୋଗୁ ଆମେ ହାରିଲୁ : ସୁର ରାଉତରାୟ

ଭୁବନେଶ୍ୱର: କିଏ କାହିଁକି ଆମକୁ ହରାଇବ । ଆମରି ଦୋଷ ଯୋଗୁ ଆମେ ହାରିଲୁ । ତିର୍ତ୍ତୋଲରେ ହାରିକି ବି ଗତଥର ଅପେକ୍ଷା ଅଧିକ ଭୋଟ୍ ପାଇଲୁ । ହେଲେ କଂଗ୍ରେସର ଗଡ଼ ବୋଲାଉଥିବା ବାଲେଶ୍ୱରରେ ଅମାନତ ହରାଇଲୁ । ତେଣୁ କଂଗ୍ରେସ ହାରିବା ପଛରେ କଂଗ୍ରେସିଆ ନେତା ଦାୟୀ । ଆଉ କେହି ନୁହେଁ । ରାଜ୍ୟରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ ।

Sura Rout

ବାଲେଶ୍ୱର ଯାଇଥିବା ଅତି ଟାଣୁଆ କଂଗ୍ରେସ ନେତା ଓ ତାଙ୍କର ସମର୍ଥକ ଉପରଠାଉରିଆ ଭାବେ ପ୍ରଚାର କଲେ । କ୍ୟାମେରାରେ ମୁହଁ ଦେଖାଇଲେ । ହୋଟେଲରେ ଶୋଇ ରହିଲେ । ଭୋଟ ହୋଇ ଥାଆନ୍ତା କେମିତି ବୋଲି ସୁର କହିଛନ୍ତି । ହେଲେ ସୁର ପୂର୍ବଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିବାକୁ ସାହାସ ଜୁଟାଇ ପାରିନାହାନ୍ତି । ଭିନ୍ନ ବକ୍ତବ୍ୟ ରଖି ପିସିସି ସଭାପତିଙ୍କୁ ବଞ୍ଚାଇବାକୁ ଚାହିଁଛନ୍ତି । ହେଲେ ତୃଣମୂଳ କଂଗ୍ରେସ ସମର୍ଥକ ଏବଂ ଏକାଧିକ ବିଧାୟକ ନାମ ଗୋପନ ରଖି ନିରଞ୍ଜନଙ୍କୁ ସମାଲୋଚନା କରିଛନ୍ତି ।

 

ଜଣେ ବର୍ଷିୟାନ କଂଗ୍ରେସ ନେତାଙ୍କ କହିବାନୁଯାୟୀ, ତିର୍ତ୍ତୋଲରେ କଂଗ୍ରେସ ଭଲ ଭୋଟ ପାଇବା ଆଶ୍ଚର୍ଯ୍ୟଜନକ କଥା ନୁହେଁ । ତାହା ଏକଦା କଂଗ୍ରେସ ଗଡ଼ ଥିଲା । ତିର୍ତ୍ତୋଲଠାରୁ କଂଗ୍ରେସର ବାଲେଶ୍ୱର ସ୍ଥିତି ବହୁତ ଭଲ ରହିଥିଲା । ସେଠାରୁ ୨୦୦୯ରେ ଏକାଧିକ ବିଧାୟକ ଜିତିବା ସହ ବାଲେଶ୍ୱର ଲୋକସଭା ମଧ୍ୟ କଂଗ୍ରେସ ହାତକୁ ଯାଇଥିଲା । ହେଲେ ୨୦୧୮ ପରଠାରୁ କଂଗ୍ରେସ ନେତୃତ୍ୱ ସେଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାକୁ ବାଦ୍ ଦେଇ ସଙ୍ଗଠନ କରିବାକୁ ଲାଗିଲେ । ୨୦୧୯ରେ ନିରଞ୍ଜନ ପଟ୍ଟନାୟକ ନିଜ ପୁତ୍ର ନବଜ୍ୟୋତି ପଟ୍ଟନାୟକଙ୍କୁ ଲୋକ ସଭା ପ୍ରାର୍ଥୀ କଲେ । ପୂର୍ବତନ କଂଗ୍ରେସ ବିଧାୟକ ଏବଂ ସଙ୍ଗଠନ ଥିବା ନେତାଙ୍କୁ ବାଦ୍ ଦେଇ କେତେଜଣ ଟିଭିରେ ମୁହଁ ଦେଖାଉଥିବା ଏବଂ ତୋଷାମଦକାରୀଙ୍କୁ ଟିକେଟ୍ ଦେଲେ । ଫଳସ୍ୱରୂପ କଂଗ୍ରେସ ଭଲ ପ୍ରଦର୍ଶନ କରିବା ଦୂରରେ କଥା ଲୋକସଭା ଆସନରେ ଅମାନତ ହରାଇଲା । ହେଲେ ଏହାର ସମୀକ୍ଷା ହେଲା ନାହିଁ । କଂଗ୍ରେସକୁ ନଷ୍ଟ କରିଥିବା ଲୋକମାନେ ହିଁ ବାଲେଶ୍ୱର କଥା ପୁଣି ବୁଝିଲେ ।

Congress Declares Candidates For Tirtol And Balasore ByPoll

ଆଉ ତା ପରର ଫଳ ସମସ୍ତଙ୍କୁ ଜଣା ବୋଲି ସେହି କଂଗ୍ରେସ ନେତା ଜଣଙ୍କ କହିଛନ୍ତି । ସେହିପରି ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ପାର୍ଟି ଟଙ୍କା ଖର୍ଚ୍ଚ କଲାନାହିଁ । ଲୋକେ ଭାବିଲେ କଂଗ୍ରେସ ହାରିବ, କାହିଁକି ଭୋଟ୍ ଦେବା । ଆମ ନେତା ବି ହୋଟେଲରେ ଶୋଇଲେ ବୋଲି ତାରା କହିଛନ୍ତି ।

 

୩ କୋଟିର ସୁନା ଲୁଟି ଧରାହେଲେ ୧୦ ଡକାୟତଙ୍କ ସହ ୫ ଗ୍ରାହକ

ବ୍ରହ୍ମପୁର: ବ୍ରହ୍ମପୁରରୁ ସୁନା ଡକାୟତ ଗିରଫ । ବ୍ରହ୍ମପୁର ପୋଲିସକୁ ମିଳିଲା ବଡ଼ ସଫଳତା । ବ୍ରହ୍ମପୁର ପୁରୁଷୋତ୍ତମ ଥାନା ଚାଙ୍ଗୁଡ଼ିଆପଦର ସାହିରୁ ମାଷ୍ଟରମାଇଣ୍ଡ କାଳିଆ ବେହେରାଙ୍କ ସହ ୧୦ ଜଣ ଡକାୟତ ଗିରଫ ହୋଇଛନ୍ତି । ଏମାନଙ୍କ ସହ ୫ ଗ୍ରାହକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଚୋରି ହୋଇଥିବା ୬ କେଜି ୫୦୧ ଗ୍ରାମ ସୁନା ଓ ନଗଦ ୪ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ କରିଛି ପୋଲିସ ।

ତେବେ ଜବତ ସୁନାର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ହେବ । ଦୋକାନ ଓ କିଛି ଲୋକଙ୍କ ସୁନା ସେ ଘରେ ରଖିଥିବା ବେଳେ ଟାର୍ଗେଟ କରିଥିଲେ ଡକାୟତୀ ଦଳ । ଗତମାସ ୧୨ ତାରିଖରେ ଜଣେ ବଣିଆଙ୍କ ଘରୁ ଏହି ସୁନା ଚୋରି ହୋଇଥିଲା । ସେବଠାରୁ ପୋଲିସ ଏକ ଟିମ ଗଠନ କରାଯାଇ ବିଭିନ୍ନସ୍ଥାନ ମିଳିତ ଭାବେ ଚଢାଉ କରାଯାଇଥିଲା ।

ଏହାପରେ ଜଣଙ୍କ ପରେ ଜଣେ ଅଭିଯୁକ୍ତ ଧରିଥିଲା ପୋଲିସ । ଏଥିରେ ୧୦ଜଣ ଡକାୟତଙ୍କ ସହ ୫ଜଣ ଗ୍ରାହକ ଯିଏ କି ଏହି ସୁନାକୁ କିଣିଥିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ସମସ୍ତ ୧୫ ଜଣଙ୍କୁ କୋର୍ଟ ଚାଲଣ କରାଯାଇଥିବା ସୂଚନା । ତେବେ ଚୋରି ହୋଇଥିବା ସୁନା ସହ ଚୋରିରେ ବ୍ୟବହୃତ ହୋଇଥିବା ସମସ୍ତ ସାମଗ୍ରୀକୁ ଜବତ କରାଯାଇଛି ।