spot_img
Home Blog Page 65

ଦୁର୍ଘଟଣାରେ ବଦଳିଗଲା ଜୀବନ, ଚିକିତ୍ସା ପାଇଁ ଅର୍ଥ ବାଧକ

 ବଲାଙ୍ଗୀର : ରୋଗଶଯ୍ୟାରେ ଘରର ରୋଜଗାରିଆ । ଦାଦନ ଖଟିବାକୁ ଯାଇ ବଦଳିଗଲା ଜୀବନ। ଦୁର୍ଘଟଣା ଦୋହଲାଇଦେଲା ଜୀବନର ଗତିପଥ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ  ଦନ୍ଦରା ଗାଁର ଜ୍ଞାନେଶ୍ୱର ସାଣ୍ଡ। ମୁମ୍ବାଇରେ ଦାଦନ ଶ୍ରମିକ ଭାବେ କାମ କରୁଥିବାବେଳେ ପ୍ରାୟ ୬ ମାସ ତଳେ ତିନି ମହଲାରୁ ଖସି ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ପରଠାରୁ ସେ ଆଉ ଚାଲିପାରୁନାହାନ୍ତି। ଘରର ରୋଜଗାରିଆ ମଣିଷ ଏବେ ଶଯ୍ୟାଶାୟୀ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚଳୁଛନ୍ତି। ଶୌଚ ଠାରୁ ଆରମ୍ଭ କରି ଦିନରାତି ଦେଖାଶୁଣା କରୁଛନ୍ତି ସ୍ତ୍ରୀ।

ଯିଏ ଦିନେ ପରିବାର ଚଳାଉଥିଲେ ସେ ଏବେ ଅସହାୟ ହୋଇ ଅନ୍ୟର ସାହାଯ୍ୟ ଉପରେ ନିର୍ଭରଶୀଳ। ସ୍ୱାମୀଙ୍କ ଚିକିତ୍ସା ଓ ପରିବାରର ଦାୟିତ୍ୱ ସବୁକିଛି ଏବେ ପତ୍ନୀଙ୍କ ଉପରେ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ଧାର ଉଧାର କରି ଚିକିତ୍ସା କରୁଛନ୍ତି ସ୍ତ୍ରୀ। ତାରି ଭିତରେ ପିଲାଙ୍କ ପାଠପଢ଼ା, ଘର ଖର୍ଚ୍ଚ ଓ ଚିକିତ୍ସା ସବୁକିଛି ନେଇ ପରିବାର ଏବେ ଚିନ୍ତାରେ। ଅନ୍ୟପଟେ ଏକ ଟିମ ତାଙ୍କ ଘରକୁ ଯିବା ସହ ଉତ୍ତମ ଚିକିତ୍ସା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରାଯିବ ବୋଲି ବଲାଙ୍ଗୀର ସିଡିଏମଓ କହିଛନ୍ତି।

ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ପାଠପଢ଼ା

କେନ୍ଦୁଝର : ଅବ୍ୟବସ୍ଥା ଘେରରେ ସରକାରୀ ପ୍ରାଥମିକ ବିଦ୍ୟାଳୟ।  ବାରଣ୍ଡାରେ ଚାଲିଛି ପାଠପଢ଼ା । ସ୍କୁଲ ପରିସରରେ ପୋଖରୀର ଭ୍ରମ। ଆଣ୍ଠୁଏ ଉଚ୍ଚର ପାଣିରେ ପଶି ଯିବାଆସିବା କରୁଛନ୍ତି ପିଲା।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଡିହସାହି ପ୍ରାଥମିକ ବିଦ୍ୟାଳୟର ଏ ଦୃଶ୍ୟ । ଏଠାରେ ୬ ଟି ଶ୍ରେଣୀରେ ୪୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ହେଲେ ପଢିବାକୁ ଶ୍ରେଣୀଗୃହ ନାହିଁ। ପୁରୁଣା କ୍ଲାସରୁମ ଭାଙ୍ଗିରୁଜି ଯାଇଛି। ଗୋଟିଏ ରୁମରେ ଅଫିସ ଚାଲିଥିବା ବେଳେ ଦୁଇଜଣ ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀ ସେହିଠାରେ ବସୁଛନ୍ତି।

ନୂତନ ଭାବେ ନିର୍ମିତ କୋଠା ହସ୍ତାନ୍ତର କରାଯାଉନଥିବା ଅଭିଯୋଗ ହୋଇଛି। ନୂତନ ଶ୍ରେଣୀ ଗୃହ ନିମନ୍ତେ ବାରମ୍ବାର ଅଭିଯୋଗ ହେବା ପରେ ଜିଲ୍ଲା ଖଣିଜ ପାଣ୍ଠିରୁ ୨୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏକ ନୂତନ ଗୃହ ନିର୍ମାଣ ହୋଇଥିଲା। ଦୀର୍ଘ ୬ ମାସରୁ ଉର୍ଦ୍ଧ ହେବ ଏହି ନିର୍ମାଣ ସରିଥିଲେ ସୁଦ୍ଧା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଉନାହିଁ। ଅନ୍ୟପଟେ ବିଡ଼ିଓଙ୍କ ସହିତ କଥା ହୋଇ ତୁରନ୍ତ ନୂତନ ଗୃହକୁ ହସ୍ତାନ୍ତର କରିବା ଦିଗରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ।

ସ୍କୁଲର ସକାଳ ପ୍ରାର୍ଥନାରେ ରହିବନି ସମ୍ବିଧାନ ପ୍ରସ୍ତାବନା !

ନନ୍ଦିଘୋଷ ବ୍ୟୁରୋ: ବଦଳିବନି ସ୍କୁଲ ପ୍ରାର୍ଥନା । ସୁପ୍ରିମକୋର୍ଟ ଦେଲେ ବଡ ନିର୍ଦ୍ଦେଶ । ପ୍ରାର୍ଥନାରେ ପାଠ ହେବନି ସମ୍ବିଧାନର ପ୍ରସ୍ତାବନା । ସାରା ଦେଶର ସ୍କୁଲଗୁଡିକରେ ସକାଳର ପ୍ରାର୍ଥନାରେ ପ୍ରତିଦିନ ସମ୍ବିଧାନର ପ୍ରସ୍ତାବନା ବା ପ୍ରିଆମ୍ବଲ୍ ପାଠ କରିବାକୁ ବାଧ୍ୟତାମୂଳକ କରିବା ପାଇଁ  ହୋଇଥିବା ଏକ ଜନସ୍ବାର୍ଥ ମାମଲାକୁ ମଙ୍ଗଳବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ବିଚାରପତି ବିକ୍ରମ ନାଥ, ଜଷ୍ଟିସ ସନ୍ଦିପ ମେହେଟ୍ଟା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଚାର କରିବାକୁ ମନା କରିଦେଇଛନ୍ତିି । ଆଉ କହିଛନ୍ତି ଯେ, ସମ୍ବିଧାନର ପ୍ରିଆମ୍ବଲ୍ ପୂର୍ବରୁ ମଧ୍ୟ ସ୍କୁଲ ପାଠ୍ୟକ୍ରମର ଏକ ଅଂଶ ହୋଇ ରହିଛି ଏବଂ ଷଷ୍ଠ ଶ୍ରେଶୀରୁ ହିଁ  ଏହା ଛାତ୍ରଛାତ୍ରୀମାନଙ୍କୁ ପଢା ଯାଉଛି ।

ସୂଚନା ଅନୁସାରେ, ଦିଲ୍ଳୀ ବିଶ୍ବବିଦ୍ୟାଳୟର ରାଜଧାନୀ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଧରୀଜ କୁମାର ଏହି ଆବେଦନ ଦାଖଲ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମ୍ବିଧାନିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ସାରା ଦେଶରେ ଏକ ସମାନ ନୀତି ପ୍ରଣୟନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ ସିବିଏସଇକୁ ନିର୍ଦ୍ଦେଶ ଦେବାକୁ ଆବେଦନକରେ ଦାବି କରାଯାଇଥିଲା । ଆବେଦନରେ ଯୁକ୍ତି ଦିଆଯାଇଥିଲା ଯେ, ଯେପରି ସ୍କୁଲଗୁଡିକରେ ସାମୂହିକ ଭାବରେ ଜାତୀୟ ସଙ୍ଗୀତ ଗାନ କରାଯାଏ, ସେହିପରି ସମ୍ବିଧାନର ପ୍ରସ୍ତାବନାର ନିୟମିତ ସାମୂହିକ ପାଠ ପିଲାମାନଙ୍କ ମଧ୍ୟରେ ନ୍ୟାୟ, ସ୍ବାଧୀନତା, ଏବଂ ଭାତୃତ୍ବ ଭଳି ସାମ୍ବିଧାନିକ ମୂଲ୍ୟବୋଧ ସମ୍ପର୍କରେ ବୁଝାମଣା ସୃଷ୍ଟି କରିବ । ଏହାସହ ଆବେଦନକାରୀ ଧାରା ୨୧ଏ ଅନୁଯାୟୀ ଶିକ୍ଷାର ମୌଳିକ ଅଧିକାର ଏବଂ ଧାରା ୫୧ଏ  ଅନୁଯାୟୀ ମୌଳିକ କର୍ତ୍ତବ୍ୟର ଉଦାହରଣ ଦେଇଥିଲେ । ଆବେଦନରେ ମହାରାଷ୍ଟ୍ର,ରାଜସ୍ଥାନ ଏବଂ କର୍ଣ୍ଣାଟକ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସର୍କୁଲାରକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା । ଯେଉଁଥିରେ ସରକାରୀ ଏବଂ ସମ୍ପୃକ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସକାଳ ସଭାରେ ସମ୍ବିଧାନ ପ୍ରସ୍ତାବନା ପାଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।  ସେହିଭଳି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ସିବିଏସଇ ର ୨୦୨୫ ସର୍କୁଲାର ମଧ୍ୟ ଉଦ୍ଧୃତ କରାଯାଇଥିଲା । ଯାହା ସକାଳ ପ୍ରାର୍ଥନା ସମୟରେ ପ୍ରତିଦିନ ସକରାତ୍ମକ ପ୍ରତିଜ୍ଞାକୁ ଉତ୍ସାହିତ କରିବ । ଆବେଦନକାରୀ ଯୁକ୍ତି ଦେଇଥିଲେ ଯେ, ସମ୍ବିଧାନର ପ୍ରସ୍ତାବନା ପାଠ ନାଗରିକଙ୍କ ଚେତନା ବିକାଶ ପାଇଁ ସବୁଠାରୁ ପ୍ରଭାବଶାଳୀ ସକରାତ୍ମକ ପଦକ୍ଷେପ ହୋଇପାରେ । କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରିନାହାନ୍ତି ଏବଂ ଏହାକୁ ଖାରଜ କରିଦେଛନ୍ତି ।

ଦୀର୍ଘ ୧୫ ବର୍ଷ ପରେ ଏକାଠି ନଜର ଆସିବେ କିଙ୍ଗ ଖାନ୍ ଓ ବେବୋ

ନନ୍ଦିଘୋଷ ବ୍ୟୁରୋ: ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ। ଏକ ଲମ୍ବା ବ୍ରେକ୍ ପରେ ଖୁବଶୀଘ୍ର ବଡ଼ ପରଦାରେ ନଜର ଆସିବେ କିଙ୍ଗ ଖାନ୍। ‘ପଠାନ’, ‘ଯବାନ’ ଓ ‘ଡ଼ଙ୍କି’ର ସଫଳତା ପରେ ପୁଣି ଥରେ ଦେଖିବାକୁ ମିଳିବ କିଙ୍ଗ ଖାନଙ୍କ ଜଲୱା । ଚଳିତ ବର୍ଷ ଡ଼ିସେମ୍ବର ମାସରେ ରିଲିଜ ହେବାକୁ ଯାଉଛି ଶାହରୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିଙ୍ଗ୍’ । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଜରିଆରେ ସୁହାନା ଖାନ ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । କିନ୍ତୁ ଫିଲ୍ମରେ ବେବୋଙ୍କ ସରପ୍ରାଇଜ ଏଣ୍ଟ୍ରି ନେଇ ଚର୍ଚ୍ଚା ଜୋର ଧରିଛି ।

ଦୀର୍ଘ ୧୫ ବର୍ଷ ପରେ ‘କିଙ୍ଗ୍’ ଚଳଚ୍ଚିତ୍ର ମାଧ୍ୟମରେ ଏକାଠି ନଜର ଆସିବେ କରିନା ଓ ଶାହରୁଖ । ଉଭୟ ଶେଷ ଥର ପାଇଁ (ଆର. ୱାନ୍)ରେ ଏକାଠି ନଜର ଆସିଥିଲେ । ଫିଲ୍ମର ‘ଚମ୍ମକ ଚଲ୍ଲୋ’ ଗୀତଟି ସୁପର ହିଟ୍ ହୋଇଥିବା ବେଳ ବେଶ ଚର୍ଚ୍ଚା ସାଉଁଟି ଥିଲା । ଏହା ପୂର୍ବରୁ ଉଭୟ ‘ଅଶୋକା’ ଓ ‘କଭି ଖୁସି କଭି ଗମ୍’ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତି ଥିଲେ ।

‘ପିଙ୍କଭିଲା’ର ଏକ ରିପୋର୍ଟ ଅନୁଯାୟୀ, ଦୀର୍ଘ ୧୫ ବର୍ଷ ପରେ ଉଭୟଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ। ଅଭିନେତ୍ରୀ ଶାହରୁଖଙ୍କ ସହ “ଡ୍ୟାଡ଼ି କୁଲ” ଗୀତରେ ନଜର ଆସିବେ । ଏହି ଗୀତଟି ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ହେବ ବୋଲି କୁହାଯାଉଛି । ତେବେ ଏହି ମାସ ଶେଷ ସୁଦ୍ଧା କରିନା ଦକ୍ଷିଣ ଆଫ୍ରିକାରେ ଏହି ଗୀତର ସୁଟିଂ କରିବୋ ବୋଲି ଜଣାପଡି଼ଛି ।

ଜେନ୍-ଜିଙ୍କୁ ବଡ ଧୋକା ଦେଲେ ବାଲେନ୍ ଶାହ !

ନନ୍ଦିଘୋଷ ବ୍ୟୁରୋ: କଥା ଦେଇ କଥା ରଖିଲେନି ବାଲେନ୍ ସରକାର ! ଜେନ୍-ଜିଙ୍କୁ ମିଳିଲା ବଡ ଧୋକା ।  ବାଲେନଙ୍କ ଚାଲ୍ ରେ ଫସିଗଲେ କି ସରକାର ବଦଳାଇ ଦେଇଥିବା ଜେନ୍-ଜି ? ନେପାଳରେ ଜେନ୍-ଜି ଆନ୍ଦୋଳନକୁ ଗୋଟେ ବର୍ଷ ବିତିଗଲାଣି । ଏହାରି ଭିତରେ କାଠମାଣ୍ଡୁରୁ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ଆଉ ଏହି ରିପୋର୍ଟ ଅନୁସାରେ, ଜେନ୍-ଜି ଆନ୍ଦୋଳନ ସମୟରେ ଦେଶରେ ମୋଟ ୧,୭୦୦ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ହେଲେ ଏଥିମଧ୍ୟରୁ କେବଳ ୩୦୦ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର କରାଯିବ ବୋଲି କୁହାଯାଉଛି । ବାବୂରାମ ରେଗମିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ହୋଇଛି । ଜେନ୍-ଜି ଆନ୍ଦୋଳନ ସମୟରେ ହୋଇଥିବା ମାମଲାର ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଏବଂ ପଦ୍ଧତି ନିର୍ଣ୍ଣୟ କରିବା ପାଇଁ ନେପାଳ ସରକାର ନେପାଳର ଅବସରପ୍ରାପ୍ତ ବିଚାରପତି ବାବୁରାମ ରେଗମିଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ କରିଥିଲେ । ଆଉ ସରକାରକୁ ଆସିବା ପରେ ବାଲେନ ଶାହଙ୍କ ସରକାର ଘୋଷଣା କରିଥିଲେ ଯେ, ଜେନ୍-ଜି ଆନ୍ଦୋଳନର ସବୁ ମାମଲା ପ୍ରତ୍ୟାହାର କରାଯିବ । ହେଲେ ଏବେ ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଛନ୍ତି । ଯାହାକୁ ଜେନ୍-ଜି ମାନେ ଧୋକା ବୋଲି କହୁଛନ୍ତି ।

ସୂଚନା ଅନୁସାରେ, ନେପାଳରେ କେପି ଓଲି ସରକାର ସମୟରେ ମେଟା ବ୍ୟାନ୍ ବିରୋଧରେ ଜେନ୍-ଜି ଆନ୍ଦୋଳନ ଆରମ୍ଭ ହୋଇଥିଲା । ସେହି ସମୟରେ ୪୪୫ ଟି ମାମଲାରେ ମୋଟ୍ ୧,୭୭୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ଯେଉଁଥିରୁ କେବଳ ୩୦୦ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର କରିନେବାକୁ ସୁପାରିଶ କରାଯାଇଛି । ଏନେଇ ବାବୁରାମ ରେଗମିଙ୍କ ସମିତିର କହିବା କଥା ଯେ, କେବଳ ସାମାନ୍ୟ ପ୍ରତିବାଦ ପାଇଁ ଦାୟର ହୋଇଥିବା ମାମଲାଗୁଡିକୁ ପ୍ରତ୍ୟାହାର କରାଯାଇପାରିବ । କିନ୍ତୁ ପୋଲିସ ଉପରେ ଆକ୍ରମଣ ଏବଂ ସରକାରୀ ସମ୍ପତ୍ତି ଲୁଟ୍ ସହ ଜଡିତ ମାମଲାଗଡିକ ପ୍ରତ୍ୟାହାର କରାଯାଇପାରିବ ନାହିଁ । ସେହିଭଳି ନେପାଳ ସରକାରଙ୍କ କହିବାନୁସାରେ, ୧,୪୦୦ ରୁ ଅଧିକ ଲୋକଙ୍କ ଉପରେ ସେହି ସମୟରେ ସରକାରୀ ସମ୍ପତ୍ତି ଲୁଟ୍ ଏବଂ ପୋଲିସ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ରହିଛି । ଏଥିରୁ ୫୩ ଜଣଙ୍କ ବିରୁଦ୍ଧରେ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଅର୍ଥାତ ମାମଲା ବିଚାରଧୀନ ରହିଛି ।

ତେବେ କେପି ଓଲିଙ୍କ ବହିଷ୍କାର ପରେ ସୁଶିଳା କାର୍କିଙ୍କ ନେତୃତ୍ବରେ ନେପାଳରେ ଅନ୍ତରୀଣ ସରକାର ଗଠନ କରାଯାଇଥିଲା । କାର୍କି ସେହି ସମୟରେ ପ୍ରତିବାଦକାରୀଙ୍କ ସହ ଏକ  ଚୁକ୍ତି କରିଥିଲେ ।  ଯେଉଁଥିରେ ସର୍ତ୍ତ ରହିଥିଲା ଯେ, ଜେନ୍-ଜି ଆନ୍ଦୋଳନ ସମୟରେ ଦାୟର ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯିବ । ଯାହାପରେ ବାଲେନ ସରକାରଙ୍କ ଗୃହମନ୍ତ୍ରୀ ସୁଦାନ ଗୁରୁଙ୍ଗ ଚଳିତ ବର୍ଷ ମେ ମାସରେ କହିଥିଲେ ଯେ, ସେମାନେ ମାମଲା ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ହେଉଛନ୍ତି । କାରଣ ଆନ୍ଦୋଳନରେ ଅଂଶଗ୍ରହଣ କରିବାର ପ୍ରତିଶୋଧ ସ୍ବରୂପ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ହେଲେ ଏବେ କମିଟିର ସୁପାରିଶଗୁଡିକ ଜେନ୍-ଜିଙ୍କୁ ଚକିତ କରିଛି ।

କଲେଜ ନିର୍ବାଚନ ନେଇ କଡ଼ା ନିୟମ, ଶାନ୍ତି ନଥିଲେ ନିଷ୍ପତ୍ତି ନେବ କଲେଜ

ନନ୍ଦିଘୋଷ ବ୍ୟୁରୋ : ଶାନ୍ତ ପରିବେଶ ନଥିଲେ, ନିର୍ବାଚନ ହେବ ନା ନାହିଁ ସେ ନିଷ୍ପତ୍ତି କଲେଜ ନେବ । ଏକାଡେମିକ ଏରିୟରେ ଥିଲେ ନିର୍ବାଚନରେ ଭାଗ ନେଇ ହେବନି । ଅଣଛାତ୍ର ବା ଯିଏ କଲେଜ ସହ ଜଡିତ ସେମାନେ କ୍ୟାମ୍ପସରେ ରହିବେ ନାହିଁ । ନିୟମ ଭାଙ୍ଗିଲେ ଦଣ୍ଡ ମିଳିବ । ଯେଉଁ ଛାତ୍ରଛାତ୍ରୀ ଲାଇବ୍ରେରୀରୁ ବହି ନେଇ ଫେରାଇ ନଥିବେ କି NOC ନେଇ ନଥିବେ ସେମାନେ ନିର୍ବାଚନରେ ଭାଗ ନେଇପାରିବେ ନାହିଁ । କଲେଜ ନିର୍ବାଚନକୁ ସୁରୁଖୁରୁରେ କରିବା ନେଇ କିଛି ଏପରି ଚେତାବନୀ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ନିର୍ବାଚନରେ ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । କହିଛନ୍ତି, ଗଣତନ୍ତ୍ର ସମ୍ପର୍କରେ କଲେଜ ପିଲାମାନଙ୍କୁ ବିଶେଷ ଅନୁଭବ ପ୍ରଦାନ କରିବା ଲାଗି ନିର୍ବାଚନ କରାଯାଉଛି । ଭବିଷ୍ୟତର ନେତା ସୃଷ୍ଟି କରିବା ପାଇଁ ଛାତ୍ର ସଂସଦ ନିର୍ବାଚନ ଜରିଆରେ ଗଣତନ୍ତ୍ରର ଶିକ୍ଷା ଦିଆଯାଉଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । କଲେଜ ନିର୍ବାଚନ ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି । କିନ୍ତୁ ଏଥିପାଇଁ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରହିବା ନିହାତି ଜରୁରୀ ବୋଲି ସେ କଲେଜ ଛାତ୍ର ସମାଜକୁ ପରାମର୍ଶ ଦେଇଛନ୍ତି ।

“ଅଧିନାୟକତ୍ୱର ଅଧ୍ୟାୟ ଶେଷ ହୋଇଛି, କିନ୍ତୁ ଯାତ୍ରା ଜାରି ରହିଛି”: ହରମନପ୍ରୀତ କୌର

ନନ୍ଦିଘୋଷ ବ୍ୟୁରୋ: ହରମନପ୍ରୀତ କୌରଙ୍କ ନେତୃତ୍ବରେ ଏସିଆନ୍ ଗେମ୍ସରେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲା ଭାରତୀୟ ମହିଳା କ୍ରିକେଟ ଟିମ୍ । ଦଳକୁ ଅନେକ ସଫଳତାର ସ୍ବାଦ ଚଖାଇଥିବା ୩୭ ବର୍ଷିୀୟା ହରମନପ୍ରୀତ ହଠାତ୍ ଅଧିନାୟକ ପଦ ଛାଡ଼ିଛନ୍ତି । ମଙ୍ଗଳବାର ସେ ୩ଟି ଫର୍ମାଟରୁ ଅବସର ନେଇଛନ୍ତି ।

ସୂଚନାଯୋଗ୍ୟ, ସୋସିଆଲ ମଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭାବବିହ୍ବଳ ପୂର୍ଣ୍ଣ ପୋଷ୍ଟ କରି କ୍ୟାପଟେନ୍ ପଦକୁ ସବୁଦିନ ପାଇଁ ଅଲ୍ ବିଦା କହିଛନ୍ତି ହରମନପ୍ରୀତ । ସେ ଭାରତୀୟ ମହିଳା କ୍ରିକେଟର ୩ଟି ଫର୍ମାଟର ଅଧିନାୟକ ପଦ ଛାଡିଥିବା ନେଇ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି । ସେ ଲେଖିଛନ୍ତି,  ‘ଆଜି ମୁଁ ଭାରତୀୟ ଭାରତୀୟ ମହିଳା କ୍ରିକେଟର ସବୁ ଫର୍ମାଟର ଅଧିନାୟକ ପଦ ଛାଡୁଛି । ଏହା ମୋ ପାଇଁ ଆଦୌ ସହଜ ନିଷ୍ପତ୍ତି ନଥିଲା । ଦୀର୍ଘ ବର୍ଷର ସ୍ମୃତି, ମୂହୂର୍ତ୍ତ ଓ ଭାବନା ମୋ ବାକି ଜୀବନରେ ସବୁବେଳ ପାଇଁ ଯୋଡ଼ି ହୋଇରହିବ’ ।

ସେ ଆଉ ମଧ୍ୟ ଲେଖିଛନ୍ତି, “ମୁଁ ଏହି ଦଳ ଓ ଭାରତୀୟ ମହିଳା କ୍ରିକେଟକୁ ମୁଁ ମୋ ପାଖରେ ଯାହା ଥିଲା ସବୁ ଦେଇଛି । ଏପରି କିଛି ସମୟ ଆସିଛି, ଯେତେବେଳ ମୁଁ ମୋର ବ୍ୟକ୍ତିଗତ ସଫଳତା, ଅଭିବୃଦ୍ଧି ଓ ମୋ ନିଜ ପାଇଁ ଚାହୁଁଥିବା ଜିନିଷକୁ ପାଶୋରି ଦେଇଛି, କାରଣ ମୁଁ ବିଶ୍ବାସ କରୁଥିଲି ଯେ, ଦଳ ମୋର ପ୍ରାଥମିକତା ଅଟେ” । ସେ ଆଉ ମଧ୍ୟ ଲେଖିଛନ୍ତି,  ଟିମର ଜଣେ ସାଧାରଣ ଖେଳାଳି ଭାବେ ଖେଳିବା ସହ ଭବଷ୍ୟତରେ ଟିମକୁ ଅନେକ ସଫଳତା ଭେଟି ଦେବି । ସେ ବିସିଆଇଠାରୁ ଆରମ୍ଭ କରି ସମସ୍ତ କୋଚ୍ ଓ ଟିମ୍ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶେଷରେ ସେ ଲେଖିଛନ୍ତି, “ଅଧିନାୟକତ୍ୱର ଅଧ୍ୟାୟ ଶେଷ ହୋଇଛି, କିନ୍ତୁ ଯାତ୍ରା ଜାରି ରହିଛି।”

ମିତାଲି ରାଜଙ୍କ ପରେ ହରମନପ୍ରୀତ ପ୍ରଥମେ ୨୦୧୨ରେ ଅସ୍ଥାୟୀ ଭାବେ ଭାରତୀୟ ମହିଳା ଦଳର ଅଧିନାୟକ ପଦ ସମ୍ଭାଳିଥିଲେ । ସେହି ବର୍ଷ ତାଙ୍କ ନେତୃତ୍ବରେ ଭାରତୀୟ ମହିଳା ଦଳ ଟି-୨୦ ଏସିଆ କପ୍ ହାତେଇଥିଲା । ଏହାପରେ ୨୦୧୬ ମସିହାରେ ସେ ଟି-୨୦ ଫର୍ମାଟର କ୍ୟାପଟେନ୍ ଭାବେ ଦାୟିତ୍ବ ନେଇଥିଲେ । ହରମନପ୍ରୀତଙ୍କ ନେତୃତ୍ବରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ୫ଟି ଟେଷ୍ଟ, ୫୧ଟି ଦିନିକିଆ ଓ ୧୫୫ଟି ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୨୦୨୫ରେ ଦଳ ପ୍ରଥମଥର ପାଇଁ ଦିନିକିଆ ବିଶ୍ବକପ ଜିତିଥିଲା । ସେହିପରି ନିକଟରେ ଶେଷ ହୋଇଥିବା ଏସିଆନ୍ ଗେମ୍ସରେ ମଧ୍ୟ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ହାତେଇଥିଲା ।

 

 

CEC ଇସ୍ତଫା ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ରାଜରାସ୍ତାରେ ଗର୍ଜିଛି ଯୁବ କଂଗ୍ରେସ । ବହୁ ସଂଖ୍ୟାର ଯୁବ କଂଗ୍ରେସର କର୍ମୀ ଓ ନେତା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି । SIR ମାଧମରେ ସାରା ଦେଶରେ ୧୩ କୋଟି ଭୋଟରଙ୍କୁ ବାଦ ଦିଆଯାଇଛି । ଓଡ଼ିଶାରେ ୨୦ ଲକ୍ଷ ଭୋଟରଙ୍କୁ କାଟି ଦିଆଯାଇଛି । ଏହାର ପ୍ରତିବାଦରେ ଯୁବ କଂଗ୍ରେସ ଆଜି ଜୋରଦାର୍ ପ୍ରତିବାଦ କରିଛି । ଜ୍ଞାନେଶ କୁମାର ଇସ୍ତଫା ନଦେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି । ଏନେଇ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଓ ଯୁବ ନେତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବରିଷ୍ଠ ପ୍ରତିନିଧି ଚିନ୍ମୟ ମହାପାତ୍ର ।

‘ଫ୍ଲାଏଦୁବାଇ ବିମାନ ଆକ୍ରମଣ ପଛରେ ଇରାନର ହାତ’

ନନ୍ଦିଘୋଷ ବ୍ୟୁରୋ: ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ଇସ୍ରାଏଲର ତେଲ ଅଭିବ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଯାହା ଘଟିଲା, ତାହା ସମସ୍ତଙ୍କୁ ଦୋହଲାଇ ଦେଇଛି । ସୌଭାଗ୍ୟବସତଃ ଭାରତୀୟ ପାଇଲଟଙ୍କ ସାହସିକତା ଏବଂ କିଛି ଯାତ୍ରୀଙ୍କ ସହଯୋଗ ପାଇଁ ବିମାନରେ ଥିବା ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା । ଏହି ଘଟଣାକୁ ନେଇ ବିଭିନ୍ନ ଦିଗରୁ ସେନ୍ଦହ କରାଯାଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଛନ୍ତି । କିନ୍ତୁ ଆମେରିକାର ଉପରାଷ୍ଟ୍ରପତି ଏହି ମାମଲାରେ ଟ୍ରମ୍ପଙ୍କ ସହ ଏକମତ ନାହାଁନ୍ତି । ତାଙ୍କର କହିବାନୁସାରେ, ଏହାର ସେଭଳି କୌଣସି ଠୋସ୍ ପ୍ରମାଣ ନାହିଁ , ଯାହାଦ୍ବାରା ଏହାକୁ ପ୍ରମାଣିତ କରିହେବ ।

ସୂଚନା ଅନୁସାରେ ଟ୍ରମ୍ପଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ, କ’ଣ ତାଙ୍କୁ ଲାଗୁଛି ଯେ ଫ୍ଲାଏଦୁବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଇରାନ ଦାୟୀ ଥିଲା ? ଯାହାର ଯବାବରେ ଟ୍ରମ୍ପ ହଁ କହିଥିଲେ । ଟ୍ରମ୍ପ କହିଥିଲେ ଯେ, ବ୍ୟକ୍ତିଗତ ଭାବରେ ତାଙ୍କୁ ଏପରି ହିଁ ଲାଗୁଛି । ହେଲେ ଉପରାଷ୍ଟ୍ରପତି ଜେ.ଡି ଭାନ୍ସଙ୍କ ରାୟ ଏହି ମାମଲରେ ଟ୍ରମ୍ପଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତାଙ୍କ କହିବା କଥା ଯେ, ଏଭଳି ଦାବିର କୌଣସି ପ୍ରମାଣ ମିଳିନାହିଁ । ଯାହାଫଳରେ ଏହା ପ୍ରମାଣ କରାଯାଇପାରିବ କି ବିମାନରେ ହୋଇଥିବା ଆକ୍ରମଣରେ ଇରାନର ହାତ ରହିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆମେରିକାର ଉପରାଷ୍ଟ୍ରପତି କହିଛନ୍ତି ଯେ, ସେପ୍ଟେମ୍ବର ୩୦ ତାରିଖରେ ଫ୍ଲାଇଟ FZ1073 ରେ ହୋଇଥିବା ଘଟଣା ପରେ ଟ୍ରମ୍ପ ପ୍ରଶାସନ ଆମେରିକାରେ ଉଡାଣ ପ୍ରକ୍ରିୟାର ସମୀକ୍ଷ କରୁଛନ୍ତି ।  ହେଲେ ଏହି ଘଟଣା ସହିତ ଇରାନକୁ ଯୋଡିବାର ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳିନାହିଁ । ସେ ଆହୁରି କହିଛନ୍ତି ଯେ, ବିମାନରେ ହୋଇଥିବା ଏହି ଆକ୍ରମଣକୁ ୟୁଏଇ ପକ୍ଷରୁ ଆତଙ୍କବାଦୀଙ୍କ ପ୍ରୟାସ ବୋଲି କୁହାଯାଇଛି ।

ଅନ୍ୟପଟେ ଇରାନ ଓଲଟି ଇସ୍ରାଏଲ ଉପରେ ଏହି ଆକ୍ରମଣର ଷଡଯନ୍ତ୍ର ରଚିଥିବା ଅଭିଯୋଗ ଲଦିଛି । ଇରାନର କନସଲ ଜେନେରାଲ ସଇଦ ରଜା ମୋସାଏବ ମୋତଲାଘ ଭାରତୀୟ ପାଇଲଟ ସ୍ମି୍ତ୍ ମଚ୍ଛାରଙ୍କ ପ୍ରଶଂସା କରି କହିଛନ୍ତି ଯେ, ମାନବ ଜୀବନ ରକ୍ଷା କରିବା ସର୍ବଦା ପ୍ରଶଂସନୀୟ ଏବଂ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଶହ ଶହ ଜୀବନ ବଞ୍ଚିଯାଇଥିଲା । ଏହାସହ ଇସ୍ରାଏଲକୁ ସିଧାସଳଖ ନିଶାନା କରି ଦାବି କରିଥିଲେ ଯେ, ପ୍ରଧାନମନ୍ତ୍ରୀ ନିର୍ବାଚନ ପୂର୍ବରୁ ଦ୍ବନ୍ଦ୍ବ ସୃଷ୍ଟି କରିବା ପାଇଁ ଖୋଦ ଇସ୍ରାଏଲ ଦ୍ବାରା ହିଁ ସମଗ୍ର ଘଟଣାର ରଚନା କରାଯାଇଥିଲା । କହିରଖୁଛୁ ଯେ, ଏହି ଫ୍ଲାଇଟରେ ଅଧିକାଂଶ ଇସ୍ରାଏଲର ହିଁ ଯାତ୍ରୀ ରହିଥିଲେ । ତେବେ କିଏ ସତ କହୁଛି, ଆଉ କିଏ ମିଛ କହୁଛି ତାହାର ସତ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଜଣା ପଡିପାରିବ ।

ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ, ଡାକରା ଦେଲା INDIA ବ୍ଲକ୍

ନନ୍ଦିଘୋଷ ବ୍ୟୁରୋ : ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଇଛି ଇଣ୍ଡିଆ ବ୍ଲକ । ଏହି ବନ୍ଦକୁ ସଫଳ କରିବା ସହ ଆମ ଅଧିକାର ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଓଡ଼ିଶାର ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ସମର୍ଥନ ପାଇଁ ସଚେତନ ନାଗରିକଙ୍କୁ ନିବେଦନ କରିଛି ଇଣ୍ଡିଆ ବ୍ଲକ । ଏ ନେଇ ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦିଆଯାଇଛି । MMDR ସଂଶୋଧିତ ଅଧିନିୟମ ତୁରନ୍ତ ରଦ୍ଦ କର, ସିଇସି ଜ୍ଞାନେଶ କୁମାର ଙ୍କ ବହିଷ୍କାର ଓ SIR ପ୍ରତ୍ୟାହର ,ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ବନ୍ୟା ବିପତ୍ତି ଓ ସରକାରୀ ଉଦାସୀନତା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି ।

ରାଜଧାନୀ ଭୁବନେଶ୍ୱର ରେ ପ୍ରତି ଛକରେ ପିକେଟିଙ୍ଗ ସହ ଦୋକାନ ବଜାର ଓ ଗାଡ଼ି ମଟର ଓ ଟ୍ରେନ ଚଳାଚଳ ବନ୍ଦ କରିବ ଇଣ୍ଡିଆ ବ୍ଲକ କର୍ମକର୍ତ୍ତା ଓ କର୍ମୀ । ଓଡ଼ିଶା ବନ୍ଦ ସମୟରେ ଆତ୍ୟାବଶ୍ୟ ସାମଗ୍ରୀ ,ଆମ୍ବୁଲାନ୍ସ , ଫାୟାର, ପରୀକ୍ଷାର୍ଥୀ, ରୋଗୀ ମାନଙ୍କୁ ଅଟକାଇ ଯିବ ନାହିଁ ବୋଲି ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀ ରେ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇଏମ୍ ,CPIML,AIFB, ସମାଜବାଦୀ ପାର୍ଟି, JMM ,ଶିବସେନାର ରାଜ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ରାଜ୍ୟର ସ୍ୱାର୍ଥ ପାଇଁ ଏହି ବନ୍ଦ କୁ ସମସ୍ତେ ସହଯୋଗ କରିବା କୁ ନିବେଦନ କରିଛନ୍ତି ।