spot_img
Home Blog Page 6530

ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା: କେନ୍ଦ୍ରର କୃଷି ବିଲ୍ ଯୋଗୁଁ ବଢିଛି ପିଆଜ ଦର

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ନିୟନ୍ତ୍ରଣ ବାହାରକୁ ଯାଇଛି । ଗତ ୪ ଦିନ ହେବ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ  ପିଆଜ ଦର ଅତିକମରେ ୮୦ ଟଙ୍କା ରହିଛି । ଏଭଳି ସ୍ଥିତିରେ ରାଜ୍ୟ  ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଭୁଲ କୃଷି ଆଇନ ଯୋଗୁଁ ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ନୂଆ ବିଲରେ  ଆଳୁ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦିଆଯାଇଛି ।

ଯାହାର ଫଳ ରାଜ୍ୟକୁ ଭୋଗିବାକୁ ପଡୁଛି । ତେବେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ପିଆଜ ଦର ଆହୁରି ବଢିବ ଓ କେନ୍ଦ୍ର ସରକାର ଚାହିଁଲେ ମଧ୍ୟ ଦରକୁ ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ଯୋଗାଣ ମନ୍ତ୍ରୀ ଦୃଢୋକ୍ତି ବାଢିଛନ୍ତି । ତେବେ ସାରା ଦେଶର ପିଆଜ ଦର ଉପରେ ମନ୍ତବ୍ୟ ରଖି ସେ କହିଛନ୍ତି ଯେ, କେବଳ ଓଡିଶାରେ ନୁହେଁ ଦେଶର ଅନ୍ୟ ପ୍ରଦେଶଗୁଡିକରେ ମଧ୍ୟ ପିଆଜ ଦର ବହୁ ପରିମାଣରେ ବଢିଛି ।ଦିଲ୍ଲୀ, କେରଳ ଭଳି ରାଜ୍ୟରେ ପିଆଜ ଦର ଓଡିଶାଠାରୁ ଅଧିକ ରହିଛି ।

ତେବେ ରାଜ୍ୟ ସରକାର ଦରକୁ ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି । ମାର୍କେଟରେ ଘନଘନ ଚଢାଉ କରାଯାଉ, କଳାବଜାରୀ ରୋକିବାର ପ୍ରୟାସ କରାଯାଉଛି । ସେହିଭଳି ଯୋଗାଣ ଅଧିକାରୀମାନେ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛନ୍ତି ।

ବିହାର ନିର୍ବାଚନ, ରାଷ୍ଟ୍ରୀୟ ଦଳଠାରୁ ନୂଆ ଦଳର ସାହସ କମ୍‌ ନୁହେଁ !

ପାଟନା: ବିହାର ନିର୍ବାଚନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ହେଲେ ବିହାରରେ ଏଥର ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ବଡ଼ ବଡ଼ ରାଜନୈତିକ ଦଳ ଅପେକ୍ଷା ଛୋଟ ଛୋଟ ଏବଂ ନୂଆ ଦଳ ନିଜର ପ୍ରାଦୁର୍ଭାବ ବଢ଼ାଇବାରେ ଲାଗିଛନ୍ତି । ରାଜ୍ୟସ୍ତରୀୟ ତଥା ରାଷ୍ଟ୍ରୀୟ ଦଳ ଗୁଡ଼ିକ ମେଣ୍ଟ କରି ନିର୍ବାଚନ ଲଢ଼ୁଥିବା ବେଳେ ଏବେ ଏବେ ଜନ୍ମ ନେଇଥିବା ଦଳ ଗୁଡ଼ିକ ଏକା ମଇଦାନକୁ ଓହ୍ଲାଇଛନ୍ତି । ବିନା କୌଣସି ରାଜନୈତିକ ଦଳର ସହାୟତାରେ ଏହି ଦଳ ମାନେ ବିହାରର ପ୍ରାୟ ସମସ୍ତ ସିଟ୍‌ରେ ପ୍ରାର୍ଥୀ ଛିଡ଼ା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଏହି ନିର୍ବାଚନରେ ୭୯ଟି ନୂଆ ରାଜନୈତିକ ଦଳ ପଞ୍ଜିକୃତ ହୋଇଛନ୍ତି । ଏନେଇ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

୮୭ଟି ନୂଆ ଦଳ ମଇଦାନରେ 

ନିର୍ବାଚନରେ ଏଥର ମୋଟ୍‌ ୮୭ଟି ନୂଆ ଦଳ ଅଂଶ ଗ୍ରହଣ କରିଛି । ସେଥିମଧ୍ୟରୁ ୭୯ଟି ଦଳ ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ଆଉ ୮ଟି ଦଳ ପୂର୍ବରୁ କୌଣସି ଏକ ନିର୍ବାଚନ ଲଢ଼ିସାରିଛନ୍ତି । ଏହି ୮୭ଟି ଦଳ ମଧ୍ୟରୁ ପ୍ରାୟ ୩୬ରୁ ଅଧିକ ଦଳ ବିହାରର ସମସ୍ତ ୨୪୩ ସିଟ୍‌ରେ ପ୍ରାର୍ଥୀ ଦେଇଛନ୍ତି । ହେଲେ ଦୁର୍ଭାଗ୍ୟବସତଃ କିଛି ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇସାରିଛି । ତଥାପି ଏହି ଦଳ ମାନଙ୍କର ସାହସ ମାନିବାକୁ ପଡ଼ିବ । କାରଣ ବିନା କୌଣସି ବଡ଼ ରାଜନୈତିକ ଦଳର ସହଯୋଗରେ ଏହି ଦଳମାନେ ରାଷ୍ଟ୍ରୀୟ ଦଳ ଓ ମେଣ୍ଟଦଳକୁ ଟକ୍କର ଦେଉଛନ୍ତି ।

ନିର୍ବାଚନ ଆୟୋଗଙ୍କ ସୂଚନାନୁଯାୟୀ, ଜୁନ୍ ମାସରେ ୧୮ଟି, ଜୁଲାଇରେ ୧୭, ଅଗଷ୍ଟରେ ୧୩ ଏବଂ ସେପ୍ଟେମ୍ବରରେ ୩୯ଟି ଦଳ ପଞ୍ଜିକରଣ କରିବା ପରେ ସେମାନଙ୍କୁ ନିର୍ବାଚନୀ ଚିହ୍ନ ଦିଆଯାଇଛି ।

ନୂଆ କରି ପଞ୍ଜିକୃତ ହୋଇଥିବା ଦଳ ଗୁଡ଼ିକର ନାଁ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ । ଅସଲି ଦେଶ ପାର୍ଟି, ଜାଗୋ ହିନ୍ଦୁସ୍ତାନ, ଓ୍ୱାଜିବ୍‌ ଅଧିକାର ପାର୍ଟି, ସମଗ୍ର ଉତ୍ଥାନ ପାର୍ଟି, ଲୋଗ୍‌ ଜନ୍‌ ପାର୍ଟି, ଭାରତୀୟ ସବ୍‌ଲୋଗ୍‌ ପାର୍ଟି, ରାଷ୍ଟ୍ରୀୟ ସବ୍‌ଜନଶକ୍ତି ପାର୍ଟି, ଉଦାରବାଦୀ ସମରସତ୍ତା ପାର୍ଟି, ଟିପୁ ସୁଲ୍‌ତାନ୍‌ ପାର୍ଟି, ଫୌଜୀ କିଷାନ୍‌ ପାର୍ଟି, ରାଣୀ ଲକ୍ଷ୍ମୀବାଇ କ୍ରାନ୍ତିକାରୀ ପାର୍ଟି ଭଳି ମଜାଦାର ନାଁ ଏଥିରେ ସାମିଲ ରହଛି । ଏମାନଙ୍କୁ ମାଇକ୍‌, ଚିମିନି, ତକିଆ, ତରଭୂଜ, ଚକ୍କୀ, ବାଲ୍ଟି, ଇଟା ଏବଂ ବ୍ରେଡ୍‌ ଭଳି ଚିହ୍ନ ଦିଆଯାଇଛି ।

BJP Mediator AIADMK Sasikala Merger May 2021 Assembly Elections Tamilnadu

ବଡ଼ ଦଳର ସ୍ଥିତି

ବିଜେପି ପୂର୍ବରୁ ବିହାରରେ ୧୬୮ଟି ଆସନ ପ୍ରତିଦ୍ୱନ୍ଦ୍ୱିତା କରିସାରିଛି । କିନ୍ତୁ ଏଥର ବିଜେପି କୋଟାରେ ୧୨୧ଟି ଆସନ ରହିଛି । ତେବେ ଏହି ୧୨୧ରୁ କିଛି ସିଟ୍‌ ବିକାଶ ଶୀଳ ଇନ୍‌ସାନ୍‌ ପାର୍ଟି ସହ ସେୟାର କରିଛି ।

୨୦୦୦  ମସିହା ନିର୍ବାଚନରେ ​​କଂଗ୍ରେସ ୩୨୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ହେଲେ ଏଥର ସେ ମାତ୍ର ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି

୨୦୧୦ରେ ଜେଡିୟୁ ସର୍ବାଧିକ ୧୪୧ଟି ସିଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ହେଲେ ଏବେ ଏହାର ସଂଖ୍ୟା ହ୍ରାସ ପାଇଁ ୧୨୨ରେ ପହଞ୍ଚିଛି । ଏଥିରୁ କିଛି ସିଟ୍ ସେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ଦେଇଛି

ସେହିଭଳି ୨୦୦୦ ମସିହାରେ ଆର୍‌ଜେଡି ୨୯୩ ସିଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ରାଜ୍ୟ ବିଭାଜନ ପରେ ୨୦୦୫ ରୁ ଆଜି ସୁଦ୍ଧା ସେ ସର୍ବାଧିକ ୧୭୫ଟି ସିଟ୍‌ରେ ଲଢ଼ିଛି । କିନ୍ତ ଏହି ନିର୍ବାଚନରେ ଏବେ ସେହି ସଂଖ୍ୟା ହ୍ରାସ ପାଇ ୧୪୪ରେ ପହଞ୍ଚିଛି ।

ମାଇକ୍ରୋମାକ୍ସ କହୁଛି, ଚାଲନ୍ତୁ ଚିନି କମ କରିବା…

ମୁମ୍ବାଇ:  ନଭେମ୍ବର ୩ରେ ଲଞ୍ଚ ହେବାକୁ ଯାଉଛି ଭାରତୀୟ ସ୍କାର୍ଟଫୋନ ମାଇକ୍ରୋମାକ୍ସର IN ମୋବାଇଲ ବ୍ରାଣ୍ଡ । ମାଇକ୍ରୋମାକ୍ସର ନିର୍ମାତା  ଶୁକ୍ରବାର ଦିନ ଏହି ଘୋଷଣା କରିଛନ୍ତି । ତେବେ ଏହାକୁ ମାଇକ୍ରୋମାକ୍ସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି । ମୋବାଇଲ ଲଞ୍ଚ କରିବା ସହିତ କମ୍ପାନୀ ‘ଆଓ କରେଁ ଥୋଡ଼ା ଚିନି କମ୍‌’ ଟ୍ୟାଗଲାଇନ ରଖିଛି । ତେବେ ଉକ୍ତ ଟ୍ୟାଗଲାଇନ ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିଛି । କେବଳ ଆକୃଷ୍ଟ କରିଛି ତାହା ନୁହେଁ ବରଂ ଦ୍ୱନ୍ଦରେ ମଧ୍ୟ ପକାଇଛି ।  ସୂଚନା ଅନୁସାରେ ମାଇକ୍ରୋମାକ୍ସର IN ରେଞ୍ଜ୍‌ର ମୋବାଇଲ ୩ ନଭେମ୍ବର ଦିନ ୧୨ଟାରେ ଲଞ୍ଚ ହେବାକୁ ଯାଉଛି ।

ଭିଡ଼ିଓ ଶେୟାର କରି ଚାଇନାର ମୋବାଇଲ ଫୋନ କମ୍ପାନୀ ଗୁଡ଼ିକୁ ସିଧାସଳଖ ଟାର୍ଗେଟ କରିଛି ଏହି ଭାରତୀୟ କମ୍ପାନୀ । କମ୍ପାନୀ ଉଚିତ୍ ‌ମୂଲ୍ୟରେ ଗ୍ରାହକଙ୍କ ପସନ୍ଦ ଅନୁସାରେ ମୋବାଇଲ ଫୋନ ଯୋଗାଇଦେବ ବୋଲି ଭିଡ଼ିଓ ମାଧ୍ୟମରେ ଜଣାଇଛି ।

 

ସୂଚନାଯୋଗ୍ୟ ଗତ ୧୬ ଅକ୍ଟୋବରକୁ କମ୍ପାନୀର ସହ ନିର୍ମାତା ରାହୁଲ ଶର୍ମା ଭାରତୀୟ ସ୍ମାର୍ଟଫୋନ ଯୁଗରେ ସ୍ମାର୍ଟଫୋନର IN ରେଞ୍ଜ ନେଇ କମ୍ପାନୀ ପ୍ରତ୍ୟାବର୍ତ୍ତନ କରୁଥିବା ଘୋଷଣା କରିଥିଲେ । ଏହା ସହିତ ପ୍ରତିଦ୍ୱନ୍ଦି ଚାଇନିଜ୍‌ ମୋବାଇଲ କମ୍ପାନୀ ଗୁଡ଼ିକ ସହିତ କେଉଁ କାରଣ ପାଇଁ ମାଇକ୍ରୋମାକ୍ସ ପ୍ରତିଦ୍ୱନ୍ଦିତା କରିବାର ଉଦ୍ଦେଶ୍ୟ ରଖିଛି ତାହା ବିଷୟରେ ଜଣାଇଥିଲେ ।

ଗତ ୨୦୧୪ ମସିହାରେ ମାଇକ୍ରୋମାକ୍ସ ଭାରତର ଦ୍ୱିତୀୟ ବୃହତ୍ତମ ସ୍ମାର୍ଟଫୋନ ନିର୍ମାତା ଭାବରେ ପରିଗଣିତ ହେଉଥିଲା । କିନ୍ତୁ ସୁଲଭ ମୂଲ୍ୟରେ ୪ଜି ସ୍ମାର୍ଟଫୋନ ଯୋଗାଇବାରେ ସକ୍ଷମ ହୋଇନପାରିବାରୁ ସ୍ୱେଦେଶୀ କମ୍ପାନୀ ଗୁଡ଼ିକ ପଛରେ ପଡ଼ିଯାଇଥିଲେ । ଚାଇନା ବ୍ରାଣ୍ଡ ଗୁଡ଼ିକର ଚାହିଦା ଭାରତରେ ବଢିଯିବାରୁ କମ୍ପାନୀ ବଜାର  ହରାଇଥିଲା ।

5 ‘T’ ସଚିବଙ୍କ ପୁରୀ ଗସ୍ତ; ଗୋଶାଳା, ସ୍ୱର୍ଗଦ୍ୱାର ଓ ଭିକାରୀ ଥଇଥାନ ପ୍ରକଳ୍ପର ସ୍ଥିତି ସମୀକ୍ଷା…

ଭୁବନେଶ୍ୱର: ୫ ‘ଟି’ ସଚିବ ଭି କେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି । ଶ୍ରୀକ୍ଷେତ୍ରରେ ଚାଲିଥିବା ନାନାଦି ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବା ଉଦ୍ଦେଶ୍ୟରେ ଏହି ଗସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ମାଧ୍ୟମରେ ପୁରୀରେ ହେଉଥିବା କାର୍ଯ୍ୟର ସ୍ଥିତି ତଦାରଖ କରିଛନ୍ତି । ଗୋଶାଳା, ସ୍ୱର୍ଗଦ୍ୱାର ପ୍ରକଳ୍ପ ଓ ଭିକାରୀ ଥଇଥାନ ପ୍ରକଳ୍ପର କାର୍ଯ୍ୟ କେତେ ତ୍ୱରିତ ଗତିରେ ଚାଲିଛି ସେନେଇ ସ୍ଥିତି ସମୀକ୍ଷା କରିଛନ୍ତି । ଏହାପୂର୍ବରୁ ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ଶ୍ରୀମନ୍ଦିର ନବୀକରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଥିଲେ ।

ତେବେ ରାଜ୍ୟ ସରକାରଙ୍କ କ୍ରମାଗତ ଭାବେ ପୁରୀ ଉପରେ ଫୋକସ୍ ରହିଥିବା ବେଳେ ପୁରୀକୁ ଏକ ମଡେଲ ସିଟିରେ ପରିଣତ କରିବାର ପ୍ରୟାସ ଜାରି ରହିଛି । ଏହି ଅବସରରେ ଫାଇଭ-ଟି ସଚିବଙ୍କ ସହ ଜିଲ୍ଲାପାଳ ବଲୱନ୍ତ ସିଂ, ଏସପି ଅଖିଳେଶ୍ବର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ତଦାରଖ ପରେ ଫାଇଭ-ଟି ସଚିବ ପ୍ରତିକ୍ରିୟା ରଖିଛନ୍ତି । ବଡଦାଣ୍ଡକୁ ଭିକାରି ଓ ଗୋରୁମୁକ୍ତ କରିବା ନେଇ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ସେଥିରେ ବଡ଼ ସଫଳତା ମିଳିଛି । ଏବେ ବଡଦାଣ୍ଡରେ ଭିକାରି ନାହାଁନ୍ତି କି ଗାଈଗୋରୁ ବୁଲୁନାହାଁନ୍ତି । ଯାହାକି ଆଗାମୀ ପିଢୀକୁ ଏକ ସୁବାର୍ତ୍ତା ଦେବ ବୋଲି କହିଛନ୍ତି ଫାଇଭ-ଟି ସଚିବ ।

ଏହି ପ୍ରକଳ୍ପ ଅଧିନରେ ୫୦୦ ଜଣ ଭିକାରିଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଥଇଥାନ କରାଯାଇଥିବା ବେଳେ ୧୫୦ ଜଣଙ୍କୁ ପୁଣିଥରେ ସେମାନଙ୍କ ପରିବାର ଲୋକଙ୍କ ନିକଟକୁ ପଠେଇ ଦିଆଯାଇଛି । ଏହାସହ ବାଙ୍କୀ ମୁହାଣକୁ ମଧ୍ୟ ସଫା କରାଯାଇଛି ବୋଲି କହିଛନ୍ତି ଫାଇଭ-ଟି ସଚିବ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଗତ ୧୭ ତାରିଖରେ ଅପରାହ୍ନରେ ପୁରୀ ଯାଇ ହେରିଟେଜ କାମର ତଦାରଖ କରିଥିଲେ । ଶ୍ରୀମନ୍ଦିର ଚାରିକଡୁ ୭୫ ମିଟର ଉଚ୍ଛେଦ କାମର ତଦାରଖ କରିଥିଲେ । ଏହାସହ ଶ୍ରୀମନ୍ଦିର ଚାରିପଟ ବୁଲି ବିଭିନ୍ନ ଦ୍ବାରରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରିବୁଝିଥିଲେ । ଶ୍ରୀକ୍ଷେତ୍ରକୁ ବିଶ୍ବରେ ଏକ ଅଗ୍ରଣୀ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ଲାଗି ଗତ ଜାନୁଆରୀ ମାସରେ ପ୍ୟାକେଜ ଘୋଷଣା କରିଥିଲେ । ହେଲେ କରୋନା ସକାଶେ ଗତ ଆଠ ମାସ ହେଲା ଭିତ୍ତିଭୂମି ନିର୍ମାଣ କାମ ବନ୍ଦ ରହିଥିଲା । ଏବେ କଟକଣା କୋହଳ ପରେ ପୁଣି ଦ୍ରୁତ ଗତିରେ ନିର୍ମାଣ କାମ ଆରମ୍ଭ ହୋଇଛି ।

ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲଙ୍କୁ ଜେଲରେ ନିର୍ଯାତନା !

ବଲାଙ୍ଗିର ଜିଲ୍ଲା କାରାଗାରରେ କଏଦୀ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଜେଲ ଅଧିକ୍ଷକ, ଜେଲର ଓ କାରାଗାରର ଅନ୍ତବାସୀ ମାଡ ମାରି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ପୁଞ୍ଜିଲାଲଙ୍କ ଓକିଲ । ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଛନ୍ତି ଜେଲ ଅଧିକ୍ଷକ ଉର୍ମିଳା ମିଞ୍ଜ । ସେ କହିଛନ୍ତି ଏଭଳି ଅଭିଯୋଗ ଭିତ୍ତିହୀନ । ପୁଞ୍ଜିଲାଲଙ୍କୁ କୌଣସି ପ୍ରକାରର ନିର୍ଯାତନା ଦିଆଯାଉନାହିଁ । ସେ ସ୍ୱାଭାବିକ ଜୀବନଯାପନ କରୁଛନ୍ତି । ଅନ୍ୟ କଏଦୀଙ୍କ ସହ ଯେଉଁ ଭଳି ଭାବେ ବ୍ୟବହାର କରାଯାଉଛି, ତାଙ୍କ ସହ ମଧ୍ୟ ସେହିଭଳି ବ୍ୟବହାର ହେଉଛି ।

ଉଲ୍ଲେଖଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର ଏବେ ଜେଲରେ ଅଛନ୍ତି । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଞ୍ଚଳରେ ସଂପୃକ୍ତ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା । ଘଟଣା ଅନୁଯାୟୀ, ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ତାଙ୍କ ଘରକୁ ଏକ ଗିଫ୍ଟ ପାର୍ସଲ ପହଞ୍ଚିଥିଲା । ଏହାକୁ ଖୋଲିବା ପରେ ଗିଫ୍ଟ ପ୍ୟାକ୍ ଭିତରେ ଥିବା ବୋମା ବିସ୍ଫୋରଣ ହୋଇଥିଲା । ପୁଞ୍ଜିଲାଲ ଥିଲେ ଏହି ବିସ୍ଫୋରଣର ମାଷ୍ଟର ମାଇଣ୍ଡ ।

୧୦ ଦିନ ଭିତରେ କମିବ ପିଆଜ ଦର, କିଲୋ ପିଛା ରହିବ ୩୦ ଟଙ୍କା ! NAFED କରୁଛି ପ୍ଲାନ୍‌

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବଜାରକୁ ଆସିବ ଶସ୍ତା ପିଆଜ । ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ପିଆଜ ଶସ୍ତା ହେବାକୁ ଯାଉଛି । NAFED ପକ୍ଷରୁ ଏଥିପାଇଁ ବିଦ୍ଧିବଦ୍ଧ ଭାବେ ଯୋଜନା କରାଯାଉଛି । NAFEDର ନିର୍ଦ୍ଦେଶକ କହିଛନ୍ତିଯେ, ଆସନ୍ତା ୧୦ ଦିନ ମଧ୍ୟରେ ରାଜସ୍ଥାନରୁ ପିଆଜ ଆସିବ ବୋଲି ଆଶା କରାଯାଉଛି । ଏହାପରେ ପିଆଜ ଦର ଆପେ ହ୍ରାସ ପାଇବ । ଅନ୍ୟପଟେ NAFED ନିଜ ଗୋଦାମରୁ ଅନ୍ୟ ରାଜ୍ୟକୁ ପିଆଜ ପଠାଇବା ଆରମ୍ଭ କରିଛି । ସଫଲ ଷ୍ଟୋରରୁ ମଧ୍ୟ ସୁଲଭ ଦରରେ ପିଆଜ ବିକ୍ରି ହେଉଛି । ନାଫେଡ୍ ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ, ଅନେକ ସ୍ଥାନରେ ପିଆଜ ଫସଲ ନଷ୍ଟ ହେବାରୁ ଏହାର ମୂଲ୍ୟ ବୃଦ୍ଧି ପାଇଛି ।

Onion Prices Jumps Four Times Know Reason Why Rates Of Onion Get Increased

NAFED ନିର୍ଦ୍ଦେଶକ ଅଶୋକ ଠାକୁର ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଖୁବ୍‌ଶୀଘ୍ର ରାଜ୍ୟମାନଙ୍କୁ ୨୧ ଟଙ୍କା କିଲୋଗ୍ରାମ ହିସାବରେ ପିଆଜ ଯୋଗାଇ ଦିଆଯିବ । ଏହା ପରେ ପରିବହନ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଯୋଡ଼ି ରାଜ୍ୟମାନେ ଏହାକୁ ବଜାରକୁ ଛାଡ଼ିବେ । ତେବେ ଦିଲ୍ଲୀରେ ସଫଲ ଷ୍ଟୋରରେ ପିଆଜ କିଲୋ ପିଛା ୨୮ ଟଙ୍କା ବିକ୍ରି ହେଉଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, NAFED ଯଦି ରାଜ୍ୟକୁ ୨୧ ଟଙ୍କାରେ ପିଆଜ ଦିଏ ତେବେ ଲୋକଙ୍କ ପାଖରେ ଅତି ବେଶିରେ ପିଆଜ କିଲୋ ପିଛା ୩୦ ଟଙ୍କାରେ ପହଞ୍ଚିବ  ।

କେନ୍ଦ୍ର ସରକାରଙ୍କ ପାଖରେ ୨୫ ହଜାର ଟନ୍‌ ପିଆଜ ଷ୍ଟକ୍‌

କେନ୍ଦ୍ର ସରକାରଙ୍କ ପାଖରେ ବଫର ଷ୍ଟକ୍‌ରେ ଏବେ ୨୫ ହଜାର ଟନ୍‌ର ପିଆଜ ଗଚ୍ଛିତ ହୋଇ ରହିଛି । ଯାହାକି ନଭେମ୍ବର ପ୍ରଥମ ସପ୍ତାହରେ ହିଁ ଶେଷ ହୋଇଯିବାର ସମ୍ଭାବନା ରହିଛି । NAFED ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ କୁମାର ଚଡ୍ଡା ଶୁକ୍ରବାର କହିଛନ୍ତି ଯେ, ବର୍ତ୍ତମାନ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଷ୍ଟକ୍‌ରୁ ପିଆଜ ଛଡ଼ାଯାଉଛି ।  କାରଣ କିଛି ଦିନ ପୂର୍ବେ ପିଆଜର ମୂଲ୍ୟ କିଲୋ ପିଛା ୭୫ ଟଙ୍କା ପର୍ଯ୍ୟନ୍ତ ଛୁଇଁଥିଲା । ଏହାକୁ କମ୍‌ କରିବା ଉଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ମହାଷ୍ଟମୀ ପରେ ପଶ୍ଚିମ ଓଡ଼ିଶା ପାଳିଲା ଭାଈ ଜିଉଁନ୍ତିଆ…

0

ସୋନପୁର: ମାଙ୍କ  ଅଷ୍ଟମୀ ପୂଜା ପରେ ପଶ୍ଚିମ ଓଡ଼ିଶାରେ ପାଳିତ ହୋଇଛି ଭାଈ ଜିଉଁନ୍ତିଆ । ଭାଇଙ୍କ ପାଇଁ ଶୁଭମନାସୀ  ଭଉଣୀମାନେ ଜିଉନ୍ତିଆ ପର୍ବ ପାଳନ କରିଛନ୍ତି । ପରମ୍ପରା ଅନୁଯାୟୀ, ମାଆ କନକ ଦୁର୍ଗା ଭାଇ ମହାବଳୀଙ୍କ ପାଇଁ ଜିଉନ୍ତିଆ ଓଷା କରିଥିଲେ । ଏଣୁ ଏହି ପରମ୍ପରାକୁ ବଜାୟ ରଖି ଭାଇଙ୍କ ପାଇଁ ବ୍ରତ ରଖେ ଭଉଣୀ । ଅଷ୍ଟମୀ ଦିନ ଦିନସାରା ନିର୍ଜଳା ଉପବାସ ରହି ସଂଧ୍ୟାରେ ଧୂପଦୀପ ନୈବେଦ୍ୟ ଚଢାଇ ଦେବୀ ଦୁର୍ଗାଙ୍କ ପୁଜା କରିଥାନ୍ତି ।

ସାତ ପ୍ରକାର ଫୁଲଫଳ ସହିତ ସାତଟି ଜୁଗାର କରି ପୂଜାର୍ଚ୍ଚନା କରିଥାନ୍ତି । ପୂଜା ସମାପ୍ତି ପରେ ଶହେ ଆଠ ଦୁବ ଓ ଅରୁଆ ଚାଉଳକୁ  ଯୁଉଁନ୍ତିଆରେ ବାନ୍ଧି ଦେବୀଙ୍କ ପାଖରେ ସମର୍ପି ଦେଇଥାନ୍ତି । ବଡି ଭୋରରୁ ବନ୍ଧାହୋଇଥିବା ଦୁବ ବିଡାକୁ ନେଇ ଭାଇକୁ ବନ୍ଦାପନା କରିଥାନ୍ତି ଭଉଣୀ ମାନେ ।

ଏବେ ମିଳିଲା ବର୍ଷେ ପୂର୍ବେ ଚୋରି ହୋଇଥିବା ଏହି ଅମୂଲ୍ୟ ଜୀବ

ଗାଡ଼ି,ସୁନା ରୁପା ଚୋରି ଘଟଣା ଆପଣଙ୍କୁ ସ୍ୱାଭାବିକ ଲାଗିପାରେ । କିନ୍ତୁ ଗୋଧି ଚୋରି ହୋଇଥିବା ଘଟଣା ହୁଏତ ଅଜବ ଲାଗିବ । ଘଟଣା ଆମେରିକାର ଲସ୍ ଆଞ୍ଜେଲସ୍ସର । ସୂଚନାନୁଯାୟୀ ଗତ ବର୍ଷ ଏକ ଷ୍ଟୋରରୁ ଦୁଇଟି ଗୋଧି ଚୋରି ହୋଇଥିଲା । ଦୁଇ ଗୋଧିର ମୂଲ୍ୟ ଶୁଣିବା ପରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ । ଦୁଇ ଗୋଧିର ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ବା ୭୫ ହଜାର ଡଲାର ।

ଦ ଲଙ୍ଗ୍‌ବିଚ୍‌ପୋଲିସ ଡିପାର୍ଟମେଣ୍ଟ ଗତ ଶୁକ୍ରବାରକୁ କହିଛି କି, ଅଷ୍ଟ୍ରେଲିୟାନ ଲେସ ମନିଟର ଗୋଧି ଦୁଇଟି ଗତବର୍ଷ ନଭେମ୍ବରରେ ଜେ.ଟି.କେ ରେପଟାଇଲ୍ସରୁ ଚୋରି ହୋଇଥିଲା । ତେବେ ଜନ୍ତା ଭାଙ୍ଗି ଉଭୟ ଗୋଧିକୁ କାରରେ ନେଇ ଫେରାର ହୋଇ ଯାଇଥିଲେ ଚୋର । ଡିପାର୍ଟମେଣ୍ଟର କହିବା ଅନୁସାରେ ଚୋରି ହୋଇଥିବା ଉଭୟ ଅଷ୍ଟ୍ରେଲିୟାନ ଲେସ ମନିଟର ଗୋଧି ଦୁଇଟି ୬ ଫୁଟରୁ ଅଧିକ ଲମ୍ବା । ପରବର୍ତ୍ତୀ ସମୟରେ ପୋଲିସ ଦୁଇ ଗୋଧିକୁ ଟ୍ରାକ କଲା । ଟ୍ରାକ କରିବା ପରେ ଚୋରକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍‌। ସୂଚନା ମୁତାବକ ଉଭୟଙ୍କ ଉପରେ ପୂର୍ବରୁ ଶହ ଶହ ଚୋରି ଅଭିଯୋଗ ହୋଇଛି ।

ପୋଲିସ ଡିପାର୍ଟମେଣ୍ଟର ମୁଖପାତ୍ରଙ୍କ କହିବା ଅନୁସାରେ ଏହି ଚୋର ମାନଙ୍କୁ ଗୋଧି ମାନଙ୍କର ବଜାର ମୂଲ୍ୟ ବିଷୟରେ ବେଶ୍‌ଭଲ ଭାବରେ ଜଣା । କିନ୍ତୁ ଉକ୍ତ ଘଟଣାକୁ ନେଇ କୌଣସି ମତ ରଖି ନାହାଁନ୍ତି ଦୋକାନ ମାଲିକ ।

ବୀରମିତ୍ରପୁର ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗ: ପୀଡିତା ଫେରାର୍

ରାଉରକେଲା: ବୀରମିତ୍ରପୁର ନାବାଳିକା ଗଣ ଦୁଷ୍କର୍ମ ଘଟଣାର ପୀଡିତା ଏବେ ଏସ ଓ ଏସ ଭିଲେଜରୁ ଫେରାର ହୋଇଛନ୍ତି । ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ପରେ ପୀଡିତାଙ୍କୁ ଏସ ଓ ଏସ ଭିଲେଜରେ ରଖାଯାଇଥିଲା । ତେବେ ଆଜି ତାଙ୍କର ଦେଖା ମିଳିନଥିଲା । ପୋଲିସ ସୂଚନା ପାଇ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିବା ପରେ ଏବେ ନାବାଳିକାଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

ଉଲ୍ଲେଖଯୋଗ୍ୟ ଯେ, ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ କରାଇବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ପୋଲିସ ତତ୍ପରତା ଦେଖାଇଥିଲେ । କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ମିଳିଥିବା ବେଳେ ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ମାଝୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିଲା । ପରେ ତାଙ୍କୁ ପୋକ୍ସୋ କୋର୍ଟରେ ହାଜର କରାଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା ।

ଟିକସଦାତାଙ୍କ ପାଇଁ ଖୁସୀ ଖବର, ଆୟକର ଟିକସ ପୈଠ ସମୟସୀମା ବଢିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକସଦାତାଙ୍କ ପାଇଁ ଏକ ବଡ଼ ଘୋଷଣା । ଆୟକର ଟିକସ ପୈଠ ପାଇଁ ଘୁଞ୍ଚିଲା ସମୟ ସୀମା । ଆୟକର ଟିକସ ପୈଠ ପାଇଁ ଆହୁରି ଗୋଟିଏ ମାସ ଅଧିକ ସମମ ଦିଆଯାଇଛି । ଯେଉଁମାନେ ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ଟିକସ ପୈଠ କରିନାହାନ୍ତି, ସେମାନେ ଆଗାମୀ ୩୧ ଡିସେମ୍ବର ୨୦୨୦ ସୁଦ୍ଧା, ପୈଠ କରିବା ପାଇଁ କୁହଯାଇଛି । ପୂର୍ବରୁ ଟିକସ ପୈଠର ଶେଷ ତାରିଖ ନଭେମ୍ବର ୩୦ ରହିଥିଲା ।

ତେବେ ଏନେଇ ସିବିଡିଟି ପକ୍ଷରୁ ସୂଚନା ଦିଆଯାଇଛି । ସିବିଡିଟିର ଜଣେ ଅଧିକାରୀ ଏନେଇ କହିଛନ୍ତି ଯେ, ଆୟକର ଟିକସଦାତାଙ୍କୁ ଆଉ ଗୋଟିଏ ମାସ ଅଧିକ ସମୟ ଦିଆଯାଇଛି । ଯାହା ଦ୍ୱାରା ସେମାନେ ସୁରୁଖୁରୁରେ ନିଜର ଆୟକର ଟିକସ ପୈଠ କରିପାରିବେ ।

ଏମାନଙ୍କ ପାଇଁ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ସମୟ

ଯେଉଁ ଟିକସଦାତାଙ୍କ ଆକାଉଣ୍ଟ ଅଡିଟ୍‌ ହେବାର ଅଛି ସେମାନଙ୍କ ପାଇଁ ଆୟକର ଦେବାର ସମୟ ସୀମା ଦୁଇ ମାସ ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି । ସେମାନେ ୩୧ ଡିସେମ୍ବର ୨୦୨୦ ନୁହେଁ ବରଂ ୩୧ ଜାନୁଆରୀ ୨୦୨୧ ଭିତରେ ଟିକସ ପୈଠ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି । ଏହା ପୂର୍ବରୁ, ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆୟକର ଟିକସ ଦାଖଲ କରିବାର ଶେଷ ତାରିଖକୁ ୩୧ ଜୁଲାଇ ୨୦୨୦ ରୁ ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।