spot_img
Home Blog Page 649

ସୁକମାରେ ମାଓବାଦୀଙ୍କ ସମୂହ ଆତ୍ମସମର୍ପଣ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ ସୁକମାରେ ମାଓବାଦୀଙ୍କ ସମୂହ ଆତ୍ମସମର୍ପଣ। ଏସପିଙ୍କ ନିକଟରେ ସରେଣ୍ଡର କଲେ ୨୦ ମାଓବାଦୀ। ସରେଣ୍ଡର କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ହାର୍ଡକୋର ମାଓବାଦୀଙ୍କ ସହ ରହିଛନ୍ତି ୯ ମହିଳା ମାଓବାଦୀ। ସମସ୍ତଙ୍କ ମୁଣ୍ଡ ଉପରେ ୩୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା। ଏମାନଙ୍କ ମଧ୍ୟରୁ ଅନେକ ମାଓବାଦୀ ଅନେକ ବଡ଼ ହିଂସାକାଣ୍ଡରେ ସାମିଲ ଥିଲେ। ଦୁଇ ଜଣ ମାଓ ନେତାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ୮ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଛତିଶଗଡରେ ଏବେ ଅପରେସନ ମନସୁନ ଜୋରଦାର ଚାଲିଥିବା ବେଳେ ଭୟଭୀତ ମାଓ ସଂଗଠନ। ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଛନ୍ତି ମାଓବାଦୀ। ସୁକୁମା ଏସପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଛି। ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ସୁକୁମା ଏସପି କହିଛନ୍ତି।

ଜନ୍ମଭୂମି ନାଁ କର୍ମଭୂମି, କେଉଁ ଆସନରୁ ନିର୍ବାଚନ ଲଢ଼ିବେ ପି.କେ ?

ନନ୍ଦିଘୋଷ ବ୍ୟୁରୋ: ବିହାର ରାଜନୀତି ଏବେ ବେଶ ସରଗରମ ରହିଛି । ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ରାଜ୍ୟ ରାଜନୀତି ଏବେ ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ବିହାରର ରାଜନୈତିକ ଭୂମି ଉପରେ ଚିନ୍ତା କରିବା ପରେ ଜନସୂରଜ ପାର୍ଟି ଗଠନ କରିଛନ୍ତି ରାଜନୈତିକ ସମୀକ୍ଷକ ଭାବେ ବେଶ ଜଣାଶୁଣା ପ୍ରଶାନ୍ତ କିଶୋର । ତେବେ ଆସନ୍ତା ନିର୍ବାଚନରେ ପ୍ରଶାନ୍ତ କିଶୋର କେଉଁ ଆସନରୁ ନିର୍ବାଚନ ଲଢ଼ିବେ ? ଏହାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ କୁହାଯାଉଛି କି, କର୍ମଭୂମିରୁ ନିର୍ବାଚନ ଲଢ଼ିବେ ନାଁ ଜନ୍ମଭୂମିରୁ ।

ନିକଟରେ ବିହାରର ସୋଚତକ କନକ୍ଲେଭରେ ପିକେ ମଧ୍ୟ ଏନେଇ କିଛି ସଙ୍କେତ ଦେଇଛନ୍ତି । ସେ କହିଛନ୍ତି କି, ବିହାରରେ ଯଦି ନୀତିଶ କୁମାର ନିର୍ବାଚନ ଲଢ଼ନ୍ତି ତାହେଲେ ସେ ମଧ୍ୟ ନିର୍ବାଚନ ଲଢ଼ିବେ । ପି.କେ ସ୍ପଷ୍ଠଭାବେ କହିଛନ୍ତି କି, ସେ ବିହାରର ୨୪୩ ଆସନରେ ପ୍ରାର୍ଥୀ ଦେବେ ମାତ୍ର କେଉଁ ଆସନରୁ ଲଢ଼ିବେ ସେ ନେଇ କୌଣସି ସ୍ପଷ୍ଠ ସୂଚନା ଦେଇନାହାନ୍ତି । ମାତ୍ର ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି, ଆପଣ ନିର୍ବାଚନ ଲଢ଼ିବେ କି, ନାହିଁ ସେ ବଲ ନୀତିଶଙ୍କ ଉପରୁ ମାରିଥିଲେ । କାରଣ ସେ କହିଥିଲେ କି, ଯଦି ନୀତିଶ ନିର୍ବାଚନ ମଇଦାନକୁ ଓହ୍ଲାଇବେ ତାହେଲେ ସେ ମଧ୍ୟ ନିର୍ବାଚନ ଲଢ଼ିବେ । ତେବେ କେହି କେହି କହୁଛନ୍ତି କି, ନୀତିଶଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇପାରନ୍ତି ପି.କେ । ସେପଟେ ପି.କେ ଅନ୍ୟ ଏକ ପ୍ରଶ୍ନର ଉତ୍ତର ରଖି କହିଛନ୍ତି କି, ଯଦି ନିର୍ବାଚନ ଲଢ଼ିବ ସେବେ ଜନ୍ମସ୍ଥାନ ଏବଂ କର୍ମଭୂମିରୁ ନିର୍ବାଚନ ଲଢ଼ିବା ଉଚିତ୍ ।

ଏସିଆ କପରେ ଏହି ବିଧାୟକଙ୍କ ଜ୍ବାଇଁଙ୍କୁ ମିଳିଲା ଟିମ୍ ଇଣ୍ଡିଆର ମ୍ୟାନେଜର ପୋଷ୍ଟ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଏସୀଆ କପ । ତେବେ ଆସନ୍ତାକାଲି ଭାରତୀୟ ଟିମ ୟୁଏଇ ଯିବ । ମାତ୍ର ଏହା ପୂର୍ବରୁ ଟିମ ଇଣ୍ଡିଆ ସହ ଯୋଡ଼ି ହୋଇଛନ୍ତି ଜଣେ ନୂଆ ସଦସ୍ୟ । ସେ ଟିମ ଇଣ୍ଡିଆର ମ୍ୟାନେଜର ଭାବେ ଯାଉଛନ୍ତି । ତେବେ ଆମେ ଯାହାଙ୍କ କଥା କହୁଛୁ ସେ ହେଉଛନ୍ତି ପିଭିଆର ପ୍ରଶାନ୍ତ । ବିସିସିଆଇ ତାଙ୍କୁ ଏସିଆ କପ ଲାଗି ତାଙ୍କୁ ଟିମ ଇଣ୍ଡିଆର ମ୍ୟାନେଜର ଦାୟିତ୍ବ ଦେଇଛନ୍ତି । ପୂର୍ବରୁ ପ୍ରଶାନ୍ତଙ୍କ ପ୍ରଶାସନିକ ଦାୟିତ୍ବ ତୁଲାଇ ସାରିଛନ୍ତି ।

ପିଭିଆର ପ୍ରଶାନ୍ତ କିଏ ?

ପିଭିଆର ପ୍ରଶାନ୍ତଙ୍କ ବାପା ଜଣେ ବିଧାୟକ ହୋଇଥିବାବେଳେ ଶ୍ବଶୁର ମଧ୍ୟ ବିଧାୟକ ରହିଛନ୍ତି । ରାଜନୈତିକ ପରିବାରରୁ ଆସିଥିବା ପ୍ରଶାନ୍ତ ପୂର୍ବରୁ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ କାମ କରିସାରିଛନ୍ତି । ପିଭିଆର ପ୍ରସାନ୍ତଙ୍କ ପିତା ପୁଲପାର୍ଥି ରମାଞ୍ଜନେୟୁଲୁ, ଯାହାଙ୍କୁ ଅଞ୍ଜି ବାବୁ ମଧ୍ୟ କୁହାଯାଏ, ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ। ମାର୍ଚ୍ଚ ୨୦୨୪ ରେ ସେ ପବନ କଲ୍ୟାଣଙ୍କ ଜନସେନା ପାର୍ଟିରେ ଯୋଗ ଦେଇଥିଲେ। ପିଭିଆର ପ୍ରସାନ୍ତଙ୍କ ଶ୍ୱଶୁର ଜି. ଶ୍ରୀନିବାସ ରାଓ ୨୦୨୪ ରେ ଭିମଲିରୁ ବିଧାୟକ ହୋଇଥିଲେ। ସେ ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟିର ନେତା। ସେ ଆନ୍ଧ୍ର ପ୍ରଦେଶର ମାନବ ସମ୍ବଳ ଏବଂ ବିକାଶ ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି।

ଟିମ୍ ଇଣ୍ଡିଆର ମ୍ୟାନେଜରଙ୍କ କାମ କ’ଣ?

ଏବେ ପ୍ରଶ୍ନ ହେଉଛି ଯେ ଏସିଆ କପ୍ ପାଇଁ ଦଳ ପରିଚାଳକ ଭୂମିକା ପାଇଁ ପିଭିଆର ପ୍ରସାନ୍ତଙ୍କୁ ମନୋନୀତ କରାଯାଇଛି। ସେହି ଭୂମିକାରେ ତାଙ୍କର କାମ କ’ଣ ହେବ? ଜଣେ ଦଳ ପରିଚାଳକ ଭାବରେ ସେ ଏସିଆ କପ୍ ସମୟରେ ଖେଳାଳିମାନଙ୍କର ପ୍ରତ୍ୟେକ ଛୋଟ ବଡ଼ ଆବଶ୍ୟକତାର ଯତ୍ନ ନେବେ। ସେ ବିସିସିଆଇ ଏବଂ ଦଳ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରିବେ।

ସେପଟେ ଆସନ୍ତା ୯ ତାରିଖରୁ ଏସିଆ କପ ଆରମ୍ଭ ହେବାକୁ ଥିବାବେଳେ ଭାରତ ନିଜର ଅଭିଯାନ ୧୦ ତାରିଖରୁ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ଭାରତ ୟୁଏଇକୁ ଭେଟିବ । ତେବେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି ।

 

 

BRSରୁ ସସପେଣ୍ଡ ହେବା ପରେ ଦଳ ଛାଡିଲେ କେ. କବିତା

ନନ୍ଦିଘୋଷ ବ୍ୟୁରୋ : ଦଳରୁ ସସପେଣ୍ଡ ହେବା ପରେ ଏମଏଲସିରୁ ଇସ୍ତଫା ଦେଲେ କେ. କବିତା। ଦଳବିରୋଧୀ କାର୍ଯ୍ୟ ଯୋଗୁ ଗତକାଲି ବାପା ତଥା ଭାରତ ରାଷ୍ଟ୍ର ସମିତି ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ ତାଙ୍କୁ ଦଳରୁ ସସପେଣ୍ଡ କରିଥିଲେ। ଆଜି ସେ ନିଜ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ଏହା ସହ ବିଆରଏସ ଛାଡିଛନ୍ତି କବିତା। ଦଳର ବରିଷ୍ଠ ନେତା ତଥା ତାଙ୍କ ସମ୍ପର୍କୀୟ ଟି. ହରୀଶ ରାଓଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ସସପେଣ୍ଡ କରାଯାଇଥିଲା।

ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଦଳର କାର୍ଯ୍ଯକର୍ତ୍ତାଙ୍କ ଯତ୍ନ ନେବାକୁ ସେ ଭାଇ କେ.ଟି. ରାମାରାଓଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦଳିତଙ୍କ ଲାଗି ବାପା କେସିଆରଙ୍କ ତ୍ୟାଗ ନେଇ ଉଲ୍ଲେଖ କରିଥିଲେ। ଗତକାଲି ଝିଅ ତଥା ଏମଏଲସି କେ. କବିତାଙ୍କୁ ବିଆରଏସରୁ ସସପେଣ୍ଡ କରିଥିଲେ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ। କବିତାଙ୍କ ବାପା ତଥା ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଏହି ଏହି ନିଷ୍ପତ୍ତି ଚର୍ଚ୍ଚାର ବିଷୟ ହୋଇଥିଲା। ଦଳ ବିରୋଧରେ କହିବୁଲିବା କାରଣରୁ କବିତାଙ୍କୁ ସସପେଣ୍ଡ କରାଯାଇଥିବା କହିଥିଲେ କେସିଆର।

ଦଳର ନୀତି ଓ ଆଦର୍ଶ ଉପରେ ଚାଲେଞ୍ଜ ସୃଷ୍ଟି କରୁଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଥିଲା ଦଳ। କ୍ଷମତାରୁ ବିଦା ହୋଇଥିବା ବିଆରଏସ ନାନା ସଙ୍କଟ ଦେଇ ଗତି କରୁଥିବାବେଳେ କବିତାଙ୍କୁ ସସପେଣ୍ଡ କରିବା ଘଟଣା ଦଳ ଲାଗି ଅଧିକ ଚାଲେଞ୍ଜ ସୃଷ୍ଟି କରିଛି। ବାପା କେସିଆରଙ୍କ ଭାବମୂର୍ତ୍ତିକୁ ମଳିନ କରିବା ଲାଗି କିଛି ସହକର୍ମୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିବାର ଦିନକ ପରେ ବିଆରଏସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବାପାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଦଳର ବରିଷ୍ଠ ନେତା ଟି. ହରିଶ ରାଓ ଓ ପୂର୍ବତନ ସାଂସଦ ମେଘା କ୍ରିଷ୍ଣାରେଡ୍ଡୀ ଉଦ୍ୟମ କରୁଛନ୍ତି ବୋଲି କବିତା କହିବା ପରେ ତାଙ୍କୁ ସସପେଣ୍ଡ ହେବାକୁ ପଡିଥିଲା।

ଦବଦବା ଦେଖାଇଲେ ଜିନପିଙ୍ଗ : ଇତିହାସରେ ଚୀନ ପ୍ରଥମ ଥର ଲାଗି କଲା ସର୍ବବୃହତ ସାମରିକ ପରେଡ

ନନ୍ଦିଘୋଷ ବ୍ୟୁରୋ  : ଇତିହାସରେ ଚୀନ ପ୍ରଥମ ଥର ଲାଗି କଲା ସର୍ବବୃହତ ସାମରିକ ପରେଡ । ସାରା ବିଶ୍ବକୁ ଚୀନ ଦେଖାଇଲା ଦବଦବା । ପରେଡରେ ପ୍ରଦର୍ଶିତ ହୋଇଛି ଅଧିକାଂଶ ଶକ୍ତିଶାଳୀ ଅସ୍ତ୍ର । ଏହା ସହ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜକୁ ଜଣେ ଶକ୍ତିଶାଳୀ ଶାସକ ଭାବେ ନିଜକୁ ଉପସ୍ଥାପିତ କରିଛନ୍ତି । ଜାପାନର ପରାସ୍ତ ସହ ଦ୍ବିତୀୟ ବିଶ୍ବଯୁଦ୍ଧ ଅନ୍ତ ହେବାର ୮୦ତମ ବାର୍ଷିକୀ ଅବସରରେ ଚୀନ ରାଷ୍ଟ୍ରପତି ଦେଖାଇଛନ୍ତି ଶକ୍ତି ।

କେବଳ ଏତିକି ନୁହେଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଉତ୍ତରକୋରିଆ ନେତା କିମ ଜୋଙ୍ଗ ଉନଙ୍କ ଗହଣରେ କରିଛନ୍ତି ସାମରିକ ପରେଡ । ୟୁକ୍ରେନ ସହ ଯୁଦ୍ଧ ଚାଲିଥିବାବେଳେ ପୁଟିନଙ୍କ ଯୋଗଦାନ ଏବଂ ଉତ୍ତରକୋରିଆର ଆଣବିକ କାର୍ଯ୍ୟକ୍ରମ ମଧ୍ୟରେ କିମଙ୍କ ଯୋଗଦାନ ଏକ ନୂଆ ବାର୍ତ୍ତା ପ୍ରଦାନ କରିଛି । ଏହି ପରେଡରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋଙ୍କ ଯୋଗଦାନ ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୨ ତାରିଖରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ପାକିସ୍ତାନ ସେନାମୁଖ୍ଯ ଅସିମ ମୁନୀର ସାକ୍ଷାତ କରିଥିବାବେଳେ ସାମରିକ ପରେଡରେ ବହୁ ନେତାଙ୍କ ଯୋଗଦାନ କମ୍ପନ ସୃଷ୍ଟି କରିଛି।

ଏହି ପରେଡ ତିଆନମେନ ସ୍କୋୟାରରେ ହୋଇଥିବାବେଳେ ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରିଛନ୍ତି । ଏଥିରେ ହାଇପରସୋନିକ ମିସାଇଲ, ମାନବବିହୀନ ଡ୍ରୋନ, କମାଣ ଆଦି ପ୍ରଦର୍ଶିତ ହୋଇଛି । ଚୀନର ସାମରିକ ପ୍ରଦର୍ଶନରେ ସାମିଲ ହେବା କ୍ଷେତ୍ରରେ କିମ ଜୋଙ୍ଗ ଉନ ହେଉଛନ୍ତି ପ୍ରଥମ ଉତ୍ତରକୋରିଆ ରାଷ୍ଟ୍ରପତି ।

ଆମେରିକା ବିରୋଧରେ ଷଡ଼ଯନ୍ତ୍ର ! ଜିନପିଙ୍ଗ, ପୁଟିନ ଓ କିମଙ୍କ ଭେଟଘାଟ ପରେ ଆଶଙ୍କା କଲେ ଡୋନାଲଡ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ  : ଆମେରିକା ବିରୋଧରେ ଷଡ଼ଯନ୍ତ୍ର ! ରୁଷ ଓ ଉତ୍ତରକୋରିଆ ସହ ମିଶି ଆମେରିକା ବିରୋଧରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଦ୍ବିତୀୟ ବିଶ୍ବଯୁଦ୍ଧ ଅନ୍ତ ଘଟିବାର ୮୦ତମ ବାର୍ଷିକୀ ଅବସରରେ ଚୀନର ମେଗାପ୍ରଦର୍ଶନକୁ ନେଇ ଟ୍ରମ୍ପ ବିକ୍ଷୁବ୍ଧ ଥିବା ସୂଚନା ମିଳିଛି। ଚୀନ ପୁଣି ଏକ ଯୁଦ୍ଧକାଳୀନ ଇତିହାସର ଅୟମାରମ୍ଭ କରିବାକୁ ଯୋଜନା କରୁଛି ବୋଲି କହିଛନ୍ତି ଟ୍ରମ୍ପ। ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ବେଳେ ଜିନପିଙ୍ଗ ଚୀନ ଓ ରୁଷକୁ ଦ୍ବିତୀୟ ବିଶ୍ବଯୁଦ୍ଧର ହିରୋ ବୋଲି ପ୍ରତିପାଦନ କରିଥିଲେ। ତେବେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଆମେରିକାର ଭୂମିକାକୁ ଜିନପିଙ୍ଗ ଗୌଣ କରିଥିଲେ ବୋଲି ସୂଚନା ମିଳିଛି। ଦ୍ବିତୀୟ ବିଶ୍ବଯୁଦ୍ଧର ଅନ୍ତ କ୍ଷେତ୍ରରେ ଆମେରିକୀୟ ସୈନିକଙ୍କ ବିପୁଳ ଅବଦାନ ଥିଲା। ସେମାନଙ୍କୁ ଉଚିତ ସମ୍ମାନ ମିଳିବା ଉଚିତ ବୋଲି କହିଛନ୍ତି ଟ୍ରମ୍ପ।

‘ଟ୍ରମ୍ପଙ୍କୁ ଅର୍ଥନୀତି ଜଣାନାହିଁ, ଅହଂକାର ପାଇଁ ସମ୍ପର୍କ ନଷ୍ଟ ହେଉଛି‘; ଟାରିଫ ଖେଳର ପର୍ଦ୍ଦାଫାସ କଲେ ଆମେରିକା ବିଶେଷଜ୍ଞ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟ ଭାରତ ସହ ସହଭାଗିତାକୁ  ନଷ୍ଟ କରୁଛି । ବିଶ୍ୱର ସର୍ବବୃହତ ଗଣତନ୍ତ୍ର ସହିତ  ରଣନୈତିକ ସମ୍ପର୍କକୁ ନଷ୍ଟ କରିବାକୁ ଟ୍ରମ୍ପଙ୍କ ଅହଂକାରକୁ ଅନୁମତି ଦିଆଯାଇପାରିବ ନାହିଁ ; ଏହି ମନ୍ତବ୍ୟ ଜଣେ ବରିଷ୍ଠ ଆମେରିକୀୟ ସାଂସଦ ଏବଂ ଦୁଇ ପୂର୍ବତନ ଉଚ୍ଚ ଆମେରିକୀୟ ଅଧିକାରୀ କହିଛନ୍ତି । ତେବେ ଏମୋନେ ଆମେରିକା- ଭାରତ ସହଭାଗିତାକୁ ଧ୍ୱଂସ କରିବା ପାଇଁ ଟ୍ରମ୍ପଙ୍କ ଦ୍ୱାରା କରାଯାଉଥିବା ପ୍ରୟାସ ଉପରେ ସତର୍କ ସୂଚନା ଦେଇଛନ୍ତି ।

ଭାରତ-ଆମେରିକୀୟ କଂଗ୍ରେସ ସଦସ୍ୟ ରୋ ଖାନ୍ନା କହିଛନ୍ତି ଯେ, ଆମେରିକା- ଭାରତ ମେଣ୍ଟକୁ ମଜବୁତ କରିବା ପାଇଁ ଉଭୟ ଦେଶ ଦ୍ୱାରା କରାଯାଇଥିବା ୩୦ବର୍ଷର ପ୍ରୟାସକୁ ଦୁର୍ବଳ କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି, ଟ୍ରମ୍ପଙ୍କ ନୀତି ଭାରତକୁ ଚୀନ ଏବଂ ରୁଷର ନିକଟତର କରୁଛି । ଯାହା ଆମେରିକା ପାଇଁ ଏକ ରଣନୈତିକ ଝଟକା ଅଟେ । ସେ କହିଛନ୍ତି ଯେ, ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍ ବ୍ରାଜିଲ୍ ବ୍ୟତୀତ ଅନ୍ୟ କୌଣସି ଦେଶ ଉପରେ ଲାଗୁ ହୋଇଥିବା ଶୁକ୍ଳ ଅପେକ୍ଷା ଅଧିକ  ।

ଟ୍ରମଙ୍କ ଅହଂକାର ଏବଂ ବିବାଦ ମୂଳ କାରଣ

ଏହି ବିବାଦର ମୂଳ କାରଣକୁ ଇଙ୍ଗିତ କରି ରୋ ଖାନ୍ନା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିବାକୁ ମନା କରିବା ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି । ଅନ୍ୟପଟେ ଆମେରିକା କୂଟନୀତିରେ ଏକ ପ୍ରଭାବଶାଳୀ ସ୍ୱର ଭାବେ ଉଭା ହୋଇଥିବା ବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ସମାପ୍ତ କରିବା ପାଇଁ ଟ୍ରମ୍ପଙ୍କୁ ଶ୍ରେୟ ଦିଆଯାଇଥିଲା ବୋଲି ଇସଲାମବାଦର ଏକ ବିବୃତ୍ତିରେ କୁହାଯାଇଥିଲା । କିନ୍ତୁ ଭାରତ କହିଛି ଯେ, ପାକିସ୍ତାନ ସହିତ ସୀମା ବିବାଦ ଏକ ଆଭ୍ୟନ୍ତରୀଣ ମାମଲା ଏବଂ ଟ୍ରମ୍ପଙ୍କୁ କୌଣସି ଶ୍ରେୟ ଦେଇନାହିଁ ।

ଖାନ୍ନା କହିଛନ୍ତି, ଆମେ ଡୋନାଲ୍ଡ ଟ୍ରମ୍ପଙ୍କ ଅହଂକାରକୁ ଭାରତ ସହିତ ରଣନୈତିକ ସମ୍ପର୍କକୁ ନଷ୍ଟ କରିବାକୁ ଦେବୁ ନାହିଁ । ଯାହା ବିଶ୍ୱକୁ ଚୀନ୍ ନୁହେଁ ବରଂ ଆମେରିକା ଦ୍ୱାରା ପରଚାଳିତା କରିବା ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ଆମେରିକୀୟମାନଙ୍କୁ ସମ୍ୱୋଧିତ କରି ରୋ ଖାନ୍ନା କହିଛନ୍ତି ଯେ, ଟ୍ରମ୍ପଙ୍କୁ ଭୋଟ ଦେଇଥିବା ଲୋକମାନଙ୍କୁ ମୋର ପ୍ରଶ୍ନ ଯେ, ଯେତେବେଳେ ଟ୍ରମ୍ପ ଏହି ସମ୍ପର୍କକୁ ନଷ୍ଟ କରୁଛନ୍ତି, ସେତେଳେ ଆପଣ କେଉଁଠି ଅଛନ୍ତି ?

ଚିନ୍ତା ପ୍ରକାଶ କରିଛନ୍ତି ଆମେରିକୀୟ ରଣନୀତିଜ୍ଞ

ଟାରିଫ୍ ବୃଦ୍ଧି ଏବଂ ରୁଷୀୟ ତୈଳ କ୍ରୟ ଉପରେ ଭାରତକୁ ଟାର୍ଗେଟ କରି ଟ୍ରମ୍ପଙ୍କ କାର୍ଯ୍ୟକୁ ଅନ୍ୟ ଆମେରିକୀୟ ରଣନୀତିଜ୍ଞମାନେ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି । ଏଥିରେ ହ୍ୱାଇଟ୍ ହାଉସ୍ ପ୍ରଶାସନର ଅଧିକାରୀମାନେ ମଧ୍ୟ ସହମତ ଅଛନ୍ତି । ଭାରତ ସହ ସମ୍ପର୍କୁ ଏକପାଖିଆ କରାଯାଉଥିବା ନେଇ ପୂର୍ବଚନା ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍ କହିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଟ୍ରମ୍ପଙ୍କ ପରିବାର ସହିତ ବ୍ୟବସାୟିକ ଚୁକ୍ତି କରିବାକୁ ଇଚ୍ଛୁକ ଥିବାରୁ ଟ୍ରମ୍ପ ଭାରତ ସହ ସମ୍ପର୍କକୁ ପାଶୋରି ଦେଇଛନ୍ତି ।

ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ; ସମୁଦ୍ରରେ ବୁଡ଼ି ଯାଉଥିବା ବେଲେ ଉଦ୍ଧାର କଲେ ଲାଇଫ ଗାର୍ଡ

ନନ୍ଦିଘୋଷ ବ୍ୟୁରୋ : ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ। ପୁରୀ ସମୁଦ୍ରରେ ବୁଡ଼ି ଯାଉଥିବା ବେଲେ ଉଦ୍ଧାର କଲେ ଲାଇଫ ଗାର୍ଡ। ସମୁଦ୍ରରେ ସ୍ନାନ କରିବା ସମୟରେ ଉଚ୍ଚ ଲହଡି ଓ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ। ସେ ହେଲେ ପ୍ରିୟବ୍ରତ ଦାସ। ପରିବାର ସହ ପୁରୀ ବୁଲିବାକୁ ଆସିଥିବା ବେଳେ ସମୁଦ୍ରରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ଯୋଗୁଁ ସେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ତୁରନ୍ତ ଗଭୀର ସମୁଦ୍ର ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରିଛନ୍ତି। ସମୁଦ୍ର କୂଳ ସେକ୍ଟର ୧୨ ହୋଟେଲ୍ ବଙ୍ଗଲକ୍ଷ୍ମୀ ସମ୍ମୁଖ ବେଳାଭୂମିରେ ଘଟିଛି ଏଭଳି ଘଟଣା। ପ୍ରିୟବ୍ରତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବା ପରେ ସେ ସୁସ୍ଥ ଅଛନ୍ତି। କିଛି ଅମାନିଆ ପର୍ଯ୍ୟଟକ ଲାଇଫଗାର୍ଡଙ୍କ କଥା ନଶୁଣି ଗଭୀର ସମୁଦ୍ରକୁ ସ୍ନାନ କରିବାକୁ ଯାଉଥିବାରୁ ଅନେକ ସମୟରେ ଏଭଳି ଘଟଣା ଘଟୁଥିବା କୁହାଯାଉଛି।

ଚୀନର ବିଜୟ ଦିବସରେ ପ୍ରଥମ ଥର ଦେଖାଗଲା ପରମାଣୁ ମିସାଇଲ, ଜାଣନ୍ତୁ ଏହା କେତେ ଘାତକ

ନନ୍ଦିଘୋଷ ବ୍ୟୁରୋ : ଏବେ ଚର୍ଚ୍ଚାରେ ଚୀନର ରାଜଧାନୀ ବେଜିଂ । ବୁଧବାର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ପରାଜୟର ୮୦ତମ ବାର୍ଷିକୀ ପଲଟିଥିଲା ଅନ୍ତର୍ଜାତୀୟ ମୁଖ୍ୟ ଖବର । ବିଜୟ ଦିବସ ଅବସରରେ ପରେଡ୍ ତିଆନାନମେନ୍ ସ୍କୋୟାରରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗଙ୍କ ତ୍ରିମୂର୍ତ୍ତି ଦେଖିବାକୁ ମିଳିଥିଲା। ମଞ୍ଚରେ ପ୍ରାୟ ୨୫ ଦେଶର ଶୀର୍ଷ ନେତା ଉପସ୍ଥିତ ଥିଲେ।

ସି ଜିନପିଙ୍ଗ ମଞ୍ଚରୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ ଚୀନ୍ କାହାର ଧମକକୁ ଭୟ କରେ ନାହିଁ। ଏହା ପରେ ତୁରନ୍ତ ପରେଡ୍ ଆରମ୍ଭ ହୋଇଥିଲା ଏବଂ ଚୀନ୍ ସମଗ୍ର ବିଶ୍ୱକୁ ତାର ସାମରିକ ଶକ୍ତି ଦେଖାଇଥିଲା। ଏହି ପରେଡ୍‌ରେ ଚୀନ୍ ପ୍ରଥମ ଥର ପାଇଁ ତାର ପରମାଣୁ ଅସ୍ତ୍ରର ପ୍ରକୃତ ଶକ୍ତି ଦେଖାଇଥିଲା। ରିପୋର୍ଟ ଅନୁଯାୟୀ, ଏଥିରେ ହାଇପରସୋନିକ୍ ଗ୍ଲାଇଡ୍ ଯାନ, YJ-21 ଆଣ୍ଟି-ସିପ୍ କ୍ରୁଜ୍ ମିସାଇଲ୍, JL-3 ସବମାରେନ୍ ଲଞ୍ଚ ହୋଇଥିବା ବାଲିଷ୍ଟିକ୍ ମିସାଇଲ୍ ଭଳି ଘାତକ ଅସ୍ତ୍ର ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ଯେଉଁ ଅସ୍ତ୍ରଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​ତାହା ହେଉଛି ଚୀନ୍‌ର ନୂତନ DF-5C ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍।

 DF-5C କାହିଁକି ସ୍ୱତନ୍ତ୍ର?

DF-5C କ୍ଷେପଣାସ୍ତ୍ରକୁ ଖୁବ୍ ଶୀଘ୍ର ସେନାରେ ସାମିଲ କରାଯିବ ଏବଂ ଏହାକୁ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବରେ ପ୍ରଦର୍ଶିତ କରାଯାଇଛି। ଏହା ପ୍ରକୃତରେ ଚୀନର ପୁରୁଣା DF-5 ସିରିଜର ଏକ ଉନ୍ନତ ସଂସ୍କରଣ, କିନ୍ତୁ ଏହାର କ୍ଷମତା ବହୁତ ବିପଦପୂର୍ଣ୍ଣ। ସବୁଠାରୁ ବଡ଼ ବିଶେଷତ୍ୱ ​​ହେଉଛି ଏହାର ବିସ୍ଫୋରକ କ୍ଷମତା ୨୦,୦୦୦ କିଲୋମିଟର ପର୍ଯ୍ୟନ୍ତ ବୋଲି ବିଶ୍ୱାସ କରାଯାଉଛି।

ଏହାର ଅର୍ଥ ହେଉଛି ପୃଥିବୀର ଏପରି କୌଣସି ଅଞ୍ଚଳ ନାହିଁ ଯେଉଁଠାରେ ଏହି କ୍ଷେପଣାସ୍ତ୍ର ପହଞ୍ଚିପାରିବ ନାହିଁ। କେବଳ ଏତିକି ନୁହେଁ, ଏହି କ୍ଷେପଣାସ୍ତ୍ର ଏକା ଆସିବ ନାହିଁ, ବରଂ ଏକ ସମୟରେ ୧୦ଟି ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହାର ଅର୍ଥ ହେଉଛି ଚୀନ୍ ଗୋଟିଏ କ୍ଷେପଣାସ୍ତ୍ର ସାହାଯ୍ୟରେ ଏକାକୀ ୧୦ଟି ବିଭିନ୍ନ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିପାରିବ।

ପାର୍ବଣ ଆସିଲା ଲୁଟେରା ମାତିଲେ ; ହାତରେ ଖଣ୍ଡା ଧରି ବୁଲୁଛନ୍ତି ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ : ପାର୍ବଣ ଆସିଲା ଲୁଟେରା ମାତିଲେ । ହାତରେ ଖଣ୍ଡା ଧରି ରାତିରେ ବୁଲୁଛନ୍ତି ଦୁର୍ବୃତ୍ତ। ଘରେ ପଶି ଲୁଟୁଛନ୍ତି । କୌଣସି ପ୍ରତିବନ୍ଧକ ହେଲେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ସେମାନେ। ଭୁବନେଶ୍ଵର ଖଣ୍ଡଗିରି ଭରତପୁର ଥାନା ଅଞ୍ଚଳରେ ଏଭଳି ଏକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିବା ସହ ଭୟଭୀତ କରିଛି । CCTV ରେ କଏଦ ହୋଇଛି ଲୁଟେରାଙ୍କ କାରନାମା । ଗତକାଲି ରାତିରେ ଭରତପୁର ଥାନା ପଛରେ ଥିବା ଏକ ଟେଣ୍ଟହାଉସ୍ ଗୋଦାମ ଭିତରେ ଲୁଟେରା ମାନେ ମାରଣାସ୍ତ୍ର ଧରି ପଶିଥିବା ବେଳେ କିଛି ଲୋକ ଦେଖିଥିଲେ । ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଲୁଟେରା ମାନେ ସେମାନଙ୍କୁ ଭୟଭୀତ କରିବା ସହ PCR ଭ୍ୟାନ୍ ଆସିବା ପୂର୍ବରୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏ ନେଇ ଭରତପୁର ଥାନାରେ ଏକ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଆରମ୍ଭ କରିଛି ତଦନ୍ତ । ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ।