ଭୁବନେଶ୍ବର : ଆଜି ଯାଜପୁର ଜିଲ୍ଲା ଗସ୍ତରେ ଯାଉଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ ଯାଜପୁର ଯାଇ ଡାଇରିଆ ସ୍ଥିତିର ଅନୁଧ୍ୟାନ କରିବେ। ଗତକାଲି ସ୍ଵାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଯାଇ ପରିସ୍ଥିତି ଦେଖିଥିଲେ। ଏହା ପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯାଜପୁରରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୬ । ସେମାନଙ୍କ ଭିତରୁ ୧୩୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୨୧୦ ଜଣ ଚିକିତ୍ସାଧୀନ ଅଛନ୍ତି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ଜାରି କରିଛି ପ୍ରେସ୍ ରିଲିଜ୍ । ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା. ଡିଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଡାକ୍ତର ବିଜୟ ମହାପାତ୍ର ଜିଲ୍ଲା ଗସ୍ତ କରି ହସ୍ପିଟାଲରେ ସଂକ୍ରମିତମାନଙ୍କ ଚିକିତ୍ସା ତଦାରଖ କରିଥିଲେ । ଧୀରେ ଧୀରେ ଜିଲ୍ଲାରେ ଡାଇରିଆ ସ୍ଥିତିରେ ସୁଧାର ଆସୁଛି । ଯେଉଁସବୁ ରୋଗୀ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ ସେମାନେ ସୁସ୍ଥ ହୋଇ ଘରକୁ ଫେରୁଥିବା ସ୍ବାସ୍ଥ୍ୟ ବିଭାଗ ଦର୍ଶାଇଛି । ଭଦ୍ରକ ଓ କଟକ ଜିଲ୍ଲାକୁ ସଂକ୍ରମଣ ବ୍ୟାପିଥିଲେ ବି ସେତେଟା ଗୁରୁତର ସ୍ଥିତି ନଥିବା କହିଛନ୍ତି ସରକାର । ଡାଇରିଆ ସଂକ୍ରମଣ ଉପରେ ନଜର ରଖିବାକୁ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଜିଲ୍ଲାପ୍ରଶାସନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛି । ଏହାସହିତ ଆବଶ୍ୟକ ସ୍ବାସ୍ଥ୍ୟକର୍ମୀ, ରାପିଡ ଆକ୍ସନ ଟିମ୍ ଓ ଜନସ୍ବାସ୍ଥ୍ୟ ଟିମ୍କୁ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି । କ୍ଷେତ୍ର ସ୍ତରରେ ସଂକ୍ରମଣ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ଟି ବିଭାଗର ୧୪ଜଣିଆ ଟିମ୍ ଓଡ଼ିଶା ଆସିଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୭ ଜଣିଆ ସ୍ବାସ୍ଥ୍ୟ ଟିମ୍ ଓ ୩ ଜଣିଆ ଖାଦ୍ୟ ନିରାପତ୍ତା ଟିମ୍ ଓଡ଼ିଶାକୁ ପଠାଯାଇଛି । ସେହିପରି ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା କର୍ତ୍ତୃପକ୍ଷଙ୍କ ତରଫରୁ ଏକ ୪ ଜଣିଆ ବିଶିଷ୍ଟ ଟିମ୍ ବଜାରରେ ମିଳୁଥିବା ଖାଦ୍ୟର ମାନ ଯାଞ୍ଚ କରିବେ । ଏସବୁ ଟିମ୍ ସଦସ୍ୟମାନେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ରୋଗର କାରଣ ଓ ନିରାକରଣ ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀ ଓ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବେ । ତେବେ ଡାଇରିଆରେ ଏପର୍ଯ୍ୟନ୍ତ ୪ଟି ଯାକ ଜିଲ୍ଲାରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ଭାବେ ଜଣାପଡିଥିଲେ ବି ସରକାର ରୋଗୀ ମୃତ୍ୟୁ ସଂଖ୍ୟା ୫ରେ ସୀମିତ ରଖିଛନ୍ତି ।
ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ଜିତିଲା ଟେଷ୍ଟ ଚାମ୍ପିୟନସିପ୍
ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା। ଜିତିଲା ଟେଷ୍ଟ ଚାମ୍ପିୟନସିପ୍। ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରି ଏହି ସଫଳତା ହାସଲ କରିଛି ଦକ୍ଷିଣ ଆଫ୍ରିକା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୧୨ ରନ୍ କରିଥିବା ବେଳେ ଦ୍ଵିତୀୟ ଇନିଂସରେ ୨୦୭ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୩୮ ରନ୍ କରିଥିବା ବେଳେ ଦ୍ଵିତୀୟ ଇନିଂସରେ ୨୮୨ ରନ୍ କରି ମ୍ୟାଚ ଜିତି ନେଇଛି। ୨୮ବର୍ଷ ପରେ ଏକ ଆଇସିସି ଟାଇଟଲ ହାସଲ କରିଛି ଦକ୍ଷିଣ ଆଫ୍ରିକା। ଏହି ବିଜୟର ହିରୋ ହେଉଛନ୍ତି ଏଡେନ ମାରକ୍ରମ୍ । ପ୍ରଥମ ଇନିଂସରେ ଡକ୍ ହୋଇଥିଲେ ମଧ୍ୟ ଦ୍ଵିତୀୟ ଇନିଂସରେ ସେ ଶତକ ହାସଲ କରିଥିଲେ।
ପ୍ରକାଶ ପାଇଲା NEET-UG-୨୦୨୫ ଫଳ
ଭୁବନେଶ୍ବର : ପ୍ରକାଶ ପାଇଲା NEET-UG-୨୦୨୫ ଫଳ। ପ୍ରାୟ ୨୨ ଲକ୍ଷ ୭୦ ହଜାର ପିଲା ଡାକ୍ତରୀ ପଢ଼ିବା ପାଇଁ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୧୨ ଲକ୍ଷ ୩୬ ହଜାର ପିଲା କ୍ଵାଲିଫାଏ କରିଛନ୍ତି । ଦେଶର ୫୦୦ ସହରରେ ପରୀକ୍ଷା ହୋଇଥିଲା। WWW.NEET.NTA.NIC.IN ରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖିପାରିବେ। ଏଥର ବି ବାଜି ମାରିଛନ୍ତି ଝିଅମାନେ। ୭ ଲକ୍ଷ ୨୨ ହଜାର ଝିଅ ରାଙ୍କ୍ ପାଇଥିବା ବେଳେ ୫ ଲକ୍ଷ ୧୪ ହଜାର ପୁଅଙ୍କୁ ରାଙ୍କ୍ ମିଳିଛି। ରାଜସ୍ଥାନର ମହେଶ କୁମାର ୯୯.୯୯ ପ୍ରତିଶତ ନମ୍ଵର ରଖି ଟପ୍ପର ହୋଇଛନ୍ତି। ଓଡ଼ିଶାର ଟପ୍ପର ହୋଇଛନ୍ତି ସ୍ନେହାଶିଷ ଦାଶ । ତାଙ୍କର ଅଲ୍ ଇଣ୍ଡିଆ ରାଙ୍କ୍ ହେଉଛି ୬୦ ।
କଣ ପାଇଁ ହେଲା ବିମାନ ଦୁର୍ଘଟଣା? କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ୧୧ଜଣିଆ କମିଟି
ନନ୍ଦିଘୋଷ ବ୍ୟୁରୋ : କଣ ପାଇଁ ହେଲା AI-171 ବିମାନ ଦୁର୍ଘଟଣା? ଦୁର୍ଘଟଣା ଏତେ ଭୟଙ୍କର ଥିଲା ଶତାଧିକ ଯାତ୍ରୀ ପ୍ରାଣ ହରାଇଲେ । ଏ ନେଇ ହେବ ଉଚ୍ଚସ୍ତରୀୟ ତଦନ୍ତ । ଏଥିପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ୧୧ଜଣିଆ କମିଟି । ଆଜି କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡ଼ୁ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ବିମାନର ବ୍ଲାକ ବକ୍ସ ମିଳିବା ପରେ ବୈଷୟିକ ତ୍ରୁଟି କିମ୍ବା ଆଉ କିଛି କାରଣ ପାଇଁ ଦୁର୍ଘଟଣା ହେଲା ସେ ନେଇ ସବିଶେଷ ତଥ୍ୟ ପଦାକୁ ଆସିବ । ଡିଜିସିଏ, ଏୟାରକ୍ରାଫ୍ଟ୍ ଆକସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ବୈଷୟିକ ତ୍ରୁଟି ସମ୍ପର୍କରେ ପୁଙ୍ଖୁନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି । କିନ୍ତୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ସାମଗ୍ରୀକ ଭାବେ ସବୁ ଦିଗରୁ ତଦନ୍ତ କରିବା ଭାରତ ସରକାରଙ୍କୁ ୩ ମାସ ଭିତରେ ରିପୋର୍ଟ ପ୍ରଦାନ କରିବ । ଆସନ୍ତା ସୋମବାର କମିଟିର ପ୍ରଥମ ବୈଠକ ବସିବ । କମିଟିରେ ସ୍ବରାଷ୍ଟ୍ର ସଚିବଙ୍କ ବ୍ୟତୀତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ, ଗୁଜୁରାଟ ସରକାରଙ୍କ ପ୍ରତିନିଧି, ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପ୍ରାଧୀକରଣ ପ୍ରତିନିଧି, ଅହମ୍ମଦାବାଦ ପୋଲିସ କମିଶନର, ବାୟୁସେନା ସୁରକ୍ଷା ସଂକ୍ରାନ୍ତ ତଦାରଖ ଡିଜି, ବେସାମରିକ ବିମାନଚଳାଚଳ ନିରାପତ୍ତା ବ୍ୟୁରୋ ଡିଜି, ଡିଜିସିଏ ଡିଜି, କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ସ୍ବତନ୍ତ୍ର ନିର୍ଦ୍ଦେଶକ ଓ ଗୁଜୁରାଟ ଫରେନସିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଦସ୍ୟ ଅଛନ୍ତି । ଏଣିକି ସମସ୍ତ ବୋଇଂ ୭୮୭ ଡ୍ରିମ ଲାଇନର ବିମାନର ସୁରକ୍ଷା ଓ ବୈଷୟିକ ଯାଞ୍ଚ କଡ଼ାକଡ଼ି କରାଯିବ । ଭାରତରେ ମୋଟ ୩୪ଟି ୭୮୭ ଡ୍ରିମ ଲାଇନର ବିମାନ ରହିଛି । ଅହମ୍ମଦାବାଦ ଦୁର୍ଘଟଣା ପରେ ସୁବ ବିମାନର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଏବେସୁଦ୍ଧା ୮ଟି ବିମାନର ଯାଞ୍ଚ ସରିଛି । ଆସନ୍ତା ଦିନରେ ଏପରି ଦୁର୍ଘଟଣା ଯେପରି ଆଉଥରେ ନ ଘଟେ ସେଥିପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମନ୍ତ୍ରୀ କେ.ରାମମୋହନ ନାଇଡ଼ୁ । ସେପଟେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଁଏ ଟଙ୍କା ସହାୟତା ଘୋଷଣା କରିଛି ଏୟାର ଇଣ୍ଡିଆ।
ଜୁନ ୨୦ରେ ବିଜେପିର ବର୍ଷପୂର୍ତ୍ତି ଉତ୍ସବ, ଆସିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର : ବର୍ଷକ ମଧ୍ୟରେ ଷଷ୍ଠ ଥର ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନତା ମଇଦାନରେ ଲକ୍ଷାଧିକ ଲୋକଙ୍କ ସମାବେଶ ଆଶା କରାଯାଉଛି । ଆବାସ ଯୋଜନାରୁ ବଞ୍ଚିତ ଏବଂ ବିପର୍ଯ୍ୟୟର ଶିକାର ହିତାଧିକାରୀଙ୍କୁ ପକ୍କାଘର ଯୋଗାଇବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଅନ୍ତ୍ଯୋଦୟ ଗୃହ ଯୋଜନା । ଏହି ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ଗୃହ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ମହାପୁରୁଷମାନଙ୍କ ଗାଁକୁ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ କରିପାରନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ରାଜ୍ୟ ସରକାରଙ୍କ ଆଉ କିଛି ନୂଆ ଯୋଜନା, ପ୍ରକଳ୍ପର ଲୋକାର୍ପଣ ବି ପ୍ରଧାନମନ୍ତ୍ରୀ କରିବାର ସମ୍ଭାବନା ରହିଛି । ଅପରାହ୍ନ ୩ଟା ବିମାନବନ୍ଦରରେ ପହଞ୍ଚିବା ପରେ ତିରଙ୍ଗା ଯାତ୍ରା ଓ ରୋଡ ସୋରେ ଲୋକଙ୍କ ଅଭିବାଦନ ଗ୍ରହଣ କରି ଜନତା ମଇଦାନରେ ପହଞ୍ଚିବେ ମୋଦି। ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ସରକାର ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ବ ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ବିଜେପି ଶିବିର। ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି । ଜନତା ମଇଦାନରେ ଲକ୍ଷାଧିକ ଲୋକଙ୍କ ସମାଗମ ଥିବାରୁ ଉପକୂଳ ଜିଲ୍ଲାରୁ ଅଧିକ ଆସିବାର ସମ୍ଭାବନା ରହିଛି। ବର୍ଷକ ତଳେ ସରକାରର ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ। ବର୍ଷକ ମଧ୍ୟରେ ବିଜେପି ସରକାର ଲୋକଙ୍କ କାମ କେତେ କରିଛି, ପ୍ରତିଶୃତି କେତେ ପୂରଣ ହୋଇଛି, କେନ୍ଦ୍ରର ୧୧ବର୍ଷ ସରକାରର ଉପଲବ୍ଧି କ’ଣ? ଏ ବାବଦରେ ଲୋକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ବିଜେପି କର୍ମୀ ଉତ୍ସାହିତ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଯୋଗୁଁ କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶା ରହିଛି ବୋଲି ସ୍ପଷ୍ଟ ହେଉଛି। ଜୁନ୍ ୨୦ ତାରିଖରୁ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ଜନତା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଉତ୍ସବରେ ସାମିଲ ହେବେ। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କ ସହ ସରକାରୀ ଦଳର ପଦାଧିକାରୀ, ବିଧାୟକ ଓ ସାଂସଦମାନେ ମଧ୍ୟ ଉପସ୍ଥିତ ରହିବେ।
ଅହମ୍ମଦାବାଦ ପ୍ଲେନ୍ କ୍ରାସ ପରେ ପଶିଲା ଚେତା, ତୁରନ୍ତ ବେଆଇନ କୋଠା ହଟାଇବାକୁ ବିଏମସିକୁ ଚିଠି
ଭୁବନେଶ୍ବର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଚାରିପାଖେ ରହିଛି ବଡ଼ ବଡ଼ ଅଟ୍ଟାଳିକା । ତାସହିତ ରନ୍ଓ୍ବେ ପାଖରେ ଠିଆ ହୋଇଛି ବଡ଼ ବଡ଼ ଗଛ । ଭୁବନେଶ୍ବର ବିମାନ ବନ୍ଦରରେ ହେଉଛି ଅସୁରକ୍ଷିତ ଟେକଅଫ୍ ଓ ଲ୍ୟାଣ୍ଡିଂ । ଯେ କୌଣସି ସମୟରେ ଘଟିପାରେ ଅହମ୍ମଦାବାଦ ପ୍ଲେନ୍ କ୍ରାସ ପରି ଘଟଣା । ଏଭଳି ଆଶଙ୍କା କରିଛନ୍ତି ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ । ଉଦବେଗ ପ୍ରକାଶ କରି ତୁରନ୍ତ ଗଛ କାଟିବା ସହ ବେଆଇନ ଅଟ୍ଟାଳିକା ହଟାଇବାକୁ ବିଏମ୍ସିକୁ ଚିଠି ଲେଖିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ସାମାନ୍ୟ ନଜର ହଟିଲେ ଦୁର୍ଘଟଣା ସୁନିଶ୍ଚିତ । ବିମାନ ବନ୍ଦରରୁ ୬୦ ମିଟର ଯାଏ କୌଣସି ନିର୍ମାଣ କାର୍ଯ୍ୟ ହେବା କଥା ନୁହେଁ । ହେଲେ ବିମାନ ବନ୍ଦରର ଟେକଅଫ୍ ଓ ଲ୍ୟାଣ୍ଡିଂ ପଏଣ୍ଟ ବାହାରେ ଗଢି ଉଠିଛି ବଡ଼ ବଡ଼ ବିଲଡିଂ । ରନଓ୍ବେ କଡ଼ରେ ଠିଆ ହୋଇଛି ଓୟୁଏଟିର ବଡ଼ ବଡ଼ ନଡ଼ିଆ ଗଛ ।ହାଉଜାଉ ଆମିଷ ଦୋକାନ ଯୋଗୁଁ ବିମାନକୁ ରହିଛି ପକ୍ଷୀ ମାଡ଼ ଭୟ । ବରମୁଣ୍ଡା, ଓୟୁଏଟି, କାର୍ଗିଲ ରୋଡ, ଜାଗମରା ଓ ଗଣ୍ଡମୁଣ୍ଡା ଆଖପାଖରେ ସର୍ଭେ କରାଯାଇ ବିଏମସି କର୍ତ୍ତୃପକ୍ଷଙ୍କୁ ତାଲିକା ବି ଦେଇଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ବିମାନ ବନ୍ଦର ସେଫଟି ଯାଞ୍ଚ ପାଇଁ ଜୁନ ୩୦ରେ ଫୁଲସ୍କେଲ ରିହାର୍ସଲ କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି । ବିଲଡିଂ ଭଙ୍ଗା ଓ ଗଛ କଟା ପ୍ରସ୍ତାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ବିମାନ ବନ୍ଦର ପାଖରେ ବିଲଡିଂ ନିର୍ମାଣ ପୂର୍ବରୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ନେବା କଥା । ହେଲେ ନିର୍ମାଣ ହେଲା ବେଳେ କାହିଁକି ବିମାନବନ୍ଦର କର୍ତ୍ତୃପକ୍ଷ ଏ ଦିଗ ପ୍ରତି ଧ୍ୟାନ ଦେଇନଥିଲେ ବୋଲି ଅଭିଯୋଗ କରିଛନ୍ତି
ବୋଲ ମାନୁନି ଝାଡାବାନ୍ତି, ଯାଜପୁର ପରେ କେନ୍ଦୁଝର, ଭଦ୍ରକ ଓ କଟକରେ ଏଣ୍ଟ୍ରି
ନନ୍ଦିଘୋଷ ବ୍ୟୁରୋ : ବୋଲ ମାନୁନି ଝାଡାବାନ୍ତି । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡି ଚାଲିଛି । ଯାଜପୁରରେ ହଇଜା ଭୂତାଣୁ ଚିହ୍ନଟ ହେବା ପରେ ଆଉ ତିନି ଜିଲ୍ଲାରେ ଝାଡାବାନ୍ତି ଆତଙ୍କ । ସ୍ଥିତି ସଙ୍ଗୀନ ହେଉଥିବାରୁ ରଜରେ ଭୋଜିଭାତରୁ ଦୂରେଇ ରହିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ । ଯାଜପୁରରେ ନିୟନ୍ତ୍ରଣକୁ ଆସୁନି ହଇଜା । ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ସ୍ଥିତି । ଯାଞ୍ଚ ହୋଇଥିବା ୨୧ଟି ନମୁନାରୁ ୧୧ଜଣଙ୍କ ଠାରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି । ଜିଲ୍ଲାରେ ହଇଜା ମାଡିବା ପରେ ସ୍ବାସ୍ଥ୍ୟ ବିଭାଗର ନିଦ ହଜିଯାଇଛି । ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ୧୦ଜଣଙ୍କ ମୃତ୍ୟୁ ହୋଇଛି । ୬ବ୍ଲକର ୬୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ । ଏବେ ବି ବିଭିନ୍ନ ଡାକ୍ତରଖାନାରେ ୨୦୦ରୁ ଅଧିକ ଲୋକ ଚିକିତ୍ସାଧୀନ ଅଛନ୍ତି । ସ୍ବାସ୍ଥ୍ୟ ବିଭାଗର ନିଷ୍କ୍ରିୟତା ଯୋଗୁ ସୀମାବର୍ତ୍ତୀ କେନ୍ଦୁଝର ଓ ଭଦ୍ରକ ସହ କଟକ ଜିଲ୍ଲାକୁ ମଧ୍ୟ ବ୍ୟାପିଲାଣି ଝାଡାବାନ୍ତି । ସେପଟେ କେନ୍ଦୁଝରରେ ୩ଜଣ, ଭଦ୍ରକ ଓ କଟକରୁ ମଧ୍ୟ ଜଣେ ଲେଖାଏଁ ଝାଡାବାନ୍ତିରେ ମୃତ୍ୟୁବରଣ କରିଛନ୍ତି । କେନ୍ଦୁଝରର ଆନନ୍ଦପୁର ଓ ଘସିପୂରା ବ୍ଲକ ସହ ଭଦ୍ରକର ଭଣ୍ଡାରିପୋଖରୀ ଏବଂ କଟକ ସଦର ବ୍ଲକର ଝିଙ୍କିରିଆ ଗାଁରେ ବି ବ୍ୟାପିଛି ଝାଡାବାନ୍ତି ।
ଯାଜପୁରରେ ସ୍ଥିତି ଅଣାୟତ୍ତ ହୋଇଥିବାରୁ ଜିଲ୍ଲାକୁ ଘନଘନ ସ୍ବାସ୍ଥ୍ୟ ବିଭାଗର ଟିମ ଗସ୍ତ କରି ସ୍ଥିତି ଯାଞ୍ଚ କରୁଛନ୍ତି । ଆଜି ରାଜ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ସହ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଓ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଟିମ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ସମୀକ୍ଷା କରିଛନ୍ତି । ହଇଜା ବ୍ୟାପିଥିବା ଅଞ୍ଚଳରେ ପାନୀୟ ଜଳ ବିଶୋଧନ କରାଯାଉଥିବା ବେଳେ ପ୍ରତ୍ୟେକ ଗାଁରେ ଆଶା ଓ ଅଙ୍ଗନାଓ୍ବାଡି କର୍ମୀ ଲୋକଙ୍କୁ ସଚେତନ କରୁଛନ୍ତି । ଏଭଳି ସ୍ଥିତିରେ ରଜରେ ଭୋଜିଭାତ ନକରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କ ରଜ ଛୁଟି ମଧ୍ୟ ବାତିଲ କରାଯାଇଛି ।
ଅନ୍ୟପଟେ ଏବେ ଆକ୍ସନ ମୋଡକୁ ଆସିଛି ଖାଦ୍ୟ ସୁରକ୍ଷା ବିଭାଗ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ହୋଟେଲ ଓ ରେସ୍ତୋରାଁ ଉପରେ ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି । ଅନେକ ହୋଟେଲ ଓ ରେସ୍ତୋରାଁରେ ଅପମିଶ୍ରିତ ଖାଦ୍ୟ ବି ଜବତ କରାଯାଇଛି । ଯାଜପୁରରେ ସରକାରୀ ଭାବେ ଯେଉଁ ୫ଜଣଙ୍କ ମୃତ୍ୟୁ ଖବର ଆସିଛି ସେମାନଙ୍କ ଅଟୋପ୍ସି ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏଥିସହିତ ଆଜି କେନ୍ଦ୍ରରୁ ୧୪ ଜଣିଆ ଟିମ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମ ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବେ । ଟିମରେ ଆଇସିଏମଆର, ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଖାଦ୍ୟ ନିରାପତ୍ତାର ଅଧିକାରୀମାନେ ସାମିଲ ଅଛନ୍ତି ।
ଆୟୁଷ୍ମାନ ଭାରତର ହିତାଧିକାରୀ ସଂଖ୍ୟା ବଢୁଛି, ହେଲେ ମିଳୁନି ସ୍ୱାସ୍ଥ୍ୟସେବା
ଭୁବନେଶ୍ଵର : ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ହିତାଧିକାରୀ ସଂଖ୍ୟା ୧ କୋଟି ଟପିଛି l ଏହି ଯୋଜନାକୁ ଆୟୁଷ୍ମାନ ଭାରତ ସହିତ ମିଶ୍ରଣ କରି ଦେଇଛି ରାଜ୍ୟର ବିଜେପି ସରକାର। କିନ୍ତୁ ଆୟୁଷ୍ମାନ ଭାରତ ଲାଗୁ ହେବା ଦିନରୁ ଓଡ଼ିଶାବାସୀ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ। ଗରିବ ଲୋକଙ୍କୁ ଭଲ ହସ୍ପିଟାଲରେ ମାଗଣା ଚିକିତ୍ସା ମିଳୁନି। ପଂଜୀକରଣ ହିତାଧିକାରୀ ସଂଖ୍ୟା ସଂଖ୍ୟା ବଢ଼ୁଥିଲେ ମଧ୍ୟ ଓଡ଼ିଶାବାସୀ ଠିକ୍ ରେ ଚିକିତ୍ସା ପାଉ ନାହାନ୍ତି। ଆୟୁଷ୍ମାନ ଯୋଜନାର ବିଫଳତାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ l ସେ ଅଭିଯୋଗ କରିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ବହୁ ସମସ୍ୟା ଥିବାରୁ ଲୋକେ ଚିକିତ୍ସl ପାଇପାରୁନାହାନ୍ତି l ରୋଗୀ ଆଡ଼ମିଶନ ନେଲେ ଆପୃର୍ଭାଲ ନେବାରେ ବିଳମ୍ୱ ହେଉଛି l ଆୟୁଷ୍ମାନ କାର୍ଡରେ ବହୁ ନିୟମ ଥିବାରୁ ଲୋକେ ହଇରାଣ ହେଉଛନ୍ତି l ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି। କିନ୍ତୁ ନବୀନ ସରକାର ବେଳେ BSKY ରେ ଲୋକେ ଭଲରେ ମାଗଣାରେ ଚିକିତ୍ସା ପାଉଥିଲେ। ପଂଜୀକୃତ ହିତାଧିକାରୀଙ୍କ ସଂଖ୍ୟା ନୁହେଁ ସମସ୍ତଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉପରେ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି।
ଆୟୁଷ୍ମାନ ଯୋଜନାର ବିଫଳତାକୁ ନେଇ କଂଗ୍ରେସ ମଧ୍ୟ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛି l ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ବିଗିଡି ଯାଇଛି ସ୍ବାସ୍ଥ୍ୟସେବା l ବିଜେଡି ସରକାର ସମୟରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡରେ ଗରିବ ଲୋକ ମାଗଣାରେ ଚିକିତ୍ସା ହୋଇ ଉପକୃତ ହେଉଥିବା ବେଳେ ଆୟୁଷ୍ମାନ ଯୋଜନା ରେ ଠିକରେ ସ୍ବାସ୍ଥ୍ୟ ସେବା ପାଉ ନାହାନ୍ତି, ହଇରାଣ ହେଉଛନ୍ତି l ଏପରିକି ଚିକିତ୍ସା ନ ପାଇ ଲୋକେ ମରିଯାଉଥିବା କଂଗ୍ରେସ ଅଭିଯୋଗ କରିଛି l ସେପଟେ ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନା ଠିକ୍ ଭାବେ କାମ କରୁଛି ଓ ଲୋକେ ଉପକୃତ ହେଉଛନ୍ତି l ଉପକୂଳରୁ ଉପାନ୍ତ ଯାଏ ବିଗିଡି ଯାଇଛି ସ୍ୱାସ୍ଥ୍ୟ ସେବା l ଆୟୁଷ୍ମାନ ଭାରତ ଯୋଜନାରେ ନାନା ସମସ୍ୟା ଥିବାରୁ ଲୋକେ ହନ୍ତସନ୍ତ।
ମଜାକ ପାଲଟିଲାଣି ପାରଦର୍ଶୀ ପୋର୍ଟାଲ, ଗରିବ ପିଲାଙ୍କୁ ଆଡମିଶନ ବେଳେ ଠକିଥିଲେ ଏବେ ବଦଳି ବେଳେ ବି ଠକୁଛନ୍ତି
ଭୁବନେଶ୍ୱର : ହାତରେ ନହେଲେ ଭାତରେ ମାରୁଛନ୍ତି । ପାରଦର୍ଶୀ ପୋର୍ଟାଲରେ ଆଡମିଶନ ବେଳେ ଠକିଥିଲେ ଏବେ ସ୍କୁଲ ବଦଳି ବେଳେ ବି ଠକୁଛନ୍ତି । ପୂର୍ବରୁ ନିୟମ ଥିଲେ ମଧ୍ୟ ରାଜ୍ୟର ବହୁ ଘରୋଇ ସ୍କୁଲ ଗରିବ ପିଲାଙ୍କୁ ମାଗଣା ଶିକ୍ଷା ଦେବାରୁ ବଂଚିତ କରିଛନ୍ତି । ବହୁ ସ୍କୁଲ ନିଜକୁ ପାରଦର୍ଶୀ ପୋର୍ଟାଲରେ ପଞ୍ଜିକୃତ କଲେ ନାହିଁ । ଏବେ ଆଉ ଏକ ଉପାୟରେ ଗରିବ ପିଲାଙ୍କୁ ଠକା ଯାଉଥିବା ଅଭିଯୋଗ ହୋଇଛି । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଗରିବ ପିଲା ବିଭିନ୍ନ ଘରୋଇ ସ୍କୁଲରେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ମାଗଣାରେ ପଢିବାକୁ ବ୍ୟବସ୍ଥା କରାଯାଇଥିଲା । ଏହି ବ୍ୟବସ୍ଥାକୁ ବିଜେଡି ସରକାର କାର୍ଯ୍ୟକାରୀ କରିଥିଲେ । କିଛି କ୍ଷେତ୍ରରେ କୌଣସି ଅଭିଭାବକ ଯଦି କୌଣସି କାରଣରୁ ସ୍ଥାନ ପରିବର୍ତ୍ତନ କରେ ତାଙ୍କ ପିଲାଙ୍କୁ ଅନ୍ୟତ୍ର ଅନ୍ୟ ଘରୋଇ ସ୍କୁଲରେ ପଢିବାର ବ୍ୟବସ୍ଥା ରହିଛି । କିନ୍ତୁ ସେଠାରେ ପିଲାଙ୍କୁ କିଭଳି ଆଡମିଶନ ନ ମିଳିବ ସେଥିପାଇଁ ଷଡ଼ଯନ୍ତ୍ର ମଧ୍ୟ କରୁଥିବା ଅଭିଯୋଗ ହୋଇଛି । ସରକାରଙ୍କ ପାଖରେ ବିଭିନ୍ନ ସ୍କୁଲର ଆରଟିଇ ସିଟ ନେଇ ତଥ୍ୟ ରହିଥିଲେ ମଧ୍ୟ ସେହି ସ୍କୁଲର ଇଚ୍ଛା ଅନୁଯାୟୀ ଆଡମିଶନ ମିଳୁଛି । ଫଳରେ ଅନେକ ଗରିବ ପିଲା ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକ ସଂଘ ସମେତ ଜନସଂଗଠନ ଗୁଡ଼ିକ ସରକାର ଉପରେ ବର୍ଷିଛନ୍ତି। …
ଶିକ୍ଷା କ୍ଷେତ୍ରରେ ଏଭଳି ଠକାମି ବିରୋଧରେ ଆନ୍ଦୋଳନ ବ୍ୟାପକ ହେବ ବୋଲି କୁହାଯାଇଛି । ଅନ୍ୟାନ୍ୟ ଦଳ ବିରୋଧ କରୁଥିବା ବେଳେ ଏବେ ସାଧାରଣ ଲୋକେ ବିରୋଧ କରିବେ । ବିଜେପି ସରକାରକୁ ଟେକ୍ନିକାଲି ମିଛୁଆ ସରକାରର ଆଖ୍ୟା ଦେଇଛି ଓଡିଶା ସିଟିଜେନସ ଫୋରମ । ସେପଟେ ଶିକ୍ଷା ଅଧିକାର ଫୋରମର କହିବା କଥା ସରକାରଙ୍କ ଏଭଳି ମନୋଭାବ ଯୋଗୁଁ ପ୍ରତିଭାବାନ ଗରିବ ପିଲାମାନେ ଗୁଣାତ୍ମକ ପାଠପଢ଼ାରୁ ବଂଚିତ ହେଉଛନ୍ତି । ତେଣୁ ସରକାର ଯେଉଁ ନିୟମ ନିଜେ କରିଛନ୍ତି ତାକୁ ପାଳନ କରନ୍ତୁ ବୋଲି କୁହାଯାଇଛି । ବିନା ବିଚାରବିମର୍ଶରେ ଜାତୀୟ ଶିକ୍ଷା ନୀତି ଲାଗୁ କରି ଶିକ୍ଷକ, ଶିକ୍ଷାବିତ ଓ ଲୋକଙ୍କ ରୋଷର ଶିକାର ହୋଇଥିବା ସରକାର ଏବେ ଶିକ୍ଷା ଅଧିକାର ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ ନ କରିବାକୁ ନେଇ ଅସନ୍ତୋଷ ବ୍ୟାପକ ହୋଇଛି।
୫ ବାଇକ ଚୋରଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ବର : ବୁଲେଟ ଚୋରି କରି ବନୁଥିଲେ ବୁଲେଟ ରାଜା । ଚୋରି ଟଙ୍କାରେ ଅୟସ ଆରାମରେ ବଞ୍ଚୁଥିଲେ । କଳିଙ୍ଗ ବିହାରରୁ ୫ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତ ମନୀଷ ପଟ୍ଟନାୟକ ଓ ବାବୁରାଓ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଥିଲା । ତଦନ୍ତ ବେଳେ ଅଭିଯୁକ୍ତ ମାନେ ୧୧ ଟି ବାଇକ୍ ଚୋରି କରିନେଇଥିବା ଜଣାପଡିଥିଲା । ଚୋରି ବାଇକ ମଧ୍ୟରେ ୬ ଟି ବୁଲେଟ ମଧ୍ୟ ରହିଛି । ଗାଡି ଚୋରି କରିବା ପରେ ସନ୍ତୋଷ ବେହେରା, ସଚିନ ଗୌଡ଼ ଓ ବିଜନ ସ୍ବାଇଁଙ୍କୁ ବିକ୍ରି କରିଥିଲେ । ପୁରା ଘଟଣାର ତଦନ୍ତ କରିବା ପରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ରାଜଧାନୀରେ ଏମାନେ ଗାଡି ଚୋରି ଗ୍ୟାଙ୍ଗ ଚଳାଇଥିଲେ । ଡବଲ ଲକ ହୋଇନଥିବା ଗାଡି ଗୁଡିକୁ ଟାର୍ଗେଟ କରୁଥିଲେ । ସେମାନଙ୍କ ନିକଟରୁ ମୋଟ ୧୧ ଟି ମଟର ସାଇକେଲ ଜବତ କରାଯାଇଛି । ଅଭିଯୁକ୍ତ ମନୀଷ ଓ ବାବୁରାଓ ନାଁରେ ଲିଙ୍ଗରାଜ ଥାନା , ମୈତ୍ରୀ ବିହାର ଥାନା , ପିପିଲି ଥାନା ଅଞ୍ଚଳରେ ୩ ଟି ଚୋରି କେସ ରହିଛି । ସେହିପରି ରିସିଭର ବିଜନ ସ୍ୱାଇଁ ନାଁରେ ତମାଣ୍ଡୋ ଥାନାରେ ୫ ଟି କେସ ରହିଛି । ସେପଟେ ଚୋରି ଗାଡି ଫେରିପାଇବା ପରେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଲୋକେ । କେହି କେହି ଠାକୁରଙ୍କ ପାଖରେ ମାନସିକ କରିଥିବା ବେଳେ, ଗାଡି ମିଳିବା ପରେ ଦାଢ଼ି ନିଶ କାଟିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଚୋରି ଗାଡି ଧରିବାରେ ଯେଉଁ ପୋଲିସ କର୍ମଚାରୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରିଛନ୍ତି ଭୁବନେଶ୍ୱର ଡିସିପି ।

