spot_img
Home Blog Page 6449

ହୋଲ୍ଡିଂ ଟ୍ୟାକ୍ସ୍ ବୃଦ୍ଧି ଅଭିଯୋଗ : ଚିନ୍ତାରେ ରାଜଧାନୀବାସୀ, ମାମଲା କୋର୍ଟରେ….

0

ଭୁବନେଶ୍ୱର: ଚିନ୍ତାରେ ରାଜଧାନୀବାସୀ  । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଦାୟ ହେଉଥିବା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ବଢୁଛି ଚିନ୍ତା । ଇତି ମଧ୍ୟରେ ୧୦ଗୁଣା ବଢିସାରିଛି ହୋଲ୍ଡିଂ ଟ୍ୟାକ୍ସ । ଅଭିଯୋଗ ହେଉଛି ଯେ, ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ମୁନିସିପାଲ ଆକ୍ଟକୁ ଖିଲାପ କରୁଛି ବିଏମସି । ଏହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛି ଭୁବନେଶ୍ବର ନାଗରିକ ମହାସଂଘ । ହାଇକୋର୍ଟ ଏହା ଉପରେ ରହିତା ଦେଶ ଦେବା ପରେ ମଧ୍ୟ ବିଏମସି ବର୍ଦ୍ଧିତ ମୂଲ୍ୟରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଥିବା ଅଭିଯୋଗ ଆଣିଛି ମହାସଂଘ  ।

ସେପଟେ ହୋଲ୍ଡିଂ ଟ୍ୟାକ୍ସରେ କୌଣସି ବୃଦ୍ଧି ପାଇନଥିବା ସ୍ପଷ୍ଟ କରିଛନ୍ତି ବିଏମ୍ସି କମିଶନର । ୧୯୯୭ମସିହାର ବେଞ୍ଚମାର୍କ ଭାଲ୍ୟୁ ଆଧାରରେ ଆଦାୟ ହେଉଥିଲା ହୋଲ୍ଡିଂ ଟ୍ୟାକ୍ସ କଲେକସନ । ଏବେ ୨୦୧୯ ମସିହା ବେଞ୍ଚମାର୍କ ଭାଲ୍ୟୁ ପ୍ରକାରେ ଆଦାୟ ହେଉଛି ଟ୍ୟାକ୍ସ  । ତେବେ ସେଥିରେ ସ୍ଥାବର ସମ୍ପତ୍ତି କର କିମ୍ବା ନିର୍ମାଣ ବାବଦ ମୂଲ୍ୟ ସାମିଲ ହୋଇନାହିଁ । ସ୍ମାର୍ଟ ସିଟିର ବିକାଶ କାର୍ଯ୍ୟ ପାଇଁ ରାଜସ୍ୱ ଆଦାୟ ଜରୁରୀ । ଏହି ମର୍ମରେ ହାଇକୋର୍ଟରେ ନିଜ ପକ୍ଷ ରଖିଛି ବିଏମସି  ଏବଂ ବିଏମ୍ସି ସପକ୍ଷରେ ରାୟ ଆସିବ ବୋଲି ଆଶା ରଖିଛନ୍ତି କର୍ତ୍ତୃପକ୍ଷ ।

ମସ୍କୋରୁ ଅଚାନକ ଇରାନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାଣନ୍ତୁ କ’ଣ ପାଇଁ ?

0

ତେହରାନ: ମସ୍କୋରେ ସାଙ୍ଘାଇ ସହଯୋଗ ସଙ୍ଗଠନରେ ଭାଗ ନେବା ପରେ ପ୍ରତିଶକ୍ଷା ମନ୍ତ୍ରୀ ରାଜନାଥ ସିଂହ ହଠାତ ଇରାନରେ ପହଞ୍ଚିବାକୁ ଯାଉଛନ୍ତି । ଏହାର ସୂଚନା ସେ ନିଜେ ଟ୍ୱିଟ କରି ଦେଇଛନ୍ତି । ଚୀନ ସହ ଲାଗିରହିଥିବା ବିବାଦ ମଧ୍ୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଇରାନ ଗସ୍ତ ରଣନୈତିକ ଅନୁସାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।  ତେହରାନରେ ରାଜନାଥ ସିଂହ ନିଜ ସମକକ୍ଷ ଇରାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିବେ । ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ହଠାତ୍ ଇରାନ ଗସ୍ତରେ ଅନେକ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି । ତେବେ ଜାଣନ୍ତୁ ରାଜନାଥ ସିଂଙ୍କ ଇରାନ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ?

ଚାବହାର ଉପରେ ହେବ କି କଥାବାର୍ତ୍ତା ?

ପାକିସ୍ତାନର ଗ୍ୱାଦର ବନ୍ଦରର ଜବାବରେ ଭାରତ ଇରାନର ଚାବହାର ବନ୍ଦରର ବିକାଶ କରୁଛି । ଏହି ବନ୍ଦର ମାଧ୍ୟମରେ ଭାରତ କେବଳ ଏହାର ରଣନୀତିକ ନୁହେଁ ବରଂ ଅର୍ଥନୈତିକ ସ୍ୱାର୍ଥକୁ ମଧ୍ୟ ସୁରକ୍ଷା ଦେବ । ଚୀନ୍ ସହ ବଢ଼ୁଥିବା ବିବାଦ ଏବଂ ରିଙ୍ଗ୍ ଅଫ୍ ପଲ୍ସ ବିରୁଦ୍ଧରେ ଏହି ବନ୍ଦର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିଛି ଦିନ ପୂର୍ବରୁ ଖବର ଆସିଥିଲା ​​ଯେ ଚାବହାରରେ ନିର୍ମାଣର ମନ୍ଥର ଗତି ପାଇଁ ଇରାନ ଚିନ୍ତିତ ଅଛି । ଏଭଳି ପରିସ୍ଥିତିରେ ଇରାନର ଏହି ସମସ୍ୟାର ସମାଧାନ କରିବା ଭାରତର ବଡ ପ୍ରୟାସ ରହିବ ।

ବିଫଳ ହେବ ପାକିସ୍ତାନ-ଚୀନର ମିଶନ ଗ୍ୱାଦର

ପାକିସ୍ତାନ ଏବଂ ଚୀନ୍ ମିଳିତ ଭାବେ ଆର୍ଥିକ ଏବଂ ସାମରିକ ରୂପରେ ଭାରତ ବିରୁଦ୍ଧରେ ଗ୍ୱାଦର ବନ୍ଦର ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଭଳି ପରିସ୍ଥିତିରେ ଚାବହାର ମାଧ୍ୟମରେ ଭାରତ ଗ୍ୱାଦର ଉପରେ ବସିଛି ଏବଂ ଚୀନ୍-ପାକିସ୍ତାନର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛି । ଏହି ବନ୍ଦର ଯୋଗୁଁ ପାକିସ୍ତାନର ବାଣିଜ୍ୟ ବ୍ୟାପାରରେ ମଧ୍ୟ କ୍ଷତି ହେଉଛି କାରଣ ମଧ୍ୟ ଏସିଆର ଅଧିକାଂଶ ଦେଶ ବର୍ତ୍ତମାନ ପାକିସ୍ତାନର ଗ୍ୱାଦର ବନ୍ଦର ଛାଡି ଇରାନର ଚାବହାର ବନ୍ଦର ବ୍ୟବହାର କରୁଛନ୍ତି ।

ଚୀନ୍ ଏବଂ ପାକିସ୍ତାନକୁ ଏକାସହ ପରାସ୍ତ କରିବା ପାଇଁ ଭାରତର ପ୍ରସ୍ତୁତି

ଦୁଇଟି ଫ୍ରଣ୍ଟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ଚୀନ୍ ଏବଂ ପାକିସ୍ତାନକୁ ମଧ୍ୟ ଉଚିତ ଜବାବ ଦେବା ପାଇଁ ଭାରତ ଅଣ୍ଟା ଭିଡିଛି । ଇରାନକୁ ମାଧ୍ୟମ କରି ଭାରତ ପାକିସ୍ତାନ ସହ ଚୀନ୍ କୁ ମଧ୍ୟ ଶକ୍ତ ପ୍ରହାର ଦେବାକୁ ପ୍ରସ୍ତୁତ ହେଉଛି । କିଛି ଦିନ ପୂର୍ବରୁ ଚୀନ୍ ଇରାନ ସହିତ ଏକ ବିଲିୟନ ଡଲାର ଚୁକ୍ତି କରିଥିଲା । ଏଥିରେ କେବଳ ପ୍ରତିରକ୍ଷା ନୁହେଁ ବରଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଅନେକ ପ୍ରମୁଖ ଚୁକ୍ତିନାମା ହୋଇଥିଲା। ଏଭଳି ପରିସ୍ଥିତିରେ ଭାରତ ଯଦି ଚୀନ୍ ବିରୁଦ୍ଧରେ ଯିବାକୁ ଇରାନକୁ ମନାଇଦିଏ, ତେବେ ଏହାକୁ ଏକ ବଡ଼ କୂଟନୈତିକ ବିଜୟ ବୋଲି ବିବେଚନା କରାଯିବ।

ପାକିସ୍ତାନକୁ ଶକ୍ତ ଝଟକା ଦେବ ଭାରତ

ଇରାନ ଏବଂ ପାକିସ୍ଥାନର ସୀମା ପରସ୍ପର ସହ ଜଡିତ । ଏହି ପରିସ୍ଥିତିରେ ଭାରତ ମଧ୍ୟ ଇରାନକୁ ନିଜ କୋର୍ଟରେ ରଖି ପାକିସ୍ତାନକୁ ଏକ ବଡ଼ ଝଟକା ଦେଇପାରେ। ଏଥି ସହିତ କଟ୍ଟର ଶିୟା ଦେଶ ହୋଇଥିବାରୁ, ପାକିସ୍ତାନ ଏବଂ ଇରାନ ମଧ୍ୟରେ ସମ୍ପର୍କ ଭଲ ନାହିଁ ତେଣୁ ଭାରତ ଏହାର ଲାଭ ଉଠାଇ ପାରିବ । ଇରାନକୁ ମାଧ୍ୟମ କରି ଭାରତ ବାଣିଜ୍ୟରେ ନୂତନ ଦିଗ ପ୍ରତିଷ୍ଠା କରିବାକୁ ଯାଉଛି । ଏହା ଫଳରେ ପ୍ରବଳ ଚାପରେ ଗତି କରୁଥିବା ଇରାନର ଅର୍ଥନୀତିକୁ ମଧ୍ୟ ସାହାଯ୍ୟ ମିଳିବ ।

ଭାରତ ଇରାନ ମାଧ୍ୟମରେ ପଶ୍ଚିମ ଏସିଆ ସହିତ ବାଣିଜ୍ୟ ବୃଦ୍ଧି କରିବ

ଚାବହାର ବନ୍ଦର କାର୍ଯ୍ୟକ୍ଷମ ହେବାପରେ ଭାରତ ଆଫଗାନିସ୍ତାନ ଏବଂ ଇରାନ ତୁଳନାରେ ବାଣିଜ୍ୟରେ ଅନେକ ବୃଦ୍ଧି କରିସାରିଛି । ବର୍ତ୍ତମାନ ଭାରତ ଏହି ବନ୍ଦର ମାଧ୍ୟମରେ ଋଷ, ତାଜିକିସ୍ତାନ, ତୁର୍କମେନିସ୍ତାନ, କାଜାଖସ୍ତାନ ଏବଂ ଉଜବେକିସ୍ତାନ ସହିତ ବାଣିଜ୍ୟକୁ ବିସ୍ତାର କରିବାକୁ ଚାହୁଁଛି । ଏହା ମାଧ୍ୟମରେ ଅସ୍ତ୍ରଶସ୍ତ୍ର କ୍ରୟ ହେତୁ ଋଷରେ ବଢ଼ୁଥିବା ବାଣିଜ୍ୟ କ୍ଷତିକୁ ହ୍ରାସ କରିବାରେ ମଧ୍ୟ ଭାରତ ସାହାଯ୍ୟ କରିପାରିବ।

