spot_img
Home Blog Page 6529

ଧିରେ ଧିରେ ସୁଧୁରୁଛି ମାଲକାନାଗିରିରେ ବନ୍ୟା ପରିସ୍ଥିତି, ଓଡ୍ରାଫ୍ ଟିମ ରହିଛି ସଜାଗ

ମାଲକାନାଗିରି: ମାଲକାନଗିରି ରେ ଧୀରେ ଧୀରେ ସୁଧୁରୁଛି ବନ୍ୟା ପରିସ୍ଥିତି । ଗତକାଲି କାଲିମେଳାରୁ ମୋଟୁ ଯୋଗାଯୋଗ ବିଚ୍ଛିନ୍ନ ଥିବାବେଳେ ଆଜି ସକାଳୁ କାଲିମେଳା ଓ ମୋଟୁ କୁ ଯାତାୟତ ସ୍ୱାଭାବିକ ରହିଛି । ସମସ୍ତ ପୋଲରୁ ପାଣି ଧୀରେ ଧୀରେ କମିବାରେ ଲାଗିଛି । ବର୍ତ୍ତମାନ କେବଳ କନ୍ୟାଶ୍ରମ ଓ କାଙ୍ଗୁରକୋଣ୍ଡା ରେ ପୋଲ ଉପରେ ପାଣି ପ୍ରବାହିତ ହେଉଛି ।  କନ୍ୟାଶ୍ରମ ପୋଲରେ ପାଣି ପ୍ରବାହିତ ଥିବାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ଜାତୀୟ ରାଜପଥ କାଲିମେଳା ଓ ପଡ଼ିଆକୁ ଯାତାୟତ ଏବେ ପର୍ଯ୍ୟନ୍ତ ବନ୍ଦ ରହିଛି । ଏଥିସହ ଜିଲ୍ଲା ପ୍ରଶାସନ , ସମସ୍ତ ବ୍ଲକ ପ୍ରଶାସନ ଏବଂ କାଲିମେଳା ଓଡ୍ରାଫ ଟିମ ତତ୍ପରତା ସହ ସଜାଗ ରହିଛନ୍ତି ।

ସୂଚନା ଅନୁଯାୟୀ, ମାଲକାନଗିରିରେ ଲାଗାଣ ବର୍ଷା ଯୋଗୁ ଗତକାଲି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଲଗାଣ ବର୍ଷା କାରଣରୁ ବୁଡ଼ି ଯାଇଥିଲା ରାସ୍ତାଘାଟ ଓ ପୋଲ । ଗାଡିମୋଟର ଚଳାଚଳ ସମ୍ପୂର୍ଣ୍ଣ ଠପ୍ ରହିଥିଲା ଯାହା ଆଜି ସ୍ୱଭାବିକ ହୋଇଛି । ଏମ୍‌ଭି ୯୬ ପୋଲ ଉପରେ ଗତକାଲି ୫ ଫୁଟର ପାଣି ଚାଲୁଥିଲା । କାଲିମେଳା -ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଆଜି ସୁଧୁରିଛି ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ପ୍ରଭାବରେ ଆହୁରି ୩ ଦିନ ଯାଏଁ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମି ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ରହିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, ପୁରୀ, ଜଗତସିଂପୁର, ସମ୍ବଲପୁର, ଦେବଗଡ,  ଅନୁଗୁଳ, ଏବଂ ବଲାଙ୍ଗୀର  ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଗଞ୍ଜାମ, କୋରାପୁଟ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ସୋନପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଏବଂ  ବରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି ।

ଏଥିସହ ୧୫ ତାରିଖରେ ଓଡ଼ିଶାର ପ୍ରାୟ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୧୬ ତାରିଖରୁ ବର୍ଷାର ପରିମାଣ କମି ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ୧୭ ତାରିଖ ପରଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ପୁଣି ଥରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ୧୪ ଏବଂ ୧୫ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ରହିବାର ସମ୍ଭାବନା ରହିଛି । ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ସମ୍ପୂର୍ଣ ଭାବେ ବାରଣ କରାଯାଇଛି ।

ଆଦିତ୍ୟ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କଲେ ସେବାଶ୍ରମ ବନ୍ଧୁ

ଭୁବନେଶ୍ୱର: ଆଦିତ୍ୟ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କଲେ ସେବାଶ୍ରମ ବନ୍ଧୁ । ଜିଆରପି ପରେ କ୍ରାଇମବ୍ରାଞ୍ଚର ତଦନ୍ତ ମଧ୍ୟ ଶୀଥିଳ ପଡିଛି । ପିପୁଲ ଫର ସେବା ସମେତ ବିଦ୍ୟାଶ୍ରୀଙ୍କ କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରିବାକୁ ପିପୁଲ ଫର ସେବା ସଂଘ ଦାବି କରିଛି । ସେପଟେ ସିବିଆଇ ତଦନ୍ତ ଓ ସିଡିଆର ଯାଞ୍ଚକୁ ସ୍ୱାଗତ କରିଛନ୍ତି ବିଦ୍ୟାଶ୍ରୀ । ଆଉ ପପୁ, ବିକାଶ ଓ ପିପୁଲ ଫର୍ ସେବାର ସଦସ୍ୟଙ୍କୁ ପଚାରିଛନ୍ତି ପ୍ରଶ୍ନ ।

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଏବେ ବି ଏକ ରହସ୍ୟ । ଜିଆରପି ୨୪ ଦିନ, କ୍ରାଇମବ୍ରାଞ୍ଚ ୧୪ ଦିନର ତଦନ୍ତ । ଦେଢ ମାସ ପରେ ମୁହଁ ଖୋଳିଲେ ପପୁ, ବିକାଶ ଓ ସେବାଶ୍ରମର କିଛି ସଦସ୍ୟ । ନ୍ୟାୟ ପାଇଁ ସିବିଆଇ ତଦନ୍ତ ଦାବି କଲେ ସେବାଶ୍ରମର ସାଥୀ । କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନଥିବା ବେଳେ ବିଦ୍ୟାଶ୍ରଙ୍କ ସମେତ ପୁରା ସେବାଶ୍ରମର ୬ ମାସର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରିବାକୁ ଦାବି ହୋଇଛି । ଏହାପରେ ସବୁ ସତ ସାମ୍ନାକୁ ଆସିବ ବୋଲି ସଂଘ ଦାବି କରିଛି । କେବଳ ସେତିକି ନୁହେଁ ବିଦ୍ୟାଶ୍ରୀ କାହିଁକି ଥାନାରେ ଏତଲା ଦେଇ ନାହାନ୍ତି ବୋଲି ଆଉ ଜଣେ ସଦସ୍ୟ ପ୍ରଶ୍ନ କରିଛନ୍ତି ।

ପିପୁଲ୍ ଫର ସେବା ବନାମ ବିଦ୍ୟାଶ୍ରୀ । ମୃତ୍ୟୁ ମିଷ୍ଟ୍ରିକୁ ନେଇ ଲାଗି ରହିଛି ଆରପୋ-ପ୍ରତ୍ୟାରୋପ । ସିବିଆଇ ତଦନ୍ତ ସପକ୍ଷରେ ମଧ୍ୟ ବିଦ୍ୟାଶ୍ରୀ । ଫ୍ରିଜ୍ ଭିତରେ ମୋବାଇଲ ଓ ଚାବି ନଥିଲା, ବେଡରୁମରେ ମୋବାଇଲ ପଡିଥିଲା । ବିନା ଅନୁମତିରେ ବେଡରୁମର ତାଲା କାହିଁକି ଖୋଲିଥିଲା ପପୁ । ଆଦିତ୍ୟଙ୍କୁ ନଖୋଜି, ଘର କାହିଁକି ଖୋଲିଲେ ବୋଲି ବିଦ୍ୟାଶ୍ରୀ ପଲଟା ପ୍ରଶ୍ନ କରିଛନ୍ତି । ବେଡରୁମରେ ସବୁ କିଛି ପଡିଥିଲା, ସେନେଇ ମୋତେ କାହିଁକି ଜଣାଇଲ ନାହିଁ । ଏପରିକି ସୁଇସାଇଡ୍ ନୋଟର ହସ୍ତାକ୍ଷର ଆଦିତ୍ୟଙ୍କର ନୁହେଁ ବୋଲି ପୁଣିଥରେ ବିଦ୍ୟାଶ୍ରୀ ଦାବି କରିଛନ୍ତି । ଆଦିତ୍ୟଙ୍କ ବାପାକୁ ଏତଲା ଦେବାକୁ ପିପୁଲ ଫର ସେବାର ସଦସ୍ୟ ମାନେ ହିଁ ମନା କରିଥିଲେ । ସେପଟେ ବିଦ୍ୟାଶ୍ରୀ ପ୍ରଶ୍ନର ଉତ୍ତର ରଖିଛନ୍ତି ପପୁ ।

(ଅରୁଣ ସାହୁ)

ଡ୍ୟାନ୍ସ କ୍ଳାସରେ ନୁହେଁ, ଛପର ଘରେ ପ୍ରାକ୍ଟିସ ! କୁନି ଡ୍ୟାନ୍ସର ଏବେ ମାଛ ବ୍ୟବସାୟୀ…

ଭୁବନେଶ୍ୱର: ଡ୍ୟାନ୍ସ କ୍ଳାସରେ ନୁହେଁ, ଛପର ଘରେ ଚାଲିଛି ଡ୍ୟାନ୍ସ ପ୍ରାକ୍ଟିସ । କୌଣସି ରିଆଲିଟି ସୋ ନୁହେଁ, ମାଛ ବିକିବା ସହ ଡ୍ୟାନ୍ସ କରୁଛନ୍ତି ରାଜଧାନୀର ବସ୍ତି ବାଳକ ଓମ୍ । ଅର୍ଥ ଅଭାବ ତାଙ୍କ ପ୍ରତିଭାକୁ ଅଟକାଇବାରେ ହୋଇଛି ଅସଫଳ । କିନ୍ତୁ ମନର ଉତ୍ସାହ ତାଙ୍କୁ ଡାନ୍ସ କରିବାକୁ ଦିଏ ସାହସ ।

BBSR Unit 8 street-dancer

ସବୁଥିରେ ପାରଙ୍ଗମ ଓମ୍ । ଭୁବନେଶ୍ୱରର ନୟାପଲ୍ଲୀର ଓମ୍ ନବମ ଶ୍ରେଣୀରେ ପାଠ ପଢନ୍ତି । ବଲିଉଡ, ହିପ୍‌ହପ୍‌, ସଲ୍‌ସା ହେଉ ଅବା କଣ୍ଟେମ୍ପରାରୀ ସବୁ ଡ୍ୟାନ୍ସ ଷ୍ଟାଇଲରେ ମାହିର ଓମ୍ । ପିଲାଟି ଦିନରୁ ଟିଭି ଦେଖି ନାଚ ସିଖୁଥିବା ଓମ୍‌ ଆଗକୁ ଡ୍ୟାନ୍ସରେ ହିଁ କ୍ୟାରିୟର କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ଭୁବନେଶ୍ୱରରେ ଜଣେ ଡ୍ୟାନ୍ସ ଗୁରୁଙ୍କ ପାଖରେ ନାଚ ମଧ୍ୟ ଶିଖୁଛନ୍ତି । ହେଲେ ନାଚରେ ସମ୍ପୁର୍ଣ ଦକ୍ଷ ହେବା ପାଇଁ ତାଙ୍କୁ ଦରକାର ଆହୁରି ଶିକ୍ଷା । କିନ୍ତୁ ଏସବୁ ଭିତରେ ଅର୍ଥ ସାଜୁଛି ବଡ଼ ବାଧକ ।

BBSR Unit 8 street-dancer

କାରଣ ଓମଙ୍କ ବାପା ଜଣେ ମାଛ ବ୍ୟବସାୟୀ । ଭୁବନେଶ୍ୱର ୟୁନିଟ ୮ ରାସ୍ତା କଡରେ ଓମଙ୍କ ବାପା ମାଛ ବିକ୍ରି କରନ୍ତି । ଆଉ ଏବେ ଲକଡାନରରେ ଓମ୍ ବି ବାପାଙ୍କ ସହ ମିଶି କରୁଛନ୍ତି ମାଛ ବେପାର । କାରଣ ଲକଡାଉନରେ ସବୁ ବେପାର ଠପ୍ ହୋଇ ପଡିଥିବା ବେଳେ କେମିତି ଘରକୁ ଭଲ ଦୁଇ ପଇସା ଆସିବ ସେ ଚିନ୍ତାରେ ଓମ୍‌ ବି ଡ୍ୟାନ୍ସରରୁ ପାଲଟି ଯାଇଛନ୍ତି ମାଛ ବ୍ୟବସାୟୀ ।

BBSR Unit 8 street-dancer

ଆଗକୁ ଏ ବସ୍ତି ବଏ ସ୍ୱପ୍ନ ନଗରୀ ମୁମ୍ବାଇରେ ରହି ନାଚ ଶିଖିବାକୁ ଆଶା ବାନ୍ଧିଛନ୍ତି । ଯଦି କୌଣସି ପ୍ରକାରରେ କାହାର ସାହାଯ୍ୟ ମିଳେ ନିଜର ଡ୍ୟାନ୍ସକୁ ଜାତୀୟ ସ୍ଥରରେ ପ୍ରଦର୍ଶିତ କରିବାକୁ ଆଶା ମଧ୍ୟ ରଖିଛନ୍ତି ଓମ୍ ।

(ଶତରୂପା ସାମନ୍ତରାୟ)

ଆଣ୍ଠୁଏ ଖାଲ, ରାସ୍ତାରେ କାଦୁଅ ପଚପଚ ! ଅମ୍ବୁଲାନ୍ସ ବି ଅଟକି ଯାଉଛି…

ବଲାଙ୍ଗିର: ଆଣ୍ଠୁଏ ଖାଲ, ରାସ୍ତାରେ କାଦୁଅ ପଚପଚ । ଏପରିକି ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ଡାକ୍ତରଖାନା ଗାଡ଼ି ମଧ୍ୟ ରାସ୍ତାରେ ଅଟକି ରହୁଛି । ଆମେ କହୁଛୁ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ଜାମଗାଁ-ସାତମାଇଲ ରାସ୍ତାର ଅବସ୍ଥା ।

Ambulance Road Problem

ରାସ୍ତା ମଝିରେ ଫସିରହୁଛି ଆମ୍ବୁଲାନ୍ସ । ବର୍ଷା ହେଲେ ଏହା ହେଉଛି ଏହି ଅଞ୍ଚଳର ନିତିଦିନିଆ ଘଟଣା । ଗତ ବର୍ଷ ବନ୍ୟାରେ ଧୋଇ ଯାଇଥିଲା ରାସ୍ତା । ହେଲେ ଏହାକୁ ବର୍ଷେ ବିତିଯାଇଥିଲେ ବି ମରାମତି ହୋଇପାରି ନାହିଁ । ବଲାଙ୍ଗିର ପୁଇଁନ୍ତଳା ବ୍ଲକ ଜାମଗାଁ-ସାତମାଇଲ ରାସ୍ତା । ଅସରାଏ ବର୍ଷା ହେଲେ ରାସ୍ତାର ଏହି ସ୍ଥାନରେ ପାଣି ଜମି ରହିବା ସହ ଖାଲଖମା ସୃଷ୍ଟି ହୋଇଛି । ଫଳରେ ଜାମଗାଁ-ସାତମାଇଲ ରାସ୍ତାରେ ଯାତାୟାତ କରୁଥିବା ଯାନବାହନ ଗୁଡିକ ରାସ୍ତାରେ ଥିବା ଖାଲରେ ପଡ଼ିରହୁଛି । ବାରମ୍ବାର ଗୁହାରି କରିବା ପରେ ବି ପ୍ରଶାସନ ପକ୍ଷରୁ ସମାଧାନ କରାଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଜାମଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଆଖପାଖ ଅଞ୍ଚଳର ଗ୍ରାମବାସୀମାନେ ସ୍ୱାସ୍ଥ୍ୟସେବା ସମେତ ଅନ୍ୟାନ୍ୟ କାମ ପାଇଁ ଏହି ରାସ୍ତା ଦେଇ ଯାତାୟତ କରଥାନ୍ତି । ତେବେ ଜାମ ଗାଁ ନିକଟରେ ରାସ୍ତା ଉପରେ ରହିଥିବା ଖାଲଖମା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ବିଡିଓଙ୍କୁ ଘଟଣା ସଂପର୍କରେ ପଚରାଯିବାରୁ ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Ambulance Road Problem

(ଦୀପକ ପୁରୋହିତ)

ବଢ଼ିଲା କୁକୁରୁଙ୍କ ଉତ୍ପାତ, ବିଏମ୍‌ସି ପୁଣି ଆରମ୍ଭ କଲା ବନ୍ଧ୍ୟାକରଣ ବ୍ୟବସ୍ଥା

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଆରମ୍ଭ ହେଲା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟୀକାକରଣ କାର୍ଯ୍ୟକ୍ରମ । କରୋନା କଟକଣା ଯୋଗୁଁ ବିଏମ୍‌ସି ପକ୍ଷରୁ ପୂର୍ବରୁ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଥିଲା । ଉଭୟ ବିଏମ୍‌ସି ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ମିଳିତ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ଏଥିପାଇଁ ବିଏମ୍‌ସିର ଦୁଇଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ବୁଲା କୁକୁରଙ୍କୁ କାବୁ କରାଯାଉଛି ।

BMC Dog

କିଛି ଦିନର ବ୍ୟବଧାନରେ ଭୁବନେଶ୍ୱରରେ ପୁଣି ଆରମ୍ଭ ହେଲା ବୁଲା କୁକୁରଙ୍କୁ ଧରିବା କାର୍ଯ୍ୟକ୍ରମ । କୁକୁରଙ୍କୁ ଧରି କରାଯାଉଛି ସେମାନଙ୍କର ବନ୍ଧ୍ୟାକରଣ ଓ ଟୀକାକରଣ । ଏଥିପାଇଁ ବିଏମ୍‌ସି ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍‌ରେ ଅଛନ୍ତି ୩ ଜଣ ଲେଖାଏଁ ତାଲିମ୍‌ ପ୍ରାପ୍ତ କର୍ମଚାରୀ । ସେମାନଙ୍କୁ ଏଥିପାଇଁ ଦିଆଯାଇଛି ବିଭିନ୍ନ ସରଞ୍ଜାମ । ଦୈନିକ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ରୁ ୨୫ଟି ବୁଲା କୁକୁରଙ୍କୁ ଧରାଯାଉଛି ।

ଦିନକୁ ଦିନ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ପୁଣି ଆରମ୍ଭ ହୋଇଛି ସ୍ୱତନ୍ତ୍ର ‘ଏବିସି’ ବା ‘‘ଆନିମଲ ବାର୍ଥ କଣ୍ଟ୍ରାଲ’’ କାର୍ଯ୍ୟକ୍ରମ । ବୁଲା କୁକୁରଙ୍କୁ ଧରି ସେମାନଙ୍କ ବନ୍ଧ୍ୟାକରଣ କରାଯିବା ସହ ସେମାନଙ୍କୁ ଆଣ୍ଟିରବିସ୍‌ ଟୀକା ଦିଆଯାଉଛି । ଫଳରେ ସେହି କୁକୁରଙ୍କ କାମୁଡ଼ାରେ ଆଉ କେହି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ତେବେ ବର୍ତ୍ତମାନ କେବଳ ଲୋକଙ୍କ ଅଭିଯୋଗ ଭିତ୍ତିରେ ବିଭିନ୍ନ ଅଞ୍ଚଳରୁ ବୁଲା କୁକୁରଙ୍କୁ ଧରାଯାଉଛି ।

BMC Dog

(ଶକ୍ତିଧର ରାଜଗୁରୁ)

ପୁଣି ଏକ ହାତୀ ଶାବକର ମୃତ୍ୟୁ, ସଠିକ୍‌ ସମୟରେ ଚିକିତ୍ସା କଲାନି ବନ ବିଭାଗ

ସମ୍ବଲପୁର: ପୁଣି ଏକ ହାତୀ ମୃତ । ଚିକିତ୍ସା ନପାଇ ଚାଲିଗଲା ହାତୀର ଜୀବନ । ବନ ବିଭାଗର ଅବହେଳା ଯୋଗୁଁ ନିରିହ ହାତୀ ଶାବକର ମୃତ୍ୟୁ ହୋଇଥିବା କୁହାଯାଇଛି ।ସମ୍ବଲପୁର ଜିଲ୍ଲାର ଧମା ରେଞ୍ଜ ତବଲୋଇ ସଂରକ୍ଷିତ ଜଙ୍ଗଲରୁ ଏକ ହାତୀ ଶାବକର ମୃତ ଦେହ ଉଦ୍ଧାର ହୋଇଛି । ହାତୀଟି ଅଢେଇ ବର୍ଷରୁ ୩ ବର୍ଷର ହେବ । କିଛି ଦିନ ପୂର୍ବରୁ ଏହି ହାତୀଟି ଅସୁସ୍ଥ ଥିବା ବନ ବିଭାଗ ଜାଣିବାକୁ ପାଇଥିଲା । ହାତୀଟିର ଶବ ବ୍ୟବଚ୍ଛେଦ ହୋଇସାରିଛି । ହାତୀଟିର ପାଟିରୁ ଅନ୍ତନଳୀ ପର୍ଯ୍ୟନ୍ତ ପଚି ଯାଇଥିବା ଜଣାପଡିଛି । ଯାହାକୁ କୋବାଲଡିସିସ ରୋଗ କୁହାଯାଏ । ଏହାହିଁ ହାତୀ ଶାବକର ମୃତ୍ୟୁର କାରଣ ବୋଲି କୁହାଯାଉଛି ।

Elephant Death

ତେବେ ଏଠି ପ୍ରଶ୍ନ ଉଠୁଛି ବନ ବିଭାଗର କର୍ମଚାରୀ ମାନେ ଜାଣିଥିଲେ ହାତୀଟି ଅସୁସ୍ଥ ଅଛି, ତାହେଲେ କାହିଁକି ହାତୀଟିର ଚିକିତ୍ସା କଲେନି । ୧୦ ତାରିଖରେ ବନ କର୍ମଚାରୀ ମାନେ ଏହାର ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଥିଲେ । ହେଲେ ଚିକିତ୍ସା କରିନଥିଲେ । ଯଦି ସଠିକ୍‌ ସମୟରେ ହାତୀଟିର ଚିକିତ୍ସା ହୋଇଥାନ୍ତା ହୁଏତ ହାତୀ ଶାବକଟି ବଂଚି ପାରିଥାନ୍ତା । ଏହା ପୂର୍ବରୁ ମଧ୍ୟ ମାର୍ଚ୍ଚ ୪ ତାରିଖରେ ଏହି ଅଞ୍ଚଳରେ ଏକ ଗୁଳି ବିଦ୍ଧ ହାତୀର ମୃତଦେହ ମିଳିଥିଲା ।

Elephant Death

ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ସରକାର ଏଥିପ୍ରତି ଅନେକ ପଦକ୍ଷେପ ନେଉଛନ୍ତି ସତ । ହେଲେ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ହାତୀଙ୍କ ଜୀବନ ଚାଲିଯାଉଛି । ଏହାପାଇଁ କାହାକୁ ଦାୟୀ କରାଯାଉ ନାହିଁ ବୋଲି ଅସନ୍ତୋଷ ମଧ୍ୟ ତେଜୁଛି ।

ପ୍ରଶାସନ କରିପାରିଲାନି‌, ଗ୍ରାମବାସୀ କରି ଦେଖାଇଲେ ! ପାହାଡ଼ କାଟି ଝରଣାର ଗତି ବଦଳାଇଲେ…

ମାଲକାନଗିରି: ଗାଁ ମୁହାଁ ଏବେ ଝରଣାର ଝର । ସମ୍ଭବ କରି ଦେଖାଇଛି ପାହାଡି ମଣିଷ । ପ୍ରକୃତିର ଏହି ଅନନ୍ୟ ଶୋଭାରାଜି ଗାଁରେ ଦୃଶ୍ୟମାନ । ପ୍ରକୃତିର ଏହି ଅନନ୍ୟ ସମ୍ପଦକୁ ସଦୁପୋଯୋଗ କରି ପାରିଲା ନାହିଁ ପ୍ରଶାସନ । ଯାହାକୁ କରି ଦେଖାଇଲେ ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ବାସିନ୍ଦା ।

Malkangiri Jharana

ବଣ ପାହାଡ ଘେରା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ପ୍ରକୃତିର ଏହି ଅନନ୍ୟ ଦୃଶ୍ୟ । କେଉଁଠି ସବୁଜ ସୁନ୍ଦର ଆକାଶ ଛୁଆଁ ବୃକ୍ଷରାଜ ତ କେଉଁଠି କୁଳୁ କୁଳୁ ନାଦରେ ପ୍ରବାହିତ ଝରଣା । ପ୍ରଶାସନର ପଦକ୍ଷେପକୁ ଆଉ ଅପେକ୍ଷା ନକରି ନିଜ ପାଇଁ ନିଜେ ଏମିତି କିଛି କାମ କରିଛନ୍ତି ଖଇରପୁଟ ବ୍ଲକ ଅନ୍ତର୍ଗତ ଗୁମ୍ମାଝରଣ ଗାଁ ବାସିନ୍ଦା । ପାହାଡ କାଟି ଗାଁ ପାଖକୁ ନେଇ ଆସିଲେ ଝରଣାର ଝର । ଝରଣାର କୁଳୁ କୁଳୁ ଶବ୍ଦ କରୁଥିବା ଝର ପାଣି ଯୋଗୁଁ ହସୁଛି ପାହାଡ଼ି ଅଞ୍ଚଳର କ୍ଷେତ । ୫୦ଟି ପରିବାର ଥିବା ଏହି ଗାଁରେ ପାଣିର ସମସ୍ୟା ଥିଲା ହେଲେ କେହି ବି ତାଙ୍କର ଗୁହାରି ଶୁଣି ନଥିଲେ । ଶେଷରେ ଗାଁ ଲୋକେ ଅଣ୍ଟା ଭିଡ଼ି ପାହାଡ଼ କାଟି ଧାର ଜରିଆରେ ଝରଣାର ଝରକୁ ଦେଖାଇଲେ ଗାଁର ବାଟ ।

ଏବେ ଗାଁର ଅତି ନିକଟତର ହୋଇପାରିଛି ଝରଣାର ଝର । ଲୋକଙ୍କ ଶୋଷ ମେଣ୍ଟିବା ସହ ହସୁଛି ଏହି ଗାଁର ହଜାର ହଜାର ଏକରର କ୍ଷେତ । ଗାଁର କ୍ଷେତରେ ଫଳୁଛି ଭଳି କି ଭଳି ପନିପରିବା । ଝରଣାର ଝର ଏବେ ଏହି ଗାଁ ପାଇଁ ପାଲଟିଛି ଅମୃତର ଝର । ପର୍ଯ୍ୟଟନସ୍ଥଳୀର ମାନ୍ୟତା ସହ ଉନ୍ନତି କରଣ ପାଇଁ ଦାବି ବାଢିଛନ୍ତି ବୁଦ୍ଧିଜୀବୀ ।  ଗ୍ରାମବାସୀଙ୍କର ଆପ୍ରାଣ ଚେଷ୍ଟା ଆଜି ଗାଁର ସବୁ ଆବଶ୍ୟକତା ମେଣ୍ଟାଇବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହାରଣ ।

Malkangiri Jharana

(ଇଶ୍ୱର ପଟନାୟକ)

କରୋନା କଟକଣା ଉଜାଡ଼ି ଦେଇଛି ମୂର୍ତ୍ତି କାରଗରଙ୍କ ଜିବୀକା

କେନ୍ଦୁଝର: ପରମ୍ପରା ସହ ଜଡିତ ଓଡ଼ିଶାର ସଂସ୍କୃତି । ବାର ମାସରେ ତେର ପର୍ବ । ପର୍ବପର୍ବାଣି ଉପରେ ନିର୍ଭର କରି ମୂର୍ତ୍ତି କାରିଗରର ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ କରୋନା କଟକଣା ଯୋଗୁ ବେଶ ପ୍ରଭାବିତ ହୋଇଛନ୍ତି ସେମାନେ । ଆଉ ଦିନ କେଇଟା ପରେ ଗଣେଶ ଓ ବିଶ୍ୱକର୍ମା ପୂଜା, ହେଲେ ମୂର୍ତ୍ତି ବିକ୍ରିକୁ ନେଇ କାରିଗର ଚିନ୍ତାରେ ।

କେନ୍ଦୁଝର ପୁରୁଣା ସହରରେ ରୁହନ୍ତି ୧୫ ରୁ ଅଧିକ ମୂର୍ତ୍ତି କାରିଗର । ପର୍ବ ପର୍ବାଣୀ ଋତୁରେ ତଥା ପୂଜା ପାର୍ବଣରେ ମୂର୍ତ୍ତି ତିଆରି କରି ନିଜର ବର୍ଷକର ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି ଏହି କାରିଗର ମାନେ । କିନ୍ତୁ ସରକାରଙ୍କ ସାମୁହିକ ପୂଜା ଉପରେ କରୋନା କଟକଣା ଯୋଗୁଁ ଏଥର ମୂର୍ତ୍ତି ବେପାର ମାନ୍ଦା ପଡ଼ିଛି । ଆଗକୁ ଗଣେଷ ପୂଜା ଥିବାବେଳେ କାରିଗର ଚିନ୍ତାରେ ପଡ଼ିଯାଇଛନ୍ତି । କାରିଗର ଦୁଇ ପଇସା ପାଇବା ଆଶାରେ ମୂର୍ତ୍ତି ଗଢ଼ିଥିଲେ କିନ୍ତୁ ମୂର୍ତ୍ତି ବିକ୍ରିବଟା ହେଉନଥିବା ବେଳେ କେବଳ ଭଗବାନଙ୍କୁ ଭରସା କରି ବସିଛନ୍ତି ।

କଟକଣା ସତ୍ତ୍ୱେ ପୂଜା ପର୍ବାଣକୁ ଛାଡି ପାରିନହାନ୍ତି ଲୋକେ । ସେପଟେ ମୂର୍ତ୍ତି ବିକ୍ରିର ମାନ୍ଦା ଅବସ୍ଥା ପାଇଁ ଚଢା ଦରରେ ବିକ୍ରି ବି ହେଉଛି । ଅଧିକାଂଶ ଘରେ ଫଟୋ ରଖି ପୂଜା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅଳ୍ପ କିଛି ସ୍ଥାନରେ ମୂର୍ତ୍ତି କିଣାଯାଉଥିବା ଦେଖିବାକୁ ମିଳିଛି ।

ଭାରତ ବ୍ୟତୀତ ଏହି ୫ଟି ଦେଶରେ ଅଗଷ୍ଟ ୧୫ରେ ପାଳନ ହୁଏ ଦେଶର ସ୍ୱାଧୀନତା ଦିବସ

ଗୋଟିଏ ଦିନ ପରେ ଭାରତ ପାଳନ କରିବ ୭୪ ତମ ସ୍ୱାଧୀନତା ଦିବସ । ସମସ୍ତ ସଚେତନତାକୁ ନଜରରେ ରଖି ଦେଶ ପୁଣି ମନେ ପକାଇବ ସେହି ମହାପୁରୁଷ ମାନଙ୍କୁ ଯେଉଁମାନେ ନିଜ ଜୀବନକୁ ବଳି ଦେଇ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ । ତେବେ ଏହି ଦିନ ଉତ୍ସବ କେବଳ ଭାରତ ନୁହେଁ ବରଂ ଏହା ସହିତ ୫ଟି ଦେଶ ମଧ୍ୟ ସେମାନଙ୍କର ସ୍ୱାଧୀନତା ଦିବସ ପାଳନ କରନ୍ତି । ସେହି ଦେଶ ଗୁଡ଼ିକ ହେଲେ-ସାଉଥ କୋରିଆ, ନର୍ଥ କୋରିଆ,କାଙ୍ଗୋ,ବହରିନ ଏବଂ ଲିକଣ୍ଟେଷ୍ଟିନ ।


୧୫ ଅଗଷ୍ଟ ୧୯୪୫ରେ ସାଉଥ କୋରିଆ ଜାପାନ ଠାରୁ ସ୍ୱାଧୀନତା ପାଇଥିଲା । ୟୁଏସ ଏବଂ ସୋଭିଏତ ଫୋର୍ସେସ କୋରିଆକୁ ଜାପାନ କବଳରୁ ବାହାର କରିଥିଲେ ।


ସାଉଥ କୋରିଆ ଭଳି ନର୍ଥ କୋରିଆ ମଧ୍ୟ ୧୫ ଅଗଷ୍ଟ ୧୯୪୫ରେ ଜାପାନ ଠାରୁ ସ୍ୱାଧୀନତା ପାଇଥିଲେ । ଛୁଟି ଦିନ ହୋଇ ଥିବାରୁ ଏହି ଦିନରେ ଏଠାରେ ବିବାହ ପରମ୍ପରା ଆରମ୍ଭ ହୋଇଛି ।


୧୫ ଅଗଷ୍ଟ ୧୯୭୧ କୁ ବହରିନ ମଧ୍ୟ ସ୍ୱାଧୀନତା ହାସଲ କରିଥିଲା । ଅବଶ୍ୟ ୧୯୬୦ରୁ ବ୍ରିଟିଶ ଶାସକ ବହରିନ ଛାଡ଼ିବା ଆରମ୍ଭ କରିଥିଲେ । କିନ୍ତୁ ବହରିନ ଅଗଷ୍ଟ ୧୬କୁ ନ୍ୟାସନାଲ ହଲିଡେ ଭାବରେ ପାଳନ କରୁଛି ।


କାଙ୍ଗୋ ୧୫ ଅଗଷ୍ଟ ୧୯୬୦ରେ ଫ୍ରାନ୍ସ ଠାରୁ ସ୍ୱାଧୀନତା ହାସଲ କରିଥିଲା ।
ଲିକଣ୍ଟେଷ୍ଟିନ ୧୫ ଅଗଷ୍ଟ ୧୮୬୬ ଜର୍ମାନୀ ଠାରୁ ସ୍ୱାଧୀନତ ହାସଲ କରିଥିଲା । ୧୯୪୦ ଠାରୁ ସେ ସ୍ୱାଧୀନତା ଦିବସ ପାଳନ କରୁଛି । ଏହା ବିଶ୍ୱର ସବୁଠାରୁ ଛୋଟ ଦେଶ ।