spot_img
Home Blog Page 647

ବ୍ରହ୍ମପୁର ମେଡିକାଲରେ ମାତିଛନ୍ତି ଲୁଟେରା, ସହାୟତା କରିବା ଆଳରେ କରୁଛନ୍ତି ଚୋରି

ବ୍ରହ୍ମପୁର : ଅସୁରକ୍ଷିତ ବ୍ରହ୍ମପୁର MKCG ମେଡିକାଲ । ସହାୟତା କରିବା ଆଳରେ ଲୁଟୁଛନ୍ତି ଲୁଟେରା । ମେଡିକାଲ ପରିସରରେ ମାତିଛନ୍ତି ଚୋର । ଫିଦିନ ଲୁଟ ଘଟଣା ସାମ୍ନାକୁ ଆସୁଛି । ଲୁଟେରାଙ୍କ ଶିକାର ହେଉଛନ୍ତି ଗାଁ ଗହଳିର ବରିଷ୍ଠ ନାଗରିକ । ଏହି ମାଆ ଜଣକ ଛାତିରେ ଯନ୍ତ୍ରଣା ହେବାରୁ ସ୍ବାମୀଙ୍କ ସହ ଆସିଥିଲେ ମେଡିକାଲ । ଏକ୍ସ-ରେ କରିବା ପାଇଁ ବସିଥିବା ବେଳେ ଜଣେ ଦୁର୍ବୃତ୍ତ ପାଖକୁ ଆସି ତାଙ୍କୁ ସହାୟତା କରିବାକୁ କହି ଲୁଟି ନେଇଛି ସୁନା ଅଳଙ୍କାର । ଠିକ ସେହିପରି ଆଉ ଜଣେ ବୃଦ୍ଧାଙ୍କଠାରୁ ଲୁଟି ନେଲେ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା ।  ଲୁଟର ଶିକାର ହୋଇଛନ୍ତି ଆର.ଉଦୟଗିରି ମହେନ୍ଦ୍ରଗଡ଼ର ଜୁରିଆ ସାହୁ ଏବଂ ତାଙ୍କ ପତ୍ନୀ ଶଶି । ଗଳାରେ ସମସ୍ୟା ଥିଙବାରୁ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସି ଲୁଟେରାଙ୍କ ଶିକାର ହୋଇଛନ୍ତି । ବୈଦ୍ଯନାଥପୁର ଥାନାରେ ଏତଲା ପରେ ତଦନ୍ତ କରୁଛି ପୋଲିସ।

ବ୍ରହ୍ମପୁର ବଡ ମେଡିକାଲ ପରିସର ଦଲାଲଙ୍କ କବ୍ଚ୍ଚାରେ ରହିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । କିନ୍ତୁ ଏବେ ମେଡିକାଲ ପରିସରରେ ଏପରି ଚୋରି ଘଟଣା ଘଟୁଥିବାରୁ ଆତଙ୍କିତ ହୋଇଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ଖାଲି ଟଙ୍କା ସୁନା ନୁହେଁ ପ୍ରତିଦିନ ଗାଡ଼ି ଚୋରି ହେଉଥିବା ମଧ୍ଯ ଅଭିଯୋଗ ହେଉଛି । ମେଡିକାଲରେ ସୁରକ୍ଷା ବିଫଳ ସହ ଅନେକ ସ୍ଥାନରେ ସିସିଟିଭି ଖରାପ ହୋଇ ରହିଛି । ତେଣୁ ଚୋରଙ୍କୁ ଧରିବା ପୋଲିସ ପାଇଁ କଷ୍ଟକର ହେଉଛି । ସେପଟେ ଏହାଦ୍ବାର ମେଡିକାଲ ବଦନାମ ହେଉଛି । ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ଆଜି ହେରପଞ୍ଚମୀ, ଶ୍ରୀଗୁଣ୍ଡିଚା ବିଜେ କରିବେ ଲକ୍ଷ୍ମୀ ଠାକୁରାଣୀ

ପୁରୀ : ଜନ୍ମବେଦିରେ ଚାଲିଛି ଲୀଳାଖେଳା । ମାଉସୀ ହାତରନ୍ଧା ଖାଇ ଅଗଣିତ ଭକ୍ତଙ୍କ ଗୁହାରି ଶୁଣୁଛନ୍ତି ମହାପ୍ରଭୁ । ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରି ଭାବ ବିହ୍ବଳ ଶ୍ରଦ୍ଧାଳୁ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ନୀଳାଦ୍ରିନାଥ । ମନ୍ଦିରରେ ମହାଲକ୍ଷ୍ମୀଙ୍କୁ ଛାଡ଼ି ଆସିଛନ୍ତି ଲକ୍ଷ୍ମୀକାନ୍ତ । ତେଣୁ ଅଭିମାନ କରିଛନ୍ତି ମାଆ । ହେରା ପଞ୍ଚମୀରେ ବିମଳାଙ୍କ ପରାମର୍ଶରେ ମୋହିନୀ ଚୁର୍ଣ୍ଣ ଧରି ପାଲିଙ୍କିରେ ଶ୍ରୀଗୁଣ୍ଡିଚା ଆସନ୍ତି ମାଆ । ହେଲେ ସନ୍ଧ୍ୟା ଧୂପ ନୀତି ଚାଲିଥିବାରୁ ଟେରା ପଡ଼ିଥିବାରୁ ଦର୍ଶନ ନପାଇ ନାକଚଣା ଦ୍ବାର ଦେଇ ଅଭମାନ କରି ଫେରନ୍ତି । ଆଉ ରାଗରେ ନନ୍ଦିଘୋଷ ରଥ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ମହାପ୍ରଭୁଙ୍କ ଏହି ମାନବୀୟ ଲିଳା ଦେଖିବାକୁ ଶରଧାବାଲିରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

ମହାଲକ୍ଷ୍ମୀ ଫେରିବା ଜାଣି ବାହୁଡ଼ା ପାଇଁ ପ୍ରସ୍ତୁତ ହୁଅନ୍ତି ଶ୍ରୀଜଗନ୍ନାଥ । ଏଥିପାଇଁ ଷଷ୍ଠୀରେ ୩ରଥକୁ ଦକ୍ଷଣ ମୋଡ଼ ପାଇଁ ଦିଅନ୍ତି ନିର୍ଦ୍ଦେଶ । ସକାଳଧୂପ ସରିବା ପରେ ୩ଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଅଜ୍ଞାମାଳ ନେଇ ରଥ ନିକଟରେ ପହଞ୍ଚିବା ପରେ ରଥ ଦକ୍ଷିଣମୋଡ ହୋଇ ନାକଚଣା ଦ୍ବାର ନିକଟରେ ପହଞ୍ଚିବେ । ଏଥପାଇଁ ୩ ରଥର ଯାଞ୍ଚ ଓ ଆବଶ୍ଯକ ମରାମତି କରାଯାଇଛି । ଶ୍ରୀମନ୍ଦିର ବୈଷୟିକ ଟିମ୍ ଓ ପୂର୍ତ୍ତ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଓ ରେଲୱେର ବୈଷୟିକ ଟିମ ରଥର ଯାଞ୍ଚ କରିଛନ୍ତି । ଆସନ୍ତା ୪ ତାରିଖ ନବମୀ ସନ୍ଧ୍ୟା ଦର୍ଶନ । ସକାଳ ୭ ଟା ରୁ ଅପରାହ୍ନ ୫ ଟା ଯାଏଁ ହିଁ ଦର୍ଶନ ଚାଲିବ । ତା ପରଦିନ ବାହୁଡା଼ଯାତ୍ରା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଅଧାରେ ଅଟକିଛି କଟକ ସହିଦ ଭବନ କାମ, ପ୍ରଶାସନ ଅବହେଳାରୁ ହେଉଛି ବିଳମ୍ବ

କଟକ : ବିଳମ୍ବ ହେଉଛି କଟକ ସହିଦ ଭବନ କାମ । ୩ ବର୍ଷରେ ସରିଛି ୯୦ ଭାଗ କାମ । ପ୍ରଶାସନ ଅବହେଳାରୁ ସରୁନି ନିର୍ମାଣ କାର୍ଯ୍ଯ । କଟକରେ ସଭାସମିତି ଓ ସାଂସ୍କୃତିକ କାର୍ଯ୍ଯକ୍ରମ ପାଇଁ ନିର୍ମାଣ ହୋଇଛି ସହିଦ ଭବନ । ଐତିହ୍ୟ ସମ୍ପନ୍ନ ଏହି ହଲର ନବୀକରଣ ପାଇଁ ପୂର୍ବ ସରକାର ଗୁରୁତ୍ବ ଦେଇ ୩ ବର୍ଷ ତଳେ ୫ କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ଗୋଟିଏ ବର୍ଷରେ କାମ ବେଶ ଆଗେଇଥିଲା । ତେବେ ୯୦ ପ୍ରତିଶତ କାମ ସରିଥିବା ବେଳେ ଏବେ ବାକି ଛୋଟମୋଟ କାମ ସାରି ଏହାକୁ ଲୋକାର୍ପଣ କରିବା କଥା । କିନ୍ତୁ ପ୍ରଶାସନର ଅବହେଳାରୁ ଏହା ଉଦଘାଟନ ହେଉ ନଥିବାରୁ ସଭାସମିତି ପାଇଁ ମିଳୁନି ସ୍ଥାନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସହିଦ ଭବନରେ ବର୍ଷ ତମାମ ସଭାସମିତି ଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏଥିପାଇଁ  ଆର୍ଥିକ ଦୃଷ୍ଟିରୁ ମଧ୍ୟ ସିଏମସି ଭଲ ରାଜସ୍ବ ପାଇଥାଏ । ତେଣୁ ଏହାର କାମ କେଉଁଠି ଅଟକିଛି ସେ କଥାକୁ ମେୟର ଓ କମିଶନର ଅନୁଧ୍ୟାନ କରିବାକୁ କର୍ପୋରେଟର ମାନେ ବିଭିନ୍ନ ସମୟରେ ସିଏମସି ବୈଠକରେ ଦାବି କରିଛନ୍ତି । ତେବେ ଛୋଟମୋଟ ଯାହା କାମ ଅଛି ତାକୁ ସାରି, ଖୁବଶୀଘ୍ର ଉଦଘାଟନ କରାଯିବ ବୋଲି ସୂଚନା ଦେଇଛନ୍ତି ମେୟର । ସହିଦ ଭବନ ଉଦଘାଟନ ହୋଇପାରୁ ନଥିବାରୁ ସିଏମସି ରାଜସ୍ବ ହରାଇବା ସହ ସରକାରୀ ଅର୍ଥ କାମରେ ନଆସି ପଡ଼ି ରହିଥିବା ଅଭିଯୋଗ କରିଛନ୍ତି କର୍ପୋରେଟର ।

ସଞ୍ଜୁ ସାମସନ ହେବେ CSKର ପରବର୍ତ୍ତୀ ଅଧିନାୟକ? ଡିଲ୍ ପାଇଁ ପ୍ରସ୍ତୁତ ଚେନ୍ନାଇ

ଭାରତୀୟ ଟିମର ଶାନଦାର ଓ୍ବିକେଟ କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ଫ୍ୟାନ ଫଲୋଇଙ୍ଗ ସାରା ବିଶ୍ବରେ ବହୁତ ଅଧିକ ରହିଛି । ଅନ୍ତର୍ଜାତୀୟ କ୍ରିକେଟ ସହିତ ଆଇପିଏଲରେ ମଧ୍ୟ ସଞ୍ଜୁ ନିଜର ଛାପ ଛାଡ଼ିଛନ୍ତି । ବିଗତ କିଛି ଆଇପିଏଲ ସିଜିନରେ ସଞ୍ଜୁ ରାଜସ୍ଥାନର ଅଂଶ ରହି ଆସିଛନ୍ତି । ମାତ୍ର ୨୦୨୬ରେ ତାଙ୍କୁ ଏକ ନୂଆ ଟିମର ଦାୟିତ୍ବ ଦିଆଯାଇପାରେ । ଚେନ୍ନାଇ ସୁପର କିଙ୍ଗସ ସଞ୍ଜୁଙ୍କୁ ନିଜ ଟିମରେ ସାମିଲ କରିପାରେ । ଫ୍ରାଞ୍ଚାଇଜୀର ସିନିୟର ଅଧିକାରୀ ନିଜେ ଏହି ସୂଚନା ଦେଇଛନ୍ତି । ସଞ୍ଜୁ ଚେନ୍ନାଇର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ସିଏସକେର ସିନିୟର ଅଧିକାରୀ କହିଛନ୍ତି, ସଞ୍ଜୁ ଜଣେ ଅଭିଜ୍ଞ ଭାରତୀୟ ଓ୍ବିକେଟକିପର-ବ୍ୟାଟ୍ସମ୍ୟାନ । ସେ ଓ୍ବିକେଟ କିପିଂ ସହିତ ଓପନିଂର ଦାୟିତ୍ବ ସଠିକ୍ ଭାବେ ତୁଲାଇ ପାରିବେ । ଯଦି ସଞ୍ଜୁ ଲପଲବ୍ଧ ହେବେ, ତେବେ ତାଙ୍କୁ ଟିମରେ ନିଶ୍ଚିତ ସାମିଲ କରାଯିବ । ତାଙ୍କ ସହ କିଏ ଟ୍ରେଡ କରିବେ, ତାହାକୁ ନେଇ ନିଷ୍ପତ୍ତି ହୋଇନାହିଁ । କାରଣ କଥା ଏବେ ଉପରସ୍ତରକୁ ଯାଇନାହିଁ । ମାତ୍ର ଆମେ ତାଙ୍କୁ ନିଜର ଟିମରେ ସାମିଲ କରିବାକୁ ଚାହଁଛୁ । ୨୦୨୫ ଆଇପିଏଲ ସଞ୍ଜୁଙ୍କ ପାଇଁ ଖାସ୍ ନଥିଲା । ତାଙ୍କ ଟିମ ରାଜସ୍ଥାନ ପ୍ଲେ ଅଫରେ ସ୍ଥାନ ପାଇ ପାରିନଥିଲା । ସଞ୍ଜୁ ୯ଟି ମ୍ୟାଚରୁ ୩୫.୬୩ ହାରରେ ୨୮୫ ରନ୍ ସଂଗ୍ରହ କରିଥିଲେ । ସେ ମୋଟ ୧୭୭ଟି ଆଇପିଏଲ ଖେଳି ୧୩୯.୦୫ ଷ୍ଟ୍ରାଇକ ରେଟରେ ୪୭୦୪ ରନ୍ ସଂଗ୍ରହ କରିଛନ୍ତି ।

ସମ୍ବିଧାନରୁ ଧର୍ମନିରେପକ୍ଷ ଓ ସମାଜବାଦ ପରି ଶବ୍ଦ ହଟାଇ ହେବ କି, ଏଥିପାଇଁ କ’ଣ ରହିଛି ନିୟମ?

ଆରଏସଏସର ନେତା ଦତ୍ତାତ୍ରେୟ ହୋସବୋଲେ ଯେତେବେଳେ ସମ୍ବିଧାନର ପ୍ରସ୍ତାବନାରେ ଧର୍ମନିରେପକ୍ଷ ଓ ସମାଜବାଦୀ ଶବ୍ଦ ହଟାଇବା କଥା କହିଲେ, ସେତେବେଳେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତାଙ୍କ ମତରେ, ଏହି ଦୁଇ ଶବ୍ଦ ଭାରତୀୟ ସମ୍ବିଧାନରେ ନିର୍ମାଣ ସମୟରେ ନଥିଲେ । ପରେ ଏହାକୁ ଯୋଡ଼ା ଯାଇଛି । କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖର ମଧ୍ୟ ଏହି ମାମଲାକୁ ସମର୍ଥନ କରି କହିଛନ୍ତି, କୌଣସି ବି ଦେଶର ସମ୍ବିଧାନର ପ୍ରସ୍ତାବନାରେ ପରିବର୍ତ୍ତନ କରାଯାଏ ନାହିଁ । ମାତ୍ର ଜରୁରୀକାଳୀନ ସମୟରେ ଏହା କରାଯାଇଥିଲା, ଯାହାକି ଆଦୌ ଠିକ୍ ନୁହେଁ । ତେବେ କ’ଣ ଏହି ଦୁଇ ଶବ୍ଦକୁ ସମ୍ବିଧାନରୁ ହଟାଇ ହେବ ଓ ଏହାକୁ ନେଇ କ’ଣ ନିୟମ ରହିଛି?

ଏଠାରେ ଧର୍ମନିରପେକ୍ଷ ଓ ସମାଜବାଦ ଯେଉଁ ଦୁଇ ଶବ୍ଦର କଥା ଉଠୁଛି, ଏହି ପରିବର୍ତ୍ତନ ସମ୍ବିଧାନ ପ୍ରସ୍ତାବନାରେ କରାଯାଇଥିଲା । ଯେ କୌଣସି ସମ୍ବିଧାନର ପ୍ରସ୍ତାବନା ତା’ର ଆତ୍ମା ହୋଇଥାଏ । ଭାରତକୁ ଛାଡ଼ି କୌଣସି ବି ଅନ୍ୟ ସମ୍ବିଧାନର ପ୍ରସ୍ତାବନାରେ ପରିବର୍ତ୍ତନ ହୋଇନାହିଁ । ପ୍ରସ୍ତାବନା ସେହି ଆଧାର ହୋଇଥାଏ, ଯାହା ଉପରେ ସମ୍ବିଧାନ ବିକଶିତ କରାଯାଇଥାଏ । ଅନ୍ୟ ଶବ୍ଦରେ କହିଲେ ପ୍ରସ୍ତାବନା ସମ୍ବିଧାନର ବୀଜ ଅଟେ । ୧୯୭୬ରେ ୪୨ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଦ୍ବାରା ଏଥିରେ ପରିବର୍ତ୍ତନ କରାଯାଇଥିଲା ଓ ସେଥିରେ ସମାଜବାଦ, ଧର୍ମନିରପେକ୍ଷ ଓ ଅଖଣ୍ଡତା ପରି ଶବ୍ଦ ଯୋଡ଼ା ଯାଇଥିଲା ।

ସମ୍ବିଧାନର ପ୍ରସ୍ତାବନାରେ ପରିବର୍ତ୍ତନ କଥା ଯଦି କହିବା, ତେବେ ଏଥିରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ, ମାତ୍ର କିଛି ସୀମା ସହିତ । ସୁପ୍ରିମକୋର୍ଟଙ୍କ ଅନୁସାରେ, ପ୍ରସ୍ତାବନା ସମ୍ବିଧାନର ଅଂଶ ଅଟେ ଓ ଏଥିରେ ଅନୁଚ୍ଛେଦ ୩୬୮ ଅଧିନରେ ସଂଶୋଧନ କରାଯାଇପାରେ । ମାତ୍ର ସମ୍ବିଧାନର ମୂଳ ଢାଞ୍ଚାରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ସଂଶୋଧନ ମାଧ୍ୟମରେ ଏହି ଦୁଇ ଶବ୍ଦକୁ ହଟାଯାଇ ପାରିବ ।

ଶହ ଶହ ବର୍ଷର ଶାଳ ଗଛ କାଟି ପୋଖରୀ ଖୋଳୁଛି ବନବିଭାଗ

ଛେଣ୍ଡିପଦା : ରକ୍ଷକ ସାଜିଛି ଭକ୍ଷକ । ଶହ ଶହ ବର୍ଷର ଶାଳ ଗଛ କାଟୁଛି ବନବିଭାଗ । ଫରେଷ୍ଟଗାର୍ଡଙ୍କ ଉପସ୍ଥିତିରେ ଖୋଳାଯାଉଛି ପୋଖରୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ଦେବୀନଗର ସଂରକ୍ଷିତ ଜଙ୍ଗଲରେ ବିଶାଳ ଶାଳ ଗଛ କାଟି ବନବିଭାଗ ପୋଖରୀ ନିର୍ମାଣ କରୁଛି । ବନବିଭାଗର ଏପରି ମନମୁଖୀ କାମକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକଙ୍କ ସମେତ ବନ ସୁରକ୍ଷା ସମିତି । ବନବିଭାଗ କାହା ନିର୍ଦ୍ଦେଶରେ ବିନା ସୂଚନା ଫଳକରେ ଶାଳ ଗଛ କାଟୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନ ସୁରକ୍ଷା ସମିତିକୁ ନଜଣାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ପାଇଁ ବନବିଭାଗ ଏପରି ଯୋଜନା କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଅନ୍ଯପଟେ ବନ ସୁରକ୍ଷା ସିମିତିର ସଦସ୍ଯମାନେ ଗଛକଟାକୁ ବନ୍ଦ କରି ଜଙ୍ଗଲରୁ ପୋକଲିନ ମେସିନକୁ ବାହାରକୁ ବାହାର କରିଦେଇଛନ୍ତି ।

ଦେବୀନଗର ସଂରକ୍ଷିତ ଜଙ୍ଗଲଟି ଶିମିଳିପାଳ ଓ ବାଗଡିଆ ବନ ସୁରକ୍ଷା ସମିତି ତତ୍ତ୍ବାବଧାନରେ ରହିଛି  l ବନାଞ୍ଚଳ ଅଧିକାରୀ ବନ ସୁରକ୍ଷା ସମିତି ସହ ବୈଠକ ନକରି ମନଇଛା ଜଙ୍ଗଲକାଟି ପୋଖରୀ କରୁଛି l ଘଟଣାର ତଦନ୍ତ କରି ବନାଞ୍ଚଳ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବନ ସୁରକ୍ଷା ସମିତି  l ବିପଦମୁହାଁ ଛେଣ୍ଡିପଦା ପରିବେଶ । ବେଧଡକ ଚାଲିଛି ଗଛକଟା । କେତେବେଳେ ଶିଳ୍ପାୟନ ନାଁରେ କେତେବେଳେ ବନ୍ଯଜନ୍ତୁ ନାଁରେ । ଏଠି ପ୍ରଶ୍ନ ଉଠୁଛି- ଏସବୁ କରିବାକୁ ନିର୍ଦ୍ଦେଶ ଦେଉଛି କିଏ ?

ଅଧାରେ ଅଟକିଛି ଗୋଲାଗଡ ନଦୀରେ ନିର୍ମାଣଧୀନ ପୋଲ, ଡଙ୍ଗାରେ ଯାଆସ କରୁଛନ୍ତି ଲୋକେ

କଳାହାଣ୍ଡି : ଇନ୍ଦ୍ରାବତୀ ଜଳ ଭଣ୍ଡାର । ଦେଶରେ ପ୍ରମୁଖ ଜଳ ବିଦ୍ୟୁତ ପ୍ରକଳ୍ପ । କଳାହାଣ୍ଡି ଜିଲ୍ଲାରେ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ହୋଇଥିଲା । ହେଲେ ଅନ୍ୟକୁ ଖୁସି ଦେଉଥିବା ପ୍ରକଳ୍ପ ଏବେ ସ୍ଥାନୀୟ ଲୋକଙ୍କ ଲାଗି ଦୁଃଖର କାରଣ ପାଲଟିଛି। ୪୨ଟି ଗାଁର ଲୋକେ ବାହ୍ଯ ଜଗତରୁ ବିଚ୍ଛିନ୍ନ ହୋଇ କାଳ କାଟୁଛନ୍ତି। ସରକାରଙ୍କ ବିକାଶମୁଖୀ ଯୋଜନା ସେମାନଙ୍କ ଲାଗି ଅପହଞ୍ଚ। ପୂର୍ବ ସରକାର ଇନ୍ଦ୍ରାବତୀର ଡି. ଚେପଟା ଘାଟ ଠାରୁ କେ.ଚେପଟା ଘାଟର ଗୋଲାଗଡ ନଦୀରେ ପୋଲ ନିର୍ମାଣ ପାଇଁ ୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଟେଣ୍ଡର ହୋଇ କାମ ଆରମ୍ଭ ହେଲା । ହେଲେ ୪ଟି ଖୁଣ୍ଟ ନିର୍ମାଣ କରି ଭୁଲ ଡିଜାଇନ ନାଁରେ କାମ ବନ୍ଦ କରିଦିଆଯାଇଛି । ଫଳରେ ମଉଳି ଯାଇଛି ଇନ୍ଦ୍ରାବତୀ ବୁଡି ଅଞ୍ଚଳବାସୀଙ୍କ ସ୍ଵପ୍ନ ।

ଅଞ୍ଚଳବାସୀଙ୍କ  ଲାଗି ସାହା ଦେଶୀ ଡଙ୍ଗା ଓ ମୋଟର ଚାଳିତ ଡଙ୍ଗା। ଦୁର୍ଘଟଣାରେ ବି ଗଲାଣି ଅନେକ ଜୀବନ। ପ୍ରଶାସନ ନିକଟରେ ଅଭିଯୋଗ କଲେ ବି ଫଳ ଶୂନ। ସେପଟେ ସରକାରଙ୍କୁ ଜଣାଇଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି କହିଛନ୍ତି ସ୍ଥାନୀୟ ବିଧାୟକ। ବିତୁଛି ସମୟ, ହଟୁନି ଦୁଃଖ। ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତ ପରିବାରଙ୍କ ଦୁଃଖ କେବେ ଦୂରହେବ ତାହାକୁ ଅପେକ୍ଷା।

୨ ବର୍ଷରେ ମିଳିବ ୩.୫ କୋଟି ଲୋକଙ୍କୁ ଚାକିରି: ELI ସ୍କିମକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏମ୍ପ୍ଲୟମେଣ୍ଟ ଲିଙ୍କଡ ଇନସେଟିଭ୍ (ELI) ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନା ଅଧୀନରେ ସବୁ କ୍ଷେତ୍ରରେ ରୋଜଗାର ସୃଷ୍ଟି କରିବା, ରୋଜଗାର ବଢ଼ାଇବା ଓ ସାମାଜିକ ସୁରକ୍ଷା ବୃଦ୍ଧି ପାଇଁ ପ୍ରସ୍ତୁତି କରାଯିବ । ସରକାରଙ୍କ ଏହି ପ୍ଲାନରେ ୨ ବର୍ଷରେ ୩.୫ କୋଟିରୁ ଅଧିକ ଲୋକଙ୍କୁ ଚାକିରି ପ୍ରଦାନ କରାଯିବ । ପ୍ରଥମ ଥର କାମ କରୁଥିବା ଲୋକଙ୍କୁ ସରକାର ୨ଟି କିସ୍ତିରେ ଗୋଟିଏ ମାସର ବେତନର ସମକକ୍ଷ ସବସିଡି ୧୫ ହଜାର ଟଙ୍କା ଦେବେ । ଏହି ଯୋଜନାର ଉଦ୍ଦେଶ୍ୟ, ବିନିର୍ମାଣ କ୍ଷେତ୍ର ଉପରେ ଫୋକସ କରାଯିବ ଓ ପ୍ରଥମ ଥର କାମ କରୁଥିବା ଲୋକଙ୍କୁ ପ୍ରୋତ୍ସାହନ ଦିଆଯିବ । ଏଥିସହିତ ଦେଶରେ ବେରୋଜଗାରୀକୁ କମ୍ କରାଯିବ ।

କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସ୍କିମକୁ ନେଇ ବିସ୍ତାର ସୂଚନା ଶେୟାର କରିଛନ୍ତି । ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ସହ ଦୁଇ ବର୍ଷରେ ୩.୫ କୋଟିରୁ ଅଧିକ ଚାକିରିର ରୋଜଗାର ସୃଜନର ସମର୍ଥନ ପାଇଁ ଏହି ଯୋଜନା ତିଆରି କରାଯାଇଛି । ସମସ୍ତଙ୍କ ସହ ଚର୍ଚ୍ଚା କରିବା ପରେ ଏହି ସ୍କିମ ପ୍ରସ୍ତୁତ କରାଯାଇଛି । ବଜେଟ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଏହି ସ୍କିମ୍ ଘୋଷଣା କରାଯାଇଥିଲା ।

କଳାହାଣ୍ଡି ଜିଲ୍ଲାର ଅନେକ ମଣ୍ଡିରେ ସରିନି ରବି ଧାନ କିଣା, ଟୋକନ ଥାଇ ଧାନ ବିକି ପାରିଲେନି ଅନ୍ନଦାତା

ଧର୍ମଗଡ : ସରିଲା ଅବଧି । ଶେଷ ହେଲାଣି ରବି ଧାନ କିଣା । କଳାହାଣ୍ଡି ଜିଲ୍ଲାରେ ଧାନ ବିକିବାରୁ ବଞ୍ଚିତ ଅନେକ ଚାଷୀ । ମଣ୍ଡିରୁ ଧାନ ଫେରାଇ ନେବାକୁ ଦିଆଗଲା ନିର୍ଦ୍ଦେଶ । ଧର୍ମଗଡ ଖଇରପଦର, କନ୍ତେର, ପର୍ଲା ଓ ବୋଡ଼େନ ଭଳି ଅନେକ ମଣ୍ଡିରେ ଚାଷୀଙ୍କ ଟୋକନ ଥାଇ ମଧ୍ଯ ଧାନ ବିକ୍ରି କରି ପାରିନାହାନ୍ତି । ପ୍ରଶାସନ ନିକଟରେ ଧାନ କିଣିବାକୁ ଚାଷୀ ଅଭିଯୋଗ କରିଥିଲେ ମଧ୍ଯ କୌଣସି ସୁଫଳ ମିଳି ପାରିନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ ।

କଳାହାଣ୍ଡି ଜିଲ୍ଲାରେ ଗତ ମେ ମାସରୁ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଗତକାଲି ଅବଧି ଶେଷ ହୋଇଛି । ଦୀର୍ଘ ଦିନ ମଣ୍ଡି ଚାଲି ଥିଲେ ବି ଅନେକ ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି । ଗୋଟିଏ ପଟେ ପ୍ରଶାସନର ଅହେତୁକ ଅବହେଳା ଅନ୍ଯପଟେ ବର୍ଷା ଚାଷୀଙ୍କ ଉପରେ ଦାଉ ସାଜିଛି । ସେପଟେ ପ୍ରଶାସନ ମନା କରିବାରୁ ଆଉ ଧାନ କିଣା ଗଲାନି ବୋଲି କହିଛନ୍ତି କ୍ରୟ ଅଧିକାରୀ । ଚାଷୀଙ୍କ ଦୁର୍ଦ୍ଦଶା ପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

ଧନିଆ ଚାଷ କରି ଲାଭବାନ କୋରପୁଟ ଜିଲ୍ଲା ପଟ୍ଟାଙ୍ଗୀର ଅନେକ ଚାଷୀ

ପଟ୍ଟାଙ୍ଗୀ : କ୍ଷେତରେ ଲାଗିଛି ଧନିଆ ପତ୍ର ଗଛ । ଧନିଆ ପତ୍ର ଦେଖିବାକୁ ଯେତିକି ସୁନ୍ଦର ସ୍ଵାଦ ତାର ସେତିକି ନିଆରା । ପ୍ରତ୍ଯେକ ଘରେ ଲୋଡା ପଡେ ଧନିଆ ପତ୍ର । କିଏ ତରକାରୀରେ ପକାନ୍ତି ତ କିଏ ଚଟଣୀ କରି ଖାଆନ୍ତି । ଆଉ ଏହି ଧନିଆ ଚାଷ ଏବେ ଚାଷୀଙ୍କୁ ଦେଇଛି ରୋଜଗାର । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ଏକର ଏକର ଜମିରେ ଚାଷୀ ଧନିଆ ଚାଷ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ସ୍ଵଳ୍ପ ଖର୍ଚ୍ଚରେ ୩୦ ରୁ ୩୫ ଦିନ ମଧ୍ୟରେ ଧନିଆ ପତ୍ର ଅମଳ ହେଉଛି ।…

ପଟ୍ଟାଙ୍ଗୀ ବ୍ଲକରେ ଅନ୍ଯ ଚାଷ ଅପେକ୍ଷା ଧନିଆ ଚାଷ ବେଶ ଭଲ ହେଉଛି । ଧନିଆ ପତ୍ରର ମଧ୍ଯ ବଜାରରେ ଭଲ ଚାହିଦା ରହିଛି । ଚାଷୀ ବଜାରକୁ ନେଇ ବିକ୍ରୟ କରିବା ପୂର୍ବରୁ ବ୍ୟବସାୟୀ ଆଗୁଆ ବରାଦ କରୁଛନ୍ତି । ଚାହିଦା ବଢୁଥୁବାରୁ ଚାଷୀ ଓ ବ୍ୟବସାୟୀ ସମସ୍ତେ ବେଶ ଖୁସି ପ୍ରକାଶ କରୁଛନ୍ତି । ଉର୍ବର ମାଟି ଓ ଅନୁକୂଳ ପରିବେଶ ଯୋଗୁଁ  ଭଲ ଧନିଆ ଚାଷ ହେଉଥିବାରୁ ଅଧିକ ଚାଷୀ ଧନିଆ ଚାଷ ପ୍ରତି ମନ ବଳାଉଛନ୍ତି ।