spot_img
Home Blog Page 6527

ଭାରତରେ ପ୍ରସ୍ତୁତ ହେବ ଋଷର କରୋନା ଭ୍ୟାକସିନ, ଡିଲ ପାଇଁ ଆଲୋଚନା ଆରମ୍ଭ

ଋଷ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କରୋନା ଭୂତାଣୁ ଭ୍ୟାକସିନ ସ୍ପୁଟନିକ-ବିରେ କେତେକ ଭାରତୀୟ କମ୍ପାନୀ ନିଜର ରୁଚି ଦେଖାଇଛନ୍ତି । ଭାରତୀୟ କମ୍ପାନୀ ଗୁଡ଼ିକ ଆରଡିଆଇଏଫ ସହିତ ଏହି ବିଷୟରେ ଆଲୋଚନା କରିଛନ୍ତି । ଭ୍ୟାକସିନ ଫେଜ ଓ୍ୱାନ ଏବଂ ଫେଜ-ଟୁ ର କ୍ଲିନିକାଲ ଟ୍ରାଏଲ ସହିତ ଜଡ଼ିତ ସୂଚନା ଜାଣିବା ବିଷୟକୁ ନେଇ ଏହି ଆଲୋଚନା ହୋଇଛି ।

କହିରଖୁଛୁ ଆରଡିଆଇଏଫ ଋଷର ପୁଞ୍ଜି ବିନିଯୋଗ କରୁଥିବା କମ୍ପାନୀ । ଏହି କମ୍ପାନୀ କରୋନା ଭ୍ୟାକସିନ ସ୍ପୁଟନିକ ବି’ର ରିସର୍ଚ ଏବଂ ଟ୍ରାଏଲର ଫଣ୍ଡିଂ । ଆରଡିଆଇଏଫ ନିକଟରେ ଏହି ଭ୍ୟାକସିନର ମାର୍କେଟିଙ୍ଗ୍ ଏବଂ ଏକ୍ସପୋର୍ଟ ଅଧିକାର ରହିଛି । ଭ୍ୟାକସିନ-ବି ଦୁନିଆର ପ୍ରଥମ ପଞ୍ଜିକୃତ କରୋନା ଭ୍ୟାକସିନ୍ । ଯଦି ଆରଡିଆଇଏଫ ସହିତ ଭାରତୀୟ କମ୍ପାନୀ ଗୁଡ଼ିକ କରିଥିବା ଆଲୋଚନାର ଉଦ୍ଦେଶ୍ୟ ସଫଳ ହୁଏ ତେବେ ଭାରତରେ ଏହି ଭ୍ୟାକସିନ ଉତ୍ପାଦନ ଆରମ୍ଭ ହୋଇପାରେ ।
ଋଷ ଦୂତାବାସର କହିବା ଅନୁସାରେ ଭାରତୀୟ କମ୍ପାନୀ ଗୁଡ଼ିକ ଭ୍ୟାକସିନକୁ ନେଇ ଆରଡିଆାଇଏଫ ସହିତ ଯୋଗାଯୋଗ କରିଛନ୍ତି । ଏହି କମ୍ପାନୀ ଗୁଡ଼ିକ ଫେଜ-୧ ଏବଂ ଫେଜ-୨ର ଟ୍ରାଏଲର କୌଶଳ ଖବର ମାଗିଛନ୍ତି । ଏହି ମଧ୍ୟରେ ସରକାରଙ୍କ ଠାରୁ ଜରୁରୀ ଅନୁମତି ମିଳିବା ପରେ ତୃତୀୟ ଦେଶର ଭ୍ୟାକସିନ ଉପରେ ଚର୍ଚ୍ଚା ହେଲା । ଏହା ସହିତ ଘରୋଇ ବ୍ୟବହାର ପାଇଁ ଭ୍ୟାକସିନର ପ୍ରସ୍ତୁତିକୁ ନେଇ ଆଲୋଚନା କରାଯାଇଥିବା କହିଛି ଋଷ ଦୂତାବାସ ।
ଗତ ମଙ୍ଗଳବାରକୁ ଋଷ ଦୁନିଆର ପ୍ରଥମ ଦେଶ ଭାବରେ ବିବେଚିତ ହୋଇଛି, ଯିଏ କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ କରିଥିବା ଭ୍ୟାକସିନକୁ ପଞ୍ଜିକୃତ କରିଛି । ଏହି ଭ୍ୟାକସିନକୁ ପ୍ରସ୍ତୁତ କରିଛନ୍ତି ଋଷର ମାଇକ୍ରୋ ବାୟୋଲୋଜି ରିସର୍ଚ ସେଣ୍ଟର ।

ଓଡ଼ିଆ ଇଞ୍ଜିିନିୟରଙ୍କର ନୂଆ ଷ୍ଟାର୍ଟଅପ୍ : ବୈଷିୟକ ବୃତ୍ତିକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟ

ଭୁବନେଶ୍ୱର: ଇଂଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ଓ ବୃତ୍ତି କ୍ଷେତ୍ରରେ ସୁସଙ୍ଗଠିତ ଭାବେ ଗଢିତୋଳିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ‘9th Sem’ ଷ୍ଟାର୍ଟଅପ ସ୍ୱାଧୀନତା ଦିବସ ଅବସରରେ ଲୋକାର୍ପିତ ହୋଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଷ୍ଟାର୍ଟଅପଟି ଉଦଘାଟିତ ହୋଇଥିଲା । ଆବଶ୍ୟକୀୟ ଶିକ୍ଷା ଅଭାବରୁ ନିଜର କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ 9th Sem ଏକ ଆଦର୍ଶ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଉଛି ।


ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ ଷ୍ଟାର୍ଟଅପ ଇଣ୍ଡିଆଠାରୁ ସ୍ଵୀକୃତିପ୍ରାପ୍ତ ଏବଂ ଉଚ୍ଚ ପ୍ରଶଂସିତ ନାଇନସେମ ଏ ପ୍ରକାରର ବୃତ୍ତିଗତ ଶିକ୍ଷା ପ୍ରଦାନରେ ଏକ ଅଭିନବ ଏବଂ ସମ୍ପୂର୍ଣ୍ଣ ନୂଆ ପ୍ରୟାସ ଅଟେ । GIET ଗୁଣୁପୁରର ତିନିଜଣ ଇଞ୍ଜିନିୟରଙ୍କ ଦ୍ଵାରା ଏହି ଷ୍ଟାର୍ଟଅପଟି ପ୍ରତିଷ୍ଠା କରାଯାଇଛି । ଏଥିରେ ମୁଖ୍ୟତଃ ccim(certification course on industry), ମକ ଇଣ୍ଟରଭ୍ୟୁ, ସିଭି ମେକିଙ୍ଗ, ଉପରେ ବିସ୍ତୃତ ଶିକ୍ଷା ପ୍ରଦାନ କରାଯିବ । ସେହିଭଳି କ୍ୟାମ୍ପସ ଚୟନରେ ଇଣ୍ଡଷ୍ଟ୍ରିଆଲ୍ ନେଟୱର୍କିଂ ସହ ବିଶେଷଜ୍ଞଙ୍କଠାରୁ ନିଯୁକ୍ତି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରାଯିବ ।

ଏନେଇ ଷ୍ଟାର୍ଟଅପଟିର ମିଡିଆ ଏବଂ ଷ୍ଟ୍ରାଟେଜୀ ମୁଖ୍ୟ ଦେଶ କୁମାର ରଥ 9th Semର ନାମକରଣ ସମ୍ପର୍କରେ ବ୍ୟାଖ୍ୟା କରିଛନ୍ତି। “ଇଞ୍ଜିନିୟରିଂ ଶିକ୍ଷା ୮ଟି ସେମିଷ୍ଟରରେ ଶେଷ ହୁଏ, କିନ୍ତୁ ପ୍ରକୃତ  ବୈଷୟିକ ଏବଂ ବ୍ୟବହାରିକ ଶିକ୍ଷା କେବଳ  ଏଠାରୁ ଆରମ୍ଭ ହୁଏ | ତେଣୁ ଆମେ ୯ମ ସେମିଷ୍ଟାର ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବାର ସଂକଳ୍ପ ଆଣିଛୁ” | ଉଲ୍ଲେଖଯୋଗ୍ୟ ଯେ ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ ସହ ଭର୍ଚୁଆଲ ଅଲୋଚନାଟିକୁ ଷ୍ଟାର୍ଟଅପର ଷ୍ଟ୍ରଟେଜୀ ମୁଖ୍ୟ ଦେଶ କୁମାର ରଥ ଏବଂ ଅଭନୀ ଝା ପରିଚାଳନା କରିଥିଲେ । ସେହିପରି ଶ୍ରୀ ପ୍ରକାଶ କୁମାର ପରିଆରୀ ସଂଯୋଜକ ଦାୟିତ୍ୱ ତୁଲାଈଥିଲେ । ଇଛୁକ ବ୍ୟକ୍ତିମାନେ କମ୍ପାନୀର ୱେବସାଇଟ www.ninthsem.comକୁ ଯାଇ ବିସ୍ତୃତ ବିବରଣୀ ପାଇପାରିବେ ବୋଲି କୁହାଯାଇଛି ।

କରୋନା ମୁକ୍ତ ହେଲେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା

ଭୁବନେଶ୍ୱର : କରୋନା ସହ ଲଢେଇରେ ଜିତିଲେ ୮୦ବର୍ଷୀୟ ତଥା ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା। ଗତ ୪ ତାରିଖରେ ପଜିଟିଭି ଚିହ୍ନଟ ପରେ  ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି  ଚିନ୍ତାମଣି ଦ୍ୟାନସାମନ୍ତରା ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ତାଙ୍କ ପୁତ୍ର ମନୋରଞ୍ଜନ ଦ୍ୟାନସାମନ୍ତରା ସୂଚନା ଦେଇଛନ୍ତି।

ପରିଣତ ବୟସ ସତ୍ତ୍ୱେ ଦୃଢ଼ ମନୋବଳ ଯୋଗୁଁ ଶ୍ରୀ ଚିନ୍ତାମଣି ଦ୍ୟାନସାମନ୍ତରା କେବଳ ଯେ ନିଜେ ଆରୋଗ୍ୟ ଲାଭ କରିଛନ୍ତି ଏହା ନୁହଁ ବରଂ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ଆଦର୍ଶ ସାଜିଛନ୍ତି । ହସ୍ପିଟାଲରୁ ସୁସ୍ଥ ହେବା ପରେ କରୋନାକୁ ନେଇ ଭୟ ନକରି ବରଂ ଦୃଢ ମନୋବଳ ସହିତ ଲଢେଇ କଲେ କରୋନା ହାରିବ ଓ ମାନବ ସମାଜ ନିଶ୍ଚୟ ଜିତିବ ବୋଲି କହିଛନ୍ତି ।

କେନ୍ଦ୍ର ଉପରେ ବର୍ଷିଲେ ସୋନିଆ- ‘ସମ୍ବିଧାନର ମୂଲ୍ୟ ଓ ପରମ୍ପରା ବିରୋଧରେ ମୋଦି ସରକାର’

ନୂଆଦିଲ୍ଲୀ: ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ଏଥିସହ ସୋନିଆ ମୋଦି ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି । ସୋନିଆ ଗାନ୍ଧି କହିଛନ୍ତି- ସରକାର ପ୍ରଜାତାନ୍ତ୍ରିକ ବ୍ୟବସ୍ଥା, ସମ୍ବିଧାନ ମୂଲ୍ୟ ଓ ସ୍ଥାପିତ ପରମ୍ପରାର ବିପରୀତ ଦିଗରେ ଛିଡ଼ା ହେଉଛନ୍ତି ।

ସୋନିଆ ଗାନ୍ଧି ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେବା ସହ କହିଛନ୍ତି- ବିଶ୍ୱରେ ଭାରତବର୍ଷର ଖ୍ୟାତି ରହିଛି । କେବଳ ପ୍ରଜାତାନ୍ତ୍ରକି ମୂଲ୍ୟ ଓ ବିଭିନ୍ନ ଭାଷା, ଧର୍ମ, ସମ୍ପ୍ରଦାୟ ଯୋଗୁଁ ଏହା ସମ୍ଭବ । ଭାରତ ପ୍ରତିକୂଳ ପରିସ୍ଥିତିକୁ ଏକତାର ସହ ସାମନା କରୁଥିବାରୁ ସାରା ଦୁନିଆ ତାକୁ ଜାଣେ ।

ସେ ଆହୁରି କହିଛନ୍ତି- ସମଗ୍ର ବିଶ୍ୱ ମହାମାରୀ କରୋନା ସହ ଲଢ଼ୁଛି । ଏତିକି ବେଳେ ଭାରତ ଏକଜୁଟ୍ ହୋଇ ମହାମାରୀକୁ ହରାଇବା ଦରକାର । ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ କହିପାରିବି ଆମେ ସବୁ ମିଶିକରି ଏହି ମହାମାରୀକୁ ପରାସ୍ତ କରିବା ସହ ଗମ୍ଭୀର ଆର୍ଥିକ ସଂକଟରୁ ବାହାରକୁ ଆସିପାରିବା ।

ବିଗତ ୭୪ ବର୍ଷ ମଧ୍ୟରେ ଆମେ ସମ୍ବିଧାନ ପ୍ରଦତ୍ତ ପ୍ରଜାତାନ୍ତ୍ରିକ ମୂଲ୍ୟକୁ ସମୟ ସମୟରେ ପରୀକ୍ଷା କରିଛେ । ଏବଂ ତାକୁ ଆହୁରି ପରିପ୍ୱକ କରିଛେ । ଆଜି ଏମିତି ଅନୁଭବ ହେଉଛି କି ସରକାର ପ୍ରଜାତାନ୍ତ୍ରିକ ବ୍ୟବସ୍ଥ, ସମ୍ବିଧାନ ମୂଲ୍ୟ ଓ ସ୍ଥାପିତ ପରମ୍ପରାର ବିପରୀତ ଦିଗରେ ଅଛନ୍ତି । ଭାରତୀୟ ଲୋକତନ୍ତ୍ର ପାଇଁ ଏହା ପରୀକ୍ଷାର ସମୟ ବୋଲି ସେ କହିଛନ୍ତି ।

ଚୀନ ଓ ଭାରତୀୟ ସେନା ଭିତରେ ହୋଇଥିବା ହିଂସାତ୍ମକ ସଂଘର୍ଷ ଉପରେ ସୋନିଆ ଗାନ୍ଧି ମତ ରଖିଛନ୍ତି । କର୍ଣ୍ଣେଲ ସନ୍ତୋଷ ବାବୁ ଓ ଆମର ୨୦ ଜଣ ଯବାନ ଗଲବାନ ଘାଟିରେ ସହିଦ ହେବାକୁ ୬୦ ଦିନ ବିତିଛି । ମୁଁ ସେମାନଙ୍କୁ ମନେ ପକାଇବା ସହ ବୀରତ୍ୱକୁ ସଲାମ କରୁଛି । ସରକାରଙ୍କୁ ନିବେଦନ କରୁଛି ସେମାନଙ୍କୁ ମନେ ରଖିବା ସହ ଉଚିତ୍ ସମ୍ମାନ ଦିଅନ୍ତୁ । ଭାରତମାତାକୁ ରକ୍ଷା ଓ ଚୀନର ଅନୁପ୍ରବେଶକୁ ବିଫଳ କରିବା ହିଁ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ ।

ବିପକ୍ଷଙ୍କ ଉତ୍ତରଦାୟିତ୍ୱ

ସୋନିଆ ଗାନ୍ଧି କହିଛନ୍ତି- ଆଜି ପ୍ରତିଟି ଦେଶବାସୀଙ୍କୁ ଭାବିବା ଉଚିତ୍ ଯେ ଆଜାଦି ବା ସ୍ୱାଧୀନତାର ମାନେ କଣ ? କଣ ଆଜି ଦେଶରେ ଲେଖିବା, କହିବା, ପ୍ରଶ୍ନ ପଚାରିବା, ଅସମହତି ପ୍ରକାଶ କରିବା, ମତ ରଖିବା, ଉତ୍ତରଦାୟୀ ହେବାକୁ ବାଧ୍ୟ କରିବା ସ୍ୱାଧୀନତା ? ପ୍ରତିପକ୍ଷ ବ ବିରୋଧୀ ହିସାବରେ ଆମର ଉତ୍ତରଦାୟିତ୍ୱ ହେଉଛି ଭାରତର ପ୍ରଜାତାନ୍ତ୍ରିକ ସ୍ୱାଧୀନତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଯଥାସମ୍ଭବ ସଂଘର୍ଷ କରିବା ।

ଆସୁଛି ଶାଓମୀର ଶସ୍ତା ଫୋନ Redmi 9A, ଜାଣନ୍ତୁ କ’ଣ ରହିଛି ଫିଚର

ଭାରତୀୟ ସ୍ମାର୍ଟଫୋନ ବଜାରରେ ନମ୍ବର ଓ୍ୱାନ କମ୍ପାନୀ ଭାବରେ ଜଣାଶୁଣା ସାଓମୀ ନିକଟରେ ରେଡମୀ ୯ ପ୍ରାଇମ ସ୍ମାର୍ଟଫୋନ ଲଂଚ କରିଛି । ଏବେ ଏହି କମ୍ପାନୀ ଦେଶରେ ଶସ୍ତା ସ୍ମାର୍ଟଫୋନ ରେଡମୀ ୯ଏ ଆଣିବାକୁ ପ୍ରସ୍ତୁତ । ଉକ୍ତ ସ୍ମାର୍ଟଫୋନକୁ ଓ୍ୱାଇଫାଇ ସହିତ ଜଡ଼ିତ ଓ୍ୱେବସାଇଟ ଓ୍ୱାଇଫାଇ ଆଲାଏନ୍ସରୁ ସାର୍ଟିଫିକେଟ୍ ମିଳି ସାରିଛି । ଏହାଦ୍ୱାରା ସ୍ମାର୍ଟଫୋନ ଖୁବଶୀଘ୍ର ଭାରତରେ ଲଂଚ କରିବାର ସମ୍ଭାବନା ବଢି ଯାଇଛି । କହିରଖୁଛୁ ରେଡମୀ ୯ଏ ସ୍ମାର୍ଟଫୋନ ଗ୍ଲୋବାଲ ବଜାରରେ ରେଡମୀ୯ ଏବଂ ରେଡମୀ୯ସି ପୂର୍ବରୁ ଆସି ସାରିଛି । ଅବଶ୍ୟ ଭାରତୀୟ ବଜାରରେ ଏହାର ଫିଚରରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ।


ଏହି ସ୍ମାର୍ଟଫୋନ ଆଣ୍ଣ୍ରଏଡ ୧୦ ଉପରେ ଆଧାରିତ MIUI ୧୨ରେ କାମ କରିବ । ଅନ୍ୟ ପକ୍ଷରେ ଗ୍ଲୋବାଲ ଭ୍ୟାରିଏଣ୍ଟରେ MIUI ୧୧ ଦିଆଯାଇଥିଲା । ତେବେ ୟୁଜର ଇଣ୍ଟରଫେସ MIUI  ୧୨ରେ କେତେକ ଲାଟେଷ୍ଟ ଫିଚର ଦିଆଯାଇଛି । ଅନ୍ୟ ବିଶେଷତ୍ୱ ବିଷୟରେ ଯଦି ଆଲୋଚନା କରିବା ତେବେ ଏଥିରେ ୬.୫୩ ଇଞ୍ଚର ଏଚଡି+ IPS LCDର ସଂପୂର୍ଣ୍ଣ ବିବରଣୀ ଦିଆଯାଇଛି । ଡିସପ୍ଲେ ଓ୍ୱାଟରଡ୍ରପ ନଚ୍ ଏବଂ ୨୦:୯ ଆସପେକ୍ଟ ରେସିଓ ସହିତ ଆସୁଛି । ସ୍ମାର୍ଟଫୋନରେ ୨ ଜିବି ର‌୍ୟାମ, ୩୨ଜିବି ଇଣ୍ଟରନାଲ ଷ୍ଟୋରେଜ ମିଡିଆଟେକ୍ ହିଲିୟୋ ଜି୨୫ ପ୍ରୋସେସର ମିଳିପାରେ ।

ସ୍ମାର୍ଟଫୋନରେ ୫୦୦୦mAhର ବ୍ୟାଟେରୀ ମିଳିପାରେ । ଏହାଦ୍ୱାରା ଫୋନ ଖୁବଶୀଘ୍ର ଚାର୍ଜ ପାଇଁ ୟୁଏସବି ଟାଇପ ସି ପୋର୍ଟ ସହିତ ଆସିବ । ୧୩ ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୫ ମେଗାପିକ୍ସେଲ ଫ୍ରଣ୍ଟ ଫେସିଂ କ୍ୟାମେରା ଦିଆଯିବ ।

ସ୍ୱାଧୀନତା ଦିବସରେ କାନ୍ଦିଲା ଗାଁ, ସ୍କୁଲକୁ ଯାଇ ଆଉ ଫେରିଲେନି…

ଜଗତସିଂହପୁର: ଅଗଷ୍ଟ ୧୫ ବା ସ୍ୱାଧୀନତା ଦିବସକୁ ସବୁଠୁ ଉତ୍ସାହର ମାହୋଲ୍ । ସ୍ୱାଧୀନତାର ଅଭିବ୍ୟକ୍ତିକୁ ସମସ୍ତେ ପ୍ରକାଶ କରୁଛନ୍ତି । କରୋନାର ଡର ଭିତରେ ଦିଲ୍ଲୀରୁ ପଲ୍ଲୀ ସବୁଠି କଟକଣାରେ ପାଳିତ ହୋଇଛି ଅଗଷ୍ଟ ୧୫ । ଏହାରି ଭିତରେ ଜଗତସିଂହପୁର ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଖବର । ସ୍କୁଲକୁ ଜାତୀୟ ପତାକା ଉତ୍ତୋଳନ ପାଇଁ ଯାଇଥିବା ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

ଅଗଷ୍ଟ ୧୫ ପାଇଁ ସକାଳୁ ଚଳଚଞ୍ଚଳ ଥିଲା ତିର୍ତ୍ତୋଲ ଥାନା ତୁଳଙ୍ଗ ଗାଁ । ଦଶମ ଶ୍ରେଣୀରେ ପଢ଼ୁଥିବା ପ୍ରତ୍ୟୁଷ ବିଶ୍ୱାଳ ଓ ନବମ ଶ୍ରେଣୀରେ ପଢ଼ୁଥିବା ଆୟୁଷ ବିଶ୍ୱାଳ ବିଦ୍ୟାଳୟକୁ ଯାଇଥିଲେ । ହେଲେ, ପତାକା ଉତ୍ତୋଳନ ପରେ ଉଭୟ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଉଭୟଙ୍କ ଶରୀର କେନାଲରୁ ମିଳିଥିଲା ।

ଜଗନ୍ନାଥପୁର ପଞ୍ଚାୟତ ଖୁନ୍ଦଳ ଗାଁ ପୋଖରୀ ନିକଟ ଏକ କେନାଲରେ ମୃତଦେହ ଭାସୁଥିବା ଦେଖିଥିଲେ ଲୋକ । ଏ ଖବର ପ୍ରଚାର ହେବାପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସ୍ଥଳରୁ ସାଙ୍ଗେ ସାଙ୍ଗେ ୨ ଜଣଙ୍କୁ ଏରସମା ମେଡିକାଲ ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

(ଜଗତସିଂହପୁରରୁ ଦୀପ୍ତି ମହାନ୍ତି)

ରାଜଧାନୀରେ ୫ ହଜାର ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ୨୭୭ ପଜିିଟିଭ୍ ଓ ୧୩୩ ସୁସ୍ଥ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୮୧ ଜଣ ଚିହ୍ନଟ ହୋଇଥିବା ବେଳେ ୯୬ ଜଣ ସ୍ଥାନୀୟ ସଂକ୍ରମଣ ଅଟନ୍ତି । ସଂକ୍ରମିତ ହୋଇଥିବା ସମସ୍ତଙ୍କ ବ୍ୟକ୍ତିଙ୍କୁ ବିଏମସିର ତତ୍ତ୍ୱାବଧାନରେ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ପ୍ରକାଶ ପାଇଛି । ୧୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପକ୍ଷରେ ଭୁବନେଶ୍ୱରର ମୋଟ ସଂକ୍ରମିତଙ୍କ ସଂଖ୍ୟା ଆଜିକୁ ମିଶାଇ ୫ହଜାର ଡେଇଁଛି । ତେବେ ଏମାନଙ୍କ ମଧ୍ୟରୁ ଏବେ ସକ୍ରିୟ ସଂକ୍ରମିତ ହେଲେ ୧୮୩୯ । ବାକି ୩୨୫୧ ଜଣ ସୁସ୍ଥ ହୋଇ ସାରିଲେଣି । ଭୁବନେଶ୍ୱର କରୋନା ସଂକ୍ରମଣର ଶୀକାର ହୋଇ ୨୩ ଜଣ ମୃତ ଘୋଷିତ ହେଲେଣି । ସୂଚନାଯୋଗ୍ୟ ଯେ ଗଞ୍ଜାମ ପରେ ଖୋର୍ଦ୍ଧା ଜିଲ୍ଲାରେ ସବୁଠାରୁ ଅଧିକ ସଂକ୍ରମିତ ଦେଖିବାକୁ ମିଳୁଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ସଂକ୍ରମଣ ଅପେକ୍ଷାକୃତ ଭାବେ ଭୁବନେଶ୍ୱରଠାରୁ କମ୍ ରହିଛି । ତେବେ ସଂକ୍ରମଣକୁ କାବୁ କରିବା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ସବୁ ପ୍ରକାର ଉଦ୍ୟମ କରୁଛି । ତେବେ ଏବେ କିଛି ଦିନ ବିଏମସିର ସବୁ ଉଦ୍ୟମ ସତ୍ତ୍ୱେ ମଧ୍ୟ ରାଜଧାନୀରେ ସଂକ୍ରମଣ ଉପର ମୁହାଁ ହୋଇଛି ।

ଋଷର କରୋନା ଭ୍ୟାକ୍ସିନ୍ ଉପରେ ଭରସା ଦେଖାଇଲେ ଏହି ସବୁ ଦେଶ, ରଖିଲେ ଏହି ସବୁ ସର୍ତ୍ତ

ନୂଆଦିଲ୍ଲୀ: ଦୁନିଆର ପ୍ରଥମ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିବା ନେଇ ଋଷ ଦାବି କରିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କହିବା ଅନୁଯାୟୀ ପରୀକ୍ଷାର ସବୁ ପର୍ଯ୍ୟାୟରେ ଭ୍ୟାକ୍ସିନ୍ ଆଶାନୁରୂପ ଫଳ ଦେଖାଇଛି । ତେବେ, Sputnik V (ସ୍ପୁଟନିକ ଭି) ନାମରେ ନାମିତ ଏହି ଭ୍ୟାକ୍ସିନ୍ ଏବେ ଯାଏଁ ଆମେରିକା ଭଳି କେତକ ବଡ଼ ଦେଶର ଭରସା ଜିତି ପାରିନାହିଁ । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଋଷର କରୋନା ଭ୍ୟାକ୍ସିନ୍ ଉପରେ ଆସ୍ଥା ପ୍ରକଟ କରିନାହିଁ ।

ରଷିୟାନ ଡିଫେନ୍ସ ମିନିଷ୍ଟ୍ରୀ ଓ ଗମାଲେୟା ରିସର୍ଚ୍ଚ ଇନଷ୍ଟୁଚ୍ୟୁଟ୍ ଦ୍ୱାରା ବିକଶିତ ଏହି ଭ୍ୟାକ୍ସିନ୍ କରୋନା ଭାଇରସ୍ ବିପକ୍ଷରେ ଇମ୍ୟୁନିଟିକୁ ୨ ବର୍ଷ ଯାଏଁ ବଢ଼ାଇ ପାରିବ । ଏହି ଦାବି ଖୋଦ୍ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୟାନ ପରେ କିଛି ଦେଶ ଋଷ ଭ୍ୟାକ୍ସିନ ଉପରେ ଆଗ୍ରହ ଦେଖାଇଛନ୍ତି ।

ଭିଏତନାମର ଏକ ସ୍ଥାନୀୟ ଖବରକାଗଜରେ ପ୍ରକାଶ ରିପୋର୍ଟରେ କୁହାଯାଇଛି- ଋଷ ନିର୍ମିତ କରୋନା ଭ୍ୟାକ୍ସିନ୍ କିଣିବାକୁ ଶୁକ୍ରବାର ଭିଏତନାମ ପଞ୍ଜିକରଣ କରିଛି । ପ୍ରଥମ ପର୍ଯ୍ୟାୟରେ ଭିଏତନାମ ଋଷ ନିର୍ମିତ ଭ୍ୟାକ୍ସିନର ୫୦ରୁ ୧୫୦ ମିଲିୟନ ଡୋଜ୍ କିଣିପାରେ ବୋଲି କୁହାଯାଇଛି । ଋଷର ଏହି ଭ୍ୟାକ୍ସିନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଏହା ୯ କ୍ୟାଣ୍ଡିଡେଟସରେ ସ୍ଥାନ ପାଇବ ନାହିଁ ।

ସେପଟେ ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଭ୍ୟାକ୍ସିନ୍ କିଣିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନେଇପାରେ । ଇସ୍ରାଏଲର କହିବା କଥା ସେ ପ୍ରଥମେ ଭ୍ୟାକ୍ସିନର ଟେଷ୍ଟ କରିବ ଓ ପରିଣାମ ଠିକ୍ ଆସିଲେ ଭ୍ୟାକ୍ସିନ୍ କିଣିବା ନେଇ ଋଷ ସହ କଥାବାର୍ତ୍ତା କରିବ ।

ଭିଏତନାମ, ଇସ୍ରାଏଲ ବ୍ୟତୀତ୍ ଫିଲିପାଇନ୍ସ ମଧ୍ୟ ଋଷ ଭ୍ୟାକ୍ସିନ୍ କିଣିବା ଉପରେ ଆଗ୍ରହ ପ୍ରକାଶ କରିଛି । ତେବେ, ଋଷ ନିର୍ମିତ ଭ୍ୟାକ୍ସିନ୍ ପରୀକ୍ଷା କରିବାକୁ ଫିଲିପାଇନ୍ସ ଏକ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିବ । ଯେଉଁଥିରେ ଭ୍ୟାକ୍ସିନ୍ କ୍ଷମତା ସମ୍ପର୍କରେ ଜଣାପଡ଼ିବ । ଏହି ପରୀକ୍ଷଣ ଅକ୍ଟୋବର ମାସରେ ଆରମ୍ଭ ହେବ । ଯଦି ପରୀକ୍ଷଣରେ ଭ୍ୟାକ୍ସିନ୍ ସଫଳ ହୁଏ ତେବେ ୨୦୨୧ ମସିହା ଏପ୍ରିଲ୍ ମଧ୍ୟରେ ଏହା ଲୋକଙ୍କ ପାଇଁ ଉପଲବ୍ଧ ହେବ ।

ଋଷର ୩ ହଜାରରୁ ଅଧିକ ମେଡିକାଲ ପ୍ରଫେସନାଲଙ୍କ ଉପରେ ହୋଇଥିବା ସର୍ଭେ ଅନୁସାରେ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ମଧ୍ୟ ଏହି ଭ୍ୟାକ୍ସିନ୍ ଉପରେ ଆସ୍ଥା ପ୍ରକଟ କରିନାହାଁନ୍ତି । ଭ୍ୟାକ୍ସିନ୍ ବାବଦରେ ଅଧିକ ତଥ୍ୟ ନଥିବାରୁ ସେମାନେ ଏହାର ଅନୁମୋଦନ ପ୍ରକ୍ରିୟାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ।

ଡ଼ାକ୍ତରଙ୍କୁ ଆକ୍ରମଣ କଲେ ମୃତକଙ୍କ ସମ୍ପର୍କୀୟ, ମାମଲା ଦାୟର ପରେ ଦୁଇ ଅଟକ…

ବଲାଙ୍ଗିର : ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ରୋଗୀ ମୃତ ଘୋଷିତ ହେବା ପରେ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ଡାକ୍ତର ଓ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ହତ୍ୟା ଧମକ ମଧ୍ୟ ଦେଇଛନ୍ତି । ଏପରିକି ଦୁର୍ବ୍ୟବହାର ମଧ୍ୟ କରିଛନ୍ତି । ଏଭଳି ଘଟଣା ଘଟିଛି ବଲାଙ୍ଗିର ଭୀମ ଭୋଇ ଡ଼ାକ୍ତରଖାନାରେ । ମିଳିଥିବା ସୂଚନା ଅନୁଯାୟୀ, ଆଗଲପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କାନ ବିନ୍ଧା ହେଉଥିବାରୁ ଭୀମଭୋଇ ମେଡିକାଲକୁ ଆଣିଥିଲେ ଘରଲୋକେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଛେଦ କରିବା ପାଇଁ  କହିଥିଲେ ।

ଏଥିରେ ଉତ୍ୟକ୍ତ ହୋଇ ମୃତକଙ୍କ ସଂପର୍କୀୟମାନେ ଡାକ୍ତରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମାରିବାକୁ ଧମକ ଦେଇଥିଲେ । ବଲାଙ୍ଗୀର ଭୀମଭୋଇ କଲେଜ ଓ ହସ୍ପିଟାଲରେ  କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଓ ଧମକ ଭଳି ଘଟଣା ବାରମ୍ବାର ଘଟୁଥିବାର ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାପରେ ଡ଼ାକ୍ତରଖାନା ତରଫରୁ ଥାନାରେ ଅଭିଯୋଗ ଦିଆଯାଇଛି । ବଲାଙ୍ଗିର ଟାଉନ୍ ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।

ଋଷ ଟିକାକୁ ମଜାରେ ଉଡାଇଲା ଆମେରିକା,କହିଲା ଏମିତି ଟିକା ଆମେ କେବଳ ମାଙ୍କଡଙ୍କୁ ଦେଉ

ନ୍ୟୁୟର୍କ: ଋଷ କରୋନା ଟିକାକୁ ନେଇ ବିଶ୍ୱବ୍ୟାପି ଆଲୋଚନା ହେଉଛି । ଋଷ ଏହି ଟିକା ଦ୍ୱାରା ପୁଣିଥରେ ବିଶ୍ୱ ଜିଓ ପଲିଟିକ୍ସରେ ନିଜ ଦବଦବା ବଢାଇବାକୁ ଚାହୁଁଛି । ଫିଲିପାଇନସ୍,ଭିଏତନାମ ଓ କିଛି ଆରବ ରାଷ୍ଟ୍ର ଏହି ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକା ଟିକାକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି ।

ହ୍ୱାଇଟ୍ ହାଉସ୍ ପ୍ରେସ ସଚିବ କାୟଲେ ମୈକନିଙ୍କ ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଋଷ ଭ୍ୟାକ୍ସିନ ବାବଦରେ ସୂଚୀତ କରାଯାଇଛି । ମୈକନୀ କହିଛନ୍ତି ଯେ, ଆମେରିକାରେ ଭ୍ୟାକ୍ସିନକୁ ତୃତୀୟ ପର୍ଯ୍ୟାୟ କଠିନ ପରୀକ୍ଷା ଦେଇ ଯିବାକୁ ପଡିଥାଏ । ଅର୍ଥାତ ଏମିତି କହି ମୈକନୀ ଋଷ ଟିକା ଅସୁରକ୍ଷିତ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଆମେରିକାର ଆଉ ଜଣେ ବରିଷ୍ଠ ଅଧିକାରୀ ସିଏନଏନକୁ ଦେଥିବା ସାକ୍ଷାତକାରରେ କହିଛନ୍ତି ଯେ,ଆମେରିକା ଋଷର ଅଧା ଅଧୁରା ଟିକାକୁ କେବେ ମଧ୍ୟ ଗମ୍ଭୀରତାର ସହ ନେଇନାହିଁ ।  ଋଷ ଯେଉଁଭଳି ଭ୍ୟାକ୍ସିନ୍ ତିଆରି କରିଛି ଆମେ ତାକୁ ମାଙ୍କଡଙ୍କ ଉପରେ ପ୍ରୟୋଗ କରୁ ।

sputnik

ଅନ୍ୟପକ୍ଷରେ ଋଷର କହିବା ହେଉଛି ନିଜ ଭ୍ୟାକ୍ସିନ ସଂପର୍କିତ ଡାଟା ଅନ୍ୟ ଦେଶଙ୍କ ସହ ବାଣ୍ଟିବାକୁ ମସ୍କୋ ପ୍ରସ୍ତୁତ ଅଛି । ଫଳରେ ଆମେରିକୀୟ ଔଷଧ କମ୍ପାନୀ ନିଜ ଦେଶରେ ଋଷ ଭ୍ୟାକ୍ସିନ ତିଆରି କରି ପାରିବେ । ସୂଚନାଯୋଗ୍ୟ ଯେ,ଆମେରିକାର କିଛି କମ୍ପାନୀ ଋଷ ଭ୍ୟାକ୍ସିନ ବାବଦରେ ଜାଣିବା ପାଇଁ ଉତ୍ସୁକ ଅଛନ୍ତି । ତେବେ ସେହି କମ୍ପାନୀଙ୍କ ନାମ ଋଷ ଏପର୍ଯ୍ୟନ୍ତ ସାର୍ବଜନୀନ କରିନି ।

ଋଷର କହିବା ହେଉଛି ଆମେରିକା ଆମ ଭ୍ୟାକ୍ସିନ ବାବଦରେ ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ । ସ୍ପୁଟନିକ୍ ଭି ଭ୍ୟାକ୍ସିନ୍ ଅନେକ ଆମେରିକୀୟଙ୍କ ଜୀବନ ରକ୍ଷା କରିପାରିବ । ସିଏନଏନକୁ ସାକ୍ଷାତକାର ଦେଇ ଋଷର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ,ଯଦି ଆମ ଭ୍ୟାକ୍ସିନ୍ କରୋନା ବିରୋଧରେ ସବୁଠୁ ଭଲ ଟିକା ଭାବେ ଉଭା ହୁଏ ତେବେ ଆମେରିକାରେ ଏହି ପ୍ରଶ୍ନ ଉଠିବ ଯେ, କ’ଣ ପାଇଁ ଏହାକୁ  ବିଚାରକୁ ନିଆଗଲା ନାହିଁ । ଭ୍ୟାକ୍ସିନକୁ ନେଇ ରାଜନୀତି କ’ଣ ପାଇଁ ହେଉଛି ବୋଲି ଋଷ ଅଧିକାରୀ ପ୍ରଶ୍ନ କରିଛନ୍ତି ।

ଆମେରିକା ସରକାରର ଜଣେ ବରିଷ୍ଠ ଅଧିକାରୀ ସିଏନଏନକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ଆମେରିକା ଋଷକୁ କରୋନା ଭ୍ୟାକ୍ସିନର ନମୂନା ମାଗି ନାହିଁ । ଭ୍ୟାକ୍ସିନକୁ ନେଇ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, ଋଷରେ ଯେତିକି ସଂଖ୍ୟକ ସକ୍ରିୟ ସଂକ୍ରମିତ ରହିଛନ୍ତି ସେଠାକାର ସରକାର ଚାହିଁଥିଲେ ଆରାମରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରି ପାରିଥାନ୍ତେ ।  କିନ୍ତୁ ସେମାନେ ବଡ ଧରଣର ପରୀକ୍ଷଣ କରିନାହାନ୍ତି ।

ଆମେରିକୀୟ ଅଧିକାରୀ ଜଣକ କହିଛନ୍ତି ଯେ, ‘‘ଭ୍ୟାକ୍ସିନ୍ ଉପରେ କୌଣସି ଟ୍ରାଏଲ କରାଯାଇ ନାହିଁ । ଏହି ଭ୍ୟାକ୍ସିନ ଉପରେ ସେମାନେ କୌଣସି କାମ କରି ନାହାନ୍ତି । ବହୁତ କମ ଲୋକଙ୍କ ଉପରେ ହ୍ୟୁମେନ୍ ଟ୍ରାଏଲ କରାଯାଇଛି ।  ଏଥିରୁ ଏହା ଜଣା ପଡୁନାହିଁ ଯେ, ଏହି ଭ୍ୟାକ୍ସିନ୍ ବଡ ଜନସଂଖ୍ୟାରେ  ସଫଳ ସାବ୍ୟସ୍ତ ହେବ କି ନାହିଁ ।ଯାହା ଡାଟା ରହିଛି ତାହ ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ଓ ଅପର୍ଯ୍ୟାପ୍ତ ।