ସୀମାରେ ଉତ୍ତେଜନା ଭିତରେ ଚୀନ ନାଗରିକଙ୍କ ପାଇଁ ଦେବଦୂତ ସାଜିଲେ ଭାରତୀୟ ସୈନିକ

0

ସିକ୍କିମ: ସିକ୍କିମର ବରଫ ପାହାଡ଼ରେ ରାସ୍ତା ଭୁଲି ଯାଇଥିବା ନାଗରିକଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଛନ୍ତି ଭାରତୀୟ ଜବାନ୍ । ସୂଚନା ମୁତାବକ ୩ ଜଣ ଚୀନ ନାଗରିକ ୩ ସେପ୍ଟେମ୍ବରକୁ ୧୭,୫୦୦ ଫୁଟ ଉଚ୍ଚରେ ରାସ୍ତା ଭୁଲି ଯାଇଥିଲେ । ବରଫ ପାହାଡ଼ରେ ରାସ୍ତା ଭୁଲି ଯାଇଥିବା ଏହି ଚୀନ ନାଗରିକଙ୍କ ଖାଦ୍ୟ ସାମଗ୍ରୀ ମଧ୍ୟ ଶେଷ ହୋଇ ଯାଇଥିଲା । ତିନି ଜଣଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଏବଂ ଜଣେ ମହିଳା ଥିଲେ । ଏମାନଙ୍କ ନିକଟରେ ମହଜୁଦ ଅମ୍ଳଜାନ ଶେଷ ହୋଇଯାଇଥିଲା, ଆଉ ସେହି ସମୟରେ ଏମାନଙ୍କ ଉପରେ ଭାରତୀୟ ଜବାନଙ୍କର ନଜର ପଡ଼ିଥିଲା ।

ସୂଚନାଯୋଗ୍ୟ ଭାରତୀୟ ଯବାନ ତିନି ଚୀନ ନାଗରିକଙ୍କୁ ସହାୟତାର ହାତ ବଢାଇଲେ । ଗୋଟିଏ ପକ୍ଷରେ ଚୀନର ନାଗରିକଙ୍କୁ ଭାରତୀୟ ଜବାନ ରକ୍ଷା କରିଥିବା ବେଳେ ଶନିବାରକୁ ଅରୁଣାଚଳ ପ୍ରଦେଶରେ ଚୀନ ସେନା ସୀମାରେ ଭାରତର ୫ ଜଣ ଜବାନଙ୍କୁ ଅପହରଣ କରିଥିବା ଖବର ଆସିଛି । ଏହାର ସୂଚନା ଦେଇଛନ୍ତି ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନାଙ୍ଗ ଏରିଙ୍ଗ ।

ଭାରତୀୟ ଜବାନଙ୍କ କହିବାନୁଯାୟୀ ହଠାତ୍ ସେମାନଙ୍କୁ କିଛି ଲୋକ ଚିତ୍କାର କରି ସାହାଯ୍ୟ ମାଗୁଥିବାର ଶୁଣିବାକୁ ମିଳିଲା । ତା ପରେ ସେମାନେ ଚୀନ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ ପହଞ୍ଚିଗଲେ । ପ୍ରଥମେ ସେମାନଙ୍କର ଚିକିତ୍ସା କରାଗଲା ଓ ତା’ ପରେ ଅମ୍ଳଜାନ ଦିଆଗଲା । ଏହା ସହିତ ପୁଷ୍ଟିକର ଖାଦ୍ୟ ଏବଂ ଗରମ ବସ୍ତ୍ର ମଧ୍ୟ ଦିଆଗଲା । କେବଳ ସେତିକି ନୁହେଁ ଖାଦ୍ୟ ଏବଂ ଜଳ ସହିତ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ମଧ୍ୟ ଜବାନମାନେ ପହଞ୍ଚାଇଦେଲେ । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଭାରତୀୟ ଯବାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଚୀନ ସୈନିକ ।

Bhubaneswar Corona Upates: ୪୦୯ ନୂଆ ସଂକ୍ରମିତ, ୩୪୪ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣର ମାତ୍ରା କ୍ରମାଗତ ଭାବେ ବଢିବାର ଲାଗିଛି । ଏହି କ୍ରମରେ ଶେଷ ୨୪ ଘଣ୍ଟାରେ ରାଜ୍ୟରେ ୪୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪୧ ଜଣ ପୂରୁଣା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସେହିଭଳି ୧୬୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ରାଜଧାନୀରେ ଆଜି ୩୪୪ଲ ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥତା ହାର ଭୁବନେଶ୍ୱରରେ କ୍ରମାଗତ ବଢୁଥିଲେ ମଧ୍ୟ ସଂକ୍ରମଣ ଉପରେ ରୋକ୍ ନଲାଗି ବିଏମସି ପାଇଁ ଚିନ୍ତା ବଢାଉଛି ।

ତେବେ ଏବେ କରୋନାଜନିତ କଟକଣା ପ୍ରାୟତଃ ଶେଷ ହେବାକୁ ବସିଲାଣି । ଏଣୁ ରାଜଧାନୀରେ କ୍ରମାଗତ ଭାବେ ଗହଳି  ବଢିବାରେ ଲାଗିଛି । ଆଗାମୀ ସମୟରେ ଆହୁରି ମଧ୍ୟ ବଢିବ । ଏଣୁ ବିଏମସି କିଭଳି ଭାବେ ରାଜଧାନୀରେ ସଂକ୍ରମଣର ପ୍ରଖର ଗତିକୁ ରୋକିବ ସେନେଇ ଅନୁଶୀଳନ କରୁଛି । ଗତକାଲିର ପ୍ରେସମିଟରେ ବିଏମସି କମିଶନର ରାଜଧାନୀର ଲୋକଙ୍କ ମଧ୍ୟରେ ଆଣ୍ଟିବଡ଼ିର ମାତ୍ରା ବଢୁଥିବା କଥା କହିଥିଲେ ।

ଅର୍ଥାତ୍ ସଂକ୍ରମଣ ରୋକିବା ସମ୍ଭବ ହେଉନଥିବା ହେତୁ ଲୋକେ କରୋନା ସଂକ୍ରମଣର ଶୀକାର ହୋଇ ସୁସ୍ଥ ହେବାରେ ଲାଗୁଛନ୍ତି । ରାଜଧାନୀରେ ଏବ ୨ୟ ପ୍ରର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଟେଷ୍ଟ ମଧ୍ୟ କାର୍ଯକାରୀ ହୋଇଛି । ଅର୍ଥାତ୍ ଭୁବନେଶ୍ୱରରେ ସଂକ୍ରମଣର ମାତ୍ରାକୁ ଜାଣିବା ପାଇଁ ବିଏମସି ଉଦ୍ୟମ କରୁଛି । ସଂକ୍ରମଣ ମାତ୍ରା ଜାଣିବାରେ ସକ୍ଷମ ହେବା ପରେ ହିଁ ବିଏମସି ଭୁବନେଶ୍ୱ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇପାରେ । ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀ ୧୨ହଜାର ୮୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୮୬୭ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୮୮୬ ରହିଛି । ୪୭ ଜଣ କରୋନା ସଂକ୍ରମଣରେ ମୃତ ହୋଇଛନ୍ତି ।

Jio Vs Airtel Vs Vodafone: ନୂତନ ପ୍ଲାନର ପୁରା ଲିଷ୍ଟ, ଜାଣନ୍ତୁ କେଉଁଟି ଆପଣଙ୍କ ପାଇଁ ବେଷ୍ଟ

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀଗୁଡିକ ଉପଭୋକ୍ତାମାନଙ୍କ ପାଇଁ ନୂଆ ନୂଆ ଯୋଜନା ଆଣିବାରେ ଲାଗିଛନ୍ତି । ନୂତନ ଯୋଜନାଗୁଡ଼ିକର ଶୁଭାରମ୍ଭ ସହିତ, ଆଜିକାଲି ପୁରୁଣା ଯୋଜନାଗୁଡ଼ିକର ସଂଶୋଧନ ଧାରା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଗତ କିଛି ଦିନ ମଧ୍ୟରେ ରିଲାଏନ୍ସ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ମଧ୍ୟ ସେମାନଙ୍କ ପ୍ରିପେଡ୍ ପ୍ଲାନ ପୋର୍ଟଫୋଲିଓରେ ନୂତନ ଯୋଜନା ଏବଂ ଭାଉଚର୍ ଯୋଡିବା ସହିତ ଅନେକ ପୁରୁଣା ଯୋଜନାକୁ ରିଭାଇଜ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏ ସମ୍ବନ୍ଧିୟ ସବିଶେଷ ତଥ୍ୟ-

ଏୟାରଟେଲର ନୂତନ ଏବଂ ରିଭାଇଜ ପ୍ଲାନ

ଏୟାରଟେଲ କିଛି ବିଶେଷ ପ୍ଲାନ ସହିତ ଜୁଲାଇରେ ‘ମାଗଣା ଡାଟା କୁପନ୍’ ପ୍ରଦାନ କରିବା ଆରମ୍ଭ କଲା । ବର୍ତ୍ତମାନ କମ୍ପାନୀ ୨୮୯, ୪୪୮ ଟଙ୍କା ଏବଂ ୫୯୯ ଟଙ୍କା ପ୍ଲାନ ସହିତ ସମାନ ଅଫର ଦେଉଛି । ଏହି ଅଫର ଅନୁଯାୟୀ, ଉପଭୋକ୍ତାମାନଙ୍କୁ ୨୮୯ ଏବଂ ୪୪୮ ଟଙ୍କା ପ୍ଲାନରେ ୨୮ ଦିନର ଭାଲିଡିଟି ସହିତ ଦୁଇଟି ୧ ଜିବି ଡାଟା କୁପନ ଦିଆଯାଉଛି । ଏଥି ସହିତ, ୫୯୯ ଟଙ୍କା ପ୍ଲାନରେ, ଉପଭୋକ୍ତାମାନଙ୍କୁ ୫୬ ଦିନ ପାଇଁ ୧ ଜିବି ଡାଟାର ଚାରୋଟି କୁପନ୍ ଦିଆଯାଉଛି । ଏହି ଅଫର ପାଇବାକୁ ଉପଭୋକ୍ତାମାନଙ୍କୁ ଏୟାରଟେଲ ଥାକ୍ସ୍ ଆପ୍ ମାଧ୍ୟମରେ ସେମାନଙ୍କ ନମ୍ବର ରିଚାର୍ଜ କରିବାକୁ ପଡିବ ।

ଏହା ବ୍ୟତୀତ ଏୟାରଟେଲ PepsiCo India  ସହ ମିଶି ୟୁଜର୍ସଙ୍କୁ କୁରକୁରେ, ଅଙ୍କଲ ଚିପ୍ସ, ଲେଜ୍ ଏବଂ ଡରିଟୋଜର ୧୦ ଏବଂ ୨୦ ଟଙ୍କାର ପ୍ୟାକେଟ କିଣିବାରେ ୨ ଜିବି ପର୍ଯ୍ୟନ୍ତ ଫ୍ରି ଡାଟା ଦେବାକୁ ଆରମ୍ଭ କରିଛି । ଏହି ଅଫର ଅନ୍ତର୍ଗତ ପ୍ରଥମ ଥରଠୁ ଆରମ୍ଭ କରି ତିନିଥର ପର୍ଯ୍ୟନ୍ତ ଫ୍ରି ଡାଟା ବେନିଫିଟ ନିଆଯାଇପାରିବ । ଏହି ଅଫର ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ଭାଲିଡ ରହିଛି ।

ଭୋଡାଫୋନ-ଆଇଡିଆର ନୂଆ ଏବଂ ରିଭାଇଜଡ ପ୍ଲାନ

 

ଭୋଡାଫୋନ୍-ଆଇଡିଆ ଦିଲ୍ଲୀ ସର୍କଲ ପାଇଁ ୧୦୯ ଏବଂ ୧୬୯ ଟଙ୍କାର ପ୍ଲାନ ଆରମ୍ଭ କରିଛି । ଏହି ଯୋଜନାଗୁଡିକ ୨୦ ଦିନର ଭାଲିଡିଟି ସହିତ ଆସେ । ଯୋଜନାରେ ପ୍ରାପ୍ତ ଲାଭ ବିଷୟରେ କହିବାକୁ ଗଲେ, ଆପଣ ୧୦୯ ଟଙ୍କା ରିଚାର୍ଜରେ ସମୁଦାୟ ୧ ଜିବି ଡାଟା ସହିତ ଅନଲିମିଟେଡ କଲିଂ ଏବଂ ୩୦୦ ମାଗଣା SMS ପାଇବେ । ଏହି ଯୋଜନାରେ G5 ଏବଂ ଭୋଡାଫୋନ୍ ପ୍ଲେ ପାଇଁ ମାଗଣା ସଦସ୍ୟତା ମଧ୍ୟ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ, ୧୬୯ ଟଙ୍କାର ଯୋଜନାରେ ପ୍ରତିଦିନ ୧୦୦ ମାଗଣା SMS ସହିତ ଅନଲିମିଟେଡ  କଲିଂ ଏବଂ ଦିନକୁ ୧ ଜିବି ଡାଟା ରହିଛି । ୧୦୯ ଟଙ୍କା ଯୋଜନା ଭଳି, ଏହା G5 ଏବଂ ଭୋଡାଫୋନ୍ ପ୍ଲେ ପାଇଁ ମାଗଣା ସଦସ୍ୟତା ମଧ୍ୟ ପାଇଥାଏ ।

ଭୋଡାଫୋନର ୪୬ଟଙ୍କାର ଭାଉଚର

ଭୋଡାଫୋନ୍ ଏହାର ୪୬ ଟଙ୍କା ଭାଉଚରର ଉପଲବ୍ଧତା ବୃଦ୍ଧି କରିଛି । ବର୍ତ୍ତମାନ ଏହି ଭାଉଚର ଦିଲ୍ଲୀରେ ମଧ୍ୟ ଉପଲବ୍ଧ । ଏହି ପ୍ଲାନ୍ ଭାଉଚରରେ, ବ୍ୟବହାରକାରୀମାନେ ଭୋଡାଫୋନ୍-ଟୁ-ଭୋଡାଫୋନ୍ କଲିଂ ପାଇଁ ୧୦୦ ମିନିଟ୍ ପାଆନ୍ତି । ୨୮ ଦିନର ଭାଲିଡିଟି ସହିତ ଆସୁଥିବା ଏହି ପ୍ଲାନ ପ୍ରକୃତରେ ନାଇଟ ବେନିଫିଟ ଅଟେ, ଯାହାର ଲାଭ ସକାଳ ୧୧ଟାରୁ ୬ ଟା ପର୍ଯ୍ୟନ୍ତ ନିଆଯାଇପାରିବ ।

ରିଲାଏନ୍ସ ଜିଓର ନୂଆ ଏବଂ ରିଭାଇଜଡ ପ୍ଲାନ

ରିଲାଏନ୍ସ ଜିଓ ଏହାର ବ୍ୟବହାରକାରୀଙ୍କ ପାଇଁ ଦୁଇଟି ନୂତନ ପ୍ଲାନ ଆରମ୍ଭ କରିଛି । ଏହି ଯୋଜନା ଗୁଡିକ ହେଲା ୪୯୯ ଟଙ୍କା ଏବଂ ୭୭୭ ଟଙ୍କା । ପ୍ଲାନ ଗୁଡିକର ବିଶେଷତ୍ୱ ​​ହେଉଛି ୩୯୯ ଟଙ୍କାରେ ଡିଜନି + ହଟଷ୍ଟାର ସବସ୍କ୍ରିପସନ୍ ମାଗଣାରେ ପାଇପାରିବେ ।

୪୯୯ ଟଙ୍କା ପ୍ଲାନରେ, ଉପଭୋକ୍ତା ମାନେ ୫୬ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧.୫ ଜିବି ଡାଟାର ଲାଭ ଉଠାଇ ପାରିବେ । ୭୭୭ ଟଙ୍କା ପ୍ଲାନ ବିଷୟରେ କହିବାକୁ ଗଲେ ଜିଓ ନେଟୱାର୍କ ପାଇଁ ପ୍ରତିଦିନ ୧.୫ ଜିବି ଡାଟା ସହିତ ଅନଲିମିଟେଡ କଲିଂ ଦିଆଯାଉଛି । ଏହି ପ୍ଲାନ ଅନ୍ୟ ନେଟୱାର୍କକୁ କଲ କରିବାକୁ ୩୦୦୦ ମିନିଟ୍ ପ୍ରଦାନ କରେ । ଦୈନିକ ୧୦୦ ମାଗଣା SMS ସହିତ ଆସୁଥିବା ଏହି ପ୍ଲାନର ଭାଲିଡିଟି ହେଉଛି ୮୪ ଦିନ । ଉଭୟ ଯୋଜନାରେ, ଉପଭୋକ୍ତାମାନେ ଜିଓ ଆପ୍ସର ମାଗଣା ସବସ୍କ୍ରିପସନ୍ ପାଇପାରିବେ ।

ଅନ୍ଧାରୀ ମୂଲକର ଦାବି : ୨ଶହ ଦିନର କାମ ଓ ଶିକ୍ଷିତଙ୍କୁ ଚାକିରି ଦିଅ

ମାଲକାନଗିରି : ପଞ୍ଚାୟତରେ ୨ଶହ ଦିନର କାମ ମିଳୁ । ସରକାର କରୋନା ବେଳେ ଆମ ଭଳି ବିଚ୍ଛିନ୍ନବାଦୀଙ୍କ କଥା ବୁଝନ୍ତୁ । କରୋନା ଏମିତି ଆର୍ଥିକ ମେରୁଦଣ୍ଡ ଭାଙ୍ଗିଛି ଯେ ବଞ୍ଚିବା କଷ୍ଟ ହୋଇପଡ଼ୁଛି । ଏଭଳି ଦାବି ଉଠିଛି ମାଲକାନଗିରିର ଅନ୍ଧାରୀ ମୂଲକରୁ । ପଣସପୁଟ, ଅଣ୍ଡରାପାଲି, ଯୋଡାମ୍ଭ, ଗାଜଳମାମୁଡ଼ି ଓ ନାକାମାମୁଡ଼ି ଭଳି ୫ଟି ପଞ୍ଚାୟତ ଏକଜୁଟ ହୋଇ ପ୍ରଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

୯ ଦଫାର ଦାବି ପତ୍ରରେ ସେ କରୋନା ପରେ ସରକାରଙ୍କଠାରୁ ଚାହୁଁଥିବା ନାର୍ଯ୍ୟ ଦାବିକୁ ଉଲ୍ଲେଖ କରିଛନ୍ତି । କରୋନା ପରେ ଆଦିବାସୀଙ୍କ ସ୍ଥିତି ବଞ୍ଚିବା ଯୋଗ୍ୟ ହୋଇନାହିଁ । ଏଣୁ ସରକାର ମନରେଗାରେ ୨ଶହ ଦିନର କାମ ଓ ଦୈନିକ ମଜୁରୀ ୫ଶହ ଟଙ୍କା ଦେବା ପାଇଁ ଦାବି କରିଛନ୍ତି । ଅନ୍ୟପକ୍ଷରେ କୋଭିଡ୍ ମୁକାବିଲା ପାଇଁ ଉକ୍ତ ୬ଟି ପଞ୍ଚାୟତରେ ଏମବିବିଏସ ଡ଼ାକ୍ତଙ୍କର ଆବଶ୍ୟକତା ରହିଥିବା ଦାବିରେ ଉଲ୍ଲେଖ କରାଯାଇଛି । ଖୁବ୍ ଶୀଘ୍ର ଡ଼ାକ୍ତର ଓ ଡ଼ାକ୍ତରୀ ସୁବିଧା ସରକାରଙ୍କ ଦ୍ୱାରା ଉପଲବଧ ହେଉ ବୋଲି ଆଦିବାସୀମାନେ ଦାବି କରିଛନ୍ତି । ସେହିଭଳି ବିଚ୍ଛିନ୍ନାଞ୍ଚଳରେ ଥିବା ଶିକ୍ଷିକ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ଯୋଗାଇବା ପାଇଁ କହିଛନ୍ତି ।

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଗ୍ରହାଣୁ ୪୬୫୮୨୪,୨୦୧୦ ଏଫ.ଆର

ଭୁବନେଶ୍ୱର: ଗ୍ରହ ନକ୍ଷତ୍ରଙ୍କୁ ନେଇ ମନରେ କାହିଁ କେତେ କଥା ଆସେ । ଯଦି କେବେ କୌଣସି ଗ୍ରହାଣୁ ପୃଥିବୀ ସହିତ ଧକ୍କା ହେବ ତେବେ ପୃଥିବୀ ଧ୍ୱଂସ ହୋଇଯିବ । ଏହାକୁ ନେଇ ଏକାଧିକ ପ୍ରଶ୍ନ ମନରେ ଉଙ୍କି ମାରେ । ତେବେ ଭାବନା ଏବଂ ବୈଜ୍ଞାନିକଙ୍କ ସୂଚନା ମଧ୍ୟରେ ବେଶ୍ ତଫାତ ରହିଛି । ଅଧିକାଂଶ ସମୟରେ ଗ୍ରହାଣୁ ପୃଥିବୀର ପାଖାପାଖି ପହଞ୍ଚି ଗତି କରିଥିବା ଦେଖିବାକୁ ମିଳିଛି । ନିକଟରେ ଗ୍ରହାଣୁକୁ ନେଇ ସେହିଭଳି ଏକ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଆସନ୍ତା ୬ ସେପ୍ଟେମ୍ବରରେ ପୃଥିବୀର ନିକଟତର ହେବାକୁ ଯାଉଛି ଏକ ଗ୍ରହାଣୁ ।

ଉକ୍ତ ଗ୍ରହାଣୁର ନାମ 465824 2010 FR, ଯାହାକୁ ୧୦ ମାର୍ଚ୍ଚ ୨୦୧୮ରେ ଆବିଷ୍କାର କରାଯାଇଥିଲା । ଖବର ଅନୁଯାୟୀ ୬ ସେପ୍ଟେମ୍ବର ୨୦୨୦ ଅପରାହ୍ନ ୨ଟା ୮ ମିନିଟରେ ଏହା ପୃଥିବୀର ନିକଟତର ହେବ । ସେତେବେଳେ ଏହାର ଦୂରତା ପ୍ରାୟ ୭୭ ଲକ୍ଷ କିଲୋମିଟର ଅର୍ଥାତ ଏହା ପୃଥିବୀ ଚନ୍ଦ୍ର ଦୂରତାର ପ୍ରାୟ ୧୯ ଗୁଣ ଦୂରତାରେ ରହିବ । ଏହାର ହାରାହାରି ବେଗ ଘଣ୍ଟାପ୍ରତି ୫୧ ହଜାର କିଲୋମିଟର ରହିଛି । ଏହାର ଦୈର୍ଘ୍ୟ ୧୨୦ ମିଟର ହୋଇଥିବା ବେଳେ ପ୍ରସ୍ଥ ୨୭୦ ମିଟର । ଏହା ୪୩୯ ଦିନରେ ଥରେ ସୂର୍ଯ୍ୟ ଚାରିପଟେ ବୁଲେ ଏବଂ ପ୍ରତି ୪ରୁ ୬ ବର୍ଷରେ ଥରେ ପୃଥିବୀର ନିକଟତର ହୋଇଥାଏ । ଏହା ୧୫ ମାର୍ଚ୍ଚ୨୦୧୬ ମସିହାରେ ପୃଥିବୀର ନିକଟତର ହୋଇଥିଲା । ସୂଚନା ମୁତାବକ ଏହା ୧୧ ସେପ୍ଟେମ୍ବର ୨୦୨୬ରେ ପୁଣି ପୃଥିବୀର ନିକଟତର ହେବ ।

ସୂଚନାଯୋଗ୍ୟ ଏକାଧିକ ଗ୍ରହାଣୁ ମଙ୍ଗଳ ଏବଂ ବୃହସ୍ପତ୍ତି ଗ୍ରହ କକ୍ଷ ମଧ୍ୟରେ ସୂର୍ଯ୍ୟଙ୍କୁ ପରିକ୍ରମା କରୁଛନ୍ତି । ଏମାନଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଏବଂ ଆକାର ୧ ମିଟରରୁ ଆରମ୍ଭ ହୋଇ ଶହ ଶହ କିଲୋକିଟର ପର୍ଯ୍ୟନ୍ତ ରହିଥାଏ । ଏହି ଗ୍ରହାଣୁ ଗୁଡ଼ିକ ବେଳେବେଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପୃଥିବୀ ଆଡ଼କୁ ଆକର୍ଷିତ ହୋଇଥାନ୍ତି । ସେଗୁଡ଼ିକ ମଧ୍ୟରୁ ୯୯ ପ୍ରତିଶତ ପୃଥିବୀ ପୃଷ୍ଠରେ ପଡ଼ିବା ପୂର୍ବରୁ ବାୟୁମଣ୍ଡଳରେ ଜଳି ପାଉଁଶ ହୋଇଯାଆନ୍ତି ।

ନିକଟରେ ବୈଜ୍ଞାନିକମାନେ୨୩ ହଜାର ୪୨୮ଟି ବଡ଼ ଆକାରର ଗ୍ରହାଣୁ ଗୁଡ଼ିକର ତାଲିକା ପ୍ରସ୍ତୁତ କରିଛନ୍ତି । ଏଗୁଡ଼ିକ ପୃଥିବୀ ନିକଟରେ ରହିଛନ୍ତି । ତେବେ ଏହା ଉପରେ ନଜର ରଖିଛନ୍ତି ବୈଜ୍ଞାନିକ । ସମ୍ଭାବ୍ୟ ବିପଦଜନକ ଗ୍ରହାଣୁ ମଧ୍ୟରେ ମାତ୍ର ୧୦୭୫ଟି ଗ୍ରହାଣୁକୁ ଶ୍ରେଣୀଭୁକ୍ତ କରାଯାଇଛି । ଏଭଳି ମହା ବିପତ୍ତିରୁ କିଭଳି ଭାବରେ ପୃଥିବୀ ସୁରକ୍ଷିତ ହୋଇ ପାରିବ ତାହାକୁ ନେଇ ଜ୍ୟାତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଛନ୍ତି ।

Corona Vaccine: ଋଷର ଭ୍ୟାକସିନ ପୁଣି ସୃଷ୍ଟି କଲା ଆଶା, ମାନବ ପରୀକ୍ଷଣରେ ଭଲ ଫଳାଫଳ

ନୂଆଦିଲ୍ଲୀ: ବିଗତ ମାସରେ ଋଷ ବିଶ୍ୱରେ ସର୍ବପ୍ରଥମେ କରୋନା ଭାଇରସ ଭ୍ୟାକସିନ ପ୍ରସ୍ତୁତ କରିବାର ଦାବି କରିଥିଲା । ଅବଶ୍ୟ ଋଷର ଭ୍ୟାକସିନ ଉପରେ WHO, ଆମେରିକା ଏବଂ ଦୁନିଆର ଅନ୍ୟ ବଡ଼ ବଡ଼ ବିଶେଷଜ୍ଞ ମାନେ ବିଶ୍ୱାସ ରଖୁନଥିଲେ । ବର୍ତ୍ତମାନ ଏକ ନୂଆ ଅଧ୍ୟୟନରେ ଋଷର ସେହି ଭ୍ୟାକସିନକୁ ଆହୁରି ସୁରକ୍ଷିତ ଏବଂ ପ୍ରଭାବଶାଳୀ କରି ପ୍ରସ୍ତୁତ କରିଛି ।

ଶୁକ୍ରବାର ଦିନ ‘ଦ ଲାନସେଟ୍’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟର ଏକ ଅନିୟମିତ ଟିକା ପରୀକ୍ଷାର ଫଳାଫଳ ଭଲ ଆସିଛି । ଦୁଇଟି ଟୀକାକରଣରେ ୭୬ ଜଣଙ୍କ ଉପରେ ପରୀକ୍ଷା ପରେ ୪୨ ଦିନ ମଧ୍ୟରେ ସେଫ୍ଟି ପ୍ରୋଫାଇଲ୍ ଚିହ୍ନଟ ହୋଇଛି । ୨୧ ଦିନ ମଧ୍ୟରେ, ସମସ୍ତ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଆଣ୍ଟିବଡି ପ୍ରତି ଏକ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, ୨୮ ଦିନ ମଧ୍ୟରେ ଏହି ଟିକା ଶରୀରରେ ଟି-କୋଷିକା ମଧ୍ୟ ସୃଷ୍ଟି କରିଥାଏ, ଯାହା ଶରୀରରେ ଭାଇରସ ସହ ମୁକାବିଲା କରିବା ପାଇଁ ଶକ୍ତି ଦେଇଥାଏ । ଏହି ରିପୋର୍ଟ ୪୨ ଦିନ ଧରି ଚାଲିଥିବା ଦୁଇଟି କ୍ଷୁଦ୍ର ସ୍ତର ପରୀକ୍ଷା ଉପରେ ଆଧାରିତ । ପ୍ରଥମ ପରୀକ୍ଷଣରେ ଟିକାର ଫ୍ରୋଜେନ ଫର୍ମ୍ୟୁଲେସନ ଏବଂ ଦ୍ୱିତୀୟ ପରୀକ୍ଷଣରେ ଲାୟୋଫିଲାଇଜଡ୍ ଫର୍ମ୍ୟୁଲେସନର ଅନୁସନ୍ଧାନ କରାଯାଇଥିଲା ।

ଭ୍ୟାକସିନର ଉଭୟ ଅଂଶ ଯେଉଁଥିରେ ‘ହ୍ୟୁମାନ ଏଡିନୋଭାଇରସ ଟାଇପ-୨୬’ ( rAd26-S) ଏବଂ ‘ହ୍ୟୁମାନ ଏଡିନୋଭାଇରସ ଟାଇପ-୫ (rAd5-S) ର ରିକମ୍ବାଇନାଣ୍ଟ ସାମିଲ ରହିଛି, SARS-CoV-2ର ସ୍ପାଇକ ପ୍ରୋଟିନ ରୂପରେ ମୋଡିଫାଇ କରାଯାଇଥିଲା । ଉଭୟ ଷ୍ଟେଜର ଟ୍ରାୟଲରେ ଦାବି କରାଯାଇଛି ଯେ, ଯୋଗାଣ ଏବଂ ଏହାର ଷ୍ଟୋରେଜରେ ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଛି ।

ଏହି ଭ୍ୟାକସିନ ହାତର ସାଂସ ପେଶୀ ଜରିଆରେ ଶରୀର ମଧ୍ୟରେ ପ୍ରବେଶ କରାଯାଇଥାଏ । ଯାହା ପରେ ଇମ୍ୟୁନ ସିଷ୍ଟମ ଉପରେ ଏହାର ପ୍ରଭାବ ଦେଖାଦେବା ଆରମ୍ଭ ହୋଇଯାଇଥାଏ । ଆଣ୍ଟିବଡ଼ୀ ଏବଂ ଟି- ସେଲ୍ସ ଜେନେରେଟ ହେବା ପରେ ତାହା ଶରୀରରେ ଥିବା ଭାଇରସ ଏବଂ SARS-CoV-2 ର ସଂକ୍ରମିତ ସେଲ ଗୁଡ଼ିକ ଉପରେ ଗୁରୁତ୍ୱ ଦେଇଥାଏ ।

ଋଷର ଏହି ଟିକାର ନାମ ହେଉଛି Sputnik V, ଯାହା ‘ଗମାଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜି’ ଦ୍ୱାରା ବିକଶିତ ହୋଇଛି । ଏହି ଅନୁସନ୍ଧାନର ମୁଖ୍ୟ ଲେଖକ ଡେନିସ୍ ଲୋଗୁନୋଭ କହିଛନ୍ତି ଯେ, ଥରେ ଆଡିନୋଭାଇରସ୍ ଟିକା ମାନବ କୋଷରେ ପ୍ରବେଶ କରିବା ମାତ୍ରେ ଏହା SARS-CoV-2 ର ସ୍ପାଇକ୍ ପ୍ରୋଟିନ୍ ଜେନେଟିକ୍ କୋଡ୍ ବିତରଣ କରିବା ଆରମ୍ଭ କରେ, ଯାହା କୋଷଗୁଡ଼ିକର ସ୍ପାଇକ୍ ପ୍ରୋଟିନ୍ ଉତ୍ପାଦନ କରିବାର କାରଣ ଅଟେ ।

ଲୋଗୁନୋବ କହିଛନ୍ତି ଯେ, ଏହି ଟିକା ରୋଗ ପ୍ରତିରୋଧକ ଶକ୍ତି ଏବଂ ଜୀବାଣୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ। ଏହି ପରୀକ୍ଷା ଋଷର ଦୁଇଟି ଡାକ୍ତରଖାନାରେ ହୋଇଛି । ଏହି ଦୁଇଟି ନନ୍- ରାଣ୍ଡମାଇଜଡ୍ ପରୀକ୍ଷଣରେ ସ୍ୱେଚ୍ଛାସେବୀମାନେ ପୂର୍ବରୁ ଜାଣିଥିଲେ ଯେ ସେମାନଙ୍କୁ ଟୀକାକରଣ କରାଯାଉଛି । ଏହି ପରୀକ୍ଷଣରେ କେବଳ ୧୮ ରୁ ୬୦ ବର୍ଷ ବୟସର ସୁସ୍ଥ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଥିଲେ ।

ସେପ୍ଟେମ୍ୱର ୧୨ରୁ ସାରା ଦେଶକୁ ଗଡ଼ିବ ୮୦ ନୂଆ ଯାତ୍ରୀବାହୀ ଟ୍ରେନ୍, ଦରକାର ହେଲେ ସ୍ୱତନ୍ତ୍ର ଟ୍ରେନ୍ ସେବା ଦାବି କରିପାରିବ ରାଜ୍ୟ…………..

ନୂଆଦିଲ୍ଲୀ : ସେପ୍ଟେମ୍ୱର ୧୨ରୁ ସାରା ଦେଶରେ ୮୦ଟି ନୂଆ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । ତେବେ ଏହି ନୂଆ ଯାତ୍ରୀବାହୀ ରେଳସେବା ପାଇଁ ଟିକେଟ୍ ସଂରକ୍ଷଣ ସେପ୍ଟେମ୍ୱର ୧୦ରେ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ରେଲୱେ ବୋର୍ଡ ଅଧ୍ୟକ୍ଷ ଭିକେ ଯାଦବ । ଦେଶରେ ରେଳସେବା କରୋନା କାଳରେ ସଙ୍କୁଚିତ ହୋଇଥିଲା ।  ସ୍ୱାଭାବିକ ରେଳସେବା ବନ୍ଦ ହୋଇଥିଲା । ଏହାପରେ ପ୍ରଥମେ କେବଳ ଶ୍ରମିକ ସ୍ପେଶାଲ୍ ଟ୍ରେନ ଓ ପରେ ରାଜଧାନୀ ଦିଲ୍ଲୀକୁ ସଂଯୋଗ କରି ୧୫ ଯୋଡ଼ା ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲା ।

କ୍ରମଶଃ ଲକଡାଉନ୍ ଓ ସଟଡାଉନର ପ୍ରଭାବ କମିବା ପରେ ସରକାର ୨୩୦ଟି ନୂଆ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ନିଷ୍ପତ୍ତି ନେଲେ । ଏହି କ୍ରମରେ ଏବେ ଯାତାୟତ ଓ ଗମନାଗମନକୁ ସାରା ଦେଶରେ ସ୍ୱାଭାବିକ କରିବା ପାଇଁ ସାନି ୮୦ଟି ଟ୍ରେନର ବ୍ୟବସ୍ଥା କରାଯାଇଛି । ସେହିଭଳି ଯାତ୍ରୀ ଗହଳି ହେଉଥିବା କିଛି ନିର୍ଦ୍ଦିଷ୍ଟ ଟ୍ରେନ ସେବା ପାଇଁ କେନ୍ଦ୍ର ସରକାର କ୍ଲୋନ୍ ଟ୍ରେନ ଚଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । କ୍ଲୋନ ଟ୍ରେନ୍ ସହାୟତାରେ ହେବାକୁ ଥିବା ଅତିରିକ୍ତ ଗହଳି ରୋକିବା ପାଇଁ ପ୍ରୟାସ ହେବ ବୋଲି ରେଲୱ ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଛି ।

 

ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକର ବ୍ୟକ୍ତିଗତ ଦାବି ପୂରଣ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ସହାୟକ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଅର୍ଥାତ୍, ଯଦି କୌଣସି ରାଜ୍ୟ କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ଆବଶ୍ୟକ କରେ ତେବେ କେନ୍ଦ୍ର ସରକାର ଉକ୍ତ ଚାହିଦା ପୂରଣ କରିବା ନେଇ ସ୍ୱତନ୍ତ୍ର ଟ୍ରେନର ସେବା ଯୋଗାଇଦେବେ । ତେବେ ରେଲୱେ ବୋର୍ଡ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଏହି ସ୍ୱତନ୍ତ୍ର ଟ୍ରେନ ପାଇଁ ମଧ୍ୟ ବଳବତ୍ତର ରହିବ ବୋଲି ସ୍ପଷ୍ଟ ହୋଇଛି ।