spot_img
Home Blog Page 6569

ପିଲାଦିନୁ ବାପାଙ୍କୁ ହରାଇଥିଲେ, ପରବର୍ତ୍ତୀ ସମୟରେ ଡାକ୍ତର ହୋଇ ଜାରି ରଖିଛନ୍ତି ଗରିବଙ୍କ ସେବା

ବାଙ୍ଗାଲୋର : ଡାକ୍ତର ଶବ୍ଦଟି ଉଚ୍ଚାରଣମାତ୍ରେ ଆମ ଆଖିରେ ଚାଲିଆସେ ସୁସଜ୍ଜିତ ଚ୍ୟାମ୍ବର ଓ ଶୀତତାପ ନିୟନ୍ତ୍ରିତ କୋଠରୀ । ସେମାନେ ଭଲ ପୋଷାକ ପିନ୍ଧିଥିବେ, ସାଧାରଣ ଲୋକଙ୍କ ଠାରୁ ଅଲଗା ଲାଗୁଥିବେ । ହେଲେ ଆମେ କହୁଥିବା ଏହି ଡାକ୍ତରଙ୍କ ଜୀବନ ଶୈଳୀ ଅତି ସାଧାରଣ । ଯାହାକୁ ଦେଖିଥିବା ଲୋକ ହିଁ ବିଶ୍ୱାସ କରିପାରିବେ । ଏମିତି ଜଣେ ଡାକ୍ତରଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏ ହେଉଛନ୍ତି କର୍ଣ୍ଣାଟକର ମାଣ୍ଡ୍ୟା ସହରର ଏକ ଛୋଟ ଜଳଖିଆ ଦୋକାନ ଘରର ଅଧା କାନ୍ଥରେ ବସି ରୋଗୀ ଦେଖୁଥିବା ଏ ଡାକ୍ତରଙ୍କ ନାଁ ଶଙ୍କର ଗୌଡ଼ ।

ସବୁ ଡାକ୍ତରଙ୍କ ପରି ତାଙ୍କର କୌଣସି କ୍ଲିନିକ ବା ନର୍ସିଂ ହୋମ କିମ୍ବା ନିଜସ୍ୱ ଚ୍ୟାମ୍ବର ନାହିଁ । ନିଜେ ଏକ ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ ଡାକ୍ତର ଶଙ୍କର ଗୌଡ଼ ଏବଂ ଦରିଦ୍ର ହୋଇଥିବା କାରଣରୁ ସ୍କୁଲରେ ପଢ଼ୁଥିବା ବେଳେ ନିଜ ଅଳ୍ପବୟସ୍କ ଅସୁସ୍ଥ ବାପାଙ୍କୁ ହରାଇଥିଲେ ଶଙ୍କର । ଏହି ଦିନ ହିଁ ତାଙ୍କ ଜୀବନର ଗତିକୁ ବଦଳାଇ ଦେଇଥିଲା । ନିରବ ଭାବେ ଦୁଃଖ ସହି ସେହିଦିନ ନେଇ ଯାଇଥିଲେ ଏକ ବଜ୍ର ଶପଥ । ଶପଥଟି ଥିଲା ଅନ୍ୟ କୋଉ ଦରିଦ୍ର ପିତାଙ୍କୁ ଅକାଳରେ ବିନା ଚିକିତ୍ସାରେ ଝଡ଼ିଯିବାକୁ ନ ଦେବା  ।

ନିଜ ଦାରିଦ୍ର୍ୟର କଠୋର କଷାଘାତ ସତ୍ତ୍ୱେ ଶଙ୍କର ଡାକ୍ତର ହୋଇ ପାରିଥିଲେ । ଏହା ସତ୍ତ୍ବେ ବି  ସେ  ସୁଖର ଜୀବନ ବାଛି ନ ଥିଲେ । ନିଜ ପିତାଙ୍କ ମୃତ୍ୟୁଶଯ୍ୟା ନିକଟରେ କରିଥିବା ଶପଥକୁ ମନେ ପକାଇ ସବୁ ସୁଖକୁ କହିଥିଲେ ଶଙ୍କର ଅଲବିଦା ।  ବାସ୍, ପରେ ପରେ ଆରମ୍ଭ ହୋଇଥିଲା ଶପଥ ରକ୍ଷା ଦିଗରେ ତାଙ୍କର ଏ ଅଭିନବ ଯାତ୍ରା, ଯାହା ସହିତ ସେ ଅର୍ଜନ କରିଥିଲେ ସମଗ୍ର ଇଲାକାରେ ‘ପାଞ୍ଚଟଙ୍କିଆ ଡାକ୍ତର’ ଭାବେ ଏକ ଅନନ୍ୟ ପରିଚୟ । ଯାହା ପରବର୍ତ୍ତୀ ସମୟରେ ଦେଇଥିଲା ତାଙ୍କୁ ପ୍ରତିଷ୍ଠା ଓ ପରିଚିତି ।

ପ୍ରତିଦିନ ସକାଳ ଠିକ୍ ୮ଟାରେ ଖୋଲି ଯାଇଥାଏ ଡାକ୍ତର ଗୌଡ଼ଙ୍କ ପାଞ୍ଚଟଙ୍କିଆ କ୍ଲିନିକ । ଯେଉଁମାନେ ୧୦୦ରୁ ୩୦୦ ପର୍ଯ୍ୟନ୍ତ ଡାକ୍ତରୀ ଫିସ ଦେବାକୁ ସମ୍ପୂର୍ଣ୍ଣ ଅସମର୍ଥ, ସେମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଯାଆନ୍ତି ଏହି କ୍ଲିନିକରେ । ଡାକ୍ତର ଗୌଡ଼ ଜଣ ଜଣ କରି ରୋଗୀ ଦେଖି ସ୍ୱଳ୍ପ ମୂଲ୍ୟର ସୁଲଭ ଜେନେରିକ ଔଷଧର ବ୍ୟବସ୍ଥାପତ୍ର ଲେଖି ଦିଅନ୍ତି । ସମସ୍ତଙ୍କଠୁଁ ପାଞ୍ଚଟଙ୍କା ଲେଖାଏଁ ଫିସ ନେଇଥାଆନ୍ତି । ଅତି ଗରିବ, ବୃଦ୍ଧାଙ୍କ ଠାରୁ କୌଣସି ଅର୍ଥ ନେଇ ନ ଥାଆନ୍ତି । ସତରେ ଡାକ୍ତର ଶଙ୍କର ଗୌଡ଼ଙ୍କ ଭଳି କେତେଜଣ ଅଛନ୍ତି ବୋଲି ତ ,ଏ ସଂସାର ସୁନ୍ଦର ।

 

ପୁରୀ ଟ୍ରେନ୍ ପୋଡି଼ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସୁଭାଷ ରାମଚନ୍ଦ୍ରନ୍; ୫ ବର୍ଷ ସଶ୍ରମ କାରାଦଣ୍ଡ…

ପୁରୀ: ପୁରୀ ରେଳ ଷ୍ଟେସନ ଟ୍ରେନ ପୋଡି ମାମଲାର ଶୁଣାଣି ହୋଇଛି | ମାମଲାର ମୁଖ୍ୟ ଅଭିଯୁକ୍ତ ସୁଭାଷ ରାମଚନ୍ଦ୍ରନଙ୍କୁ ପୁରୀ ସିଜେଏମ୍ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ତାଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ମିଳିଥିବା ବେଳେ ଅନେକ ଦଫା ଲାଗିଛି । ଗତ ନଭେମ୍ୱର ୧୨, ୨୦୧୫ ମସିହାରେ ପୁରୀ ରେଳଷ୍ଟେସନରେ ନନ୍ଦନ କାନନ ଏକ୍ସପ୍ରେସ, ତିରୁପତି ଏକ୍ସପ୍ରେସ ଏବଂ ପୁରୀ ଏକ୍ସପ୍ରେସ ରେ ଅଗ୍ନିକାଣ୍ଡ ଘଟାଇଥିବା ନେଇ ଅଭିଯୁକ୍ତ ରାମଚନ୍ଦ୍ରନଙ୍କୁ ସେତେବେଳେ ଜିଆରପି ପୋଲିସ ଗିରଫ କରିଥିଲା |

ପରବର୍ତ୍ତୀ ସମୟରେ ଏ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା | ଏହି ଘଟଣା ସେତେବେଳେ ପୁରୀ ସହରରେ ଚର୍ଚ୍ଚା ପାଲଟି ଥିବା ବେଳେ ୪୦ ଜଣ ସାକ୍ଷୀଙ୍କ ବୟାନ ଆଧାରରେ  ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି | ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୩୫, ୧୪୭ ଓ  ୧୪୫, ୧୫୦, ୧୫୧, ୧୫୩ ରେଲୱେ ଆକ୍ଟ ଆଧାରରେ ତାଙ୍କୁ ଦଣ୍ଡ ବିଧାନ କରାଯାଇଛି |

ମିଛ ଅଶ୍ଳୀଳ ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ନ୍ୟାୟ ମାଗିଲେ ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ଭୁବନେଶ୍ୱର: କେନ୍ଦୁଝରର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କର ଛବିକୁ ସର୍ବସାଧାରଣରେ ଖରାପ କରିବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଏକ ଅପପ୍ରଚେଷ୍ଟା ହୋଇଥିଲା । ଏକ ମିଥ୍ୟା ଭିଡିଓ ପ୍ରସାରଣ କରାଯାଇ, ଅଶ୍ଲୀଳତାକୁ ପ୍ରୋତ୍ସାହିତ କରିବା ସହ ଭିଡିଓରେ ଥିବା ମହିଳାଙ୍କୁ ଇନ୍ଦ୍ରାଣୀ ମୂର୍ମୁ ବୋଲି ଉଲ୍ଲେଖ କରାଯାଇଥିଲା । ଯାହା ଏକଦମ ଅସତ୍ୟ ଅଟେ । ଏଭଳି ଉଦ୍ୟମ ଓଟିଭିର ଜଣେ ସାମ୍ୱାଦିକ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ଗତକାଲି ଓଟିଭି ସାମ୍ୱାଦିକ ରମେଶ ରଥଙ୍କୁ ପୋଲିସ ଗିରଫ କରିଥିଲା । ଏହି ଗିରଫଦାରୀକୁ ଓଟିଭି କର୍ତ୍ତୃପକ୍ଷ ରାଜନୈତିକ ରୂପ ଦେବାରେ ଲାଗିଛନ୍ତି । ନାରୀର ସମ୍ମାନ ଓ ସ୍ୱାଭିମାନ ଅପେକ୍ଷା ଏହାକୁ ନେଇ ମିଛ ଖବର ପରିବେଷଣ କରିବାରେ ଲାଗିଛନ୍ତି । ଏପରିକି  ଓଟିଭି ମାଲିକ ଜାଗି ମଙ୍ଗତ ପଣ୍ଡା ଏକ କୁକର୍ମ ପାଇଁ  ନିଜ ସାମ୍ୱାଦିକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା ମଧ୍ୟ କରୁଛନ୍ତି ।

ଏବେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏହି ପ୍ରସଙ୍ଗ ଉପରେ ମତ ରଖି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ, ମିଛ ଭିଡିଓ ଭାଇରାଲ କରି ଓଟିଭି ସାମ୍ୱାଦିକ ମୋତେ ମାନସିକ ସ୍ତରରେ କ୍ଷତି ପହଞ୍ଚାଇଛନ୍ତି । ଏଭଳି ଅପପ୍ରଚାର ମୋତେ ମାନସିକ ଯନ୍ତ୍ରଣା ଓ ନିର୍ଯ୍ୟାତନା ଦେଇଛି  । ତେବେ ଏବେ ପୋଲିସ ସାମ୍ୱାଦିକଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବା ବେଳେ ଓଟିଭି ମାଲିକ ବୈଜୟନ୍ତ ପଣ୍ଡା ଓ ଜାଗି ମଙ୍ଗତ ପଣ୍ଡା ସାମ୍ୱାଦିକଙ୍କ ସପକ୍ଷରେ ମତ ରଖୁଛନ୍ତି । ସରକାର ଓଟିଭି ଉପରେ ଆକ୍ରୋଶ ରଖି ଏଭଳି କରୁଥିବା ପଣ୍ଡା ଦମ୍ପତି ଅଭିଯୋଗ କରୁଛନ୍ତି । ତେବେ ବାସ୍ତବରେ ଏହା କଣ ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବୈଜୟନ୍ତ ପଣ୍ଡାଙ୍କୁ ପାଲଟା ପ୍ରଶ୍ନ କରି ଚନ୍ଦ୍ରାଣୀ ମୁର୍ମୁ କହିଛନ୍ତି ଯେ ମୋ ସ୍ଥାନରେ ଆପଣଙ୍କ ଝିଅ ଥିଲେ, ଆପଣ କଣ ଏହା ହିଁ କରିଥାନ୍ତେ, ଯାହା ଏବେ କରୁଛନ୍ତି । ଜଣେ ସାମ୍ୱାଦିକ କଣ ଦାୟିତ୍ୱବାନ ହେବା ଉଚିତ୍ ନୁହେଁ କି? ସ୍ୱାଧୀନତା ନାମରେ ଜଣେ ସାମ୍ୱାଦିକ ଯାହା କିଛି କରାଯିବ । ପରେ ପୋଲିସ ଅପରାଧିକ କାର୍ଯ୍ୟକଳାପକୁ ବିରୋଧ କଲେ ଏହାକୁ ସାମ୍ୱାଦିକ ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯିବ । ଏହା କେତେ ଦୂର ଯଥାର୍ଥ? ମୁଁ ଜଣେ ଆଦିବାସୀ ମହିଳା ଓ ସର୍ବସାଧାରଣରେ ମୋର ସମ୍ମାନହାନୀ ହୋଇଛି । ସବୁଠାରୁ ବଡ଼ କଥା ଏହା ଉଦ୍ଦେଶ୍ୟମୂଳକ ଭାବେ ହୋଇଛି । ତେଣୁ ମୁଁ ନ୍ୟାୟ ଆଶା କରିବା ଉଚିତ୍ ନୁହେଁ କି ?ଓଟିଭି ଭଳି ସଂସ୍ଥା ନିଜର ଜାତୀୟସ୍ତରରେ ଥିବା ଗଣମାଧ୍ୟମ ସହଯୋଗରେ ତଦନ୍ତକୁ ପ୍ରଭାବିତ କରୁଛନ୍ତି । ଜାତୀୟ ଗଣମାଧ୍ୟମରେ ସମ୍ପର୍କ ଥିବା ହେତୁ ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ସଂପୃକ୍ତ ସାମ୍ୱାଦିକଙ୍କୁ ଘଣ୍ଟ ଘୋଡାଉଛନ୍ତି । ଯାହା ନିହାତି ପକ୍ଷେ ଦୁର୍ଭାଗ୍ୟଜନକ ଅଟେ  । ତେବେ ଉକ୍ତ ଭିଡିଓରେ ଜାତୀୟ ଗଣମାଧ୍ୟମକୁ ଓଟିଭି ସମର୍ଥନରେ ଖବର ପ୍ରସାରଣ ନକରିବା ପାଇଁ ଅପିଲ୍ କରିବା ସହ ନିଜ ପାଇଁ ନ୍ୟାୟ ଦାବି କରିଛନ୍ତି ।

 

ଉତ୍ତର କୋରିଆର ଏହିସବୁ ନିୟମ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ନୂଆଦିଲ୍ଲୀ : ଉତ୍ତର କୋରିଆ ଏହି ନାମଟି ଉଚ୍ଚାରଣ ମାତ୍ରେ ଭିନ୍ନ ଧରଣ ଭାବନା ଆମ ମନକୁ ଚାଲି ଆସିଥାଏ  । ସାରା ବିଶ୍ୱରେ ଥିବା ସମସ୍ତ ଦେଶଠାରୁ ଏ ଦେଶଟି ଭିନ୍ନ ଏହାର ଶାସନ ପ୍ରଣାଳୀ ପାଇଁ ।  ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗଙ୍କ ଅଜବ ଖିଆଲ ଏବଂ ଶାସନ କରିବାର ପ୍ରଣାଳୀ ହିଁ ଏହି ଦେଶକୁ ସବୁ ସମୟରେ ଚର୍ଚ୍ଚିତ କରି ରଖିଥାଏ । ନିକଟରେ ଏମିତି ଏକ ଡକ୍ୟୁମେଣ୍ଟାରୀ ସିନେମା ଆସିଛି, ଯେଉଁଥିରେ ଉତ୍ତର କୋରିଆ ଦେଶର ଅନେକ ଅଜବ ନିୟମ ସ୍ଥାନ ପାଇଛି । ଏହି ଖବର ବର୍ତ୍ତମାନ ଅର୍ନ୍ତଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି ।

ତେବେ ଆସନ୍ତୁ ଜାଣିବା ଏହି ଦେଶର କଣ ସବୁ ରହିଛି ଅଜମ ନିୟମ । ପ୍ରଥମତଃ କିମ୍ ଜଙ୍ଗଙ୍କ ଚୁଟି କଟା ଶୈଳୀ , ଯ଼ାହାକୁ କେହି ଅନୁକରଣ କରିପାରିବେ ନାହିଁ  । ହେଲେ ନାଗରିକମାନେ କେଉଁ ପ୍ରକାରରେ ନିଜ ଚୁଟି କାଟିବେ, ସେ ସମ୍ପର୍କିତ ନିର୍ଦ୍ଦିଷ୍ଟ ନିୟମ ତିଆରି କରିଦିଆଯାଇଛି । ଉତ୍ତର କୋରିଆର ପୁଅ ମାନଙ୍କ ପାଇଁ ୧୦ ପ୍ରକାର ଏବଂ ମହିଳା ମାନଙ୍କ ପାଇଁ ୧୮ ପ୍ରକାର ହେୟାର କଟ୍ ଷ୍ଟାଇଲ କରାଯାଇଛି । ଏହି ଷ୍ଟାଇଲଗୁଡିକ ମଧ୍ୟରୁ ଯେ କୌଣସି ଗୋଟିଏ ଶୈଳୀରେ ହିଁ ଉତ୍ତର କୋରିଆର ନାଗରିକ ଚୁଟି କାଟିପାରିବେ ।

ଆଶ୍ଚର୍ଯ୍ୟ କଥା ଏହି କି ଯେ, କିମ୍ ଜଙ୍ଗ ଯେଉଁ ଶୈଳୀରେ କେଶ ବିନ୍ୟାସ କରିଥାଆନ୍ତି, ତାହା ନିର୍ଦ୍ଦାରିତ ହୋଇଥିବା ୨୮ ଶୈଳୀ ମଧ୍ୟରେ ଆସି ନ ଥାଏ ।

ସେହିପରି ଉତ୍ତର କୋରିଆ ରାଜଧାନୀରେ କିଏ ରହିବେ, କିଏ ଅନ୍ୟତ୍ର ସ୍ଥାନ୍ତାନ୍ତରିତ ହେବ । ସେ ନିଷ୍ପତ୍ତି କିମ୍ ଜଙ୍ଗଙ୍କ ପ୍ରଶାସନ ହିଁ ନେଇ ପାରିବ । ସିଧାସଳଖ କହିବାକୁ ଗଲେ କିମ୍ ପ୍ରଶାସନର ଅନୁମତି ବିନା ରାଜଧାନୀରେ ରହିବା ଏକ ଧର୍ତ୍ତବ୍ୟ ଅପରାଧ ।  ତୃତୀୟତଃ ଏହି ଦେଶର ହେଉଥିବା ନିର୍ବାଚନରେ ସମସ୍ତେ ମତଦାନ କରିବାକୁ ବାଧ୍ୟ । ଏହାଶୁଣି ଆପଣଙ୍କୁ ଲାଗୁଥିବ ଯେ, ଏହା ତ ଉତ୍ତମ ବ୍ୟବସ୍ଥା । ଏହା ଦ୍ୱାରା ଗଣତନ୍ତ୍ର ମଜବୁତ୍ ହେବ ବୋଲି । ହେଲେ ସେପରି କିଛି ନୁହେଁ, ଡମି ପ୍ରାର୍ଥୀମାନଙ୍କୁ ନିଜ ବିରୋଧରେ ଛିଡା କରି କିମ୍ ବିଜୟୀ ହୋଇଥାଆନ୍ତି । କେବଳ ଲୋକଙ୍କୁ ଦେଖାଇବା ପାଇଁ ନିର୍ବାଚନ ପ୍ରକ୍ରିୟା  କରାଯାଇଥାଏ ।

ଚତୁର୍ଥ ନିୟମଟି ଆହୁରି ଅଜବ । ଆମେ ମନୋରଞ୍ଜନ ପାଇଁ ଟିଭି ଦେଖିଥାଉ । କଣ ଦେଖିବୁ ସେ ନିଷ୍ପତ୍ତି ମଧ୍ୟ ନିଜେ ନେଇ ଥାଉ । ହେଲେ ଉତ୍ତର କୋରିଆରେ ସେପରି ହୁଏ ନାହିଁ । କିଏ କଣ ଦେଖିବ, ତାହାର ନିର୍ଣ୍ଣୟ ମଧ୍ୟ ସରକାର ନିଜେ ନେଇ ଥାଆନ୍ତି । ପଞ୍ଚମ ନିୟମଟି ଆହୁରି ଅଜବ । ଯେ କୌଣସି ଧର୍ମାବଲମ୍ବୀ ହୋଇଥାଉ , ସେ ନିଜ ଧର୍ମଗ୍ରନ୍ଥକୁ ପାଖରେ ରଖିବାକୁ ଭଲ ପାଆନ୍ତି । ହେଲେ ଉତ୍ତର କୋରିଆରେ ସେପରି କିଛି ନାହିଁ । ଏହି ଦେଶରେ ବାଇବେଲ ରଖିବା ଏକ ଅପରାଧ । ଏଥିପାଇଁ କଠୋରରୁ କଠୋର ଦଣ୍ଡ ରହିଛି ।

 

ଏହି ଦେଶର ଆଉ ଏକ ନିଷ୍ଠୁର ନିୟମ ମଧ୍ୟ ରହିଛି । ଯାହା ଅଧିକ ଭୟାନକ । ଯଦି କୌଣସି ବ୍ୟକ୍ତି ଅପରାଧ କରିଛି ଆଉ ଏହା ପ୍ରଶାସନ ଦ୍ୱାରା ପ୍ରମାଣିତ ହୋଇଛି । ତେବେ ଦୋଷୀର ପରିବାରକୁ ମଧ୍ୟ ଦଣ୍ଡ ଦିଆଯିବ । ଯାହା ଅଧିକ ହୃଦୟ ବିଦାରକ ।

ସେହିପରି ଅନ୍ୟ ଏକ ନିୟମ ହେଉଛି- ପର୍ଯ୍ୟଟକମାନଙ୍କ କୌଣସି ଗୋପନୀୟତା ରହିବ ନାହିଁ । ପର୍ଯ୍ୟଟନ କେଉଁଠିକି ଯିବେ, କଣ କରିବେ ତାହାର ସମସ୍ତ ସୂଚନା ଦେବେ । ପର୍ଯ୍ୟଟକଙ୍କ ପିଛା ପ୍ରଶାସନ ପକ୍ଷରୁ ଜଣେ ଜଣେ ଗାଇଡ୍ ବା ଏଜେଣ୍ଟ ଲଗାଇ ଦିଆଯାଏ । ଆମ ଦେଶରେ କିଏ ଗାଡି ଚଲାଇବ, ତାହା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଆଇନ ସମ୍ମତ ବୟସ ହେବା ପରେ ଡ୍ରାଇଭିଙ୍ଗ ଲାଇସେନ୍ସ ଦ୍ୱାରା ଜଣେ ଚାଳକ ହୋଇ ପାରିଥାଏ । ହେଲେ ନର୍ଥ କୋରିଆରେ ଏହି ନିୟମ ପୁରା ଅଲଗା । କିଏ ଗାଡି ଚଲାଇବ, ତାହା କିମ୍ ପ୍ରଶାସନ ନିର୍ଦ୍ଦାରଣ କରିଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ, ପ୍ରତି ହଜାରରେ ମାତ୍ର ଜଣେରୁ ୧୦ ଜଣ ହିଁ ଗାଡି ଚଲାଇବାର ଅଧିକାର ପାଇଥାଏ ।

ଉତ୍ତର କୋରିଆରେ ରହି କୌଣସି ପ୍ରକାରରେ ବିଦେଶକୁ ଫୋନ କରିବା ମଧ୍ୟ ଏକ ଧର୍ତ୍ତବ୍ୟ ଅପରାଧ । ଆଉ ଏହି କଲ୍ ଯଦି ଦକ୍ଷିଣ କୋରିଆକୁ ଯାଏ, ତେବେ କଲ୍ କରିଥିବା ଲୋକ ମୃତ୍ୟୁ ଦଣ୍ଡ ସୁନିଶ୍ଚିତ ବୋଲି ଧରିନିଆଯାଇଥାଏ ।  ଆଉ ଏକ କଥା ହେଉଛି ବାକ୍ ସ୍ୱାଧୀନତା । ଉତ୍ତର କୋରିଆ ପ୍ରଶାସନ ଦ୍ୱାରା କରାଯାଇଥିବା ନିୟମ ବର୍ହିଭୁତ କୌଣସି ବକ୍ତବ୍ୟ ଏକ ଧର୍ତ୍ତବ୍ୟ ଅପରାଧ । ଯଦି ଆପଣ ଏପରି କରନ୍ତି, ତେବେ ଆପଣଙ୍କୁ ସରକାର ତାଙ୍କ ପ୍ରଶିକ୍ଷଣଗାରକୁ ନେଇ ଯିବେ, ସେଠାରେ ପ୍ରଶିକ୍ଷିତ କରିବେ । ଯଦି ଆପଣ ନ ବଦଳନ୍ତି, ତେବେ ଆପଣଙ୍କୁ ଶାରୀରିକ ନିର୍ଯ୍ୟାତନା ଭୋଗିବାକୁ ପଡ଼ିବ ।

 

 

ଧର୍ମେନ୍ଦ୍ରଙ୍କ ପ୍ରେସମିଟ୍ ଉପରେ ପ୍ରତିକ୍ରିୟା ରଖିଲା ବିଜେଡି, କହିଲା କେନ୍ଦ୍ରୀୟ ସହାୟତା ଅଣ୍ଟିଲାନି…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ମହାମାରୀରେ କେନ୍ଦ୍ର ସରକାରଙ୍କ ରାଜ୍ୟକୁ ଦେଇଥିବା ଆର୍ଥିକ ସହଯୋଗ ସମ୍ପର୍କରେ ଜଣାଇଛନ୍ତି । ପ୍ରେସ ମିଟ୍ କରି ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସରକାର ରାଜ୍ୟକୁ କୋଭିଡ୍ ମହାମାରୀ ବେଳେ ୨୨,୨୬୭.୬୬ କୋଟିର ପ୍ୟାକେଜ୍ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମୁଣ୍ଡ ପିଛା ୫ କେଜି ଚାଉଳ, ଯାହା ଦ୍ୱାରା ୩ କୋଟି ଓଡିଆ ଉପକୃତ ହୋଇଛନ୍ତି ।

ସେହିଭଳି ଜନଧନ ଆକାଉଣ୍ଟଧାରୀଙ୍କ ପାଇଁ ୧୫ ଶହ ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ବାବଦକୁ ଓଡିଶା ପାଇଁ ମୋଟ୍ ୧୨ ଶହ ୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରାୟ ୮୫ ଲକ୍ଷ ଲୋକେ ଉପକୃତ ହୋଇଛନ୍ତି ।  ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟର ୨୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ମିଳିଛି । ଏହି ବାବଦକୁ କେନ୍ଦ୍ର ସରକାର ୪ ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଛି ।  ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ୫ ହଜାର ୧୨୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।

ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ପ୍ରେସମିଟ ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ଆସିଛି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟକୁ କେନ୍ଦ୍ର ସହାୟତା କରିବା ନୂଆକଥା ନୁହେଁ । ହେଲେ ରାଜ୍ୟକୁ ଆବଶ୍ୟକ ପରିମାଣର ଅର୍ଥ ମିଳିନାହିଁ ସହାୟତା ନେଇ ବିଜେପି ନେତା ରାଜନୀତି କରିବା ଉଚିତ ନୁହେଁ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେପଟେ ଧର୍ମେନ୍ଦ୍ରଙ୍କୁ କିଏ  ହିସାବ ମାଗିଲା ବୋଲି ପ୍ରଶ୍ନ କରିଛନ୍ତି  ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ  । ଖାଲି  ଦଳର ପ୍ରଚାର ଛଡା ଧର୍ମେନ୍ଦ୍ର  କେବେ ଲୋକଙ୍କ କାମ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା  । ଲୋକଙ୍କ ହିତ ତାଙ୍କର  ଉଦେଶ୍ୟ  ନୁହେଁ ବୋଲି ପ୍ରମିଳା କହିଛନ୍ତି ।

ଜମ୍ମୁ-କାଶ୍ମୀରରେ ନୂଆ ମେଣ୍ଟକୁ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ସମର୍ଥନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ପୁଣି ମିଳୁ ସ୍ୱତନ୍ତ୍ର ସୁବିଧା । ଉଚ୍ଛେଦ ହୋଇଥିବା ଅନୁଚ୍ଛେଦ ୩୭୦ ମଧ୍ୟ ପୁଣି ଲାଗୁ ହେଉ । ଶୁକ୍ରବାର ଜମ୍ମୁ-କାଶ୍ମୀରର ମୁଖ୍ୟ ରାଜନୈତିକ ଦଳର ମେଣ୍ଟ ତିଆରିକୁ ସମର୍ଥନ କରି ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ଏମିତି କହିଛନ୍ତି । ପୂର୍ବତନ ଗୃହମନ୍ତ୍ରୀ ପି.ଚିଦାମ୍ବରମ ଟ୍ୱିଟ୍ କରି ଲେଖିଛନ୍ତି- ଜମ୍ମୁକାଶ୍ମୀର ଏବଂ ଲଦାଖର ଲୋକଙ୍କ ଅଧିକାରର ପୁନରୁଦ୍ଧାର ପାଇଁ ସାମ୍ବିଧାନିକ ଲଢ଼େଇ ଉଦ୍ଦେଶ୍ୟରେ ମୁଖ୍ୟ ଧାରାର ଆଞ୍ଚଳିକ ଦଳ ଏକାଠି ହେବାକୁ ସମସ୍ତେ ସ୍ୱାଗତ କରିବା ଉଚିତ୍ ।

Chidambaram Supoorts New Alliance Of Jammu And Kashmir Demands Article 370 Again

‘କେନ୍ଦ୍ର ସରକାର ନଜର ବଦଳାନ୍ତୁ’

ସେ ଆହୁରି କହିଛନ୍ତି- କେନ୍ଦ୍ର ସରକାର ମୁଖ୍ୟ ଧାରାର ଦଳ ଓ ଜମ୍ମୁ-କାଶ୍ମୀରର ଲୋକଙ୍କୁ ଅଲଗା ଓ ଦେଶ ବିରୋଧୀ ନଜରରେ ଦେଖିବା ବନ୍ଦ କରନ୍ତୁ । କଂଗ୍ରେସ ଜମ୍ମୁ-କାଶ୍ମୀରବାସୀଙ୍କ ସ୍ଥିତି ଓ ଅଧିକାରକୁ ଫେରାଇ ଆଣିବାକୁ ସଂକଳ୍ପବଦ୍ଧ । ୨୦୧୯ ମସିହା ଅଗଷ୍ଟ ୫ରେ ସରକାର ନେଇଥିବା ମନମୁଖୀ ଓ ଅସାମ୍ବିଧାନିକ ନିଷ୍ପତ୍ତିକୁ ବାତିଲ୍ କରିବା ଉଚିତ୍ ।

ଆଞ୍ଚଳିକ ରାଜନୈତିକ ଦଳର ବୈଠକ

ବୁଧବାର ଜମ୍ମୁ-କାଶ୍ମୀରର ମୁଖ୍ୟ ଧାରାର ରାଜନୈତିକ ଦଳ ଏକ ବୈଠକ କରିଥିଲେ । ରାଜ୍ୟର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଏହ ମେଣ୍ଟ ଗଠନ ପାଇଁ ନିଷ୍ପତ୍ତି କରିଥିଲେ । ଏହି ମେଣ୍ଟ ଏହି ପ୍ରସଙ୍ଗରେ ସବୁ ପକ୍ଷଙ୍କ ସହ ଆଲୋଚନା କରିବ । ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲାଙ୍କ ବାସଭବନରେ ବୈଠକ ବସିଥିଲା । ଏଥିରେ ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି, ପିପୁଲ୍ସ କନଫରେନ୍ସ ଅଧ୍ୟକ୍ଷ ସଜ୍ଜାଦ ଲୋନ, ପିପୁଲ୍ସ ମୁଭମେଣ୍ଟ ନେତା ଜାଦେବ ମୀର ଓ ମାକପା ନେତା ମୋହମ୍ମଦ ୟୁସୁଫ୍ ତାରିଗାମୀ ମଧ୍ୟ ଭାଗ ନେଇଥିଲେ ।

‘ମୂକନାୟକ’ ଖବରକାଗଜର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଇଆଇଏମ୍‍ସି ପକ୍ଷରୁ ଇ-ଆଲୋଚନାଚକ୍ର

ଢେଙ୍କାନାଳ: ଏବେ ବି ଅନେକ ଲୋକ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଗଣମାଧ୍ୟମରେ ଏଭଳି ଖବରର ସଂଖ୍ୟା ଆଶାଜନକ ନୁହେଁ । ଫଳରେ ଦେଶରେ ସମାନତା ଆସିପାରୁନି । ଏଣୁ ଗଣମାଧ୍ୟମ ଯତ୍ନବାନ ହୋଇ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ‘ମୂକନାୟକ’ ଖବରକାଗଜର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହୋଇଛି ‘ସମାଜର ସମାନତା ଦିଗରେ’ ଶୀର୍ଷକ ଇ-ଆଲୋଚନାଚକ୍ର । ଏଥିରେ ବକ୍ତାଭାବେ ଯୋଗଦେଇ ଓøରଙ୍ଗାବାଦସ୍ଥିତ ମହାତ୍ମା ଗାନ୍ଧୀ ମିଶନ୍‍ ବିଶ୍ୱବିଦ୍ୟାଳୟର କୁଳପତି ଡ. ସୁଧୀର ଗାଓହାନେ କହିଛନ୍ତି, ଆମ୍ବେଦକର କେବଳ ଦଳିତଙ୍କ ସ୍ୱର ନଥିଲେ ବରଂ ସେ ସମଗ୍ର ଦେଶରେ ବାସ୍ତବ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସ୍ୱର ଉତ୍ତୋଳନ କରୁଥିଲେ ।

ସମଗ୍ର ଦେଶରେ ଏକ ସାମାଜିକ-ଅର୍ଥନୈତିକ ଗଣତନ୍ତ୍ର ଆଣିବା ପାଇଁ ସେ ଅନବରତ ଚେଷ୍ଟା କରୁଥିଲେ । ଜାତିପ୍ରଥା ବା ବର୍ଣ୍ଣ ବ୍ୟବସ୍ଥା ଅର୍ଥନୀତି ଦୃଷ୍ଟିକୋଣରୁ ଫାଟ ସୃଷ୍ଟି କରୁଛି ବୋଲି ସେ ମତ ଦେଉଥିଲେ । ସମସ୍ତଙ୍କର ସମାନ ଅଧିକାର ରହିଛି, ଏହାର ପ୍ରତିପାଦନ ଚତୁବର୍ଣ୍ଣ ବ୍ୟବସ୍ଥା ପାଇଁ ସମ୍ଭବ ନୁହେଁ ବୋଲି ସେ ଯୁକ୍ତି ବାଢୁଥିଲେ । ସମାନତା ସେବେ ସମ୍ଭବ ହୋଇପାରିବ, ଯେବେ ସମସ୍ତଙ୍କୁ ସବୁ କ୍ଷେତ୍ରରେ ସମାନ ସୁଯୋଗ ମିଳିବ । ତେବେ ଦୁର୍ଭାଗ୍ୟବଶତଃ ଦେଶରେ ଅନେକ କ୍ଷେତ୍ରରେ ଫାଟ ସୃଷ୍ଟି ହୋଇଥିଲା । ଏଣୁ ସେ ସାମାଜିକ ଗଣତନ୍ତ୍ର, ସାମାଜିକ ନ୍ୟାୟ ତଥା ଅର୍ଥନୈତିକ ଅଧିକାର ହାସଲ ପାଇଁ ନିଜର ଲଢ଼େଇ ଜାରି ରଖିଥିଲେ । ଏସବୁ ସେ ସମ୍ପୃକ୍ତ ଥିବା ଖବରକାଗଜଗୁଡ଼ିକରେ ପ୍ରତିଫଳିତ ହେଉଥିଲା । ବର୍ତ୍ତମାନ ସମୟରେ ତାଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଭାବେ ପ୍ରାସଙ୍ଗିକ । ଆଜିକାଲିର ଗଣମାଧ୍ୟମ ଯେତିକି ମାତ୍ରାରେ ରାଜନେତା, ପ୍ରଭାବଶାଳୀ ବ୍ୟକ୍ତି ଓ ବାଣିଜ୍ୟିକ ସଂସ୍ଥାର ଖବର ପରିବେଷଣ କରୁଛି, ସେହି ଅନୁସାରେ ଗୋଷ୍ଠୀ ବା ସାଧାରଣ ଲୋକଙ୍କ ଖବର ସ୍ଥାନ ପାଉନାହିଁ । ଏଭଳି ଜାରିରହିଲେ ଦେଶରେ ଏକତା ସମ୍ଭବ ହୋଇପାରିବ ନାହିଁ । ଏଣୁ ଗଣମାଧ୍ୟମ ସଂସ୍ଥା ଏବଂ ତା’ ସହ ଜଡ଼ିତ ସମସ୍ତଙ୍କୁ ଏ ବିଷୟରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।


ଅନ୍ୟତମ ବକ୍ତାଭାବେ ଯୋଗଦେଇ ଆଇଆଇଏମ୍‍ସି ଅମରାବତୀର ଆଞ୍ଚଳିକ ନିର୍ଦ୍ଦେଶକ ବିଜୟ ସତୋକର କହିଛନ୍ତି, ବର୍ତ୍ତମାନ ଅନେକ ପ୍ରସଙ୍ଗ ଓ ସମସ୍ୟା ରହିଛି । ଅଧିକାରରୁ ବଞ୍ଚିତ ହେଉଥିବା ଲୋକ ବି ଅଛନ୍ତି । ଲୋକେ ଅଧିକରୁ ଅଧିକ ଶିକ୍ଷିତ ହେଲେଣି । ଦିନକୁ ଦିନ ବୈଷୟିକ ବିଦ୍ୟାରେ ଉନ୍ନତି ହେଉଛି । ଏମିତି ସ୍ଥିତିରେ ଅଧିକାରରୁ ବଞ୍ଚିତ ହେଉଥିବା ଲୋକ ବା ଦଳିତଙ୍କ ସମସ୍ୟା ଉପସ୍ଥାପନ କରିବାରେ ଗଣମାଧ୍ୟମ ବିଶେଷ ଦୃଷ୍ଟି ଦେଉନଥିବା ଭଳି ମନେ ହେଉଛି । ଏଭଳି ସମୟରେ ଖବରକାଗଜ ଓ ନିଉଜ୍‍ ଚ୍ୟାନେଲଗୁଡ଼ିକ ସବୁ କ୍ଷେତ୍ରରେ ସମାନତା ଆଣିବା ତଥା ଦଳିତଙ୍କ ସମସ୍ୟା ଉପସ୍ଥାପନ କରିବା ନିହାତି ଲୋଡ଼ା ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ସେହିପରି କୋଲ୍‍କାତା ସେଣ୍ଟ ଜାଭିୟର୍ସ କଲେଜର ସହକାରୀ ପ୍ରଫେସର ଡ. ଝୁମ୍ପା ମୁଖାର୍ଜୀ କହିଛନ୍ତି, ଯେପର୍ଯ୍ୟନ୍ତ ସାମାଜିକ ଗଣତନ୍ତ୍ର ହୋଇପାରିନି ଯେତେ ପର୍ଯ୍ୟନ୍ତ ରାଜନୈତିକ ଗଣତନ୍ତ୍ରର ଯଥାର୍ଥତା ପ୍ରତିପାଦନ ହୋଇପାରିବ ନାହିଁ । କେବଳ ଆଇନ କାନୁନ ଦ୍ୱାରା ମୌଳିକ ଅଧିକାର, ସମାନତା ଆଦି ଆସିପାରିବନି । ବରଂ ଏ ଦିଗରେ ସମସ୍ତେ ସଚେତନ ରହିବା ଜରୁରୀ । ଏଥିପାଇଁ ଗଣମାଧ୍ୟମର ମଧ୍ୟ ଏକ ଶକ୍ତିଶାଳୀ ଭୂମିକା ରହିଛି । ଅନ୍ୟମାନଙ୍କ ସମସ୍ୟାକୁ ନିଜର ସମସ୍ୟା ଭାବି ଉପସ୍ଥାପନ କରିବାର ଆବଶ୍ୟକତା ରହିଛି । ସେ ସମୟରେ ଅଧିକାରରୁ ବଞ୍ଚିତ ହେଉଥିବା ଲୋକଙ୍କ ସ୍ୱର ଥିଲା ‘ମୂକନାୟକ’ ଖବରକାଗଜ । ମହିଳାଙ୍କ ସମସ୍ୟା ଉପରେ ସେତେବେଳେ ଖୁବ୍‍ କମ୍‍ ଆଲୋଚନା ହେଉଥିଲା । ଏହି ଖବରକାଗଜ ମହିଳାଙ୍କ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଥିଲା । ବର୍ତ୍ତମାନ ମଧ୍ୟ ଅନେକ ସମସ୍ୟା ଅଣଦେଖା ହୋଇଚାଲିଛି । ଏମିତି ସ୍ଥିତିରେ ରାଜନୈତିକ ଗଣତନ୍ତ୍ରର କିଛି ଲାଭ ନାହିଁ । ପ୍ରଥମେ ସାମାଜିକ ଗଣତନ୍ତ୍ର ଆସିବା ଜରୁରୀ ।


ଦୈନିକ ‘ସମାଜ’ର ପୂର୍ବତନ ବାର୍ତ୍ତା ସମ୍ପାଦକ ତପନ ମିଶ୍ର କହିଛନ୍ତି, ସେତେବେଳର ଗଣମାଧ୍ୟମ ଆଉ ଏବର ଗଣମାଧ୍ୟମ ଭିତରେ ବେଶ୍‍ ଫରକ୍‍ ରହିଛି । ସେତେବେଳେ ସ୍ୱାଧୀନତା ପ୍ରାପ୍ତି, ଦେଶ ଗଠନ, ଲୋକଙ୍କ ସମସ୍ୟା ଉପସ୍ଥାପନ ଆଦି ଉଦ୍ଦେଶ୍ୟ ନେଇ ଗଣମାଧ୍ୟମ ସଂସ୍ଥା ଖୋଲୁଥିଲା । ଆଉ ଏବେ ଅଧିକାଂଶ ଗଣମାଧ୍ୟମ ସଂସ୍ଥା ଆର୍ଥିକ ଲାଭ ଉଦ୍ଦେଶ୍ୟରେ ଖୋଲୁଛି । ଏମିତି ଏକ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗଣମାଧ୍ୟମରେ ଆଲୋଚିତ ହେଉନି । ବିଶେଷତଃ ଅଧିକାରରୁ ବଞ୍ଚିତ ହେଉଥିବା ଲୋକଙ୍କ ଖବର ଆଗ ଅପେକ୍ଷା ଖୁବ୍‍ କମ୍‍ ଦେଖିବାକୁ ମିଳୁଛି । ସମାନତା ପ୍ରସଙ୍ଗ କେବଳ ସାମ୍ବିଧାନିକ ବୋଲି ମନେ ହେଉଛି । ବାସ୍ତବ କ୍ଷେତ୍ରରେ ଏବେ ବି ଅନେକ ଲୋକ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଏମିତି ଏକ ସମୟରେ ଆମକୁ ଯତ୍ନର ସହ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଗଣମାଧ୍ୟମ ମାନବିକତାର ସହ ଲୋକଙ୍କ ହିତକୁ ପ୍ରଥମେ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଛନ୍ତି ।


ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ୧୯୨୦ ଜାନୁଆରୀରେ ବାବା ସାହେବ ‘ମୂକନାୟକ’ ଆରମ୍ଭ କରିଥିଲେ । ଦଳିତଙ୍କ ସ୍ୱର ଉପସ୍ଥାପନ କରି ସେଗୁଡ଼ିକର ସମାଧାନ ପାଇଁ ସେ ବେଶ୍‍ ଚେଷ୍ଟା କରିଥିଲେ । ସମଗ୍ର ଦେଶରେ ବିଶେଷତଃ ମହାରାଷ୍ଟ୍ରରେ ଦଳିତ ରାଜନୀତିକୁ ଆଗେଇ ନେବାରେ ଏହି ଖବରକାଗଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ପରବର୍ତ୍ତୀ ସମୟରେ ଦଳିତଙ୍କ ଅଧିକାର ପାଇଁ ଦାବି କରୁଥିବା ଆଉ କିଛି ଖବରକାଗଜ ସହ ଆମ୍ବେଦକର ସମ୍ପୃକ୍ତ ଥିଲେ । ତେବେ ଭାରତୀୟ ସାମ୍ବାଦିକତା ପ୍ରତି ଏହି ଖବରକାଗଜର ଏକ ବିଶେଷ ଅବଦାନ ରହିଛି ନିଶ୍ଚୟ । ଶହେ ବର୍ଷ ପରେ ବର୍ତ୍ତମାନ ଏକ ସମତୁଲ୍ୟ ସମାଜ ଗଠନ ହୋଇନଥିବା ପରିସଂଖ୍ୟାନ କହୁଛି । ତେବେ ଏହା କାହିଁକି ହେଉଛି ଏବଂ ଆମକୁ କ’ଣ କରିବା ଦରକାର ବିଶେଷକରି ଗଣମାଧ୍ୟମର କି’ ଦାୟିତ୍ୱ ରହିଛି, ସେସବୁ ବିଷୟକୁ ନେଇ ଆଜିର ଇ-ଆଲୋଚନାଚକ୍ର ଅନେକ ଗୁରୁତ୍ୱ ରଖୁଛି । ଆଇଆଇଏମ୍‍ସିର ସହକାରୀ ପ୍ରଫେସର ସମ୍ବିତ ପାଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଇ-ଆଲୋଚନାଚକ୍ରରେ ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର।

Micromax India ପୁଣି ଫେରିବ ଭାରତ

ନୂଆଦିଲ୍ଲୀ: ଭାରତର ସ୍ମାର୍ଟଫୋନ୍ ନିର୍ମାଣକାରୀ କମ୍ପାନୀ ମାଇକ୍ରୋମ୍ୟାକ୍ସ ଶୀଘ୍ର ଦେଶରେ ତାର ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚଳାଇଛି । ପ୍ଲାନିଂ ଅନୁସାରେ ଦେଶରେ ନୂଆ ସ୍ମାର୍ଟଫୋନ୍ ସିରିଜ୍ ଲଞ୍ଚ କରିବ କମ୍ପାନୀ । ମୋବାଇଲ୍ କମ୍ପାନୀ ମାଇକ୍ରୋମ୍ୟାକ୍ସର କୋ-ଫାଉଣ୍ଡର ରାହୁଲ ଶର୍ମା ଏନେଇ ଟ୍ୱିଟରରେ ଭିଡିଓ ସେୟାର କରିଛନ୍ତି । ଭିଡିଓରୁ ଜଣାପଡ଼ୁଛି ଖୁବଶୀଘ୍ର ମାଇକ୍ରୋମ୍ୟାକ୍ସ ନୂଆ ସ୍ମାର୍ଟଫୋନ୍ ଆଣୁଛି ।

ତେବେ କମ୍ପାନୀ ନୂଆ ସ୍ମାର୍ଟଫୋନ୍ ସିରିଜ୍ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ । କୋ-ଫାଉଣ୍ଡର ରାହୁଲ ଟ୍ୱିଟରରେ ପ୍ରାୟ ୨ ମିନିଟର ଭିଡିଓ ଭାଇରାଲ୍ କରିଛନ୍ତି । ଭିଡିଓରେ କମ୍ପାନୀର ଏବେ ଯାଏଁ ଯାତ୍ରା ସମ୍ପର୍କରେ କହିଛନ୍ତି ରାହୁଲ ।  ବଜାରରେ ଚୀନ ସ୍ମାର୍ଟଫୋନ୍ କବଜା ପରେ କମ୍ପାନୀର ସ୍ମାର୍ଟଫୋନ୍ ବିକ୍ରି କମି ଯାଇଥିଲା ।

ଯେତେବେଳେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତର ଘୋଷଣା କରିଛନ୍ତି ତ ଆମେ ତା’ଉପରେ କାମ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ କମ୍ପାନୀ ପୁଣି ଭାରତ ଫେରିବ । ଭିଡିଓରେ ସ୍ମାର୍ଟଫୋନ୍ ବକ୍ସ ପ୍ରଦର୍ଶିତ ହୋଇଛି । ନୀଳ ରଙ୍ଗର ବକ୍ସରେ ଲେଖାଯାଇଛି ‘In’ । ଯେଉଁଥିରୁ ଜଣାପଡ଼ୁଛି କମ୍ପାନୀ ‘In’ ସିରିଜ୍ ସ୍ମାର୍ଟଫୋନ୍ ଲଞ୍ଚ କରିବ ।

କେତେ ରହିବ ଦାମ୍ ?

କମ୍ପାନୀ ଆଣୁଥିବା ସ୍ମାର୍ଟଫୋନ୍ ସମ୍ବନ୍ଧରେ ସୂଚନା ମିଳିନାହିଁ । ତେବେ ଆକଳନ ଅନୁଯାୟୀ କମ୍ପାନୀର ନୂଆ ସ୍ମାର୍ଟଫୋନ୍ ସିରିଜର ମୂଲ୍ୟ ୭ ହଜାର ଟଙ୍କାରୁ ୧୫ ହଜାର ଟଙ୍କା ରହିବ । ଏହି ସ୍ମାର୍ଟଫୋନ୍ ଷ୍ଟକ୍ ଆଣ୍ଡ୍ରୟଡ ସହିତ ନଭେମ୍ବର ମାସରେ ଦେଶରେ ଲଞ୍ଚ ହେବ ।

Odisha Corona Updates: ଆଜି ରାଜ୍ୟରେ ସୁସ୍ଥ ହେଲେ ୨୮୫୦

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୨୮୫୦ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୬୩, କଟକରୁ ୧୮୪, ପୁରୀରୁ ୧୪୭, ଅନୁଗୁଳରୁ ୧୩୮,ସମ୍ବଲପୁରରୁ ୧୩୭, କେନ୍ଦୁଝରରୁ ୧୩୩, ବରଗଡରୁ ୯୮, ନବରଙ୍ଗପୁରରୁ ୮୯, ଯାଜପୁରରୁ ୮୭, ସୁନ୍ଦରଗଡରୁ ୮୫, ମୟୂରଭଞ୍ଜରୁ ୮୨, ଜଗତସିଂହପୁରରୁ ୮୦, ସୋନପୁରରୁ ୮୦, ବଲାଙ୍ଗିରରୁ ୭୨, ଝାରସୁଗୁଡାରୁ ୭୨, ବାଲେଶ୍ୱରରୁ ୬୯, ଢେଙ୍କାନାଳରୁ ୬୬, କଳାହାଣ୍ଡିରୁ ୬୩ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି କେନ୍ଦୁଝରରୁ ୫୫, କନ୍ଧମାଳରୁ ୪୮, ମାଲକାନଗିରିରୁ ୪୨, ବୌଦ୍ଧରୁ ୪୧, ନୂଆପଡ଼ାରୁ ୪୧, ନୟାଗଡ଼ରୁ ୩୭, ଗଞ୍ଜାମରୁ ୩୬, ଭଦ୍ରକରୁ ୩୧, ରାୟଗଡାରୁ ୨୭, କୋରାପୁଟରୁ ୨୬, ଦେଓଗଡ଼ରୁ ୧୫, ଗଜପତିରୁ ୩ ଓ ଷ୍ଟେଟ୍ ପୁଲ୍ ବାବଦକୁ ୨୦୩ ଜଣ ସୁସ୍ଥ ହୋଇଛନ୍ତି । ତେବେ ଆଜିର ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ୨ ଲକ୍ଷ ୪୧ ହଜାର ୩୮୫ ଜଣ ସୁସ୍ଥ ହୋଇଛନ୍ତି ।

କଟକ: ନିଶାମୁକ୍ତି ଭାରତ ଅଭିଯାନରେ ବ୍ରାଣ୍ଡ ଆମ୍ବାସଡ଼ର ହେଲେ କୁନା ତ୍ରିପାଠୀ

0

କଟକ : ପାନ, ବିଡ଼ି ନୁହେଁ ଛୋଟିଆ ନିଶା । ଆସ୍ତେ ଆସ୍ତେ କରି ଟାଣେ ପଇସା । ନିଶା ଯେ କେବଳ ଆର୍ଥିକ ଭାବେ କ୍ଷତି କରିଥାଏ, ତାହା ନୁହେଁ । ଏହା ଆମକୁ ସ୍ୱାସ୍ଥ୍ୟଗତ ଭାବରେ ମଧ୍ୟ ବହୁତ କ୍ଷତି କରାଇଥାଏ । ତେଣୁ ନିଶା ଠାରୁ ଆମେ ଦୂରରେ ରହିବ ଉଚିତ । ସବୁ ପ୍ରକାର ନିଶାଦ୍ରବ୍ୟଠୁ ନିଜକୁ ଯଥା ସମ୍ଭବ ଦୂରରେ ରଖିବା ଉଚିତ । ନିଶାମୁକ୍ତ ସମାଜ ପାଇଁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି । ସେହିକ୍ରମରେ କଟକ ଜିଲାରେ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ପାଇଁ ସତ୍ୟବ୍ରତ ତ୍ରିପାଠୀ(କୁନା)ଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି କରାଯାଇଛି ।

ଗତ ୧୪ ତାରିଖରେ ଏ ନେଇ କଟକ ଜିଲ୍ଲାପାଳଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ସେଲ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ନିଶାମୁକ୍ତ ଭାରତ ଅଭିଯାନ ପାଇଁ କୁନା ତ୍ରିପାଠୀଙ୍କୁ ଜିଲାର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତ କରାଯାଇଛି । ଆଗାମୀ ଦିନରେ କୁନାଙ୍କ ଆବାହକତ୍ୱରେ ଜିଲା ବ୍ୟାପୀ ନିଶାମୁକ୍ତ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।

ଏଥିରେ ସଚେତନତା କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ, ବିଜ୍ଞାପନ ଆଦି ଅନ୍ତର୍ଭୁକ୍ତ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ, କୁନା ତ୍ରିପାଠୀ ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ସିନେମା, ଧାରାବାହିକ ଏବଂ ମନୋରଞ୍ଜନ ଧର୍ମୀ ସଚେତନତା କାର୍ଯ୍ୟକ୍ରମ ଜରିଆରେ କୁନା ତ୍ରିପାଠୀ ଏକ ଘରେ ଘରେ ପରିଚିତ ନାମ । କୁନାଙ୍କ ଯୋଗଦାନ ଆଗାମୀ ଦିନରେ କଟକ ଜିଲାରେ ନିଶାମୁକ୍ତ ଅଭିଯାନକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି ।