spot_img
Home Blog Page 657

ଆମ୍ବୁଲାନ୍ସ – ପିକଅପ୍ ଧକ୍କା, ୫ ମୃତ

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପ୍ରଦେଶର ଆମେଥିରେ ଭୟଙ୍କର ସଡ଼କ ଦୁର୍ଘଟଣା  । ଏକ ଆମ୍ବୁଲାନ୍ସ ପିକଅନ ସହ ଧକ୍କା ହୋଇଛି । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।   ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ନେଇଛି। ଏହା ସହିତ, ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଏହି ଘଟଣା ଶୁକ୍ଳା ବଜାର ଥାନା ଅଞ୍ଚଳରେ ଥିବା ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଘଟିଛି। ଯେତେବେଳେ ଆମ୍ବୁଲାନ୍ସଟି ଲକ୍ଷ୍ନୌରୁ ଗାଜିପୁରକୁ ମୃତଦେହ ନେଇ ଯାଉଥିଲା। ଏହି ସମୟରେ ଆମ୍ବୁଲାନ୍ସଟି ଏକ ଅନିୟନ୍ତ୍ରିତ ପିକଅପ୍ ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ଗୁରୁତର ଆହତ ହୋଇଥିଲେ।

ଗୋଟିଏ ପରେ ଗୋଟିଏ ଦୁର୍ଘଟଣା, ଚାରିଧାମ ଯାତ୍ରାରେ ହେଲିକପ୍ଟର ସେବା ନିଷେଧ

ନନ୍ଦିଘୋଷ ବ୍ୟୁରୋ ; ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ଉତ୍ତରାଖଣ୍ଡର କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଗୌରୀକୁଣ୍ଡ ଅଞ୍ଚଳ ନିକଟରେ ଘଟିଛି। ହେଲିକପ୍ଟରରେ ଥିବା ସମସ୍ତ ୭ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଏହି ଦୁର୍ଘଟଣା ଖରାପ ପାଗ ଯୋଗୁଁ ଘଟିଛି।

ଏହି ଦୁର୍ଘଟଣାକୁ ଗମ୍ଭୀରତାର ସହ ନେଇ ଉତ୍ତରାଖଣ୍ଡ ସରକାର ଦୁଃଖ ପ୍ରକାଶ କରିଛନ୍ତି। ହେଲିକପ୍ଟର ସେବା ପରିଚାଳନା ପାଇଁ ଏକ ଏସଓପି ପ୍ରସ୍ତୁତ କରିବାକୁ ସେମାନେ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ ରାଜ୍ୟରେ ହେଲିକପ୍ଟର ଦୁର୍ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ହେଲିକପ୍ଟର ପରିଚାଳନା ସମ୍ପର୍କରେ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ରାଜ୍ୟରେ ହେଲିକପ୍ଟର ସେବା ପରିଚାଳନା ପାଇଁ ଏକ କଡ଼ା ଏସଓପି ପ୍ରସ୍ତୁତ କରାଯିବା ଉଚିତ, ଯେଉଁଥିରେ ଉଡ଼ାଣ ପୂର୍ବରୁ ହେଲିକପ୍ଟରର ଯାନ୍ତ୍ରିକ ସ୍ଥିତିର ସମ୍ପୂର୍ଣ୍ଣ ଯାଞ୍ଚ ଓ ପାଣିପାଗ ବିଷୟରେ ସଠିକ୍ ସୂଚନା ନେବା ବାଧ୍ୟତାମୂଳକ କରାଯିବା ଉଚିତ।

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା ପରେ UCADA ଏବଂ DGCA ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେମାନେ ଚାରିଧାମ ଯାତ୍ରାରେ ହେଲିକପ୍ଟର ସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି।

ବନ୍ଧୁକ ମୁନରେ ସଶସ୍ତ୍ର ଡକାୟତି

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ବନ୍ଧୁକ ମୁନରେ ସଶସ୍ତ୍ର ଡକାୟତି । ରାତିରେ ଆସି ଘର ଲୋକଙ୍କୁ ବାନ୍ଧି ନିସ୍ତୁକ ପଟିବା ସହ ଲୁଟି ନେଲେ ସୁନା ଓ ଟଙ୍କା । ଦୁଇଟି ଘରୁ ଫିଲ୍ମ ଷ୍ଟାଇଲରେ ଲୁଟିଛନ୍ତି ଲୁଟେରା । ୬ ରୁ ଅଧିକ ଲୁଟେରା ମୁହଁରେ କଳା କପଡା ବାନ୍ଧି ଘରେ ପଶିଥିଲେ। ୭୦ ହଜାରରୁ ଅଧିକ ଟଙ୍କା ଓ ୧୩ ଭରିରୁ ଅଧିକ ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ଅତିରିକ୍ତ ଏସପି, ଏସଡିପିଓ, ସଦର ଥାନା ପୋଲିସ, ସାଇଣ୍ଟିଫିକ ଟିମ୍ ଓ ଡଗ ସ୍କ୍ୱାଡ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ଟ୍ରକ୍ ଚଢ଼ାଇ ଜଣଙ୍କୁ ହତ୍ୟା କରିଛି ଅନ୍ୟ ଜଣେ ଡ୍ରାଇଭର

ଝାରସୁଗୁଡା : ଝାରସୁଗୁଡାରେ ଦୁଇ ଟ୍ରକ ଡ୍ରାଇଭରଙ୍କ ମଧ୍ୟରେ ଗଣ୍ଡଗୋଳ। ଟ୍ରକ୍ ଚଢ଼ାଇ ଜଣଙ୍କୁ ହତ୍ୟା କରିଛି ଅନ୍ୟ ଜଣେ ଡ୍ରାଇଭର। ସୂଚନା ଅନୁସାରେ, କୌଣସି କଥାକୁ ନେଇ ଦୁଇ ଟ୍ରକ୍ ଡ୍ରାଇଭରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।  ପଥରରେ ଜଣେ ଆଉ ଜଣକୁ ଆକ୍ରମଣ କରିଥିଲା। ଯେଉଁଥିରେ ରାଗିଯାଇ ଜଣେ ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରକୁ ଟ୍ରକ୍ ଚଢ଼ାଉ ହତ୍ୟା କରିଛି। ମୃତକ ହେଲେ ବିହାରର ସଞ୍ଜୟ ମହାକୁଳ। ଗାଡି ଚଢ଼ାଉ ହତ୍ୟା କରିଥିବା ଡ୍ରାଇଭର ଜଣକ ଫେରାର ହୋଇଯାଇଛି। ଉଭୟ ଟ୍ରକ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ, କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।

ପୁରୀ ଜିଲ୍ଲାକୁ ଡେଇଁଲା ଡାଇରିଆ

କୋଣାର୍କ :ଇଲାଣି ଡାଇରିଆ। ପୁରୀ ଜିଲ୍ଲାକୁ ଡେଇଁଲା ଡାଇରିଆ।  ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ୨୪ଘଣ୍ଟା ମଧ୍ୟରେ ୨୦ରୁ ଉର୍ଦ୍ଧ ଝାଡାବାନ୍ତି ରୋଗୀ ଚିକିତ୍ସା ହୋଇସାରିଲେଣି।  ହସ୍ପିଟାଲରେ ଝାଡାବାନ୍ତି ରୋଗୀ ହାଉଯାଉ। ଆକ୍ରାନ୍ତଙ୍କ ଲାଗିଛି ଲମ୍ବାଲାଇନ। ୨୪ଘଣ୍ଟାରେ ୨୦ରୁ ଉର୍ଦ୍ଧ ଚିକିତ୍ସା ହୋଇଥିବା ଜଣାପଡିଛି। ଅସ୍ତରଙ୍ଗ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ଆକ୍ରାନ୍ତ ମଧ୍ୟରେ ଶିଶୁ, ମହିଳା ଓ ବୟସ୍କ ଅଛନ୍ତି। ଏହାର ପ୍ରକୃତ କାରଣ ଖୋଜା ଚାଲିଛି। ଏନେଇ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ୱଭାରତ ମହାଲିକ କହିଛନ୍ତି ଖାଦ୍ୟ ବିଷକ୍ରିୟା କିମ୍ବା ଦୂଷିତ ଜଳ ଯୋଗୁଁ ରୋଗ ବ୍ୟାପୁଥିବା ଜଣାପଡୁଛି । ପାଗ ପରିବର୍ତ୍ତନ ଯୋଗୁଁ ମଧ୍ୟ ହୋଇଥାଇପାରେ। ଲୋକମାନେ ସଚେତନ ରହିବା ସହ ଭୋଜି ଭାତରୁ ଦୂରେଇ ରହିବାକୁ ବାରଣ କରାଯାଇଛି।

ଯାଜପୁରରେ କାୟା ମେଲାଉଛି ଝାଡ଼ାବାନ୍ତି, ଆଉ ୨ ଜଣ ରୋଗୀଙ୍କ ମୃତ୍ୟୁ !

ଯାଜପୁର : ଯାଜପୁରରେ କାୟା ମେଲାଉଛି ଝାଡ଼ାବାନ୍ତି। ଆଉ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଥିବା ବେଳେ, ଚିକିତ୍ସା ପାଇଁ ମେଡିକାଲ ଯାଉଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର ୨ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ସ୍ଥିତି କିଭଳି ନିୟନ୍ତ୍ରଣ ହେବ ସେ ନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ। ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରରୁ ୧୪ ଜଣିଆ ଟିମ୍। ଯେଉଁଥିରେ ଅଛନ୍ତି ICRM, NCDC, WHO ଓ ଖାଦ୍ୟ ନିରାପତ୍ତା ସଦସ୍ୟ। ଏହାସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ। ଝାଡାବାନ୍ତିରେ ଏଯାଏଁ ୧୫୦୦ରୁ ଅଧିକ ହେଲେଣି ଆକ୍ରାନ୍ତ। ୨୦୦ରୁ ଅଧିକ ରୋଗୀଙ୍କର ଚାଲିଛି ଚିକିତ୍ସା।

କେଦାରନାଥ ଯାଉଥିବା ହେଲିକପ୍ଟର ଗୌରୀକୁଣ୍ଡ ନିକଟରେ ଦୁର୍ଘଟଣାଗ୍ରସ୍ତ, ୭ ମୃତ

ନନ୍ଦିଘୋଷ ବ୍ୟୁରୋ : ଆଜି ସକାଳେ ଉତ୍ତରାଖଣ୍ଡର କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଗୌରୀକୁଣ୍ଡ ଅଞ୍ଚଳ ନିକଟରେ ଘଟିଛି। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନଦା ମିଳିଛି । ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଘଟଣା ପରେ NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତଥାପି, ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି। ହେଲିକପ୍ଟରର ଭଗ୍ନାବଶେଷ ଘଟଣାସ୍ଥଳେ ବିଛାଡ଼ି ପଡ଼ିଛି। ଧୂଆଁ ଦେଖିବା ପରେ ଘାସ କାଟୁଥିବା ମହିଳାମାନେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ସମ୍ପୂର୍ଣ୍ଣ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସମଗ୍ର ଘଟଣାଟି ସକାଳ ପ୍ରାୟ ସାଢ଼େ ୫ଟାରେ ଘଟିଥିଲା। ଏହି ଦୁର୍ଘଟଣାରେ ୫ ଜଣ ବୟସ୍କ, ପିଲା ଏବଂ ପାଇଲଟ୍ ଏବଂ ଜଣେ ଶିଶୁର ମୃତ୍ୟୁ ହୋଇଛି।

ଚାରିଧାମ ଯାତ୍ରା ସମୟରେ ଯାତ୍ରୀମାନେ ଅସୁବିଧାରୁ ରକ୍ଷା ପାଇବା ଏବଂ ଚଢ଼ିବା ଏଡାଇବା ପାଇଁ ହେଲିକପ୍ଟର ବ୍ୟବହାର କରନ୍ତି। ସାମ୍ପ୍ରତିକ ସମୟରେ କେଦାରନାଥରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ରାସ୍ତାରେ ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହା ବ୍ୟତୀତ, କିଛି ଦିନ ପୂର୍ବରୁ ଆଉ ଏକ ହେଲିକପ୍ଟର ଉଡ଼ାଣ ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ତୁହାକୁ ତୁହା ଭିଜିବ ଓଡ଼ିଶା, ପୁଣି ୧୮ ତାରିଖ ବେଳକୁ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ବର : ଆଜିଠୁ ବଢିବ ମୌସୁମି ଜନିତ ବର୍ଷାର ପରିମାଣ । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ   ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ରହିଛି  । ତେବେ  ୧୮ ତାରିଖ ବେଳକୁ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ମସୁମୀକୁ ସକ୍ରିୟ କରିବାରେ ସହାୟତା କରିବ ।  ଫଳରେ ବର୍ଷାରୁ ନିସ୍ତାର ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୨୦ ତାରିଖ ଯାଏ  ରାଜ୍ୟରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଆଜି ମଧ୍ୟ ନବରଙ୍ଗପୁର,କନ୍ଧମାଳ, କଳାହାଣ୍ତି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି   I ଫଳରେ ତାପାମାତ୍ର ଦୁଇରୁ ତିନି ଡିଗ୍ରୀ କମିବ ବୋଲି କହିଛି ପାଣିପାଗ କେନ୍ଦ୍ର ।

ଇରାନର କେତେକ ଅଞ୍ଚଳରେ ମିସାଇଲ ମାଡ଼ କଲା ଇସ୍ରାଏଲ

ନନ୍ଦିଘୋଷ ବ୍ୟୁରୋ :  ଇସ୍ରାଏଲ ଓ ଇରାନ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଗତ ରାତିରେ ମଧ୍ୟ ଇରାନର ରାଜଧାନୀ ତେହେରାନର କେତେକ ଅଞ୍ଚଳରେ ମିସାଇଲ ଓ ବୋମାମାଡ଼ କରିଛି ଇସ୍ରାଏଲ। ବିଶେଷ କରି ଆଣବିକ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିବାର ଜଣାପଡ଼ିଛି। ଇସ୍ରାଏଲ ଚେତାବନ ଦେଇଛି ଯଦି ଇରାନ ପାଲଟା ଆକ୍ରମଣ କରେ ତେହେରାନକୁ ପୁରା ଜାଳି ଦେବୁ। ଇସ୍ରାଏଲର ଅପରେସନ ଲାୟନ ଜବାବରେ ଇରାନ ଅପରେସନ ଟ୍ରୁ ପ୍ରମିଜ କରିଥିଲା। ଇସ୍ରାଏଲରେ ବୋମାମାଡ଼ ଓ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ଅନେକ ମୃତାହତ ହୋଇଥିଲେ। ଏପରିକି ଇସ୍ରାଏଲ ପ୍ରତିରକ୍ଷା ହେଡ କ୍ଵାଟର ବି କ୍ଷତିଗ୍ରସ୍ତ ହୋଇଛି। ସେପଟେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ନାଲି ଦେଖାଇଛି ଇରାନ। ହସ୍ତକ୍ଷେପ ନ କରିବାକୁ ଚେତାବନୀ। ନ ହେଲେ ଆମେରିକା, ବ୍ରିଟେନର ଏୟାରବେସରେ ହମକା କରିବାକୁ ଧମକ ଦେଇଛି।

ବାଙ୍କୀ ଘୋଳପୁରରେ ଝାଡ଼ାବାନ୍ତି, ୨୯ ଆକ୍ରାନ୍ତ

ବାଙ୍କୀ : କଟକ ବାଙ୍କୀ ଘୋଳପୁରରେ ଝାଡ଼ାବାନ୍ତି । ଏଥିରେ ୨୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇବା ପରେ ସୁବର୍ଣ୍ଣପୁର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡକ୍ଟର ଅମରେଶ ସାହୁଙ୍କ ତତତ୍ଵାବଧାନରେ ଏକ ଡ଼ାକ୍ତରୀ ଟିମ୍ ଘଟଣା ସ୍ଥଳକୁ ଯାଇଛି। ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ ଔଷଧ, ହାଲୋଜେନ ବଟିକା ବଣ୍ଟନ କରିଥିଲେ । ଖୋଲା କୂଅ, ନଳକୂଅରେ ବ୍ଲିଚିଂ ପକାଇ ଜଳ ବିଶୋଧନ କରାଯିବା ସହ ପାଣି ନମୁନା ପରୀକ୍ଷାଗାରକୁ ପଠା ଯାଇଛି।  ପାଣି ଫୁଟାଇ ପିଇବାକୁ ଲୋକଙ୍କୁ କୁହାଯାଇଛି। ଆଶା କର୍ମୀ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିଛନ୍ତି। କଟକରୁ ମାଇକ୍ରୋ ବାଇଲୋଜିଷ୍ଟ ଦଳ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତି।