spot_img
Home Blog Page 6479

ବିଜୁ ଯୁବ ଛାତ୍ର ଜନତା ଦଳର ଭର୍ଚୁଆଲ୍‌ ମିଟିଂ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟ ସାଙ୍ଗଠନିକ ସମୀକ୍ଷା ବୈଠକ

ଭୁବନେଶ୍ୱର: ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଙ୍ଗଠନିକ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍‌ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାର୫ ଜିଲ୍ଲା ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ବ୍ରହ୍ମପୁର ସାଂଗଠନିକ ଜିଲ୍ଲାର ସମସ୍ତ ଯୁବ ଓ ଛାତ୍ର ନେତା ଯୋଗଦେଇ ଦଳୀୟ ସଙ୍ଗଠନ ସମ୍ପର୍କରେ ମତ ପ୍ରଦାନ କରିଥିଲେ । ଏହି ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍‌ ମିଟିଂରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ସଙ୍ଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ “ଯୁବ ଛାତ୍ର ନେତୃତ୍ୱକୁ ସନ୍ଥ କବି ଭୀମ ଭୋଇ, ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବ୍ୟକ୍ତିତ୍ୱକୁ ଅନୁକରଣ କରି ସାମାଜିକ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂର ଦୃଷ୍ଟି ସମ୍ପନ୍ନ ନୀତି ଏବଂ ନେତୃତ୍ୱର ସମାହାରରେ ଆଜି ଓଡ଼ିଆ ଜାତି ସମଗ୍ର ବିଶ୍ୱ ଦରବାରରେ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଆହ୍ୱାନ ରହିଛି “ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ’ ସେହି ଆହ୍ୱାନକୁ ସଙ୍କଳ୍ପ ରୂପେ ଗ୍ରହଣ କରି କୋଭିଡ୍ ପରିଚାଳନାରେ ଏକାଠି ହୋଇ କାମ କରିବା ପାଇଁ ଯୁବ ଛାତ୍ର ନେତୃତ୍ୱକୁ  ପରାମର୍ଶ ଦେଇଥିଲେ ।

ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ଚାନ୍ଦବାଲିବି ଧାୟକ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀ ଏବଂବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

ବଢ଼ୁଛି ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ; ଭଦ୍ରକରେ ରାସ୍ତା ଉପରେ ୪ ଫୁଟର ପାଣି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ବର୍ଷା ପ୍ରଭାବରେ ଉପୁଜିଥିବା ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭିଡିଓ କନଫରେନ୍ସିଂରେ ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଓ ବିଭିନ୍ନ ବିଭାଗର ସଚିବ ଓ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଆରଡିସି ମାନେ ଉପସ୍ଥିତ ଥିଲେ । ଗତ ଦୁଇ ଦିନ ଭିତରେ ରାଜ୍ୟର ୯ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟର ବର୍ଷା ହୋଇଛି ।

ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ ନଦୀରେ ଅଧିକ ପାଣି ଆସିଛି । ଆଜି ରାତି ଠାରୁ ଆସନ୍ତାକାଲି ମଧ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବୈତରଣୀ, ବୁଢାବଳଙ୍ଗ ଓ ତେଲ ଆଦି ନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି । ଆବଶ୍ୟକ ସ୍ଥଳେ ଆଜି ରାତି ସୁଦ୍ଧା ନଦୀକୂଳରେ ବସବାସ କରୁଥିବା ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ଲାଗି ନିର୍ଦେଶ ଦିଆଯାଇଛି । ଶୁଖିଲା ଖାଦ୍ୟ, ଔଷଧ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।

ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ୧୦ଟି ଓଡ୍ରାଫ ଟିମ୍ ଓ ଅଗ୍ନିଶମ ସେବା ୟୁନିଟ୍‌ ବିଭିନ୍ନ ଜିଲ୍ଲାକୁ ପଠା ଯାଇଛି । ନଦୀ ବନ୍ଧ ଗୁଡ଼ିକରେ ପାଟ୍ରୋଲିଂ କରିବା ସହ ଜଳପ୍ଲାବିତ ଅଞ୍ଚଳ ଗୁଡିକରେ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ଭଦ୍ରକରେ ରାସ୍ତା ଉପରେ ୪ ଫୁଟ ପାଣିର ବନ୍ୟା ପାଣି ଆସିଛି । ଫଳରେ ଭଣ୍ଡାରିପୋଖରୀରୁ ଯାଜପୁର ଟାଉନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ମାଳଦା ନିକଟ ଶରତା ପୋଲ ଉପରେ ୪ ଫୁଟ୍ ବନ୍ୟାଜଳ ଚାଲୁଛି ।

 

ବିସ୍ଥାପିତ ଆଇନ୍ ଅନୁସାରେ ଜମି ପ୍ରଦାନକୁ ନେଇ ବିରୋଧୀଙ୍କ ପ୍ରଶ୍ନ, ଲୋକେ କହିଲେ କୁଚକ୍ରାନ୍ତ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା କରିଡର ନିର୍ମାଣ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ହୋଇଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ବିରୋଧୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ସୁଚିନ୍ତିତ ଷଡ଼ଯନ୍ତ୍ର । ଗତ ବର୍ଷ ଠାରୁ କୋଟି କୋଟି ଟଙ୍କା ବ୍ୟୟରେ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଆରମ୍ଭ କରାଯାଇଥିବା ବେଳେ ସେତେବେଳେ ସ୍ଥାନୀୟ ବାସିନ୍ଦା ତଥା ସେବାୟତ ଉତ୍ସର୍ଗୀକୃତ ମନୋଭାବ ନେଇ ହରାଇଥିଲେ ଭିଟାମାଟି । ସେମାନଙ୍କ ତ୍ୟାଗ ବଦଳରେ ପ୍ରଶାସନ ବିସ୍ଥାପିତ ଆଇନ ଅନୁସାରେ ସେମାନଙ୍କୁ ଜମି ପ୍ରଦାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଯାହାକୁ ସାଧାରଣରେ ନାପସନ୍ଦ କରାଯିବା ସହିତ ଏହା କୁଚକ୍ରାନ୍ତ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସରକାରଙ୍କ ଯୋଜନାକୁ ଶତପ୍ରତିଶତ ସମର୍ଥନ ଦେଲେ ସେବାୟତ ଓ ପୁରୀ ବାସିନ୍ଦା । ଐତିହ୍ୟ କରିଡର ପାଇଁ ୭୫ ମିଟର ଉଚ୍ଛେଦ କାର୍ଯ୍ୟକୁ ସହଯୋଗ କରିବା ସହିତ ସ୍ୱଇଚ୍ଛାରେ ସରକାରଙ୍କୁ ଟେକି ଦେଇଥିଲେ ପୁରୁଷ ପୁରୁଷ ଅମଳର ଭିଟାମାଟି । ସେବାୟତ ମାନଙ୍କ ଘର, ଲଜିଂ ଆଦି ଉଛେଦ କରାଯାଇଥିଲା । କିନ୍ତୁ କାଣିଚାଏ ବି ପ୍ରତିବାଦ କରିନଥିଲେ ଜମି ମାଲିକ । ଐତିହ୍ୟ ନଗରୀ ନିର୍ମାଣରେ ସରକାର ୫୯୦ କୋଟିରୁ ଅଧିକ ଅର୍ଥ ବ୍ୟୟ କରିବା ପାଇଁ ଯୋଜନା କରିଥିବା ବେଳେ ଏହାକୁ ସବୁ ମହଲରେ ସ୍ୱାଗତ ଓ ସମର୍ଥନ କରାଯାଇଥିଲା । ତେବେ ଦୀର୍ଘ ଏକ ବର୍ଷ ପରେ ବିସ୍ଥାପିତ ଲଜ ମାଲିକ ମାନଙ୍କୁ ବିସ୍ଥାପିତ ଆଇନ ଅନୁଯାୟୀ ଜମି ପ୍ରଦାନ କରାଯାଇଥିବା ବେଳେ ଏହାକୁ ବିରୋଧୀ ଦଳ ବିରୋଧ କରିବାକୁ ଅସହିଷ୍ଣୁ ମନୋଭାବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ବଗଲା ଜମି ଆବଣ୍ଟନ ନେଇ ସରକାର ତାଙ୍କର ମତ ସ୍ପଷ୍ଟ କରିଥିବାବେଳେ ସମ୍ପୂର୍ଣ୍ଣ ନିୟମ କାନୁନ୍ ମଧ୍ୟରେ ଜମି ଆବଣ୍ଟନ କରାଯାଇଛି । ବିରୋଧୀଙ୍କ କୁମ୍ଭୀର କାନ୍ଦଣା ନିହାତି ହାସ୍ୟାସ୍ପଦ । ଏପରିକି ବିକାଶ ମୂଳକ କାର୍ଯ୍ୟକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ବିରୋଧୀଙ୍କ ପ୍ରୟାସ ଆଦୌ ଗ୍ରହଣୀୟ ନୁହେଁ । ଜମି ଚାଲିଯାଉଥିବା ସମୟରେ ବିରୋଧୀମାନେ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିସ୍ଥାପିତ ଜମି ମାଲିକ । ଲୋକମାନଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ସୃଷ୍ଟି କରିବା ଠିକ୍ ନୁହେଁ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।

ବିଶ୍ୱ ଦରବାରରେ ଶ୍ରୀକ୍ଷେତ୍ରକୁ ଏକ ନମ୍ବର କରିବା ଲକ୍ଷ୍ୟର ସ୍ୱପ୍ନ ଦେଖିଥିବା ସରକାରଙ୍କ ପ୍ରୟାସକୁ ବିରୋଧୀଙ୍କ ବିରୋଧ ସମ୍ପୂର୍ଣ ଭିତ୍ତିହୀନ ଓ ଚକ୍ରାନ୍ତମୂଳକ ବୋଲି କୁହାଯାଉଛି ।

ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଛାଡ଼ିଥିଲେ ଭିଟାମାଟି, ପାଇଲେ ପ୍ରତିଶ୍ରୁତିର ପ୍ଲଟ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରତିଷ୍ଠାରେ ସହଯୋଗ କରି ବିସ୍ଥାପିତଙ୍କ ମଧ୍ୟରୁ ୭ ଜଣଙ୍କୁ ଆଜି ମଙ୍ଗଳାଘାଟ ମୌଜା ନିକଟରେ ପ୍ଲଟ ପ୍ରଦାନ କରାଯାଇଛି । ଉତ୍ସର୍ଗୀକୃତ ବିସ୍ଥାପିତ ପରିବାର ଜମି ବଦଳରେ ଜମି ପାଇବା ପାଇଁ ଇଚ୍ଛା ପ୍ରକଟ କରିଥିଲେ । ସରକାର ସେମାନଙ୍କୁ ଆଇନତଃ ଆଜି ଭୂମି ପୂଜନ କରି ପ୍ଲଟ୍ ଆବଣ୍ଟନ କରିଛନ୍ତି । ଯାହାକୁ ବିସ୍ଥାପିତ ପରିବାର ସ୍ୱାଗତ କରିବା ସହ ଖୁସି ଜାହିର କରିଛନ୍ତି ।

ପୁରୀର ବିକାଶ ପାଇଁ ବାପା ଜେଜେ ଅମଳର ଭିଟାମାଟିକୁ ଛାଡ଼ି ଥିଲେ । ଐତିହ କରିଡରର ସ୍ୱପ୍ନକୁ ସାକାର କରିବାକୁ ସହଯୋଗର ହାତ ବଢାଇଥିଲେ । ଆଉ ଆଜି ସେହି ତ୍ୟାଗର ପୂଜାରୀଙ୍କୁ ପ୍ରତିଶ୍ରୁତି ମୁତାବକ ଯୋଗାଇ ଦିଆଯାଇଛି ଜମି । ପୁରୀ ମଙ୍ଗଳାଘାଟ ନିକଟରେ ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଥମ ଦଫାରେ ସାତ ଜଣ ବିସ୍ଥାପିତଙ୍କୁ ଯୋଗାଇ ଦିଆଯାଇଛି ପ୍ଲଟ୍ । ପ୍ରତ୍ୟେକଙ୍କୁ ୧ ହଜାର ସ୍କୋୟାର ଫୁଟ ପରିମିତ ପ୍ଲଟ ପ୍ରଦାନ କରାଯାଇଛି । ଜମି ରେଜିଷ୍ଟ୍ରେସନ ଫି ମଧ୍ୟ ଛାଡ଼ କରିଛନ୍ତି ସରକାର ।

ବଦଳିଯିବ ପୁରୀର ରୂପରେଖ । ନୂଆ ପୁରୀକୁ ଦେଖିବ ସାରା ବିଶ୍ୱ । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ଉଦ୍ଦ୍ୟେଶରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ । ଯେଉଁଥିରେ ବଡ଼ ଦେଉଳ ଚାରିପାଖରୁ ୭୫ ମିଟର ମଧ୍ୟରେ ସମସ୍ତ ନିର୍ମାଣକୁ ଉଚ୍ଛେଦ କରାଯାଇଛି । ଆଉ ବିସ୍ଥାପନ ପଲିସି ଅନୁସାରେ କ୍ଷତି ପୂରଣ ଯୋଗାଇ ଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ଆଉ ଆଜି ସେହିଦିନ ଆସିଛି । ଶ୍ରୀମନ୍ଦିର ନିକଟରୁ ଜମି ହରାଇଥିବା ଲୋକଙ୍କୁ ମିଳିଛି ଜମି । ତ୍ୟାଗକୁ ମିଳିଛି ସମ୍ମାନ । ଆଉ ନିଜ ଇଚ୍ଛା ମୁତାବକ ଜମି ବଦଳରେ ଜମି ପାଇଥିବାରୁ ସରକାରଙ୍କୁ ଦେଇଛନ୍ତି ଧନ୍ୟବାଦ ।

ପୁରୀର ବିକାଶ ପାଇଁ ଅଙ୍କା ସରିଛି ନକ୍ସା । କାଳିଆ ଠାକୁରଙ୍କୁ ଭଲ ପାଉଥିବା ଶ୍ରୀକ୍ଷେତ୍ରବାସୀ ବି ଦେଇଛନ୍ତି ତ୍ୟାଗର ପ୍ରମାଣ । ହେଲେ ଏସବୁ ଭିତରେ ଆରମ୍ଭ ହୋଇ ଯାଇଛି ରାଜନୀତିର ହୀନ ଚକ୍ରାନ୍ତ । ଯାହା ମୁଣ୍ଡ ଟେକୁଛି ସିନା ହେଲେ ଅଣ୍ଟା ସଳଖି ଛିଡ଼ା ହୋଇ ପାରୁନି ।

https://www.facebook.com/NandighoshaTV/videos/3392212610866350

ବର୍ଷା ଓ ସମ୍ଭାବିତ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଓ ସମ୍ଭାବିତ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଥିଲେ ଗତ ଦୁଇ ଦିନ ଭିତରେ ରାଜ୍ୟର ୯ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟର ବର୍ଷା ହୋଇଛି ।

ବୈତରଣୀ, ବୁଢ଼ାବଳଙ୍ଗ ଓ ସାଳନ୍ଦୀ ନଦୀରେ ଅଧିକ ପାଣି ଆସିଛି । ଆଜି ରାତି ଠାରୁ ଆସନ୍ତାକାଲି ମଧ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବୈତରଣୀ, ବୁଢାବଳଙ୍ଗ ଓ ତେଲ ଆଦି ନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି । ଲୋକଙ୍କୁ ବନ୍ୟା ସମୟରେ ଉଦ୍ଧାର କରିବା ପାଇଁ ୧୦ଟି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ସେବା ୟୁନିଟ୍‌ ନିୟୋଜିତ ହୋଇଛନ୍ତି ।

ନଦୀବନ୍ଧ ଗୁଡ଼ିକରେ ପାଟ୍ରୋଲିଂ କରାଯାଉଛି । ଜଳପ୍ଲାବିତ ଅଞ୍ଚଳ ଗୁଡ଼ିକରେ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଛି । ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ସଚିବ ମାନଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

୬୨ ହଜାର ଟପିଲା କରୋନାରୁ ସୁସ୍ଥଙ୍କ ସଂଖ୍ୟା, ଆଜି ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: କରୋନାକୁ ମାତ୍ ଦେଉଛି ଓଡ଼ିଶା । ସୁସ୍ଥ ହେଉଛନ୍ତି ସଂକ୍ରମିତ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୩୩୪୩ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬୨ ହଜାର ୮୧୩ରେ ପହଞ୍ଚିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା ବେଳେ ସୁନ୍ଦରଗଡ଼ରୁ ୨୬୧, ଭଦ୍ରକରୁ ୨୪୫, ଗଞ୍ଜାମରୁ ୨୩୮, ରାୟଗଡ଼ାରୁ ୨୧୭, କଟକ ୧୮୧, ବାଲେଶ୍ୱର ୧୫୫, ସମ୍ବଲପୁର ୧୨୭, ପୁରୀ ୧୨୧, କୋରାପୁଟ ୧୧୯, ମୟୂରଭଞ୍ଜ ୧୧୨, ସୋନପୁର ୧୦୩, ବୌଦ୍ଧ ୮୪, ବରଗଡ଼ ୭୮, କନ୍ଧମାଳ ୬୮, ବଲାଙ୍ଗିର ୬୫, ନୟାଗଡ଼ ୬୦, କଳାହାଣ୍ଡି ୫୬, ମାଲକାନଗିରି ୫୪, ଢେଙ୍କାନାଳ ୪୯, ନବରଙ୍ଗପୁର ୩୬, କେନ୍ଦୁଝର ୩୪, ଯାଜପୁର ୩୨, ଗଜପତି ୨୭, ଅନୁଗୁଳ ୨୨, ଝାରସୁଗୁଡ଼ା ୨୦, କେନ୍ଦ୍ରାପଡ଼ା ୧୯, ଜଗତସିଂହପୁର ୧୬, ନୂଆପଡ଼ା ୧୧ ଓ ଦେବଗଡ଼ରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୩୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଟେଷ୍ଟି ବଢ଼ିଥିବା ବେଳେ ତା’ ତୁଳନାରେ କମ୍ ରହିଛି ପଜିଟିଭ୍ ହାର । ଏବେ ଯାଏଁ ରାଜ୍ୟରେ ୮୭ ହଜାର ୬୦୨ଟି ସଂକ୍ରମଣ ମାମଲା ଆସିଛି । ସେଥିମଧ୍ୟରୁ ୬୨ ହଜାର ୮୧୩ ଜଣ କରୋନାରରୁ ସୁସ୍ଥ ହୋଇ ସାରିଲେଣି ।

ରାଜ୍ୟରେ ଆଉ ୩୩୭୧ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୪୭ ସଂକ୍ରମିତ

ଜାମତାଡ଼ାରେ ଏବେ ଚାଲିଛି E-SIM ଫିଶିଂ ଫ୍ରଡ଼, ଗ୍ରାହକଙ୍କ ଅଜାଣତରେ ଗାୟବ ହେଉଛି ଟଙ୍କା

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଜାମତାଡ଼ାରେ ଦୀର୍ଘ ଦିନ ଧରି କ୍ରେଡ଼ିଟ ଏବଂ ଡେବିଟ କାର୍ଡ଼କୁ ନେଇ ଠକାମି ଚାଲିଛି । ସମୟେ ସମୟେ ଏହି ଠକାମି କମ ତ ହୋଇଯାଏ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଏହାକୁ ନେଇ କିଛି କୁହାଯାଇପାରିବ ନାହିଁ । ନିକଟରେ ଜାମତାଡ଼ା ନାମରେ ଏକ Netflix  ସିରିଜ ମଧ୍ୟ ଆସିଥିଲା । ଯେଉଁଥିରେ କେମିତି ଫୋନ୍ କଲ ମାଧ୍ୟମରେ ଲୋକଙ୍କଠାରୁ ଟଙ୍କା ଲୁଟ୍ କରାଯାଉଛି ତାହା ଦେଖା ଯାଇଥିଲା ।  ଖବର ଅନୁସାରେ ଏବେ ପୁଣିଥରେ ଜାମତାଡ଼ାରେ ଠକାମି ଖେଳ ଆରମ୍ଭ ହୋଇଛି ।  କିନ୍ତୁ ଏବେ ଚାଳିଛି ଇ-ସିମ ଫିଶିଂ ଫ୍ରଡ଼ । ଏହି ଇ-ସିମ ଫିଶିଂ ଫ୍ରଡ଼ କ’ଣ ଏବଂ ଏଥିରୁ କିଭଳି ବଞ୍ଚିବେ ଆସନ୍ତୁ ଜାଣିବା ।

୨୩ ଜୁଲାଇକୁ ସାଇବରାବାଦ ପୋଲିସ କମିଶନରଙ୍କ ଟ୍ୱିଟର ହ୍ୟାଣ୍ଡେଲ ରୁ e-Si Card Swapping ଫ୍ରଡ଼ ବିଷୟରେ ସୂଚନା ମିଳିଛି । ଏହି ଟ୍ୱିଟରେ ଲେଖାଯାଇଛି କି ସାଇବର ଅପରାଧୀ ଲୋକଙ୍କୁ ଧୋକା ଦେବା ପାଇଁ ନୂଆ ନୂଆ ଯୋଜନା କରୁଛନ୍ତି । ଗ୍ରାହକଙ୍କୁ ଇ- ସିମ କାର୍ଡ଼ ପ୍ରଦାନକାରୀ କଂପାନୀଙ୍କ ନାମରେ ଫୋନ୍ ଆସୁଛି । ଆଉ ତା’ପରେ ବ୍ୟାଙ୍କ ଖାତାରୁ ଉଡ଼ି ଯାଉଛି ଟଙ୍କା । ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି ।

ତେବେ ପ୍ରଥମେ ଜାଣନ୍ତୁ ଇ-ସିମ କ’ଣ?

 ସିମ- ସାଧାରଣ ଭାବରେ ଫିଜିକାଲ ହୋଇଥାଏ । ଯାହାକୁ ଆପଣ ଫୋନର କାର୍ଡ଼ ସ୍ଲଟରେ ପକାନ୍ତି । କିନ୍ତୁ ଇ- ସିମକୁ ଫୋନରେ ପକାଯାଏ ନାହିଁ । ଏହା ଆପଣଙ୍କ ଫୋନରେ ପୂର୍ବରୁ ଇନ ବିଲ୍ଟ ଥାଏ । ଅବଶ୍ୟ ଭାରତରେ ହାତ ଗଣତି କିଛି କମ୍ପାନୀ ରହିଛି ଯେଉଁମାନେ ଇ-ସିମ ସର୍ଭିସ ସେବା ଯୋଗାଉଛନ୍ତି । କେବଳ ମୋବାଇଲ ଥିଲେ ହେବ ନାହିଁ, ବରଂ ନେଟଓ୍ୱର୍କ ସର୍ଭିସ ପ୍ରୋଭାଇଡରଙ୍କର ମଧ୍ୟ ଏଥିରେ ସପୋର୍ଟ ଦରକାର ହୋଇଥାଏ । ଯେମିତି ଆପଣ ମୋବାଇଲ ସିମ୍ ପାଇଁ କୌଣସି କଂପାନୀର ପ୍ଲାନ୍ ନେଉଛନ୍ତି,ସେମିତି ଆପଣଙ୍କୁ ଇ-ସିମ୍ ଲାଗି କୌଣସି ଏକ କଂପାନୀର ପ୍ଲାନ୍ ନେବାକୁ ପଡିବ ।

କିଭଳି କରାଯାଏ ଇ-ସିମ ଫ୍ରଡ଼ :

ସାଇବର ଅପରାଧୀ ପ୍ରଥମେ ଫୋନ ନମ୍ବର ମାଧ୍ୟମରେ ଆକ୍ସେସ ହାସଲ କରନ୍ତି । ଏହାପରେ ଟାର୍ଗେଟ ଗ୍ରାହକକୁ କଲ କରି ନିଜକୁ ଟେଲିକମ କମ୍ପାନୀର କର୍ମଚାରୀ ବୋଲି କୁହନ୍ତି । ପରବର୍ତ୍ତୀ ପର୍ୟ୍ୟାୟରେ ଗ୍ରାହକକୁ ଏକ ମେସେଜ ପଠାଯାଏ । ଯେଉଁଥିରେ ଓ୍ୱାର୍ଣ୍ଣିଂ ମେସେଜ ଦିଆଯାଏ । ଏଥିରେ KYC କରିବାକୁ କୁହାଯାଏ । ଏଭଳି ନ କଲେ ସିମ ବ୍ଲକ୍ ହୋଇଯିବ ବୋଲି କୁହାଯାଏ । କଲ କରି ପୁଣି ସିମ ଆକ୍ଟିଭେସନ ବିଷୟରେ କୁହାଯାଏ । ଏହାପରେ ସମ୍ପୂର୍ଣ୍ଣ ସୂଚନା ମଗାଯାଏ । ତା ପରେ ଦ୍ୱିତୀୟ ମେସେଜର ଲିଙ୍କ ପଠାଯାଏ । ସୂଚନା ଦେବାମାତ୍ରେ ଏହା ସିଧାସଳଖ ପହଞ୍ଚିଯାଏ ସାଇବର ଅପରାଧୀ ନିକଟରେ । ଟାର୍ଗେଟ ୟୁଜରଙ୍କୁ ପଞ୍ଜିକୃତ ଆଇଡିରୁ ନେଟଓ୍ୱର୍କ ସର୍ଭିସ ପ୍ରୋଭାଇଡଙ୍କୁ ଇ-ସିମ ଆକ୍ଟିଭେସନ ପାଇଁ ମେଲ କରିବାକୁ କୁହାଯାଏ । ଇ-ସିମ ଆକ୍ଟିଭେଟ ହେବା ପରେ QR କୋର୍ଡ଼ ପଠାଇବାକୁ କୁହାଯାଏ । ଏଭଳି ଭାବରେ ସେମାନେ ଏହି କୋର୍ଡ଼କୁ ହାସଲ କରି ଦିଅନ୍ତି ଏବଂ ନିଜ ଇ-ସିମ ସପୋର୍ଟ କରୁଥିବା ଫୋନରେ ଏହାକୁ ଆକ୍ଟିଭେଟ କରି ଦିଅନ୍ତି । ଏହାପରେ ଗ୍ରାହକର ସିମକୁ ଡିଆକ୍ଟିଭେଟ କରିଦିଆଯାଏ । ଏହାପରେ ସେହି ନମ୍ବର ସହିତ ଜଡ଼ିତ ଥିବା ପ୍ରତ୍ୟେକ ନମ୍ବରକୁ ସ୍କାନ କରିଦିଆଯାଏ । ଯେଉଁଠାରେ ବିନା ଏଟିଏମରେ ଟ୍ରାଞ୍ଜାକ୍ସନ ହୋଇଥାଏ, ସେହି ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରିଦିଆଯାଏ । କାରଣ ଫୋନ ନମ୍ବରର ଆକ୍ସେସ ସେମାନଙ୍କ ନିକଟରେ ଥାଏ । ଏଥିପାଇଁ ଓଟିପି ମଧ୍ୟ ଏଣ୍ଟର କରି ପାରନ୍ତି । ଫୋନ ନମ୍ବର ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟସର ବିବରଣୀ ମଧ୍ୟ ନେଇ ଯାଆନ୍ତି ଏଭଳି ଅପରାଧୀ ।

ଏଥିରୁ ବଞ୍ଚିବାର ଗୋଟିଏ ଉପାୟ ହେଉଛି ଏଭଳ କଲ ଠାରୁ ଦୂରେଇ ରୁହନ୍ତୁ । କାହା ଉପରେ ଅତି ସହଜରେ ବିଶ୍ୱାସ କରନ୍ତୁ ନାହିଁ । କୌଣସି ଲିଙ୍କକୁ କ୍ଲିକ କରିବା ପୂର୍ବରୁ ସାବଧାନ ରୁହନ୍ତୁ । କୌଣସି କଲର ସହିତ ନିଜର ପିନ ଆଦି ଶେୟାର କରନ୍ତୁ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ । ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, MSME, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ SHG ଉପରେ ଅଧିକ ଫୋକସ୍‌ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ପରିସ୍ଥିତି ଯୋଗୁଁ ଅନ୍ୟ ରାଜ୍ୟରୁ ଆସିଥିବା ଭାଇଭଉଣୀମାନେ ଯେପରି ଓଡ଼ିଶାରେ ରୋଜଗାର ପାଇପାରିବେ । ସେଥିପାଇଁ ସେମାନଙ୍କୁ ଛୋଟ ଛୋଟ ବ୍ୟବସାୟ ପାଇଁ ରିହାତିରେ ଋଣ ଯୋଗାଇ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସେହିପରି ନିର୍ମାଣ ଶ୍ରମିକ ଯୋଜନାରେ ସେମାନଙ୍କର ଦକ୍ଷତା ନିରୂପଣ ଓ ପଞ୍ଜିକରଣ ସୁବିଧାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଛେଳି, କୁକୁଡା ପାଳନ, ମତ୍ସ୍ୟ ଚାଷ ଆଦି ବିଭିନ୍ନ ଜୀବିକା କାର୍ଯ୍ୟକ୍ରମ ଲୋକଙ୍କୁ ରୋଜଗାର ଦେବାରେ ବିଶେଷ ସଫଳ ହେଉଥିବାରୁ, ଏହାକୁ ଅଧିକ ବ୍ୟାପକ କରିବା ଏବଂ ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।


ମାସ୍କ ତିଆରିରେ ନିୟୋଜିତ ଥିବା SHGର ମାଆ ମନେ ଯେଭଳି ଏହି ସମୟରେ ରୋଜଗାର କରିପାରିବେ, ସେଥିପାଇଁ ବିଧାୟକ ଆଞ୍ଚଳିକ ବିକାଶ ପାଣ୍ଠି ଅର୍ଥରେ SHGରୁ ମାସ୍କ କିଣାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । SHG ମାନେ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ଦୃଷ୍ଟି ରଖିବା ସହିତ ବ୍ୟାଙ୍କ ମାନଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ବିଶେଷ କରି ଗୃହ ନିର୍ମାଣ କାମ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏତଦ୍‌ବ୍ୟତୀତ ଚାଷୀ ମାନଙ୍କୁ ସୁବିଧାରେ ଏବଂ ଶୀଘ୍ର କୃଷି ଋଣ ଯୋଗାଣ ଏବଂ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପର ପୁନରୁଦ୍ଧାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

କୋଭିଡ ପରିଚାଳନା ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ଼ ଶତ୍ରୁ । ତେଣୁ ସାଧାରଣ ଲୋକ ହୁଅନ୍ତୁ, ବା ସରକାରୀ କର୍ମଚାରୀ ସମସ୍ତେ ଏଥିପ୍ରତି ସତର୍କ ରହି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ରାଜ୍ୟରେ ଅଧିକ ଟେଷ୍ଟିଂ କରାଯାଉଥିବା ସହିତ ପଜିଟିଭ୍ ହାର କମିଥିବା ଏବଂ ମୃତ୍ୟୁ ହାର ମଧ୍ୟ କମି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ହଟସ୍ପଟ୍ ଜିଲ୍ଲା ମାନଙ୍କରେ ଯେଉଁ ଅଞ୍ଚଳଭିତ୍ତିକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡାକଡ଼ି ଭାବରେ ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଆଞ୍ଚଳିକ କୋଭିଡ୍ ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକ ମୁତାବକ ICU ଶଯ୍ୟାର ଉପଲବ୍ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ତା ସହିତ କୋଭିଡ୍ ନିୟମାବଳୀକୁ କଡାକଡ଼ି ଭାବରେ ପାଳନ କରି ସରକାରୀ ଅଫିସ ଗୁଡିକୁ ସଂକ୍ରମଣମୁକ୍ତ ରଖିବାକୁ ସବୁପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

କୋଭିଡ ଯୋଦ୍ଧା ମାନଙ୍କ ଭିତରେ ସଂକ୍ରମଣ ହାର କମୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ମାସ୍କର ବ୍ୟବହାର, ସାମାଜିକ ଦୂରତା ବିଷୟରେ ଆହୁରି ଜନସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ । ସହିଦ୍‌ କୋଭିଡ ଯୋଦ୍ଧା ମାନଙ୍କର ବ୍ୟକ୍ତିଗତ ପାଉଣା ଆସନ୍ତା ଶୁକ୍ରବାର ସୁଦ୍ଧା ତାଙ୍କ ଆତ୍ମୀୟ ମାନଙ୍କୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିଲେ ।

କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗ୍ରାମ୍ୟ ଅର୍ଥନୀତି ପୁନରୁଦ୍ଧାର ପ୍ୟାକେଜ, ପ୍ଲାଜମା ସଂଗ୍ରହ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ଓଡ଼ିଆ ଶ୍ରମିକ ମାନଙ୍କର ପଞ୍ଜିକରଣ ସମସ୍ୟା ଆଦି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ରାଜ୍ୟର ଅର୍ଥନୀତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ ଏବଂ ଜୁଲାଇ ମାସରୁ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି ବୋଲି ଜଣାଇଥିଲେ ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର କୋଭିଡ୍ ପରିସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ରାଜ୍ୟରେ ସୁସ୍ଥତା ହାର ଗତ ସପ୍ତାହରୁ ବଢି ୭୧.୩ ପ୍ରତିଶତରେ ପହଞ୍ଚିଥିବା ବେଳେ ମୃତ୍ୟୁ ହାର ହ୍ରାସ ପାଇ ୦.୦୫ ପ୍ରତିଶତ ହୋଇଛି । ୫୪ ପ୍ରତିଶତ ସକ୍ରିୟ ସଂକ୍ରମିତ ରୋଗୀ ଗୃହ ସଂଗରୋଧରେ ରହୁଛନ୍ତି ।

ନୀତି ଆୟୋଗ ରିପୋର୍ଟ: ଏକ୍ସପୋର୍ଟ ଇକୋସିଷ୍ଟମ ପିଲାରରେ ଓଡ଼ିଶା ଦେଶରେ ଦ୍ୱିତୀୟ

ଭୁବନେଶ୍ୱର: ନୀତି ଆୟୋଗ ପକ୍ଷରୁ ଏକ୍ସପୋର୍ଟ ପ୍ରିପାରେଡନେସ୍ ଇଣ୍ଡେକ୍ସ ୨୦୨୦ ପ୍ରକାଶ ପାଇଛି । ଦେଶର ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି । ଦେଶର ୮ଟି ଉପକୂଳ ରାଜ୍ୟ ମଧ୍ୟରୁ ଓଡ଼ିଶା ୫୮.୨୩ ପ୍ରତିଶତ ସହ ୪ ନମ୍ବରରେ ରହିଛି । ଓଭରଅଲ ରାଙ୍କିଂରେ ଦେଶରେ ଓଡ଼ିଶା ୫ ନମ୍ବର ସ୍ଥାନରେ ରହିଛି ।

ପଲିସି ପିଲାରରେ ଓଡ଼ିଶା ୭୧.୨୯ ପ୍ରତିଶତ ହାସଲ କରିଛି । ସେହିଭଳି ବିଜନେସ୍ ଇକୋସିଷ୍ଟମ ପିଲାରରେ ଓଡ଼ିଶାର ସ୍କୋର ହେଉଛି ୫୫.୮୧ ପ୍ରତିଶତ । ଏକ୍ସପୋର୍ଟ ଇକୋସିଷ୍ଟମ ପିଲାରରେ ମହାରାଷ୍ଟ୍ର ତଳକୁ ୬୫.୯୪ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଏକ୍ସପୋର୍ଟ ପର୍ଫମାନ୍ସ ପିଲାରରେ ଓଡ଼ିଶା ୪୨.୨୯ ପ୍ରତିଶତ ସ୍କୋର କରିଛି ।

ଉପକୂଳ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ପ୍ରଦର୍ଶନ ଭଲ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଓଡ଼ିଶାରେ ବ୍ୟବସାୟ ପ୍ରତିଷ୍ଠା ଓ ପରିଚାଳନା ଅନ୍ୟ ରାଜ ଅପେକ୍ଷା ଶସ୍ତା ଅଟେ । ଇଜ୍ ଅଫ୍ ଡୁଇଂ ବିଜିନେସରେ ଓଡ଼ିଶାର ସ୍କୋର ୯୨.୦୮ ପ୍ରତିଶତ ରହିଛି । ଏକ୍ସପୋର୍ଟ ଇକୋସିଷ୍ଟମରେ ମହାରାଷ୍ଟ୍ର, ଓଡ଼ିଶା ଭଳି ଉପକୂଳ ରାଜ୍ୟଙ୍କ ସହ ଟପ୍ ୩ରେ ଅଛି ରାଜସ୍ଥାନ ଭଳି ରାଜ୍ୟ ।

ବ୍ୟବସାୟ ସହାୟତାରେ ଓଡ଼ିଶା ଭଲ ପ୍ରଦର୍ଶନ କରୁଥିବା ରିପୋର୍ଟରେ କୁହାଯାଇଛି । ବ୍ୟବସାୟୀଙ୍କ ରପ୍ତାନୀ ଅଭ୍ୟାସ ବୃଦ୍ଧି ପାଇଁ ଓଡ଼ିଶା ୨୪ଟି କର୍ମଶାଳା ଆୟୋଜନ କରିଛି । ଗବେଷଣା ଓ ଭିତ୍ତିଭୂମି ଉନ୍ନତିକରଣ କରୁଥିବା ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି ।

୩୦ ପ୍ରତିଶତ ଯାଏଁ କମିଲା ପାଠ୍ୟକ୍ରମ: କେଉଁ ଶ୍ରେଣୀର କେଉଁ ବିଷୟର କେଉଁ ଅଧ୍ୟାୟ ବାଦ ପଡ଼ିବ ? ଜାଣନ୍ତୁ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ପାଇଁ ଖୋଲିନି ବିଦ୍ୟାଳୟ । ପାଠ୍ୟ ବର୍ଷ ଆରମ୍ଭ ହୋଇ ଯାଇଥିବା ବେଳେ ବିଦ୍ୟାଳୟରେ ବନ୍ଦରହିଛି ପାଠପଢ଼ା । କେବଳ ଅନଲାଇନରେ ଶିକ୍ଷାଦାନ କରାଯାଉଛି । ଅଗଷ୍ଟ ଶେଷ ହେବାକୁ ବସିଥିବା ବେଳେ ସ୍କୁଲ ନଥିବାରୁ ପୂର୍ବ ପ୍ରଚଳିତ ସିଲାବସ୍ ପରୀକ୍ଷା ପୂର୍ବରୁ ସରିବ କି ନାହିଁ ସେ ନେଇ ଆଶଙ୍କା ଦେଖା ଦେଇଥିଲା । ଏଥିପାଇଁ ପାଠ୍ୟକ୍ରମର ବିଷୟ ଅନୁସାରେ କେତକ ଅଧ୍ୟାୟକୁ ବାଦ୍ ଦିଆଯାଇଛି ।

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ୩୦ ପ୍ରତିଶତ ଯାଏଁ କମାଇ ଦିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଲାବସକୁ କମାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ପୂର୍ବରୁ ଏଥିପାଇଁ ଏକ୍ସପର୍ଟ କମିଟି ଗଠନ କରିଥିଲା ବିଭାଗ । କମିଟି ରିପୋର୍ଟ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି । ସଂଶୋଧିତ ସିଲାବସ୍ SCERT, BSE ଓ CHSE ଓ୍ୱେବସାଇଟରେ ଉପଲବ୍ଧ ହେବ ।

ଅକ୍ଟୋବର ମାସକୁ ନଜରରେ ରଖି ସରକାର ସିଲାବସ୍ କମାଇଛନ୍ତି । ତେବେ, ଆସନ୍ତୁ ନଜର ପକାଇବା କେଉଁ ଶ୍ରେଣୀର କେଉଁ ବିଷୟରୁ କେଉଁ ଚାପ୍ଟର ବା ଅଧ୍ୟାୟକୁ ବାଦ୍ ଦିଆଯାଇଛି ।

ସେପ୍ଟେମ୍ବର ଯାଏଁ ସ୍କୁଲ ବନ୍ଦ ରହିଲେ ପ୍ରଥମ ଶ୍ରେଣୀର ହସ ଖେଳ ବହି (ଭାଗ ୧ ଓ୨)ର ୩, ୭, ୮, ୧୦, ୧୩, ୧୯ ଓ ୨୧ ନମ୍ବର ଅଧ୍ୟାୟ ବାଦ୍ ପଡ଼ିବ ।ସେହିଭଳି ଅକ୍ଟୋବର ଯାଏଁ ବିଦ୍ୟାଳୟ ବନ୍ଦ ରହିଲେ ହସ ଖେଳ ବହି (ଭାଗ ୧ ଓ୨)ର ୩, ୭, ୮, ୧୦, ୧୩, ୧୯, ୨୧ ଓ ୨୮ ନମ୍ବର ଅଧ୍ୟାୟ ବାଦ୍ ପଡ଼ିବ ।

ସେପ୍ଟେମ୍ବର ଯାଏଁ ସ୍କୁଲ ବନ୍ଦ ରହିଲେ ଦ୍ୱିତୀୟ ଶ୍ରେଣୀର ଗଣିତ ଖେଳ ବହିର ୩, ୬, ୯, ୧୧ ନମ୍ବର ଅଧ୍ୟାୟ ସହ ହସ ଖୁସି ବହିର ୨, ୪, ୫, ୭ ଓ ୧୧ ନମ୍ବର ଅଧ୍ୟାୟ ବାଦ୍ ପଡ଼ିବ । ସେହିଭଳି ଅକ୍ଟୋବର ଯାଏଁ ବିଦ୍ୟାଳୟ ବନ୍ଦ ରହିଲେ ଗଣିତ ଖେଳ ବହିର ୩, ୬, ୯, ୧୧ ଓ ୧୭ ନମ୍ବର ଅଧ୍ୟାୟ ସହ ହସ ଖୁସି ବହିର ୨, ୪, ୫, ୭, ୧୧ ଓ ୧୯ ନମ୍ବର ଅଧ୍ୟାୟ ବାଦ୍ ପଡ଼ିବ ।

 

ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଲେ ତୃତୀୟ ଶ୍ରେଣୀର ବିଭିନ୍ନ ବିଶୟର ଏହି ସବୁ ଅଧ୍ୟାୟ ଗୁଡିକ ସିଲାବସରୁ ବାଦ ପଡିବ

 

ସ୍କୁଲ ଯଦି  ସେପ୍ଟେମ୍ବର ମାସରେ ଖୋଲେ ତେବେ କେଉଁ ବିଶୟର କେଉଁ ଅଧ୍ୟାୟ ରହିବ ? ଯଦି ସେପ୍ଟେମ୍ବର ବଦଳରେ  ଅକ୍ଟୋବର ମାସରେ ସ୍କୁଲ ଖୋଲିବ,ତେବେ ଚତୁର୍ଥ ଶ୍ରେଣୀର ବିଭିନ୍ନ ବିଶୟର ଏହି ସବୁ ଅଧ୍ୟାୟ ଗୁଡିକ ସିଲାବସରୁ ବାଦ ପଡିବ

 

ସେହିଭଳି ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଲେ ପଂଚମ ଶ୍ରେଣୀର ବିଭିନ୍ନ ବିଶୟର ଏହି ସବୁ ଅଧ୍ୟାୟ ଗୁଡିକ ସିଲାବସରୁ ବାଦ ପଡିବ

 

 ଷଷ୍ଠ ଶ୍ରେଣୀର ବିଭିନ୍ନ ବିଶୟର ଏହି ସବୁ ଅଧ୍ୟାୟ ଗୁଡିକ ସିଲାବସରୁ ବାଦ ପଡିବ

 

ସପ୍ତମ ଶ୍ରେଣୀର କେଉଁ ବିଶୟର କେଉଁ ଅଧ୍ୟାୟ ଗୁଡିକ ସିଲାବସରୁ ବାଦ ପଡିବ ? ଦେଖନ୍ତୁ ନିମ୍ନରେ ଦିଆ ଯାଇଥିବ ତାଲିକା

 

ସେପ୍ଟେମ୍ବରରେ ଯଦି ସ୍କୁଲ ଖୋଲେ ତେବେ ଅଷ୍ଟମ ଶ୍ରେଣୀର କେଉଁ ବିଶୟର କେଉଁ ଅଧ୍ୟାୟ ବାଦ ପଡିବ ଏବଂ ଯଦି ସ୍କୁଲ ଅକ୍ଟୋବରରେ ଖୋଲେ ତେବେ କେଉଁ ଅଧ୍ୟାୟ ବାଦ ପଡିବ ? ଦେଖି ନିଅନ୍ତୁ..