spot_img
Home Blog Page 6507

କୋଲକାତାକୁ ୬ୱିକେଟରେ ପରାସ୍ତ କଲା ଚେନ୍ନାଇ

ଆବୁଧାବି: ଶେଷ ପର୍ଯ୍ୟାୟରେ ଚଳିତ  ସିଜନର ଆଇପିଏଲ୍‌ । ତଥାପି ସରୁନି ରୋମାଞ୍ଚ । ଗତକାଲି ମ୍ୟାଚକୁ ଶେଷ ବଲରେ ଜିତିନେଇ କୋଲକାତାକୁ ୬ୱିକେଟରେ ପରାସ୍ତ କରିଛି ଚେନ୍ନାଇ  । ଫଳରେ କୋଲକାତାର ପ୍ଲେ ଅଫ୍ ରାସ୍ତାକୁ କଠିନ କରିଦେଇଛି ଧୋନି ବାହିନୀ । ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇ଼ର୍ସ ୧୭୨ରନ୍ କରିଥିଲା  । ୧୭୩ ରନର ଟାର୍ଗେଟ୍ କୁ  ପିଛା କରୁଥିବା ଚେନ୍ନାଇକୁ ଜିତିବାକୁ ଶେ‌ଷ ୧୨ ବଲ୍‌ରୁ ୩୦ ରନ୍‌ ଦରକାର ଥିଲା ।

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ମ୍ୟାଚକୁ କୋଲକାତାଠାରୁ ଛଡାଇ ଆଣିଥିଲା ଚେନ୍ନାଇ  । ଜାଡେଜାଙ୍କ ୧୧ବଲରେ ୩୧ରନ୍ ଚେନ୍ନାଇକୁ ବିଜୟ ଦ୍ୱାରକୁ ନେଇଯାଇଥିଲା  । କୋଲକାତା ତରଫରୁ ନୀତୀଶ ରାଣା ସର୍ବାଧିକ ୮୭ରନ ଓ ଚେନ୍ନାଇର ଋତୁରାଜ ଗାଏକ୍ୱାଡ୍ ୭୨ରନ ସଂଗ୍ରହ କରିଥିଲେ ।

ତେବେ ଗତକାଲି ମ୍ୟାଚରେ ଚେନ୍ନାଇକୁ ଜିତାଇବାରେ ମୁଖ୍ୟ ଗ୍ରହଣ କରିଥିଲେ ଋତୁରାଜ ଗାୟକବାଡ଼, ଅବନ୍ତି ରାୟଡ଼ୁ, ରବିନ୍ଦ୍ର ଜାଡ଼େଜା, ଲୁଙ୍ଗି ଏନଗିଡ଼ି ଓ ସ୍ୟାମ କୋରାନ । ସେପଟେ ଆଜି ଆଇପିଏଲରେ ପଞ୍ଜାବକୁ ଭେଟିବ ରାଜସ୍ଥାନ ରୟାଲ୍ସ ।

ପୂଜାରେ କାହିଁକି ସ୍ଥାପନ କରାଯାଏ କଳସ?

ହିନ୍ଦୁଧର୍ମରେ ପୂଜାବିଧି ସଂର୍ଣ୍ଣ ନିଆରା । ବିଭିନ୍ନ ରିତିନୀତି ସହ ଏହାକୁ ସମ୍ପନ୍ନ କରାଯାଏ । ଏଥିପାଇଁ ଅନେକ ଶୁଭ ଜିନିଷର ଆବଶ୍ୟକତା ପଡ଼ିଥାଏ । ଯେପରି ଜଳ ଫୁଲ, ଦୀପ, ଆସନ, କଳସ ଇତ୍ୟାଦି । ଭାରତୀୟ ସଂସ୍କୃତିର ପୂଜାବିଧିରେ ଏଭଳି କିଛି ଜିନିଷର ଆବଶ୍ୟକତା ରହିଛି ଯାହାକୁ ପୂଜାରେ ସାମିଲ ନ କଲେ ପୂଜା ଅଧା ରହିଯାଏ ବୋଲି ମାନ୍ୟତା ରହିଛି । ତେବେ ଆଜି ଆମେ ଆଲୋଚନା କରୁଛୁ କଳସ ବିଷୟରେ । କୁହାଯାଏ କଳସ ବ୍ୟତୀତ କୌଣସି ମଙ୍ଗଳକାର୍ଯ୍ୟ ଆରମ୍ଭ ହୋଇ ନଥାଏ ।

କଳସକୁ ସମସ୍ତ ବ୍ରହ୍ମାଣ୍ଡର ପ୍ରତୀକ ରୂପେ ଗ୍ରହଣ କରାଯାଏ କାରଣ ବ୍ରହ୍ମାଣ୍ଡର ଆକାର କଳସ ପରି ଗୋଲ । ଏହି କଳସ ସମସ୍ତ ସୃଷ୍ଟିର ସମାବେଶ । ଏଥିରେ ସମସ୍ତ ଦେବାଦେବୀ, ନଦୀ, ପର୍ବତ ଆଦି ଭରି ରହିଥାଏ । କଳସ ସ୍ଥାପନା କରିବାର ଏକ ବିଦ୍ଧି ରହିଛି । କଳସକୁ ପୂଜା ସ୍ଥାନରେ ଐଶାନ୍ୟ କୋଣରେ ସ୍ଥାପନା କରାଯାଇଥାଏ । ସାଧାରଣତଃ ତମ୍ବା ପାତ୍ରକୁ କଳସ ରୂପେ ବ୍ୟବହାର କରାଯାଇଥାଏ । ଯଦି ଏହା ଉପଲବ୍ଧ ନହୁଏ ତାହାଲେ ଆପଣ ମାଟିର ପାତ୍ର ବ୍ୟବହାର କରିପାରିବେ । କଳସକୁ ଭୂମି ଉପରେ ରଖିବା ଅନୁଚିତ । ଏହାକୁ ରଖିବା ପୂର୍ବରୁ ଭୂମିକୁ ଶୁଦ୍ଧ କରିବା ଆବଶ୍ୟକ ।

କରୋନା ମୁକାବିଲାରେ ବ୍ୟାଙ୍କର ମାନଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କରୋନା ମୁକାବିଲାରେ ଡାକ୍ତରମାନେ ଜୀବନ ବଞ୍ଚାଉଥିବା ବେଳେ ବ୍ୟାଙ୍କ ଗୁଡିକ ଜୀବିକା ବଞ୍ଚାଉଥିଲେ । ତେଣୁ ସବୁ ବ୍ୟାଙ୍କ କର୍ମଚାରୀ ଜଣେ ଜଣେ ଯୋଦ୍ଧା । ମହାମାରୀ ବେଳେ ଜନସାଧାରଣ ଆର୍ଥିକ ମାନଦଣ୍ଡକୁ ଶୃଙ୍ଖଳିତ ରଖିବାରେ ପ୍ରମୁଖ ଭୁମିକା ନେଇଥିଲେ । ନିଜ ଜୀବନକୁ ଖାତିର ନକରି ଲୋକଙ୍କ ହିତ ସକାଶେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ।

ଏପରିକି ରାଜ୍ୟରେ ବି ଆର୍ଥିକ ସ୍ଥିତି ସ୍ୱାଭାବିକ ରଖିବାରେ ଏମାନେ ରାଜ୍ୟ ସରକାରଙ୍କୁ ସହଯୋଗ କରିଥିଲେ । କରୋନାରେ ପ୍ରାଣତ୍ୟାଗ କରିଥିବା ସେହି ମହାନ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ରାଜ୍ୟସ୍ତରୀୟ ବ୍ୟାଙ୍କର କମିଟି ବୈଠକରେ ଗୁରୁବାର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବ୍ୟାଙ୍କ କର୍ମଚାରୀଙ୍କ ସହ ଚାଷୀ, ମିଶନ ଶକ୍ତି ଗୃପ୍‌ ଏବଂ ଏମ୍‌ଏସ୍ଏମ୍ଇ କ୍ଷେତ୍ରକୁ ବ୍ୟାଙ୍କ ଗୁଡିକ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଚାଷୀଙ୍କୁ ଋଣ ରିହାତି ବାବଦରେ ରାଜ୍ୟସରକାର ୬ ଶହ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଛାଡ଼ କରାଯାଇଥିବା ବେଳେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁଇ ପ୍ରତିଶତ ସୁଧ ସୁବିଧା ରହିଛି । ଏଥିସହ ଭାଗଚାଷୀଙ୍କ ପାଇଁ ‘ବଳରାମ’ ଯୋଜନା କାର୍ଯ୍ୟକାରୀ ହୋଇଛି । ମିଶନଶକ୍ତି ମହିଳାଙ୍କୁ ୧୦୦ ପ୍ରତିଶତ ଋଣ ଛାଡ କରାଯାଇଛି । ଏମଏସ୍ଏମଇ ଋଣ ଛାଡ ବ୍ୟବସ୍ଥା ରହିଛି । ରାଜ୍ୟ ଅର୍ଥନୀତିର ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ବିକାଶକୁ ନିୟମିତ ମନିଟର କରିବେ ମୁଖ୍ୟମନ୍ତ୍ରୀ । ନଭେମ୍ବର ଶେଷ ସୁଧା ସବୁଜିଲ୍ଲା ବ୍ୟାଙ୍କ ଓ ଜିଲ୍ଲାପାଳ ମାନଙ୍କ ସହ ସ୍ଥିତିର ଅନୁଧ୍ୟାନ କରାଯିବ ।

ଅଲିଭ୍ ରିଡଲେ କଇଁଚ ସଂରକ୍ଷଣକୁ ଗୁରୁତ୍ୱ

0

ଭୁବନେଶ୍ୱର: ରାଜ୍ୟରେ ଅଲିଭ ରିଡଲେ କଇଁଚ ସଂରକ୍ଷଣକୁ ଓଡ଼ିଶା ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି ।ଏଥିପାଇଁ ସାରା ରାଜ୍ୟରେ ୬୬ଟି ପାଟ୍ରୋଲିଂ କ୍ୟାମ୍ପ କରାଯାଇଛି । ନଭେମ୍ବର ପହିଲାରୁ ୩୧ ତାରିଖ ପର୍ଯ୍ୟନ୍ତ ମାଛଧରା ନିଷେଧ ରହିଛି । ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ପାଇଁ ୧୦,୬୬୬ ପରିବାରକୁ ସହାୟତା କରାଯିବା ନେଇ ମଧ୍ୟ ନିଷ୍ପତ୍ତି କରାଯାଇଛି ।ଏହି ସବୁ ପରିବାରକୁ ୭୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ।  ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଗତ ଆର୍ଥିକ ବର୍ଷ ୨୦୧୯-୨୦ରେ ୭.୩୦ ଲକ୍ଷ କଇଁଚ ଅଣ୍ଡା ଦେଇଥିଲେ । ୨୦୧୮-୧୯ରେ ୪.୫୧ ଲକ୍ଷ କଇଁଚ ଅଣ୍ଡା ଦେଇଥିଲେ । ଉପଯୁକ୍ତ ସଂରକ୍ଷଣ ନୀତି କାରଣରୁ କଇଁଚ ଅଣ୍ଡାଦାନ ପରିମାଣ ବୃଦ୍ଧି ପାଇଛି । ସାଟେଲାଇଟ୍ ମାଧ୍ୟମରେ କଇଁଚମାନଙ୍କ ଗତିବିଧି ଉପରେ ଧ୍ୟାନ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ପୂର୍ବରୁ ବିଭିନ୍ନ କାରଣରୁ ବହୁ ସଂଖ୍ୟାରେ କଇଁଚ ମରିବା ଲକ୍ଷ୍ୟ କରାଯାଉଥିଲା । ଏବେ କିନ୍ତୁ ତାହା ବହୁ ପରିମାଣରେ ହ୍ରାସ ପାଇଲାଣି । ଏକଦା ୨୦୧୫-୧୬ ମସିହାରେ ୬୯୮୮ କଇଁଚ ମରିଥିବା ବେଳେ ୨୦୧୮-୧୯ରେ ୩୫୧୮ କଇଁଚ ମରି ଥିଲେ । ଆଗାମୀ ଦିନରେ ଏହାକୁ ଆହୁରି ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

 

ଜୋ-ବିଡେନ୍‌ଙ୍କ ନାଁରେ ବେଆଇନ ଅର୍ଥ ନେଣଦେଣ ଅଭିଯୋଗ ଆଣିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ସପ୍ତାହକରୁ କମ୍‌ ସମୟ ରହିଛି । ଏହାରି ଭିତରେ ଏବେ ଉଭୟ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଏବେ ରୋଚକ ମୋଡ଼ ନେଇଛି ।

ରିପବ୍ଲିକାନ୍‌ ପାର୍ଟିର ପ୍ରର୍ଥୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ବିରୋଧରେ ଅନେକ ଦୁର୍ନୀତି ମାମଲା ରହିଛି । ହେଲେ ଏନେଇ ପ୍ରମୁଖ ଗଣମାଧ୍ୟମମାନେ ମୁହଁ ଖୋଲୁନାହାନ୍ତି‌ କାହିଁକି ବୋଲି ଟ୍ରମ୍ପ ପ୍ରଶ୍ନ କରିଛନ୍ତି । ଜୋ ବିଡେନ୍‌ ବେଆଇନ୍‌ ଭାବେ ରୁଷିଆଠାରୁ ୩.୫ ନିୟୁତ ଆମେରିକୀୟ ଡଲାର ପାଇଛନ୍ତି । ରାଷ୍ଟ୍ରପତି ଭ୍ଲାଦ୍‌ମିର ପୁଟିନ୍‌ଙ୍କ ମାଧ୍ୟମରେ ସେ ଏହି ଟଙ୍କା ପାଇଛନ୍ତି । କାରଣ ମସ୍କୋର ପୂର୍ବତନ ମେୟରଙ୍କ ସହ ବିଡେନ୍‌ଙ୍କ ଭଲ ସମ୍ପର୍କ ଥିଲା । ତେବେ ଏହି ବେଆଇନ ଅର୍ଥ ନେଣଦେଣରେ ବିଡେନ୍‌ ଲିପ୍ତ ଥିବାବେଳେ ଆମେରିକୀୟ ଗଣମାଧ୍ୟମ ଏନେଇ ନିରବ କାହିଁକି ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ ପ୍ରଶ୍ନ କରିଛନ୍ତି ।

joe biden-trump

ସେପଟେ ଏହାର ଜବାବରେ ଜୋ ବିଡେନ୍ ଟ୍ରମ୍ପଙ୍କ ଉପରେ କରୋନାକୁ ନେଇ ଜୋରଦାର ପ୍ରହାର କରିଛନ୍ତି । ଏହାସହ ବିଡେନ କହିଛନ୍ତି, ଟ୍ରମ୍ପ ମିଛ କହିବାରେ ଓସ୍ତାଦ । ଟ୍ରମ୍ପଙ୍କ ପରି ମୁଁ କରୋନାକୁ ଆଖିପିଛୁଳାକେ ନଷ୍ଟ କରିଦେବି ବୋଲି ମିଛ ପ୍ରତିଶ୍ରୁତି ଦେଇପାରିବି ନାହିଁ । ଏଥିପାଇଁ ଆମ ସମସ୍ତଙ୍କୁ ମିଳିତ ଭାବେ କଠିନ ପରିଶ୍ରମ କରିବାକୁ ପଡ଼ିବ । ତେବେ ନିକଟ ଅତୀତରେ ପ୍ରେସିଡେନସିଆଲ ଡିବେଟ୍‌ ସରିଥିବା ବେଳେ ଜୋ ବିଡେନଙ୍କ ପ୍ରଦର୍ଶନ ଭଲ ଥିଲା ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ହେଲେ ଏହା ମତଦାନକୁ ପ୍ରଭାବିତ କରିବାରେ ସଫଳ ହୋଇନପାରେ ବୋଲି କୁହାଯାଉଛି ।

ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ସଂଖ୍ୟା, ଫ୍ରାନ୍ସ-ଜର୍ମାନୀରେ ପୁଣି ହୋଇପାରେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନକରେ ୫୬୭୩ ଜଣ କରୋନା ଆକ୍ରାନ୍ତ ହେବା ଖବର,  ଦିଲ୍ଲୀବାସୀଙ୍କୁ ଏହା ଚିନ୍ତାରେ ପକାଇଛି । ଏତେ ସଂଖ୍ୟାରେ ସଂକ୍ରମଣକୁ ନେଇ କେହି କେହି ଏହାକୁ କରୋନା ସଂକ୍ରମଣର ତୃତୀୟ ଲହରି ବୋଲି କହୁଛନ୍ତି । ତେବେ ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏତେ ଶୀଘ୍ର ଏହାକୁ କରୋନାର ତୃତୀୟ ଲହରୀ ବୋଲି କୁହାଯାଇନପାରେ । ଏଭଳି ଆଶଙ୍କା କରିବା ଉଚିତ୍‌ ନୁହେଁ ।

ଅନ୍ୟପଟେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଆଗକୁ ଶୀତ ଲହରୀ ଆସୁଛି ତେଣୁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଶୀତ ଯେତେ ଅଧିକ ରହିବ ସଂକ୍ରମଣ ସେତେ ଅଧିକ ବଢ଼ିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ସଂକ୍ରମଣରୁ ବଞ୍ଚିବାକୁ ହେଲେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ ।

ତେବେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଲଗାତାର ଭାବେ ରେକର୍ଡ ସଂଖ୍ୟକ ସଂକ୍ରମଣ ରାଜଧାନୀ ପାଇଁ ନିହାତି ଏକ ଚିନ୍ତାଜନକ ବିଷୟ । ଯେତେବେଳେ ଜାତୀୟ ସ୍ତରରେ କରୋନା ସଂକ୍ରମଣ ହ୍ରାସ ପାଉଛି ସେତେବେଳେ ଦିଲ୍ଲୀରେ କେରଳ ଭଳି ସ୍ଥିତି ଉପୁଜିଛି । ଏହା ଭଲ ସଂକେତ ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବର୍ତ୍ତମାନ ଥଣ୍ଡା ଦିନ ଆରମ୍ଭ ହୋଇଯାଇଛି । ଏହି ଋତୁରେ କରୋନା ସଂକ୍ରମଣ ନେଇ ଜାତୀୟ ସଂସ୍ଥା ଆଗରୁ ସତର୍କ କରିସାରିଛି । ତେଣୁ ଆମେ ରଣନୀତିରେ ପରିବର୍ତ୍ତନ କରିଛୁ । ଯେତେବେଳେ ଜଣେ ସଂକ୍ରମଣ ଚିହ୍ନଟ ହେଉଛନ୍ତି ସେତେବେଳେ ତାଙ୍କ ପୂରା ପରିବାରର ପରୀକ୍ଷା କରାଯାଉଛି । ଦିଲ୍ଲୀରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଫ୍ରାନ୍ସ ଓ ଜର୍ମାନୀରେ କରୋନାର ତୃତୀୟ ସଂକ୍ରମଣ ପ୍ରବାହ ଆରମ୍ଭ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ଦୁଇଦେଶ ପୁଣିଥରେ ଲକଡାଉନ ଓ ସଟଡାଉନ୍ ନିୟମ ଲାଗୁ କରିବାକୁ ଯୋଜନା କରୁଛନ୍ତି ।

ଅନ୍ୟପଟେ ଭାରତରେ ଦିନକରେ ୪୯ ହଜାର ୮୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧୭ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦ଲକ୍ଷ ୪୦ହଜାର ୨୦୩ରେ ପହଞ୍ଚିଛି । ଆକ୍ଟିଭ କେସ୍ ୬ଲକ୍ଷ ୩ହଜାର ୬୮୭ଥିବା ବେଳେ କରୋନାରୁ ସୁସ୍ଥ ହେଲେଣି ୭୩ଲକ୍ଷ ୧୫ହଜାର ୯୮୯ଜଣ । କରୋନାରେ ୧ ଲକ୍ଷ ୨୦ହଜାର ୫୨୭ଜଣଙ୍କ ମୃତ୍ୟୁ ହେଲାଣି । ମହାରାଷ୍ଟ୍ରରେ ସର୍ବାଧି ସଂକ୍ରମିତ ସଂଖ୍ୟା ୧୬ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୪୩ ହଜାର ୫୫୪ରେ ପହଞ୍ଚିଛି । ସେପଟେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷରୁ ଅଧିକ ହେଲାଣି । କେରଳରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଦିଲ୍ଲୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଦିଲ୍ଲୀରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୦ହଜାର ୧୩ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୬ହଜାର ଟପିଲାଣି ।

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୯୦୮ ଜଣ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୯୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ସୁସ୍ଥତା ସଂଖ୍ୟା ୨ ଲକ୍ଷ ୭୨ ହଜାର ୩୮କୁ ବୃଦ୍ଧି ପାଇଛି । ସଂକ୍ରମଣ ଭଳି ସୁସ୍ଥତାରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୭୦ ଜଣ, ଅନୁଗୁଳ ଜିଲ୍ଲାରୁ ୧୨୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୨ ଜଣ, କଟକ ଜିଲ୍ଲାରୁ ୧୦୦ ଜଣ, ବଲାଙ୍ଗିରର ଜିଲ୍ଲାରୁ ୯୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୮୯, ମୟୂରଭଞ୍ଜ ଜିଲ୍ଲାରୁ ୮୦, କଳାହାଣ୍ଡି ଜିଲ୍ଲାରୁ ୭୬, ଜଗତିସଂହପୁରରୁ ୭୩, ନୂଆପଡ଼ାରୁ ୬୮, ଝାରସୁଗୁଡ଼ାରୁ ୫୫, ଢେଙ୍କାନାଳରୁ ୪୯, ଯାଜପୁରରୁ ୪୮, ପୁରୀରୁ ୪୭, ନବରଙ୍ଗପୁର ଓ ସମ୍ବଲପୁରରୁ ୪୫ ଜଣ ଲେଖାଏଁ, କନ୍ଧମାଳ ଓ କେନ୍ଦୁଝରରୁ ୪୨ ଜଣ ଲେଖାଏଁ, ବରଗଡ଼ ଓ ସୋନପୁରରୁ ୩୭ ଜଣ ଲେଖାଏଁ, ମାଲକାନଗିରରୁ, ରାୟଗଡ଼ାରୁ ୩୪, କୋରାପୁଟରୁ ୩୩, ବୌଦ୍ଧରୁ ୩୨, ନୟାଗଡ଼ରୁ ୩୦, ଭଦ୍ରକରୁ ୨୫, ଗଞ୍ଜାମରୁ ୨୦, ଗଜପତିରୁ ୫, ଦେବଗଡ଼ରୁ ୪ ଏବଂ ଷ୍ଟେଟପୁଲରୁ ୪୧ ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଏବେ ଯାଏଁ ୨ ଲକ୍ଷ ୮୭ ହଜାର ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୨ ଲକ୍ଷ ୭୨ ହଜାର ୩୮ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି । ଏବେ ଯାଏଁ କରୋନାରେ ରାଜ୍ୟରେ ୧ ହଜାର ୨୯୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୪ ଜଣ ସୁସ୍ଥ ହୋଇଥିବା ବିଏମସି ସୂଚନା ଦେଇଛି ।

ପଦାରେ ପଡ଼ିଲା ତିର୍ତ୍ତୋଲ ବିଜେପିରେ କନ୍ଦଳ, ବୈଠକ ବେଳେ ଅସନ୍ତୁଷ୍ଟ କର୍ମୀଙ୍କ ଭଙ୍ଗାରୁଜା

ଜଗତସିଂହପୁର: ଉପନିର୍ବାଚନ ଭୋଟ୍ ପୂର୍ବରୁ ତିର୍ତ୍ତୋଲ ବିଜେପିରେ ତେଜୁଛି ବିବାଦ । ପ୍ରଥମେ ଟିକେଟକୁ ନେଇ ଅସନ୍ତୁଷ୍ଟଙ୍କ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ଗାଡ଼ିକୁ ପଥରମାଡ଼ ଆଉ ଏବେ ବୈଠକ ବେଳେ ଭଙ୍ଗାରୁଜା । ଗୋଟିଏ ପରେ ଗୋଟିଏ କନ୍ଦଳ ତିର୍ତ୍ତୋଲ ବିଜେପିର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି । ଆଜି ପୁଣିଥରେ ତିର୍ତ୍ତୋଲ ବିଜେପିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି ।

Tirtol By Election: Dissatisfied BJP Worker Vandaliszed During State Vice President Meeting

ବିଜେପି କର୍ମୀ ବୈଠକରେ ଭଙ୍ଗାରୁଜା କରିଛନ୍ତି ଅସନ୍ତୁଷ୍ଟ ବିଜେପି କର୍ମୀ । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଗୋଟିଏ ମଣ୍ଡପରେ ଦଳର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଦଳୀୟ କର୍ମୀଙ୍କ ସହ ଆଲୋଚନା କରୁଥିବା ବେଳେ ଧସେଇ ପଶିଥିଲେ ଅସନ୍ତୁଷ୍ଟ ବିଜେପି କର୍ମୀ । ଗାଳିଗୁଲଜ କରିବା ସହ ଚେୟାର ଟେବୁଲ ଭାଙ୍ଗିବା ସହ ଦଳୀୟ ବ୍ୟାନର ଚିରି ଦେଇଥିଲେ ।

Tirtol By Election: Dissatisfied BJP Worker Vandaliszed During State Vice President Meeting

ବୈଠକରେ ଭଙ୍ଗାରୁଜା କରି ଫେରାର ହୋଇଯାଇଛନ୍ତି ଅସନ୍ତୁଷ୍ଟ କର୍ମୀ (ଦୁର୍ବୃତ୍ତ) । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା ଜାରି ରଖିଛି । ଏ ସମ୍ପର୍କରେ କ୍ୟାମେରା ସାମ୍ନାରେ ବିଜେପି କର୍ମୀ ଓ ନେତା କିଛି କହିବାକୁ ରାଜି ନାହାନ୍ତି । ଗତ ସପ୍ତାହରେ ଭୃଗୁ ବକ୍ସିପାତ୍ରଙ୍କ ଗାଡ଼ି ଉପରକୁ ବି ପଥରମାଡ଼ କରିଥିଲେ ।

ଫ୍ରାନ୍ସରେ ଛୁରା ମାଡ଼ ଆତଙ୍କ, ପ୍ରଶାସନ କହିଲା ଏହା ଆତଙ୍କବାଦୀ ଆକ୍ରମଣ

ଫ୍ରାନ୍ସ: ଫ୍ରାନ୍ସର ଦକ୍ଷିଣୀ ସହର ନିସ୍‌ରେ ଜଣେ ଦୁର୍ବୃତ୍ତ ଛୁରୀ ସାହାଯ୍ୟରେ ଚର୍ଚ୍ଚ ନିକଟରେ ଥିବା ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଛି । ଏଥିରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ବୃତ୍ତ ଜଣଙ୍କ ମହିଳାଙ୍କ ବେକ କାଟି ଦେଇଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଏହି ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଅନେକ ଗୁରୁତର ମଧ୍ୟ ହୋଇଛନ୍ତି ।

ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ମେୟର, ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଛନ୍ତି । ଅନ୍ୟପଟେ ଉକ୍ତ ଦୁର୍ବୃତ୍ତକୁ ପୋଲିସ ଗିରଫ କରି ସାରିଥିବା ମେୟର ସୂଚନା ଦେଇଛନ୍ତି ।

ନୀସ୍‌ର ମେୟର ଖ୍ରୀଷ୍ଟିଆନ ଇଷ୍ଟୋରି ଆହୁରି କହିଛନ୍ତି ଯେ, ଏହି ଛୁରାମାଡ଼ ଘଟଣା ସହରର ନିଟ୍ରୋ ଡେମ୍ ବେସିଲିକା ଚର୍ଚ୍ଚ ନିକଟରେ ଘଟିଛି । ଅଭିଯୁକ୍ତ ଗିରଫ ହୋଇସାରିଛି ।

ସେହିଭଳି ଫ୍ରାନ୍ସର ଆଉ  ଜଣେ ନେତା ମଧ୍ୟ ଏହା ନିଶ୍ଚିତ କରିଛନ୍ତି ଯେ, ଚର୍ଚ୍ଚରେ ଜଣେ ଦୁର୍ବୃତ୍ତ ଛୁରାମାଡ଼ କରିଥିଲେ । ଏଥିରେ ଅନେକ ଗୁରୁତର ହୋଇଛନ୍ତି । ଦୁର୍ବୃତ୍ତ ଜଣକ ମହିଳାଙ୍କ ମୁଣ୍ଡ ଶରୀରରୁ ଅଲଗା କରିଦେଇଛି । ତେବେ ଏଭଳି ଜଘନ୍ୟ କାଣ୍ଡ ଭିଆଇବା ପଛର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି । ଫ୍ରାନ୍ସର ଆତଙ୍କବାଦ ବିରୋଧୀ ବିଭାଗ ଏହି ଆକ୍ରମଣ ନେଇ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଫ୍ରାନ୍ସରେ ବିଗତ ଦିନରେ ଜଣେ ଶିକ୍ଷକ ପେଙ୍ଗ୍‌ବରକୁ ନେଇ ହୋଇଥିବା ବ୍ୟଙ୍ଗ ଚିତ୍ରକୁ ଦେଖାଇଥିଲେ । ଫଳରେ ଉକ୍ତ ଶିକ୍ଷକଙ୍କୁ ଜଣେ ଉଗ୍ରବାଦୀ ହତ୍ୟା କରିଥିଲା । ଶିକ୍ଷକ ଜଣକ ସେହି ଉଗ୍ରବାଦୀର ଝିଅକୁ ହିଁ ବ୍ୟଙ୍ଗ ଚିତ୍ର ଦେଖାଇଥିଲେ । ଏଥିପାଇଁ ସେ ଶିକ୍ଷକଙ୍କ ଗଳାକାଟି ହତ୍ୟା କରିଥିଲା । ଏହି ଘଟଣାକୁ ନେଇ ଏବେ ବି ମାମଲା ଶାନ୍ତ ପଡ଼ିନାହିଁ ।

ତେବେ ଏହି ପୁରା ଘଟଣାକୁ ନେଇ ଫ୍ରାନ୍ସର ରାଷ୍ଟ୍ରପତି ମେକ୍ରୋଂ, ଇସ୍‌ଲାମିକ୍‌ ଆତଙ୍କବାଦୀଙ୍କୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ କିଛି ଇସଲାମିକ ଦେଶ ଏହା ବିରୋଧରେ କଠୋର ଆଭିମୁଖ୍ୟ ରଖିଛନ୍ତି ଏବଂ ପୁରା ମାମଲାକୁ ନେଇ ରାଷ୍ଟ୍ରପତି ମେକ୍ରୋଂଙ୍କୁ ସମାଲୋଚନା କରିଛନ୍ତି ।

ନଭେମ୍ବର ୨୭ରେ ହେବ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ

ପୁରୀ: ଆସନ୍ତା ନଭେମ୍ବର ୨୭ ତାରିଖରେ ହେବ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ଏଥିପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଭୋର୍‌ ୪ଟାରୁ ବେଶ ଆରମ୍ଭ କରି ସକାଳ ୭ଟା ମଧ୍ୟରେ ଶେଷ କରାଯିବ । ବେଶ ସମୟରେ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳଧୂପ, ଭୋଗ ମଣ୍ଡପ କରାଯାଇ ଦିନ ଦୁଇଟା ସୁଦ୍ଧା ମଇଲମ ହେବ । ପରେ ଅନ୍ୟାନ୍ୟ ନୀତି କରାଯାଇ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ସମ୍ପନ୍ନ ହେବ ।

Mahaprabhu Nagarjuna Besa Puri Jagannath Mandir

ଚଳିତବର୍ଷ କୋଭିଡ-୧୯ କଟକଣା ଥିବାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ନାଗାର୍ଜୁନ ବେଶ ବେଳେ ମଧ୍ୟ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ଅନ୍ୟପଟେ କାର୍ତ୍ତିକ ମାସରେ ମହାପ୍ରସାଦ ଯେଭଳି ଭକ୍ତ ପାଇପାରିବେ, ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ବୈଠକରେ ଆଲୋଚନା କରାଯାଇଛି । ଶ୍ରୀମନ୍ଦିରର ଦକ୍ଷିଣ ଓ ଉତ୍ତର ଦ୍ୱାରରେ ଭକ୍ତଙ୍କ ପାଇଁ ମହାପ୍ରସାଦ ଉପଲବ୍ଧ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।